ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ ॥

ନବମ ଅଧ୍ୟାୟ

ବିଶ୍ବରୂପ ବଧ, ବୃତ୍ରାସୁର ଦ୍ବାରା ଦେବତାମାନଙ୍କର ପରାଜୟ ଏବଂ ଦେବତାମାନଙ୍କର ଦଧୀଚି ଋଷିଙ୍କ ପାଖକୁ ଯିବା

 

ଶ୍ରୀଶୁକ ଉବାଚ

ତସ୍ୟାସନ୍ ବିଶ୍ୱରୂପସ୍ୟ ଶିରାଂସି ତ୍ରୀଣି ଭାରତ ।

ସୋମପୀଥଂ ସୁରାପୀଥମନ୍ନାଦମିତି ଶୁଶ୍ରୁମ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମୁଁ ଶୁଣିଛି ଯେ ବିଶ୍ବରୂପଙ୍କର ତିନୋଟି ମସ୍ତକ ଥିଲା | ତନ୍ମଧ୍ୟରୁ ସେ ଗୋଟିଏ ମୁହଁରେ ସୋମରସ ଏବଂ ଦ୍ବିତୀୟ ମୁହଁରେ ସୁରା ପାନ କରୁଥିଲେ ଏବଂ ତୃତୀୟ ମୁଖରେ ଅନ୍ନ ଗ୍ରହଣ କରୁଥିଲେ |

ସ ବୈ ବର୍ହିଷି ଦେବେଭ୍ୟୋ ଭାଗଂ ପ୍ରତ୍ୟକ୍ଷମୁଚ୍ଚକୈଃ ।

ଅଦଦଦ୍ୟସ୍ୟ ପିତରୋ ଦେବାଃ ସପ୍ରଶ୍ରୟଂ ନୃପ ॥ ୨॥

ତାଙ୍କର ପିତା ତ୍ବଷ୍ଟା ଆଦି ଦ୍ବାଦଶ ଆଦିତ୍ୟ ଦେବତା ଥିଲେ, ସେଥିପାଇଁ ଯଜ୍ଞ କରିଥିବା ବେଳେ ସେ ପ୍ରତ୍ୟକ୍ଷରୂପରେ ଉଚ୍ଚ ସ୍ବରରେ ମନ୍ତ୍ର ଉଚ୍ଚାରଣ କରି ଅତ୍ୟନ୍ତ ବିନୟ ଭାବରେ ଦେବତାମାନଙ୍କୁ ଆହୁତି ପ୍ରଦାନ କରୁଥିଲେ |

ସ ଏବ ହି ଦଦୌ ଭାଗଂ ପରୋକ୍ଷମସୁରାନ୍ ପ୍ରତି ।

ଯଜମାନୋଽବହଦ୍ଭାଗଂ ମାତୃସ୍ନେହବଶାନୁଗଃ ॥ ୩॥

ତା ସହିତ ଗୋପନରେ ଅସୁରମାନଙ୍କୁ ମଧ୍ୟ ଆହୁତି ପ୍ରଦାନ କରୁଥିଲେ| ତାଙ୍କର ମାତା ଅସୁର-କୁଳର ଥିଲେ, ସେଥିପାଇଁ ସେ ମାତୃସ୍ନେହରେ ବଶୀଭୂତ ହୋଇ ଯଜ୍ଞରେ ଅସୁରମାନଙ୍କୁ ମଧ୍ୟ ଯଜ୍ଞ-ଭାଗ ଅର୍ପଣ କରୁଥିଲେ |

ତଦ୍ଦେବହେଲନଂ ତସ୍ୟ ଧର୍ମାଲୀକଂ ସୁରେଶ୍ୱରଃ ।

ଆଲକ୍ଷ୍ୟ ତରସା ଭୀତସ୍ତଚ୍ଛୀର୍ଷାଣ୍ୟଚ୍ଛିନଦ୍ରୁଷା ॥ ୪॥

ତାଙ୍କୁ ଏହିପରି ଭାବରେ ଦେବତାମାନଙ୍କ ପ୍ରତି ଅପରାଧ ଏବଂ ଧର୍ମ ନାମରେ କପଟାଚାର କରୁଥିବା ଦେଖି ଇନ୍ଦ୍ର ଭୟ ଏବଂ କ୍ରୋଧରେ ତୁରନ୍ତ ତାଙ୍କର ତିନୋଟିଯାକ ସିର ଛେଦନ କଲେ |

ସୋମପୀଥଂ ତୁ ଯତ୍ତସ୍ୟ ଶିର ଆସୀତ୍କପିଞ୍ଜଲଃ ।

କଲବିଙ୍କଃ ସୁରାପୀଥମନ୍ନାଦଂ ଯତ୍ସ ତିତ୍ତିରିଃ ॥ ୫॥

ବିଶ୍ବରୂପଙ୍କର ସୋମରସ ପାନ କରୁଥିବା ସିର ଚାତକ, ସୁରା ପାନ କରୁଥିବା ସିର କପୋତ ଏବଂ ଅନ୍ନ ଗ୍ରହଣ କରୁଥିବା ସିର ଚକୋର ପକ୍ଷୀ ହୋଇଗଲା |

ବ୍ରହ୍ମହତ୍ୟାମଞ୍ଜଲିନା ଜଗ୍ରାହ ଯଦପୀଶ୍ୱରଃ ।

ସମ୍ବତ୍ସରାନ୍ତେ ତଦଘଂ ଭୂତାନାଂ ସ ବିଶୁଦ୍ଧୟେ ॥ ୬॥

ଇନ୍ଦ୍ର ଇଚ୍ଛା କରିଥିଲେ ବିଶ୍ବରୂପ ବଧଜନିତ ବ୍ରହ୍ମହତ୍ୟା ଦୋଷରୁ ନିଜକୁ ମୁକ୍ତ କରି ପାରିଥାଆନ୍ତେ, କିନ୍ତୁ ସେ ତାହା ଉଚିତ୍ ମନେ କଲେନାହିଁ | ବରଂ ହାତ ଯୋଡି ନିଜର ଦୋଷ ସ୍ବୀକାର କରିନେଲେ ଏବଂ ଏକ ବର୍ଷ ପର୍ଯ୍ୟନ୍ତ ସେଥିରୁ ମୁକ୍ତ ହେବାର କୌଣସି ଉପାୟ କଲେନାହିଁ | ତଦନନ୍ତର ସମସ୍ତଙ୍କ ସମ୍ମୁଖରେ ନିଜର ଶୁଦ୍ଧିକରଣ କରିବାକୁ ଯାଇ ସେ ବ୍ରହ୍ମହତ୍ୟା ଦୋଷକୁ ଚାରି ଭାଗରେ ବାଣ୍ଟି ପୃଥିବୀ, ଜଳ, ବୃକ୍ଷ ଏବଂ ସ୍ତ୍ରୀମାନଙ୍କୁ ଦେଲେ |

ଭୂମ୍ୟମ୍ବୁଦ୍ରୁମୟୋଷିଦ୍ଭ୍ୟଶ୍ଚତୁର୍ଧା ବ୍ୟଭଜଦ୍ଧରିଃ ।

ଭୂମିସ୍ତୁରୀୟଂ ଜଗ୍ରାହ ଖାତପୂରବରେଣ ବୈ ॥ ୭॥

ପୃଥିବୀକୁ ଏହି ବରଦାନ ଥିଲା ଯେ ସେଥିରେ ସୃଷ୍ଟି ହେଉଥିବା ଗର୍ତ୍ତ ସମୟକ୍ରମେ ଆପେ ଆପେ ଭରିଯିବ | ଇନ୍ଦ୍ରଙ୍କର ଏକ ଚତୁର୍ଥାଂଶ ଦୋଷ ସ୍ବୀକାର କରିବାର ପରିଣାମ ସ୍ବରୂପ ପୃଥିବୀରେ କେଉଁଠି କେଉଁଠି ସେହି ବ୍ରହ୍ମହତ୍ୟା ଉସର ଭୂମି ରୂପରେ ଦେଖିବାକୁ ମିଳିଥାଏ |

ଈରିଣଂ ବ୍ରହ୍ମହତ୍ୟାୟା ରୂପଂ ଭୂମୌ ପ୍ରଦୃଶ୍ୟତେ ।

ତୁର୍ୟଂ ଛେଦବିରୋହେଣ ବରେଣ ଜଗୃହୁର୍ଦ୍ରୁମାଃ ॥ ୮॥

ଅନ୍ୟ ଏକ ଚତୁର୍ଥାଂଶ ବୃକ୍ଷ ଗ୍ରହଣ କଲା | ସେମାନଙ୍କୁ ଏହି ବରଦାନ ପ୍ରାପ୍ତ ହୋଇଥିଲା ଯେ କୌଣସି ଅଙ୍ଗ ଛିନ୍ନ ହୋଇଗଲେ, ତାହା ଆପେ ଆପେ ବୃଦ୍ଧି ଲାଭ କରୁଥିଲା | ସେମାନଙ୍କଠାରେ କୋରଡ ରୂପରେ ଏହି ବ୍ରହ୍ମହତ୍ୟା ଦୋଷ ଦେଖିବାକୁ ମିଳିଥାଏ |

ତେଷାଂ ନିର୍ୟାସରୂପେଣ ବ୍ରହ୍ମହତ୍ୟା ପ୍ରଦୃଶ୍ୟତେ ।

ଶଶ୍ୱତ୍କାମବରେଣାଂହସ୍ତୁରୀୟଂ ଜଗୃହୁଃ ସ୍ତ୍ରିୟଃ ॥ ୯॥

ପୁରୁଷମାନଙ୍କ ସହିତ ସହବାସ କରିବାର ବର ପ୍ରାପ୍ତ କରିଥିବା ସ୍ତ୍ରୀମାନେ ବ୍ରହ୍ମହତ୍ୟାର ତୃତୀୟ ଏକ ଚତୁର୍ଥାଂଶ ସ୍ବୀକାର କରିନେଲେ, ଯାହା ପ୍ରତ୍ୟେକ ମାସରେ ରଜ ରୂପରେ ସେମାନଙ୍କଠାରେ ଦେଖା ଯାଇଥାଏ |

ରଜୋରୂପେଣ ତାସ୍ୱଂହୋ ମାସି ମାସି ପ୍ରଦୃଶ୍ୟତେ ।

ଦ୍ରବ୍ୟଭୂୟୋବରେଣାପସ୍ତୁରୀୟଂ ଜଗୃହୁର୍ମଲମ୍ ॥ ୧୦॥

ଜଳକୁ ଏହି ବର ପ୍ରାପ୍ତ ଥିଲା ଯେ ଯେତେ ଖର୍ଚ୍ଚ କଲେ ବି ନିର୍ଝର ଆଦି ରୂପରେ ତାହା ନିରନ୍ତର ବୃଦ୍ଧି ଲାଭ କରୁଥିବ | ବ୍ରହ୍ମହତ୍ୟା ଦୋଷର ଚତୁର୍ଥ ଏକ ଚତୁର୍ଥାଂଶ ସ୍ବୀକାର କରିବାର ପରିଣାମ ସ୍ବରୂପ ସେଥିରେ ଫେଣ ଏବଂ ବୁଦବୁଦ ଦେଖିବାକୁ ମିଳିଥାଏ | ମନୁଷ୍ୟ ତାହାକୁ ଆଡେଇ ଜଳ ଗ୍ରହଣ କରିଥାଏ |

ତାସୁ ବୁଦ୍ବୁଦଫେନାଭ୍ୟାଂ ଦୃଷ୍ଟଂ ତଦ୍ଧରତି କ୍ଷିପନ୍ ।

ହତପୁତ୍ରସ୍ତତସ୍ତ୍ୱଷ୍ଟା ଜୁହାବେନ୍ଦ୍ରାୟ ଶତ୍ରବେ ॥ ୧୧॥

ବିଶ୍ବରୂପଙ୍କର ମୃତ୍ୟୁ ପରେ ତାଙ୍କର ପିତା ତ୍ବଷ୍ଟା ‘ହେ ଇନ୍ଦ୍ରଶତ୍ରୁ ! ତୁମର ଅଭିବୃଦ୍ଧି ହେଉ ଏବଂ ଅତିଶୀଘ୍ର ତୁମେ ନିଜ ଶତ୍ରୁକୁ ବଧ କର’ – ଏହି ମନ୍ତ୍ରରେ ଇନ୍ଦ୍ରଙ୍କର ଶତ୍ରୁ ଉତ୍ପନ୍ନ କରିବା ଅଭିପ୍ରାୟରେ ଯଜ୍ଞ କଲେ |

ଇନ୍ଦ୍ରଶତ୍ରୋ ବିବର୍ଧସ୍ୱ ମା ଚିରଂ ଜହି ବିଦ୍ୱିଷମ୍ ।

ଅଥାନ୍ୱାହାର୍ୟପଚନାଦୁତ୍ଥିତୋ ଘୋରଦର୍ଶନଃ ॥ ୧୨॥

ଯଜ୍ଞ ସମାପ୍ତ ହୁଅନ୍ତେ ଅନ୍ବାହାର୍ଯ-ପଚନ ନାମକ ଅଗ୍ନି (ଦକ୍ଷିଣାଗ୍ନି) ରୁ ଏକ ଭୟାନକ ଦୈତ୍ୟ ପ୍ରକଟ ହେଲା | ତାକୁ ଦେଖିଲେ ମନେ ହେଉଥିଲା ସତେ ଯେପରି ସଂସାରକୁ ନାଶ କରିବା ପାଇଁ ପ୍ରଳୟକାଳୀନ ବିକରାଳ କାଳ ହିଁ ପ୍ରକଟ ହୋଇଛି |

କୃତାନ୍ତ ଇବ ଲୋକାନାଂ ଯୁଗାନ୍ତସମୟେ ଯଥା ।

ବିଷ୍ୱଗ୍ୱିବର୍ଧମାନଂ ତମିଷୁମାତ୍ରଂ ଦିନେ ଦିନେ ॥ ୧୩॥

ପରୀକ୍ଷିତ ! ସେ ପ୍ରତିଦିନ ନିଜ ଶରୀରକୁ ସବୁ ଦିଗରୁ ତୀର ପରି ବଢାଇବାରେ ଲାଗିଥାଏ | ଅଗ୍ନିଦଗ୍ଧ ପାହାଡ ପରି ଦେଖିବାକୁ ସେ କଳା ଏବଂ ବହୁତ ମୋଟା ଥିଲା | ତାର ଶରୀରରୁ ସନ୍ଧ୍ୟାକାଳୀନ ମେଘ ସଦୃଶ ଦୀପ୍ତି ନିର୍ଗତ ହେଉଥିଲା |

ଦଗ୍ଧଶୈଲପ୍ରତୀକାଶଂ ସନ୍ଧ୍ୟାଭ୍ରାନୀକବର୍ଚସମ୍ ।

ତପ୍ତତାମ୍ରଶିଖାଶ୍ମଶ୍ରୁଂ ମଧ୍ୟାହ୍ନାର୍କୋଗ୍ରଲୋଚନମ୍ ॥ ୧୪॥

ତାହାର କେଶ, ଦାଢ଼ୀ ଏବଂ ନିଶ ତପ୍ତ ତାମ୍ର ପରି ଲାଲ ରଙ୍ଗର ତଥା ନେତ୍ର ଦ୍ବିପ୍ରହରର ସୂର୍ଯ୍ୟ ପରି ପ୍ରଚଣ୍ଡ ଥିଲା |

ଦେଦୀପ୍ୟମାନେ ତ୍ରିଶିଖେ ଶୂଲ ଆରୋପ୍ୟ ରୋଦସୀ ।

ନୃତ୍ୟନ୍ତମୁନ୍ନଦନ୍ତଂ ଚ ଚାଲୟନ୍ତଂ ପଦା ମହୀମ୍ ॥ ୧୫॥

ଚକମକ ତିନୋଟି ଶୃଙ୍ଗବିଶିଷ୍ଟ ତ୍ରିଶୂଳ ଧରି ସେ ଯେତେବେଳେ ନାଚି ଡେଇଁ ଚିତ୍କାର କରୁଥାଏ, ସେତେବେଳେ ପୃଥିବୀ ଥରି ଉଠେ | ଏପରି ମନେହୁଏ, ସତେ ଯେପରି ସେହି ତ୍ରିଶୂଳରେ ସେ ଅନ୍ତରୀକ୍ଷକୁ ଟେକି ଧରିଛି |

ଦରୀଗମ୍ଭୀରବକ୍ତ୍ରେଣ ପିବତା ଚ ନଭସ୍ତଲମ୍ ।

ଲିହତା ଜିହ୍ୱୟର୍କ୍ଷାଣି ଗ୍ରସତା ଭୁବନତ୍ରୟମ୍ ॥ ୧୬॥

ମହତା ରୌଦ୍ରଦଂଷ୍ଟ୍ରେଣ ଜୃମ୍ଭମାଣଂ ମୁହୁର୍ମୁହୁଃ ।

ବିତ୍ରସ୍ତା ଦୁଦ୍ରୁବୁର୍ଲୋକା ବୀକ୍ଷ୍ୟ ସର୍ୱେ ଦିଶୋ ଦଶ ॥ ୧୭॥

ସେ ବାରମ୍ବାର ହାଇ ମାରୁଥାଏ | ତଦ୍ବାରା ଯେତେବେଳେ ତାର କନ୍ଦରା ସଦୃଶ ଗଭୀର ମୁଖ ଖୋଲିଯାଏ, ସେତେବେଳେ ମନେହୁଏ ସତେ ଯେପରି ସେ ସମ୍ପୂର୍ଣ୍ଣ ଆକାଶକୁ ଗିଳିଯିବ, ଜିଭରେ ସବୁ ନକ୍ଷତ୍ରଙ୍କୁ ଚାଟିଦେବ ଏବଂ ନିଜର ବିଶାଳ-ବିକରାଳ ଦନ୍ତଯୁକ୍ତ ମୁହଁରେ ତ୍ରିଲୋକକୁ ଚର୍ବଣ କରିଦେବ | ତାହାର ଭୟାବନା ରୂପକୁ ଦେଖି ସମସ୍ତେ ଡରି ଯାଇ ଏଣେତେଣେ ଧାଇଁବାରେ ଲାଗିଲେ |

ଯେନାବୃତା ଇମେ ଲୋକାସ୍ତମସା ତ୍ୱାଷ୍ଟ୍ରମୂର୍ତିନା ।

ସ ବୈ ବୃତ୍ର ଇତି ପ୍ରୋକ୍ତଃ ପାପଃ ପରମଦାରୁଣଃ ॥ ୧୮॥

ପରୀକ୍ଷିତ ! ତ୍ବଷ୍ଟାଙ୍କର ସେହି ତମୋଗୁଣୀ ପୁତ୍ର ସମ୍ପୂର୍ଣ୍ଣ ଲୋକକୁ ଆବୃତ କରି ରଖିଥିଲା | ସେଥିପାଇଁ ସେହି ପାପୀ ଏବଂ ଅତ୍ୟନ୍ତ କ୍ରୂର ପୁରୁଷର ନାମ ବୃତ୍ରାସୁର ରଖାଗଲା |

ତଂ ନିଜଘ୍ନୁରଭିଦ୍ରୁତ୍ୟ ସଗଣା ବିବୁଧର୍ଷଭାଃ ।

ସ୍ୱୈଃ ସ୍ୱୈର୍ଦିବ୍ୟାସ୍ତ୍ରଶସ୍ତ୍ରୌଘୈଃ ସୋଽଗ୍ରସତ୍ତାନି କୃତ୍ସ୍ନଶଃ ॥ ୧୯॥

ବଡ ବଡ ଦେବତା ନିଜ ନିଜ ଅନୁଯାୟୀମାନଙ୍କ ସହିତ ଏକସଙ୍ଗେ ତାକୁ ଆକ୍ରମଣ କଲେ ତଥା ନିଜ-ନିଜର ଦିବ୍ୟ ଅସ୍ତ୍ର-ଶସ୍ତ୍ର ଦ୍ବାରା ତାକୁ ପ୍ରହାର କରିବାରେ ଲାଗିଲେ | କିନ୍ତୁ ବୃତ୍ରାସୁର ସେମାନଙ୍କର ସବୁ ଅସ୍ତ୍ର-ଶସ୍ତ୍ରକୁ ଗିଳିଦେଲା |

ତତସ୍ତେ ବିସ୍ମିତାଃ ସର୍ୱେ ବିଷଣ୍ଣା ଗ୍ରସ୍ତତେଜସଃ ।

ପ୍ରତ୍ୟଞ୍ଚମାଦିପୁରୁଷମୁପତସ୍ଥୁଃ ସମାହିତାଃ ॥ ୨୦॥

ଦେବତାମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, ସେମାନଙ୍କର ସମସ୍ତ ପ୍ରଭାବ ସମାପ୍ତ ହେବାରେ ଲାଗିଲା | ସେମାନେ ସମସ୍ତେ ଦୀନ-ହୀନ ଏବଂ ଉଦାସ ହୋଇଗଲେ ତଥା ଏକାଗ୍ର ଚିତ୍ତରେ ନିଜ ହୃଦୟରେ ବିରାଜମାନ ଆଦିପୁରୁଷ ଶ୍ରୀନାରାୟଣଙ୍କର ଶରଣାପନ୍ନ ହେଲେ |

ଦେବା ଊଚୁଃ

ବାୟ୍ୱମ୍ବରାଗ୍ନ୍ୟପ୍କ୍ଷିତୟସ୍ତ୍ରିଲୋକା

ବ୍ରହ୍ମାଦୟୋ ଯେ ବୟମୁଦ୍ୱିଜନ୍ତଃ ।

ହରାମ ଯସ୍ମୈ ବଲିମନ୍ତକୋଽସୌ

ବିଭେତି ଯସ୍ମାଦରଣଂ ତତୋ ନଃ ॥ ୨୧॥

ଦେବତାମାନେ ଭଗବାନଙ୍କର ପ୍ରାର୍ଥନା କଲେ – ବାୟୁ, ଆକାଶ, ଅଗ୍ନି, ଜଳ ଏବଂ ପୃଥିବୀ – ଏହି ପଞ୍ଚଭୂତ, ଏମାନଙ୍କ ଦ୍ବାରା ନିର୍ମିତ ତ୍ରିଲୋକର ଅଧିପତି ବ୍ରହ୍ମାଦି ତଥା ଆମେ ସବୁ ଦେବତା ଯେଉଁ କାଳକୁ ଭୟ କରି ତାହାକୁ ପୂଜା-ସାମଗ୍ରୀ ଆଦି ଭେଟି ପ୍ରଦାନ କରିଥାଉ, ସେହି କାଳ ଭଗବାନଙ୍କ ପ୍ରତି ଭୟଭୀତ ରହିଥାଏ |

ଅବିସ୍ମିତଂ ତଂ ପରିପୂର୍ଣକାମଂ

ସ୍ୱେନୈବ ଲାଭେନ ସମଂ ପ୍ରଶାନ୍ତମ୍ ।

ବିନୋପସର୍ପତ୍ୟପରଂ ହି ବାଲିଶଃ

ଶ୍ୱଲାଙ୍ଗୁଲେନାତିତିତର୍ତି ସିନ୍ଧୁମ୍ ॥ ୨୨॥

ପ୍ରଭୁ ! ଆପଣଙ୍କ ପାଇଁ କୌଣସି ବିଷୟ ନୂଆ ହୋଇ ନ ଥିବାରୁ, କୌଣସି ଘଟଣାରେ ଆପଣ ବିସ୍ମିତ ହୁଅନ୍ତି ନାହିଁ | ନିଜ ସ୍ବରୂପର ସାକ୍ଷାତକାରରେ ହିଁ ଆପଣ ସର୍ବତୋ ଭାବରେ ପୂର୍ଣ୍ଣକାମ, ସମ ଏବଂ ଶାନ୍ତ ଅଟନ୍ତି | ଆପଣଙ୍କୁ ଛାଡି ଯିଏ ଅନ୍ୟ କାହାର ଶରଣ ନେଇଥାଏ, ସେ ମୂର୍ଖ ଅଟେ | ସେ ଯେପରି କୁକୁରର ଲାଞ୍ଜ ଧରି ସମୁଦ୍ର ପାର କରିବାକୁ ଚେଷ୍ଟା କରୁଥାଏ |

ଯସ୍ୟୋରୁଶୃଙ୍ଗେ ଜଗତୀଂ ସ୍ୱନାବଂ

ମନୁର୍ୟଥାଽଽବଧ୍ୟ ତତାର ଦୁର୍ଗମ୍ ।

ସ ଏବ ନସ୍ତ୍ୱାଷ୍ଟ୍ରଭୟାଦ୍ଦୁରନ୍ତା-

ତ୍ତ୍ରାତାଽଽଶ୍ରିତାନ୍ ବାରିଚରୋଽପି ନୂନମ୍ ॥ ୨୩॥

ପୂର୍ବ କଳ୍ପର ଅନ୍ତରେ ବୈବସ୍ବତ ମନୁ ଯାହାର ବିଶାଳ ଶିଂଘରେ ପୃଥିବୀରୂପ ନୌକାକୁ ବାନ୍ଧି ଅନାୟାସରେ ପ୍ରଳୟକାଳୀନ ସଂକଟରୁ ରକ୍ଷା ପାଇ ଯାଇଥିଲେ, ସେହି ମତ୍ସ୍ୟ ଭଗବାନ ନିଜର ଶରଣାଗତ ଆମ୍ଭମାନଙ୍କୁ ବୃତ୍ରାସୁର ଦ୍ବାରା ଉପସ୍ଥିତ ହୋଇଥିବା ଦୁସ୍ତର ଭୟରୁ ନିଶ୍ଚୟ ରକ୍ଷା କରିବେ |

ପୁରା ସ୍ୱୟମ୍ଭୂରପି ସଂୟମାମ୍ଭ-

ସ୍ୟୁଦୀର୍ଣବାତୋର୍ମିରବୈଃ କରାଲେ ।

ଏକୋଽରବିନ୍ଦାତ୍ପତିତସ୍ତତାର

ତସ୍ମାଦ୍ଭୟାଦ୍ୟେନ ସ ନୋଽସ୍ତୁ ପାରଃ ॥ ୨୪॥

ପ୍ରାଚୀନ କାଳରେ ପ୍ରଚଣ୍ଡ ବାୟୁପ୍ରବାହର ଆଘାତରେ ଉତ୍ପନ୍ନ ହୋଇଥିବା ଉତ୍ତାଳ ତରଙ୍ଗ ଯୋଗୁଁ ଭଗବାନଙ୍କ ନାଭିକମଳରୁ ବ୍ରହ୍ମାଜୀ ପ୍ରଳୟକାଳୀନ ଜଳ ମଧ୍ୟକୁ ଖସି ପଡିଥିଲେ | ଯଦିଓ ସେତେବେଳେ ସେ ଅସହାୟ ଥିଲେ, ତଥାପି ଯାହାର କୃପାରୁ ସେ ସେହି ବିପତ୍ତିରୁ ରକ୍ଷା ପାଇ ଯାଇଥିଲେ, ସେହି ଭଗବାନ ଆମ୍ଭମାନଙ୍କୁ ଏହି ସଂକଟରୁ ଉଦ୍ଧାର କରନ୍ତୁ |

ଯ ଏକ ଈଶୋ ନିଜମାୟଯା ନଃ

ସସର୍ଜ ଯେନାନୁସୃଜାମ ବିଶ୍ୱମ୍ ।

ବୟଂ ନ ଯସ୍ୟାପି ପୁରଃ ସମୀହତଃ

ପଶ୍ୟାମ ଲିଙ୍ଗଂ ପୃଥଗୀଶମାନିନଃ ॥ ୨୫॥

ସେହି ପ୍ରଭୁ ଅଦ୍ବିତୀୟ ହୋଇ ମଧ୍ୟ ନିଜ ମାୟାରେ ଆମ୍ଭମାନଙ୍କର ରଚନା କରିଛନ୍ତି ଏବଂ ତାଙ୍କ ଅନୁଗ୍ରହରେ ଆମ୍ଭେମାନେ ଏହି ସୃଷ୍ଟିକାର୍ଯ୍ୟ ସଞ୍ଚାଳନ କରିଥାଉ | ଯଦିଓ ଆମ ସମ୍ମୁଖରେ ହିଁ ସେ ସବୁ କାର୍ଯ୍ୟ କରି-କରାଉ ଥାଆନ୍ତି, ତଥାପି ‘ଆମେ ସ୍ବତନ୍ତ୍ର ଈଶ୍ବର ଅଟୁ – ଏହି ଅଭିମାନ କାରଣରୁ ଆମ୍ଭେମାନେ ତାଙ୍କର ସ୍ଵରୂପକୁ ଦେଖି ପାରୁନାହିଁ |

ଯୋ ନଃ ସପତ୍ନୈର୍ଭୃଶମର୍ଦ୍ୟମାନାନ୍

ଦେବର୍ଷିତିର୍ୟଙ୍ନୃଷୁ ନିତ୍ୟ ଏବ ।

କୃତାବତାରସ୍ତନୁଭିଃ ସ୍ୱମାୟଯା

କୃତ୍ୱାଽଽତ୍ମସାତ୍ପାତି ଯୁଗେ ଯୁଗେ ଚ ॥ ୨୬॥

ସେହି ପ୍ରଭୁ ଯେତେବେଳେ ଦେବତାମାନଙ୍କୁ ନିଜ ଶତ୍ରୁମାନଙ୍କ ଦ୍ବାରା ପୀଡିତ ହେଉଥିବା ଦେଖନ୍ତି, ସେତେବେଳେ ବାସ୍ତବରେ ନିର୍ବିକାର ହୋଇ ମଧ୍ୟ ନିଜ ମାୟାର ଆଶ୍ରୟ ଗ୍ରହଣ କରି ସେ ଦେବତା, ଋଷି, ପଶୁ-ପକ୍ଷୀ ଏବଂ ମନୁଷ୍ୟ ଆଦି ଯୋନିରେ ଅବତାର ନିଅନ୍ତି ଏବଂ ଯୁଗେ ଯୁଗେ ଆମକୁ ନିଜର ମନେକରି ଆମ୍ଭମାନଙ୍କର ରକ୍ଷା କରିଥାଆନ୍ତି |

ତମେବ ଦେବଂ ବୟମାତ୍ମଦୈବତଂ

ପରଂ ପ୍ରଧାନଂ ପୁରୁଷଂ ବିଶ୍ୱମନ୍ୟମ୍ ।

ବ୍ରଜାମ ସର୍ୱେ ଶରଣଂ ଶରଣ୍ୟଂ

ସ୍ୱାନାଂ ସ ନୋ ଧାସ୍ୟତି ଶଂ ମହାତ୍ମା ॥ ୨୭॥

ସେ ହିଁ ସମସ୍ତଙ୍କର ଆତ୍ମା ଏବଂ ପରମାରାଧ୍ୟ ଦେବ ଅଟନ୍ତି | ପ୍ରକୃତି ଏବଂ ପୁରୁଷ ରୂପରେ ସେ ହିଁ ବିଶ୍ବର କାରଣ ଅଟନ୍ତି | ସେ ବିଶ୍ବଠାରୁ ପୃଥକ୍ ଅଟନ୍ତି ଏବଂ ବିଶ୍ବରୂପ ମଧ୍ୟ ଅଟନ୍ତି | ଆମେ ସବୁ ସେହି ଶରଣାଗତବତ୍ସକ ଭଗବାନ ଶ୍ରୀହରିଙ୍କର ଶରଣ ଗ୍ରହଣ କରୁଛୁ | ଉଦାରଶିରୋମଣି ପ୍ରଭୁ ନିଶ୍ଚିତ ଭାବରେ ତାଙ୍କର ନିଜଜନ ଦେବତାମାନଙ୍କର କଲ୍ୟାଣ କରିବେ |

ଶ୍ରୀଶୁକ ଉବାଚ

ଇତି ତେଷାଂ ମହାରାଜ ସୁରାଣାମୁପତିଷ୍ଠତାମ୍ ।

ପ୍ରତୀଚ୍ୟାଂ ଦିଶ୍ୟଭୂଦାବିଃ ଶଙ୍ଖଚକ୍ରଗଦାଧରଃ ॥ ୨୮॥

ଶ୍ରୀଶୁକଦେବ କହୁଛନ୍ତି – ମହାରାଜ ! ଦେବତାମାନେ ଏହିପରି ଭାବରେ ଭଗବାନଙ୍କର ସ୍ତୁତି କରିବାରୁ ସ୍ବୟଂ ଶଂଖ-ଚକ୍ର-ଗଦା-ପଦ୍ମଧାରୀ ଭଗବାନ ସେମାନଙ୍କ ସମ୍ମୁଖରେ ପଶ୍ଚିମ ଦିଗରେ (ଅନ୍ତର୍ଦେଶରେ) ପ୍ରକଟ ହେଲେ |

ଆତ୍ମତୁଲ୍ୟୈଃ ଷୋଡଶଭିର୍ୱିନା ଶ୍ରୀବତ୍ସକୌସ୍ତୁଭୌ ।

ପର୍ୟୁପାସିତମୁନ୍ନିଦ୍ରଶରଦମ୍ବୁରୁହେକ୍ଷଣମ୍ ॥ ୨୯॥

ଭଗବାନଙ୍କର ନେତ୍ର ଶରତ୍କାଳୀନ କମଳ ପରି ପ୍ରଫୁଲ୍ଲିତ ଥିଲା | ତାଙ୍କ ସହିତ ଷୋଳଜଣ ପାର୍ଷଦ ତାଙ୍କ ସେବାରେ ନିଯୁକ୍ତ ଥିଲେ | ଦେଖିବାକୁ ସେମାନେ ସମସ୍ତେ ଭଗବାନଙ୍କ ପରି ଥିଲେ | କେବଳ ସେମାନଙ୍କ ବକ୍ଷସ୍ଥଳରେ ଶ୍ରୀବତ୍ସ-ଚିହ୍ନ ଏବଂ ଗଳାରେ କୌସ୍ତୁଭମଣି ନ ଥିଲା |

ଦୃଷ୍ଟ୍ୱା ତମବନୌ ସର୍ୱ ଈକ୍ଷଣାହ୍ଲାଦବିକ୍ଲବାଃ ।

ଦଣ୍ଡବତ୍ପତିତା ରାଜଞ୍ଛନୈରୁତ୍ଥାୟ ତୁଷ୍ଟୁବୁଃ ॥ ୩୦॥

ପରୀକ୍ଷିତ ! ଭଗବାନଙ୍କର ଦର୍ଶନ ପ୍ରାପ୍ତ କରି ସବୁ ଦେବତା ଆନନ୍ଦ-ବିହ୍ବଳ ହୋଇ ଉଠିଲେ | ସେମାନେ ଧରାଶାୟୀ ହୋଇ ସାଷ୍ଟାଙ୍ଗ ପ୍ରଣାମ କଲେ ଏବଂ ତାପରେ ଧୀରେ ଧୀରେ ଉଠି ଭଗବାନଙ୍କର ସ୍ତୁତି କରିବାରେ ଲାଗିଲେ |

ଦେବା ଊଚୁଃ

ନମସ୍ତେ ଯଜ୍ଞବୀର୍ୟାୟ ବୟସେ ଉତ ତେ ନମଃ ।

ନମସ୍ତେ ହ୍ୟସ୍ତଚକ୍ରାୟ ନମଃ ସୁପୁରୁହୂତୟେ ॥ ୩୧॥

ଦେବତାମାନେ କହିଲେ – ଭଗବନ୍ ! ଯଜ୍ଞ ଦ୍ବାରା ସ୍ବର୍ଗାଦି ଦେବାର ଶକ୍ତି ତଥା ସେହି ଫଳର ସୀମା ନିଶ୍ଚିତ କରୁଥିବା କାଳ ଆପଣ ହିଁ ଅଟନ୍ତି | ଯଜ୍ଞରେ ବିଘ୍ନ ଉତ୍ପନ୍ନ କରୁଥିବା ଦୈତ୍ୟମାନଙ୍କୁ ଆପଣ ଚକ୍ରରେ ଛିନ୍ନ-ଭିନ୍ନ କରିଦିଅନ୍ତି | ଅତଏବ ଆପଣଙ୍କ ନାମର କୌଣସି ସୀମା ନାହିଁ | ଆମେ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛୁ |

ଯତ୍ତେ ଗତୀନାଂ ତିସୃଣାମୀଶିତୁଃ ପରମଂ ପଦମ୍ ।

ନାର୍ୱାଚୀନୋ ବିସର୍ଗସ୍ୟ ଧାତର୍ୱେଦିତୁମର୍ହତି ॥ ୩୨॥

ହେ ବିଧାତା ! ସତ୍ତ୍ବ, ରଜ, ତମ – ଏହି ତିନିଗୁଣ ଅନୁସାରେ ଜୀବକୁ ଯେଉଁ ଉତ୍ତମ, ମଧ୍ୟମ ଏବଂ ନିକୃଷ୍ଟ ଗତି ପ୍ରାପ୍ତ ହୋଇଥାଏ, ତାହାର ନିୟାମକ ଆପଣ ହିଁ ଅଟନ୍ତି | ଆପଣଙ୍କ ପରମପଦର ବାସ୍ତବିକ ସ୍ବରୂପ ଏହି କାର୍ଯ୍ୟରୂପ ଜଗତକୁ କୌଣସି ଆଧୁନିକ ପ୍ରାଣୀ ଜାଣିପାରିବେ ନାହିଁ |

ଓଂ ନମସ୍ତେଽସ୍ତୁ ଭଗବନ୍ ନାରାୟଣ

ବାସୁଦେବାଽଽଦିପୁରୁଷ ମହାପୁରୁଷ ମହାନୁଭାବ

ପରମମଙ୍ଗଲ ପରମକଲ୍ୟାଣ ପରମକାରୁଣିକ

କେବଲ ଜଗଦାଧାର ଲୋକୈକନାଥ ସର୍ୱେଶ୍ୱର

ଲକ୍ଷ୍ମୀନାଥ ପରମହଂସପରିବ୍ରାଜକୈଃ

ପରମେଣାତ୍ମୟୋଗସମାଧିନା ପରିଭାବିତ-

ପରିସ୍ଫୁଟପାରମହଂସ୍ୟଧର୍ମେଣୋଦ୍ଘାଟିତତମଃ-

କପାଟଦ୍ୱାରେ ଚିତ୍ତେଽପାବୃତ ଆତ୍ମଲୋକେ

ସ୍ୱୟମୁପଲବ୍ଧନିଜସୁଖାନୁଭବୋ ଭବାନ୍ ॥ ୩୩॥

ହେ ଭଗବନ୍ ! ହେ ନାରାୟଣ ! ହେ ବାସୁଦେବ ! ଆପଣ ଆଦିପୁରୁଷ (ଜଗତର ପରମ କାରଣ) ଏବଂ ମହାପୁରୁଷ (ପୁରୁଷୋତ୍ତମ) ଅଟନ୍ତି | ଆପଣଙ୍କର ମହିମା ଅସୀମ ଅଟେ | ଆପଣ ପରମ ମଙ୍ଗଳମୟ, ପରମ କଲ୍ୟାଣ-ସ୍ବରୂପ ଓ ପରମ ଦୟାଳୁ ଅଟନ୍ତି | ଆପଣ ହିଁ ସମ୍ପୂର୍ଣ୍ଣ ଜଗତର ଆଧାର ଏବଂ ଅଦ୍ବିତୀୟ ଅଟନ୍ତି, କେବଳ ଆପଣ ହିଁ ସାରା ଜଗତର ସ୍ବାମୀ ଅଟନ୍ତି | ଆପଣ ସର୍ବେଶ୍ବର ଅଟନ୍ତି ତଥା ସୌନ୍ଦର୍ଯ୍ୟ ଏବଂ ମୃଦୁଳତାର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କର ପରମ ପତି ଅଟନ୍ତି | ପ୍ରଭୁ ! ପରମହଂସ ପରିବ୍ରାଜକ ବିରକ୍ତ ମହାତ୍ମା ଯେତେବେଳେ ଆତ୍ମସଂଯମରୂପ ପରମ ସମାଧିରେ ଆପଣଙ୍କର ଏକନିଷ୍ଠ ଚିନ୍ତନ କରନ୍ତି, ସେତେବେଳେ ସେମାନଙ୍କର ଶୁଦ୍ଧ ହୃଦୟରେ ପରମହଂସମାନଙ୍କର ଧର୍ମ ବାସ୍ତବିକ ଭଗବଦ୍-ଭଜନର ଉଦୟ ହୋଇଥାଏ | ତଦ୍ବାରା ସେମାନଙ୍କ ହୃଦୟର ଅଜ୍ଞାନରୂପ କବାଟ ଖୋଲିଯାଏ ଏବଂ ସେମାନଙ୍କର ଆତ୍ମଲୋକରେ ଆପଣ କୌଣସି ଆବରଣ ନ ରଖି ଆତ୍ମାନନ୍ଦ ରୂପରେ ପ୍ରକଟ ହୋଇଯାଆନ୍ତି ଏବଂ ଆପଣଙ୍କର ଅନୁଭବ କରି ସେମାନେ ବିଭୋର ହୋଇଯାଆନ୍ତି | ଆମେ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛୁ |

ଦୁରବବୋଧ ଇବ ତବାୟଂ ବିହାରୟୋଗୋ

ଯଦଶରଣୋଽଶରୀର ଇଦମନବେକ୍ଷିତାସ୍ମ-

ତ୍ସମବାୟ ଆତ୍ମନୈବାବିକ୍ରିୟମାଣେନ

ସଗୁଣମଗୁଣଃ ସୃଜସି ପାସି ହରସି ॥ ୩୪॥

ଭଗବନ୍ ! ଆପଣଙ୍କ ଲୀଳାର ରହସ୍ୟ ଜାଣିବା ଅତ୍ୟନ୍ତ କଠିନ ଅଟେ | କାରଣ ଆପଣ କୌଣସି ଆଶ୍ରୟ ଏବଂ ପ୍ରାକୃତ ଶରୀର ବିନା, ଆମ୍ଭମାନଙ୍କ ସହଯୋଗର ଅପେକ୍ଷା ନ କରି, ନିର୍ଗୁଣ ଏବଂ ନିର୍ବିକାର ହୋଇ ମଧ୍ୟ, ସ୍ବୟଂ ହିଁ ଏହି ସଗୁଣ ଜଗତର ସୃଷ୍ଟି, ରକ୍ଷା ଓ ସଂହାର କରନ୍ତି |

ଅଥ ତତ୍ର ଭବାନ୍ କିଂ ଦେବଦତ୍ତବଦିହ

ଗୁଣବିସର୍ଗପତିତଃ ପାରତନ୍ତ୍ର୍ୟେଣ ସ୍ୱକୃତ-

କୁଶଲାକୁଶଲଂ ଫଲମୁପାଦଦାତ୍ୟାହୋସ୍ୱି-

ଦାତ୍ମାରାମ ଉପଶମଶୀଲଃ ସମଞ୍ଜସଦର୍ଶନ

ଉଦାସ୍ତ ଇତି ହ ବାବ ନ ବିଦାମଃ ॥ ୩୫॥

ଭଗବନ୍ ! ଆମ୍ଭେମାନେ ଏହା ମଧ୍ୟ ଠିକ୍ ଠିକ୍ ବୁଝି ନ ଥାଉ ଯେ ସୃଷ୍ଟିକର୍ମରେ ଆପଣ ଦେବଦତ୍ତ ଆଦି କୌଣସି ବ୍ୟକ୍ତିବିଶେଷଙ୍କ ପରି ଗୁଣମାନଙ୍କର କାର୍ଯ୍ୟରୂପ ଏହି ଜଗତରେ ଜୀବରୂପରେ ପ୍ରକଟ ହୁଅନ୍ତି ଏବଂ କର୍ମର ଅଧୀନସ୍ତ ରହି ଭଲ-ମନ୍ଦ କର୍ମର ଫଳ ଭୋଗନ୍ତି ଅଥବା ଆତ୍ମାରାମ, ଶାନ୍ତସ୍ବଭାବ ଏବଂ ଉଦାସୀନ ସାକ୍ଷୀମାତ୍ର ରହନ୍ତି ତଥା ସର୍ବତ୍ର ସମଭାବ ରଖନ୍ତି |

ନ ହି ବିରୋଧ ଉଭୟଂ ଭଗବତ୍ୟପରିମିତ-

ଗୁଣଗଣ ଈଶ୍ୱରେଽନବଗାହ୍ୟମାହାତ୍ମ୍ୟେଽର୍ୱାଚୀନ-

ବିକଲ୍ପବିତର୍କବିଚାରପ୍ରମାଣାଭାସକୁତର୍କ-

ଶାସ୍ତ୍ରକଲିଲାନ୍ତଃକରଣାଶ୍ରୟଦୁରବଗ୍ରହବାଦିନାଂ

ବିବାଦାନବସର ଉପରତସମସ୍ତମାୟାମୟେ

କେବଲ ଏବାତ୍ମମାୟାମନ୍ତର୍ଧାୟ କୋ

ନ୍ୱର୍ଥୋ ଦୁର୍ଘଟ ଇବ ଭବତି ସ୍ୱରୂପଦ୍ୱୟାଭାବାତ୍ ॥ ୩୬॥

ଆମ୍ଭେମାନେ ତ ଏପରି ଜାଣୁ ଯେ ଯଦି ଅବା ଆପଣଙ୍କ ନିମିତ୍ତ ଏହି ଦୁଇଟି ବିଷୟ ପ୍ରଯୁଜ୍ୟ ଅଟେ, ତେବେ ମଧ୍ୟ ଆପଣଙ୍କଠାରେ କୌଣସି ବିରୋଧର ଅବକାଶ ନାହିଁ | କାରଣ ଆପଣ ସ୍ବୟଂ ଭଗବାନ; ଆପଣଙ୍କର ଗୁଣ ଅଗଣିତ, ମହିମା ଅଗାଧ ଏବଂ ଆପଣ ସର୍ବଶକ୍ତିମାନ ଅଟନ୍ତି | ଆଧୁନିକ ମନୁଷ୍ୟ ଅନେକ ପ୍ରକାରର ବିକଳ୍ପ, ବିତର୍କ, ବିଚାର, ମିଥ୍ୟା ପ୍ରମାଣ ଏବଂ କୁତର୍କପୂର୍ଣ୍ଣ ଶାସ୍ତ୍ର ଅଧ୍ୟୟନ କରି ନିଜ ହୃଦୟକୁ ଦୂଷିତ କରିନିଅନ୍ତି ଏବଂ ସେହି କାରଣରୁ ସେମାନେ ଦୁରାଗ୍ରହୀ ହୋଇଯାଆନ୍ତି | ସେମାନଙ୍କର ବାଦ-ବିବାଦ ପାଇଁ ଆପଣଙ୍କଠାରେ କୌଣସି ଅବସର ହିଁ ନାହିଁ | ଆପଣଙ୍କର ବାସ୍ତବିକ ସ୍ବରୂପ ସମସ୍ତ ମାୟାମୟ ବସ୍ତୁର ଉର୍ଦ୍ଧ୍ବରେ, କେବଳ ନିର୍ଗୁଣ ଅଟେ | ସେହି ସ୍ବରୂପରେ ଆପଣ ଯେତେବେଳେ ନିଜ ମାୟାକୁ ଛୁପାଇ ନିଅନ୍ତି, ସେତେବେଳେ କଣ ଅବା ଆପଣଙ୍କଠାରେ ନ ଥିବ | ଅତଏବ ଆପଣ ସାଧାରଣ ପୁରୁଷ ପରି କର୍ତ୍ତା-ଭୋକ୍ତା ମଧ୍ୟ ହୋଇପାରନ୍ତି ଏବଂ ମହାପୁରୁଷମାନଙ୍କ ପରି ଉଦାସୀନ ମଧ୍ୟ ଅଟନ୍ତି | ବସ୍ତୁତଃ ଆପଣଙ୍କଠାରେ କର୍ତ୍ତୁତ୍ବ-ଭୋକ୍ତୃତ୍ବ ନାହିଁ କି ଉଦାସୀନତା ମଧ୍ୟ ନାହିଁ | ଆପଣ ଉଭୟରୁ ବିଲକ୍ଷଣ, ଅନିର୍ବଚନୀୟ ଅଟନ୍ତି |

ସମବିଷମମତୀନାଂ ମତମନୁସରସି ଯଥା

ରଜ୍ଜୁଖଣ୍ଡଃ ସର୍ପାଦିଧିୟାମ୍ ॥ ୩୭॥

ଖଣ୍ଡେ ଦଉଡି ଯେପରି ଭ୍ରାନ୍ତ ପୁରୁଷଙ୍କୁ ସର୍ପ, ମାଳା, ଧାରା ଆଦି ରୂପରେ ପ୍ରତୀତ ହେଉଥିବା ବେଳେ ବୁଦ୍ଧିମାନ ବ୍ୟକ୍ତିଙ୍କୁ ଦଉଡି ହିଁ ମନେ ହୋଇଥାଏ, ଠିକ୍ ସେହିପରି ଆପଣ ଭ୍ରାନ୍ତ ବୁଦ୍ଧିଯୁକ୍ତ ବ୍ୟକ୍ତିଙ୍କୁ କର୍ତ୍ତା, ଭୋକ୍ତା ଆଦି ଅନେକ ରୂପରେ ପ୍ରତୀତ ହେଉଥିବା ବେଳେ ଜ୍ଞାନୀକୁ ଶୁଦ୍ଧ ସଚ୍ଚିଦାନନ୍ଦ ରୂପରେ ଅନୁଭୂତ ହୋଇଥାଆନ୍ତି | ଆପଣ ସମସ୍ତଙ୍କ ବୁଦ୍ଧିର ଅନୁସରଣ କରନ୍ତି |

ସ ଏବ ହି ପୁନଃ ସର୍ୱବସ୍ତୁନି ବସ୍ତୁସ୍ୱରୂପଃ

ସର୍ୱେଶ୍ୱରଃ ସକଲଜଗତ୍କାରଣକାରଣଭୂତଃ

ସର୍ୱପ୍ରତ୍ୟଗାତ୍ମତ୍ୱାତ୍ସର୍ୱଗୁଣାଭାସୋପଲକ୍ଷିତ

ଏକ ଏବ ପର୍ୟବଶେଷିତଃ ॥ ୩୮॥

ବିଚାରପୂର୍ବକ ଅନୁଧ୍ୟାନ କଲେ ଜାଣିହୁଏ ଯେ ଆପଣ ହିଁ ସମସ୍ତ ବସ୍ତୁରେ ବସ୍ତୁତ୍ବ ରୂପରେ ବିରାଜମାନ ଅଟନ୍ତି, ସମସ୍ତଙ୍କର ସ୍ବାମୀ ଏବଂ ସମ୍ପୂର୍ଣ୍ଣ ଜଗତର କାରଣ ବ୍ରହ୍ମା, ପ୍ରକୃତି ଆଦିଙ୍କର ମଧ୍ୟ କାରଣ ଅଟନ୍ତି | ଆପଣ ସମସ୍ତଙ୍କର ଅନ୍ତର୍ଯ୍ୟାମୀ ଅନ୍ତରାତ୍ମା ଅଟନ୍ତି; ସେଥିପାଇଁ ସଂସାରରେ ଯେତେସବୁ ଗୁଣ-ଦୋଷ ପ୍ରତୀତ ହେଉଥାଏ, ତାହା ସେମାନଙ୍କର ଅଧିଷ୍ଠାନସ୍ବରୂପ ଆପଣଙ୍କ ପ୍ରତି ହିଁ ସଂକେତ କରିଥାଏ ଏବଂ ଶ୍ରୁତିମାନେ ସମସ୍ତ ପଦାର୍ଥର ନିଷେଧ କରି ଅନ୍ତତଃ ସେହି ନିଷେଧର ଅବଧି ରୂପରେ କେବଳ ଆପଣଙ୍କୁ ହିଁ ଅବଶିଷ୍ଟ ରଖନ୍ତି |

ଅଥ ହ ବାବ ତବ ମହିମାମୃତରସସମୁଦ୍ର-

ବିପ୍ରୁଷା ସକୃଦବଲୀଢୟା ସ୍ୱମନସି

ନିଷ୍ୟନ୍ଦମାନାନବରତସୁଖେନ ବିସ୍ମାରିତ-

ଦୃଷ୍ଟଶ୍ରୁତବିଷୟସୁଖଲେଶାଭାସାଃ

ପରମଭାଗବତା ଏକାନ୍ତିନୋ ଭଗବତି

ସର୍ୱଭୂତପ୍ରିୟସୁହୃଦି ସର୍ୱାତ୍ମନି ନିତରାଂ

ନିରନ୍ତରଂ ନିର୍ୱୃତମନସଃ କଥମୁ ହ ବା ଏତେ

ମଧୁମଥନ ପୁନଃ ସ୍ୱାର୍ଥକୁଶଲା ହ୍ୟାତ୍ମପ୍ରିୟ-

ସୁହୃଦଃ ସାଧବସ୍ତ୍ୱଚ୍ଚରଣାମ୍ବୁଜାନୁସେବାଂ

ବିସୃଜନ୍ତି ନ ଯତ୍ର ପୁନରୟଂ ସଂସାରପର୍ୟାବର୍ତଃ ॥ ୩୯॥

ହେ ମଧୁସୂଦନ | ଆପଣଙ୍କର ଅମୃତମୟୀ ମହିମା ରସର ଅନନ୍ତ ସମୁଦ୍ର ଅଟେ | ତାହାର ଛୋଟ ଏକ କଣ, ଅଧିକ ନୁହେଁ, ଥରେ ମାତ୍ର ଆସ୍ବାଦନ କଲେ, ହୃଦୟରେ ନିତ୍ୟ-ନିରନ୍ତର ପରମାନନ୍ଦର ଧାରା ପ୍ରବାହିତ ହେବାରେ ଲାଗେ | ସେହି କାରଣରୁ ଇହଲୋକରେ ବିଷୟ-ଭୋଗରୁ ଯେତେସବୁ ପ୍ରତୀତିମାତ୍ର ସୁଖର ଅନୁଭବ ହୋଇଥାଏ ବା ପରଲୋକ ଆଦିର ଯେଉଁ ସୁଖ ବିଷୟରେ ଶୁଣିବାକୁ ମିଳିଥାଏ – ସେହି ସବୁ ବିଷୟ ଭୂଲି, ଯେଉଁମାନେ ସମସ୍ତ ପ୍ରାଣୀଙ୍କର ପରମ ପ୍ରିୟତମ, ହିତୈଷୀ, ସୁହୃଦ୍ ଏବଂ ସର୍ବାତ୍ମା ଆପଣ ଐଶ୍ବର୍ଯ୍ୟନିଧି ପରମେଶ୍ବରଙ୍କଠାରେ ନିଜ ମନକୁ ନିତ୍ୟ-ନିରନ୍ତର ଲଗାଇ ରଖନ୍ତି ଏବଂ ଆପଣଙ୍କ ଚିନ୍ତନର ହିଁ ସୁଖ ଆସ୍ବାଦନ କରୁଥାଆନ୍ତି, ଆପଣଙ୍କର ସେହି ଅନନ୍ୟପ୍ରେମୀ ପରମ ଭକ୍ତମାନେ ହିଁ ନିଜର ବାସ୍ତବିକ ସ୍ବାର୍ଥ ଏବଂ ପରମାର୍ଥରେ ନିପୁଣ ଅଟନ୍ତି | ହେ ମଧୁସୂଦନ ! ଆପଣଙ୍କର ସେହି ପ୍ରିୟ ସୁହୃଦ୍ ଭକ୍ତଜନ ଭଲା ଆପଣଙ୍କ ଚରଣକମଳର ସେବନରୁ କିପରି ନିବୃତ୍ତ ହେବେ, ଯଦ୍ବାରା ଏହି ଜନ୍ମ-ମୃତ୍ୟୁରୂପ ସଂସାରଚକ୍ରରୁ ସବୁଦିନ ପାଇଁ ମୁକ୍ତି ମିଳିଯାଏ |

ତ୍ରିଭୁବନାତ୍ମଭବନ ତ୍ରିବିକ୍ରମ ତ୍ରିନୟନ

ତ୍ରିଲୋକମନୋହରାନୁଭାବ ତବୈବ ବିଭୂତୟୋ

ଦିତିଜଦନୁଜାଦୟଶ୍ଚାପି ତେଷାମନୁପକ୍ରମ-

ସମୟୋଽୟମିତି ସ୍ୱାତ୍ମମାୟଯା

ସୁରନରମୃଗମିଶ୍ରିତଜଲଚରାକୃତିଭି-

ର୍ୟଥାପରାଧଂ ଦଣ୍ଡଂ ଦଣ୍ଡଧର ଦଧର୍ଥ

ଏବମେନମପି ଭଗବନ୍ ଜହି ତ୍ୱାଷ୍ଟ୍ରମୁତ

ଯଦି ମନ୍ୟସେ ॥ ୪୦॥

ପ୍ରଭୁ ! ଆପଣ ତ୍ରିଲୋକୀର ଆତ୍ମା ଏବଂ ଆଶ୍ରୟ ଅଟନ୍ତି | ଆପଣ ନିଜର ତିନି ପାଦରେ ସମ୍ପୂର୍ଣ୍ଣ ଜଗତକୁ ମାପି ନେଇଥିଲେ ଏବଂ ଆପଣ ହିଁ ତ୍ରିଲୋକର ସଂଚାଳକ ଅଟନ୍ତି | ଆପଣଙ୍କର ମହିମା ତ୍ରିଲୋକର ମନହାରୀ ଅଟେ | ଏଥିରେ ସନ୍ଦେହ ନାହିଁ ଯେ ଦୈତ୍ୟ, ଦାନବ ଆଦି ଅସୁରମାନେ ମଧ୍ୟ ଆପଣଙ୍କର ହିଁ ବିଭୂତି ଅଟନ୍ତି | ତଥାପି ଏହା ସେମାନଙ୍କର ଉନ୍ନତିର ସମୟ ନୁହେଁ – ଏପରି ମନେକରି ଆପଣ ନିଜ ଯୋଗମାୟା ବଳରେ ଦେବତା, ମନୁଷ୍ୟ, ପଶୁର ମିଶ୍ରିତ ରୂପ ନୃସିଂହ ଆଦି ଏବଂ ମତ୍ସ୍ୟ ଆଦି ଜଳଚର ରୂପରେ ଅବତାର ଗ୍ରହଣ କରନ୍ତି ଏବଂ ସେମାନଙ୍କ ଅପରାଧ ଅନୁସାରେ ସେମାନଙ୍କୁ ଦଣ୍ଡ ଦିଅନ୍ତି | ହେ ଦଣ୍ଡଧାରୀ ପ୍ରଭୁ ! ଯଦି ଉଚିତ୍ ମନେହୁଏ, ତେବେ ସେହି ଅସୁରମାନଙ୍କ ପରି ଆପଣ ଏହି ବୃତ୍ରାସୁରକୁ ମଧ୍ୟ ନାଶ କରନ୍ତୁ |

ଅସ୍ମାକଂ ତାବକାନାଂ ତବ ନତାନାଂ ତତ

ତତାମହ ତବ ଚରଣନଲିନୟୁଗଲଧ୍ୟାନା-

ନୁବଦ୍ଧହୃଦୟନିଗଡାନାଂ ସ୍ୱଲିଙ୍ଗବିବରଣେନା-

ତ୍ମସାତ୍କୃତାନାମନୁକମ୍ପାନୁରଞ୍ଜିତବିଶଦ-

ରୁଚିରଶିଶିରସ୍ମିତାବଲୋକେନ ବିଗଲିତ-

ମଧୁରମୁଖରସାମୃତକଲୟା ଚାନ୍ତସ୍ତାପ-

ମନଘାର୍ହସି ଶମୟିତୁମ୍ ॥ ୪୧॥

ଭଗବନ୍ ! ଆପଣ ଆମ୍ଭମାନଙ୍କର ପିତା, ପିତାମହ – ସବୁକିଛି ଅଟନ୍ତି | ଆମେ ଆପଣଙ୍କର ନିଜଜନ ଭାବରେ ସର୍ବଦା ଆପଣଙ୍କ ସମ୍ମୁଖରେ ମସ୍ତକ ଅବନତ ରଖିଥାଉ | ଆପଣଙ୍କ ଚରଣକମଳର ଧ୍ୟାନ କରି କରି ଆମ୍ଭମାନଙ୍କର ଚିତ୍ତ ତାହାର ପ୍ରେମବନ୍ଧନରେ ବାନ୍ଧି ହୋଇଯାଇଛି | ଆମ ସମ୍ମୁଖରେ ନିଜ ଦିବ୍ୟଗୁଣଯୁକ୍ତ ସାକାର ବିଗ୍ରହ ପ୍ରକଟ କରି ଆପଣ ଆମ୍ଭମାନଙ୍କୁ ଆପଣାର କରିଛନ୍ତି | ଆମେ ଆପଣଙ୍କୁ ନିବେଦନ କରୁଛୁ, ଆପଣ ନିଜର ଦୟାପୂର୍ଣ୍ଣ, ବିଶଦ, ସୁନ୍ଦର ଏବଂ ସ୍ମିତହାସ୍ୟଯୁକ୍ତ ଚାହାଣୀ ତଥା ନିଜ ମୁଖାରବିନ୍ଦରୁ ଝରୁଥିବା ମନୋହର ବାଣୀରୂପ ସୁମଧୁର ସୁଧାବିନ୍ଦୁରେ ଆମ ହୃଦୟର ତାପକୁ ଶାନ୍ତ କରନ୍ତୁ, ଆମ ଅନ୍ତରର ଜ୍ବାଳାକୁ ନିର୍ବାପିତ କରନ୍ତୁ |

ଅଥ ଭଗବଂସ୍ତବାସ୍ମାଭିରଖିଲଜଗ-

ଦୁତ୍ପତ୍ତିସ୍ଥିତିଲୟନିମିତ୍ତାୟମାନଦିବ୍ୟ-

ମାୟାବିନୋଦସ୍ୟ ସକଲଜୀବନିକାୟାନା-

ମନ୍ତର୍ହୃଦୟେଷୁ ବହିରପି ଚ ବ୍ରହ୍ମପ୍ରତ୍ୟଗାତ୍ମ-

ସ୍ୱରୂପେଣ ପ୍ରଧାନରୂପେଣ ଚ ଯଥାଦେଶକାଲ-

ଦେହାବସ୍ଥାନବିଶେଷଂ ତଦୁପାଦାନୋ-

ପଲମ୍ଭକତୟାନୁଭବତଃ ସର୍ୱପ୍ରତ୍ୟଯସାକ୍ଷିଣ

ଆକାଶଶରୀରସ୍ୟ ସାକ୍ଷାତ୍ପରବ୍ରହ୍ମଣଃ

ପରମାତ୍ମନଃ କିୟାନିହ ବାର୍ଥବିଶେଷୋ

ବିଜ୍ଞାପନୀୟଃ ସ୍ୟାଦ୍ୱିସ୍ଫୁଲିଙ୍ଗାଦିଭିରିବ

ହିରଣ୍ୟରେତସଃ ॥ ୪୨॥

ପ୍ରଭୁ ! ଅଗ୍ନିର ହିଁ ଅଂଶଭୂତ ସ୍ଫୁଲିଙ୍ଗ ଆଦି ଯେପରି ଅଗ୍ନିକୁ ପ୍ରକାଶିତ କରିବାକୁ ଅସମର୍ଥ ଅଟନ୍ତି, ସେହିପରି ଆମ୍ଭେମାନେ ମଧ୍ୟ ଆପଣଙ୍କୁ ନିଜର ସ୍ବାର୍ଥ-ପରମାର୍ଥ ନିବେଦନ କରିବାରେ ଅସମର୍ଥ ଅଟୁ | ଆପଣଙ୍କୁ ଭଲା ଆମେ କଣ କହିବୁ | ଆପଣ ତ ସମ୍ପୂର୍ଣ୍ଣ ଜଗତର ଉତ୍ପତ୍ତି, ସ୍ଥିତି ଏବଂ ଲୟ କରୁଥିବା ଦିବ୍ୟ ମାୟା ସହିତ କ୍ରୀଡା କରୁଥାଆନ୍ତି ତଥା ସମସ୍ତ ଜୀବଙ୍କର ଅନ୍ତଃକରଣରେ ବ୍ରହ୍ମ ଏବଂ ଅନ୍ତର୍ଯ୍ୟାମୀ ରୂପରେ ବିରାଜମାନ ରହିଥାଆନ୍ତି | କେବଳ ସେତିକି ନୁହେଁ, ସେମାନଙ୍କ ବାହାରେ ମଧ୍ୟ ପ୍ରକୃତି ରୂପରେ ଆପଣ ହିଁ ବିରାଜମାନ ଅଟନ୍ତି | ସଂସାରରେ ଯେତେସବୁ ଦେଶ, କାଳ, ଶରୀର ଏବଂ ଅବସ୍ଥା ଆଦି ରହିଛି, ସେମାନଙ୍କର ଉପାଦାନ ଏବଂ ପ୍ରକାଶକ ରୂପରେ ଆପଣ ହିଁ ସେସବୁର ଅନୁଭବ କରନ୍ତି | ଆପଣ ସମସ୍ତ ବୃତ୍ତିର ସାକ୍ଷୀ ଅଟନ୍ତି | ଆକାଶ ପରି ଆପଣ ସର୍ବଗତ ନିର୍ଲିପ୍ତ ଅଟନ୍ତି | ଆପଣ ସ୍ବୟଂ ପରବ୍ରହ୍ମ ପରମାତ୍ମା ଅଟନ୍ତି |

ଅତ ଏବ ସ୍ୱୟଂ ତଦୁପକଲ୍ପୟାସ୍ମାକଂ

ଭଗବତଃ ପରମଗୁରୋସ୍ତବ ଚରଣଶତ-

ପଲାଶଚ୍ଛାୟାଂ ବିବିଧବୃଜିନସଂସାର-

ପରିଶ୍ରମୋପଶମନୀମୁପସୃତାନାଂ ବୟଂ

ଯତ୍କାମେନୋପସାଦିତାଃ ॥ ୪୩॥

ଅତଏବ ଆମ ନିବେଦନର ଅପେକ୍ଷା ନ କରି ଯେଉଁ ଅଭିଳାଷ ନେଇ ଆମେ ଏଠାକୁ ଆସିଛୁ, ଆପଣ ତାହା ପୂର୍ଣ୍ଣ କରନ୍ତୁ | ଆପଣ ଅଚିନ୍ତ୍ୟ ଐଶ୍ବର୍ଯ୍ୟସମ୍ପନ୍ନ ଏବଂ ଜଗତର ପରମଗୁରୁ ଅଟନ୍ତି | ଆମେ ଆପଣଙ୍କ ଚରଣକମଳର ଛତ୍ରଛାୟାକୁ ଆସିଛୁ, ଯାହା ବିବିଧ ପାପର ଫଳସ୍ବରୂପ ଜନ୍ମ-ମୃତ୍ୟୁରୂପ ସଂସାରରେ ଭ୍ରମିତ ହେବା ଜନିତ ଅବସାଦକୁ ଦୂର କରିଥାଏ |

ଅଥୋ ଈଶ ଜହି ତ୍ୱାଷ୍ଟ୍ରଂ ଗ୍ରସନ୍ତଂ ଭୁବନତ୍ରୟମ୍ ।

ଗ୍ରସ୍ତାନି ଯେନ ନଃ କୃଷ୍ଣ ତେଜାଂସ୍ୟସ୍ତ୍ରାୟୁଧାନି ଚ ॥ ୪୪॥

ସର୍ବଶକ୍ତିମାନ ଶ୍ରୀକୃଷ୍ଣ ! ବୃତ୍ରାସୁର ଆମ୍ଭମାନଙ୍କର ପ୍ରଭାବ ଏବଂ ଅସ୍ତ୍ର-ଶସ୍ତ୍ରକୁ ଉଦରସ୍ଥ କରିନେଇଛି | ଏବେ ସେ  ତ୍ରିଲୋକକୁ ଗ୍ରାସ କରିବାକୁ ବସିଛି, ଆପଣ ତାହାର ବଧ କରନ୍ତୁ |

ହଂସାୟ ଦହ୍ରନିଲୟାୟ ନିରୀକ୍ଷକାୟ

କୃଷ୍ଣାୟ ମୃଷ୍ଟୟଶସେ ନିରୁପକ୍ରମାୟ ।

ସତ୍ସଙ୍ଗ୍ରହାୟ ଭବପାନ୍ଥନିଜାଶ୍ରମାପ୍ତ-

ବନ୍ତେ ପରୀଷ୍ଟଗତୟେ ହରୟେ ନମସ୍ତେ ॥ ୪୫॥

ପ୍ରଭୁ ! ଆପଣ ଶୁଦ୍ଧସ୍ବରୂପ ହୃଦୟସ୍ଥିତ ଶୁଦ୍ଧ ଜ୍ୟୋତିର୍ମୟ ଆକାଶ, ସମସ୍ତଙ୍କର ସାକ୍ଷୀ, ଅନାଦି, ଅନନ୍ତ ଏବଂ ଉଜ୍ଜ୍ବଳ କୀର୍ତ୍ତିସମ୍ପନ୍ନ ଅଟନ୍ତି | ସନ୍ଥମାନେ ଆପଣଙ୍କର ହିଁ ଧ୍ୟାନ କରନ୍ତି | ସଂସାରର ପଥିକ ଯେତେବେଳେ ଘୂରି-ବୁଲି ଆପଣଙ୍କ ଶରଣରେ ଆସିଯାଆନ୍ତି, ସେତେବେଳେ ଆପଣ ସେମାନଙ୍କୁ ନିଜର ପରମାନନ୍ଦସ୍ବରୂପ ଅଭୀଷ୍ଟ ଫଳ ପ୍ରଦାନ କରନ୍ତି ଏବଂ ସେମାନଙ୍କର ଜନ୍ମ-ଜନ୍ମାନ୍ତରର କଷ୍ଟକୁ ହରଣ କରିନିଅନ୍ତି | ପ୍ରଭୁ ! ଆମେ ଆପଣଙ୍କୁ ନମସ୍କାର କରୁଛୁ |

ଶ୍ରୀଶୁକ ଉବାଚ

ଅଥୈବମୀଡିତୋ ରାଜନ୍ ସାଦରଂ ତ୍ରିଦଶୈର୍ହରିଃ ।

ସ୍ୱମୁପସ୍ଥାନମାକର୍ଣ୍ୟ ପ୍ରାହ ତାନଭିନନ୍ଦିତଃ ॥ ୪୬॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦେବତାମାନେ ଯେତେବେଳେ ଅତିଶୟ ଆଦରପୂର୍ବକ ଏହିପରି ଭାବରେ ଭଗବାନଙ୍କର ସ୍ତବନ କଲେ, ସେତେବେଳେ ନିଜର ସ୍ତୁତି ଶୁଣି ଅତ୍ୟନ୍ତ ପ୍ରସନ୍ନ ହୋଇ ଭଗବାନ ସେମାନଙ୍କୁ କହିଲେ -

ଶ୍ରୀଭଗବାନୁବାଚ

ପ୍ରୀତୋଽହଂ ବଃ ସୁରଶ୍ରେଷ୍ଠା ମଦୁପସ୍ଥାନବିଦ୍ୟଯା ।

ଆତ୍ମୈଶ୍ୱର୍ୟସ୍ମୃତିଃ ପୁଂସାଂ ଭକ୍ତିଶ୍ଚୈବ ଯୟା ମୟି ॥ ୪୭॥

ଶ୍ରୀଭଗବାନ କହିଲେ – ଶ୍ରେଷ୍ଠ ଦେବତାଗଣ ! ତୁମ୍ଭେମାନେ ସ୍ତୁତିଯୁକ୍ତ ଜ୍ଞାନ ଦ୍ବାରା ମୋର ଉପାସନା କରିଛ, ତଦ୍ବାରା ମୁଁ ଅତି ପ୍ରସନ୍ନ ହୋଇଛି | ଏହି ସ୍ତୁତି ଦ୍ବାରା ଜୀବକୁ ନିଜ ବାସ୍ତବିକ ସ୍ବରୂପର ସ୍ମୃତି ଏବଂ ମୋର ଭକ୍ତି ପ୍ରାପ୍ତ ହୋଇଥାଏ |

କିଂ ଦୁରାପଂ ମୟି ପ୍ରୀତେ ତଥାପି ବିବୁଧର୍ଷଭାଃ ।

ମୟ୍ୟେକାନ୍ତମତିର୍ନାନ୍ୟନ୍ମତ୍ତୋ ବାଞ୍ଛତି ତତ୍ତ୍ୱବିତ୍ ॥ ୪୮॥

ଦେବଶିରୋମଣି ! ମୁଁ ପ୍ରସନ୍ନ ହେବା ପରେ କୌଣସି ବସ୍ତୁ ଦୁର୍ଲଭ ହୋଇ ରହେନାହିଁ | ତଥାପି ମୋର ଅନନ୍ୟପ୍ରେମୀ ତତ୍ତ୍ବବେତ୍ତା ଭକ୍ତ ମୋ ଅତିରିକ୍ତ ମୋଠାରୁ ଅନ୍ୟ କିଛି ଚାହାଁନ୍ତି ନାହିଁ |

ନ ବେଦ କୃପଣଃ ଶ୍ରେୟ ଆତ୍ମନୋ ଗୁଣବସ୍ତୁଦୃକ୍ ।

ତସ୍ୟ ତାନିଚ୍ଛତୋ ଯଚ୍ଛେଦ୍ୟଦି ସୋଽପି ତଥାବିଧଃ ॥ ୪୯॥

ଯେଉଁ ପୁରୁଷ ଜାଗତିକ ବସ୍ତୁକୁ ସତ୍ୟ ମନେକରନ୍ତି, ସେହି ମୂଢ ନିଜର ବାସ୍ତବିକ କଲ୍ୟାଣକୁ ଜାଣନ୍ତି ନାହିଁ | ସେହି କାରଣରୁ ସେ ବିଷୟ ଇଚ୍ଛା କରନ୍ତି | ସେତେବେଳେ କୌଣସି ବିଦ୍ବାନ ପୁରୁଷ ଯଦି ତାକୁ ସେହି ଇପ୍ସିତ ବସ୍ତୁ ପ୍ରଦାନ କରନ୍ତି, ତେବେ ଜାଣିବାକୁ ହେବ ଯେ ସେ ମଧ୍ୟ ତା ପରି ଅଜ୍ଞାନୀ ଅଟନ୍ତି |

ସ୍ୱୟଂ ନିଃଶ୍ରେୟସଂ ବିଦ୍ୱାନ୍ ନ ବକ୍ତ୍ୟଜ୍ଞାୟ କର୍ମ ହି ।

ନ ରାତି ରୋଗିଣୋଽପଥ୍ୟଂ ବାଞ୍ଛତୋ ହି ଭିଷକ୍ତମଃ ॥ ୫୦॥

ଯେଉଁ ପୁରୁଷ ମୁକ୍ତିର ସ୍ଵରୂପକୁ ଜାଣନ୍ତି, ସେ ଅଜ୍ଞାନୀମାନଙ୍କୁ ମଧ୍ୟ କର୍ମରେ ଜଡିତ ହେବାର ଉପଦେଶ ଦିଅନ୍ତି ନାହିଁ – ଯେପରି ରୋଗୀ ଇଚ୍ଛା କରୁଥିଲେ ବି ସଦ୍-ବୈଦ୍ୟ ତାକୁ କୁପଥ୍ୟ ଦିଅନ୍ତି ନାହିଁ |

ମଘବନ୍ ଯାତ ଭଦ୍ରଂ ବୋ ଦଧ୍ୟଞ୍ଚମୃଷିସତ୍ତମମ୍ ।

ବିଦ୍ୟାବ୍ରତତପଃସାରଂ ଗାତ୍ରଂ ଯାଚତ ମା ଚିରମ୍ ॥ ୫୧॥

ଦେବରାଜ ଇନ୍ଦ୍ର ! ତୁମ୍ଭମାନଙ୍କର କଲ୍ୟାଣ ହେଉ | ଏବେ ଆଉ ବିଳମ୍ବ କରନାହିଁ | ଅତିଶୀଘ୍ର ଋଷିଶିରୋମଣି ଦଧୀଚିଙ୍କ ପାଖକୁ ଯାଇ ତାଙ୍କଠାରୁ ତାଙ୍କର ଶରୀର, ଯାହା ଉପାସନା, ବ୍ରତ ତଥା ତପସ୍ୟା ଦ୍ବାରା ଅତ୍ୟନ୍ତ ଦୃଢ ହୋଇଯାଇଛି, ତାହା ଯାଚନା କର |

ସ ବା ଅଧିଗତୋ ଦଧ୍ୟଙ୍ଙଶ୍ୱିଭ୍ୟାଂ ବ୍ରହ୍ମ ନିଷ୍କଲମ୍ ।

ଯଦ୍ୱା ଅଶ୍ୱଶିରୋ ନାମ ତୟୋରମରତାଂ ବ୍ୟଧାତ୍ ॥ ୫୨॥

ଦଧୀଚି ଋଷି ଶୁଦ୍ଧ ବ୍ରହ୍ମଜ୍ଞାନୀ ଅଟନ୍ତି | ଘୋଡାର ମସ୍ତକ ଦେଇ ଅଶ୍ବିନୀକୁମାରଙ୍କୁ ଉପଦେଶ ଦେଇଥିବା କାରଣରୁ ତାଙ୍କର ଏକ ନାମ ‘ଅଶ୍ବସିର ମଧ୍ୟ ଅଟେ | ତାଙ୍କ ଉପଦେଶିତ ଆତ୍ମବିଦ୍ୟା ପ୍ରଭାବରେ ଅଶ୍ବିନୀକୁମାରଦ୍ବୟ ଜୀବନ୍ମୁକ୍ତ ହୋଇଗଲେ |

ଦଧ୍ୟଙ୍ଙାଥର୍ୱଣସ୍ତ୍ୱଷ୍ଟ୍ରେ ବର୍ମାଭେଦ୍ୟଂ ମଦାତ୍ମକମ୍ ।

ବିଶ୍ୱରୂପାୟ ଯତ୍ପ୍ରାଦାତ୍ତ୍ୱଷ୍ଟା ଯତ୍ତ୍ୱମଧାସ୍ତତଃ ॥ ୫୩॥

ଅଥର୍ବବେଦୀ ଦଧୀଚି ଋଷି ହିଁ ସର୍ବପ୍ରଥମେ ମୋର ସ୍ବରୂପଭୂତ ଅଭେଦ୍ୟ ନାରାୟଣକବଚର ଉପଦେଶ ତ୍ବଷ୍ଟାଙ୍କୁ ଦେଇଥିଲେ | ତ୍ବଷ୍ଟା ତାହା ବିଶ୍ବରୂପଙ୍କୁ ଦେଲେ ଏବଂ ବିଶ୍ବରୂପଙ୍କଠାରୁ ତାହା ତୁମକୁ ମିଳିଲା |

ଯୁଷ୍ମଭ୍ୟଂ ଯାଚିତୋଽଶ୍ୱିଭ୍ୟାଂ ଧର୍ମଜ୍ଞୋଽଙ୍ଗାନି ଦାସ୍ୟତି ।

ତତସ୍ତୈରାୟୁଧଶ୍ରେଷ୍ଠୋ ବିଶ୍ୱକର୍ମବିନିର୍ମିତଃ ।

ଯେନ ବୃତ୍ରଶିରୋ ହର୍ତା ମତ୍ତେଜ ଉପବୃଂହିତଃ ॥ ୫୪॥

ଦଧୀଚି ଋଷି ଧର୍ମର ପରମ ମର୍ମଜ୍ଞ ଅଟନ୍ତି | ଅଶ୍ବିନୀକୁମାର ମାଗିବା ପରି ତୁମ୍ଭେମାନେ ମାଗିଲେ ସେ ନିଜ ଶରୀରର ଅଙ୍ଗ ନିଶ୍ଚିତଭାବରେ ତୁମକୁ ପ୍ରଦାନ କରିବେ | ଏହାପରେ ବିଶ୍ବକର୍ମାଙ୍କ ଦ୍ବାରା ସେହି ଅଙ୍ଗରୁ ଏକ ଶ୍ରେଷ୍ଠ ଆୟୁଧର ନିର୍ମାଣ କର | ଦେବରାଜ ! ମୋ ଶକ୍ତିରେ ଯୁକ୍ତ ହୋଇ ସେହି ଶସ୍ତ୍ର ଦ୍ବାରା ତୁମେ ବୃତ୍ରାସୁରର ସିରଚ୍ଛେଦନ କରିବାକୁ ସମର୍ଥ ହେବ |

ତସ୍ମିନ୍ ବିନିହତେ ଯୂୟଂ ତେଜୋଽସ୍ତ୍ରାୟୁଧସମ୍ପଦଃ ।

ଭୂୟଃ ପ୍ରାପ୍ସ୍ୟଥ ଭଦ୍ରଂ ବୋ ନ ହିଂସନ୍ତି ଚ ମତ୍ପରାନ୍ ॥ ୫୫॥

ହେ ଦେବଗଣ ! ବୃତ୍ରାସୁରର ମୃତ୍ୟୁ ପରେ ତୁମ୍ଭେମାନେ ନିଜ-ନିଜର ତେଜ, ଅସ୍ତ୍ର-ଶସ୍ତ୍ର ଏବଂ ସମ୍ପତ୍ତି ଫେରି ପାଇବ | ତୁମର କଲ୍ୟାଣ ଅବଶ୍ୟମ୍ଭାବୀ ଅଟେ, କାରଣ ମୋର ଶରଣାଗତକୁ କେହି କେବେ କଷ୍ଟ ଦେଇପାରିବେ ନାହିଁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ନବମୋଽଧ୍ୟାୟଃ ॥ ୯॥

 

Comments

Popular posts from this blog