ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ ବାସୁଦେବାୟ
॥
॥ ଷଷ୍ଠ ସ୍କନ୍ଧ ॥
ଏକାଦଶ ଅଧ୍ୟାୟ
ବୃତ୍ରାସୁରର ବୀରବାଣୀ ଓ ଭଗବତ୍-ପ୍ରାପ୍ତି
ଶ୍ରୀଶୁକ ଉବାଚ
ତ ଏବଂ ଶଂସତୋ ଧର୍ମଂ ବଚଃ ପତ୍ୟୁରଚେତସଃ ।
ନୈବାଗୃହ୍ଣନ୍ ଭୟତ୍ରସ୍ତାଃ ପଲାୟନପରା ନୃପ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଅସୁରସେନା ଭୟଭୀତ ହୋଇ ପଳାୟନ କରୁଥାଆନ୍ତି | ସେମାନେ ଏତେ ସଂଜ୍ଞାଶୂନ୍ୟ
ଅବସ୍ଥାରେ ଥିଲେ ଯେ ନିଜ ସ୍ବାମୀଙ୍କର ଧର୍ମାନୁକୂଳ ବଚନ ପ୍ରତି ମଧ୍ୟ ଧ୍ୟାନ ଦେଇ ନ ଥିଲେ |
ବିଶୀର୍ୟମାଣାଂ ପୃତନାମାସୁରୀମସୁରର୍ଷଭଃ ।
କାଲାନୁକୂଲୈସ୍ତ୍ରିଦଶୈଃ କାଲ୍ୟମାନାମନାଥବତ୍ ॥ ୨॥
ବୃତ୍ରାସୁର ଦେଖିଲା, ସମୟର ଅନୁକୂଳତା କାରଣରୁ ଦେବତାମାନେ
ଅସୁରସେନାକୁ ବିତାଡିତ କରିବାରେ ଲାଗିଛନ୍ତି ଏବଂ ସେମାନେ ନେତୃତ୍ବହୀନ ହୋଇ ଯାଇଥିବା ପରି
ଛିନ୍ନ-ଭିନ୍ନ ହୋଇ ଯାଇଛନ୍ତି |
ଦୃଷ୍ଟ୍ୱାତପ୍ୟତ ସଙ୍କ୍ରୁଦ୍ଧ ଇନ୍ଦ୍ରଶତ୍ରୁରମର୍ଷିତଃ ।
ତାନ୍ ନିବାର୍ୟୌଜସା ରାଜନ୍ ନିର୍ଭର୍ତ୍ସ୍ୟେଦମୁବାଚ ହ ॥ ୩॥
ରାଜନ୍ ! ଏହା ଦେଖି ବୃତ୍ରାସୁର ଅସହିଷ୍ଣୁତା ଏବଂ କ୍ରୋଧରେ ଅତିଷ୍ଠ
ହୋଇ ଉଠିଲା | ସେ ବଳପୂର୍ବକ ଦେବସେନାଙ୍କର ପଥରୋଧ କରି ସେମାନଙ୍କୁ ଭର୍ତ୍ସନା କରି କହିବାରେ
ଲାଗିଲା -
କିଂ ବ ଉଚ୍ଚରିତୈର୍ମାତୁର୍ଧାବଦ୍ଭିଃ ପୃଷ୍ଠତୋ ହତୈଃ ।
ନ ହି ଭୀତବଧଃ ଶ୍ଲାଘ୍ୟୋ ନ ସ୍ୱର୍ଗ୍ୟଃ ଶୂରମାନିନାମ୍ ॥ ୪॥
‘ରେ ତୁଚ୍ଛ ଦେବଗଣ ! ରଣଭୂମିକୁ ପିଠି ଦେଖାଇ କାପୁରୁଷ ପରି ପଳାୟନ
କରୁଥିବା ଅସୁରମାନଙ୍କୁ ପଛରୁ ପ୍ରହାର କରିବାରେ କି ଲାଭ ? ଏମାନେ ତ ନିଜ ମା-ବାପାଙ୍କର
ମଳ-ମୂତ୍ର ଅଟନ୍ତି | କିନ୍ତୁ ନିଜକୁ ସୂରବୀର ମନେ କରୁଥିବା ତୁମ୍ଭମାନଙ୍କ ପରି ପୁରୁଷଙ୍କ ପାଇଁ
ମଧ୍ୟ କାପୁରୁଷମାନଙ୍କୁ ମାରିବା କିଛି ପ୍ରଶଂସାର ବିଷୟ ନୁହେଁ ଏବଂ ଏହା ଦ୍ବାରା ତୁମକୁ ସ୍ବର୍ଗ
ମଧ୍ୟ ମିଳିବ ନାହିଁ |
ଯଦି ବଃ ପ୍ରଧନେ ଶ୍ରଦ୍ଧା ସାରଂ ବା କ୍ଷୁଲ୍ଲକା ହୃଦି ।
ଅଗ୍ରେ ତିଷ୍ଠତ ମାତ୍ରଂ ମେ ନ ଚେଦ୍ଗ୍ରାମ୍ୟସୁଖେ ସ୍ପୃହା ॥ ୫॥
ତୁମ୍ଭମାନଙ୍କର ମନରେ ଯଦି ଯୁଦ୍ଧ କରିବା ନିମନ୍ତେ ଶକ୍ତି ଏବଂ
ଉତ୍ସାହ ଅଛି ତଥା ଆଉ ଜୀବିତ ରହିବାର ଲାଳସା ନାହିଁ, ତେବେ କ୍ଷଣ କାଳ
ମୋ ସମ୍ମୁଖରେ ଠିଆ ହୋଇ ଯୁଦ୍ଧର ମଜା ନିଅ |
ଏବଂ ସୁରଗଣାନ୍ କ୍ରୁଦ୍ଧୋ ଭୀଷୟନ୍ ବପୁଷା ରିପୂନ୍ ।
ବ୍ୟନଦତ୍ସୁମହାପ୍ରାଣୋ ଯେନ ଲୋକା ବିଚେତସଃ ॥ ୬॥
ପରୀକ୍ଷିତ ! ବୃତ୍ରାସୁର ମହା ବଳବାନ ଥିଲା | ସେ ନିଜର ବିଶାଳ ବପୁର
ଦୋଳନରେ ହିଁ ଶତ୍ରୁ ଦେବତାମାନଙ୍କୁ ଭୟଭୀତ କରିବାରେ ଲାଗିଲା | କ୍ରୋଧାବେଶରେ ସେ ଏତେ ଜୋରରେ
ସିଂହନାଦ କଲା ଯେ ବହୁତ ଲୋକ ତାହା ଶୁଣି ଅଚେତ ହୋଇଗଲେ |
ତେନ ଦେବଗଣାଃ ସର୍ୱେ ବୃତ୍ରବିସ୍ଫୋଟନେନ ବୈ ।
ନିପେତୁର୍ମୂର୍ଚ୍ଛିତା ଭୂମୌ ଯଥୈବାଶନିନା ହତାଃ ॥ ୭॥
ବୃତ୍ରାସୁରର ଭୟାନକ ଗର୍ଜନରେ ଦେବତାମାନେ ମୂର୍ଚ୍ଛିତ ଅବସ୍ଥାରେ
ଧରାଶାୟୀ ହୋଇଗଲେ, ସତେ ଯେପରି ସେମାନଙ୍କ ଉପରେ ବିଜୁଳି ଖସିପଡିଲା |
ମମର୍ଦ ପଦ୍ଭ୍ୟାଂ ସୁରସୈନ୍ୟମାତୁରଂ
ନିମୀଲିତାକ୍ଷଂ ରଣରଙ୍ଗଦୁର୍ମଦଃ ।
ଗାଂ କମ୍ପୟନ୍ନୁଦ୍ୟତଶୂଲ ଓଜସା
ନାଲଂ ବନଂ ଯୂଥପତିର୍ୟଥୋନ୍ମଦଃ ॥ ୮॥
ମଦୋନ୍ମତ୍ତ ଗଜରାଜ ବାଉଁଶ ବଣକୁ ଦଳି-ଚକଟି ନଷ୍ଟ କରିଦେବା ପରି
ଦୁର୍ଦମ୍ୟ ରଣପ୍ରିୟ ବୃତ୍ରାସୁର ହାତରେ ତ୍ରିଶୂଳ ଧରି ଭୟରେ ନେତ୍ର ବନ୍ଦ କରି ପଡି ରହିଥିବା
ଦେବସେନାଙ୍କୁ ପାଦରେ ଦଳିଵାରେ ଲାଗିଲା | ତା’ର ବେଗରେ ପୃଥିବୀ
ଦୋହଲିବାରେ ଲାଗିଲା |
ବିଲୋକ୍ୟ ତଂ ବଜ୍ରଧରୋଽତ୍ୟମର୍ଷିତଃ
ସ୍ୱଶତ୍ରବେଽଭିଦ୍ରବତେ ମହାଗଦାମ୍ ।
ଚିକ୍ଷେପ ତାମାପତତୀଂ ସୁଦୁଃସହାଂ
ଜଗ୍ରାହ ବାମେନ କରେଣ ଲୀଲୟା ॥ ୯॥
ବଜ୍ରପାଣି ଦେବରାଜ ଇନ୍ଦ୍ର ତା’ର ଏହି କ୍ରିୟାକଳାପ
ସହ୍ୟ କରିପାରିଲେ ନାହିଁ | ତାପରେ ସେ ଯେତେବେଳେ ତାଙ୍କ ଆଡକୁ ଝପଟି ଆସିଲା, ସେ ଅଧିକ ରୁଷ୍ଟ ହୋଇ ନିଜ ଶତ୍ରୁ ପ୍ରତି ଏକ ଗଦା ନିକ୍ଷେପ କଲେ |
ଗଦା ତା’ ପାଖରେ ପହଞ୍ଚିବା ପୂର୍ବରୁ ବୃତ୍ରାସୁର ତାହାକୁ
ଖେଳ-ଖେଳରେ ନିଜ ବାମ ହସ୍ତରେ ଧରିନେଲା |
ସ ଇନ୍ଦ୍ରଶତ୍ରୁଃ କୁପିତୋ ଭୃଶଂ ତୟା
ମହେନ୍ଦ୍ରବାହଂ ଗଦୟୋରୁବିକ୍ରମଃ ।
ଜଘାନ କୁମ୍ଭସ୍ଥଲ ଉନ୍ନଦନ୍ ମୃଧେ
ତତ୍କର୍ମ ସର୍ୱେ ସମପୂଜୟନ୍ ନୃପ ॥ ୧୦॥
ରାଜନ୍ ! ପରମ ପରାକ୍ରମୀ
ବୃତ୍ରାସୁର କ୍ରୋଧରେ ଅଗ୍ନିବାଣ ହୋଇ ସେହି ଗଦାରେ ଇନ୍ଦ୍ରଙ୍କର ବାହନ ଐରାବତର ମସ୍ତକରେ
ଗର୍ଜନ କରି ପ୍ରହାର କଲା | ସବୁ ଲୋକ ତା’ର ସେହି ପରାକ୍ରମର
ଭୂରି-ଭୂରି ପ୍ରଶଂସା କରିବାରେ ଲାଗିଲେ |
ଐରାବତୋ ବୃତ୍ରଗଦାଭିମୃଷ୍ଟୋ
ବିଘୂର୍ଣିତୋଽଦ୍ରିଃ କୁଲିଶାହତୋ ଯଥା ।
ଅପାସରଦ୍ଭିନ୍ନମୁଖଃ ସହେନ୍ଦ୍ରୋ
ମୁଞ୍ଚନ୍ନସୃକ୍ ସପ୍ତଧନୁର୍ଭୃଶାର୍ତଃ ॥ ୧୧॥
ବୃତ୍ରାସୁରର ଗଦାର ପ୍ରହାରରେ ଐରାବତ ହସ୍ତୀ ବଜ୍ରାହତ ପର୍ବତ ପରି
ଥରହର ହୋଇ ଉଠିଲା | ତା’ର ମସ୍ତକ ଫାଟି
ଯାଇଥିବା କାରଣରୁ ସେ ଯନ୍ତ୍ରଣାରେ ଛଟପଟ ହେବାରେ ଲାଗିଲା, ତା’ ମୁହଁରୁ ରକ୍ତ ଝରିବାରେ ଲାଗିଲା ଏବଂ ସେ ଇନ୍ଦ୍ରଙ୍କୁ ନେଇ ଅଠାଇଶ
ହାତ ପଛକୁ ଘୁଞ୍ଚିଗଲା |
ନ ସନ୍ନବାହାୟ ବିଷଣ୍ଣଚେତସେ
ପ୍ରାୟୁଙ୍କ୍ତ ଭୂୟଃ ସ ଗଦାଂ ମହାତ୍ମା ।
ଇନ୍ଦ୍ରୋଽମୃତସ୍ୟନ୍ଦିକରାଭିମର୍ଶ-
ବୀତବ୍ୟଥକ୍ଷତବାହୋଽବତସ୍ଥେ ॥ ୧୨॥
ନିଜ ବାହନ ଐରାବତକୁ ମୂର୍ଚ୍ଛିତ ଅବସ୍ଥାରେ ଦେଖି ଦେବରାଜ ଇନ୍ଦ୍ର
ଅତ୍ୟନ୍ତ ବିଷାଦଗ୍ରସ୍ତ ହୋଇଗଲେ | ଏହା ଦେଖି ଯୁଦ୍ଧଧର୍ମର ମର୍ମଜ୍ଞ ବୃତ୍ରାସୁର ତାଙ୍କ ପ୍ରତି
ଗଦା ନିକ୍ଷେପ କଲାନାହିଁ | ଇନ୍ଦ୍ର ନିଜର ଅମୃତସ୍ରାବୀ ହସ୍ତ ସ୍ପର୍ଶରେ ଆହତ ଐରାବତର ବ୍ୟଥା
ଦୂର କଲେ ଏବଂ ପୁନର୍ବାର ରଣଭୂମିରେ ଉପସ୍ଥିତ ହେଲେ |
ସ ତଂ ନୃପେନ୍ଦ୍ରାହବକାମ୍ୟଯା ରିପୁଂ
ବଜ୍ରାୟୁଧଂ ଭ୍ରାତୃହଣଂ ବିଲୋକ୍ୟ ।
ସ୍ମରଂଶ୍ଚ ତତ୍କର୍ମ ନୃଶଂସମଂହଃ
ଶୋକେନ ମୋହେନ ହସନ୍ ଜଗାଦ ॥ ୧୩॥
ଭାଈ ବିଶ୍ବରୂପକୁ ବଧ କରିଥିବା ତା’ର ଶତ୍ରୁ ଇନ୍ଦ୍ର ଯୁଦ୍ଧ କରିବା ପାଇଁ ହାତରେ ବଜ୍ର ଧରି ସମ୍ମୁଖରୁ
ଆସୁଥିବା ଦେଖି ବୃତ୍ରାସୁରର ମନ ତାଙ୍କର ସେହି କ୍ରୂର ପାପକର୍ମର ସ୍ମରଣରେ ଶୋକାଭିଭୂତ ହୋଇ
ଉଠିଲା ଏବଂ ସେ ଉଚ୍ଚ ହାସ୍ୟ କରି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିବାରେ ଲାଗିଲା |
ବୃତ୍ର ଉବାଚ
ଦିଷ୍ଟ୍ୟା ଭବାନ୍ ମେ ସମବସ୍ଥିତୋ ରିପୁ-
ର୍ୟୋ ବ୍ରହ୍ମହା ଗୁରୁହା ଭ୍ରାତୃହା ଚ ।
ଦିଷ୍ଟ୍ୟାନୃଣୋଽଦ୍ୟାହମସତ୍ତମ ତ୍ୱୟା
ମଚ୍ଛୂଲନିର୍ଭିନ୍ନଦୃଷଦ୍ଧୃଦାଚିରାତ୍ ॥ ୧୪॥
ବୃତ୍ରାସୁର କହିଲା – ଆଜି ମୋ ପାଇଁ ବହୁତ ବଡ ସୌଭାଗ୍ୟର ଦିନ ଯେ ତୁମ
ପରି ଶତ୍ରୁ – ଯିଏ ବିଶ୍ବରୂପର ରୂପରେ ବ୍ରାହ୍ମଣ, ନିଜ ଗୁରୁ ଏବଂ ମୋ
ଭାଈର ହତ୍ୟା କରିଥିଲା – ସେ ମୋ ସମ୍ମୁଖରେ ଛିଡା ହୋଇଛି | ରେ ଦୁଷ୍ଟ ! ଏବେ ମୁଁ ଅତିଶୀଘ୍ର
ତୋର ପ୍ରସ୍ତର ସଦୃଶ କଠୋର ହୃଦୟକୁ ନିଜ ଶୂଳରେ ବିଦୀର୍ଣ୍ଣ କରି ଭ୍ରାତୃଋଣରୁ ମୁକ୍ତ ହେବି |
ଆହା ! ଏହା ମୋ ପାଇଁ କେତେ ଆନନ୍ଦର ବିଷୟ ହେବ !
ଯୋ ନୋଽଗ୍ରଜସ୍ୟାତ୍ମବିଦୋ ଦ୍ୱିଜାତେ-
ର୍ଗୁରୋରପାପସ୍ୟ ଚ ଦୀକ୍ଷିତସ୍ୟ ।
ବିଶ୍ରଭ୍ୟ ଖଡ୍ଗେନ ଶିରାଂସ୍ୟବୃଶ୍ଚ-
ତ୍ପଶୋରିବାକରୁଣଃ ସ୍ୱର୍ଗକାମଃ ॥ ୧୫॥
ଇନ୍ଦ୍ର ! ତୁମେ ମୋର ଆତ୍ମବେତ୍ତା ଏବଂ ନିଷ୍ପାପ ଜ୍ୟେଷ୍ଠ
ଭ୍ରାତାଙ୍କୁ, ଯିଏ ବ୍ରାହ୍ମଣ ହୋଇଥିବା ସହିତ ଯଜ୍ଞରେ ଦୀକ୍ଷିତ ଥିଲେ ଏବଂ ତୁମର ଗୁରୁ ଥିଲେ,
ବିଶ୍ବାସଘାତ କରି ନିଜ ତରବାରୀରେ, ସ୍ବର୍ଗକାମୀ ମନୁଷ୍ୟ ଯଜ୍ଞରେ ପଶୁମାନଙ୍କର ସିରଚ୍ଛେଦନ
କରିବା ପରି,
ତାଙ୍କର ତିନୋଟି ସିର ଛେଦନ କଲ |
ଶ୍ରୀହ୍ରୀଦୟାକୀର୍ତିଭିରୁଜ୍ଝିତଂ ତ୍ୱାଂ
ସ୍ୱକର୍ମଣା ପୁରୁଷାଦୈଶ୍ଚ ଗର୍ହ୍ୟମ୍ ।
କୃଚ୍ଛ୍ରେଣ ମଚ୍ଛୂଲବିଭିନ୍ନଦେହ-
ମସ୍ପୃଷ୍ଟବହ୍ନିଂ ସମଦନ୍ତି ଗୃଧ୍ରାଃ ॥ ୧୬॥
ଦୟା, ଲଜ୍ଜା, ଲକ୍ଷ୍ମୀ ଏବଂ କୀର୍ତ୍ତି ତୁମକୁ ପରିତ୍ୟାଗ କରିଛନ୍ତି | ତୁମେ ଏପରି
ସବୁ ନୀଚ କର୍ମ କରିଛ, ଯାହାର ନିନ୍ଦା କେବଳ ମନୁଷ୍ୟ ନୁହେଁ, ରାକ୍ଷସମାନେ ମଧ୍ୟ
କରନ୍ତି | ଆଜି ମୋ ତ୍ରିଶୂଳରେ ତୁମର ଶରୀର ଖଣ୍ଡ-ଖଣ୍ଡ ହୋଇଯିବ | ବହୁ କଷ୍ଟରେ ତୁମର ମୃତ୍ୟୁ
ହେବ | ତୁମ ପରି ପାପୀକୁ ଅଗ୍ନି ମଧ୍ୟ ଦହନ କରିବ ନାହିଁ, ତୁମକୁ ତ
ଶାଗୁଣାମାନେ ଭିଣି-ଭିଣି ଖାଇବେ |
ଅନ୍ୟେଽନୁ ଯେ ତ୍ୱେହ ନୃଶଂସମଜ୍ଞା
ଯେ ହ୍ୟୁଦ୍ୟତାସ୍ତ୍ରାଃ ପ୍ରହରନ୍ତି ମହ୍ୟମ୍ ।
ତୈର୍ଭୂତନାଥାନ୍ ସଗଣାନ୍ ନିଶାତ-
ତ୍ରିଶୂଲନିର୍ଭିନ୍ନଗଲୈର୍ୟଜାମି ॥ ୧୭॥
ଏହି ଅଜ୍ଞାନୀ ଦେବତାମାନେ ତୁମ ପରି ନୀଚ ଏବଂ କ୍ରୂରର ଅନୁଯାୟୀ
ଭାବରେ ମୋ ଉପରେ ଶସ୍ତ୍ରରେ ପ୍ରହାର କରୁଛନ୍ତି | ମୁଁ ନିଜର ତୀକ୍ଷ୍ଣ ତ୍ରିଶୂଳରେ ସେମାନଙ୍କର
ଗଳା କାଟିବି ଏବଂ ତଦ୍ବାରା ଗଣମାନଙ୍କ ସହିତ ଭୈରବାଦି ଭୂତନାଥଙ୍କୁ ବଳି ଅର୍ପଣ କରିବି |
ଅଥୋ ହରେ ମେ କୁଲିଶେନ ବୀର
ହର୍ତା ପ୍ରମଥ୍ୟୈବ ଶିରୋ ଯଦୀହ ।
ତତ୍ରାନୃଣୋ ଭୂତବଲିଂ ବିଧାୟ
ମନସ୍ୱିନାଂ ପାଦରଜଃ ପ୍ରପତ୍ସ୍ୟେ ॥ ୧୮॥
ବୀର ଇନ୍ଦ୍ର ! ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ତୁମେ ମୋର ସେନାକୁ
ଛିନ୍ନ-ଭିନ୍ନ କରି ନିଜ ବଜ୍ରରେ ମୋର ସିର ଛେଦନ କରିବ | ତାହାହେଲେ ତ ମୁଁ ନିଜ ଶରୀରକୁ ବଳି
ରୂପରେ ପଶୁ-ପକ୍ଷୀମାନଙ୍କୁ ସମର୍ପିତ କରି, କର୍ମ-ବନ୍ଧନରୁ ମୁକ୍ତ ହୋଇ ମହାପୁରୁଷମାନଙ୍କର
ଚରଣ-ରଜର ଆଶ୍ରୟ ଗ୍ରହଣ କରିବି – ମହାପୁରୁଷମାନେ ଯେଉଁ ଲୋକଙ୍କୁ ଯାଆନ୍ତି, ସେଠାରେ ପହଞ୍ଚି ଯିବି |
ସୁରେଶ କସ୍ମାନ୍ନ ହିନୋଷି ବଜ୍ରଂ
ପୁରଃ ସ୍ଥିତେ ବୈରିଣି ମୟ୍ୟମୋଘମ୍ ।
ମା ସଂଶୟିଷ୍ଠା ନ ଗଦେବ ବଜ୍ରଃ
ସ୍ୟାନ୍ନିଷ୍ଫଲଃ କୃପଣାର୍ଥେବ ଯାଚ୍ଞା ॥ ୧୯॥
ଦେବରାଜ ! ମୁଁ ତୁମ ସମ୍ମୁଖରେ ଠିଆ ହୋଇଛି, ତୁମର ଶତ୍ରୁ ଅଟେ, ତୁମେ ମୋ ଉପରେ
ନିଜର ଅମୋଘ ବଜ୍ର ନିକ୍ଷେପ କରୁନାହଁ କାହିଁକି ? ତୁମେ ଏହା ସନ୍ଦେହ କରନାହିଁ ଯେ ତୁମର ଗଦା
ନିଷ୍ଫଳ ହେବା ପରି, କୃପଣ ପୁରୁଷ ଦ୍ବାରା କରାଯାଇଥିବା ଯାଚନା ସଦୃଶ ଏହି ବଜ୍ର ବି ନିଷ୍ଫଳ
ହୋଇଯିବ |
ନନ୍ୱେଷ ବଜ୍ରସ୍ତବ ଶକ୍ର ତେଜସା
ହରେର୍ଦଧୀଚେସ୍ତପସା ଚ ତେଜିତଃ ।
ତେନୈବ ଶତ୍ରୁଂ ଜହି ବିଷ୍ଣୁୟନ୍ତ୍ରିତୋ
ଯତୋ ହରିର୍ୱିଜୟଃ ଶ୍ରୀର୍ଗୁଣାସ୍ତତଃ ॥ ୨୦॥
ଇନ୍ଦ୍ର ! ତୁମର ଏହି ବଜ୍ର ଶ୍ରୀହରିଙ୍କର ତେଜ ଏବଂ ଦଧୀଚି ଋଷିଙ୍କର
ତପସ୍ୟାରେ ଶକ୍ତିମାନ ଅଟେ | ମୋତେ ମାରିବାକୁ ବିଷ୍ଣୁଭଗବାନ ତୁମକୁ ଆଜ୍ଞା ଦେଇଛନ୍ତି |
ସେଥିପାଇଁ ଏହି ବଜ୍ର ଦ୍ବାରା ତୁମେ ମୋର ନିଧନ କର | କାରଣ ଭଗବାନ ଶ୍ରୀହରି ଯେଉଁ ପକ୍ଷରେ
ଅଛନ୍ତି, ସେହି ପକ୍ଷରେ ହିଁ ବିଜୟ, ଲକ୍ଷ୍ମୀ ଏବଂ ସବୁ ଗୁଣ ନିବାସ କରନ୍ତି |
ଅହଂ ସମାଧାୟ ମନୋ ଯଥାଽଽହ
ସଙ୍କର୍ଷଣସ୍ତଚ୍ଚରଣାରବିନ୍ଦେ ।
ତ୍ୱଦ୍ୱଜ୍ରରଂହୋଲୁଲିତଗ୍ରାମ୍ୟପାଶୋ
ଗତିଂ ମୁନେର୍ୟାମ୍ୟପବିଦ୍ଧଲୋକଃ ॥ ୨୧॥
ଦେବରାଜ ! ଭଗବାନ ସଂକର୍ଷଣଙ୍କ ଆଜ୍ଞାନୁସାରେ ମୁଁ ନିଜର ମନକୁ ତାଙ୍କ
ଚରଣକମଳରେ ଲୀନ କରିଦେବି | ତୁମ ବଜ୍ରର ବେଗ ମୋତେ ନୁହେଁ, ମୋର ବିଷୟ-ଭୋଗରୂପ
ପାଶକୁ କାଟିଦେବ ଏବଂ ମୁଁ ଶରୀର ତ୍ୟାଗ କରି ମୁନିଜନୋଚିତ ଗତି ପ୍ରାପ୍ତ କରିବି |
ପୁଂସାଂ କିଲୈକାନ୍ତଧିୟାଂ ସ୍ୱକାନାଂ
ଯାଃ ସମ୍ପଦୋ ଦିବି ଭୂମୌ ରସାୟାମ୍ ।
ନ ରାତି ଯଦ୍ଦ୍ୱେଷ ଉଦ୍ୱେଗ ଆଧି-
ର୍ମଦଃ କଲିର୍ୱ୍ୟସନଂ ସମ୍ପ୍ରୟାସଃ ॥ ୨୨॥
ଯେଉଁ ପୁରୁଷ ଭଗବାନଙ୍କୁ ଅନନ୍ୟ ପ୍ରେମ କରନ୍ତି – ତାଙ୍କର ନିଜଜନ
ଅଟନ୍ତି – ସେମାନଙ୍କୁ ସେ ସ୍ବର୍ଗ, ପୃଥିବୀ ଅଥବା
ରସାତଳର ସମ୍ପତ୍ତି ଦିଅନ୍ତି ନାହିଁ | କାରଣ ତଦ୍ବାରା ପରମାନନ୍ଦର ଉପଲବଧି ତ ହୁଏ ନାହିଁ, ଅଧିକନ୍ତୁ, ଦ୍ବେଷ, ଉଦ୍ବେଗ, ଅଭିମାନ, ମାନସିକ ପୀଡା, କଳହ, ଦୁଃଖ ଏବଂ
ପରିଶ୍ରମ ହିଁ ଅନୁଭବରେ ଆସିଥାଏ |
ତ୍ରୈବର୍ଗିକାୟାସବିଘାତମସ୍ମ-
ତ୍ପତିର୍ୱିଧତ୍ତେ ପୁରୁଷସ୍ୟ ଶକ୍ର ।
ତତୋଽନୁମେୟୋ ଭଗବତ୍ପ୍ରସାଦୋ
ଯୋ ଦୁର୍ଲଭୋଽକିଞ୍ଚନଗୋଚରୋଽନ୍ୟୈଃ ॥ ୨୩॥
ଇନ୍ଦ୍ର ! ଆମର ସ୍ବାମୀ ନିଜ ଭକ୍ତମାନଙ୍କର ଧର୍ମ, ଅର୍ଥ ଏବଂ କାମସମ୍ବନ୍ଧୀ ପ୍ରୟାସକୁ ବ୍ୟର୍ଥ କରିଦେଇ ଥାଆନ୍ତି ଏବଂ
ସତ କହିବାକୁ ଗଲେ ତାହା ହିଁ ଭଗବାନଙ୍କ କୃପାର ନିଦର୍ଶନ ଅଟେ | କାରଣ ତାଙ୍କର ଏହି
କୃପା-ପ୍ରସାଦ ଅକିଂଚନ ଭକ୍ତମାନଙ୍କ ନିମନ୍ତେ ହିଁ ଅନୁଭବଗମ୍ୟ ଅଟେ; ଅନ୍ୟମାନଙ୍କ ପାଇଁ ତ ତାହା ଅତ୍ୟନ୍ତ ଦୁର୍ଲଭ ଅଟେ |
ଅହଂ ହରେ ତବ ପାଦୈକମୂଲ-
ଦାସାନୁଦାସୋ ଭବିତାସ୍ମି ଭୂୟଃ ।
ମନଃ ସ୍ମରେତାସୁପତେର୍ଗୁଣାଂସ୍ତେ
ଗୃଣୀତ ବାକ୍କର୍ମ କରୋତୁ କାୟଃ ॥ ୨୪॥
(ଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭବ କରି ବୃତ୍ରାସୁର ପ୍ରାର୍ଥନା କଲା )
ପ୍ରଭୁ ! ଆପଣ ମୋ ପ୍ରତି ଏପରି କୃପା କରନ୍ତୁ, ଯେପରି କି
ପରବର୍ତ୍ତୀ ଜନ୍ମରେ ମୋତେ ଅନନ୍ୟଭାବରେ ଆପଣଙ୍କର ଚରଣକମଳ-ଆଶ୍ରିତ ସେବକମାନଙ୍କର ସେବା କରିବାର
ଅବସର ମିଳିବ | ହେ ପ୍ରାଣବଲ୍ଲଭ ! ମୋର ମନ ଆପଣଙ୍କର ମଙ୍ଗଳମୟ ଗୁଣମାନଙ୍କର ସ୍ମରଣ କରୁଥାଉ, ମୋର ବାଣୀ ତାହାର ଗାନ କରୁଥାଉ ଏବଂ ଶରୀର ଆପଣଙ୍କ ସେବାରେ ସଂଲଗ୍ନ
ରହୁ |
ନ ନାକପୃଷ୍ଠଂ ନ ଚ ପାରମେଷ୍ଠ୍ୟଂ
ନ ସାର୍ୱଭୌମଂ ନ ରସାଧିପତ୍ୟମ୍ ।
ନ ଯୋଗସିଦ୍ଧୀରପୁନର୍ଭବଂ ବା
ସମଞ୍ଜସ ତ୍ୱା ବିରହୟ୍ୟ କାଙ୍କ୍ଷେ ॥ ୨୫॥
ହେ ସୌଭାଗ୍ୟନିଧି ! ଆପଣଙ୍କୁ ଛାଡି ମୁଁ ସ୍ବର୍ଗ, ବ୍ରହ୍ମଲୋକ, ଭୂମଣ୍ଡଳର
ସାମ୍ରାଜ୍ୟ, ରସାତଳର ଏକଛତ୍ର ରାଜ୍ୟ, ଯୌଗିକ ସିଦ୍ଧି – ଏପରି କି ମୋକ୍ଷ ମଧ୍ୟ ଇଚ୍ଛା କରେନାହିଁ |
ଅଜାତପକ୍ଷା ଇବ ମାତରଂ ଖଗାଃ
ସ୍ତନ୍ୟଂ ଯଥା ବତ୍ସତରାଃ କ୍ଷୁଧାର୍ତାଃ ।
ପ୍ରିୟଂ ପ୍ରିୟେବ ବ୍ୟୁଷିତଂ ବିଷଣ୍ଣା
ମନୋଽରବିନ୍ଦାକ୍ଷ ଦିଦୃକ୍ଷତେ ତ୍ୱାମ୍ ॥ ୨୬॥
ପକ୍ଷହୀନ ପକ୍ଷୀ-ଶାବକ ମା’ର ଫେରିବା ବାଟକୁ
ଅନାଇ ରହିବା ପରି, ଭୋକିଲା ବାଛୁରୀ ନିଜ ମା’ର କ୍ଷୀର ପିଇବାକୁ ଆତୁର ରହିବା ପରି ଏବଂ ବିୟୋଗିନୀ ପତ୍ନୀ ନିଜ
ପ୍ରବାସୀ ପ୍ରିୟତମ ସହିତ ମିଳିତ ହେବା ପାଇଁ ଉତ୍କଣ୍ଠିତ ରହିବା ପରି – ହେ କମଳନୟନ ! ମୋର ମନ
ଆପଣଙ୍କର ଦର୍ଶନ ନିମନ୍ତେ ବ୍ୟାକୁଳ ହେଉଛି |
ମମୋତ୍ତମଶ୍ଲୋକଜନେଷୁ ସଖ୍ୟଂ
ସଂସାରଚକ୍ରେ ଭ୍ରମତଃ ସ୍ୱକର୍ମଭିଃ ।
ତ୍ୱନ୍ମାୟଯାଽଽତ୍ମାଽଽତ୍ମଜଦାରଗେହେ-
ଷ୍ୱାସକ୍ତଚିତ୍ତସ୍ୟ ନ ନାଥ ଭୂୟାତ୍ ॥ ୨୭॥
ହେ ପ୍ରଭୁ ! ମୁଁ ମୁକ୍ତି ଇଚ୍ଛା କରେନାହିଁ | ମୋ କର୍ମର ଫଳସ୍ବରୂପ
ମୋତେ ବାରମ୍ବାର ଜନ୍ମ-ମୃତ୍ୟୁର ଚକ୍ରରେ ଘୂରିବାକୁ ପଡିଲେ ମଧ୍ୟ ମୁଁ ଭ୍ରୁକ୍ଷେପ କରେନାହିଁ |
କିନ୍ତୁ ମୁଁ ଯେଉଁଠିକୁ ଯାଏ, ଯେଉଁ-ଯେଉଁ
ଯୋନିରେ ଜନ୍ମ ଗ୍ରହଣ କରେ, ସେଠାରେ
ଭଗବାନଙ୍କର ପ୍ରିୟ ଭକ୍ତଜନଙ୍କ ପ୍ରତି ମୋର ପ୍ରେମ-ମୈତ୍ରୀ ଭାବ ଅତୁଟ ରହୁ | ସ୍ବାମିନ୍ ! ମୁଁ
କେବଳ ଏତିକି ଇଚ୍ଛା କରୁଛି ଯେ ଆପଣଙ୍କ ମାୟାରେ ଯେଉଁମାନେ ଦେହ-ଗୃହ ଏବଂ ସ୍ତ୍ରୀ-ପୁତ୍ର ଆଦି
ପ୍ରତି ଆସକ୍ତ ରହିଛନ୍ତି, ସେମାନଙ୍କ ସହିତ
ମୋର କେବେ କୌଣସି ପ୍ରକାରର ସମ୍ବନ୍ଧ ନ ରହୁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ବୃତ୍ରସ୍ୟ ଇନ୍ଦ୍ରୋପଦେଶୋ ନାମୈକାଦଶୋଽଧ୍ୟାୟଃ ॥ ୧୧॥

Comments
Post a Comment