ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ସପ୍ତଦଶ ଅଧ୍ୟାୟ

ଗଙ୍ଗାଜୀଙ୍କର ବିବରଣ ଏବଂ ଭଗବାନ ଶଂକରକୃତ ସଂକର୍ଷଣଦେବଙ୍କର ସ୍ତୁତି

 

ଶ୍ରୀଶୁକ ଉବାଚ

ତତ୍ର ଭଗବତଃ ସାକ୍ଷାଦ୍ୟଜ୍ଞଲିଙ୍ଗସ୍ୟ ବିଷ୍ଣୋର୍ୱିକ୍ରମତୋ

ବାମପାଦାଙ୍ଗୁଷ୍ଠନଖନିର୍ଭିନ୍ନୋର୍ଧ୍ୱାଣ୍ଡକଟାହବିବରେଣା-

ନ୍ତଃପ୍ରବିଷ୍ଟା ଯା ବାହ୍ୟଜଲଧାରା ତଚ୍ଚରଣପଙ୍କଜା-

ବନେଜନାରୁଣକିଞ୍ଜଲ୍କୋପରଞ୍ଜିତାଖିଲଜଗଦଘ-

ମଲାପହୋପସ୍ପର୍ଶନାମଲା ସାକ୍ଷାଦ୍ଭଗବତ୍ପଦୀ-

ତ୍ୟନୁପଲକ୍ଷିତବଚୋଽଭିଧୀୟମାନାତିମହତା

କାଲେନ ଯୁଗସହସ୍ରୋପଲକ୍ଷଣେନ ଦିବୋ

ମୂର୍ଧନ୍ୟବତତାର ଯତ୍ତଦ୍ୱିଷ୍ଣୁପଦମାହୁଃ ॥ ୧॥

ରାଜନ୍ ! ରାଜା ବଳିଙ୍କର ଯଜ୍ଞଶାଳାରେ ତ୍ରିଲୋକକୁ ମାପିବା ଉଦ୍ଦେଶ୍ୟରେ ଯେତେବେଳେ ସାକ୍ଷାତ୍ ଯଜ୍ଞମୂର୍ତ୍ତି ଭଗବାନ ବିଷ୍ଣୁ ନିଜର ପଦ ବିସ୍ତାର କଲେ, ସେତେବେଳେ ତାଙ୍କ ବାମ ପଦ ଅଙ୍ଗୁଷ୍ଠି ନଖରେ ବ୍ରହ୍ମାଣ୍ଡ-ଗୋଲକର ଉପର ଆବରଣ ଫାଟି ଗଲା | ସେହି ଛିଦ୍ର ମଧ୍ୟ ଦେଇ ବ୍ରହ୍ମାଣ୍ଡ ବାହାରୁ ଆସୁଥିବା ଜଳଧାରା ଭଗବାନଙ୍କର ଚରଣକମଳକୁ ଧୌତ କରି ସେଥିରେ ଲାଗିଥିବା କେଶର ରଙ୍ଗରେ ଲାଲ ହୋଇ ଯାଇଥିଲା | ସେହି ନିର୍ମଳ ଧାରାର ସ୍ପର୍ଶ ଲାଭ କରି ସଂସାରର ସବୁ ପାପ ଧୋଇଯାଏ, କିନ୍ତୁ ସେ ସ୍ବୟଂ ସର୍ବତୋ ଭାବରେ ନିର୍ମଳ ହିଁ ରହିଥାଏ | ପ୍ରଥମେ ଏହାକୁ ଅନ୍ୟ କୌଣସି ନାମ ନ ଦେଇ ‘ଭଗବତ୍-ପଦୀ’ ହିଁ କୁହା ଯାଉଥିଲା | ହଜାର ହଜାର ଯୁଗ ଅତିବାହିତ ହେବା ପରେ ସେହି ଧାରା ସ୍ବର୍ଗଲୋକର ଶିରୋଭାଗରେ ସ୍ଥିତ ଧ୍ରୁବଲୋକରେ ଅବତରଣ କଲା, ଯାହାକୁ ବିଷ୍ଣୁପଦ ମଧ୍ୟ କହନ୍ତି |

ଯତ୍ର ହ ବାବ ବୀରବ୍ରତ ଔତ୍ତାନପାଦିଃ ପରମଭାଗବତୋ-

ଽସ୍ମତ୍କୁଲଦେବତାଚରଣାରବିନ୍ଦୋଦକମିତି ଯାମନୁସବନ-

ମୁତ୍କୃଷ୍ୟମାଣଭଗବଦ୍ଭକ୍ତିୟୋଗେନ ଦୃଢଂ କ୍ଲିଦ୍ୟମାନାନ୍ତର୍ହୃଦୟ

ଔତ୍କଣ୍ଠ୍ୟବିବଶାମୀଲିତଲୋଚନୟୁଗଲକୁଡ୍ମଲ-

ବିଗଲିତାମଲବାଷ୍ପକଲୟାଭିବ୍ୟଜ୍ୟମାନରୋମପୁଲକ-

କୁଲକୋଽଧୁନାପି ପରମାଦରେଣ ଶିରସା ବିଭର୍ତି ॥ ୨॥

ହେ ପରୀକ୍ଷିତ ! ସେହି ଧ୍ରୁବଲୋକରେ ଉତ୍ତାନପାଦଙ୍କର ପୁତ୍ର ପରମ ଭାଗବତ ଧ୍ରୁବ ରହନ୍ତି | ସେ ନିତ୍ୟପ୍ରତି ବୃଦ୍ଧି ଲାଭ କରୁଥିବା ଭକ୍ତିଭାବରେ ‘ଏହା ମୋର କୁଳଦେବତାଙ୍କର ଚରଣୋଦକ ଅଟେ – ଏହିପରି ମାନି ଆଜି ମଧ୍ୟ ସେହି ଜଳକୁ ଅତି ଆଦରରେ ମସ୍ତକରେ ଲଗାନ୍ତି | ସେହି ସମୟରେ ପ୍ରେମାବେଶରେ ତାଙ୍କର ହୃଦୟ ଗଦଗଦ ହୋଇଯାଏ, ଉତ୍କଣ୍ଠାବଶତଃ ତାଙ୍କର ମୁଦ୍ରିତ ନୟନରୁ ନିର୍ମଳ ଅଶ୍ରୁଧାରା ପ୍ରବାହିତ ହେବାରେ ଲାଗେ ଏବଂ ତାଙ୍କ ଶରୀରରେ ରୋମାଞ୍ଚ ଜାତ ହୁଏ |

ତତଃ ସପ୍ତର୍ଷୟସ୍ତତ୍ପ୍ରଭାବାଭିଜ୍ଞା ଯାଂ ନନୁ ତପସ

ଆତ୍ୟନ୍ତିକୀ ସିଦ୍ଧିରେତାବତୀ ଭଗବତି ସର୍ୱାତ୍ମନି

ବାସୁଦେବେଽନୁପରତଭକ୍ତିୟୋଗଲାଭେନୈବୋପେକ୍ଷିତାନ୍ୟା-

ର୍ଥାତ୍ମଗତୟୋ ମୁକ୍ତିମିବାଗତାଂ ମୁମୁକ୍ଷବ ଇବ ସବହୁମାନ-

ମଦ୍ୟାପି ଜଟାଜୂଟୈରୁଦ୍ୱହନ୍ତି ॥ ୩॥

ତାପରେ ଆତ୍ମନିଷ୍ଠ ମହର୍ଷିଗଣ ତାହାର ପ୍ରଭାବ ଜାଣି ‘ତପସ୍ୟାର ଆତ୍ୟନ୍ତିକ ସିଦ୍ଧି ଏହା ହିଁ ଅଟେ – ଏହିପରି ମନେ କରି ଆଜି ମଧ୍ୟ ତାହାକୁ ଆଦରପୂର୍ବକ ନିଜ ଜଟାଜୂଟରେ ସେହିପରି ଧାରଣ କରିଥାଆନ୍ତି, ଯେପରି ମୁମୁକ୍ଷୁଜନ ମୁକ୍ତିକୁ ଧାରଣ କରନ୍ତି | ସେମାନେ ପୂର୍ଣ୍ଣ ନିଷ୍କାମ ଅଟନ୍ତି; ସର୍ବାତ୍ମା ଭଗବାନ ବାସୁଦେବଙ୍କର ନିଶ୍ଚଳ ଭକ୍ତିକୁ ହିଁ ନିଜର ପରମ ଧନ ମନେକରି ସେମାନେ ଅନ୍ୟ ସବୁ ପ୍ରକାରର କାମନାକୁ ତ୍ୟାଗ କରିଦେଇ ଥାଆନ୍ତି, ଏପରି କି ଆତ୍ମଜ୍ଞାନକୁ ମଧ୍ୟ ସେମାନେ ତା ସମ୍ମୁଖରେ ତୁଚ୍ଛ ମନେକରନ୍ତି |

ତତୋଽନେକସହସ୍ରକୋଟିବିମାନାନୀକସଙ୍କୁଲଦେବୟାନେନା-

ବତରନ୍ତୀନ୍ଦୁମଣ୍ଡଲମାବାର୍ୟ ବ୍ରହ୍ମସଦନେ ନିପତତି ॥ ୪॥

ସେଠାରୁ ଗଙ୍ଗା, କୋଟି କୋଟି ବିମାନ ପରିବେଷ୍ଟିତ ହୋଇ, ଆକାଶରୁ ଅବତରଣ କରନ୍ତି ଏବଂ ଚନ୍ଦ୍ରମଣ୍ଡଳକୁ ପ୍ଲାବିତ କରି ମେରୁ ଶିଖରରେ ସ୍ଥିତ ବ୍ରହ୍ମପୁରୀରେ ଖସିଥାଆନ୍ତି |

ତତ୍ର ଚତୁର୍ଧା ଭିଦ୍ୟମାନା ଚତୁର୍ଭିର୍ନାମଭିଶ୍ଚତୁର୍ଦିଶ-

ମଭିସ୍ପନ୍ଦନ୍ତୀ ନଦନଦୀପତିମେବାଭିନିବିଶତି

ସୀତାଲକନନ୍ଦା ଚକ୍ଷୁର୍ଭଦ୍ରେତି ॥ ୫॥

ସେଠାରେ ତାହା ସୀତା, ଅଳକାନନ୍ଦା, ଚକ୍ଷୁ ଏବଂ ଭଦ୍ରା ନାମରେ ଚାରୋଟି ଧାରାରେ ବିଭକ୍ତ ହୋଇଯାଏ ତଥା ପୃଥକ୍ ଭାବରେ ଚାରି ଦିଗରେ ପ୍ରବାହିତ ହୋଇ ଅନ୍ତତଃ ନଦ-ନଦୀମାନଙ୍କର ଅଧୀଶ୍ବର ସମୁଦ୍ରରେ ମିଶିଥାଏ |

ସୀତା ତୁ ବ୍ରହ୍ମସଦନାତ୍କେସରାଚଲାଦି ଗିରିଶିଖରେଭ୍ୟୋ-

ଽଧୋଽଧଃପ୍ରସ୍ରବନ୍ତୀ ଗନ୍ଧମାଦନମୂର୍ଧସୁ ପତିତ୍ୱାନ୍ତରେଣ

ଭଦ୍ରାଶ୍ୱବର୍ଷଂ ପ୍ରାଚ୍ୟାଂ ଦିଶି କ୍ଷାରସମୁଦ୍ରମଭିପ୍ରବିଶତି ॥ ୬॥

ତନ୍ମଧ୍ୟରୁ ସୀତା ବ୍ରହ୍ମପୁରୀରୁ କେସରାଚଳର ସର୍ବୋଚ୍ଚ ଶିଖର ଦେଇ ନିମ୍ନାଭିମୁଖୀ ହୋଇ ଗନ୍ଧମାର୍ଦନ ଶିଖରରେ ଅବତରଣ କରିଥାଏ ଏବଂ ଭଦ୍ରାଶ୍ବବର୍ଷକୁ ପ୍ଲାବିତ କରି ପୂର୍ବ ଦିଗରେ କ୍ଷାରଜଳ ସମୁଦ୍ରରେ ମିଶିଥାଏ |

ଏବଂ ମାଲ୍ୟବଚ୍ଛିଖରାନ୍ନିଷ୍ପତନ୍ତୀ ତତୋଽନୁପରତବେଗା

କେତୁମାଲମଭିଚକ୍ଷୁଃ ପ୍ରତୀଚ୍ୟାଂ ଦିଶି ସରିତ୍ପତିଂ

ପ୍ରବିଶତି ॥ ୭॥

ସେହିପରି ଚକ୍ଷୁ ମାଲ୍ୟବାନ୍ ଶିଖରଦେଶରେ ପହଞ୍ଚିବା ପରେ ସେଠାରୁ ଅବାଧ ଗତିରେ କେତୁମାଳବର୍ଷରେ ପ୍ରବାହିତ ହୋଇ ପଶ୍ଚିମ ଦିଗର କ୍ଷାରସମୁଦ୍ରରେ ମିଶିଥାଏ |

ଭଦ୍ରା ଚୋତ୍ତରତୋ ମେରୁଶିରସୋ ନିପତିତା ଗିରିଶିଖରା-

ଦ୍ଗିରିଶିଖରମତିହାୟ ଶୃଙ୍ଗବତଃ ଶୃଙ୍ଗାଦବସ୍ୟନ୍ଦମାନା

ଉତ୍ତରାଂସ୍ତୁ କୁରୂନଭିତ ଉଦୀଚ୍ୟାଂ ଦିଶି ଜଲଧି-

ମଭିପ୍ରବିଶତି ॥ ୮॥

ଭଦ୍ରା ମେରୁ ଶିଖରରୁ ଉତ୍ତର ଦିଗରେ ଅବତରଣ କରିଥାଏ ତଥା ଗୋଟିଏ ପର୍ବତରୁ ଦ୍ବିତୀୟ ପର୍ବତକୁ ଯାଇ ଶେଷରେ ଶୃଙ୍ଗବାନ୍ ଶିଖରରୁ ଖସିବା ପରେ ଉତ୍ତରକୁରୁ ଦେଶରେ ପ୍ରବାହିତ ହୋଇ ଉତ୍ତର ଦିଗର ସମୁଦ୍ରରେ ମିଶିଥାଏ |

ତଥୈବାଲକନନ୍ଦା ଦକ୍ଷିଣେନ ବ୍ରହ୍ମସଦନାଦ୍ବହୂନି

ଗିରିକୂଟାନ୍ୟତିକ୍ରମ୍ୟ ହେମକୂଟାଦ୍ଧୈମକୂଟାନ୍ୟତି-

ରଭସତରରଂହସା ଲୁଠୟନ୍ତୀ ଭାରତମଭିବର୍ଷଂ ଦକ୍ଷିଣସ୍ୟାଂ

ଦିଶି ଜଲଧିମଭିପ୍ରବିଶତି ଯସ୍ୟାଂ ସ୍ନାନାର୍ଥଂ ଚାଗଚ୍ଛତଃ

ପୁଂସଃ ପଦେ ପଦେଽଶ୍ୱମେଧରାଜସୂୟାଦୀନାଂ ଫଲଂ ନ

ଦୁର୍ଲଭମିତି ॥ ୯॥

ଅଳକାନନ୍ଦା ବ୍ରହ୍ମପୁରୀରୁ ଦକ୍ଷିଣ ଦିଗରେ ଅବତରଣ କରି ଅନେକ ଗିରିଶିଖରକୁ ଲଂଘନ କରି ହେମକୂଟ ପର୍ବତରେ ପହଞ୍ଚି ଥାଏ | ସେଠାରୁ ଅତ୍ୟନ୍ତ ତୀବ୍ର ବେଗରେ ହିମାଳୟ ଶିଖରକୁ ଚିରି ଭାରତବର୍ଷକୁ ଆସିଥାଏ ଏବଂ ତାପରେ ଦକ୍ଷିଣ ଦିଗରେ ଗତି କରି ସମୁଦ୍ରରେ ମିଶିଥାଏ | ସେଥିରେ ସ୍ନାନ କରିବାକୁ ଆସୁଥିବା ପୁରୁଷଙ୍କ ପାଇଁ ଅଶ୍ବମେଧ ଏବଂ ରାଜସୂୟ ଆଦି ଯଜ୍ଞର ଫଳ ମଧ୍ୟ ଦୁର୍ଲଭ ନୁହେଁ |

ଅନ୍ୟେ ଚ ନଦା ନଦ୍ୟଶ୍ଚ ବର୍ଷେ ବର୍ଷେ ସନ୍ତି ବହୁଶୋ

ମେର୍ୱାଦିଗିରିଦୁହିତରଃ ଶତଶଃ ॥ ୧୦॥

ପ୍ରତ୍ୟେକ ଦେଶରେ ମେରୁ ଆଦି ପର୍ବତରୁ ବାହାରି ଥିବା ଶହ-ଶହ ନଦ-ନଦୀ ପ୍ରବାହିତ |

ତତ୍ରାପି ଭାରତମେବ ବର୍ଷଂ କର୍ମକ୍ଷେତ୍ରମନ୍ୟାନ୍ୟଷ୍ଟ-

ବର୍ଷାଣି ସ୍ୱର୍ଗିଣାଂ ପୁଣ୍ୟଶେଷୋପଭୋଗସ୍ଥାନାନି

ଭୌମାନି ସ୍ୱର୍ଗପଦାନି ବ୍ୟପଦିଶନ୍ତି ॥ ୧୧॥

ଏହି ସବୁ ଦେଶମାନଙ୍କ ମଧ୍ୟରୁ ଏକମାତ୍ର ଭାରତବର୍ଷ ହିଁ କର୍ମଭୂମି ଅଟେ | ବାକି ଆଠଟି ଦେଶ ତ ସ୍ବର୍ଗବାସୀ ପୁରୁଷଙ୍କର ସ୍ବର୍ଗଭୋଗରୁ ଅବଶିଷ୍ଟ ରହିଥିବା ପୁଣ୍ୟଫଳ ଭୋଗ କରିବାର ସ୍ଥାନ ଅଟେ | ସେଥିପାଇଁ ସେମାନଙ୍କୁ ଭୂଲୋକର ସ୍ବର୍ଗ ମଧ୍ୟ କହନ୍ତି |

ଏଷୁ ପୁରୁଷାଣାମୟୁତପୁରୁଷାୟୁର୍ୱର୍ଷାଣାଂ ଦେବକଲ୍ପାନାଂ

ନାଗାୟୁତପ୍ରାଣାନାଂ ବଜ୍ରସଂହନନବଲବୟୋମୋଦପ୍ରମୁଦିତ-

ମହାସୌରତମିଥୁନବ୍ୟବାୟାପବର୍ଗବର୍ଷଧୃତୈକଗର୍ଭକଲତ୍ରାଣାଂ

ତତ୍ର ତୁ ତ୍ରେତାୟୁଗସମଃ କାଲୋ ବର୍ତତେ ॥ ୧୨॥

ମାନବୀୟ ଗଣନା ଅନୁସାରେ ସେଠାର ଦେବତୁଲ୍ୟ ମନୁଷ୍ୟମାନଙ୍କର ଆୟୁ ଦଶ ହଜାର ବର୍ଷ ଅଟେ | ସେମାନଙ୍କ ଠାରେ ଦଶ ହଜାର ହାତୀର ବଳ ରହିଥାଏ ତଥା ସେମାନଙ୍କର ବଜ୍ର ସଦୃଶ ସୁଦୃଢ ଶରୀରରେ ଯେଉଁ ଶକ୍ତି, ଯୌବନ ଏବଂ ଉଲ୍ଲାସ ରହିଥାଏ, ସେହି କାରଣରୁ ସେମାନେ ବହୁତ ଦିନ ଯାଏଁ ମୈଥୁନ ଆଦି ବିଷୟ ଭୋଗ କରିପାରନ୍ତି | ଶେଷରେ ଭୋଗ ସମାପ୍ତ ହୋଇ ଯେତେବେଳେ ସେମାନଙ୍କର ଆୟୁ କେବଳ ଏକ ବର୍ଷ ରହିଥାଏ, ସେତେବେଳେ ସେମାନଙ୍କର ସ୍ତ୍ରୀମାନେ ଗର୍ଭଧାରଣ କରନ୍ତି | ଏହିପରି ଭାବରେ ସେଠାରେ ସର୍ବଦା ତ୍ରେତା ଯୁଗ ପରି ସମୟ ରହିଥାଏ |

ଯତ୍ର ହ ଦେବପତୟଃ ସ୍ୱୈଃ ସ୍ୱୈର୍ଗଣନାୟକୈର୍ୱିହିତମହାର୍ହଣାଃ

ସର୍ୱର୍ତୁକୁସୁମସ୍ତବକଫଲକିସଲୟଶ୍ରିୟାଽଽନମ୍ୟମାନ-

ବିଟପଲତାବିଟପିଭିରୁପଶୁମ୍ଭମାନରୁଚିରକାନନାଶ୍ରମା-

ଯତନବର୍ଷଗିରିଦ୍ରୋଣୀଷୁ ତଥା ଚାମଲଜଲାଶୟେଷୁ

ବିକଚବିବିଧନବବନରୁହାମୋଦମୁଦିତରାଜହଂସ-

ଜଲକୁକ୍କୁଟକାରଣ୍ଡବସାରସଚକ୍ରବାକାଦିଭିଃ

ମଧୁକରନିକରାକୃତିଭିରୁପକୂଜିତେଷୁ ଜଲକ୍ରୀଡାଦିଭି-

ର୍ୱିଚିତ୍ରବିନୋଦୈଃ ସୁଲଲିତସୁରସୁନ୍ଦରୀଣାଂ

କାମକଲିଲବିଲାସହାସଲୀଲାବଲୋକାକୃଷ୍ଟମନୋଦୃଷ୍ଟୟଃ

ସ୍ୱୈରଂ ବିହରନ୍ତି ॥ ୧୩॥

ସେଠାରେ ଏପରି ସବୁ ଆଶ୍ରମ, ଭବନ ଏବଂ ପର୍ବତ ଘାଟି ରହିଛି ଯାହାର ସୁନ୍ଦର ବନ-ଉପବନ ସବୁ ଋତୁର ଫଳ-ଫୁଲ ତଥା ନୂତନ ପଲ୍ଲବର ଭାରରେ ଅବନତ ଡାଳ ଏବଂ ଲତାବେଷ୍ଟିତ ବୃକ୍ଷରେ ସୁଶୋଭିତ ଅଟେ; ସେଠାରେ ନିର୍ମଳ ଜଳରେ ପରିପୂର୍ଣ୍ଣ ଏପରି ସବୁ ଜଳାଶୟ ରହିଛି ଯହିଁରେ ନାନା ପ୍ରକାରର ନୂତନ କମଳ ପ୍ରସ୍ଫୁଟିତ ହୋଇଥାଏ ଏବଂ ସେହି କମଳର ସୁଗନ୍ଧରେ ପ୍ରମୋଦିତ ହୋଇ ରାଜହଂସ, କାରଣ୍ଡବ, ଜଳମୃଗ, ସାରଙ୍ଗ ଆଦି ପକ୍ଷୀ ମଧୁର କଲରବ କରୁଥାଆନ୍ତି ଏବଂ ବିଭିନ୍ନ ଜାତିର ମତୁଆଲା ଭ୍ରମରମାନେ ମଧୁର ଗୁଞ୍ଜରଣ କରୁଥାଆନ୍ତି | ଏହି ଆଶ୍ରମ, ଭବନ, ଘାଟି ତଥା ଜଳାଶୟରେ ସେଠାର ଦେବେଶ୍ବର-ଗଣ ପରମ ସୁନ୍ଦରୀ ଦେବାଙ୍ଗନାଙ୍କ ସହିତ ସେମାନଙ୍କର କାମୋନ୍ମାଦସୂଚକ ହାସ-ବିଳାସ ଏବଂ ଲୀଳା-କଟାକ୍ଷରେ ଆକୃଷ୍ଟ ହୋଇ ଜଳକ୍ରୀଡା ଆଦି ଅନେକ ପ୍ରକାରର ଖେଳ ଖେଳି ବିହାର କରୁଥାଆନ୍ତି ତଥା ସେମାନଙ୍କର ପ୍ରଧାନ-ପ୍ରଧାନ ଅନୁଚରଗଣ ଅନେକ ପ୍ରକାର ସାମଗ୍ରୀ ଦ୍ବାରା ସେମାନଙ୍କର ଆଦର-ସତ୍କାର କରିବାରେ ଲାଗିଥାଆନ୍ତି |

ନବସ୍ୱପି ବର୍ଷେଷୁ ଭଗବାନ୍ ନାରାୟଣୋ ମହାପୁରୁଷଃ

ପୁରୁଷାଣାଂ ତଦନୁଗ୍ରହାୟାତ୍ମତତ୍ତ୍ୱବ୍ୟୂହେନାତ୍ମନାଦ୍ୟାପି

ସନ୍ନିଧୀୟତେ ॥ ୧୪॥

ଏହି ନଅ ଦେଶରେ ପରମପୁରୁଷ ଭଗବାନ ନାରାୟଣ ସେଠାର ନିବାସୀ ପୁରୁଷମାନଙ୍କ ପ୍ରତି ଅନୁଗ୍ରହ କରିବା ନିମନ୍ତେ ସବୁ ସମୟରେ ନିଜର ବିଭିନ୍ନ ମୂର୍ତ୍ତିରେ ବିରାଜମାନ କରିଥାଆନ୍ତି |

ଇଲାବୃତେ ତୁ ଭଗବାନ୍ ଭବ ଏକ ଏବ ପୁମାନ୍ ନ ହ୍ୟନ୍ୟ-

ସ୍ତତ୍ରାପରୋ ନିର୍ୱିଶତି ଭବାନ୍ୟାଃ ଶାପନିମିତ୍ତଜ୍ଞୋ

ଯତ୍ପ୍ରବେକ୍ଷ୍ୟତଃ ସ୍ତ୍ରୀଭାବସ୍ତତ୍ପଶ୍ଚାଦ୍ୱକ୍ଷ୍ୟାମି ॥ ୧୫॥

ଇଲାବୃତବର୍ଷରେ ଏକମାତ୍ର ଭଗବାନ ଶଙ୍କର ହିଁ ପୁରୁଷ ଅଟନ୍ତି | ଦେବୀ ପାର୍ବତୀଙ୍କ ଶାପକୁ ଜାଣିଥିବା ଅନ୍ୟ କୌଣସି ପୁରୁଷ ସେଠାରେ ପ୍ରବେଶ କରନ୍ତି ନାହିଁ; କାରଣ ଯିଏ ସେଠାକୁ ଯାଆନ୍ତି, ସେ ସ୍ତ୍ରୀରୂପ ହୋଇଯାଆନ୍ତି | (ଏହି ପ୍ରସଙ୍ଗର ବର୍ଣ୍ଣନା ଆଗକୁ ନବମ ସ୍କନ୍ଧରେ କରାଯିବ |)

ଭବାନୀନାଥୈଃ ସ୍ତ୍ରୀଗଣାର୍ବୁଦସହସ୍ରୈରବରୁଧ୍ୟମାନୋ

ଭଗବତଶ୍ଚତୁର୍ମୂର୍ତେର୍ମହାପୁରୁଷସ୍ୟ ତୁରୀୟାଂ ତାମସୀଂ

ମୂର୍ତିଂ ପ୍ରକୃତିମାତ୍ମନଃ ସଙ୍କର୍ଷଣସଞ୍ଜ୍ଞାମାତ୍ମସମାଧି-

ରୂପେଣ ସନ୍ନିଧାପ୍ୟୈତଦଭିଗୃଣନ୍ ଭବ ଉପଧାବତି ॥ ୧୬॥

ସେଠାରେ ପାର୍ବତୀ ଏବଂ ତାଙ୍କର ଅର୍ବୁଦ-ଖର୍ବୁଦ ଦାସୀମାନଙ୍କ ଦ୍ବାରା ସେବିତ ଭଗବାନ ଶଙ୍କର ପରମ ପୁରୁଷ ପରମାତ୍ମାଙ୍କର ବାସୁଦେବ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଏବଂ ସଂକର୍ଷଣସଂଜ୍ଞକ ଚତୁର୍ବ୍ୟୁହ-ମୂର୍ତ୍ତି ମଧ୍ୟରୁ ନିଜର କାରଣରୂପା ସଂକର୍ଷଣ ନାମକ ତମଃପ୍ରଧାନ ଚତୁର୍ଥ ମୂର୍ତ୍ତିର ଧ୍ୟାନସ୍ଥିତ ମନୋମୟ ବିଗ୍ରହ ରୂପରେ ଚିନ୍ତନ କରନ୍ତି ଏବଂ ଏହି ମନ୍ତ୍ର ଉଚ୍ଚାରଣ କରି ଏହିପରି ସ୍ତୁତି କରନ୍ତି |

ଶ୍ରୀଭଗବାନୁବାଚ

ଓଂ ନମୋ ଭଗବତେ ମହାପୁରୁଷାୟ ସର୍ୱଗୁଣସଙ୍ଖ୍ୟାନାୟା-

ନନ୍ତାୟାବ୍ୟକ୍ତାୟ ନମ ଇତି ॥ ୧୭॥

 ଭଜେ ଭଜନ୍ୟାରଣପାଦପଙ୍କଜଂ

ଭଗସ୍ୟ କୃତ୍ସ୍ନସ୍ୟ ପରଂ ପରାୟଣମ୍ ।

ଭକ୍ତେଷ୍ୱଲଂ ଭାବିତଭୂତଭାବନଂ

ଭବାପହଂ ତ୍ୱା ଭବଭାବମୀଶ୍ୱରମ୍ ॥ ୧୮॥

ଭଗବାନ ଶଙ୍କର ସ୍ତୁତି କରୁଛନ୍ତି – ‘ଔଁ ଯାହାଠାରୁ ସମସ୍ତ ଗୁଣର ଅଭିବ୍ୟକ୍ତି ହୋଇଥାଏ, ସେହି ଅନନ୍ତ ଏବଂ ଅବ୍ୟକ୍ତମୂର୍ତ୍ତି ଓଁକାରସ୍ବରୂପ ପରମପୁରୁଷ ଶ୍ରୀଭଗବାନଙ୍କୁ ନମସ୍କାର | ଭଜନୀୟ ପ୍ରଭୁ ! ଆପଣଙ୍କର ଚରଣକମଳ ଭକ୍ତମାନଙ୍କର ନିଶ୍ଚିତ ଆଶ୍ରୟ ଅଟେ ତଥା ଆପଣ ସ୍ବୟଂ ସମ୍ପୂର୍ଣ୍ଣ ଐଶ୍ବର୍ଯ୍ୟର ଆଶ୍ରୟ ଅଟନ୍ତି | ଭକ୍ତଜନଙ୍କ ସମ୍ମୁଖରେ ଆପଣ ନିଜର ଭୂତଭାବନ ସ୍ବରୂପ ପୂର୍ଣ୍ଣତୟା ପ୍ରକଟ କରିଦେଇ ଥାଆନ୍ତି ତଥା ସେମାନଙ୍କୁ ସଂସାରବନ୍ଧନରୁ ମୁକ୍ତ କରିଥାଆନ୍ତି; କିନ୍ତୁ ଅଭକ୍ତମାନଙ୍କୁ ଆପଣ ବାରମ୍ବାର ସେହି ବନ୍ଧନରେ ନିକ୍ଷେପ କରିବାରେ ଲାଗିଥାଆନ୍ତି | ଆପଣ ହିଁ ସର୍ବେଶ୍ବର ଅଟନ୍ତି, ମୁଁ ଆପଣଙ୍କର ଭଜନ କରୁଛି |

ନ ଯସ୍ୟ ମାୟାଗୁଣଚିତ୍ତବୃତ୍ତିଭି-

ର୍ନିରୀକ୍ଷତୋ ହ୍ୟଣ୍ୱପି ଦୃଷ୍ଟିରଜ୍ୟତେ ।

ଈଶେ ଯଥା ନୋଽଜିତମନ୍ୟୁରଂହସାଂ

କସ୍ତଂ ନ ମନ୍ୟେତ ଜିଗୀଷୁରାତ୍ମନଃ ॥ ୧୯॥

ପ୍ରଭୁ ! ଆମ୍ଭେମାନେ କ୍ରୋଧର ଆବେଗକୁ ଜୟ କରିପାରି ନାହୁଁ ତଥା ଆମର ଦୃଷ୍ଟି ତତ୍କାଳ ପାପରେ ଲିପ୍ତ ହୋଇଯାଏ | କିନ୍ତୁ ଆପଣ ତ ସଂସାରର ନିୟମନ କରିବା ନିମନ୍ତେ ନିରନ୍ତର ସାକ୍ଷୀରୂପରେ ତାହାର ସମସ୍ତ କାର୍ଯ୍ୟକୁ ଦେଖୁଥାଆନ୍ତି | ତଥାପି ଆମ ପ୍ରତି ଆପଣଙ୍କ ଦୃଷ୍ଟିର ସେହି ମାୟିକ ବିଷୟ ତଥା ଚିତ୍ତବୃତ୍ତି ଉପରେ କିଂଚିତ୍ ବି ପ୍ରଭାବ ପଡୁନାହିଁ | ଏପରି ସ୍ଥିତିରେ ନିଜ ମନକୁ ବଶୀଭୂତ କରିବାକୁ ଇଚ୍ଛୁକ କେଉଁ ପୁରୁଷ ଅବା ଆପଣଙ୍କର ଆଦର ନ କରିବ ?

ଅସଦ୍ଦୃଶୋ ଯଃ ପ୍ରତିଭାତି ମାୟଯା

କ୍ଷୀବେବ ମଧ୍ୱାସବତାମ୍ରଲୋଚନଃ ।

ନ ନାଗବଧ୍ୱୋଽର୍ହଣ ଈଶିରେ ହ୍ରିୟା

ଯତ୍ପାଦୟୋଃ ସ୍ପର୍ଶନଧର୍ଷିତେନ୍ଦ୍ରିୟାଃ ॥ ୨୦॥

ଆପଣ ମଧୁ-ଆସବାଦି ପାନ କରିଥିବା କାରଣରୁ ଯେଉଁ ପୁରୁଷଙ୍କୁ ଅରୁଣନୟନ ଏବଂ ଉନ୍ମତ୍ତ ମନେ ହୁଅନ୍ତି, ସେମାନେ ମାୟାରେ ବଶୀଭୂତ ହୋଇ ହିଁ ସେପରି ମିଥ୍ୟା ଦର୍ଶନ କରନ୍ତି | ଆପଣଙ୍କ ଚରଣସ୍ପର୍ଶରେ ଚିତ୍ତ ଚଞ୍ଚଳ ହୋଇ ଯାଇଥିବା କାରଣରୁ ନାଗପତ୍ନୀମାନେ ଲଜ୍ୟାବଶତଃ ଆପଣଙ୍କର ପୂଜା କରିବାକୁ ଅସମର୍ଥ ହୋଇଯାଆନ୍ତି |

ଯମାହୁରସ୍ୟ ସ୍ଥିତିଜନ୍ମସଂୟମଂ

ତ୍ରିଭିର୍ୱିହୀନଂ ଯମନନ୍ତମୃଷୟଃ ।

ନ ବେଦ ସିଦ୍ଧାର୍ଥମିବ କ୍ୱଚିତ୍ସ୍ଥିତଂ

ଭୂମଣ୍ଡଲଂ ମୂର୍ଧସହସ୍ରଧାମସୁ ॥ ୨୧॥

ବେଦମନ୍ତ୍ର ଆପଣଙ୍କୁ ଜଗତର ଉତ୍ପତ୍ତି, ସ୍ଥିତି ଓ ଲୟର କାରଣ କହନ୍ତି; କିନ୍ତୁ ଆପଣ ସ୍ବୟଂ ଏହି ସବୁ ବିକାର-ରହିତ ଅଟନ୍ତି; ସେଥିପାଇଁ ଆପଣଙ୍କୁ ‘ଅନନ୍ତ କହନ୍ତି | ଆପଣଙ୍କର ସହସ୍ତ୍ର ମସ୍ତକ ଉପରେ ଏହି ଭୂମଣ୍ଡଳ ସୋରିଷ ଦାନା ସଦୃଶ ରହିଛି, ଆପଣ ନିଜେ ମଧ୍ୟ ଜାଣନ୍ତି ନାହିଁ ତାହା କେଉଁଠାରେ ସ୍ଥିତ ଅଟେ |

ଯସ୍ୟାଦ୍ୟ ଆସୀଦ୍ଗୁଣବିଗ୍ରହୋ ମହାନ୍

ବିଜ୍ଞାନଧିଷ୍ଣ୍ୟୋ ଭଗବାନଜଃ କିଲ ।

ଯତ୍ସମ୍ଭବୋଽହଂ ତ୍ରିବୃତା ସ୍ୱତେଜସା

ବୈକାରିକଂ ତାମସମୈନ୍ଦ୍ରିୟଂ ସୃଜେ ॥ ୨୨॥

ଯାହାଠାରୁ ଉତ୍ପନ୍ନ ହୋଇ ମୁଁ ଅହଂକାରରୂପ ନିଜର ତ୍ରିଗୁଣମୟ ତେଜରେ ଦେବତା, ଇନ୍ଦ୍ରିୟ ଏବଂ ଭୂତମାନଙ୍କର ରଚନା କରିଥାଏ – ସେହି ବିଜ୍ଞାନର ଆଶ୍ରୟ ଭଗବାନ ବ୍ରହ୍ମା ମଧ୍ୟ ଆପଣଙ୍କର ହିଁ ମହତ୍ତତ୍ତ୍ବସଂଜ୍ଞକ ପ୍ରଥମ ଗୁଣମୟ ସ୍ବରୂପ ଅଟନ୍ତି |

ଏତେ ବୟଂ ଯସ୍ୟ ବଶେ ମହାତ୍ମନଃ

ସ୍ଥିତାଃ ଶକୁନ୍ତା ଇବ ସୂତ୍ରୟନ୍ତ୍ରିତାଃ ।

ମହାନହଂ ବୈକୃତତାମସେନ୍ଦ୍ରିୟାଃ

ସୃଜାମ ସର୍ୱେ ଯଦନୁଗ୍ରହାଦିଦମ୍ ॥ ୨୩॥

ମହାତ୍ମନ୍ ! ମହତ୍ତତ୍ତ୍ବ, ଅହଂକାର-ଇନ୍ଦ୍ରିୟାଭିମାନୀ ଦେବତା, ଇନ୍ଦ୍ରିୟ ଏବଂ ପଞ୍ଚଭୂତ ଆଦି ଆମେ ସବୁ ଡୋରିରେ ବନ୍ଧା ହୋଇଥିବା ପକ୍ଷୀ ପରି ଆପଣଙ୍କ କ୍ରିୟାଶକ୍ତିରେ ବଶୀଭୂତ ରହି ଆପଣଙ୍କ କୃପାରୁ ହିଁ ଏହି ଜଗତର ରଚନା କରିଥାଉ |

ଯନ୍ନିର୍ମିତାଂ କର୍ହ୍ୟପି କର୍ମପର୍ୱଣୀଂ

ମାୟାଂ ଜନୋଽୟଂ ଗୁଣସର୍ଗମୋହିତଃ ।

ନ ବେଦ ନିସ୍ତାରଣୟୋଗମଞ୍ଜସା

ତସ୍ମୈ ନମସ୍ତେ ବିଲୟୋଦୟାତ୍ମନେ ॥ ୨୪॥

ସତ୍ତ୍ଵାଦି ଗୁଣର ସୃଷ୍ଟିରେ ମୋହିତ ଏହି ଜୀବ ଆପଣଙ୍କ ଦ୍ବାରା ରଚିତ ତଥା କର୍ମବନ୍ଧନରେ ବାନ୍ଧୁଥିବା ମାୟାକୁ ତ ବେଳେବେଳେ ଜାଣିପାରି ଥାଏ, କିନ୍ତୁ ତା କବଳରୁ ମୁକ୍ତ ହେବାର ଉପାୟ ତାକୁ ସୁଗମତାରେ ପ୍ରାପ୍ତ ହୋଇ ନ ଥାଏ | ଏହି ଜଗତର ଉତ୍ପତ୍ତି ଏବଂ ପ୍ରଳୟ ମଧ୍ୟ ଆପଣଙ୍କର ହିଁ ରୂପ ଅଟେ | ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ ॥ ୧୭॥

Comments

Popular posts from this blog