ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ଚତୁର୍ଦ୍ଦଶ ଅଧ୍ୟାୟ
ଭବାଟବୀର ସ୍ପଷ୍ଟୀକରଣ
ସ ହୋବାଚ
ଯ ଏଷ ଦେହାତ୍ମମାନିନାଂ ସତ୍ତ୍ୱାଦିଗୁଣବିଶେଷବିକଲ୍ପିତ-
କୁଶଲାକୁଶଲସମବହାରବିନିର୍ମିତବିବିଧଦେହାବଲିଭି-
ର୍ୱିୟୋଗସଂୟୋଗାଦି ଅନାଦିସଂସାରାନୁଭବସ୍ୟ ଦ୍ୱାରଭୂତେନ
ଷଡିନ୍ଦ୍ରିୟବର୍ଗେଣ ତସ୍ମିନ୍ ଦୁର୍ଗାଧ୍ୱବଦସୁଗମେଽଧ୍ୱ-
ନ୍ୟାପତିତ ଈଶ୍ୱରସ୍ୟ ଭଗବତୋ ବିଷ୍ଣୋର୍ୱଶବର୍ତିନ୍ୟା
ମାୟଯା ଜୀବଲୋକୋଽୟଂ ଯଥା ବଣିକ୍ସାର୍ଥୋଽର୍ଥପରଃ
ସ୍ୱଦେହନିଷ୍ପାଦିତକର୍ମାନୁଭବଃ ଶ୍ମଶାନବଦଶିବତମାୟାଂ
ସଂସାରାଟବ୍ୟାଂ ଗତୋ ନାଦ୍ୟାପି ବିଫଲବହୁପ୍ରତିୟୋଗେହସ୍ତ-
ତ୍ତାପୋପଶମନୀଂ ହରିଗୁରୁଚରଣାରବିନ୍ଦମଧୁକରାନୁପଦବୀ-
ମବରୁନ୍ଧେ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ହେ ରାଜନ୍ ! ଦେହାଭିମାନୀ ଜୀବ ଦ୍ବାରା
ସତ୍ତ୍ଵାଦି ଗୁଣ ଭେଦରେ ଶୁଭ, ଅଶୁଭ ଏବଂ ମିଶ୍ର –
ଏହିପରି ଭାବରେ ତିନି ପ୍ରକାରର କର୍ମ ହେଉଥାଏ | ଏହିସବୁ କର୍ମ ଦ୍ବାରା ହିଁ ନିର୍ମିତ ନାନା
ପ୍ରକାରର ଶରୀର ସହିତ ହେଉଥିବା ଯେଉଁ ସଂଯୋଗ-ବିଯୋଗରୂପ ଅନାଦି ସଂସାର ଜୀବକୁ ପ୍ରାପ୍ତ ହୋଇଥାଏ, ତାହା ଅନୁଭବ କରିବା ପାଇଁ ଛଅଟି ଦ୍ବାର ରହିଛି – ମନ ଏବଂ ପଞ୍ଚ
ଜ୍ଞାନେନ୍ଦ୍ରିୟ | ସେମାନଙ୍କ ଦ୍ବାରା ବିବଶ ହୋଇ ଏହି ଜୀବସମୂହ ମାର୍ଗ ଭ୍ରଷ୍ଟ ହୋଇ ଭୟଙ୍କର ବନ
ମଧ୍ୟରେ ଭ୍ରମିତ ହେଉଥିବା ଧନଲୋଭୀ ବଣିକଙ୍କ ପରି ଭଗବାନ ବିଷ୍ଣୁଙ୍କର ଆଶ୍ରିତା ମାୟାର
ପ୍ରେରଣାରେ ଗହନ ବନ ପରି ଦୁର୍ଗମ ମାର୍ଗରେ ଯାଇ ସଂସାର-ବନରେ ପହଞ୍ଚି ଯାଏ | ଏହି ବନ ଶ୍ମଶାନ
ସଦୃଶ ଅତ୍ୟନ୍ତ ଅଶୁଭ ଅଟେ | ଏଠାରେ ଭ୍ରମିତ ହୋଇ ତାକୁ ନିଜ ଶରୀର ଦ୍ବାରା କରାଯାଉ ଥିବା କର୍ମର
ଫଳ ଭୋଗିବାକୁ ପଡିଥାଏ | ଏଠାରେ ଅନେକ ବିଘ୍ନର ସମ୍ମୁଖୀନ ହୋଇ ତାକୁ ନିଜ ବ୍ୟାପାରରେ ସଫଳତା
ମିଳେନାହିଁ, ତଥାପି ସେ ତାହାର ଶ୍ରମକୁ ଶାନ୍ତ କରିବାକୁ ସକ୍ଷମ
ଶ୍ରୀହରି ଏବଂ ଗୁରୁଦେବଙ୍କ ଚରଣାରବିନ୍ଦ-ମକରନ୍ଦ-ମଧୁର ରସିକ ଭକ୍ତ-ଭ୍ରମରମାନଙ୍କର ମାର୍ଗର
ଅନୁସରଣ କରେନାହିଁ | ଏହି ସଂସାର-ବନରେ ମନ ସହିତ ଛଅ ଇନ୍ଦ୍ରିୟ ହିଁ ନିଜ କର୍ମ ଦୃଷ୍ଟିରୁ
ଡାକୁମାନଙ୍କ ପରି ଅଟନ୍ତି |
ଯସ୍ୟାମୁ ହ ବା ଏତେ ଷଡିନ୍ଦ୍ରିୟନାମାନଃ କର୍ମଣା ଦସ୍ୟବ
ଏବ ତେ ତଦ୍ୟଥା ପୁରୁଷସ୍ୟ ଧନଂ ଯତ୍କିଞ୍ଚିଦ୍ଧର୍ମୌପୟିକଂ ବହୁ
କୃଚ୍ଛ୍ରାଧିଗତଂ ସାକ୍ଷାତ୍ପରମପୁରୁଷାରାଧନଲକ୍ଷଣୋ ଯୋଽସୌ
ଧର୍ମସ୍ତଂ ତୁ ସାମ୍ପରାୟ ଉଦାହରନ୍ତି । ତଦ୍ଧର୍ମ୍ୟଂ ଧନଂ ଦର୍ଶନ-
ସ୍ପର୍ଶନଶ୍ରବଣାସ୍ୱାଦନାବଘ୍ରାଣସଙ୍କଲ୍ପବ୍ୟବସାୟଗୃହ-
ଗ୍ରାମ୍ୟୋପଭୋଗେନ କୁନାଥସ୍ୟାଜିତାତ୍ମନୋ ଯଥା ସାର୍ଥସ୍ୟ
ବିଲୁମ୍ପନ୍ତି ॥ ୨॥
ପୁରୁଷ ବହୁ କଷ୍ଟରେ ଯେଉଁ ଧନ ଉପାର୍ଜନ କରିଥାଏ, ତାହାର ସଦୁପଯୋଗ ଧର୍ମ ମାର୍ଗରେ କରାଯିବା ଉଚିତ୍ | ସେହି ଧର୍ମ ଯଦି
ସାକ୍ଷାତ୍ ଭଗବାନ ପରମପୁରୁଷଙ୍କର ଆରାଧନା ହୋଇଥାଏ, ତେବେ ତାହା
ପରଲୋକରେ ମନୁଷ୍ୟର ନିଃଶ୍ରେୟସର ହେତୁ ହୋଇଥାଏ | କିନ୍ତୁ ଯେଉଁ ମନୁଷ୍ୟର ବୁଦ୍ଧିରୂପ ସାରଥୀ
ବିବେକହୀନ ଅଟେ ଏବଂ ମନ ନିୟନ୍ତ୍ରଣରେ ନ ଥାଏ, ତାହାର ସେହି
ଧର୍ମୋପଯୋଗୀ ଧନକୁ ମନ ସହିତ ଛଅ ଇନ୍ଦ୍ରିୟ ଦେଖିବା, ସ୍ପର୍ଶ କରିବା, ଶୁଣିବା, ସ୍ବାଦ ଗ୍ରହଣ
କରିବା, ଶୁଂଘିବା, ସଂକଳ୍ପ-ବିକଳ୍ପ କରିବା, ନିଶ୍ଚୟ କରିବା – ଏହିସବୁ ବୃତ୍ତି ଦ୍ବାରା ଗୃହସ୍ଥୋଚିତ ବିଷୟଭୋଗରେ
ନିୟୋଜିତ କରି ଲୁଟି ନେଇଥା’ନ୍ତି | ଠିକ୍
ସେହିପରି, ଯେପରି ବେଇମାନ ମୁଖିଆର ଅନୁଗମନ କରୁଥିବା ଅସାବଧାନ ବଣିକ ଦଳଙ୍କର ଧନକୁ
ଚୋର-ଡାକୁମାନେ ଲୁଟି ନିଅନ୍ତି |
ଅଥ ଚ ଯତ୍ର କୌଟୁମ୍ବିକା ଦାରାପତ୍ୟାଦୟୋ ନାମ୍ନା କର୍ମଣା
ବୃକସୃଗାଲା ଏବାନିଚ୍ଛତୋଽପି କଦର୍ୟସ୍ୟ କୁଟୁମ୍ବିନ
ଉରଣକବତ୍ସଂରକ୍ଷ୍ୟମାଣଂ ମିଷତୋଽପି ହରନ୍ତି ॥ ୩॥
କେବଳ ସେତିକି ନୁହେଁ, ସେହି ସଂସାର-ବନରେ
ରହୁଥିବା ତା’ର କୁଟୁମ୍ବୀ – ଯେଉଁମାନେ ନାମକୁ ମାତ୍ର ତା’ର ସ୍ତ୍ରୀ-ପୁତ୍ର ଆଦି ଅଟନ୍ତି, କିନ୍ତୁ କର୍ମରେ
ସାକ୍ଷାତ୍ ଗଧିଆ ଏବଂ ଶୃଗାଳ ସଦୃଶ ଅଟନ୍ତି – ସେହି ଅର୍ଥଲୋଲୁପ କୁଟୁମ୍ବୀମାନେ ତା’ର ଅନିଚ୍ଛା ସତ୍ତ୍ବେ ଦେଖୁ ଦେଖୁ, ଗଧିଆ ମେଷପାଳକ ଦ୍ବାରା ସୁରକ୍ଷିତ
ମେଷଙ୍କୁ ଦଳରୁ ଟାଣି ନେବା ପରି, ତା’ର ଧନକୁ ତା’ଠାରୁ ଛଡାଇ
ନିଅନ୍ତି |
ଯଥା ହ୍ୟନୁବତ୍ସରଂ କୃଷ୍ୟମାଣମପ୍ୟଦଗ୍ଧବୀଜଂ କ୍ଷେତ୍ରଂ
ପୁନରେବାବପନକାଲେ ଗୁଲ୍ମତୃଣବୀରୁଦ୍ଭିର୍ଗହ୍ୱରମିବ
ଭବତ୍ୟେବମେବ ଗୃହାଶ୍ରମଃ କର୍ମକ୍ଷେତ୍ରଂ ଯସ୍ମିନ୍ ନ ହି
କର୍ମାଣ୍ୟୁତ୍ସୀଦନ୍ତି ଯଦୟଂ କାମକରଣ୍ଡ ଏଷ ଆବସଥଃ ॥ ୪॥
କ୍ଷେତରେ ଅଗ୍ନି ସଂଯୋଗ କରି ବୀଜକୁ ଯଦି ଜାଳି ଦିଆ ନ ଯାଏ, ତେବେ କେତେ ହଳ ଚଲାଇଲେ ବି ସମୟ ଆସିଲେ ଚାଷଜମି ଝାଡ-ଲତା ଏବଂ ତୃଣ
ଆଦିରେ ଭର୍ତ୍ତି ହୋଇଯାଏ | ସେହିପରି, ଏହି ଗୃହସ୍ଥାଶ୍ରମ
ମଧ୍ୟ କର୍ମଭୂମି ଅଟେ, ଏଠାରୁ କର୍ମର
ପୂର୍ଣ୍ଣ ଉଚ୍ଛେଦ କେବେ ବି ହୋଇ ନ ଥାଏ କାରଣ ଏହା ଘର ନୁହେଁ, କାମନାର ପେଡି ଅଟେ |
ତତ୍ର ଗତୋ ଦଂଶମଶକସମାପସଦୈର୍ମନୁଜୈଃ ଶଲଭ-
ଶକୁନ୍ତତସ୍କରମୂଷକାଦିଭିରୁପରୁଧ୍ୟମାନବହିଃପ୍ରାଣଃ
କ୍ୱଚିତ୍ପରିବର୍ତମାନୋଽସ୍ମିନ୍ନଧ୍ୱନ୍ୟବିଦ୍ୟାକାମକର୍ମଭି-
ରୁପରକ୍ତମନସାନୁପପନ୍ନାର୍ଥଂ ନରଲୋକଂ ଗନ୍ଧର୍ୱନଗର-
ମୁପପନ୍ନମିତି ମିଥ୍ୟାଦୃଷ୍ଟିରନୁପଶ୍ୟତି ॥ ୫॥
ଏହି ଗୃହସ୍ଥାଶ୍ରମରେ ଆସକ୍ତ ରହିଥିବା ବ୍ୟକ୍ତିର ଧନରୂପ ବାହ୍ୟ
ପ୍ରାଣକୁ ମଶା ଏବଂ ଡାଆଁସ ପରି ନୀଚ ପୁରୁଷ ତଥା କୀଟ, ପକ୍ଷୀ, ଚୋର ଏବଂ ମୂଷା ଆଦି ହାନି ପହଞ୍ଚାଇ ଥାଆନ୍ତି | ଏହି ମାର୍ଗରେ
ଭ୍ରମିତ ହୋଇ କେବେ କେବେ ସେ ଅବିଦ୍ୟା, କାମନା ଏବଂ
କର୍ମରେ କଳୁଷିତ ନିଜ ଚିତ୍ତର ଦୃଷ୍ଟିଦୋଷରୁ ଏହି ମର୍ତ୍ତ୍ୟଲୋକକୁ, ଯାହା ଗନ୍ଧର୍ବନଗର ପରି ଅସତ୍ୟ ଅଟେ, ସତ୍ୟ ମନେ କରିବାରେ ଲାଗେ |
ତତ୍ର ଚ କ୍ୱଚିଦାତପୋଦକନିଭାନ୍ ବିଷୟାନୁପଧାବତି
ପାନଭୋଜନବ୍ୟବାୟାଦି ବ୍ୟସନଲୋଲୁପଃ ॥ ୬॥
ତାପରେ ସେ ଭୋଜନ-ପାନ ଏବଂ ସ୍ତ୍ରୀ-ପ୍ରସଙ୍ଗାଦି ବ୍ୟସନର କବଳିତ ହୋଇ
ମୃଗତୃଷ୍ଣା ସଦୃଶ ମିଥ୍ୟା ବିଷୟ ଅଭିମୁଖରେ ଧାଇଁବାରେ ଲାଗେ |
କ୍ୱଚିଚ୍ଚାଶେଷଦୋଷନିଷଦନଂ ପୁରୀଷବିଶେଷଂ ତଦ୍ୱର୍ଣଗୁଣ-
ନିର୍ମିତମତିଃ ସୁବର୍ଣମୁପାଦିତ୍ସତ୍ୟଗ୍ନିକାମକାତର
ଇବୋଲ୍ମୁକପିଶାଚମ୍ ॥ ୭॥
କେବେ କେବେ ତା’ର ବୁଦ୍ଧି ରଜଗୁଣରେ
ପ୍ରଭାବିତ ହୋଇଗଲେ ସେ ସବୁ ଅନର୍ଥର ମୂଳ ଅଗ୍ନିର ମଳରୂପ ସୁନାକୁ ହିଁ ସୁଖର ସାଧନ ମନେକରି
ତାହାର ପ୍ରାପ୍ତି ନିମନ୍ତେ ଲାଳାୟିତ ହୋଇ ଏପରି କଠିନ ପରିଶ୍ରମ କରିଥାଏ, ଯେପରି କି ବଣରେ ଶୀତରେ ଥରୁଥିଵା ପୁରୁଷ ନିଆଁ ପାଇଁ ବ୍ୟାକୁଳ ହୋଇ
ଜୋଖା (ଅଗ୍ନିପିଣ୍ଡ ରୂପୀ ଯକ୍ଷ) ର ପଶ୍ଚାତ୍ ଧାବନ କରୁଥାଏ |
ଅଥ କଦାଚିନ୍ନିବାସପାନୀୟଦ୍ରବିଣାଦ୍ୟନେକାତ୍ମୋ-
ପଜୀବନାଭିନିବେଶ ଏତସ୍ୟାଂ ସଂସାରାଟବ୍ୟାମିତସ୍ତତଃ
ପରିଧାବତି ॥ ୮॥
କେବେ ଏହି ଶରୀରକୁ ଜୀବିତ ରଖୁଥିବା ଘର, ଅନ୍ନ-ଜଳ ଏବଂ ଧନ ଆଦିରେ ଅଭିନିବେଶ କରି ଏହି ସଂସାର-ଅରଣ୍ୟରେ
ଏଣେତେଣେ ଧାଇଁବାରେ ଲାଗିଥାଏ |
କ୍ୱଚିଚ୍ଚ ବାତ୍ୟୌପମ୍ୟଯା ପ୍ରମଦୟାଽଽରୋହମାରୋପିତ-
ସ୍ତତ୍କାଲରଜସା ରଜନୀଭୂତ ଇବାସାଧୁମର୍ୟାଦୋ
ରଜସ୍ୱଲାକ୍ଷୋଽପି ଦିଗ୍ଦେବତା ଅତିରଜସ୍ୱଲମତିର୍ନ
ବିଜାନାତି ॥ ୯॥
କେବେ ଘୂର୍ଣ୍ଣିଝଡ ପରି ଆଖିରେ ଧୂଳି ଦେଇ ସ୍ତ୍ରୀ ତାକୁ କୋଳାଗ୍ରତ
କରିନେଲେ, ସେ ରାଗରେ ଅନ୍ଧପ୍ରାୟ ହୋଇ ସତ୍-ପୁରୁଷଙ୍କ
ମର୍ଯ୍ୟାଦାର ବିଚାର ମଧ୍ୟ କରି ନ ଥାଏ | ସେହି ସମୟରେ ନେତ୍ର ଧୂଳିରେ ଆଚ୍ଛନ୍ନ ହୋଇ ତା’ର ବୁଦ୍ଧି ଏପରି ମଳୀନ ହୋଇ ଯାଇଥାଏ ଯେ ସେ ନିଜ କର୍ମର ସାକ୍ଷୀ
ଦିଗପାଳମାନଙ୍କୁ ମଧ୍ୟ ଭୁଲିଯାଏ |
କ୍ୱଚିତ୍ସକୃଦବଗତବିଷୟବୈତଥ୍ୟଃ ସ୍ୱୟଂ
ପରାଭିଧ୍ୟାନେନ ବିଭ୍ରଂଶିତସ୍ମୃତିସ୍ତୟୈବ
ମରୀଚିତୋୟପ୍ରାୟାଂସ୍ତାନେବାଭିଧାବତି ॥ ୧୦॥
ଥରେ ଅଧେ କେବେ ତାକୁ ବିଷୟର ମିଥ୍ୟାତ୍ବର ଜ୍ଞାନ ହୋଇଗଲେ ବି
ଅନାଦିକାଳରୁ ଦେହରେ ଆତ୍ମବୁଦ୍ଧି କରି ବିବେକ-ବୁଦ୍ଧି ନଷ୍ଟ ହୋଇ ଯାଇଥିବା କାରଣରୁ ସେ ସେହି
ମରୁମରୀଚିକାତୁଲ୍ୟ ବିଷୟର ଅନୁଧାବନ କରିବାରେ ଲାଗିଥାଏ |
କ୍ୱଚିଦୁଲୂକଝିଲ୍ଲୀସ୍ୱନବଦତିପରୁଷରଭସାଟୋପଂ
ପ୍ରତ୍ୟକ୍ଷଂ ପରୋକ୍ଷଂ ବା ରିପୁରାଜକୁଲନିର୍ଭର୍ତ୍ସିତେନା-
ତିବ୍ୟଥିତକର୍ଣମୂଲହୃଦୟଃ ॥ ୧୧॥
କେବେ ପ୍ରତ୍ୟକ୍ଷ ଶବ୍ଦ କରୁଥିବା ପେଚା ପରି ଶତ୍ରୁମାନଙ୍କର ଏବଂ
ପରୋକ୍ଷରୂପରେ ରାବ କରୁଥିବା ଝିଙ୍କାରି ପରି ରାଜାଙ୍କର କଠୋର ଏବଂ ହୃଦୟ ବିଦାରକ ଭର୍ତ୍ସନା ଏବଂ
ଧମକ ତା’ର କାନ ଏବଂ ମନକୁ ବ୍ୟଥିତ କରିଥାଏ |
ସ ଯଦା ଦୁଗ୍ଧପୂର୍ୱସୁକୃତସ୍ତଦା କାରସ୍କରକାକତୁଣ୍ଡା-
ଦ୍ୟପୁଣ୍ୟଦ୍ରୁମଲତାବିଷୋଦପାନବଦୁଭୟାର୍ଥଶୂନ୍ୟଦ୍ରବିଣାନ୍
ଜୀବନ୍ମୃତାନ୍ ସ୍ୱୟଂ ଜୀବନ୍ ମ୍ରିୟମାଣ ଉପଧାବତି ॥ ୧୨॥
ପୂର୍ବପୁଣ୍ୟ କ୍ଷୀଣ ହୋଇଯିବା ଫଳରେ ସେ ଜୀବିତ ରହି ମଧ୍ୟ ମୃତବତ୍
ହୋଇଯାଏ ଏବଂ ଯିଏ ବିଷାକ୍ତ ଫଳଯୁକ୍ତ ପାପବୃକ୍ଷ, ଲତା ଏବଂ ଦୂଷିତ କୂପ ସଦୃଶ ଅଟନ୍ତି ତଥା
ଯାହାର ଧନ ଉଭୟ ଇହଲୋକ ଏବଂ ପରଲୋକରେ କାମରେ ଆସି ନ ଥାଏ ଏବଂ ଯିଏ ଜୀବିତ ରହି ମଧ୍ୟ ଶବ ସଦୃଶ
ଅଟନ୍ତି – ସେହି କୃପଣ ପୁରୁଷଙ୍କର ଆଶ୍ରୟ ଗ୍ରହଣ କରିଥାଏ |
ଏକଦାସତ୍ପ୍ରସଙ୍ଗାନ୍ନିକୃତମତିର୍ୱ୍ୟୁଦକସ୍ରୋତଃ ସ୍ଖଲନବ-
ଦୁଭୟତୋଽପି ଦୁଃଖଦଂ ପାଖଣ୍ଡମଭିୟାତି ॥ ୧୩॥
କେବେ ଅସତ୍ ପୁରୁଷଙ୍କ ସଙ୍ଗ କରି ବୁଦ୍ଧି ବିଗିଡି ଯାଇଥିବା କାରଣରୁ
ସେ ଶୁଖିଲା ନଦୀରେ ପଡି ଦୁଃଖୀ ହେବା ପରି ଇହଲୋକ ଏବଂ ପରଲୋକରେ ଦୁଃଖଦାୟକ ପାଖଣ୍ଡରେ ଲିପ୍ତ
ହୋଇଯାଏ |
ଯଦା ତୁ ପରବାଧୟାନ୍ଧ ଆତ୍ମନେ ନୋପନମତି ତଦା ହି
ପିତୃପୁତ୍ରବର୍ହିଷ୍ମତଃ ପିତୃପୁତ୍ରାନ୍ ବା ସ ଖଲୁ ଭକ୍ଷୟତି ॥ ୧୪॥
ଅନ୍ୟମାନଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇ ଯେତେବେଳେ ତାକୁ ଖାଇବାକୁ
ଅନ୍ନ ସୁଦ୍ଧା ମିଳେନାହିଁ, ସେ ନିଜର
ପିତା-ପୁତ୍ର ଆଦି ସ୍ବଜନ-ସମ୍ବନ୍ଧୀ ଯାହା ପାଖରେ ବି ଅନ୍ନ କଣିକାଟିଏ ଦେଖିବାକୁ ପାଏ, ତା’ଠାରୁ ଛଡାଇ
ଖାଇବାକୁ ଚେଷ୍ଟା କରିଥାଏ |
କ୍ୱଚିଦାସାଦ୍ୟ ଗୃହଂ ଦାବବତ୍ପ୍ରିୟାର୍ଥବିଧୁରମସୁଖୋଦର୍କଂ
ଶୋକାଗ୍ନିନା ଦହ୍ୟମାନୋ ଭୃଶଂ ନିର୍ୱେଦମୁପଗଚ୍ଛତି ॥ ୧୫॥
ସେ ଯେତେବେଳେ ଦାବାନଳ ପରି ନିଜର ପ୍ରିୟ ବିଷୟରୁ ଶୂନ୍ୟ ଏବଂ
ପରିଣାମରେ ଦୁଃଖମୟ ଗୃହରେ ପହଞ୍ଚି ଥାଏ, ସେଠାରେ
ଇଷ୍ଟଜନମାନଙ୍କର ବିୟୋଗ ଦ୍ବାରା ତା’ର ଶୋକ ଉତ୍-କ୍ଷିପ୍ତ
ହୋଇ ଉଠେ ଏବଂ ସେଥିରେ ସନ୍ତପ୍ତ ହୋଇ ସେ ଅତ୍ୟଧିକ ବିଷାଦଗ୍ରସ୍ତ ହୋଇଯାଏ |
କ୍ୱଚିତ୍କାଲବିଷମିତରାଜକୁଲରକ୍ଷସାପହୃତପ୍ରିୟତମ-
ଧନାସୁଃ ପ୍ରମୃତକ ଇବ ବିଗତଜୀବଲକ୍ଷଣ ଆସ୍ତେ ॥ ୧୬॥
କେବେ କାଳ ପରି ଭୟଙ୍କର ରାଜକୁଳରୂପ ରାକ୍ଷସ ତା’ର ପରମ ପ୍ରିୟ ଧନରୂପ ପ୍ରାଣ ହରଣ କରିନେଲେ, ସେ ମୃତବତ୍ ନିର୍ଜୀବ ହୋଇଯାଏ |
କଦାଚିନ୍ମନୋରଥୋପଗତପିତୃପିତାମହାଦ୍ୟସତ୍ସଦିତି
ସ୍ୱପ୍ନନିର୍ୱୃତିଲକ୍ଷଣମନୁଭବତି ॥ ୧୭॥
କେବେ ମନବାଞ୍ଛିତ ପଦାର୍ଥ ପରି ଅତ୍ୟନ୍ତ ଅସତ୍ ପିତା-ପିତାମହ ଆଦି
ସମ୍ବନ୍ଧକୁ ସତ୍ୟ ମନେକରି ସେମାନଙ୍କ ସହବାସରେ ସ୍ବପ୍ନତୁଲ୍ୟ କ୍ଷଣିକ ସୁଖ ଅନୁଭବ କରିଥାଏ |
କ୍ୱଚିଦ୍ଗୃହାଶ୍ରମକର୍ମଚୋଦନାତିଭରଗିରି-
ମାରୁରୁକ୍ଷମାଣୋ ଲୋକବ୍ୟସନକର୍ଷିତମନାଃ
କଣ୍ଟକଶର୍କରାକ୍ଷେତ୍ରଂ ପ୍ରବିଶନ୍ନିବ ସୀଦତି ॥ ୧୮॥
ଗୃହସ୍ଥାଶ୍ରମ ନିମନ୍ତେ କର୍ମବିଧିର ଯେଉଁ ମହାନ୍ ବିସ୍ତାର କରାଯାଇଛି, ତାହାର ଅନୁଷ୍ଠାନ ପର୍ବତ ଆରୋହଣ ପରି କଷ୍ଟଦାୟକ ଅଟେ | ତଥାପି ଲୋକେ
ସେହି ଦିଗରେ ପ୍ରବୃତ୍ତ ହେଉଥିବା ଦେଖି ସେ ମଧ୍ୟ ତାହା ପୂରା କରିବାକୁ ପ୍ରଯତ୍ନ କରିଥାଏ ଏବଂ
କଠିନତାରେ କ୍ଲେଶିତ ହୋଇ କଣ୍ଟକିତ ପଥୁରିଆ ଭୂଇଁରେ ପଡିଥିବା ମନୁଷ୍ୟ ପରି ଦୁଃଖ ଭୋଗ କରୁଥାଏ |
କ୍ୱଚିଚ୍ଚ ଦୁଃସହେନ କାୟାଭ୍ୟନ୍ତରବହ୍ନିନା ଗୃହୀତସାରଃ
ସ୍ୱକୁଟୁମ୍ବାୟ କ୍ରୁଧ୍ୟତି ॥ ୧୯॥
କେବେ କେବେ ପେଟର ଅସହ୍ୟ ଜ୍ବାଳାରେ ଅଧୀର ହୋଇ ନିଜ କୁଟୁମ୍ବୀମାନଙ୍କ
ଉପରେ କ୍ରୋଧିତ ହେଉଥାଏ |
ସ ଏବ ପୁନର୍ନିଦ୍ରାଜଗରଗୃହୀତୋଽନ୍ଧେ ତମସି ମଗ୍ନଃ
ଶୂନ୍ୟାରଣ୍ୟ ଇବ ଶେତେ ନାନ୍ୟତ୍କିଞ୍ଚନ ବେଦ ଶବ
ଇବାପବିଦ୍ଧଃ ॥ ୨୦॥
ପୁଣି ଯେତେବେଳେ ନିଦ୍ରାରୂପ ଅଜଗର କବଳରେ ପଡିଯାଏ, ସେତେବେଳେ ଅଜ୍ଞାନରୂପ ଘୋର ଅନ୍ଧକାରରେ ବୁଡି ଯାଇ ବଣରେ ପଡିଥିବା
ଶବ ପରି ଶୋଇ ରହିଥାଏ | ସେହି ସମୟରେ ତା’ର କୌଣସି ବିଷୟରେ
ଜ୍ଞାନ ନ ଥାଏ |
କଦାଚିଦ୍ଭଗ୍ନମାନଦଂଷ୍ଟ୍ରୋ ଦୁର୍ଜନଦନ୍ଦଶୂକୈରଲବ୍ଧ-
ନିଦ୍ରାକ୍ଷଣୋ ବ୍ୟଥିତହୃଦୟେନାନୁକ୍ଷୀୟମାଣବିଜ୍ଞାନୋ-
ଽନ୍ଧକୂପେଽନ୍ଧବତ୍ପତତି ॥ ୨୧॥
କେବେ ଦୁର୍ଜନରୂପ କାମୁଡିବା ଜୀବ ତାକୁ ଏପରି କାମୁଡିବାରେ ଲାଗନ୍ତି –
ତିରସ୍କାର କରନ୍ତି ଯେ ତାହାର ଗର୍ବରୂପ ଦାନ୍ତ, ଯାହା ସାହାଯ୍ୟରେ ସେ ଅନ୍ୟମାନଙ୍କୁ କାମୁଡୁ
ଥିଲା, ଭାଙ୍ଗିଯାଏ | ସେତେବେଳେ ଅଶାନ୍ତିରେ ତାକୁ ନିଦ ହୋଇ
ନ ଥାଏ ଏବଂ ମର୍ମବେଦନା ଯୋଗୁଁ ପ୍ରତିକ୍ଷଣ ବିବେକ-ଶକ୍ତି କ୍ଷୀଣ ହୋଇ ଶେଷରେ ଅନ୍ଧ ପରି ସେ
ନରକରୂପ ଅନ୍ଧକୂପକୁ ଖସି ପଡିଥାଏ |
କର୍ହି ସ୍ମ ଚିତ୍କାମମଧୁଲବାନ୍ ବିଚିନ୍ୱନ୍ ଯଦା
ପରଦାରପରଦ୍ରବ୍ୟାଣ୍ୟବରୁନ୍ଧାନୋ ରାଜ୍ଞା ସ୍ୱାମିଭିର୍ୱା
ନିହତଃ ପତତ୍ୟପାରେ ନିରୟେ ॥ ୨୨॥
କେବେ ବିଷୟସୁଖରୂପ ମଧୁକଣର ଅନ୍ବେଷଣ କରି ସେ ଲୁଚି-ଛପି ପରସ୍ତ୍ରୀ
ବା ପରଧନକୁ ହାସଲ କରିବାକୁ ଇଚ୍ଛା କରିଥାଏ ତ ସେମାନଙ୍କର ସ୍ବାମୀ ବା ରାଜାଙ୍କ ହାତରେ
ମୃତ୍ୟୁକୁ ପ୍ରାପ୍ତ ହୋଇ ଏପରି ନରକକୁ ଯାଇଥାଏ, ଯାହାର ସୀମା
ନିରୂପଣ କରିହୁଏ ନାହିଁ |
ଅଥ ଚ ତସ୍ମାଦୁଭୟଥାପି ହି କର୍ମାସ୍ମିନ୍ନାତ୍ମନଃ
ସଂସାରାବପନମୁଦାହରନ୍ତି ॥ ୨୩॥
ସେଥିପାଇଁ ଏପରି କୁହାଯାଏ ଯେ ପ୍ରବୃତ୍ତିମାର୍ଗରେ ରହି କରାଯାଉ ଥିବା
ଲୌକିକ ଏବଂ ବୈଦିକ ଉଭୟ ପ୍ରକାରର କର୍ମ ଜୀବର ସଂସାର-ପ୍ରାପ୍ତିର କାରଣ ହୋଇଥାଏ |
ମୁକ୍ତସ୍ତତୋ ଯଦି ବନ୍ଧାଦ୍ଦେବଦତ୍ତ ଉପାଚ୍ଛିନତ୍ତି
ତସ୍ମାଦପି ବିଷ୍ଣୁମିତ୍ର ଇତ୍ୟନବସ୍ଥିତିଃ ॥ ୨୪॥
କୌଣସି ପ୍ରକାରେ ଯଦି ସେ ରାଜା ଆଦିଙ୍କ କବଳରୁ ଖସି ଯାଏ, ତେବେ ଅନ୍ୟାୟରେ ଅପହରଣ କରାଯାଇ ଥିବା ସେହି ସ୍ତ୍ରୀ ଏବଂ ଧନକୁ
ଦେବଦତ୍ତ ନାମକ କେହି ଜଣେ ବ୍ୟକ୍ତି ତା’ଠାରୁ ଛଡାଇ ନେଇଥାଏ
ପୁଣି ତାହା ଠାରୁ ବିଷ୍ଣୁମିତ୍ର ନାମକ ଅନ୍ୟ ଜଣେ ବ୍ୟକ୍ତି ଝାମ୍ପି ନେଇଥାଏ | ଏହିପରି ଭାବରେ
ସେହି ଭୋଗ୍ୟ ବସ୍ତୁ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ବ୍ୟକ୍ତି ପାଖକୁ ଯିବାରେ ଲାଗିଥାଏ – ତାହା
ଏକ ସ୍ଥାନରେ ସ୍ଥାୟୀ ରହିପାରେ ନାହିଁ |
କ୍ୱଚିଚ୍ଚ ଶୀତବାତାଦ୍ୟନେକାଧିଦୈବିକଭୌତିକା-
ତ୍ମୀୟାନାଂ ଦଶାନାଂ ପ୍ରତିନିବାରଣେଽକଲ୍ପୋ
ଦୁରନ୍ତଚିନ୍ତୟା ବିଷଣ୍ଣ ଆସ୍ତେ ॥ ୨୫॥
କେବେ କେବେ ଶୀତ ଏବଂ ବାୟୁ ଆଦି ଅନେକ ଆଧିଦୈବିକ, ଆଧିଭୌତିକ ଏବଂ ଆଧ୍ୟାତ୍ମିକ ଦୁଃଖର ନିବାରଣ କରିବାକୁ ସମର୍ଥ ହୋଇ ନ
ପାରି ସେ ଅପାର ଚିନ୍ତାରେ ଉଦାସ ହୋଇଯାଏ |
କ୍ୱଚିନ୍ମିଥୋ ବ୍ୟବହରନ୍ ଯତ୍କିଞ୍ଚିଦ୍ଧନମନ୍ୟେଭ୍ୟୋ
ବା କାକିଣିକାମାତ୍ରମପ୍ୟପହରନ୍ ଯତ୍କିଞ୍ଚିଦ୍ୱା
ବିଦ୍ୱେଷମେତି ବିତ୍ତଶାଠ୍ୟାତ୍ ॥ ୨୬॥
କେବେ ପରସ୍ପରରେ ବ୍ୟାପାର କରିବାକୁ ଯାଇ ଅନ୍ୟର ସାମାନ୍ୟ କିଛି ଧନ
ଚୋରାଇ ନିଏ ତ ସେହି ବେଇମାନୀ ଯୋଗୁଁ ଅନ୍ୟମାନେ ତା’ର ଶତ୍ରୁ ହୋଇଯାଆନ୍ତି
|
ଅଧ୍ୱନ୍ୟମୁଷ୍ମିନ୍ନିମ ଉପସର୍ଗାସ୍ତଥା ସୁଖଦୁଃଖ-
ରାଗଦ୍ୱେଷଭୟାଭିମାନପ୍ରମାଦୋନ୍ମାଦଶୋକମୋହଲୋଭ-
ମାତ୍ସର୍ୟେର୍ଷ୍ୟାବମାନକ୍ଷୁତ୍ପିପାସାଽଽଧିବ୍ୟାଧିଜନ୍ମ-
ଜରାମରଣାଦୟଃ ॥ ୨୭॥
ରାଜନ୍ ! ଏହି ମାର୍ଗରେ ପୂର୍ବୋକ୍ତ ବିଘ୍ନ ଅତିରିକ୍ତ ସୁଖ-ଦୁଃଖ, ରାଗ-ଦ୍ବେଷ, ଭୟ, ଅଭିମାନ, ପ୍ରମାଦ, ଉନ୍ମାଦ, ଶୋକ, ମୋହ, ଲୋଭ, ମାତ୍ସର୍ଯ୍ୟ, ଈର୍ଷ୍ୟା, ଅପମାନ, କ୍ଷୁଧା-ପିପାସା, ଆଧି-ବ୍ୟାଧି, ଜନ୍ମ, ଜରା ଏବଂ ମୃତ୍ୟୁ ଆଦି ଆହୁରି ବି ଅନେକ ବିଘ୍ନ ଅଛି |
କ୍ୱାପି ଦେବମାୟଯା ସ୍ତ୍ରିୟା ଭୁଜଲତୋପଗୂଢଃ ପ୍ରସ୍କନ୍ନ-
ବିବେକବିଜ୍ଞାନୋ ଯଦ୍ୱିହାରଗୃହାରମ୍ଭାକୁଲହୃଦୟ-
ସ୍ତଦାଶ୍ରୟାବସକ୍ତସୁତଦୁହିତୃକଲତ୍ରଭାଷିତାବଲୋକ-
ବିଚେଷ୍ଟିତାପହୃତହୃଦୟ ଆତ୍ମାନମଜିତାତ୍ମାପାରେଽନ୍ଧେ
ତମସି ପ୍ରହିଣୋତି ॥ ୨୮॥
ଏହି ବିଘ୍ନବହୁଳ ମାର୍ଗରେ ଭ୍ରମିତ ହୋଇ ଜୀବ ବେଳେ ବେଳେ
ଦେବମାୟା-ରୂପିଣୀ ସ୍ତ୍ରୀର ବାହୁପାଶରେ ପଡି ବିବେକହୀନ ହୋଇଯାଏ | ତା’ ପାଇଁ ବିହାରଭବନ ଆଦି ନିର୍ମାଣ କରିବା ଚିନ୍ତାରେ ଗ୍ରସ୍ତ ରହେ ତଥା
ତା’ର ଆଶ୍ରିତ ପୁତ୍ର, ପୁତ୍ରୀ ଏବଂ ଅନ୍ୟ
ସ୍ତ୍ରୀମାନଙ୍କର ମଧୁର ବଚନ, ଚାହାଣୀ ଏବଂ ଅଙ୍ଗ-ଭଙ୍ଗୀରେ ଆସକ୍ତ ହୋଇ ଚିତ୍ତ ବିହ୍ବଳ ହୋଇଯିବା
କାରଣରୁ ଇନ୍ଦ୍ରିୟମାନଙ୍କର ଦାସ ସେହି ଜୀବ ଅପାର ଅନ୍ଧକାରମୟ ନରକରେ ପତିତ ହୋଇଥାଏ |
କଦାଚିଦୀଶ୍ୱରସ୍ୟ ଭଗବତୋ ବିଷ୍ଣୋଶ୍ଚକ୍ରାତ୍ପରମାଣ୍ୱାଦି
ଦ୍ୱିପରାର୍ଧାପବର୍ଗକାଲୋପଲକ୍ଷଣାତ୍ପରିବର୍ତିତେନ ବୟସା
ରଂହସା ହରତ ଆବ୍ରହ୍ମତୃଣସ୍ତମ୍ବାଦୀନାଂ ଭୂତାନାମନିମିଷତୋ
ମିଷତାଂ ବିତ୍ରସ୍ତହୃଦୟସ୍ତମେବେଶ୍ୱରଂ କାଲଚକ୍ରନିଜାୟୁଧଂ
ସାକ୍ଷାଦ୍ଭଗବନ୍ତଂ ଯଜ୍ଞପୁରୁଷମନାଦୃତ୍ୟ ପାଖଣ୍ଡଦେବତାଃ
କଙ୍କଗୃଧ୍ରବକବଟପ୍ରାୟା ଆର୍ୟସମୟପରିହୃତାଃ
ସାଙ୍କେତ୍ୟେନାଭିଧତ୍ତେ ॥ ୨୯॥
କାଳଚକ୍ର ସାକ୍ଷାତ୍ ଭଗବାନ ବିଷ୍ଣୁଙ୍କର ଆୟୁଧ ଅଟେ | ତାହା
ପରମାଣୁରୁ ଆରମ୍ଭ କରି ଦ୍ବିପରାର୍ଧପର୍ଯ୍ୟନ୍ତ କ୍ଷଣ-ଘଟୀ ଆଦି ଅବୟବଯୁକ୍ତ ଅଟେ | ସେ ନିରନ୍ତର
ସାବଧାନ ରହି ଘୂରିବାରେ ଲାଗିଥାଏ | ଶୀଘ୍ର ଶୀଘ୍ର ପରିବର୍ତ୍ତିତ ହେଉଥିବା ବାଲ୍ୟ, ଯୌବନ ଆଦି ଅବସ୍ଥା ହିଁ ଏହାର ବେଗ ଅଟେ | ତଦ୍ବାରା ସେ
ବ୍ରହ୍ମାଙ୍କଠାରୁ ଆରମ୍ଭ କରି କ୍ଷୁଦ୍ରାତିକ୍ଷୁଦ୍ର ତୃଣପର୍ଯ୍ୟନ୍ତ ସମସ୍ତ ଭୂତଙ୍କର ନିରନ୍ତର
ସଂହାର କରିବାରେ ଲାଗିଥାଏ | କେହି ମଧ୍ୟ ତା’ର ଗତିରେ ବାଧା
ଉତ୍ପନ୍ନ କରିପାରନ୍ତି ନାହିଁ | ତା’ର ଭୟରେ ମଧ୍ୟ ସେହି
ମନ୍ଦମତି ପୁରୁଷ ସାକ୍ଷାତ୍ ଭଗବାନ ଯଜ୍ଞପୁରୁଷ, ଯାହାର ଆୟୁଧ ସେହି
କାଳଚକ୍ର ଅଟେ, ତାଙ୍କର ଆରାଧନା ଛାଡି ପାଖଣ୍ଡିମାନଙ୍କ ଚକ୍କରରେ ପଡି
ସେମାନଙ୍କର କୁକୁଡା, ଶାଗୁଣା, ବକ ଏବଂ ବତକ ସଦୃଶ ଆର୍ଯ୍ୟଶାସ୍ତ୍ର-ବହିଷ୍କୃତ ଦେବତାମାନଙ୍କର
ଆଶ୍ରୟ ଗ୍ରହଣ କରିଥାଏ, ଯେଉଁମାନଙ୍କର
ଉଲ୍ଲେଖ କେବଳ ବେଦବାହ୍ୟ ଅପ୍ରାମାଣିକ ଆଗମମାନଙ୍କରେ କରାଯାଇ ଥାଏ |
ଯଦା ପାଖଣ୍ଡିଭିରାତ୍ମବଞ୍ଚିତୈସ୍ତୈରୁରୁବଞ୍ଚିତୋ ବ୍ରହ୍ମକୁଲଂ
ସମାବସଂସ୍ତେଷାଂ ଶୀଲମୁପନୟନାଦି ଶ୍ରୌତସ୍ମାର୍ତକର୍ମା-
ନୁଷ୍ଠାନେନ ଭଗବତୋ ଯଜ୍ଞପୁରୁଷସ୍ୟାରାଧନମେବ ତଦରୋଚୟନ୍
ଶୂଦ୍ରକୁଲଂ ଭଜତେ ନିଗମାଚାରେଽଶୁଦ୍ଧିତୋ ଯସ୍ୟ ମିଥୁନୀଭାବଃ
କୁଟୁମ୍ବଭରଣଂ ଯଥା ବାନରଜାତେଃ ॥ ୩୦॥
ସେହି ପାଖଣ୍ଡିମାନେ ତ ସ୍ବୟଂ ଧୋଖାରେ ରହିଥାଆନ୍ତି; ସେମାନଙ୍କ ଠକାମିରେ ପଡି ଯେତେବେଳେ ସେହି ମନ୍ଦମତି ପୁରୁଷ ଦୁଃଖୀ
ହୋଇଥାଏ, ସେତେବେଳେ ସେ ବ୍ରାହ୍ମଣମାନଙ୍କର ଶରଣରେ ଆସିଥାଏ |
କିନ୍ତୁ ଉପନୟନ-ସଂସ୍କାର ପରେ ଶ୍ରୌତ-ସ୍ମାର୍ତକର୍ମ ଦ୍ବାରା ଭଗବାନ ଯଜ୍ଞପୁରୁଷଙ୍କର ଆରାଧନା
କରିବା ଆଦି ଯେଉଁ ଶାସ୍ତ୍ରୋକ୍ତ ଆଚାର ରହିଛି, ତାକୁ ତାହା ଭଲ
ଲାଗି ନ ଥାଏ | ବେଦୋକ୍ତ ଆଚାର ଅନୁକୂଳ ଶୁଦ୍ଧି ହୋଇ ନ ଥିବା କାରଣରୁ ସେ କର୍ମ-ଶୂନ୍ୟ
ଶୂଦ୍ରକୁଳରେ ପ୍ରବେଶ କରିଥାଏ, ଯେଉଁମାନଙ୍କର ସ୍ବଭାବ ବାନରମାନଙ୍କ ପରି କେବଳ କୁଟୁମ୍ବପୋଷଣ
ଏବଂ ସ୍ତ୍ରୀସେବନ କରିବା ହିଁ ଅଟେ |
ତତ୍ରାପି ନିରବରୋଧଃ ସ୍ୱୈରେଣ ବିହରନ୍ନତିକୃପଣବୁଦ୍ଧି-
ରନ୍ୟୋନ୍ୟମୁଖନିରୀକ୍ଷଣାଦିନା ଗ୍ରାମ୍ୟକର୍ମଣୈବ
ବିସ୍ମୃତକାଲାବଧିଃ ॥ ୩୧॥
ସେଠାରେ ଅବାଧରେ ସ୍ବଚ୍ଛନ୍ଦ ବିହାର କରି ତା’ର ବୁଦ୍ଧି ଅତ୍ୟନ୍ତ ଦୀନ ହୋଇଯାଏ ଏବଂ ପରସ୍ପରର ମୁଖଦର୍ଶନ ଆଦି
ବିଷୟଭୋଗରେ ରତ ରହି ତା’ର ନିଜ ମୃତ୍ୟୁକାଳର
ସ୍ମରଣ ମଧ୍ୟ ରହେନାହିଁ |
କ୍ୱଚିଦ୍ଦ୍ରୁମବଦୈହିକାର୍ଥେଷୁ ଗୃହେଷୁ ରଂସ୍ୟନ୍ ଯଥା ବାନରଃ
ସୁତଦାରବତ୍ସଲୋ ବ୍ୟବାୟକ୍ଷଣଃ ॥ ୩୨॥
ବୃକ୍ଷ ପରି ଯାହାର ଫଳ ଲୌକିକ ସୁଖ ଅଟେ, ସେହି ଘରେ ହିଁ ସୁଖ ମାନି ବାନରମାନଙ୍କ ପରି ସ୍ତ୍ରୀ-ପୁତ୍ରାଦିରେ
ଆସକ୍ତ ରହି ନିଜର ସାରା ସମୟ ମୈଥୁନାଦି ବିଷୟଭୋଗରେ ଅତିବାହିତ କରିଥାଏ |
ଏବମଧ୍ୱନ୍ୟବରୁନ୍ଧାନୋ ମୃତ୍ୟୁଗଜଭୟାତ୍ତମସି
ଗିରିକନ୍ଦରପ୍ରାୟେ ॥ ୩୩॥
ଏହିରୂପେ ପ୍ରବୃତ୍ତିମାର୍ଗରେ ସୁଖ-ଦୁଃଖ ଭୋଗ କରି ଏହି ଜୀବ ରୋଗରୂପୀ
ଗିରି-ଗୁହାରେ ବନ୍ଦୀ ହୋଇଯାଇ ଥାଏ ଏବଂ ସେଠାରେ ଥିବା ମୃତ୍ୟୁରୂପ ହାତୀକୁ ଡରିବାରେ ଲାଗିଥାଏ |
କ୍ୱଚିଚ୍ଛୀତବାତାଦ୍ୟନେକଦୈବିକଭୌତିକାତ୍ମୀୟାନାଂ
ଦୁଃଖାନାଂ ପ୍ରତିନିବାରଣେଽକଲ୍ପୋ ଦୁରନ୍ତବିଷୟବିଷଣ୍ଣ
ଆସ୍ତେ ॥ ୩୪॥
କେବେ କେବେ ଶୀତ, ବାୟୁ ଆଦି ଅନେକ
ପ୍ରକାରର ଆଧିଦୈବିକ, ଆଧିଭୌତିକ ଏବଂ
ଆଧ୍ୟାତ୍ମିକ ଦୁଃଖନିବୃତ୍ତିରେ ଅସଫଳ ହୋଇ ସେ ଅପାର ବିଷୟ ଚିନ୍ତାରେ ବିଷାଦଗ୍ରସ୍ତ ହୋଇଉଠେ |
କ୍ୱଚିନ୍ମିଥୋ ବ୍ୟବହରନ୍ ଯତ୍କିଞ୍ଚିଦ୍ଧନମୁପୟାତି
ବିତ୍ତଶାଠ୍ୟେନ ॥ ୩୫॥
କେବେ ପରସ୍ପର ସହିତ କ୍ରୟ-ବିକ୍ରୟ ବ୍ୟାପାରରେ କୃପଣତା କରି ସେ କିଛି
ଧନ ସଞ୍ଚୟ କରି ପାରିଥାଏ |
କ୍ୱଚିତ୍କ୍ଷୀଣଧନଃ ଶୟ୍ୟାସନାଶନାଦ୍ୟୁପଭୋଗବିହୀନୋ
ଯାବଦପ୍ରତିଲବ୍ଧମନୋରଥୋପଗତାଦାନେଽବସିତମତି-
ସ୍ତତସ୍ତତୋଽବମାନାଦୀନି ଜନାଦଭିଲଭତେ ॥ ୩୬॥
କେବେ କେବେ ଧନ ନଷ୍ଟ ହୋଇଯିବା ଫଳରେ ଯେତେବେଳେ ତା’ ପାଖରେ ଶୋଇବା, ବସିବା ଏବଂ ଖାଇବା
ପାଇଁ କୌଣସି ବସ୍ତୁ ରହେନାହିଁ, ସେତେବେଳେ ନିଜର
ଅଭୀଷ୍ଟ ଭୋଗ ନ ମିଳିବାରୁ ସେ ତାହାକୁ ଚୋରୀ ଆଦି ଖରାପ ଉପାୟରେ ତାହା ହାସଲ କରିବାକୁ ଚେଷ୍ଟା
କରିଥାଏ | ସେଥିପାଇଁ ତାକୁ ଯେଉଁଠି-ସେଇଠି ଅନ୍ୟମାନଙ୍କ ଦ୍ବାରା ଅପମାନିତ ହେବାକୁ ପଡିଥାଏ |
ଏବଂ ବିତ୍ତବ୍ୟତିଷଙ୍ଗବିବୃଦ୍ଧବୈରାନୁବନ୍ଧୋଽପି
ପୂର୍ୱବାସନୟା ମିଥ ଉଦ୍ୱହତ୍ୟଥାପବହତି ॥ ୩୭॥
ଏହିପରି ଭାବରେ ଧନ-ଆସକ୍ତିରୁ ତା’ର ଅନ୍ୟମାନଙ୍କ
ସହିତ ବୈରଭାବ ବଢି ଯାଇଥାଏ | କିନ୍ତୁ ତା ସତ୍ତ୍ବେ ବି ନିଜ ପୂର୍ବବାସନାରେ ବିବଶ ହୋଇ ସେ
ପରସ୍ପରରେ ବିବାହାଦି ସମ୍ବନ୍ଧ ଯୋଡିଥାଏ ଏବଂ ଭାଙ୍ଗିଥାଏ |
ଏତସ୍ମିନ୍ ସଂସାରାଧ୍ୱନି ନାନାକ୍ଲେଶୋପସର୍ଗବାଧିତ
ଆପନ୍ନବିପନ୍ନୋ ଯତ୍ର ଯସ୍ତମୁ ହ ବାବେତରସ୍ତତ୍ର
ବିସୃଜ୍ୟ ଜାତଂ ଜାତମୁପାଦାୟ ଶୋଚନ୍ମୁହ୍ୟନ୍ବିଭ୍ୟ-
ଦ୍ୱିବଦନ୍ କ୍ରନ୍ଦନ୍ସଂହୃଷ୍ୟନ୍ ଗାୟନ୍ନହ୍ୟମାନଃ
ସାଧୁବର୍ଜିତୋ ନୈବାବର୍ତତେଽଦ୍ୟାପି ଯତ ଆରବ୍ଧ
ଏଷ ନରଲୋକସାର୍ଥୋ ଯମଧ୍ୱନଃ ପାରମୁପଦିଶନ୍ତି ॥ ୩୮॥
ସଂସାରମାର୍ଗରେ ଚାଲୁଥିବା ଏହି ଜୀବ ଅନେକ ପ୍ରକାରର କ୍ଲେଶ ଏବଂ
ବାଧା-ବିଘ୍ନ ଦ୍ବାରା ବାଧିତ ହୋଇ ମଧ୍ୟ ସେଥିରୁ ନିବୃତ୍ତ ହୋଇ ନ ଥାଏ | ମାର୍ଗରେ ଚାଲିଥିବା
ବେଳେ ତା’ର ସମ୍ବନ୍ଧୀମାନଙ୍କ ମଧ୍ୟରୁ କିଏ ଯଦି ମରିଯାଏ, ତାକୁ ଯେଉଁଠି-ସେଇଠି ଛାଡି ସେ ନବଜାତଙ୍କ ସହ ଚାଲିବାରେ ଲାଗେ |
କେବେ କାହା ପାଇଁ ଶୋକ କରୁଥାଏ ତ କେବେ କାହାର ଦୁଃଖ ଦେଖି ମୂର୍ଚ୍ଛିତ ହୋଇଯାଏ; କାହାର ବିୟୋଗ ଆଶଙ୍କାରେ ଭୟଭୀତ ହୋଇଉଠେ; କାହା ସହିତ ଝଗଡା କରୁଥାଏ; କୌଣସି ବିପତ୍ତିର
ସମ୍ମୁଖୀନ ହେଲେ ଚିତ୍କାର କରି କାନ୍ଦିବାରେ ଲାଗେ | କେବେ ମନର ଅନୁକୂଳ କିଛି ଘଟିଲେ, ପ୍ରସନ୍ନତାରେ ତା’ର ମନ ପ୍ରଫୁଲ୍ଲିତ
ହୋଇଯାଏ, ସେ ଗୀତ ଗାଇବାରେ ଲାଗେ ଏବଂ ସେଥିପାଇଁ ବନ୍ଧନରେ
ବାନ୍ଧି ହେବାକୁ ମଧ୍ୟ ସେ କୁଣ୍ଠିତ ହୋଇ ନ ଥାଏ | ସାଧୁଜନ ତା’ ପାଖକୁ କେବେ ଆସନ୍ତି ନାହିଁ; ସେ ସାଧୂସଙ୍ଗରୁ
ସଦା ବଞ୍ଚିତ ରହିଥାଏ | ଏହିପରି ଭାବରେ ସେ ଆଗକୁ ଚାଲିବାରେ ଲାଗିଥାଏ | ଯେଉଁଠାରୁ ତା’ର ଯାତ୍ରା ପ୍ରାରମ୍ଭ ହୋଇଥିଲା ଏବଂ ଯାହାକୁ ଏହି ମାର୍ଗର ଅନ୍ତିମ
ଅବଧି କହନ୍ତି, ସେହି ପରମାତ୍ମାଙ୍କ ପାଖକୁ ସେ ଏପର୍ଯ୍ୟନ୍ତ ଫେରି ନ
ଥାଏ |
ଯଦିଦଂ ଯୋଗାନୁଶାସନଂ ନ ବା ଏତଦବରୁନ୍ଧତେ
ଯନ୍ନ୍ୟସ୍ତଦଣ୍ଡା ମୁନୟ ଉପଶମଶୀଲା ଉପରତାତ୍ମାନଃ
ସମବଗଚ୍ଛନ୍ତି ॥ ୩୯॥
ପରମାତ୍ମାଙ୍କ ପାଖକୁ ତ ଯୋଗଶାସ୍ତ୍ରର ମଧ୍ୟ ଗତି ନାହିଁ; ଯେଉଁମାନେ ସବୁ ପ୍ରକାରର ଦଣ୍ଡ (ଶାସନ) ତ୍ୟାଗ କରିଦେଇ ଥାଆନ୍ତି, ସେହି ନିବୃତ୍ତିପରାୟଣ ସଂଯ଼ତାତ୍ମା ମୁନିଜନ ହିଁ ତାଙ୍କୁ ପ୍ରାପ୍ତ
କରିପାରନ୍ତି |
ଯଦପି ଦିଗିଭଜୟିନୋ ଯଜ୍ୱିନୋ ଯେ ବୈ ରାଜର୍ଷୟଃ କିଂ ତୁ
ପରଂ ମୃଧେ ଶୟୀରନ୍ନସ୍ୟାମେବ ମମେୟମିତି କୃତବୈରାନୁବନ୍ଧାୟାଂ
ବିସୃଜ୍ୟ ସ୍ୱୟମୁପସଂହୃତାଃ ॥ ୪୦॥
ଦିଗ୍ଗଜଙ୍କୁ ଜୟ କରିଥିବା ଏବଂ ବଡ ବଡ ଯଜ୍ଞାନୁଷ୍ଠାନ କରୁଥିବା
ରାଜର୍ଷିମାନଙ୍କର ମଧ୍ୟ ସେଠାକୁ ଗତି ନାହିଁ | ସଂଗ୍ରାମଭୂମିରେ ଶତ୍ରୁମାନଙ୍କର ସାମନା କରି
ସେମାନେ କେବଳ ପ୍ରାଣତ୍ୟାଗ ହିଁ କରିଥାଆନ୍ତି ତଥା ଯେଉଁଠି ‘ଏହା ମୋର ଅଟେ’ ଏହି ଅଭିମାନରେ ଅନ୍ୟ ସହିତ ଶତ୍ରୁତା କରିଥାଆନ୍ତି, ସେହି ପୃଥିବୀରେ ନିଜ ଶରୀରକୁ ଛାଡି ଦେଇ ପରଲୋକ ଗମନ କରନ୍ତି |
ସଂସାରକୁ ସେମାନେ ମଧ୍ୟ ପାର କରି ନ ଥା’ନ୍ତି |
କର୍ମବଲ୍ଲୀମବଲମ୍ବ୍ୟ ତତ ଆପଦଃ କଥଞ୍ଚିନ୍ନରକାଦ୍ୱିମୁକ୍ତଃ
ପୁନରପ୍ୟେବଂ ସଂସାରାଧ୍ୱନି ବର୍ତମାନୋ ନରଲୋକସାର୍ଥମୁପୟାତି
ଏବମୁପରିଗତୋଽପି ॥ ୪୧॥
ନିଜ ପୁଣ୍ୟକର୍ମରୂପ ଲତାର ଆଶ୍ରୟରେ କୌଣସି ପ୍ରକାରେ ଯଦି ଜୀବ ସବୁ
ଆପତ୍ତି ବା ନର୍କ କବଳରୁ ରକ୍ଷା ପାଇଯାଏ, ତେବେ ମଧ୍ୟ ତାକୁ
ପୁନର୍ବାର ସଂସାରମାର୍ଗରେ ଭ୍ରମିତ ହେବାକୁ ପଡେ | ଏହି ଦଶା ସ୍ବର୍ଗ ଆଦି ଉର୍ଦ୍ଧ୍ବଲୋକକୁ
ଯାଉଥିବା ଜୀବର ମଧ୍ୟ ହୋଇଥାଏ |
ତସ୍ୟେଦମୁପଗାୟନ୍ତି -
ଆର୍ଷଭସ୍ୟେହ ରାଜର୍ଷେର୍ମନସାପି ମହାତ୍ମନଃ ।
ନାନୁବର୍ତ୍ମାର୍ହତି ନୃପୋ ମକ୍ଷିକେବ ଗରୁତ୍ମତଃ ॥ ୪୨॥
ରାଜନ୍ ! ରାଜର୍ଷି ଭରତଙ୍କ ବିଷୟରେ ପଣ୍ଡିତଜନ ଏପରି କହନ୍ତି –
‘କୌଣସି ମାଛି ଯେପରି ଗରୁଡ଼ଙ୍କ ସହିତ ପ୍ରତିଯୋଗିତା କରି ପାରେନାହିଁ, ସେହିପରି ଅନ୍ୟ କୌଣସି ରାଜା ମନରେ ସୁଦ୍ଧା ମହାତ୍ମା ଭରତଙ୍କ
ମାର୍ଗର ଅନୁସରଣ କରିପାରିବେ ନାହିଁ |
ଯୋ ଦୁସ୍ତ୍ୟଜାନ୍ ଦାରସୁତାନ୍ ସୁହୃଦ୍ରାଜ୍ୟଂ ହୃଦିସ୍ପୃଶଃ ।
ଜହୌ ଯୁବୈବ ମଲବଦୁତ୍ତମଶ୍ଲୋକଲାଲସଃ ॥ ୪୩॥
ସେ ପୁଣ୍ୟକୀର୍ତ୍ତି ଶ୍ରୀହରିଙ୍କ ପ୍ରତି ଅନୁରକ୍ତ ହୋଇ ଅତି ମନୋରମ
ସ୍ତ୍ରୀ, ପୁତ୍ର, ମିତ୍ର ଏବଂ
ରାଜ୍ୟାଦିକୁ ଯୁବାବସ୍ଥାରେ ହିଁ ବିଷ୍ଠାତୁଲ୍ୟ ମନେକରି ତ୍ୟାଗ କରି ଦେଇଥିଲେ, ଯାହା ଅନ୍ୟମାନଙ୍କ ପକ୍ଷରେ ତ୍ୟାଗ କରିବା ଅତ୍ୟନ୍ତ କଠିନ ଅଟେ |
ଯୋ ଦୁସ୍ତ୍ୟଜାନ୍ କ୍ଷିତିସୁତସ୍ୱଜନାର୍ଥଦାରାନ୍
ପ୍ରାର୍ଥ୍ୟାଂ ଶ୍ରିୟଂ ସୁରବରୈଃ ସଦୟାବଲୋକାମ୍ ।
ନୈଚ୍ଛନ୍ନୃପସ୍ତଦୁଚିତଂ ମହତାଂ ମଧୁଦ୍ୱିଟ୍
ସେବାନୁରକ୍ତମନସାମଭବୋଽପି ଫଲ୍ଗୁଃ ॥ ୪୪॥
ସେ ଅତି ଦୁସ୍ତ୍ୟଜ ପୃଥିବୀ, ପୁତ୍ର, ସ୍ବଜନ, ସମ୍ପତ୍ତି ଏବଂ
ସ୍ତ୍ରୀଙ୍କୁ ତଥା ବଡ-ବଡ ଦେବତାମାନେ ଯାହା ପାଇଁ ଲାଳାୟିତ ରହିଥାଆନ୍ତି ଅଥଚ ଯିଏ ସ୍ବୟଂ
ତାଙ୍କର ଦୟାଦୃଷ୍ଟିକୁ ଅନାଇ ରହିଥାଆନ୍ତି – ସେହି ଲକ୍ଷ୍ମୀଦେବୀଙ୍କୁ ମଧ୍ୟ ତିଳେମାତ୍ର ଇଚ୍ଛା
କରୁ ନ ଥିଲେ | ଏହା ତାଙ୍କ ପାଇଁ ସ୍ବାଭାବିକ ଥିଲା, କାରଣ ଯେଉଁ
ମହାନୁଭବଙ୍କର ଚିତ୍ତ ଭଗବାନ ମଧୁସୂଦନଙ୍କ ସେବାରେ ଅନୁରକ୍ତ ରହିଥାଏ, ସେମାନଙ୍କ ଦୃଷ୍ଟିରେ ମୋକ୍ଷପଦ ମଧ୍ୟ ଅତ୍ୟନ୍ତ ତୁଚ୍ଛ ଅଟେ |
ଯଜ୍ଞାୟ ଧର୍ମପତୟେ ବିଧିନୈପୁଣାୟ
ଯୋଗାୟ ସାଙ୍ଖ୍ୟଶିରସେ ପ୍ରକୃତୀଶ୍ୱରାୟ ।
ନାରାୟଣାୟ ହରୟେ ନମ ଇତ୍ୟୁଦାରଂ
ହାସ୍ୟନ୍ ମୃଗତ୍ୱମପି ଯଃ ସମୁଦାଜହାର ॥ ୪୫॥
ସେ ମୃଗଶରୀର ତ୍ୟାଗ କରିବାକୁ ଇଚ୍ଛା କରି ଉଚ୍ଚସ୍ବରରେ କହିଥିଲେ ଯେ
ଧର୍ମରକ୍ଷକ, ଧର୍ମାନୁଷ୍ଠାନରେ ନିପୁଣ, ଯୋଗଗମ୍ୟ, ସାଂଖ୍ୟର
ପ୍ରତିପାଦ୍ୟ, ପ୍ରକୃତିର ଅଧୀଶ୍ବର, ଯଜ୍ଞମୂର୍ତ୍ତି ସର୍ବାନ୍ତର୍ଯ୍ୟାମୀ ଶ୍ରୀହରିଙ୍କୁ ନମସ୍କାର |
ଯ ଇଦଂ ଭାଗବତସଭାଜିତାବଦାତଗୁଣକର୍ମଣୋ
ରାଜର୍ଷେର୍ଭରତସ୍ୟାନୁଚରିତଂ ସ୍ୱସ୍ତ୍ୟଯନମାୟୁଷ୍ୟଂ
ଧନ୍ୟଂ ଯଶସ୍ୟଂ ସ୍ୱର୍ଗ୍ୟାପବର୍ଗ୍ୟଂ ବାନୁଶୃଣୋ-
ତ୍ୟାଖ୍ୟାସ୍ୟତ୍ୟଭିନନ୍ଦତି ଚ ସର୍ୱା ଏବାଶିଷ
ଆତ୍ମନ ଆଶାସ୍ତେ ନ କାଞ୍ଚନ ପରତ ଇତି ॥ ୪୬॥
ରାଜନ୍ ! ରାଜର୍ଷି ଭରତଙ୍କର ପବିତ୍ର ଗୁଣ ଏବଂ କର୍ମର ପ୍ରଶଂସା
ଭକ୍ତଜନ ମଧ୍ୟ କରନ୍ତି | ତାଙ୍କର ଏହି ଚରିତ୍ର ଅତ୍ୟନ୍ତ କଲ୍ୟାଣକାରୀ, ଆୟୁ ଏବଂ ଧନ ବୃଦ୍ଧିକାରୀ, ସଂସାରରେ ସୁଯଶ
ବୃଦ୍ଧିକାରୀ ଏବଂ ଅନ୍ତରେ ସ୍ବର୍ଗ ତଥା ମୋକ୍ଷ ପ୍ରଦାୟକ ଅଟେ | ଯେଉଁ ପୁରୁଷ ଏହାକୁ ଶୁଣନ୍ତି
ବା ଶୁଣାନ୍ତି ଏବଂ ଏହାର ଅଭିନନ୍ଦନ କରନ୍ତି, ତାଙ୍କର ସମସ୍ତ
କାମନା ସ୍ବତଃ ପୂର୍ଣ୍ଣ ହୋଇଯାଏ; ଅନ୍ୟଠାରୁ ତାଙ୍କୁ
କିଛି ମାଗିବାକୁ ପଡେନାହିଁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଭରତୋପାଖ୍ୟାନେ ପାରୋକ୍ଷ୍ୟବିବରଣଂ ନାମ
ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

Comments
Post a Comment