ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ଉନବିଂଶ ଅଧ୍ୟାୟ
କିମ୍ପୁରୁଷ ଏବଂ ଭାରତବର୍ଷର ବର୍ଣ୍ଣନ
ଶ୍ରୀଶୁକ ଉବାଚ
କିମ୍ପୁରୁଷେ ବର୍ଷେ ଭଗବନ୍ତମାଦିପୁରୁଷଂ ଲକ୍ଷ୍ମଣାଗ୍ରଜଂ
ସୀତାଭିରାମଂ ରାମଂ ତଚ୍ଚରଣସନ୍ନିକର୍ଷାଭିରତଃ
ପରମଭାଗବତୋ ହନୁମାନ୍ ସହ କିମ୍ପୁରୁଷୈରବିରତ-
ଭକ୍ତିରୁପାସ୍ତେ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! କିମ୍ପୁରୁଷବର୍ଷରେ
ଶ୍ରୀଲକ୍ଷ୍ମଣଙ୍କର ଜ୍ୟେଷ୍ଠ ଭ୍ରାତା, ଆଦିପୁରୁଷ, ସୀତାହୃଦୟାଭିରାମ ଭଗବାନ ଶ୍ରୀରାମଙ୍କର
ଚରଣସନ୍ନିଧିର ରସିକ ପରମ ଭାଗବତ ଶ୍ରୀହନୁମାନ ଅନ୍ୟ କିନ୍ନରମାନଙ୍କ ସହିତ ଅବିଚଳ ଭକ୍ତିଭାବରେ
ନିଜ ପ୍ରଭୁଙ୍କର ଉପାସନା କରନ୍ତି |
ଆର୍ଷ୍ଟିଷେଣେନ ସହ ଗନ୍ଧର୍ୱୈରନୁଗୀୟମାନାଂ ପରମକଲ୍ୟାଣୀଂ
ଭର୍ତୃଭଗବତ୍କଥାଂ ସମୁପଶୃଣୋତି ସ୍ୱୟଂ ଚେଦଂ ଗାୟତି ॥ ୨॥
ସେଠାରେ ଅନ୍ୟ ଗନ୍ଧର୍ବଙ୍କ ସହିତ ଆର୍ଷ୍ଟିଷେଣ ତାଙ୍କ ସ୍ବାମୀ ଭଗବାନ
ରାମଙ୍କର ପରମ କଲ୍ୟାଣମୟୀ ଗୁଣଗାଥା ଗାନ କରୁଥାଆନ୍ତି | ହନୁମାନ ତାହାକୁ ଶୁଣନ୍ତି ଏବଂ ସ୍ବୟଂ
ମଧ୍ୟ ଏହି ମନ୍ତ୍ର ଜପ କରି ତାଙ୍କର ସ୍ତୁତି କରନ୍ତି |
ଓଂ ନମୋ ଭଗବତେ ଉତ୍ତମଶ୍ଲୋକାୟ ନମ ଆର୍ୟଲକ୍ଷଣଶୀଲ-
ବ୍ରତାୟ ନମ ଉପଶିକ୍ଷିତାତ୍ମନ ଉପାସିତଲୋକାୟ ନମଃ
ସାଧୁବାଦନିକଷଣାୟ ନମୋ ବ୍ରହ୍ମଣ୍ୟଦେବାୟ ମହାପୁରୁଷାୟ
ମହାରାଜାୟ ନମ ଇତି ॥ ୩॥
‘ଆମେ ଓଁକାରସ୍ବରୂପ ପବିତ୍ରକୀର୍ତ୍ତି ଭଗବାନ ଶ୍ରୀରାମଙ୍କୁ ନମସ୍କାର
କରୁଛୁ | ଆପଣଙ୍କଠାରେ ସତ୍-ପୁରୁଷଙ୍କର ଲକ୍ଷଣ, ଶୀଳ ଏବଂ ଆଚରଣ
ବିଦ୍ୟମାନ; ଆପଣ ଅତ୍ୟନ୍ତ ସଂଯତଚିତ୍ତ, ଲୋକାରାଧନତତ୍ପର, ସାଧୁତା ପରୀକ୍ଷଣର କସୌଟି ଏବଂ ଅତ୍ୟନ୍ତ
ବ୍ରାହ୍ମଣଭକ୍ତ ଅଟନ୍ତି | ଏପରି ମହାପୁରୁଷ ଭଗବାନ ରାମଙ୍କୁ ଆମର ପୁନଃ ପୁନଃ ପ୍ରଣାମ |
ଯତ୍ତଦ୍ୱିଶୁଦ୍ଧାନୁଭବମାତ୍ରମେକଂ
ସ୍ୱତେଜସା ଧ୍ୱସ୍ତଗୁଣବ୍ୟବସ୍ଥମ୍ ।
ପ୍ରତ୍ୟକ୍ପ୍ରଶାନ୍ତଂ ସୁଧିୟୋପଲମ୍ଭନଂ
ହ୍ୟନାମରୂପଂ ନିରହଂ ପ୍ରପଦ୍ୟେ ॥ ୪॥
ଭଗବନ୍ ! ଆପଣ ବିଶୁଦ୍ଧ ବୋଧସ୍ଵରୂପ, ଅଦ୍ବିତୀୟ, ନିଜ ସ୍ବରୂପର
ପ୍ରକାଶରେ ଗୁଣର କାର୍ଯ୍ୟରୂପ ଜାଗ୍ରତାଦି ସମ୍ପୂର୍ଣ୍ଣ ଅବସ୍ଥାର ନିୟାମକ, ସର୍ବାନ୍ତରାତ୍ମା, ପରମ ଶାନ୍ତ, ଶୁଦ୍ଧ ବୁଦ୍ଧିରେ ଗ୍ରାହ୍ୟଯୋଗ୍ୟ, ନାମ-ରୂପରହିତ ଏବଂ ଅହଂକାରଶୂନ୍ୟ ଅଟନ୍ତି; ମୁଁ ଆପଣଙ୍କର ଶରଣାଗତ ଅଟେ |
ମର୍ତ୍ୟାବତାରସ୍ତ୍ୱିହ ମର୍ତ୍ୟଶିକ୍ଷଣଂ
ରକ୍ଷୋବଧାୟୈବ ନ କେବଲଂ ବିଭୋଃ ।
କୁତୋଽନ୍ୟଥା ସ୍ୟାଦ୍ରମତଃ ସ୍ୱ ଆତ୍ମନଃ
ସୀତାକୃତାନି ବ୍ୟସନାନୀଶ୍ୱରସ୍ୟ ॥ ୫॥
ପ୍ରଭୁ ! ଆପଣଙ୍କର ମନୁଷ୍ୟାବତାର କେବଳ ରାକ୍ଷସ-ବଧ ନିମନ୍ତେ
ହୋଇନାହିଁ, ଏହାର ମୁଖ୍ୟ ଉଦ୍ଦେଶ୍ୟ ତ ମନୁଷ୍ୟକୁ ଶିକ୍ଷା ଦେବା
ଅଟେ | ଅନ୍ୟଥା, ନିଜ ସ୍ବରୂପରେ ହିଁ ରମଣ କରୁଥିବା ସାକ୍ଷାତ୍
ଜଗଦତ୍ମା ଜଗଦୀଶ୍ବରଙ୍କୁ ସୀତାଙ୍କ ବିୟୋଗରେ ଏତେ ଦୁଃଖ ହେବ କିପରି ?
ନ ବୈ ସ ଆତ୍ମାଽଽତ୍ମବତାଂ ସୁହୃତ୍ତମଃ
ସକ୍ତସ୍ତ୍ରିଲୋକ୍ୟାଂ ଭଗବାନ୍ୱାସୁଦେବଃ ।
ନ ସ୍ତ୍ରୀକୃତଂ କଶ୍ମଲମଶ୍ନୁବୀତ
ନ ଲକ୍ଷ୍ମଣଂ ଚାପି ବିହାତୁମର୍ହତି ॥ ୬॥
ଆପଣ ଧୀର ପୁରୁଷଙ୍କର ଆତ୍ମା ଏବଂ ପ୍ରିୟତମ ଭଗବାନ ବାସୁଦେବ ଅଟନ୍ତି; ତ୍ରିଲୋକୀର କୌଣସି ବସ୍ତୁରେ ଆପଣଙ୍କର ଆସକ୍ତି ନାହିଁ | ଆପଣ
ସୀତାଙ୍କ ନିମନ୍ତେ ମୋହକୁ ପ୍ରାପ୍ତ ହୁଅନ୍ତି ନାହିଁ କି ଲକ୍ଷ୍ମଣଙ୍କୁ ତ୍ୟାଗ କରନ୍ତି ନାହିଁ |
ନ ଜନ୍ମ ନୂନଂ ମହତୋ ନ ସୌଭଗଂ
ନ ବାଙ୍ ନ ବୁଦ୍ଧିର୍ନାକୃତିସ୍ତୋଷହେତୁଃ ।
ତୈର୍ୟଦ୍ୱିସୃଷ୍ଟାନପି ନୋ ବନୌକସ-
ଶ୍ଚକାର ସଖ୍ୟେ ବତ ଲକ୍ଷ୍ମଣାଗ୍ରଜଃ ॥ ୭॥
ଆପଣଙ୍କର ଏହିସବୁ ବ୍ୟବହାର କେବଳ ଲୋକଶିକ୍ଷା ନିମନ୍ତେ ହିଁ ଅଟେ |
ହେ ଲକ୍ଷ୍ମଣ-ଅଗ୍ରଜ ! ଉତ୍ତମ କୁଳରେ ଜନ୍ମ, ସୁନ୍ଦରତା, ବାକଚାତୁରୀ, ବୁଦ୍ଧି ଏବଂ
ଶ୍ରେଷ୍ଠ ଯୋନି – ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବି ଗୁଣ ଆପଣଙ୍କ ପ୍ରସନ୍ନତାର କାରଣ ହୋଇ ନ
ପାରେ | ଏହା ଦର୍ଶାଇବା ନିମନ୍ତେ ଆପଣ ଆମ୍ଭମାନଙ୍କ ପରି ଗୁଣରହିତ ବନବାସୀ ବାନରଙ୍କ ସହ
ମିତ୍ରତା କଲେ |
ସୁରୋଽସୁରୋ ବାପ୍ୟଥ ବାନରୋ ନରଃ
ସର୍ୱାତ୍ମନା ଯଃ ସୁକୃତଜ୍ଞମୁତ୍ତମମ୍ ।
ଭଜେତ ରାମଂ ମନୁଜାକୃତିଂ ହରିଂ
ଯ ଉତ୍ତରାନନୟତ୍କୋସଲାନ୍ ଦିବମିତି ॥ ୮॥
ଦେବତା, ଅସୁର, ବାନର ଅଥବା ମନୁଷ୍ୟ – କିଏ ବି ହୁଅନ୍ତୁ, ସେମାନେ ସବୁ ପ୍ରକାରରେ ଶ୍ରୀରାମରୂପ ଆପଣଙ୍କର ଭଜନ କରିବା ଆବଶ୍ୟକ; କାରଣ ଆପଣ ନରରୂପରେ ସାକ୍ଷାତ୍ ଶ୍ରୀହରି ହିଁ ଅଟନ୍ତି ଏବଂ ଆପଣ
ସାମାନ୍ୟ କିଛି ସେବାକୁ ବହୁତ ଅଧିକ କରି ଦେଖିଥାଆନ୍ତି | ଆପଣ ଏପରି ଆଶ୍ରିତବତ୍ସକ ଯେ ସ୍ବୟଂ
ଦିବ୍ୟଧାମକୁ ପ୍ରସ୍ଥାନ କରୁଥିବା ସମୟରେ ସମସ୍ତ ଉତ୍ତରକୋଶଳବାସୀଙ୍କୁ ମଧ୍ୟ ନିଜ ସହିତ ନେଇ
ଯାଇଥିଲେ |
ଭାରତେଽପି ବର୍ଷେ ଭଗବାନ୍ ନରନାରାୟଣାଖ୍ୟ ଆକଲ୍ପାନ୍ତ-
ମୁପଚିତଧର୍ମ ଜ୍ଞାନବୈରାଗ୍ୟୈଶ୍ୱର୍ୟୋପଶମୋପରମାତ୍ମୋପଲମ୍ଭନ-
ମନୁଗ୍ରହାୟାତ୍ମବତାମନୁକମ୍ପୟା ତପୋଽବ୍ୟକ୍ତଗତିଶ୍ଚରତି ॥ ୯॥
ଭାରତବର୍ଷରେ ଭଗବାନ ଦୟାବଶ ନର-ନାରାୟଣରୂପ ଧାରଣ କରି ସଂଯମଶୀଳ
ପୁରୁଷଙ୍କ ପ୍ରତି ଅନୁଗ୍ରହ କରିବା ନିମନ୍ତେ ଅବ୍ୟକ୍ତରୂପରେ କଳ୍ପାନ୍ତ ଯାଏଁ ତପସ୍ୟା
କରୁଥାଆନ୍ତି | ତାଙ୍କର ଏହି ତପସ୍ୟା ଏପରି ଅଟେ ଯେ ତଦ୍ବାରା ଧର୍ମ, ଜ୍ଞାନ, ବୈରାଗ୍ୟ, ଐଶ୍ବର୍ଯ୍ୟ, ଶାନ୍ତି ଏବଂ ଉପରତି ଉତ୍ତରୋତ୍ତର ବୃଦ୍ଧି ଲାଭ କରି
ଶେଷରେ ଆତ୍ମସ୍ବରୂପର ଉପଲବଧି ହୋଇପାରେ |
ତଂ ଭଗବାନ୍ ନାରଦୋ ବର୍ଣାଶ୍ରମବତୀଭିର୍ଭାରତୀଭିଃ ପ୍ରଜାଭି-
ର୍ଭଗବତ୍ପ୍ରୋକ୍ତାଭ୍ୟାଂ ସାଙ୍ଖ୍ୟଯୋଗାଭ୍ୟାଂ ଭଗବଦନୁଭାବୋପବର୍ଣନଂ
ସାବର୍ଣେରୁପଦେକ୍ଷ୍ୟମାଣଃ ପରମଭକ୍ତିଭାବେନୋପସରତି ଇଦଂ
ଚାଭିଗୃଣାତି ॥ ୧୦॥
ସେଠାରେ ଭଗବାନ ନାରଦ ମୁନି ସ୍ବୟଂ ଭଗବାନଙ୍କ ଦ୍ବାରା କୁହାଯାଇ ଥିବା
ସାଂଖ୍ୟ ଏବଂ ଯୋଗଶାସ୍ତ୍ର ସହିତ ଭଗବାନଙ୍କର ମହିମାକୁ ପ୍ରକଟ କରୁଥିବା ପାଞ୍ଚରାତ୍ରର ଉପଦେଶ
ସାବର୍ଣି ମୁନିଙ୍କୁ ଦେବା ଉଦ୍ଦେଶ୍ୟରେ ଭାରତବର୍ଷର ବର୍ଣ୍ଣାଶ୍ରମଧର୍ମାବଲମ୍ବୀ ପ୍ରଜାଙ୍କ ସହିତ
ଅତ୍ୟନ୍ତ ଭକ୍ତିଭାବରେ ଭଗବାନ ଶ୍ରୀନର-ନାରାୟଣଙ୍କର ଉପାସନା କରନ୍ତି ଏବଂ ଏହି ମନ୍ତ୍ରର ଜପ ତଥା
ସ୍ତୋତ୍ର ଗାନ କରି ତାଙ୍କର ସ୍ତୁତି କରନ୍ତି |
ଓଂ ନମୋ ଭଗବତେ ଉପଶମଶୀଲାୟୋପରତାନାତ୍ମ୍ୟାୟ
ନମୋଽକିଞ୍ଚନବିତ୍ତାୟ ଋଷିଋଷଭାୟ ନରନାରାୟଣାୟ
ପରମହଂସ ପରମଗୁରବେ ଆତ୍ମାରାମାଧିପତୟେ ନମୋ ନମ ଇତି ॥ ୧୧॥
ଓଁକାରସ୍ବରୂପ, ଅହଂକାରରହିତ, ନିର୍ଧନର ଧନ, ଶାନ୍ତସ୍ବଭାବ
ଋଷିପ୍ରବର ଭଗବାନ ନର-ନାରାୟଣଙ୍କୁ ନମସ୍କାର | ସେ ପରମହଂସମାନଙ୍କର ପରମ ଗୁରୁ ଏବଂ
ଆତ୍ମାରାମମାନଙ୍କର ଅଧୀଶ୍ବର ଅଟନ୍ତି; ତାଙ୍କୁ ବାରମ୍ବାର
ନମସ୍କାର |
ଗାୟତି ଚେଦମ୍ ।
କର୍ତାସ୍ୟ ସର୍ଗାଦିଷୁ ଯୋ ନ ବଧ୍ୟତେ
ନ ହନ୍ୟତେ ଦେହଗତୋଽପି ଦୈହିକୈଃ ।
ଦ୍ରଷ୍ଟୁର୍ନ ଦୃଗ୍ୟସ୍ୟ ଗୁଣୈର୍ୱିଦୂଷ୍ୟତେ
ତସ୍ମୈ ନମୋଽସକ୍ତବିବିକ୍ତସାକ୍ଷିଣେ ॥ ୧୨॥
ସେମାନେ ଏହିପରି ଗାନ କରନ୍ତି – ଯିଏ ବିଶ୍ବର ଉତ୍ପତ୍ତି ଆଦିର କର୍ତ୍ତା
ହୋଇ ମଧ୍ୟ କର୍ତ୍ତୃତ୍ବ ଅଭିମାନଯୁକ୍ତ ନୁହଁନ୍ତି, ଶରୀରରେ ରହିଥିଲେ
ବି ତା’ର ଧର୍ମ ଭୋକ-ଶୋଷ ଆଦିର ବଶୀଭୂତ ନୁହଁନ୍ତି ତଥା
ଦ୍ରଷ୍ଟା ହୋଇ ମଧ୍ୟ ଯାହାର ଦୃଷ୍ଟି ଦୃଶ୍ୟର ଗୁଣ-ଦୋଷରେ ଦୂଷିତ ହୁଏ ନାହିଁ – ସେହି ଅସଙ୍ଗ ଏବଂ
ବିଶୁଦ୍ଧ ସାକ୍ଷୀସ୍ବରୂପ ଭଗବାନ ନର-ନାରାୟଣଙ୍କୁ ନମସ୍କାର |
ଇଦଂ ହି ଯୋଗେଶ୍ୱର ଯୋଗନୈପୁଣଂ
ହିରଣ୍ୟଗର୍ଭୋ ଭଗବାଞ୍ଜଗାଦ ଯତ୍ ।
ଯଦନ୍ତକାଲେ ତ୍ୱୟି ନିର୍ଗୁଣେ ମନୋ
ଭକ୍ତ୍ୟା ଦଧୀତୋଜ୍ଝିତଦୁଷ୍କଲେବରଃ ॥ ୧୩॥
ଯୋଗେଶ୍ବର ! ହିରଣ୍ୟଗର୍ଭ ଭଗବାନ ବ୍ରହ୍ମା ଯୋଗସାଧନାର ସର୍ବଶ୍ରେଷ୍ଠ
କୁଶଳତା ନିରୂପଣ କରିବାକୁ ଯାଇ କହନ୍ତି, ଅନ୍ତକାଳରେ
ମନୁଷ୍ୟ ଦେହାଭିମାନ ତ୍ୟାଗ କରି ଭକ୍ତିପୂର୍ବକ ଆପଣଙ୍କର ପ୍ରାକୃତ ଗୁଣରହିତ ସ୍ବରୂପରେ ନିଜ
ମନକୁ ସଂଲଗ୍ନ କରିବା ଉଚିତ୍ |
ଯଥୈହିକାମୁଷ୍ମିକକାମଲମ୍ପଟଃ
ସୁତେଷୁ ଦାରେଷୁ ଧନେଷୁ ଚିନ୍ତୟନ୍ ।
ଶଙ୍କେତ ବିଦ୍ୱାନ୍ କୁକଲେବରାତ୍ୟଯା-
ଦ୍ୟସ୍ତସ୍ୟ ଯତ୍ନଃ ଶ୍ରମ ଏବ କେବଲମ୍ ॥ ୧୪॥
ଲୌକିକ ଏବଂ ପାରଲୌକିକ ଭୋଗ ନିମନ୍ତେ ଲାଳାୟିତ ମୂଢ ପୁରୁଷ ଯେପରି
ପୁତ୍ର, ସ୍ତ୍ରୀ ଏବଂ ଧନ ଚିନ୍ତାରେ ମୃତ୍ୟୁକୁ ଭୟ କରୁଥାଏ, ସେହିପରି ଜଣେ ବିଦ୍ବାନ ପୁରୁଷଙ୍କ ମନରେ ଯଦି ଏହି ନିନ୍ଦନୀୟ ଶରୀର
ହରାଇବାର ଭୟ ଲାଗି ରହେ, ତେବେ
ଜ୍ଞାନପ୍ରାପ୍ତି ନିମନ୍ତେ ତାଙ୍କର ସମସ୍ତ ପ୍ରଯତ୍ନ କେବଳ ଶ୍ରମ ହିଁ ଅଟେ |
ତନ୍ନଃ ପ୍ରଭୋ ତ୍ୱଂ କୁକଲେବରାର୍ପିତାଂ
ତ୍ୱନ୍ମାୟଯାହମ୍ମମତାମଧୋକ୍ଷଜ ।
ଭିନ୍ଦ୍ୟାମ ଯେନାଶୁ ବୟଂ ସୁଦୁର୍ଭିଦାଂ
ବିଧେହି ଯୋଗଂ ତ୍ୱୟି ନଃ ସ୍ୱଭାବମିତି ॥ ୧୫॥
ତେଣୁ ହେ ଅଧୋକ୍ଷଜ ! ଆପଣ ଆମ୍ଭମାନଙ୍କୁ ନିଜର ସ୍ବାଭାବିକ ପ୍ରେମରୂପ
ଭକ୍ତିଯୋଗ ପ୍ରଦାନ କରନ୍ତୁ, ଯଦ୍ବାରା ଆପଣଙ୍କ
ମାୟାର ପ୍ରଭାବରେ ଏହି ନିନ୍ଦନୀୟ ଶରୀର ପ୍ରତି ବଦ୍ଧମୂଳ ହୋଇଥିବା ଦୁର୍ଭେଦ୍ୟ ଅହଂତା-ମମତାକୁ
ଆମେ ଅତି ଶୀଘ୍ର କାଟି ଦେଇପାରିବୁ |
ଭାରତେଽପ୍ୟସ୍ମିନ୍ ବର୍ଷେ ସରିଚ୍ଛୈଲାଃ ସନ୍ତି ବହବୋ
ମଲୟୋ ମଙ୍ଗଲପ୍ରସ୍ଥୋ ମୈନାକସ୍ତ୍ରିକୂଟଋଷଭଃ କୂଟକଃ
କୋଲ୍ଲକଃ ସହ୍ୟୋ ଦେବଗିରିରୃଷ୍ୟମୂକଃ ଶ୍ରୀଶୈଲୋ ବେଙ୍କଟୋ
ମହେନ୍ଦ୍ରୋ ବାରିଧାରୋ ବିନ୍ଧ୍ୟଃ ଶୁକ୍ତିମାନ୍ ଋକ୍ଷଗିରିଃ
ପାରିୟାତ୍ରୋ ଦ୍ରୋଣଶ୍ଚିତ୍ରକୂଟୋ ଗୋବର୍ଧନୋ ରୈବତକଃ କକୁଭୋ
ନୀଲୋ ଗୋକାମୁଖ ଇନ୍ଦ୍ରକୀଲଃ କାମଗିରିରିତି ଚାନ୍ୟେ
ଚ ଶତସହସ୍ରଶଃ ଶୈଲାସ୍ତେଷାଂ ନିତମ୍ବପ୍ରଭବା ନଦା
ନଦ୍ୟଶ୍ଚ ସନ୍ତ୍ୟସଙ୍ଖ୍ୟାତାଃ ॥ ୧୬॥
ରାଜନ୍ ! ଏହି ଭାରତବର୍ଷରେ ବହୁତଗୁଡିଏ ପର୍ବତ ଏବଂ ନଦୀ ରହିଛି –
ଯେପରି କି ମଳୟ, ମଙ୍ଗଳପ୍ରସ୍ଥ, ମୈନାକ, ତ୍ରିକୂଟ, ଋଷଭ, କୂଟକ, କୋଲ୍ଲକ, ସହ୍ୟ, ଦେବଗିରି, ଋଷ୍ୟମୂକ, ଶ୍ରୀଶୈଳ, ବେଙ୍କଟ,
ମହେନ୍ଦ୍ର, ବାରିଧାର, ବିନ୍ଧ୍ୟ, ଶୁକ୍ତିମାନ, ଋକ୍ଷଗିରି, ପାରିଯାତ୍ର, ଦ୍ରୋଣ, ଚିତ୍ରକୂଟ, ଗୋବର୍ଧନ, ରୈବତକ, କୁକୁଭ, ନୀଳ, ଗୋକାମୁଖ, ଇନ୍ଦ୍ରକୀଳ ଏବଂ କାମଗିରି ଆଦି | ଏହିପରି ଆହୁରି ହଜାର-ହଜାର
ସଂଖ୍ୟାର ପର୍ବତ ରହିଛି | ସେମାନଙ୍କ ତଟପ୍ରାନ୍ତରୁ ଅଗଣିତ ନଦ-ନଦୀ ପ୍ରବାହିତ ହେଉଛନ୍ତି |
ଏତାସାମପୋ ଭାରତ୍ୟଃ ପ୍ରଜା ନାମଭିରେବ ପୁନନ୍ତୀନା-
ମାତ୍ମନା ଚୋପସ୍ପୃଶନ୍ତି ॥ ୧୭॥
ଏହି ନଦୀମାନେ ନିଜ ନାମରେ ହିଁ ଜୀବକୁ ପବିତ୍ର କରିଦିଅନ୍ତି ଏବଂ
ଭାରତୀୟ ପ୍ରଜା ଏମାନଙ୍କ ଜଳରେ ସ୍ନାନ ଆଦି କରନ୍ତି |
ଚନ୍ଦ୍ରବସା ତାମ୍ରପର୍ଣୀ ଅବଟୋଦା କୃତମାଲା ବୈହାୟସୀ
କାବେରୀ ବେଣୀ ପୟସ୍ୱିନୀ ଶର୍କରାବର୍ତା ତୁଙ୍ଗଭଦ୍ରା କୃଷ୍ଣା
ବେଣ୍ୟା ଭୀମରଥୀ ଗୋଦାବରୀ ନିର୍ୱିନ୍ଧ୍ୟା ପୟୋଷ୍ଣୀ ତାପୀ
ରେବା ସୁରସା ନର୍ମଦା ଚର୍ମଣ୍ୱତୀ ସିନ୍ଧୁରନ୍ଧଃ ଶୋଣଶ୍ଚ
ନଦୌ ମହାନଦୀ ବେଦସ୍ମୃତିରୃଷିକୁଲ୍ୟା ତ୍ରିସାମା କୌଶିକୀ
ମନ୍ଦାକିନୀ ଯମୁନା ସରସ୍ୱତୀ ଦୃଷଦ୍ୱତୀ ଗୋମତୀ ସରୟୂ
ରୋଧସ୍ୱତୀ ସପ୍ତବତୀ ସୁଷୋମା ଶତଦ୍ରୂଶ୍ଚନ୍ଦ୍ରଭାଗା ମରୁଦ୍ୱୃଧା
ବିତସ୍ତା ଅସିକ୍ନୀ ବିଶ୍ୱେତି ମହାନଦ୍ୟଃ ॥ ୧୮॥
ଏମାନଙ୍କ ମଧ୍ୟରୁ ମୁଖ୍ୟ ମୁଖ୍ୟ ନଦୀମାନଙ୍କର ନାମ ଏହିପରି ଅଟେ –
ଚନ୍ଦ୍ରବସା, ତାମ୍ରପର୍ଣ୍ଣା, ଅବଟୋଦା, କୃତମାଳା, ବୈହାୟସୀ, କାବେରୀ, ବେଣୀ ପୟସ୍ବିନୀ, ଶର୍କରାବର୍ତୀ, ତୁଙ୍ଗଭଦ୍ରା, କୃଷ୍ଣା, ବେଣ୍ୟା, ଭୀମରଥୀ, ଗୋଦାବରୀ, ନିର୍ବିନ୍ଧ୍ୟା, ପୟୋଷ୍ଣୀ, ତାପୀ, ରେବା, ସୁରସା, ନର୍ମଦା, ଧର୍ମଣ୍ୱତୀ, ସିନ୍ଧୁ, ଅନ୍ଧ ଏବଂ ଶୋଣ
ଆଦି ନଦ; ମହାନଦୀ, ବେଦସ୍ମୃତି, ଋଷିକୁଲ୍ୟା,
ତ୍ରିସାମା, କୌଶିକୀ, ମନ୍ଦାକିନୀ, ଯମୁନା, ସରସ୍ବତୀ, ଦୃଷଦ୍ବତୀ, ଗୋମତୀ, ସରଯୁ, ରୋଧସ୍ବତୀ,
ସପ୍ତବତୀ, ସୁଷୋମା, ଶତଦ୍ରୂ, ଚନ୍ଦ୍ରଭାଗା, ମରୁଦ୍ବୃଧା, ବିତସ୍ତା,
ଆସିକ୍ରୀ ଏବଂ ବିଶ୍ଵା ଆଦି ନଦୀ |
ଅସ୍ମିନ୍ନେବ ବର୍ଷେ ପୁରୁଷୈର୍ଲବ୍ଧଜନ୍ମଭିଃ ଶୁକ୍ଲଲୋହିତ-
କୃଷ୍ଣବର୍ଣେନ ସ୍ୱାରବ୍ଧେନ କର୍ମଣା ଦିବ୍ୟମାନୁଷନାରକ-
ଗତୟୋ ବହ୍ୱ୍ୟ ଆତ୍ମନ ଆନୁପୂର୍ୱ୍ୟେଣ ସର୍ୱା ହ୍ୟେବ ସର୍ୱେଷାଂ
ବିଧୀୟନ୍ତେ ଯଥା ବର୍ଣବିଧାନମପବର୍ଗଶ୍ଚାପି ଭବତି ॥ ୧୯॥
ଏହି ବର୍ଷରେ ଜନ୍ମ ଗ୍ରହଣ କରିଥିବା ପୁରୁଷଙ୍କୁ ହିଁ ନିଜର
ସାତ୍ତ୍ବିକ, ରାଜସିକ ଏବଂ ତାମସିକ କର୍ମ ଅନୁସାରେ ଯଥାକ୍ରମେ
ଦିବ୍ୟ, ମାନୁଷ ଏବଂ ନାରକୀୟ ଯୋନି ପ୍ରାପ୍ତ ହୋଇଥାଏ; କାରଣ
କର୍ମ ଅନୁସାରେ ସବୁ ଜୀବଙ୍କୁ ସବୁ ଯୋନି ପ୍ରାପ୍ତ ହୋଇପାରେ | ଏହି ବର୍ଷରେ ନିଜ ନିଜ
ବର୍ଣ୍ଣନିୟତ ଧର୍ମର ବିଧିବତ୍ ଅନୁଷ୍ଠାନ କରିବା ଦ୍ବାରା ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇଥାଏ |
ଯୋଽସୌ ଭଗବତି ସର୍ୱଭୂତାତ୍ମନ୍ୟନାତ୍ମ୍ୟେଽନିରୁକ୍ତେ-
ଽନିଲୟନେ ପରମାତ୍ମନି ବାସୁଦେବେଽନନ୍ୟନିମିତ୍ତ-
ଭକ୍ତିୟୋଗଲକ୍ଷଣୋ ନାନାଗତିନିମିତ୍ତାବିଦ୍ୟାଗ୍ରନ୍ଥି-
ରନ୍ଧନଦ୍ୱାରେଣ ଯଦା ହି ମହାପୁରୁଷପୁରୁଷପ୍ରସଙ୍ଗଃ ॥ ୨୦॥
ହେ ପରୀକ୍ଷିତ ! ସମ୍ପୂର୍ଣ୍ଣ ଭୂତର ଆତ୍ମା, ରାଗାଦି ଦୋଷରହିତ, ଅନିର୍ବଚନୀୟ,
ନିରାଧାର ପରମାତ୍ମା ଭଗବାନ ବାସୁଦେବଙ୍କ ପ୍ରତି ଅନନ୍ୟ ଏବଂ ଅହୈତୁକୀ ଭକ୍ତିଭାବ ହିଁ ଏହି
ମୋକ୍ଷପଦ ଅଟେ | ଏହି ଭକ୍ତିଭାବ ସେତେବେଳେ ପ୍ରାପ୍ତ ହୋଇଥାଏ ଯେତେବେଳେ ଅନେକ ପ୍ରକାରର ଗତିକୁ
ପ୍ରକଟ କରୁଥିବା ଅବିଦ୍ୟାରୂପ ହୃଦୟଗ୍ରନ୍ଥି ଛିନ୍ନ ହୋଇଯିବା ଫଳରେ ଭଗବାନଙ୍କର
ପ୍ରେମୀଭକ୍ତମାନଙ୍କର ସଙ୍ଗତି ମିଳିଥାଏ |
ଏତଦେବ ହି ଦେବା ଗାୟନ୍ତି -
ଅହୋ ଅମୀଷାଂ କିମକାରି ଶୋଭନଂ
ପ୍ରସନ୍ନ ଏଷାଂ ସ୍ୱିଦୁତ ସ୍ୱୟଂ ହରିଃ ।
ଯୈର୍ଜନ୍ମ ଲବ୍ଧଂ ନୃଷୁ ଭାରତାଜିରେ
ମୁକୁନ୍ଦସେବୌପୟିକଂ ସ୍ପୃହା ହି ନଃ ॥ ୨୧॥
ଦେବତାମାନେ ମଧ୍ୟ ଭାରତବର୍ଷରେ ଉତ୍ପନ୍ନ ହୋଇଥିବା ମନୁଷ୍ୟର ଏହିପରି
ଭାବରେ ମହିମା ଗାନ କରନ୍ତି – ଆହା ! ଯେଉଁ ଜୀବମାନେ ଭାରତବର୍ଷରେ ଭଗବାନଙ୍କର ସେବା-ଯୋଗ୍ୟ
ମନୁଷ୍ୟ-ଜନ୍ମ ପ୍ରାପ୍ତ କରିଛନ୍ତି, ସେମାନେ ଏପରି
କେଉଁ ପୁଣ୍ୟ କରିଛନ୍ତି ? ଅଥବା ସ୍ବୟଂ ଶ୍ରୀହରି ଏମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ? ଏହି
ପରମ ସୌଭାଗ୍ୟ ନିମନ୍ତେ ତ ଆମ୍ଭେମାନେ ମଧ୍ୟ ନିରନ୍ତର ଲାଳାୟିତ ରହିଥାଉ |
କିଂ ଦୁଷ୍କରୈର୍ନଃ କ୍ରତୁଭିସ୍ତପୋବ୍ରତୈ-
ର୍ଦାନାଦିଭିର୍ୱା ଦ୍ୟୁଜୟେନ ଫଲ୍ଗୁନା ।
ନ ଯତ୍ର ନାରାୟଣପାଦପଙ୍କଜ-
ସ୍ମୃତିଃ ପ୍ରମୁଷ୍ଟାତିଶୟେନ୍ଦ୍ରିୟୋତ୍ସବାତ୍ ॥ ୨୨॥
ଅତ୍ୟନ୍ତ କଠୋର ଯଜ୍ଞ, ତପ, ବ୍ରତ ଏବଂ ଦାନ ଆଦି ଦ୍ବାରା ଆମ୍ଭମାନଙ୍କୁ ଏହି ଯେଉଁ ତୁଚ୍ଛ
ସ୍ବର୍ଗର ଅଧିକାର ପ୍ରାପ୍ତ ହୋଇଛି – ଏଥିରେ କି ଲାଭ ? ଏଠାରେ ତ ଇନ୍ଦ୍ରିୟ-ଭୋଗର ଆଧିକ୍ୟ ହେତୁ
ସ୍ମୃତିଶକ୍ତି କ୍ଷୀଣ ହୋଇଯାଏ; ସେଥିପାଇଁ ଆମେ କେବେ ଶ୍ରୀନାରାୟଣଙ୍କର ଚରଣକମଳର ସ୍ମରଣ ମଧ୍ୟ
କରିପାରେ ନାହିଁ |
କଲ୍ପାୟୁଷାଂ ସ୍ଥାନଜୟାତ୍ପୁନର୍ଭବାତ୍
କ୍ଷଣାୟୁଷାଂ ଭାରତଭୂଜୟୋ ବରମ୍ ।
କ୍ଷଣେନ ମର୍ତ୍ୟେନ କୃତଂ ମନସ୍ୱିନଃ
ସନ୍ନ୍ୟସ୍ୟ ସଂୟାନ୍ତ୍ୟଭୟଂ ପଦଂ ହରେଃ ॥ ୨୩॥
ସ୍ବର୍ଗ କଥା ତେଣିକି ଥାଉ; ଯେଉଁ ଲୋକର ନିବାସୀମାନଙ୍କର ଆୟୁ ଏକ-ଏକ
କଳ୍ପ ଅଟେ (ଯଦିଓ ସେଠାରୁ ମଧ୍ୟ ପୁନର୍ବାର ସଂସାରଚକ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡିଥାଏ),
ସେହି ବ୍ରହ୍ମଲୋକ ଅପେକ୍ଷା ସ୍ବଳ୍ପ ଆୟୁଯୁକ୍ତ ହୋଇ ଭାରତବର୍ଷରେ ଜନ୍ମ ଗ୍ରହଣ କରିବା
ଶ୍ରେୟସ୍କର ଅଟେ; କାରଣ ଏଠାରେ ଧୀର ପୁରୁଷ ନିଜ ମର୍ତ୍ତ୍ୟଶରୀରରେ କରାଯାଇ ଥିବା ସମ୍ପୂର୍ଣ୍ଣ
କର୍ମକୁ ଶ୍ରୀଭଗବାନଙ୍କଠାରେ ଅର୍ପଣ କରି କ୍ଷଣକରେ ତାଙ୍କର ଅଭୟପଦ ପ୍ରାପ୍ତ କରିପାରେ |
ନ ଯତ୍ର ବୈକୁଣ୍ଠକଥାସୁଧାପଗା
ନ ସାଧବୋ ଭାଗବତାସ୍ତଦାଶ୍ରୟାଃ ।
ନ ଯତ୍ର ଯଜ୍ଞେଶମଖା ମହୋତ୍ସବାଃ
ସୁରେଶଲୋକୋଽପି ନ ବୈ ସ ସେବ୍ୟତାମ୍ ॥ ୨୪॥
ଯେଉଁଠାରେ ଭଗବତ୍-କଥାର ଅମୃତମୟୀ ସରିତା ପ୍ରବାହିତ ହେଉ ନ ଥାଏ, ଯେଉଁଠାରେ ତା’ର ଉଦଗମସ୍ଥାନ
ଭଗବତ୍-ଭକ୍ତ ସାଧୁଜନ ନିବାସ କରନ୍ତି ନାହିଁ ଏବଂ ଯେଉଁଠାରେ ନୃତ୍ୟ-ଗୀତାଦି ସହ ଅତି ସମାରୋହରେ
ଭଗବାନ ଯଜ୍ଞପୁରୁଷଙ୍କର ପୂଜା-ଅର୍ଚ୍ଚନା କରାଯାଏ ନାହିଁ – ତାହା ବ୍ରହ୍ମଲୋକ ହୋଇଥାଉ ନା
କାହିଁକି, ତାହାର ସେବନ କରିବା ଉଚିତ୍ ନୁହେଁ |
ପ୍ରାପ୍ତା ନୃଜାତିଂ ତ୍ୱିହ ଯେ ଚ ଜନ୍ତବୋ
ଜ୍ଞାନକ୍ରିୟାଦ୍ରବ୍ୟକଲାପସମ୍ଭୃତାମ୍ ।
ନ ବୈ ଯତେରନ୍ନପୁନର୍ଭବାୟ ତେ
ଭୂୟୋ ବନୌକା ଇବ ଯାନ୍ତି ବନ୍ଧନମ୍ ॥ ୨୫॥
ଯେଉଁ ଜୀବ ଏହି ଭାରତବର୍ଷରେ ଜ୍ଞାନ (ବିବେକବୁଦ୍ଧି), ତଦନୁକୂଳ କର୍ମ
ତଥା ସେହି କର୍ମ ଉପଯୋଗୀ ଦ୍ରବ୍ୟାଦି ସାମଗ୍ରୀରେ ସମ୍ପନ୍ନ ମନୁଷ୍ୟ-ଜନ୍ମ ପାଇ ଆବାହଗମନ ଚକ୍ରରୁ
ନିଷ୍କୃତି ଲାଭ କରିବା ନିମନ୍ତେ ପ୍ରଯତ୍ନ କରନ୍ତି ନାହିଁ, ସେମାନେ ବ୍ୟାଧର
ଜାଲରୁ ମୁକ୍ତ ହୋଇ ମଧ୍ୟ ଫଳାଦି ଲୋଭରେ ସେହି ବୃକ୍ଷରେ ବିହାର କରୁଥିବା ପକ୍ଷୀଙ୍କ ପରି
ପୁନର୍ବାର ବନ୍ଧନକୁ ପ୍ରାପ୍ତ ହୁଅନ୍ତି |
ଯୈଃ ଶ୍ରଦ୍ଧୟା ବର୍ହିଷି ଭାଗଶୋ ହବି
ର୍ନିରୁପ୍ତମିଷ୍ଟଂ ବିଧିମନ୍ତ୍ରବସ୍ତୁତଃ ।
ଏକଃ ପୃଥଙ୍ ନାମଭିରାହୁତୋ ମୁଦା
ଗୃହ୍ଣାତି ପୂର୍ଣଃ ସ୍ୱୟମାଶିଷାଂ ପ୍ରଭୁଃ ॥ ୨୬॥
ଆହା ! ଭାରତବାସୀଙ୍କର କେତେ ବଡ ସୌଭାଗ୍ୟ ! ଯଜ୍ଞରେ ଭିନ୍ନ-ଭିନ୍ନ
ଉଦ୍ଦେଶ୍ୟରେ ପୃଥକ୍-ପୃଥକ୍ ଭାଗ ରଖି ଏମାନେ ଯେତେବେଳେ ବିଧି, ମନ୍ତ୍ର, ଦ୍ରବ୍ୟ ଆଦି
ଦ୍ବାରା ଶ୍ରଦ୍ଧାପୂର୍ବକ ସେମାନଙ୍କୁ ହବି ପ୍ରଦାନ କରନ୍ତି, ସେତେବେଳେ
ଇନ୍ଦ୍ରାଦି ଭିନ୍ନ-ଭିନ୍ନ ନାମରେ ଆବାହନ କଲେ ବି ସମ୍ପୂର୍ଣ୍ଣ କାମନାକୁ ପୂର୍ଣ୍ଣ କରୁଥିବା
ସ୍ବୟଂ ପୂର୍ଣ୍ଣକାମ ଶ୍ରୀହରି ହିଁ ପ୍ରସନ୍ନ ହୋଇ ସେହି ହବିକୁ ଗ୍ରହଣ କରନ୍ତି |
ସତ୍ୟଂ ଦିଶତ୍ୟର୍ଥିତମର୍ଥିତୋ ନୃଣାଂ
ନୈବାର୍ଥଦୋ ଯତ୍ପୁନରର୍ଥିତା ଯତଃ ।
ସ୍ୱୟଂ ବିଧତ୍ତେ ଭଜତାମନିଚ୍ଛତା-
ମିଚ୍ଛାପିଧାନଂ ନିଜପାଦପଲ୍ଲବମ୍ ॥ ୨୭॥
ଏହା ସତ୍ୟ ଅଟେ ଯେ ସକାମ ପୁରୁଷଙ୍କର ଯାଚନା ସ୍ବୀକାର କରି ଭଗବାନ
ସେମାନଙ୍କୁ ତାଙ୍କର ଅଭୀଷ୍ଟ ପ୍ରଦାନ କରନ୍ତି, କିନ୍ତୁ ତାହା
ତାଙ୍କର ବାସ୍ତବିକ ଦାନ ନୁହେଁ; କାରଣ ସେହି ସବୁ ବସ୍ତୁ ପ୍ରାପ୍ତ କରିବା ପରେ ମଧ୍ୟ ମନୁଷ୍ୟ
ମନରେ କାମନା ଉଠିଥାଏ | ଅପର ପକ୍ଷେ, ଯେଉଁମାନେ
ନିଷ୍କାମଭାବରେ ଭଗବାନଙ୍କର ଭଜନ କରନ୍ତି, ସେମାନଙ୍କୁ ତ ସେ
ନିଜର ଚରଣକମଳ ହିଁ ଦେଇ ଦିଅନ୍ତି, ଯାହା ସମସ୍ତ
କାମନାକୁ ସମାପ୍ତ କରିଦିଏ |
ଯଦ୍ୟତ୍ର ନଃ ସ୍ୱର୍ଗସୁଖାବଶେଷିତଂ
ସ୍ୱିଷ୍ଟସ୍ୟ ସୂକ୍ତସ୍ୟ କୃତସ୍ୟ ଶୋଭନମ୍ ।
ତେନାଜନାଭେ ସ୍ମୃତିମଜ୍ଜନ୍ମ ନଃ ସ୍ୟା-
ଦ୍ୱର୍ଷେ ହରିର୍ୟଦ୍ଭଜତାଂ ଶଂ ତନୋତି ॥ ୨୮॥
ତେଣୁ ଏତେଦିନ ଧରି ସ୍ବର୍ଗସୁଖ ଭୋଗ କରିବା ପରେ ଯଦି ଆମ୍ଭମାନଙ୍କର
ପୂର୍ବକୃତ ଯଜ୍ଞ, ପ୍ରବଚନ ଏବଂ ଶୁଭକର୍ମର କିଛି ପୁଣ୍ୟ ଅବଶିଷ୍ଟ
ରହିଥାଏ, ତେବେ ତାହାର ପ୍ରଭାବରେ ଆମ୍ଭମାନଙ୍କୁ ଏହି
ଭାରତବର୍ଷରେ ଭଗବାନଙ୍କର ସ୍ମୃତିଯୁକ୍ତ ମନୁଷ୍ୟ-ଜନ୍ମ ମିଳୁ; କାରଣ ଶ୍ରୀହରି
ତାଙ୍କର ଭଜନ କରୁଥିବା ଜୀବର ସବୁ ପ୍ରକାରେ କଲ୍ୟାଣ କରିଥାଆନ୍ତି |
ଶ୍ରୀଶୁକ ଉବାଚ
ଜମ୍ବୂଦ୍ୱୀପସ୍ୟ ଚ ରାଜନ୍ନୁପଦ୍ୱୀପାନଷ୍ଟୌ ହୈକ ଉପଦିଶନ୍ତି
ସଗରାତ୍ମଜୈରଶ୍ୱାନ୍ୱେଷଣ ଇମାଂ ମହୀଂ ପରିତୋ ନିଖନଦ୍ଭି-
ରୁପକଲ୍ପିତାନ୍ ॥ ୨୯॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ରାଜା ସଗରଙ୍କର ପୁତ୍ରମାନେ
ତାଙ୍କ ଯଜ୍ଞ ଘୋଡାର ଅନ୍ବେଷଣରେ ସମ୍ପୂର୍ଣ୍ଣ ପୃଥିବୀର ଖୋଦନ କରିଥିଲେ | କେହି କେହି କହନ୍ତି, ତଦ୍ବାରା ଜମ୍ବୁଦ୍ବୀପ ଅନ୍ତର୍ଗତ ଆଠଟି ଉପଦ୍ବୀପ ସୃଷ୍ଟି ହେଲା |
ତଦ୍ୟଥା ସ୍ୱର୍ଣପ୍ରସ୍ଥଶ୍ଚନ୍ଦ୍ରଶୁକ୍ଲ ଆବର୍ତନୋ ରମଣକୋ
ମନ୍ଦରହରିଣଃ ପାଞ୍ଚଜନ୍ୟଃ ସିଂହଲୋ ଲଙ୍କେତି ॥ ୩୦॥
ସେମାନେ ସ୍ବର୍ଣ୍ଣପ୍ରସ୍ଥ, ଚନ୍ଦ୍ରଶୁକ୍ଲ, ଆବର୍ତନ, ରମଣକ, ମନ୍ଦରହରିଣ, ପାଞ୍ଚଜନ୍ୟ, ସିଂହଳ ଏବଂ ଲଙ୍କା ଅଟନ୍ତି |
ଏବଂ ତବ ଭାରତୋତ୍ତମ ଜମ୍ବୂଦ୍ୱୀପବର୍ଷବିଭାଗୋ
ଯଥୋପଦେଶମୁପବର୍ଣିତ ଇତି ॥ ୩୧॥
ହେ ଭରତଶ୍ରେଷ୍ଠ ! ଏହିପରି ଭାବରେ ମୁଁ ଗୁରୁମୁଖରୁ ଯାହା ଶୁଣିଥିଲି, ତାହାକୁ ଠିକ୍ ସେହିପରି ଭାବରେ ତୁମକୁ ଶୁଣାଇ ଏହି ଜମ୍ବୁଦ୍ବୀପର
ବିଭାଗ ବର୍ଣ୍ଣନା କଲି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଜମ୍ବୂଦ୍ୱୀପବର୍ଣନଂ ନାମୈକୋନବିଂଶୋଽଧ୍ୟାୟଃ ॥ ୧୯॥

Comments
Post a Comment