ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ସପ୍ତମ ଅଧ୍ୟାୟ
ବୃହଷ୍ପତିଙ୍କର ଦେବତାମାନଙ୍କୁ ତ୍ୟାଗ ଏବଂ ଦେବଗୁରୁ ରୂପେ ବିଶ୍ବରୂପଙ୍କର ବରଣ
ରାଜୋବାଚ
କସ୍ୟ ହେତୋଃ ପରିତ୍ୟକ୍ତା ଆଚାର୍ୟେଣାତ୍ମନଃ ସୁରାଃ ।
ଏତଦାଚକ୍ଷ୍ୱ ଭଗବଞ୍ଛିଷ୍ୟାଣାମକ୍ରମଂ ଗୁରୌ ॥ ୧॥
ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ଦେବାଚାର୍ଯ୍ୟ ବୃହଷ୍ପତି କେଉଁ
କାରଣରୁ ନିଜର ପ୍ରିୟ ଶିଷ୍ୟ ଦେବତାମାନଙ୍କୁ ତ୍ୟାଗ କରିଥିଲେ ? ଦେବତାମାନେ ନିଜ ଗୁରୁଦେବଙ୍କ
ପ୍ରତି ଏପରି କି ଅପରାଧ କରିଥିଲେ, କୃପା କରି ଆପଣ
ମୋତେ କୁହନ୍ତୁ |
ଶ୍ରୀଶୁକ ଉବାଚ
ଇନ୍ଦ୍ରସ୍ତ୍ରିଭୁବନୈଶ୍ୱର୍ୟମଦୋଲ୍ଲଙ୍ଘିତସତ୍ପଥଃ ।
ମରୁଦ୍ଭିର୍ୱସୁଭୀ ରୁଦ୍ରୈରାଦିତ୍ୟୈରୃଭୁଭିର୍ନୃପ ॥ ୨॥
ବିଶ୍ୱେଦେବୈଶ୍ଚ ସାଧ୍ୟୈଶ୍ଚ ନାସତ୍ୟାଭ୍ୟାଂ ପରିଶ୍ରିତଃ ।
ସିଦ୍ଧଚାରଣଗନ୍ଧର୍ୱୈର୍ମୁନିଭିର୍ବ୍ରହ୍ମବାଦିଭିଃ ॥ ୩॥
ବିଦ୍ୟାଧରାପ୍ସରୋଭିଶ୍ଚ କିନ୍ନରୈଃ ପତଗୋରଗୈଃ ।
ନିଷେବ୍ୟମାଣୋ ମଘବାନ୍ ସ୍ତୂୟମାନଶ୍ଚ ଭାରତ ॥ ୪॥
ଉପଗୀୟମାନୋ ଲଲିତମାସ୍ଥାନାଧ୍ୟାସନାଶ୍ରିତଃ ।
ପାଣ୍ଡୁରେଣାତପତ୍ରେଣ ଚନ୍ଦ୍ରମଣ୍ଡଲଚାରୁଣା ॥ ୫॥
ଯୁକ୍ତଶ୍ଚାନ୍ୟୈଃ ପାରମେଷ୍ଠ୍ୟୈଶ୍ଚାମରବ୍ୟଜନାଦିଭିଃ ।
ବିରାଜମାନଃ ପୌଲୋମ୍ୟା ସହାର୍ଧାସନୟା ଭୃଶମ୍ ॥ ୬॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ତ୍ରିଲୋକର ଐଶ୍ବର୍ଯ୍ୟ ପ୍ରାପ୍ତ
କରି ଇନ୍ଦ୍ରଙ୍କର ଗର୍ବ ବହୁତ ବଢି ଯାଇଥିଲା | ସେହି କାରଣରୁ ସେ ଧର୍ମମର୍ଯ୍ୟାଦା ଏବଂ ସଦାଚାରର
ଉଲ୍ଲଂଘନ କରିବାରେ ଲାଗିଥିଲେ | ଦିନକର କଥା, ଭରପୂର ସଭାରେ
ଇନ୍ଦ୍ର ନିଜ ପତ୍ନୀ ଶଚୀଙ୍କ ସହିତ ଉଚ୍ଚ ସିଂହାସନରେ ଆସୀନ ଥାଆନ୍ତି | ଅଣଚାଶ ମରୁତ, ଅଷ୍ଟବସୁ, ଏକାଦଶ ରୁଦ୍ର, ଆଦିତ୍ୟ, ଋଭୁଗଣ, ବିଶ୍ବେଦେବ, ସାଧ୍ୟଗଣ ଏବଂ ଅଶ୍ବିନୀକୁମାର ଦ୍ବୟ ତାଙ୍କ ସେବାରେ ଉପସ୍ଥିତ
ରହିଥାଆନ୍ତି | ସିଦ୍ଧ, ଚାରଣ, ଗନ୍ଧର୍ବ, ବ୍ରହ୍ମବାଦୀ
ମୁନିଗଣ, ବିଦ୍ୟାଧର, ଅପ୍ସରା, କିନ୍ନର, ପକ୍ଷୀ ଏବଂ ନାଗମାନେ ତାଙ୍କର ସେବା ଏବଂ ସ୍ତୁତି
କରୁଥାଆନ୍ତି | ଚତୁର୍ଦ୍ଦିଗରେ ଲଳିତ ସ୍ବରରେ ଦେବରାଜ ଇନ୍ଦ୍ରଙ୍କର କୀର୍ତ୍ତିଗାନ ହେଉଥାଏ |
ସିଂହାସନ ଉପରେ ଚନ୍ଦ୍ରମଣ୍ଡଳ ସଦୃଶ ସୁନ୍ଦର ଶ୍ବେତ ଛତ୍ର ଶୋଭାୟମାନ ଥିଲା | ଚାମର, ପଂଖା ଆଦି
ମହାରାଜୋଚିତ ସାମଗ୍ରୀ ଯଥାସ୍ଥାନରେ ସୁସଜ୍ଜିତ ଥିଲା | ଏହି ଦିବ୍ୟ ସମାଜରେ ଦେବରାଜ ଅତ୍ୟନ୍ତ
ସୁଶୋଭିତ ହେଉଥିଲେ |
ସ ଯଦା ପରମାଚାର୍ୟଂ ଦେବାନାମାତ୍ମନଶ୍ଚ ହ ।
ନାଭ୍ୟନନ୍ଦତ ସମ୍ପ୍ରାପ୍ତଂ ପ୍ରତ୍ୟୁତ୍ଥାନାସନାଦିଭିଃ ॥ ୭॥
ବାଚସ୍ପତିଂ ମୁନିବରଂ ସୁରାସୁରନମସ୍କୃତମ୍ ।
ନୋଚ୍ଚଚାଲାସନାଦିନ୍ଦ୍ରଃ ପଶ୍ୟନ୍ନପି ସଭାଗତମ୍ ॥ ୮॥
ଏହି ସମୟରେ ଦେବରାଜ ଇନ୍ଦ୍ର ଏବଂ ସମସ୍ତ ଦେବତାଙ୍କର ପରମ ଆଚାର୍ଯ୍ୟ ବୃହଷ୍ପତି
ସେଠାକୁ ଆସିଲେ | ସେ ସୁର-ଅସୁର ସମସ୍ତଙ୍କର ନମସ୍ୟ ଅଟନ୍ତି | ଇନ୍ଦ୍ର ତାଙ୍କୁ ଦେଖିଲେ, କିନ୍ତୁ ସେ ଠିଆ ହେଲେ ନାହିଁ କି ଆସନ ଆଦି ଦେଇ ଗୁରୁଙ୍କର ସତ୍କାର
କଲେ ନାହିଁ | ସେ ନିଜ ଆସନରୁ ଉଠିବାର ଉପକ୍ରମ ସୁଦ୍ଧା କଲେ ନାହିଁ |
ତତୋ ନିର୍ଗତ୍ୟ ସହସା କବିରାଙ୍ଗିରସଃ ପ୍ରଭୁଃ ।
ଆୟଯୌ ସ୍ୱଗୃହଂ ତୂଷ୍ଣୀଂ ବିଦ୍ୱାନ୍ ଶ୍ରୀମଦବିକ୍ରିୟାମ୍ ॥ ୯॥
ତ୍ରିକାଳଦର୍ଶୀ ସମର୍ଥ ବୃହଷ୍ପତି ଅନୁମାନ କରିନେଲେ ଯେ ଏହା
ଐଶ୍ବର୍ଯ୍ୟମଦର ଦୋଷ ଅଟେ | ସେ ତତକ୍ଷଣାତ୍ ସେଠାରୁ ବାହାରି ଚୁପଚାପ୍ ନିଜ ଘରକୁ ଚାଲିଗଲେ |
ତର୍ହ୍ୟେବ ପ୍ରତିବୁଧ୍ୟେନ୍ଦ୍ରୋ ଗୁରୁହେଲନମାତ୍ମନଃ ।
ଗର୍ହୟାମାସ ସଦସି ସ୍ୱୟମାତ୍ମାନମାତ୍ମନା ॥ ୧୦॥
ପରୀକ୍ଷିତ ! ସେହି ସମୟରେ ଦେବରାଜ ଇନ୍ଦ୍ର ନିଜର ଚେତନା ଫେରି ପାଇଲେ
| ସେ ଜାଣିପାରିଲେ ଯେ ସେ ନିଜ ଗୁରୁଙ୍କ ପ୍ରତି ଅବହେଳନା ପ୍ରଦର୍ଶନ କରିଛନ୍ତି | ସେ ଭରା
ସଭାରେ ନିଜେ ହିଁ ନିଜକୁ ନିନ୍ଦା କରିବାରେ ଲାଗିଲେ |
ଅହୋ ବତ ମୟାସାଧୁ କୃତଂ ବୈ ଦଭ୍ରବୁଦ୍ଧିନା ।
ଯନ୍ମୟୈଶ୍ୱର୍ୟମତ୍ତେନ ଗୁରୁଃ ସଦସି କାତ୍କୃତଃ ॥ ୧୧॥
ହାୟ-ହାୟ ! ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଐଶ୍ବର୍ଯ୍ୟ ନିଶାରେ ମତ୍ତ
ହୋଇ ମୂର୍ଖତାବଶ ଭରା ସଭାରେ ମୁଁ ନିଜ ଗୁରୁଦେବଙ୍କର ତିରସ୍କାର କଲି | ମୋର ଏହି କର୍ମ
ବାସ୍ତବରେ ଅତ୍ୟନ୍ତ ନିନ୍ଦନୀୟ ଅଟେ |
କୋ ଗୃଧ୍ୟେତ୍ପଣ୍ଡିତୋ ଲକ୍ଷ୍ମୀଂ ତ୍ରିବିଷ୍ଟପପତେରପି ।
ଯୟାହମାସୁରଂ ଭାବଂ ନୀତୋଽଦ୍ୟ ବିବୁଧେଶ୍ୱରଃ ॥ ୧୨॥
ଏହା ଦେଖି କେଉଁ ବିବେକୀ ପୁରୁଷ ଭଲା ସ୍ବର୍ଗର ରାଜଲକ୍ଷ୍ମୀ ପ୍ରାପ୍ତ
କରିବାକୁ ଇଚ୍ଛା କରିବେ | ଦେଖ ତ, ଆଜି ତାହା ମୋ ପରି
ଦେବରାଜଙ୍କୁ ମଧ୍ୟ ଅସୁରଙ୍କ ପରି ରଜୋଗୁଣୀ ଭାବଯୁକ୍ତ କରିଦେଲା |
ଯେ ପାରମେଷ୍ଠ୍ୟଂ ଧିଷଣମଧିତିଷ୍ଠନ୍ନ କଞ୍ଚନ ।
ପ୍ରତ୍ୟୁତ୍ତିଷ୍ଠେଦିତି ବ୍ରୂୟୁର୍ଧର୍ମଂ ତେ ନ ପରଂ ବିଦୁଃ ॥ ୧୩॥
ଯେଉଁମାନେ ଏପରି କହନ୍ତି ଯେ ସାର୍ବଭୌମ ରାଜସିଂହାସନରେ ବସିଥିବା
ସମ୍ରାଟ୍ କାହାର ଅଭ୍ୟର୍ଥନା କରିବାକୁ ସିଂହାସନରୁ ଉଠିବା ଉଚିତ୍ ନୁହେଁ, ସେମାନେ ଧର୍ମର ବାସ୍ତବ ସ୍ଵରୂପକୁ ଜାଣନ୍ତି ନାହିଁ |
ତେଷାଂ କୁପଥଦେଷ୍ଟୄଣାଂ ପତତାଂ ତମସି ହ୍ୟଧଃ ।
ଯେ ଶ୍ରଦ୍ଦଧ୍ୟୁର୍ୱଚସ୍ତେ ବୈ ମଜ୍ଜନ୍ତ୍ୟଶ୍ମପ୍ଲବା ଇବ ॥ ୧୪॥
ଏପରି ଉପଦେଶ ଦେଉଥିବା ବ୍ୟକ୍ତି ଅନ୍ୟକୁ କୁମାର୍ଗରେ ପରିଚାଳିତ
କରନ୍ତି | ସେ ସ୍ବୟଂ ତ ଘୋର ନର୍କକୁ ଯାଆନ୍ତି | ସେମାନଙ୍କ କଥାରେ ଯିଏ ବିଶ୍ବାସ କରନ୍ତି, ସେ ମଧ୍ୟ ପ୍ରସ୍ତର ନୌକାରେ ବସି ବୁଡି ମରନ୍ତି |
ଅଥାହମମରାଚାର୍ୟମଗାଧଧିଷଣଂ ଦ୍ୱିଜମ୍ ।
ପ୍ରସାଦୟିଷ୍ୟେ ନିଶଠଃ ଶୀର୍ଷ୍ଣା ତଚ୍ଚରଣଂ ସ୍ପୃଶନ୍ ॥ ୧୫॥
ମୋର ଗୁରୁଦେବ ଆଚାର୍ଯ୍ୟ ବୃହଷ୍ପତି ଜ୍ଞାନର ଅଥାହ ସମୁଦ୍ର ଅଟନ୍ତି |
ମୁଁ ବହୁତ ବଡ ଶଠତା କରିଛି | ଏବେ ମୁଁ ତାଙ୍କ ଚରଣରେ ମସ୍ତକ ଅବନତ କରି ତାଙ୍କୁ ମନାଇବି |
ଏବଂ ଚିନ୍ତୟତସ୍ତସ୍ୟ ମଘୋନୋ ଭଗବାନ୍ ଗୃହାତ୍ ।
ବୃହସ୍ପତିର୍ଗତୋଽଦୃଷ୍ଟାଂ ଗତିମଧ୍ୟାତ୍ମମାୟଯା ॥ ୧୬॥
ପରୀକ୍ଷିତ ! ଦେବରାଜ ଇନ୍ଦ୍ର ଏହିପରି ବିଚାର କରୁଥିବା ସମୟରେ ଭଗବାନ
ବୃହଷ୍ପତି ନିଜ ଘରୁ ବାହାରି ଯୋଗବଳରେ ହଠାତ୍ ଅନ୍ତର୍ଧ୍ୟାନ ହୋଇଗଲେ |
ଗୁରୋର୍ନାଧିଗତଃ ସଞ୍ଜ୍ଞାଂ ପରୀକ୍ଷନ୍ ଭଗବାନ୍ ସ୍ୱରାଟ୍ ।
ଧ୍ୟାୟନ୍ ଧିୟା ସୁରୈର୍ୟୁକ୍ତଃ ଶର୍ମ ନାଲଭତାତ୍ମନଃ ॥ ୧୭॥
ଦେବରାଜ ଇନ୍ଦ୍ର ଏବଂ ଅନ୍ୟମାନେ ତାଙ୍କୁ ବହୁତ ଖୋଜିଲେ, କିନ୍ତୁ କେଉଁଠାରେ ବି ତାଙ୍କର ସନ୍ଧାନ ମିଳିଲା ନାହିଁ | ଗୁରୁଙ୍କ
ବିନା ନିଜକୁ ଅସୁରକ୍ଷିତ ମନେ କରି ସେ ଦେବତାମାନଙ୍କ ସହିତ ବସି ନିଜ ବୁଦ୍ଧିରେ ସ୍ବର୍ଗ ରକ୍ଷାର
ଉପାୟ ଚିନ୍ତା କରିବାରେ ଲାଗିଲେ, କିନ୍ତୁ ସେ କିଛି
ନିର୍ଣ୍ଣୟ କରିପାରିଲେ ନାହିଁ | ତାଙ୍କର ଚିତ୍ତ ଅଶାନ୍ତ ରହିଲା |
ତଚ୍ଛ୍ରୁତ୍ୱୈବାସୁରାଃ ସର୍ୱ ଆଶ୍ରିତ୍ୟୌଶନସଂ ମତମ୍ ।
ଦେବାନ୍ ପ୍ରତ୍ୟୁଦ୍ୟମଂ ଚକ୍ରୁର୍ଦୁର୍ମଦା ଆତତାୟିନଃ ॥ ୧୮॥
ପରୀକ୍ଷିତ ! ଏଣେ ଦୈତ୍ୟମାନେ ମଧ୍ୟ ଦେବଗୁରୁ ବୃହଷ୍ପତି ଏବଂ ଦେବରାଜ
ଇନ୍ଦ୍ରଙ୍କ ମଧ୍ୟରେ ଉପୁଜି ଥିବା ଏହି ମନୋମାଳିନ୍ୟ ବିଷୟରେ ଜାଣିଗଲେ | ତେଣୁ ସେହି ମଦୋନ୍ମତ୍ତ
ଏବଂ ଆତତାୟୀ ଅସୁରମାନେ ନିଜ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଆଦେଶ ଅନୁସାରେ ଦେବତାମାନଙ୍କ ଉପରେ
ବିଜୟ ପ୍ରାପ୍ତ କରିବା ପାଇଁ ଯୁଦ୍ଧ ଆରମ୍ଭ କରିଦେଲେ |
ତୈର୍ୱିସୃଷ୍ଟେଷୁଭିସ୍ତୀକ୍ଷ୍ଣୈର୍ନିର୍ଭିନ୍ନାଙ୍ଗୋରୁବାହବଃ ।
ବ୍ରହ୍ମାଣଂ ଶରଣଂ ଜଗ୍ମୁଃ ସହେନ୍ଦ୍ରା ନତକନ୍ଧରାଃ ॥ ୧୯॥
ସେମାନେ ଦେବତାମାନଙ୍କ ଉପରକୁ ଏତେ ତୀକ୍ଷ୍ଣ ବାଣ ବର୍ଷା କରିବାରେ
ଲାଗିଲେ ଯେ ସେମାନଙ୍କର ମସ୍ତକ, ଜଂଘ, ବାହୁ ଆଦି ଅଙ୍ଗ କଟି ତଳେ ପଡିବାରେ ଲାଗିଲା | ବ୍ୟାକୁଳ ଅବସ୍ଥାରେ
ଦେବତାମାନଙ୍କ ସହିତ ଇନ୍ଦ୍ର ନିଜର ମସ୍ତକ ଅବନତ କରି ବ୍ରହ୍ମାଙ୍କର ଶରଣାପନ୍ନ ହେଲେ |
ତାଂସ୍ତଥାଭ୍ୟର୍ଦିତାନ୍ ବୀକ୍ଷ୍ୟ ଭଗବାନାତ୍ମଭୂରଜଃ ।
କୃପୟା ପରୟା ଦେବ ଉବାଚ ପରିସାନ୍ତ୍ୱୟନ୍ ॥ ୨୦॥
ଦେବତାମାନଙ୍କର ଏପରି ଦୁର୍ଦ୍ଦଶା ଦେଖି ସ୍ବୟମ୍ଭୂ ସମର୍ଥ ବ୍ରହ୍ମାଙ୍କର
ହୃଦୟ କରୁଣାରେ ଭରିଗଲା | ସେ ଦେବତାମାନଙ୍କୁ ଧୈର୍ଯ୍ୟ ଦେଇ କହିବାରେ ଲାଗିଲେ |
ବ୍ରହ୍ମୋବାଚ
ଅହୋ ବତ ସୁରଶ୍ରେଷ୍ଠା ହ୍ୟଭଦ୍ରଂ ବଃ କୃତଂ ମହତ୍ ।
ବ୍ରହ୍ମିଷ୍ଠଂ ବ୍ରାହ୍ମଣଂ ଦାନ୍ତମୈଶ୍ୱର୍ୟାନ୍ନାଭ୍ୟନନ୍ଦତ ॥ ୨୧॥
ବ୍ରହ୍ମା କହିଲେ – ହେ ଦେବତାଗଣ ! ଏହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ; ସତରେ ତୁମ୍ଭେମାନେ ବହୁତ ଖରାପ କାମ କରିଛ | ହାୟ ! ଐଶ୍ବର୍ଯ୍ୟ
ମଦରେ ଅନ୍ଧ ହୋଇ ତୁମ୍ଭେମାନେ ବ୍ରହ୍ମଜ୍ଞାନୀ, ବେଦଜ୍ଞ ଏବଂ
ସଂଯମୀ ବ୍ରାହ୍ମଣଙ୍କର ସତ୍କାର କଲନାହିଁ |
ତସ୍ୟାୟମନୟସ୍ୟାସୀତ୍ପରେଭ୍ୟୋ ବଃ ପରାଭବଃ ।
ପ୍ରକ୍ଷୀଣେଭ୍ୟଃ ସ୍ୱବୈରିଭ୍ୟଃ ସମୃଦ୍ଧାନାଂ ଚ ଯତ୍ସୁରାଃ ॥ ୨୨॥
ଏହା ତୁମ୍ଭମାନଙ୍କର ସେହି ଅନୀତିର ଫଳ ଯେ ସମୃଦ୍ଧିଶାଳୀ ହୋଇ ମଧ୍ୟ
ତୁମ୍ଭମାନଙ୍କୁ ନିଜ ନିର୍ବଳ ଶତ୍ରୁ ସମ୍ମୁଖରେ ନ୍ୟୁନ ହେବାକୁ ପଡିଲା |
ମଘବନ୍ ଦ୍ୱିଷତଃ ପଶ୍ୟ ପ୍ରକ୍ଷୀଣାନ୍ ଗୁର୍ୱତିକ୍ରମାତ୍ ।
ସମ୍ପ୍ରତ୍ୟୁପଚିତାନ୍ ଭୂୟଃ କାବ୍ୟମାରାଧ୍ୟ ଭକ୍ତିତଃ ।
ଆଦଦୀରନ୍ ନିଲୟନଂ ମମାପି ଭୃଗୁଦେବତାଃ ॥ ୨୩॥
ଦେବରାଜ ! ଦେଖ, ତୁମର ଶତ୍ରୁମାନେ
ମଧ୍ୟ ପୂର୍ବେ ନିଜ ଗୁରୁଦେବ ଶୁକ୍ରାଚାର୍ଯ୍ୟଙ୍କର ତିରସ୍କାର କରିଥିବାରୁ ଅତ୍ୟନ୍ତ ନିର୍ବଳ ହୋଇ
ଯାଇଥିଲେ, କିନ୍ତୁ ଏବେ ଭକ୍ତିଭାବରେ ତାଙ୍କର ଆରାଧନା କରି
ସେମାନେ ପୁନର୍ବାର ଧନ-ଜନ ସମ୍ପନ୍ନ ହୋଇଗଲେ | ହେ ଦେବଗଣ ! ମୋର ତ ମନେହେଉଛି
ଶୁକ୍ରାଚାର୍ଯ୍ୟଙ୍କୁ ନିଜର ଆରାଧ୍ୟଦେବ ମନେ କରୁଥିବା ଏହି ଦୈତ୍ୟମାନେ କିଛି ଦିନ ପରେ ମୋଠାରୁ
ମୋର ବ୍ରହ୍ମଲୋକ ମଧ୍ୟ ଛଡାଇ ନେବେ |
ତ୍ରିବିଷ୍ଟପଂ କିଂ ଗଣୟନ୍ତ୍ୟଭେଦ୍ୟ-
ମନ୍ତ୍ରା ଭୃଗୂଣାମନୁଶିକ୍ଷିତାର୍ଥାଃ ।
ନ ବିପ୍ରଗୋବିନ୍ଦଗବୀଶ୍ୱରାଣାଂ
ଭବନ୍ତ୍ୟଭଦ୍ରାଣି ନରେଶ୍ୱରାଣାମ୍ ॥ ୨୪॥
ଭୃଗୁବଂଶୀମାନେ ଏମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥଶାସ୍ତ୍ରର ଶିକ୍ଷା
ଦେଇଛନ୍ତି | ସେମାନେ ଯାହାସବୁ କରିବାକୁ ଇଚ୍ଛା କରନ୍ତି, ତୁମ୍ଭେମାନେ
ତାହାର ଭେଦ ପାଇବ ନାହିଁ | ସେମାନଙ୍କର ପରାମର୍ଶ ଅତ୍ୟନ୍ତ ଗୁପ୍ତ ହୋଇଥାଏ | ଏପରି ସ୍ଥିତିରେ
ସେମାନେ ସ୍ବର୍ଗ କ’ଣ, ଯେ କୌଣସି ଲୋକ ଜିତିବାକୁ ଇଚ୍ଛା କରିବେ, ଜିତିପାରିବେ | ଏହା ସତ୍ୟ ଅଟେ, ଯେଉଁ ଶ୍ରେଷ୍ଠ
ପୁରୁଷ ବ୍ରାହ୍ମଣ, ଗୋବିନ୍ଦ ଏବଂ ଗୋମାତାଙ୍କର ଆଦର-ସତ୍କାର କରି
ସେମାନଙ୍କର କୃପା ପ୍ରାପ୍ତ କରିଥାଆନ୍ତି, ସେମାନଙ୍କର କେବେ
ଅମଙ୍ଗଳ ହୁଏ ନାହିଁ |
ତଦ୍ୱିଶ୍ୱରୂପଂ ଭଜତାଶୁ ବିପ୍ରଂ
ତପସ୍ୱିନଂ ତ୍ୱାଷ୍ଟ୍ରମଥାତ୍ମବନ୍ତମ୍ ।
ସଭାଜିତୋଽର୍ଥାନ୍ ସ ବିଧାସ୍ୟତେ ବୋ
ଯଦି କ୍ଷମିଷ୍ୟଧ୍ୱମୁତାସ୍ୟ କର୍ମ ॥ ୨୫॥
ଅତଏବ, ଏବେ ତୁମ୍ଭେମାନେ
ଅତି ଶୀଘ୍ର ତ୍ବଷ୍ଟାଙ୍କର ପୁତ୍ର ବିଶ୍ବରୂପଙ୍କ ପାଖକୁ ଯାଅ ଏବଂ ତାଙ୍କର ସେବା କର | ସେ
ପ୍ରକୃତରେ ବ୍ରାହ୍ମଣ, ତପସ୍ବୀ ଏବଂ
ସଂଯମୀ ଅଟନ୍ତି | ତୁମ୍ଭେମାନେ ଯଦି ତାଙ୍କର ଅସୁରମାନଙ୍କ ପ୍ରତି ରହିଥିବା ପ୍ରେମଭାବକୁ କ୍ଷମା
କରି ତାଙ୍କର ସମ୍ମାନ କରିବ, ତେବେ ସେ ତୁମର
ସମସ୍ତ ଅଭିଳାଷ ପୂର୍ଣ୍ଣ କରିବେ |
ଶ୍ରୀଶୁକ ଉବାଚ
ତ ଏବମୁଦିତା ରାଜନ୍ ବ୍ରହ୍ମଣା ବିଗତଜ୍ୱରାଃ ।
ଋଷିଂ ତ୍ୱାଷ୍ଟ୍ରମୁପବ୍ରଜ୍ୟ ପରିଷ୍ୱଜ୍ୟେଦମବ୍ରୁବନ୍ ॥ ୨୬॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ବ୍ରହ୍ମାଙ୍କର ପରାମର୍ଶ ଲାଭ
କରି ଦେବତାମାନଙ୍କର ସବୁ ଚିନ୍ତା ଦୂର ହୋଇଗଲା ! ସେମାନେ ତ୍ବଷ୍ଟାଙ୍କ ପୁତ୍ର ବିଶ୍ବରୂପ ଋଷିଙ୍କ
ପାଖକୁ ଗଲେ ଏବଂ ତାଙ୍କୁ ହୃଦୟଲଗ୍ନ କରି ଏପରି କହିବାରେ ଲାଗିଲେ |
ଦେବା ଊଚୁଃ
ବୟଂ ତେଽତିଥୟଃ ପ୍ରାପ୍ତା ଆଶ୍ରମଂ ଭଦ୍ରମସ୍ତୁ ତେ ।
କାମଃ ସମ୍ପାଦ୍ୟତାଂ ତାତ ପିତୄଣାଂ ସମୟୋଚିତଃ ॥ ୨୭॥
ଦେବତାମାନେ କହିଲେ – ପୁତ୍ର ବିଶ୍ବରୂପ ! ତୁମର କଲ୍ୟାଣ ହେଉ | ତୁମ
ଆଶ୍ରମକୁ ଆମ୍ଭେମାନେ ଅତିଥି ରୂପରେ ଆସିଛୁ | ଏକ ପ୍ରକାରେ ଆମ୍ଭେମାନେ ତୁମର ପିତୃତୁଲ୍ୟ ଅଟୁ |
ଅତଏବ ତୁମେ ଆମ୍ଭମାନଙ୍କର ସମଯୋଚିତ ଅଭିଳାଷ ପୂର୍ଣ୍ଣ କର |
ପୁତ୍ରାଣାଂ ହି ପରୋ ଧର୍ମଃ ପିତୃଶୁଶ୍ରୂଷଣଂ ସତାମ୍ ।
ଅପି ପୁତ୍ରବତାଂ ବ୍ରହ୍ମନ୍ କିମୁତ ବ୍ରହ୍ମଚାରିଣାମ୍ ॥ ୨୮॥
ସୁପୁତ୍ରମାନଙ୍କର ସର୍ବଶ୍ରେଷ୍ଠ ଧର୍ମ ନିଜ ପିତା ତଥା
ଗୁରୁଜନମାନଙ୍କର ସେବା କରିବା ଅଟେ | ସେ କ୍ଷେତ୍ରରେ ବ୍ରହ୍ମଚାରୀ ପୁତ୍ରମାନଙ୍କ କଥା କ’ଣ କହିବା |
ଆଚାର୍ୟୋ ବ୍ରହ୍ମଣୋ ମୂର୍ତିଃ ପିତା ମୂର୍ତିଃ ପ୍ରଜାପତେଃ ।
ଭ୍ରାତା ମରୁତ୍ପତେର୍ମୂର୍ତିର୍ମାତା ସାକ୍ଷାତ୍କ୍ଷିତେସ୍ତନୁଃ ॥ ୨୯॥
ବତ୍ସ ! ଆଚାର୍ଯ୍ୟ ବେଦର, ପିତା
ବ୍ରହ୍ମାଜୀଙ୍କର, ଭାଈ ଇନ୍ଦ୍ରଙ୍କର ଏବଂ ମାତା ସାକ୍ଷାତ୍ ପୃଥିବୀର ମୂର୍ତ୍ତିମାନ ସ୍ବରୂପ
ଅଟନ୍ତି |
ଦୟାୟା ଭଗିନୀ ମୂର୍ତିର୍ଧର୍ମସ୍ୟାତ୍ମାତିଥିଃ ସ୍ୱୟମ୍ ।
ଅଗ୍ନେରଭ୍ୟାଗତୋ ମୂର୍ତିଃ ସର୍ୱଭୂତାନି ଚାତ୍ମନଃ ॥ ୩୦॥
ସେହିପରି, ଭଗିନୀ ଦୟାର, ଅତିଥି ଧର୍ମର, ଅଭ୍ୟାଗତ ଅଗ୍ନିର
ଏବଂ ଜଗତର ସବୁ ପ୍ରାଣୀ ନିଜ ଆତ୍ମାର ମୂର୍ତ୍ତି ବା ଆତ୍ମସ୍ବରୂପ ଅଟନ୍ତି |
ତସ୍ମାତ୍ପିତୄଣାମାର୍ତାନାମାର୍ତିଂ ପରପରାଭବମ୍ ।
ତପସାପନୟଂସ୍ତାତ ସନ୍ଦେଶଂ କର୍ତୁମର୍ହସି ॥ ୩୧॥
ପୁତ୍ର ! ଆମ୍ଭେମାନେ ତୁମର ପିତୃତୁଲ୍ୟ ଅଟୁ | ବର୍ତ୍ତମାନ ଆମେ
ଶତ୍ରୁମାନଙ୍କ ଦ୍ବାରା ପରାଜିତ ହୋଇ ବହୁତ ଦୁଃଖରେ ଅଛୁ | ତୁମେ ନିଜ ତପୋବଳରେ ଆମ୍ଭମାନଙ୍କର
ଏହି ଦୁଃଖ, ଦାରିଦ୍ର୍ୟ, ପରାଜୟର ଅତ୍ୟନ୍ତାଭାବ କର | ପୁତ୍ର !
ତୁମେ ଆମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ |
ବୃଣୀମହେ ତ୍ୱୋପାଧ୍ୟାୟଂ ବ୍ରହ୍ମିଷ୍ଠଂ ବ୍ରାହ୍ମଣଂ ଗୁରୁମ୍ ।
ଯଥାଞ୍ଜସା ବିଜେଷ୍ୟାମଃ ସପତ୍ନାଂସ୍ତବ ତେଜସା ॥ ୩୨॥
ତୁମେ ବ୍ରହ୍ମନିଷ୍ଠ ବ୍ରାହ୍ମଣ ଅଟ, ତେଣୁ ଜନ୍ମରୁ ହିଁ ତୁମେ ଆମର ଗୁରୁ ଅଟ | ତୁମକୁ ଆଚାର୍ଯ୍ୟ ରୂପରେ
ବରଣ କରି, ତୁମ ଶକ୍ତି ବଳରେ ଆମେ ଅନାୟାସ ନିଜ ଶତ୍ରୁମାନଙ୍କ
ଉପରେ ବିଜୟ ପ୍ରାପ୍ତ କରିପାରିବୁ |
ନ ଗର୍ହୟନ୍ତି ହ୍ୟର୍ଥେଷୁ ଯବିଷ୍ଠାଙ୍ଘ୍ର୍ୟଭିବାଦନମ୍ ।
ଛନ୍ଦୋଭ୍ୟୋଽନ୍ୟତ୍ର ନ ବ୍ରହ୍ମନ୍ ବୟୋ ଜ୍ୟୈଷ୍ଠ୍ୟସ୍ୟ କାରଣମ୍ ॥ ୩୩॥
ପୁତ୍ର ! ଆବଶ୍ୟକ ସ୍ଥଳେ ନିଜଠାରୁ କନିଷ୍ଠମାନଙ୍କର ପାଦ ସ୍ପର୍ଶ
କରିବା ମଧ୍ୟ ନିନ୍ଦନୀୟ ନୁହେଁ | ବେଦଜ୍ଞାନ ବିନା କେବଳ ଅବସ୍ଥା ବଡପଣର କାରଣ ହୋଇ ନ ପାରେ |
ଋଷିରୁବାଚ
ଅଭ୍ୟର୍ଥିତଃ ସୁରଗଣୈଃ ପୌରୋହିତ୍ୟେ ମହାତପାଃ ।
ସ ବିଶ୍ୱରୂପସ୍ତାନାହ ପ୍ରସନ୍ନଃ ଶ୍ଲକ୍ଷ୍ଣୟା ଗିରା ॥ ୩୪॥
ଶ୍ରୀଶୁକଦେବ କହୁଛନ୍ତି – ଦେବତାମାନେ ଯେତେବେଳେ ବିଶ୍ବରୂପଙ୍କୁ
ସେମାନଙ୍କର ପୁରୋହିତ ହେବା ପାଇଁ ପ୍ରାର୍ଥନା କଲେ, ସେତେବେଳେ ପରମ
ତପସ୍ବୀ ବିଶ୍ବରୂପ ଅତି ପ୍ରସନ୍ନ ହୋଇ ଅତ୍ୟନ୍ତ ପ୍ରିୟ ଏବଂ ମଧୁର ଶବ୍ଦରେ ସେମାନଙ୍କୁ କହିଲେ |
ବିଶ୍ୱରୂପ ଉବାଚ
ବିଗର୍ହିତଂ ଧର୍ମଶୀଲୈର୍ବ୍ରହ୍ମବର୍ଚ ଉପବ୍ୟଯମ୍ ।
କଥଂ ନୁ ମଦ୍ୱିଧୋ ନାଥା ଲୋକେଶୈରଭିୟାଚିତମ୍ ।
ପ୍ରତ୍ୟାଖ୍ୟାସ୍ୟତି ତଚ୍ଛିଷ୍ୟଃ ସ ଏବ ସ୍ୱାର୍ଥ ଉଚ୍ୟତେ ॥ ୩୫॥
ବିଶ୍ବରୂପ କହିଲେ – ପୁରୋହିତ କର୍ମ ବ୍ରହ୍ମତେଜକୁ କ୍ଷୀଣ କରିଦିଏ |
ସେଥିପାଇଁ ଧର୍ମଶୀଳ ମହାତ୍ମାମାନେ ତାହାର ନିନ୍ଦା କରନ୍ତି | କିନ୍ତୁ ଆପଣମାନେ ମୋର ସ୍ବାମୀ
ଅଟନ୍ତି ଏବଂ ଲୋକେଶ୍ବର ହୋଇ ମଧ୍ୟ ମୋତେ ସେଥିପାଇଁ ପ୍ରାର୍ଥନା କରୁଛନ୍ତି | ଏପରି ସ୍ଥିତିରେ
ମୋ ପରି ଜଣେ ବ୍ୟକ୍ତି ଭଲା ଆପଣମାନଙ୍କୁ ନାସ୍ତି ବାଣୀ ଶୁଣାଇବ କିପରି ? ମୁଁ ତ ଆପଣମାନଙ୍କର
ସେବକ ଅଟେ | ଆପଣମାନଙ୍କର ଆଜ୍ଞା ପାଳନ କରିବାରେ ହିଁ ମୋର ସ୍ବାର୍ଥ ନିହିତ |
ଅକିଞ୍ଚନାନାଂ ହି ଧନଂ ଶିଲୋଞ୍ଛନଂ
ତେନେହ ନିର୍ୱର୍ତିତସାଧୁସତ୍କ୍ରିୟଃ ।
କଥଂ ବିଗର୍ହ୍ୟଂ ନୁ କରୋମ୍ୟଧୀଶ୍ୱରାଃ
ପୌରୋଧସଂ ହୃଷ୍ୟତି ଯେନ ଦୁର୍ମତିଃ ॥ ୩୬॥
ହେ ଦେବଗଣ ! ମୁଁ ଅକିଂଚନ ଅଟେ | ଶସ୍ୟ ଅମଳ ହେବା ପରେ ଅଥବା
ଶସ୍ୟ-ହାଟ ଉଠିଯିବା ପରେ, ଯେତିକି ଦାନା
ଭୂମିରେ ପଡିଥାଏ, ମୁଁ ତାହାକୁ ସଂଗ୍ରହ କରି ସେଥିରେ ନିଜର ଦେବକାର୍ଯ୍ୟ
ତଥା ପିତୃକାର୍ଯ୍ୟ ସମ୍ପନ୍ନ କରିଥାଏ | ହେ ଲୋକପାଳ ! ଏହିପରି ଭାବରେ ଯଦି ମୋର ଜୀବିକା
ନିର୍ବାହ ହୋଇପାରୁଛି, ମୁଁ ପୁରୋହିତର
ନିନ୍ଦନୀୟ ବୃତ୍ତି କାହିଁକି ସ୍ବୀକାର କରିବି ? ସେଥିରେ ତ କେବଳ ସେମାନେ ପ୍ରସନ୍ନ ହୋଇଥାଆନ୍ତି,
ଯେଉଁମାନଙ୍କର ବୁଦ୍ଧି ବିକୃତ ହୋଇ ଯାଇଥାଏ |
ତଥାପି ନ ପ୍ରତିବ୍ରୂୟାଂ ଗୁରୁଭିଃ ପ୍ରାର୍ଥିତଂ କିୟତ୍ ।
ଭବତାଂ ପ୍ରାର୍ଥିତଂ ସର୍ୱଂ ପ୍ରାଣୈରର୍ଥୈଶ୍ଚ ସାଧୟେ ॥ ୩୭॥
ଯେଉଁ କାର୍ଯ୍ୟ ଆପଣମାନେ ମୋ ଦ୍ବାରା କରାଇବାକୁ ଇଚ୍ଛା କରୁଛନ୍ତି, ତାହା ନିନ୍ଦନୀୟ ଅଟେ | ତଥାପି ମୁଁ ଆପଣମାନଙ୍କ କାମରୁ ବିମୁଖ
ହୋଇପାରିବି ନାହିଁ; କାରଣ ଆପଣମାନଙ୍କର
ଯାଚନା ସ୍ବଳ୍ପ ଅଟେ | ସେଥିପାଇଁ ତନ-ମନ-ଧନ ଅର୍ପଣ କରି ମୁଁ ଆପଣମାନଙ୍କର ମନୋରଥ ପୂର୍ଣ୍ଣ
କରିବି |
ଶ୍ରୀଶୁକ ଉବାଚ
ତେଭ୍ୟ ଏବଂ ପ୍ରତିଶ୍ରୁତ୍ୟ ବିଶ୍ୱରୂପୋ ମହାତପାଃ ।
ପୌରୋହିତ୍ୟଂ ବୃତଶ୍ଚକ୍ରେ ପରମେଣ ସମାଧିନା ॥ ୩୮॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ବିଶ୍ବରୂପ ବହୁତ ବଡ ତପସ୍ବୀ
ଥିଲେ | ଦେବତାମାନେ ତାଙ୍କୁ ବରଣ କରିବା ପରେ ସେ ପୂର୍ଣ୍ଣ ନିଷ୍ଠାର ସହିତ ସେମାନଙ୍କର ପୌରହିତ୍ୟ
କରିବାରେ ଲାଗିଲେ |
ସୁରଦ୍ୱିଷାଂ ଶ୍ରିୟଂ ଗୁପ୍ତାମୌଶନସ୍ୟାପି ବିଦ୍ୟଯା ।
ଆଚ୍ଛିଦ୍ୟାଦାନ୍ମହେନ୍ଦ୍ରାୟ ବୈଷ୍ଣବ୍ୟା ବିଦ୍ୟଯା ବିଭୁଃ ॥ ୩୯॥
ଯଦିଓ ଶୁକ୍ରାଚାର୍ଯ୍ୟ ନିଜ ନୀତିବଳରେ ଅସୁରମାନଙ୍କର ସମ୍ପତ୍ତି
ସୁରକ୍ଷିତ କରି ଦେଇଥିଲେ, ତଥାପି ସମର୍ଥ
ବିଶ୍ବରୂପ ବୈଷ୍ଣବୀ ବିଦ୍ୟା ପ୍ରଭାବରେ ସେମାନଙ୍କଠାରୁ ସେହି ସମ୍ପତ୍ତି ଛଡାଇ ଆଣି ଦେବରାଜ
ଇନ୍ଦ୍ରଙ୍କୁ ପ୍ରଦାନ କଲେ |
ଯୟା ଗୁପ୍ତଃ ସହସ୍ରାକ୍ଷୋ ଜିଗ୍ୟେଽସୁରଚମୂର୍ୱିଭୁଃ ।
ତାଂ ପ୍ରାହ ସ ମହେନ୍ଦ୍ରାୟ ବିଶ୍ୱରୂପ ଉଦାରଧୀଃ ॥ ୪୦॥
ରାଜନ୍ ! ଯେଉଁ ବିଦ୍ୟାରେ ସୁରକ୍ଷିତ ହୋଇ ଇନ୍ଦ୍ର ଅସୁରସେନାଙ୍କ
ଉପରେ ବିଜୟ ପ୍ରାପ୍ତ କରିଥିଲେ, ତାହାର ଉପଦେଶ
ଉଦାରବୁଦ୍ଧି ବିଶ୍ବରୂପ ହିଁ ତାଙ୍କୁ ପ୍ରଦାନ କରିଥିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥ ୭॥

Comments
Post a Comment