ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ପଞ୍ଚଦଶ ଅଧ୍ୟାୟ

ଭରତ-ବଂଶର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଭରତସ୍ୟାତ୍ମଜଃ ସୁମତିର୍ନାମାଭିହିତୋ ଯମୁ ହ ବାବ

କେଚିତ୍ପାଖଣ୍ଡିନ ଋଷଭପଦବୀମନୁବର୍ତମାନଂ ଚାନାର୍ୟା

ଅବେଦସମାମ୍ନାତାଂ ଦେବତାଂ ସ୍ୱମନୀଷୟା ପାପୀୟସ୍ୟା

କଲୌ କଲ୍ପୟିଷ୍ୟନ୍ତି ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଭରତଙ୍କର ପୁତ୍ର ସୁମତି ଥିଲା, ଯାହା ବିଷୟରେ ପୂର୍ବରୁ କୁହାଯାଇଛି | ସେ ଋଷଭଦେବଙ୍କର ମାର୍ଗ ଅନୁସରଣ କଲା | କଳିଯୁଗରେ ବହୁତ ପାଖଣ୍ଡୀ ଅନାର୍ଯ୍ୟ ପୁରୁଷ ନିଜ ଦୁଷ୍ଟ ବୁଦ୍ଧିରେ ବେଦବିରୁଦ୍ଧ କଳ୍ପନା କରି ତାକୁ ଦେବତା ମାନିବେ |

ତସ୍ମାଦ୍ୱୃଦ୍ଧସେନାୟାଂ ଦେବତାଜିନ୍ନାମ ପୁତ୍ରୋଽଭବତ୍ ॥ ୨॥

ପତ୍ନୀ ବୃଦ୍ଧସେନାଙ୍କଠାରୁ ତାଙ୍କର ଦେବତାଜିତ୍ ନାମକ ପୁତ୍ର ଉତ୍ପନ୍ନ ହେଲା |

ଅଥାସୁର୍ୟାଂ ତତ୍ତନୟୋ ଦେବଦ୍ୟୁମ୍ନସ୍ତତୋ ଧେନୁମତ୍ୟାଂ ସୁତଃ

ପରମେଷ୍ଠୀ ତସ୍ୟ ସୁବର୍ଚଲାୟାଂ ପ୍ରତୀହ ଉପଜାତଃ ॥ ୩॥

ଦେବତାଜିତଙ୍କର ପତ୍ନୀ ଅସୁରୀ ଗର୍ଭରୁ ଦେବଦ୍ୟୁମ୍ଣ, ଦେବଦ୍ୟୁମ୍ଣଙ୍କର ଧେନୁମତୀଙ୍କଠାରୁ ପରମେଷ୍ଠୀ ଏବଂ ତାଙ୍କର ସୁବର୍ଚଳାଙ୍କ ଗର୍ଭରୁ ପ୍ରତୀହ ନାମକ ପୁତ୍ର ହେଲା |

ଯ ଆତ୍ମବିଦ୍ୟାମାଖ୍ୟାୟ ସ୍ୱୟଂ ସଂଶୁଦ୍ଧୋ

ମହାପୁରୁଷମନୁସସ୍ମାର ॥ ୪॥

ସେ ଅନ୍ୟ ପୁରୁଷଙ୍କୁ ଆତ୍ମବିଦ୍ୟାର ଉପଦେଶ ଦେବା ସହିତ ସ୍ବୟଂ ଶୁଦ୍ଧଚିତ୍ତ ହୋଇ ପରମପୁରୁଷ ଶ୍ରୀନାରାୟଣଙ୍କର ସାକ୍ଷାତ୍ ଅନୁଭବ କରିଥିଲେ |

ପ୍ରତୀହାତ୍ସୁବର୍ଚଲାୟାଂ ପ୍ରତିହର୍ତ୍ରାଦୟସ୍ତ୍ରୟ ଆସନ୍ନିଜ୍ୟା-

କୋବିଦାଃ ସୂନବଃ ପ୍ରତିହର୍ତୁଃ ସ୍ତୁତ୍ୟାମଜଭୂମାନା-

ବଜନିଷାତାମ୍ ॥ ୫॥

ପ୍ରତୀହଙ୍କର ପ୍ରତିହର୍ତା, ପ୍ରସ୍ତୋତା ଏବଂ ଉଦଗାତା ନାମରେ ତିନି ପୁତ୍ର ହେଲେ | ଏମାନେ ଯଜ୍ଞାଦି କର୍ମରେ ଅତ୍ୟନ୍ତ ନିପୁଣ ଥିଲେ | ଏମାନଙ୍କ ମଧ୍ୟରୁ ପ୍ରତିହର୍ତାଙ୍କର ଭାର୍ଯ୍ୟା ସ୍ତୁତିଙ୍କ ଗର୍ଭରୁ ଅଜ ଏବଂ ଭୂମା ନାମକ ଦୁଇ ପୁତ୍ର ଉତ୍ପନ୍ନ ହେଲେ |

ଭୂମ୍ନ ଋଷିକୁଲ୍ୟାୟାମୁଦ୍ଗୀଥସ୍ତତଃ ପ୍ରସ୍ତାବୋ ଦେବକୁଲ୍ୟାୟାଂ

ପ୍ରସ୍ତାବାନ୍ନିୟୁତ୍ସାୟାଂ ହୃଦୟଜ ଆସୀଦ୍ୱିଭୁର୍ୱିଭୋ ରତ୍ୟାଂ ଚ

ପୃଥୁଷେଣସ୍ତସ୍ମାନ୍ନକ୍ତ ଆକୂତ୍ୟାଂ ଜଜ୍ଞେ ନକ୍ତାଦ୍ଦ୍ରୁତିପୁତ୍ରୋ

ଗୟୋ ରାଜର୍ଷିପ୍ରବର ଉଦାରଶ୍ରବା ଅଜାୟତ ।

ସାକ୍ଷାଦ୍ଭଗବତୋ ବିଷ୍ଣୋର୍ଜଗଦ୍ରିରକ୍ଷିଷୟା ଗୃହୀତସତ୍ତ୍ୱସ୍ୟ

କଲାତ୍ମବତ୍ତ୍ୱାଦି ଲକ୍ଷଣେନ ମହାପୁରୁଷତାଂ ପ୍ରାପ୍ତଃ ॥ ୬॥

ଭୂମାଙ୍କର ଋଷିକୁଲ୍ୟାଙ୍କଠାରୁ ଉଦଗୀଥ, ତାଙ୍କର ଦେବକୁଲ୍ୟାଙ୍କଠାରୁ ପ୍ରସ୍ତାବ ଏବଂ ପ୍ରସ୍ତାବଙ୍କର ନିୟୁତ୍ସାଙ୍କ ଗର୍ଭରୁ ବିଭୁ ନାମକ ପୁତ୍ର ହେଲା | ବିଭୁଙ୍କର ରତିଙ୍କ ଗର୍ଭରୁ ପୃଥୁଷେଣ, ପୃଥୁଷେଣଙ୍କର ଆକୂତିଙ୍କଠାରୁ ନକ୍ତ ଏବଂ ନକ୍ତଙ୍କର ଦ୍ରୁତିଙ୍କ ଗର୍ଭରୁ ଉଦାରକୀର୍ତ୍ତି ରାଜର୍ଷିପ୍ରବର ଗୟଙ୍କର ଜନ୍ମ ହେଲା | ତାଙ୍କୁ ଜଗତ ରକ୍ଷା ନିମନ୍ତେ ସତ୍ତ୍ବଗୁଣ ସ୍ବୀକାର କରିଥିବା ସାକ୍ଷାତ୍ ବିଷ୍ଣୁଙ୍କର ଅଂଶ ମନେ କରାଯାଉ ଥିଲା | ସଂଯମାଦି ଅନେକ ଗୁଣର ଅଧିକାରୀ ହୋଇଥିବା କାରଣରୁ ମହାପୁରୁଷ ଭାବରେ ତାଙ୍କର ଗଣନା କରାଯାଉ ଥିଲା |

ସ ବୈ ସ୍ୱଧର୍ମେଣ ପ୍ରଜାପାଲନପୋଷଣପ୍ରୀଣନୋପଲାଲନା-

ନୁଶାସନଲକ୍ଷଣେନେଜ୍ୟାଦିନା ଚ ଭଗବତି ମହାପୁରୁଷେ

ପରାବରେ ବ୍ରହ୍ମଣି ସର୍ୱାତ୍ମନାର୍ପିତପରମାର୍ଥଲକ୍ଷଣେନ

ବ୍ରହ୍ମବିଚ୍ଚରଣାନୁସେବୟାଽଽପାଦିତଭଗବଦ୍ଭକ୍ତିୟୋଗେନ

ଚାଭୀକ୍ଷ୍ଣଶଃ ପରିଭାବିତାତିଶୁଦ୍ଧମତିରୁପରତାନାତ୍ମ୍ୟ

ଆତ୍ମନି ସ୍ୱୟମୁପଲଭ୍ୟମାନବ୍ରହ୍ମାତ୍ମାନୁଭବୋଽପି

ନିରଭିମାନ ଏବାବନିମଜୂଗୁପତ୍ ॥ ୭॥

ମହାରାଜ ଗୟ ପ୍ରଜାମାନଙ୍କର ପାଳନ, ପୋଷଣ, ରଞ୍ଜନ, ସ୍ନେହ-ଆଦର ଏବଂ ଶାସନ କରି ତଥା ଅନେକ ପ୍ରକାର ଯଜ୍ଞର ଅନୁଷ୍ଠାନ କରି ନିଷ୍କାମଭାବରେ କେବଳ ଭଗବତ୍-ପ୍ରୀତ୍ୟର୍ଥ ନିଜ ଧର୍ମର ଆଚରଣ କଲେ | ତଦ୍ବାରା ତାଙ୍କର ସମସ୍ତ କର୍ମ ସର୍ବଶ୍ରେଷ୍ଠ ପରମପୁରୁଷ ପରମାତ୍ମା ଶ୍ରୀହରିଙ୍କୁ ଅର୍ପିତ ହୋଇ ପରମାର୍ଥରୂପ ହୋଇ ଯାଇଥିଲା | ତାହା ସହିତ ବ୍ରହ୍ମବେତ୍ତା ମହାପୁରୁଷମାନଙ୍କର ଚରଣ-ସେବା ଦ୍ବାରା ତାଙ୍କୁ ଭକ୍ତିଯୋଗର ପ୍ରାପ୍ତି ହୋଇଥିଲା | ତାପରେ ନିରନ୍ତର ଭଗବତ୍-ଚିନ୍ତନ କରି ସେ ନିଜ ଚିତ୍ତ ଶୁଦ୍ଧ କଲେ ଏବଂ ଦେହାଦି ଅନାତ୍ମବସ୍ତୁରୁ ଅହଂଭାବ ହଟାଇ ସେ ନିଜ ଆତ୍ମାକୁ ବ୍ରହ୍ମରୂପ ଅନୁଭବ କରିବାରେ ଲାଗିଲେ | ଏତେ ସବୁ ସତ୍ତ୍ବେ ସେ ନିରଭିମାନ ରହି ପୃଥିବୀର ପାଳନ କରିଥିଲେ |

ତସ୍ୟେମାଂ ଗାଥାଂ ପାଣ୍ଡବେୟ ପୁରାବିଦ ଉପଗାୟନ୍ତି ॥ ୮॥

ହେ ପରୀକ୍ଷିତ ! ପ୍ରାଚୀନ ଇତିହାସର ଜ୍ଞାତା ମହାତ୍ମାମାନେ ଏହିପରି ଭାବରେ ରାଜର୍ଷି ଗୟଙ୍କର ଗାଥା ଗାନ କରିଥାଆନ୍ତି |

ଗୟଂ ନୃପଃ କଃ ପ୍ରତିୟାତି କର୍ମଭି-

ର୍ୟଜ୍ୱାଭିମାନୀ ବହୁବିଦ୍ଧର୍ମଗୋପ୍ତା ।

ସମାଗତଶ୍ରୀଃ ସଦସସ୍ପତିଃ ସତାଂ

ସତ୍ସେବକୋଽନ୍ୟୋ ଭଗବତ୍କଲାମୃତେ ॥ ୯॥

ଆହା ! ନିଜ କର୍ମ ଭିତ୍ତିରେ ଅନ୍ୟ କେଉଁ ରାଜା ଅବା ମହାରାଜ ଗୟଙ୍କ ସହିତ ସମାନ ହୋଇପାରିବେ ? ସେ ସାକ୍ଷାତ୍ ଭଗବାନଙ୍କର କଳା ହିଁ ଥିଲେ | ତାଙ୍କ ବ୍ୟତିତ ଆଉ କିଏ ଏପରି ଯଜ୍ଞର ବିଧିବତ୍ ଅନୁଷ୍ଠାନ କର୍ତ୍ତା, ମନସ୍ବୀ, ବହୁଜ୍ଞ, ଧର୍ମରକ୍ଷକ, ଲକ୍ଷ୍ମୀଙ୍କ ପ୍ରିୟପାତ୍ର, ସାଧୁସମାଜର ଶିରୋମଣି ଏବଂ ସତ୍-ପୁରୁଷଙ୍କର ସଚ୍ଚା ସେବକ ହୋଇପାରିବେ ?

ଯମଭ୍ୟଷିଞ୍ଚନ୍ ପରୟା ମୁଦା ସତୀଃ

ସତ୍ୟାଶିଷୋ ଦକ୍ଷକନ୍ୟାଃ ସରିଦ୍ଭିଃ ।

ଯସ୍ୟ ପ୍ରଜାନାଂ ଦୁଦୁହେ ଧରାଶିଷୋ

ନିରାଶିଷୋ ଗୁଣବତ୍ସସ୍ନୁତୋଧାଃ ॥ ୧୦॥

ସତ୍ୟସଂକଳ୍ପଯୁକ୍ତା ପରମ ସାଧ୍ବୀ ଶ୍ରଦ୍ଧା, ମୈତ୍ରୀ ଏବଂ ଦୟା ଆଦି ଦକ୍ଷକନ୍ୟାମାନେ ଗଙ୍ଗା ଆଦି ନଦୀଙ୍କ ସହିତ ଅତି ପ୍ରସନ୍ନତାରେ ତାଙ୍କର ଅଭିଷେକ କରିଥିଲେ ତଥା ତାଙ୍କର ଇଚ୍ଛା ନ ଥିଲେ ବି ଗାଈ ଯେପରି ବାଛୁରୀର ସ୍ନେହରେ ଅଭିଭୂତ ହୋଇ କ୍ଷୀର ଦେଇଥାଏ, ସେହିପରି ତାଙ୍କ ଗୁଣରେ ପ୍ରସନ୍ନ ହୋଇ ବସୁନ୍ଧରା ତାଙ୍କର ପ୍ରଜାମାନଙ୍କୁ ଧନ-ରତ୍ନ ଆଦି ସମସ୍ତ ଅଭୀଷ୍ଟ ପଦାର୍ଥ ଦେଇଥିଲେ |

ଛନ୍ଦାଂସ୍ୟକାମସ୍ୟ ଚ ଯସ୍ୟ କାମାନ୍

ଦୁଦୂହୁରାଜହ୍ରୁରଥୋ ବଲିଂ ନୃପାଃ ।

ପ୍ରତ୍ୟଞ୍ଚିତା ଯୁଧି ଧର୍ମେଣ ବିପ୍ରା

ଯଦାଶିଷାଂ ଷଷ୍ଠମଂଶଂ ପରେତ୍ୟ ॥ ୧୧॥

ତାଙ୍କର କୌଣସି କାମନା ନ ଥିଲେ ବି ବେଦୋକ୍ତ କର୍ମ ତାଙ୍କୁ ସବୁ ପ୍ରକାରର ଭୋଗ ପ୍ରଦାନ କରୁଥିଲେ, ଯୁଦ୍ଧସ୍ଥଳରେ ତାଙ୍କର ବାଣରେ ହତାହତ ହୋଇ ରାଜାମାନେ ତାଙ୍କୁ ଅନେକ ଉପହାର ଦେଉଥିଲେ ତଥା ବ୍ରାହ୍ମଣମାନେ ତାଙ୍କ ଦକ୍ଷିଣାରେ ସନ୍ତୁଷ୍ଟ ହୋଇ ପରଲୋକରେ ମିଳିବାକୁ ଥିବା ନିଜ ଧର୍ମଫଳର ଏକ ଷଷ୍ଠାଂଶ ତାଙ୍କୁ ପ୍ରଦାନ କରୁଥିଲେ |

ଯସ୍ୟାଧ୍ୱରେ ଭଗବାନଧ୍ୱରାତ୍ମା

ମଘୋନି ମାଦ୍ୟତ୍ୟୁରୁସୋମପୀଥେ ।

ଶ୍ରଦ୍ଧା ବିଶୁଦ୍ଧାଚଲଭକ୍ତିୟୋଗ-

ସମର୍ପିତେଜ୍ୟାଫଲମାଜହାର ॥ ୧୨॥

ତାଙ୍କ ଯଜ୍ଞରେ ଅତ୍ୟଧିକ ସୋମପାନ କରି ଇନ୍ଦ୍ର ଉନ୍ମତ୍ତ ହୋଇ ଯାଇଥିଲେ | ତାଙ୍କର ଅତ୍ୟନ୍ତ ଶ୍ରଦ୍ଧା ତଥା ବିଶୁଦ୍ଧ ଏବଂ ନିଶ୍ଚଳ ଭକ୍ତିଭାବରେ ସମର୍ପିତ ଯଜ୍ଞଫଳକୁ ଭଗବାନ ଯଜ୍ଞପୁରୁଷ ସାକ୍ଷାତ୍ ପ୍ରକଟ ହୋଇ ଗ୍ରହଣ କରିଥିଲେ |

ଯତ୍ପ୍ରୀଣନାଦ୍ବର୍ହିଷି ଦେବତିର୍ୟଙ୍-

ମନୁଷ୍ୟବୀରୁତ୍ତୃଣମାବିରିଞ୍ଚାତ୍ ।

ପ୍ରୀୟେତ ସଦ୍ୟଃ ସ ହ ବିଶ୍ୱଜୀବଃ

ପ୍ରୀତଃ ସ୍ୱୟଂ ପ୍ରୀତିମଗାଦ୍ଗୟସ୍ୟ ॥ ୧୩॥

ଯାହାର ତୃପ୍ତିରେ ବ୍ରହ୍ମାଙ୍କଠାରୁ ଆରମ୍ଭ କରି ଦେବତା, ମନୁଷ୍ୟ, ପଶୁ-ପକ୍ଷୀ, ବୃକ୍ଷ ଏବଂ ତୃଣ ପର୍ଯ୍ୟନ୍ତ ସମସ୍ତ ଜୀବ ତତ୍କାଳ ତୃପ୍ତ ହୋଇଯାଆନ୍ତି, ସେହି ବିଶ୍ବାତ୍ମା ଶ୍ରୀହରି ନିତ୍ୟତୃପ୍ତ ହୋଇ ମଧ୍ୟ ରାଜର୍ଷି ଗୟଙ୍କ ଯଜ୍ଞରେ ତୃପ୍ତ ହୋଇ ଯାଉଥିଲେ | ସେଥିପାଇଁ ତାଙ୍କର ସମତୁଲ୍ୟ ଅନ୍ୟ କିଏ କିପରି ହୋଇପାରିବେ ?

ଗୟାଦ୍ଗୟନ୍ତ୍ୟାଂ ଚିତ୍ରରଥଃ ସୁଗତିରବରୋଧନ ଇତି ତ୍ରୟଃ

ପୁତ୍ରା ବଭୂବୁଶ୍ଚିତ୍ରରଥାଦୂର୍ଣାୟାଂ ସମ୍ରାଡଜନିଷ୍ଟ ॥ ୧୪॥

ଗୟନ୍ତୀଙ୍କ ଗର୍ଭରୁ ମହାରାଜ ଗୟଙ୍କର ଚିତ୍ରରଥ, ସୁଗତି ଏବଂ ଅବରୋଧନ ନାମରେ ତିନି ପୁତ୍ର ହୋଇଥିଲେ | ସେମାନଙ୍କ ମଧ୍ୟରୁ ଚିତ୍ରରଥଙ୍କ ପତ୍ନୀ ଉର୍ଣ୍ଣାଙ୍କଠାରୁ ସମ୍ରାଟଙ୍କର ଜନ୍ମ ହୋଇଥିଲା |

ତତ ଉତ୍କଲାୟାଂ ମରୀଚିର୍ମରୀଚେର୍ବିନ୍ଦୁମତ୍ୟାଂ ବିନ୍ଦୁମା-

ନୁଦପଦ୍ୟତ ତସ୍ମାତ୍ସରଘାୟାଂ ମଧୁର୍ନାମାଭବନ୍ମଧୋଃ

ସୁମନସି ବୀରବ୍ରତସ୍ତତୋ ଭୋଜାୟାଂ ମନ୍ଥୁପ୍ରମନ୍ଥୂ

ଜଜ୍ଞାତେ ମନ୍ଥୋଃ ସତ୍ୟାୟାଂ ଭୌବନସ୍ତତୋ ଦୂଷଣାୟାଂ

ତ୍ୱଷ୍ଟାଜନିଷ୍ଟ ତ୍ୱଷ୍ଟୁର୍ୱିରୋଚନାୟାଂ ବିରଜୋ ବିରଜସ୍ୟ

ଶତଜିତ୍ପ୍ରବରଂ ପୁତ୍ରଶତଂ କନ୍ୟା ଚ ବିଷୂଚ୍ୟାଂ କିଲ

ଜାତମ୍ ॥ ୧୫॥

ସମ୍ରାଟଙ୍କର ଉତ୍କଳାଙ୍କଠାରୁ ମରୀଚି ଏବଂ ମରୀଚିଙ୍କର ବିନ୍ଦୁମତୀଙ୍କଠାରୁ ବିନ୍ଦୁମାନ୍ ନାମକ ପୁତ୍ର ହେଲା | ତାଙ୍କର ସରଧାଙ୍କଠାରୁ ମଧୁ, ମଧୁଙ୍କର ସୁମନାଙ୍କଠାରୁ ବୀରବ୍ରତ ଏବଂ  ବୀରବ୍ରତଙ୍କର ଭୋଜାଙ୍କଠାରୁ ମନ୍ଧୁ ଓ ପ୍ରୟନ୍ଥୁ ନାମକ ଦୁଇ ପୁତ୍ର ହେଲେ | ଏମାନଙ୍କ ମଧ୍ୟରୁ ମନ୍ଧୁଙ୍କର ସତ୍ୟାଙ୍କ ଗର୍ଭରୁ ଭୌବନ, ଭୌବନଙ୍କର ଦୂଷଣାଙ୍କ ଉଦରରୁ ତ୍ବଷ୍ଟା, ତ୍ବଷ୍ଟାଙ୍କର ବିରୋଚନାଙ୍କଠାରୁ ବିରଜ ଏବଂ ବିରଜଙ୍କର ବିଷୂଚୀ ନାମକ ଭାର୍ଯ୍ୟାଙ୍କଠାରୁ ଶତଜିତ୍ ଆଦି ଶହେ ପୁତ୍ର ଏବଂ ଏକ କନ୍ୟା ଜନ୍ମ ଗ୍ରହଣ କରିଥିଲେ |

ତତ୍ରାୟଂ ଶ୍ଲୋକଃ

ପ୍ରୈୟବ୍ରତଂ ବଂଶମିମଂ ବିରଜଶ୍ଚରମୋଦ୍ଭବଃ ।

ଅକରୋଦତ୍ୟଲଂ କୀର୍ତ୍ୟା ବିଷ୍ଣୁଃ ସୁରଗଣଂ ଯଥା ॥ ୧୬॥

ବିରଜଙ୍କ ବିଷୟରେ ଏହି ଶ୍ଲୋକ ପ୍ରସିଦ୍ଧ ଅଟେ – ‘ଭଗବାନ ବିଷ୍ଣୁ ଯେପରି ଦେବତାମାନଙ୍କର ଶୋଭା ବୃଦ୍ଧି କରିଥାଆନ୍ତି, ସେହିପରି ପ୍ରିୟବ୍ରତ-ବଂଶର ସର୍ବଶେଷରେ ଉତ୍ପନ୍ନ ହୋଇଥିବା ରାଜା ବିରଜ ନିଜ ସୁଯଶରେ ସେହି ବଂଶକୁ ବିଭୂଷିତ କରିଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ପ୍ରିୟବ୍ରତବଂଶାନୁକୀର୍ତନଂ ନାମ ପଞ୍ଚଦଶୋଽଧ୍ୟାୟଃ ॥ ୧୫॥ 

Comments

Popular posts from this blog