ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଷଡବିଂଶ ଅଧ୍ୟାୟ

ବିଭିନ୍ନ ନର୍କ-ଗତିର ବର୍ଣ୍ଣନ

 

ରାଜୋବାଚ

ମହର୍ଷ ଏତଦ୍ୱୈଚିତ୍ର୍ୟଂ ଲୋକସ୍ୟ କଥମିତି ॥ ୧॥

ପରୀକ୍ଷିତ ପଚାରିଲେ – ହେ ମହର୍ଷି ! ଲୋକଙ୍କୁ ଏହି ଯେଉଁ ଉଚ୍ଚ-ନୀଚ ଗତି ପ୍ରାପ୍ତ ହୋଇଥାଏ, ସେଥିରେ ବି ଏତେ ଭିନ୍ନତା ଦେଖାଯାଏ କାହିଁକି ?

ଋଷିରୁବାଚ

ତ୍ରିଗୁଣତ୍ୱାତ୍କର୍ତୁଃ ଶ୍ରଦ୍ଧୟା କର୍ମଗତୟଃ ପୃଥଗ୍ୱିଧାଃ

ସର୍ୱା ଏବ ସର୍ୱସ୍ୟ ତାରତମ୍ୟେନ ଭବନ୍ତି ॥ ୨॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! କର୍ମ କରୁଥିବା ପୁରୁଷ ସାତ୍ତ୍ବିକ, ରାଜସିକ ଏବଂ ତାମସିକ – ଏହିପରି ତିନି ପ୍ରକାରର ଅଟନ୍ତି ତଥା ସେମାନଙ୍କର ଶ୍ରଦ୍ଧାରେ ମଧ୍ୟ ଭେଦ ରହିଥାଏ | ଏହିରୂପେ ସ୍ବଭାବ ଏବଂ ଶ୍ରଦ୍ଧା ଭେଦରେ ସେମାନଙ୍କ କର୍ମର ଗତି ଭିନ୍ନ ଭିନ୍ନ ହୋଇଥାଏ ଏବଂ ନ୍ୟୁନାଧିକରୂପରେ ଏହି ସବୁ ଗତି ସବୁ କର୍ତ୍ତାଙ୍କୁ ପ୍ରାପ୍ତ ହୋଇଥାଏ |

ଅଥେଦାନୀଂ ପ୍ରତିଷିଦ୍ଧଲକ୍ଷଣସ୍ୟାଧର୍ମସ୍ୟ ତଥୈବ କର୍ତୁଃ

ଶ୍ରଦ୍ଧାୟା ବୈସାଦୃଶ୍ୟାତ୍କର୍ମଫଲଂ ବିସଦୃଶଂ ଭବତି ଯା

ହ୍ୟନାଦ୍ୟବିଦ୍ୟଯା କୃତକାମାନାଂ ତତ୍ପରିଣାମଲକ୍ଷଣାଃ

ସୃତୟଃ ସହସ୍ରଶଃ ପ୍ରବୃତ୍ତାସ୍ତାସାଂ ପ୍ରାଚୁର୍ୟେଣା-

ନୁବର୍ଣୟିଷ୍ୟାମଃ ॥ ୩॥

ସେହିପରି ନିଷିଦ୍ଧ କର୍ମରୂପ ପାପ କରୁଥିବା ପୁରୁଷଙ୍କୁ ମଧ୍ୟ ସେମାନଙ୍କର ଶ୍ରଦ୍ଧାରେ ଅସମାନତା କାରଣରୁ ସମାନ ଫଳ ମିଳି ନ ଥାଏ | ତେଣୁ ଅନାଦି ଅବିଦ୍ୟାର ବଶୀଭୂତ ହୋଇ କାମନା ସହିତ କରାଯାଉ ଥିବା ନିଷିଦ୍ଧ କର୍ମର ପରିଣାମ ସ୍ବରୂପ ଯେଉଁ ହଜାର-ହଜାର ପ୍ରକାରର ନାରକୀୟ ଗତି ପ୍ରାପ୍ତ ହୋଇଥାଏ, ମୁଁ ତାହାର ବିସ୍ତୃତ ବର୍ଣ୍ଣନା କରିବି |

ରାଜୋବାଚ

ନରକା ନାମ ଭଗବନ୍ କିଂ ଦେଶବିଶେଷା ଅଥବା

ବହିସ୍ତ୍ରିଲୋକ୍ୟା ଆହୋସ୍ୱିଦନ୍ତରାଲ ଇତି ॥ ୪॥

ରାଜା ପରୀକ୍ଷିତ ପଚାରୁଛନ୍ତି – ଭଗବନ୍ ! ଆପଣ ଯାହାର ବର୍ଣ୍ଣନା କରିବାକୁ ଯାଉଛନ୍ତି, ସେହି ନରକ ଏହି ପୃଥିବୀର କୌଣସି ଦେଶବିଶେଷ ଅଟେ ଅଥବା ତ୍ରିଲୋକୀ ବାହାରେ ବା ଭିତରେ କୌଣସି ସ୍ଥାନ ଅଟେ ?

ଋଷିରୁବାଚ

ଅନ୍ତରାଲ ଏବ ତ୍ରିଜଗତ୍ୟାସ୍ତୁ ଦିଶି ଦକ୍ଷିଣସ୍ୟା-

ମଧସ୍ତାଦ୍ଭୂମେରୁପରିଷ୍ଟାଚ୍ଚ ଜଲାଦ୍ୟସ୍ୟାମଗ୍ନିଷ୍ୱାତ୍ତାଦୟଃ

ପିତୃଗଣା ଦିଶି ସ୍ୱାନାଂ ଗୋତ୍ରାଣାଂ ପରମେଣ ସମାଧିନା

ସତ୍ୟା ଏବାଶିଷ ଆଶାସାନା ନିବସନ୍ତି ॥ ୫॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ତାହା ତ୍ରିଲୋକୀ ଭିତରେ ହିଁ ରହିଛି | ଦକ୍ଷିଣ ଦିଗରେ ପୃଥିବୀ ତଳେ ଜଳ ଉପରେ ତାହା ସ୍ଥିତ ଅଟେ | ଏହି ଦିଗରେ ଅଗ୍ନିଷ୍ୱାତ୍ତ ଆଦି ପିତୃଗଣ ରହନ୍ତି, ସେମାନେ ଅତ୍ୟନ୍ତ ଏକାଗ୍ରତା ପୂର୍ବକ ନିଜ ବଂଶଧରମାନଙ୍କର ମଙ୍ଗଳକାମନା କରୁଥାଆନ୍ତି |

ଯତ୍ର ହ ବାବ ଭଗବାନ୍ ପିତୃରାଜୋ ବୈବସ୍ୱତଃ ସ୍ୱବିଷୟଂ

ପ୍ରାପିତେଷୁ ସ୍ୱପୁରୁଷୈର୍ଜନ୍ତୁଷୁ ସମ୍ପରେତେଷୁ ଯଥା କର୍ମାବଦ୍ୟଂ

ଦୋଷମେବାନୁଲ୍ଲଙ୍ଘିତଭଗବଚ୍ଛାସନଃ ସଗଣୋ ଦମଂ

ଧାରୟତି ॥ ୬॥

ସେହି ନର୍କଲୋକରେ ସୂର୍ଯ୍ୟଙ୍କ ପୁତ୍ର ପିତୃରାଜ ଭଗବାନ ଯମ ନିଜ ସେବକମାନଙ୍କ ସହିତ ରହନ୍ତି ତଥା ଭଗବାନଙ୍କ ଆଜ୍ଞା ଉଲ୍ଲଂଘନ ନ କରି, ଦୂତମାନଙ୍କ ଦ୍ବାରା ସେଠାକୁ ଅଣାଯାଉଥିବା ମୃତ ପ୍ରାଣୀଙ୍କୁ ସେମାନଙ୍କର ଦୁଷ୍କର୍ମ ଅନୁସାରେ ପାପର ଫଳରୂପ ଦଣ୍ଡ ଦେଇଥାଆନ୍ତି |

ତତ୍ର ହୈକେ ନରକାନେକବିଂଶତିଂ ଗଣୟନ୍ତି ଅଥ ତାଂସ୍ତେ

ରାଜନ୍ ନାମରୂପଲକ୍ଷଣତୋଽନୁକ୍ରମିଷ୍ୟାମସ୍ତାମିସ୍ରୋ-

ଽନ୍ଧତାମିସ୍ରୋ ରୌରବୋ ମହାରୌରବଃ କୁମ୍ଭୀପାକଃ

କାଲସୂତ୍ରମସିପତ୍ରବନଂ ସୂକରମୁଖମନ୍ଧକୂପଃ

କୃମିଭୋଜନଃ ସନ୍ଦଂଶସ୍ତପ୍ତସୂର୍ମିର୍ୱଜ୍ରକଣ୍ଟକ-

ଶାଲ୍ମଲୀ ବୈତରଣୀ ପୂୟୋଦଃ ପ୍ରାଣରୋଧୋ ବିଶସନଂ

ଲାଲାଭକ୍ଷଃ ସାରମେୟାଦନମବୀଚିରୟଃପାନମିତି

କିଞ୍ଚ କ୍ଷାରକର୍ଦମୋ ରକ୍ଷୋଗଣଭୋଜନଃ ଶୂଲପ୍ରୋତୋ

ଦନ୍ଦଶୂକୋଽବଟନିରୋଧନଃ ପର୍ୟାବର୍ତନଃ ସୂଚୀମୁଖମି-

ତ୍ୟଷ୍ଟାବିଂଶତିର୍ନରକା ବିବିଧୟାତନାଭୂମୟଃ ॥ ୭॥

ପରୀକ୍ଷିତ ! କେହି କେହି ନର୍କର ସଂଖ୍ୟା ଏକୋଇଶ କହିଥାଆନ୍ତି | ଆମେ ନାମ, ରୂପ ଏବଂ ଲକ୍ଷଣ ଅନୁସାରେ କ୍ରମଶଃ ସେମାନଙ୍କର ବର୍ଣ୍ଣନା କରିବା | ସେମାନଙ୍କର ନାମ – ତାମିସ୍ର, ଅନ୍ଧତାମିସ୍ର, ରୌରବ, ମହାରୌରବ, କୁମ୍ଭୀପାକ, କାଳସୂତ୍ର, ଅସିପତ୍ରବନ, ସୂକରମୁଖ, ଅନ୍ଧକୂପ, କୃମିଭୋଜନ, ସନ୍ଦେଶ, ତପ୍ତସୂର୍ମି, ବଜ୍ରକଣ୍ଟକଶାଲ୍ମଳୀ, ବୈତରଣୀ, ପୂୟୋଦ, ପ୍ରାଣରୋଧ, ବିଶସନ, ଲାଳାଭକ୍ଷ, ସାରମେୟାଦନ, ଅବୀଚି ଏବଂ ଅୟଃପାନ | ଏତଦ୍ ବ୍ୟତିତ କ୍ଷାରକର୍ଦମ, ରକ୍ଷୋଗଣଭୋଜନ, ଶୂଳପ୍ରୋତ, ଦନ୍ଦଶୂକ, ଅବଟନିରୋଧନ, ପର୍ଯ୍ୟାବର୍ତନ ଏବଂ ସୂଚୀମୁଖ – ଏହି ସାତଟିକୁ ମିଶାଇ ସମୁଦାୟ ଅଠାଇଶ ପ୍ରକାରର ନର୍କ ଭିନ୍ନ-ଭିନ୍ନ ଯାତନା ଭୋଗ କରିବାର ସ୍ଥାନ ଅଟନ୍ତି |

ତତ୍ର ଯସ୍ତୁ ପରବିତ୍ତାପତ୍ୟକଲତ୍ରାଣ୍ୟପହରତି ସ ହି

କାଲପାଶବଦ୍ଧୋ ଯମପୁରୁଷୈରତିଭୟାନକୈସ୍ତାମିସ୍ରେ

ନରକେ ବଲାନ୍ନିପାତ୍ୟତେ ଅନଶନାନୁଦପାନଦଣ୍ଡ-

ତାଡନସନ୍ତର୍ଜନାଦିଭିର୍ୟାତନାଭିର୍ୟାତ୍ୟମାନୋ

ଜନ୍ତୁର୍ୟତ୍ର କଶ୍ମଲମାସାଦିତ ଏକଦୈବ ମୂର୍ଚ୍ଛାମୁପୟାତି

ତାମିସ୍ରପ୍ରାୟେ ॥ ୮॥

ଯେଉଁ ପୁରୁଷ ଅନ୍ୟର ଧନ, ସନ୍ତାନ କିମ୍ବା ସ୍ତ୍ରୀ ହରଣ କରିଥାଏ, ତାକୁ ଅତ୍ୟନ୍ତ ଭୟାନକ ଯମଦୂତମାନେ କାଳପାଶରେ ବାନ୍ଧି ଜବରଦସ୍ତୀ ତାମିସ୍ର ନରକରେ ପକାଇ ଥାଆନ୍ତି | ସେହି ଅନ୍ଧକାରମୟ ନର୍କରେ ତାକୁ ଅନ୍ନ-ଜଳ ନ ଦେଇ, ଠେଙ୍ଗା ପ୍ରହାର କରି, ଭୟ ଦେଖାଇ ଆଦି ଅନେକ ଉପାୟରେ ପୀଡିତ କରାଯାଏ, ଯଦ୍ବାରା ଅତିଶୟ ଦୁଃଖରେ ସେ ମୂର୍ଚ୍ଛିତ ହୋଇଯାଏ |

ଏବମେବାନ୍ଧତାମିସ୍ରେ ଯସ୍ତୁ ବଞ୍ଚୟିତ୍ୱା ପୁରୁଷଂ ଦାରାଦୀ-

ନୁପୟୁଙ୍କ୍ତେ ଯତ୍ର ଶରୀରୀ ନିପାତ୍ୟମାନୋ ଯାତନାସ୍ଥୋ

ବେଦନୟା ନଷ୍ଟମତିର୍ନଷ୍ଟଦୃଷ୍ଟିଶ୍ଚ ଭବତି ଯଥା ବନସ୍ପତି-

ର୍ୱୃଶ୍ଚ୍ୟମାନମୂଲସ୍ତସ୍ମାଦନ୍ଧତାମିସ୍ରଂ ତମୁପଦିଶନ୍ତି ॥ ୯॥

ଯେଉଁ ପୁରୁଷ ଅନ୍ୟକୁ ଧୋଖା ଦେଇ ତାହାର ସ୍ତ୍ରୀ ଆଦିର ଭୋଗ କରିଥାଏ, ସେ ଅନ୍ଧତାମିସ୍ର ନର୍କରେ ପଡିଥାଏ | ସେଠାରେ ଯାତନା ଭୋଗ କରି ସେ ମୂଳରୁ କଟିଯାଇଥିବା ବୃକ୍ଷ ପରି ବେଦନାରେ ନିଜର ବୁଦ୍ଧି-ସୁଧି ହରାଇ ବସିଥାଏ ଏବଂ ସେ କିଛି ବି ଜାଣିପାରେ ନାହିଁ | ସେଥିପାଇଁ ଏହାକୁ ଅନ୍ଧତାମିସ୍ର କୁହାଯାଏ |

ଯସ୍ତ୍ୱିହ ବା ଏତଦହମିତି ମମେଦମିତି ଭୂତଦ୍ରୋହେଣ

କେବଲଂ ସ୍ୱକୁଟୁମ୍ବମେବାନୁଦିନଂ ପ୍ରପୁଷ୍ଣାତି ସ ତଦିହ

ବିହାୟ ସ୍ୱୟମେବ ତଦଶୁଭେନ ରୌରବେ ନିପତତି ॥ ୧୦॥

ଯେଉଁ ପୁରୁଷ ଇହଲୋକରେ ‘ ମୁଁ ଏହି ଶରୀର ଅଟେ ଏବଂ ଏହି ସ୍ତ୍ରୀ-ଧନାଦି ମୋର ଅଟନ୍ତି – ଏହି ବୁଦ୍ଧିରେ ଅନ୍ୟ ପ୍ରାଣୀଙ୍କ ପ୍ରତି ନିରନ୍ତର ଦ୍ରୋହ କରି ନିଜ କୁଟୁମ୍ବର ପାଳନ-ପୋଷଣରେ ହିଁ ରତ ରହିଥାଆନ୍ତି, ସେ ଶରୀର ତ୍ୟାଗ କରିବା ପରେ ସ୍ବୟଂ ହିଁ ରୌରବ ନର୍କରେ ପଡନ୍ତି |

ଯେ ତ୍ୱିହ ଯଥୈବାମୁନା ବିହିଂସିତା ଜନ୍ତବଃ ପରତ୍ର

ଯମୟାତନାମୁପଗତଂ ତ ଏବ ରୁରବୋ ଭୂତ୍ୱା ତଥା

ତମେବ ବିହିଂସନ୍ତି ତସ୍ମାଦ୍ରୌରବମିତ୍ୟାହୂ ରୁରୁରିତି

ସର୍ପାଦତିକ୍ରୂରସତ୍ତ୍ୱସ୍ୟାପଦେଶଃ ॥ ୧୧॥

ଇହଲୋକରେ ସେ ଯେଉଁ ଜୀବକୁ ଯେପରି କଷ୍ଟ ଦେଇଥାଆନ୍ତି, ପରଲୋକରେ ଯମଯାତନା ଭୋଗ କରିବାକୁ ଯାଇ ସେହି ଜୀବମାନେ ‘ରୁରୁ’ ରୂପରେ ତାକୁ ସେହିପରି କଷ୍ଟ ଦିଅନ୍ତି | ସେଥିପାଇଁ ଏହାର ନାମ ‘ରୌରବ ଅଟେ | ରୁରୁ ସର୍ପଠାରୁ ମଧ୍ୟ ଅଧିକ କ୍ରୂର ସ୍ବଭାବବିଶିଷ୍ଟ ଏକ ପ୍ରକାର ଜୀବ ଅଟେ |

ଏବମେବ ମହାରୌରବୋ ଯତ୍ର ନିପତିତଂ ପୁରୁଷଂ କ୍ରବ୍ୟାଦା

ନାମ ରୁରବସ୍ତଂ କ୍ରବ୍ୟେଣ ଘାତୟନ୍ତି ଯଃ କେବଲଂ

ଦେହମ୍ଭରଃ ॥ ୧୨॥

ଠିକ୍ ସେହିପରି, ମହାରୌରବ ନର୍କ ଅଟେ | ଏଠାକୁ ସେହି ବ୍ୟକ୍ତି ଯାଇଥାଏ, ଯିଏ ଅନ୍ୟ କାହାର ପରବାହ ନ କରି କେବଳ ନିଜ ଶରୀରର ପାଳନ-ପୋଷଣ କରିଥାଏ | ସେଠାରେ କଞ୍ଚା ମାଂସ ଭକ୍ଷଣ କରୁଥିବା ରୁରୁମାନେ ମାଂସ ଲୋଭରେ ତାକୁ କାମୁଡିବାରେ ଲାଗନ୍ତି |

ଯସ୍ତ୍ୱିହ ବା ଉଗ୍ରଃ ପଶୂନ୍ ପକ୍ଷିଣୋ ବା ପ୍ରାଣତ

ଉପରନ୍ଧୟତି ତମପକରୁଣଂ ପୁରୁଷାଦୈରପି ବିଗର୍ହିତମମୁତ୍ର

ଯମାନୁଚରାଃ କୁମ୍ଭୀପାକେ ତପ୍ତତୈଲେ ଉପରନ୍ଧୟନ୍ତି ॥ ୧୩॥

ଯେଉଁ କ୍ରୂର ମନୁଷ୍ୟ ଇହଲୋକରେ ନିଜ ପେଟ ପାଳିବା ପାଇଁ ଜୀବିତ ପଶୁ ବା ପକ୍ଷୀମାନଙ୍କର ରନ୍ଧନ କରନ୍ତି, ସେହି ହୃଦୟହୀନ, ରାକ୍ଷସଠାରୁ ମଧ୍ୟ ଅଧମ ପୁରୁଷକୁ ଯମଦୂତମାନେ କୁମ୍ଭୀପାକ ନର୍କକୁ ନେଇଯାଇ ସେଠାରେ ଗରମ ତେଲରେ ଭାଜିଥାଆନ୍ତି |

ଯସ୍ତ୍ୱିହ ପିତୃବିପ୍ରବ୍ରହ୍ମଧ୍ରୁକ୍ ସ କାଲସୂତ୍ରସଞ୍ଜ୍ଞକେ

ନରକେ ଅୟୁତୟୋଜନପରିମଣ୍ଡଲେ ତାମ୍ରମୟେ ତପ୍ତଖଲେ

ଉପର୍ୟଧସ୍ତାଦଗ୍ନ୍ୟର୍କାଭ୍ୟାମତିତପ୍ୟମାନେଽଭିନିବେଶିତଃ

କ୍ଷୁତ୍ପିପାସାଭ୍ୟାଂ ଚ ଦହ୍ୟମାନାନ୍ତର୍ବହିଃଶରୀର ଆସ୍ତେ

ଶେତେ ଚେଷ୍ଟତେଽବତିଷ୍ଠତି ପରିଧାବତି ଚ

ଯାବନ୍ତି ପଶୁରୋମାଣି ତାବଦ୍ୱର୍ଷସହସ୍ରାଣି ॥ ୧୪॥

ଯେଉଁ ମନୁଷ୍ୟ ଇହଲୋକରେ ମାତା-ପିତା, ବ୍ରାହ୍ମଣ ଏବଂ ବେଦର ବିରୋଧ କରିଥାଏ, ତାକୁ ଯମଦୂତମାନେ କାଳସୂତ୍ର ନର୍କକୁ ନେଇଯାଆନ୍ତି | ଏହାର ପରିଧି ଦଶ ହଜାର ଯୋଜନ ଅଟେ; ଭୂମି ତମ୍ବାର ଅଟେ | ସେ ଏହାର ତପ୍ତ ଭୂମି, ଉପରୁ ସୂର୍ଯ୍ୟ ଏବଂ ତଳୁ ଅଗ୍ନିଦାହରେ ଜଲିବାରେ ଲାଗିଥାଏ | ସେଠାକୁ ଯାଇଥିବା ପାପୀ ଜୀବ ଭୋକ-ଶୋଷରେ ବ୍ୟାକୁଳ ହେଉଥାଏ ଏବଂ ତାହାର ଶରୀର ଭିତରୁ-ବାହାରୁ ଜଳିବାରେ ଲାଗିଥାଏ | ତାର ବ୍ୟାକୁଳତା ଏତେ ବେଶୀ ବଢ଼ିଯାଏ ଯେ ସେ କେତେବେଳେ, ବସିଥାଏ, କେତେବେଳେ ଠିଆ ହୋଇଯାଏ; କେତେବେଳେ ଶୋଇ ଛଟପଟ ହେଉଥାଏ ତ କେତେବେଳେ ଏଣେତେଣେ ଧାଇଁବାରେ ଲାଗିଥାଏ | ଏହିପରି ଭାବରେ ସେହି ନର-ପଶୁର ଶରୀରରେ ଯେତେ ରୋମ ଥାଏ, ସେତିକି ହଜାର ବର୍ଷ ତାକୁ ଏହି ଦୁର୍ଗତି ଭୋଗ କରିବାକୁ ପଡିଥାଏ |

ଯସ୍ତ୍ୱିହ ବୈ ନିଜବେଦପଥାଦନାପଦ୍ୟପଗତଃ ପାଖଣ୍ଡଂ

ଚୋପଗତସ୍ତମସିପତ୍ରବନଂ ପ୍ରବେଶ୍ୟ କଶୟା ପ୍ରହରନ୍ତି

ତତ୍ର ହାସାବିତସ୍ତତୋ ଧାବମାନ ଉଭୟତୋ ଧାରୈ-

ସ୍ତାଲବନାସିପତ୍ରୈଶ୍ଛିଦ୍ୟମାନସର୍ୱାଙ୍ଗୋ ହା ହତୋ-

ଽସ୍ମୀତି ପରମୟା ବେଦନୟା ମୂର୍ଚ୍ଛିତଃ ପଦେ ପଦେ

ନିପତତି ସ୍ୱଧର୍ମହା ପାଖଣ୍ଡାନୁଗତଂ ଫଲଂ ଭୁଙ୍କ୍ତେ ॥ ୧୫॥

ଯେଉଁ ପୁରୁଷ କୌଣସି ପ୍ରକାରର ବାଧାବିଘ୍ନ ନ ଥିବା ସତ୍ତ୍ବେ ବୈଦିକ ମାର୍ଗକୁ ତ୍ୟାଗ କରି ଅନ୍ୟ ପାଖଣ୍ଡପୂର୍ଣ୍ଣ ଧର୍ମର ଆଶ୍ରୟ ଗ୍ରହଣ କରନ୍ତି, ଯମଦୂତ ତାଙ୍କୁ ଅସିପତ୍ରବନ ନରକକୁ ନେଇ ଚାବୁକରେ ପ୍ରହାର କରନ୍ତି | ମାଡରୁ ରକ୍ଷା ପାଇବା ପାଇଁ ସେ ଏଣେତେଣେ ଧାଇଁବାରେ ଲାଗେ, ସେତେବେଳେ ତାର ସବୁ ଅଙ୍ଗ ତାଳବନର ଅସି ସଦୃଶ ତୀକ୍ଷ୍ଣଧାରଯୁକ୍ତ ପତ୍ରରେ କଟି ରକ୍ତାକ୍ତ ହୋଇଯାଏ | ଅତ୍ୟନ୍ତ ବେଦନାରେ ସେ ‘ହାୟ, ମୁଁ ମଲି..ମୁଁ ମଲି ଚିତ୍କାର କରି ମୂର୍ଚ୍ଛିତ ହୋଇ ଏଠାରେ-ସେଠାରେ ପଡିବାରେ ଲାଗେ | ନିଜ ଧର୍ମ ତ୍ୟାଗ କରି ପାଖଣ୍ଡମାର୍ଗରେ ଚାଲିବା ଯୋଗୁଁ ତାକୁ ଏହିପରି ଭାବରେ ନିଜ କୁକର୍ମର ଫଳ ଭୋଗ କରିବାକୁ ପଡିଥାଏ |

ଯସ୍ତ୍ୱିହ ବୈ ରାଜା ରାଜପୁରୁଷୋ ବା ଅଦଣ୍ଡ୍ୟେ ଦଣ୍ଡଂ

ପ୍ରଣୟତି ବ୍ରାହ୍ମଣେ ବା ଶରୀରଦଣ୍ଡଂ ସ ପାପୀୟାନ୍

ନରକେଽମୁତ୍ର ସୂକରମୁଖେ ନିପତତି ତତ୍ରାତିବଲୈ-

ର୍ୱିନିଷ୍ପିଷ୍ୟମାଣାବୟବୋ ଯଥୈବେହେକ୍ଷୁଖଣ୍ଡ

ଆର୍ତସ୍ୱରେଣ ସ୍ୱନୟନ୍ କ୍ୱଚିନ୍ମୂର୍ଚ୍ଛିତଃ

କଶ୍ମଲମୁପଗତୋ ଯଥୈବେହାଦୃଷ୍ଟଦୋଷା ଉପରୁଦ୍ଧାଃ ॥ ୧୬॥

ଇହଲୋକରେ ଯେଉଁ ପୁରୁଷ ରାଜା ବା ରାଜକର୍ମଚାରୀ ଭାବରେ କୌଣସି ନିରପରାଧକୁ ଦଣ୍ଡ ଦେଇଥାଏ ଅଥବା ବ୍ରାହ୍ମଣଙ୍କୁ ଶାରୀରିକ ଦଣ୍ଡ ଦେଇଥାଏ, ସେହି ମହାପାପୀ ମରିବା ପରେ ସୂକରମୁଖ ନରକରେ ପଡିଥାଏ | ସେଠାରେ ମହାବଳୀ ଯମଦୂତମାନେ ଯେତେବେଳେ ତାର ଶରୀରକୁ ପାଦରେ ଦଳି ଥାଆନ୍ତି, ସେତେବେଳେ ଘଣାରେ ପେଷିତ ଆଖୁ ପରି ପୀଡିତ ହୋଇ, ଇହଲୋକରେ ତା ଦ୍ବାରା ଦଣ୍ଡିତ ହୋଇ ନିରପରାଧ ବ୍ୟକ୍ତିମାନେ କାନ୍ଦି ଚିତ୍କାର କରୁଥିବା ପରି, ସେ ମଧ୍ୟ ଆର୍ତ୍ତ ସ୍ବରରେ ଚିତ୍କାର କରି ମୂର୍ଚ୍ଛିତ ହୋଇ ଯାଉଥାଏ |

ଯସ୍ତ୍ୱିହ ବୈ ଭୂତାନାମୀଶ୍ୱରୋପକଲ୍ପିତବୃତ୍ତୀନା-

ମବିବିକ୍ତପରବ୍ୟଥାନାଂ ସ୍ୱୟଂ ପୁରୁଷୋପକଲ୍ପିତ-

ବୃତ୍ତିର୍ୱିବିକ୍ତପରବ୍ୟଥୋ ବ୍ୟଥାମାଚରତି ସ

ପରତ୍ରାନ୍ଧକୂପେ ତଦଭିଦ୍ରୋହେଣ ନିପତତି ତତ୍ର ହାସୌ

ତୈର୍ଜନ୍ତୁଭିଃ ପଶୁମୃଗପକ୍ଷିସରୀସୃପୈର୍ମଶକୟୂକା-

ମତ୍କୁଣମକ୍ଷିକାଦିଭିର୍ୟେ କେ ଚାଭିଦ୍ରୁଗ୍ଧାସ୍ତୈଃ

ସର୍ୱତୋଽଭିଦ୍ରୁହ୍ୟମାଣସ୍ତମସି ବିହତନିଦ୍ରାନିର୍ୱୃତି-

ରଲବ୍ଧାବସ୍ଥାନଃ ପରିକ୍ରାମତି ଯଥା କୁଶରୀରେ ଜୀବଃ ॥ ୧୭॥

ଯେଉଁ ପୁରୁଷ ଇହଲୋକରେ ଓଡଶ ଆଦି ଜୀବଙ୍କୁ ମାରିଥାଏ, ତାର ସେହି ଦ୍ରୋହ ଯୋଗୁଁ ସେ ଅନ୍ଧକୂପ ନରକରେ ପଡିଥାଏ | ସ୍ବୟଂ ଭଗବାନ ସେମାନଙ୍କୁ ସେହି ରକ୍ତପାନ ଆଦି ବୃତ୍ତି ଦେଇଛନ୍ତି ଏବଂ ତଦ୍ବାରା ସେମାନେ ଅନ୍ୟ ପ୍ରାଣୀକୁ କଷ୍ଟ ଦେଉଛନ୍ତି କି ନାହିଁ, ତାହା ଜାଣିବାର ଜ୍ଞାନ ମଧ୍ୟ ସେମାନଙ୍କର ନ ଥାଏ | କିନ୍ତୁ ମନୁଷ୍ୟର ବୃତ୍ତିର ନିର୍ଧାରଣ ଭଗବାନ ବିଧି-ନିଷେଧପୂର୍ବକ କରିଛନ୍ତି ଏବଂ ଅନ୍ୟର କଷ୍ଟର ଜ୍ଞାନ ମଧ୍ୟ ସେମାନଙ୍କର ରହିଛି | ସେଥିପାଇଁ ଯେଉଁ ପଶୁ, ମୃଗ, ପକ୍ଷୀ, ସାପ, ଅନ୍ୟ ସରୀସୃପ ପ୍ରାଣୀ, ମଶା, ମାଛି, ଉକୁଣି, ଓଡଶ ଆଦିଙ୍କ ପ୍ରତି ସେ ଦ୍ରୋହ କରିଥାଏ, ସେମାନେ ସେଠାରେ ତାକୁ ସବୁ ଦିଗରୁ ଘେରି କାମୁଡିବାରେ ଲାଗନ୍ତି | ତଦ୍ବାରା ତାର ନିଦ୍ରା ଏବଂ ଶାନ୍ତି ଭଙ୍ଗ ହୋଇଥାଏ ଏବଂ କେଉଁଠାରେ ନିଶ୍ଚିନ୍ତରେ ରହି ନ ପାରି ସେ ରୋଗଗ୍ରସ୍ତ ଶରୀରକୁ ନେଇ ଜୀବ ଛଟପଟ ହେବା ପରି ଅଶାନ୍ତିରେ ସେହି ଘୋର ଅନ୍ଧକାରରେ ସଦା ଘୂରି ବୁଲୁଥାଏ |

ଯସ୍ତ୍ୱିହ ବା ଅସମ୍ବିଭଜ୍ୟାଶ୍ନାତି ଯତ୍କିଞ୍ଚନୋ-

ପନତମନିର୍ମିତପଞ୍ଚୟଜ୍ଞୋ ବାୟସସଂସ୍ତୁତଃ ସ

ପରତ୍ର କୃମିଭୋଜନେ ନରକାଧମେ ନିପତତି ତତ୍ର

ଶତସହସ୍ରୟୋଜନେ କୃମିକୁଣ୍ଡେ କୃମିଭୂତଃ ସ୍ୱୟଂ

କୃମିଭିରେବ ଭକ୍ଷ୍ୟମାଣଃ କୃମିଭୋଜନୋ ଯାବତ୍ତ-

ଦପ୍ରତ୍ତାପ୍ରହୂତାଦୋଽନିର୍ୱେଶମାତ୍ମାନଂ ଯାତୟତେ ॥ ୧୮॥

ଯେଉଁ ମନୁଷ୍ୟ ଇହଲୋକରେ ପଞ୍ଚମହାଯଜ୍ଞ ନ କରି, ଯାହାକିଛି ତାକୁ ମିଳିଥାଏ ଅନ୍ୟ କାହାକୁ ନ ଦେଇ ନିଜେ ଭୋଗ କରିଥାଏ, ସେ କୁଆ ପରି ଅଟେ | ସେ ପରଲୋକରେ କୃମିଭୋଜନ ନାମକ ନିକୃଷ୍ଟ ନର୍କରେ ପଡିଥାଏ | ସେଠାରେ ଏକ ଲକ୍ଷ ଯୋଜନ ଲମ୍ବା-ଚୌଡା କୀଟମାନଙ୍କର ଏକ କୁଣ୍ଡ ରହିଛି, ସେହି କୁଣ୍ଡରେ ତାକୁ କୀଟ ଭାବରେ ରହିବାକୁ ପଡେ ଏବଂ ଯେତେଦିନଯାଏଁ ଦାନ କିମ୍ବା ଯଜ୍ଞ ନ କରି ନିଜେ ଭୋଗ କରିବାର ସେହି ପାପୀର ଦୋଷର ପୂରାପୂରି ଶୋଧନ ହୋଇ ନ ଯାଏ, ସେତେଦିନ ସେ ସେଠାରେ ପଡି-ପଡି କଷ୍ଟ ଭୋଗିଥାଏ |

ଯସ୍ତ୍ୱିହ ବୈ ସ୍ତେୟେନ ବଲାଦ୍ୱା ହିରଣ୍ୟରତ୍ନାଦୀନି

ବ୍ରାହ୍ମଣସ୍ୟ ବାପହରତ୍ୟନ୍ୟସ୍ୟ ବାନାପଦି ପୁରୁଷ-

ସ୍ତମମୁତ୍ର ରାଜନ୍ ଯମପୁରୁଷା ଅୟସ୍ମୟୈରଗ୍ନିପିଣ୍ଡୈଃ

ସନ୍ଦଂଶୈସ୍ତ୍ୱଚି ନିଷ୍କୁଷନ୍ତି ॥ ୧୯॥

ରାଜନ୍ ! ଇହଲୋକରେ ଯେଉଁ ବ୍ୟକ୍ତି ଚୋରୀ ଏବଂ ଜୋରଜବରଦସ୍ତୀରେ ବ୍ରାହ୍ମଣ ଅଥବା କୌଣସି ଅଭାବ-ଅସୁବିଧା ନ ଥିଲେ ମଧ୍ୟ ଅନ୍ୟ ପୁରୁଷର ସୁବର୍ଣ୍ଣ ଏବଂ ରତ୍ନ ଆଦି ହରଣ କରିଥାଏ, ମରିବା ପରେ ତାକୁ ଯମଦୂତମାନେ ସନ୍ଦେଶ ନାମକ ନର୍କକୁ ନେଇ ଯାଇ ସେଠାରେ ତପ୍ତ ଲୌହ ଗୋଲକରେ ତାର ଶରୀରରେ ଚେଙ୍ଗା ଲଗାଇ ଥାଆନ୍ତି ଏବଂ ସଣ୍ଢୁଆଶିରେ ତାର ଚର୍ମକୁ ଟାଣି ଥାଆନ୍ତି |

ଯସ୍ତ୍ୱିହ ବା ଅଗମ୍ୟାଂ ସ୍ତ୍ରିୟମଗମ୍ୟଂ ବା ପୁରୁଷଂ

ଯୋଷିଦଭିଗଚ୍ଛତି ତାବମୁତ୍ର କଶୟା ତାଡୟନ୍ତ-

ସ୍ତିଗ୍ମୟା ସୂର୍ମ୍ୟା ଲୋହମୟ୍ୟା ପୁରୁଷମାଲିଙ୍ଗୟନ୍ତି

ସ୍ତ୍ରିୟଂ ଚ ପୁରୁଷରୂପୟା ସୂର୍ମ୍ୟା ॥ ୨୦॥

ଇହଲୋକରେ ଯଦି କୌଣସି ପୁରୁଷ ଅଗମ୍ୟା ସ୍ତ୍ରୀ ସହିତ ସମ୍ଭୋଗ କରିଥାଏ, ଅଥବା କୌଣସି ସ୍ତ୍ରୀ ଅଗମ୍ୟ ପୁରୁଷ ସହିତ ବ୍ୟଭିଚାର କରିଥାଏ, ଯମଦୂତମାନେ ତାକୁ ତପ୍ତସୂର୍ମି ନାମକ ନର୍କକୁ ନେଇ ସେଠାରେ ଚାବୁକରେ ତାକୁ ପ୍ରହାର କରନ୍ତି ତଥା ପୁରୁଷକୁ ତପ୍ତ ଲୌହ ସ୍ତ୍ରୀମୂର୍ତ୍ତି ଏବଂ ସ୍ତ୍ରୀକୁ ତପ୍ତ ଲୌହ ପୁରୁଷମୂର୍ତ୍ତି ଦ୍ବାରା ଆଲିଙ୍ଗନ କରାଇ ଥାଆନ୍ତି |

ଯସ୍ତ୍ୱିହ ବୈ ସର୍ୱାଭିଗମସ୍ତମମୁତ୍ର ନିରୟେ ବର୍ତମାନଂ

ବଜ୍ରକଣ୍ଟକଶାଲ୍ମଲୀମାରୋପ୍ୟ ନିଷ୍କର୍ଷନ୍ତି ॥ ୨୧॥

ଯେଉଁ ପୁରୁଷ ଇହଲୋକରେ ପଶୁ ଆଦି ସମସ୍ତଙ୍କ ସହିତ ବ୍ୟଭିଚାର କରିଥାଏ, ମୃତ୍ୟୁ ଉପରାନ୍ତେ ତାକୁ ଯମଦୂତମାନେ ବଜ୍ରକଣ୍ଟକଶାଲ୍ମଳୀ ନାମକ ନର୍କରେ ପକାଇ ଥାଆନ୍ତି ଏବଂ ବଜ୍ର ପରି କଠୋର କଣ୍ଟକଯୁକ୍ତ ସେମର ବୃକ୍ଷରେ ଚଢାଇ ତଳକୁ ଘୋଷାରି ଥାଆନ୍ତି |

ଯେ ତ୍ୱିହ ବୈ ରାଜନ୍ୟା ରାଜପୁରୁଷା ବା ଅପାଖଣ୍ଡା

ଧର୍ମସେତୂନ୍ ଭିନ୍ଦନ୍ତି ତେ ସମ୍ପରେତ୍ୟ ବୈତରଣ୍ୟାଂ

ନିପତନ୍ତି ଭିନ୍ନମର୍ୟାଦାସ୍ତସ୍ୟାଂ ନିରୟପରିଖା-

ଭୂତାୟାଂ ନଦ୍ୟାଂ ଯାଦୋଗଣୈରିତସ୍ତତୋ ଭକ୍ଷ୍ୟମାଣା

ଆତ୍ମନା ନ ବିୟୁଜ୍ୟମାନାଶ୍ଚାସୁଭିରୁହ୍ୟମାନାଃ

ସ୍ୱାଘେନ କର୍ମପାକମନୁସ୍ମରନ୍ତୋ ବିଣ୍ମୂତ୍ରପୂୟଶୋଣିତ-

କେଶନଖାସ୍ଥିମେଦୋମାଂସବସାବାହିନ୍ୟାମୁପତପ୍ୟନ୍ତେ ॥ ୨୨॥

ଯେଉଁ ରାଜା ବା ରାଜପୁରୁଷ ଇହଲୋକରେ ଶ୍ରେଷ୍ଠ କୁଳରେ ଜନ୍ମ ହୋଇ ମଧ୍ୟ ଧର୍ମ ମର୍ଯ୍ୟାଦାର ଉଚ୍ଛେଦ କରିଥାଏ, ସେହି ମର୍ଯ୍ୟାଦାଅତିକ୍ରମଣ କାରଣରୁ ମୃତ୍ୟୁ ପରେ ତାକୁ ବୈତରଣୀ ନଦୀରେ ଫିଙ୍ଗି ଦିଆ ଯାଇଥାଏ | ଏହି ନଦୀ ନର୍କର ଖାଈ ସଦୃଶ ଅଟେ; ଏଥିରେ ମଳ, ମୂତ୍ର, ପୂଯ, ରକ୍ତ, କେଶ, ନଖ, ହାଡ, ଚର୍ବି, ମାଂସ ଏବଂ ମଜ୍ଜା ଆଦି ଭରା ହୋଇଥାଏ | ସେଠାରେ ତାକୁ ଏପଟୁ-ସେପଟୁ ଜଳ ଜୀବମାନେ ଟାଣିବାରେ ଲାଗନ୍ତି | କିନ୍ତୁ ତଦ୍ବାରା ତାର ଶରୀର ନାଶ ହୋଇ ନ ଥାଏ, ପାପ ଯୋଗୁଁ ପ୍ରାଣ ସେହି କଷ୍ଟକୁ ବହନ କରିବାକୁ ବାଧ୍ୟ ହୋଇଥାଏ ଏବଂ ସେ ସେହି ଦୁର୍ଗତିକୁ ନିଜ କର୍ମର ଫଳ ମନେକରି ମନେ-ମନେ ସଂତପ୍ତ ହେଉଥାଏ |

ଯେ ତ୍ୱିହ ବୈ ବୃଷଲୀପତୟୋ ନଷ୍ଟଶୌଚାଚାରନିୟମା-

ସ୍ତ୍ୟକ୍ତଲଜ୍ଜାଃ ପଶୁଚର୍ୟାଂ ଚରନ୍ତି ତେ ଚାପି ପ୍ରେତ୍ୟ

ପୂୟବିଣ୍ମୂତ୍ରଶ୍ଲେଷ୍ମମଲାପୂର୍ଣାର୍ଣବେ ନିପତନ୍ତି

ତଦେବାତିବୀଭତ୍ସିତମଶ୍ନନ୍ତି ॥ ୨୩॥

ଯେଉଁମାନେ ଶୌଚ-ଆଚାର ଆଦି ନିୟମକୁ ପରିତ୍ୟାଗ କରିଥାଆନ୍ତି ତଥା ଲଜ୍ଜାକୁ ତିଳାଞ୍ଜଳି ଦେଇ ଇହଲୋକରେ ଶୂଦ୍ରାଦିଙ୍କ ସହ ସମ୍ବନ୍ଧ ବାନ୍ଧି ପଶୁବତ୍ ଆଚରଣ କରନ୍ତି, ସେମାନେ ମରିବା ପରେ ପୂଯ, ବିଷ୍ଠା, ମୂତ୍ର, କଫ ଏବଂ ମଳରେ ଭରା ପୂୟୋଦ ନାମକ ସମୁଦ୍ରରେ ପଡନ୍ତି ଏବଂ ସେହି ସବୁ ଘୃଣିତ ବସ୍ତୁକୁ ହିଁ ଭକ୍ଷଣ କରୁଥାଆନ୍ତି |

ଯେ ତ୍ୱିହ ବୈ ଶ୍ୱଗର୍ଦଭପତୟୋ ବ୍ରାହ୍ମଣାଦୟୋ ମୃଗୟା-

ବିହାରା ଅତୀର୍ଥେ ଚ ମୃଗାନ୍ ନିଘ୍ନନ୍ତି ତାନପି

ସମ୍ପରେତାନ୍ ଲକ୍ଷ୍ୟଭୂତାନ୍ ଯମପୁରୁଷା ଇଷୁଭିର୍ୱିଧ୍ୟନ୍ତି ॥ ୨୪॥

ଇହଲୋକରେ ଯେଉଁ ବ୍ରାହ୍ମଣ ଆଦି ଉଚ୍ଚ ବର୍ଣ୍ଣର ଲୋକ କୁକୁର ବା ଗଧ ପାଳନ୍ତି ଏବଂ ଶିକାର ଆଦିରେ ଆଗ୍ରହୀ ରହନ୍ତି ତଥା ଶାସ୍ତ୍ରନିଷିଦ୍ଧ ପଶୁ ବଧ କରନ୍ତି, ମରଣ ଉପରାନ୍ତେ ତାଙ୍କୁ ପ୍ରାଣରୋଧ ନର୍କରେ ପକାଇ ଦିଆଯାଏ ଏବଂ ସେଠାରେ ଯମଦୂତମାନେ ତାଙ୍କ ଉପରକୁ ବାଣବିଦ୍ଧ କରନ୍ତି |

ଯେ ତ୍ୱିହ ବୈ ଦାମ୍ଭିକା ଦମ୍ଭୟଜ୍ଞେଷୁ ପଶୂନ୍ ବିଶସନ୍ତି

ତାନମୁଷ୍ମିନ୍ ଲୋକେ ବୈଶସେ ନରକେ ପତିତାନ୍ ନିରୟପତୟୋ

ଯାତୟିତ୍ୱା ବିଶସନ୍ତି ॥ ୨୫॥

ଯେଉଁ ପାଖଣ୍ଡୀ ଲୋକ ପାଖଣ୍ଡପୂର୍ଣ୍ଣ ଯଜ୍ଞରେ ପଶୁ ବଧ କରନ୍ତି, ତାଙ୍କୁ ପରଲୋକରେ ବୈଶସ (ବିଶସନ) ନାମକ ନର୍କରେ ପକାଇ ସେଠିକାର ଅଧିକାରୀମାନେ ବହୁତ ପୀଡା ଦିଅନ୍ତି |

ଯସ୍ତ୍ୱିହ ବୈ ସବର୍ଣାଂ ଭାର୍ୟାଂ ଦ୍ୱିଜୋ ରେତଃ ପାୟଯତି

କାମମୋହିତସ୍ତଂ ପାପକୃତମମୁତ୍ର ରେତଃକୁଲ୍ୟାୟାଂ

ପାତୟିତ୍ୱା ରେତଃ ସମ୍ପାୟଯନ୍ତି ॥ ୨୬॥

ଯେଉଁ ଦ୍ବିଜ କାମାତୁର ହୋଇ ନିଜ ସବର୍ଣ୍ଣା ଭାର୍ଯ୍ୟାକୁ ବୀର୍ଯ୍ୟପାନ କରାଇ ଥାଆନ୍ତି, ସେହି ପାପୀକୁ ମୃତ୍ୟୁ ପରେ ଯମଦୂତମାନେ ବୀର୍ଯ୍ୟର ନଦୀ (ଲାଳଭକ୍ଷ ନାମକ ନର୍କ) ରେ ପକାଇ ବୀର୍ଯ୍ୟ ପାନ କରାଇ ଥାଆନ୍ତି |

ଯେ ତ୍ୱିହ ବୈ ଦସ୍ୟବୋଽଗ୍ନିଦା ଗରଦା ଗ୍ରାମାନ୍ ସାର୍ଥାନ୍ ବା

ବିଲୁମ୍ପନ୍ତି ରାଜାନୋ ରାଜଭଟା ବା ତାଂଶ୍ଚାପି ହି

ପରେତ୍ୟ ଯମଦୂତା ବଜ୍ରଦଂଷ୍ଟ୍ରାଃ ଶ୍ୱାନଃ ସପ୍ତଶତାନି

ବିଂଶତିଶ୍ଚ ସରଭସଂ ଖାଦନ୍ତି ॥ ୨୭॥

ଯେଉଁ ଚୋର ଅଥବା ରାଜା ବା ରାଜପୁରୁଷ ଇହଲୋକରେ କାହା ଘରେ ନିଆଁ ଲଗାଇ ଦିଅନ୍ତି, ବିଷ ପାନ କରାଇ ଥାଆନ୍ତି ଅଥବା ଗ୍ରାମବାସୀ ଏବଂ ବ୍ୟାପାରୀ ଦଳଙ୍କୁ ଲୁଟି ଥାଆନ୍ତି, ମରିବା ପରେ ତାଙ୍କୁ ସାରମେୟାଦନ ନାମକ ନର୍କରେ ବଜ୍ର ପରି ତୀକ୍ଷ୍ଣ ଦନ୍ତଯୁକ୍ତ ସାତ ଶହ କୋଡିଏ ଜଣ ଯମଦୂତ କୁକୁର ରୂପରେ ପ୍ରବଳ ବେଗରେ କାମୁଡିବାରେ ଲାଗନ୍ତି ||

ଯସ୍ତ୍ୱିହ ବା ଅନୃତଂ ବଦତି ସାକ୍ଷ୍ୟେ ଦ୍ରବ୍ୟବିନିମୟେ

ଦାନେ ବା କଥଞ୍ଚିତ୍ସ ବୈ ପ୍ରେତ୍ୟ ନରକେଽବୀଚିମତ୍ୟଧଃଶିରା

ନିରବକାଶେ ଯୋଜନଶତୋଚ୍ଛ୍ରାୟାଦ୍ଗିରିମୂର୍ଧ୍ନଃ ସମ୍ପାତ୍ୟତେ

ଯତ୍ର ଜଲମିବ ସ୍ଥଲମଶ୍ମପୃଷ୍ଠମବଭାସତେ ତଦବୀଚିମ-

ତ୍ତିଲଶୋ ବିଶୀର୍ୟମାଣଶରୀରୋ ନ ମ୍ରିୟମାଣଃ ପୁନରାରୋପିତୋ

ନିପତତି ॥ ୨୮॥

ଇହଲୋକରେ ଯେଉଁ ପୁରୁଷ ସାକ୍ଷୀ ଦେବାକୁ ଯାଇ କିମ୍ବା ବ୍ୟାପାର ଇତ୍ୟାଦିରେ ମିଛ କହିଥାଏ, ସେ ମରିବା ପରେ ଆଧାରଶୂନ୍ୟ ଅବୀଚିମାନ୍ ନର୍କରେ ପଡିଥାଏ | ସେଠାରେ ତାକୁ ଶହେ ଯୋଜନ ଉଚ୍ଚ ପାହାଡ ଶିଖରରୁ ତଳକୁ ମୁଣ୍ଡ କରାଇ ଫିଙ୍ଗି ଦିଆଯାଏ | ସେହି ନର୍କର ଭୂମି ପଥରର ହୋଇଥିଲେ ବି ଜଳ ପରି ଦେଖାଯାଏ, ସେଥିପାଇଁ ଏହାର ନାମ ଅବୀଚିମାନ୍ ଅଟେ | ସେଠାରେ ପଡି ତାହାର ଶରୀର ଖଣ୍ଡ-ଖଣ୍ଡ ହୋଇଗଲେ ବି ପ୍ରାଣ ଯାଇ ନ ଥାଏ | ସେଥିପାଇଁ ବାରମ୍ବାର ତାକୁ ଉପରକୁ ନେଇ ପୁଣି ତଳକୁ ଫିଙ୍ଗା ଯାଇଥାଏ |

ଯସ୍ତ୍ୱିହ ବୈ ବିପ୍ରୋ ରାଜନ୍ୟୋ ବୈଶ୍ୟୋ ବା ସୋମପୀଥସ୍ତତ୍କଲତ୍ରଂ

ବା ସୁରାଂ ବ୍ରତସ୍ଥୋଽପି ବା ପିବତି ପ୍ରମାଦତସ୍ତେଷାଂ ନିରୟଂ

ନୀତାନାମୁରସି ପଦାଽଽକ୍ରମ୍ୟାସ୍ୟେ ବହ୍ନିନା ଦ୍ରବମାଣଂ

କାର୍ଷ୍ଣାୟସଂ ନିଷିଞ୍ଚନ୍ତି ॥ ୨୯॥

ଯେଉଁ ବ୍ରାହ୍ମଣ ବା ବ୍ରାହ୍ମଣୀ ଅଥବା ବ୍ରତରେ ସ୍ଥିତ ଅନ୍ୟ କେହି ପ୍ରମାଦବଶ ମଦ୍ୟପାନ କରନ୍ତି ଏବଂ ଯେଉଁ କ୍ଷତ୍ରିୟ ବା ବୈଶ୍ୟ ସୋମପାନ କରନ୍ତି, ସେମାନଙ୍କୁ ଯମଦୂତମାନେ ଅୟଃପାନ ନାମକ ନର୍କକୁ ନେଇଯାଆନ୍ତି ଏବଂ ସେଠାରେ ତାଙ୍କ ଛାତି ଉପରେ ପାଦ ରଖି ତାଙ୍କ ମୁଖରେ ଗରମ ତରଳ ଲୁହା ଢାଳନ୍ତି |

ଅଥ ଚ ଯସ୍ତ୍ୱିହ ବା ଆତ୍ମସମ୍ଭାବନେନ ସ୍ୱୟମଧମୋ

ଜନ୍ମତପୋବିଦ୍ୟାଚାରବର୍ଣାଶ୍ରମବତୋ ବରୀୟସୋ ନ

ବହୁମନ୍ୟେତ ସ ମୃତକ ଏବ ମୃତ୍ୱା କ୍ଷାରକର୍ଦମେ ନିରୟେ-

ଽବାକ୍ଶିରା ନିପାତିତୋ ଦୁରନ୍ତା ଯାତନା ହ୍ୟଶ୍ନୁତେ ॥ ୩୦॥

ଯେଉଁ ପୁରୁଷ ଇହଲୋକରେ ନିମ୍ନ ଶ୍ରେଣୀର ହୋଇ ମଧ୍ୟ ନିଜକୁ ବଡ ମନେ କରି ଜନ୍ମ, ତପ, ବିଦ୍ୟା, ଆଚାର, ବର୍ଣ୍ଣ ବା ଆଶ୍ରମ ଦୃଷ୍ଟିରୁ ତାଠାରୁ ବଡମାନଙ୍କର ବିଶେଷ ସତ୍କାର କରେନାହିଁ, ସେ ଜୀବିତ ରହି ମଧ୍ୟ ମୃତକ ସଦୃଶ ଅଟେ | ମୃତ୍ୟୁ ପରେ ତାକୁ ମୁଣ୍ଡ ତଳକୁ କରାଇ କ୍ଷାରକର୍ଦମ ନାମକ ନର୍କରେ ପକାଇ ଦିଆ ଯାଇଥାଏ ଏବଂ ସେଠାରେ ତାକୁ ଅନନ୍ତ ଯାତନା ଭୋଗ କରିବାକୁ ପଡିଥାଏ |

ଯେ ତ୍ୱିହ ବୈ ପୁରୁଷାଃ ପୁରୁଷମେଧେନ ଯଜନ୍ତେ ଯାଶ୍ଚ ସ୍ତ୍ରିୟୋ

ନୃପଶୂନ୍ ଖାଦନ୍ତି ତାଂଶ୍ଚ ତେ ପଶବ ଇବ ନିହତା ଯମସଦନେ

ଯାତୟନ୍ତୋ ରକ୍ଷୋଗଣାଃ ସୌନିକା ଇବ ସ୍ୱଧିତିନାବଦାୟା-

ସୃକ୍ ପିବନ୍ତି ନୃତ୍ୟନ୍ତି ଚ ଗାୟନ୍ତି ଚ ହୃଷ୍ୟମାଣା ଯଥେହ

ପୁରୁଷାଦାଃ ॥ ୩୧॥

ଯେଉଁ ପୁରୁଷ ଇହଲୋକରେ ନରମେଧାଦି ଦ୍ବାରା ଭୈରବ, ଯକ୍ଷ, ରାକ୍ଷସ ଆଦିଙ୍କର ଯଜନ କରନ୍ତି ଏବଂ ଯେଉଁ ସ୍ତ୍ରୀ ପଶୁମାନଙ୍କ ପରି ପୁରୁଷଙ୍କୁ ଖାଇଯାଆନ୍ତି, ସେମାନଙ୍କୁ ସେହି ପଶୁତୁଲ୍ୟ ବଧିତ ପୁରୁଷ ଯମଲୋକରେ ରାକ୍ଷସ ହୋଇ ନାନାବିଧ ଯାତନା ଦିଅନ୍ତି ଏବଂ ରକ୍ଷୋଗଣ ଭୋଜନ ନାମକ ନର୍କରେ କଂସେଇ ପରି କୁରାଢିରେ କାଟି-କାଟି ସେମାନଙ୍କର ଲହୁ ପାନ କରନ୍ତି | ସେହି ମାଂସଭୋଜୀ ପୁରୁଷ ଯେପରି ଇହଲୋକରେ ତାଙ୍କର ମାଂସ ଭକ୍ଷଣ କରି ଆନନ୍ଦିତ ହେଉଥିଲେ, ଠିକ୍ ସେହିପରି ସେମାନେ ମଧ୍ୟ ସେହି ପୁରୁଷର ରକ୍ତ ପାନ କରି ଆନନ୍ଦରେ ନାଚନ୍ତି-ଗାଆନ୍ତି |

ଯେ ତ୍ୱିହ ବା ଅନାଗସୋଽରଣ୍ୟେ ଗ୍ରାମେ ବା ବୈଶ୍ରମ୍ଭକୈରୁପସୃତା-

ନୁପବିଶ୍ରମ୍ଭୟ୍ୟ ଜିଜୀବିଷୂନ୍ ଶୂଲସୂତ୍ରାଦିଷୂପପ୍ରୋତାନ୍

କ୍ରୀଡନକତୟା ଯାତୟନ୍ତି ତେଽପି ଚ ପ୍ରେତ୍ୟ ଯମୟାତନାସୁ

ଶୂଲାଦିଷୁ ପ୍ରୋତାତ୍ମାନଃ କ୍ଷୁତ୍ତୃଡ୍ଭ୍ୟାଂ ଚାଭିହତାଃ କଙ୍କବଟାଦିଭି-

ଶ୍ଚେତସ୍ତତସ୍ତିଗ୍ମତୁଣ୍ଡୈରାହନ୍ୟମାନା ଆତ୍ମଶମଲଂ ସ୍ମରନ୍ତି ॥ ୩୨॥

ଇହଲୋକରେ ଯେଉଁମାନେ ନିରପରାଧ ବନ୍ୟ ବା ଗ୍ରାମ୍ୟ ଜୀବକୁ ନାନା ଉପାୟରେ ନିଜର ବଶୀଭୂତ କରାଇ ପାଖରେ ରଖନ୍ତି; ସେମାନଙ୍କୁ ଲୁହା ଶିକୁଳି ବା ରସିରେ ବାନ୍ଧି ଖେଳ ଖେଳାଇ ଯାତନା ଦେଇଥାଆନ୍ତି, ମୃତ୍ୟୁ ପରେ ଯମଯାତନା ଭାବରେ ସେମାନଙ୍କୁ ଶୂଳପ୍ରୋତ ନାମକ ନର୍କରେ ଶୂଳବିଦ୍ଧ କରାଯାଇ ଥାଏ | ସେହି ସମୟରେ, ଭୋକ-ଶୋଷରେ ଛଟପଟ ହେବା ସହିତ ନର୍କର କଙ୍କ, ବଟେର ଆଦି ତୀକ୍ଷ୍ଣ ଚଞ୍ଚୁବିଶିଷ୍ଟ ଭୟାନକ ପକ୍ଷୀମାନଙ୍କର ଆଘାତ ସହି, ସେ କରିଥିବା ସବୁ ପାପ ତାର ସ୍ମରଣ ହୋଇଥାଏ |

ଯେ ତ୍ୱିହ ବୈ ଭୂତାନ୍ୟୁଦ୍ୱେଜୟନ୍ତି ନରା ଉଲ୍ବଣସ୍ୱଭାବା ଯଥା

ଦନ୍ଦଶୂକାସ୍ତେଽପି ପ୍ରେତ୍ୟ ନରକେ ଦନ୍ଦଶୂକାଖ୍ୟେ ନିପତନ୍ତି

ଯତ୍ର ନୃପ ଦନ୍ଦଶୂକାଃ ପଞ୍ଚମୁଖାଃ ସପ୍ତମୁଖା ଉପସୃତ୍ୟ

ଗ୍ରସନ୍ତି ଯଥା ବିଲେଶୟାନ୍ ॥ ୩୩॥

ରାଜନ୍ ! ଇହଲୋକରେ ଯେଉଁ ସର୍ପତୁଲ୍ୟ ଉଗ୍ରସ୍ବଭାବ ପୁରୁଷ ଅନ୍ୟ ଜୀବଙ୍କୁ ପୀଡା ଦେଇଥାଆନ୍ତି, ସେମାନେ ମରିବା ପରେ ଦନ୍ଦଶୂକ ନାମକ ନର୍କରେ ପଡନ୍ତି | ସେଠାରେ ପାଞ୍ଚ-ସାତ ମୁଖବିଶିଷ୍ଟ ସର୍ପମାନେ ତାଙ୍କୁ ମୂଷିକ ପରି ଗିଳିଯାଆନ୍ତି |

ଯେ ତ୍ୱିହ ବା ଅନ୍ଧାବଟକୁସୂଲଗୁହାଦିଷୁ ଭୂତାନି ନିରୁନ୍ଧନ୍ତି

ତଥାମୁତ୍ର ତେଷ୍ୱେବୋପବେଶ୍ୟ ସଗରେଣ ବହ୍ନିନା ଧୂମେନ ନିରୁନ୍ଧନ୍ତି ॥ ୩୪॥

ଯେଉଁ ବ୍ୟକ୍ତି ଏଠାରେ ଅନ୍ୟ ପ୍ରାଣୀଙ୍କୁ ଅନ୍ଧାର ଗାତ, କୋଟର ବା ଗୁମ୍ଫାରେ ବନ୍ଦୀ ରଖିଥାଆନ୍ତି, ପରଲୋକରେ ଯମଦୂତମାନେ ସେହିପରି ସ୍ଥାନରେ ସେମାନଙ୍କୁ ପକାଇ ବିଷାକ୍ତ ଧୂଆଁରେ ସେମାନଙ୍କର ଶ୍ବାସରୁଦ୍ଧ କରାଇ ଥାଆନ୍ତି |

ଯସ୍ତ୍ୱିହ ବା ଅତିଥୀନଭ୍ୟାଗତାନ୍ ବା ଗୃହପତିରସକୃ-

ଦୁପଗତମନ୍ୟୁର୍ଦିଧକ୍ଷୁରିବ ପାପେନ ଚକ୍ଷୁଷା ନିରୀକ୍ଷତେ ତସ୍ୟ

ଚାପି ନିରୟେ ପାପଦୃଷ୍ଟେରକ୍ଷିଣୀ ବଜ୍ରତୁଣ୍ଡା ଗୃଧ୍ରାଃ

କଙ୍କକାକବଟାଦୟଃ ପ୍ରସହ୍ୟୋରୁବଲାଦୁତ୍ପାଟୟନ୍ତି ॥ ୩୫॥

ଯେଉଁ ଗୃହସ୍ଥ ନିଜ ଘରକୁ ଆସିଥିବା ଅତିଥି-ଅଭ୍ୟାଗତଙ୍କୁ ବାରମ୍ବାର କ୍ରୋଧବଶ କୁଟିଳ ଦୃଷ୍ଟିରେ ଦେଖିଥାଆନ୍ତି ଯେପରି କି ତାଙ୍କୁ ଭସ୍ମ କରିଦେବେ, ମୃତ୍ୟୁ ପରେ ସେ ଯେତେବେଳେ ନର୍କକୁ ଯାଆନ୍ତି, ସେଠାରେ ତାର ପାପଦୃଷ୍ଟିପୂର୍ଣ୍ଣ ନେତ୍ରକୁ ଶାଗୁଣା, କଙ୍କ, କାକ ଏବଂ ବଟେର ଆଦି ବଜ୍ର ପରି କଠୋର ଚଞ୍ଚୁଧାରୀ ପକ୍ଷୀମାନେ ତାଡି ନିଅନ୍ତି | ଏହି ନର୍କକୁ ପର୍ଯ୍ୟାବର୍ତନ କୁହାଯାଏ |

ଯସ୍ତ୍ୱିହ ବା ଆଢ୍ୟାଭିମତିରହଙ୍କୃତିସ୍ତିର୍ୟକ୍ପ୍ରେକ୍ଷଣଃ

ସର୍ୱତୋଽଭିବିଶଙ୍କୀ ଅର୍ଥବ୍ୟଯନାଶଚିନ୍ତୟା

ପରିଶୁଷ୍ୟମାଣହୃଦୟବଦନୋ ନିର୍ୱୃତିମନବଗତୋ ଗ୍ରହ

ଇବାର୍ଥମଭିରକ୍ଷତି ସ ଚାପି ପ୍ରେତ୍ୟ ତଦୁତ୍ପାଦନୋତ୍କର୍ଷଣ

ସଂରକ୍ଷଣଶମଲଗ୍ରହଃ ସୂଚୀମୁଖେ ନରକେ ନିପତତି ଯତ୍ର

ହ ବିତ୍ତଗ୍ରହଂ ପାପପୁରୁଷଂ ଧର୍ମରାଜପୁରୁଷା ବାୟକା ଇବ

ସର୍ୱତୋଽଙ୍ଗେଷୁ ସୂତ୍ରୈଃ ପରିବୟନ୍ତି ॥ ୩୬॥

ଇହଲୋକରେ ଯେଉଁ ବ୍ୟକ୍ତି ନିଜକୁ ବଡ ଧନବାନ ମନେକରି ଅଭିମାନବଶ ସମସ୍ତଙ୍କୁ ହେୟ ଦୃଷ୍ଟିରେ ଦେଖିଥାଏ ଏବଂ ସମସ୍ତଙ୍କୁ ସନ୍ଦେହ କରିଥାଏ; ଧନବ୍ୟୟ ଏବଂ ଧନନାଶ ଚିନ୍ତାରେ ଯାହାର ହୃଦୟ ଏବଂ ମୁହଁ ଶୁଖି ଯାଇଥାଏ, ସେ କ୍ଷଣକାଳ ଶାନ୍ତି ନ ପାଇ ଯକ୍ଷ ପରି ନିଜ ଧନରକ୍ଷାରେ ହିଁ ଲାଗି ରହିଥାଏ | ଧନ ଉପାର୍ଜନ କରିବା, ବୃଦ୍ଧି କରିବା ଏବଂ ରକ୍ଷା କରିବା ଉଦ୍ଦେଶ୍ୟରେ ନାନା ପ୍ରକାରର ପାପକର୍ମ କରି ସେହି ନରାଧମ ମୃତ୍ୟୁ ଉପରାନ୍ତେ ସୂଚୀମୁଖ ନର୍କରେ ପଡିଥାଏ | ସେଠାରେ ସେହି ଅର୍ଥପିଶାଚ ପାପାତ୍ମାର ସମସ୍ତ ଅଙ୍ଗକୁ ଯମରାଜଙ୍କର ଦୂତମାନେ ଦରଜି ପରି ଛୁଞ୍ଚି-ସୂତାରେ ସିଲାଇ କରିଥାଆନ୍ତି |

ଏବମ୍ବିଧା ନରକା ଯମାଲୟେ ସନ୍ତି ଶତଶଃ ସହସ୍ରଶସ୍ତେଷୁ

ସର୍ୱେଷୁ ଚ ସର୍ୱ ଏବାଧର୍ମବର୍ତିନୋ ଯେ କେଚିଦିହୋଦିତା

ଅନୁଦିତାଶ୍ଚାବନିପତେ ପର୍ୟାୟେଣ ବିଶନ୍ତି ତଥୈବ ଧର୍ମାନୁବର୍ତିନ

ଇତରତ୍ର ଇହ ତୁ ପୁନର୍ଭବେ ତ ଉଭୟଶେଷାଭ୍ୟାଂ ନିବିଶନ୍ତି ॥ ୩୭॥

ରାଜନ୍ ! ଯମଲୋକରେ ଏହିପରି ଶହ-ଶହ ହଜାର-ହଜାର ନର୍କ ରହିଛି | ସେମାନଙ୍କ ମଧ୍ୟରୁ ଯାହାର ଉଲ୍ଲେଖ ଏଠାରେ କରାଗଲା ଏବଂ ଯାହା ବିଷୟରେ କିଛି କୁହାଯାଇ ନାହିଁ, ସେହି ସବୁ ନର୍କକୁ ସବୁ ଅଧର୍ମପରାୟଣ ଜୀବ ନିଜ-ନିଜର କର୍ମ ଅନୁସାରେ ଯାଇଥାଆନ୍ତି | ସେହିପରି, ଧର୍ମାତ୍ମା ପୁରୁଷ ସ୍ବର୍ଗ ଆଦି ଲୋକକୁ ଯାଇଥାଆନ୍ତି | ନର୍କ ଏବଂ ସ୍ବର୍ଗରେ ଯେତେବେଳେ ଭୋଗ ଦ୍ବାରା ସେମାନଙ୍କର ଅଧିକାଂଶ ପାପ ଏବଂ ପୁଣ୍ୟ କ୍ଷୀଣ ହୋଇଯାଏ, ସେତେବେଳେ ଅବଶିଷ୍ଟ ପୁଣ୍ୟପାପରୂପ କର୍ମ ସହିତ ସେମାନେ ପୁନର୍ବାର ଜନ୍ମ ଗ୍ରହଣ କରି ଏହି ଲୋକକୁ ଫେରି ଆସନ୍ତି |

ନିବୃତ୍ତିଲକ୍ଷଣମାର୍ଗ ଆଦାବେବ ବ୍ୟାଖ୍ୟାତଃ ଏତାବାନେବା-

ଣ୍ଡକୋଶୋ ଯଶ୍ଚତୁର୍ଦଶଧା ପୁରାଣେଷୁ ବିକଲ୍ପିତ ଉପଗୀୟତେ

ଯତ୍ତଦ୍ଭଗବତୋ ନାରାୟଣସ୍ୟ ସାକ୍ଷାନ୍ମହାପୁରୁଷସ୍ୟ ସ୍ଥବିଷ୍ଠଂ

ରୂପମାତ୍ମମାୟାଗୁଣମୟମନୁବର୍ଣିତମାଦୃତଃ ପଠତି ଶୃଣୋତି

ଶ୍ରାବୟତି ସ ଉପଗେୟଂ ଭଗବତଃ ପରମାତ୍ମନୋଽଗ୍ରାହ୍ୟମପି

ଶ୍ରଦ୍ଧାଭକ୍ତିବିଶୁଦ୍ଧବୁଦ୍ଧିର୍ୱେଦ ॥ ୩୮॥

ଏହି ଧର୍ମ ଏବଂ ଅଧର୍ମ ଉଭୟଠାରୁ ବିଲକ୍ଷଣ ଯେଉଁ ନିବୃତ୍ତି ମାର୍ଗ ଅଟେ, ତାହାର ବର୍ଣ୍ଣନ ପୂର୍ବରୁ ଦ୍ବିତୀୟ ସ୍କନ୍ଧରେ କରାଯାଇଛି | ପୁରାଣମାନଙ୍କରେ ଯେଉଁ ଚଉଦ ଭୁବନର ବର୍ଣ୍ଣନା କରାଯାଇଥାଏ , ସେହି ବ୍ରହ୍ମାଣ୍ଡକୋଶ ଏତିକି ହିଁ ଅଟେ | ଏହା ସାକ୍ଷାତ୍ ପରମ ପୁରୁଷ ଶ୍ରୀନାରାୟଣଙ୍କର ନିଜ ମାୟା ଗୁଣରେ ଯୁକ୍ତ ଅତ୍ୟନ୍ତ ସ୍ଥୂଳ ସ୍ବରୂପ ଅଟେ | ଉପନିଷଦ-ବର୍ଣ୍ଣିତ ପରମାତ୍ମା ଭଗବାନଙ୍କର ନିର୍ଗୁଣ ସ୍ବରୂପ ଯଦିଓ ମନ-ବୁଦ୍ଧିର ଅଗମ୍ୟ ଅଟେ, ତଥାପି ଯେଉଁ ପୁରୁଷ ତାଙ୍କର ଏହି ସ୍ଥୂଳ ରୂପର ବର୍ଣ୍ଣନ ଆଦରପୂର୍ବକ ପଠନ କରନ୍ତି, ଶୁଣନ୍ତି ଏବଂ ଶୁଣାନ୍ତି, ତାଙ୍କର ବୁଦ୍ଧି ଶ୍ରଦ୍ଧା ଏବଂ ଭକ୍ତିଯୁକ୍ତ ହୋଇଯିବା କାରଣରୁ ଶୁଦ୍ଧ ହୋଇଯାଏ ଏବଂ ସେ ତାଙ୍କର ସେହି ସୂକ୍ଷ୍ମ ରୂପର ଅନୁଭବ ମଧ୍ୟ କରିପାରନ୍ତି |

ଶ୍ରୁତ୍ୱା ସ୍ଥୂଲଂ ତଥା ସୂକ୍ଷ୍ମଂ ରୂପଂ ଭଗବତୋ ଯତିଃ ।

ସ୍ଥୂଲେ ନିର୍ଜିତମାତ୍ମାନଂ ଶନୈଃ ସୂକ୍ଷ୍ମଂ ଧିୟା ନୟେଦିତି ॥ ୩୯॥

ଯତିମାନେ ଭଗବାନଙ୍କର ସ୍ଥୂଳ ଓ ସୂକ୍ଷ୍ମ ଉଭୟ ରୂପ ବିଷୟରେ ଶ୍ରବଣ କରି ପ୍ରଥମେ ସ୍ଥୂଳ ରୂପରେ ଚିତ୍ତକୁ ସ୍ଥିର କରିବା ଆବଶ୍ୟକ ଏବଂ ତାପରେ ଧୀରେ ଧୀରେ ତାକୁ ସେଠାରୁ ହଟାଇ ସୂକ୍ଷ୍ମ ରୂପରେ ଲଗାଇବା ଆବଶ୍ୟକ |

ଭୂଦ୍ୱୀପବର୍ଷସରିଦଦ୍ରିନଭଃସମୁଦ୍ର-

ପାତାଲଦିଙ୍ନରକଭାଗଣଲୋକସଂସ୍ଥା ।

ଗୀତା ମୟା ତବ ନୃପାଦ୍ଭୁତମୀଶ୍ୱରସ୍ୟ

ସ୍ଥୂଲଂ ବପୁଃ ସକଲଜୀବନିକାୟଧାମ ॥ ୪୦॥

ପରୀକ୍ଷିତ ! ମୁଁ ତୁମ ଆଗରେ ପୃଥିବୀ, ତାହା ଅନ୍ତର୍ଗତ ଦ୍ବୀପ, ଦେଶ, ନଦୀ, ପର୍ବତ, ଆକାଶ, ସମୁଦ୍ର, ପାତାଳ, ଦିଶା, ନରକ, ଜ୍ୟୋତିର୍ଗଣ ଏବଂ ଲୋକର ସ୍ଥିତିର ବର୍ଣ୍ଣନା କଲି | ଏହା ହିଁ ଭଗବାନଙ୍କର ଅତି ଅଦ୍ଭୁତ ସ୍ଥୂଳ ରୂପ, ଯାହା ସମଗ୍ର ଜୀବସମୁଦାୟର ଆଶ୍ରୟ ଅଟେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ

ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମସ୍କନ୍ଧେ ନରକାନୁବର୍ଣନଂ ନାମ

ଷଡ୍ୱିଂଶୋଽଧ୍ୟାୟଃ ॥ ୨୬॥

 

ଇତି ପଞ୍ଚମସ୍କନ୍ଧଃ ସମାପ୍ତଃ ॥

ହରିଃ ଓଁ ତତ୍ସତ୍ ॥

Comments

Popular posts from this blog