ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ତ୍ରୟବିଂଶ ଅଧ୍ୟାୟ

ଶିଶୁମାରଚକ୍ରର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଅଥ ତସ୍ମାତ୍ପରତସ୍ତ୍ରୟୋଦଶଲକ୍ଷୟୋଜନାନ୍ତରତୋ

ଯତ୍ତଦ୍ୱିଷ୍ଣୋଃ ପରମଂ ପଦମଭିବଦନ୍ତି ଯତ୍ର ହ ମହା-

ଭାଗବତୋ ଧ୍ରୁବ ଔତ୍ତାନପାଦିରଗ୍ନିନେନ୍ଦ୍ରେଣ ପ୍ରଜାପତିନା

କଶ୍ୟପେନ ଧର୍ମେଣ ଚ ସମକାଲୟୁଗ୍ଭିଃ ସବହୁମାନଂ

ଦକ୍ଷିଣତଃ କ୍ରିୟମାଣ ଇଦାନୀମପି କଲ୍ପଜୀବିନା-

ମାଜୀବ୍ୟ ଉପାସ୍ତେ ତସ୍ୟେହାନୁଭାବ ଉପବର୍ଣିତଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ସପ୍ତର୍ଷିମଣ୍ଡଳର ତେର ଲକ୍ଷ ଯୋଜନ ଉପରକୁ ଧ୍ରୁବଲୋକ ରହିଛି | ଏହାକୁ ଭଗବାନ ବିଷ୍ଣୁଙ୍କର ପରମ ପଦ କୁହାଯାଏ | ଏଠାରେ ଉତ୍ତାନପାଦ-ପୁତ୍ର ପରମ ଭଗବଦ୍-ଭକ୍ତ ଧ୍ରୁବ ବିରାଜମାନ ଅଟନ୍ତି | ଅଗ୍ନି, ଇନ୍ଦ୍ର, ପ୍ରଜାପତି କଶ୍ୟପ ଏବଂ ଧର୍ମ – ଏମାନେ ସମସ୍ତେ ଏକସଙ୍ଗେ ଅତ୍ୟନ୍ତ ଆଦରପୂର୍ବକ ଏହାର ପ୍ରଦକ୍ଷିଣା କରୁଥାଆନ୍ତି | କଳ୍ପପର୍ଯ୍ୟନ୍ତ ରହିବାକୁ ଥିବା ଏହି ସଂସାର ଏହାର ଆଧାରରେ ସ୍ଥିତ ଅଟେ | ଏହାର ପ୍ରଭାବ ବିଷୟରେ ପୂର୍ବରୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି |

ସ ହି ସର୍ୱେଷାଂ ଜ୍ୟୋତିର୍ଗଣାନାଂ ଗ୍ରହନକ୍ଷତ୍ରାଦୀନା-

ମନିମିଷେଣାବ୍ୟକ୍ତରଂହସା ଭଗବତା କାଲେନ

ଭ୍ରାମ୍ୟମାଣାନାଂ ସ୍ଥାଣୁରିବାବଷ୍ଟମ୍ଭ ଈଶ୍ୱରେଣ ବିହିତଃ

ଶଶ୍ୱଦବଭାସତେ ॥ ୨॥

ସଦା ଜାଗ୍ରତ ଅବ୍ୟକ୍ତଗତି ଭଗବାନ କାଳଙ୍କ ଦ୍ବାରା ଯେଉଁ ଗ୍ରହ-ନକ୍ଷତ୍ରାଦି ଜ୍ୟୋତିର୍ଗଣ ନିରନ୍ତର ଘୂରିବାରେ ଲାଗିଥାଆନ୍ତି, ସେମାନଙ୍କର ଆଧାରସ୍ତମ୍ଭରୂପରେ ଭଗବାନ ଧ୍ରୁବଲୋକକୁ ହିଁ ନିଯୁକ୍ତ କରିଛନ୍ତି | ଅତଏବ ସେ ଗୋଟିଏ ସ୍ଥାନରେ ରହି ସଦା ପ୍ରକାଶିତ ଅଟନ୍ତି |

ଯଥା ମେଢୀସ୍ତମ୍ଭ ଆକ୍ରମଣପଶବଃ ସଂୟୋଜିତା-

ସ୍ତ୍ରିଭିସ୍ତ୍ରିଭିଃ ସବନୈର୍ୟଥାସ୍ଥାନଂ ମଣ୍ଡଲାନି

ଚରନ୍ତ୍ୟେବଂ ଭଗଣା ଗ୍ରହାଦୟ ଏତସ୍ମିନ୍ନନ୍ତର୍ବହିର୍ୟୋଗେନ

କାଲଚକ୍ର ଆୟୋଜିତା ଧ୍ରୁବମେବାବଲମ୍ବ୍ୟ

ବାୟୁନୋଦୀର୍ୟମାଣା ଆକଲ୍ପାନ୍ତଂ ପରିଚଙ୍କ୍ରମନ୍ତି

ନଭସି ଯଥା ମେଘାଃ ଶ୍ୟେନାଦୟୋ ବାୟୁବଶାଃ

କର୍ମସାରଥୟଃ ପରିବର୍ତନ୍ତେ ଏବଂ ଜ୍ୟୋତିର୍ଗଣାଃ

ପ୍ରକୃତିପୁରୁଷସଂୟୋଗାନୁଗୃହୀତାଃ କର୍ମନିର୍ମିତ-

ଗତୟୋ ଭୁବି ନ ପତନ୍ତି ॥ ୩॥

ବେଙ୍ଗଳା ପକାଇବା ସମୟରେ ଧାନକୁ ଗୋଡରେ ଚକଟୂଥିବା ପଶୁ ଯେପରି କେତେବେଳେ ଛୋଟ, କେତେବେଳେ ବଡ ଏବଂ କେତେବେଳେ ମଧ୍ୟମ ଆକାରର ରସିରେ ବାନ୍ଧି ହୋଇ ଖମ୍ଭ ଚତୁର୍ଦ୍ଦିଗରେ ମଣ୍ଡଳାକାରରେ ଘୂରି ବୁଲନ୍ତି, ସେହିପରି ସବୁ ନକ୍ଷତ୍ର ଏବଂ ଗ୍ରହଗଣ ବାହାର-ଭିତର କ୍ରମରେ କାଳଚକ୍ରରେ ନିଯୁକ୍ତ ରହି ଧ୍ରୁବଲୋକର ହିଁ ଆଶ୍ରୟ ଗ୍ରହଣ କରି ବାୟୁର ପ୍ରେରଣାରେ କଳ୍ପର ଅନ୍ତଯାଏଁ ଘୂରି ବୁଲୁଥାଆନ୍ତି | ମେଘ ଏବଂ ବାଜପକ୍ଷୀ ଯେପରି ନିଜ କର୍ମ ସହାୟତାରେ ବାୟୁର ଅଧୀନସ୍ତ ରହି ଆକାଶରେ ଉଡୁଥାଆନ୍ତି, ସେହିପରି ଏହିସବୁ ଜ୍ୟୋତିର୍ଗଣ ମଧ୍ୟ ପ୍ରକୃତି-ପୁରୁଷର ସଂଯୋଗବଶ ନିଜ ନିଜ କର୍ମ ଅନୁସାରେ ପରିକ୍ରମା କରୁଥାଆନ୍ତି; ପୃଥିବୀ ଉପରେ ଖସି ପଡନ୍ତି ନାହିଁ |

କେଚନୈତଜ୍ଜ୍ୟୋତିରନୀକଂ ଶିଶୁମାରସଂସ୍ଥାନେନ ଭଗବତୋ

ବାସୁଦେବସ୍ୟ ଯୋଗଧାରଣାୟାମନୁବର୍ଣୟନ୍ତି ॥ ୪॥

କେହି କେହି ଭଗବାନଙ୍କ ଯୋଗମାୟା ଆଧାରରେ ସ୍ଥିତ ଏହି ଜ୍ୟୋତିଶ୍ଚକ୍ରର ବର୍ଣ୍ଣନ ଶିଶୁମାର ରୂପରେ କରିଥାଆନ୍ତି |

ଯସ୍ୟ ପୁଚ୍ଛାଗ୍ରେଽବାକ୍ଶିରସଃ କୁଣ୍ଡଲୀଭୂତଦେହସ୍ୟ

ଧ୍ରୁବ ଉପକଲ୍ପିତସ୍ତସ୍ୟ ଲାଙ୍ଗୂଲେ ପ୍ରଜାପତିରଗ୍ନିରିନ୍ଦ୍ରୋ

ଧର୍ମ ଇତି ପୁଚ୍ଛମୂଲେ ଧାତା ବିଧାତା ଚ କଟ୍ୟାଂ

ସପ୍ତର୍ଷୟଃ ତସ୍ୟ ଦକ୍ଷିଣାବର୍ତକୁଣ୍ଡଲୀଭୂତଶରୀରସ୍ୟ

ଯାନ୍ୟୁଦଗୟନାନି ଦକ୍ଷିଣପାର୍ଶ୍ୱେ ତୁ ନକ୍ଷତ୍ରାଣ୍ୟୁପ-

କଲ୍ପୟନ୍ତି ଦକ୍ଷିଣାୟନାନି ତୁ ସବ୍ୟେ ଯଥା

ଶିଶୁମାରସ୍ୟ କୁଣ୍ଡଲାଭୋଗସନ୍ନିବେଶସ୍ୟ

ପାର୍ଶ୍ୱୟୋରୁଭୟୋରପ୍ୟବୟବାଃ ସମସଙ୍ଖ୍ୟା ଭବନ୍ତି

ପୃଷ୍ଠେ ତ୍ୱଜବୀଥୀ ଆକାଶଗଙ୍ଗା ଚୋଦରତଃ ॥ ୫॥

ଏହି ଶିଶୁମାର କୁଣ୍ଡଳୀ ମୃତ-ପ୍ରାୟ ଅଟେ ଏବଂ ଏହାର ମୁଖ ତଳକୁ ଅଟେ ତଥା ଏହାର ଲାଞ୍ଜର ଶୀର୍ଷଦେଶରେ ଧ୍ରୁବ ସ୍ଥିତ ଅଟେ | ଲାଞ୍ଜର ମଧ୍ୟଭାଗରେ ପ୍ରଜାପତି, ଅଗ୍ନି, ଇନ୍ଦ୍ର ଏବଂ ଧର୍ମ; ଜଡରେ ଧାତା ଏବଂ ବିଧାତା ତଥା କଟିଦେଶରେ ସପ୍ତର୍ଷି ରହିଛନ୍ତି | ଏହି ଶିଶୁମାର ଦକ୍ଷିଣ ଦିଗରେ ସଂକୁଚିତ ହୋଇ କୁଣ୍ଡଳୀ ଆକାରରେ ରହିଥାଏ | ଏପରି ସ୍ଥିତିରେ ଅଭିଜିତଠାରୁ ଆରମ୍ଭ କରି ପୁନର୍ବସୁ ପର୍ଯ୍ୟନ୍ତ ଉତ୍ତରାୟଣର ଚଉଦ ନକ୍ଷତ୍ର ତାହାର ଦକ୍ଷିଣ ଭାଗରେ ରହିଥାଆନ୍ତି ଏବଂ ପୁଷ୍ୟଠାରୁ ଆରମ୍ଭ କରି ଉତ୍ତରାଷାଢା ପର୍ଯ୍ୟନ୍ତ ଦକ୍ଷିଣାୟନର ଚଉଦ ନକ୍ଷତ୍ର ଏହାର ବାମ ଭାଗରେ ରହିଥାଆନ୍ତି | ସଂସାରରେ ମଧ୍ୟ ଯେତେବେଳେ ଶିଶୁମାର କୁଣ୍ଡଳାକାର ହୋଇଥାଏ, ସେତେବେଳେ ତାର ଉଭୟ ପାର୍ଶ୍ବର ଅଙ୍ଗର ସଂଖ୍ୟା ସମାନ ରହିଥାଏ; ଠିକ୍ ସେହିପରି ଏଠାରେ ମଧ୍ୟ ନକ୍ଷତ୍ର-ସଂଖ୍ୟା ସମାନ ଥାଏ | ଶିଶୁମାରଚକ୍ରର ପୃଷ୍ଠରେ ଅଜବୀଥୀ (ମୂଳ, ପୂର୍ବାଷାଢା ଏବଂ ଉତ୍ତରାଷାଢା ନାମକ ତିନି ନକ୍ଷତ୍ରର ସମୂହ) ରହିଛି ଏବଂ ଉଦରରେ ଆକାଶଗଙ୍ଗା ରହିଛି |

ପୁନର୍ୱସୁପୁଷ୍ୟୌ ଦକ୍ଷିଣବାମୟୋଃ ଶ୍ରୋଣ୍ୟୋରାର୍ଦ୍ରାଽଽଶ୍ଲେଷେ

ଚ ଦକ୍ଷିଣବାମୟୋଃ ପଶ୍ଚିମୟୋଃ ପାଦୟୋରଭିଜି-

ଦୁତ୍ତରାଷାଢେ ଦକ୍ଷିଣବାମୟୋର୍ନାସିକୟୋର୍ୟଥାସଙ୍ଖ୍ୟଂ

ଶ୍ରବଣପୂର୍ୱାଷାଢେ ଦକ୍ଷିଣବାମୟୋର୍ଲୋଚନୟୋର୍ଧନିଷ୍ଠା

ମୂଲଂ ଚ ଦକ୍ଷିଣବାମୟୋଃ କର୍ଣୟୋର୍ମଘାଦୀନ୍ୟଷ୍ଟ

ନକ୍ଷତ୍ରାଣି ଦକ୍ଷିଣାୟନାନି ବାମପାର୍ଶ୍ୱବଙ୍କ୍ରିଷୁ

ଯୁଞ୍ଜୀତ ତଥୈବ ମୃଗଶୀର୍ଷାଦୀନ୍ୟୁଦଗୟନାନି

ଦକ୍ଷିଣପାର୍ଶ୍ୱବଙ୍କ୍ରିଷୁ ପ୍ରାତିଲୋମ୍ୟେନ ପ୍ରୟୁଞ୍ଜୀତ

ଶତଭିଷା ଜ୍ୟେଷ୍ଠେ ସ୍କନ୍ଧୟୋର୍ଦକ୍ଷିଣବାମୟୋର୍ନ୍ୟସେତ୍ ॥ ୬॥

ରାଜନ୍ ! ଏହାର ଦକ୍ଷିଣ ଏବଂ ବାମ କଟିତଟରେ ପୁନର୍ବସୁ ଏବଂ ପୁଷ୍ୟ ନକ୍ଷତ୍ର, ପଛକୁ ଦକ୍ଷିଣ ଏବଂ ବାମ ଚରଣରେ ଆର୍ଦ୍ରା ଏବଂ ଆଶ୍ଲେଷା ନକ୍ଷତ୍ର ତଥା ଦକ୍ଷିଣ ଏବଂ ବାମ ନାସାରନ୍ଧ୍ରରେ ଅଭିଜିତ୍ ଏବଂ ଉତ୍ତରାଷାଢା ରହିଛନ୍ତି | ସେହିପରି ଦକ୍ଷିଣ ଏବଂ ବାମ ନେତ୍ରରେ ଶ୍ରବଣା ଏବଂ ପୂର୍ବାଷାଢା ତଥା ଦକ୍ଷିଣ ଏବଂ ବାମ କାନରେ ଧନିଷ୍ଠା ଏବଂ ମୂଳ ନକ୍ଷତ୍ର ରହିଛନ୍ତି | ମଘା ଆଦି ଦକ୍ଷିଣାୟନର ଆଠ ନକ୍ଷତ୍ର ବାମ ପିଣ୍ଡଳୀରେ ଏବଂ ବିପରୀତ କ୍ରମରେ ମୃଗଶିରା ଆଦି ଉତ୍ତରାୟଣର ଆଠ ନକ୍ଷତ୍ର ଦକ୍ଷିଣ ପିଣ୍ଡଳୀରେ ଅଛନ୍ତି | ଶତଭିଷା ଏବଂ ଜ୍ୟେଷ୍ଠା – ଏହି ଦୁଇ ନକ୍ଷତ୍ରଙ୍କର ସ୍ଥାନ ଯଥାକ୍ରମେ ଦକ୍ଷିଣ ଏବଂ ବାମ କାନ୍ଧରେ ଅଟେ |

ଉତ୍ତରାହନାବଗସ୍ତିରଧରାହନୌ ଯମୋ ମୁଖେଷୁ ଚାଙ୍ଗାରକଃ

ଶନୈଶ୍ଚର ଉପସ୍ଥେ ବୃହସ୍ପତିଃ କକୁଦି ବକ୍ଷସ୍ୟାଦିତ୍ୟୋ

ହୃଦୟେ ନାରାୟଣୋ ମନସି ଚନ୍ଦ୍ରୋ ନାଭ୍ୟାମୁଶନା

ସ୍ତନୟୋରଶ୍ୱିନୌ ବୁଧଃ ପ୍ରାଣାପାନୟୋ ରାହୁର୍ଗଲେ କେତବଃ

ସର୍ୱାଙ୍ଗେଷୁ ରୋମସୁ ସର୍ୱେ ତାରାଗଣାଃ ॥ ୭॥

ଏହାର ଉପର ଓଠରେ ଅଗସ୍ତ୍ୟ, ନିମ୍ନ ଥୋଡିରେ ନକ୍ଷତ୍ରରୂପ ଯମ, ମୁଖରେ ମଙ୍ଗଳ, ଲିଙ୍ଗପ୍ରଦେଶରେ ଶନି, କକୁଦରେ ବୃହଷ୍ପତି, ଛାତିରେ ସୂର୍ଯ୍ୟ, ହୃଦୟରେ ନାରାୟଣ, ମନରେ ଚନ୍ଦ୍ରମା, ନାଭିରେ ଶୁକ୍ର, ସ୍ତନରେ ଅଶ୍ବିନୀ କୁମାର, ପ୍ରାଣ ଏବଂ ଅପାନରେ ବୁଧ, ଗଳାରେ ରାହୁ, ସମସ୍ତ ଅଙ୍ଗରେ କେତୁ ଏବଂ ରୋମମୂଳରେ ସମ୍ପୂର୍ଣ୍ଣ ତାରାଗଣ ସ୍ଥିତ ଅଟନ୍ତି |

ଏତଦୁ ହୈବ ଭଗବତୋ ବିଷ୍ଣୋଃ ସର୍ୱଦେବତାମୟଂ

ରୂପମହରହଃ ସନ୍ଧ୍ୟାୟାଂ ପ୍ରୟତୋ ବାଗ୍ୟତୋ

ନିରୀକ୍ଷମାଣ ଉପତିଷ୍ଠେତ ନମୋ ଜ୍ୟୋତିର୍ଲୋକାୟ

କାଲାୟନାୟାନିମିଷାଂ ପତୟେ ମହାପୁରୁଷାୟା-

ଭିଧୀମହୀତି ॥ ୮॥

ରାଜନ୍ ! ଏହା ଭଗବାନ ବିଷ୍ଣୁଙ୍କର ସର୍ବଦେବମୟ ସ୍ବରୂପ ଅଟେ | ପ୍ରତିଦିନ ସାୟଂକାଳରେ ପବିତ୍ର ଏବଂ ମୌନ ରହି ଏହାର ଦର୍ଶନ କରିବା ସହିତ ଚିନ୍ତନ କରିବା ଆବଶ୍ୟକ ତଥା ଏହି ମନ୍ତ୍ର ଜପ କରି ଭଗବାନଙ୍କର ସ୍ତୁତି କରିବା ଆବଶ୍ୟକ – ସମ୍ପୂର୍ଣ୍ଣ ଜ୍ୟୋତିର୍ଗଣଙ୍କର ଆଶ୍ରୟ, କାଳଚକ୍ର-ସ୍ବରୂପ, ସର୍ବଦେବାଧିପତି ପରମ ପୁରୁଷ ପରମାତ୍ମାଙ୍କର ଆମେ ନମସ୍କାରପୂର୍ବକ ଧ୍ୟାନ କରୁଛୁ |

ଗ୍ରହର୍କ୍ଷତାରାମୟମାଧିଦୈବିକଂ

ପାପାପହଂ ମନ୍ତ୍ରକୃତାଂ ତ୍ରିକାଲମ୍ ।

ନମସ୍ୟତଃ ସ୍ମରତୋ ବା ତ୍ରିକାଲଂ

ନଶ୍ୟେତ ତତ୍କାଲଜମାଶୁ ପାପମ୍ ॥ ୯॥

ଗ୍ରହ, ନକ୍ଷତ୍ର ଏବଂ ତାରାଗଣଙ୍କ ରୂପରେ ଭଗବାନଙ୍କର ଆଧିଦୈବିକରୂପ ପ୍ରକାଶିତ | ତ୍ରିକାଳ ଏହି ମନ୍ତ୍ର ଜପ କରୁଥିବା ପୁରୁଷର ଏହା ସମସ୍ତ ପାପ ନଷ୍ଟ କରିଦିଏ | ଯେଉଁ ପୁରୁଷ ପ୍ରାତଃ, ମଧ୍ୟାହ୍ନ ଏବଂ ସାୟଂ – ତ୍ରିକାଳରେ ଭଗବାନଙ୍କର ଏହି ଆଧିଦୈବିକ ସ୍ବରୂପର ନିତ୍ୟପ୍ରତି ଚିନ୍ତନ ଏବଂ ବନ୍ଦନ କରନ୍ତି, ତାଙ୍କର ବର୍ତ୍ତମାନର ସମସ୍ତ ପାପ ତୁରନ୍ତ ନଷ୍ଟ ହୋଇଯାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଶିଶୁମାରସଂସ୍ଥାବର୍ଣନଂ ନାମ ତ୍ରୟୋବିଂଶୋଽଧ୍ୟାୟଃ ॥ ୨୩॥

Comments

Popular posts from this blog