ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଅଷ୍ଟାଦଶ ଅଧ୍ୟାୟ

ଭିନ୍ନ ଭିନ୍ନ ଦେଶର ବର୍ଣ୍ଣନ

ଶ୍ରୀଶୁକ ଉବାଚ

ତଥା ଚ ଭଦ୍ରଶ୍ରବା ନାମ ଧର୍ମସୁତସ୍ତତ୍କୁଲପତୟଃ

ପୁରୁଷା ଭଦ୍ରାଶ୍ୱବର୍ଷେ ସାକ୍ଷାଦ୍ଭଗବତୋ ବାସୁଦେବସ୍ୟ

ପ୍ରିୟାଂ ତନୁଂ ଧର୍ମମୟୀଂ ହୟଶୀର୍ଷାଭିଧାନାଂ ପରମେଣ

ସମାଧିନା ସନ୍ନିଧାପ୍ୟେଦମଭିଗୃଣନ୍ତ ଉପଧାବନ୍ତି ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଭଦ୍ରାଶ୍ବବର୍ଷରେ ଧର୍ମପୁତ୍ର ଭଦ୍ରଶ୍ରବା ଏବଂ ତାଙ୍କର ମୁଖ୍ୟ-ମୁଖ୍ୟ ସେବକମାନେ ଭଗବାନ ବାସୁଦେବଙ୍କର ହୟଗ୍ରୀବସଂଜ୍ଞକ ଧର୍ମମୟୀ ପ୍ରିୟ ମୂର୍ତ୍ତିକୁ ଅତ୍ୟନ୍ତ ସମାଧିନିଷ୍ଠା ଦ୍ବାରା ହୃଦୟରେ ସ୍ଥାପିତ କରି ଏହି ମନ୍ତ୍ର ଜପ କରିବା ସହିତ ଏହିପରି ତାଙ୍କର ସ୍ତୁତି କରନ୍ତି |

ଭଦ୍ରଶ୍ରବସ ଊଚୁଃ

ଓଂ ନମୋ ଭଗବତେ ଧର୍ମାୟାତ୍ମବିଶୋଧନାୟ ନମ ଇତି ॥ ୨॥

ଭଦ୍ରଶ୍ରବା ଏବଂ ତାଙ୍କର ସେବକମାନେ କହୁଛନ୍ତି – ଚିତ୍ତ ଶୁଦ୍ଧକାରୀ ଓଁକାରସ୍ବରୂପ ଭଗବାନ ଧର୍ମଙ୍କୁ ନମସ୍କାର |

ଅହୋ ବିଚିତ୍ରଂ ଭଗବଦ୍ୱିଚେଷ୍ଟିତଂଙ୍କର

ଘ୍ନନ୍ତଂ ଜନୋଽୟଂ ହି ମିଷନ୍ନ ପଶ୍ୟତି ।

ଧ୍ୟାୟନ୍ନସଦ୍ୟର୍ହି ବିକର୍ମ ସେବିତୁଂ

ନିର୍ହୃତ୍ୟ ପୁତ୍ରଂ ପିତରଂ ଜିଜୀବିଷତି ॥ ୩॥

ଆହା ! ଭଗବାନଙ୍କର ଲୀଳା ଅତୀବ ବିଚିତ୍ର ଅଟେ; ଯାହା କାରଣରୁ ଏହି ଜୀବ ସମ୍ପୂର୍ଣ୍ଣ ଲୋକକୁ ସଂହାର କରୁଥିବା କାଳକୁ ଦେଖି ମଧ୍ୟ ଦେଖି ନ ଥାଏ ଏବଂ ତୁଚ୍ଛ ବିଷୟ-ସେବନ ନିମନ୍ତେ ପାପମୟ ବିଚାରର ଜାଲ ବୁଣିବାରେ ଲାଗିଥାଏ | ନିଜ ହାତରେ ହିଁ ନିଜ ପିତା-ପୁତ୍ରଙ୍କର ଶବଦାହ କରୁଥିଲେ ବି ନିଜକୁ ଜୀବିତ ରଖିବାର ଇଚ୍ଛା ପୋଷଣ କରୁଥାଏ |

ବଦନ୍ତି ବିଶ୍ୱଂ କବୟଃ ସ୍ମ ନଶ୍ୱରଂ

ପଶ୍ୟନ୍ତି ଚାଧ୍ୟାତ୍ମବିଦୋ ବିପଶ୍ଚିତଃ ।

ତଥାପି ମୁହ୍ୟନ୍ତି ତବାଜ ମାୟଯା

ସୁବିସ୍ମିତଂ କୃତ୍ୟମଜଂ ନତୋଽସ୍ମି ତମ୍ ॥ ୪॥

ବିଦ୍ବାନଜନ ଜଗତକୁ ନଶ୍ବର କହନ୍ତି ଏବଂ ସୂକ୍ଷ୍ମଦର୍ଶୀ ଆତ୍ମଜ୍ଞାନୀମାନେ ମଧ୍ୟ ତାହାକୁ ସେହିପରି ଦେଖନ୍ତି; ତଥାପି ହେ ଜନ୍ମରହିତ ପ୍ରଭୁ ! ଲୋକେ ଆପଣଙ୍କ ମାୟାରେ ମୋହିତ ହୋଇଯାଆନ୍ତି | ଆପଣ ଅନାଦି ଅଟନ୍ତି ତଥା ଆପଣଙ୍କର କୃତ୍ୟ ଅତ୍ୟନ୍ତ ବିସ୍ମୟଜନକ ଅଟେ, ଆମେ ଆପଣଙ୍କୁ ନମସ୍କାର କରୁଛୁ |

ବିଶ୍ୱୋଦ୍ଭବସ୍ଥାନନିରୋଧକର୍ମ ତେ

ହ୍ୟକର୍ତୁରଙ୍ଗୀକୃତମପ୍ୟପାବୃତଃ ।

ଯୁକ୍ତଂ ନ ଚିତ୍ରଂ ତ୍ୱୟି କାର୍ୟକାରଣେ

ସର୍ୱାତ୍ମନି ବ୍ୟତିରିକ୍ତେ ଚ ବସ୍ତୁତଃ ॥ ୫॥

ପରମାତ୍ମନ୍ ! ଆପଣ ଅକର୍ତ୍ତା ଏବଂ ମାୟା-ଆବରଣରହିତ ଅଟନ୍ତି; ତଥାପି ଜଗତର ଉତ୍ପତ୍ତି, ସ୍ଥିତି ଏବଂ ପ୍ରଳୟକୁ ଆପଣଙ୍କର କର୍ମ ମନେ କରାଯାଇ ଥାଏ | ଅବଶ୍ୟ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ | କାରଣ ସର୍ବାତ୍ମରୂପରେ ଆପଣ ହିଁ ତ ସବୁ କାର୍ଯ୍ୟର କାରଣ ଅଟନ୍ତି ଏବଂ ନିଜ ଶୁଦ୍ଧସ୍ବରୂପରେ ଏହି କାର୍ଯ୍ୟ-କାରଣ ଭାବରୁ ସର୍ବତୋ ଭାବରେ ଅତୀତ ଅଟନ୍ତି |

ବେଦାନ୍ ଯୁଗାନ୍ତେ ତମସା ତିରସ୍କୃତାନ୍

ରସାତଲାଦ୍ୟୋ ନୃତୁରଙ୍ଗବିଗ୍ରହଃ ।

ପ୍ରତ୍ୟାଦଦେ ବୈ କବୟେଽଭିୟାଚତେ

ତସ୍ମୈ ନମସ୍ତେଽବିତଥେହିତାୟ ଇତି ॥ ୬॥

ଆପଣଙ୍କର ବିଗ୍ରହ ମନୁଷ୍ୟ ଏବଂ ଅଶ୍ବର ସଂଯୁକ୍ତ ରୂପ ଅଟେ | ପ୍ରଳୟକାଳରେ ତମଃପ୍ରଧାନ ଦୈତ୍ୟଗଣ ଯେତେବେଳେ ବେଦକୁ ଚୋରାଇ ନେଇଥିଲେ, ସେତେବେଳେ ବ୍ରହ୍ମାଙ୍କର ପ୍ରାର୍ଥନା ସ୍ବୀକାର କରି ଆପଣ ତାହାକୁ ରସାତଳରୁ ଉଦ୍ଧାର କରି ଆଣିଥିଲେ | ଏପରି ଅମୋଘ ଲୀଳା କରୁଥିବା ସତ୍ୟସଂକଳ୍ପ ଆପଣଙ୍କୁ ମୁଁ ନମସ୍କାର କରୁଛି |

ହରିବର୍ଷେ ଚାପି ଭଗବାନ୍ ନରହରିରୂପେଣାସ୍ତେ

ତଦ୍ରୂପଗ୍ରହଣନିମିତ୍ତମୁତ୍ତରତ୍ରାଭିଧାସ୍ୟେ ତଦ୍ଦୟିତଂ

ରୂପଂ ମହାପୁରୁଷଗୁଣଭାଜନୋ ମହାଭାଗବତୋ

ଦୈତ୍ୟଦାନବକୁଲତୀର୍ଥୀକରଣଶୀଲାଚରିତଃ

ପ୍ରହ୍ଲାଦୋଽବ୍ୟବଧାନାନନ୍ୟଭକ୍ତିୟୋଗେନ ସହ

ତଦ୍ୱର୍ଷପୁରୁଷୈରୁପାସ୍ତେ ଇଦଂ ଚୋଦାହରତି ॥ ୭॥

ହରିବର୍ଷଖଣ୍ଡରେ ଭଗବାନ ନୃସିଂହରୂପରେ ରହନ୍ତି | ଯେଉଁ କାରଣରୁ ସେ ସେହି ରୂପ ଧାରଣ କରିଥିଲେ, ତାହାର ବର୍ଣ୍ଣନା ଆଗକୁ ସପ୍ତମ ସ୍କନ୍ଧରେ କରାଯିବ | ଭଗବାନଙ୍କର ସେହି ପ୍ରିୟ ରୂପର ଉପାସନା ମହାଭାଗବତ ପ୍ରହ୍ଲାଦ ଦେଶର ଅନ୍ୟ ପୁରୁଷଙ୍କ ସହିତ ନିଷ୍କାମ ଏବଂ ଅନନ୍ୟ ଭକ୍ତିଭାବରେ କରନ୍ତି | ଏହି ପ୍ରହ୍ଲାଦ ମହାପୁରୁଷୋଚିତ ଗୁଣରେ ସମ୍ପନ୍ନ ଅଟନ୍ତି ତଥା ସେ ନିଜର ଶୀଳ ଏବଂ ଆଚରଣରେ ଦୈତ୍ୟ ଏବଂ ଦାନବ କୁଳକୁ ପବିତ୍ର କରିଥିଲେ | ସେ ଏହି ମନ୍ତ୍ର ତଥା ସ୍ତୋତ୍ରର ଜପ-ପାଠ କରନ୍ତି |

ଓଂ ନମୋ ଭଗବତେ ନରସିଂହାୟ ନମସ୍ତେଜସ୍ତେଜସେ

ଆବିରାବିର୍ଭବ ବଜ୍ରନଖ ବଜ୍ରଦଂଷ୍ଟ୍ର କର୍ମାଶୟାନ୍

ରନ୍ଧୟ ରନ୍ଧୟ ତମୋ ଗ୍ରସ ଗ୍ରସ ଓଂ ସ୍ୱାହା

ଅଭୟମଭୟମାତ୍ମନି ଭୂୟିଷ୍ଠା ଓଂ କ୍ଷ୍ରୌମ୍ ॥ ୮॥

‘ଓଁକାରସ୍ବରୂପ ଭଗବାନ ନୃସିଂହଦେବଙ୍କୁ ନମସ୍କାର | ଆପଣ ଅଗ୍ନି ଆଦି ତେଜମାନଙ୍କର ମଧ୍ୟ ତେଜ ଅଟନ୍ତି, ଆପଣଙ୍କୁ ନମସ୍କାର | ହେ ବଜ୍ରନଖ ! ହେ ବଜ୍ରଦଂଷ୍ଟ୍ର ! ଆପଣ ଆମ ସମୀପରେ ପ୍ରକଟ ହୋଇ ଆମର କର୍ମବାସନାକୁ ଜାଳି ଦିଅନ୍ତୁ | ଆମର ଅଜ୍ଞାନରୂପ ଅନ୍ଧକାରକୁ ନଷ୍ଟ କରନ୍ତୁ ....ଓଁ ସ୍ବାହା | ଅଭୟଦାନ ଦେଇ ଆମ୍ଭମାନଙ୍କର ଅନ୍ତଃକରଣରେ ପ୍ରକାଶିତ ହୁଅନ୍ତୁ .....ଓଁ କ୍ଷ୍ଣୌମ୍ |

ସ୍ୱସ୍ତ୍ୟସ୍ତୁ ବିଶ୍ୱସ୍ୟ ଖଲଃ ପ୍ରସୀଦତାଂ

ଧ୍ୟାୟନ୍ତୁ ଭୂତାନି ଶିବଂ ମିଥୋ ଧିୟା ।

ମନଶ୍ଚ ଭଦ୍ରଂ ଭଜତାଦଧୋକ୍ଷଜେ

ଆବେଶ୍ୟତାଂ ନୋ ମତିରପ୍ୟହୈତୁକୀ ॥ ୯॥

ହେ ନାଥ ! ବିଶ୍ବର କଲ୍ୟାଣ ହେଉ, ଦୁଷ୍ଟମାନଙ୍କର ବୁଦ୍ଧି ଶୁଦ୍ଧ ହେଉ, ପ୍ରାଣୀମାନଙ୍କ ମଧ୍ୟରେ ପରସ୍ପର ସଦ୍-ଭାବନା ରହୁ, ସମସ୍ତେ ପରସ୍ପରର ହିତଚିନ୍ତନ କରନ୍ତୁ, ଆମ୍ଭମାନଙ୍କର ମନ ଶୁଭ ମାର୍ଗରେ ପ୍ରବୃତ୍ତ ହେଉ ଏବଂ ବୁଦ୍ଧି ନିଷ୍କାମଭାବରେ ଭଗବାନ ଶ୍ରୀହରିଙ୍କ ମଧ୍ୟରେ ପ୍ରବେଶ କରୁ |

ମାଗାରଦାରାତ୍ମଜବିତ୍ତବନ୍ଧୁଷୁ

ସଙ୍ଗୋ ଯଦି ସ୍ୟାଦ୍ଭଗବତ୍ପ୍ରିୟେଷୁ ନଃ ।

ଯଃ ପ୍ରାଣବୃତ୍ତ୍ୟା ପରିତୁଷ୍ଟ ଆତ୍ମବାନ୍

ସିଦ୍ଧ୍ୟତ୍ୟଦୂରାନ୍ନ ତଥେନ୍ଦ୍ରିୟପ୍ରିୟଃ ॥ ୧୦॥

ପ୍ରଭୁ ! ଘର, ସ୍ତ୍ରୀ, ପୁତ୍ର, ଧନ ଏବଂ ଭାଇ-ବନ୍ଧୁଙ୍କଠାରେ ଆମର ଆସକ୍ତି ନ ରହୁ; ଆସକ୍ତି କେବଳ ଭଗବାନଙ୍କର ପ୍ରେମୀଭକ୍ତଙ୍କ ପ୍ରତି ରହୁ | ଯେଉଁ ସଂଯମୀ ପୁରୁଷ ଅନ୍ନାଦିର ବ୍ୟବହାର କେବଳ ଶରୀରନିର୍ବାହ ନିମନ୍ତେ କରି ସନ୍ତୁଷ୍ଟ ରହନ୍ତି, ସେମାନେ ଯେତେ ସହଜରେ ସିଦ୍ଧି ପ୍ରାପ୍ତ କରନ୍ତି, ସେତେ ସହଜରେ ଇନ୍ଦ୍ରିୟଲୋଲୁପ ବିଷୟୀ ପୁରୁଷମାନେ କରିପାରନ୍ତି ନାହିଁ |

ଯତ୍ସଙ୍ଗଲବ୍ଧଂ ନିଜବୀର୍ୟବୈଭବଂ

ତୀର୍ଥଂ ମୁହୁଃ ସଂସ୍ପୃଶତାଂ ହି ମାନସମ୍ ।

ହରତ୍ୟଜୋଽନ୍ତଃଶ୍ରୁତିଭିର୍ଗତୋଽଙ୍ଗଜଂ

କୋ ବୈ ନ ସେବେତ ମୁକୁନ୍ଦବିକ୍ରମମ୍ ॥ ୧୧॥

ସେହି ଭଗବଦ୍-ଭକ୍ତମାନଙ୍କର ସଂଗତିରେ ଭଗବାନଙ୍କର ତୀର୍ଥତୁଲ୍ୟ ପବିତ୍ର ଚରିତ୍ର ଶୁଣିବାକୁ ମିଳିଥାଏ, ଯାହା ତାଙ୍କର ଅସାଧାରଣ ଶକ୍ତି ଏବଂ ପ୍ରଭାବର ସୂଚକ ଅଟେ | ତାହାର ବାରମ୍ବାର ସେବନ କରୁଥିବା ବ୍ୟକ୍ତିର କର୍ଣ୍ଣଗହ୍ବର ମଧ୍ୟ ଦେଇ ଭଗବାନ ତାର ହୃଦୟରେ ପ୍ରବେଶ କରନ୍ତି ଏବଂ ତାର ସମସ୍ତ ଦୈହିକ ଏବଂ ମାନସିକ ମଳକୁ ନଷ୍ଟ କରିଦିଅନ୍ତି | ସେପରି ଭଗବଦ୍-ଭକ୍ତମାନଙ୍କର ସଂଗତି କିଏ ଅବା ନ କରିବ ?

ଯସ୍ୟାସ୍ତି ଭକ୍ତିର୍ଭଗବତ୍ୟକିଞ୍ଚନା

ସର୍ୱୈର୍ଗୁଣୈସ୍ତତ୍ର ସମାସତେ ସୁରାଃ ।

ହରାବଭକ୍ତସ୍ୟ କୁତୋ ମହଦ୍ଗୁଣା

ମନୋରଥେନାସତି ଧାବତୋ ବହିଃ ॥ ୧୨॥

ଯେଉଁ ପୁରୁଷର ଭଗବାନଙ୍କଠାରେ ନିଷ୍କାମ ଭକ୍ତି ରହିଥାଏ, ତାଙ୍କ ହୃଦୟରେ ଧର୍ମ-ଜ୍ଞାନ ଆଦି ସମ୍ପୂର୍ଣ୍ଣ ସଦଗୁଣ ସହିତ ସମସ୍ତ ଦେବତା ସଦା ନିବାସ କରନ୍ତି | କିନ୍ତୁ ଯିଏ ଭଗବାନଙ୍କର ଭକ୍ତ ନୁହଁନ୍ତି, ତାଙ୍କଠାରେ ମହାପୁରୁଷମାନଙ୍କର ସେହି ସବୁ ଗୁଣ କେଉଁଠାରୁ ଆସିବ ? ସେମାନେ ତ ନାନା ପ୍ରକାରର ସଂକଳ୍ପ କରି ନିରନ୍ତର ତୁଚ୍ଛ ବାହ୍ୟ ବିଷୟ ଅଭିମୁଖରେ ଧାଉଁ ଥାଆନ୍ତି |

ହରିର୍ହି ସାକ୍ଷାଦ୍ଭଗବାନ୍ ଶରୀରିଣା-

ମାତ୍ମା ଝଷାଣାମିବ ତୋୟମୀପ୍ସିତମ୍ ।

ହିତ୍ୱା ମହାଂସ୍ତଂ ଯଦି ସଜ୍ଜତେ ଗୃହେ

ତଦା ମହତ୍ତ୍ୱଂ ବୟସା ଦମ୍ପତୀନାମ୍ ॥ ୧୩॥

ମାଛମାନଙ୍କୁ ଜଳ ଅତ୍ୟନ୍ତ ପ୍ରିୟ ଅଟେ; ତାହା ସେମାନଙ୍କ ଜୀବନର ଆଧାର ଅଟେ | ସେହିପରି, ସମସ୍ତ ଦେହଧାରୀଙ୍କର ପ୍ରିୟତମ ଆତ୍ମା ଭଗବାନ ଶ୍ରୀହରି ହିଁ ଅଟନ୍ତି | ତାଙ୍କୁ ତ୍ୟାଗ କରି ଯଦି କୌଣସି ମହତ୍ତ୍ବାଭିମାନୀ ପୁରୁଷ ଗୃହରେ ଆସକ୍ତ ରହନ୍ତି, ସେହି ସ୍ଥିତିରେ ସ୍ତ୍ରୀ-ପୁରୁଷଙ୍କର ବଡପଣ କେବେଳ ସେମାନଙ୍କର ଆୟୁ ଦ୍ବାରା ନିର୍ଣ୍ଣୟ କରାଯାଇ ଥାଏ, ଗୁଣ ଦୃଷ୍ଟିରୁ ନୁହେଁ |

ତସ୍ମାଦ୍ରଜୋରାଗବିଷାଦମନ୍ୟୁ-

ମାନସ୍ପୃହାଭୟଦୈନ୍ୟାଧିମୂଲମ୍ ।

ହିତ୍ୱା ଗୃହଂ ସଂସୃତିଚକ୍ରବାଲଂ

ନୃସିଂହପାଦଂ ଭଜତାକୁତୋଭୟମିତି ॥ ୧୪॥

ତେଣୁ ହେ ଅସୁରଗଣ ! ତୁମେ ତୃଷ୍ଣା, ରାଗ, ବିଷାଦ, କ୍ରୋଧ, ଅଭିମାନ, ଇଚ୍ଛା, ଭୟ ଏବଂ ମାନସିକ ସନ୍ତାପର ମୂଳ ତଥା ଜନ୍ମ-ମରଣରୂପ ସଂସାରଚକ୍ରକୁ ବହନ କରୁଥିବା ଗୃହ ଆଦିକୁ ତ୍ୟାଗ କରି ଭଗବାନ ନୃସିଂହଙ୍କର ଅଭୟ ଚରଣକମଳର ଆଶ୍ରୟ ଗ୍ରହଣ କର |

କେତୁମାଲେଽପି ଭଗବାନ୍ କାମଦେବସ୍ୱରୂପେଣ ଲକ୍ଷ୍ମ୍ୟାଃ

ପ୍ରିୟଚିକୀର୍ଷୟା ପ୍ରଜାପତେର୍ଦୁହିତୄଣାଂ ପୁତ୍ରାଣାଂ ତଦ୍ୱର୍ଷପତୀନାଂ

ପୁରୁଷାୟୁଷାହୋରାତ୍ରପରିସଙ୍ଖ୍ୟାନାନାଂ ଯାସାଂ ଗର୍ଭା ମହାପୁରୁଷ-

ମହାସ୍ତ୍ରତେଜସୋଦ୍ୱେଜିତମନସାଂ ବିଧ୍ୱସ୍ତା ବ୍ୟସବଃ

ସମ୍ବତ୍ସରାନ୍ତେ ବିନିପତନ୍ତି ॥ ୧୫॥

କେତୁମାଳବର୍ଷରେ ଲକ୍ଷ୍ମୀଦେବୀ ତଥା ସମ୍ବତ୍ସର ନାମକ ପ୍ରଜାପତିଙ୍କର ପୁତ୍ର ଏବଂ କନ୍ୟାଙ୍କର ପ୍ରୀତିବିଧାନ ନିମନ୍ତେ ଭଗବାନ କାମଦେବ ରୂପରେ ନିବାସ କରନ୍ତି | ସେହି ରାତ୍ରୀ ଅଭିମାନୀ ଦେବତାରୂପିଣୀ କନ୍ୟା ଏବଂ ଦିବସଅଭିମାନୀ ଦେବତାରୂପ ପୁତ୍ରମାନଙ୍କର ସଂଖ୍ୟା ମନୁଷ୍ୟର ଶହେ ବର୍ଷ ଆୟୁର ଦିନ ଏବଂ ରାତି ସହିତ ସମାନ ଅଟେ; ଅର୍ଥାତ୍ ଛତିଶ-ଛତିଶ ହଜାର ଅଟେ ଏବଂ ସେମାନେ ହିଁ ସେହି ଦେଶର ଅଧିପତି ଅଟନ୍ତି | ସେହି କନ୍ୟାମାନେ ପରମପୁରୁଷ ଶ୍ରୀନାରାୟଣଙ୍କର ଶ୍ରେଷ୍ଠ ଅସ୍ତ୍ର ସୁଦର୍ଶନ ଚକ୍ରର ତେଜକୁ ଦେଖି ଭୟଭୀତ ହୋଇଯାଆନ୍ତି ଏବଂ ସେଥିପାଇଁ ପ୍ରତିବର୍ଷ ଶେଷରେ ସେମାନଙ୍କର ଗର୍ଭପାତ ହୋଇଯାଏ |

ଅତୀବ ସୁଲଲିତଗତିବିଲାସବିଲସିତରୁଚିରହାସ-

ଲେଶାବଲୋକଲୀଲୟା କିଞ୍ଚିଦୁତ୍ତମ୍ଭିତସୁନ୍ଦରଭ୍ରୂମଣ୍ଡଲ-

ସୁଭଗବଦନାରବିନ୍ଦଶ୍ରିୟା ରମାଂ ରମୟନ୍ନିନ୍ଦ୍ରିୟାଣି

ରମୟତେ ॥ ୧୬॥

ଭଗବାନ ନିଜର ସୁଲଳିତ ଗତି-ବିଳାସରେ ସୁଶୋଭିତ ମଧୁର-ମନ୍ଦ-ସ୍ମିତହାସ୍ୟଯୁକ୍ତ ମନୋହର ଲୀଳାପୂର୍ଣ୍ଣ ଚାରୁ ଚାହାଣୀରେ ଇଷତ୍ ବକ୍ର ଭ୍ରୁମଣ୍ଡଳର ଛବିଳ ଛଟା ଦ୍ବାରା ବଦନାରବିନ୍ଦର ରାଶି-ରାଶି ସୌନ୍ଦର୍ଯ୍ୟ ବର୍ଷଣ କରି ସୌନ୍ଦର୍ଯ୍ୟଦେବୀ ଲକ୍ଷ୍ମୀଙ୍କୁ ଆନନ୍ଦିତ କରିବା ସହିତ ନିଜେ ମଧ୍ୟ ଆନନ୍ଦ ବିଭୋର ହେଉଥାଆନ୍ତି |

ତଦ୍ଭଗବତୋ ମାୟାମୟଂ ରୂପଂ ପରମସମାଧିୟୋଗେନ

ରମାଦେବୀ ସମ୍ବତ୍ସରସ୍ୟ ରାତ୍ରିଷୁ ପ୍ରଜାପତେର୍ଦୁହିତୃଭି-

ରୁପେତାହଃସୁ ଚ ତଦ୍ଭର୍ତୃଭିରୁପାସ୍ତେ ଇଦଂ ଚୋଦାହରତି ॥ ୧୭॥

ଶ୍ରୀଲକ୍ଷ୍ମୀଦେବୀ ସମାଧିଯୋଗ ଦ୍ବାରା ରାତିରେ ପ୍ରଜାପତି ସମ୍ବତ୍ସରଙ୍କର କନ୍ୟାମାନଙ୍କ ସହିତ ଏବଂ ଦିନରେ ସେମାନଙ୍କର ପତିମାନଙ୍କ ସହିତ ଭଗବାନଙ୍କର ସେହି ମାୟାମୟ ସ୍ବରୂପର ଆରାଧନା କରିବା ସହିତ ଏହି ମନ୍ତ୍ର ଜପ କରି ତାଙ୍କର ସ୍ତୁତି କରନ୍ତି |

ଓଂ ହ୍ରାଂ ହ୍ରୀଂ ହ୍ରୂଂ ଓଂ ନମୋ ଭଗବତେ ହୃଷୀକେଶାୟ

ସର୍ୱଗୁଣବିଶେଷୈର୍ୱିଲକ୍ଷିତାତ୍ମନେ ଆକୂତୀନାଂ ଚିତ୍ତୀନାଂ

ଚେତସାଂ ବିଶେଷାଣାଂ ଚାଧିପତୟେ ଷୋଡଶକଲାୟ

ଚ୍ଛନ୍ଦୋମୟାୟାନ୍ନମୟାୟାମୃତମୟାୟ ସର୍ୱମୟାୟ

ସହସେ ଓଜସେ ବଲାୟ କାନ୍ତାୟ କାମାୟ ନମସ୍ତେ

ଉଭୟତ୍ର ଭୂୟାତ୍ ॥ ୧୮॥

ଯିଏ ଇନ୍ଦ୍ରିୟମାନଙ୍କର ନିୟନ୍ତା ଏବଂ ସମ୍ପୂର୍ଣ୍ଣ ଶ୍ରେଷ୍ଠ ବସ୍ତୁର ଭଣ୍ଡାର ଅଟନ୍ତି, କ୍ରିୟାଶକ୍ତି, ଜ୍ଞାନଶକ୍ତି ଏବଂ ସଂକଳ୍ପ-ଅଧ୍ୟବସାୟ ଆଦି ଚିତ୍ତର ଧର୍ମ ତଥା ସେମାନଙ୍କ ବିଷୟର ଅଧୀଶ୍ବର ଅଟନ୍ତି, ଏକାଦଶ ଇନ୍ଦ୍ରିୟ ଏବଂ ପାଞ୍ଚ ବିଷୟ – ଏହି ଷୋଳକଳାରେ ଯୁକ୍ତ ଅଟନ୍ତି, ବେଦୋକ୍ତ କର୍ମ ଦ୍ବାରା ପ୍ରାପ୍ତ ଅଟନ୍ତି ତଥା ଅନ୍ନମୟ, ଅମୃତମୟ ଏବଂ ସର୍ବମୟ ଅଟନ୍ତି – ସେହି ମାନସିକ, ଐନ୍ଦ୍ରିୟକ ଏବଂ ଶାରୀରିକ ବଳସ୍ବରୂପ ପରମ ସୁନ୍ଦର ଭଗବାନ କାମଦେବଙ୍କୁ ଔଁ ହ୍ରାଂ ହ୍ରୀଂ ହ୍ରୁଂ ଏହି ବୀଜମନ୍ତ୍ର ସହିତ ସବୁ ପ୍ରକାରେ ନମସ୍କାର |

ସ୍ତ୍ରିୟୋ ବ୍ରତୈସ୍ତ୍ୱା ହୃଷୀକେଶ୍ୱରଂ ସ୍ୱତୋ

ହ୍ୟାରାଧ୍ୟ ଲୋକେ ପତିମାଶାସତେଽନ୍ୟମ୍ ।

ତାସାଂ ନ ତେ ବୈ ପରିପାନ୍ତ୍ୟପତ୍ୟଂ

ପ୍ରିୟଂ ଧନାୟୂଂଷି ଯତୋଽସ୍ୱତନ୍ତ୍ରାଃ ॥ ୧୯॥

ଭଗବନ୍ ! ଆପଣ ଇନ୍ଦ୍ରିୟମାନଙ୍କର ଅଧୀଶ୍ବର ଅଟନ୍ତି ! ସ୍ତ୍ରୀମାନେ ଅନେକ ପ୍ରକାରର କଠୋର ବ୍ରତ ଦ୍ବାରା ଆପଣଙ୍କର ଆରାଧନା କରି ଅନ୍ୟ ଲୌକିକ ପତିମାନଙ୍କର କାମନା କରନ୍ତି | କିନ୍ତୁ ସେମାନେ ତାଙ୍କର ପ୍ରିୟ ପୁତ୍ର, ଧନ ଏବଂ ଆୟୁର ରକ୍ଷା କରିପାରନ୍ତି ନାହିଁ, କାରଣ ସେମାନେ ସ୍ବୟଂ ପରତନ୍ତ୍ର ଅଟନ୍ତି |

ସ ବୈ ପତିଃ ସ୍ୟାଦକୁତୋଭୟଃ ସ୍ୱୟଂ

ସମନ୍ତତଃ ପାତି ଭୟାତୁରଂ ଜନମ୍ ।

ସ ଏକ ଏବେତରଥା ମିଥୋ ଭୟଂ

ନୈବାତ୍ମଲାଭାଦଧି ମନ୍ୟତେ ପରମ୍ ॥ ୨୦॥

ବାସ୍ତବ ପତି ସେ ଅଟନ୍ତି, ଯିଏ ସ୍ବୟଂ ପୂର୍ଣ୍ଣତଃ ନିର୍ଭୟ ଅଟନ୍ତି ତଥା ଅନ୍ୟ ଭୟଭୀତ ପ୍ରାଣୀର ସବୁ ପ୍ରକାରରେ ରକ୍ଷା କରିପାରନ୍ତି | ଏପରି ପତି ଏକମାତ୍ର ଆପଣ ଅଟନ୍ତି; ଯଦି ଏକରୁ ଅଧିକ ଈଶ୍ବର ମାନି ନିଆଯିବ, ତେବେ ସେମାନଙ୍କର ପରସ୍ପର ପ୍ରତି ଭୟ ରହିବାର ସମ୍ଭାବନା ମଧ୍ୟ ରହିବ | ଅତଏବ ଆପଣ ନିଜ ପ୍ରାପ୍ତିଠାରୁ ବଳି ଅନ୍ୟ କୌଣସି ପ୍ରାପ୍ତିକୁ ଲାଭଦାୟକ ମନେକରନ୍ତି ନାହିଁ |

ଯା ତସ୍ୟ ତେ ପାଦସରୋରୁହାର୍ହଣଂ

ନିକାମୟେତ୍ସାଖିଲକାମଲମ୍ପଟା ।

ତଦେବ ରାସୀପ୍ସିତମୀପ୍ସିତୋଽର୍ଚିତୋ

ଯଦ୍ଭଗ୍ନୟାଚ୍ଞା ଭଗବନ୍ ପ୍ରତପ୍ୟତେ ॥ ୨୧॥

ଭଗବନ୍ ! ଯେଉଁ ସ୍ତ୍ରୀ ଆପଣଙ୍କ ଚରଣକମଳର ପୂଜନ ହିଁ ଇଚ୍ଛା କରନ୍ତି, ଅନ୍ୟ କୌଣସି ବସ୍ତୁର କାମନା କରନ୍ତି ନାହିଁ – ସେମାନଙ୍କର ସବୁ କାମନା ସ୍ବତଃ ପୂର୍ଣ୍ଣ ହୋଇଯାଏ; ଅଥଚ ଯିଏ କୌଣସି ନିର୍ଦ୍ଦିଷ୍ଟ ବସ୍ତୁର କାମନା କରି ଆପଣଙ୍କର ଉପାସନା କରନ୍ତି, ତାଙ୍କୁ ଆପଣ କେବଳ ସେହି ବସ୍ତୁ ପ୍ରଦାନ କରନ୍ତି | ପରେ ଭୋଗ ସମାପ୍ତ ହୋଇଯିବା ପରେ ଯେତେବେଳେ ସେହି ବସ୍ତୁର ମହତ୍ତ୍ବ ନଷ୍ଟ ହୋଇଯାଏ, ସେମାନଙ୍କୁ ପୁନର୍ବାର ସେଥିପାଇଁ ସନ୍ତପ୍ତ ହେବାକୁ ପଡିଥାଏ |

ମତ୍ପ୍ରାପ୍ତୟେଽଜେଶସୁରାସୁରାଦୟ-

ସ୍ତପ୍ୟନ୍ତ ଉଗ୍ରଂ ତପ ଐନ୍ଦ୍ରିୟେ ଧିୟଃ ।

ଋତେ ଭବତ୍ପାଦପରାୟଣାନ୍ନ ମାଂ

ବିନ୍ଦନ୍ତ୍ୟହଂ ତ୍ୱଦ୍ଧୃଦୟା ଯତୋଽଜିତ ॥ ୨୨॥

ହେ ଅଜିତ୍ ! ମୋତେ ପ୍ରାପ୍ତ କରିବା ନିମନ୍ତେ ଇନ୍ଦ୍ରିୟ-ସୁଖ ଅଭିଳାଷୀ ବ୍ରହ୍ମା ଏବଂ ରୁଦ୍ର ଆଦି ସମସ୍ତ ସୁରାସୁରଗଣ ଘୋର ତପସ୍ୟା କରୁଥାଆନ୍ତି, କିନ୍ତୁ ଆପଣଙ୍କ ଚରଣକମଳର ଆଶ୍ରୟ ଗ୍ରହଣ କରିଥିବା ଭକ୍ତଙ୍କ ବ୍ୟତିତ ମୋତେ ଅନ୍ୟ କେହି ପ୍ରାପ୍ତ କରିପାରନ୍ତି ନାହିଁ; କାରଣ ମୋର ମନ ତ ଆପଣଙ୍କଠାରେ ହିଁ ଲାଗି ରହିଥାଏ |

ସ ତ୍ୱଂ ମମାପ୍ୟଚ୍ୟୁତ ଶୀର୍ଷ୍ଣି ବନ୍ଦିତଂ

କରାମ୍ବୁଜଂ ଯତ୍ତ୍ୱଦଧାୟି ସାତ୍ୱତାମ୍ ।

ବିଭର୍ଷି ମାଂ ଲକ୍ଷ୍ମ ବରେଣ୍ୟ ମାୟଯା

କ ଈଶ୍ୱରସ୍ୟେହିତମୂହିତୁଂ ବିଭୁରିତି ॥ ୨୩॥

ହେ ଅଚ୍ୟୁତ ! ଆପଣ ନିଜର ଯେଉଁ ବନ୍ଦନୀୟ କରକମଳକୁ ଭକ୍ତମାନଙ୍କର ମସ୍ତକରେ ରଖନ୍ତି, ତାହାକୁ ଆପଣ ମୋର ମସ୍ତକରେ ମଧ୍ୟ ଧାରଣ କରନ୍ତୁ | ହେ ବରେଣ୍ୟ ! ଆପଣ ମୋତେ କେବଳ ଶ୍ରୀଲାଞ୍ଛନରୂପରେ ନିଜ ବକ୍ଷସ୍ଥଳରେ ହିଁ ଧାରଣ କରିଛନ୍ତି; ଆପଣ ସର୍ବସମର୍ଥ ଅଟନ୍ତି, ନିଜ ମାୟାରେ ଆପଣ ଯେଉଁସବୁ ଲୀଳା କରନ୍ତି, ତାର ରହସ୍ୟ କିଏ ଅବା ଜାଣିପାରିବ ?

ରମ୍ୟକେ ଚ ଭଗବତଃ ପ୍ରିୟତମଂ ମାତ୍ସ୍ୟମବତାରରୂପଂ

ତଦ୍ୱର୍ଷପୁରୁଷସ୍ୟ ମନୋପ୍ରାକ୍ପ୍ରଦର୍ଶିତଂ ସ ଇଦାନୀମପି

ମହତା ଭକ୍ତିୟୋଗେନାରାଧୟତୀଦଂ ଚୋଦାହରତି ॥ ୨୪॥

ଓଂ ନମୋ ଭଗବତେ ମୁଖ୍ୟତମାୟ ନମଃ ସତ୍ତ୍ୱାୟ

ପ୍ରାଣାୟୌଜସେ ସହସେ ବଲାୟ ମହାମତ୍ସ୍ୟାୟ ନମ ଇତି ॥ ୨୫॥

ରମ୍ୟକବର୍ଷରେ ଭଗବାନ ପୂର୍ବକାଳରେ ସେଠାର ଅଧିପତି ମନୁ ମହାରାଜଙ୍କୁ ନିଜର ମତ୍ସ୍ୟରୂପ ଦେଖାଇ ଥିଲେ | ଏବେ ମଧ୍ୟ ମନୁ ମହାରାଜ ପୂର୍ଣ୍ଣ ଭକ୍ତିଭାବରେ ଭଗବାନଙ୍କର ସେହି ରୂପର ଉପାସନା କରନ୍ତି ଏବଂ ଏହି ମନ୍ତ୍ର ଜପ କରି ତାଙ୍କର ସ୍ତୁତି କରନ୍ତି – ସତ୍ତ୍ବପ୍ରଧାନ ମୁଖ୍ୟ ପ୍ରାଣ ସୂତ୍ରାତ୍ମା ତଥା ମନୋବଳ, ଇନ୍ଦ୍ରିୟବଳ ଏବଂ ଶରୀରବଳ ଓଁକାରପଦର ଅର୍ଥ ସର୍ବଶ୍ରେଷ୍ଠ ଭଗବାନ ମହାମତ୍ସ୍ୟଙ୍କୁ ବାରମ୍ବାର ନମସ୍କାର |

ଅନ୍ତର୍ବହିଶ୍ଚାଖିଲଲୋକପାଲକୈ-

ରଦୃଷ୍ଟରୂପୋ ବିଚରସ୍ୟୁରୁସ୍ୱନଃ ।

ସ ଈଶ୍ୱରସ୍ତ୍ୱଂ ଯ ଇଦଂ ବଶେଽନୟ-

ନ୍ନାମ୍ନା ଯଥା ଦାରୁମୟୀଂ ନରଃ ସ୍ତ୍ରିୟମ୍ ॥ ୨୬॥

ନଟ କାଠକଣ୍ଢେଇକୁ ନଚାଇବା ପରି ଆପଣ ବ୍ରାହ୍ମଣାଦି ନାମର ଡୋରିରେ ସମ୍ପୂର୍ଣ୍ଣ ବିଶ୍ବକୁ ନିଜର ଅଧୀନସ୍ତ କରି ନଚାଇବାରେ ଲାଗିଛନ୍ତି | ଅତଏବ ଆପଣ ହିଁ ସମସ୍ତଙ୍କର ପ୍ରେରକ ଅଟନ୍ତି | ବ୍ରହ୍ମାଦି ଲୋକପାଳଗଣ ମଧ୍ୟ ଆପଣଙ୍କୁ ଦେଖିପାରନ୍ତି ନାହିଁ, ତଥାପି ଆପଣ ସମସ୍ତ ପ୍ରାଣୀଙ୍କ ଭିତରେ ପ୍ରାଣରୂପରେ ଏବଂ ବାହାରେ ବାୟୁରୂପରେ ନିରନ୍ତର ସଞ୍ଚାର କରୁଥାଆନ୍ତି | ବେଦ ହିଁ ଆପଣଙ୍କର ମହାନ୍ ଶବ୍ଦ ଅଟେ |

ଯଂ ଲୋକପାଲାଃ କିଲ ମତ୍ସରଜ୍ୱରା

ହିତ୍ୱା ଯତନ୍ତୋଽପି ପୃଥକ୍ସମେତ୍ୟ ଚ ।

ପାତୁଂ ନ ଶେକୁର୍ଦ୍ୱିପଦଶ୍ଚତୁଷ୍ପଦଃ

ସରୀସୃପଂ ସ୍ଥାଣୁ ଯଦତ୍ର ଦୃଶ୍ୟତେ ॥ ୨୭॥

ଥରେ ଇନ୍ଦ୍ରାଦି ଇନ୍ଦ୍ରିୟାଭିମାନୀ ଦେବତାମାନଙ୍କର ପ୍ରାଣସ୍ବରୂପ ଆପଣଙ୍କ ପ୍ରତି ଦ୍ବେଷ ଉତ୍ପନ୍ନ ହେଲା | ସେତେବେଳେ ଆପଣଙ୍କଠାରୁ ପୃଥକ୍ ହୋଇ ସେମାନେ ବ୍ୟକ୍ତିଗତ ରୂପରେ ହେଉ ଅଥବା ପରସ୍ପର ମିଳିତ ରୂପରେ ହେଉ କେତେ ଯତ୍ନ କଲେ ବି ମନୁଷ୍ୟ, ପଶୁ ଆଦି ସ୍ଥାବର-ଜଙ୍ଗମ ଯେତେ ପ୍ରାଣୀ ରହିଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ଜଣକୁ ମଧ୍ୟ ରକ୍ଷା କରିପାରିଲେ ନାହିଁ |

ଭବାନ୍ ଯୁଗାନ୍ତାର୍ଣବ ଊର୍ମିମାଲିନି

କ୍ଷୋଣୀମିମାମୋଷଧିବୀରୁଧାଂ ନିଧିମ୍ ।

ମୟା ସହୋରୁକ୍ରମତେଜ ଓଜସା

ତସ୍ମୈ ଜଗତ୍ପ୍ରାଣଗଣାତ୍ମନେ ନମ ଇତି ॥ ୨୮॥

ଅଜନ୍ମା ପ୍ରଭୁ ! ଆପଣ ମୋ ସହିତ ସମସ୍ତ ବୃକ୍ଷ-ଲ଼ତାଙ୍କର ଆଶ୍ରୟରୂପା ଏହି ପୃଥିବୀକୁ ନେଇ ବଡ-ବଡ ଉତ୍ତାଳ ତରଙ୍ଗଯୁକ୍ତ ପ୍ରଳୟକାଳୀନ ସମୁଦ୍ରରେ ଅତ୍ୟନ୍ତ ଉତ୍ସାହର ସହିତ ବିହାର କରିଥିଲେ | ଆପଣ ସଂସାରର ସମସ୍ତ ପ୍ରାଣୀସମୁଦାୟର ନିୟନ୍ତା ଅଟନ୍ତି, ଆପଣଙ୍କୁ ମୋର ନମସ୍କାର |

ହିରଣ୍ମୟେଽପି ଭଗବାନ୍ ନିବସତି କୂର୍ମତନୁଂ

ବିଭ୍ରାଣସ୍ତସ୍ୟ ତତ୍ପ୍ରିୟତମାଂ ତନୁମର୍ୟମା ସହ

ବର୍ଷପୁରୁଷୈଃ ପିତୃଗଣାଧିପତିରୁପଧାବତି

ମନ୍ତ୍ରମିମଂ ଚାନୁଜପତି ॥ ୨୯॥

ହିରଣ୍ମୟବର୍ଷରେ ଭଗବାନ କଚ୍ଛପ ରୂପ ଧାରଣ କରି ରହିଥାଆନ୍ତି | ଏଠାର ନିବାସୀମାନଙ୍କ ସହିତ ପିତୃରାଜ ଅର୍ଯମା ଭଗବାନଙ୍କର ସେହି ପ୍ରିୟତମ ମୂର୍ତ୍ତିର ଉପାସନା କରନ୍ତି ଏବଂ ନିରନ୍ତର ଏହି ମନ୍ତ୍ର ଜପ କରି ତାଙ୍କର ସ୍ତୁତି କରନ୍ତି |

ଓଂ ନମୋ ଭଗବତେ ଅକୂପାରାୟ ସର୍ୱସତ୍ତ୍ୱଗୁଣ-

ବିଶେଷଣାୟାନୁପଲକ୍ଷିତସ୍ଥାନାୟ ନମୋ ବର୍ଷ୍ମଣେ

ନମୋ ଭୂମ୍ନେ ନମୋ ନମୋଽବସ୍ଥାନାୟ ନମସ୍ତେ ॥ ୩୦॥

ଯିଏ ସମ୍ପୂର୍ଣ୍ଣ ସତ୍ତ୍ବଗୁଣରେ ଯୁକ୍ତ ଅଟନ୍ତି, ଜଳରେ ବିଚରଣ କରୁଥିବା କାରଣରୁ ଯାହାର ବସତି ନିଶ୍ଚିତ ନ ଥାଏ, ଯିଏ କାଳ ମର୍ଯ୍ୟାଦା ବହିର୍ଭୂତ ଅଟନ୍ତି, ସେହି ଓଁକାରସ୍ବରୂପ ସର୍ବବ୍ୟାପକ ସର୍ବାଧାର ଭଗବାନ କଚ୍ଛପଙ୍କୁ ବାରମ୍ବାର ନମସ୍କାର |

ଯଦ୍ରୂପମେତନ୍ନିଜମାୟଯାର୍ପିତ-

ମର୍ଥସ୍ୱରୂପଂ ବହୁରୂପରୂପିତମ୍ ।

ସଙ୍ଖ୍ୟା ନ ଯସ୍ୟାସ୍ତ୍ୟଯଥୋପଲମ୍ଭନା-

ତ୍ତସ୍ମୈ ନମସ୍ତେଽବ୍ୟପଦେଶରୂପିଣେ ॥ ୩୧॥

ଭଗବନ୍ ! ଅନେକ ରୂପରେ ପ୍ରତୀତ ହେଉଥିବା ଏହି ଦୃଶ୍ୟପ୍ରପଞ୍ଚ ଯଦିଓ ନିଶ୍ଚିତଭାବରେ ମିଥ୍ୟା ହିଁ ଅଟେ ଏବଂ ସେଥିପାଇଁ ବସ୍ତୁତଃ ଏହାର କୌଣସି ସଂଖ୍ୟା ନାହିଁ, ତଥାପି ଏହା ମାୟାରେ ପ୍ରକାଶିତ ଆପଣଙ୍କର ହିଁ ରୂପ ଅଟେ | ଏପରି ଅନିର୍ବଚନୀୟରୂପ ଆପଣଙ୍କୁ ମୋର ନମସ୍କାର |

ଜରାୟୁଜଂ ସ୍ୱେଦଜମଣ୍ଡଜୋଦ୍ଭିଦଂ

ଚରାଚରଂ ଦେବର୍ଷିପିତୃଭୂତମୈନ୍ଦ୍ରିୟମ୍ ।

ଦ୍ୟୌଃ ଖଂ କ୍ଷିତିଃ ଶୈଲସରିତ୍ସମୁଦ୍ର-

ଦ୍ୱୀପଗ୍ରହର୍କ୍ଷେତ୍ୟଭିଧେୟ ଏକଃ ॥ ୩୨॥

ଏକମାତ୍ର ଆପଣ ହିଁ ଜରାୟୁଜ, ସ୍ବେଦଜ, ଅଣ୍ଡଜ, ଉଦ୍ଭିଦ୍ଜ, ଜଙ୍ଗମ, ସ୍ଥାବର, ଦେବତା, ଋଷି, ପିତୃଗଣ, ଭୂତ, ଇନ୍ଦ୍ରିୟ, ସ୍ବର୍ଗ, ଆକାଶ, ପୃଥ୍ବୀ, ପର୍ବତ, ନଦୀ, ସମୁଦ୍ର, ଦ୍ବୀପ, ଗ୍ରହ ଏବଂ ତାରା ଆଦି ବିଭିନ୍ନ ନାମରେ ପ୍ରସିଦ୍ଧ ଅଟନ୍ତି |

ଯସ୍ମିନ୍ନସଙ୍ଖ୍ୟେୟବିଶେଷନାମ-

ରୂପାକୃତୌ କବିଭିଃ କଲ୍ପିତେୟମ୍ ।

ସଙ୍ଖ୍ୟା ଯୟା ତତ୍ତ୍ୱଦୃଶାପନୀୟତେ

ତସ୍ମୈ ନମଃ ସାଙ୍ଖ୍ୟନିଦର୍ଶନାୟ ତେ ଇତି ॥ ୩୩॥

ଆପଣ ଅସଂଖ୍ୟ ନାମ, ରୂପ ଏବଂ ଆକୃତିରେ ଯୁକ୍ତ ଅଟନ୍ତି; କପିଳ ଆଦି ବିଦ୍ବାନମାନେ ଆପଣଙ୍କଠାରେ ଯେଉଁ ଚବିଶ ତତ୍ତ୍ବର ସଂଖ୍ୟା ନିଶ୍ଚିତ କରିଛନ୍ତି – ତାହା ଯେଉଁ ତତ୍ତ୍ବଦୃଷ୍ଟିର ଉଦୟରେ ନିବୃତ୍ତ ହୋଇଯାଏ, ତାହା ମଧ୍ୟ ବସ୍ତୁତଃ ଆପଣଙ୍କର ହିଁ ସ୍ବରୂପ ଅଟେ | ଏପରି ସାଂଖ୍ୟସିଦ୍ଧାନ୍ତସ୍ବରୂପ ଆପଣଙ୍କୁ ମୋର ନମସ୍କାର |

ଉତ୍ତରେଷୁ ଚ କୁରୁଷୁ ଭଗବାନ୍ ଯଜ୍ଞପୁରୁଷଃ

କୃତବରାହରୂପ ଆସ୍ତେ ତଂ ତୁ ଦେବୀ ହୈଷା ଭୂଃ

ସହ କୁରୁଭିରସ୍ଖଲିତଭକ୍ତିୟୋଗେନୋପଧାବତି

ଇମାଂ ଚ ପରମାମୁପନିଷଦମାବର୍ତୟତି ॥ ୩୪॥

ଉତ୍ତର କୁରୁବର୍ଷରେ ଭଗବାନ ଯଜ୍ଞପୁରୁଷ ବରାହ ମୂର୍ତ୍ତିରେ ବିରାଜମାନ | ସେଠାର ନିବାସୀଙ୍କ ସହିତ ସାକ୍ଷାତ୍ ପୃଥ୍ବୀଦେବୀ ଅବିଚଳ ଭକ୍ତିଭାବରେ ତାଙ୍କର ଉପାସନା କରନ୍ତି ଏବଂ ଏହି ପରମୋତ୍କୃଷ୍ଟ ମନ୍ତ୍ର ଜପ କରି ତାଙ୍କର ସ୍ତୁତି କରନ୍ତି |

ଓଂ ନମୋ ଭଗବତେ ମନ୍ତ୍ରତତ୍ତ୍ୱଲିଙ୍ଗାୟ

ଯଜ୍ଞକ୍ରତବେ ମହାଧ୍ୱରାବୟବାୟ ମହାପୁରୁଷାୟ

ନମଃ କର୍ମଶୁକ୍ଲାୟ ତ୍ରିୟୁଗାୟ ନମସ୍ତେ ॥ ୩୫॥

ଯାହାର ତତ୍ତ୍ବ ମନ୍ତ୍ର ଦ୍ବାରା ଜ୍ଞାତ, ଯିଏ ଯଜ୍ଞ ଏବଂ କ୍ରତୁରୂପ ଅଟନ୍ତି ତଥା ବଡ-ବଡ ଯଜ୍ଞ ଯାହାର ଅଙ୍ଗ ଅଟନ୍ତି – ସେହି ଓଁକାରସ୍ବରୂପ ଶୁକ୍ଲକର୍ମମୟ ତ୍ରିଯୁଗମୂର୍ତ୍ତି ପୁରୁଷୋତ୍ତମ ଭଗବାନ ବରାହଙ୍କୁ ବାରମ୍ବାର ନମସ୍କାର |

ଯସ୍ୟ ସ୍ୱରୂପଂ କବୟୋ ବିପଶ୍ଚିତୋ

ଗୁଣେଷୁ ଦାରୁଷ୍ୱିବ ଜାତବେଦସମ୍ ।

ମଥ୍ନନ୍ତି ମଥ୍ନା ମନସା ଦିଦୃକ୍ଷବୋ

ଗୂଢଂ କ୍ରିୟାର୍ଥୈର୍ନମ ଈରିତାତ୍ମନେ ॥ ୩୬॥

ଋତ୍ବିଜଗଣ ଯେପରି ଅରଣିରୂପ କାଷ୍ଠଖଣ୍ଡରେ ଛପି ରହିଥିବା ଅଗ୍ନିକୁ ମନ୍ଥନ ଦ୍ବାରା ପ୍ରକଟ କରନ୍ତି, ସେହିପରି କର୍ମାସକ୍ତି ଏବଂ କର୍ମଫଳ କାମନାରେ ଛପି ଯାଇଥିବା ଆପଣଙ୍କର ରୂପକୁ ଦେଖିବା ଇଚ୍ଛାରେ ପରମପ୍ରବୀଣ ପଣ୍ଡିତଜନ ନିଜ ବିବେକଯୁକ୍ତ ମନରୂପ ମନ୍ଥନକାଷ୍ଠରେ ଶରୀର ଏବଂ ଇନ୍ଦ୍ରିୟାଦିକୁ ଦଳନ କରିଦିଅନ୍ତି | ଏହିପରି ମନ୍ଥନ ଦ୍ବାରା ପ୍ରକଟ ହେଉଥିବା ସ୍ବରୂପଧାରୀ ଆପଣଙ୍କୁ ନମସ୍କାର |

ଦ୍ରବ୍ୟକ୍ରିୟାହେତ୍ୱୟନେଶକର୍ତୃଭି-

ର୍ମାୟାଗୁଣୈର୍ୱସ୍ତୁନିରୀକ୍ଷିତାତ୍ମନେ ।

ଅନ୍ୱୀକ୍ଷୟାଙ୍ଗାତିଶୟାତ୍ମବୁଦ୍ଧିଭି-

ର୍ନିରସ୍ତମାୟାକୃତୟେ ନମୋ ନମଃ ॥ ୩୭॥

ବିଚାର ତଥା ଯମ-ନିୟମାଦି ଯୋଗାଙ୍ଗ ସାଧନ ଦ୍ବାରା ଯେଉଁମାନଙ୍କର ବୁଦ୍ଧି ନିଶ୍ଚୟାତ୍ମିକା ହୋଇ ଯାଇଥାଏ – ସେହି ମହାପୁରୁଷମାନେ ଦ୍ରବ୍ୟ (ବିଷୟ), କ୍ରିୟା, ହେତୁ (ଇନ୍ଦ୍ରିୟ-ଅଧିଷ୍ଠାତା ଦେବତା), ଅୟନ (ଶରୀର), ଈଶ, କାଳ ଏବଂ କର୍ତ୍ତା (ଅହଂକାର) ଆଦି ମାୟାର କାର୍ଯ୍ୟକୁ ଦେଖି ଯାହାର ବାସ୍ତବିକ ସ୍ବରୂପ ନିର୍ଣ୍ଣୟ କରନ୍ତି, ସେହି ମାୟିକ ଆକୃତିରହିତ ଆପଣଙ୍କୁ ବାରମ୍ବାର ନମସ୍କାର |

କରୋତି ବିଶ୍ୱସ୍ଥିତିସଂୟମୋଦୟଂ

ଯସ୍ୟେପ୍ସିତଂ ନେପ୍ସିତମୀକ୍ଷିତୁର୍ଗୁଣୈଃ ।

ମାୟା ଯଥାୟୋ ଭ୍ରମତେ ତଦାଶ୍ରୟଂ

ଗ୍ରାବ୍ଣୋ ନମସ୍ତେ ଗୁଣକର୍ମସାକ୍ଷିଣେ ॥ ୩୮॥

ଲୁହା ଜଡ ହୋଇଥିଲେ ବି ଚୁମ୍ବକର ସନ୍ନିଧି ଲାଭ କରି ଯେପରି ସଚଳ ହୋଇଥାଏ, ସେହିପରି ଯେଉଁ ସର୍ବସାକ୍ଷୀଙ୍କର ଇଚ୍ଛାରେ ପ୍ରକୃତି ନିଜ ଗୁଣରେ ଉତ୍ପତ୍ତି, ସ୍ଥିତି ଏବଂ ପ୍ରଳୟ ଆଦି କରୁଥାଏ, ସେହି ସମ୍ପୂର୍ଣ୍ଣ ଗୁଣ ଏବଂ କର୍ମର ସାକ୍ଷୀ ଆପଣଙ୍କୁ ନମସ୍କାର |

ପ୍ରମଥ୍ୟ ଦୈତ୍ୟଂ ପ୍ରତିବାରଣଂ ମୃଧେ

ଯୋ ମାଂ ରସାୟା ଜଗଦାଦିସୂକରଃ ।

କୃତ୍ୱାଗ୍ରଦଂଷ୍ଟ୍ରେ ନିରଗାଦୁଦନ୍ୱତଃ

କ୍ରୀଡନ୍ନିବେଭଃ ପ୍ରଣତାସ୍ମି ତଂ ବିଭୁମିତି ॥ ୩୯॥

ଆପଣ ଜଗତର କାରଣଭୂତ ଆଦିଶୂକର ଅଟନ୍ତି | ଗୋଟିଏ ହାତୀ ଅନ୍ୟ ପ୍ରତିଦ୍ବନ୍ଦୀ ହାତୀକୁ ପଛରେ ଛାଡି ଆଗକୁ ମାଡିଯିବା ପରି ଆପଣ ଯୁଦ୍ଧରେ ନିଜ ପ୍ରତିଦ୍ବନ୍ଦୀ ହିରଣ୍ୟାକ୍ଷ ଦୈତ୍ୟକୁ ଦଳିତ କରି ମୋତେ ନିଜ ଦନ୍ତାଗ୍ରରେ ଧାରଣ କରି ରସାତଳରୁ ପ୍ରଳୟପୟୋଧି ବାହାରକୁ ନେଇ ଆସିଥିଲେ | ସର୍ବଶକ୍ତିମାନ ପ୍ରଭୁ ଆପଣଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଭୁବନକୋଶବର୍ଣନଂ ନାମାଷ୍ଟାଦଶୋଽଧ୍ୟାୟଃ ॥ ୧୮॥

Comments

Popular posts from this blog