ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ ॥

ଦ୍ବିତୀୟ ଅଧ୍ୟାୟ

ବିଷ୍ଣୁଦୂତଙ୍କ ଦ୍ବାରା ଭାଗବତ-ଧର୍ମ ନିରୂପଣ ଏବଂ ଅଜାମିଳର ପରଲୋକଗମନ

 

ଶ୍ରୀଶୁକ ଉବାଚ

ଏବଂ ତେ ଭଗବଦ୍ଦୂତା ଯମଦୂତାଭିଭାଷିତମ୍ ।

ଉପଧାର୍ୟାଥ ତାନ୍ ରାଜନ୍ ପ୍ରତ୍ୟାହୁର୍ନୟକୋବିଦାଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ନୀତିନିପୁଣ ଏବଂ ଧର୍ମର ମର୍ମଜ୍ଞ ପାର୍ଷଦମାନେ ଯମଦୂତଙ୍କର ଏହି ଅଭିଭାଷଣ ଶୁଣି ସେମାନଙ୍କୁ କହିଲେ -

ବିଷ୍ଣୁଦୂତା ଊଚୁଃ

ଅହୋ କଷ୍ଟଂ ଧର୍ମଦୃଶାମଧର୍ମଃ ସ୍ପୃଶତେ ସଭାମ୍ ।

ଯତ୍ରାଦଣ୍ଡ୍ୟେଷ୍ୱପାପେଷୁ ଦଣ୍ଡୋ ଯୈର୍ଧ୍ରିୟତେ ବୃଥା ॥ ୨॥

ବିଷ୍ଣୁଦୂତମାନେ କହିଲେ – ହେ ଯମଦୂତଗଣ ! ଏହା ବଡ ଆଶ୍ଚର୍ଯ୍ୟ ଏବଂ ଦୁଃଖର ବିଷୟ ଯେ ଧର୍ମଜ୍ଞମାନଙ୍କର ସଭାରେ ଅଧର୍ମ ପ୍ରବେଶ କରିଛି, କାରଣ ସେଠାରେ ନିରପରାଧ ଏବଂ ଅଦଣ୍ଡନୀୟ ବ୍ୟକ୍ତିଙ୍କୁ ବୃଥାରେ ଦଣ୍ଡିତ କରାଯାଇ ଥାଏ |

ପ୍ରଜାନାଂ ପିତରୋ ଯେ ଚ ଶାସ୍ତାରଃ ସାଧବଃ ସମାଃ ।

ଯଦି ସ୍ୟାତ୍ତେଷୁ ବୈଷମ୍ୟଂ କଂ ଯାନ୍ତି ଶରଣଂ ପ୍ରଜାଃ ॥ ୩॥

ଯିଏ ପ୍ରଜାର ରକ୍ଷକ, ଶାସକ, ସମଦର୍ଶୀ ଏବଂ ପରୋପକାରୀ ଅଟନ୍ତି, ସେମାନେ ଯଦି ପ୍ରଜା ପ୍ରତି ବିଷମତାର ବ୍ୟବହାର ପ୍ରଦର୍ଶନ କରିବାରେ ଲାଗିବେ, ତେବେ ପ୍ରଜା ବିଚରା କାହାର ଶରଣ ନେବ ?

ଯଦ୍ୟଦାଚରତି ଶ୍ରେୟାନିତରସ୍ତତ୍ତଦୀହତେ ।

ସ ଯତ୍ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତତେ ॥ ୪॥

ସତ୍-ପୁରୁଷମାନେ ଯେପରି ଆଚରଣ କରନ୍ତି, ସାଧାରଣ ଲୋକ ମଧ୍ୟ ଠିକ୍ ସେହିପରି କରନ୍ତି | ନିଜର ଆଚରଣ ଦ୍ବାରା ଯେଉଁ କର୍ମକୁ ସେମାନେ ଧର୍ମାନୁକୂଳ ପ୍ରମାଣିତ କରିଦିଅନ୍ତି, ଲୋକେ ତାହାର ଅନୁକରଣ କରିବାରେ ଲାଗନ୍ତି |

ଯସ୍ୟାଙ୍କେ ଶିର ଆଧାୟ ଲୋକଃ ସ୍ୱପିତି ନିର୍ୱୃତଃ ।

ସ୍ୱୟଂ ଧର୍ମମଧର୍ମଂ ବା ନ ହି ବେଦ ଯଥା ପଶୁଃ ॥ ୫॥

ସାଧାରଣ ଲୋକ ପଶୁମାନଙ୍କ ପରି ଧର୍ମ ଏବଂ ଅଧର୍ମର ସ୍ଵରୂପକୁ ନ ଜାଣି କୌଣସି ସତ୍-ପୁରୁଷଙ୍କ ଉପରେ ଭରସା କରିନିଅନ୍ତି ଏବଂ ନିର୍ଭୟ ଓ ନିଶ୍ଚିନ୍ତ ହୋଇ ତାଙ୍କ କୋଳରେ ମସ୍ତକ ରଖି ଶୋଇଯାଆନ୍ତି |

ସ କଥଂ ନ୍ୟର୍ପିତାତ୍ମାନଂ କୃତମୈତ୍ରମଚେତନମ୍ ।

ବିସ୍ରମ୍ଭଣୀୟୋ ଭୂତାନାଂ ସଘୃଣୋ ଦ୍ରୋଗ୍ଧୁମର୍ହତି ॥ ୬॥

ସେହି ଦୟାଳୁ ସତ୍-ପୁରୁଷ, ଯିଏ ପ୍ରାଣୀମାନଙ୍କର ଅତ୍ୟନ୍ତ ବିଶ୍ବାସପାତ୍ର ଅଟନ୍ତି ଏବଂ ମିତ୍ରଭାବରେ ନିଜର ହିତୈଷୀ ମନେକରି ଯାହାଠାରେ ସେମାନେ ଆତ୍ମସମର୍ପଣ କରିଦେଇ ଥାଆନ୍ତି, ସେହି ଅଜ୍ଞାନୀ ଜୀବମାନଙ୍କ ସହିତ ସେ ଭଲା ବିଶ୍ବାସଘାତ କିପରି କରିପାରିବେ ?

ଅୟଂ ହି କୃତନିର୍ୱେଶୋ ଜନ୍ମକୋଟ୍ୟଂହସାମପି ।

ଯଦ୍ୱ୍ୟାଜହାର ବିବଶୋ ନାମ ସ୍ୱସ୍ତ୍ୟଯନଂ ହରେଃ ॥ ୭॥

ହେ ଯମଦୂତ ! ଏହି ଅଜାମିଳ କୋଟି-କୋଟି ଜନ୍ମର ପାପରାଶିର ପୂର୍ଣ୍ଣ ପ୍ରାୟଶ୍ଚିତ କରିସାରିଛି; କାରଣ ବିବଶତାରେ ହେଉ ପଛକେ ସେ ଭଗବାନଙ୍କର ପରମ କଲ୍ୟାଣମୟ ନାମ ଉଚ୍ଚାରଣ କରିଛି |

ଏତେନୈବ ହ୍ୟଘୋନୋଽସ୍ୟ କୃତଂ ସ୍ୟାଦଘନିଷ୍କୃତମ୍ ।

ଯଦା ନାରାୟଣାୟେତି ଜଗାଦ ଚତୁରକ୍ଷରମ୍ ॥ ୮॥

ଯେଉଁ ମୁହୂର୍ତ୍ତରେ ସେ ‘ନାରାୟଣ ଏହି ଚାରୋଟି ଅକ୍ଷର ଉଚ୍ଚାରଣ କଲା, ସେହି ମୁହୂର୍ତ୍ତରେ କେବଳ ସେତିକିରେ ହିଁ ସେହି ପାପୀର ସମସ୍ତ ପାପର ପ୍ରାୟଶ୍ଚିତ ହୋଇଗଲା |

ସ୍ତେନଃ ସୁରାପୋ ମିତ୍ରଧ୍ରୁଗ୍ ବ୍ରହ୍ମହା ଗୁରୁତଲ୍ପଗଃ ।

ସ୍ତ୍ରୀରାଜପିତୃଗୋହନ୍ତା ଯେ ଚ ପାତକିନୋଽପରେ ॥ ୯॥

ସର୍ୱେଷାମପ୍ୟଘବତାମିଦମେବ ସୁନିଷ୍କୃତମ୍ ।

ନାମବ୍ୟାହରଣଂ ବିଷ୍ଣୋର୍ୟତସ୍ତଦ୍ୱିଷୟା ମତିଃ ॥ ୧୦॥

ଚୋର, ମଦ୍ୟପ, ମିତ୍ରଦ୍ରୋହୀ, ବ୍ରହ୍ମଘାତୀ, ଗୁରୁପତ୍ନୀଗାମୀ, ଏପରି ବ୍ୟକ୍ତିଙ୍କର ସଂସର୍ଗୀ ସ୍ତ୍ରୀ, ରାଜା, ପିତା ଏବଂ ଗୋହତ୍ୟା କରିଥିବା ବ୍ୟକ୍ତିଙ୍କ ପରି ଯେତେ ବଡ ପାପୀ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଭଗବାନଙ୍କର ନାମ ଉଚ୍ଚାରଣ କରିବା, କାରଣ ଭଗବନ୍ନାମ ଉଚ୍ଚାରଣ ଦ୍ବାରା ମନୁଷ୍ୟର ବୁଦ୍ଧି ଭଗବାନଙ୍କ ଗୁଣ, ଲୀଳା ଏବଂ ସ୍ବରୂପରେ ଅନୁରକ୍ତ ହୋଇଯାଏ ଏବଂ ସ୍ବୟଂ ଭଗବାନଙ୍କ ପ୍ରତି ତାର ଆତ୍ମୀୟ ବୁଦ୍ଧି ହୋଇଯାଏ |

ନ ନିଷ୍କୃତୈରୁଦିତୈର୍ବ୍ରହ୍ମବାଦିଭି-

ସ୍ତଥା ବିଶୁଦ୍ଧ୍ୟତ୍ୟଘବାନ୍ ବ୍ରତାଦିଭିଃ ।

ଯଥା ହରେର୍ନାମପଦୈରୁଦାହୃତୈ-

ସ୍ତଦୁତ୍ତମଶ୍ଲୋକଗୁଣୋପଲମ୍ଭକମ୍ ॥ ୧୧॥

ବଡ-ବଡ ବ୍ରହ୍ମବାଦୀ ଋଷିମାନେ ପାପର ପ୍ରାୟଶ୍ଚିତ ଭାବରେ କୃଚ୍ଛ୍ନ, ଚାନ୍ଦ୍ରାୟଣ ଆଦି ଅନେକ ବ୍ରତ ନିର୍ଦ୍ଦେଶ କରିଥାଆନ୍ତି, କିନ୍ତୁ ସେହି ସବୁ ପ୍ରାୟଶ୍ଚିତ ଦ୍ବାରା ଜଡରୁ ପାପୀର ଶୁଦ୍ଧିକରଣ ହୋଇ ନ ଥାଏ, ଯେପରି ଭଗବାନଙ୍କର ନାମ, ତହିଁରେ ଗୁମ୍ଫିତ ଥିବା ପଦର ଉଚ୍ଚାରଣ କରିବା ଦ୍ବାରା ହୋଇଥାଏ; କାରଣ ସେହି ନାମ ପବିତ୍ରକୀର୍ତ୍ତି ଭଗବାନଙ୍କ ଗୁଣର ଜ୍ଞାନ କରାଇ ଥାଏ |

ନୈକାନ୍ତିକଂ ତଦ୍ଧି କୃତେଽପି ନିଷ୍କୃତେ

ମନଃ ପୁନର୍ଧାବତି ଚେଦସତ୍ପଥେ ।

ତତ୍କର୍ମନିର୍ହାରମଭୀପ୍ସତାଂ ହରେ-

ର୍ଗୁଣାନୁବାଦଃ ଖଲୁ ସତ୍ତ୍ୱଭାବନଃ ॥ ୧୨॥

ଯଦି ପ୍ରାୟଶ୍ଚିତ କରିବା ପରେ ବି ମନ ପୁନର୍ବାର କୁମାର୍ଗରେ ପାପ ଅଭିମୁଖରେ ଧାବିତ ହୁଏ, ତେବେ ତାହା ଚରମ ସୀମାର ପୂର୍ଣ୍ଣ ପ୍ରାୟଶ୍ଚିତ ନୁହେଁ | ତେଣୁ ଯେଉଁମାନେ ଏପରି ପ୍ରାୟଶ୍ଚିତ କରିବାକୁ ଇଚ୍ଛା କରନ୍ତି ଯଦ୍ବାରା ପାପକର୍ମ ସହିତ ପାପବାସନା ଜଡରୁ ସମାପ୍ତ ହୋଇଯିବ, ସେମାନେ ଭଗବାନଙ୍କର ଗୁଣର ଗାନ କରିବା ଆବଶ୍ୟକ, କାରଣ ତଦ୍ବାରା ଚିତ୍ତ ପୂର୍ଣ୍ଣତଃ ଶୁଦ୍ଧ ହୋଇଯାଏ |

ଅଥୈନଂ ମାପନୟତ କୃତାଶେଷାଘନିଷ୍କୃତମ୍ ।

ଯଦସୌ ଭଗବନ୍ନାମ ମ୍ରିୟମାଣଃ ସମଗ୍ରହୀତ୍ ॥ ୧୩॥

ସେଥିପାଇଁ ହେ ଯମଦୂତ ! ତୁମ୍ଭେମାନେ ଅଜାମିଳକୁ ନେଇ ଯାଅନାହିଁ | ଇଏ ସମସ୍ତ ପାପର ପ୍ରାୟଶ୍ଚିତ କରିନେଇଛି, କାରଣ ମରିବା ସମୟରେ ଇଏ ଭଗବାନଙ୍କର ନାମ ଉଚ୍ଚାରଣ କରିଛି |

ସାଙ୍କେତ୍ୟଂ ପାରିହାସ୍ୟଂ ବା ସ୍ତୋଭଂ ହେଲନମେବ ବା ।

ବୈକୁଣ୍ଠନାମଗ୍ରହଣମଶେଷାଘହରଂ ବିଦୁଃ ॥ ୧୪॥

ବଡ ବଡ ମହାତ୍ମାମାନେ ଏହା ଜାଣନ୍ତି ଯେ ସଂକେତରେ (ଅନ୍ୟ କୌଣସି ଅଭିପ୍ରାୟରେ), ପରିହାସରେ, ତାନ ଆଳାପରେ ଅଥବା କାହାର ଅବହେଳନା କରିବାକୁ ଯାଇ ଯଦି କେହି ଭଗବାନଙ୍କର ନାମ ଉଚ୍ଚାରଣ କରନ୍ତି, ତେବେ ତାଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ |

ପତିତଃ ସ୍ଖଲିତୋ ଭଗ୍ନଃ ସନ୍ଦଷ୍ଟସ୍ତପ୍ତ ଆହତଃ ।

ହରିରିତ୍ୟବଶେନାହ ପୁମାନ୍ ନାର୍ହତି ଯାତନାମ୍ ॥ ୧୫॥

ଯେଉଁ ମନୁଷ୍ୟ ପଡି ଯାଉଥିବା ସମୟରେ, କେଉଁଠାରୁ ଖସି ପଡୁଥିବା ସମୟରେ, ଅଙ୍ଗଭଙ୍ଗ ହେବା, ସର୍ପ ଦଂଶନ କରିବା, ନିଆଁରେ ଜଳି ଯାଉଥିବା ଅଥବା ଆହତ ହେବା ସମୟରେ, ବିବଶତାରେ ହେଉ ପଛକେ, ‘ହରି-ହରି କହି ଭଗବାନଙ୍କ ନାମ ଉଚ୍ଚାରଣ କରିଥାଏ, ସେ ଯମଯାତନାର ପାତ୍ର ହୋଇ ରହେନାହିଁ |

ଗୁରୂଣାଂ ଚ ଲଘୂନାଂ ଚ ଗୁରୂଣି ଚ ଲଘୂନି ଚ ।

ପ୍ରାୟଶ୍ଚିତ୍ତାନି ପାପାନାଂ ଜ୍ଞାତ୍ୱୋକ୍ତାନି ମହର୍ଷିଭିଃ ॥ ୧୬॥

ମହର୍ଷିମାନେ ଜାଣିଶୁଣି ବଡ ପାପ ପାଇଁ ବଡ ଏବଂ ଛୋଟ ପାପ ପାଇଁ ଛୋଟ ପ୍ରାୟଶ୍ଚିତ ନିର୍ଦ୍ଦେଶ କରିଛନ୍ତି |

ତୈସ୍ତାନ୍ୟଘାନି ପୂୟନ୍ତେ ତପୋଦାନଜପାଦିଭିଃ ।

ନାଧର୍ମଜଂ ତଦ୍ଧୃଦୟଂ ତଦପୀଶାଙ୍ଘ୍ରିସେବୟା ॥ ୧୭॥

ଏଥିରେ ସନ୍ଦେହ ନାହିଁ ଯେ ତପସ୍ୟା, ଦାନ, ଜପ ଆଦି ପ୍ରାୟଶ୍ଚିତ ଦ୍ବାରା ସେହି ସବୁ ପାପ ନଷ୍ଟ ହୋଇଯାଏ, କିନ୍ତୁ ପାପ ଦ୍ବାରା ମଳୀନ ହୋଇ ଯାଇଥିବା ସେମାନଙ୍କର ହୃଦୟ ଶୁଦ୍ଧ ହୋଇ ନ ଥାଏ | ଭଗବାନଙ୍କର ଚରଣ-ସେବା ଦ୍ବାରା ତାହା ଶୁଦ୍ଧ ହୋଇଯାଏ |

ଅଜ୍ଞାନାଦଥବା ଜ୍ଞାନାଦୁତ୍ତମଶ୍ଲୋକନାମ ଯତ୍ ।

ସଙ୍କୀର୍ତିତମଘଂ ପୁଂସୋ ଦହେଦେଧୋ ଯଥାନଲଃ ॥ ୧୮॥

ହେ ଯମଦୂତ ! ଜାଣିକରି ହେଉ ବା ଅଜାଣତରେ ହେଉ, ଇନ୍ଧନରେ ଅଗ୍ନିର ସ୍ପର୍ଶ ଘଟିଲେ ତାହା ଯେପରି ଜଳି ଭସ୍ମ ହୋଇଯାଏ, ସେହିପରି ଜ୍ଞାତସାରରେ ହେଉ ବା ଅଜ୍ଞାତରେ ହେଉ ଭଗବାନଙ୍କର ନାମ ସଂକୀର୍ତ୍ତନ କରିବା ଦ୍ବାରା ମନୁଷ୍ୟର ସମସ୍ତ ପାପ ଭସ୍ମ ହୋଇଯାଏ |

ଯଥାଗଦଂ ବୀର୍ୟତମମୁପୟୁକ୍ତଂ ଯଦୃଚ୍ଛୟା ।

ଅଜାନତୋଽପ୍ୟାତ୍ମଗୁଣଂ କୁର୍ୟାନ୍ମନ୍ତ୍ରୋଽପ୍ୟୁଦାହୃତଃ ॥ ୧୯॥

ପରମ ଶକ୍ତିଶାଳୀ ଅମୃତକୁ କିଏ ତାହାର ଗୁଣ ନ ଜାଣି ପାନ କଲେ ମଧ୍ୟ ସେହି ଅମୃତ ବ୍ୟକ୍ତିକୁ ଅମରତ୍ବ ପ୍ରଦାନ କରିବ | ଠିକ୍ ସେହିପରି, ଅଜାଣତରେ ହେଉ ପଛେ, ଭଗବାନଙ୍କର ନାମ ଉଚ୍ଚାରଣ କଲେ, ନାମ ଅବଶ୍ୟ ତାହାର ଫଳ ପ୍ରଦାନ କରିବ (ବସ୍ତୁଶକ୍ତି ଶ୍ରଦ୍ଧାର ଅପେକ୍ଷା କରେନାହିଁ |)

ଶ୍ରୀଶୁକ ଉବାଚ

ତ ଏବଂ ସୁବିନିର୍ଣୀୟ ଧର୍ମଂ ଭାଗବତଂ ନୃପ ।

ତଂ ଯାମ୍ୟପାଶାନ୍ନିର୍ମୁଚ୍ୟ ବିପ୍ରଂ ମୃତ୍ୟୋରମୂମୁଚନ୍ ॥ ୨୦॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଏହିପରି ଭାବରେ ଭଗବାନଙ୍କର ପାର୍ଷଦମାନେ ଭାଗବତ-ଧର୍ମର ପୂର୍ଣ୍ଣ ନିରୂପଣ କରି ଅଜାମିଳକୁ ଯମଦୂତମାନଙ୍କର ପାଶରୁ ମୁକ୍ତ କଲେ ଏବଂ ତାକୁ ମୃତ୍ୟୁ ମୁଖରୁ ରକ୍ଷା କଲେ |

ଇତି ପ୍ରତ୍ୟୁଦିତା ଯାମ୍ୟା ଦୂତା ଯାତ୍ୱା ଯମାନ୍ତିକେ ।

ଯମରାଜ୍ଞେ ଯଥା ସର୍ୱମାଚଚକ୍ଷୁରରିନ୍ଦମ ॥ ୨୧॥

ପ୍ରିୟ ପରୀକ୍ଷିତ ! ପାର୍ଷଦମାନଙ୍କର ଧର୍ମ ବିବେଚନା ଶୁଣି ଯମଦୂତମାନେ ଯମରାଜଙ୍କ ପାଖକୁ ଗଲେ ଏବଂ ତାଙ୍କୁ ସାରା ବୃତ୍ତାନ୍ତ ଯଥା-ତଥା ଶୁଣାଇଲେ |

ଦ୍ୱିଜଃ ପାଶାଦ୍ୱିନିର୍ମୁକ୍ତୋ ଗତଭୀଃ ପ୍ରକୃତିଂ ଗତଃ ।

ବବନ୍ଦେ ଶିରସା ବିଷ୍ଣୋଃ କିଙ୍କରାନ୍ ଦର୍ଶନୋତ୍ସବଃ ॥ ୨୨॥

ଯମଦୂତମାନଙ୍କର ପାଶରୁ ମୁକ୍ତ ହୋଇ ଅଜାମିଳ ସ୍ବସ୍ଥ ଏବଂ ନିର୍ଭୟ ହୋଇଗଲା | ଭଗବାନଙ୍କ ପାର୍ଷଦମାନଙ୍କର ଦର୍ଶନଜନିତ ଆନନ୍ଦରେ ବିଭୋର ହୋଇ ସେ ସେମାନଙ୍କୁ ମସ୍ତକ ଅବନତ କରି ପ୍ରଣାମ କଲା |

ତଂ ବିବକ୍ଷୁମଭିପ୍ରେତ୍ୟ ମହାପୁରୁଷକିଙ୍କରାଃ ।

ସହସା ପଶ୍ୟତସ୍ତସ୍ୟ ତତ୍ରାନ୍ତର୍ଦଧିରେଽନଘ ॥ ୨୩॥

ନିଷ୍ପାପ ପରୀକ୍ଷିତ ! ଭଗବାନଙ୍କର ପାର୍ଷଦମାନେ ଦେଖିଲେ ଅଜାମିଳ ସେମାନଙ୍କୁ କିଛି କହିବାକୁ ଇଚ୍ଛା କରୁଛି, ସେଥିପାଇଁ ସେମାନେ ସେଠାରୁ ତତ୍କାଳ ଅନ୍ତର୍ଧ୍ୟାନ ହୋଇଗଲେ |

ଅଜାମିଲୋଽପ୍ୟଥାକର୍ଣ୍ୟ ଦୂତାନାଂ ଯମକୃଷ୍ଣୟୋଃ ।

ଧର୍ମଂ ଭାଗବତଂ ଶୁଦ୍ଧଂ ତ୍ରୈବିଦ୍ୟଂ ଚ ଗୁଣାଶ୍ରୟମ୍ ॥ ୨୪॥

ଅଜାମିଳ ଭଗବାନଙ୍କର ପାର୍ଷଦମାନଙ୍କଠାରୁ ବିଶୁଦ୍ଧ ଭାଗବତ ଧର୍ମ ଏବଂ ଯମଦୂତମାନଙ୍କ ମୁଖରୁ ବେଦୋକ୍ତ ସଗୁଣ (ପ୍ରବୃତ୍ତିବିଷୟକ) ଧର୍ମ ଶ୍ରବଣ କରିଥିଲା |

ଭକ୍ତିମାନ୍ ଭଗବତ୍ୟାଶୁ ମାହାତ୍ମ୍ୟଶ୍ରବଣାଦ୍ଧରେଃ ।

ଅନୁତାପୋ ମହାନାସୀତ୍ସ୍ମରତୋଽଶୁଭମାତ୍ମନଃ ॥ ୨୫॥

ସର୍ବପାପହାରୀ ଭଗବାନଙ୍କର ମହିମା ଶୁଣି ଅଜାମିଳର ହୃଦୟରେ ଅତିଶୀଘ୍ର ଭକ୍ତିର ଉଦୟ ହେଲା | ଏବେ ସେ ନିଜ ପାପକର୍ମର ସ୍ମରଣ କରି ପଶ୍ଚାତାପ କରିବାରେ ଲାଗିଲା |

ଅହୋ ମେ ପରମଂ କଷ୍ଟମଭୂଦବିଜିତାତ୍ମନଃ ।

ଯେନ ବିପ୍ଲାବିତଂ ବ୍ରହ୍ମ ବୃଷଲ୍ୟାଂ ଜାୟତାଽଽତ୍ମନା ॥ ୨୬॥

(ଅଜାମିଳ ମନେ-ମନେ ବିଚାର କରିବାରେ ଲାଗିଲା) ହାୟ, ମୁଁ କେତେ ବଡ ଇନ୍ଦ୍ରିୟମାନଙ୍କର ଦାସ ଅଟେ ! ଏକ ଦାସୀ ଗର୍ଭରୁ ପୁତ୍ର ଉତ୍ପନ୍ନ କରି ମୁଁ ନିଜର ବ୍ରାହ୍ମଣତ୍ବ ନଷ୍ଟ କରି ଦେଲି | ଏହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ |

ଧିଙ୍ ମାଂ ବିଗର୍ହିତଂ ସଦ୍ଭିର୍ଦୁଷ୍କୃତଂ କୁଲକଜ୍ଜଲମ୍ ।

ହିତ୍ୱା ବାଲାଂ ସତୀଂ ଯୋଽହଂ ସୁରାପାମସତୀମଗାମ୍ ॥ ୨୭॥

ମୋତେ ଧିକ୍କାର, ବାରମ୍ବାର ଧିକ୍କାର | ମୁଁ ସନ୍ଥମାନଙ୍କ ଦ୍ବାରା ନିନ୍ଦିତ ଘୋର ପାପାତ୍ମା ଅଟେ | ମୁଁ ନିଜ କୁଳରେ କଳଙ୍କର ଟୀକା ଲଗାଇ ଦେଲି | ହାୟ, ମୁଁ ନିଜ ସତୀ ଏବଂ ଅବୋଧ ପତ୍ନୀର ପରିତ୍ୟାଗ କରି ଏକ ମଦ୍ୟପାନକାରୀ କୁଳଟାର ସଂସର୍ଗ କଲି |

ବୃଦ୍ଧାବନାଥୌ ପିତରୌ ନାନ୍ୟବନ୍ଧୂ ତପସ୍ୱିନୌ ।

ଅହୋ ମୟାଧୁନା ତ୍ୟକ୍ତାବକୃତଜ୍ଞେନ ନୀଚବତ୍ ॥ ୨୮॥

ମୁଁ କିପରି ନୀଚ ଅଟେ ! ମୋର ମା-ବାପା ବୃଦ୍ଧ ଏବଂ ତପସ୍ବୀ ଥିଲେ | ସେମାନେ ସର୍ବତୋ ଭାବରେ ଅସହାୟ ଥିଲେ, ସେମାନଙ୍କର ସେବା-ଶୁଶ୍ରୂଷା କରିବାକୁ ଆଉ କେହି ନ ଥିଲେ | ମୁଁ ସେମାନଙ୍କୁ ମଧ୍ୟ ପରିତ୍ୟାଗ କରିଦେଲି | ହାୟ, ମୁଁ କେତେ ବଡ କୃତଘ୍ନୀ ଅଟେ !

ସୋଽହଂ ବ୍ୟକ୍ତଂ ପତିଷ୍ୟାମି ନରକେ ଭୃଶଦାରୁଣେ ।

ଧର୍ମଘ୍ନାଃ କାମିନୋ ଯତ୍ର ବିନ୍ଦନ୍ତି ଯମୟାତନାଃ ॥ ୨୯॥

ମୁଁ ନିଶ୍ଚିତ ଭାବରେ ଘୋର ନର୍କରେ ପଡିବି, ଯେଉଁଠାରେ ପଡି ଧର୍ମଘାତୀ ପାପାତ୍ମା କାମୀ ପୁରୁଷ ଅନେକ ପ୍ରକାରର ଯମଯାତନା ଭୋଗ କରନ୍ତି |

କିମିଦଂ ସ୍ୱପ୍ନ ଆହୋସ୍ୱିତ୍ସାକ୍ଷାଦ୍ଦୃଷ୍ଟମିହାଦ୍ଭୁତମ୍ ।

କ୍ୱ ଯାତା ଅଦ୍ୟ ତେ ଯେ ମାଂ ବ୍ୟକର୍ଷନ୍ ପାଶପାଣୟଃ ॥ ୩୦॥

ଏବେ ମୁଁ ଯେଉଁ ଅଦ୍ଭୁତ ଦୃଶ୍ୟ ଦେଖିଲି, ତାହା ସ୍ବପ୍ନ ଥିଲା ନା ଜାଗ୍ରତ ଅବସ୍ଥାର ହିଁ ପ୍ରତ୍ୟକ୍ଷ ଅନୁଭବ ଥିଲା ? ଯେଉଁମାନେ ହାତରେ ଫାଶ ଧରି ମୋତେ ଟାଣୁଥିଲେ, ସେମାନେ ସବୁ କେଉଁଆଡେ ଚାଲିଗଲେ ?

ଅଥ ତେ କ୍ୱ ଗତାଃ ସିଦ୍ଧାଶ୍ଚତ୍ୱାରଶ୍ଚାରୁଦର୍ଶନାଃ ।

ବ୍ୟମୋଚୟନ୍ ନୀୟମାନଂ ବଦ୍ଧ୍ୱା ପାଶୈରଧୋ ଭୁବଃ ॥ ୩୧॥

କିଛି ସମୟ ପୂର୍ବରୁ ସେମାନେ ମୋତେ ଫାଶରେ ବାନ୍ଧି ମାଟି ତଳକୁ ଘୋଷାରି ନେଉଥିଲେ, କିନ୍ତୁ ଚାରି ଜଣ ଅତ୍ୟନ୍ତ ସୁନ୍ଦର ସିଦ୍ଧପୁରୁଷ ଆସି ମୋତେ ସେମାନଙ୍କ କବଳରୁ ମୁକ୍ତ କଲେ | ସେମାନେ ଏବେ କେଉଁଆଡେ ଚାଲିଗଲେ !

ଅଥାପି ମେ ଦୁର୍ଭଗସ୍ୟ ବିବୁଧୋତ୍ତମଦର୍ଶନେ ।

ଭବିତବ୍ୟଂ ମଙ୍ଗଲେନ ଯେନାତ୍ମା ମେ ପ୍ରସୀଦତି ॥ ୩୨॥

ଏହି ଜନ୍ମରେ ମୁଁ ଯଦିଓ ଜଣେ ମହାପାପୀ ଅଟେ, ତଥାପି ପୂର୍ବ ଜନ୍ମରେ ମୁଁ ନିଶ୍ଚିତ ଭାବରେ କିଛି ଶୁଭକର୍ମ କରିଥିବି, ଯାହାର ଫଳସ୍ବରୂପ ମୋତେ ସେହି ଶ୍ରେଷ୍ଠ ଦେବତାମାନଙ୍କର ଦର୍ଶନ ପ୍ରାପ୍ତ ହେଲା | ସେମାନଙ୍କର ସ୍ମୃତିରେ ମୋର ହୃଦୟ ଏବେ ବି ଆନନ୍ଦବିଭୋର ହେବାରେ ଲାଗିଛି |

ଅନ୍ୟଥା ମ୍ରିୟମାଣସ୍ୟ ନାଶୁଚେର୍ୱୃଷଲୀପତେଃ ।

ବୈକୁଣ୍ଠନାମଗ୍ରହଣଂ ଜିହ୍ୱା ବକ୍ତୁମିହାର୍ହତି ॥ ୩୩॥

ମୁଁ କୁଳଟାଗାମୀ ଏବଂ ଅତ୍ୟନ୍ତ ଅପବିତ୍ର ଅଟେ | ଯଦି ପୂର୍ବଜନ୍ମରେ ମୁଁ କିଛି ପୁଣ୍ୟ କରି ନ ଥିବି, ତେବେ ମରଣକାଳରେ ମୋର ଜିହ୍ବା ଭଗବାନଙ୍କର ମନମୋହକ ନାମର ଉଚ୍ଚାରଣ କିପରି କରନ୍ତା ?

କ୍ୱ ଚାହଂ କିତବଃ ପାପୋ ବ୍ରହ୍ମଘ୍ନୋ ନିରପତ୍ରପଃ ।

କ୍ୱ ଚ ନାରାୟଣେତ୍ୟେତଦ୍ଭଗବନ୍ନାମ ମଙ୍ଗଲମ୍ ॥ ୩୪॥

କେଉଁଠି ମୁଁ ମହାକପଟୀ, ପାପୀ, ନିର୍ଲଜ୍ଜ ବ୍ରହ୍ମତେଜହୀନ ପୁରୁଷ ଏବଂ କେଉଁଠି ଭଗବାନଙ୍କର ସେହି ପରମ ମଙ୍ଗଳମୟ ‘ନାରାୟଣ ନାମ !! (ମୁଁ ତ ସତରେ କୃତାର୍ଥ ହୋଇଗଲି |)

ସୋଽହଂ ତଥା ଯତିଷ୍ୟାମି ଯତଚିତ୍ତେନ୍ଦ୍ରିୟାନିଲଃ ।

ଯଥା ନ ଭୂୟ ଆତ୍ମାନମନ୍ଧେ ତମସି ମଜ୍ଜୟେ ॥ ୩୫॥

ଏବେ ମୁଁ ନିଜର ମନ, ଇନ୍ଦ୍ରିୟ ଏବଂ ପ୍ରାଣକୁ ବଶୀଭୂତ କରି ଏପରି ପ୍ରଯତ୍ନ କରିବି ଯେ ମୋତେ କେବେ ସେହି ଘୋର ଅନ୍ଧକାରମୟ ନର୍କକୁ ଯିବାକୁ ପଡିବ ନାହିଁ |

ବିମୁଚ୍ୟ ତମିମଂ ବନ୍ଧମବିଦ୍ୟାକାମକର୍ମଜମ୍ ।

ସର୍ୱଭୂତସୁହୃଚ୍ଛାନ୍ତୋ ମୈତ୍ରଃ କରୁଣ ଆତ୍ମବାନ୍ ॥ ୩୬॥

ଅଜ୍ଞାନବଶତଃ ମୁଁ ନିଜକୁ ଶରୀର ମନେକରି ତନ୍ନିମିତ୍ତ ବଡ ବଡ କାମନା କଲି ଏବଂ ତାହାର ପୂର୍ତ୍ତି ନିମନ୍ତେ ଅନେକ କର୍ମ କଲି | ତାହାର ଫଳ ଏହି ବନ୍ଧନ ଅଟେ | ଏବେ ମୁଁ ସେହି ବନ୍ଧନକୁ କାଟି ସମସ୍ତ ପ୍ରାଣୀଙ୍କର ହିତ ଉଦ୍ଦେଶ୍ୟରେ କର୍ମ କରିବି, ବାସନାକୁ ଶାନ୍ତ କରିଦେବି, ସମସ୍ତଙ୍କ ପ୍ରତି ମିତ୍ରତାପୂର୍ଣ୍ଣ ବ୍ୟବହାର କରିବି, ଦୁଃଖୀମାନଙ୍କ ପ୍ରତି ଦୟା କରିବି ଏବଂ ପୂର୍ଣ୍ଣ ସଂଯମ ଆଚରଣ କରିବି |

ମୋଚୟେ ଗ୍ରସ୍ତମାତ୍ମାନଂ ଯୋଷିନ୍ମୟ୍ୟାଽଽତ୍ମମାୟଯା ।

ବିକ୍ରୀଡିତୋ ଯୟୈବାହଂ କ୍ରୀଡାମୃଗ ଇବାଧମଃ ॥ ୩୭॥

ଭଗବାନଙ୍କର ମାୟା ସ୍ତ୍ରୀ-ରୂପ ଧାରଣ କରି ମୋ ପରି ଅଧମକୁ ନିଜ ମୋହପାଶରେ ବାନ୍ଧି ନେଲା ଏବଂ କ୍ରୀଡାମୃଗ ପରି ମୋତେ ବହୁତ ନାଚ ନଚାଇଲା | ଏବେ ମୁଁ ନିଜକୁ ସେହି ମାୟାରୁ ମୁକ୍ତ କରିବି |

ମମାହମିତି ଦେହାଦୌ ହିତ୍ୱା ମିଥ୍ୟାର୍ଥଧୀର୍ମତିମ୍ ।

ଧାସ୍ୟେ ମନୋ ଭଗବତି ଶୁଦ୍ଧଂ ତତ୍କୀର୍ତନାଦିଭିଃ ॥ ୩୮॥

ମୁଁ ସତ୍ୟ ବସ୍ତୁ ପରମାତ୍ମାଙ୍କୁ ବୁଝି ପାରିଛି; ତେଣୁ ମୁଁ ଶରୀର ଆଦିରେ ‘ମୁଁ ତଥା ‘ମୋର ଭାବ ତ୍ୟାଗ କରି ଭଗବନ୍ନାମ କୀର୍ତ୍ତନ ଆଦି ଦ୍ବାରା ନିଜ ମନକୁ ଶୁଦ୍ଧ କରିବି ଏବଂ ତାହାକୁ ଭଗବାନଙ୍କ ପ୍ରତି ଅନୁରକ୍ତ କରିବି |

ଶ୍ରୀଶୁକ ଉବାଚ

ଇତି ଜାତସୁନିର୍ୱେଦଃ କ୍ଷଣସଙ୍ଗେନ ସାଧୁଷୁ ।

ଗଙ୍ଗାଦ୍ୱାରମୁପେୟାୟ ମୁକ୍ତସର୍ୱାନୁବନ୍ଧନଃ ॥ ୩୯॥

ଶ୍ରୀଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ଭଗବାନଙ୍କର ପାର୍ଷଦ ସେହି ମହାତ୍ମାମାନଙ୍କର ସତସଂଗ ମାତ୍ର କିଛି ସମୟ ପାଇଁ ପ୍ରାପ୍ତ ହୋଇଥିଲା | ସେତିକିରେ ଅଜାମିଳର ଚିତ୍ତରେ ସଂସାର ପ୍ରତି ତୀବ୍ର ବୈରାଗ୍ୟ ଆସିଗଲା ଏବଂ ସେ ସବୁ ସମ୍ବନ୍ଧ ଓ ମୋହ ତ୍ୟାଗ କରି ହରିଦ୍ବାର ଚାଲିଗଲା |

ସ ତସ୍ମିନ୍ ଦେବସଦନ ଆସୀନୋ ଯୋଗମାଶ୍ରିତଃ ।

ପ୍ରତ୍ୟାହୃତେନ୍ଦ୍ରିୟଗ୍ରାମୋ ଯୁୟୋଜ ମନ ଆତ୍ମନି ॥ ୪୦॥

ସେହି ଦେବସ୍ଥାନକୁ ଯାଇ ସେ ଭଗବାନଙ୍କ ମନ୍ଦିରରେ ଆସନ ଲଗାଇ ବସିଗଲା ଏବଂ ଯୋଗମାର୍ଗର ଆଶ୍ରୟ ନେଇ ନିଜର ସମସ୍ତ ଇନ୍ଦ୍ରିୟଙ୍କୁ ବିଷୟରୁ ହଟାଇ ମନରେ ଲୀନ କଲା ଏବଂ ମନକୁ ବୁଦ୍ଧିରେ ଯୁକ୍ତ କରିଦେଲା |

ତତୋ ଗୁଣେଭ୍ୟ ଆତ୍ମାନଂ ବିୟୁଜ୍ୟାତ୍ମସମାଧିନା ।

ଯୁୟୁଜେ ଭଗବଦ୍ଧାମ୍ନି ବ୍ରହ୍ମଣ୍ୟନୁଭବାତ୍ମନି ॥ ୪୧॥

ଏହାପରେ ଆତ୍ମଚିନ୍ତନ ଦ୍ବାରା ସେ ବୁଦ୍ଧିକୁ ବିଷୟରୁ ପୃଥକ୍ କରିନେଲା ତଥା ଭଗବାନଙ୍କର ପରମଧାମ ଅନୁଭବସ୍ବରୂପ ପରବ୍ରହ୍ମରେ ସଂଯୁକ୍ତ କରିଦେଲା |

ଯର୍ହ୍ୟୁପାରତଧୀସ୍ତସ୍ମିନ୍ନଦ୍ରାକ୍ଷୀତ୍ପୁରୁଷାନ୍ ପୁରଃ ।

ଉପଲଭ୍ୟୋପଲବ୍ଧାନ୍ ପ୍ରାଗ୍ୱବନ୍ଦେ ଶିରସା ଦ୍ୱିଜଃ ॥ ୪୨॥

ଏହିପରି ଭାବରେ ଯେତେବେଳେ ଅଜାମିଳର ବୁଦ୍ଧି ତ୍ରିଗୁଣମୟୀ ପ୍ରକୃତିର ଉର୍ଦ୍ଧ୍ବକୁ ଉଠି ଭଗବାନଙ୍କର ସ୍ବରୂପରେ ସ୍ଥିର ହୋଇଗଲା, ସେତେବେଳେ ସେ ଦେଖିଲା ସେହି ଚାରିଜଣ ପାର୍ଷଦ, ଯେଉଁମାନଙ୍କୁ ସେ ପୂର୍ବରୁ ଦେଖିଥିଲା, ତା ସମ୍ମୁଖରେ ଠିଆ ହୋଇଛନ୍ତି | ଅଜାମିଳ ସେମାନଙ୍କୁ ମସ୍ତକ ଅବନତ କରି ନମସ୍କାର କଲା |

ହିତ୍ୱା କଲେବରଂ ତୀର୍ଥେ ଗଙ୍ଗାୟାଂ ଦର୍ଶନାଦନୁ ।

ସଦ୍ୟଃ ସ୍ୱରୂପଂ ଜଗୃହେ ଭଗବତ୍ପାର୍ଶ୍ୱବର୍ତିନାମ୍ ॥ ୪୩॥

ସେମାନଙ୍କର ଦର୍ଶନ ପ୍ରାପ୍ତ କରିବା ପରେ ଅଜାମିଳ ସେହି ତୀର୍ଥସ୍ଥାନରେ ଗଙ୍ଗାନଦୀର ତଟଦେଶରେ ନିଜ ଶରୀର ତ୍ୟାଗ କଲା ଏବଂ ତତ୍କାଳ ଭଗବାନଙ୍କ ପାର୍ଷଦର ସ୍ବରୂପ ପ୍ରାପ୍ତ କଲା |

ସାକଂ ବିହାୟସା ବିପ୍ରୋ ମହାପୁରୁଷକିଙ୍କରୈଃ ।

ହୈମଂ ବିମାନମାରୁହ୍ୟ ଯୟୌ ଯତ୍ର ଶ୍ରିୟଃ ପତିଃ ॥ ୪୪॥

ଭଗବାନଙ୍କର ପାର୍ଷଦମାନଙ୍କ ସହିତ ସ୍ବର୍ଣ୍ଣମୟ ବିମାନରେ ଆରୂଢ ହୋଇ ଅଜାମିଳ ଆକାଶମାର୍ଗରେ ଭଗବାନ ଲକ୍ଷ୍ମୀପତିଙ୍କର ନିବାସସ୍ଥାନ ବୈକୁଣ୍ଠଲୋକକୁ ଚାଲିଗଲା |

ଏବଂ ସ ବିପ୍ଲାବିତସର୍ୱଧର୍ମା

ଦାସ୍ୟାଃ ପତିଃ ପତିତୋ ଗର୍ହ୍ୟକର୍ମଣା ।

ନିପାତ୍ୟମାନୋ ନିରୟେ ହତବ୍ରତଃ

ସଦ୍ୟୋ ବିମୁକ୍ତୋ ଭଗବନ୍ନାମ ଗୃହ୍ଣନ୍ ॥ ୪୫॥

ପରୀକ୍ଷିତ ! ଦାସୀ ସହିତ ସହବାସ କରି ଅଜାମିଳର ସବୁ ଧର୍ମ-କର୍ମ ନଷ୍ଟ ହୋଇ ଯାଇଥିଲା | ନିଜର ନିନ୍ଦିତ କର୍ମ ଯୋଗୁଁ ସେ ପତିତ ହୋଇ ଯାଇଥିଲା ଏବଂ ନିୟମ ଚ୍ୟୁତ ହୋଇଥିବା କାରଣରୁ ସେ ନର୍କରେ ପଡିବାକୁ ଯାଉଥିଲା | କିନ୍ତୁ ଭଗବାନଙ୍କର ଗୋଟିଏ ନାମ ଉଚ୍ଚାରଣ କରି ସେ ତତ୍କାଳ ମୁକ୍ତ ହୋଇଗଲା |

ନାତଃ ପରଂ କର୍ମନିବନ୍ଧକୃନ୍ତନଂ

ମୁମୁକ୍ଷତାଂ ତୀର୍ଥପଦାନୁକୀର୍ତନାତ୍ ।

ନ ଯତ୍ପୁନଃ କର୍ମସୁ ସଜ୍ଜତେ ମନୋ

ରଜସ୍ତମୋଭ୍ୟାଂ କଲିଲଂ ତତୋଽନ୍ୟଥା ॥ ୪୬॥

ଯେଉଁମାନେ ସଂସାରବନ୍ଧନରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନଙ୍କ ପାଇଁ ନିଜ ଚରଣ ସ୍ପର୍ଶରେ ତୀର୍ଥକୁ ବି ତୀର୍ଥ କରୁଥିବା ଭଗବାନଙ୍କର ନାମଠାରୁ ବଳି ଅନ୍ୟ କୌଣସି ସାଧନ ନାହିଁ, କାରଣ ନାମର ଆଶ୍ରୟ ଗ୍ରହଣ କରିବା ଦ୍ବାରା ମନୁଷ୍ୟର ମନ ପୁନର୍ବାର କର୍ମ ପ୍ରପଞ୍ଚରେ ପଡି ନ ଥାଏ | ଭଗବନ୍ନାମ ଅତିରିକ୍ତ ଅନ୍ୟ କୌଣସି ପ୍ରାୟଶ୍ଚିତ କରିବା ପରେ ମଧ୍ୟ ମନ ରଜୋଗୁଣ ଏବଂ ତମୋଗୁଣରେ ଗ୍ରସ୍ତ ରହିଥାଏ ତଥା ପୂର୍ଣ୍ଣତଃ ପାପନାଶ ହୋଇ ନ ଥାଏ |

ଯ ଏବଂ ପରମଂ ଗୁହ୍ୟମିତିହାସମଘାପହମ୍ ।

ଶୃଣୁୟାଚ୍ଛ୍ରଦ୍ଧୟା ଯୁକ୍ତୋ ଯଶ୍ଚ ଭକ୍ତ୍ୟାନୁକୀର୍ତୟେତ୍ ॥ ୪୭॥

ନ ବୈ ସ ନରକଂ ଯାତି ନେକ୍ଷିତୋ ଯମକିଙ୍କରୈଃ ।

ଯଦ୍ୟପ୍ୟମଙ୍ଗଲୋ ମର୍ତ୍ୟୋ ବିଷ୍ଣୁଲୋକେ ମହୀୟତେ ॥ ୪୮॥

ପରୀକ୍ଷିତ ! ଏହି ଇତିହାସ ଅତ୍ୟନ୍ତ ଗୋପନୀୟ ଏବଂ ସମସ୍ତ ପାପର ନାଶକାରୀ ଅଟେ | ଯେଉଁ ପୁରୁଷ ଶ୍ରଦ୍ଧା ଏବଂ ଭକ୍ତିର ସହିତ ଏହାର ଶ୍ରବଣ-କୀର୍ତ୍ତନ କରନ୍ତି, ସେ କେବେ ନର୍କକୁ ଯାଆନ୍ତି ନାହିଁ | ଯମରାଜଙ୍କର ଦୂତମାନେ ତାଙ୍କୁ ଆଖି ଉଠାଇ ଦେଖନ୍ତି ବି ନାହିଁ | ତାଙ୍କର ଜୀବନ ପୂର୍ବରୁ କେତେ ପାପମୟ ହୋଇ ଥାଉ ନା କାହିଁକି, ବୈକୁଣ୍ଠଲୋକରେ ତାଙ୍କୁ ପୂଜା କରାଯାଇ ଥାଏ |

ମ୍ରିୟମାଣୋ ହରେର୍ନାମ ଗୃଣନ୍ ପୁତ୍ରୋପଚାରିତମ୍ ।

ଅଜାମିଲୋଽପ୍ୟଗାଦ୍ଧାମ କିଂ ପୁନଃ ଶ୍ରଦ୍ଧୟା ଗୃଣନ୍ ॥ ୪୯॥

ହେ ପରୀକ୍ଷିତ ! ଦେଖ, ଅଜାମିଳ ପରି ପାପୀ ମୃତ୍ୟୁ କାଳରେ ପୁତ୍ର ବାହାନାରେ ଭଗବାନଙ୍କର ନାମ ଉଚ୍ଚାରଣ କରିଥିଲା ଏବଂ ତାର ବୈକୁଣ୍ଠ ପ୍ରାପ୍ତି ହେଲା | ତେଣୁ ଯେଉଁମାନେ ଶ୍ରଦ୍ଧାର ସହିତ ଭଗବନ୍ନାମ ଉଚ୍ଚାରଣ କରନ୍ତି, ସେମାନଙ୍କର ସଦଗତି ବିଷୟରେ କଣ କହିବା |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ଅଜାମିଲୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ॥ ୨॥

 

Comments

Popular posts from this blog