ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ପଞ୍ଚଦଶ ଅଧ୍ୟାୟ
ଚିତ୍ରକେତୁଙ୍କୁ ଅଙ୍ଗିରା ଏବଂ ନାରଦଙ୍କର ଉପଦେଶ
ଶ୍ରୀଶୁକ ଉବାଚ
ଊଚତୁର୍ମୃତକୋପାନ୍ତେ ପତିତଂ ମୃତକୋପମମ୍ ।
ଶୋକାଭିଭୂତଂ ରାଜାନଂ ବୋଧୟନ୍ତୌ ସଦୁକ୍ତିଭିଃ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ରାଜା ଚିତ୍ରକେତୁ ଶୋକଗ୍ରସ୍ତ
ଅବସ୍ଥାରେ ଶବ ତୁଲ୍ୟ ନିଜ ମୃତ ପୁତ୍ର ପାଖରେ ପଡିଥିଲେ | ମହର୍ଷି ଅଙ୍ଗିରା ଏବଂ ଦେବର୍ଷି ନାରଦ
ସୁନ୍ଦର ସୁନ୍ଦର ଉକ୍ତିମାନଙ୍କ ଦ୍ବାରା ତାଙ୍କୁ ବୁଝାଇବାକୁ ଆରମ୍ଭ କଲେ |
କୋଽୟଂ ସ୍ୟାତ୍ତବ ରାଜେନ୍ଦ୍ର ଭବାନ୍ ଯମନୁଶୋଚତି ।
ତ୍ୱଂ ଚାସ୍ୟ କତମଃ ସୃଷ୍ଟୌ ପୁରେଦାନୀମତଃ ପରମ୍ ॥ ୨॥
ସେମାନେ କହିଲେ – ରାଜେନ୍ଦ୍ର ! ଯାହା ପାଇଁ ତୁମେ ଏତେ ଶୋକ କରୁଛ
ଏହି ଜନ୍ମ ଏବଂ ପୂର୍ବ ଜନ୍ମମାନଙ୍କରେ ସେ ତୁମର କ’ଣ ଥିଲା ? ତୁମେ ତା’ର କିଏ ଥିଲ ? ଆଗାମୀ ଜନ୍ମମାନଙ୍କରେ ମଧ୍ୟ ତୁମର ତା’ ସହିତ କ’ଣ ସମ୍ବନ୍ଧ ରହିବ ?
ଯଥା ପ୍ରୟାନ୍ତି ସଂୟାନ୍ତି ସ୍ରୋତୋବେଗେନ ବାଲୁକାଃ ।
ସଂୟୁଜ୍ୟନ୍ତେ ବିୟୁଜ୍ୟନ୍ତେ ତଥା କାଲେନ ଦେହିନଃ ॥ ୩॥
ଜଳର ପ୍ରବାହରେ ବାଲୁକା କଣମାନେ ପରସ୍ପର ସହିତ ସଂଯୁକ୍ତ ଏବଂ
ପରସ୍ପରଠାରୁ ବିଚ୍ଛିନ୍ନ ହେଉଥିବା ପରି ସମୟର ପ୍ରବାହରେ ପ୍ରାଣୀମାନଙ୍କର ମିଳନ ଏବଂ ବିୟୋଗ
ହେବାରେ ଲାଗିଥାଏ |
ଯଥା ଧାନାସୁ ବୈ ଧାନା ଭବନ୍ତି ନ ଭବନ୍ତି ଚ ।
ଏବଂ ଭୂତେଷୁ ଭୂତାନି ଚୋଦିତାନୀଶମାୟଯା ॥ ୪॥
ରାଜନ୍ ! ବେଳେ ବେଳେ ବୀଜରୁ ଯେପରି ଅନ୍ୟ ବୀଜ ଉତ୍ପନ୍ନ ହୋଇ ନଷ୍ଟ
ହୋଇଯାଆନ୍ତି, ସେହିପରି ଭଗବାନଙ୍କ ମାୟାରେ ପ୍ରେରିତ ହୋଇ ପ୍ରାଣୀମାନଙ୍କଠାରୁ
ଅନ୍ୟ ପ୍ରାଣୀ ଉତ୍ପନ୍ନ ହୁଅନ୍ତି ଏବଂ ନଷ୍ଟ ହୋଇଯାଇ ଥାଆନ୍ତି |
ବୟଂ ଚ ତ୍ୱଂ ଚ ଯେ ଚେମେ ତୁଲ୍ୟକାଲାଶ୍ଚରାଚରାଃ ।
ଜନ୍ମମୃତ୍ୟୋର୍ୟଥା ପଶ୍ଚାତ୍ପ୍ରାଙ୍ ନୈବମଧୁନାପି ଭୋଃ ॥ ୫॥
ରାଜନ୍ ! ବର୍ତ୍ତମାନ ମୁଁ, ତୁମେ ଏବଂ
ଆମ୍ଭମାନଙ୍କ ସହିତ ଏହି ଜଗତର ଚରାଚର ଯେତେ ପ୍ରାଣୀ ରହିଛନ୍ତି , ଏମାନେ ସମସ୍ତେ ଏହି ଜନ୍ମ
ପୂର୍ବରୁ ଆମ ସହିତ ନ ଥିଲେ କି ମୃତ୍ୟୁ ପରେ ମଧ୍ୟ ଏମାନେ କେହି ରହିବେ ନାହିଁ | ଏଥିରୁ ଏହା
ସିଦ୍ଧ ହୋଇଥାଏ ଯେ ଏହି ସମୟରେ ମଧ୍ୟ ଏମାନଙ୍କର ଅସ୍ତିତ୍ବ ନାହିଁ, କାରଣ ସତ୍ୟ ବସ୍ତୁ ସବୁ
ସମୟରେ ଏକାପରି ରହିଥାଏ |
ଭୂତୈର୍ଭୂତାନି ଭୂତେଶଃ ସୃଜତ୍ୟବତି ହନ୍ତ୍ୟଜଃ ।
ଆତ୍ମସୃଷ୍ଟୈରସ୍ୱତନ୍ତ୍ରୈରନପେକ୍ଷୋଽପି ବାଲବତ୍ ॥ ୬॥
ଭଗବାନ ହିଁ ସମସ୍ତ ପ୍ରାଣୀଙ୍କର ଅଧିପତି ଅଟନ୍ତି | ତାଙ୍କଠାରେ
ଜନ୍ମ-ମୃତ୍ୟୁର ବିକାର ନାହିଁ; ସେ କିଛି ଇଚ୍ଛା
କରନ୍ତି ନାହିଁ କି କାହାର ଅପେକ୍ଷା କରନ୍ତି ନାହିଁ | ସେ ନିଜେ ନିଜେ ପରତନ୍ତ୍ର
ପ୍ରାଣୀମାନଙ୍କୁ ସୃଷ୍ଟି କରନ୍ତି ଏବଂ ସେମାନଙ୍କ ଦ୍ବାରା ଅନ୍ୟ ପ୍ରାଣୀମାନଙ୍କର ରଚନା, ପାଳନ ଏବଂ ସଂହାର କରିଥାଆନ୍ତି – ଯେପରି ଛୋଟ ପିଲାମାନେ ଖେଳରେ-ଖେଳରେ
ଘରଦ୍ବାର ଆଦି ଗଢି ତାହାକୁ ଭାଙ୍ଗିବାରେ ଲାଗିଥାଆନ୍ତି |
ଦେହେନ ଦେହିନୋ ରାଜନ୍ ଦେହାଦ୍ଦେହୋଽଭିଜାୟତେ ।
ବୀଜାଦେବ ଯଥା ବୀଜଂ ଦେହ୍ୟର୍ଥ ଇବ ଶାଶ୍ୱତଃ ॥ ୭॥
ରାଜନ୍ ! ଯେପରି ଗୋଟିଏ ବୀଜରୁ ଅନ୍ୟ ବୀଜ ଉତ୍ପନ୍ନ ହୁଅନ୍ତି, ସେହିପରି ପିତାର ଦେହ ଦ୍ବାରା ମାତାର ଦେହରୁ ପୁତ୍ରର ଦେହ ଉତ୍ପନ୍ନ
ହୋଇଥାଏ | ପିତା, ମାତା ଏବଂ ପୁତ୍ର ଜୀବ ରୂପରେ ଦେହୀ ଅଟନ୍ତି ଏବଂ
ବାହ୍ୟଦୃଷ୍ଟିରେ ଶରୀର ଅଟନ୍ତି | ଏଥିରେ ଦେହୀ ଜୀବ ଘଟ ଆଦି କାର୍ଯ୍ୟରେ ମାଟି ପରି ନିତ୍ୟ ଅଟେ
|
ଦେହଦେହିବିଭାଗୋଽୟମବିବେକକୃତଃ ପୁରା ।
ଜାତିବ୍ୟକ୍ତିବିଭାଗୋଽୟଂ ଯଥା ବସ୍ତୁନି କଲ୍ପିତଃ ॥ ୮॥
ରାଜନ୍ ! ମୃତ୍ତିକାରୂପ ବସ୍ତୁରେ ଯେପରି ଘଟତ୍ବ ଆଦି ଜାତି ଏବଂ ଘଟ
ଆଦି ବ୍ୟକ୍ତିମାନଙ୍କର ବିଭାଗ କଳ୍ପନାମାତ୍ର ଅଟେ, ସେହିପରି ଏହି
ଦେହୀ ଏବଂ ଦେହର ବିଭାଗ ବି ଅନାଦି ଏବଂ ଅବିଦ୍ୟା-କଳ୍ପିତ ଅଟେ |
ଶ୍ରୀଶୁକ ଉବାଚ
ଏବମାଶ୍ୱାସିତୋ ରାଜା ଚିତ୍ରକେତୁର୍ଦ୍ୱିଜୋକ୍ତିଭିଃ ।
ପ୍ରମୃଜ୍ୟ ପାଣିନା ବକ୍ତ୍ରମାଧିମ୍ଲାନମଭାଷତ ॥ ୯॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ମହର୍ଷି ଅଙ୍ଗିରା ଏବଂ ଦେବର୍ଷି
ନାରଦ ଏହିପରି ଅନେକ ପ୍ରକାରରେ ରାଜା ଚିତ୍ରକେତୁଙ୍କୁ ବୁଝାଇବା ପରେ, ରାଜା ସାମାନ୍ୟ ପ୍ରକୃତିସ୍ଥ ହୋଇ ନିଜ ଶୋକରେ ମଳିନ ମୁଖକୁ ହାତରେ
ପୋଛି ସେମାନଙ୍କୁ କହିଲେ -
ରାଜୋବାଚ
କୌ ଯୁବାଂ ଜ୍ଞାନସମ୍ପନ୍ନୌ ମହିଷ୍ଠୌ ଚ ମହୀୟସାମ୍ ।
ଅବଧୂତେନ ବେଷେଣ ଗୂଢାବିହ ସମାଗତୌ ॥ ୧୦॥
ରାଜା ଚିତ୍ରକେତୁ କହିଲେ – ଆପଣ ଦୁହେଁ ପରମ ଜ୍ଞାନବାନ୍ ଏବଂ ମହାନରୁ
ମଧ୍ୟ ମହାନ୍ ମନେ ହେଉଛନ୍ତି ତଥା ଅବଧୂତ ବେଶରେ ନିଜକୁ ଗୋପନ ରଖି ଏଠାକୁ ଆସିଛନ୍ତି | କୃପା
କରି ଆପଣମାନେ ମୋତେ ନିଜର ପରିଚୟ ଦିଅନ୍ତୁ |
ଚରନ୍ତି ହ୍ୟବନୌ କାମଂ ବ୍ରାହ୍ମଣା ଭଗବତ୍ପ୍ରିୟାଃ ।
ମାଦୃଶାଂ ଗ୍ରାମ୍ୟବୁଦ୍ଧୀନାଂ ବୋଧାୟୋନ୍ମତ୍ତଲିଙ୍ଗିନଃ ॥ ୧୧॥
ମୁଁ ଜାଣିଛି, ମୋ ପରି ବିଷୟାସକ୍ତ ପ୍ରାଣୀମାନଙ୍କୁ ଉପଦେଶ ଦେବା
ପାଇଁ ଆପଣମାନଙ୍କ ପରି ଭଗବାନଙ୍କର ଅନେକ ପ୍ରିୟ ଭକ୍ତ ଉନ୍ମତ୍ତ ବେଶ ଧାରଣ କରି ପୃଥିବୀରେ
ସ୍ବଚ୍ଛନ୍ଦ ବିଚରଣ କରୁଥାଆନ୍ତି |
କୁମାରୋ ନାରଦ ଋଭୁରଙ୍ଗିରା ଦେବଲୋଽସିତଃ ।
ଅପାନ୍ତରତମୋ ବ୍ୟାସୋ ମାର୍କଣ୍ଡେୟୋଽଥ ଗୌତମଃ ॥ ୧୨॥
ବସିଷ୍ଠୋ ଭଗବାନ୍ ରାମଃ କପିଲୋ ବାଦରାୟଣିଃ ।
ଦୁର୍ୱାସା ଯାଜ୍ଞବଲ୍କ୍ୟଶ୍ଚ ଜାତୂକର୍ଣ୍ୟସ୍ତଥାରୁଣିଃ ॥ ୧୩॥
ରୋମଶଶ୍ଚ୍ୟବନୋ ଦତ୍ତ ଆସୁରିଃ ସପତଞ୍ଜଲିଃ ।
ଋଷିର୍ୱେଦଶିରା ବୋଧ୍ୟଃ ମୁନିଃ ପଞ୍ଚଶିରାସ୍ତଥା ॥ ୧୪॥
ହିରଣ୍ୟନାଭଃ କୌସଲ୍ୟଃ ଶ୍ରୁତଦେବ ଋତଧ୍ୱଜଃ ।
ଏତେ ପରେ ଚ ସିଦ୍ଧେଶାଶ୍ଚରନ୍ତି ଜ୍ଞାନହେତବଃ ॥ ୧୫॥
ସନତ୍ କୁମାର, ନାରଦ, ଋଭୂ, ଅଙ୍ଗିରା, ଦେବଳ, ଅସିତ୍, ଅପାନ୍ତରତମ ବ୍ୟାସ, ମାର୍କଣ୍ଡେୟ,
ଗୌତମ, ବସିଷ୍ଠ, ଭଗବାନ ପରଶୁରାମ, କପିଳଦେବ, ଶୁକଦେବ, ଦୁର୍ବାସା, ଯାଜ୍ଞବଲ୍କ୍ୟ,
ଜାତୂକର୍ଣ୍ୟ, ଆରୁଣି, ରୋମଶ, ଚ୍ୟବନ, ଦତ୍ତାତ୍ରେୟ, ଆସୁରି, ପତଞ୍ଜଳି,
ବେଦଶିରା, ବୋଧ୍ୟମୁନି, ପଞ୍ଚଶିରା, ହିରଣ୍ୟନାଭ, କୌସଲ୍ୟ, ଶ୍ରୁତଦେବ ଏବଂ ଋତଧ୍ବଜ – ଏମାନେ ସମସ୍ତେ ତଥା ଅନ୍ୟ ସିଦ୍ଧେଶ୍ବର
ଋଷି-ମୁନି ଜ୍ଞାନଦାନ କରିବା ଉପଲକ୍ଷେ ପୃଥିବୀପୃଷ୍ଠରେ ବିଚରଣ କରୁଥାଆନ୍ତି |
ତସ୍ମାଦ୍ୟୁବାଂ ଗ୍ରାମ୍ୟପଶୋର୍ମମ ମୂଢଧିୟଃ ପ୍ରଭୂ ।
ଅନ୍ଧେ ତମସି ମଗ୍ନସ୍ୟ ଜ୍ଞାନଦୀପ ଉଦୀର୍ୟତାମ୍ ॥ ୧୬॥
ହେ ସ୍ବାମୀ ! ମୁଁ ବିଷୟଭୋଗରେ ଆସକ୍ତ, ମନ୍ଦବୁଦ୍ଧି ଗ୍ରାମ୍ୟ ପଶୁ ଅଟେ ଏବଂ ଅଜ୍ଞାନର ଘୋର ଅନ୍ଧକାରରେ ମୁଁ
ବୁଡି ଯାଉଛି | ଜ୍ଞାନର ଜ୍ୟୋତିରେ ଆପଣମାନେ ମୋତେ ପ୍ରକାଶର କେନ୍ଦ୍ରକୁ ଆଣନ୍ତୁ |
ଅଙ୍ଗିରା ଉବାଚ
ଅହଂ ତେ ପୁତ୍ରକାମସ୍ୟ ପୁତ୍ରଦୋଽସ୍ମ୍ୟଙ୍ଗିରା ନୃପ ।
ଏଷ ବ୍ରହ୍ମସୁତଃ ସାକ୍ଷାନ୍ନାରଦୋ ଭଗବାନ୍ ଋଷିଃ ॥ ୧୭॥
ମହର୍ଷି ଅଙ୍ଗିରା କହିଲେ – ରାଜନ୍ ! ଯେତେବେଳେ ତୁମେ ପୁତ୍ର
ନିମନ୍ତେ ଅତ୍ୟନ୍ତ ଲାଳାୟିତ ଥିଲ, ସେତେବେଳେ ମୁଁ ହିଁ ତୁମକୁ ପୁତ୍ର ପ୍ରଦାନ କରିଥିଲି | ମୁଁ
ଅଙ୍ଗିରା ଅଟେ ଏବଂ ଅନ୍ୟ ଯିଏ ତୁମ ସମ୍ମୁଖରେ ଠିଆ ହୋଇଛନ୍ତି, ଇଏ ସ୍ବୟଂ ବ୍ରହ୍ମାଜୀଙ୍କର ପୁତ୍ର ସର୍ବସମର୍ଥ ଦେବର୍ଷି ନାରଦ
ଅଟନ୍ତି |
ଇତ୍ଥଂ ତ୍ୱାଂ ପୁତ୍ରଶୋକେନ ମଗ୍ନଂ ତମସି ଦୁସ୍ତରେ ।
ଅତଦର୍ହମନୁସ୍ମୃତ୍ୟ ମହାପୁରୁଷଗୋଚରମ୍ ॥ ୧୮॥
ଅନୁଗ୍ରହାୟ ଭବତଃ ପ୍ରାପ୍ତାବାବାମିହ ପ୍ରଭୋ ।
ବ୍ରହ୍ମଣ୍ୟୋ ଭଗବଦ୍ଭକ୍ତୋ ନାବସୀଦିତୁମର୍ହତି ॥ ୧୯॥
ଆମ୍ଭେମାନେ ଯେତେବେଳେ ତୁମକୁ ପୁତ୍ରଶୋକ କାରଣରୁ ଘୋର ଅନ୍ଧକାରକୁ
ପ୍ରାପ୍ତ ହୋଇଥିବା ଅବସ୍ଥାରେ ଦେଖିଲୁ, ସେତେବେଳେ ଆମେ
ବିଚାର କଲୁ ତୁମେ ଭଗବାନଙ୍କର ଭକ୍ତ ଅଟ; ଅତଏବ ଶୋକଗ୍ରସ୍ତ
ହେବାର ଯୋଗ୍ୟ ନୁହେଁ | ସେଥିପାଇଁ ତୁମ ପ୍ରତି ଅନୁଗ୍ରହ କରି ଆମେ ଦୁହେଁ ଏଠାକୁ ଆସିଲୁ |
ରାଜନ୍ ! ବାସ୍ତବରେ ଯେଉଁମାନେ ଭଗବାନ ଏବଂ ବ୍ରାହ୍ମଣମାନଙ୍କର ଭକ୍ତ ଅଟନ୍ତି, କୌଣସି ଅବସ୍ଥାରେ ବି ସେମାନେ ଶୋକ କରିବା ଉଚିତ୍ ନୁହେଁ |
ତଦୈବ ତେ ପରଂ ଜ୍ଞାନଂ ଦଦାମି ଗୃହମାଗତଃ ।
ଜ୍ଞାତ୍ୱାନ୍ୟାଭିନିବେଶଂ ତେ ପୁତ୍ରମେବ ଦଦାବହମ୍ ॥ ୨୦॥
ପୂର୍ବରୁ ଯେତେବେଳେ ମୁଁ ତୁମ ଘରକୁ ଆସିଥିଲି, ସେତେବେଳେ ମୁଁ ତୁମକୁ ଏହି ଜ୍ଞାନ ଉପଦେଶ ପ୍ରଦାନ କରିଥାଆନ୍ତି; କିନ୍ତୁ ସେହି ସମୟରେ ତୁମ ହୃଦୟରେ ପୁତ୍ରର ଉତ୍କଟ ଲାଳସା ଦେଖି ମୁଁ
ତୁମକୁ ଜ୍ଞାନ ପରିବର୍ତ୍ତେ ପୁତ୍ର ପ୍ରଦାନ କରିଥିଲି |
ଅଧୁନା ପୁତ୍ରିଣାଂ ତାପୋ ଭବତୈବାନୁଭୂୟତେ ।
ଏବଂ ଦାରା ଗୃହା ରାୟୋ ବିବିଧୈଶ୍ୱର୍ୟସମ୍ପଦଃ ॥ ୨୧॥
ଶବ୍ଦାଦୟଶ୍ଚ ବିଷୟାଶ୍ଚଲା ରାଜ୍ୟବିଭୂତୟଃ ।
ମହୀ ରାଜ୍ୟଂ ବଲଂ କୋଶୋ ଭୃତ୍ୟାମାତ୍ୟସୁହୃଜ୍ଜନାଃ ॥ ୨୨॥
ଏବେ ପୁତ୍ରବାନଙ୍କୁ କେତେ ଦୁଃଖ ମିଳିଥାଏ, ତାହା ତୁମେ ସ୍ବୟଂ ଅନୁଭବ କରିଛ | ଏହି କଥା ସ୍ତ୍ରୀ, ଘର, ଧନ, ବିବିଧ ପ୍ରକାରର ଐଶ୍ବର୍ଯ୍ୟ, ସମ୍ପତ୍ତି, ଶବ୍ଦ-ରୂପ-ରସ ଆଦି ବିଷୟ, ରାଜ୍ୟବୈଭବ, ସେନା, ଭଣ୍ଡାର, ସେବକ, ଅମାତ୍ୟ, ସ୍ବଜନ-ସମ୍ବନ୍ଧୀ, ଇଷ୍ଟ-ମିତ୍ର ଆଦି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ; କାରଣ ଏମାନେ ସମସ୍ତେ ଅନିତ୍ୟ ଅଟନ୍ତି |
ସର୍ୱେଽପି ଶୂରସେନେମେ ଶୋକମୋହଭୟାର୍ତିଦାଃ ।
ଗନ୍ଧର୍ୱନଗରପ୍ରଖ୍ୟାଃ ସ୍ୱପ୍ନମାୟାମନୋରଥାଃ ॥ ୨୩॥
ଦୃଶ୍ୟମାନା ବିନାର୍ଥେନ ନ ଦୃଶ୍ୟନ୍ତେ ମନୋଭବାଃ ।
କର୍ମଭିର୍ଧ୍ୟାୟତୋ ନାନାକର୍ମାଣି ମନସୋଽଭବନ୍ ॥ ୨୪॥
ଅତଏବ ଏମାନେ ସମସ୍ତେ ଶୋକ, ମୋହ,
ଭୟ ଏବଂ ଦୁଃଖର
କାରଣ ଅଟନ୍ତି, ମନର ଖେଳଣା ଅଟନ୍ତି, ସର୍ବତୋ ଭାବରେ
କଳ୍ପିତ ଏବଂ ମିଥ୍ୟା ଅଟନ୍ତି; କାରଣ ଏମାନେ
ବାସ୍ତବରେ ନ ଥାଇ ମଧ୍ୟ ଆଖିକୁ ଦେଖା ଯାଇଥାଆନ୍ତି | ଏହି କାରଣରୁ ଏମାନେ କ୍ଷଣକ ପାଇଁ ଦୃଶ୍ୟ
ହୋଇ ପରବର୍ତ୍ତୀ କ୍ଷଣ ଲୁପ୍ତ ହୋଇଯାଆନ୍ତି | ଏମାନେ ଗନ୍ଧର୍ବନଗର, ସ୍ବପ୍ନ, ଜାଦୂ ଏବଂ ମନୋରଥ
ବସ୍ତୁମାନଙ୍କ ପରି ସମ୍ପୂର୍ଣ୍ଣ ଅସତ୍ୟ ଅଟନ୍ତି | ଯେଉଁମାନେ କର୍ମ-ବାସନାରେ ପ୍ରେରିତ ହୋଇ
ବିଷୟର ଚିନ୍ତନ କରୁଥାଆନ୍ତି, ସେମାନଙ୍କର ମନ
ଅନେକ ପ୍ରକାରର କର୍ମ ସୃଷ୍ଟି କରିଥାଏ |
ଅୟଂ ହି ଦେହିନୋ ଦେହୋ ଦ୍ରବ୍ୟଜ୍ଞାନକ୍ରିୟାତ୍ମକଃ ।
ଦେହିନୋ ବିବିଧକ୍ଲେଶସନ୍ତାପକୃଦୁଦାହୃତଃ ॥ ୨୫॥
ଜୀବାତ୍ମାର ଏହି ଦେହ – ଯାହା ପଞ୍ଚଭୂତ, ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟର ସଂଘାତ ଅଟେ – କୁହାଯାଏ, ଏହା ଜୀବକୁ ବିବିଧ ପ୍ରକାରର କ୍ଲେଶ ଏବଂ ସନ୍ତାପ ପ୍ରଦାନ କରିଥାଏ |
ତସ୍ମାତ୍ସ୍ୱସ୍ଥେନ ମନସା ବିମୃଶ୍ୟ ଗତିମାତ୍ମନଃ ।
ଦ୍ୱୈତେ ଧ୍ରୁବାର୍ଥବିଶ୍ରମ୍ଭଂ ତ୍ୟଜୋପଶମମାବିଶ ॥ ୨୬॥
ସେଥିପାଇଁ ତୁମେ ବିଷୟରେ ଭ୍ରମିତ ହେଉଥିବା ନିଜର ମନକୁ ନିୟନ୍ତ୍ରିତ
କରି ତାହାକୁ ଶାନ୍ତ ଏବଂ ସ୍ବସ୍ଥ କର ଏବଂ ତାପରେ ସେହି ମନ ଦ୍ବାରା ନିଜ ବାସ୍ତବିକ ସ୍ବରୂପର
ବିଚାର କର ତଥା ଏହି ଦ୍ବୈତ-ଭ୍ରମରେ ନିତ୍ୟତ୍ବ ବୁଦ୍ଧି ତ୍ୟାଗ କରି ପରମ ଶାନ୍ତିସ୍ବରୂପ
ପରମାତ୍ମାଙ୍କଠାରେ ସ୍ଥିତ ହୋଇଯାଅ |
ନାରଦ ଉବାଚ
ଏତାଂ ମନ୍ତ୍ରୋପନିଷଦଂ ପ୍ରତୀଚ୍ଛ ପ୍ରୟତୋ ମମ ।
ଯାଂ ଧାରୟନ୍ ସପ୍ତରାତ୍ରାଦ୍ଦ୍ରଷ୍ଟା ସଙ୍କର୍ଷଣଂ ପ୍ରଭୁମ୍ ॥ ୨୭॥
ଦେବର୍ଷି ନାରଦ କହିଲେ – ରାଜନ୍ ! ତୁମେ ଏକାଗ୍ରଚିତ୍ତରେ ମୋଠାରୁ
ଏହି ମନ୍ତ୍ରୋପନିଷଦ ଗ୍ରହଣ କର | ଏହାକୁ ଧାରଣ କରିବା ଦ୍ବାରା ସାତ ରାତିରେ ହିଁ ତୁମକୁ ଭଗବାନ
ସଂକର୍ଷଣଙ୍କର ଦର୍ଶନ ପ୍ରାପ୍ତ ହେବ |
ଯତ୍ପାଦମୂଲମୁପସୃତ୍ୟ ନରେନ୍ଦ୍ର ପୂର୍ୱେ
ଶର୍ୱାଦୟୋ ଭ୍ରମମିମଂ ଦ୍ୱିତୟଂ ବିସୃଜ୍ୟ ।
ସଦ୍ୟସ୍ତଦୀୟମତୁଲାନଧିକଂ ମହିତ୍ୱଂ
ପ୍ରାପୁର୍ଭବାନପି ପରଂ ନ ଚିରାଦୁପୈତି ॥ ୨୮॥
ନରେନ୍ଦ୍ର ! ପ୍ରାଚୀନ କାଳରେ ଭଗବାନ ଶଂକର ଆଦି ଶ୍ରୀସଂକର୍ଷଣଦେବଙ୍କ
ଚରଣକମଳର ହିଁ ଆଶ୍ରୟ ଗ୍ରହଣ କରିଥିଲେ | ତଦ୍ବାରା ସେମାନେ ଦ୍ବୈତଭ୍ରମ ତ୍ୟାଗ କରି ତାଙ୍କର
ସେହି ମହିମାକୁ ପ୍ରାପ୍ତ କରିଥିଲେ, ଯାହାଠାରୁ ବଳି ଆଉ
କିଛି ନାହିଁ ଏବଂ ଯାହା ସମାନ ମଧ୍ୟ କିଛି ନାହିଁ | ବହୁତ ଶୀଘ୍ର ତୁମେ ମଧ୍ୟ ସେହି ପରମପଦକୁ
ପ୍ରାପ୍ତ କରିନେବ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ଚିତ୍ରକେତୁସାନ୍ତ୍ୱନଂ ନାମ ପଞ୍ଚଦଶୋଽଧ୍ୟାୟଃ ॥ ୧୫॥

Comments
Post a Comment