ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ ॥

ତୃତୀୟ ଅଧ୍ୟାୟ

ଯମ ଏବଂ ଯମଦୂତଙ୍କ ସମ୍ବାଦ

 

ରାଜୋବାଚ

ନିଶମ୍ୟ ଦେବଃ ସ୍ୱଭଟୋପବର୍ଣିତଂ

ପ୍ରତ୍ୟାହ କିଂ ତାନ୍ ପ୍ରତି ଧର୍ମରାଜଃ ।

ଏବଂ ହତାଜ୍ଞୋ ବିହତାନ୍ ମୁରାରେ-

ର୍ନୈଦେଶିକୈର୍ୟସ୍ୟ ବଶେ ଜନୋଽୟମ୍ ॥ ୧॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ସମସ୍ତ ଜୀବ ଦେବାଧିଦେବ ଧର୍ମରାଜଙ୍କର ଅଧୀନସ୍ତ ଅଟନ୍ତି ଏବଂ ଭଗବାନଙ୍କର ପାର୍ଷଦମାନେ ତାଙ୍କର ଆଜ୍ଞା ଉଲ୍ଲଂଘନ କଲେ ତଥା ତାଙ୍କର ଦୂତମାନଙ୍କୁ ଅପମାନିତ କଲେ | ଦୂତମାନେ ଯମପୁରୀକୁ ଫେରି ଯେତେବେଳେ ନିଜ ସ୍ବାମୀଙ୍କୁ ଅଜାମିଳର ବୃତ୍ତାନ୍ତ ଶୁଣାଇଲେ, ସେ ଦୂତମାନଙ୍କୁ କଣ କହିଲେ ?

ଯମସ୍ୟ ଦେବସ୍ୟ ନ ଦଣ୍ଡଭଙ୍ଗଃ

କୁତଶ୍ଚନର୍ଷେ ଶ୍ରୁତପୂର୍ୱ ଆସୀତ୍ ।

ଏତନ୍ମୁନେ ବୃଶ୍ଚତି ଲୋକସଂଶୟଂ

ନ ହି ତ୍ୱଦନ୍ୟ ଇତି ମେ ବିନିଶ୍ଚିତମ୍ ॥ ୨॥

ହେ ଋଷିବର ! କିଏ କୌଣସି କାରଣରୁ ଧର୍ମରାଜଙ୍କର ଆଜ୍ଞା ଉଲ୍ଲଂଘନ କରିବା କଥା ମୁଁ ପୂର୍ବରୁ କେବେ ଶୁଣି ନ ଥିଲି | ସେଥିପାଇଁ ଏହି ବିଷୟରେ ଲୋକଙ୍କ ମନରେ ନିଶ୍ଚୟ ସଂଶୟ ରହିବ, ଯାହାର ନିବାରଣ ଆପଣଙ୍କ ଅତିରିକ୍ତ ଅନ୍ୟ କେହି କରିପାରିବେ ନାହିଁ – ଏହା ମୋର ବିଶ୍ବାସ |

ଶ୍ରୀଶୁକ ଉବାଚ

ଭଗବତ୍ପୁରୁଷୈ ରାଜନ୍ ଯାମ୍ୟାଃ ପ୍ରତିହତୋଦ୍ୟମାଃ ।

ପତିଂ ବିଜ୍ଞାପୟାମାସୁର୍ୟମଂ ସଂୟମନୀପତିମ୍ ॥ ୩॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ପାର୍ଷଦମାନେ ଯେତେବେଳେ ଯମଦୂତମାନଙ୍କର ପ୍ରଯତ୍ନ ବିଫଳ କରିଦେଲେ, ସେତେବେଳେ ସେମାନେ ସଂଯମନୀପୁରୀର ସ୍ବାମୀ ଏବଂ ନିଜର ଶାସକ ଯମରାଜଙ୍କ ପାଖକୁ ଯାଇ ନିବେଦନ କଲେ |

ଯମଦୂତା ଊଚୁଃ

କତି ସନ୍ତୀହ ଶାସ୍ତାରୋ ଜୀବଲୋକସ୍ୟ ବୈ ପ୍ରଭୋ ।

ତ୍ରୈବିଧ୍ୟଂ କୁର୍ୱତଃ କର୍ମ ଫଲାଭିବ୍ୟକ୍ତିହେତବଃ ॥ ୪॥

ଯମଦୂତମାନେ କହିଲେ – ପ୍ରଭୁ ! ସାଂସାରିକ ଜୀବ ତିନି ପ୍ରକାରର କର୍ମ କରିଥାଆନ୍ତି – ପାପ, ପୁଣ୍ୟ ଅଥବା ଉଭୟ ମିଶ୍ରିତ କର୍ମ | ଜୀବକୁ ସେହି ସବୁ କର୍ମର ଫଳ ପ୍ରଦାନ କରୁଥିବା ଶାସକ ସଂସାରରେ କେତେଜଣ ଅଛନ୍ତି ?

ଯଦି ସ୍ୟୁର୍ବହବୋ ଲୋକେ ଶାସ୍ତାରୋ ଦଣ୍ଡଧାରିଣଃ ।

କସ୍ୟ ସ୍ୟାତାଂ ନ ବା କସ୍ୟ ମୃତ୍ୟୁଶ୍ଚାମୃତମେବ ବା ॥ ୫॥

ଯଦି ସଂସାରରେ ଦଣ୍ଡ ବିଧାନ କରିବା ପାଇଁ ବହୁତ ଜଣ ଶାସକ ରହିଥିବେ, ତେବେ କାହାକୁ ସୁଖ ମିଳିବ ଏବଂ କାହାକୁ ଦୁଃଖ ମିଳିବ, ତାହାର ସମାନ ବ୍ୟବସ୍ଥା ହୋଇ ପାରିବ ନାହିଁ |

କିନ୍ତୁ ଶାସ୍ତୃବହୁତ୍ୱେ ସ୍ୟାଦ୍ବହୂନାମିହ କର୍ମିଣାମ୍ ।

ଶାସ୍ତୃତ୍ୱମୁପଚାରୋ ହି ଯଥା ମଣ୍ଡଲବର୍ତିନାମ୍ ॥ ୬॥

ସଂସାରରେ କର୍ମ କରୁଥିବା ବ୍ୟକ୍ତି ଅନେକ ରହିଥିବା ବେଳେ ଯଦି ସେମାନଙ୍କର ଶାସକ ମଧ୍ୟ ଅନେକ ରହିଥିବେ, ତେବେ ସେହି ଶାସକମାନଙ୍କର ଶାସନ ନାମମାତ୍ରକୁ ହେବ, ଯେପରି ଜଣେ ସମ୍ରାଟଙ୍କ ଅଧୀନରେ ବହୁତ ଜଣ ନାମମାତ୍ର ସାମନ୍ତ ରହିଥାଆନ୍ତି |

ଅତସ୍ତ୍ୱମେକୋ ଭୂତାନାଂ ସେଶ୍ୱରାଣାମଧୀଶ୍ୱରଃ ।

ଶାସ୍ତା ଦଣ୍ଡଧରୋ ନୄଣାଂ ଶୁଭାଶୁଭବିବେଚନଃ ॥ ୭॥

ଆମ୍ଭେମାନେ ତ ଏପରି ଭାବିଥାଉ ଯେ ଏକମାତ୍ର ଆପଣ ହିଁ ସମସ୍ତ ପ୍ରାଣୀଙ୍କର ଏବଂ ସେମାନଙ୍କ ସ୍ବାମୀମାନଙ୍କର ଅଧୀଶ୍ବର ଅଟନ୍ତି | ଆପଣ ହିଁ ମନୁଷ୍ୟର ପାପ-ପୁଣ୍ୟର ନିର୍ଣ୍ଣାୟକ, ଦଣ୍ଡଦାତା ଏବଂ ଶାସକ ଅଟନ୍ତି |

ତସ୍ୟ ତେ ବିହତୋ ଦଣ୍ଡୋ ନ ଲୋକେ ବର୍ତତେଽଧୁନା ।

ଚତୁର୍ଭିରଦ୍ଭୁତୈଃ ସିଦ୍ଧୈରାଜ୍ଞା ତେ ବିପ୍ରଲମ୍ଭିତା ॥ ୮॥

ପ୍ରଭୁ ! ଆଜିଯାଏଁ ସଂସାରରେ କେଉଁଠି ବି ଆପଣଙ୍କ ଦ୍ବାରା ବିହିତ ଦଣ୍ଡର ଅବହେଳନା ହୋଇ ନ ଥିଲା, କିନ୍ତୁ ଏବେ ଚାରିଜଣ ଅଦ୍ଭୁତ ସିଦ୍ଧପୁରୁଷ ଆପଣଙ୍କର ଆଜ୍ଞା ଉଲ୍ଲଂଘନ କଲେ |

ନୀୟମାନଂ ତବାଦେଶାଦସ୍ମାଭିର୍ୟାତନାଗୃହାନ୍ ।

ବ୍ୟମୋଚୟନ୍ ପାତକିନଂ ଛିତ୍ତ୍ୱା ପାଶାନ୍ ପ୍ରସହ୍ୟ ତେ ॥ ୯॥

ପ୍ରଭୁ ! ଆପଣଙ୍କ ଆଜ୍ଞା ଅନୁସାରେ ଆମ୍ଭେମାନେ ଜଣେ ପାପୀକୁ ଯାତନାଗୃହକୁ ନେଇ ଯାଉଥିଲୁ, କିନ୍ତୁ ସେମାନେ ବଳପୂର୍ବକ ଆପଣଙ୍କର ପାଶକୁ କାଟି ତାକୁ ମୁକ୍ତ କରିଦେଲେ |

ତାଂସ୍ତେ ବେଦିତୁମିଚ୍ଛାମୋ ଯଦି ନୋ ମନ୍ୟସେ କ୍ଷମମ୍ ।

ନାରାୟଣେତ୍ୟଭିହିତେ ମା ଭୈରିତ୍ୟାୟଯୁର୍ଦ୍ରୁତମ୍ ॥ ୧୦॥

ଆମ୍ଭେମାନେ ଆପଣଙ୍କଠାରୁ ଏହାର ରହସ୍ୟ ଜାଣିବାକୁ ଇଚ୍ଛା କରୁଛୁ | ଆପଣ ଯଦି ଆମ୍ଭମାନଙ୍କୁ ତାହା ଶ୍ରବଣ କରିବାର ଅଧିକାରୀ ମନେ କରୁଥାଆନ୍ତି, ତେବେ କହନ୍ତୁ | ପ୍ରଭୁ ! ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ ଏପଟେ ଅଜାମିଳ ମୁହଁରୁ ‘ନାରାୟଣ ଶବ୍ଦ ବାହାରିବା ମାତ୍ରେ, ସେପଟୁ ‘ଡର ନାହିଁ ‘ଡର ନାହିଁ କହି କହି ସେମାନେ ତତକ୍ଷଣାତ୍ ସେଠାରେ ଆସି ପହଞ୍ଚି ଗଲେ |

ଶ୍ରୀଶୁକ ଉବାଚ

ଇତି ଦେବଃ ସ ଆପୃଷ୍ଟଃ ପ୍ରଜାସଂୟମନୋ ଯମଃ ।

ପ୍ରୀତଃ ସ୍ୱଦୂତାନ୍ ପ୍ରତ୍ୟାହ ସ୍ମରନ୍ ପାଦାମ୍ବୁଜଂ ହରେଃ ॥ ୧୧॥

ଶ୍ରୀଶୁକଦେବ କହୁଛନ୍ତି – ଦୂତମାନଙ୍କର ଏପରି ପ୍ରଶ୍ନ ଶୁଣି ଦେବଶିରୋମଣି ପ୍ରଜାମାନଙ୍କର ଶାସକ ଭଗବାନ ଯମରାଜ ପ୍ରସନ୍ନ ଚିତ୍ତରେ ଶ୍ରୀହରିଙ୍କ ଚରଣକମଳର ସ୍ମରଣ କରି ସେମାନଙ୍କୁ କହିଲେ |

ଯମ ଉବାଚ

ପରୋ ମଦନ୍ୟୋ ଜଗତସ୍ତସ୍ଥୁଷଶ୍ଚ

ଓତଂ ପ୍ରୋତଂ ପଟବଦ୍ୟତ୍ର ବିଶ୍ୱମ୍ ।

ଯଦଂଶତୋଽସ୍ୟ ସ୍ଥିତିଜନ୍ମନାଶା

ନସ୍ୟୋତବଦ୍ୟସ୍ୟ ବଶେ ଚ ଲୋକଃ ॥ ୧୨॥

ଯମରାଜ କହିଲେ – ଦୂତଗଣ ! ମୋ ଅତିରିକ୍ତ ଅନ୍ୟ ଜଣେ ଏହି ଚରାଚର ଜଗତର ସ୍ବାମୀ ଅଛନ୍ତି | ତାଙ୍କଠାରେ ଏହି ସମ୍ପୂର୍ଣ୍ଣ ଜଗତ ବସ୍ତ୍ରରେ ସୂତା ପରି ଓତପ୍ରୋତ ଅଟେ | ତାଙ୍କର ହିଁ ଅଂଶ ଭାବରେ ବ୍ରହ୍ମା, ବିଷ୍ଣୁ ଏବଂ ଶଂକର ଜଗତର ଉତ୍ପତ୍ତି, ସ୍ଥିତି ତଥା ପ୍ରଳୟ କରନ୍ତି | ଶାଣ ଦିଆ ବଳଦ ପରି ସମ୍ପୂର୍ଣ୍ଣ ବିଶ୍ବକୁ ସେ ନିଜର ଅଧୀନସ୍ତ କରି ରଖିଛନ୍ତି |

ଯୋ ନାମଭିର୍ୱାଚି ଜନାନ୍ନିଜାୟାଂ

ବଧ୍ନାତି ତନ୍ତ୍ର୍ୟାମିବ ଦାମଭିର୍ଗାଃ ।

ଯସ୍ମୈ ବଲିଂ ତ ଇମେ ନାମକର୍ମ-

ନିବନ୍ଧବଦ୍ଧାଶ୍ଚକିତା ବହନ୍ତି ॥ ୧୩॥

ହେ ମୋର ପ୍ରିୟ ଦୂତଗଣ ! ଚାଷୀ ଯେପରି ନିଜ ବଳଦମାନଙ୍କୁ ପ୍ରଥମେ ଛୋଟ ଛୋଟ ରସିରେ ବାନ୍ଧି ପରେ ସେହି ସବୁ ରସିକୁ ଏକ ବଡ ମୋଟା ରସିରେ ବାନ୍ଧିଦିଏ, ଠିକ୍ ସେହିପରି ଜଗଦୀଶ୍ବର ଭଗବାନ ମଧ୍ୟ ବ୍ରାହ୍ମଣାଦି ବର୍ଣ୍ଣ ଏବଂ ବ୍ରହ୍ମଚର୍ଯ୍ୟ ଆଦି ଆଶ୍ରମରୂପ ଛୋଟ-ଛୋଟ ନାମର ରସିରେ ବାନ୍ଧି, ସବୁ ରସିକୁ ବେଦବାଣୀ ରୂପ ବଡ ରସିରେ ବାନ୍ଧି ରଖିଛନ୍ତି | ଏହିରୂପେ ସମସ୍ତ ଜୀବ ନାମ ଏବଂ କର୍ମ ରୂପ ବନ୍ଧନରେ ବାନ୍ଧି ହୋଇ ଭୟରେ ତାଙ୍କୁ ହିଁ ନିଜର ସର୍ବସ୍ବ ଅର୍ପଣ କରିଥାଆନ୍ତି |

ଅହଂ ମହେନ୍ଦ୍ରୋ ନିରୃତିଃ ପ୍ରଚେତାଃ

ସୋମୋଽଗ୍ନିରୀଶଃ ପବନୋଽର୍କୋ ବିରିଞ୍ଚଃ ।

ଆଦିତ୍ୟବିଶ୍ୱେ ବସବୋଽଥ ସାଧ୍ୟା

ମରୁଦ୍ଗଣା ରୁଦ୍ରଗଣାଃ ସସିଦ୍ଧାଃ ॥ ୧୪॥

ଅନ୍ୟେ ଚ ଯେ ବିଶ୍ୱସୃଜୋଽମରେଶା

ଭୃଗ୍ୱାଦୟୋଽସ୍ପୃଷ୍ଟରଜସ୍ତମସ୍କାଃ ।

ଯସ୍ୟେହିତଂ ନ ବିଦୁଃ ସ୍ପୃଷ୍ଟମାୟାଃ

ସତ୍ତ୍ୱପ୍ରଧାନା ଅପି କିଂ ତତୋଽନ୍ୟେ ॥ ୧୫॥

ହେ ଦୂତଗଣ ! ମୁଁ, ଇନ୍ଦ୍ର, ନିଋତି, ବରୁଣ, ଚନ୍ଦ୍ରମା, ଅଗ୍ନି, ଶଂକର, ବାୟୁ, ସୂର୍ଯ୍ୟ, ବ୍ରହ୍ମା, ଦ୍ବାଦଶ ଆଦିତ୍ୟ, ବିଶ୍ବେଦେବ, ଅଷ୍ଟ ବସୁ, ସାଧ୍ୟ, ଅଣଚାଶ ମରୁତ, ସିଦ୍ଧ, ଏକାଦଶ ରୁଦ୍ର, ରଜୋଗୁଣ ଏବଂ ତମୋଗୁଣ ରହିତ ଭୃଗୁ ଆଦି ପ୍ରଜାପତି ଏବଂ ବଡ ବଡ ଦେବତା – ଏମାନେ ସମସ୍ତେ ସତ୍ତ୍ବପ୍ରଧାନ ହୋଇଥିଲେ ବି ତାଙ୍କ ମାୟାର ଅଧୀନସ୍ତ ଅଟନ୍ତି ତଥା ଭଗବାନ କେବେ, କେଉଁ ରୂପରେ,ଣ କରିବାକୁ ଚାହାଁନ୍ତି, ତାହା ସେମାନେ ଜାଣନ୍ତି ନାହିଁ | ସେଠାରେ ଅନ୍ୟ କାହା କଥା କଣ କହିବା ?

ଯଂ ବୈ ନ ଗୋଭିର୍ମନସାସୁଭିର୍ୱା

ହୃଦା ଗିରା ବାସୁଭୃତୋ ବିଚକ୍ଷତେ ।

ଆତ୍ମାନମନ୍ତର୍ହୃଦି ସନ୍ତମାତ୍ମନାଂ

ଚକ୍ଷୁର୍ୟଥୈବାକୃତୟସ୍ତତଃ ପରମ୍ ॥ ୧୬॥

ଘଟ, ପଟ ଆଦି ରୂପବାନ ପଦାର୍ଥ ଯେପରି ନିଜ ପ୍ରକାଶକ ନେତ୍ରକୁ ଦେଖିପାରନ୍ତି ନାହିଁ, ସେହିପରି ଅନ୍ତଃକରଣରେ ସାକ୍ଷୀ ରୂପରେ ସ୍ଥିତ ପରମାତ୍ମାଙ୍କୁ କୌଣସି ପ୍ରାଣୀ ଇନ୍ଦ୍ରିୟ, ମନ, ପ୍ରାଣ, ହୃଦୟ ବା ବାଣୀ ଆଦି କୌଣସି ସାଧନ ଦ୍ବାରା ଜାଣିପାରନ୍ତି ନାହିଁ |

ତସ୍ୟାତ୍ମତନ୍ତ୍ରସ୍ୟ ହରେରଧୀଶିତୁଃ

ପରସ୍ୟ ମାୟାଧିପତେର୍ମହାତ୍ମନଃ ।

ପ୍ରାୟେଣ ଦୂତା ଇହ ବୈ ମନୋହରା-

ଶ୍ଚରନ୍ତି ତଦ୍ରୂପଗୁଣସ୍ୱଭାବାଃ ॥ ୧୭॥

ସେହି ପ୍ରଭୁ ସମସ୍ତଙ୍କର ସ୍ବାମୀ ଏବଂ ସ୍ବୟଂ ପରମ ସ୍ବତନ୍ତ୍ର ଅଟନ୍ତି | ସେହି ମାୟାପତି ପୁରୁଷୋତ୍ତମଙ୍କର ଦୂତମାନେ ତାଙ୍କ ସଦୃଶ ପରମ ମନୋହର ରୂପ, ଗୁଣ ଏବଂ ସ୍ବଭାବରେ ସମ୍ପନ୍ନ ହୋଇ ଏହି ଲୋକରେ ପ୍ରାୟତଃ ବିଚରଣ କରୁଥାଆନ୍ତି |

ଭୂତାନି ବିଷ୍ଣୋଃ ସୁରପୂଜିତାନି

ଦୁର୍ଦର୍ଶଲିଙ୍ଗାନି ମହାଦ୍ଭୁତାନି ।

ରକ୍ଷନ୍ତି ତଦ୍ଭକ୍ତିମତଃ ପରେଭ୍ୟୋ

ମତ୍ତଶ୍ଚ ମର୍ତ୍ୟାନଥ ସର୍ୱତଶ୍ଚ ॥ ୧୮॥

ବିଷ୍ଣୁଭଗବାନଙ୍କର ସୁରପୂଜିତ ଏବଂ ପରମ ଅଲୌକିକ ପାର୍ଷଦମାନଙ୍କର ଦର୍ଶନ ଅତ୍ୟନ୍ତ ଦୁର୍ଲଭ ଅଟେ | ସେମାନେ ଭଗବାନଙ୍କର ଭକ୍ତଜନଙ୍କୁ ସେମାନଙ୍କର ଶତ୍ରୁ କବଳରୁ, ମୋ କବଳରୁ ଏବଂ ଅଗ୍ନି ଆଦି ସବୁ ବିପତ୍ତିରୁ ସର୍ବଦା ସୁରକ୍ଷିତ ରଖିଥାଆନ୍ତି |

ଧର୍ମଂ ତୁ ସାକ୍ଷାଦ୍ଭଗବତ୍ପ୍ରଣୀତଂ

ନ ବୈ ବିଦୁରୃଷୟୋ ନାପି ଦେବାଃ ।

ନ ସିଦ୍ଧମୁଖ୍ୟା ଅସୁରା ମନୁଷ୍ୟାଃ

କୁତଶ୍ଚ ବିଦ୍ୟାଧରଚାରଣାଦୟଃ ॥ ୧୯॥

ଧର୍ମମର୍ଯ୍ୟାଦାର ନିର୍ମାଣ ସ୍ବୟଂ ଭଗବାନ ହିଁ କରିଛନ୍ତି | ତାହାକୁ ଋଷିମାନେ ଜାଣନ୍ତି ନାହିଁ କିମ୍ବା ଦେବତା ବା ସିଦ୍ଧଗଣ ମଧ୍ୟ ଜାଣନ୍ତି ନାହିଁ | ସେପରି କ୍ଷେତ୍ରରେ ମନୁଷ୍ୟ, ବିଦ୍ୟାଧର, ଚାରଣ ଏବଂ ଅସୁର ଆଦି ତାହା କିପରି ଜାଣିପାରିବେ ?

ସ୍ୱୟମ୍ଭୂର୍ନାରଦଃ ଶମ୍ଭୁଃ କୁମାରଃ କପିଲୋ ମନୁଃ ।

ପ୍ରହ୍ଲାଦୋ ଜନକୋ ଭୀଷ୍ମୋ ବଲିର୍ୱୈୟାସକିର୍ୱୟମ୍ ॥ ୨୦॥

ଦ୍ୱାଦଶୈତେ ବିଜାନୀମୋ ଧର୍ମଂ ଭାଗବତଂ ଭଟାଃ ।

ଗୁହ୍ୟଂ ବିଶୁଦ୍ଧଂ ଦୁର୍ବୋଧଂ ଯଂ ଜ୍ଞାତ୍ୱାମୃତମଶ୍ନୁତେ ॥ ୨୧॥

ଭଗବାନଙ୍କ ଦ୍ବାରା ନିରୂପିତ ଭାଗବତଧର୍ମ ପରମ ଶୁଦ୍ଧ ଏବଂ ଅତ୍ୟନ୍ତ ଗୋପନୀୟ ଅଟେ | ତାହାକୁ ଜାଣିବା ବହୁତ କଠିନ | ଯିଏ ତାହାକୁ ଜାଣିନିଅନ୍ତି, ସେ ଭଗବତ୍ସ୍ବରୂପ ହୋଇଯାଆନ୍ତି | ହେ ଦୂତଗଣ ! ଭାଗବତଧର୍ମର ରହସ୍ୟ ଆମେ ବାର ଜଣ ହିଁ ଜାଣୁ – ବ୍ରହ୍ମାଜୀ, ଦେବର୍ଷି ନାରଦ, ଭଗବାନ ଶଂକର, ସନତକୁମାର, କପିଳଦେବ, ସ୍ବାୟମ୍ଭୂବ ମନୁ, ପ୍ରହ୍ଲାଦ, ଜନକ, ଭୀଷ୍ମ ପିତାମହ, ବଳି, ଶୁକଦେବଜୀ ଏବଂ ମୁଁ (ଧର୍ମରାଜ) |

ଏତାବାନେବ ଲୋକେଽସ୍ମିନ୍ ପୁଂସାଂ ଧର୍ମଃ ପରଃ ସ୍ମୃତଃ ।

ଭକ୍ତିୟୋଗୋ ଭଗବତି ତନ୍ନାମଗ୍ରହଣାଦିଭିଃ ॥ ୨୨॥

ଏହି ଜଗତରେ ଜୀବ ପାଇଁ ସବୁଠାରୁ ବଡ କର୍ତ୍ତବ୍ୟ, ପରମ ଧର୍ମ ଏହା ହିଁ ଅଟେ ଯେ ସେ ନାମ-କୀର୍ତ୍ତନ ଆଦି ଉପାୟରେ ଭଗବାନଙ୍କ ଚରଣରେ ଭକ୍ତିଭାବ ପ୍ରାପ୍ତ କରି ନେବ |

ନାମୋଚ୍ଚାରଣମାହାତ୍ମ୍ୟଂ ହରେଃ ପଶ୍ୟତ ପୁତ୍ରକାଃ ।

ଅଜାମିଲୋଽପି ଯେନୈବ ମୃତ୍ୟୁପାଶାଦମୁଚ୍ୟତ ॥ ୨୩॥

ପ୍ରିୟ ଦୂତଗଣ ! ଭଗବାନଙ୍କ ନାମୋଚ୍ଚାରଣର ମହିମାକୁ ଦେଖ ! ଅଜାମିଳ ପରି ପାପୀ ମଧ୍ୟ ଥରେମାତ୍ର ନାମୋଚ୍ଚାରଣ କରି ମୃତ୍ୟୁପାଶରୁ ମୁକ୍ତ ହୋଇଗଲା |

ଏତାବତାଲମଘନିର୍ହରଣାୟ ପୁଂସାଂ

ସଙ୍କୀର୍ତନଂ ଭଗବତୋ ଗୁଣକର୍ମନାମ୍ନାମ୍ ।

ବିକ୍ରୁଶ୍ୟ ପୁତ୍ରମଘବାନ୍ ଯଦଜାମିଲୋଽପି

ନାରାୟଣେତି ମ୍ରିୟମାଣ ଇୟାୟ ମୁକ୍ତିମ୍ ॥ ୨୪॥

ଏକାଗ୍ର ଚିତ୍ତରେ ଭଗବାନଙ୍କର ଗୁଣ, ଲୀଳା ଓ ନାମର କୀର୍ତ୍ତନ ମନୁଷ୍ୟର ସମସ୍ତ ପାପକୁ ପୂର୍ଣ୍ଣତଃ ନଷ୍ଟ କରିଦିଏ – ଏହା ତାର ସେପରି କିଛି ବହୁତ ବଡ ଫଳ ନୁହେଁ, କାରଣ ଘୋର ପାପୀ ଅଜାମିଳ ମରିବା ପୂର୍ବରୁ ଚଞ୍ଚଳ ଚିତ୍ତରେ ନିଜ ପୁତ୍ର ‘ନାରାୟଣର ନାମ ଉଚ୍ଚାରଣ କରିଥିଲା | ନାମର ଏହି ଆଭାସ ମାତ୍ରେ ହିଁ ତାର ସମସ୍ତ ପାପ କ୍ଷୀଣ ହୋଇଯିବା ସହିତ ତାକୁ ମୁକ୍ତି ମଧ୍ୟ ପ୍ରାପ୍ତ ହୋଇଗଲା |

ପ୍ରାୟେଣ ବେଦ ତଦିଦଂ ନ ମହାଜନୋଽୟଂ

ଦେବ୍ୟା ବିମୋହିତମତିର୍ବତ ମାୟଯାଲମ୍ ।

ତ୍ରୟ୍ୟାଂ ଜଡୀକୃତମତିର୍ମଧୁପୁଷ୍ପିତାୟାଂ

ବୈତାନିକେ ମହତି କର୍ମଣି ଯୁଜ୍ୟମାନଃ ॥ ୨୫॥

ବଡ ବଡ ବିଦ୍ବାନମାନଙ୍କର ବୁଦ୍ଧି ବେଳେ ବେଳେ ଭଗବାନଙ୍କ ମାୟାରେ ମୋହିତ ହୋଇଯାଏ | ସେମାନେ କର୍ମର ସୁମିଷ୍ଟ ଫଳ ବର୍ଣ୍ଣନା କରୁଥିବା ଅର୍ଥବାଦରୂପିଣୀ ବେଦବାଣୀରେ ମୋହିତ ହୋଇ ଯଜ୍ଞ-ଯାଗାଦି ବଡ ବଡ କର୍ମରେ ସଂଲଗ୍ନ ରହନ୍ତି | ଏହି ସୁଗମାତିସୁଗମ ଭଗବନ୍ନାମ କୀର୍ତ୍ତନର ମହିମାକୁ ସେମାନେ ଜାଣନ୍ତି ନାହିଁ; ଏହା କେତେ ଦୁଃଖର ବିଷୟ ଅଟେ !

ଏବଂ ବିମୃଶ୍ୟ ସୁଧିୟୋ ଭଗବତ୍ୟନନ୍ତେ

ସର୍ୱାତ୍ମନା ବିଦଧତେ ଖଲୁ ଭାବୟୋଗମ୍ ।

ତେ ମେ ନ ଦଣ୍ଡମର୍ହନ୍ତ୍ୟଥ ଯଦ୍ୟମୀଷାଂ

ସ୍ୟାତ୍ପାତକଂ ତଦପି ହନ୍ତ୍ୟୁରୁଗାୟବାଦଃ ॥ ୨୬॥

ପ୍ରିୟ ଦୂତଗଣ ! ବୁଦ୍ଧିମାନ ପୁରୁଷ ଏହିପରି ବିଚାର କରି ନିଜର ସମ୍ପୂର୍ଣ୍ଣ ଅନ୍ତଃକରଣରେ ଭଗବାନ ଅନନ୍ତଙ୍କଠାରେ ହିଁ ଭକ୍ତିଭାବ ସ୍ଥାପିତ କରନ୍ତି | ସେମାନେ ମୋ ଦଣ୍ଡର ପାତ୍ର ନୁହଁନ୍ତି | ପ୍ରଥମ କଥା ତ ଏହା ଯେ ସେମାନେ କୌଣସି ପାପ କରନ୍ତି ନାହିଁ; ତଥାପି ଅକସ୍ମାତ୍ ସଂଯୋଗବଶ ଯଦି ତାଙ୍କ ଦ୍ବାରା କୌଣସି ପାପ ହୋଇଯାଏ, ତେବେ ତାହା ଭଗବାନଙ୍କର ଗୁଣଗାନ ଦ୍ବାରା ତତ୍କାଳ ନଷ୍ଟ ହୋଇଯାଏ |

ତେ ଦେବସିଦ୍ଧପରିଗୀତପବିତ୍ରଗାଥାଃ

ଯେ ସାଧବଃ ସମଦୃଶୋ ଭଗବତ୍ପ୍ରପନ୍ନାଃ ।

ତାନ୍ ନୋପସୀଦତ ହରେର୍ଗଦୟାଭିଗୁପ୍ତାନ୍

ନୈଷାଂ ବୟଂ ନ ଚ ବୟଃ ପ୍ରଭବାମ ଦଣ୍ଡେ ॥ ୨୭॥

ଯେଉଁ ସମଦର୍ଶୀ ସାଧୁ ଭଗବାନଙ୍କୁ ହିଁ ନିଜର ସାଧ୍ୟ ଏବଂ ସାଧନ ଉଭୟ ମନେକରି ତାଙ୍କ ଉପରେ ନିର୍ଭର କରିଥାଆନ୍ତି, ସେମାନଙ୍କ ପବିତ୍ର ଚରିତ୍ରର ଗାନ ବଡ-ବଡ ଦେବତା ଏବଂ ସିଦ୍ଧମାନେ ପ୍ରେମର ସହିତ କରୁଥାଆନ୍ତି | ହେ ଦୂତଗଣ ! ଭଗବାନଙ୍କର ଗଦା ସଦା ସର୍ବଦା ସେମାନଙ୍କର ରକ୍ଷା କରୁଥାଏ | ଭୁଲରେ ବି ତୁମ୍ଭେମାନେ ସେମାନଙ୍କ ପାଖକୁ ଯିବ ନାହିଁ | ସେମାନଙ୍କୁ ଦଣ୍ଡିତ କରିବାର ସାମର୍ଥ୍ୟ ମୋର ନାହିଁ କି ସାକ୍ଷାତ୍ କାଳର ମଧ୍ୟ ନାହିଁ |

ତାନାନୟଧ୍ୱମସତୋ ବିମୁଖାନ୍ ମୁକୁନ୍ଦ-

ପାଦାରବିନ୍ଦମକରନ୍ଦରସାଦଜସ୍ରମ୍ ।

ନିଷ୍କିଞ୍ଚନୈଃ ପରମହଂସକୁଲୈ ରସଜ୍ଞୈଃ

ଜୁଷ୍ଟାଦ୍ଗୃହେ ନିରୟବର୍ତ୍ମନି ବଦ୍ଧତୃଷ୍ଣାନ୍ ॥ ୨୮॥

ଦିବ୍ୟ ରସର ରସିକ ବଡ-ବଡ ପରମହଂସମାନେ ସମ୍ପୂର୍ଣ୍ଣ ଜଗତ ଏବଂ ଶରୀର ଆଦିରୁ ଅହଂତା-ମମତା ହଟାଇ ଅକିଂଚନ ଭାବରେ ନିରନ୍ତର ଭଗବାନ ମୁକୁନ୍ଦଙ୍କ ପାଦାରବିନ୍ଦ-ମକରନ୍ଦ-ରସ ପାନ କରୁଥାଆନ୍ତି | ଯେଉଁ ଦୁଷ୍ଟ ସେହି ଦିବ୍ୟ ରସ ପ୍ରତି ବିମୁଖ ରହି ନର୍କର ଦ୍ବାର ସଦୃଶ ଘର-ଗୃହସ୍ଥୀ ତୃଷ୍ଣାର ବୋଝ ବୋହିବାରେ ଲାଗିଥାଆନ୍ତି, ସେମାନଙ୍କୁ ବାରମ୍ବାର ମୋ ପାଖକୁ ନେଇ ଆସ |

ଜିହ୍ୱା ନ ବକ୍ତି ଭଗବଦ୍ଗୁଣନାମଧେୟଂ

ଚେତଶ୍ଚ ନ ସ୍ମରତି ତଚ୍ଚରଣାରବିନ୍ଦମ୍ ।

କୃଷ୍ଣାୟ ନୋ ନମତି ଯଚ୍ଛିର ଏକଦାପି

ତାନାନୟଧ୍ୱମସତୋଽକୃତବିଷ୍ଣୁକୃତ୍ୟାନ୍ ॥ ୨୯॥

ଯେଉଁମାନଙ୍କର ଜିହ୍ବା ଭଗବାନଙ୍କ ନାମ-ଗୁଣର ଉଚ୍ଚାରଣ କରେନାହିଁ, ଚିତ୍ତ ତାଙ୍କ ଚରଣାରବିନ୍ଦର ଚିନ୍ତନ କରେନାହିଁ, ମସ୍ତକ ଥରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ଚରଣରେ ଅବନତ ହୁଏନାହିଁ, ସେହି ଭଗବତ୍-ସେବାବିମୁଖ ପାପୀମାନଙ୍କୁ ମୋ ପାଖକୁ ଆଣ |

ତତ୍କ୍ଷମ୍ୟତାଂ ସ ଭଗବାନ୍ ପୁରୁଷଃ ପୁରାଣୋ

ନାରାୟଣଃ ସ୍ୱପୁରୁଷୈର୍ୟଦସତ୍କୃତଂ ନଃ ।

ସ୍ୱାନାମହୋ ନ ବିଦୁଷାଂ ରଚିତାଞ୍ଜଲୀନାଂ

କ୍ଷାନ୍ତିର୍ଗରୀୟସି ନମଃ ପୁରୁଷାୟ ଭୂମ୍ନେ ॥ ୩୦॥

ଆଜି ମୋର ଦୂତମାନେ ଭଗବାନଙ୍କ ପାର୍ଷଦମାନଙ୍କର ଅପମାନ କରି ସ୍ବୟଂ ଭଗବାନଙ୍କର ହିଁ ତିରସ୍କାର କରିଛନ୍ତି | ଏହା ମୋର ହିଁ ଅପରାଧ ଅଟେ | ପୁରାଣପୁରୁଷ ଭଗବାନ ନାରାୟଣ ଆମ୍ଭମାନଙ୍କର ଏହି ଅପରାଧ କ୍ଷମା କରନ୍ତୁ | ଆମ୍ଭେମାନେ ଅଜ୍ଞାନୀ ହୋଇଥିଲେ ବି ତାଙ୍କର ନିଜଜନ ଅଟୁ ଏବଂ ତାଙ୍କର ଆଜ୍ଞା ପାଳନ ନିମନ୍ତେ ଅଞ୍ଜଳି ବାନ୍ଧି ସଦା ସର୍ବଦା ଉତ୍ସୁକ ରହିଥାଉ | ତେଣୁ ପରମ ମହିମାନ୍ବିତ ଭଗବାନଙ୍କର ଯୋଗ୍ୟ କାର୍ଯ୍ୟ ଭାବରେ ସେ ଆମକୁ କ୍ଷମା କରନ୍ତୁ | ମୁଁ ସେହି ସର୍ବାନ୍ତର୍ଯ୍ୟାମୀ ଏକରସ ଅନନ୍ତ ପ୍ରଭୁଙ୍କୁ ନମସ୍କାର କରୁଛି |

ତସ୍ମାତ୍ସଙ୍କୀର୍ତନଂ ବିଷ୍ଣୋର୍ଜଗନ୍ମଙ୍ଗଲମଂହସାମ୍ ।

ମହତାମପି କୌରବ୍ୟ ବିଦ୍ଧ୍ୟୈକାନ୍ତିକନିଷ୍କୃତିମ୍ ॥ ୩୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ସେଥିପାଇଁ ତୁମେ ଏହା ଜାଣିରଖ ଯେ ବଡରୁ ବଡ ପାପ ନିମନ୍ତେ ସର୍ବୋତ୍ତମ, ଅନ୍ତିମ ଏବଂ ପାପ-ବାସନାକୁ ଜଡରୁ ନିର୍ମୂଳ କରୁଥିବା ପ୍ରାୟଶ୍ଚିତ କେବଳ ଭଗବାନଙ୍କ ନାମ, ଗୁଣ ଏବଂ ଲୀଳାର କୀର୍ତ୍ତନ ହିଁ ଅଟେ | ଏହାଦ୍ବାରା ସଂସାରର କଲ୍ୟାଣ ହୋଇଥାଏ |

ଶୃଣ୍ୱତାଂ ଗୃଣତାଂ ବୀର୍ୟାଣ୍ୟୁଦ୍ଦାମାନି ହରେର୍ମୁହୁଃ ।

ଯଥା ସୁଜାତୟା ଭକ୍ତ୍ୟା ଶୁଦ୍ଧ୍ୟେନ୍ନାତ୍ମା ବ୍ରତାଦିଭିଃ ॥ ୩୨॥

ଯେଉଁମାନେ ବାରମ୍ବାର ଭଗବାନଙ୍କର ଉଦାର ଏବଂ କୃପାପୂର୍ଣ୍ଣ ଚରିତ୍ରର ଶ୍ରବଣ-କୀର୍ତ୍ତନ କରନ୍ତି, ସେମାନଙ୍କ ହୃଦୟରେ ପ୍ରେମମୟୀ ଭକ୍ତିର ଉଦୟ ହୋଇଯାଏ | ସେହି ଭକ୍ତି ଦ୍ବାରା ଯେପରି ଭାବରେ ଆତ୍ମଶୁଦ୍ଧି ହୋଇଥାଏ, ସେପରି ଶୁଦ୍ଧି କୃଚ୍ଛ୍ର-ଚାନ୍ଦ୍ରାୟଣ ଆଦି ବ୍ରତ ଦ୍ବାରା ମଧ୍ୟ ହୋଇ ନ ଥାଏ |

କୃଷ୍ଣାଙ୍ଘ୍ରିପଦ୍ମମଧୁଲିଣ୍ ନ ପୁନର୍ୱିସୃଷ୍ଟ-

ମାୟାଗୁଣେଷୁ ରମତେ ବୃଜିନାବହେଷୁ ।

ଅନ୍ୟସ୍ତୁ କାମହତ ଆତ୍ମରଜଃ ପ୍ରମାର୍ଷ୍ଟୁ-

ମୀହେତ କର୍ମ ଯତ ଏବ ରଜଃ ପୁନଃ ସ୍ୟାତ୍ ॥ ୩୩॥

ଯେଉଁ ମନୁଷ୍ୟ ଭଗବାନ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଚରଣାରବିନ୍ଦ-ମକରନ୍ଦ-ରସର ଲୋଭୀ ଭ୍ରମର ଅଟନ୍ତି, ସେମାନେ ସ୍ବଭାବତଃ ମାୟାର ଆପାତରମ୍ୟ, ଦୁଃଖଦ ଏବଂ ପୂର୍ବରୁ ତ୍ୟାଜ୍ୟ ବିଷୟରେ ରମଣ କରନ୍ତି ନାହିଁ | କିନ୍ତୁ ଯେଉଁମାନେ ସେହି ଦିବ୍ୟ ରସ ପ୍ରତି ବିମୁଖ ଅଟନ୍ତି, କାମନା ଯେଉଁମାନଙ୍କର ବିବେକବୁଦ୍ଧିକୁ ନଷ୍ଟ କରି ଦେଇଥାଏ, ସେମାନେ ନିଜ ପାପର ମାର୍ଜନ ହେତୁ ପୁନଃ ପ୍ରାୟଶ୍ଚିତରୂପ କର୍ମ ହିଁ କରନ୍ତି | ତାହାର ଫଳସ୍ବରୂପ ସେମାନଙ୍କର କର୍ମବାସନା ସମାପ୍ତ ହୋଇ ନ ଥାଏ ଏବଂ ସେହି ପାପ ସେମାନେ ପୁନର୍ବାର କରିବାରେ ଲାଗନ୍ତି |

ଇତ୍ଥଂ ସ୍ୱଭର୍ତୃଗଦିତଂ ଭଗବନ୍ମହିତ୍ୱଂ

ସଂସ୍ମୃତ୍ୟ ବିସ୍ମିତଧିୟୋ ଯମକିଙ୍କରାସ୍ତେ ।

ନୈବାଚ୍ୟୁତାଶ୍ରୟଜନଂ ପ୍ରତିଶଙ୍କମାନା

ଦ୍ରଷ୍ଟୁଂ ଚ ବିଭ୍ୟତି ତତଃ ପ୍ରଭୃତି ସ୍ମ ରାଜନ୍ ॥ ୩୪॥

ପରୀକ୍ଷିତ ! ଯମଦୂତମାନେ ଯେତେବେଳେ ନିଜ ସ୍ବାମୀ ଧର୍ମରାଜଙ୍କର ମୁଖରୁ ଭଗବାନଙ୍କର ମହିମା ବିଷୟରେ ଶୁଣିଲେ, ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ | ସେହି ଦିନଠାରୁ ସେମାନେ ଧର୍ମରାଜଙ୍କ କଥା ମାନି ନିଜ ନାଶ ଆଶଙ୍କାରେ ଭଗବାନଙ୍କ ଆଶ୍ରିତ ଭକ୍ତମାନଙ୍କ ପାଖକୁ ଯାଆନ୍ତି ନାହିଁ | ତାଙ୍କ ପ୍ରତି ସେମାନେ ଆଖି ଉଠାଇ ଦେଖିବାକୁ ମଧ୍ୟ ଭୟ କରନ୍ତି |

ଇତିହାସମିମଂ ଗୁହ୍ୟଂ ଭଗବାନ୍ କୁମ୍ଭସମ୍ଭବଃ ।

କଥୟାମାସ ମଲୟେ ଆସୀନୋ ହରିମର୍ଚୟନ୍ ॥ ୩୫॥

ପ୍ରିୟ ପରୀକ୍ଷିତ ! ଏହି ଇତିହାସ ପରମ ଗୋପନୀୟ ଏବଂ ଅତ୍ୟନ୍ତ ରହସ୍ୟମୟ ଅଟେ | ମଳୟପର୍ବତରେ ବିରାଜମାନ ଭଗବାନ ଅଗସ୍ତ୍ୟ ଶ୍ରୀହରିଙ୍କ ପୂଜା କରୁଥିବା ସମୟରେ ମୋତେ ଏହା ଶୁଣାଇ ଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ଯମପୁରୁଷସମ୍ବାଦେ ତୃତୀୟୋଽଧ୍ୟାୟଃ ॥ ୩॥

 

Comments

Popular posts from this blog