ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ପଞ୍ଚମ ଅଧ୍ୟାୟ
ପୁତ୍ରମାନଙ୍କୁ ଉପଦେଶ ଦେଇ ଋଷଭ ସ୍ବୟଂ ଅବଧୂତବୃତ୍ତି ଗ୍ରହଣ କଲେ
ଋଷଭ ଉବାଚ
ନାୟଂ ଦେହୋ ଦେହଭାଜାଂ ନୃଲୋକେ
କଷ୍ଟାନ୍ କାମାନର୍ହତେ ବିଡ୍ଭୁଜାଂ ଯେ ।
ତପୋ ଦିବ୍ୟଂ ପୁତ୍ରକା ଯେନ ସତ୍ତ୍ୱଂ
ଶୁଦ୍ଧ୍ୟେଦ୍ୟସ୍ମାଦ୍ବ୍ରହ୍ମସୌଖ୍ୟଂ ତ୍ୱନନ୍ତମ୍ ॥ ୧॥
ଋଷଭଦେବ କହିଲେ – ପୁତ୍ର ! ମର୍ତ୍ତ୍ୟଲୋକରେ ଏହି ମନୁଷ୍ୟ-ଶରୀର କେବଳ
ଦୁଃଖମୟ ବିଷୟଭୋଗ ନିମନ୍ତେ ପ୍ରାପ୍ତ ହୋଇ ନ ଥାଏ | ଏହି ଭୋଗ ତ ବିଷ୍ଠାଭୋଜୀ
କୂକର-ସୂକରଙ୍କୁ ମଧ୍ୟ ମିଳୁଥାଏ | ଏହି ଶରୀରରେ ଦିବ୍ୟ ତପ ହିଁ କରାଯିବା ଆବଶ୍ୟକ, ଯଦ୍ବାରା ଅନ୍ତଃକରଣ ଶୁଦ୍ଧ ହେବ; କାରଣ ଏହି ଶରୀରରେ ଅନନ୍ତ
ବ୍ରହ୍ମାନନ୍ଦର ପ୍ରାପ୍ତି ହୋଇଥାଏ |
ମହତ୍ସେବାଂ ଦ୍ୱାରମାହୁର୍ୱିମୁକ୍ତେ-
ସ୍ତମୋଦ୍ୱାରଂ ଯୋଷିତାଂ ସଙ୍ଗିସଙ୍ଗମ୍ ।
ମହାନ୍ତସ୍ତେ ସମଚିତ୍ତାଃ ପ୍ରଶାନ୍ତା
ବିମନ୍ୟବଃ ସୁହୃଦଃ ସାଧବୋ ଯେ ॥ ୨॥
ଶାସ୍ତ୍ରମାନେ ମହାପୁରୁଷଙ୍କର ସେବାକୁ ମୁକ୍ତିର ଏବଂ ସ୍ତ୍ରୀସଙ୍ଗୀ
କାମୀପୁରୁଷଙ୍କର ସଙ୍ଗକୁ ନରକର ଦ୍ବାର ରୂପେ ଅଭିହିତ କରିଥାଆନ୍ତି | ମହାପୁରୁଷ ସେମାନେ ଅଟନ୍ତି
ଯିଏ ସମଚିତ୍ତ, ପରମଶାନ୍ତ, କ୍ରୋଧହୀନ, ସମସ୍ତଙ୍କର ହିତୈଷୀ ଏବଂ ସଦାଚାର-ସମ୍ପନ୍ନ ହୋଇଥାଆନ୍ତି |
ଯେ ବା ମୟୀଶେ କୃତସୌହୃଦାର୍ଥା
ଜନେଷୁ ଦେହମ୍ଭରବାର୍ତିକେଷୁ ।
ଗୃହେଷୁ ଜାୟାଽଽତ୍ମଜରାତିମତ୍ସୁ
ନ ପ୍ରୀତିୟୁକ୍ତା ଯାବଦର୍ଥାଶ୍ଚ ଲୋକେ ॥ ୩॥
ଅଥବା ପରମାତ୍ମାଙ୍କର ପ୍ରେମକୁ ହିଁ ଯିଏ
ଏକମାତ୍ର ପୁରୁଷାର୍ଥ ମନେକରନ୍ତି; କେବଳ ବିଷୟର
ଚର୍ଚ୍ଚା କରୁଥିବା ବ୍ୟକ୍ତି ତଥା ସ୍ତ୍ରୀ, ପୁତ୍ର, ଧନ ଆଦିରେ ସମ୍ପନ୍ନ ଗୃହ ପ୍ରତି ଯାହାର ଅରୁଚି ରହିଥାଏ ଏବଂ ଯିଏ
କେବଳ ଶରୀରନିର୍ବାହ ନିମନ୍ତେ ଲୌକିକ କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି |
ନୂନଂ ପ୍ରମତ୍ତଃ କୁରୁତେ ବିକର୍ମ
ଯଦିନ୍ଦ୍ରିୟପ୍ରୀତୟ ଆପୃଣୋତି ।
ନ ସାଧୁ ମନ୍ୟେ ଯତ ଆତ୍ମନୋଽୟ-
ମସନ୍ନପି କ୍ଲେଶଦ ଆସ ଦେହଃ ॥ ୪॥
ମନୁଷ୍ୟ ପ୍ରମାଦବଶ କୁକର୍ମ କରିବାରେ ଲାଗିଥାଏ, ତାହାର ସେହି ପ୍ରବୃତ୍ତି ଇନ୍ଦ୍ରିୟ-ତୃପ୍ତି ନିମନ୍ତେ ହିଁ ହୋଇଥାଏ
| ମୁଁ ତାହାକୁ ଉଚିତ୍ ମନେ କରେନାହିଁ, କାରଣ ତଦ୍ବାରା
ଆତ୍ମାକୁ ଏହି ଅସତ୍ ଏବଂ ଦୁଃଖମୟ ଶରୀର ପ୍ରାପ୍ତ ହୋଇଥାଏ |
ପରାଭବସ୍ତାବଦବୋଧଜାତୋ
ଯାବନ୍ନ ଜିଜ୍ଞାସତ ଆତ୍ମତତ୍ତ୍ୱମ୍ ।
ଯାବତ୍କ୍ରିୟାସ୍ତାବଦିଦଂ ମନୋ ବୈ
କର୍ମାତ୍ମକଂ ଯେନ ଶରୀରବନ୍ଧଃ ॥ ୫॥
ଜୀବଠାରେ ଆତ୍ମତତ୍ତ୍ବର ଜିଜ୍ଞାସା ଉତ୍ପନ୍ନ ନ ହେବାଯାଏଁ, ଅଜ୍ଞାନବଶ
ଦେହାଦି ଦ୍ବାରା ତାହାର ସ୍ବରୂପ ଆବୃତ ରହିଥାଏ | ଯେତେବେଳଯାଏଁ ସେ ଲୌକିକ-ବୈଦିକ କର୍ମରେ
ଲିପ୍ତ ରହିଥାଏ, ତା’ର ମନରେ
କର୍ମ-ବାସନା ଅତୁଟ ରହିଥାଏ ଏବଂ ସେମାନଙ୍କ ଯୋଗୁଁ ତାକୁ ଦେହ-ବନ୍ଧନ ପ୍ରାପ୍ତ ହୋଇଥାଏ |
ଏବଂ ମନଃ କର୍ମବଶଂ ପ୍ରୟୁଙ୍କ୍ତେ
ଅବିଦ୍ୟଯାଽଽତ୍ମନ୍ୟୁପଧୀୟମାନେ ।
ପ୍ରୀତିର୍ନ ଯାବନ୍ମୟି ବାସୁଦେବେ
ନ ମୁଚ୍ୟତେ ଦେହୟୋଗେନ ତାବତ୍ ॥ ୬॥
ଏହିପରି ଭାବରେ, ଅବିଦ୍ୟା ଦ୍ବାରା ଆତ୍ମସ୍ବରୂପ ଆବୃତ ହୋଇ ଯାଇଥିବା
କାରଣରୁ କର୍ମବାସନାରେ ବଶୀଭୂତ ରହିଥିବା ଚିତ୍ତ ମନୁଷ୍ୟକୁ ବାରମ୍ବାର କର୍ମରେ ପ୍ରବୃତ୍ତ କରାଇ
ଥାଏ | ତେଣୁ ବାସୁଦେବ-ରୂପୀ ମୋଠାରେ ପ୍ରୀତି ଉତ୍ପନ୍ନ ନ ହେବାଯାଏଁ ସେ ଦେହବନ୍ଧନରୁ ମୁକ୍ତ
ହୋଇପାରିବ ନାହିଁ |
ଯଦା ନ ପଶ୍ୟତ୍ୟଯଥା ଗୁଣେହାଂ
ସ୍ୱାର୍ଥେ ପ୍ରମତ୍ତଃ ସହସା ବିପଶ୍ଚିତ୍ ।
ଗତସ୍ମୃତିର୍ୱିନ୍ଦତି ତତ୍ର ତାପା-
ନାସାଦ୍ୟ ମୈଥୁନ୍ୟମଗାରମଜ୍ଞଃ ॥ ୭॥
ସ୍ବାର୍ଥରେ ପାଗଳ ଜୀବ ବିବେକଦୃଷ୍ଟିର ଆଶ୍ରୟ ଗ୍ରହଣ କରି
ଇନ୍ଦ୍ରିୟମାନଙ୍କର କାର୍ଯ୍ୟକୁ ମିଥ୍ୟା ଜ୍ଞାନ ନ କରିବା ଯାଏଁ, ଆତ୍ମସ୍ବରୂପର ସ୍ମୃତି ହରାଇ ଥିବା କାରଣରୁ ଅଜ୍ଞାନବଶ ସେ
ବିଷୟପ୍ରଧାନ ଗୃହ ଆଦିରେ ଆସକ୍ତ ରହିଥାଏ ଏବଂ ନାନା ପ୍ରକାରର କ୍ଲେଶ ଭୋଗ କରୁଥାଏ |
ପୁଂସଃ ସ୍ତ୍ରିୟା ମିଥୁନୀଭାବମେତଂ
ତୟୋର୍ମିଥୋ ହୃଦୟଗ୍ରନ୍ଥିମାହୁଃ ।
ଅତୋ ଗୃହକ୍ଷେତ୍ରସୁତାପ୍ତବିତ୍ତୈ-
ର୍ଜନସ୍ୟମୋହୋଽୟମହଂ ମମେତି ॥ ୮॥
ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ପରସ୍ପର ପ୍ରତି ଯେଉଁ ଦାମ୍ପତ୍ୟ-ଭାବ
ରହିଥାଏ, ତାହାକୁ ପଣ୍ଡିତଜନ ସେମାନଙ୍କ ହୃଦୟର ଦ୍ବିତୀୟ ସ୍ଥୂଳ
ଏବଂ ଦୁର୍ଭେଦ୍ୟ ଗ୍ରନ୍ଥି କହନ୍ତି | ଦେହାଭିମାନରୂପୀ ଗୋଟିଏ-ଗୋଟିଏ ସୂକ୍ଷ୍ମ ଗ୍ରନ୍ଥି ତ
ସେମାନଙ୍କର ପୂର୍ବରୁ ରହିଥାଏ | ସେହି କାରଣରୁ ଜୀବର ଦେହେନ୍ଦ୍ରିୟ ଆଦି ଅତିରିକ୍ତ ଗୃହ, ଜମି, ପୁତ୍ର, ସ୍ବଜନ ଏବଂ ଧନ ଆଦିରେ ମଧ୍ୟ ‘ମୁଁ’ ଏବଂ ‘ମୋ’ପଣର ମୋହ ହୋଇଯାଏ |
ଯଦା ମନୋ ହୃଦୟଗ୍ରନ୍ଥିରସ୍ୟ
କର୍ମାନୁବଦ୍ଧୋ ଦୃଢ ଆଶ୍ଲଥେତ ।
ତଦା ଜନଃ ସମ୍ପରିବର୍ତତେଽସ୍ମା-
ନ୍ମୁକ୍ତଃ ପରଂ ଯାତ୍ୟତିହାୟ ହେତୁମ୍ ॥ ୯॥
ଯେତେବେଳେ କର୍ମବାସନା କାରଣରୁ ଦୃଢ଼ ହୋଇଯାଇ ଥିବା ତା’ର ସେହି ହୃଦୟଗ୍ରନ୍ଥି ଛିନ୍ନ ହୋଇଯାଏ, ସେତେବେଳେ ସେ ଦାମ୍ପତ୍ୟଭାବରୁ ନିବୃତ୍ତ ହୋଇଯାଏ ଏବଂ ସଂସାରର
ହେତୁଭୂତ ଅହଂକାର ତ୍ୟାଗ କରି ସବୁ ପ୍ରକାରର ବନ୍ଧନରୁ ମୁକ୍ତ ହୋଇ ପରମପଦକୁ ପ୍ରାପ୍ତ ହୋଇଯାଏ |
ହଂସେ ଗୁରୌ ମୟି ଭକ୍ତ୍ୟାନୁବୃତ୍ୟା
ବିତୃଷ୍ଣୟା ଦ୍ୱନ୍ଦ୍ୱତିତିକ୍ଷୟା ଚ ।
ସର୍ୱତ୍ର ଜନ୍ତୋର୍ୱ୍ୟସନାବଗତ୍ୟା
ଜିଜ୍ଞାସୟା ତପସେହା ନିବୃତ୍ତ୍ୟା ॥ ୧୦॥
ମତ୍କର୍ମଭିର୍ମତ୍କଥୟା ଚ ନିତ୍ୟଂ
ମଦ୍ଦେବସଙ୍ଗାଦ୍ଗୁଣକୀର୍ତନାନ୍ମେ ।
ନିର୍ୱୈରସାମ୍ୟୋପଶମେନ ପୁତ୍ରା
ଜିହାସୟା ଦେହଗେହାତ୍ମବୁଦ୍ଧେଃ ॥ ୧୧॥
ଅଧ୍ୟାତ୍ମୟୋଗେନ ବିବିକ୍ତସେବୟା
ପ୍ରାଣେନ୍ଦ୍ରିୟାତ୍ମାଭିଜୟେନ ସଧ୍ର୍ୟକ୍ ।
ସଚ୍ଛ୍ରଦ୍ଧୟା ବ୍ରହ୍ମଚର୍ୟେଣ ଶଶ୍ୱ-
ଦସମ୍ପ୍ରମାଦେନ ଯମେନ ବାଚାମ୍ ॥ ୧୨॥
ସର୍ୱତ୍ର ମଦ୍ଭାବବିଚକ୍ଷଣେନ
ଜ୍ଞାନେନ ବିଜ୍ଞାନବିରାଜିତେନ ।
ଯୋଗେନ ଧୃତ୍ୟୁଦ୍ୟମସତ୍ତ୍ୱୟୁକ୍ତୋ
ଲିଙ୍ଗଂ ବ୍ୟପୋହେତ୍କୁଶଲୋଽହମାଖ୍ୟମ୍ ॥ ୧୩॥
ହେ ପୁତ୍ର ! ସଂସାରସାଗରକୁ ଅତିକ୍ରମ କରିବାରେ କୁଶଳ ତଥା ଧୈର୍ଯ୍ୟ, ଉଦ୍ୟମ ଏବଂ ସତ୍ତ୍ବଗୁଣବିଶିଷ୍ଟ ପୁରୁଷ ସର୍ବାତ୍ମା ଭଗବାନ ଗୁରୁସ୍ଵରୂପ
ମୋଠାରେ ଭକ୍ତିଭାବ ରଖି, ମୋ ପରାୟଣ ରହି, ତୃଷ୍ଣା ତ୍ୟାଗ କରି, ସୁଖ-ଦୁଃଖ ଆଦି
ଦ୍ବନ୍ଦ୍ବ ସହ୍ୟ କରି, ‘ଜୀବକୁ ସବୁ
ଯୋନିରେ ଦୁଃଖ ଭୋଗ କରିବାକୁ ପଡିଥାଏ’ ଏହା ବିଚାର କରି, ତତ୍ତ୍ବଜିଜ୍ଞାସା, ତପ, ସକାମ କର୍ମ ତ୍ୟାଗ
କରି, ସମସ୍ତ କର୍ମ ମୋ ନିମନ୍ତେ କରି, ନିତ୍ୟପ୍ରତି ମୋର
ଲୀଳାକଥା ଶ୍ରବଣ କରି, ମୋ ଭକ୍ତଙ୍କର
ସଙ୍ଗ ଏବଂ ମୋର ଗୁଣ କୀର୍ତ୍ତନ କରି, ବୈରାଗ୍ୟ, ସମତା, ଶାନ୍ତି ଏବଂ ଶରୀର
ତଥା ଗୃହ ଆଦିରେ ମୁଁ-ମୋପଣ ତ୍ୟାଗ କରିବା ଇଚ୍ଛାରେ, ଅଧ୍ୟାତ୍ମଶାସ୍ତ୍ର
ଅନୁଶୀଳନ କରି, ଏକାନ୍ତ-ସେବନ କରି, ପ୍ରାଣ-ଇନ୍ଦ୍ରିୟ ଏବଂ ମନକୁ ସଂଯମ କରି, ଶାସ୍ତ୍ର ଏବଂ ସତ୍-ପୁରୁଷଙ୍କ ବଚନରେ ଯଥାର୍ଥ ବୁଦ୍ଧି ରଖି, ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ଧାରଣ କରି, କର୍ତ୍ତବ୍ୟକର୍ମରେ ନିରନ୍ତର ସାବଧାନ ରହି, ବାଣୀକୁ ସଂଯମିତ କରି, ସର୍ବତ୍ର ମୋର
ସତ୍ତା ଦର୍ଶନ କରି, ଅନୁଭବଜ୍ଞାନ ସହିତ
ତତ୍ତ୍ବବିଚାର ଦ୍ବାରା ଏବଂ ଯୋଗସାଧନା ଦ୍ବାରା ଅହଂକାରରୂପ ନିଜର ଲିଙ୍ଗଶରୀରକୁ ଲୀନ କରିଦେବା
ଉଚିତ୍ |
କର୍ମାଶୟଂ ହୃଦୟଗ୍ରନ୍ଥିବନ୍ଧ-
ମବିଦ୍ୟଯାସାଦିତମପ୍ରମତ୍ତଃ ।
ଅନେନ ଯୋଗେନ ଯଥୋପଦେଶଂ
ସମ୍ୟଗ୍ୱ୍ୟପୋହ୍ୟୋପରମେତ ଯୋଗାତ୍ ॥ ୧୪॥
ମନୁଷ୍ୟ ସାବଧାନ ରହି ଅବିଦ୍ୟାରୁ ପ୍ରାପ୍ତ ହୃଦୟଗ୍ରନ୍ଥିର ବନ୍ଧନକୁ
ଶାସ୍ତ୍ରୋକ୍ତ ରୀତିରେ ଏହି ସବୁ ସାଧନ ଦ୍ବାରା ଉତ୍ତମ ରୂପେ ଛିନ୍ନ କରିଦେବା ଉଚିତ୍; କାରଣ
ତାହା ହିଁ କର୍ମସଂସ୍କାରର ରହିବା ସ୍ଥାନ ଅଟେ | ତଦନନ୍ତର ସେ ସମସ୍ତ ସାଧନକୁ ମଧ୍ୟ ତ୍ୟାଗ
କରିଦେବା ଆବଶ୍ୟକ |
ପୁତ୍ରାଂଶ୍ଚ ଶିଷ୍ୟାଂଶ୍ଚ ନୃପୋ ଗୁରୁର୍ୱା
ମଲ୍ଲୋକକାମୋ ମଦନୁଗ୍ରହାର୍ଥଃ ।
ଇତ୍ଥଂ ବିମନ୍ୟୁରନୁଶିଷ୍ୟାଦତଜ୍ଜ୍ଞାନ୍
ନ ଯୋଜୟେତ୍କର୍ମସୁ କର୍ମମୂଢାନ୍ ।
କଂ ଯୋଜୟନ୍ ମନୁଜୋଽର୍ଥଂ ଲଭେତ
ନିପାତୟନ୍ ନଷ୍ଟଦୃଶଂ ହି ଗର୍ତେ ॥ ୧୫॥
ଯାହାର ମୋ ଲୋକ ପ୍ରାପ୍ତ କରିବାର ଇଚ୍ଛା ରହିଛି ଅଥବା ଯିଏ ମୋ
ଅନୁଗ୍ରହକୁ ହିଁ ପରମ ପୁରୁଷାର୍ଥ ମନେକରନ୍ତି – ସେ ରାଜା ହୋଇଥିଲେ ନିଜ ଅବୋଧ ପ୍ରଜାଙ୍କୁ,
ଗୁରୁ ହୋଇଥିଲେ ନିଜ ଶିଷ୍ୟଙ୍କୁ ଏବଂ ପିତା ହୋଇଥିଲେ ନିଜ ପୁତ୍ରଙ୍କୁ ଏହି ଶିକ୍ଷା ଦେବା ଉଚିତ୍
| ଅଜ୍ଞାନବଶତଃ ଯଦି ସେମାନେ ସେହି ଶିକ୍ଷା ଅନୁସାରେ ପରିଚାଳିତ ନ ହୋଇ କର୍ମକୁ ହିଁ ପରମ
ପୁରୁଷାର୍ଥ ମନେ କରିବାରେ ଲାଗନ୍ତି, ତେବେ ସେମାନଙ୍କ
ପ୍ରତି କ୍ରୋଧିତ ହେବା ପରିବର୍ତ୍ତେ ସେମାନଙ୍କୁ ବୁଝାଇ-ସୁଝାଇ ସେହି କର୍ମରୁ ନିବୃତ୍ତ କରିବା
ଉଚିତ୍ | ସେମାନଙ୍କୁ ବିଷୟାସକ୍ତିଯୁକ୍ତ କାମ୍ୟକର୍ମରେ ପ୍ରବୃତ୍ତ ରହିବାକୁ ଛାଡିଦେବା ଅର୍ଥ
ଜାଣିଶୁଣି କୌଣସି ଅନ୍ଧକୁ କୂଅ ଭିତରକୁ ଠେଲିଦେବା ସଦୃଶ ଅଟେ | ଏହାଦ୍ବାରା ଭଲା କେଉଁ
ପୁରୁଷାର୍ଥ ସିଦ୍ଧ ହେବ ?
ଲୋକଃ ସ୍ୱୟଂ ଶ୍ରେୟସି ନଷ୍ଟଦୃଷ୍ଟି-
ର୍ୟୋଽର୍ଥାନ୍ ସମୀହେତ ନିକାମକାମଃ ।
ଅନ୍ୟୋନ୍ୟବୈରଃ ସୁଖଲେଶହେତୋ-
ରନନ୍ତଦୁଃଖଂ ଚ ନ ବେଦ ମୂଢଃ ॥ ୧୬॥
ନିଜର ବାସ୍ତବ କଲ୍ୟାଣ କେଉଁଥିରେ ନିହିତ, ତାହା ଲୋକମାନେ ଜାଣନ୍ତି ନାହିଁ; ସେଥିପାଇଁ ସେମାନେ
ବିବିଧ ପ୍ରକାରର ଭୋଗ-କାମନାରେ ଗ୍ରସ୍ତ ହୋଇ ତୁଚ୍ଛ କ୍ଷଣିକ ସୁଖ ନିମନ୍ତେ ପରସ୍ପର ସହିତ
ଶତ୍ରୁତା କରିବସନ୍ତି ଏବଂ ନିରନ୍ତର ବିଷୟଭୋଗ ନିମନ୍ତେ ହିଁ ପ୍ରଯତ୍ନ କରୁଥାଆନ୍ତି | ସେହି
ମୂର୍ଖମାନେ ଏହି ବିଷୟରେ ଆଦୌ ବିଚାର କରନ୍ତି ନାହିଁ ଯେ ଏହି ବୈର-ବିରୋଧ କାରଣରୁ ସେମାନଙ୍କୁ
ନରକ ଆଦି ଅନନ୍ତ ଘୋର ଦୁଃଖ ପ୍ରାପ୍ତ ହେବ |
କସ୍ତଂ ସ୍ୱୟଂ ତଦଭିଜ୍ଞୋ ବିପଶ୍ଚି-
ଦବିଦ୍ୟାୟାମନ୍ତରେ ବର୍ତମାନମ୍ ।
ଦୃଷ୍ଟ୍ୱା ପୁନସ୍ତଂ ସଘୃଣଃ କୁବୁଦ୍ଧିଂ
ପ୍ରୟୋଜୟେଦୁତ୍ପଥଗଂ ଯଥାନ୍ଧମ୍ ॥ ୧୭॥
ଗର୍ତ୍ତ ମଧ୍ୟରେ ପଡିବା ନିମନ୍ତେ ବିପରୀତ ରାସ୍ତାରେ ଯାଉଥିବା
ମନୁଷ୍ୟକୁ ଯେପରି କୌଣସି ଚକ୍ଷୁଷ୍ମାନ୍ ପୁରୁଷ ସେହି ଦିଗରେ ଯିବାକୁ ଦିଅନ୍ତି ନାହିଁ, ସେହିପରି ଅଜ୍ଞାନୀ ମନୁଷ୍ୟକୁ ଅବିଦ୍ୟାଗ୍ରସ୍ତ ହୋଇ ଦୁଃଖ ଅଭିମୁଖରେ
ଅଗ୍ରସର ହେଉଥିବା ଦେଖି କେଉଁ ଦୟାଳୁ ଏବଂ ଜ୍ଞାନୀ ପୁରୁଷ ଅବା ତାଙ୍କୁ ଜାଣିଶୁଣି ସେହି
ରାସ୍ତାରେ ଯିବାକୁ ଦେବ ବା ଯିବା ପାଇଁ ପ୍ରେରିତ କରିବ ?
ଗୁରୁର୍ନ ସ ସ୍ୟାତ୍ସ୍ୱଜନୋ ନ ସ ସ୍ୟାତ୍
ପିତା ନ ସ ସ୍ୟାଜ୍ଜନନୀ ନ ସା ସ୍ୟାତ୍ ।
ଦୈବଂ ନ ତତ୍ସ୍ୟାନ୍ନ ପତିଶ୍ଚ ସ ସ୍ୟା-
ନ୍ନ ମୋଚୟେଦ୍ୟଃ ସମୁପେତମୃତ୍ୟୁମ୍ ॥ ୧୮॥
ଯିଏ ନିଜର ପ୍ରିୟ ସମ୍ବନ୍ଧୀଙ୍କୁ ଭଗବଦ୍-ଭକ୍ତିର ଉପଦେଶ ଦେଇ ତାଙ୍କୁ
ଜନ୍ମ-ମୃତ୍ୟୁପାଶରୁ ଉଦ୍ଧାର କରନ୍ତି ନାହିଁ, ସେହି ଗୁରୁ ଗୁରୁ
ନୁହଁନ୍ତି, ସ୍ବଜନ ସ୍ବଜନ ନୁହଁନ୍ତି, ପିତା ପିତା ନୁହଁନ୍ତି, ମାତା ମାତା
ନୁହଁନ୍ତି, ଇଷ୍ଟଦେବ ଇଷ୍ଟଦେବ ନୁହଁନ୍ତି ଏବଂ ପତି ପତି
ନୁହଁନ୍ତି |
ଇଦଂ ଶରୀରଂ ମମ ଦୁର୍ୱିଭାବ୍ୟଂ
ସତ୍ତ୍ୱଂ ହି ମେ ହୃଦୟଂ ଯତ୍ର ଧର୍ମଃ ।
ପୃଷ୍ଠେ କୃତୋ ମେ ଯଦଧର୍ମ ଆରା-
ଦତୋ ହି ମାମୃଷଭଂ ପ୍ରାହୁରାର୍ୟାଃ ॥ ୧୯॥
ମୋର ଏହି ଅବତାର-ଶରୀରର ରହସ୍ୟ ସାଧାରଣ ବ୍ୟକ୍ତିଙ୍କ ନିମନ୍ତେ
ବୋଧଗମ୍ୟ ନୁହେଁ | ଶୁଦ୍ଧ ସତ୍ତ୍ବ ହିଁ ମୋର ହୃଦୟ ଅଟେ, ଯହିଁରେ ଧର୍ମ
ସ୍ଥିତ ଅଟେ; ଅଧର୍ମକୁ ମୁଁ ନିଜଠାରୁ ବହୁତ ପଛକୁ ଠେଲି ଦେଇଛି, ସେଥିପାଇଁ ଲୋକେ ମୋତେ ‘ଋଷଭ’ କହନ୍ତି |
ତସ୍ମାଦ୍ଭବନ୍ତୋ ହୃଦୟେନ ଜାତାଃ
ସର୍ୱେ ମହୀୟାଂସମମୁଂ ସନାଭମ୍ ।
ଅକ୍ଲିଷ୍ଟବୁଦ୍ଧ୍ୟା ଭରତଂ ଭଜଧ୍ୱଂ
ଶୁଶ୍ରୂଷଣଂ ତଦ୍ଭରଣଂ ପ୍ରଜାନାମ୍ ॥ ୨୦॥
ତୁମେ ସବୁ ମୋର ସେହି ଶୁଦ୍ଧ ସତ୍ତ୍ବମୟ ହୃଦୟରୁ ଉତ୍ପନ୍ନ ହୋଇଛ,
ସେଥିପାଇଁ ଅସୂୟା ତ୍ୟାଗ କରି ନିଜ ଜ୍ୟେଷ୍ଠ ଭ୍ରାତା ଭରତଙ୍କର ସେବା କର | ତାଙ୍କର ସେବା କରିବା
ମୋର ହିଁ ସେବା କରିବା ଅଟେ ଏବଂ ଏହା ତୁମ ପାଇଁ ପ୍ରଜାପାଳନ ମଧ୍ୟ ଅଟେ |
ଭୂତେଷୁ ବୀରୁଦ୍ଭ୍ୟ ଉଦୁତ୍ତମା ଯେ
ସରୀସୃପାସ୍ତେଷୁ ସବୋଧନିଷ୍ଠାଃ ।
ତତୋ ମନୁଷ୍ୟାଃ ପ୍ରମଥାସ୍ତତୋଽପି
ଗନ୍ଧର୍ୱସିଦ୍ଧା ବିବୁଧାନୁଗା ଯେ ॥ ୨୧॥
ଅନ୍ୟ ସମସ୍ତ ଭୂତଙ୍କ ଅପେକ୍ଷା ବୃକ୍ଷ ଅତ୍ୟନ୍ତ ଶ୍ରେଷ୍ଠ ଅଟେ, ତାଙ୍କ ଦ୍ବାରା ନିର୍ବାହ କରୁଥିବା ଜୀବ ଶ୍ରେଷ୍ଠ ଅଟନ୍ତି ଏବଂ
ସେମାନଙ୍କ ମଧ୍ୟରୁ କୀଟ ଆଦିଙ୍କ ଅପେକ୍ଷା ଜ୍ଞାନଯୁକ୍ତ ପଶୁ ଆଦି ଶ୍ରେଷ୍ଠ ଅଟନ୍ତି |
ପଶୁମାନଙ୍କଠାରୁ ମନୁଷ୍ୟ, ମନୁଷ୍ୟଠାରୁ
ପ୍ରମଥଗଣ, ପ୍ରମଥଙ୍କଠାରୁ ଗନ୍ଧର୍ବ, ଗନ୍ଧର୍ବଙ୍କଠାରୁ ସିଦ୍ଧ ଏବଂ ସିଦ୍ଧଙ୍କଠାରୁ ଦେବତାମାନଙ୍କର
ଅନୁଯାୟୀ କିନ୍ନର ଆଦି ଶ୍ରେଷ୍ଠ ଅଟନ୍ତି |
ଦେବାସୁରେଭ୍ୟୋ ମଘବତ୍ପ୍ରଧାନା
ଦକ୍ଷାଦୟୋ ବ୍ରହ୍ମସୁତାସ୍ତୁ ତେଷାମ୍ ।
ଭବଃ ପରଃ ସୋଽଥ ବିରିଞ୍ଚବୀର୍ୟଃ
ସ ମତ୍ପରୋଽହଂ ଦ୍ୱିଜଦେବଦେବଃ ॥ ୨୨॥
ସେମାନଙ୍କଠାରୁ ଅସୁର, ଅସୁରଙ୍କଠାରୁ
ଦେବତା ଏବଂ ଦେବତାଙ୍କ ମଧ୍ୟରେ ଇନ୍ଦ୍ର ଶ୍ରେଷ୍ଠ ଅଟନ୍ତି | ଇନ୍ଦ୍ରଙ୍କଠାରୁ ବ୍ରହ୍ମାଜୀଙ୍କର
ପୁତ୍ର ଦକ୍ଷ ଆଦି ପ୍ରଜାପତିମାନେ ଶ୍ରେଷ୍ଠ, ବ୍ରହ୍ମାଜୀଙ୍କର
ପୁତ୍ରମାନଙ୍କ ମଧ୍ୟରୁ ରୁଦ୍ର ସର୍ବଶ୍ରେଷ୍ଠ ଅଟନ୍ତି | ରୁଦ୍ର ବ୍ରହ୍ମାଜୀଙ୍କଠାରୁ ଉତ୍ପନ୍ନ
ହୋଇଛନ୍ତି, ସେଥିପାଇଁ ବ୍ରହ୍ମାଜୀ ତାଙ୍କଠାରୁ ଶ୍ରେଷ୍ଠ ଅଟନ୍ତି
| ବ୍ରହ୍ମାଜୀ ମୋଠାରୁ ଉତ୍ପନ୍ନ ହୋଇଛନ୍ତି, ସେ ମୋର ଉପାସନା
କରନ୍ତି, ତେଣୁ ମୁଁ ତାଙ୍କଠାରୁ ଶ୍ରେଷ୍ଠ ଅଟେ | କିନ୍ତୁ
ବ୍ରାହ୍ମଣ ମୋଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି; କାରଣ ମୁଁ
ସେମାନଙ୍କୁ ପୂଜ୍ୟ ମନେକରେ |
ନ ବ୍ରାହ୍ମଣୈସ୍ତୁଲୟେ ଭୂତମନ୍ୟ-
ତ୍ପଶ୍ୟାମି ବିପ୍ରାଃ କିମତଃ ପରଂ ତୁ ।
ଯସ୍ମିନ୍ ନୃଭିଃ ପ୍ରହୁତଂ ଶ୍ରଦ୍ଧୟାହ-
ମଶ୍ନାମି କାମଂ ନ ତଥାଗ୍ନିହୋତ୍ରେ ॥ ୨୩॥
(ସଭାରେ ଉପସ୍ଥିତ ବ୍ରାହ୍ମଣମାନଙ୍କୁ ଲକ୍ଷ୍ୟ କରି) ବିପ୍ରଗଣ ! ଅନ୍ୟ
କୌଣସି ପ୍ରାଣୀଙ୍କୁ ମୁଁ ବ୍ରାହ୍ମଣଙ୍କର ସମତୁଲ୍ୟ ମଧ୍ୟ ମନେ କରେନାହିଁ; ତେଣୁ କାହାକୁ ଅଧିକ ମନେ କରିବାର ତ ପ୍ରଶ୍ନ ହିଁ ଉଠେନାହିଁ | ଲୋକେ
ଶ୍ରଦ୍ଧାପୂର୍ବକ ବ୍ରାହ୍ମଣମାନଙ୍କ ମୁଖରେ ଯେଉଁ ଅନ୍ନାଦି ଆହୁତି ଦେଇଥାଆନ୍ତି, ତାହାକୁ ମୁଁ ଯେତିକି ପ୍ରସନ୍ନତାରେ ଗ୍ରହଣ କରିଥାଏ, ସେତିକି ପ୍ରସନ୍ନତାରେ ଅଗ୍ନିହୋତ୍ରରେ ପ୍ରଦାନ କରାଯାଉ ଥିବା ହୋମ
ସାମଗ୍ରୀକୁ ମଧ୍ୟ ସ୍ବୀକାର କରେନାହିଁ |
ଧୃତା ତନୂରୁଶତୀ ମେ ପୁରାଣୀ
ଯେନେହ ସତ୍ତ୍ୱଂ ପରମଂ ପବିତ୍ରମ୍ ।
ଶମୋ ଦମଃ ସତ୍ୟମନୁଗ୍ରହଶ୍ଚ
ତପସ୍ତିତିକ୍ଷାନୁଭବଶ୍ଚ ଯତ୍ର ॥ ୨୪॥
ଯେଉଁମାନେ ଏହି ଲୋକରେ ଅଧ୍ୟୟନ ଆଦି ଦ୍ବାରା ମୋର ବେଦରୂପା ଅତି
ସୁନ୍ଦର ଏବଂ ପୁରାତନ ମୂର୍ତ୍ତିକୁ ଧାରଣ କରିଛନ୍ତି ତଥା ଯେଉଁମାନେ ପରମ ପବିତ୍ର ସତ୍ତ୍ବଗୁଣ, ଶମ, ଦମ, ସତ୍ୟ, ଦୟା, ତପ, ତିତିକ୍ଷା ଏବଂ ଜ୍ଞାନାଦି ଅଷ୍ଟଗୁଣରେ ସମ୍ପନ୍ନ ଅଟନ୍ତି – କିଏ ଅବା
ସେହି ବ୍ରାହ୍ମଣମାନଙ୍କଠାରୁ ବଡ ହୋଇପାରିବ ?
ମତ୍ତୋଽପ୍ୟନନ୍ତାତ୍ପରତଃ ପରସ୍ମା-
ତ୍ସ୍ୱର୍ଗାପବର୍ଗାଧିପତେର୍ନ କିଞ୍ଚିତ୍ ।
ଯେଷାଂ କିମୁ ସ୍ୟାଦିତରେଣ ତେଷା-
ମକିଞ୍ଚନାନାଂ ମୟି ଭକ୍ତିଭାଜାମ୍ ॥ ୨୫॥
ମୁଁ ବ୍ରହ୍ମାଦିଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟେ ଏବଂ ଅନନ୍ତ ଅଟେ ତଥା
ସ୍ବର୍ଗ-ମୋକ୍ଷ ଆଦି ପ୍ରଦାନ କରିବାର ସାମର୍ଥ୍ୟ ମଧ୍ୟ ମୋର ରହିଛି | କିନ୍ତୁ ମୋର ଅକିଂଚନ
ଭକ୍ତମାନେ ଏପରି ନିଃସ୍ପୃହ ଅଟନ୍ତି ଯେ ସେମାନେ ମୋଠାରୁ କେବେ କିଛି ଇଚ୍ଛା କରନ୍ତି ନାହିଁ; ତେଣୁ ରାଜ୍ୟ ଆଦି ଅନ୍ୟ ବସ୍ତୁର ଇଚ୍ଛା ତ ସେମାନେ କରନ୍ତି ହିଁ
ନାହିଁ |
ସର୍ୱାଣି ମଦ୍ଧିଷ୍ଣ୍ୟତୟା ଭବଦ୍ଭି-
ଶ୍ଚରାଣି ଭୂତାନି ସୁତାଧ୍ରୁବାଣି ।
ସମ୍ଭାବିତବ୍ୟାନି ପଦେ ପଦେ ବୋ
ବିବିକ୍ତଦୃଗ୍ଭିସ୍ତଦୁ ହାର୍ହଣଂ ମେ ॥ ୨୬॥
ହେ ପୁତ୍ର ! ତୁମେ ଚରାଚର ସମ୍ପୂର୍ଣ୍ଣ ଭୂତଙ୍କୁ ମୋର ଶରୀର ମନେକରି
ଶୁଦ୍ଧ ବୁଦ୍ଧିରେ ସର୍ବଦା ସେମାନଙ୍କର ସେବା କର, ଏହା ମୋର ବାସ୍ତବ
ପୂଜା ଅଟେ |
ମନୋ ବଚୋ ଦୃକ୍କରଣେହିତସ୍ୟ
ସାକ୍ଷାତ୍କୃତଂ ମେ ପରିବର୍ହଣଂ ହି ।
ବିନା ପୁମାନ୍ ଯେନ ମହାବିମୋହାତ୍
କୃତାନ୍ତପାଶାନ୍ନ ବିମୋକ୍ତୁମୀଶେତ୍ ॥ ୨୭॥
ମନ, ବଚନ, ଦୃଷ୍ଟି ତଥା ଅନ୍ୟ ଇନ୍ଦ୍ରିୟମାନଙ୍କର କ୍ରିୟାର ସାକ୍ଷାତ୍ ଫଳ ମୋର
ଏହି ପ୍ରକାରର ପୂଜନ ହିଁ ଅଟେ | ଏହା ବ୍ୟତିରେକ ମନୁଷ୍ୟ ନିଜକୁ ମହାମୋହମୟ କାଳପାଶରୁ ମୁକ୍ତ
କରିପାରିବ ନାହିଁ |
ଶ୍ରୀଶୁକ ଉବାଚ
ଏବମନୁଶାସ୍ୟାତ୍ମଜାନ୍ ସ୍ୱୟମନୁଶିଷ୍ଟାନପି
ଲୋକାନୁଶାସନାର୍ଥଂ ମହାନୁଭାବଃପରମସୁହୃ-
ଦ୍ଭଗବାନ୍ ଋଷଭାପଦେଶ ଉପଶମଶୀଲାନା-
ମୁପରତକର୍ମଣାଂ ମହାମୁନୀନାଂ ଭକ୍ତିଜ୍ଞାନ-
ବୈରାଗ୍ୟଲକ୍ଷଣଂ ପାରମହଂସ୍ୟଧର୍ମମୁପଶିକ୍ଷମାଣଃ
ସ୍ୱତନୟଶତଜ୍ୟେଷ୍ଠଂ ପରମଭାଗବତଂ
ଭଗବଜ୍ଜନପରାୟଣଂ ଭରତଂ ଧରଣିପାଲନାୟା-
ଭିଷିଚ୍ୟ ସ୍ୱୟଂ ଭବନ ଏବୋର୍ୱରିତଶରୀରମାତ୍ର-
ପରିଗ୍ରହ ଉନ୍ମତ୍ତ ଇବ ଗଗନପରିଧାନଃ
ପ୍ରକୀର୍ଣକେଶ ଆତ୍ମନ୍ୟାରୋପିତାହବନୀୟୋ
ବ୍ରହ୍ମାବର୍ତାତ୍ପ୍ରବବ୍ରାଜ ॥ ୨୮॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଋଷଭଦେବଙ୍କର ପୁତ୍ରମାନେ ଯଦିଓ
ସ୍ବୟଂ ହିଁ ସବୁ ପ୍ରକାରରେ ସୁଶିକ୍ଷିତ ଥିଲେ, ତଥାପି
ଅନ୍ୟମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ମହାପ୍ରଭାବଶାଳୀ ପରମ ସୁହୃଦ୍ ଭଗବାନ ଋଷଭ ସେମାନଙ୍କୁ
ଏହି ଉପଦେଶ ପ୍ରଦାନ କରିଥିଲେ | ଋଷଭଦେବଙ୍କର ଶହେ ପୁତ୍ର ମଧ୍ୟରେ ଭରତ ସବୁଠାରୁ ବଡ ଥିଲେ | ସେ
ଭଗବାନଙ୍କର ପରମ ଭକ୍ତ ଏବଂ ଭଗବଦ୍-ଭକ୍ତ ପରାୟଣ ଥିଲେ | ପୃଥ୍ବୀ-ପାଳନ ନିମନ୍ତେ ଋଷଭଦେବ
ତାଙ୍କୁ ରାଜଗଦ୍ଦିରେ ବସାଇଲେ ଏବଂ ସ୍ବୟଂ ଉପଶମଶୀଳ ନିବୃତ୍ତିପରାୟଣ ମହାମୁନିମାନଙ୍କର ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟରୂପ ପରମହଂସୋଚିତ ଧର୍ମର ଶିକ୍ଷା ଦେବା
ନିମନ୍ତେ ପୂର୍ଣ୍ଣ ବିରକ୍ତ ହୋଇଗଲେ | କେବଳ ଶରୀର-ପରିଗ୍ରହ ବ୍ୟତିତ ଅନ୍ୟ ସବୁ ବ୍ୟସନ ସେ ଗୃହରେ
ଥିବା ସମୟରେ ହିଁ ତ୍ୟାଗ କରିଦେଲେ | ତାପରେ ସେ ବସ୍ତ୍ରକୁ ମଧ୍ୟ ତ୍ୟାଗ କରି ପୂର୍ଣ୍ଣ ଦିଗମ୍ବର
ହୋଇଗଲେ | ବିକ୍ଷିପ୍ତ କେଶରାଶି, ଉନ୍ମତ୍ତମାନଙ୍କ ପରି ବେଶଭୂଷା – ଏହିପରି ଅବସ୍ଥାରେ ସେ ଆହବନୀୟ (ଅଗ୍ନିହୋତ୍ର) ଅଗ୍ନିକୁ ନିଜ ମଧ୍ୟରେ
ଲୀନ କରି ସନ୍ୟାସୀ ହୋଇଗଲେ ଏବଂ ବ୍ରହ୍ମାବର୍ତ ଦେଶ ବାହାରକୁ ଚାଲିଗଲେ |
ଜଡାନ୍ଧମୂକବଧିରପିଶାଚୋନ୍ମାଦକବଦବଧୂତବେଷୋ-
ଽଭିଭାଷ୍ୟମାଣୋଽପି ଜନାନାଂ ଗୃହୀତମୌନବ୍ରତସ୍ତୂଷ୍ଣୀଂ
ବଭୂବ ॥ ୨୯॥
ସେ ପୂର୍ଣ୍ଣ ମୌନ ଧାରଣ କରିଥିଲେ, କେହି କିଛି ପଚାରିଲେ ଉତ୍ତର ଦେଉ
ନ ଥିଲେ | ଜଡ, ଅନ୍ଧ, ବଧିର, ମୁକ, ପିଶାଚ ଏବଂ ପାଗଳ
ପରି ବ୍ୟବହାର କରି ସେ ଅବଧୂତ ଭାବରେ ଏଣେତେଣେ ବିଚରଣ କରିବାରେ ଲାଗିଲେ |
ତତ୍ର ତତ୍ର ପୁରଗ୍ରାମାକରଖେଟବାଟଖର୍ୱଟଶିବିରବ୍ରଜଘୋଷ-
ସାର୍ଥଗିରିବନାଶ୍ରମାଦିଷ୍ୱନୁପଥମବନିଚରାପସଦୈଃ
ପରିଭୂୟମାନୋ ମକ୍ଷିକାଭିରିବ ବନଗଜସ୍ତର୍ଜନତାଡନା-
ବମେହନଷ୍ଠୀବନଗ୍ରାବଶକୃଦ୍ରଜଃପ୍ରକ୍ଷେପପୂତିବାତଦୁରୁକ୍ତୈ-
ସ୍ତଦବିଗଣୟନ୍ନେବାସତ୍ସଂସ୍ଥାନ ଏତସ୍ମିନ୍ ଦେହୋପଲକ୍ଷଣେ
ସଦପଦେଶ ଉଭୟାନୁଭବସ୍ୱରୂପେଣ ସ୍ୱମହିମାବସ୍ଥାନେନା-
ସମାରୋପିତାହମ୍ମମାଭିମାନତ୍ୱାଦବିଖଣ୍ଡିତମନାଃ
ପୃଥିବୀମେକଚରଃ ପରିବଭ୍ରାମ ॥ ୩୦॥
ସେ କେତେବେଳେ ନଗର ଏବଂ ଗ୍ରାମରେ ରହୁଥିଲେ ତ କେତେବେଳେ
ଚାଷୀମାନଙ୍କର ବସ୍ତି, ବଗିଚା, ପାହାଡୀ ଗାଁ, ସେନାଛାଉଣୀ, ଗୋଶାଳା, ଅହୀରମାନଙ୍କର ବସ୍ତି ଏବଂ ଯାତ୍ରୀଗୃହରେ ରହୁଥିଲେ | କେବେ
କେବେ ପାହାଡ, ଜଙ୍ଗଲ ଏବଂ ଆଶ୍ରମ ଆଦିରେ ବିଚରଣ କରୁଥିଲେ | ସେ
ଯେଉଁ ରାସ୍ତାରେ ଯାଉଥିଲେ, ବନ୍ୟହସ୍ତୀକୁ
ମାଛିମାନେ ଘେରିଯିଵା ପରି, ମୂର୍ଖ ଏବଂ
ଦୁଷ୍ଟଲୋକମାନେ ତାଙ୍କର ଅନୁସରଣ କରି ତାଙ୍କୁ ହଇରାଣ କରୁଥିଲେ | କିଏ ତାଙ୍କୁ ଧମକ ଦେଉଥିଲା ତ
କିଏ ମାରୁଥିଲା; କିଏ ତାଙ୍କ ଉପରେ ପରିଶ୍ରା କରୁଥିଲା ତ କିଏ ଛେପ ପକାଉଥିଲା, କିଏ ତାଙ୍କୁ
ଢେଲା ମାରୁଥିଲା ତ କିଏ ତାଙ୍କ ଉପରେ ବିଷ୍ଠା ଏବଂ ଧୂଳି ପକାଉଥିଲା; କିଏ ଅଧୋବାୟୁ ତ୍ୟାଗ
କରୁଥିଲା ତ କିଏ ଗାଳିବର୍ଷଣ କରୁଥିଲା | କିନ୍ତୁ ସେହି ସବୁ ପ୍ରତି ସେ ଟିକିଏ ବି ଧ୍ୟାନ ଦେଉ ନ
ଥିଲେ | ତାହାର କାରଣ ଭ୍ରମରେ ସତ୍ୟ ପ୍ରତୀତ ହେଉଥିବା ମିଥ୍ୟା ଶରୀରରେ ତାଙ୍କର ତିଳେମାତ୍ର
ଅହଂତା-ମମତା ନ ଥିଲା | କାର୍ଯ୍ୟ-କାରଣରୂପ ସମ୍ପୂର୍ଣ୍ଣ ପ୍ରପଞ୍ଚର ସାକ୍ଷୀ ହୋଇ ସେ ନିଜ
ପରମାତ୍ମସ୍ବରୂପରେ ହିଁ ସ୍ଥିତ ରହିଥିଲେ, ସେଥିପାଇଁ ଅଖଣ୍ଡ
ଚିତ୍ତବୃତ୍ତିରେ ସେ ଏକାକୀ ହିଁ ପୃଥିବୀରେ ବିଚରଣ କରୁଥିଲେ |
ଅତିସୁକୁମାରକରଚରଣୋରଃସ୍ଥଲବିପୁଲବାହ୍ୱଂସଗଲବଦନା-
ଦ୍ୟବୟବବିନ୍ୟାସଃ ପ୍ରକୃତିସୁନ୍ଦରସ୍ୱଭାବହାସସୁମୁଖୋ
ନବନଲିନଦଲାୟମାନଶିଶିରତାରାରୁଣାୟତନୟନରୁଚିରଃ
ସଦୃଶସୁଭଗକପୋଲକର୍ଣକଣ୍ଠନାସୋ ବିଗୂଢସ୍ମିତବଦନ-
ମହୋତ୍ସବେନ ପୁରବନିତାନାଂ ମନସି କୁସୁମଶରାସନମୁପଦଧାନଃ
ପରାଗବଲମ୍ବମାନକୁଟିଲଜଟିଲକପିଶକେଶଭୂରିଭାରୋ-
ଽବଧୂତମଲିନନିଜଶରୀରେଣ ଗ୍ରହଗୃହୀତ ଇବାଦୃଶ୍ୟତ ॥ ୩୧॥
ତାଙ୍କର ହସ୍ତ, ପଦ, ବକ୍ଷସ୍ଥଳ, ସୁଦୀର୍ଘ ଭୁଜଦ୍ବୟ, ସ୍କନ୍ଧ, ଗ୍ରୀବା ଏବଂ ମୁଖ
ଆଦି ଅଙ୍ଗର ଗଢ଼ଣ ଅତ୍ୟନ୍ତ ସୁକୁମାର ଥିଲା; ତାଙ୍କର ସ୍ବଭାବତଃ
ସୁନ୍ଦର ମୁଖ ସ୍ବାଭାବିକ ସ୍ମିତହାସ୍ୟଯୁକ୍ତ ହୋଇ ଅଧିକ ମନୋହର ଦେଖା ଯାଉଥିଲା; ନେତ୍ର ନବୀନ
କମଳଦଳ ସଦୃଶ ଅତ୍ୟନ୍ତ କୋମଳ, ବିଶାଳ ଏବଂ
ଲାଲିମାଯୁକ୍ତ ଥିଲା; ଆଖିପିତୁଳା ଶୀତଳ ଏବଂ ସନ୍ତାପହାରିଣୀ ଥିଲା | କପୋଳ, କାନ ଏବଂ ନାସିକା ଛୋଟ-ବଡ ନ ହୋଇ ସମାନ ଏବଂ ସୁନ୍ଦର ଥିଲା |
ତାଙ୍କର ଅସ୍ଫୁଟ ହାସ୍ୟଯୁକ୍ତ ମନୋହର ମୁଖାରବିନ୍ଦର ଶୋଭା ଦର୍ଶନ କରି ପୁରନାରୀଙ୍କ ଚିତ୍ତରେ
କାମଦେବଙ୍କର ସଞ୍ଚାର ହେଉଥିଲା | କିନ୍ତୁ ତାଙ୍କ ମୁଖ ସମ୍ମୁଖରେ ଲମ୍ବିଥିବା ତାଙ୍କର
ଧୂସର ରଙ୍ଗର ଦୀର୍ଘ କୁଞ୍ଚିତ ଅଳକ ଏବଂ ତାଙ୍କର ଧୂଳିଧୂସରିତ ଅବଧୂତ
ଶରୀର କାରଣରୁ ସେ ଜଣେ ଗ୍ରହଗ୍ରସ୍ତ ମନୁଷ୍ୟ ପରି ଦେଖା ଯାଉଥିଲେ |
ଯର୍ହି ବାବ ସ ଭଗବାନ୍ ଲୋକମିମଂ ଯୋଗସ୍ୟାଦ୍ଧା
ପ୍ରତୀପମିବାଚକ୍ଷାଣସ୍ତତ୍ପ୍ରତିକ୍ରିୟାକର୍ମ ବୀଭତ୍ସିତମିତି
ବ୍ରତମାଜଗରମାସ୍ଥିତଃ ଶୟାନ ଏବାଶ୍ନାତି ପିବତି
ଖାଦତ୍ୟବମେହତି ହଦତି ସ୍ମ ଚେଷ୍ଟମାନ ଉଚ୍ଚରିତ
ଆଦିଗ୍ଧୋଦ୍ଦେଶଃ ॥ ୩୨॥
ଭଗବାନ ଋଷଭଦେବ ଯେତେବେଳେ ଦେଖିଲେ ଯେ ଏହି ଜନତା ତାଙ୍କର
ଯୋଗସାଧନାରେ ବିଘ୍ନରୂପ ଅଟନ୍ତି, ସେତେବେଳେ
ସେମାନଙ୍କଠାରୁ ରକ୍ଷା ପାଇବା ପାଇଁ ସେ ଅଜଗରବୃତ୍ତି ଧାରଣ କରିନେଲେ | ସେ ପେଟରେ
ଘୁଷୁରି-ଘୁଷୁରି ଖାଇବା-ପିଇବା ଏବଂ ମଳ-ମୂତ୍ରତ୍ୟାଗ କରିବାରେ ଲାଗିଲେ ଏବଂ ନିଜେ ତ୍ୟାଗ
କରିଥିବା ମଳରେ ଲୋଟପୋଟ ହୋଇ ଶରୀରକୁ ସେଥିରେ ମଣ୍ଡିତ କରୁଥିଲେ |
ତସ୍ୟ ହ ଯଃ ପୁରୀଷସୁରଭିସୌଗନ୍ଧ୍ୟବାୟୁସ୍ତଂ ଦେଶଂ
ଦଶୟୋଜନଂ ସମନ୍ତାତ୍ସୁରଭିଂ ଚକାର ॥ ୩୩॥
କିନ୍ତୁ ସେହି ମଳରେ ଦୁର୍ଗନ୍ଧ ପରିବର୍ତ୍ତେ ସୁଗନ୍ଧ ଥିଲା ଏବଂ ବାୟୁ
ଦ୍ବାରା ସେହି ସୁଗନ୍ଧ ଚତୁର୍ଦ୍ଦିଗରେ ଦଶ ଯୋଜନଯାଏଁ ପରିବ୍ୟାପ୍ତ ହୋଇ ସାରା ଦେଶକୁ ସୁଗନ୍ଧିତ
କରୁଥିଲା |
ଏବଂ ଗୋମୃଗକାକଚର୍ୟଯା ବ୍ରଜଂସ୍ତିଷ୍ଠନ୍ନାସୀନଃ ଶୟାନଃ
କାକମୃଗଗୋଚରିତଃ ପିବତି ଖାଦତ୍ୟବମେହତି ସ୍ମ ॥ ୩୪॥
ଏହିପରି ଭାବରେ ସେ ଗୋ, ମୃଗ ଏବଂ କାକ ଆଦି
ବୃତ୍ତି ସ୍ବୀକାର କରି ସେମାନଙ୍କ ପରି କେତେବେଳେ ଚାଲି-ଚାଲି, କେତେବେଳେ ଠିଆ ହୋଇ, କେତେବେଳେ
ବସି-ବସି, ପୁଣି କେତେବେଳେ ଶୋଇ-ଶୋଇ ଖାଦ୍ୟ-ପେୟ ଗ୍ରହଣ
କରୁଥିଲେ ଏବଂ ମଳ-ମୂତ୍ର ତ୍ୟାଗ କରୁଥିଲେ |
ଇତି ନାନାୟୋଗଚର୍ୟାଚରଣୋ ଭଗବାନ୍ କୈବଲ୍ୟପତିରୃଷଭୋ-
ଽବିରତପରମମହାନନ୍ଦାନୁଭବ ଆତ୍ମନି ସର୍ୱେଷାଂ ଭୂତାନା-
ମାତ୍ମଭୂତେ ଭଗବତି ବାସୁଦେବ ଆତ୍ମନୋଽବ୍ୟବଧାନା-
ନନ୍ତରୋଦରଭାବେନ ସିଦ୍ଧସମସ୍ତାର୍ଥପରିପୂର୍ଣୋ ଯୋଗୈଶ୍ୱର୍ୟାଣି
ବୈହାୟସମନୋଜବାନ୍ତର୍ଧାନପରକାୟପ୍ରବେଶଦୂରଗ୍ରହଣାଦୀନି
ଯଦୃଚ୍ଛୟୋପଗତାନି ନାଞ୍ଜସା ନୃପହୃଦୟେନାଭ୍ୟନନ୍ଦତ୍ ॥ ୩୫॥
ପରୀକ୍ଷିତ ! ପରମହଂସମାନଙ୍କୁ ତ୍ୟାଗର ଆଦର୍ଶ ଶିକ୍ଷା ଦେବା ନିମନ୍ତେ
ମୋକ୍ଷପତି ଭଗବାନ ଋଷଭଦେବ ଏହିପରି ଭାବରେ ଅନେକ ପ୍ରକାର ଯୋଗଚର୍ଯ୍ୟାର ଆଚରଣ କରିଥିଲେ | ସେ
ନିରନ୍ତର ସର୍ବଶ୍ରେଷ୍ଠ ମହାନ୍ ଆନନ୍ଦ ଅନୁଭବ କରିବାରେ ଲାଗିଥିଲେ | ତାଙ୍କ ଦୃଷ୍ଟିରେ
ନିରୁପାଧିକରୂପରେ ସମ୍ପୂର୍ଣ୍ଣ ପ୍ରାଣୀଙ୍କର ଆତ୍ମା ନିଜ ଆତ୍ମସ୍ବରୂପ ଭଗବାନ ବାସୁଦେବଙ୍କଠାରୁ
କୌଣସି ପ୍ରକାରେ ଭିନ୍ନ ନ ଥିଲା | ସେଥିପାଇଁ ତାଙ୍କର ସମସ୍ତ ପୁରୁଷାର୍ଥ ପୂର୍ଣ୍ଣ ହୋଇ
ଯାଇଥିଲା | ତାଙ୍କ ପାଖକୁ ଆକାଶଗମନ, ମନୋଜବିତ୍ବ (ମନର
ଗତି ତୁଲ୍ୟ ଶରୀର ଦ୍ବାରା ଯେଉଁଠିକୁ ଇଚ୍ଛା ସେଠାକୁ ଯାଇପାରିବା), ଅନ୍ତର୍ଧାନ, ପରକାୟପ୍ରବେଶ, ଦୂରରୁ କଥା
ଶୁଣିପାରିବା ଏବଂ ଦୂର ଦୃଶ୍ୟ ଦେଖିପାରିବା ଆଦି ସିଦ୍ଧିମାନେ ସେବା ଅଭିଳାଷରେ ଉପସ୍ଥିତ
ହୋଇଥିଲେ, କିନ୍ତୁ ସେ ମନରେ ସେମାନଙ୍କୁ ଆଦର କିମ୍ବା ଗ୍ରହଣ
କରି ନ ଥିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଋଷଭଦେବାନୁଚରିତେ ପଞ୍ଚମୋଽଧ୍ୟାୟଃ ॥ ୫॥

Comments
Post a Comment