ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠସ୍କନ୍ଧଃ ॥

ପ୍ରଥମ ଅଧ୍ୟାୟ

ଅଜାମିଳ ଉପାଖ୍ୟାନ ପ୍ରାରମ୍ଭ

 

ରାଜୋବାଚ

ନିବୃତ୍ତିମାର୍ଗଃ କଥିତ ଆଦୌ ଭଗବତା ଯଥା ।

କ୍ରମୟୋଗୋପଲବ୍ଧେନ ବ୍ରହ୍ମଣା ଯଦସଂସୃତିଃ ॥ ୧॥

ରାଜା ପରୀକ୍ଷିତ କହିଲେ – ଭଗବନ୍ ! ଆପଣ ପୂର୍ବରୁ ଦ୍ବିତୀୟ ସ୍କନ୍ଧରେ ନିବୃତ୍ତି ମାର୍ଗର ବର୍ଣ୍ଣନା କରିଛନ୍ତି ତଥା ଏହା ମଧ୍ୟ କହିଛନ୍ତି ଯେ ତାହା ଦ୍ବାରା ଅର୍ଚିରାଦି ମାର୍ଗରେ ଜୀବ କ୍ରମଶଃ ବ୍ରହ୍ମଲୋକରେ ପହଞ୍ଚି ଥାଏ ଏବଂ ତାପରେ ବ୍ରହ୍ମାଙ୍କ ସହିତ ମୁକ୍ତ ହୋଇଯାଏ |

ପ୍ରବୃତ୍ତିଲକ୍ଷଣଶ୍ଚୈବ ତ୍ରୈଗୁଣ୍ୟବିଷୟୋ ମୁନେ ।

ଯୋଽସାବଲୀନପ୍ରକୃତେର୍ଗୁଣସର୍ଗଃ ପୁନଃ ପୁନଃ ॥ ୨॥

ମୁନିବର ! ତାଛଡା ତୃତୀୟ ସ୍କନ୍ଧରେ ଆପଣ ପ୍ରବୃତ୍ତି ମାର୍ଗର ମଧ୍ୟ ଉତ୍ତମ ରୂପେ ବର୍ଣ୍ଣନା କରିଛନ୍ତି, ଯଦ୍ବାରା ତ୍ରିଗୁଣମୟ ସ୍ବର୍ଗ ଆଦି ଲୋକର ପ୍ରାପ୍ତି ହୋଇଥାଏ ଏବଂ ପ୍ରକୃତି ସହିତ ସମ୍ବନ୍ଧ ବିଚ୍ଛେଦ ହୋଇ ନ ଥିବା କାରଣରୁ ଜୀବକୁ ବାରମ୍ବାର ଜନ୍ମ-ମୃତ୍ୟୁର ଚକ୍ରରେ ଘୂରିବାକୁ ପଡିଥାଏ |

ଅଧର୍ମଲକ୍ଷଣା ନାନା ନରକାଶ୍ଚାନୁବର୍ଣିତାଃ ।

ମନ୍ୱନ୍ତରଶ୍ଚ ବ୍ୟାଖ୍ୟାତ ଆଦ୍ୟଃ ସ୍ୱାୟମ୍ଭୁବୋ ଯତଃ ॥ ୩॥

ଅଧର୍ମ କରିବାର ଫଳ ସ୍ବରୂପ ଯେଉଁ ସବୁ ଭିନ୍ନ-ଭିନ୍ନ ପ୍ରକାରର ନର୍କ ପ୍ରାପ୍ତ ହୋଇଥାଏ, ତାହାର ବିସ୍ତୃତ ବର୍ଣ୍ଣନ ଆପଣ ପଞ୍ଚମ ସ୍କନ୍ଧରେ କରିଛନ୍ତି | ଚତୁର୍ଥ ସ୍କନ୍ଧରେ ଆପଣ ସେହି ପ୍ରଥମ ମନ୍ବନ୍ତରର ବର୍ଣ୍ଣନା କଲେ, ଯାହାର ଅଧିପତି ସ୍ବାୟମ୍ଭୂବ ମନୁ ଥିଲେ |

ପ୍ରିୟବ୍ରତୋତ୍ତାନପଦୋର୍ୱଂଶସ୍ତଚ୍ଚରିତାନି ଚ ।

ଦ୍ୱୀପବର୍ଷସମୁଦ୍ରାଦ୍ରିନଦ୍ୟୁଦ୍ୟାନବନସ୍ପତୀନ୍ ॥ ୪॥

ତା ସହିତ ଚତୁର୍ଥ ଏବଂ ପଞ୍ଚମ ସ୍କନ୍ଧରେ ଆପଣ ପ୍ରିୟବ୍ରତ ଏବଂ ଉତ୍ତାନପାଦଙ୍କର ବଂଶ ତଥା ଚରିତ୍ର ଏବଂ ଦ୍ବୀପ, ଦେଶ, ସମୁଦ୍ର, ପର୍ବତ, ନଦୀ, ଉଦ୍ୟାନ ଏବଂ ବିଭିନ୍ନ ଦ୍ବୀପରେ ଥିବା ବୃକ୍ଷମାନଙ୍କର ମଧ୍ୟ ବର୍ଣ୍ଣନା କରିଛନ୍ତି |

ଧରାମଣ୍ଡଲସଂସ୍ଥାନଂ ଭାଗଲକ୍ଷଣମାନତଃ ।

ଜ୍ୟୋତିଷାଂ ବିବରାଣାଂ ଚ ଯଥେଦମସୃଜଦ୍ୱିଭୁଃ ॥ ୫॥

ଭୂମଣ୍ଡଳର ସ୍ଥିତି, ତାହାର ଦ୍ବୀପ-ଦେଶାଦି ବିଭାଗ, ସେମାନଙ୍କର ଲକ୍ଷଣ ତଥା ପରିମାଣ, ନକ୍ଷତ୍ରମାନଙ୍କର ସ୍ଥିତି, ଅତଳ-ବିତଳ ଆଦି ଭୂ-ବିବର (ସାତ ପାତାଳ) ଏବଂ ଭଗବାନ ଯେପରି ଭାବରେ ଏହି ସବୁର ସୃଷ୍ଟି କରିଛନ୍ତି – ତାହାର ବର୍ଣ୍ଣନା ମଧ୍ୟ କରିଛନ୍ତି |

ଅଧୁନେହ ମହାଭାଗ ଯଥୈବ ନରକାନ୍ନରଃ ।

ନାନୋଗ୍ରୟାତନାନ୍ ନେୟାତ୍ତନ୍ମେ ବ୍ୟାଖ୍ୟାତୁମର୍ହସି ॥ ୬॥

ହେ ମହାଭାଗ ! ଏବେ ମୁଁ ସେହି ଉପାୟ ବିଷୟରେ ଜାଣିବାକୁ ଇଚ୍ଛା କରୁଛି, ଯାହାର ଅନୁଷ୍ଠାନରେ ମନୁଷ୍ୟକୁ ଅନେକାନେକ ଭୟଙ୍କର ଯାତନାରେ ପରିପୂର୍ଣ୍ଣ ନର୍କକୁ ଯିବାକୁ ପଦେନାହିଁ | ଆପଣ କୃପା କରି ତାହାର ଉପଦେଶ ପ୍ରଦାନ କରନ୍ତୁ |

ଶ୍ରୀଶୁକ ଉବାଚ

ନ ଚେଦିହୈବାପଚିତିଂ ଯଥାଂହସଃ

କୃତସ୍ୟ କୁର୍ୟାନ୍ମନ ଉକ୍ତପାଣିଭିଃ ।

ଧ୍ରୁବଂ ସ ବୈ ପ୍ରେତ୍ୟ ନରକାନୁପୈତି

ଯେ କୀର୍ତିତା ମେ ଭବତସ୍ତିଗ୍ମୟାତନାଃ ॥ ୭॥

ଶ୍ରୀଶୁକଦେବ କହୁଛନ୍ତି – ମନୁଷ୍ୟ ମନ, ବାଣୀ ଏବଂ ଶରୀରରେ ପାପ କରିଥାଏ | ସେହି ସବୁ ପାପର ପ୍ରାୟଶ୍ଚିତ ସେ ଯଦି ଏହି ଜନ୍ମରେ ନ କରେ, ତେବେ ତାକୁ ସେହି ଭୟଙ୍କର ଯାତନାପୂର୍ଣ୍ଣ ନର୍କକୁ ଯିବାକୁ ପଡିଥାଏ, ଯାହାର ବର୍ଣ୍ଣନା ମୁଁ ପଞ୍ଚମ ସ୍କନ୍ଧର ଶେଷ ଅଧ୍ୟାୟରେ କଲି |

ତସ୍ମାତ୍ପୁରୈବାଶ୍ୱିହ ପାପନିଷ୍କୃତୌ

ଯତେତ ମୃତ୍ୟୋରବିପଦ୍ୟତାତ୍ମନା ।

ଦୋଷସ୍ୟ ଦୃଷ୍ଟ୍ୱା ଗୁରୁଲାଘବଂ ଯଥା

ଭିଷକ୍ଚିକିତ୍ସେତ ରୁଜାଂ ନିଦାନବିତ୍ ॥ ୮॥

ସେଥିପାଇଁ ଅତ୍ୟନ୍ତ ସାବଧାନ ଭାବରେ ସଜଗତାର ସହିତ ରୋଗ ଏବଂ ମୃତ୍ୟୁର କବଳିତ ହେବା ପୂର୍ବରୁ ପାପର ଗୁରୁତା ଏବଂ ଲଘୁତା ଉପରେ ବିଚାର କରି ଅତିଶୀଘ୍ର ତାହାର ପ୍ରାୟଶ୍ଚିତ କରିନେବା ଆବଶ୍ୟକ, ଠିକ୍ ସେହିପରି ଯେପରି ଜଣେ ମର୍ମଜ୍ଞ ଚିକିତ୍ସକ ରୋଗର କାରଣ ଏବଂ ତାହାର ଗୁରୁତା-ଲଘୁତାକୁ ଜାଣି ଅତିଶୀଘ୍ର ତାହାର ଚିକିତ୍ସା କରିଥାଆନ୍ତି |

ରାଜୋବାଚ

ଦୃଷ୍ଟଶ୍ରୁତାଭ୍ୟାଂ ଯତ୍ପାପଂ ଜାନନ୍ନପ୍ୟାତ୍ମନୋଽହିତମ୍ ।

କରୋତି ଭୂୟୋ ବିବଶଃ ପ୍ରାୟଶ୍ଚିତ୍ତମଥୋ କଥମ୍ ॥ ୯॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ମନୁଷ୍ୟ ରାଜଦଣ୍ଡ, ସମାଜଦଣ୍ଡ ଆଦି ଲୌକିକ ଏବଂ ନରକଗମନ ଆଦି ଶାସ୍ତ୍ରୋକ୍ତ ପାରଲୌକିକ କଷ୍ଟ ଯୋଗୁଁ ପାପକୁ ଶତ୍ରୁ ଭାବରେ ଜାଣି ମଧ୍ୟ ପାପବାସନାରେ ବିବଶ ହୋଇ ବାରମ୍ବାର ସେପରି କର୍ମରେ ପ୍ରବୃତ୍ତ ହୋଇଥାଏ | ଏପରି ଅବସ୍ଥାରେ ତା ପାପର ପ୍ରାୟଶ୍ଚିତ ସମ୍ଭବ ହେବ କିପରି ?

କ୍ୱଚିନ୍ନିବର୍ତତେଽଭଦ୍ରାତ୍କ୍ୱଚିଚ୍ଚରତି ତତ୍ପୁନଃ ।

ପ୍ରାୟଶ୍ଚିତ୍ତମଥୋଽପାର୍ଥଂ ମନ୍ୟେ କୁଞ୍ଜରଶୌଚବତ୍ ॥ ୧୦॥

କେବେ କେବେ ମନୁଷ୍ୟ ପ୍ରାୟଶ୍ଚିତ ଦ୍ବାରା କୌଣସି ପାପରୁ ମୁକ୍ତ ହୋଇଗଲେ ମଧ୍ୟ ପୁନର୍ବାର ସେହି ପାପ କରିବାରେ ଲାଗେ | ଏପରି ସ୍ଥିତିରେ ମୋର ମନେହୁଏ ସ୍ନାନ କରିବା ପରେ ନିଜକୁ ଧୂଳି ଧୁସରିତ କରିବା କାରଣରୁ ହାତୀର ସ୍ନାନ ଯେପରି ବ୍ୟର୍ଥ ହୋଇଥାଏ, ସେହିପରି ମନୁଷ୍ୟର ପ୍ରାୟଶ୍ଚିତ ମଧ୍ୟ ବ୍ୟର୍ଥ ହିଁ ଅଟେ |

ଶ୍ରୀଶୁକ ଉବାଚ

କର୍ମଣା କର୍ମନିର୍ହାରୋ ନ ହ୍ୟାତ୍ୟନ୍ତିକ ଇଷ୍ୟତେ ।

ଅବିଦ୍ୱଦଧିକାରିତ୍ୱାତ୍ପ୍ରାୟଶ୍ଚିତ୍ତଂ ବିମର୍ଶନମ୍ ॥ ୧୧॥

ଶ୍ରୀଶୁକଦେବ କହୁଛନ୍ତି – ବସ୍ତୁତଃ କର୍ମ ଦ୍ବାରା କର୍ମର ବୀଜ ନାଶ ହୋଇ ନ ଥାଏ; କାରଣ କର୍ମର ଅଧିକାରୀ ଅଜ୍ଞାନୀ ଅଟେ | ଅଜ୍ଞାନ ରହିଥିବା ଯାଏଁ ପାପବାସନା ପୂର୍ଣ୍ଣତଃ ସମାପ୍ତ ହୋଇପାରେ ନାହିଁ | ସେଥିପାଇଁ ତତ୍ତ୍ବଜ୍ଞାନ ହିଁ ପ୍ରକୃତ ପ୍ରାୟଶ୍ଚିତ ଅଟେ |

ନାଶ୍ନତଃ ପଥ୍ୟମେବାନ୍ନଂ ବ୍ୟାଧୟୋଽଭିଭବନ୍ତି ହି ।

ଏବଂ ନିୟମକୃଦ୍ରାଜନ୍ ଶନୈଃ କ୍ଷେମାୟ କଲ୍ପତେ ॥ ୧୨॥

ସୁପଥ୍ୟ ସେବନ କରୁଥିବା ବ୍ୟକ୍ତିଙ୍କୁ ରୋଗ ନିଜର କବଳିତ କରି ପାରେନାହିଁ | ସେହିପରି ହେ ପରୀକ୍ଷିତ ! ଯେଉଁ ବ୍ୟକ୍ତି ନିୟମର ପାଳନ କରନ୍ତି, ସେ ଧୀରେ ଧୀରେ ପାପବାସନାରୁ ମୁକ୍ତ ହୋଇ କଲ୍ୟାଣପ୍ରଦ ତତ୍ତ୍ବଜ୍ଞାନ ପ୍ରାପ୍ତ କରିବା ନିମନ୍ତେ ସମର୍ଥ ହୋଇଥାଆନ୍ତି |

ତପସା ବ୍ରହ୍ମଚର୍ୟେଣ ଶମେନ ଚ ଦମେନ ଚ ।

ତ୍ୟାଗେନ ସତ୍ୟଶୌଚାଭ୍ୟାଂ ଯମେନ ନିୟମେନ ଚ ॥ ୧୩॥

ଦେହବାଗ୍ବୁଦ୍ଧିଜଂ ଧୀରା ଧର୍ମଜ୍ଞାଃ ଶ୍ରଦ୍ଧୟାନ୍ୱିତାଃ ।

କ୍ଷିପନ୍ତ୍ୟଘଂ ମହଦପି ବେଣୁଗୁଲ୍ମମିବାନଲଃ ॥ ୧୪॥

ବାଉଁଶବଣରେ ନିଆଁ ଲାଗି ଯେପରି ସବୁ ବାଉଁଶ ଜଳି ଭସ୍ମ ହୋଇଯାଏ, ଠିକ୍ ସେହିପରି ଧର୍ମଜ୍ଞ ଏବଂ ଶ୍ରଦ୍ଧାବାନ୍ ଧୀର ପୁରୁଷ ତପସ୍ୟା, ବ୍ରହ୍ମଚର୍ଯ୍ୟ, ଇନ୍ଦ୍ରିୟଦମନ, ମାନସିକ ସ୍ଥିରତା, ଦାନ, ସତ୍ୟ, ବାହ୍ୟ-ଅନ୍ତଃ ଶୁଚି ତଥା ଯମ ଏବଂ ନିୟମ – ଏହି ନଅଟି ସାଧନ ଦ୍ବାରା ମନ, ବାଣୀ ଏବଂ ଶରୀର ଦ୍ବାରା କରାଯାଇ ଥିବା ବଡ-ବଡ ପାପକୁ ମଧ୍ୟ ନଷ୍ଟ କରିଦିଅନ୍ତି |

କେଚିତ୍କେବଲୟା ଭକ୍ତ୍ୟା ବାସୁଦେବପରାୟଣାଃ ।

ଅଘଂ ଧୁନ୍ୱନ୍ତି କାର୍ତ୍ସ୍ନ୍ୟେନ ନୀହାରମିବ ଭାସ୍କରଃ ॥ ୧୫॥

ଭଗବାନଙ୍କର ଶରଣାଗତ ଭକ୍ତଜନ, ଯେଉଁମାନେ ପ୍ରାୟତଃ ବିରଳ ହିଁ ଅଟନ୍ତି, କେବଳ ଭକ୍ତି ଦ୍ବାରା ନିଜର ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି, ଯେପରି ସୂର୍ଯ୍ୟ ଆକାଶକୁ କୁହୁଡି ମୁକ୍ତ କରିଦିଏ |

ନ ତଥା ହ୍ୟଘବାନ୍ ରାଜନ୍ ପୂୟେତ ତପ ଆଦିଭିଃ ।

ଯଥା କୃଷ୍ଣାର୍ପିତପ୍ରାଣସ୍ତତ୍ପୂରୁଷନିଷେବୟା ॥ ୧୬॥

ପରୀକ୍ଷିତ ! ପାପୀ ପୁରୁଷଙ୍କୁ ଯେପରି ଶୁଦ୍ଧି ଭଗବାନଙ୍କଠାରେ ଆତ୍ମସମର୍ପଣ ଏବଂ ତାଙ୍କର ଭକ୍ତମାନଙ୍କର ସେବନ କରିବା ଦ୍ବାରା ପ୍ରାପ୍ତ ହୋଇଥାଏ, ସେପରି ଶୁଦ୍ଧି ତପସ୍ୟା ଆଦି ଦ୍ବାରା ହୋଇ ନ ଥାଏ |

ସଧ୍ରୀଚୀନୋ ହ୍ୟଯଂ ଲୋକେ ପନ୍ଥାଃ କ୍ଷେମୋଽକୁତୋଭୟଃ ।

ସୁଶୀଲାଃ ସାଧବୋ ଯତ୍ର ନାରାୟଣପରାୟଣାଃ ॥ ୧୭॥

ଜଗତରେ ଏହି ଭକ୍ତି ମାର୍ଗ ହିଁ ସର୍ବଶ୍ରେଷ୍ଠ, ଭୟରହିତ ଏବଂ କଲ୍ୟାଣସ୍ବରୂପ ଅଟେ; କାରଣ ଭଗବତ୍-ପରାୟଣ, ସୁଶୀଳ ସାଧୁଜନ ଏହି ମାର୍ଗରେ ଚାଲନ୍ତି |

ପ୍ରାୟଶ୍ଚିତ୍ତାନି ଚୀର୍ଣାନି ନାରାୟଣପରାଙ୍ମୁଖମ୍ ।

ନ ନିଷ୍ପୁନନ୍ତି ରାଜେନ୍ଦ୍ର ସୁରାକୁମ୍ଭମିବାପଗାଃ ॥ ୧୮॥

ପରୀକ୍ଷିତ ! ମଦିରାପୂର୍ଣ୍ଣ ଘଟକୁ ଯେପରି ନଦୀଜଳ ପବିତ୍ର କରିପାରେ ନାହିଁ, ସେହିପରି ବଡ-ବଡ ପ୍ରାୟଶ୍ଚିତ ବାରମ୍ବାର କରାଯିବା ସତ୍ତ୍ବେ ବି ଭଗବତ୍-ବିମୁଖ ମନୁଷ୍ୟକୁ ପବିତ୍ର କରିବାରେ ଅସମର୍ଥ ହୋଇଥାଆନ୍ତି |

ସକୃନ୍ମନଃ କୃଷ୍ଣପଦାରବିନ୍ଦୟୋ-

ର୍ନିବେଶିତଂ ତଦ୍ଗୁଣରାଗି ଯୈରିହ ।

ନ ତେ ଯମଂ ପାଶଭୃତଶ୍ଚ ତଦ୍ଭଟାନ୍

ସ୍ୱପ୍ନେଽପି ପଶ୍ୟନ୍ତି ହି ଚୀର୍ଣନିଷ୍କୃତାଃ ॥ ୧୯॥

ଯିଏ ନିଜର ଭଗବଦ୍-ଗୁଣାନୁରାଗୀ ମନ-ମଧୁକରକୁ ଥରେ ମାତ୍ର ଭଗବାନ ଶ୍ରୀକୃଷ୍ଣଙ୍କର ଚରଣାରବିନ୍ଦ-ମକରନ୍ଦ ପାନ କରାଇ ଥାଆନ୍ତି, ଜାଣିବାକୁ ହେବ ଯେ ସେ ସବୁ ପ୍ରାୟଶ୍ଚିତ କରି ନେଇଛନ୍ତି | ତାପରେ ସ୍ବପ୍ନରେ ସୁଦ୍ଧା ତାଙ୍କୁ ଯମରାଜ ଏବଂ ତାଙ୍କର ପାଶଧାରୀ ଦୂତମାନଙ୍କର ଦର୍ଶନ ହୋଇ ନ ଥାଏ; ସେହି କ୍ଷେତ୍ରରେ ନର୍କର ପ୍ରଶ୍ନ ଉଠୁଛି କେଉଁଠି ?

ଅତ୍ର ଚୋଦାହରନ୍ତୀମମିତିହାସଂ ପୁରାତନମ୍ ।

ଦୂତାନାଂ ବିଷ୍ଣୁୟମୟୋଃ ସମ୍ବାଦସ୍ତଂ ନିବୋଧ ମେ ॥ ୨୦॥

ପରୀକ୍ଷିତ ! ଏହି ପ୍ରସଙ୍ଗରେ ମହାତ୍ମାମାନେ ଏକ ପ୍ରାଚୀନ ଇତିହାସ କହିଥାଆନ୍ତି | ସେଥିରେ ଭଗବାନ ବିଷ୍ଣୁ ଏବଂ ଯମରାଜଙ୍କର ଦୂତମାନଙ୍କର ସମ୍ବାଦ ରହିଛି | ତୁମେ ତାହା ମୋଠାରୁ ଶୁଣ |

କାନ୍ୟକୁବ୍ଜେ ଦ୍ୱିଜଃ କଶ୍ଚିଦ୍ଦାସୀପତିରଜାମିଲଃ ।

ନାମ୍ନା ନଷ୍ଟସଦାଚାରୋ ଦାସ୍ୟାଃ ସଂସର୍ଗଦୂଷିତଃ ॥ ୨୧॥

କାନ୍ୟକୁବ୍ଜ ନଗର (କନୌଜ) ରେ ଏକ ଦାସୀପତି ବ୍ରାହ୍ମଣ ରହୁଥିଲା, ଯାହାର ନାମ ଅଜାମିଳ ଥିଲା | ଦାସୀର ସଂସର୍ଗରେ ଦୂଷିତ ହୋଇଯାଇ ଥିବା କାରଣରୁ ତାର ସଦାଚାର ନଷ୍ଟ ହୋଇ ଯାଇଥିଲା |

ବନ୍ଦ୍ୟକ୍ଷକୈତବୈଶ୍ଚୌର୍ୟୈର୍ଗର୍ହିତାଂ ବୃତ୍ତିମାସ୍ଥିତଃ ।

ବିଭ୍ରତ୍କୁଟୁମ୍ବମଶୁଚିର୍ୟାତୟାମାସ ଦେହିନଃ ॥ ୨୨॥

ସେହି ପତିତ ପୁରୁଷ କେବେ କେବେ ରାସ୍ତାରେ ବାଟୋଇମାନଙ୍କୁ ଲୁଣ୍ଠନ କରୁଥିଲା, କେବେ କପଟ ଜୁଆରେ ଲୋକଙ୍କୁ ହରାଉ ଥିଲା, ପୁଣି କେବେ ଧୋଖା ଦେଇ ଅନ୍ୟର ଧନ ଚୋରାଇ ନେଉଥିଲା | ଏହିପରି ଅତ୍ୟନ୍ତ ନିନ୍ଦନୀୟ ବୃତ୍ତିର ଆଶ୍ରୟ ନେଇ ସେ ନିଜ କୁଟୁମ୍ବର ଭରଣପୋଷଣ କରୁଥିଲା ଏବଂ ଅନ୍ୟ ପ୍ରାଣୀଙ୍କୁ ବହୁତ କଷ୍ଟ ଦେଉଥିଲା |

ଏବଂ ନିବସତସ୍ତସ୍ୟ ଲାଲୟାନସ୍ୟ ତତ୍ସୁତାନ୍ ।

କାଲୋଽତ୍ୟଗାନ୍ମହାନ୍ ରାଜନ୍ନଷ୍ଟାଶୀତ୍ୟାୟୁଷଃ ସମାଃ ॥ ୨୩॥

ପରୀକ୍ଷିତ ! ଏହିପରି ଭାବରେ ଦାସୀ ଘରେ ରହି ସେ ତାର ସନ୍ତାନମାନଙ୍କର ଲାଳନ-ପାଳନ କରୁଥିଲା | ସେଥିରେ ତାର ଆୟୁର ବହୁତ ବଡ ଭାଗ ଅଠାଇଶ ବର୍ଷ ଅତିବାହିତ ହୋଇଗଲା |

ତସ୍ୟ ପ୍ରବୟସଃ ପୁତ୍ରା ଦଶ ତେଷାଂ ତୁ ଯୋଽବମଃ ।

ବାଲୋ ନାରାୟଣୋ ନାମ୍ନା ପିତ୍ରୋଶ୍ଚ ଦୟିତୋ ଭୃଶମ୍ ॥ ୨୪॥

ବୃଦ୍ଧ ଅଜାମିଳର ଦଶଟି ପୁତ୍ର ଥିଲେ | ସେମାନଙ୍କ ମଧ୍ୟରୁ ସବୁଠାରୁ ସାନ ପୁଅର ନାମ ଥିଲା ‘ନାରାୟଣ | ମା-ବାପା ତାକୁ ଅତ୍ୟଧିକ ସ୍ନେହ କରୁଥିଲେ |

ସ ବଦ୍ଧହୃଦୟସ୍ତସ୍ମିନ୍ନର୍ଭକେ କଲଭାଷିଣି ।

ନିରୀକ୍ଷମାଣସ୍ତଲ୍ଲୀଲାଂ ମୁମୁଦେ ଜରଠୋ ଭୃଶମ୍ ॥ ୨୫॥

ବୃଦ୍ଧ ଅଜାମିଳ ଅତ୍ୟଧିକ ମୋହବଶ ନିଜର ସମ୍ପୂର୍ଣ୍ଣ ହୃଦୟ ପୁତ୍ର ନାରାୟଣକୁ ଅର୍ପଣ କରି ଦେଇଥିଲା | ପୁତ୍ରର ଅସ୍ପଷ୍ଟ ଖଣ୍ଡି-ଖଣ୍ଡି ଭାଷା ଶୁଣି ତଥା ତାର ବାଳସୁଲଭ ଚପଳତା ଦେଖି ସେ ଅତ୍ୟନ୍ତ ପ୍ରଫୁଲ୍ଲିତ ହୋଇ ଉଠୁଥିଲା |

ଭୁଞ୍ଜାନଃ ପ୍ରପିବନ୍ ଖାଦନ୍ ବାଲକସ୍ନେହୟନ୍ତ୍ରିତଃ ।

ଭୋଜୟନ୍ ପାୟଯନ୍ ମୂଢୋ ନ ବେଦାଗତମନ୍ତକମ୍ ॥ ୨୬॥

ବାଳକର ସ୍ନେହପାଶରେ ଅଜାମିଳ ଏପରି ବାନ୍ଧି ହୋଇଗଲା ଯେ ତାର ସବୁ ସମୟ ପୁଅ ସହିତ ଅତିବାହିତ ହେବାରେ ଲାଗିଲା – ଭୋଜନ କରିବା ସମୟରେ ସେ ପୁଅ ସହିତ ଭୋଜନ କରୁଥାଏ, ପାଣି ପିଇବା ସମୟରେ ନିଜ ସହିତ ପୁଅକୁ ମଧ୍ୟ ପାଣି ପିଆଉ ଥାଏ | ଏହିପରି ଭାବରେ ସେ ଏତେ ବେଶୀ ମୂଢ ହୋଇଗଲା ଯେ ମୃତ୍ୟୁ କେତେବେଳେ ଆସି ତା ମୁଣ୍ଡ ଉପରେ ବସିଲାଣି, ତାହା ସେ ଜାଣି ପାରିଲା ନାହିଁ |

ସ ଏବଂ ବର୍ତମାନୋଽଜ୍ଞୋ ମୃତ୍ୟୁକାଲ ଉପସ୍ଥିତେ ।

ମତିଂ ଚକାର ତନୟେ ବାଲେ ନାରାୟଣାହ୍ୱୟେ ॥ ୨୭॥

ସେହି ମୂର୍ଖ ଏହିପରି ଜୀବନ ଅତିବାହିତ କରୁଥିବା ସମୟରେ ତାର ମୃତ୍ୟୁକାଳ ଉପଗତ ହେଲା | ଏବେ ସେ ପୁତ୍ର ନାରାୟଣ ସମ୍ବନ୍ଧରେ ବେଶୀ-ବେଶୀ ଚିନ୍ତା କରିବାରେ ଲାଗିଲା |

ସ ପାଶହସ୍ତାଂସ୍ତ୍ରୀନ୍ ଦୃଷ୍ଟ୍ୱା ପୁରୁଷାନ୍ ଭୃଶଦାରୁଣାନ୍ ।

ବକ୍ରତୁଣ୍ଡାନୂର୍ଧ୍ୱରୋମ୍ଣ ଆତ୍ମାନଂ ନେତୁମାଗତାନ୍ ॥ ୨୮॥

ଏହି ସମୟରେ ଅଜାମିଳ ଦେଖିବାକୁ ପାଇଲା, ତାକୁ ନେବା ପାଇଁ ତିନିଜଣ ଅତ୍ୟନ୍ତ ଭୟାନକ ଯମଦୂତ ଆସିଛନ୍ତି | ସମସ୍ତଙ୍କ ହାତରେ ଫାଶୀ ଦଉଡି ରହିଛି, ସେମାନଙ୍କର ମୁହଁ ବଙ୍କା-ଟଙ୍କା ଏବଂ ଶରୀର ଟାଆଁସ ରୋମରେ ଆଚ୍ଛାଦିତ |

ଦୂରେ କ୍ରୀଡନକାସକ୍ତଂ ପୁତ୍ରଂ ନାରାୟଣାହ୍ୱୟମ୍ ।

ପ୍ଲାବିତେନ ସ୍ୱରେଣୋଚ୍ଚୈରାଜୁହାବାକୁଲେନ୍ଦ୍ରିୟଃ ॥ ୨୯॥

ସେହି ସମୟରେ ବାଳକ ନାରାୟଣ ସେଠାରୁ କିଛି ଦୂରରେ ଖେଳୁଥିଲା | ଯମଦୂତଙ୍କୁ ଦେଖି ଅଜାମିଳ ଅତ୍ୟନ୍ତ ବ୍ୟାକୁଳ ହୋଇ ବହୁତ ଉଚ୍ଚ ସ୍ବରରେ ଡାକିଲା – ‘ନାରାୟଣ |

ନିଶମ୍ୟ ମ୍ରିୟମାଣସ୍ୟ ବ୍ରୁବତୋ ହରିକୀର୍ତନମ୍ ।

ଭର୍ତୁର୍ନାମ ମହାରାଜ ପାର୍ଷଦାଃ ସହସାପତନ୍ ॥ ୩୦॥

ଭଗବାନଙ୍କର ପାର୍ଷଦମାନେ ଦେଖିଲେ, ଇଏ ତ ମରିବା ସମୟରେ ଆମ ସ୍ବାମୀ ଭଗବାନ ନାରାୟଣଙ୍କର ନାମ ଗ୍ରହଣ କରୁଛି, ତାଙ୍କର ନାମ ଜପ କରୁଛି; ସେଥିପାଇଁ ସେମାନେ ଦ୍ରୁତ ବେଗରେ ଅତିଶୀଘ୍ର ସେଠାରେ ଆସି ପହଞ୍ଚି ଗଲେ |

ବିକର୍ଷତୋଽନ୍ତର୍ହୃଦୟାଦ୍ଦାସୀପତିମଜାମିଲମ୍ ।

ଯମପ୍ରେଷ୍ୟାନ୍ ବିଷ୍ଣୁଦୂତା ବାରୟାମାସୁରୋଜସା ॥ ୩୧॥

ସେତେବେଳେ ଯମରାଜଙ୍କର ଦୂତମାନେ ଦାସୀପତି ଅଜାମିଳର ଶରୀରରୁ ତାର ସୂକ୍ଷ୍ମ ଶରୀରକୁ ଟାଣି ବାହାର କରୁଥିଲେ; ବିଷ୍ଣୁଦୂତମାନେ ବଳପୂର୍ବକ ସେମାନଙ୍କୁ ରୋକି ଦେଲେ |

ଊଚୁର୍ନିଷେଧିତାସ୍ତାଂସ୍ତେ ବୈବସ୍ୱତପୁରଃସରାଃ ।

କେ ଯୂୟଂ ପ୍ରତିଷେଦ୍ଧାରୋ ଧର୍ମରାଜସ୍ୟ ଶାସନମ୍ ॥ ୩୨॥

ସେମାନେ ବାଧା ଦେବାରୁ ଯମରାଜଙ୍କର ଦୂତମାନେ ସେମାନଙ୍କୁ କହିଲେ – ‘ଆରେ ! ଧର୍ମରାଜଙ୍କର ଆଜ୍ଞାକୁ ନିଷେଧ କରିବାକୁ ତୁମେ କିଏ ?

କସ୍ୟ ବା କୁତ ଆୟାତାଃ କସ୍ମାଦସ୍ୟ ନିଷେଧଥ ।

କିଂ ଦେବା ଉପଦେବା ଯା ଯୂୟଂ କିଂ ସିଦ୍ଧସତ୍ତମାଃ ॥ ୩୩॥

ତୁମେ କାହାର ଦୂତ ଅଟ, କେଉଁଠାରୁ ଆସିଛ ଏବଂ ଏହାକୁ ନେଇଯିବାର ଆମ ଚେଷ୍ଟାରେ ତୁମେ କାହିଁକି ବାଧା ଦେଉଛ ? ତୁମେ କଣ କେହି ଦେବତା, ଉପଦେବତା ଅଥବା ସିଦ୍ଧଶ୍ରେଷ୍ଠ ଅଟ ?

ସର୍ୱେ ପଦ୍ମପଲାଶାକ୍ଷାଃ ପୀତକୌଶେୟବାସସଃ ।

କିରୀଟିନଃ କୁଣ୍ଡଲିନୋ ଲସତ୍ପୁଷ୍କରମାଲିନଃ ॥ ୩୪॥

ଆମ୍ଭେମାନେ ଦେଖିବାକୁ ପାଉଛୁ, ତୁମ ସମସ୍ତଙ୍କ ନେତ୍ରରେ କମଳଦଳର କୋମଳତା ଭରିରହିଛି, ତୁମେ ସମସ୍ତେ ପୀତବର୍ଣ୍ଣର ରେଶମୀ ବସ୍ତ୍ର ପରିଧାନ କରିଛ, ତୁମ ମସ୍ତକରେ ମୁକୁଟ, କାନରେ କୁଣ୍ଡଳ ଏବଂ ଗଳାରେ କମଳମାଳ ଶୋଭା ପାଉଛି |

ସର୍ୱେ ଚ ନୂତ୍ନବୟସଃ ସର୍ୱେ ଚାରୁଚତୁର୍ଭୁଜାଃ ।

ଧନୁର୍ନିଷଙ୍ଗାସିଗଦାଶଙ୍ଖଚକ୍ରାମ୍ବୁଜଶ୍ରିୟଃ ॥ ୩୫॥

ତୁମେ ସମସ୍ତେ ନବକିଶୋର, ସମସ୍ତଙ୍କର ସୁନ୍ଦର-ସୁନ୍ଦର ଚାରୋଟି ଭୁଜ ରହିଛି, ସମସ୍ତଙ୍କର କରକମଳରେ ଧନୁ, ଢାଲ, ତରବାରୀ, ଗଦା ଶଂଖ, ଚକ୍ର, କମଳ ଆଦି ସୁଶୋଭିତ |

ଦିଶୋ ବିତିମିରାଲୋକାଃ କୁର୍ୱନ୍ତଃ ସ୍ୱେନ ରୋଚିଷା ।

କିମର୍ଥଂ ଧର୍ମପାଲସ୍ୟ କିଙ୍କରାନ୍ନୋ ନିଷେଧଥ ॥ ୩୬॥

ତୁମ୍ଭମାନଙ୍କର ଅଙ୍ଗକାନ୍ତି ଦିଶାମାନଙ୍କର ଅନ୍ଧକାର ସହିତ ପ୍ରାକୃତ ପ୍ରକାଶକୁ ମଧ୍ୟ ଦୂର କରିଦେଉଛି | ଆମ୍ଭେମାନେ ଧର୍ମରାଜଙ୍କର ସେବକ ଅଟୁ, ତୁମେ ଆମ କାମରେ ବାଧା ଦେଉଛ କାହିଁକି ?

ଶ୍ରୀଶୁକ ଉବାଚ

ଇତ୍ୟୁକ୍ତେ ଯମଦୂତୈସ୍ତୈର୍ୱାସୁଦେବୋକ୍ତକାରିଣଃ ।

ତାନ୍ ପ୍ରତ୍ୟୂଚୁଃ ପ୍ରହସ୍ୟେଦଂ ମେଘନିର୍ହ୍ରାଦୟା ଗିରା ॥ ୩୭॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଯମଦୂତମାନେ ଏପରି କହିବାରୁ ଭଗବାନ ନାରାୟଣଙ୍କର ପାର୍ଷଦମାନେ ହସି ହସି ମେଘ ଗମ୍ଭୀର ବାଣୀରେ ସେମାନଙ୍କ ଉଦ୍ଦେଶ୍ୟରେ କହିଲେ |

ବିଷ୍ଣୁଦୂତା ଊଚୁଃ

ଯୂୟଂ ବୈ ଧର୍ମରାଜସ୍ୟ ଯଦି ନିର୍ଦେଶକାରିଣଃ ।

ବ୍ରୂତ ଧର୍ମସ୍ୟ ନସ୍ତତ୍ତ୍ୱଂ ଯଚ୍ଚ ଧର୍ମସ୍ୟ ଲକ୍ଷଣମ୍ ॥ ୩୮॥

ବିଷ୍ଣୁଦୂତମାନେ କହିଲେ – ହେ ଯମଦୂତଗଣ ! ତୁମ୍ଭେମାନେ ଯଦି ପ୍ରକୃତରେ ଧର୍ମରାଜଙ୍କର ଆଜ୍ଞାକାରୀ ଅଟ, ଆମ୍ଭମାନଙ୍କୁ ଧର୍ମର ଲକ୍ଷଣ ଏବଂ ଧର୍ମର ତତ୍ତ୍ବ ଶୁଣାଅ |

କଥଂ ସ୍ୱିଦ୍ଧ୍ରିୟତେ ଦଣ୍ଡଃ କିଂ ବାସ୍ୟ ସ୍ଥାନମୀପ୍ସିତମ୍ ।

ଦଣ୍ଡ୍ୟାଃ କିଂ କାରିଣଃ ସର୍ୱେ ଆହୋସ୍ୱିତ୍କତିଚିନ୍ନୃଣାମ୍ ॥ ୩୯॥

ଦଣ୍ଡ କିପରି ଦିଆଯାଏ ? ଦଣ୍ଡର ପାତ୍ର କିଏ ? ମନୁଷ୍ୟମାନଙ୍କ ମଧ୍ୟରୁ ସବୁ ପାପାଚାରୀ ଦଣ୍ଡନୀୟ ଅଟନ୍ତି ଅଥବା କେହି କେହି ଅଟନ୍ତି |

ଯମଦୂତା ଊଚୁଃ

ବେଦପ୍ରଣିହିତୋ ଧର୍ମୋ ହ୍ୟଧର୍ମସ୍ତଦ୍ୱିପର୍ୟଯଃ ।

ବେଦୋ ନାରାୟଣଃ ସାକ୍ଷାତ୍ସ୍ୱୟମ୍ଭୂରିତି ଶୁଶ୍ରୁମ ॥ ୪୦॥

ଯମଦୂତମାନେ କହିଲେ – ବେଦ ଯେଉଁ କର୍ମର ବିଧାନ କରିଥାଏ, ତାହା ଧର୍ମ ଅଟେ ଏବଂ ଯାହାର ନିଷେଧ କରିଥାଏ, ତାହା ଅଧର୍ମ ଅଟେ | ବେଦ ସ୍ବୟଂ ଭଗବାନଙ୍କର ସ୍ବରୂପ ଅଟେ | ତାହା ତାଙ୍କର ସ୍ବାଭାବିକ ଶ୍ବାସ-ପ୍ରଶ୍ବାସ ଏବଂ ସ୍ବୟଂପ୍ରକାଶ ଜ୍ଞାନ ଅଟେ – ଆମ୍ଭେମାନେ ଏପରି ଶୁଣିଛୁ |

ଯେନ ସ୍ୱଧାମ୍ନ୍ୟମୀ ଭାବା ରଜଃସତ୍ତ୍ୱତମୋମୟାଃ ।

ଗୁଣନାମକ୍ରିୟାରୂପୈର୍ୱିଭାବ୍ୟନ୍ତେ ଯଥାତଥମ୍ ॥ ୪୧॥

ଜଗତର ସତ୍ତ୍ବମୟ, ରଜୋମୟ ଏବଂ ତମୋମୟ – ସବୁ ପଦାର୍ଥ, ସବୁ ପ୍ରାଣୀ ନିଜର ପରମ ଆଶ୍ରୟ ଭଗବାନଙ୍କଠାରେ ହିଁ ସ୍ଥିତ ଅଟନ୍ତି | ବେଦ ହିଁ ଗୁଣ, ନାମ, କର୍ମ ଏବଂ ରୂପ ଆଦି ଅନୁସାରେ ସେମାନଙ୍କର ଯଥୋଚିତ ବିଭାଜନ କରିଥାଏ |

ସୂର୍ୟୋଽଗ୍ନିଃ ଖଂ ମରୁଦ୍ଗାବଃ ସୋମଃ ସନ୍ଧ୍ୟାହନୀ ଦିଶଃ ।

କଂ କୁଃ ସ୍ୱୟଂ ଧର୍ମ ଇତି ହ୍ୟେତେ ଦୈହ୍ୟସ୍ୟ ସାକ୍ଷିଣଃ ॥ ୪୨॥

ଜୀବ ନିଜର ଶରୀର ଏବଂ ମନୋବୃତ୍ତି ଦ୍ବାରା ଯେତେ ଯାହା କର୍ମ କରିଥାଏ, ତାହାର ସାକ୍ଷୀ ରହନ୍ତି – ସୂର୍ଯ୍ୟ, ଅଗ୍ନି, ଆକାଶ, ବାୟୁ, ଇନ୍ଦ୍ରିୟ, ଚନ୍ଦ୍ରମା, ସନ୍ଧ୍ୟା, ରାତି, ଦିନ, ଦିଶା, ଜଳ, ପୃଥିବୀ, କାଳ ଏବଂ ଧର୍ମ |

ଏତୈରଧର୍ମୋ ବିଜ୍ଞାତଃ ସ୍ଥାନଂ ଦଣ୍ଡସ୍ୟ ଯୁଜ୍ୟତେ ।

ସର୍ୱେ କର୍ମାନୁରୋଧେନ ଦଣ୍ଡମର୍ହନ୍ତି କାରିଣଃ ॥ ୪୩॥

ଏମାନଙ୍କ ଦ୍ବାରା ଅଧର୍ମର ପରିଚୟ ମିଳିଥାଏ ଏବଂ ତଦନୁଯାୟୀ ଦଣ୍ଡର ପାତ୍ର ନିର୍ଣ୍ଣୟ କରାଯାଏ | ପାପକର୍ମ କରୁଥିବା ସବୁ ମନୁଷ୍ୟ ନିଜ-ନିଜ କର୍ମ ଅନୁସାରେ ଦଣ୍ଡନୀୟ ଅଟନ୍ତି |

ସମ୍ଭବନ୍ତି ହି ଭଦ୍ରାଣି ବିପରୀତାନି ଚାନଘାଃ ।

କାରିଣାଂ ଗୁଣସଙ୍ଗୋଽସ୍ତି ଦେହବାନ୍ ନ ହ୍ୟକର୍ମକୃତ୍ ॥ ୪୪॥

ହେ ନିଷ୍ପାପ ପୁରୁଷ ! ପ୍ରାଣୀ ଯେଉଁ କର୍ମ କରେ, ତାହାର ଗୁଣ ସହିତ ସମ୍ବନ୍ଧ ଅବଶ୍ୟ ରହିଥାଏ | ସେଥିପାଇଁ ସମସ୍ତଙ୍କ ଦ୍ବାରା କିଛି ପାପ ଏବଂ କିଛି ପୁଣ୍ୟ ହୋଇଥାଏ | ଦେହବାନ୍ ହୋଇ କୌଣସି ପୁରୁଷ କର୍ମ ନ କରି ରହିପାରିବେ ନାହିଁ |

ଯେନ ଯାବାନ୍ ଯଥାଧର୍ମୋ ଧର୍ମୋ ବେହ ସମୀହିତଃ ।

ସ ଏବ ତତ୍ଫଲଂ ଭୁଙ୍କ୍ତେ ତଥା ତାବଦମୁତ୍ର ବୈ ॥ ୪୫॥

ଇହଲୋକରେ ଯେଉଁ ମନୁଷ୍ୟ ଯେପରି ଏବଂ ଯେତେ ମାତ୍ରାରେ ଅଧର୍ମ ବା ଧର୍ମ କରିଥାଏ, ପରଲୋକରେ ସେ ସେତିକି ମାତ୍ରାରେ ଏବଂ ସେହିପରି ଭାବରେ ତାର ଫଳ ଭୋଗ କରିଥାଏ |

ଯଥେହ ଦେବପ୍ରବରାସ୍ତ୍ରୈବିଧ୍ୟମୁପଲଭ୍ୟତେ ।

ଭୂତେଷୁ ଗୁଣବୈଚିତ୍ର୍ୟାତ୍ତଥାନ୍ୟତ୍ରାନୁମୀୟତେ ॥ ୪୬॥

ହେ ଦେବଶ୍ରେଷ୍ଠ ! ସତ୍ତ୍ବ, ରଜ ଏବଂ ତମ – ଏହି ତିନି ଗୁଣ ଭେଦରେ ଏହି ଲୋକରେ ତିନି ପ୍ରକାରର ପ୍ରାଣୀ ଦେଖିବାକୁ ମିଳନ୍ତି – ପୁଣ୍ୟାତ୍ମା, ପାପାତ୍ମା ଏବଂ ପୁଣ୍ୟ-ପାପ ଉଭୟଯୁକ୍ତ, ଅଥବା ସୁଖୀ, ଦୁଃଖୀ ଏବଂ ସୁଖ-ଦୁଃଖ ଉଭୟଯୁକ୍ତ | ସେହିପରି ତ୍ରିବିଧତା ପରଲୋକରେ ମଧ୍ୟ ଅନୁମାନ କରାଯାଇ ଥାଏ |

ବର୍ତମାନୋଽନ୍ୟଯୋଃ କାଲୋ ଗୁଣାଭିଜ୍ଞାପକୋ ଯଥା ।

ଏବଂ ଜନ୍ମାନ୍ୟଯୋରେତଦ୍ଧର୍ମାଧର୍ମନିଦର୍ଶନମ୍ ॥ ୪୭॥

ବର୍ତ୍ତମାନ ସମୟ ହିଁ ଭୂତ ଓ ଭବିଷ୍ୟତର ଅନୁମାନ କରାଇ ଥାଏ | ସେହିପରି, ବର୍ତ୍ତମାନ ଜନ୍ମର ପାପ-ପୁଣ୍ୟ ଭୂତ ଓ ଭବିଷ୍ୟତ ଜନ୍ମର ପାପ-ପୁଣ୍ୟର ଅନୁମାନ କରାଇ ଥାଏ |

ମନସୈବ ପୁରେ ଦେବଃ ପୂର୍ୱରୂପଂ ବିପଶ୍ୟତି ।

ଅନୁମୀମାଂସତେଽପୂର୍ୱଂ ମନସା ଭଗବାନଜଃ ॥ ୪୮॥

ଆମ୍ଭମାନଙ୍କର ସ୍ବାମୀ ଅଜନ୍ମା ଭଗବାନ ସର୍ବଜ୍ଞ ଯମରାଜ ସମସ୍ତଙ୍କ ଅନ୍ତଃକରଣରେ ବିରାଜମାନ | ସେ ନିଜ ମନରେ ହିଁ ସମସ୍ତଙ୍କର ପୂର୍ବରୂପକୁ ଦେଖି ସେମାନଙ୍କର ଭାବି ସ୍ବରୂପର ବିଚାର କରିଥାଆନ୍ତି |

ଯଥାଜ୍ଞସ୍ତମସା ଯୁକ୍ତ ଉପାସ୍ତେ ବ୍ୟକ୍ତମେବ ହି ।

ନ ବେଦ ପୂର୍ୱମପରଂ ନଷ୍ଟଜନ୍ମସ୍ମୃତିସ୍ତଥା ॥ ୪୯॥

ନିଦ୍ରାଗତ ଅଜ୍ଞାନୀ ପୁରୁଷ ସ୍ବପ୍ନାବସ୍ଥାରେ ପ୍ରତୀତ ହେଉଥିବା କଳ୍ପିତ ଶରୀରକୁ ନିଜର ବାସ୍ତବ ଶରୀର ମନେ କରିବା ପରି, ଜୀବ ନିଜର ପୂର୍ବଜନ୍ମର ସ୍ମୃତିକୁ ଭୂଲିଯାଇ ଥାଏ ଏବଂ ବର୍ତ୍ତମାନ ଶରୀର ବ୍ୟତିତ ସେ ନିଜର ପୂର୍ବ ଏବଂ ଅତୀତ ଶରୀର ସମ୍ବନ୍ଧରେ କିଛି ବି ଜାଣି ନ ଥାଏ |

ପଞ୍ଚଭିଃ କୁରୁତେ ସ୍ୱାର୍ଥାନ୍ ପଞ୍ଚ ବେଦାଥ ପଞ୍ଚଭିଃ ।

ଏକସ୍ତୁ ଷୋଡଶେନ ତ୍ରୀନ୍ ସ୍ୱୟଂ ସପ୍ତଦଶୋଽଶ୍ନୁତେ ॥ ୫୦॥

ହେ ସିଦ୍ଧପୁରୁଷ ! ଜୀବ ଏହି ଶରୀରରେ ପଞ୍ଚ କର୍ମେନ୍ଦ୍ରିୟ ଦ୍ବାରା ଦେବା-ନେବା, ଚାଲିବା-ବୁଲିବା ଆଦି କର୍ମ କରିଥାଏ, ପଞ୍ଚ ଜ୍ଞାନେନ୍ଦ୍ରିୟ ଦ୍ବାରା ରୂପ-ରସ ଆଦି ପଞ୍ଚ ବିଷୟର ଅନୁଭବ କରିଥାଏ ଏବଂ ଷୋଡଶ ତତ୍ତ୍ବ ମନ ସହିତ ସପ୍ତଦଶ ତତ୍ତ୍ବ ଭାବରେ ସେ ଏକାକୀ ଅନ୍ୟ ତିନି ବିଭାଗ (ମନ, ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ) ର ବିଷୟକୁ ଭୋଗ କରୁଥାଏ |

ତଦେତତ୍ଷୋଡଶକଲଂ ଲିଙ୍ଗଂ ଶକ୍ତିତ୍ରୟଂ ମହତ୍ ।

ଧତ୍ତେଽନୁ ସଂସୃତିଂ ପୁଂସି ହର୍ଷଶୋକଭୟାର୍ତିଦାମ୍ ॥ ୫୧॥

ଜୀବର ଏହି ଷୋଳ କଳା ଏବଂ ସତ୍ତ୍ଵାଦି ତ୍ରିଗୁଣାତ୍ମକ ଲିଙ୍ଗଶରୀର ଅନାଦି ଅଟେ | ଏହା ହିଁ ଜୀବକୁ ବାରମ୍ବାର ହର୍ଷ, ଶୋକ, ଭୟ ଏବଂ ପୀଡା ପ୍ରଦାନ କରୁଥିବା ଜନ୍ମ-ମୃତ୍ୟୁର ଚକ୍ରରେ ପକାଇ ଥାଏ |

ଦେହ୍ୟଜ୍ଞୋଽଜିତଷଡ୍ୱର୍ଗୋ ନେଚ୍ଛନ୍ କର୍ମାଣି କାର୍ୟତେ ।

କୋଶକାର ଇବାତ୍ମାନଂ କର୍ମଣାଽଽଚ୍ଛାଦ୍ୟ ମୁହ୍ୟତି ॥ ୫୨॥

ଅଜ୍ଞାନବଶ ଯେଉଁ ଜୀବ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ – ଏହି ଷଡ ରିପୁ ଉପରେ ବିଜୟ ପ୍ରାପ୍ତ କରି ନ ଥା’ନ୍ତି, ସେମାନଙ୍କୁ ଇଚ୍ଛା ନ ଥିଲେ ବି ବିଭିନ୍ନ ବାସନାର ବଶୀଭୂତ ହୋଇ ଅନେକ କର୍ମ କରିବାକୁ ପଡିଥାଏ | ସେପରି ସ୍ଥିତିରେ ସେମାନେ ରେଶମ କୀଡା ପରି ନିଜ କର୍ମର ଜାଲରେ ବାନ୍ଧି ହୋଇ ନିଜ ହାତରେ ମୋହର ଶିକାର ହୋଇଯାଆନ୍ତି |

ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ୍ ।

କାର୍ୟତେ ହ୍ୟବଶଃ କର୍ମ ଗୁଣୈଃ ସ୍ୱାଭାବିକୈର୍ବଲାତ୍ ॥ ୫୩॥

କୌଣସି ଶରୀରଧାରୀ କର୍ମ ନ କରି କ୍ଷଣକାଳ ମଧ୍ୟ ରହିପାରନ୍ତି ନାହିଁ | ପ୍ରତ୍ୟେକ ପ୍ରାଣୀର ସ୍ବାଭାବିକ ଗୁଣ ତାକୁ ବଳପୂର୍ବକ ବିବଶ କରି କର୍ମ କରାଇ ଥାଏ

ଲବ୍ଧ୍ୱା ନିମିତ୍ତମବ୍ୟକ୍ତଂ ବ୍ୟକ୍ତାବ୍ୟକ୍ତଂ ଭବତ୍ୟୁତ ।

ଯଥାୟୋନି ଯଥାବୀଜଂ ସ୍ୱଭାବେନ ବଲୀୟସା ॥ ୫୪॥

ଜୀବ ନିଜର ପୂର୍ବଜନ୍ମର ପାପ-ପୁଣ୍ୟ ସଂସ୍କାର ଅନୁଯାୟୀ ସ୍ଥୂଳ ଏବଂ ସୂକ୍ଷ୍ମ ଶରୀର ପ୍ରାପ୍ତ କରିଥାଏ | ତାହାର ସ୍ବାଭାବିକ ଏବଂ ପ୍ରବଳ ବାସନା କେତେବେଳେ ତାକୁ ମାତୃତୁଲ୍ୟ ସ୍ତ୍ରୀ-ରୂପ କରିଥାଏ ତ କେତେବେଳେ ପିତାତୁଲ୍ୟ ପୁରୁଷରୂପ ପ୍ରଦାନ କରିଥାଏ |

ଏଷ ପ୍ରକୃତିସଙ୍ଗେନ ପୁରୁଷସ୍ୟ ବିପର୍ୟଯଃ ।

ଆସୀତ୍ସ ଏବ ନ ଚିରାଦୀଶସଙ୍ଗାଦ୍ୱିଲୀୟତେ ॥ ୫୫॥

ପ୍ରକୃତିର ସଂସର୍ଗ ଲାଭ କରିବା ଦ୍ବାରା ହିଁ ପୁରୁଷ ନିଜକୁ ନିଜର ବାସ୍ତବିକ ସ୍ବରୂପ ବିପରୀତ ଲିଙ୍ଗଶରୀର ମାନି ନେଇଥାଏ | ଏହି ବିପର୍ଯ୍ୟୟ ଭଗବାନଙ୍କ ଭଜନ ଦ୍ବାରା ହିଁ ଅତିଶୀଘ୍ର ଦୂର ହୋଇଯାଏ |

ଅୟଂ ହି ଶ୍ରୁତସମ୍ପନ୍ନଃ ଶୀଲବୃତ୍ତଗୁଣାଲୟଃ ।

ଧୃତବ୍ରତୋ ମୃଦୁର୍ଦାନ୍ତଃ ସତ୍ୟବାନ୍ମନ୍ତ୍ରବିଚ୍ଛୁଚିଃ ॥ ୫୬॥

ହେ ଦେବଗଣ ! ଆପଣମାନେ ଜାଣନ୍ତି ଅଜାମିଳ ବହୁତ ବଡ ଶାସ୍ତ୍ରଜ୍ଞ ଥିଲା | ଶୀଳ, ସଦାଚାର ଏବଂ ସଦଗୁଣର ତ ସେ ଭଣ୍ଡାର ଥିଲା | ତାଛଡା, ସେ ବ୍ରହ୍ମଚାରୀ, ବିନୟୀ, ଜିତେନ୍ଦ୍ରିୟ, ସତ୍ୟନିଷ୍ଠ, ମନ୍ତ୍ରବେତ୍ତା ଏବଂ ପବିତ୍ର ମଧ୍ୟ ଥିଲା |

ଗୁର୍ୱଗ୍ନ୍ୟତିଥିବୃଦ୍ଧାନାଂ ଶୁଶ୍ରୂଷୁରନହଙ୍କୃତଃ ।

ସର୍ୱଭୂତସୁହୃତ୍ସାଧୁର୍ମିତବାଗନସୂୟକଃ ॥ ୫୭॥

ସେ ଗୁରୁ, ଅଗ୍ନି, ଅତିଥି ଏବଂ ବୃଦ୍ଧ ପୁରୁଷଙ୍କର ସେବା କରୁଥିଲା | ଅହଂକାର ତାଠାରେ ଲବଲେଶ ବି ନ ଥିଲା | ସମସ୍ତ ପ୍ରାଣୀଙ୍କର ହିତାକାଂକ୍ଷୀ ଥିଲା, ଉପକାର କରୁଥିଲା, ଆବଶ୍ୟକତା ଅନୁସାରେ କଥା କହୁଥିଲା ଏବଂ କାହାର ଗୁଣରେ ଦୋଷ-ଦର୍ଶନ କରୁ ନ ଥିଲା |

ଏକଦାସୌ ବନଂ ଯାତଃ ପିତୃସନ୍ଦେଶକୃଦ୍ଦ୍ୱିଜଃ ।

ଆଦାୟ ତତ ଆବୃତ୍ତଃ ଫଲପୁଷ୍ପସମିତ୍କୁଶାନ୍ ॥ ୫୮॥

ଦିନେ ସେହି ବ୍ରାହ୍ମଣ ନିଜ ପିତାଙ୍କ ଆଦେଶ ଅନୁସାରେ ବଣକୁ ଯାଇ ସେଠାରୁ ଫଳ-ଫୁଲ, ସମିଧା ଏବଂ କୁଶ ଆଦି ସଂଗ୍ରହ କରି ଘରକୁ ଫେରିଲା |

ଦଦର୍ଶ କାମିନଂ କଞ୍ଚିଚ୍ଛୂଦ୍ରଂ ସହ ଭୁଜିଷ୍ୟଯା ।

ପୀତ୍ୱା ଚ ମଧୁ ମୈରେୟଂ ମଦାଘୂର୍ଣିତନେତ୍ରୟା ॥ ୫୯॥

ମତ୍ତୟା ବିଶ୍ଲଥନ୍ନୀବ୍ୟା ବ୍ୟପେତଂ ନିରପତ୍ରପମ୍ ।

କ୍ରୀଡନ୍ତମନୁଗାୟନ୍ତଂ ହସନ୍ତମନୟାନ୍ତିକେ ॥ ୬୦॥

ଫେରିବା ସମୟରେ ସେ ଦେଖିଲା, ଜଣେ ଭ୍ରଷ୍ଟ ଶୂଦ୍ର, ଯିଏ କି ଅତ୍ୟଧିକ କାମୀ ଏବଂ ନିର୍ଲ୍ଲଜ ଥିଲା, ମଦ୍ୟପାନ କରି ଜଣେ ବେଶ୍ୟା ସହିତ ବିହାର କରୁଛି | ବେଶ୍ୟା ମଧ୍ୟ ମଦନିଶାରେ ମତୁଆଲା ରହିଛି | ନିଶାରେ ଉନ୍ମତ୍ତ ହୋଇ ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ନୃତ୍ୟ କରୁଥିଲା | ଶୂଦ୍ରଜଣକ କେତେବେଳେ ସେହି ବେଶ୍ୟା ସହିତ ଗୀତ ଗାଉଥିଲା, କେତେବେଳେ ହସିବାରେ ଲାଗିଥିଲା ତ କେତେବେଳେ ବିବିଧ ଆଚରଣ ଦ୍ବାରା ତାକୁ ପ୍ରସନ୍ନ କରିବାରେ ଲାଗିଥିଲା |

ଦୃଷ୍ଟ୍ୱା ତାଂ କାମଲିପ୍ତେନ ବାହୁନା ପରିରମ୍ଭିତାମ୍ ।

ଜଗାମ ହୃଚ୍ଛୟବଶଂ ସହସୈବ ବିମୋହିତଃ ॥ ୬୧॥

ଶୂଦ୍ରର ଭୁଜଦ୍ବୟ କାମୋଦ୍ଦୀପକ ଅଙ୍ଗରାଗ ଲେପିତ ଥିଲା ଏବଂ ସେ ସେଥିରେ ସେହି କୁଳଟାକୁ ଆଲିଙ୍ଗନ କରୁଥିଲା | ଅଜାମିଳ ସେମାନଙ୍କୁ ସେହି ଅବସ୍ଥାରେ ଦେଖି ସହସା ମୋହିତ ଏବଂ କାମାସକ୍ତ ହୋଇଗଲା |

ସ୍ତମ୍ଭୟନ୍ନାତ୍ମନାଽଽତ୍ମାନଂ ଯାବତ୍ସତ୍ତ୍ୱଂ ଯଥାଶ୍ରୁତମ୍ ।

ନ ଶଶାକ ସମାଧାତୁଂ ମନୋ ମଦନବେପିତମ୍ ॥ ୬୨॥

ଯଦିଓ ଅଜାମିଳ ନିଜର ଧୈର୍ଯ୍ୟ ଏବଂ ଜ୍ଞାନଶକ୍ତି ବଳରେ ମନକୁ ନିୟନ୍ତ୍ରଣ କରି କାମ-ବେଗରେ ବିଚଳିତ ନ ହେବା ପାଇଁ ବହୁତ ଚେଷ୍ଟା କରିଥିଲା, କିନ୍ତୁ ନିଜର ପୂରା ଶକ୍ତି ଲଗାଇ ମଧ୍ୟ ସେ ମନକୁ ରୋକିବାକୁ ଅସମର୍ଥ ହେଲା |

ତନ୍ନିମିତ୍ତସ୍ମରବ୍ୟାଜଗ୍ରହଗ୍ରସ୍ତୋ ବିଚେତନଃ ।

ତାମେବ ମନସା ଧ୍ୟାୟନ୍ ସ୍ୱଧର୍ମାଦ୍ୱିରରାମ ହ ॥ ୬୩॥

ସେହି ବେଶ୍ୟାକୁ ନିମିତ୍ତ କରି କାମ-ପିଶାଚ ଅଜାମିଳର ମନକୁ ଗ୍ରାସ କରିନେଲା | ତାର ସଦାଚାର ଏବଂ ଶାସ୍ତ୍ରସମ୍ବନ୍ଧୀ ଚେତନା ନଷ୍ଟ ହୋଇଗଲା | ଏହାପରେ ସେ ମନେ-ମନେ ସେହି ବେଶ୍ୟାର ଚିନ୍ତନ କରିବାରେ ଲାଗିଲା ଏବଂ ନିଜ ଧର୍ମ ପ୍ରତି ବିମୁଖ ହୋଇଗଲା |

ତାମେବ ତୋଷୟାମାସ ପିତ୍ର୍ୟେଣାର୍ଥେନ ଯାବତା ।

ଗ୍ରାମ୍ୟୈର୍ମନୋରମୈଃ କାମୈଃ ପ୍ରସୀଦେତ ଯଥା ତଥା ॥ ୬୪॥

ବେଶ୍ୟାକୁ ପ୍ରସନ୍ନ କରିବା ପାଇଁ ଅଜାମିଳ ସୁନ୍ଦର-ସୁନ୍ଦର ବସ୍ତ୍ର-ଆଭୂଷଣ ନେଇ ଆସିଲା | ଏପରି ହେଲା ଯେ ସେ ନିଜ ପିତାଙ୍କର ସମସ୍ତ ସମ୍ପତ୍ତି ଦେଇ ସେହି କୁଳଟାକୁ ପ୍ରସନ୍ନ କରିବାରେ ଲାଗିଲା | ସେହି ବ୍ରାହ୍ମଣର ସମସ୍ତ ଚେଷ୍ଟା ବେଶ୍ୟାର ପ୍ରସନ୍ନତା ନିମନ୍ତେ ହେବାରେ ଲାଗିଲା |

ବିପ୍ରାଂ ସ୍ୱଭାର୍ୟାମପ୍ରୌଢାଂ କୁଲେ ମହତି ଲମ୍ଭିତାମ୍ ।

ବିସସର୍ଜାଚିରାତ୍ପାପଃ ସ୍ୱୈରିଣ୍ୟାପାଙ୍ଗବିଦ୍ଧଧୀଃ ॥ ୬୫॥

ସେହି ସ୍ବଚ୍ଛନ୍ଦଚାରିଣୀ କୁଳଟାର ତୀକ୍ଷ୍ଣ ନେତ୍ରକଟାକ୍ଷ ତାର ମନକୁ ଏପରି ପ୍ରଲୋଭିତ କଲା ଯେ ସେ ନିଜର କୁଳୀନ ବିବାହିତା ନବଯୁବତୀ ପତ୍ନୀକୁ ମଧ୍ୟ ପରିତ୍ୟାଗ କରିଦେଲା | ତାହାର ପାପର ସୀମା ରହିଲା ନାହିଁ |

ଯତସ୍ତତଶ୍ଚୋପନିନ୍ୟେ ନ୍ୟାୟତୋଽନ୍ୟାୟତୋ ଧନମ୍ ।

ବଭାରାସ୍ୟାଃ କୁଟୁମ୍ବିନ୍ୟାଃ କୁଟୁମ୍ବଂ ମନ୍ଦଧୀରୟମ୍ ॥ ୬୬॥

ଏହାପରେ ଏହି କୁବୁଦ୍ଧି ନ୍ୟାୟରେ ହେଉ ବା ଅନ୍ୟାୟରେ ହେଉ, ଯେଉଁଠାରୁ ଯେପରି ଭାବରେ ଧନ ମିଳିଲା, ତାହା ଉଠାଇବାରେ ଲାଗିଲା | ସେହି ବେଶ୍ୟାର କୁଟୁମ୍ବ ପାଳନରେ ସେ ବ୍ୟସ୍ତ ରହିଲା |

ଯଦସୌ ଶାସ୍ତ୍ରମୁଲ୍ଲଙ୍ଘ୍ୟ ସ୍ୱୈରଚାର୍ୟାର୍ୟଗର୍ହିତଃ ।

ଅବର୍ତତ ଚିରଂ କାଲମଘାୟୁରଶୁଚିର୍ମଲାତ୍ ॥ ୬୭॥

ଶାସ୍ତ୍ର ଆଜ୍ଞା ଉଲ୍ଲଂଘନ କରି ଏହି ପାପୀ ସ୍ବଚ୍ଛନ୍ଦ ଆଚରଣ କରିଛି | ଏହା ସତ୍-ପୁରୁଷଙ୍କ ଦ୍ବାରା ନିନ୍ଦିତ ଅଟେ | ଇଏ ବହୁତ ଦିନଧରି ବେଶ୍ୟାର ମଳ-ସଦୃଶ ଅପବିତ୍ର ଅନ୍ନ ଖାଇ ଜୀବନ ବ୍ୟତୀତ କରିଛି; ଏହାର ସାରା ଜୀବନ ହିଁ ପାପମୟ ଅଟେ |

ତତ ଏନଂ ଦଣ୍ଡପାଣେଃ ସକାଶଂ କୃତକିଲ୍ବିଷମ୍ ।

ନେଷ୍ୟାମୋଽକୃତନିର୍ୱେଶଂ ଯତ୍ର ଦଣ୍ଡେନ ଶୁଦ୍ଧ୍ୟତି ॥ ୬୮॥

ଇଏ ଆଜିପର୍ଯ୍ୟନ୍ତ ନିଜ ପାପର କୌଣସି ପ୍ରାୟଶ୍ଚିତ ମଧ୍ୟ କରିନାହିଁ | ସେଥିପାଇଁ ଏବେ ଆମେ ଏହି ପାପୀକୁ ଦଣ୍ଡପାଣି ଭଗବାନ ଯମରାଜଙ୍କ ପାଖକୁ ନେଇଯିବୁ | ସେଠାରେ ଇଏ ନିଜ ପାପର ଦଣ୍ଡ ଭୋଗ କରି ଶୁଦ୍ଧ ହୋଇଯିବ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ଅଜାମିଲୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ ॥ ୧॥

Comments

Popular posts from this blog