ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ ॥

ଚତୁର୍ଥ ଅଧ୍ୟାୟ

ଦକ୍ଷଙ୍କ ଦ୍ବାରା ଭଗବାନଙ୍କର ସ୍ତୁତି ଏବଂ ଭଗବାନଙ୍କର ପ୍ରାଦୁର୍ଭାବ

 

ରାଜୋବାଚ

ଦେବାସୁରନୃଣାଂ ସର୍ଗୋ ନାଗାନାଂ ମୃଗପକ୍ଷିଣାମ୍ ।

ସାମାସିକସ୍ତ୍ୱୟା ପ୍ରୋକ୍ତୋ ଯସ୍ତୁ ସ୍ୱାୟମ୍ଭୁବେଽନ୍ତରେ ॥ ୧॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ସ୍ବାୟମ୍ଭୂବ ମନ୍ବନ୍ତରରେ ଦେବତା, ଅସୁର, ମନୁଷ୍ୟ, ସର୍ପ ଏବଂ ପଶୁ-ପକ୍ଷୀ ଆଦିଙ୍କର ସୃଷ୍ଟି କିପରି ହେଲା, ସେହି ବିଷୟ ଆପଣ ସଂକ୍ଷେପତଃ (ତୃତୀୟ ସ୍କନ୍ଧରେ) ବର୍ଣ୍ଣନା କରିଛନ୍ତି |

ତସ୍ୟୈବ ବ୍ୟାସମିଚ୍ଛାମି ଜ୍ଞାତୁଂ ତେ ଭଗବନ୍ ଯଥା ।

ଅନୁସର୍ଗଂ ଯୟା ଶକ୍ତ୍ୟା ସସର୍ଜ ଭଗବାନ୍ ପରଃ ॥ ୨॥

ଏବେ ମୁଁ ତାହାକୁ ବିସ୍ତାର ପୂର୍ବକ ଜାଣିବାକୁ ଇଚ୍ଛା କରୁଛି | ପ୍ରକୃତି ଆଦି କାରଣମାନଙ୍କର ମଧ୍ୟ ପରମ କାରଣ ଭଗବାନ ନିଜର ଯେଉଁ ଶକ୍ତି ବଳରେ ଯେପରି ଭାବରେ ପରବର୍ତ୍ତୀ ସୃଷ୍ଟି ଆଦି କଲେ, ତାହା ଜାଣିବା ପାଇଁ ମୋର ଇଚ୍ଛା ହେଉଛି |

ସୂତ ଉବାଚ

ଇତି ସମ୍ପ୍ରଶ୍ନମାକର୍ଣ୍ୟ ରାଜର୍ଷେର୍ବାଦରାୟଣିଃ ।

ପ୍ରତିନନ୍ଦ୍ୟ ମହାୟୋଗୀ ଜଗାଦ ମୁନିସତ୍ତମାଃ ॥ ୩॥

ସୂତ ମହାଶୟ କହୁଛନ୍ତି – ହେ ଶୌନକାଦି ଋଷିଗଣ ! ରାଜର୍ଷି ପରୀକ୍ଷିତଙ୍କର ଏହି ସୁନ୍ଦର ପ୍ରଶ୍ନ ଶୁଣି ବ୍ୟାସନନ୍ଦନ ଶ୍ରୀ ଶୁକଦେବଜୀ ତାଙ୍କର ଅଭିନନ୍ଦନ କଲେ ଏବଂ ଏହିପରି କହିଲେ -

ଶ୍ରୀଶୁକ ଉବାଚ

ଯଦା ପ୍ରଚେତସଃ ପୁତ୍ରା ଦଶ ପ୍ରାଚୀନବର୍ହିଷଃ ।

ଅନ୍ତଃସମୁଦ୍ରାଦୁନ୍ମଗ୍ନା ଦଦୃଶୁର୍ଗାଂ ଦ୍ରୁମୈର୍ୱୃତାମ୍ ॥ ୪॥

ଶ୍ରୀଶୁକଦେବ କହୁଛନ୍ତି – ରାଜା ପ୍ରାଚୀନବର୍ହିଙ୍କର ଦଶ ପୁତ୍ର, ଯେଉଁମାନଙ୍କର ନାମ ପ୍ରଚେତା ଥିଲା, ଯେତେବେଳେ ସମୁଦ୍ରରୁ ବାହାରକୁ ଆସିଲେ, ସେତେବେଳେ ସେମାନେ ଦେଖିବାକୁ ପାଇଲେ ଯେ ସେମାନଙ୍କର ପିତା ନିବୃତ୍ତିପରାୟଣ ହୋଇ ଯାଇଥିବା କାରଣରୁ ସାରା ପୃଥିବୀ ବୃକ୍ଷରେ ଆଚ୍ଛାଦିତ ହୋଇଯାଇଛି |

ଦ୍ରୁମେଭ୍ୟଃ କ୍ରୁଧ୍ୟମାନାସ୍ତେ ତପୋଦୀପିତମନ୍ୟବଃ ।

ମୁଖତୋ ବାୟୁମଗ୍ନିଂ ଚ ସସୃଜୁସ୍ତଦ୍ଦିଧକ୍ଷୟା ॥ ୫॥

ସେମାନଙ୍କ ମନରେ ବୃକ୍ଷମାନଙ୍କ ପ୍ରତି କ୍ରୋଧ ଜାତ ହେଲା | ସେମାନଙ୍କର ତପୋବଳ ସେହି କ୍ରୋଧାଗ୍ନିରେ ଯେପରି ଘୃତାହୁତି ଦେଲା ଏବଂ ସେମାନେ ବୃକ୍ଷମାନଙ୍କର ଦହନ କରିବା ପାଇଁ ନିଜ ମୁଖରୁ ବାୟୁ ଏବଂ ଅଗ୍ନି ପ୍ରକଟ କଲେ |

ତାଭ୍ୟାଂ ନିର୍ଦହ୍ୟମାନାଂସ୍ତାନୁପଲଭ୍ୟ କୁରୂଦ୍ୱହ ।

ରାଜୋବାଚ ମହାନ୍ ସୋମୋ ମନ୍ୟୁଂ ପ୍ରଶମୟନ୍ନିବ ॥ ୬॥

ପରୀକ୍ଷିତ ! ପ୍ରଚେତାମାନଙ୍କ ମୁଖରୁ ନିର୍ଗତ ଅଗ୍ନି ଏବଂ ବାୟୁ ଯେତେବେଳେ ବୃକ୍ଷମାନଙ୍କୁ ଦହନ କରିବାରେ ଲାଗିଲା, ସେତେବେଳେ ବୃକ୍ଷମାନଙ୍କର ରାଜାଧିରାଜ ଚନ୍ଦ୍ରମା ସେମାନଙ୍କର କ୍ରୋଧ ଶାନ୍ତ କରିବା ଉଦ୍ଦେଶ୍ୟରେ ଏପରି କହିଲେ -

ନ ଦ୍ରୁମେଭ୍ୟୋ ମହାଭାଗା ଦୀନେଭ୍ୟୋ ଦ୍ରୋଗ୍ଧୁମର୍ହଥ ।

ବିବର୍ଧୟିଷବୋ ଯୂୟଂ ପ୍ରଜାନାଂ ପତୟଃ ସ୍ମୃତାଃ ॥ ୭॥

ମହାଭାଗ୍ୟବାନ ପ୍ରଚେତାଗଣ ! ଏହି ବୃକ୍ଷମାନେ ଅତ୍ୟନ୍ତ ଦୀନ ଅଟନ୍ତି | ଆପଣମାନେ ଏମାନଙ୍କ ପ୍ରତି ଦ୍ରୋହ କରନ୍ତୁ ନାହିଁ, କାରଣ ଆପଣମାନେ ତ ପ୍ରଜାର ଅଭିବୃଦ୍ଧି ଇଚ୍ଛା କରନ୍ତି ଏବଂ ଆପଣମାନେ ପ୍ରଜାପତି ଅଟନ୍ତି, ଏକଥା ସମସ୍ତେ ଜାଣନ୍ତି |

ଅହୋ ପ୍ରଜାପତିପତିର୍ଭଗବାନ୍ ହରିରବ୍ୟଯଃ ।

ବନସ୍ପତୀନୋଷଧୀଶ୍ଚ ସସର୍ଜୋର୍ଜମିଷଂ ବିଭୁଃ ॥ ୮॥

ହେ ମହାତ୍ମା ! ପ୍ରଜାପତିମାନଙ୍କର ଅଧିପତି ଅବିନାଶୀ ଭଗବାନ ଶ୍ରୀହରି ପ୍ରଜାମାନଙ୍କର ହିତାର୍ଥେ, ସେମାନଙ୍କର ଖାଦ୍ୟ-ପେୟ ଭାବରେ ଏହିସବୁ ବନସ୍ପତି ଏବଂ ଶସ୍ୟ ଆଦିର ସୃଷ୍ଟି କରିଛନ୍ତି |

ଅନ୍ନଂ ଚରାଣାମଚରା ହ୍ୟପଦଃ ପାଦଚାରିଣାମ୍ ।

ଅହସ୍ତା ହସ୍ତୟୁକ୍ତାନାଂ ଦ୍ୱିପଦାଂ ଚ ଚତୁଷ୍ପଦଃ ॥ ୯॥

ସଂସାରରେ ପକ୍ଷ ଦ୍ବାରା ଉଡି ବୁଲୁଥିବା ଚର ପ୍ରାଣୀଙ୍କର ଆହାର ଫଳ-ପୁଷ୍ପ ଆଦି ଅଚର ପଦାର୍ଥ ଅଟେ | ପଦଚାରୀମାନଙ୍କର ଭୋଜନ ପାଦହୀନ ଘାସ-ତୃଣ ଆଦି ଅଟେ; ହସ୍ତହୀନ ବୃକ୍ଷ-ଲତା ଆଦି ହାତ ଥିବା ପ୍ରାଣୀଙ୍କର ଏବଂ ଧାନ, ଗହମ ଆଦି ଅନ୍ନ ଦ୍ବିପଦଧାରୀ ମନୁଷ୍ୟର ଭୋଜନ ଅଟେ | ଚତୁଷ୍ପଦ ବଳଦ, ଓଟ ଆଦି ପ୍ରାଣୀ ଚାଷ ଆଦି ଦ୍ବାରା ଅନ୍ନ ଉତ୍ପତ୍ତିରେ ସହାୟକ ହୋଇଥାଆନ୍ତି |

ଯୂୟଂ ଚ ପିତ୍ରାନ୍ୱାଦିଷ୍ଟା ଦେବଦେବେନ ଚାନଘାଃ ।

ପ୍ରଜାସର୍ଗାୟ ହି କଥଂ ବୃକ୍ଷାନ୍ ନିର୍ଦଗ୍ଧୁମର୍ହଥ ॥ ୧୦॥

ନିଷ୍ପାପ ପ୍ରଚେତାଗଣ ! ଆପଣମାନଙ୍କର ପିତା ତଥା ଦେବାଧିଦେବ ଭଗବାନ ଆପଣମାନଙ୍କୁ ପ୍ରଜା ସୃଷ୍ଟି କରିବାର ଆଦେଶ ପ୍ରଦାନ କରିଥିଲେ | ସେପରି କ୍ଷେତ୍ରରେ, ବୃକ୍ଷମାନଙ୍କର ଦହନ କରିବା ଆପଣମାନଙ୍କ ପାଇଁ ଉଚିତ୍ କର୍ମ ହେବ କି ?

ଆତିଷ୍ଠତ ସତାଂ ମାର୍ଗଂ କୋପଂ ଯଚ୍ଛତ ଦୀପିତମ୍ ।

ପିତ୍ରା ପିତାମହେନାପି ଜୁଷ୍ଟଂ ବଃ ପ୍ରପିତାମହୈଃ ॥ ୧୧॥

ଆପଣମାନେ କ୍ରୋଧ ଶାନ୍ତ କରନ୍ତୁ ଏବଂ ନିଜ ପିତା, ପିତାମହ, ପ୍ରପିତାମହ ଆଦିଙ୍କ ଦ୍ବାରା ସେବିତ ସତ୍-ପୁରୁଷଙ୍କ ମାର୍ଗର ଅନୁସରଣ କରନ୍ତୁ |

ତୋକାନାଂ ପିତରୌ ବନ୍ଧୂ ଦୃଶଃ ପକ୍ଷ୍ମ ସ୍ତ୍ରିୟାଃ ପତିଃ ।

ପତିଃ ପ୍ରଜାନାଂ ଭିକ୍ଷୂଣାଂ ଗୃହ୍ୟଜ୍ଞାନାଂ ବୁଧଃ ସୁହୃତ୍ ॥ ୧୨॥

ମାତା-ପିତା ବାଳକର, ପଲକ ନେତ୍ରର, ପତି ପତ୍ନୀର, ଗୃହସ୍ଥ ଭିକ୍ଷୁକର ଏବଂ ଜ୍ଞାନୀ ପୁରୁଷ ଅଜ୍ଞାନୀମାନଙ୍କର ରକ୍ଷା କରିବା ଏବଂ ସେମାନଙ୍କର ହିତ ଇଚ୍ଛା କରିବା ପରି ପ୍ରଜାର ରକ୍ଷା ଏବଂ ହିତର ଉତ୍ତରଦାୟୀ ରାଜା ଅଟନ୍ତି |

ଅନ୍ତର୍ଦେହେଷୁ ଭୂତାନାମାତ୍ମାଽଽସ୍ତେ ହରିରୀଶ୍ୱରଃ ।

ସର୍ୱଂ ତଦ୍ଧିଷ୍ଣ୍ୟମୀକ୍ଷଧ୍ୱମେବଂ ବସ୍ତୋଷିତୋ ହ୍ୟସୌ ॥ ୧୩॥

ହେ ପ୍ରଚେତାଗଣ ! ସମସ୍ତ ପ୍ରାଣୀଙ୍କ ହୃଦୟରେ ସର୍ବଶକ୍ତିମାନ ଭଗବାନ ଆତ୍ମା ରୂପରେ ବିରାଜମାନ ଅଟନ୍ତି | ତେଣୁ ଆପଣମାନେ ସମସ୍ତଙ୍କୁ ଭଗବାନଙ୍କର ନିବାସସ୍ଥାନ ମନେକରନ୍ତୁ | ଏହିପରି ମନେକରି ଆପଣମାନେ ଭଗବାନଙ୍କୁ ପ୍ରସନ୍ନ କରିପାରିବେ |

ଯଃ ସମୁତ୍ପତିତଂ ଦେହ ଆକାଶାନ୍ମନ୍ୟୁମୁଲ୍ବଣମ୍ ।

ଆତ୍ମଜିଜ୍ଞାସୟା ଯଚ୍ଛେତ୍ସ ଗୁଣାନତିବର୍ତତେ ॥ ୧୪॥

ଯେଉଁ ପୁରୁଷ ହୃଦୟରେ ଉଦବେଳିତ ଭୟଙ୍କର କ୍ରୋଧକୁ ଆତ୍ମବିଚାର ଦ୍ବାରା ଶାନ୍ତ କରିନିଅନ୍ତି, ବାହାରକୁ ଆସିବାକୁ ଦିଅନ୍ତି ନାହିଁ, ସେ କାଳକ୍ରମେ ତ୍ରିଗୁଣ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିନିଅନ୍ତି |

ଅଲଂ ଦଗ୍ଧୈର୍ଦ୍ରୁମୈର୍ଦୀନୈଃ ଖିଲାନାଂ ଶିବମସ୍ତୁ ବଃ ।

ବାର୍କ୍ଷୀ ହ୍ୟେଷା ବରା କନ୍ୟା ପତ୍ନୀତ୍ୱେ ପ୍ରତିଗୃହ୍ୟତାମ୍ ॥ ୧୫॥

ପ୍ରଚେତାଗଣ ! ଏହି ଦୀନ-ହୀନ ବୃକ୍ଷମାନଙ୍କୁ ଆଉ ଜଳାନ୍ତୁ ନାହିଁ; ଅବଶିଷ୍ଟ ଯେତିକି ରହିଛି, ତାହାର ରକ୍ଷା କରନ୍ତୁ | ଏହାଦ୍ବାରା ଆପଣମାନଙ୍କର ମଧ୍ୟ କଲ୍ୟାଣ ହେବ | ଏହି ଶ୍ରେଷ୍ଠ କନ୍ୟାର ପାଳନ-ପୋଷଣ ବୃକ୍ଷମାନେ ହିଁ କରିଛନ୍ତି, ଏହାକୁ ଆପଣମାନେ ପତ୍ନୀ ରୂପରେ ସ୍ବୀକାର କରନ୍ତୁ |

ଇତ୍ୟାମନ୍ତ୍ର୍ୟ ବରାରୋହାଂ କନ୍ୟାମାପ୍ସରସୀଂ ନୃପ ।

ସୋମୋ ରାଜା ଯୟୌ ଦତ୍ତ୍ୱା ତେ ଧର୍ମେଣୋପୟେମିରେ ॥ ୧୬॥

ପରୀକ୍ଷିତ ! ବନସ୍ପତିମାନଙ୍କର ରାଜା ଚନ୍ଦ୍ରମା ଏହିପରି ଭାବରେ ପ୍ରଚେତାମାନଙ୍କୁ ବୁଝାଇ-ସୁଝାଇ ସେମାନଙ୍କୁ ପ୍ରମ୍ଲୋଚା ଅପ୍ସରାର ସୁନ୍ଦରୀ କନ୍ୟା ପ୍ରଦାନ କଲେ ଏବଂ ସେଠାରୁ ଚାଲିଗଲେ | ପ୍ରଚେତାମାନେ ଧର୍ମାନୁସାରେ ସେହି କନ୍ୟାର ପାଣିଗ୍ରହଣ କଲେ |

ତେଭ୍ୟସ୍ତସ୍ୟାଂ ସମଭବଦ୍ଦକ୍ଷଃ ପ୍ରାଚେତସଃ କିଲ ।

ଯସ୍ୟ ପ୍ରଜାବିସର୍ଗେଣ ଲୋକା ଆପୂରିତାସ୍ତ୍ରୟଃ ॥ ୧୭॥

ପ୍ରଚେତାମାନଙ୍କ ଦ୍ବାରା ସେହି କନ୍ୟାର ଗର୍ଭରୁ ଦକ୍ଷଙ୍କର ଉତ୍ପତ୍ତି ହେଲା | ପରେ ଦକ୍ଷଙ୍କ ଦ୍ବାରା ସୃଷ୍ଟ ପ୍ରଜାମାନଙ୍କ ଦ୍ବାରା ତ୍ରିଲୋକ ଭରିଗଲା |

ଯଥା ସସର୍ଜ ଭୂତାନି ଦକ୍ଷୋ ଦୁହିତୃବତ୍ସଲଃ ।

ରେତସା ମନସା ଚୈବ ତନ୍ମମାବହିତଃ ଶୃଣୁ ॥ ୧୮॥

ଦକ୍ଷଙ୍କର ନିଜ ପୁତ୍ରୀମାନଙ୍କ ପ୍ରତି ଅତ୍ୟଧିକ ସ୍ନେହ ଥିଲା | ସେ ଯେପରି ଭାବରେ ନିଜର ସଂକଳ୍ପ ଏବଂ ବୀର୍ଯ୍ୟରୁ ବିବିଧ ପ୍ରାଣୀ ସୃଷ୍ଟି କରିଥିଲେ, ତାହା ମୁଁ ତୁମକୁ କହୁଛି, ତୁମେ ସାବଧାନ ହୋଇ ଶୁଣ |

ମନସୈବାସୃଜତ୍ପୂର୍ୱଂ ପ୍ରଜାପତିରିମାଃ ପ୍ରଜାଃ ।

ଦେବାସୁରମନୁଷ୍ୟାଦୀନ୍ ନଭଃସ୍ଥଲଜଲୌକସଃ ॥ ୧୯॥

ପରୀକ୍ଷିତ ! ସର୍ବପ୍ରଥମେ ପ୍ରଜାପତି ଦକ୍ଷ ଜଳ, ସ୍ଥଳ ଏବଂ ଆକାଶରେ ରହୁଥିବା ଦେବତା, ଅସୁର ଏବଂ ମନୁଷ୍ୟ ଆଦି ପ୍ରଜା ନିଜ ସଂକଳ୍ପ ଦ୍ବାରା ସୃଷ୍ଟି କଲେ |

ତମବୃଂହିତମାଲୋକ୍ୟ ପ୍ରଜାସର୍ଗଂ ପ୍ରଜାପତିଃ ।

ବିନ୍ଧ୍ୟପାଦାନୁପବ୍ରଜ୍ୟ ସୋଽଚରଦ୍ଦୁଷ୍କରଂ ତପଃ ॥ ୨୦॥

ତଥାପି ସୃଷ୍ଟି ବୃଦ୍ଧି ହେଉ ନ ଥିବା ଦେଖି ସେ ତାପରେ ବିନ୍ଧ୍ୟାଚଳ ନିକଟବର୍ତ୍ତୀ ପର୍ବତକୁ ଯାଇ ସେଠାରେ ଘୋର ତପସ୍ୟା କଲେ |

ତତ୍ରାଘମର୍ଷଣଂ ନାମ ତୀର୍ଥଂ ପାପହରଂ ପରମ୍ ।

ଉପସ୍ପୃଶ୍ୟାନୁସବନଂ ତପସାତୋଷୟଦ୍ଧରିମ୍ ॥ ୨୧॥

ସେଠାରେ ଅଘମର୍ଷଣ ନାମରେ ଏକ ଶ୍ରେଷ୍ଠ ତୀର୍ଥ ଅଛି, ଯାହା ସମସ୍ତ ପାପକୁ ଧୌତ କରିଦିଏ | ପ୍ରଜାପତି ଦକ୍ଷ ସେହି ତୀର୍ଥରେ ତ୍ରିକାଳ ସ୍ନାନ କରି ତପସ୍ୟା ଦ୍ବାରା ଭଗବାନଙ୍କର ଆରାଧନା କଲେ |

ଅସ୍ତୌଷୀଦ୍ଧଂସଗୁହ୍ୟେନ ଭଗବନ୍ତମଧୋକ୍ଷଜମ୍ ।

ତୁଭ୍ୟଂ ତଦଭିଧାସ୍ୟାମି କସ୍ୟାତୁଷ୍ୟଦ୍ୟଥା ହରିଃ ॥ ୨୨॥

ପ୍ରଜାପତି ଦକ୍ଷ ‘ହଂସଗୁହ୍ୟ ନାମକ ସ୍ତୋତ୍ର ଦ୍ବାରା ଇନ୍ଦ୍ରିୟାତୀତ ଭଗବାନଙ୍କର ସ୍ତୁତି କରି ତାଙ୍କୁ ପ୍ରସନ୍ନ କରିଥିଲେ | ତାହା ମୁଁ ତୁମକୁ ଶୁଣାଉଛି -

ପ୍ରଜାପତିରୁବାଚ

ନମଃ ପରାୟାବିତଥାନୁଭୂତୟେ

ଗୁଣତ୍ରୟାଭାସନିମିତ୍ତବନ୍ଧବେ ।

ଅଦୃଷ୍ଟଧାମ୍ନେ ଗୁଣତତ୍ତ୍ୱବୁଦ୍ଧିଭି-

ର୍ନିବୃତ୍ତମାନାୟ ଦଧେ ସ୍ୱୟମ୍ଭୁବେ ॥ ୨୩॥

ଦକ୍ଷ ପ୍ରଜାପତି ସ୍ତୁତି କଲେ – ଭଗବନ୍ ! ଆପଣଙ୍କର ଅନୁଭୂତି, ଆପଣଙ୍କର ଚିତ୍-ଶକ୍ତି ଅମୋଘ ଅଟେ | ଆପଣ ଜୀବ ଏବଂ ପ୍ରକୃତିର ଉର୍ଦ୍ଧ୍ବରେ, ସେମାନଙ୍କର ନିୟନ୍ତା ଏବଂ ସତ୍ତାସ୍ଫୂର୍ତି ପ୍ରଦାତା ଅଟନ୍ତି | ଯେଉଁ ଜୀବ ତ୍ରିଗୁଣମୟୀ ସୃଷ୍ଟିକୁ ହିଁ ବାସ୍ତବ ସତ୍ୟ ମନେକରି ଥାଆନ୍ତି, ସେମାନେ ଆପଣଙ୍କ ସ୍ବରୂପର ସାକ୍ଷାତକାର କରିପାରନ୍ତି ନାହିଁ; କାରଣ ଆପଣ କୌଣସି ପ୍ରମାଣର ଗମ୍ୟ ନୁହଁନ୍ତି – ଆପଣଙ୍କର କୌଣସି ଅବଧି, କୌଣସି ସୀମା ନାହିଁ | ଆପଣ ସ୍ବୟଂପ୍ରକାଶ ଏବଂ ପରାତ୍ପର ଅଟନ୍ତି | ମୁଁ ଆପଣଙ୍କୁ ନମସ୍କାର କରୁଛି |

ନ ଯସ୍ୟ ସଖ୍ୟଂ ପୁରୁଷୋଽବୈତି ସଖ୍ୟୁଃ

ସଖା ବସନ୍ ସମ୍ବସତଃ ପୁରେଽସ୍ମିନ୍ ।

ଗୁଣୋ ଯଥା ଗୁଣିନୋ ବ୍ୟକ୍ତଦୃଷ୍ଟେ-

ସ୍ତସ୍ମୈ ମହେଶାୟ ନମସ୍କରୋମି ॥ ୨୪॥

ଏମିତି ତ ଜୀବ ଏବଂ ଈଶ୍ବର ପରସ୍ପରର ସଖା ଅଟନ୍ତି ତଥା ଏହି ଶରୀରରେ ହିଁ ଏକତ୍ର ନିବାସ କରନ୍ତି; କିନ୍ତୁ ଜୀବ ସର୍ବଶକ୍ତିମାନ ଆପଣଙ୍କର ସଖ୍ୟଭାବକୁ ଜାଣେନାହିଁ – ଠିକ୍ ସେହିପରି ଯେପରି ରୂପ, ରସ, ଗନ୍ଧ ଆଦି ବିଷୟ ସେମାନଙ୍କୁ ପ୍ରକାଶିତ କରୁଥିବା ନେତ୍ର, ଘ୍ରାଣ ଆଦି ଇନ୍ଦ୍ରିୟବୃତ୍ତିକୁ ଜାଣନ୍ତି ନାହିଁ | ଆପଣ ଜୀବ ଏବଂ ଜଗତର ଦ୍ରଷ୍ଟା ଅଟନ୍ତି, ଦୃଶ୍ୟ ନୁହଁନ୍ତି | ଆପଣଙ୍କ ଶ୍ରୀଚରଣରେ ମୁଁ ନମସ୍କାର କରୁଛି |

ଦେହୋଽସବୋଽକ୍ଷା ମନବୋ ଭୂତମାତ୍ରା

ନାତ୍ମାନମନ୍ୟଂ ଚ ବିଦୁଃ ପରଂ ଯତ୍ ।

ସର୍ୱଂ ପୁମାନ୍ ବେଦ ଗୁଣାଂଶ୍ଚ ତଜ୍ଜ୍ଞୋ

ନ ବେଦ ସର୍ୱଜ୍ଞମନନ୍ତମୀଡେ ॥ ୨୫॥

ଦେହ, ପ୍ରାଣ, ଇନ୍ଦ୍ରିୟ, ଅନ୍ତଃକରଣର ବୃତ୍ତି, ପଂଚ ମହାଭୂତ ଏବଂ ସେମାନଙ୍କର ତନ୍ମାତ୍ରା – ଏମାନେ ସମସ୍ତେ ଜଡ ହୋଇଥିବା କାରଣରୁ ନିଜକୁ ଏବଂ ନିଜ ଅତିରିକ୍ତ ଅନ୍ୟ କାହାକୁ ମଧ୍ୟ ଜାଣନ୍ତି ନାହିଁ | ଜୀବ ଏମାନଙ୍କୁ ଏବଂ ଏମାନଙ୍କର କାରଣ ସତ୍ତ୍ବ, ରଜ, ତମ – ଏହି ତ୍ରିଗୁଣକୁ ଜାଣିପାରେ | କିନ୍ତୁ ସେ ମଧ୍ୟ ଦୃଶ୍ୟ ଅଥବା ଜ୍ଞେୟରୂପରେ ଆପଣଙ୍କୁ ଜାଣିପାରେ ନାହିଁ; କାରଣ ଆପଣ ହିଁ ସମସ୍ତଙ୍କର ଜ୍ଞାତା ଏବଂ ଅନନ୍ତ ଅଟନ୍ତି | ସେଥିପାଇଁ ପ୍ରଭୁ ! ମୁଁ କେବଳ ଆପଣଙ୍କର ହିଁ ସ୍ତୁତି କରୁଛି |

ଯଦୋପରାମୋ ମନସୋ ନାମରୂପ-

ରୂପସ୍ୟ ଦୃଷ୍ଟସ୍ମୃତିସମ୍ପ୍ରମୋଷାତ୍ ।

ଯ ଈୟତେ କେବଲୟା ସ୍ୱସଂସ୍ଥୟା

ହଂସାୟ ତସ୍ମୈ ଶୁଚିସଦ୍ମନେ ନମଃ ॥ ୨୬॥

ସମାଧିକାଳରେ ଯେତେବେଳେ ପ୍ରମାଣ, ବିକଳ୍ପ ଏବଂ ବିପର୍ଯ୍ୟୟରୂପ ବିବିଧ ଜ୍ଞାନ ଲୋପ ହୋଇଯିବାରୁ ଏହି ନାମ-ରୂପାତ୍ମକ ଜଗତର ନିରୂପକ ମନ ଉପରତ ହୋଇଯାଏ, ସେତେବେଳେ ବିନା ମନରେ ବି କେବଳ ସଚ୍ଚିତାନନ୍ଦମୟୀ ନିଜ ସ୍ବରୂପସ୍ଥିତି ଦ୍ବାରା ଆପଣ ପ୍ରକାଶିତ ହେଉଥାଆନ୍ତି | ପ୍ରଭୁ ! ଆପଣ ଶୁଦ୍ଧ ଅଟନ୍ତି ଏବଂ ଶୁଦ୍ଧ ହୃଦୟ-ମନ୍ଦିର ହିଁ ଆପଣଙ୍କର ନିବାସସ୍ଥାନ ଅଟେ | ଆପଣଙ୍କୁ ମୋର ନମସ୍କାର |

ମନୀଷିଣୋଽନ୍ତର୍ହୃଦି ସନ୍ନିବେଶିତଂ

ସ୍ୱଶକ୍ତିଭିର୍ନବଭିଶ୍ଚ ତ୍ରିବୃଦ୍ଭିଃ ।

ବହ୍ନିଂ ଯଥା ଦାରୁଣି ପାଞ୍ଚଦଶ୍ୟଂ

ମନୀଷୟା ନିଷ୍କର୍ଷନ୍ତି ଗୂଢମ୍ ॥ ୨୭॥

ଯାଜ୍ଞିକମାନେ ଯେପରି କାଷ୍ଠରେ ଉହ୍ୟ ରହିଥିବା ଅଗ୍ନିକୁ ‘ସାମିଧେନୀ ନାମକ ପଞ୍ଚଦଶ ମନ୍ତ୍ର ଦ୍ବାରା ପ୍ରକଟ କରିଥାଆନ୍ତି, ସେହିପରି ଜ୍ଞାନୀ ପୁରୁଷ, ନିଜର ସପ୍ତବିଂଶ ଶକ୍ତି ଭିତରେ ଗୂଢ଼ଭାବରେ ଲୁକ୍କାୟିତ ରହିଥିବା ଆପଣଙ୍କୁ, ଶୁଦ୍ଧ ବୁଦ୍ଧିରେ ନିଜ ହୃଦୟରେ ହିଁ ଖୋଜି ପାଇଥାଆନ୍ତି |

ସ ବୈ ମମାଶେଷବିଶେଷମାୟା-

ନିଷେଧନିର୍ୱାଣସୁଖାନୁଭୂତିଃ ।

ସ ସର୍ୱନାମା ସ ଚ ବିଶ୍ୱରୂପଃ

ପ୍ରସୀଦତାମନିରୁକ୍ତାତ୍ମଶକ୍ତିଃ ॥ ୨୮॥

ସଂସାରରେ ଯେତେ ଯାହା ଭିନ୍ନତା ଦେଖିବାକୁ ମିଳିଥାଏ, ତାହା ସବୁ ମାୟାର ପରିଣାମ ହିଁ ଅଟେ | ମାୟାନିବୃତ୍ତି ପରେ କେବଳ ପରମ ସୁଖର ସାକ୍ଷାତକାରସ୍ବରୂପ ଆପଣ ହିଁ ଅବଶିଷ୍ଟ ରହନ୍ତି | କିନ୍ତୁ ବିଚାର କଲେ ଜାଣିହୁଏ, ମାୟା ମଧ୍ୟ ଆପଣ ହିଁ ଅଟନ୍ତି | ତେଣୁ ସମସ୍ତ ନାମ-ରୂପ ଏବଂ ସେମାନଙ୍କଠାରେ ଦେଖା ଯାଉଥିବା ଭିନ୍ନତା ଆପଣ ହିଁ ଅଟନ୍ତି | ପ୍ରଭୁ ! ଆପଣ ମୋ ଉପରେ ପ୍ରସନ୍ନ ହୁଅନ୍ତୁ ଏବଂ ମୋତେ ଆତ୍ମପ୍ରସାଦରେ ପୂର୍ଣ୍ଣ କରନ୍ତୁ |

ଯଦ୍ୟନ୍ନିରୁକ୍ତଂ ବଚସା ନିରୂପିତଂ

ଧିୟାକ୍ଷଭିର୍ୱା ମନସୋଽତ ଯସ୍ୟ ।

ମା ଭୂତ୍ସ୍ୱରୂପଂ ଗୁଣରୂପଂ ହି ତତ୍ତ-

ତ୍ସ ବୈ ଗୁଣାପାୟବିସର୍ଗଲକ୍ଷଣଃ ॥ ୨୯॥

ପ୍ରଭୁ! ଯାହା କିଛି ବାଣୀର ବିଷୟ ଅଟେ ଅଥବା ଯାହା କିଛି ମନ, ବୁଦ୍ଧି ଏବଂ ଇନ୍ଦ୍ରିୟ ଗ୍ରାହ୍ୟ ଅଟେ, ତାହା ଆପଣଙ୍କର ସ୍ବରୂପ ନୁହେଁ; କାରଣ ତାହା ଗୁଣରୂପ ଅଟେ ଏବଂ ଆପଣ ଗୁଣମାନଙ୍କର ଉତ୍ପତ୍ତି ଏବଂ ପ୍ରଳୟର ଅଧିଷ୍ଠାନ ଅଟନ୍ତି | ଆପଣଙ୍କଠାରେ କେବଳ ସେମାନଙ୍କର ପ୍ରତୀତିମାତ୍ର ହୋଇଥାଏ |

ଯସ୍ମିନ୍ ଯତୋ ଯେନ ଚ ଯସ୍ୟ ଯସ୍ମୈ

ଯଦ୍ୟୋ ଯଥା କୁରୁତେ କାର୍ୟତେ ଚ ।

ପରାବରେଷାଂ ପରମଂ ପ୍ରାକ୍ପ୍ରସିଦ୍ଧଂ

ତଦ୍ବ୍ରହ୍ମ ତଦ୍ଧେତୁରନନ୍ୟଦେକମ୍ ॥ ୩୦॥

ଭଗବନ୍ ! ଆପଣଙ୍କଠାରେ ହିଁ ଏହି ସାରା ଜଗତ ସ୍ଥିତ ଅଟେ | ଏହାର ଉଦ୍ଭବ ଆପଣଙ୍କଠାରୁ ହୋଇଛି ଏବଂ ଆପଣ, ଅନ୍ୟ କାହାର ସହାୟତା ବିନା, ଏହାର ନିର୍ମାଣ କରିଛନ୍ତି | ଏହା ଆପଣଙ୍କର ଅଟେ ଏବଂ ଆପଣଙ୍କ ନିମିତ୍ତ ହିଁ ଅଟେ | ଏହାକୁ ଆପଣ ହିଁ ସାକାର ରୂପ ପ୍ରଦାନ କରିଛନ୍ତି ଏବଂ ଆପଣ ହିଁ ଏହାର ଗଠନ କରିଛନ୍ତି | ସୃଷ୍ଟ-ସୃଷ୍ଟିର ବିଧି ମଧ୍ୟ ଆପଣ ହିଁ ଅଟନ୍ତି | ପୁନଶ୍ଚ, ଯେତେବେଳେ କାର୍ଯ୍ୟ ଓ କାରଣର ଭେଦ ନ ଥିଲା, ସେତେବେଳେ ମଧ୍ୟ ଆପଣ ସ୍ବୟଂସିଦ୍ଧ ରୂପରେ ସ୍ଥିତ ଥିଲେ | ସେଥିପାଇଁ ଆପଣ ସବୁକିଛିର କାରଣ ମଧ୍ୟ ଅଟନ୍ତି | ତାତ୍ପର୍ଯ୍ୟ ଏହା ଯେ ଆପଣ ଜୀବ-ଜଗତ ଭେଦ ଏବଂ ସ୍ବଗତଭେଦରୁ ସର୍ବତୋ ଭାବରେ ରହିତ ଏକ ଏବଂ ଅଦ୍ବିତୀୟ ଅଟନ୍ତି | ଆପଣ ସ୍ବୟଂ ବ୍ରହ୍ମ ଅଟନ୍ତି | ମୋ ପ୍ରତି ଆପଣ ପ୍ରସନ୍ନ ହୁଅନ୍ତୁ |

ଯଚ୍ଛକ୍ତୟୋ ବଦତାଂ ବାଦିନାଂ ବୈ

ବିବାଦସମ୍ବାଦଭୁବୋ ଭବନ୍ତି ।

କୁର୍ୱନ୍ତି ଚୈଷାଂ ମୁହୁରାତ୍ମମୋହଂ

ତସ୍ମୈ ନମୋଽନନ୍ତଗୁଣାୟ ଭୂମ୍ନେ ॥ ୩୧॥

ପ୍ରଭୁ ! ଆପଣଙ୍କର ହିଁ ଶକ୍ତିସମୂହ ବାଦୀ-ପ୍ରତିବାଦୀମାନଙ୍କର ବିବାଦ ଓ ସମ୍ବାଦ (ଏକମତ) ର ବିଷୟ ଅଟେ ଏବଂ ତାହା ବାରମ୍ବାର ସେମାନଙ୍କୁ ମୋହାବିଷ୍ଟ କରିଥାଏ | ଆପଣ ଅନନ୍ତ ଅପ୍ରାକୃତ କଲ୍ୟାଣ-ଗୁଣଗଣଯୁକ୍ତ ଏବଂ ସ୍ବୟଂ ଅନନ୍ତ ଅଟନ୍ତି | ମୁଁ ଆପଣଙ୍କୁ ନମସ୍କାର କରୁଛି |

ଅସ୍ତୀତି ନାସ୍ତୀତି ଚ ବସ୍ତୁନିଷ୍ଠୟୋ-

ରେକସ୍ଥୟୋର୍ଭିନ୍ନବିରୁଦ୍ଧଧର୍ମୟୋଃ ।

ଅବେକ୍ଷିତଂ କିଞ୍ଚନ ଯୋଗସାଙ୍ଖ୍ୟଯୋଃ

ସମଂ ପରଂ ହ୍ୟନୁକୂଲଂ ବୃହତ୍ତତ୍ ॥ ୩୨॥

ଭଗବନ୍ ! ଉପାସକମାନେ କହନ୍ତି, ଆମର ପ୍ରଭୁ ହସ୍ତ-ପାଦାଦି ଯୁକ୍ତ ସାକାର ବିଗ୍ରହ ଅଟନ୍ତି ଏବଂ ସାଂଖ୍ୟବାଦୀମାନେ କହନ୍ତି ଯେ ଭଗବାନ ହସ୍ତ-ପାଦାଦି ବିଗ୍ରହ ରହିତ ନିରାକାର ଅଟନ୍ତି | ଏହିପରି ଭାବରେ ଯଦିଓ ସେମାନେ ଗୋଟିଏ ହିଁ ତତ୍ତ୍ବର ଦୁଇ ପରସ୍ପରବିରୋଧୀ ଧର୍ମର ବର୍ଣ୍ଣନ କରିଥାଆନ୍ତି, ତଥାପି ସେଥିରେ ବିରୋଧ ନାହିଁ; କାରଣ ଉଭୟ ଏକ ପରମ ବସ୍ତୁର ହିଁ ବର୍ଣ୍ଣନ ଅଟେ | ଆଧାର ବିନା ହସ୍ତ-ପଦ ଆଦି ରହିବା ସମ୍ଭବ ନୁହେଁ ଏବଂ ନିଷେଧର ମଧ୍ୟ କୌଣସି ନା କୌଣସି ଅବଧି ନିଶ୍ଚିତ ଭାବରେ ଥିବ | ଆପଣ ହିଁ ସେହି ଆଧାର ଏବଂ ନିଷେଧର ଅବଧି ଅଟନ୍ତି | ସେଥିପାଇଁ ଆପଣ ସାକାର-ନିରାକାର ଉଭୟରୁ ଅବିରୁଦ୍ଧ ସମ ପରବ୍ରହ୍ମ ଅଟନ୍ତି |

ଯୋଽନୁଗ୍ରହାର୍ଥଂ ଭଜତାଂ ପାଦମୂଲ-

ମନାମରୂପୋ ଭଗବାନନନ୍ତଃ ।

ନାମାନି ରୂପାଣି ଚ ଜନ୍ମକର୍ମଭି-

ର୍ଭେଜେ ସ ମହ୍ୟଂ ପରମଃ ପ୍ରସୀଦତୁ ॥ ୩୩॥

ପ୍ରଭୁ ! ଆପଣ ଅନନ୍ତ ଅଟନ୍ତି | ଆପଣଙ୍କର କୌଣସି ପ୍ରାକୃତ ନାମ ନାହିଁ କି ପ୍ରାକୃତ ରୂପ ନାହିଁ | ତଥାପି ଯେଉଁମାନେ ଆପଣଙ୍କ ଚରଣକମଳର ଭଜନ କରନ୍ତି, ସେମାନଙ୍କ ପ୍ରତି ଅନୁଗ୍ରହ କରିବାକୁ ଯାଇ ଆପଣ ଅନେକ ରୂପରେ ପ୍ରକଟ ହୋଇ ଅନେକ ଲୀଳା କରନ୍ତି ତଥା ସେହିସବୁ ରୂପ ଏବଂ ଲୀଳା ଅନୁସାରେ ଅନେକ ନାମ ଧାରଣ କରିଥାଆନ୍ତି | ପରମାତ୍ମନ୍ ! ଆପଣ ମୋ ପ୍ରତି ମଧ୍ୟ କୃପା କରନ୍ତୁ |

ଯଃ ପ୍ରାକୃତୈର୍ଜ୍ଞାନପଥୈର୍ଜନାନାଂ

ଯଥାଶୟଂ ଦେହଗତୋ ବିଭାତି ।

ଯଥାନିଲଃ ପାର୍ଥିବମାଶ୍ରିତୋ ଗୁଣଂ

ସ ଈଶ୍ୱରୋ ମେ କୁରୁତାନ୍ମନୋରଥମ୍ ॥ ୩୪॥

ଲୋକମାନଙ୍କର ଉପାସନା ପ୍ରାୟତଃ ସାଧାରଣ ଶ୍ରେଣୀର ହୋଇଥାଏ | ତେଣୁ ଆପଣ ସମସ୍ତଙ୍କ ହୃଦୟରେ ରହି ସେମାନଙ୍କର ଭାବନା ଅନୁସାରେ ଭିନ୍ନ ଭିନ୍ନ ଦେବତାଙ୍କ ରୂପରେ ପ୍ରତୀତ ହୋଇଥାଆନ୍ତି – ଠିକ୍ ସେହିପରି, ଯେପରି କି ବାୟୁ ଗନ୍ଧର ଆଶ୍ରୟ ଗ୍ରହଣ କରି ସୁଗନ୍ଧିତ ପ୍ରତୀତ ହେଉଥିଲେ ବି ବାସ୍ତବରେ ତାହା ଗନ୍ଧହୀନ ଅଟେ | ଏହିପରି ଯେଉଁ ପ୍ରଭୁ ସମସ୍ତଙ୍କ ଭାବନାର ଅନୁସରଣ କରନ୍ତି, ସେ ମୋର ଅଭିଳାଷ ପୂର୍ଣ୍ଣ କରନ୍ତୁ |

ଶ୍ରୀଶୁକ ଉବାଚ

ଇତି ସ୍ତୁତଃ ସଂସ୍ତୁବତଃ ସ ତସ୍ମିନ୍ନଘମର୍ଷଣେ ।

ଆବିରାସୀତ୍କୁରୁଶ୍ରେଷ୍ଠ ଭଗବାନ୍ ଭକ୍ତବତ୍ସଲଃ ॥ ୩୫॥

ଶ୍ରୀଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ବିନ୍ଧ୍ୟାଚଳର ଅଘମର୍ଷଣ ତୀର୍ଥରେ ପ୍ରଜାପତି ଦକ୍ଷଙ୍କର ଏପରି ସ୍ତୁତି ଶୁଣି ଭକ୍ତବତ୍ସଳ ଭଗବାନ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ |

କୃତପାଦଃ ସୁପର୍ଣାଂସେ ପ୍ରଲମ୍ବାଷ୍ଟମହାଭୁଜଃ ।

ଚକ୍ରଶଙ୍ଖାସିଚର୍ମେଷୁ ଧନୁଃପାଶଗଦାଧରଃ ॥ ୩୬॥

ସେହି ସମୟରେ ଭଗବାନ ଗରୁଡଙ୍କ ସ୍କନ୍ଧରେ ନିଜର ଚରଣ ସ୍ଥାପନ କରିଥିଲେ | ନିଜର ବିଶାଳ ଏବଂ ହୃଷ୍ଟ-ପୁଷ୍ଟ ଅଷ୍ଟ ଭୁଜରେ ସେ ଚକ୍ର, ଶଂଖ, ତରବାରୀ, ଢାଲ, ବାଣ, ଧନୁଷ, ପାଶ ଏବଂ ଗଦା ଧାରଣ କରିଥିଲେ |

ପୀତବାସା ଘନଶ୍ୟାମଃ ପ୍ରସନ୍ନବଦନେକ୍ଷଣଃ ।

ବନମାଲାନିବୀତାଙ୍ଗୋ ଲସଚ୍ଛ୍ରୀବତ୍ସକୌସ୍ତୁଭଃ ॥ ୩୭॥

ବର୍ଷାକାଳୀନ ମେଘ ସଦୃଶ ତାଙ୍କର ଶ୍ୟାମଳ ଶରୀରରେ ପୀତାମ୍ବର ଲହରୀ ଖେଳୁଥିଲା | ମୁଖମଣ୍ଡଳ ପ୍ରଫୁଲ୍ଲିତ ଥିଲା | ନେତ୍ରରୁ କୃପା ବର୍ଷା ହେଉଥିଲା | ବନମାଳ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିଲା | ବକ୍ଷସ୍ଥଳରେ ଶ୍ରୀବତ୍ସଚିହ୍ନର ସୁନେଲୀ ରେଖା ଏବଂ ଗଳାରେ କୌସ୍ତୁଭମଣି ଝଲମଲ କରୁଥିଲା |

ମହାକିରୀଟକଟକଃ ସ୍ଫୁରନ୍ମକରକୁଣ୍ଡଲଃ ।

କାଞ୍ଚ୍ୟଙ୍ଗୁଲୀୟବଲୟନୂପୁରାଙ୍ଗଦଭୂଷିତଃ ॥ ୩୮॥

ବହୁମୂଲ୍ୟ କିରୀଟି, କଙ୍କଣ, ମକରାକୃତି କୁଣ୍ଡଳ, କିଙ୍କିଣି, ଅଙ୍ଗୁଷ୍ଠି, କଡା, ନୂପୁର ଏବଂ ବାଜୂବନ୍ଦ ନିଜ-ନିଜ ସ୍ଥାନରେ ସୁଶୋଭିତ ଥିଲେ |

ତ୍ରୈଲୋକ୍ୟମୋହନଂ ରୂପଂ ବିଭ୍ରତ୍ତ୍ରିଭୁବନେଶ୍ୱରଃ ।

ବୃତୋ ନାରଦନନ୍ଦାଦ୍ୟୈଃ ପାର୍ଷଦୈଃ ସୁରୟୂଥପୈଃ ॥ ୩୯॥

ସ୍ତୂୟମାନୋଽନୁଗାୟଦ୍ଭିଃ ସିଦ୍ଧଗନ୍ଧର୍ୱଚାରଣୈଃ ।

ରୂପଂ ତନ୍ମହଦାଶ୍ଚର୍ୟଂ ବିଚକ୍ଷ୍ୟାଗତସାଧ୍ୱସଃ ॥ ୪୦॥

ତ୍ରିଭୁବନପତି ଭଗବାନ ନିଜର ତ୍ରୈଲୋକ୍ୟବିମୋହନ ରୂପ ଧାରଣ କରିଥିଲେ | ତାଙ୍କର ଚତୁର୍ପାର୍ଶ୍ବରେ ନାରଦ, ନନ୍ଦ, ସୁନନ୍ଦ ଆଦି ପାର୍ଷଦଗଣ ଠିଆ ହୋଇଥିଲେ | ଇନ୍ଦ୍ର ଆଦି ଦେବେଶ୍ବରଗଣ ତାଙ୍କର ସ୍ତୁତି କରୁଥିଲେ ତଥା ସିଦ୍ଧ, ଗନ୍ଧର୍ବ ଏବଂ ଚାରଣ ଭଗବାନଙ୍କର ଗୁଣଗାନ କରୁଥିଲେ | ଭଗବାନଙ୍କର ଏହି ଅତ୍ୟନ୍ତ ଆଶ୍ଚର୍ଯ୍ୟମୟ ଏବଂ ଅଲୌକିକ ରୂପ ଦର୍ଶନ କରି ଦକ୍ଷପ୍ରଜାପତି ନିଜକୁ ଦୀନ ଅନୁଭବ କଲେ |

ନନାମ ଦଣ୍ଡବଦ୍ଭୂମୌ ପ୍ରହୃଷ୍ଟାତ୍ମା ପ୍ରଜାପତିଃ ।

ନ କିଞ୍ଚନୋଦୀରୟିତୁମଶକତ୍ତୀବ୍ରୟା ମୁଦା ।

ଆପୂରିତମନୋଦ୍ୱାରୈର୍ହ୍ରଦିନ୍ୟ ଇବ ନିର୍ଝରୈଃ ॥ ୪୧॥

ଆନନ୍ଦ ବିଭୋର ହୋଇ ପ୍ରଜାପତି ଦକ୍ଷ ଭଗବାନଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରଣାମ କଲେ | ଝରଣା ଜଳରେ ନଦୀ ପୂର୍ଣ୍ଣ ହୋଇଯିବା ପରି ପରମାନନ୍ଦର ଉଦ୍ରେକରେ ତାଙ୍କର ସମସ୍ତ ଇନ୍ଦ୍ରିୟ ପରିପୂର୍ଣ୍ଣ ହୋଇଗଲା ଏବଂ ଆନନ୍ଦରେ ମୁହ୍ୟମାନ ହୋଇଯିବା କାରଣରୁ ସେ କିଛି ମଧ୍ୟ କହିପାରିଲେ ନାହିଁ |

ତଂ ତଥାବନତଂ ଭକ୍ତଂ ପ୍ରଜାକାମଂ ପ୍ରଜାପତିମ୍ ।

ଚିତ୍ତଜ୍ଞଃ ସର୍ୱଭୂତାନାମିଦମାହ ଜନାର୍ଦନଃ ॥ ୪୨॥

ପରୀକ୍ଷିତ ! ଅତ୍ୟନ୍ତ ନମ୍ରଭାବରେ ଅବନତ ହୋଇ ଦକ୍ଷ ପ୍ରଜାପତି ଭଗବାନଙ୍କ ସମ୍ମୁଖରେ ଠିଆ ହୋଇ ରହିଲେ | ଭଗବାନ ସମସ୍ତଙ୍କ ହୃଦୟର କଥା ଜାଣନ୍ତି, ଦକ୍ଷ ପ୍ରଜାପତିଙ୍କର ଭକ୍ତି ତଥା ପ୍ରଜାବୃଦ୍ଧି କରିବାର ତାଙ୍କର କାମନାକୁ ଜାଣି ସେ ତାଙ୍କୁ ଏହା କହିଲେ -

ଶ୍ରୀଭଗବାନୁବାଚ

ପ୍ରାଚେତସ ମହାଭାଗ ସଂସିଦ୍ଧସ୍ତପସା ଭବାନ୍ ।

ଯଚ୍ଛ୍ରଦ୍ଧୟା ମତ୍ପରୟା ମୟି ଭାବଂ ପରଂ ଗତଃ ॥ ୪୩॥

ଶ୍ରୀଭଗବାନ କହିଲେ – ପରମ ଭାଗ୍ୟବାନ ଦକ୍ଷ ! ଏବେ ତୁମର ତପସ୍ୟା ସିଦ୍ଧ ହୋଇଛି, କାରଣ ମୋ ପ୍ରତି ଶ୍ରଦ୍ଧା ରଖିଥିବା କାରଣରୁ ତୁମ ହୃଦୟରେ ମୋ ପ୍ରତି ପରମ ପ୍ରେମଭାବ ଉଦୟ ହୋଇଛି |

ପ୍ରୀତୋଽହଂ ତେ ପ୍ରଜାନାଥ ଯତ୍ତେଽସ୍ୟୋଦ୍ବୃଂହଣଂ ତପଃ ।

ମମୈଷ କାମୋ ଭୂତାନାଂ ଯଦ୍ଭୂୟାସୁର୍ୱିଭୂତୟଃ ॥ ୪୪॥

ହେ ପ୍ରଜାପତି ! ତୁମେ ଏହି ବିଶ୍ବର ବୃଦ୍ଧି ନିମନ୍ତେ ତପସ୍ୟା କରୁଥିଲ, ସେଥିପାଇଁ ମୁଁ ତୁମ ଉପରେ ପ୍ରସନ୍ନ ହୋଇଛି | କାରଣ ଜଗତର ସମସ୍ତ ପ୍ରାଣୀ ଅଭିବୃଦ୍ଧ ଏବଂ ସମୃଦ୍ଧ ହୁଅନ୍ତୁ, ଏହା ମୋର ଇଚ୍ଛା ଅଟେ |

ବ୍ରହ୍ମା ଭବୋ ଭବନ୍ତଶ୍ଚ ମନବୋ ବିବୁଧେଶ୍ୱରାଃ ।

ବିଭୂତୟୋ ମମ ହ୍ୟେତା ଭୂତାନାଂ ଭୂତିହେତବଃ ॥ ୪୫॥

ବ୍ରହ୍ମା, ଶଂକର, ତୁମ ପରି ପ୍ରଜାପତିମାନେ, ସ୍ବାୟମ୍ଭୂବ ଆଦି ମନୁ ତଥା ଇନ୍ଦ୍ର ଆଦି ଦେବେଶ୍ବର – ଏମାନେ ସମସ୍ତେ ମୋର ବିଭୂତି ଅଟନ୍ତି ଏବଂ ସମସ୍ତେ ପ୍ରାଣୀମାନଙ୍କର ଅଭିବୃଦ୍ଧି କରିଥାଆନ୍ତି |

ତପୋ ମେ ହୃଦୟଂ ବ୍ରହ୍ମଂସ୍ତନୁର୍ୱିଦ୍ୟା କ୍ରିୟାଽଽକୃତିଃ ।

ଅଙ୍ଗାନି କ୍ରତବୋ ଜାତା ଧର୍ମ ଆତ୍ମାସବଃ ସୁରାଃ ॥ ୪୬॥

ବ୍ରହ୍ମନ୍ ! ତପସ୍ୟା ମୋର ହୃଦୟ ଅଟେ, ବିଦ୍ୟା ଶରୀର, କର୍ମ ଆକୃତି, ଯଜ୍ଞ ଅଙ୍ଗ, ଧର୍ମ ମନ ଏବଂ ଦେବତା ମୋର ପ୍ରାଣ ଅଟନ୍ତି |

ଅହମେବାସମେବାଗ୍ରେ ନାନ୍ୟତ୍କିଞ୍ଚାନ୍ତରଂ ବହିଃ ।

ସଞ୍ଜ୍ଞାନମାତ୍ରମବ୍ୟକ୍ତଂ ପ୍ରସୁପ୍ତମିବ ବିଶ୍ୱତଃ ॥ ୪୭॥

ଯେତେବେଳେ ଏହି ସୃଷ୍ଟି ନ ଥିଲା, ସେତେବେଳେ କେବଳ ମୁଁ ହିଁ ଥିଲି, ତାହା ପୁଣି ନିଷ୍କ୍ରିୟରୂପରେ ଥିଲି | ବାହାରେ-ଭିତରେ କେଉଁଠାରେ ବି ଅନ୍ୟ କିଛି ନ ଥିଲା | କେହି ଦ୍ରଷ୍ଟା ନ ଥିଲେ କି କିଛି ଦୃଶ୍ୟ ନ ଥିଲା | ମୁଁ କେବଳ ଜ୍ଞାନସ୍ବରୂପ ଏବଂ ଅବ୍ୟକ୍ତ ଥିଲି | ଏହାକୁ ଏପରି ଜାଣ ଯେ ସର୍ବତ୍ର କେବଳ ସୁଷୁପ୍ତି ହିଁ ସୁଷୁପ୍ତି ବ୍ୟାପ୍ତ ରହିଥିଲା |

ମୟ୍ୟନନ୍ତଗୁଣେଽନନ୍ତେ ଗୁଣତୋ ଗୁଣବିଗ୍ରହଃ ।

ଯଦାସୀତ୍ତତ ଏବାଦ୍ୟଃ ସ୍ୱୟମ୍ଭୂଃ ସମଭୂଦଜଃ ॥ ୪୮॥

ପ୍ରିୟ ଦକ୍ଷ ! ମୁଁ ଅନନ୍ତ ଗୁଣର ଆଧାର ସ୍ବୟଂ ଅନନ୍ତ ଅଟେ | ଯେତେବେଳେ ଗୁଣମୟୀ ମାୟାରେ କ୍ଷୋଭ ଉତ୍ପନ୍ନ ହୋଇ ଏହି ବ୍ରହ୍ମାଣ୍ଡ-ଶରୀର ପ୍ରକଟ ହେଲା, ସେତେବେଳେ ଏଥିରେ ଅଯୋନିଜ ଆଦିପୁରୁଷ ବ୍ରହ୍ମା ଉତ୍ପନ୍ନ ହେଲେ |

ସ ବୈ ଯଦା ମହାଦେବୋ ମମ ବୀର୍ୟୋପବୃଂହିତଃ ।

ମେନେ ଖିଲମିବାତ୍ମାନମୁଦ୍ୟତଃ ସର୍ଗକର୍ମଣି ॥ ୪୯॥

ମୁଁ ଯେତେବେଳେ ତାଙ୍କଠାରେ ଶକ୍ତି ଏବଂ ଚେତନାର ସଞ୍ଚାର କଲି, ସେତେବେଳେ ଦେବଶିରୋମଣି ବ୍ରହ୍ମା ସୃଷ୍ଟି କରିବା ପାଇଁ ଉଦ୍ୟତ ହେଲେ | କିନ୍ତୁ ନିଜକୁ ସେ ସୃଷ୍ଟିକାର୍ଯ୍ୟ ନିମନ୍ତେ ଅସମର୍ଥ ମନେକଲେ |

ଅଥ ମେଽଭିହିତୋ ଦେବସ୍ତପୋଽତପ୍ୟତ ଦାରୁଣମ୍ ।

ନବ ବିଶ୍ୱସୃଜୋ ଯୁଷ୍ମାନ୍ ଯେନାଦାବସୃଜଦ୍ୱିଭୁଃ ॥ ୫୦॥

ସେହି ସମୟରେ ମୁଁ ତାଙ୍କୁ ତପସ୍ୟା କରିବା ନିମନ୍ତେ ଆଜ୍ଞା ଦେଲି | ତାପରେ ସେ ଘୋର ତପସ୍ୟା କଲେ ଏବଂ ସେହି ତପସ୍ୟା ପ୍ରଭାବରେ ସର୍ବପ୍ରଥମେ ତୁମ ପରେ ନଅ ଜଣ ପ୍ରଜାପତିଙ୍କର ସୃଷ୍ଟି କଲେ |

ଏଷା ପଞ୍ଚଜନସ୍ୟାଙ୍ଗ ଦୁହିତା ବୈ ପ୍ରଜାପତେଃ ।

ଅସିକ୍ନୀ ନାମ ପତ୍ନୀତ୍ୱେ ପ୍ରଜେଶ ପ୍ରତିଗୃହ୍ୟତାମ୍ ॥ ୫୧॥

ପ୍ରିୟ ଦକ୍ଷ ! ଦେଖ, ଇଏ ପଞ୍ଚଜନ ପ୍ରଜାପତିଙ୍କର କନ୍ୟା ଅସିକ୍ରୀ ଅଟନ୍ତି | ତୁମେ ଏହାଙ୍କୁ ପତ୍ନୀ ରୂପରେ ଗ୍ରହଣ କର |

ମିଥୁନବ୍ୟବାୟଧର୍ମସ୍ତ୍ୱଂ ପ୍ରଜାସର୍ଗମିମଂ ପୁନଃ ।

ମିଥୁନବ୍ୟବାୟଧର୍ମିଣ୍ୟାଂ ଭୂରିଶୋ ଭାବୟିଷ୍ୟସି ॥ ୫୨॥

ଏହାପରେ ତୁମେ ଗୃହସ୍ଥୋଚିତ ସ୍ତ୍ରୀସହବାସରୂପ ଧର୍ମ ସ୍ବୀକାର କର | ଏହି ଅସିକ୍ରୀ ମଧ୍ୟ ସେହି ଧର୍ମ ସ୍ବୀକାର କରିବେ | ତଦ୍ବାରା ତୁମେ ଏହାଙ୍କଠାରୁ ବହୁତ ସଂଖ୍ୟାରେ ପ୍ରଜା ଉତ୍ପନ୍ନ କରିପାରିବ |

ତ୍ୱତ୍ତୋଽଧସ୍ତାତ୍ପ୍ରଜାଃ ସର୍ୱା ମିଥୁନୀଭୂୟ ମାୟଯା ।

ମଦୀୟଯା ଭବିଷ୍ୟନ୍ତି ହରିଷ୍ୟନ୍ତି ଚ ମେ ବଲିମ୍ ॥ ୫୩॥

ହେ ପ୍ରଜାପତି ! ଏପର୍ଯ୍ୟନ୍ତ ତ ମାନସୀ ସୃଷ୍ଟି ହେଉଥିଲା | ଏବେ ତୁମଠାରୁ ସମସ୍ତ ପ୍ରଜା ମୋ ମାୟାରେ ସ୍ତ୍ରୀ-ପୁରୁଷ ସଂଯୋଗରୁ ହିଁ ଉତ୍ପନ୍ନ ହେବେ ତଥା ମୋ ସେବାରେ ତତ୍ପର ରହିବେ |

ଶ୍ରୀଶୁକ ଉବାଚ

ଇତ୍ୟୁକ୍ତ୍ୱା ମିଷତସ୍ତସ୍ୟ ଭଗବାନ୍ ବିଶ୍ୱଭାବନଃ ।

ସ୍ୱପ୍ନୋପଲବ୍ଧାର୍ଥ ଇବ ତତ୍ରୈବାନ୍ତର୍ଦଧେ ହରିଃ ॥ ୫୪॥

ଶ୍ରୀଶୁକଦେବ କହୁଛନ୍ତି – ବିଶ୍ବର ଜୀବନଦାତା ଭଗବାନ ଶ୍ରୀହରି ଏହା କହି ଦକ୍ଷଙ୍କ ସମ୍ମୁଖରୁ ଏପରି ଭାବରେ ଅନ୍ତର୍ଧ୍ୟାନ ହୋଇଗଲେ, ଯେପରି କି ସ୍ବପ୍ନ ଭଙ୍ଗ ହେବା ମାତ୍ରେ ସ୍ବପ୍ନରେ ଦେଖୁଥିବା ବସ୍ତୁ ଲୁପ୍ତ ହୋଇଯାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ॥ ୪॥

 

Comments

Popular posts from this blog