ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଦ୍ବାଦଶ ଅଧ୍ୟାୟ

ଭରତଙ୍କ ଦ୍ବାରା ରହୂଗଣଙ୍କ ପ୍ରଶ୍ନର ସମାଧାନ

 

ରହୂଗଣ ଉବାଚ

ନମୋ ନମଃ କାରଣବିଗ୍ରହାୟ

ସ୍ୱରୂପତୁଚ୍ଛୀକୃତବିଗ୍ରହାୟ ।

ନମୋଽବଧୂତଦ୍ୱିଜବନ୍ଧୁଲିଙ୍ଗ-

ନିଗୂଢନିତ୍ୟାନୁଭବାୟ ତୁଭ୍ୟମ୍ ॥ ୧॥

ରାଜା ରହୂଗଣ କହିଲେ – ଭଗବନ୍ ! ମୁଁ ଆପଣଙ୍କୁ ନମସ୍କାର କରୁଛି | ଜଗତର ଉଦ୍ଧାର ନିମନ୍ତେ ଆପଣ ଏହି ଦେହ ଧାରଣ କରିଛନ୍ତି | ହେ ଯୋଗେଶ୍ବର ! ନିଜ ପରମାନନ୍ଦମୟ ସ୍ବରୂପର ଅନୁଭବ କରି ଆପଣ ଏହି ସ୍ଥୂଳଶରୀର ପ୍ରତି ଉଦାସୀନ ହୋଇ ଯାଇଛନ୍ତି ତଥା ଏକ ଜଡ ବ୍ରାହ୍ମଣ ବେଶରେ ନିଜ ନିତ୍ୟଜ୍ଞାନମୟ ସ୍ଵରୂପକୁ ଜନସାଧାରଣଙ୍କ ଦୃଷ୍ଟିରୁ ଗୋପନୀୟ ରଖିଛନ୍ତି | ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି |

ଜ୍ୱରାମୟାର୍ତସ୍ୟ ଯଥାଗଦଂ ସ-

ନ୍ନିଦାଘଦଗ୍ଧସ୍ୟ ଯଥା ହିମାମ୍ଭଃ ।

କୁଦେହମାନାହିବିଦଷ୍ଟଦୃଷ୍ଟେ-

ର୍ବ୍ରହ୍ମନ୍ୱଚସ୍ତେଽମୃତମୌଷଧଂ ମେ ॥ ୨॥

ବ୍ରହ୍ମନ୍ ! ଯେପରି ଜ୍ବରରେ ପୀଡିତ ରୋଗୀ ପାଇଁ ମିଠା ଔଷଧ ଏବଂ ଗ୍ରୀଷ୍ମତାପରେ ଦଗ୍ଧ ପୁରୁଷ ପାଇଁ ଶୀତଳ ଜଳ ଅମୃତତୁଲ୍ୟ ହୋଇଥାଏ, ସେହିପରି ମୋ ପାଇଁ, ଯାହାର ବିବେକବୁଦ୍ଧିକୁ ଦେହାଭିମାନରୂପ ବିଷଧର ସର୍ପ ଦଂଶନ କରିଛି, ଆପଣଙ୍କର ବଚନ ଅମୃତମୟ ଔଷଧ ତୁଲ୍ୟ ଅଟେ |

ତସ୍ମାଦ୍ଭବନ୍ତଂ ମମ ସଂଶୟାର୍ଥଂ

ପ୍ରକ୍ଷ୍ୟାମି ପଶ୍ଚାଦଧୁନା ସୁବୋଧମ୍ ।

ଅଧ୍ୟାତ୍ମୟୋଗଗ୍ରଥିତଂ ତବୋକ୍ତ-

ମାଖ୍ୟାହି କୌତୂହଲଚେତସୋ ମେ ॥ ୩॥

ହେ ଦେବ ! ଆପଣଙ୍କ ଦ୍ବାରା ମୁଁ ନିଜ ସଂଶୟର ନିବାରଣ ପରେ କରିବି | ପ୍ରଥମେ ଆପଣ ଯେଉଁ ଅଧ୍ୟାତ୍ମ-ଯୋଗମୟ ଉପଦେଶ ଦେଲେ, ତାହାକୁ ସରଳ ଶବ୍ଦରେ ମୋତେ ବୁଝାଇ କହନ୍ତୁ, ତାହା ବୁଝିବା ପାଇଁ ମୋର ପ୍ରବଳ ଉତ୍କଣ୍ଠା ଜାତ ହୋଇଛି |

ଯଦାହ ଯୋଗେଶ୍ୱର ଦୃଶ୍ୟମାନଂ

କ୍ରିୟାଫଲଂ ସଦ୍ୱ୍ୟବହାରମୂଲମ୍ ।

ନ ହ୍ୟଞ୍ଜସା ତତ୍ତ୍ୱବିମର୍ଶନାୟ

ଭବାନମୁଷ୍ମିନ୍ ଭ୍ରମତେ ମନୋ ମେ ॥ ୪॥

ଯୋଗେଶ୍ବର ! ଆପଣ ଯାହା କହିଲେ ଯେ ଭାର ଉଠାଇବା କ୍ରିୟା ତଥା ତାହାର ଶ୍ରମରୂପ ଫଳ, ଉଭୟ ପ୍ରତ୍ୟକ୍ଷ ହୋଇଥିଲେ ବି କେବଳ ବ୍ୟବହାରମୂଳକ ଅଟନ୍ତି; ବାସ୍ତବରେ ସତ୍ୟ ନୁହଁନ୍ତି – ତତ୍ତ୍ବବିଚାର ଦୃଷ୍ଟିରେ କିଛି ବି ନୁହଁନ୍ତି | ଏହି ବିଷୟରେ ମୋର ମନ ଭ୍ରମିତ ହେବାରେ ଲାଗିଛି; ଆପଣଙ୍କର ଏହି କଥନର ମର୍ମ ମୁଁ ବୁଝି ପାରୁନାହିଁ |

ବ୍ରାହ୍ମଣ ଉବାଚ

ଅୟଂ ଜନୋ ନାମ ଚଲନ୍ ପୃଥିବ୍ୟାଂ

ଯଃ ପାର୍ଥିବଃ ପାର୍ଥିବ କସ୍ୟ ହେତୋଃ ।

ତସ୍ୟାପି ଚାଙ୍ଘ୍ର୍ୟୋରଧିଗୁଲ୍ଫଜଙ୍ଘା-

ଜାନୂରୁମଧ୍ୟୋରଶିରୋଧରାଂସାଃ ॥ ୫॥

ଜଡ ଭରତ କହିଲେ – ହେ ପୃଥ୍ବୀପତି ! ଏହି ଶରୀର ପୃଥିବୀର ବିକାର ଅଟେ, ପାଷାଣାଦିଠାରୁ ଏହାର ପ୍ରଭେଦ କଣ ? କୌଣସି କାରଣରୁ ଏହା ଯେତେବେଳେ ପୃଥିବୀପୃଷ୍ଠରେ ଚାଲିବାରେ ଲାଗେ, ସେତେବେଳେ ଏହାର ଭାରବାହୀ ଆଦି ନାମ ହୋଇଯାଏ | ଏହାର ଦୁଇଟି ଚରଣ ରହିଛି; ତା ଉପରକୁ କ୍ରମଶଃ ଗୋଇଠି, ପିଣ୍ଡଳି, ଆଣ୍ଠୁ, ଜଂଘ, କଟି, ବକ୍ଷସ୍ଥଳ, ସ୍କନ୍ଧ ଆଦି ଅଙ୍ଗ ରହିଛି |

ଅଂସେଽଧି ଦାର୍ୱୀ ଶିବିକା ଚ ଯସ୍ୟାଂ

ସୌବୀରରାଜେତ୍ୟପଦେଶ ଆସ୍ତେ ।

ଯସ୍ମିନ୍ ଭବାନ୍ ରୂଢନିଜାଭିମାନୋ

ରାଜାସ୍ମି ସିନ୍ଧୁଷ୍ୱିତି ଦୁର୍ମଦାନ୍ଧଃ ॥ ୬॥

କାନ୍ଧ ଉପରେ କାଠର ଏକ ପାଲିଙ୍କି ରହିଛି, ଯହିଁରେ ସୌବୀରରାଜ ନାମକ ଏକ ପାର୍ଥିବ ବିକାର ହିଁ ବିରାଜମାନ | ସେଥିରେ ଆତ୍ମବୁଦ୍ଧିରୂପ ଅଭିମାନ କରି ତୁମେ ‘ମୁଁ ସିନ୍ଧୁ ଦେଶର ରାଜା ଅଟେ ଏହି ପ୍ରବଳ ମଦରେ ଅନ୍ଧ ହୋଇଯାଇଛ |

ଶୋଚ୍ୟାନିମାଂସ୍ତ୍ୱମଧିକଷ୍ଟଦୀନାନ୍

ବିଷ୍ଟ୍ୟା ନିଗୃହ୍ଣନ୍ ନିରନୁଗ୍ରହୋଽସି ।

ଜନସ୍ୟ ଗୋପ୍ତାସ୍ମି ବିକତ୍ଥମାନୋ

ନ ଶୋଭସେ ବୃଦ୍ଧସଭାସୁ ଧୃଷ୍ଟଃ ॥ ୭॥

କିନ୍ତୁ ଏହା ଦ୍ବାରା ତୁମର କୌଣସି ଶ୍ରେଷ୍ଠତା ସିଦ୍ଧ ହୁଏନାହିଁ, ବାସ୍ତବରେ ତ ତୁମେ ଅତ୍ୟନ୍ତ କ୍ରୂର ଏବଂ ଧୃଷ୍ଟ ହିଁ ଅଟ | ତୁମେ ଏହି ବିଚରା ଦୀନ-ଦୁଃଖୀ କହାରମାନଙ୍କୁ ବେଠିରେ ଧରି ଆଣି ପାଲିଙ୍କି ବୋହିବାରେ ଲଗାଇ ରଖିଛ, ଅଥଚ ମହାପୁରୁଷମାନଙ୍କର ସଭାରେ ନିଜର ବଡିମା ଗାନ କରୁଛ ଯେ ମୁଁ ଲୋକମାନଙ୍କର ରକ୍ଷକ ଅଟେ |

ଯଦା କ୍ଷିତାବେବ ଚରାଚରସ୍ୟ

ବିଦାମ ନିଷ୍ଠାଂ ପ୍ରଭବଂ ଚ ନିତ୍ୟମ୍ ।

ତନ୍ନାମତୋଽନ୍ୟଦ୍ୱ୍ୟବହାରମୂଲଂ

ନିରୂପ୍ୟତାଂ ସତ୍କ୍ରିୟଯାନୁମେୟମ୍ ॥ ୮॥

ଆମେ ସମସ୍ତେ ଏହା ଦେଖୁଛେ ଯେ ସମ୍ପୂର୍ଣ୍ଣ ଚରାଚର ଭୂତ ପୃଥିବୀରୁ ଉତ୍ପନ୍ନ ହେଉଛନ୍ତି ଏବଂ ପୃଥିବୀରେ ହିଁ ଲୀନ ହୋଇ ଯାଉଛନ୍ତି | ତେଣୁ କ୍ରିୟାଭେଦରେ ଏମାନଙ୍କର ଯେଉଁ  ଭିନ୍ନ ଭିନ୍ନ ନାମ ହୋଇଥାଏ, ତାହା କେବଳ ବ୍ୟବହାରିକ ନୁହେଁ ତ ଆଉ କଣ ?

ଏବଂ ନିରୁକ୍ତଂ କ୍ଷିତିଶବ୍ଦବୃତ୍ତ-

ମସନ୍ନିଧାନାତ୍ପରମାଣବୋ ଯେ ।

ଅବିଦ୍ୟଯା ମନସା କଲ୍ପିତାସ୍ତେ

ଯେଷାଂ ସମୂହେନ କୃତୋ ବିଶେଷଃ ॥ ୯॥

ସେହିପରି, ‘ପୃଥ୍ବୀ ଶବ୍ଦର ବ୍ୟବହାର ମଧ୍ୟ ମିଥ୍ୟା ହିଁ ଅଟେ; ବାସ୍ତବିକ ନୁହେଁ; କାରଣ ତାହା ନିଜର ଉପାଦାନକାରଣ ପରମାଣୁରେ ଲୀନ ହୋଇଯାଏ | ତାଛଡା, ଯାହାର ମିଳନରୁ ପୃଥ୍ବୀରୂପ କାର୍ଯ୍ୟ ସିଦ୍ଧ ହୋଇଥାଏ, ସେହି ପରମାଣୁର କଳ୍ପନା ଅବିଦ୍ୟାବଶ ମନରେ ହିଁ କରାଯାଇ ଥାଏ; ବାସ୍ତବରେ ସେମାନଙ୍କର ମଧ୍ୟ ସତ୍ତା ନାହିଁ |

ଏବଂ କୃଶଂ ସ୍ଥୂଲମଣୁର୍ବୃହଦ୍ୟ-

ଦସଚ୍ଚ ସଜ୍ଜୀବମଜୀବମନ୍ୟତ୍ ।

ଦ୍ରବ୍ୟସ୍ୱଭାବାଶୟକାଲକର୍ମ-

ନାମ୍ନାଜୟାବେହି କୃତଂ ଦ୍ୱିତୀୟମ୍ ॥ ୧୦॥

ଏହିପରି ଭାବରେ ଅନ୍ୟ ଯେତେ ପତଳା-ମୋଟା, ଛୋଟ-ବଡ, କାର୍ଯ୍ୟ-କାରଣ ତଥା ଚେତନ-ଅଚେତନ ଗୁଣଯୁକ୍ତ ଦ୍ବୈତ-ପ୍ରପଞ୍ଚ ରହିଛି – ତାହାକୁ ମଧ୍ୟ ଦ୍ରବ୍ୟ, ସ୍ବଭାବ, ଆଶୟ, କାଳ ଏବଂ କର୍ମ ଆଦି ନାମବିଶିଷ୍ଟ ଭଗବାନଙ୍କ ମାୟାର ହିଁ କାର୍ଯ୍ୟ ଭାବରେ ଜାଣ |

ଜ୍ଞାନଂ ବିଶୁଦ୍ଧଂ ପରମାର୍ଥମେକ-

ମନନ୍ତରଂ ତ୍ୱବହିର୍ବ୍ରହ୍ମ ସତ୍ୟମ୍ ।

ପ୍ରତ୍ୟକ୍ପ୍ରଶାନ୍ତଂ ଭଗବଚ୍ଛବ୍ଦସଞ୍ଜ୍ଞଂ

ଯଦ୍ୱାସୁଦେବଂ କବୟୋ ବଦନ୍ତି ॥ ୧୧॥

ବିଶୁଦ୍ଧ ପରମାର୍ଥରୂପ ଅଦ୍ବିତୀୟ ତଥା ଅନ୍ତର୍ବହିର୍ଭେଦ ରହିତ ପରିପୂର୍ଣ୍ଣ ଜ୍ଞାନ ହିଁ ସତ୍ୟ ବସ୍ତୁ ଅଟେ | ତାହା ସର୍ବାନ୍ତର୍ବର୍ତ୍ତୀ ଏବଂ ସର୍ବତୋ ଭାବରେ ନିର୍ବିକାର ଅଟେ | ତାହାର ନାମ ‘ଭଗବାନ, ଯାହାକୁ ପଣ୍ଡିତଜନ ‘ବାସୁଦେବ କହନ୍ତି |

ରହୂଗଣୈତତ୍ତପସା ନ ଯାତି

ନ ଚେଜ୍ୟଯା ନିର୍ୱପଣାଦ୍ଗୃହାଦ୍ୱା ।

ନ ଛନ୍ଦସା ନୈବ ଜଲାଗ୍ନିସୂର୍ୟୈ-

ର୍ୱିନା ମହତ୍ପାଦରଜୋଽଭିଷେକମ୍ ॥ ୧୨॥

ହେ ରହୂଗଣ ! ମହାପୁରୁଷଙ୍କର ଚରଣଧୂଳିରେ ନିଜକୁ ଅଭିଷିକ୍ତ ନ କରି କେବଳ ତପ, ଯଜ୍ଞାଦି ବୈଦିକ କର୍ମ, ଅନ୍ନାଦି ଦାନ, ଅତିଥିସେବା, ଦୀନସେବା ଆଦି ଗୃହସ୍ଥୋଚିତ ଧର୍ମାନୁଷ୍ଠାନ, ବେଦାଧ୍ୟୟନ ଅଥବା ଜଳ, ଅଗ୍ନି ବା ସୂର୍ଯ୍ୟଙ୍କର ଉପାସନା ଆଦି କୌଣସି ସାଧନ ଦ୍ବାରା ଏହି ପରମାତ୍ମଜ୍ଞାନ ପ୍ରାପ୍ତ ହୋଇପାରେ ନାହିଁ |

ଯତ୍ରୋତ୍ତମଶ୍ଲୋକଗୁଣାନୁବାଦଃ

ପ୍ରସ୍ତୂୟତେ ଗ୍ରାମ୍ୟକଥାବିଘାତଃ ।

ନିଷେବ୍ୟମାଣୋଽନୁଦିନଂ ମୁମୁକ୍ଷୋ-

ର୍ମତିଂ ସତୀଂ ଯଚ୍ଛତି ବାସୁଦେବେ ॥ ୧୩॥

ଏହାର କାରଣ ମହାପୁରୁଷମାନଙ୍କର ସମାଜରେ ସର୍ବଦା ପବିତ୍ରକୀର୍ତ୍ତି ଶ୍ରୀହରିଙ୍କର ଗୁଣର ଚର୍ଚ୍ଚା ହେଉଥାଏ, ଯଦ୍ବାରା ବିଷୟବାର୍ତ୍ତା ତ ପାଖକୁ ଆସି ନ ଥାଏ; ଅଧିକନ୍ତୁ, ଭଗବତ୍-କଥାର ନିରନ୍ତର ସେବନ ମୋକ୍ଷାକାଂକ୍ଷୀ ପୁରୁଷର ଶୁଦ୍ଧ ବୁଦ୍ଧିକୁ ଭଗବାନ ବାସୁଦେବଙ୍କଠାରେ ସଂଲଗ୍ନ କରି ଦିଏ |

ଅହଂ ପୁରା ଭରତୋ ନାମ ରାଜା

ବିମୁକ୍ତଦୃଷ୍ଟଶ୍ରୁତସଙ୍ଗବନ୍ଧଃ ।

ଆରାଧନଂ ଭଗବତ ଈହମାନୋ

ମୃଗୋଽଭବଂ ମୃଗସଙ୍ଗାଦ୍ଧତାର୍ଥଃ ॥ ୧୪॥

ପୂର୍ବଜନ୍ମରେ ମୁଁ ଭରତ ନାମକ ରାଜା ଥିଲି | ଐହିକ ଏବଂ ପାରଲୌକିକ ଉଭୟ ପ୍ରକାର ବିଷୟରୁ ବିରକ୍ତ ହୋଇ ମୁଁ ଭଗବାନଙ୍କ ଆରାଧନାରେ ହିଁ ତତ୍ପର ରହୁଥିଲି; ତଥାପି ଏକ ମୃଗ ପ୍ରତି ଆସକ୍ତ ହୋଇଯିବା କାରଣରୁ ପରମାର୍ଥରୁ ଭ୍ରଷ୍ଟ ହୋଇ ମୋତେ ପରବର୍ତ୍ତୀ ଜନ୍ମରେ ମୃଗ ହେବାକୁ ପଡିଥିଲା |

ସା ମାଂ ସ୍ମୃତିର୍ମୃଗଦେହେଽପି ବୀର

କୃଷ୍ଣାର୍ଚନପ୍ରଭବା ନୋ ଜହାତି ।

ଅଥୋ ଅହଂ ଜନସଙ୍ଗାଦସଙ୍ଗୋ

ବିଶଙ୍କମାନୋଽବିବୃତଶ୍ଚରାମି ॥ ୧୫॥

କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଆରାଧନାର ପ୍ରଭାବରେ ସେହି ମୃଗଯୋନିରେ ମଧ୍ୟ ମୋର ପୂର୍ବଜନ୍ମର ସ୍ମୃତି ଲୁପ୍ତ ହୋଇ ନ ଥିଲା | ସେଥିପାଇଁ ଏବେ ମୁ ଜନସଂସର୍ଗକୁ ଭୟ କରି ସର୍ବଦା ଅସଙ୍ଗଭାବରେ ଗୁପ୍ତରୂପରେ ହିଁ ବିଚରଣ କରୁଛି |

ତସ୍ମାନ୍ନରୋଽସଙ୍ଗସୁସଙ୍ଗଜାତ-

ଜ୍ଞାନାସିନେହୈବ ବିବୃକ୍ଣମୋହଃ ।

ହରିଂ ତଦୀହାକଥନଶ୍ରୁତାଭ୍ୟାଂ

ଲବ୍ଧସ୍ମୃତିର୍ୟାତ୍ୟତିପାରମଧ୍ୱନଃ ॥ ୧୬॥

ସାରାଂଶ ଏହା ଯେ ବିରକ୍ତ ମହାପୁରୁଷଙ୍କର ସତସଂଗରୁ ପ୍ରାପ୍ତ ଜ୍ଞାନରୂପ ଖଡ୍ଗ ଦ୍ବାରା ମନୁଷ୍ୟ ଇହଲୋକରେ ହିଁ ନିଜର ସମସ୍ତ ମୋହବନ୍ଧନକୁ ଛିନ୍ନ କରିଦିଏ | ପୁନଶ୍ଚ ଶ୍ରୀହରିଙ୍କର ଲୀଳାକଥା କଥନ ଏବଂ ଶ୍ରବଣ ଯୋଗୁଁ ଭଗବତ୍-ସ୍ମୃତି ସ୍ଥିର ରହୁଥିବା କାରଣରୁ ସେ ସୁଗମତାରେ ସଂସାରମାର୍ଗକୁ ପାର କରି ଭଗବାନଙ୍କୁ ପ୍ରାପ୍ତ କରିନିଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ବ୍ରାହ୍ମଣରହୂଗଣସମ୍ବାଦେ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥


Comments

Popular posts from this blog