ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ବିଂଶ ଅଧ୍ୟାୟ
ଅନ୍ୟ ଛଅ ଦ୍ବୀପ ତଥା ଲୋକାଲୋକପର୍ବତର ବର୍ଣ୍ଣନ
ଶ୍ରୀଶୁକ ଉବାଚ
ଅତଃ ପରଂ ପ୍ଲକ୍ଷାଦୀନାଂ ପ୍ରମାଣଲକ୍ଷଣସଂସ୍ଥାନତୋ
ବର୍ଷବିଭାଗ ଉପବର୍ଣ୍ୟତେ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ବର୍ତ୍ତମାନ ପରିମାଣ, ଲକ୍ଷଣ ଏବଂ ସ୍ଥିତି ଅନୁସାରେ ପ୍ଲକ୍ଷାଦି ଅନ୍ୟ ଦ୍ବୀପମାନଙ୍କର
ବର୍ଷବିଭାଗର ବର୍ଣ୍ଣନା କରାଯାଉଛି |
ଜମ୍ବୂଦ୍ୱୀପୋଽୟଂ ଯାବତ୍ପ୍ରମାଣବିସ୍ତାରସ୍ତାବତା କ୍ଷାରୋଦଧିନା
ପରିବେଷ୍ଟିତୋ ଯଥା ମେରୁର୍ଜମ୍ବ୍ୱାଖ୍ୟେନ ଲବଣୋଦଧିରପି ତତୋ
ଦ୍ୱିଗୁଣବିଶାଲେନ ପ୍ଲକ୍ଷାଖ୍ୟେନ ପରିକ୍ଷିପ୍ତୋ ଯଥା ପରିଖା
ବାହ୍ୟୋପବନେନ ପ୍ଲକ୍ଷୋ ଜମ୍ବୂପ୍ରମାଣୋ ଦ୍ୱୀପାଖ୍ୟାକରୋ ହିରଣ୍ମୟ
ଉତ୍ଥିତୋ ଯତ୍ରାଗ୍ନିରୁପାସ୍ତେ ସପ୍ତଜିହ୍ୱସ୍ତସ୍ୟାଧିପତିଃ
ପ୍ରିୟବ୍ରତାତ୍ମଜ ଇଧ୍ମଜିହ୍ୱଃ ସ୍ୱଂ ଦ୍ୱୀପଂ ସପ୍ତବର୍ଷାଣି ବିଭଜ୍ୟ
ସପ୍ତବର୍ଷନାମଭ୍ୟ ଆତ୍ମଜେଭ୍ୟ ଆକଲୟ୍ୟ ସ୍ୱୟମାତ୍ମୟୋଗେ-
ନୋପରରାମ ॥ ୨॥
ମେରୁ ପର୍ବତକୁ ଘେରି ଯେପରି ଜମ୍ବୁଦ୍ବୀପ ରହିଛି, ସେହିପରି ଜମ୍ବୁଦ୍ବୀପ ମଧ୍ୟ ପରିମାଣ ଏବଂ ବିସ୍ତାର ଦୃଷ୍ଟିରୁ ନିଜ
ସହିତ ସମାନ କ୍ଷାରଜଳ ସମୁଦ୍ରରେ ପରିବେଷ୍ଟିତ | ଖାଈକୁ ଘେରି ଉପବନ ରହିଥିବା ପରି ସେହି
କ୍ଷାରସମୁଦ୍ର ନିଜଠାରୁ ଦୁଇଗୁଣ ବିସ୍ତୃତ ପ୍ଲକ୍ଷଦ୍ବୀପ ଦ୍ବାରା ଆବୃତ ରହିଛି | ଜମ୍ବୁଦ୍ବୀପରେ
ଯେତେ ବଡ ଜାମୁ ଗଛ ରହିଛି, ଏଠାରେ ସେତେ ବଡ
ସୁବର୍ଣ୍ଣମୟ ପ୍ଲକ୍ଷ (ଓକ) ବୃକ୍ଷ ରହିଛି | ସେଥିପାଇଁ ଏହାର ନାମ ପ୍ଲକ୍ଷଦ୍ବୀପ ଅଟେ | ଏଠାରେ
ସାତ ଜିହ୍ବାବିଶିଷ୍ଟ ଅଗ୍ନିଦେବ ବିରାଜିତ | ଏହାର ଅଧିପତି ପ୍ରିୟବ୍ରତପୁତ୍ର ମହାରାଜ
ଇଧ୍ମଜିହ୍ବ ଥିଲେ | ସେ ଏହାକୁ ସାତଟି ବର୍ଷରେ ବିଭକ୍ତ କରି ତାହାକୁ ସେହି ବର୍ଷ ନାମଧାରୀ ନିଜ
ସାତ ପୁତ୍ରଙ୍କ ହାତରେ ଅର୍ପଣ କଲେ ତଥା ସ୍ବୟଂ ଅଧ୍ୟାତ୍ମଯୋଗର ଆଶ୍ରୟ ଗ୍ରହଣ କରି ଉପରତ ହୋଇଗଲେ
|
ଶିବଂ ଯବସଂ ସୁଭଦ୍ରଂ ଶାନ୍ତଂ କ୍ଷେମମମୃତମଭୟମିତି
ବର୍ଷାଣି ତେଷୁ ଗିରୟୋ ନଦ୍ୟଶ୍ଚ ସପ୍ତୈବାଭିଜ୍ଞାତାଃ ॥ ୩॥
ଏହି ବର୍ଷମାନଙ୍କର ନାମ ଶିବ, ଯବସ, ସୁଭଦ୍ର,
ଶାନ୍ତ, କ୍ଷେମ, ଅମୃତ ଏବଂ ଅଭୟ ଅଟେ | ଏଠାରେ ସାତଟି ପର୍ବତ
ଏବଂ ସାତଟି ନଦୀ ପ୍ରସିଦ୍ଧ ଅଟନ୍ତି |
ମଣିକୂଟୋ ବଜ୍ରକୂଟ ଇନ୍ଦ୍ରସେନୋ ଜ୍ୟୋତିଷ୍ମାନ୍ ସୁପର୍ଣୋ
ହିରଣ୍ୟଷ୍ଠୀବୋ ମେଘମାଲ ଇତି ସେତୁଶୈଲାଃ । ଅରୁଣା
ନୃମ୍ଣାଙ୍ଗିରସୀ ସାବିତ୍ରୀ ସୁପ୍ରଭାତା ଋତମ୍ଭରା ସତ୍ୟମ୍ଭରା
ଇତି ମହାନଦ୍ୟଃ ଯାସାଂ ଜଲୋପସ୍ପର୍ଶନବିଧୂତରଜସ୍ତମସୋ
ହଂସପତଙ୍ଗୋର୍ଧ୍ୱାୟନସତ୍ୟାଙ୍ଗସଞ୍ଜ୍ଞାଶ୍ଚତ୍ୱାରୋ ବର୍ଣାଃ
ସହସ୍ରାୟୁଷୋ
ବିବୁଧୋପମସନ୍ଦର୍ଶନପ୍ରଜନନାଃ ସ୍ୱର୍ଗଦ୍ୱାରଂ ତ୍ରୟ୍ୟା ବିଦ୍ୟଯା
ଭଗବନ୍ତଂ ତ୍ରୟୀମୟଂ ସୂର୍ୟମାତ୍ମାନଂ ଯଜନ୍ତେ ॥ ୪॥
ଏଠାରେ ମଣିକୂଟ, ବଜ୍ରକୂଟ, ଇନ୍ଦ୍ରସେନ, ଜ୍ୟୋତିଷ୍ମାନ୍,
ସୁପର୍ଣ, ହିରଣ୍ୟଷ୍ଠୀବ ଏବଂ ମେଘମାଳ – ଏହି ସାତଟି
ମର୍ଯ୍ୟାଦାପର୍ବତ ରହିଛି ତଥା ଅରୁଣା, ନୃମ୍ଣା, ଆଙ୍ଗିରସୀ, ସାବିତ୍ରୀ, ସୁପ୍ରଭାତା, ଋତମ୍ଭରା ଏବଂ ସତ୍ୟମ୍ଭରା – ଏହି ସାତଟି ମହାନଦୀ
ରହିଛି | ସେଠାରେ ହଂସ, ପତଙ୍ଗ,
ଊର୍ଦ୍ଧ୍ବାୟନ ଏବଂ ସତ୍ୟାଙ୍ଗ ନାମରେ ଚାରି ବର୍ଣ୍ଣ ରହିଛି | ଉକ୍ତ ନଦୀ ଜଳରେ ସ୍ନାନ କରିବା
ଦ୍ବାରା ସେମାନଙ୍କର ରଜଗୁଣ-ତମଗୁଣ କ୍ଷୀଣ ହେବାରେ ଲାଗେ | ଏମାନଙ୍କର ଆୟୁ ଏକ ହଜାର ବର୍ଷ ଅଟେ
| ଦେବତାମାନଙ୍କ ପରି ଏମାନଙ୍କ ଶରୀରରେ କ୍ଲାନ୍ତି ଏବଂ ସ୍ବେଦ ଜାତ ହୋଇ ନ ଥାଏ ଏବଂ ସନ୍ତାନ
ଉତ୍ପତ୍ତିରେ ମଧ୍ୟ ଏମାନେ ଦେବତାମାନଙ୍କ ପରି ଅଟନ୍ତି | ଏମାନେ ତ୍ରୟୀବିଦ୍ୟା ଦ୍ବାରା
ବେଦବର୍ଣ୍ଣିତ ସ୍ବର୍ଗର ଦ୍ବାରଭୂତ ଆତ୍ମସ୍ବରୂପ ଭଗବାନ ସୂର୍ଯ୍ୟଙ୍କର ଉପାସନା କରନ୍ତି |
ପ୍ରତ୍ନସ୍ୟ ବିଷ୍ଣୋ ରୂପଂ ଯତ୍ସତ୍ୟସ୍ୟର୍ତସ୍ୟ ବ୍ରହ୍ମଣଃ ।
ଅମୃତସ୍ୟ ଚ ମୃତ୍ୟୋଶ୍ଚ ସୂର୍ୟମାତ୍ମାନମୀମହୀତି ॥ ୫॥
ସେମାନେ କହନ୍ତି, ‘ଯିଏ ସତ୍ୟ
(ଅନୁଷ୍ଠାନଯୋଗ୍ୟ ଧର୍ମ) ଏବଂ ଋତ (ପ୍ରତୀତ ହେଉଥିବା ଧର୍ମ), ବେଦ ଏବଂ ଶୁଭାଶୁଭ ଫଳର
ଅଧିଷ୍ଠାତା ଅଟନ୍ତି, ଆମେ ସେହି
ପୁରାଣପୁରୁଷ ବିଷ୍ଣୁସ୍ବରୂପ ଭଗବାନ ସୂର୍ଯ୍ୟଙ୍କର ଶରଣ ଗ୍ରହଣ କରୁଛୁ |
ପ୍ଲକ୍ଷାଦିଷୁ ପଞ୍ଚସୁ ପୁରୁଷାଣାମାୟୁରିନ୍ଦ୍ରିୟମୋଜଃ ସହୋ ବଲଂ
ବୁଦ୍ଧିର୍ୱିକ୍ରମ ଇତି ଚ ସର୍ୱେଷାମୌତ୍ପତ୍ତିକୀ ସିଦ୍ଧିରବିଶେଷେଣ
ବର୍ତତେ ॥ ୬॥
ପ୍ଲକ୍ଷ ଆଦି ପାଞ୍ଚ ଦ୍ବୀପରେ ସବୁ ମନୁଷ୍ୟଙ୍କର ଜନ୍ମରୁ ହିଁ ଆୟୁ, ଇନ୍ଦ୍ରିୟ, ମନୋବଳ, ଶାରୀରିକ ବଳ, ବୁଦ୍ଧି ଏବଂ
ପରାକ୍ରମ ସମାନରୂପରେ ସିଦ୍ଧ ରହିଥାଏ |
ପ୍ଲକ୍ଷଃ ସ୍ୱସମାନେନେକ୍ଷୁରସୋଦେନାବୃତୋ ଯଥା ତଥା ଦ୍ୱୀପୋଽପି
ଶାଲ୍ମଲୋ ଦ୍ୱିଗୁଣବିଶାଲଃସମାନେନ ସୁରୋଦେନାବୃତଃ
ପରିବୃଙ୍କ୍ତେ ॥ ୭॥
ପ୍ଲକ୍ଷଦ୍ବୀପ ବିସ୍ତୃତିରେ ନିଜ ସହିତ ସମାନ ଇକ୍ଷୁରସ ସମୁଦ୍ରରେ
ଆବୃତ ଅଟେ | ତା’ ଆଗକୁ ପରିମାଣରେ ତା’ଠାରୁ ଦୁଇଗୁଣ ଅଧିକ ଶାଳ୍ମଳୀଦ୍ବୀପ ରହିଛି, ଯାହା ସେତିକି ବିସ୍ତୃତ ମଦିରା ସାଗରରେ ଆବୃତ ଅଟେ |
ଯତ୍ର ହ ବୈ ଶାଲ୍ମଲୀ ପ୍ଲକ୍ଷାୟାମା ଯସ୍ୟାଂ ବାବ କିଲ
ନିଲୟମାହୁର୍ଭଗବତଶ୍ଛନ୍ଦଃ ସ୍ତୁତଃ ପତତ୍ତ୍ରିରାଜସ୍ୟ ସା
ଦ୍ୱୀପହୂତୟେ ଉପଲକ୍ଷ୍ୟତେ ॥ ୮॥
ପ୍ଲକ୍ଷଦ୍ବୀପର ଓକ ବୃକ୍ଷ ଆକାରର ଏଠାରେ ଶାଲ୍ମଳୀ ବୃକ୍ଷ ରହିଛି |
କୁହାଯାଏ, ଏହି ବୃକ୍ଷ ନିଜ ବେଦମୟ ପକ୍ଷ୍ମରେ ଭଗବାନଙ୍କର
ସ୍ତୁତି କରୁଥିବା ପକ୍ଷୀରାଜ ଗରୁଡ଼ଙ୍କର ନିବାସସ୍ଥାନ ଅଟେ ତଥା ଏହା ଏହି ଦ୍ବୀପର ନାମକରଣର
ହେତୁ ଅଟେ |
ତଦ୍ଦ୍ୱୀପାଧିପତିଃ ପ୍ରିୟବ୍ରତାତ୍ମଜୋ ଯଜ୍ଞବାହୁଃ ସ୍ୱସୁତେଭ୍ୟଃ
ସପ୍ତଭ୍ୟସ୍ତନ୍ନାମାନି ସପ୍ତବର୍ଷାଣି ବ୍ୟଭଜତ୍ସୁରୋଚନଂ ସୌମନସ୍ୟଂ
ରମଣକଂ ଦେବବର୍ଷଂ ପାରିଭଦ୍ରମାପ୍ୟାୟନମବିଜ୍ଞାତମିତି ॥ ୯॥
ଏହି ଦ୍ବୀପର ଅଧିପତି ପ୍ରିୟବ୍ରତପୁତ୍ର ମହାରାଜ ଯଜ୍ଞବାହୁ ଥିଲେ |
ସେ ଏହାକୁ ସୁରୋଚନ, ସୌମନସ୍ୟ, ରମଣକ, ଦେବବର୍ଷ, ପାରିଭଦ୍ର, ଆପ୍ୟାୟନ ଏବଂ ଅବିଜ୍ଞାତ ନାମରେ ସାତ ଭାଗ କଲେ ଏବଂ
ତାହାକୁ ସେହି ନାମଯୁକ୍ତ ନିଜ ସାତ ପୁତ୍ରଙ୍କ ହସ୍ତରେ ଅର୍ପଣ କଲେ |
ତେଷୁ ବର୍ଷାଦ୍ରୟୋ ନଦ୍ୟଶ୍ଚ ସପ୍ତୈବାଭିଜ୍ଞାତାଃ ସ୍ୱରସଃ ଶତଶୃଙ୍ଗୋ
ବାମଦେବଃ କୁନ୍ଦୋ ମୁକୁନ୍ଦଃ ପୁଷ୍ପବର୍ଷଃ ସହସ୍ରଶ୍ରୁତିରିତି
ଅନୁମତିଃ ସିନୀବାଲୀ ସରସ୍ୱତୀ କୁହୂ ରଜନୀ ନନ୍ଦା
ରାକେତି ॥ ୧୦॥
ଏଠାରେ ମଧ୍ୟ ସାତଟି ପର୍ବତ ଏବଂ ସାତଟି ନଦୀ ପ୍ରସିଦ୍ଧ ଅଟନ୍ତି |
ପର୍ବତମାନଙ୍କର ନାମ ସ୍ବରସ, ଶତଶୃଙ୍ଗ, ବାମଦେବ, କୁନ୍ଦ, ମୁକୁନ୍ଦ, ପୁଷ୍ପବର୍ଷ ଏବଂ
ସହସ୍ରଶ୍ରୁତି ଅଟେ ତଥା ନଦୀମାନଙ୍କର ନାମ ଅନୁମତି, ସିନୀବାଲୀ, ସରସ୍ବତୀ, କୁହୂ, ରଜନୀ, ନନ୍ଦା ଏବଂ ରାକା
ଅଟେ |
ତଦ୍ୱର୍ଷପୁରୁଷାଃ ଶ୍ରୁତଧରବୀର୍ୟଧରବସୁନ୍ଧରେଷନ୍ଧରସଞ୍ଜ୍ଞା ଭଗବନ୍ତଂ
ବେଦମୟଂ ସୋମମାତ୍ମାନଂ ବେଦେନ ଯଜନ୍ତେ ॥ ୧୧॥
ଏହି ବର୍ଷରେ ରହୁଥିବା ଶ୍ରୁତଧର, ବୀର୍ଯ୍ୟଧର,
ବସୁନ୍ଧର ଏବଂ ଇଷନ୍ଧର ନାମକ ଚାରିବର୍ଣ୍ଣ ବେଦମୟ ଆତ୍ମସ୍ବରୂପ ଭଗବାନ ଚନ୍ଦ୍ରମାଙ୍କର
ବେଦମନ୍ତ୍ରରେ ଉପାସନା କରନ୍ତି |
ସ୍ୱଗୋଭିଃ ପିତୃଦେବେଭ୍ୟୋ ବିଭଜନ୍ କୃଷ୍ଣଶୁକ୍ଲୟୋଃ ।
ପ୍ରଜାନାଂ ସର୍ୱାସାଂ ରାଜାନ୍ଧଃ ସୋମୋ ନ ଆସ୍ତ୍ୱିତି ॥ ୧୨॥
ସେମାନେ କହନ୍ତି, ‘ଯିଏ ନିଜ କିରଣ
ଦ୍ବାରା କୃଷ୍ଣପକ୍ଷ ଏବଂ ଶୁକ୍ଲପକ୍ଷରେ ବିଭାଜିତ କରି ଦେବତା, ପିତୃପୁରୁଷ ଏବଂ ସମ୍ପୂର୍ଣ୍ଣ
ପ୍ରାଣୀଙ୍କୁ ଅନ୍ନ ପ୍ରଦାନ କରନ୍ତି, ସେହି ଚନ୍ଦ୍ରଦେବ
ଆମର ରାଜା ହୁଅନ୍ତୁ |’
ଏବଂ ସୁରୋଦାଦ୍ବହିସ୍ତଦ୍ଦ୍ୱିଗୁଣଃ ସମାନେନାବୃତୋ ଘୃତୋଦେନ
ଯଥା ପୂର୍ୱଃ କୁଶଦ୍ୱୀପୋ ଯସ୍ମିନ୍ କୁଶସ୍ତମ୍ବୋ ଦେବକୃତ-
ସ୍ତଦ୍ଦ୍ୱୀପାଖ୍ୟାକରୋ ଜ୍ୱଲନ ଇବାପରଃ ସ୍ୱଶଷ୍ପରୋଚିଷା
ଦିଶୋ ବିରାଜୟତି ॥ ୧୩॥
ମଦିରା ସମୁଦ୍ର ଆଗକୁ ପରିମାଣରେ ତା’ଠାରୁ ଦୁଇଗୁଣବିଶିଷ୍ଟ କୁଶଦ୍ବୀପ ରହିଛି | ପୂର୍ବୋକ୍ତ ଦ୍ବୀପମାନଙ୍କ
ପରି ଏହା ମଧ୍ୟ ବିସ୍ତୃତିରେ ନିଜ ସହିତ ସମାନ ଘୃତ ସାଗର ଦ୍ବାରା ପରିବେଷ୍ଟିତ | ଏଥିରେ
ଭଗବାନଙ୍କ ଦ୍ବାରା ରଚିତ କୁଶର ଝାଟି ରହିଛି, ଯାହା ଅନୁସାରେ
ଏହାର ନାମକରଣ କରାଯାଇଛି | ତାହା ଅନ୍ୟ ଅଗ୍ନିଦେବଙ୍କ ପରି ନିଜର କୋମଳ ଶିଖାର କାନ୍ତିରେ
ଚତୁର୍ଦ୍ଦିଗ ପ୍ରକାଶିତ କରୁଥାଏ |
ତଦ୍ଦ୍ୱୀପପତିଃ ପ୍ରୈୟବ୍ରତୋ ରାଜନ୍ ହିରଣ୍ୟରେତା ନାମ
ସ୍ୱଂ ଦ୍ୱୀପଂ ସପ୍ତଭ୍ୟଃ ସ୍ୱପୁତ୍ରେଭ୍ୟୋ ଯଥାଭାଗଂ ବିଭଜ୍ୟ ସ୍ୱୟଂ
ତପ ଆତିଷ୍ଠତ ବସୁବସୁଦାନଦୃଢରୁଚିନାଭିଗୁପ୍ତସ୍ତୁତ୍ୟବ୍ରତ-
ବିବିକ୍ତବାମଦେବନାମଭ୍ୟଃ ॥ ୧୪॥
ରାଜନ୍ ! ଏହି ଦ୍ବୀପର ଅଧିପତି ପ୍ରିୟବ୍ରତପୁତ୍ର ମହାରାଜ
ହିରଣ୍ୟରେତା ଥିଲେ | ସେ ଏହାକୁ ସାତ ଭାଗ କରି ଗୋଟିଏ ଗୋଟିଏ ଭାଗ ନିଜର ସାତ ପୁତ୍ର ବସୁ, ବସୁଦାନ, ଦୃଢରୁଚି, ନାଭିଗୁପ୍ତ, ସ୍ତୁତ୍ୟବ୍ରତ, ବିବିକ୍ତ ଏବଂ ବାମଦେବଙ୍କୁ ପ୍ରଦାନ କଲେ ଏବଂ ସ୍ବୟଂ ତପସ୍ୟା
କରିବାକୁ ଚାଲିଗଲେ |
ତେଷାଂ ବର୍ଷେଷୁ ସୀମାଗିରୟୋ ନଦ୍ୟଶ୍ଚାଭିଜ୍ଞାତାଃ ସପ୍ତ ସପ୍ତୈବ
ଚକ୍ରଶ୍ଚତୁଃଶୃଙ୍ଗଃ କପିଲଶ୍ଚିତ୍ରକୂଟୋ ଦେବାନୀକ ଊର୍ଧ୍ୱରୋମା
ଦ୍ରବିଣ ଇତି । ରସକୁଲ୍ୟା ମଧୁକୁଲ୍ୟା ମିତ୍ରବିନ୍ଦା
ଶ୍ରୁତବିନ୍ଦା ଦେବଗର୍ଭା ଘୃତଚ୍ୟୁତା ମନ୍ତ୍ରମାଲେତି ॥ ୧୫॥
ସାତଟି ପର୍ବତ ଏବଂ ସାତଟି ନଦୀ ସେମାନଙ୍କର ସୀମା ନିର୍ଧାରିତ
କରୁଥିଲେ | ପର୍ବତମାନଙ୍କର ନାମ
ଚକ୍ର, ଚତୁଃଶୃଙ୍ଗ, କପିଳ, ଚିତ୍ରକୂଟ, ଦେବାନୀକ, ଊର୍ଦ୍ଧ୍ବରୋମା ଏବଂ ଦ୍ରବିଣ ଅଟେ | ନଦୀମାନଙ୍କର ନାମ ରସକୁଲ୍ୟା,
ମଧୁକୁଲ୍ୟା, ମିତ୍ରବିନ୍ଦା, ଶ୍ରୁତବିନ୍ଦା, ଦେବଗର୍ଭା, ଧୃତଚ୍ୟୁତା ଏବଂ ମନ୍ତ୍ରମାଳା ଅଟେ |
ଯାସାଂ ପୟୋଭିଃ କୁଶଦ୍ୱୀପୌକସଃ କୁଶଲକୋବିଦାଭିୟୁକ୍ତ-
କୁଲକସଞ୍ଜ୍ଞା ଭଗବନ୍ତଂ ଜାତବେଦସରୂପିଣଂ କର୍ମକୌଶଲେନ
ଯଜନ୍ତେ ॥ ୧୬॥
ସେହି ନଦୀ ଜଳରେ ସ୍ନାନ କରି କୁଶଦ୍ବୀପବାସୀ କୁଶଳ, କୋବିଦ, ଅଭିଯୁକ୍ତ ଏବଂ
କୁଳକ ବର୍ଣ୍ଣର ପୁରୁଷ ଯଜ୍ଞାଦି କର୍ମ-କୌଶଳ ଦ୍ବାରା ଅଗ୍ନିସ୍ବରୂପ ଭଗବାନ ହରିଙ୍କର ପୂଜନ
କରନ୍ତି |
ପରସ୍ୟ ବ୍ରହ୍ମଣଃ ସାକ୍ଷାଜ୍ଜାତବେଦୋଽସି ହବ୍ୟବାଟ୍ ।
ଦେବାନାଂ ପୁରୁଷାଙ୍ଗାନାଂ ଯଜ୍ଞେନ ପୁରୁଷଂ ଯଜେତି ॥ ୧୭॥
(ତଥା ଏହିପରି ସ୍ତୁତି କରନ୍ତି |) ହେ ଅଗ୍ନି ! ଆପଣ ସାକ୍ଷାତ୍
ପରବ୍ରହ୍ମଙ୍କ ପାଖରେ ହବି ପହଞ୍ଚାଇ ଥାଆନ୍ତି; ତେଣୁ ଭଗବାନଙ୍କର ଅଙ୍ଗଭୂତ ଦେବତାମାନଙ୍କର ଯଜନ
ଦ୍ବାରା ଆପଣ ସେହି ପରମପୁରୁଷଙ୍କର ହିଁ ଯଜନ କରନ୍ତୁ |
ତଥା ଘୃତୋଦାଦ୍ବହିଃ କ୍ରୌଞ୍ଚଦ୍ୱୀପୋ ଦ୍ୱିଗୁଣଃ ସ୍ୱମାନେନ
କ୍ଷୀରୋଦେନ ପରିତ ଉପକୢପ୍ତୋ ବୃତୋ ଯଥା କୁଶଦ୍ୱୀପୋ
ଘୃତୋଦେନ ଯସ୍ମିନ୍ କ୍ରୌଞ୍ଚୋ ନାମ ପର୍ୱତରାଜୋ
ଦ୍ୱୀପନାମନିର୍ୱର୍ତକ ଆସ୍ତେ ॥ ୧୮॥
ଘୃତସମୁଦ୍ର ଆଗକୁ ତା’ଠାରୁ ଦୁଇଗୁଣ
ପରିମାଣବିଶିଷ୍ଟ କ୍ରୌଞ୍ଚଦ୍ବୀପ ରହିଛି | କୁଶଦ୍ବୀପକୁ ଘେରି ଘୃତସମୁଦ୍ର ରହିଥିବା ପରି ଏହା
ସମବିସ୍ତୃତ କ୍ଷୀର ସାଗରରେ ପରିବେଷ୍ଟିତ | ଏଠାରେ କ୍ରୌଞ୍ଚ ନାମକ ଏକ ବିଶାଳ ପର୍ବତ ଅଛି ଏବଂ
ସେଥିପାଇଁ ଏହାର ନାମ କ୍ରୌଞ୍ଚଦ୍ବୀପ ଅଟେ |
ଯୋଽସୌ ଗୁହପ୍ରହରଣୋନ୍ମଥିତନିତମ୍ବକୁଞ୍ଜୋଽପି
କ୍ଷୀରୋଦେନାସିଚ୍ୟମାନୋ ଭଗବତା ବରୁଣେନାଭିଗୁପ୍ତୋ
ବିଭୟୋ ବଭୂବ ॥ ୧୯॥
ପୂର୍ବକାଳରେ ଶ୍ରୀସ୍ବାମିକାର୍ତ୍ତିକେୟଙ୍କର ଶସ୍ତ୍ର ପ୍ରହାରରେ ଏହାର
କଟିଦେଶ ଏବଂ ଲତାକୁଞ୍ଜ ଆଦି କ୍ଷତ-ବିକ୍ଷତ ହୋଇ ଯାଇଥିଲେ, କିନ୍ତୁ କ୍ଷୀରସାଗର ଦ୍ବାରା
ସିଞ୍ଚିତ ହୋଇ ଏବଂ ବରୁଣଦେବଙ୍କ ଦ୍ବାରା ସୁରକ୍ଷିତ ହୋଇ ଏହା ପୁନର୍ବାର ନିର୍ଭୟ ହୋଇଗଲା |
ତସ୍ମିନ୍ନପି ପ୍ରୈୟବ୍ରତୋ ଘୃତପୃଷ୍ଠୋ ନାମାଧିପତିଃ ସ୍ୱେ ଦ୍ୱୀପେ
ବର୍ଷାଣି ସପ୍ତ ବିଭଜ୍ୟ ତେଷୁ ପୁତ୍ରନାମସୁ ସପ୍ତ ରିକ୍ଥାଦାନ୍
ବର୍ଷପାନ୍ ନିବେଶ୍ୟ ସ୍ୱୟଂ ଭଗବାନ୍ ଭଗବତଃ ପରମକଲ୍ୟାଣ-
ଯଶସ ଆତ୍ମଭୂତସ୍ୟ ହରେଶ୍ଚରଣାରବିନ୍ଦମୁପଜଗାମ ॥ ୨୦॥
ଏହି ଦ୍ବୀପର ଅଧିପତି ପ୍ରିୟବ୍ରତପୁତ୍ର ମହାରାଜ ଧୃତପୃଷ୍ଠ ଥିଲେ |
ସେ ବହୁତ ବଡ ଜ୍ଞାନୀ ଥିଲେ | ସେ ଏହାକୁ ସାତ ଭାଗରେ ବିଭକ୍ତ କରି ସେଥିରେ ସେହି ନାମଧାରୀ ନିଜ
ସାତ ଉତ୍ତରାଧିକାରୀ ପୁତ୍ରଙ୍କୁ ନିଯୁକ୍ତ କଲେ ଏବଂ ସ୍ବୟଂ ସମ୍ପୂର୍ଣ୍ଣ ଜୀବଙ୍କର ଅନ୍ତରାତ୍ମା
ପରମ ମଙ୍ଗଳମୟ କୀର୍ତ୍ତିଶାଳୀ ଭଗବାନ ଶ୍ରୀହରିଙ୍କ ପାବନ ପଦାରବିନ୍ଦର ଶରଣ ଗ୍ରହଣ କଲେ |
ଆମୋ ମଧୁରୁହୋ ମେଘପୃଷ୍ଠଃ ସୁଧାମା ଭ୍ରାଜିଷ୍ଠୋ
ଲୋହିତାର୍ଣୋ ବନସ୍ପତିରିତି ଘୃତପୃଷ୍ଠସୁତାସ୍ତେଷାଂ
ବର୍ଷଗିରୟଃ ସପ୍ତ ସପ୍ତୈବ ନଦ୍ୟଶ୍ଚାଭିଖ୍ୟାତାଃ
ଶୁକ୍ଲୋ ବର୍ଧମାନୋ ଭୋଜନ ଉପବର୍ହିଣୋ ନନ୍ଦୋ
ନନ୍ଦନଃ ସର୍ୱତୋଭଦ୍ର ଇତି ଅଭୟା ଅମୃତୌଘା
ଆର୍ୟକା ତୀର୍ଥବତୀ ରୂପବତୀ ପବିତ୍ରବତୀ ଶୁକ୍ଲେତି ॥ ୨୧॥
ମହାରାଜ ଧୃତପୃଷ୍ଠଙ୍କର ଆମ, ମଧୁରୁହ, ମେଘପୃଷ୍ଠ, ସୁଧାମା, ଭ୍ରାଜିଷ୍ଠ, ଲୋହିତାର୍ଣ ଏବଂ ବନସ୍ପତି – ଏହିରୂପେ ସାତ ପୁତ୍ର ଥିଲେ |
ସେମାନଙ୍କ ରାଜ୍ୟରେ ମଧ୍ୟ ସାତଟି ପର୍ବତ ଏବଂ ସାତଟି ନଦୀ ରହିଛି | ପର୍ବତମାନଙ୍କର ନାମ ଶୁକ୍ଲ, ବର୍ଧମାନ, ଭୋଜନ, ଉପବର୍ହିଣ, ନନ୍ଦ, ନନ୍ଦନ ଏବଂ
ସର୍ବତୋଭଦ୍ର ଅଟେ ତଥା ନଦୀମାନଙ୍କର ନାମ ଅଭୟା, ଅମୃତୌଘା, ଆର୍ଯ୍ୟକା, ତୀର୍ଥବତୀ, ବୃତ୍ତିରୂପବତୀ, ପବିତ୍ରବତୀ ଏବଂ ଶୁକ୍ଲା ଅଟେ |
ଯାସାମମ୍ଭଃ ପବିତ୍ରମମଲମୁପୟୁଞ୍ଜାନାଃ ପୁରୁଷଋଷଭ-
ଦ୍ରବିଣଦେବକସଞ୍ଜ୍ଞା ବର୍ଷପୁରୁଷା ଆପୋମୟଂ ଦେବମପାଂ
ପୂର୍ଣେନାଞ୍ଜଲିନା ଯଜନ୍ତେ ॥ ୨୨॥
ଏମାନଙ୍କର ପବିତ୍ର ଏବଂ ନିର୍ମଳ ଜଳର ସେବନ କରୁଥିବା ସେଠାର ପୁରୁଷ, ଋଷଭ, ଦ୍ରବିଣ ଏବଂ ଦେବକ
ନାମକ ଚାରି ବର୍ଣ୍ଣ ଜଳଭରା ଅଞ୍ଜଳିରେ ଆପଦେବତା (ଜଳ ଦେବତା) ଙ୍କର ଉପାସନା କରନ୍ତି |
ଆପଃ ପୁରୁଷବୀର୍ୟାଃ ସ୍ଥ ପୁନନ୍ତୀର୍ଭୂର୍ଭୁବଃ ସୁବଃ ।
ତା ନଃ ପୁନୀତାମୀବ ଘ୍ନୀଃ ସ୍ପୃଶତାମାତ୍ମନା ଭୁବ ଇତି ॥ ୨୩॥
ସେମାନେ ସ୍ତୁତି କରନ୍ତି – ହେ ଜଳ ଦେବତା ! ତୁମକୁ
ପରମାତ୍ମାଙ୍କଠାରୁ ସାମର୍ଥ୍ୟ ପ୍ରାପ୍ତ ଅଟେ | ତୁମେ ଭୂଃ, ଭୁବଃ ଏବଂ ସ୍ବଃ
ତ୍ରିଲୋକକୁ ପବିତ୍ର କରିଥାଅ; କାରଣ ସ୍ବରୂପତଃ
ତୁମେ ପାପନାଶିନୀ ଅଟ| ଆମେ ନିଜ ଶରୀରରେ
ତୁମକୁ ସ୍ପର୍ଶ କରୁଛୁ, ତୁମେ ଆମର ଅଙ୍ଗକୁ
ପବିତ୍ର କର |
ଏବଂ ପୁରସ୍ତାତ୍କ୍ଷୀରୋଦାତ୍ପରିତ ଉପବେଶିତଃ ଶାକଦ୍ୱୀପୋ
ଦ୍ୱାତ୍ରିଂଶଲ୍ଲକ୍ଷୟୋଜନାୟାମଃ ସମାନେନ ଚ ଦଧିମଣ୍ଡୋଦେନ
ପରୀତୋ ଯସ୍ମିନ୍ ଶାକୋ ନାମ ମହୀରୁହଃ ସ୍ୱକ୍ଷେତ୍ରବ୍ୟପଦେଶକୋ
ଯସ୍ୟ ହ ମହାସୁରଭିଗନ୍ଧସ୍ତଂ ଦ୍ୱୀପମନୁବାସୟତି ॥ ୨୪॥
କ୍ଷୀରସମୁଦ୍ର ଆଗକୁ ତାହାର ଚତୁର୍ଦ୍ଦିଗରେ ବତିଶ ଲକ୍ଷ ଯୋଜନ ବ୍ୟାପି
ଶାକଦ୍ବୀପ ଅବସ୍ଥିତ, ଯାହା ସମାନ
ପରିମାଣବିଶିଷ୍ଟ ଦଧି ସମୁଦ୍ର ଦ୍ବାରା ପରିବେଷ୍ଟିତ | ଏଠାରେ ଶାକ ନାମକ ବିଶାଳ ବୃକ୍ଷ ରହିଛି, ଯାହା ଏହି କ୍ଷେତ୍ରର ନାମକରଣର ହେତୁ ଅଟେ | ସେହି ବୃକ୍ଷର ଅତ୍ୟନ୍ତ
ମଧୁର ସୁଗନ୍ଧରେ ସାରା ଦ୍ବୀପ ମହକିବାରେ ଲାଗିଥାଏ |
ତସ୍ୟାପି ପ୍ରୈୟବ୍ରତ ଏବାଧିପତିର୍ନାମ୍ନା ମେଧାତିଥିଃ ସୋଽପି
ବିଭଜ୍ୟ ସପ୍ତ ବର୍ଷାଣି ପୁତ୍ରନାମାନି ତେଷୁ ସ୍ୱାତ୍ମଜାନ୍
ପୁରୋଜବମନୋଜବପବମାନଧୂମ୍ରାନୀକ-ଚିତ୍ରରେଫବହୁରୂପ-
ବିଶ୍ୱଧାରସଞ୍ଜ୍ଞାନ୍ ନିଧାପ୍ୟାଧିପତୀନ୍ ସ୍ୱୟଂ ଭଗବତ୍ୟନନ୍ତ
ଆବେଶିତମତିସ୍ତପୋବନଂ ପ୍ରବିବେଶ ॥ ୨୫॥
ମେଧାତିଥି ନାମକ ଏହାର ଅଧିପତି ମଧ୍ୟ ରାଜା ପ୍ରିୟବ୍ରତଙ୍କର ହିଁ
ପୁତ୍ର ଥିଲେ | ସେ ମଧ୍ୟ ନିଜ ଦ୍ବୀପକୁ ସାତ ଭାଗରେ ବିଭକ୍ତ କରିଥିଲେ ଏବଂ ସେଥିରେ ସେହି
ନାମଧାରୀ ନିଜର ପୁରୋଜବ, ମନୋଜବ, ପବମାନ, ଧୂମ୍ରାନୀକ,
ଚିତ୍ରରେଫ, ବହୁରୂପ ଏବଂ ବିଶ୍ବଧାର ଆଦି ସାତ ପୁତ୍ରଙ୍କୁ ଅଧିପତି
ରୂପେ ନିଯୁକ୍ତ କରି ସ୍ବୟଂ ଭଗବାନ ଅନନ୍ତଙ୍କ ପ୍ରତି ଦତ୍ତଚିତ୍ତ ହୋଇ ତପୋବନକୁ ଚାଲିଗଲେ |
ଏତେଷାଂ ବର୍ଷମର୍ୟାଦାଗିରୟୋ ନଦ୍ୟଶ୍ଚ ସପ୍ତ ସପ୍ତୈବ ଈଶାନ
ଉରୁଶୃଙ୍ଗୋ ବଲଭଦ୍ରଃ ଶତକେସରଃ ସହସ୍ରସ୍ରୋତୋ ଦେବପାଲୋ
ମହାନସ ଇତି ଅନଘାଽଽୟୁର୍ଦା ଉଭୟସ୍ପୃଷ୍ଟିରପରାଜିତା
ପଞ୍ଚପଦୀ ସହସ୍ରସ୍ରୁତିର୍ନିଜଧୃତିରିତି ॥ ୨୬॥
ଏହି ବର୍ଷମାନଙ୍କରେ ମଧ୍ୟ ସାତଟି ମର୍ଯ୍ୟାଦାପର୍ବତ ଏବଂ ସାତଟି ନଦୀ
ରହିଛି | ପର୍ବତମାନଙ୍କର ନାମ ଈଶାନ, ଉରୁଶୃଙ୍ଗ, ବଳଭଦ୍ର, ଶତକେସର, ସହସ୍ରସ୍ରୋତ, ଦେବପାଳ ଏବଂ
ମହାନସ ଅଟେ ତଥା ନଦୀମାନଙ୍କର ନାମ ଅନଘା, ଆୟୁର୍ଦା, ଉଭୟସ୍ପୃଷ୍ଟି, ଅପରାଜିତା, ପଞ୍ଚପଦୀ,
ସହସ୍ରସ୍ରୁତି ଏବଂ ନିଜଧୃତି ଅଟେ |
ତଦ୍ୱର୍ଷପୁରୁଷା ଋତବ୍ରତସତ୍ୟବ୍ରତଦାନବ୍ରତାନୁବ୍ରତନାମାନୋ
ଭଗବନ୍ତଂ ବାୟ୍ୱାତ୍ମକଂ ପ୍ରାଣାୟାମବିଧୂତରଜସ୍ତମସଃ
ପରମସମାଧିନା ଯଜନ୍ତେ ॥ ୨୭॥
ସେହି ବର୍ଷରେ ଋତବ୍ରତ, ସତ୍ୟବ୍ରତ, ଦାନବ୍ରତ ଏବଂ ଅନୁବ୍ରତ ନାମକ ପୁରୁଷ ପ୍ରାଣାୟାମ ଦ୍ବାରା ନିଜର
ରଜଗୁଣ-ତମଗୁଣକୁ କ୍ଷୀଣ କରି ମହାନ୍ ସମାଧି ଦ୍ବାରା ବାୟୁରୂପ ଶ୍ରୀହରିଙ୍କର ଆରାଧନା କରନ୍ତି |
ଅନ୍ତଃ ପ୍ରବିଶ୍ୟ ଭୂତାନି ଯୋ ବିଭର୍ତ୍ୟାତ୍ମକେତୁଭିଃ ।
ଅନ୍ତର୍ୟାମୀଶ୍ୱରଃ ସାକ୍ଷାତ୍ପାତୁ ନୋ ଯଦ୍ୱଶେ ସ୍ଫୁଟମ୍ ॥ ୨୮॥
ଏହିପରି ଭାବରେ ତାଙ୍କର ସ୍ତୁତି କରନ୍ତି – ଯିଏ ପ୍ରାଣାଦି
ବୃତ୍ତିରୂପ ନିଜ ଧ୍ବଜା ସହିତ ପ୍ରାଣୀର ଭିତରେ ପ୍ରବେଶ କରି ତାହାର ରକ୍ଷଣ କରନ୍ତି ତଥା
ସମ୍ପୂର୍ଣ୍ଣ ଦୃଶ୍ୟ ଜଗତ ଯାହାର ଅଧୀନସ୍ତ ଅଟେ, ସେହି ସାକ୍ଷାତ୍
ଅନ୍ତର୍ଯ୍ୟାମୀ ବାୟୁ ଭଗବାନ ଆମର ରକ୍ଷା କରନ୍ତୁ |
ଏବମେବ ଦଧିମଣ୍ଡୋଦାତ୍ପରତଃ ପୁଷ୍କରଦ୍ୱୀପସ୍ତତୋ
ଦ୍ୱିଗୁଣାୟାମଃ ସମନ୍ତତ ଉପକଲ୍ପିତଃ ସମାନେନ
ସ୍ୱାଦୂଦକେନ ସମୁଦ୍ରେଣ ବହିରାବୃତୋ ଯସ୍ମିନ୍ ବୃହତ୍ପୁଷ୍କରଂ
ଜ୍ୱଲନଶିଖାମଲକନକପତ୍ରାୟୁତାୟୁତଂ ଭଗବତଃ
କମଲାସନସ୍ୟାଧ୍ୟାସନଂ ପରିକଲ୍ପିତମ୍ ॥ ୨୯॥
ଦଧିସମୁଦ୍ର ଆଗକୁ ଚତୁର୍ଦ୍ଦିଗ ବ୍ୟାପି ତା’ଠାରୁ ଦୁଇଗୁଣ ଆକାରର ପୁଷ୍କର ଦ୍ବୀପ ରହିଛି | ତାହାର
ଚତୁର୍ପାର୍ଶ୍ବରେ ସମ ଆକାରବିଶିଷ୍ଟ ମଧୁର ଜଳର ସମୁଦ୍ର ରହିଛି | ସେଠାରେ ଅଗ୍ନିଶିଖା ସଦୃଶ
ଦେଦୀପ୍ୟମାନ ଲକ୍ଷ ଲକ୍ଷ ସ୍ବର୍ଣ୍ଣମୟ ପାଖୁଡାଯୁକ୍ତ ଏକ ବହୁତ ବଡ ପୁଷ୍କର (କମଳ) ରହିଛି, ଯାହାକୁ ବ୍ରହ୍ମାଜୀଙ୍କର ଆସନ କୁହାଯାଏ |
ତଦ୍ଦ୍ୱୀପମଧ୍ୟେ ମାନସୋତ୍ତରନାମୈକ ଏବାର୍ୱାଚୀନପରାଚୀନ-
ବର୍ଷୟୋର୍ମର୍ୟାଦାଚଲୋଽୟୁତୟୋଜନୋଚ୍ଛ୍ରାୟାୟାମୋ ଯତ୍ର ତୁ
ଚତସୃଷୁ ଦିକ୍ଷୁ ଚତ୍ୱାରି ପୁରାଣି ଲୋକପାଲାନାମିନ୍ଦ୍ରାଦୀନାଂ
ଯଦୁପରିଷ୍ଟାତ୍ସୂର୍ୟରଥସ୍ୟ ମେରୁଂ ପରିଭ୍ରମତଃ ସମ୍ବତ୍ସରାତ୍ମକଂ
ଚକ୍ରଂ ଦେବାନାମହୋରାତ୍ରାଭ୍ୟାଂ ପରିଭ୍ରମତି ॥ ୩୦॥
ସେହି ଦ୍ବୀପର ମଧ୍ୟଭାଗରେ ତାହାର ପୂର୍ବୀୟ ଏବଂ ପଶ୍ଚିମୀୟ ବିଭାଗର
ମର୍ଯ୍ୟାଦା ନିଶ୍ଚିତ କରୁଥିବା ମାନସୋତ୍ତର ନାମକ ଗୋଟିଏ ହିଁ ପର୍ବତ ରହିଛି | ଏହା ଉଚ୍ଚତା ଏବଂ
ଦୈର୍ଘ୍ୟରେ ଦଶ ହଜାର ଯୋଜନବିଶିଷ୍ଟ ଅଟେ |ଏହା ଉପରେ ଚାରି ଦିଗକୁ ଇନ୍ଦ୍ରାଦି ଲୋକପାଳଙ୍କର
ଚାରୋଟି ପୁରୀ ରହିଛି | ମେରୁପର୍ବତର ଚତୁର୍ପାର୍ଶ୍ବରେ ଘୂରି ବୁଲୁଥିବା ସୂର୍ଯ୍ୟଦେବଙ୍କ ରଥର
ସମ୍ବତ୍ସରରୂପ ଚକ ଏହା ଉପରେ ଦେବତାମାନଙ୍କର ଦିନ ଏବଂ ରାତି, ଅର୍ଥାତ୍
ଉତ୍ତରାୟଣ ଏବଂ ଦକ୍ଷିଣାୟନ କ୍ରମରେ ସର୍ବଦା ଘୂରିବାରେ ଲାଗିଥାଏ |
ତଦ୍ଦ୍ୱୀପସ୍ୟାପ୍ୟଧିପତିଃ ପ୍ରୈୟବ୍ରତୋ ବୀତିହୋତ୍ରୋ
ନାମୈତସ୍ୟାତ୍ମଜୌ
ରମଣକଧାତକିନାମାନୌ ବର୍ଷପତୀ ନିୟୁଜ୍ୟ ସ ସ୍ୱୟଂ ପୂର୍ୱଜବ-
ଦ୍ଭଗବତ୍କର୍ମଶୀଲ ଏବାସ୍ତେ ॥ ୩୧॥
ଏହି ଦ୍ବୀପର ଅଧିପତି ପ୍ରିୟବ୍ରତପୁତ୍ର ବୀତିହୋତ୍ର ମଧ୍ୟ ନିଜ ପୁତ୍ର
ରମଣକ ଏବଂ ଧାତକିଙ୍କୁ ଦୁଇ ବର୍ଷର ଅଧିପତି ଭାବରେ ନିଯୁକ୍ତ କରି ନିଜ ଜ୍ୟେଷ୍ଠ ଭ୍ରାତାମାନଙ୍କ
ପରି ଭଗବତ୍-ସେବାରେ ତତ୍ପର ରହିଥିଲେ |
ତଦ୍ୱର୍ଷପୁରୁଷା ଭଗବନ୍ତଂ ବ୍ରହ୍ମରୂପିଣଂ ସକର୍ମକେଣ
କର୍ମଣାରାଧୟନ୍ତୀଦଂ ଚୋଦାହରନ୍ତି ॥ ୩୨॥
ସେଠାର ନିବାସୀମାନେ ବ୍ରହ୍ମାରୂପ ଭଗବାନ ହରିଙ୍କର
ବ୍ରହ୍ମସାଲୋକ୍ୟାଦି ପ୍ରାପ୍ତ କରାଉଥିବା କର୍ମ ଦ୍ବାରା ଅରାଧନା କରି ଏହିପରି ସ୍ତୁତି
କରିଥାଆନ୍ତି |
ଯତ୍ତତ୍କର୍ମମୟଂ ଲିଙ୍ଗଂ ବ୍ରହ୍ମଲିଙ୍ଗଂ ଜନୋଽର୍ଚୟେତ୍ ।
ଏକାନ୍ତମଦ୍ୱୟଂ ଶାନ୍ତଂ ତସ୍ମୈ ଭଗବତେ ନମ ଇତି ॥ ୩୩॥
ଯିଏ ସାକ୍ଷାତ୍ କର୍ମଫଳରୂପ ଅଟନ୍ତି ଏବଂ ଏକ ପରମେଶ୍ବରଙ୍କଠାରେ
ଯାହାର ପୂର୍ଣ୍ଣ ସ୍ଥିତି ଅଟେ ତଥା ଯାହାକୁ ସମସ୍ତେ ପୂଜା କରନ୍ତି, ବ୍ରହ୍ମଜ୍ଞାନର ସାଧନରୂପ
ସେହି ଅଦ୍ବିତୀୟ ଏବଂ ଶାନ୍ତସ୍ବରୂପ ବ୍ରହ୍ମମୂର୍ତ୍ତି ଭଗବାନଙ୍କୁ ମୋର ନମସ୍କାର |
ଋଷିରୁବାଚ
ତତଃ ପରସ୍ତାଲ୍ଲୋକାଲୋକନାମାଚଲୋ ଲୋକାଲୋକୟୋ-
ରନ୍ତରାଲେ ପରିତ ଉପକ୍ଷିପ୍ତଃ ॥ ୩୪॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଏହା ଆଗକୁ ଲୋକାଲୋକ ନାମକ ପର୍ବତ
ରହିଛି, ଯାହା ପୃଥିବୀର ସବୁ ଦିଗରୁ ସୂର୍ଯ୍ୟ ଆଦିଙ୍କ ଦ୍ବାରା
ପ୍ରକାଶିତ ଏବଂ ଅପ୍ରକାଶିତ ପ୍ରଦେଶ ମଧ୍ୟରେ ବିଭାଜନ କରିବା ନିମନ୍ତେ ସ୍ଥିତ ଅଟେ |
ଯାବନ୍ମାନସୋତ୍ତରମେର୍ୱୋରନ୍ତରଂ ତାବତୀ ଭୂମିଃ କାଞ୍ଚନ୍ୟ-
ନ୍ୟାଦର୍ଶତଲୋପମା ଯସ୍ୟାଂ ପ୍ରହିତଃ ପଦାର୍ଥୋ ନ କଥଞ୍ଚିତ୍ପୁନଃ
ପ୍ରତ୍ୟୁପଲଭ୍ୟତେ ତସ୍ମାତ୍ସର୍ୱସତ୍ତ୍ୱପରିହୃତାଽଽସୀତ୍ ॥ ୩୫॥
ମେରୁଠାରୁ ମାନସୋତ୍ତର ପର୍ବତ ମଧ୍ୟରେ ଯେତିକି ବ୍ୟବଧାନ ରହିଛି, ସେତିକି ହିଁ ଭୂମି ଶୁଦ୍ଧୋଦକ ସମୁଦ୍ରର ଅପର ପାର୍ଶ୍ବରେ ରହିଛି |
ତା’ ଆଗକୁ ସୁବର୍ଣ୍ଣମୟୀ ଭୂମି ରହିଛି, ଯାହା ଦର୍ପଣ ପରି ସ୍ବଚ୍ଛ ଅଟେ | ସେଠାରେ ଖସି ପଡିଥିବା କୌଣସି
ବସ୍ତୁ ପୁନର୍ବାର ମିଳି ନ ଥାଏ, ସେଥିପାଇଁ ସେଠାରେ
ଦେବତାମାନଙ୍କ ବ୍ୟତିତ ଅନ୍ୟ କୌଣସି ପ୍ରାଣୀ ରହନ୍ତି ନାହିଁ |
ଲୋକାଲୋକ ଇତି ସମାଖ୍ୟା ଯଦନେନାଚଲେନ
ଲୋକାଲୋକସ୍ୟାନ୍ତର୍ୱର୍ତିନାବସ୍ଥାପ୍ୟତେ ॥ ୩୬॥
ଲୋକାଲୋକ ପର୍ବତ ସୂର୍ଯ୍ୟ ଆଦିଙ୍କ ଦ୍ବାରା ପ୍ରକାଶିତ ଏବଂ
ଅପ୍ରକାଶିତ ଭୂଭାଗର ମଧ୍ୟଭାଗରେ ସ୍ଥିତ ଅଟେ, ଯାହାକୁ ନେଇ ଏହାର
ଏପରି ନାମକରଣ କରାଯାଇ ଥାଏ |
ସ ଲୋକତ୍ରୟାନ୍ତେ ପରିତ ଈଶ୍ୱରେଣ ବିହିତୋ
ଯସ୍ମାତ୍ସୂର୍ୟାଦୀନାଂ ଧ୍ରୁବାପବର୍ଗାଣାଂ ଜ୍ୟୋତିର୍ଗଣାନାଂ
ଗଭସ୍ତୟୋଽର୍ୱାଚୀନାଂସ୍ତ୍ରୀନ୍ ଲୋକାନାବିତନ୍ୱାନା
ନ କଦାଚିତ୍ପରାଚୀନା ଭବିତୁମୁତ୍ସହନ୍ତେ
ତାବଦୁନ୍ନହନାୟାମଃ ॥ ୩୭॥
ଏହାକୁ ପରମାତ୍ମା ତ୍ରିଲୋକୀର ବହିର୍ଭାଗରେ ତାହାର ଚତୁର୍ପାର୍ଶ୍ବରେ
ସୀମା ରୂପରେ ସ୍ଥାପିତ କରିଛନ୍ତି | ଏହା ଏତେ ଉଚ୍ଚ ଏବଂ ଦୀର୍ଘ ଅଟେ ଯେ ଏହାର ଗୋଟିଏ
ପାର୍ଶ୍ବରେ ତିନି ଲୋକକୁ ପ୍ରକାଶିତ କରୁଥିବା ସୂର୍ଯ୍ୟଙ୍କଠାରୁ ଆରମ୍ଭ କରି ଧ୍ରୁବପର୍ଯ୍ୟନ୍ତ ସମସ୍ତ
ଜ୍ୟୋତିର୍ମଣ୍ଡଳର କିରଣ ଅନ୍ୟ ପାର୍ଶ୍ବକୁ ଯାଇପାରେ ନାହିଁ |
ଏତାବାନ୍ ଲୋକବିନ୍ୟାସୋ ମାନଲକ୍ଷଣସଂସ୍ଥାଭିର୍ୱିଚିନ୍ତିତଃ
କବିଭିଃ ସ ତୁ ପଞ୍ଚାଶତ୍କୋଟିଗଣିତସ୍ୟ ଭୂଗୋଲସ୍ୟ
ତୁରୀୟଭାଗୋଽୟଂ ଲୋକାଲୋକାଚଲଃ ॥ ୩୮॥
ବିଦ୍ବାନମାନେ ପ୍ରମାଣ, ଲକ୍ଷଣ ଏବଂ
ସ୍ଥିତି ଅନୁସାରେ ସମ୍ପୂର୍ଣ୍ଣ ଲୋକର ବିସ୍ତାର ଏହିପରି ନିରୂପଣ କରିଥାଆନ୍ତି | ଏହି ସମସ୍ତ
ଭୂଗୋଳ ପଚାଶ କୋଟି ଯୋଜନ ଅଟେ | ଲୋକାଲୋକପର୍ବତ ଏହାର ଏକ ଚତୁର୍ଥାଂଶ ଅଟେ, ଅର୍ଥାତ୍ ସାଢ଼େ ବାର କୋଟି ଯୋଜନ ଅଟେ |
ତଦୁପରିଷ୍ଟାଚ୍ଚତସୃଷ୍ୱାଶାସ୍ୱାତ୍ମୟୋନିନାଖିଲଜଗଦ୍ଗୁରୁଣା-
ଧିନିବେଶିତା ଯେ ଦ୍ୱିରଦପତୟ ଋଷଭଃ ପୁଷ୍କରଚୂଡୋ
ବାମନୋଽପରାଜିତ ଇତି ସକଲଲୋକସ୍ଥିତିହେତବଃ ॥ ୩୯॥
ଏହା ଉପରେ ଚାରି ଦିଗକୁ ସଂସାରର ଗୁରୁ ସ୍ବୟମ୍ଭୂ ଶ୍ରୀବ୍ରହ୍ମାଜୀ
ସମ୍ପୂର୍ଣ୍ଣ ଲୋକର ସ୍ଥିତି ନିମନ୍ତେ ଋଷଭ, ପୁଷ୍କରଚୂଡ, ବାମନ ଏବଂ ଅପରାଜିତ ନାମକ ଚାରି ଗଜରାଜ ନିଯୁକ୍ତ କରିଛନ୍ତି |
ତେଷାଂ ସ୍ୱବିଭୂତୀନାଂ ଲୋକପାଲାନାଂ ଚ ବିବିଧବୀର୍ୟୋ-
ପବୃଂହଣାୟ ଭଗବାନ୍ ପରମମହାପୁରୁଷୋ ମହାବିଭୂତିପତି-
ରନ୍ତର୍ୟାମ୍ୟାତ୍ମନୋ ବିଶୁଦ୍ଧସତ୍ତ୍ୱଂ
ଧର୍ମଜ୍ଞାନବୈରାଗ୍ୟୈଶ୍ୱର୍ୟା-
ଦ୍ୟଷ୍ଟମହାସିଦ୍ଧ୍ୟୁପଲକ୍ଷଣଂ ବିଷ୍ୱକ୍ସେନାଦିଭିଃ
ସ୍ୱପାର୍ଷଦପ୍ରବରୈଃ
ପରିବାରିତୋ ନିଜବରାୟୁଧୋପଶୋଭିତୈର୍ନିଜଭୁଜଦଣ୍ଡୈଃ
ସନ୍ଧାରୟମାଣସ୍ତସ୍ମିନ୍ ଗିରିବରେ ସମନ୍ତାତ୍ସକଲଲୋକ-
ସ୍ୱସ୍ତୟ ଆସ୍ତେ ॥ ୪୦॥
ଏହି ଦିଗ୍ଗଜମାନଙ୍କ ପକ୍ଷରୁ ନିଜ ଅଂଶସ୍ବରୂପ ଇନ୍ଦ୍ରାଦି
ଲୋକପାଳଙ୍କର ବିବିଧ ଶକ୍ତିର ବୃଦ୍ଧି ତଥା ସମସ୍ତ ଲୋକର କଲ୍ୟାଣ ନିମନ୍ତେ ପରମ ଐଶ୍ବର୍ଯ୍ୟର
ଅଧିପତି ସର୍ବାନ୍ତର୍ଯ୍ୟାମୀ ପରମ ପୁରୁଷ ଶ୍ରୀହରି ନିଜର ବିଷ୍ବକ୍ସେନ ଆଦି ପାର୍ଷଦଙ୍କ ସହିତ
ଏହି ପର୍ବତ ଉପରେ ସର୍ବତ୍ର ବିରାଜମାନ କରିଥାଆନ୍ତି | ସେ ନିଜର ବିଶୁଦ୍ଧ ସତ୍ତ୍ବକୁ, ଯାହା
ଧର୍ମ, ଜ୍ଞାନ, ବୈରାଗ୍ୟ ଏବଂ
ଐଶ୍ବର୍ଯ୍ୟ ଆଦି ଅଷ୍ଟ ମହାସିଦ୍ଧି ସମ୍ପନ୍ନ ଅଟେ, ନିଜ
ଶ୍ରୀବିଗ୍ରହରେ ଧାରଣ କରିଥାଆନ୍ତି | ତାଙ୍କ କରକମଳ ଶଂଖ-ଚକ୍ର ଆଦି ଦିବ୍ୟ ଆୟୁଧରେ ସୁଶୋଭିତ
ଅଟେ |
ଆକଲ୍ପମେବଂ ବେଷଂ ଗତ ଏଷ ଭଗବାନାତ୍ମୟୋଗମାୟଯା
ବିରଚିତବିବିଧଲୋକୟାତ୍ରାଗୋପୀୟାୟେତ୍ୟର୍ଥଃ ॥ ୪୧॥
ଏହିପରି ଭାବରେ ନିଜ ଯୋଗମାୟା ଦ୍ବାରା ରଚିତ ବିବିଧ ଲୋକର
ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ନିମନ୍ତେ ସେ ଏହି ଲୀଳାମୟ ରୂପରେ କଳ୍ପର ଅନ୍ତଯାଏଁ ସେଠାରେ
ସର୍ବବ୍ୟାପୀ ରହନ୍ତି |
ଯୋଽନ୍ତର୍ୱିସ୍ତାର ଏତେନ ହ୍ୟଲୋକପରିମାଣଂ ଚ ବ୍ୟାଖ୍ୟାତଂ
ଯଦ୍ବହିର୍ଲୋକାଲୋକାଚଲାତ୍ତତଃ ପରସ୍ତାଦ୍ୟୋଗେଶ୍ୱରଗତିଂ
ବିଶୁଦ୍ଧାମୁଦାହରନ୍ତି ॥ ୪୨॥
ଲୋକାଲୋକ ଅନ୍ତର୍ବର୍ତ୍ତୀ ଭୂଭାଗର ବିସ୍ତାର ଅନୁରୂପ ତାହାର ଅନ୍ୟ
ପାର୍ଶ୍ବରେ ଥିବା ଅଲୋକ ପ୍ରଦେଶର ପରିମାଣ ବିଷୟରେ ମଧ୍ୟ ଜାଣିନେଵା ଆବଶ୍ୟକ | ତା ଆଗକୁ ତ କେବଳ
ଯୋଗେଶ୍ବରମାନଙ୍କର ହିଁ ଗତି ରହିଥାଏ |
ଅଣ୍ଡମଧ୍ୟଗତଃ ସୂର୍ୟୋ ଦ୍ୟାବାଭୂମ୍ୟୋର୍ୟଦନ୍ତରମ୍ ।
ସୂର୍ୟାଣ୍ଡଗୋଲୟୋର୍ମଧ୍ୟେ କୋଟ୍ୟଃ ସ୍ୟୁଃ ପଞ୍ଚବିଂଶତିଃ ॥ ୪୩॥
ରାଜନ୍ ! ସ୍ବର୍ଗ ଏବଂ ପୃଥିବୀ ମଧ୍ୟରେ ବ୍ରହ୍ମାଣ୍ଡର ଯେଉଁ କେନ୍ଦ୍ର
ରହିଛି, ସେହିଠାରେ ସୂର୍ଯ୍ୟଙ୍କର ସ୍ଥିତି | ସୂର୍ଯ୍ୟ ଏବଂ
ବ୍ରହ୍ମାଣ୍ଡଗୋଲକ ମଧ୍ୟରେ ସବୁ ଦିଗରୁ ବ୍ୟବଧାନ ପଚିଶ କୋଟି ଯୋଜନ ଅଟେ |
ମୃତେଽଣ୍ଡ ଏଷ ଏତସ୍ମିନ୍ ଯଦଭୂତ୍ତତୋ ମାର୍ତଣ୍ଡ ଇତି
ବ୍ୟପଦେଶଃ ହିରଣ୍ୟଗର୍ଭ ଇତି ଯଦ୍ଧିରଣ୍ୟାଣ୍ଡସମୁଦ୍ଭବଃ ॥ ୪୪॥
ସୂର୍ଯ୍ୟ ଏହି ମୃତ ବା ଅଚେତନ ଅଣ୍ଡରେ ବୈରାଜରୂପରେ ବିରାଜିତ, ସେଥିପାଇଁ ତାଙ୍କର ନାମ ‘ମାର୍ତ୍ତଣ୍ଡ’ ଅଟେ | ସେ ହିରଣ୍ମୟ
(ଜ୍ୟୋତିର୍ମୟ) ବ୍ରହ୍ମାଣ୍ଡରେ ପ୍ରକଟ ହୁଅନ୍ତି, ସେଥିପାଇଁ
ଏହାଙ୍କୁ ‘ହିରଣ୍ୟଗର୍ଭ’ ମଧ୍ୟ କହନ୍ତି |
ସୂର୍ୟେଣ ହି ବିଭଜ୍ୟନ୍ତେ ଦିଶଃ ଖଂ ଦ୍ୟୌର୍ମହୀ ଭିଦା ।
ସ୍ୱର୍ଗାପବର୍ଗୌ ନରକା ରସୌକାଂସି ଚ ସର୍ୱଶଃ ॥ ୪୫॥
ସୂର୍ଯ୍ୟଙ୍କ ଦ୍ବାରା ହିଁ ଦିଶା, ଆକାଶ, ଦ୍ୟୁଲୋକ (ଅନ୍ତରିକ୍ଷଲୋକ), ଭୂର୍ଲୋକ, ସ୍ବର୍ଗ ଏବଂ ମୋକ୍ଷ
ପ୍ରଦେଶ, ନରକ ଏବଂ ରସାତଳ ତଥା ଅନ୍ୟ ସମସ୍ତ ଭାଗର ବିଭାଜନ ହୋଇଥାଏ |
ଦେବତିର୍ୟଙ୍ ମନୁଷ୍ୟାଣାଂ ସରୀସୃପସବୀରୁଧାମ୍ ।
ସର୍ୱଜୀବନିକାୟାନାଂ ସୂର୍ୟ ଆତ୍ମା ଦୃଗୀଶ୍ୱରଃ ॥ ୪୬॥
ସୂର୍ଯ୍ୟ ହିଁ ଦେବତା, ତିର୍ଯକ୍, ମନୁଷ୍ୟ, ସରୀସୃପ ଏବଂ ଲତା-ବୃକ୍ଷାଦି ସମସ୍ତ ଜୀବସମୂହର ଆତ୍ମା ଏବଂ
ନେତ୍ରେନ୍ଦ୍ରିୟର ଅଧିଷ୍ଠାତା ଅଟନ୍ତି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଭୁବନକୋଶବର୍ଣନେ ସମୁଦ୍ରବର୍ଷସନ୍ନିବେଶ-
ପରିମାଣଲକ୍ଷଣୋ ନାମ ବିଂଶୋଽଧ୍ୟାୟଃ ॥ ୨୦॥

Comments
Post a Comment