ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଷଷ୍ଠ ଅଧ୍ୟାୟ

ଋଷଭଦେବଙ୍କର ଦେହତ୍ୟାଗ

 

ରାଜୋବାଚ

ନ ନୂନଂ ଭଗବ ଆତ୍ମାରାମାଣାଂ ଯୋଗସମୀରିତଜ୍ଞାନାବଭର୍ଜିତ-

କର୍ମବୀଜାନାଂ ଐଶ୍ୱର୍ୟାଣି ପୁନଃ କ୍ଲେଶଦାନି ଭବିତୁମର୍ହନ୍ତି

ଯଦୃଚ୍ଛୟୋପଗତାନି ॥ ୧॥

ପରୀକ୍ଷିତ ପଚାରିଲେ – ଭଗବନ୍ ! ଯୋଗରୂପ ବାୟୁରେ ପ୍ରଜ୍ବଳିତ ଜ୍ଞାନାଗ୍ନି ଦ୍ବାରା ଯାହାର ରାଗାଦି କର୍ମବୀଜ ଦଗ୍ଧ ହୋଇଯାଇଥାଏ, ସେହି ଆତ୍ମାରାମ ମୁନିମାନଙ୍କୁ ଯଦି ଦୈବବଶ ସ୍ବତଃ ଅଣିମାଦି ସିଦ୍ଧି ପ୍ରାପ୍ତ ହୋଇଯାଆନ୍ତି, ତେବେ ସେମାନେ ତ କୌଣସି ପ୍ରକାରେ ତାଙ୍କର ରାଗ-ଦ୍ବେଷ ଆଦି କ୍ଲେଶର କାରଣ ହୋଇ ପାରନ୍ତି ନାହିଁ | ତଥାପି ଭଗବାନ ଋଷଭଦେବ ସେମାନଙ୍କୁ ସ୍ବୀକାର କାହିଁକି କରି ନ ଥିଲେ ?

ଋଷିରୁବାଚ

ସତ୍ୟମୁକ୍ତଂ କିନ୍ତ୍ୱିହ ବା ଏକେ ନ ମନସୋଽଦ୍ଧା ବିଶ୍ରମ୍ଭ-

ମନବସ୍ଥାନସ୍ୟ ଶଠକିରାତ ଇବ ସଙ୍ଗଚ୍ଛନ୍ତେ ॥ ୨॥

ଶ୍ରୀଶୁକଦେବ କହୁଛନ୍ତି – ତୁମେ ଯାହା କହିଲ, ତାହା ଠିକ୍ ଅଟେ | କିନ୍ତୁ ସଂସାରରେ ଯେପରି ଚାଲାକ ବ୍ୟାଧ ନିଜେ ଧରି ନେଇଥିବା ମୃଗକୁ ବିଶ୍ବାସ କରି ନ ଥାନ୍ତି, ସେହିପରି ବୁଦ୍ଧିମାନ ପୁରୁଷ ନିଜର ଚଞ୍ଚଳ ଚିତ୍ତ ଉପରେ ଭରସା କରନ୍ତି ନାହିଁ |

ତଥା ଚୋକ୍ତଂ -

ନ କୁର୍ୟାତ୍କର୍ହିଚିତ୍ସଖ୍ୟଂ ମନସି ହ୍ୟନବସ୍ଥିତେ ।

ଯଦ୍ୱିଶ୍ରମ୍ଭାଚ୍ଚିରାଚ୍ଚୀର୍ଣଂ ଚସ୍କନ୍ଦ ତପ ଐଶ୍ୱରମ୍ ॥ ୩॥

ସେଥିପାଇଁ କୁହାଯାଏ – କୌଣସି ପରିସ୍ଥିତିରେ ବି ଏହି ଚଞ୍ଚଳ ଚିତ୍ତ ସହିତ ମିତ୍ରତା କରିବା ଉଚିତ୍ ନୁହେଁ | ଏହା ପ୍ରତି ବିଶ୍ବାସ କରିବା ଦ୍ବାରା ହିଁ ମୋହିନୀରୂପରେ ଆସକ୍ତ ହୋଇ ମହାଦେବଙ୍କର ଚିରକାଳୀନ ସଞ୍ଚିତ ତପ କ୍ଷୀଣ ହୋଇ ଯାଇଥିଲା |

ନିତ୍ୟଂ ଦଦାତି କାମସ୍ୟ ଚ୍ଛିଦ୍ରଂ ତମନୁ ଯେଽରୟଃ ।

ଯୋଗିନଃ କୃତମୈତ୍ରସ୍ୟ ପତ୍ୟୁର୍ଜାୟେବ ପୁଂଶ୍ଚଲୀ ॥ ୪॥

ଜଣେ ବ୍ୟଭିଚାରିଣୀ ସ୍ତ୍ରୀ ଯେପରି ପର ପୁରୁଷ ସହାୟତାରେ ନିଜ ଉପରେ ପୂର୍ଣ୍ଣ ବିଶ୍ବାସ ରଖିଥିବା ପତିର ବଧ କରି ଦେଇଥାଏ, ସେହିପରି ଯେଉଁ ଯୋଗୀ ମନକୁ ବିଶ୍ବାସ କରନ୍ତି, ସେହି ମନ କାମ ଏବଂ ତାର ସାଥୀ କ୍ରୋଧାଦି ଶତ୍ରୁମାନଙ୍କୁ ଆକ୍ରମଣ କରିବାର ଅବସର ଦେଇ ତାଙ୍କୁ ନଷ୍ଟ-ଭ୍ରଷ୍ଟ କରି ଦେଇଥାଏ |

କାମୋ ମନ୍ୟୁର୍ମଦୋ ଲୋଭଃ ଶୋକମୋହଭୟାଦୟଃ ।

କର୍ମବନ୍ଧଶ୍ଚ ଯନ୍ମୂଲଃ ସ୍ୱୀକୁର୍ୟାତ୍କୋ ନୁ ତଦ୍ବୁଧଃ ॥ ୫॥

କାମ, କ୍ରୋଧ, ମଦ, ଲୋଭ, ମୋହ ଏବଂ ଭୟ ଆଦି ଶତ୍ରୁମାନଙ୍କର ତଥା କର୍ମ-ବନ୍ଧନର ମୂଳ କାରଣ ତ ଏହି ମନ ହିଁ ଅଟେ, କୌଣସି ବୁଦ୍ଧିମାନ ପୁରୁଷ ତାକୁ ବିଶ୍ବାସ କରିବ କିପରି ?

ଅଥୈବମଖିଲଲୋକପାଲଲଲାମୋଽପି

ବିଲକ୍ଷଣୈର୍ଜଡବଦବଧୂତବେଷଭାଷାଚରିତୈ-

ରବିଲକ୍ଷିତଭଗବତ୍ପ୍ରଭାବୋ ଯୋଗିନାଂ

ସାମ୍ପରାୟବିଧିମନୁଶିକ୍ଷୟନ୍ ସ୍ୱକଲେବରଂ

ଜିହାସୁରାତ୍ମନ୍ୟାତ୍ମାନମସମ୍ବ୍ୟବହିତ-

ମନର୍ଥାନ୍ତରଭାବେନାନ୍ୱୀକ୍ଷମାଣ

ଉପରତାନୁବୃତ୍ତିରୁପରରାମ ॥ ୬॥

ଭଗବାନ ଋଷଭଦେବ ଯଦିଓ ଇନ୍ଦ୍ରାଦି ସମସ୍ତ ଲୋକପାଳଙ୍କର ବି ଭୂଷଣସ୍ବରୂପ ଥିଲେ, ତଥାପି ସେ ଜଡ ପୁରୁଷଙ୍କ ପରି ଅବଧୂତର ବେଶ-ଭୂଷା ଏବଂ ଆଚରଣ ଦ୍ବାରା ନିଜ ଈଶ୍ବରୀୟ ପ୍ରଭାବକୁ ଗୋପନ ରଖିଥିଲେ | ଶେଷରେ ସେ ଯୋଗୀମାନଙ୍କୁ ଦେହତ୍ୟାଗର ବିଧି ଶିଖାଇବା ଉଦ୍ଦେଶ୍ୟରେ ନିଜ ଶରୀର ତ୍ୟାଗ କରିବାକୁ ଇଚ୍ଛା କରିଥିଲେ | ନିଜ ଅନ୍ତଃକରଣରେ ଅଭେଦରୂପରେ ସ୍ଥିତ ପରମାତ୍ମାଙ୍କୁ ଅଭିନ୍ନରୂପରେ ଦେଖି ସେ ବାସନାମାନଙ୍କର ଅନୁବୃତ୍ତିରୁ ମୁକ୍ତ ହୋଇ, ଲିଙ୍ଗଦେହର ଅଭିମାନରୁ ମଧ୍ୟ ମୁକ୍ତ ହୋଇ ଉପରାମ ହୋଇଗଲେ |

ତସ୍ୟ ହ ବା ଏବଂ ମୁକ୍ତଲିଙ୍ଗସ୍ୟ ଭଗବତ

ଋଷଭସ୍ୟ ଯୋଗମାୟାବାସନୟା ଦେହ ଇମାଂ

ଜଗତୀମଭିମାନାଭାସେନ ସଙ୍କ୍ରମମାଣଃ

କୋଙ୍କବେଙ୍କକୁଟକାନ୍ ଦକ୍ଷିଣକର୍ଣାଟକାନ୍

ଦେଶାନ୍ ଯଦୃଚ୍ଛୟୋପଗତଃ କୁଟକାଚଲୋପବନ

ଆସ୍ୟକୃତାଶ୍ମକବଲ ଉନ୍ମାଦ ଇବ

ମୁକ୍ତମୂର୍ଧଜୋଽସମ୍ବୀତ ଏବ ବିଚଚାର ॥ ୭॥

ଏହିପରି ଭାବରେ ଲିଙ୍ଗଦେହର ଅଭିମାନରୁ ମୁକ୍ତ ଭଗବାନ ଋଷଭଦେବଙ୍କର ଶରୀର ଯୋଗମାୟାର ବାସନାରୁ କେବଳ ଅଭିମାନାଭାସର ଆଶ୍ରୟ ରୂପେ ହିଁ ପୃଥିବୀପୃଷ୍ଠରେ ବିଚରଣ କରିବାରେ ଲାଗିଲା | ଦୈବବଶ ତାହା କୋଙ୍କ, ବେଙ୍କ ଏବଂ ଦକ୍ଷିଣ ଆଦି କୁଟକ କର୍ଣାଟକ ଦେଶକୁ ଯାଇଥିଲା ଏବଂ ମୁହଁରେ ପଥର ଖଣ୍ଡ ଧରି ବିକ୍ଷିପ୍ତ କେଶ ଉନ୍ମତ୍ତଙ୍କ ପରି ଦିଗମ୍ବରରୂପରେ କୁଟକାଚଳ ବନ ମଧ୍ୟରେ ଘୂରି ବୁଲିଲା |

ଅଥ ସମୀରବେଗବିଧୂତବେଣୁବିକର୍ଷଣଜାତୋଗ୍ର-

ଦାବାନଲସ୍ତଦ୍ୱନମାଲେଲିହାନଃ ସହ ତେନ ଦଦାହ ॥ ୮॥

ଏହି ସମୟରେ ପ୍ରବଳ ଝଞ୍ଜାବାତରେ ଆନ୍ଦୋଳିତ ବାଉଁଶମାନଙ୍କର ଘର୍ଷଣ ଫଳରେ ଦାବାଗ୍ନି ପ୍ରଜ୍ବଳିତ ହୋଇ ଉଠିଲା ଏବଂ ତାହା ନିଜର ଲାଲ-ଲାଲ ଶିଖାରେ ସମ୍ପୂର୍ଣ୍ଣ ବନକୁ କବଳିତ କରି ଋଷଭଦେବଙ୍କ ସହିତ ସବୁ କିଛି ଭସ୍ମ କରିଦେଲା |

ଯସ୍ୟ କିଲାନୁଚରିତମୁପାକର୍ଣ୍ୟ କୋଙ୍କବେଙ୍କକୁଟକାନାଂ

ରାଜାର୍ହନ୍ନାମୋପଶିକ୍ଷ୍ୟ କଲାବଧର୍ମ ଉତ୍କୃଷ୍ୟମାଣେ

ଭବିତବ୍ୟେନ ବିମୋହିତଃ ସ୍ୱଧର୍ମପଥମକୁତୋଭୟମପହାୟ

କୁପଥପାଖଣ୍ଡମସମଞ୍ଜସଂ ନିଜମନୀଷୟା ମନ୍ଦଃ

ସମ୍ପ୍ରବର୍ତୟିଷ୍ୟତେ ॥ ୯॥

ରାଜନ୍ ! କଳିଯୁଗରେ ଯେତେବେଳେ ଅଧର୍ମର ବୃଦ୍ଧି ହେବ, ସେତେବେଳେ କୋଙ୍କ,ବେଙ୍କ ଏବଂ କୁଟକ ଦେଶର ମନ୍ଦମତି ରାଜା ଅର୍ହତ୍ ଲୋକମୁଖରୁ ଋଷଭଦେବଙ୍କର ଆଶ୍ରମାତୀତ ଆଚରଣର ବୃତ୍ତାନ୍ତ ଶୁଣି ଏବଂ ସ୍ବୟଂ ତାହାକୁ ଗ୍ରହଣ କରି ଭୟରହିତ ସ୍ବଧର୍ମ-ପଥକୁ ତ୍ୟାଗ କରିବେ ତଥା ନିଜ ବୁଦ୍ଧିରେ ଅନୁଚିତ ଏବଂ ପାଖଣ୍ଡପୂର୍ଣ୍ଣ କୁମାର୍ଗର ପ୍ରଚାର କରିବେ |

ଯେନ ହ ବାବ କଲୌ ମନୁଜାପସଦା ଦେବମାୟାମୋହିତାଃ

ସ୍ୱବିଧିନିୟୋଗଶୌଚଚାରିତ୍ରବିହୀନା ଦେବହେଲନା-

ନ୍ୟପବ୍ରତାନି ନିଜନିଜେଚ୍ଛୟା ଗୃହ୍ଣାନା ଅସ୍ନାନା-

ନାଚମନାଶୌଚକେଶୋଲ୍ଲୁଞ୍ଚନାଦୀନି କଲିନାଧର୍ମବହୁଲେନୋ-

ପହତଧିୟୋ ବ୍ରହ୍ମବ୍ରାହ୍ମଣୟଜ୍ଞପୁରୁଷଲୋକବିଦୂଷକାଃ

ପ୍ରାୟେଣ ଭବିଷ୍ୟନ୍ତି ॥ ୧୦॥

ତାହା ଫଳରେ କଳିଯୁଗରେ ଦେବମାୟାରେ ମୋହିତ ଅନେକ ଅଧମ ମନୁଷ୍ୟ ଶାସ୍ତ୍ରବିହିତ ଶୌଚ ଏବଂ ଆଚାର ଆଦିକୁ ତ୍ୟାଗ କରିବେ | ଅଧର୍ମବହୁଳ କଳିଯୁଗର ପ୍ରଭାବରେ ବୁଦ୍ଧିଭ୍ରଷ୍ଟ ହୋଇ ସେମାନେ ସ୍ନାନ-ଆଚମନ ନ କରିବା, ଅଶୁଦ୍ଧ ରହିବା ସହିତ ଈଶ୍ବରଙ୍କର ତିରସ୍କାର କରୁଥିବା ପାଖଣ୍ଡଧର୍ମକୁ ସ୍ବେଚ୍ଛାଚାରୀ ଭାବରେ ସ୍ବୀକାର କରିବେ ଏବଂ ପ୍ରାୟତଃ ବେଦ, ବ୍ରାହ୍ମଣ ଏବଂ ଭଗବାନ ଯଜ୍ଞପୁରୁଷଙ୍କର ନିନ୍ଦାଗାନ କରିବେ | 

ତେ ଚ ହ୍ୟର୍ୱାକ୍ତନୟା ନିଜଲୋକୟାତ୍ରୟାନ୍ଧପରମ୍ପରୟା-

ଽଽଶ୍ୱସ୍ତାସ୍ତମସ୍ୟନ୍ଧେ ସ୍ୱୟମେବ ପ୍ରପତିଷ୍ୟନ୍ତି ॥ ୧୧॥

ସେମାନେ ନିଜର ଏହି ନବୀନ ଅବୈଦିକ ସ୍ବେଚ୍ଛାକୃତ ପ୍ରବୃତ୍ତିରେ ଅନ୍ଧପରମ୍ପରାକୁ ବିଶ୍ବାସ କରି ମତୁଆଲା ରହିବା କାରଣରୁ ନିଜେ ନିଜେ ହିଁ ଘୋର ନରକରେ ପଡିବେ |

ଅୟମବତାରୋ ରଜସୋପପ୍ଲୁତକୈବଲ୍ୟୋପଶିକ୍ଷଣାର୍ଥଃ ॥ ୧୨॥

ଭଗବାନଙ୍କର ଏହି ଅବତାର ରଜଗୁଣୀ ବ୍ୟକ୍ତିଙ୍କୁ ମୋକ୍ଷମାର୍ଗର ଶିକ୍ଷା ଦେବା ଉଦ୍ଦେଶ୍ୟରେ ହିଁ ହୋଇଥିଲା |

ତସ୍ୟାନୁଗୁଣାନ୍ ଶ୍ଲୋକାନ୍ ଗାୟନ୍ତି -

ଅହୋ ଭୁବଃ ସପ୍ତସମୁଦ୍ରବତ୍ୟା

ଦ୍ୱୀପେଷୁ ବର୍ଷେଷ୍ୱଧିପୁଣ୍ୟମେତତ୍ ।

ଗାୟନ୍ତି ଯତ୍ରତ୍ୟଜନା ମୁରାରେଃ

କର୍ମାଣି ଭଦ୍ରାଣ୍ୟବତାରବନ୍ତି ॥ ୧୩॥

ଏହାର ଗୁଣ ବର୍ଣ୍ଣନା କରିବାକୁ ଯାଇ ଲୋକେ ଏହା କହନ୍ତି – ଅହୋ ! ସପ୍ତ ସମୁଦ୍ରବିଶିଷ୍ଟ ପୃଥିବୀର ସମସ୍ତ ଦ୍ବୀପ ଏବଂ ଦେଶ ମଧ୍ୟରୁ ଏହି ଭାରତବର୍ଷ ଅତ୍ୟନ୍ତ ପୁଣ୍ୟଭୂମି ଅଟେ, କାରଣ ଏହାର ଅଧିବାସୀମାନେ ଶ୍ରୀହରିଙ୍କର ମଙ୍ଗଳମୟ ଅବତାର-ଚରିତ୍ରର ଗାନ କରନ୍ତି |

ଅହୋ ନୁ ବଂଶୋ ଯଶସାବଦାତଃ

ପ୍ରୈୟବ୍ରତୋ ଯତ୍ର ପୁମାନ୍ ପୁରାଣଃ ।

କୃତାବତାରଃ ପୁରୁଷଃ ସ ଆଦ୍ୟ-

ଶ୍ଚଚାର ଧର୍ମଂ ଯଦକର୍ମହେତୁମ୍ ॥ ୧୪॥

ଅହୋ ! ମହାରାଜ ପ୍ରିୟବ୍ରତଙ୍କର ବଂଶ ଅତ୍ୟନ୍ତ ଉଜ୍ଜ୍ବଳ ଏବଂ ସୁଯଶପୂର୍ଣ୍ଣ ଅଟେ, ଏହି ବଂଶରେ ପୁରାଣପୁରୁଷ ଶ୍ରୀଆଦିନାରାୟଣ ଋଷଭାବତାର ଗ୍ରହଣ କରି ମୋକ୍ଷପ୍ରାପ୍ତି କରାଉଥିବା ପରମହଂସ ଧର୍ମର ଆଚରଣ କରିଥିଲେ |

କୋ ନ୍ୱସ୍ୟ କାଷ୍ଠାମପରୋଽନୁଗଚ୍ଛେ-

ନ୍ମନୋରଥେନାପ୍ୟଭବସ୍ୟ ଯୋଗୀ ।

ଯୋ ଯୋଗମାୟାଃ ସ୍ପୃହୟତ୍ୟୁଦସ୍ତା

ହ୍ୟସତ୍ତୟା ଯେନ କୃତପ୍ରୟତ୍ନାଃ ॥ ୧୫॥

ଅହୋ ! ଏହି ଜନ୍ମରହିତ ଭଗବାନ ଋଷଭଦେବଙ୍କ ମାର୍ଗର ଅନୁସରଣ ଅନ୍ୟ କୌଣସି ଯୋଗୀ ମନରେ ମଧ୍ୟ କରିପାରିବେ ନାହିଁ | କାରଣ ଯୋଗୀମାନେ ଯେଉଁ ସବୁ ଯୋଗସିଦ୍ଧି ପ୍ରତି ଲାଳାୟିତ ରହି ନିରନ୍ତର ପ୍ରଯତ୍ନ କରୁଥାଆନ୍ତି, ସେ ତାହା ସ୍ବତଃ ପ୍ରାପ୍ତ ହେଉଥିଲେ ମଧ୍ୟ ଅସତ୍ ଜ୍ଞାନ କରି ତ୍ୟାଗ କରି ଦେଇଥିଲେ |

ଇତି ହ ସ୍ମ ସକଲବେଦଲୋକଦେବବ୍ରାହ୍ମଣଗବାଂ

ପରମଗୁରୋର୍ଭଗବତ ଋଷଭାଖ୍ୟସ୍ୟ ବିଶୁଦ୍ଧାଚରିତମୀରିତଂ

ପୁଂସାଂ ସମସ୍ତଦୁଶ୍ଚରିତାଭିହରଣଂ ପରମମହାମଙ୍ଗଲାୟନ-

ମିଦମନୁଶ୍ରଦ୍ଧୟୋପଚିତୟାନୁଶୃଣୋତ୍ୟାଶ୍ରାବୟତି ବାବହିତୋ

ଭଗବତି ତସ୍ମିନ୍ ବାସୁଦେବ ଏକାନ୍ତତୋ ଭକ୍ତିରନୟୋରପି

ସମନୁବର୍ତତେ ॥ ୧୬॥

ରାଜନ୍ ! ଏହିପରି ଭାବରେ ସମ୍ପୂର୍ଣ୍ଣ ବେଦ, ଲୋକ, ଦେବତା, ଗୌ ଏବଂ ବ୍ରାହ୍ମଣଙ୍କର ପରମ ଗୁରୁ ଭଗବାନ ଋଷଭଦେବଙ୍କର ଏହି ବିଶୁଦ୍ଧ ଚରିତ୍ର ମୁଁ ତୁମକୁ ଶୁଣାଇଲି | ଏହା ମନୁଷ୍ୟର ସମସ୍ତ ପାପ ହରଣ କରିଥାଏ | ଯେଉଁ ମନୁଷ୍ୟ ଏହି ପରମ ମଙ୍ଗଳମୟ ପବିତ୍ର ଚରିତ୍ରକୁ ଏକାଗ୍ରଚିତ୍ତରେ ଶ୍ରଦ୍ଧାପୂର୍ବକ ନିରନ୍ତର ଶୁଣନ୍ତି ବା ଶୁଣାନ୍ତି, ସେ ଦୁହିଁଙ୍କର ଭଗବାନ ବାସୁଦେବଙ୍କଠାରେ ଅନନ୍ୟ ଭକ୍ତି ହୋଇଯାଏ |

ଯସ୍ୟାମେବ କବୟ ଆତ୍ମାନମବିରତଂ ବିବିଧବୃଜିନସଂସାର-

ପରିତାପୋପତପ୍ୟମାନମନୁସବନଂ ସ୍ନାପୟନ୍ତସ୍ତୟୈବ ପରୟା

ନିର୍ୱୃତ୍ୟା ହ୍ୟପବର୍ଗମାତ୍ୟନ୍ତିକଂ ପରମପୁରୁଷାର୍ଥମପି

ସ୍ୱୟମାସାଦିତଂ ନୋ ଏବାଦ୍ରିୟନ୍ତେ ଭଗବଦୀୟତ୍ୱେନୈବ

ପରିସମାପ୍ତସର୍ୱାର୍ଥାଃ ॥ ୧୭॥

ପଣ୍ଡିତଜନ ନାନା ପ୍ରକାରର ପାପରେ ପୂର୍ଣ୍ଣ, ସଂସାର ତାପରେ ଅତ୍ୟନ୍ତ ତପ୍ତ ନିଜ ଅନ୍ତଃକରଣକୁ ଏହି ଭକ୍ତି-ସରିତାରେ ହିଁ ନିତ୍ୟ-ନିରନ୍ତର ସ୍ନାନ କରାଇ ଥାଆନ୍ତି | ଏହାଦ୍ବାରା ସେମାନଙ୍କୁ ଯେଉଁ ପରମ ଶାନ୍ତି ମିଳିଥାଏ, ତାହା ଏପରି ଆନନ୍ଦମୟୀ ଅଟେ ଯେ ତା ସମ୍ମୁଖରେ ସେମାନେ ସ୍ବତଃ ପ୍ରାପ୍ତ ହେଉଥିବା ମୋକ୍ଷସୁଖର ମଧ୍ୟ ଅନାଦର କରିଦିଅନ୍ତି | ଭଗବାନଙ୍କର ନିଜଜନ ହୋଇଯିବା ଦ୍ବାରା ହିଁ ସେମାନଙ୍କର ସମସ୍ତ ପୁରୁଷାର୍ଥ ସିଦ୍ଧ ହୋଇଯାଏ |

ରାଜନ୍ ପତିର୍ଗୁରୁରଲଂ ଭବତାଂ ଯଦୂନାଂ

ଦୈବଂ ପ୍ରିୟଃ କୁଲପତିଃ କ୍ୱ ଚ କିଙ୍କରୋ ବଃ ।

ଅସ୍ତ୍ୱେବମଙ୍ଗ ଭଗବାନ୍ ଭଜତାଂ ମୁକୁନ୍ଦୋ

ମୁକ୍ତିଂ ଦଦାତି କର୍ହିଚିତ୍ସ୍ମ ନ ଭକ୍ତିୟୋଗମ୍ ॥ ୧୮॥

ରାଜନ୍ ! ଭଗବାନ ଶ୍ରୀକୃଷ୍ଣ ସ୍ବୟଂ ପାଣ୍ଡବମାନଙ୍କର ଏବଂ ଯଦୁବଂଶୀଙ୍କର ରକ୍ଷକ, ଗୁରୁ, ଇଷ୍ଟଦେବ, ସୁହୃଦ୍ ଏବଂ କୁଳପତି ଥିଲେ, ଏପରିକି କେବେ କେବେ ସେ ସେମାନଙ୍କର ଆଜ୍ଞାକାରୀ ସେବକ ମଧ୍ୟ ହୋଇ ଯାଉଥିଲେ | ଏହିରୂପେ ଭଗବାନ ଅନ୍ୟ ଭକ୍ତମାନଙ୍କର ମଧ୍ୟ ଅନେକ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କୁ ମୁକ୍ତି ମଧ୍ୟ ପ୍ରଦାନ କରୁଥିଲେ, କିନ୍ତୁ ମୁକ୍ତିଠାରୁ ଶ୍ରେଷ୍ଠ ଯେଉଁ ଭକ୍ତିଯୋଗ, ତାହା ସେ ସହଜରେ କାହାକୁ ଦେଉ ନ ଥିଲେ |

ନିତ୍ୟାନୁଭୂତନିଜଲାଭନିବୃତ୍ତତୃଷ୍ଣଃ

ଶ୍ରେୟସ୍ୟତଦ୍ରଚନୟା ଚିରସୁପ୍ତବୁଦ୍ଧେଃ ।

ଲୋକସ୍ୟ ଯଃ କରୁଣୟାଭୟମାତ୍ମଲୋକ-

ମାଖ୍ୟାନ୍ନମୋ ଭଗବତେ ଋଷଭାୟ ତସ୍ମୈ ॥ ୧୯॥

ନିରନ୍ତର ବିଷୟଭୋଗର ଅଭିଳାଷ ରଖିଥିବା କାରଣରୁ ନିଜର ବାସ୍ତବିକ ଶ୍ରେୟ ପ୍ରତି ଚିରକାଳରୁ ବେସୁଧ ରହିଥିବା ବ୍ୟକ୍ତିଙ୍କୁ ଯିଏ କରୁଣାବଶ ନିର୍ଭୟ ଆତ୍ମତତ୍ତ୍ବର ଉପଦେଶ ଦେଇଥିଲେ ଏବଂ ଯିଏ ସ୍ବୟଂ ନିରନ୍ତର ଅନୁଭବ ହେଉଥିବା ଆତ୍ମସ୍ବରୂପର ପ୍ରାପ୍ତିରେ ସବୁ ପ୍ରକାରର ତୃଷ୍ଣାରୁ ମୁକ୍ତ ଥିଲେ, ସେହି ଭଗବାନ ଋଷଭଦେବଙ୍କୁ ମୋର ନମସ୍କାର |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଋଷଭଦେବାନୁଚରିତେ ଷଷ୍ଠୋଽଧ୍ୟାୟଃ ॥ ୬॥

 

Comments

Popular posts from this blog