ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ  

ଚତୁର୍ଥ ଅଧ୍ୟାୟ

ଋଷଭଦେବଙ୍କ ରାଜ୍ୟଶାସନ

 

ଶ୍ରୀଶୁକ ଉବାଚ

ଅଥ ହ ତମୁତ୍ପତ୍ତ୍ୟୈବାଭିବ୍ୟଜ୍ୟମାନଭଗବଲ୍ଲକ୍ଷଣଂ

ସାମ୍ୟୋପଶମବୈରାଗ୍ୟୈଶ୍ୱର୍ୟମହାବିଭୂତିଭିରନୁଦିନ-

ମେଧମାନାନୁଭାବଂ ପ୍ରକୃତୟଃ ପ୍ରଜା ବ୍ରାହ୍ମଣା

ଦେବତାଶ୍ଚାବନିତଲସମବନାୟାତିତରାଂ ଜଗୃଧୁଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ନାଭିନନ୍ଦନଙ୍କର ଅଙ୍ଗ ଜନ୍ମରୁ ହିଁ ଭଗବାନ ବିଷ୍ଣୁଙ୍କର ବଜ୍ର-ଅଙ୍କୁଶ ଆଦି ଚିହ୍ନଯୁକ୍ତ ଥିଲା | ସମତା, ଶାନ୍ତି, ବୈରାଗ୍ୟ ଏବଂ ଐଶ୍ବର୍ଯ୍ୟ ଆଦି ମହାବିଭୂତିଙ୍କ କାରଣରୁ ତାଙ୍କର ପ୍ରଭାବ ଦିନକୁ ଦିନ ବୃଦ୍ଧି ଲାଭ କରିବାରେ ଲାଗିଥିଲା | ଏହା ଦେଖି ମନ୍ତ୍ରୀ ଆଦି ପ୍ରକୃତିବର୍ଗ, ପ୍ରଜା, ବ୍ରାହ୍ମଣ ଏବଂ ଦେବତାମାନଙ୍କର ଉତ୍କଟ ଅଭିଳାଷ ରହିଥିଲା ଯେ ସେ ହିଁ ପୃଥିବୀର ଶାସନ କରନ୍ତୁ |

ତସ୍ୟ ହ ବା ଇତ୍ଥଂ ବର୍ଷ୍ମଣା ବରୀୟସା ବୃହଚ୍ଛ୍ଲୋକେନ

ଚୌଜସା ବଲେନ ଶ୍ରିୟା ଯଶସା ବୀର୍ୟଶୌର୍ୟାଭ୍ୟାଂ ଚ

ପିତା ଋଷଭ ଇତୀଦଂ ନାମ ଚକାର ॥ ୨॥

ତାଙ୍କର ସୁନ୍ଦର ଏବଂ ସୁଢ଼ଳ ଶରୀର, ବିପୁଳ କୀର୍ତ୍ତି, ତେଜ, ବଳ, ଐଶ୍ବର୍ଯ୍ୟ, ଯଶ, ପରାକ୍ରମ ଏବଂ ଶୂରବୀରତା ଆଦି ଗୁଣ ଯୋଗୁଁ ମହାରାଜ ନାଭି ତାଙ୍କର ନାମ ‘ଋଷଭ’ (ଶ୍ରେଷ୍ଠ) ରଖିଲେ |

ତସ୍ୟ ହୀନ୍ଦ୍ରଃ ସ୍ପର୍ଧମାନୋ ଭଗବାନ୍ ବର୍ଷେ ନ ବବର୍ଷ

ତଦବଧାର୍ୟ ଭଗବାନ୍ ଋଷଭଦେବୋ ଯୋଗେଶ୍ୱରଃ

ପ୍ରହସ୍ୟାତ୍ମୟୋଗମାୟଯା ସ୍ୱବର୍ଷମଜନାଭଂ

ନାମାଭ୍ୟବର୍ଷତ୍ ॥ ୩॥

ଥରେ ଭଗବାନ ଇନ୍ଦ୍ର ଈର୍ଷ୍ୟାବଶତଃ ତାଙ୍କ ରାଜ୍ୟରେ ବର୍ଷା କଲେନାହିଁ | ଇନ୍ଦ୍ରଙ୍କର ଏହି ମୂର୍ଖତାକୁ ଦେଖି ଯୋଗେଶ୍ବର ଭଗବାନ ଋଷଭ ହସି କରି ଯୋଗମାୟା ପ୍ରଭାବରେ ନିଜ ରାଜ୍ୟ ଅଜନାଭଖଣ୍ଡରେ ଖୁବ୍ ଜଳ ବର୍ଷଣ କରିଥିଲେ |

ନାଭିସ୍ତୁ ଯଥାଭିଲଷିତଂ ସୁପ୍ରଜସ୍ତ୍ୱମବରୁଧ୍ୟାତି-

ପ୍ରମୋଦଭରବିହ୍ୱଲୋ ଗଦ୍ଗଦାକ୍ଷରୟା ଗିରା ସ୍ୱୈରଂ

ଗୃହୀତନରଲୋକସଧର୍ମଂ ଭଗବନ୍ତଂ ପୁରାଣପୁରୁଷଂ

ମାୟାବିଲସିତମତିର୍ୱତ୍ସ ତାତେତି ସାନୁରାଗ-

ମୁପଲାଲୟନ୍ ପରାଂ ନିର୍ୱୃତିମୁପଗତଃ ॥ ୪॥

ମହାରାଜ ନାଭି ନିଜ ଇଚ୍ଛା ମୁତାବକ ପୁତ୍ର ପ୍ରାପ୍ତ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସ୍ବେଚ୍ଛାରେ ମନୁଷ୍ୟ-ଶରୀର ଧାରଣ କରିଥିବା ପୁରାଣପୁରୁଷ ଶ୍ରୀହରିଙ୍କର ସପ୍ରେମ ଲାଳନ-ପାଳନ କରି, ତାଙ୍କ ଲୀଳାବିଳାସରେ ମୁଗ୍ଧ ହୋଇ ଗଦଗଦ ବାଣୀରେ କେତେବେଳେ ତାଙ୍କୁ ‘ପୁତ୍ର ପୁଣି କେତେବେଳେ ‘ବାପ ସମ୍ବୋଧନ କରି ଅତିଶୟ ସୁଖ ଅନୁଭବ କରୁଥିଲେ |

ବିଦିତାନୁରାଗମାପୌରପ୍ରକୃତିଜନପଦୋ ରାଜା

ନାଭିରାତ୍ମଜଂ ସମୟସେତୁରକ୍ଷାୟାମଭିଷିଚ୍ୟ

ବ୍ରାହ୍ମଣେଷୂପନିଧାୟ ସହ ମେରୁଦେବ୍ୟା ବିଶାଲାୟାଂ

ପ୍ରସନ୍ନନିପୁଣେନ ତପସା ସମାଧିୟୋଗେନ

ନରନାରାୟଣାଖ୍ୟଂ ଭଗବନ୍ତଂ ବାସୁଦେବମୁପାସୀନଃ

କାଲେନ ତନ୍ମହିମାନମବାପ ॥ ୫॥

ସେ ଯେତେବେଳେ ଦେଖିଲେ ଯେ ମନ୍ତ୍ରୀମଣ୍ଡଳ, ନାଗରିକ ଏବଂ ରାଷ୍ଟ୍ରର ସବୁ ଜନତା ଋଷଭଦେବଙ୍କୁ ବହୁତ ଭଲ ପାଉଛନ୍ତି, ସେତେବେଳେ ସେ ଧର୍ମମର୍ଯ୍ୟାଦା ରକ୍ଷା ନିମନ୍ତେ ତାଙ୍କୁ ରାଜ୍ୟରେ ଅଭିଷିକ୍ତ କରାଇ ବ୍ରାହ୍ମଣମାନଙ୍କର ତତ୍ତ୍ବାବଧାନରେ ଛାଡି ଦେଲେ ଏବଂ ନିଜେ ପତ୍ନୀ ମେରୁଦେବୀଙ୍କ ସହିତ ବଦରିକାଶ୍ରମକୁ ଚାଲିଗଲେ | ସେଠାରେ ଅହିଂସାବୃତ୍ତିରେ, ଯାହା ଦ୍ବାରା କାହାଠାରେ ଉଦବେଗ ଜାତ ହୋଇ ନ ଥାଏ ସେପରି କୌଶଳପୂର୍ଣ୍ଣ, ତପସ୍ୟା ଏବଂ ସମାଧିଯୋଗ ଦ୍ବାରା ଭଗବାନ ବାସୁଦେବଙ୍କର ନର-ନାରାୟଣ ସ୍ବରୂପର ଆରାଧନା କରି ସମୟକ୍ରମେ ସେମାନଙ୍କ ସ୍ବରୂପରେ ଲୀନ ହୋଇଗଲେ |

ଯସ୍ୟ ହ ପାଣ୍ଡବେୟ ଶ୍ଲୋକାବୁଦାହରନ୍ତି -

କୋ ନୁ ତତ୍କର୍ମ ରାଜର୍ଷେର୍ନାଭେରନ୍ୱାଚରେତ୍ପୁମାନ୍ ।

ଅପତ୍ୟତାମଗାଦ୍ୟସ୍ୟ ହରିଃ ଶୁଦ୍ଧେନ କର୍ମଣା ॥ ୬॥

ବ୍ରହ୍ମଣ୍ୟୋଽନ୍ୟଃ କୁତୋ ନାଭେର୍ୱିପ୍ରା ମଙ୍ଗଲପୂଜିତାଃ ।

ଯସ୍ୟ ବର୍ହିଷି ଯଜ୍ଞେଶଂ ଦର୍ଶୟାମାସୁରୋଜସା ॥ ୭॥

ହେ ପାଣ୍ଡୁନନ୍ଦନ ! ରାଜା ନାଭିଙ୍କ ବିଷୟରେ ଏହି ଲୋକୋକ୍ତି ପ୍ରସିଦ୍ଧ ଅଟେ –

ରାଜର୍ଷି ନାଭିଙ୍କର ଉଦାର କର୍ମର ଆଚରଣ ଅନ୍ୟ କେଉଁ ପୁରୁଷ ଅବା କରିପାରିବେ – ଯାହାର ଶୁଦ୍ଧ କର୍ମରେ ସନ୍ତୁଷ୍ଟ ହୋଇ ସାକ୍ଷାତ୍ ଶ୍ରୀହରି ତାଙ୍କର ପୁତ୍ର ହୋଇଥିଲେ ? ମହାରାଜ ନାଭିଙ୍କ ପରି ବ୍ରାହ୍ମଣଭକ୍ତ ମଧ୍ୟ କିଏ ହୋଇପାରିବ – ଯାହାର ଦକ୍ଷିଣାଦିରେ ସନ୍ତୁଷ୍ଟ ହୋଇ ବ୍ରାହ୍ମଣମାନେ ନିଜ ମନ୍ତ୍ରବଳରେ ଯଜ୍ଞଶାଳାରେ ତାଙ୍କୁ ସାକ୍ଷାତ୍ ବିଷ୍ଣୁଭଗବାନଙ୍କର ଦର୍ଶନ କରାଇ ଥିଲେ |

ଅଥ ହ ଭଗବାନ୍ ଋଷଭଦେବଃ ସ୍ୱବର୍ଷଂ କର୍ମକ୍ଷେତ୍ର-

ମନୁମନ୍ୟମାନଃ ପ୍ରଦର୍ଶିତଗୁରୁକୁଲବାସୋ ଲବ୍ଧବରୈ-

ର୍ଗୁରୁଭିରନୁଜ୍ଞାତୋ ଗୃହମେଧିନାଂ ଧର୍ମାନନୁଶିକ୍ଷମାଣୋ

ଜୟନ୍ତ୍ୟାମିନ୍ଦ୍ରଦତ୍ତାୟାମୁଭୟଲକ୍ଷଣଂ କର୍ମ

ସମାମ୍ନାୟାମ୍ନାତମଭିୟୁଞ୍ଜନ୍ନାତ୍ମଜାନାମାତ୍ମସମାନାନାଂ

ଶତଂ ଜନୟାମାସ ॥ ୮॥

ଭଗବାନ ଋଷଭଦେବ ନିଜ ଦେଶ ଅଜନାଭଖଣ୍ଡକୁ କର୍ମଭୂମି ମନେକରି ଲୋକସଂଗ୍ରହ ଦୃଷ୍ଟିରୁ କିଛି କାଳ ଗୁରୁକୁଳରେ ବାସ କଲେ | ଗୁରୁଦେବଙ୍କୁ ଯଥୋଚିତ ଦକ୍ଷିଣା ଦେଇ ଗୃହସ୍ଥରେ ପ୍ରବେଶ କରିବା ନିମନ୍ତେ ତାଙ୍କଠାରୁ ଆଜ୍ଞା ନେଲେ | ପଶ୍ଚାତ୍ ଲୋକଙ୍କୁ ଗୃହସ୍ଥଧର୍ମର ଶିକ୍ଷା ଦେବା ପାଇଁ ଦେବରାଜ ଇନ୍ଦ୍ରଙ୍କ ଦ୍ବାରା ପ୍ରଦତ୍ତ ତାଙ୍କର କନ୍ୟା ଜୟନ୍ତୀଙ୍କୁ ବିବାହ କଲେ ତଥା ଶ୍ରୌତ-ସ୍ମାର୍ତ୍ତ ଉଭୟ ପ୍ରକାରର ଶାସ୍ତ୍ରୋପଦିଷ୍ଟ କର୍ମର ଆଚରଣ କରି ତାଙ୍କ ଗର୍ଭରୁ ନିଜ ସଦୃଶ ଉତ୍ତମ ଗୁଣଯୁକ୍ତ ଶହେ ପୁତ୍ର ଉତ୍ପନ୍ନ କଲେ |

ଯେଷାଂ ଖଲୁ ମହାୟୋଗୀ ଭରତୋ ଜ୍ୟେଷ୍ଠଃ ଶ୍ରେଷ୍ଠଗୁଣ

ଆସୀଦ୍ୟେନେଦଂ ବର୍ଷଂ ଭାରତମିତି ବ୍ୟପଦିଶନ୍ତି ॥ ୯॥

ସେମାନଙ୍କ ମଧ୍ୟରେ ମହାଯୋଗୀ ଭରତ ସବୁଠାରୁ ବଡ ଏବଂ ସର୍ବାଧିକ ଗୁଣବାନ୍ ଥିଲେ | ତାଙ୍କ ନାମରେ ଲୋକେ ଅଜନାଭଖଣ୍ଡକୁ ‘ଭାରତବର୍ଷ କହିଲେ |

ତମନୁ କୁଶାବର୍ତ ଇଲାବର୍ତୋ ବ୍ରହ୍ମାବର୍ତୋ ମଲୟଃ କେତୁର୍ଭଦ୍ରସେନ

ଇନ୍ଦ୍ରସ୍ପୃଗ୍ୱିଦର୍ଭଃ କୀକଟ ଇତି ନବ ନବତିପ୍ରଧାନାଃ ॥ ୧୦॥

ତାଙ୍କଠାରୁ ଛୋଟ କୁଶାବର୍ତ, ଇଲାବର୍ତ, ବ୍ରହ୍ମାବର୍ତ, ମଳୟ, କେତୁ, ଭଦ୍ରସେନ, ଇନ୍ଦ୍ରସ୍ପୃକ୍, ବିଦର୍ଭ ଏବଂ କୀକଟ – ଏହି ନଅ ରାଜକୁମାର ବାକି ନବେ ଭାଈଙ୍କଠାରୁ ବଡ ଏବଂ ଶ୍ରେଷ୍ଠ ଥିଲେ |

କବିର୍ହରିରନ୍ତରିକ୍ଷଃ ପ୍ରବୁଦ୍ଧଃ ପିପ୍ପଲାୟନଃ ।

ଆବିର୍ହୋତ୍ରୋଽଥ ଦ୍ରୁମିଲଶ୍ଚମସଃ କରଭାଜନଃ ॥ ୧୧॥

ଇତି ଭାଗବତଧର୍ମଦର୍ଶନା ନବ ମହାଭାଗବତାସ୍ତେଷାଂ

ସୁଚରିତଂ ଭଗବନ୍ ମହିମୋପବୃଂହିତଂ ବସୁଦେବନାରଦସମ୍ବାଦ-

ମୁପଶମାୟନମୁପରିଷ୍ଟାଦ୍ୱର୍ଣୟିଷ୍ୟାମଃ ॥ ୧୨॥

ସେମାନଙ୍କଠାରୁ ଛୋଟ କବି, ହରି, ଅନ୍ତରିକ୍ଷ, ପ୍ରବୁଦ୍ଧ, ପିପ୍ପଳାୟନ, ଆବିର୍ହୋତ୍ର, ଦ୍ରୁମିଳ, ଚମସ ଏବଂ କରଭାଜନ – ଏହି ନଅ ରାଜକୁମାର ଭାଗବତ ଧର୍ମର ପ୍ରଚାରକ ବଡ ବଡ ଭଗବଦ୍-ଭକ୍ତ ଥିଲେ | ଭଗବାନଙ୍କ ମହିମାରେ ମହିମାନ୍ବିତ ଏବଂ ପରମ ଶାନ୍ତିପୂର୍ଣ୍ଣ ଏମାନଙ୍କର ପବିତ୍ର ଚରିତ ମୁଁ ନାରଦ-ବସୁଦେବସମ୍ବାଦ ପ୍ରସଙ୍ଗରେ ଆଗକୁ (ଏକାଦଶ ସ୍କନ୍ଧରେ) କହିବି |

ଯବୀୟାଂସ ଏକାଶୀତିର୍ଜାୟନ୍ତେୟାଃ ପିତୁରାଦେଶକରା

ମହାଶାଲୀନା ମହାଶ୍ରୋତ୍ରିୟା ଯଜ୍ଞଶୀଲାଃ କର୍ମବିଶୁଦ୍ଧା

ବ୍ରାହ୍ମଣା ବଭୂବୁଃ ॥ ୧୩॥

ସେମାନଙ୍କଠାରୁ ଛୋଟ ଜୟନ୍ତୀଙ୍କର ଏକାଅଶୀ ପୁତ୍ର ପିତାଙ୍କର ଆଜ୍ଞାକାରୀ, ଅତି ବିନୀତ, ମହାନ୍ ବେଦଜ୍ଞ ଏବଂ ନିରନ୍ତର ଯଜ୍ଞ ଅନୁଷ୍ଠାନକାରୀ ଥିଲେ | ପୁଣ୍ୟକର୍ମର ଅନୁଷ୍ଠାନ ଦ୍ବାରା ଶୁଦ୍ଧ ହୋଇ ସେମାନେ ବ୍ରାହ୍ମଣ ହୋଇଗଲେ |

ଭଗବାନ୍ ଋଷଭସଞ୍ଜ୍ଞ ଆତ୍ମତନ୍ତ୍ରଃ ସ୍ୱୟଂ ନିତ୍ୟନିବୃତ୍ତାନର୍ଥ-

ପରମ୍ପରଃ କେବଲାନନ୍ଦାନୁଭବ ଈଶ୍ୱର ଏବ ବିପରୀତବତ୍କର୍ମା-

ଣ୍ୟାରଭମାଣଃ କାଲେନାନୁଗତଂ ଧର୍ମମାଚରଣେନୋପଶିକ୍ଷୟ-

ନ୍ନତଦ୍ୱିଦାଂ ସମ ଉପଶାନ୍ତୋ ମୈତ୍ରଃ କାରୁଣିକୋ ଧର୍ମାର୍ଥୟଶଃ-

ପ୍ରଜାନନ୍ଦାମୃତାବରୋଧେନ ଗୃହେଷୁ ଲୋକଂ ନିୟମୟତ୍ ॥ ୧୪॥

ଭଗବାନ ଋଷଭଦେବ ପରମ ସ୍ବତନ୍ତ୍ର ହୋଇଥିବା କାରଣରୁ ଯଦିଓ ସବୁ ପ୍ରକାରର ଅନର୍ଥପରମ୍ପରାରୁ ରହିତ, କେବଳ ଅନନ୍ଦାନୁଭବସ୍ବରୂପ ସାକ୍ଷାତ୍ ଈଶ୍ବର ହିଁ ଥିଲେ, ତଥାପି ଅଜ୍ଞାନୀମାନଙ୍କ ପରି କର୍ମ କରି ସେ କାଳାନୁସାରେ ପ୍ରାପ୍ତ ଧର୍ମର ଆଚରଣ କରି ତତ୍ତ୍ବ ଜାଣି ନ ଥିବା ବ୍ୟକ୍ତିଙ୍କୁ ତାହାର ଶିକ୍ଷା ଦେଉଥିଲେ | ତା ସହିତ ସମ, ଶାନ୍ତ, ସୁହୃଦ୍ ଏବଂ କାରୁଣିକ ରହି ଧର୍ମ, ଅର୍ଥ, ଯଶ, ସନ୍ତାନ, ଭୋଗ-ସୁଖ ଏବଂ ମୋକ୍ଷର ସଂଗ୍ରହ କରି ଗୃହସ୍ଥାଶ୍ରମରେ ଲୋକଙ୍କୁ ନିୟମିତ କରୁଥିଲେ  |

ଯଦ୍ୟଚ୍ଛୀର୍ଷଣ୍ୟାଚରିତଂ ତତ୍ତଦନୁବର୍ତତେ ଲୋକଃ ॥ ୧୫॥

ମହାପୁରୁଷମାନେ ଯେପରି ଆଚରଣ କରନ୍ତି, ଲୋକେ ସେହିପରି ଭାବରେ ତାହାର ଅନୁକରଣ କରିବାରେ ଲାଗନ୍ତି |

ଯଦ୍ୟପି ସ୍ୱବିଦିତଂ ସକଲଧର୍ମଂ ବ୍ରାହ୍ମଂ ଗୁହ୍ୟଂ ବ୍ରାହ୍ମଣୈ-

ର୍ଦର୍ଶିତମାର୍ଗେଣ ସାମାଦିଭିରୁପାୟୈର୍ଜନତାମନୁଶଶାସ ॥ ୧୬॥

ଯଦିଓ ସେ ସମସ୍ତ ଧର୍ମର ସାରରୂପ ବେଦର ଗୂଢ଼ ରହସ୍ୟକୁ ଜାଣିଥିଲେ, ତଥାପି ବ୍ରାହ୍ମଣମାନଙ୍କ ଦ୍ବାରା ନିର୍ଦ୍ଦେଶିତ ବିଧିରେ ସାମ-ଦାନାଦି ନୀତି ଅନୁସାରେ ହିଁ ଜନତାର ପାଳନ କରୁଥିଲେ |

ଦ୍ରବ୍ୟଦେଶକାଲବୟଃଶ୍ରଦ୍ଧର୍ତ୍ୱିଗ୍ୱିବିଧୋଦ୍ଦେଶୋପଚିତୈଃ

ସର୍ୱୈରପି କ୍ରତୁଭିର୍ୟଥୋପଦେଶଂ ଶତକୃତ୍ୱ ଇୟାଜ ॥ ୧୭॥

ଶାସ୍ତ୍ର ଏବଂ ବ୍ରାହ୍ମଣଙ୍କର ଉପଦେଶ ଅନୁସାରେ ସେ ଭିନ୍ନ ଭିନ୍ନ ଦେବତାଙ୍କ ଉଦ୍ଦେଶ୍ୟରେ ଦ୍ରବ୍ୟ, ଦେଶ, କାଳ, ଆୟୁ, ଶ୍ରଦ୍ଧା ଏବଂ ଋତ୍ବିଜ୍ ଆଦିରେ ସୁସମ୍ପନ୍ନ ଶହ ଶହ ଯଜ୍ଞ କରିଥିଲେ |

ଭଗବତର୍ଷଭେଣ ପରିରକ୍ଷ୍ୟମାଣ ଏତସ୍ମିନ୍ ବର୍ଷେ ନ କଶ୍ଚନ

ପୁରୁଷୋ ବାଞ୍ଛତ୍ୟବିଦ୍ୟମାନମିବାତ୍ମନୋଽନ୍ୟସ୍ମାତ୍

କଥଞ୍ଚନ କିମପି କର୍ହିଚିଦବେକ୍ଷତେ ଭର୍ତର୍ୟନୁସବନଂ

ବିଜୃମ୍ଭିତସ୍ନେହାତିଶୟମନ୍ତରେଣ ॥ ୧୮॥

ଭଗବାନ ଋଷଭଦେବଙ୍କ ଶାସନକାଳରେ ଦେଶର କୌଣସି ପୁରୁଷ ନିଜ ପ୍ରଭୁଙ୍କ ପ୍ରତି ଅନୁଦିନ ବୃଦ୍ଧି ଲାଭ କରୁଥିବା ଅନୁରାଗ ବ୍ୟତିତ ନିଜ ପାଇଁ କାହାଠାରୁ କୌଣସି ବସ୍ତୁ ଇଚ୍ଛା କରୁ ନ ଥିଲେ | କେବଳ ସେତିକି ନୁହେଁ, ଆକାଶକୁସୁମାଦି ଅବିଦ୍ୟମାନ ବସ୍ତୁ ପରି କେହି ଅନ୍ୟ କାହାର ବସ୍ତୁ ପ୍ରତି ଦୃଷ୍ଟିପାତ ମଧ୍ୟ କରୁ ନ ଥିଲେ |

ସ କଦାଚିଦଟମାନୋ ଭଗବାନ୍ ଋଷଭୋ ବ୍ରହ୍ମାବର୍ତଗତୋ

ବ୍ରହ୍ମର୍ଷିପ୍ରବରସଭାୟାଂ ପ୍ରଜାନାଂ ନିଶାମୟନ୍ତୀନା-

ମାତ୍ମଜାନବହିତାତ୍ମନଃ ପ୍ରଶ୍ରୟପ୍ରଣୟଭରସୁୟନ୍ତ୍ରିତା-

ନପ୍ୟୁପଶିକ୍ଷୟନ୍ନିତି ହୋବାଚ ॥ ୧୯॥

ଥରେ ଭଗବାନ ଋଷଭଦେବ ଭ୍ରମଣ କରି କରି ବ୍ରହ୍ମାବର୍ତ ଦେଶରେ ପହଞ୍ଚିଲେ | ସେଠାରେ ବଡ ବଡ ବ୍ରହ୍ମର୍ଷିମାନଙ୍କ ସଭାରେ ସେ ପ୍ରଜାମାନଙ୍କ ସମ୍ମୁଖରେ ହିଁ ନିଜର ସମାହିତଚିତ୍ତ ତଥା ବିନୟ ଓ ପ୍ରେମ ଭାରରେ ସୁସଂଯତ ପୁତ୍ରମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହିପରି କହିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ॥ ୪॥

Comments

Popular posts from this blog