ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ପଞ୍ଚମ ଅଧ୍ୟାୟ
ଦେବର୍ଷି ନାରଦଙ୍କର ଉପଦେଶରୁ ଦକ୍ଷ-ପୁତ୍ରଙ୍କର ବିରକ୍ତି ତଥା ନାରଦଙ୍କୁ ଦକ୍ଷଙ୍କର ଶାପ
ଶ୍ରୀଶୁକ ଉବାଚ
ତସ୍ୟାଂ ସ ପାଞ୍ଚଜନ୍ୟାଂ ବୈ ବିଷ୍ଣୁମାୟୋପବୃଂହିତଃ ।
ହର୍ୟଶ୍ୱସଞ୍ଜ୍ଞାନୟୁତଂ ପୁତ୍ରାନଜନୟଦ୍ୱିଭୁଃ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ଶକ୍ତିସଞ୍ଚାରରୁ
ଦକ୍ଷ ପ୍ରଜାପତି ପରମ ସମର୍ଥ ହୋଇ ଯାଇଥିଲେ | ପଞ୍ଚଜନଙ୍କର କନ୍ୟା ଅସିକ୍ରୀଙ୍କଠାରୁ ସେ
ହର୍ୟଶ୍ବ ନାମରେ ଦଶ ହଜାର ପୁତ୍ର ଉତ୍ପନ୍ନ କଲେ |
ଅପୃଥଗ୍ଧର୍ମଶୀଲାସ୍ତେ ସର୍ୱେ ଦାକ୍ଷାୟଣା ନୃପ ।
ପିତ୍ରା ପ୍ରୋକ୍ତାଃ ପ୍ରଜାସର୍ଗେ ପ୍ରତୀଚୀଂ ପ୍ରୟଯୁର୍ଦିଶମ୍ ॥ ୨॥
ରାଜନ୍ ! ଦକ୍ଷଙ୍କର ଏହି ସବୁ ପୁତ୍ର ଆଚରଣ ଏବଂ ସ୍ବଭାବ ଦୃଷ୍ଟିରୁ
ଏକାପରି ଥିଲେ | ସେମାନଙ୍କର ପିତା ଦକ୍ଷ ଯେତେବେଳେ ସେମାନଙ୍କୁ ସନ୍ତାନ ଉତ୍ପନ୍ନ କରିବାର
ଆଜ୍ଞା ଦେଲେ, ସେମାନେ ତପସ୍ୟା କରିବା ଉଦ୍ଦେଶ୍ୟରେ ପଶ୍ଚିମ ଦିଗ
ଅଭିମୁଖରେ ଗଲେ |
ତତ୍ର ନାରାୟଣସରସ୍ତୀର୍ଥଂ ସିନ୍ଧୁସମୁଦ୍ରୟୋଃ ।
ସଙ୍ଗମୋ ଯତ୍ର ସୁମହନ୍ମୁନିସିଦ୍ଧନିଷେବିତମ୍ ॥ ୩॥
ପଶ୍ଚିମ ଦିଗରେ ସିନ୍ଧୁନଦୀ ଓ ସମୁଦ୍ରର ସଙ୍ଗମସ୍ଥଳରେ ନାରାୟଣ-ସର
ନାମକ ଏକ ମହାନ୍ ତୀର୍ଥ ଅଛି | ବଡ-ବଡ ମୁନି ଏବଂ ସିଦ୍ଧ ପୁରୁଷ ସେଠାରେ ନିବାସ କରନ୍ତି |
ତଦୁପସ୍ପର୍ଶନାଦେବ ବିନିର୍ଧୂତମଲାଶୟାଃ ।
ଧର୍ମେ ପାରମହଂସ୍ୟେ ଚ ପ୍ରୋତ୍ପନ୍ନମତୟୋଽପ୍ୟୁତ ॥ ୪॥
ତେପିରେ ତପ ଏବୋଗ୍ରଂ ପିତ୍ରାଦେଶେନ ଯନ୍ତ୍ରିତାଃ ।
ପ୍ରଜାବିବୃଦ୍ଧୟେ ଯତ୍ତାନ୍ ଦେବର୍ଷିସ୍ତାନ୍ ଦଦର୍ଶ ହ ॥ ୫॥
ଉବାଚ ଚାଥ ହର୍ୟଶ୍ୱାଃ କଥଂ ସ୍ରକ୍ଷ୍ୟଥ ବୈ ପ୍ରଜାଃ ।
ଅଦୃଷ୍ଟ୍ୱାନ୍ତଂ ଭୁବୋ ଯୂୟଂ ବାଲିଶା ବତ ପାଲକାଃ ॥ ୬॥
ନାରାୟଣ-ସରରେ ସ୍ନାନ କରିବା କ୍ଷଣି ହର୍ୟଶ୍ବମାନଙ୍କର ଅନ୍ତଃକରଣ
ଶୁଦ୍ଧ ହୋଇଗଲା ଏବଂ ସେମାନଙ୍କର ବୁଦ୍ଧି ଭାଗବତଧର୍ମ ପ୍ରତି ଉନ୍ମୁଖ ହୋଇଗଲା | ତଥାପି ନିଜ
ପିତା ଦକ୍ଷଙ୍କର ଆଜ୍ଞାରେ ପ୍ରତିବଦ୍ଧ ହୋଇଥିବା କାରଣରୁ ସେମାନେ ଉଗ୍ର ତପସ୍ୟା କରିବାରେ
ଲାଗିଲେ | ଦେବର୍ଷି ନାରଦ ଯେତେବେଳେ ଦେଖିଲେ ଯେ ଭାଗବତଧର୍ମରେ ରୁଚି ରହିଥିବା ସତ୍ତ୍ବେ ଏମାନେ
ପ୍ରଜାବୃଦ୍ଧି ନିମନ୍ତେ ତତ୍ପର ରହିଛନ୍ତି, ସେତେବେଳେ ସେ
ସେମାନଙ୍କ ପାଖକୁ ଯାଇ କହିଲେ – ହେ ହର୍ୟଶ୍ବଗଣ ! ତୁମ୍ଭେମାନେ ପ୍ରଜାପତି ହୋଇଥିଲେ କ’ଣ ହେବ, ବାସ୍ତବରେ ତ ତୁମ୍ଭେମାନେ
ମୂର୍ଖ ହିଁ ଅଟ | କୁହ ତ, ତୁମ୍ଭେମାନେ
ଯେତେବେଳେ ପୃଥିବୀର ଅନ୍ତ ହିଁ ଦେଖିନାହଁ, ତୁମେ ସୃଷ୍ଟି କରିବ କିପରି ? ଏହା ଅତ୍ୟନ୍ତ
ଚିନ୍ତାର ବିଷୟ ଅଟେ |
ତଥୈକପୁରୁଷଂ ରାଷ୍ଟ୍ରଂ ବିଲଂ ଚାଦୃଷ୍ଟନିର୍ଗମମ୍ ।
ବହୁରୂପାଂ ସ୍ତ୍ରିୟଂ ଚାପି ପୁମାଂସଂ ପୁଂଶ୍ଚଲୀପତିମ୍ ॥ ୭॥
ନଦୀମୁଭୟତୋ ବାହାଂ ପଞ୍ଚପଞ୍ଚାଦ୍ଭୁତଂ ଗୃହମ୍ ।
କ୍ୱଚିଦ୍ଧଂସଂ ଚିତ୍ରକଥଂ କ୍ଷୌରପବ୍ୟଂ ସ୍ୱୟମ୍ଭ୍ରମିମ୍ ॥ ୮॥
କଥଂ ସ୍ୱପିତୁରାଦେଶମବିଦ୍ୱାଂସୋ ବିପଶ୍ଚିତଃ ।
ଅନୁରୂପମବିଜ୍ଞାୟ ଅହୋ ସର୍ଗଂ କରିଷ୍ୟଥ ॥ ୯॥
ଦେଖ, ଏପରି ଏକ ଦେଶ ଅଛି, ଯେଉଁଠି ଜଣେ ହିଁ ପୁରୁଷ ଅଛନ୍ତି | ଏପରି ଏକ ଗର୍ତ୍ତ ଅଛି, ଯାହା ମଧ୍ୟରୁ ବାହାରକୁ ବାହାରିବାର ରାସ୍ତା ନାହିଁ | ଏପରି ଏକ
ସ୍ତ୍ରୀ ଅଛି, ଯିଏ ବହୁରୂପିଣୀ ଅଟେ ଏବଂ ଏପରି ଜଣେ ପୁରୁଷ ଅଛନ୍ତି, ଯିଏ ବ୍ୟଭିଚାରିଣୀମାନଙ୍କର ପତି ଅଟନ୍ତି | ଏକ ନଦୀ ଅଛି, ଯାହା ଆଗ-ପଛ ଉଭୟ ଦିଗରେ ପ୍ରବାହିତ ହେଉଛି | ଏପରି ଏକ ବିଚିତ୍ର ଘର
ଅଛି, ଯାହା ପଚିଶ ପଦାର୍ଥରେ ନିର୍ମିତ | ଏପରି ଏକ ହଂସ ଅଛି, ଯାହାର କାହାଣୀ ଅତି ବିଚିତ୍ର | ଏପରି ଏକ ଚକ୍ର ଅଛି, ଯାହା ଛୁରି ଏବଂ ବଜ୍ରରେ ନିର୍ମିତ ଏବଂ ଯିଏ ଆପେ-ଆପେ ଘୂରିବାରେ
ଲାଗିଥାଏ | ମୂର୍ଖ ହର୍ୟଶ୍ବଗଣ ! ତୁମ୍ଭେମାନେ ଯେପର୍ଯ୍ୟନ୍ତ ନିଜ ସର୍ବଜ୍ଞ ପିତାଙ୍କର ଉଚିତ୍ ଆଦେଶକୁ
ବୁଝିପାରି ନାହଁ ଏବଂ ଉପରୋକ୍ତ ସମସ୍ତ ବସ୍ତୁକୁ ଦେଖିନାହଁ, ତୁମେ ତାଙ୍କର
ଆଜ୍ଞା ଅନୁସାରେ ସୃଷ୍ଟି କିପରି କରିବ ?
ଶ୍ରୀଶୁକ ଉବାଚ
ତନ୍ନିଶମ୍ୟାଥ ହର୍ୟଶ୍ୱା ଔତ୍ପତ୍ତିକମନୀଷୟା ।
ବାଚଃ କୂଟଂ ତୁ ଦେବର୍ଷେଃ ସ୍ୱୟଂ ବିମମୃଶୁର୍ଧିୟା ॥ ୧୦॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ହର୍ୟଶ୍ବମାନେ ଜନ୍ମରୁ ପରମ
ବୁଦ୍ଧିମାନ ଥିଲେ | ଦେବର୍ଷି ନାରଦଙ୍କର ଗୂଢ଼ ବଚନ ଶୁଣି ସେମାନେ ନିଜ ବୁଦ୍ଧିରେ ବିଚାର
କରିବାରେ ଲାଗିଲେ -
ଭୂଃ କ୍ଷେତ୍ରଂ ଜୀବସଞ୍ଜ୍ଞଂ ଯଦନାଦି ନିଜବନ୍ଧନମ୍ ।
ଅଦୃଷ୍ଟ୍ୱା ତସ୍ୟ ନିର୍ୱାଣଂ କିମସତ୍କର୍ମଭିର୍ଭବେତ୍ ॥ ୧୧॥
(ଦେବର୍ଷି ନାରଦଙ୍କର କଥନ ସତ୍ୟ ଅଟେ) ଏହି ଲିଙ୍ଗଶରୀର ହିଁ, ଯାହାକୁ ସାଧାରଣତଃ ଜୀବ କହନ୍ତି, ପୃଥିବୀ ଅଟେ ଏବଂ
ଏହା ହିଁ ଆତ୍ମାର ଅନାଦି ବନ୍ଧନ ଅଟେ | ଏହାର ଅନ୍ତ (ବିନାଶ) ନ ଦେଖି ମୋକ୍ଷ ଅନୁପଯୋଗୀ କର୍ମରେ
ରତ ରହିବାରେ କି ଲାଭ ?
ଏକ ଏବେଶ୍ୱରସ୍ତୁର୍ୟୋ ଭଗବାନ୍ ସ୍ୱାଶ୍ରୟଃ ପରଃ ।
ତମଦୃଷ୍ଟ୍ୱାଭବଂ ପୁଂସଃ କିମସତ୍କର୍ମଭିର୍ଭବେତ୍ ॥ ୧୨॥
ବାସ୍ତବରେ ଈଶ୍ବର ଏକ ହିଁ ଅଟନ୍ତି | ସେ ଜାଗ୍ରତ ଆଦି ତିନୋଟି
ଅବସ୍ଥାରେ, ସେମାନଙ୍କର ଅଭିମାନୀଙ୍କଠାରୁ ଭିନ୍ନ, ସେମାନଙ୍କର ସାକ୍ଷୀ ତୁରୀୟ ଅଟନ୍ତି | ସେ ହିଁ ସମସ୍ତଙ୍କର ଆଶ୍ରୟ
ଅଟନ୍ତି, କିନ୍ତୁ କେହି ତାଙ୍କର ଆଶ୍ରୟ ନୁହଁନ୍ତି | ସେ ହିଁ
ଭଗବାନ ଅଟନ୍ତି | ସେହି ପ୍ରକୃତି ଆଦିର ଅତୀତ, ନିତ୍ୟମୁକ୍ତ
ପରମାତ୍ମାଙ୍କୁ ନ ଦେଖି ଭଗବାନଙ୍କ ପ୍ରତି ଅସମର୍ପିତ କର୍ମ କରିବାରେ କି ଲାଭ ?
ପୁମାନ୍ ନୈବୈତି ଯଦ୍ଗତ୍ୱା ବିଲସ୍ୱର୍ଗଂ ଗତୋ ଯଥା ।
ପ୍ରତ୍ୟଗ୍ଧାମାବିଦ ଇହ କିମସତ୍କର୍ମଭିର୍ଭବେତ୍ ॥ ୧୩॥
ମନୁଷ୍ୟ ଯେପରି ଗର୍ତ୍ତରୂପ ପାତାଳରେ ପ୍ରବେଶ କରି ସେଠାରୁ ଫେରି
ଆସିପାରେ ନାହିଁ, ସେହିପରି ଯାହାକୁ ପ୍ରାପ୍ତ କରି ଜୀବ ପୁନର୍ବାର
ସଂସାରକୁ ଫେରି ନ ଥାଏ, ସେହି ସ୍ବୟଂ
ଅନ୍ତର୍ଜ୍ୟୋତି ସ୍ବରୂପ ପରମାତ୍ମାଙ୍କୁ ନ ଜାଣି ବିନାଶବାନ୍ ସ୍ବର୍ଗ ଆଦି ଫଳଦାୟକ କର୍ମ
କରିବାରେ କି ଲାଭ ?
ନାନାରୂପାତ୍ମନୋ ବୁଦ୍ଧିଃ ସ୍ୱୈରିଣୀବ ଗୁଣାନ୍ୱିତା ।
ତନ୍ନିଷ୍ଠାମଗତସ୍ୟେହ କିମସତ୍କର୍ମଭିର୍ଭବେତ୍ ॥ ୧୪॥
ନିଜର ଏହି ବୁଦ୍ଧି ହିଁ ବହୁରୂପିଣୀ ଏବଂ ସତ୍ତ୍ବ, ରଜ ଆଦି ଗୁଣକୁ ଧାରଣ କରିଥିବା ବ୍ୟଭିଚାରିଣୀ ସ୍ତ୍ରୀ ସଦୃଶ ଅଟେ |
ଜୀବନରେ ଏହାର ଅନ୍ତ ନ କରି, ବିବେକ ପ୍ରାପ୍ତ ନ
କରି ଅଶାନ୍ତିର ଅଧିକାଧିକ ବୃଦ୍ଧିକାରୀ କର୍ମ କରିବାର ପ୍ରୟୋଜନ କ’ଣ ?
ତତ୍ସଙ୍ଗଭ୍ରଂଶିତୈଶ୍ୱର୍ୟଂ ସଂସରନ୍ତଂ କୁଭାର୍ୟବତ୍ ।
ତଦ୍ଗତୀରବୁଧସ୍ୟେହ କିମସତ୍କର୍ମଭିର୍ଭବେତ୍ ॥ ୧୫॥
ଏହି ବୁଦ୍ଧି ହିଁ କୁଳଟା ସ୍ତ୍ରୀ ପରି ଅଟେ | ଏହାର ସଙ୍ଗତି କରି
ଜୀବରୂପ ପୁରୁଷର ଐଶ୍ବର୍ଯ୍ୟ, ତାହାର ସ୍ବତନ୍ତ୍ରତା ନଷ୍ଟ ହୋଇଯାଇଛି | କୁଳଟା ସ୍ତ୍ରୀର ପତି
ପରି ଏହାର ପଛେ ପଛେ ସେ କେଜାଣି କେଉଁ କେଉଁ ଦିଗରେ ଭ୍ରମିତ ହେଉଛି | ଏହାର ବିଭିନ୍ନ ଗତି ଏବଂ
ଅଭିପ୍ରାୟକୁ ନ ଜାଣି ବିବେକରହିତ କର୍ମ କରିବା ଦ୍ବାରା କେଉଁ ସିଦ୍ଧି ପ୍ରାପ୍ତ ହେବ ?
ସୃଷ୍ଟ୍ୟପ୍ୟଯକରୀଂ ମାୟାଂ ବେଲାକୂଲାନ୍ତବେଗିତାମ୍ ।
ମତ୍ତସ୍ୟ ତାମବିଜ୍ଞସ୍ୟ କିମସତ୍କର୍ମଭିର୍ଭବେତ୍ ॥ ୧୬॥
ମାୟା ହିଁ ସେହି ଦୁଇ ପକ୍ଷରେ ପ୍ରବାହିତ ହେଉଥିବା ନଦୀ ଅଟେ | ଏହା
ସୃଷ୍ଟି କରିଥାଏ, ପ୍ରଳୟ ମଧ୍ୟ କରିଥାଏ | ଯେଉଁମାନେ ଏହାକୁ ଅତିକ୍ରମ
କରିବା ପାଇଁ ତପସ୍ୟା, ବିଦ୍ୟା ଆଦି
ଉପାୟର ଅବଲମ୍ବନ ଗ୍ରହଣ କରନ୍ତି, ସେମାନଙ୍କୁ ବାଧା
ଦେବା ପାଇଁ ଇଏ କ୍ରୋଧ, ଅହଂକାର ଆଦି
ରୂପରେ ଅଧିକ ବେଗରେ ପ୍ରବାହିତ ହେବାରେ ଲାଗେ | ଯେଉଁ ପୁରୁଷ ଏହାର ବେଗରେ ବିବଶ ଏବଂ ଅନଭିଜ୍ଞ
ଅଟନ୍ତି, ସେମାନେ ମାୟିକ କର୍ମ କରି କି ଲାଭ ପାଇବେ ?
ପଞ୍ଚବିଂଶତିତତ୍ତ୍ୱାନାଂ ପୁରୁଷୋଽଦ୍ଭୁତଦର୍ପଣମ୍ ।
ଅଧ୍ୟାତ୍ମମବୁଧସ୍ୟେହ କିମସତ୍କର୍ମଭିର୍ଭବେତ୍ ॥ ୧୭॥
ଏହି ପଚିଶ ତତ୍ତ୍ବ ହିଁ ସେହି ଅଦ୍ଭୁତ ଘର ଅଟେ | ପୁରୁଷ ସେମାନଙ୍କର
ଆଶ୍ଚର୍ଯ୍ୟମୟ ଆଶ୍ରୟ ଅଟନ୍ତି | ସେ ହିଁ ସମସ୍ତ କାର୍ଯ୍ୟ-କାରଣାତ୍ମକ ଜଗତର ଅଧିଷ୍ଠାତା ଅଟନ୍ତି
| ଏହା ନ ଜାଣି, ପ୍ରକୃତ ସ୍ବାତନ୍ତ୍ର୍ୟ ପ୍ରାପ୍ତ ନ କରି, ମିଥ୍ୟା ସ୍ବତନ୍ତ୍ରତାରେ କରାଯାଉ ଥିବା କର୍ମ ବ୍ୟର୍ଥ ହିଁ ଅଟେ |
ଐଶ୍ୱରଂ ଶାସ୍ତ୍ରମୁତ୍ସୃଜ୍ୟ ବନ୍ଧମୋକ୍ଷାନୁଦର୍ଶନମ୍ ।
ବିବିକ୍ତପଦମଜ୍ଞାୟ କିମସତ୍କର୍ମଭିର୍ଭବେତ୍ ॥ ୧୮॥
ଭଗବାନଙ୍କର ସ୍ବରୂପ ନିର୍ଦ୍ଦେଶ କରୁଥିବା ଶାସ୍ତ୍ର ହଂସ ପରି
ନୀର-କ୍ଷୀର-ବିବେକୀ ଅଟେ | ସେ ବନ୍ଧନ-ମୋକ୍ଷ, ଚେତନ-ଜଡକୁ ପୃଥକ୍
ପୃଥକ୍ କରି ଦର୍ଶାଇ ଥାଏ | ଏପରି ଅଧ୍ୟାତ୍ମଶାସ୍ତ୍ରରୂପ ହଂସର ଆଶ୍ରୟ ତ୍ୟାଗ କରି, ତାହାକୁ ନ
ଜାଣି, ବହିର୍ମୁଖ କରାଉଥିବା କର୍ମରେ କି ଲାଭ ?
କାଲଚକ୍ରଂ ଭ୍ରମିସ୍ତୀକ୍ଷ୍ଣଂ ସର୍ୱଂ ନିଷ୍କର୍ଷୟଜ୍ଜଗତ୍ ।
ସ୍ୱତନ୍ତ୍ରମବୁଧସ୍ୟେହ କିମସତ୍କର୍ମଭିର୍ଭବେତ୍ ॥ ୧୯॥
କାଳ ହିଁ ସେହି ଚକ୍ର ଅଟେ, ଯିଏ ନିରନ୍ତର
ଘୂରିବାରେ ଲାଗିଥାଏ | ଏହାର ଧାର ଛୁରି ଏବଂ ବଜ୍ର ପରି ତୀକ୍ଷ୍ଣ ଅଟେ ଏବଂ ଏହା ସାରା ଜଗତକୁ
ନିଜ ପ୍ରତି ଆକର୍ଷିତ କରୁଥାଏ | ଏହାକୁ କେହି ମଧ୍ୟ ବାଧା ଦେଇପାରିବେ ନାହିଁ, ଏହା ପରମ ସ୍ବତନ୍ତ୍ର ଅଟେ | ଏହା ନ ଜାଣି, କର୍ମର ଫଳକୁ ନିତ୍ୟ ମନେକରି ଯେଉଁମାନେ ସକାମଭାବରେ ତାହାର
ଅନୁଷ୍ଠାନ କରନ୍ତି, ସେହି ଅନିତ୍ୟ
କର୍ମ ଦ୍ବାରା କି ଲାଭ ହେବ ?
ଶାସ୍ତ୍ରସ୍ୟ ପିତୁରାଦେଶଂ ଯୋ ନ ବେଦ ନିବର୍ତକମ୍ ।
କଥଂ ତଦନୁରୂପାୟ ଗୁଣବିସ୍ରମ୍ଭ୍ୟୁପକ୍ରମେତ୍ ॥ ୨୦॥
ଶାସ୍ତ୍ର ହିଁ ପିତା ଅଟେ; କାରଣ ପରବର୍ତ୍ତୀ ଜନ୍ମ ଶାସ୍ତ୍ର ଦ୍ବାରା ହିଁ ନିର୍ଧାରିତ ହୋଇଥାଏ ଏବଂ ଶାସ୍ତ୍ରଆଦେଶ
କର୍ମରେ ଲିପ୍ତ ହେବା ନୁହେଁ, କର୍ମନିବୃତ୍ତି ଅଟେ | ଏହା ଯିଏ
ଜାଣନ୍ତି ନାହିଁ, ସେ ଶାସ୍ତ୍ରର ଗୁଣମୟ ଶବ୍ଦାଦି ବିଷୟରେ ବିଶ୍ବାସ କରିନିଅନ୍ତି | ସେ ଭଲା କର୍ମରୁ
ନିବୃତ୍ତ ହେବାର ଆଜ୍ଞା ପାଳନ କରିବେ କିପରି ?
ଇତି ବ୍ୟବସିତା ରାଜନ୍ ହର୍ୟଶ୍ୱା ଏକଚେତସଃ ।
ପ୍ରୟଯୁସ୍ତଂ ପରିକ୍ରମ୍ୟ ପନ୍ଥାନମନିବର୍ତନମ୍ ॥ ୨୧॥
ପରୀକ୍ଷିତ ! ହର୍ୟଶ୍ବମାନେ ଏକମତ ହୋଇ ଏହା ନିଶ୍ଚୟ କଲେ ଏବଂ ନାରଦ
ମୁନିଙ୍କର ପରିକ୍ରମା କରି ମୋକ୍ଷପଥର ପଥିକ ହୋଇଗଲେ, ଯେଉଁ ପଥରେ ଯାଇ ପୁନର୍ବାର ଫେରିବାକୁ ପଡି
ନ ଥାଏ |
ସ୍ୱରବ୍ରହ୍ମଣି ନିର୍ଭାତହୃଷୀକେଶପଦାମ୍ବୁଜେ ।
ଅଖଣ୍ଡଂ ଚିତ୍ତମାବେଶ୍ୟ ଲୋକାନନୁଚରନ୍ ମୁନିଃ ॥ ୨୨॥
ଏହାପରେ ଦେବର୍ଷି ନାରଦ ସ୍ବରବ୍ରହ୍ମରେ – ସଂଗୀତଲହରୀରେ ଅଭିବ୍ୟକ୍ତ
ହୋଇ, ଭଗବାନ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଚରଣକମଳରେ ନିଜ
ଚିତ୍ତକୁ ଅଖଣ୍ଡରୂପରେ ସ୍ଥିର ରଖି ଲୋକ-ଲୋକାନ୍ତରରେ ବିଚରଣ କରିବାରେ ଲାଗିଲେ |
ନାଶଂ ନିଶମ୍ୟ ପୁତ୍ରାଣାଂ ନାରଦାଚ୍ଛୀଲଶାଲିନାମ୍ ।
ଅନ୍ୱତପ୍ୟତ କଃ ଶୋଚନ୍ ସୁପ୍ରଜାସ୍ତ୍ୱଂ ଶୁଚାଂ ପଦମ୍ ॥ ୨୩॥
ପରୀକ୍ଷିତ ! ଦକ୍ଷପ୍ରଜାପତି ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କର
ଶୀଳବାନ ପୁତ୍ରମାନେ ନାରଦଙ୍କଠାରୁ ଉପଦେଶ ଗ୍ରହଣ କରି କର୍ତ୍ତବ୍ୟଚ୍ୟୁତ ହୋଇ ଯାଇଛନ୍ତି, ସେତେବେଳେ ସେ ଶୋକରେ ବ୍ୟାକୁଳ ହୋଇ ଉଠିଲେ | ସେ ପଶ୍ଚାତାପ
କରିବାରେ ଲାଗିଲେ | ସତରେ, ଉତ୍ତମ
ସନ୍ତାନମାନେ ମଧ୍ୟ ବେଳେ ବେଳେ ଶୋକର କାରଣ ହୋଇଥାଆନ୍ତି |
ସ ଭୂୟଃ ପାଞ୍ଚଜନ୍ୟାୟାମଜେନ ପରିସାନ୍ତ୍ୱିତଃ ।
ପୁତ୍ରାନଜନୟଦ୍ଦକ୍ଷଃ ଶବଲାଶ୍ୱାନ୍ ସହସ୍ରଶଃ ॥ ୨୪॥
ବ୍ରହ୍ମାଜୀ ଦକ୍ଷପ୍ରଜାପତିଙ୍କୁ ଅନେକ ପ୍ରକାରରେ ସାନ୍ତ୍ବନା ଦେଲେ |
ତାପରେ ସେ ପଞ୍ଚଜନ-ନନ୍ଦିନୀ ଅସିକ୍ରୀଙ୍କଠାରୁ ଆହୁରି ଏକ ହଜାର ପୁତ୍ର ଉତ୍ପନ୍ନ କଲେ |
ସେମାନଙ୍କର ନାମ ଥିଲା ଶବଳାଶ୍ବ |
ତେଽପି ପିତ୍ରା ସମାଦିଷ୍ଟାଃ ପ୍ରଜାସର୍ଗେ ଧୃତବ୍ରତାଃ ।
ନାରାୟଣସରୋ ଜଗ୍ମୁର୍ୟତ୍ର ସିଦ୍ଧାଃ ସ୍ୱପୂର୍ୱଜାଃ ॥ ୨୫॥
ସେମାନେ ମଧ୍ୟ ପିତା ଦକ୍ଷପ୍ରଜାପତିଙ୍କର ଆଜ୍ଞା ପ୍ରାପ୍ତ କରି
ପ୍ରଜାସୃଷ୍ଟି ଉଦ୍ଦେଶ୍ୟରେ ତପ କରିବାକୁ ସେହି ନାରାୟଣସରକୁ ଗଲେ, ଯେଉଁଠାରେ ସେମାନଙ୍କର ଜ୍ୟେଷ୍ଠ ଭ୍ରାତାମାନେ ସିଦ୍ଧି ପ୍ରାପ୍ତ
କରିଥିଲେ |
ତଦୁପସ୍ପର୍ଶନାଦେବ ବିନିର୍ଧୂତମଲାଶୟାଃ ।
ଜପନ୍ତୋ ବ୍ରହ୍ମ ପରମଂ ତେପୁସ୍ତେଽତ୍ର ମହତ୍ତପଃ ॥ ୨୬॥
ଶବଳାଶ୍ବମାନେ ସେଠାକୁ ଯାଇ ସେହି ସରୋବରରେ ସ୍ନାନ କଲେ | ସ୍ନାନ
କରିବା ମାତ୍ରେ ସେମାନଙ୍କର ଅନ୍ତଃକରଣର ସମସ୍ତ ମଳ ଧୌତ ହୋଇଗଲା | ଏବେ ସେମାନେ
ପରବ୍ରହ୍ମସ୍ବରୂପ ପ୍ରଣବ ଜପ କରି ମହାନ୍ ତପସ୍ୟାରେ ନିମଗ୍ନ ହୋଇଗଲେ |
ଅବ୍ଭକ୍ଷାଃ କତିଚିନ୍ମାସାନ୍ କତିଚିଦ୍ୱାୟୁଭୋଜନାଃ ।
ଆରାଧୟନ୍ ମନ୍ତ୍ରମିମମଭ୍ୟସ୍ୟନ୍ତ ଇଡସ୍ପତିମ୍ ॥ ୨୭॥
ଓଂ ନମୋ ନାରାୟଣାୟ ପୁରୁଷାୟ ମହାତ୍ମନେ ।
ବିଶୁଦ୍ଧସତ୍ତ୍ୱଧିଷ୍ଣ୍ୟାୟ ମହାହଂସାୟ ଧୀମହି ॥ ୨୮॥
କେତେ ମାସ କେବଳ ଜଳ ପାନ କରି ଏବଂ ଆଉ କେତେ ମାସ କେବଳ ବାୟୁ ଭକ୍ଷଣ
କରି ସେମାନେ ‘ଆମେ ନମସ୍କାରପୂର୍ବକ ଓଁକାରସ୍ବରୂପ ଭଗବାନ ନାରାୟଣଙ୍କର ଧ୍ୟାନ କରୁଛୁ, ଯିଏ ବିଶୁଦ୍ଧ ଚିତ୍ତରେ ନିବାସ କରନ୍ତି, ସମସ୍ତଙ୍କର ଅନ୍ତର୍ଯ୍ୟାମୀ
ତଥା ସର୍ବବ୍ୟାପକ ଏବଂ ପରମହଂସସ୍ବରୂପ ଅଟନ୍ତି |’ – ଏହି ମନ୍ତ୍ରର ଅଭ୍ୟାସ କରି ମନ୍ତ୍ରାଧିପତି
ଭଗବାନଙ୍କର ଆରାଧନା କଲେ |
ଇତି ତାନପି ରାଜେନ୍ଦ୍ର ପ୍ରତିସର୍ଗଧିୟୋ ମୁନିଃ ।
ଉପେତ୍ୟ ନାରଦଃ ପ୍ରାହ ବାଚଃ କୂଟାନି ପୂର୍ୱବତ୍ ॥ ୨୯॥
ପରୀକ୍ଷିତ ! ଏହି ପ୍ରକାରେ ଦକ୍ଷ-ପୁତ୍ର ଶବଳାଶ୍ବମାନେ ପ୍ରଜାସୃଷ୍ଟି
ନିମନ୍ତେ ତପସ୍ୟାରେ ସଂଲଗ୍ନ ରହିଥିବା ବେଳେ ଦେବର୍ଷି ନାରଦ ପୂର୍ବବତ୍ ସେମାନଙ୍କ ସମୀପକୁ ଆସି
ସେହିପରି କୂଟବଚନ ସେମାନଙ୍କୁ ମଧ୍ୟ ଶୁଣାଇ ଥିଲେ |
ଦାକ୍ଷାୟଣାଃ ସଂଶୃଣୁତ ଗଦତୋ ନିଗମଂ ମମ ।
ଅନ୍ୱିଚ୍ଛତାନୁପଦବୀଂ ଭ୍ରାତୄଣାଂ ଭ୍ରାତୃବତ୍ସଲାଃ ॥ ୩୦॥
ସେ କହିଲେ – ହେ ଦକ୍ଷପ୍ରଜାପତିଙ୍କର ପୁତ୍ରଗଣ ! ମୁଁ ତୁମ୍ଭମାନଙ୍କୁ
ଯେଉଁ ଉପଦେଶ ଦେଉଛି, ତାହା ଶ୍ରବଣ କର |
ତୁମ୍ଭମାନଙ୍କର ନିଜ ଭାଈମାନଙ୍କ ପ୍ରତି ଅଶେଷ ପ୍ରେମ ରହିଛି, ସେଥିପାଇଁ ତୁମେ
ସେମାନଙ୍କ ମାର୍ଗର ଅନୁସରଣ କର |
ଭ୍ରାତୄଣାଂ ପ୍ରାୟଣଂ ଭ୍ରାତା ଯୋଽନୁତିଷ୍ଠତି ଧର୍ମବିତ୍ ।
ସ ପୁଣ୍ୟବନ୍ଧୁଃ ପୁରୁଷୋ ମରୁଦ୍ଭିଃ ସହ ମୋଦତେ ॥ ୩୧॥
ଯେଉଁ ଧର୍ମଜ୍ଞ ଭାଈ ନିଜ ଜ୍ୟେଷ୍ଠ ଭ୍ରାତାମାନଙ୍କର ଶ୍ରେଷ୍ଠ ମାର୍ଗର
ଅନୁସରଣ କରନ୍ତି, ସେ ହିଁ ପ୍ରକୃତ ଭାଈ ଅଟନ୍ତି | ସେହି ପୁଣ୍ୟବାନ୍
ପୁରୁଷ ପରଲୋକରେ ମରୁଦ୍ଗଣଙ୍କ ସହିତ ଆନନ୍ଦ ଭୋଗ କରନ୍ତି |
ଏତାବଦୁକ୍ତ୍ୱା ପ୍ରୟଯୌ ନାରଦୋଽମୋଘଦର୍ଶନଃ ।
ତେଽପି ଚାନ୍ୱଗମନ୍ ମାର୍ଗଂ ଭ୍ରାତୄଣାମେବ ମାରିଷ ॥ ୩୨॥
ପରୀକ୍ଷିତ ! ଶବଳାଶ୍ବମାନଙ୍କୁ ଏହିପରି ଉପଦେଶ ଦେଇ ଦେବର୍ଷି ନାରଦ
ସେଠାରୁ ଚାଲିଗଲେ ଏବଂ ସେମାନେ ମଧ୍ୟ ନିଜ ଭାଈମାନଙ୍କର ହିଁ ଅନୁଗମନ କଲେ; କାରଣ ନାରଦମୁନିଙ୍କର ଦର୍ଶନ କେବେ ବ୍ୟର୍ଥ ଯାଇ ନ ଥାଏ |
ସଧ୍ରୀଚୀନଂ ପ୍ରତୀଚୀନଂ ପରସ୍ୟାନୁପଥଂ ଗତାଃ ।
ନାଦ୍ୟାପି ତେ ନିବର୍ତନ୍ତେ ପଶ୍ଚିମା ଯାମିନୀରିବ ॥ ୩୩॥
ସେମାନେ ସେହି ପଥର ପଥିକ ହେଲେ, ଯାହା ଅନ୍ତର୍ମୁଖୀ
ବୃତ୍ତି ଦ୍ବାରା ପ୍ରାପ୍ତ ହେବା ଯୋଗ୍ୟ, ଅତ୍ୟନ୍ତ ସୁନ୍ଦର ଏବଂ ଭଗବତ୍-ପ୍ରାପ୍ତିର ଅନୁକୂଳ ଅଟେ
| ଅତିବାହିତ ହୋଇ ଯାଇଥିବା ରାତ୍ରୀ ସଦୃଶ ସେମାନେ ସେହି ମାର୍ଗରୁ ଆଜିଯାଏଁ ଫେରିଲେ ନାହିଁ କି
ଭବିଷ୍ୟତରେ ମଧ୍ୟ ଫେରିବେ ନାହିଁ |
ଏତସ୍ମିନ୍ କାଲ ଉତ୍ପାତାନ୍ ବହୂନ୍ ପଶ୍ୟନ୍ ପ୍ରଜାପତିଃ ।
ପୂର୍ୱବନ୍ନାରଦକୃତଂ ପୁତ୍ରନାଶମୁପାଶୃଣୋତ୍ ॥ ୩୪॥
ଇତ୍ୟବସରେ, ଅନେକ ଗୁଡିଏ ଅଶୁଭ
ସଂକେତ ଦେଖି ଦକ୍ଷପ୍ରଜାପତିଙ୍କର ଚିତ୍ତ ନିଜ ପୁତ୍ରମାନଙ୍କର ଅନିଷ୍ଟ ଆଶଙ୍କାରେ ଆତଙ୍କିତ ହୋଇ
ଉଠିଲା | ଏହି ସମୟରେ ସେ ଜାଣିବାକୁ ପାଇଲେ ଯେ ପୂର୍ବ ପରି ଏଥର ମଧ୍ୟ ନାରଦମୁନି ତାଙ୍କର
ପୁତ୍ରମାନଙ୍କୁ ମାର୍ଗଚ୍ୟୁତ କରି ଦେଇଛନ୍ତି |
ଚୁକ୍ରୋଧ ନାରଦାୟାସୌ ପୁତ୍ରଶୋକବିମୂର୍ଚ୍ଛିତଃ ।
ଦେବର୍ଷିମୁପଲଭ୍ୟାହ ରୋଷାଦ୍ୱିସ୍ଫୁରିତାଧରଃ ॥ ୩୫॥
ନିଜ ପୁତ୍ରମାନଙ୍କର କର୍ତ୍ତବ୍ୟଚ୍ୟୁତି ବିଷୟରେ ଜାଣି ସେ ଶୋକାଭିଭୂତ
ହୋଇଗଲେ ଏବଂ ନାରଦମୁନିଙ୍କ ପ୍ରତି ତାଙ୍କ ମନରେ ଭୀଷଣ କ୍ରୋଧ ଜାତ ହେଲା | ତାଙ୍କୁ ଦେଖି
କ୍ରୋଧରେ ଦକ୍ଷପ୍ରଜାପତିଙ୍କର ଓଠ ଥରିବାରେ ଲାଗିଲା ଏବଂ କ୍ରୋଧାବେଶରେ ସେ ନାରଦଙ୍କୁ କହିଲେ -
ଦକ୍ଷ ଉବାଚ
ଅହୋ ଅସାଧୋ ସାଧୂନାଂ ସାଧୁଲିଙ୍ଗେନ ନସ୍ତ୍ୱୟା ।
ଅସାଧ୍ୱକାର୍ୟର୍ଭକାଣାଂ ଭିକ୍ଷୋର୍ମାର୍ଗଃ ପ୍ରଦର୍ଶିତଃ ॥ ୩୬॥
ଦକ୍ଷପ୍ରଜାପତି କହିଲେ – ହେ ଦୁଷ୍ଟ ! ତୁମେ ମିଛଟାରେ ସାଧୁମାନଙ୍କର
ବେଶ ଧାରଣ କରିଛ | ମୋର ସରଳ-ନିରୀହ ପୁତ୍ରମାନଙ୍କୁ ଭିକ୍ଷୁକର ମାର୍ଗ ଦେଖାଇ ତୁମେ ମୋର ବହୁତ
ଅପକାର କରିଛ |
ଋଣୈସ୍ତ୍ରିଭିରମୁକ୍ତାନାମମୀମାଂସିତକର୍ମଣାମ୍ ।
ବିଘାତଃ ଶ୍ରେୟସଃ ପାପ ଲୋକୟୋରୁଭୟୋଃ କୃତଃ ॥ ୩୭॥
ଅଦ୍ୟାବଧି ସେମାନେ ବ୍ରହ୍ମଚର୍ଯ୍ୟ ଦ୍ବାରା ଋଷିଋଣ, ଯଜ୍ଞ ଦ୍ବାରା
ଦେବଋଣ ଏବଂ ପୁତ୍ରୋତ୍ପତ୍ତି ଦ୍ବାରା ପିତୃଋଣ ପରିଶୋଧ କରିନାହାଁନ୍ତି | କର୍ମଫଳର ନଶ୍ବରତା
ବିଷୟରେ ମଧ୍ୟ ସେମାନେ କିଛି ବିଚାର କରିନାହାଁନ୍ତି | ଅଥଚ ତୁମ ପରି ପାପାତ୍ମା ସେମାନଙ୍କର ଉଭୟ
ଲୋକର ସୁଖ ଧୂଳିସାତ୍ କରିଦେଲା |
ଏବଂ ତ୍ୱଂ ନିରନୁକ୍ରୋଶୋ ବାଲାନାଂ ମତିଭିଦ୍ଧରେଃ ।
ପାର୍ଷଦମଧ୍ୟେ ଚରସି ଯଶୋହା ନିରପତ୍ରପଃ ॥ ୩୮॥
ପ୍ରକୃତରେ ତୁମ ହୃଦୟରେ ଦୟାର ନାମ ଗନ୍ଧ ସୁଦ୍ଧା ନାହିଁ | ତୁମେ
ଏହିପରି ଭାବରେ ଅବୋଧ ବାଳକମାନଙ୍କର ବୁଦ୍ଧି ଭ୍ରଷ୍ଟ କରୁଥାଅ | ଭଗବାନଙ୍କର ପାର୍ଷଦ ଭାବରେ ରହି
ତୁମେ ତାଙ୍କ କୀର୍ତ୍ତିରେ କଳଙ୍କ ଲଗାଇଛ | ବାସ୍ତବରେ ତୁମେ ଅତ୍ୟନ୍ତ ନିର୍ଲଜ ଅଟ |
ନନୁ ଭାଗବତା ନିତ୍ୟଂ ଭୂତାନୁଗ୍ରହକାତରାଃ ।
ଋତେ ତ୍ୱାଂ ସୌହୃଦଘ୍ନଂ ବୈ ବୈରଙ୍କରମବୈରିଣାମ୍ ॥ ୩୯॥
ମୁଁ ଯାହା ଜାଣିଛି ଭଗବାନଙ୍କର ପାର୍ଷଦମାନେ ଦୁଃଖୀ ପ୍ରାଣୀ ପ୍ରତି
ଦୟା କରିବାକୁ ସଦା-ସର୍ବଦା ବ୍ୟଗ୍ର ରହିଥାଆନ୍ତି | କିନ୍ତୁ ତୁମେ ପ୍ରେମଭାବର ବିନାଶକାରୀ ଅଟ |
ତୁମେ ସେମାନଙ୍କ ପ୍ରତି ମଧ୍ୟ ଶତ୍ରୁତା କରିଥାଅ, ଯେଉଁମାନେ କାହା
ପ୍ରତି ଶତ୍ରୁତା କରନ୍ତି ନାହିଁ |
ନେତ୍ଥଂ ପୁଂସାଂ ବିରାଗଃ ସ୍ୟାତ୍ତ୍ୱୟା କେବଲିନା ମୃଷା ।
ମନ୍ୟସେ ଯଦ୍ୟୁପଶମଂ ସ୍ନେହପାଶନିକୃନ୍ତନମ୍ ॥ ୪୦॥
ଯଦି ତୁମେ ଏପରି ମନେ କରୁଥିବ ଯେ ବୈରାଗ୍ୟ ଦ୍ବାରା ହିଁ ସ୍ନେହପାଶ
ବା ବିଷୟାସକ୍ତି ଛିନ୍ନ କରାଯାଇ ପାରିବ, ତେବେ ତୁମର ସେହି
ବିଚାର ସମୁଚିତ ନୁହେଁ; କାରଣର ବୈରାଗ୍ୟର
ସ୍ବାଁଗ କରୁଥିବା ତୁମ ପରି ମିଥ୍ୟାଚାରୀଙ୍କ ଦ୍ବାରା କାହା ମନରେ ବୈରାଗ୍ୟ ଆସିବ ନାହିଁ |
ନାନୁଭୂୟ ନ ଜାନାତି ପୁମାନ୍ ବିଷୟତୀକ୍ଷ୍ଣତାମ୍ ।
ନିର୍ୱିଦ୍ୟତେ ସ୍ୱୟଂ ତସ୍ମାନ୍ନ ତଥା ଭିନ୍ନଧୀଃ ପରୈଃ ॥ ୪୧॥
ନାରଦ ! ବିଷୟର ଆସ୍ବାଦନ ନ କରି ମନୁଷ୍ୟ ତାହାର କଟୁତା ସମ୍ବନ୍ଧରେ
ନିଶ୍ଚୟ କରିପାରିବ ନାହିଁ | ବିଷୟର ଦୁଃଖରୂପତାକୁ ଅନୁଭବ କରିବା ପରେ ମନରେ ଯେପରି ବୈରାଗ୍ୟ
ସ୍ବତଃ ଜାତ ହୋଇଥାଏ, ତାହା ଅନ୍ୟର
ପ୍ରରୋଚନା ଦ୍ବାରା ହୋଇ ନ ଥାଏ |
ଯନ୍ନସ୍ତ୍ୱଂ କର୍ମସନ୍ଧାନାଂ ସାଧୂନାଂ ଗୃହମେଧିନାମ୍ ।
କୃତବାନସି ଦୁର୍ମର୍ଷଂ ବିପ୍ରିୟଂ ତବ ମର୍ଷିତମ୍ ॥ ୪୨॥
ସଦ୍-ଗୃହସ୍ଥ ଭାବରେ ଆମ୍ଭେମାନେ ନିଜର ଧର୍ମମର୍ଯ୍ୟାଦା ପାଳନ କରୁଥାଉ
| ପୂର୍ବରୁ ଥରେ ତୁମେ ମୋର ଅସହ୍ୟ ଅପକାର କରିଥିଲ, ଯାହାକୁ ମୁଁ କିପରି ହେଉ ସହ୍ୟ କରି
ନେଇଥିଲି |
ତନ୍ତୁକୃନ୍ତନ ଯନ୍ନସ୍ତ୍ୱମଭଦ୍ରମଚରଃ ପୁନଃ ।
ତସ୍ମାଲ୍ଲୋକେଷୁ ତେ ମୂଢ ନ ଭବେଦ୍ଭ୍ରମତଃ ପଦମ୍ ॥ ୪୩॥
କିନ୍ତୁ ତୁମେ ତ ଯେପରି ମୋର ବଂଶପରମ୍ପରା ଉଚ୍ଛେଦ କରିବା ପାଇଁ ପଣ
କରିଛ | ପୁନର୍ବାର ତୁମେ ମୋ ସହିତ ସେହି ଦୁଷ୍ଟ ବ୍ୟବହାର କରିଛ | ସେଥିପାଇଁ ରେ ମୂଢ଼ ! ଯାଅ, ଲୋକ-ଲୋକାନ୍ତରରେ ବାସହରା ହୋଇ ଘୂରି ବୁଲୁଥାଅ | କେବେ କେଉଁଠାରେ
ରହିବା ପାଇଁ ତୁମକୁ ଆଶ୍ରୟ ନ ମିଳୁ |
ଶ୍ରୀଶୁକ ଉବାଚ
ପ୍ରତିଜଗ୍ରାହ ତଦ୍ବାଢଂ ନାରଦଃ ସାଧୁସମ୍ମତଃ ।
ଏତାବାନ୍ ସାଧୁବାଦୋ ହି ତିତିକ୍ଷେତେଶ୍ୱରଃ ସ୍ୱୟମ୍ ॥ ୪୪॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ‘ଅତି ଉତ୍ତମ’ କହି ସନ୍ଥଶିରୋମଣି ଦେବର୍ଷି ନାରଦ ଦକ୍ଷଙ୍କର ଶାପକୁ ସ୍ବୀକାର
କରିନେଲେ | ପ୍ରତିଶୋଧ ନେବାର ଶକ୍ତି ଥାଇ ମଧ୍ୟ ଅନ୍ୟର ଧୃଷ୍ଟତାକୁ ସହ୍ୟ କରିନେବା – ସଂସାରରେ
ଏହାର ନାମ ହିଁ ସାଧୁତା ଅଟେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ନାରଦଶାପୋ ନାମ ପଞ୍ଚମୋଽଧ୍ୟାୟଃ ॥ ୫॥

Comments
Post a Comment