ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ଷୋଡଶ ଅଧ୍ୟାୟ
ଚିତ୍ରକେତୁଙ୍କର ବୈରାଗ୍ୟ ତଥା ସଂକର୍ଷଣଦେବଙ୍କର ଦର୍ଶନ
ଶ୍ରୀଶୁକ ଉବାଚ
ଅଥ ଦେବଋଷୀ ରାଜନ୍ ସମ୍ପରେତଂ ନୃପାତ୍ମଜମ୍ ।
ଦର୍ଶୟିତ୍ୱେତି ହୋବାଚ ଜ୍ଞାତୀନାମନୁଶୋଚତାମ୍ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ତଦନନ୍ତର ଦେବର୍ଷି ନାରଦ ମୃତ
ରାଜକୁମାରର ଜୀବାତ୍ମାକୁ ଶୋକାକୁଳ ସ୍ବଜନମାନଙ୍କ ସମ୍ମୁଖକୁ ପ୍ରତ୍ୟକ୍ଷ ଡକାଇ କହିଲେ -
ନାରଦ ଉବାଚ
ଜୀବାତ୍ମନ୍ ପଶ୍ୟ ଭଦ୍ରଂ ତେ ମାତରଂ ପିତରଂ ଚ ତେ ।
ସୁହୃଦୋ ବାନ୍ଧବାସ୍ତପ୍ତାଃ ଶୁଚା ତ୍ୱତ୍କୃତୟା ଭୃଶମ୍ ॥ ୨॥
ଦେବର୍ଷି ନାରଦ କହିଲେ – ହେ ଜୀବାତ୍ମା ! ତୁମର କଲ୍ୟାଣ ହେଉ | ଦେଖ, ତୁମ ବିୟୋଗରେ ତୁମର ମାତା-ପିତା, ସୁହୃଦ-ସମ୍ବନ୍ଧୀ
ଆଦି ସମସ୍ତେ ଅତ୍ୟନ୍ତ ଶୋକାକୁଳ ରହିଛନ୍ତି |
କଲେବରଂ ସ୍ୱମାବିଶ୍ୟ ଶେଷମାୟୁଃ ସୁହୃଦ୍ୱୃତଃ ।
ଭୁଙ୍କ୍ଷ୍ୱ ଭୋଗାନ୍ ପିତୃପ୍ରତ୍ତାନଧିତିଷ୍ଠ ନୃପାସନମ୍ ॥ ୩॥
ସେଥିପାଇଁ ତୁମେ ନିଜ ଶରୀରରେ ପ୍ରବେଶ କର ଏବଂ ଅବଶିଷ୍ଟ ଆୟୁ ନିଜ
ସ୍ବଜନ-ସମ୍ବନ୍ଧୀଙ୍କ ସହିତ ରହି ବ୍ୟତୀତ କର | ନିଜ ପିତାଙ୍କର ରାଜ ସିଂହାସନରେ ବସ ଏବଂ ରାଜସୁଖ
ଭୋଗ କର |
ଜୀବ ଉବାଚ
କସ୍ମିନ୍ ଜନ୍ମନ୍ୟମୀ ମହ୍ୟଂ ପିତରୋ ମାତରୋଽଭବନ୍ ।
କର୍ମଭିର୍ଭ୍ରାମ୍ୟମାଣସ୍ୟ ଦେବତିର୍ୟଙ୍ନୃୟୋନିଷୁ ॥ ୪॥
ଜୀବାତ୍ମା କହିଲା – ହେ ଦେବର୍ଷି ! ମୁଁ ନିଜ କର୍ମାନୁସାରେ ଦେବତା, ମନୁଷ୍ୟ, ପଶୁ-ପକ୍ଷୀ ଆଦି
ଯୋନିମାନଙ୍କରେ କେଜାଣି କେତେ ଜନ୍ମରୁ ଘୂରି ବୁଲୁଛି | ଏମାନେ କେଉଁ ଜନ୍ମରେ ମୋର ମାତା-ପିତା
ଥିଲେ ?
ବନ୍ଧୁଜ୍ଞାତ୍ୟରିମଧ୍ୟସ୍ଥମିତ୍ରୋଦାସୀନବିଦ୍ୱିଷଃ ।
ସର୍ୱ ଏବ ହି ସର୍ୱେଷାଂ ଭବନ୍ତି କ୍ରମଶୋ ମିଥଃ ॥ ୫॥
ବିଭିନ୍ନ ଜନ୍ମରେ ପ୍ରତ୍ୟେକ ପରସ୍ପରର ଭାଈ-ବନ୍ଧୁ, ନାତି-ସ୍ବଜନ, ଶତ୍ରୁ-ମିତ୍ର, ମଧ୍ୟସ୍ଥ, ଉଦାସୀନ ଏବଂ
ଦ୍ବେଷୀ ହେଉଥାଆନ୍ତି |
ଯଥା ବସ୍ତୂନି ପଣ୍ୟାନି ହେମାଦୀନି ତତସ୍ତତଃ ।
ପର୍ୟଟନ୍ତି ନରେଷ୍ୱେବଂ ଜୀବୋ ଯୋନିଷୁ କର୍ତୃଷୁ ॥ ୬॥
ସୁବର୍ଣ୍ଣ ଆଦି କ୍ରୟ-ବିକ୍ରୟ ବସ୍ତୁ ଯେପରି ଜଣେ ବ୍ୟାପାରୀ ପାଖରୁ ଅନ୍ୟମାନଙ୍କ
ପାଖକୁ ଯିବାରେ ଲାଗିଥାଏ, ସେହିପରି ଜୀବ
ମଧ୍ୟ ଭିନ୍ନ-ଭିଣ ଯୋନିରେ ଉତ୍ପନ୍ନ ହେବାରେ ଲାଗିଥାଏ |
ନିତ୍ୟସ୍ୟାର୍ଥସ୍ୟ ସମ୍ବନ୍ଧୋ ହ୍ୟନିତ୍ୟୋ ଦୃଶ୍ୟତେ ନୃଷୁ ।
ଯାବଦ୍ୟସ୍ୟ ହି ସମ୍ବନ୍ଧୋ ମମତ୍ୱଂ ତାବଦେବ ହି ॥ ୭॥
ବିଚାରରୁ ଏହା ଜଣା ପଡିଥାଏ ଯେ ମନୁଷ୍ୟଠାରୁ ଅଧିକ ସ୍ଥାୟୀ ସୁବର୍ଣ୍ଣ
ଆଦି ପଦାର୍ଥ ସହିତ ମନୁଷ୍ୟର ସମ୍ବନ୍ଧ ମଧ୍ୟ ସ୍ଥାୟୀ ନୁହେଁ, କ୍ଷଣିକ ଅଟେ ଏବଂ ଯାହାର ଯେତେଦିନ
ଯେଉଁ ବସ୍ତୁ ସହିତ ସମ୍ବନ୍ଧ ରହିଥାଏ, ସେହି ବସ୍ତୁ
ପ୍ରତି ତା’ର ମମତା ମଧ୍ୟ ସେତିକି ଦିନ ରହେ |
ଏବଂ ଯୋନିଗତୋ ଜୀବଃ ସ ନିତ୍ୟୋ ନିରହଙ୍କୃତଃ ।
ଯାବଦ୍ୟତ୍ରୋପଲଭ୍ୟେତ ତାବତ୍ସ୍ୱତ୍ୱଂ ହି ତସ୍ୟ ତତ୍ ॥ ୮॥
ଜୀବ ନିତ୍ୟ ଏବଂ ଅହଂକାରରହିତ ଅଟେ | ଗର୍ଭକୁ ଆସି ଯେଉଁ ଶରୀରରେ ସେ
ଯେତେଦିନ ରହେ, ସେତିକି ଦିନ ସେହି ଶରୀରକୁ ସେ ନିଜର ମନେ କରିଥାଏ |
ଏଷ ନିତ୍ୟୋଽବ୍ୟଯଃ ସୂକ୍ଷ୍ମ ଏଷ ସର୍ୱାଶ୍ରୟଃ ସ୍ୱଦୃକ୍ ।
ଆତ୍ମମାୟାଗୁଣୈର୍ୱିଶ୍ୱମାତ୍ମାନଂ ସୃଜତି ପ୍ରଭୁଃ ॥ ୯॥
ଏହି ଜୀବ ନିତ୍ୟ ଅବିନାଶୀ, ସୂକ୍ଷ୍ମ
(ଜନ୍ମାଦିରହିତ), ସର୍ବାଶ୍ରୟ ଏବଂ ସ୍ବୟଂପ୍ରକାଶ ଅଟେ | ସ୍ବରୂପତଃ ଏହାର ଜନ୍ମ-ମୃତ୍ୟୁ ଆଦି
କିଛି ହୋଇ ନ ଥାଏ | ତଥାପି ଏହା ଈଶ୍ବରରୂପ ହୋଇଥିବା କାରଣରୁ ନିଜ ମାୟା ଗୁଣରେ ହିଁ ନିଜକୁ
ବିଶ୍ବ ରୂପରେ ପ୍ରକଟ କରିଦିଏ |
ନ ହ୍ୟସ୍ୟାତିପ୍ରିୟଃ କଶ୍ଚିନ୍ ନାପ୍ରିୟଃ ସ୍ୱଃ ପରୋଽପି ବା ।
ଏକଃ ସର୍ୱଧିୟାଂ ଦ୍ରଷ୍ଟା କର୍ତୄଣାଂ ଗୁଣଦୋଷୟୋଃ ॥ ୧୦॥
ଏହାର କେହି ପ୍ରିୟ ନୁହଁନ୍ତି କି କିଏ ଅପ୍ରିୟ ନୁହଁନ୍ତି; କିଏ ନିଜର ନୁହଁନ୍ତି କି କିଏ ପର ନୁହଁନ୍ତି; କାରଣ ସେ ଏକାକୀ ହିଁ ହିତ-ଅହିତ କରୁଥିବା ମିତ୍ର-ଶତ୍ରୁ ଆଦିଙ୍କର
ଭିନ୍ନ-ଭିନ୍ନ ବୁଦ୍ଧି-ବୃତ୍ତିର ସାକ୍ଷୀ ଅଟେ | ବାସ୍ତବରେ ସେ ଅଦ୍ବିତୀୟ ଅଟେ |
ନାଦତ୍ତ ଆତ୍ମା ହି ଗୁଣଂ ନ ଦୋଷଂ ନ କ୍ରିୟାଫଲମ୍ ।
ଉଦାସୀନବଦାସୀନଃ ପରାବରଦୃଗୀଶ୍ୱରଃ ॥ ୧୧॥
ଏହି ଆତ୍ମା କାର୍ଯ୍ୟ-କାରଣର ସାକ୍ଷୀ ଏବଂ ସ୍ବତନ୍ତ୍ର ଅଟେ |
ସେଥିପାଇଁ ଏହା ଶରୀର ଆଦିର ଗୁଣ-ଦୋଷ ଅଥବା କର୍ମଫଳକୁ ଗ୍ରହଣ ନ କରି ସଦା ଉଦାସୀନ ଭାବରେ ସ୍ଥିତ
ରହିଥାଏ |
ଶ୍ରୀଶୁକ ଉବାଚ
ଇତ୍ୟୁଦୀର୍ୟ ଗତୋ ଜୀବୋ ଜ୍ଞାତୟସ୍ତସ୍ୟ ତେ ତଦା ।
ବିସ୍ମିତା ମୁମୁଚୁଃ ଶୋକଂ ଛିତ୍ତ୍ୱାଽଽତ୍ମସ୍ନେହଶୃଙ୍ଖଲାମ୍ ॥ ୧୨॥
ଶ୍ରୀଶୁକଦେବ କହୁଛନ୍ତି – ସେହି ଜୀବାତ୍ମା ଏପରି କହି ସେଠାରୁ
ଚାଲିଗଲା | ତା’ କଥା ଶୁଣି ତା’ର ସ୍ବଜନ-ସମ୍ବନ୍ଧୀ
ଅତ୍ୟନ୍ତ ବିସ୍ମିତ ହେଲେ | ସେମାନଙ୍କର ସ୍ନେହ-ବନ୍ଧନ ଛିନ୍ନ ହୋଇଗଲା ଏବଂ ତା’ର ମୃତ୍ୟୁର ଶୋକ ମଧ୍ୟ ଦୂର ହୋଇଗଲା |
ନିର୍ହୃତ୍ୟ ଜ୍ଞାତୟୋ ଜ୍ଞାତେର୍ଦେହଂ କୃତ୍ୱୋଚିତାଃ କ୍ରିୟାଃ ।
ତତ୍ୟଜୁର୍ଦୁସ୍ତ୍ୟଜଂ ସ୍ନେହଂ ଶୋକମୋହଭୟାର୍ତିଦମ୍ ॥ ୧୩॥
ଏହା ପରେ ଜାତିଭାଈମାନେ ବାଳକର ମୃତ ଦେହକୁ ନେଇ ତତ୍କାଳୋଚିତ
ସଂସ୍କାର ଏବଂ ଔର୍ଦ୍ଧ୍ୱଦୈହିକ କ୍ରିୟା ଆଦି ପୂର୍ଣ୍ଣ କଲେ ଏବଂ ସେହି ଦୁସ୍ତ୍ୟଜ ସ୍ନେହକୁ
ତ୍ୟାଗ କଲେ, ଯାହାର ପରିଣାମ ସ୍ବରୂପ ଶୋକ, ମୋହ, ଭୟ, ଦୁଃଖ ଆଦି
ପ୍ରାପ୍ତ ହୋଇଥାଏ |
ବାଲଘ୍ନ୍ୟୋ ବ୍ରୀଡିତାସ୍ତତ୍ର ବାଲହତ୍ୟାହତପ୍ରଭାଃ ।
ବାଲହତ୍ୟାବ୍ରତଂ ଚେରୁର୍ବ୍ରାହ୍ମଣୈର୍ୟନ୍ନିରୂପିତମ୍ ।
ଯମୁନାୟାଂ ମହାରାଜ ସ୍ମରନ୍ତ୍ୟୋ ଦ୍ୱିଜଭାଷିତମ୍ ॥ ୧୪॥
ପରୀକ୍ଷିତ ! ଯେଉଁ ରାଣୀମାନେ ଶିଶୁକୁ ବିଷ ଦେଇଥିଲେ, ସେମାନେ ବାଳହତ୍ୟା ଦୋଷରେ ଶ୍ରୀହୀନ ହୋଇ ଯାଇଥିଲେ ଏବଂ ଲଜ୍ଜାରେ
ଆଖି ମଧ୍ୟ ଉଠାଇ ପାରୁ ନ ଥିଲେ | ସେମାନେ ଅଙ୍ଗିରା ଋଷିଙ୍କ ଉପଦେଶ (ମାତ୍ସର୍ଯ୍ୟହୀନ ହୁଅ)
ସ୍ମରଣ କରି ଯମୁନା ନଦୀର ତଟଦେଶରେ ବ୍ରାହ୍ମଣମାନଙ୍କର ଆଦେଶ ମୁତାବକ ବାଳହତ୍ୟାର ପ୍ରାୟଶ୍ଚିତ
କଲେ |
ସ ଇତ୍ଥଂ ପ୍ରତିବୁଦ୍ଧାତ୍ମା ଚିତ୍ରକେତୁର୍ଦ୍ୱିଜୋକ୍ତିଭିଃ ।
ଗୃହାନ୍ଧକୂପାନ୍ନିଷ୍କ୍ରାନ୍ତଃ ସରଃପଙ୍କାଦିବ ଦ୍ୱିପଃ ॥ ୧୫॥
ପରୀକ୍ଷିତ ! ମହର୍ଷି ଅଙ୍ଗିରା ଏବଂ ଦେବର୍ଷି ନାରଦଙ୍କ ଉପଦେଶରେ
ବିବେକ-ବୁଦ୍ଧି ଜାଗ୍ରତ ହେବାରୁ ରାଜା ଚିତ୍ରକେତୁ ଘର-ଗୃହସ୍ଥୀର ଅନ୍ଧକୂପରୁ ଏପରି ଭାବରେ
ବାହାରି ଆସିଲେ ଯେପରି କୌଣସି ହାତୀ ପୁଷ୍କରିଣୀର କର୍ଦ୍ଦମ ମଧ୍ୟରୁ ବାହାରି ଆସିଥାଏ |
କାଲିନ୍ଦ୍ୟାଂ ବିଧିବତ୍ସ୍ନାତ୍ୱା କୃତପୁଣ୍ୟଜଲକ୍ରିୟଃ ।
ମୌନେନ ସଂୟତପ୍ରାଣୋ ବ୍ରହ୍ମପୁତ୍ରାବବନ୍ଦତ ॥ ୧୬॥
ଯମୁନା ନଦୀରେ ବିଧିପୂର୍ବକ ସ୍ନାନ କରି ସେ ତର୍ପଣ ଆଦି ଧାର୍ମିକ
କ୍ରିୟା କଲେ | ତଦନନ୍ତର ସଂଯତେନ୍ଦ୍ରିୟ ଏବଂ ମୌନ ରହି ସେ ଦେବର୍ଷି ନାରଦ ଏବଂ ମହର୍ଷି
ଅଙ୍ଗିରାଙ୍କର ଚରଣ ବନ୍ଦନା କଲେ |
ଅଥ ତସ୍ମୈ ପ୍ରପନ୍ନାୟ ଭକ୍ତାୟ ପ୍ରୟତାତ୍ମନେ ।
ଭଗବାନ୍ନାରଦଃ ପ୍ରୀତୋ ବିଦ୍ୟାମେତାମୁବାଚ ହ ॥ ୧୭॥
ଦେବର୍ଷି ନାରଦ ଦେଖିଲେ, ଚିତ୍ରକେତୁ ଜିତେନ୍ଦ୍ରିୟ, ଭଗବତ୍-ଭକ୍ତ ଏବଂ ଶରଣାଗତ ଅଟନ୍ତି | ତେଣୁ ସେ ଅତୀବ ପ୍ରସନ୍ନ ହୋଇ
ତାଙ୍କୁ ଏହି ବିଦ୍ୟାର ଉପଦେଶ ଦେଲେ -
ଓଂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧୀମହି ।
ପ୍ରଦ୍ୟୁମ୍ନାୟାନିରୁଦ୍ଧାୟ ନମଃ ସଙ୍କର୍ଷଣାୟ ଚ ॥ ୧୮॥
ଔଁକାର-ସ୍ବରୂପ ଭଗବନ୍ ! ଆପଣ ବାସୁଦେବ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଏବଂ ସଂକର୍ଷଣ ରୂପରେ କ୍ରମଶଃ ଚିତ୍ତ, ବୁଦ୍ଧି, ମନ ଏବଂ ଅହଂକାରର
ଅଧିଷ୍ଠାତା ଅଟନ୍ତି | ଆପଣଙ୍କର ଏହି ଚତୁର୍ବ୍ୟୁହରୂପର ମୁଁ ବାରମ୍ବାର ନମସ୍କାରପୂର୍ବକ ଧ୍ୟାନ
କରୁଛି |
ନମୋ ବିଜ୍ଞାନମାତ୍ରାୟ ପରମାନନ୍ଦମୂର୍ତୟେ ।
ଆତ୍ମାରାମାୟ ଶାନ୍ତାୟ ନିବୃତ୍ତଦ୍ୱୈତଦୃଷ୍ଟୟେ ॥ ୧୯॥
ଆପଣ ବିଶୁଦ୍ଧ ବିଜ୍ଞାନସ୍ବରୂପ ଅଟନ୍ତି | ଆପଣଙ୍କର ମୂର୍ତ୍ତି
ପରମାନନ୍ଦମୟୀ ଅଟେ | ଆପଣ ନିଜ ସ୍ବରୂପଭୂତ ଆନନ୍ଦରେ ହିଁ ମଗ୍ନ ପରମ ଶାନ୍ତ ଅଟନ୍ତି |
ଦ୍ବୈତଦୃଷ୍ଟି ଆପଣଙ୍କୁ ସ୍ପର୍ଶ ସୁଦ୍ଧା କରିପାରେ ନାହିଁ | ମୁଁ ଆପଣଙ୍କୁ ନମସ୍କାର କରୁଛି |
ଆତ୍ମାନନ୍ଦାନୁଭୂତ୍ୟୈବ ନ୍ୟସ୍ତଶକ୍ତ୍ୟୂର୍ମୟେ ନମଃ ।
ହୃଷୀକେଶାୟ ମହତେ ନମସ୍ତେ ବିଶ୍ୱମୂର୍ତୟେ ॥ ୨୦॥
ନିଜ ସ୍ବରୂପଭୂତ ଆନନ୍ଦ ଅନୁଭୂତିରେ ହିଁ ଆପଣ ମାୟାଜନିତ ରାଗ-ଦ୍ବେଷ
ଆଦି ଦୋଷକୁ ତିରସ୍କାର କରିଦେଇ ଥାଆନ୍ତି | ଆପଣ ସମସ୍ତଙ୍କ ଇନ୍ଦ୍ରିୟର ପ୍ରେରକ, ପରମ ମହାନ୍ ଏବଂ ବିରାଟସ୍ବରୂପ ଅଟନ୍ତି | ମୁଁ ଆପଣଙ୍କୁ ନମସ୍କାର
କରୁଛି |
ବଚସ୍ୟୁପରତେଽପ୍ରାପ୍ୟ ଯ ଏକୋ ମନସା ସହ ।
ଅନାମରୂପଶ୍ଚିନ୍ମାତ୍ରଃ ସୋଽବ୍ୟାନ୍ନଃ ସଦସତ୍ପରଃ ॥ ୨୧॥
ମନ ସହିତ ବାଣୀ ଆପଣଙ୍କ ନିକଟରେ ପହଞ୍ଚି ନ ପାରି ବାଟରୁ ହିଁ ଫେରି
ଆସିଥାଏ | ସେ ଉପରତ ହୋଇଯିବା ପରେ ଯେଉଁ ଅଦ୍ବିତୀୟ, ନାମ-ରୂପରହିତ, ଚେତନମାତ୍ର ଏବଂ କାର୍ଯ୍ୟ-କାରଣର ଅତୀତ ବସ୍ତୁ ରହିଯାଏ – ସେ ଆମର
ରକ୍ଷା କରନ୍ତୁ |
ଯସ୍ମିନ୍ନିଦଂ ଯତଶ୍ଚେଦଂ ତିଷ୍ଠତ୍ୟପ୍ୟେତି ଜାୟତେ ।
ମୃଣ୍ମୟେଷ୍ୱିବ ମୃଜ୍ଜାତିସ୍ତସ୍ମୈ ତେ ବ୍ରହ୍ମଣେ ନମଃ ॥ ୨୨॥
ଏହି କାର୍ଯ୍ୟ-କାରଣରୂପ ଜଗତ ଯାହାଠାରୁ ଉତ୍ପନ୍ନ ହୋଇଥାଏ, ଯାହାଠାରେ ସ୍ଥିତ ଏବଂ ଯାହା ମଧ୍ୟରେ ଲୀନ ହୋଇଯାଏ ତଥା ଯିଏ
ମାଟିପାତ୍ରରେ ବ୍ୟାପ୍ତ ମୃତ୍ତିକା ପରି ସର୍ବତ୍ର ଓତଃପ୍ରୋତ ଅଟନ୍ତି, ସେହି ପରବ୍ରହ୍ମସ୍ବରୂପ ଆପଣଙ୍କୁ ମୁଁ ନମସ୍କାର କରୁଛି |
ଯନ୍ନ ସ୍ପୃଶନ୍ତି ନ ବିଦୁର୍ମନୋବୁଦ୍ଧୀନ୍ଦ୍ରିୟାସବଃ ।
ଅନ୍ତର୍ବହିଶ୍ଚ ବିତତଂ ବ୍ୟୋମବତ୍ତନ୍ନତୋଽସ୍ମ୍ୟହମ୍ ॥ ୨୩॥
ଆକାଶ ପରି ଯଦିଓ ଆପଣ ବାହାର-ଭିତର ସର୍ବତ୍ର ଏକରସ ବ୍ୟାପ୍ତ ଅଟନ୍ତି, ତଥାପି ମନ, ବୁଦ୍ଧି ଏବଂ
ଜ୍ଞାନେନ୍ଦ୍ରିୟ ଜ୍ଞାନଶକ୍ତି ଦ୍ବାରା ଆପଣଙ୍କୁ ଜାଣି ପାରନ୍ତି ନାହିଁ ଏବଂ ପ୍ରାଣ ତଥା
କର୍ମେନ୍ଦ୍ରିୟ ନିଜର କ୍ରିୟାରୂପ ଶକ୍ତିରେ ଆପଣଙ୍କୁ ସ୍ପର୍ଶ ସୁଦ୍ଧା କରିପାରନ୍ତି ନାହିଁ |
ମୁଁ ଆପଣଙ୍କୁ ନମସ୍କାର କରୁଛି |
ଦେହେନ୍ଦ୍ରିୟପ୍ରାଣମନୋଧିୟୋଽମୀ
ଯଦଂଶବିଦ୍ଧାଃ ପ୍ରଚରନ୍ତି କର୍ମସୁ ।
ନୈବାନ୍ୟଦା ଲୋହମିବାପ୍ରତପ୍ତଂ
ସ୍ଥାନେଷୁ ତଦ୍ଦ୍ରଷ୍ଟ୍ରପଦେଶମେତି ॥ ୨୪॥
ଶରୀର, ଇନ୍ଦ୍ରିୟ, ପ୍ରାଣ, ମନ ଏବଂ ବୁଦ୍ଧି ଜାଗ୍ରତ
ତଥା ସ୍ବପ୍ନ ଅବସ୍ଥାରେ ଆପଣଙ୍କ ଚୈତନ୍ୟାଂଶରେ ଯୁକ୍ତ ହୋଇ ନିଜ ନିଜର କାମ କରନ୍ତି ତଥା
ସୁଷୁପ୍ତି ଏବଂ ମୂର୍ଚ୍ଛା ଅବସ୍ଥାରେ ଆପଣଙ୍କ ଚୈତନ୍ୟାଂଶରେ ଯୁକ୍ତ ନ ଥିବା କାରଣରୁ ନିଜ କର୍ମ
କରିବାକୁ ଅସମର୍ଥ ହୋଇଥାଆନ୍ତି – ଠିକ୍ ସେହିପରି, ଯେପରି ଲୁହା
ଅଗ୍ନିରେ ତପ୍ତ ହୋଇ ହିଁ କାହାକୁ ଜଳାଇବା ପାଇଁ ସକ୍ଷମ ହୋଇଥାଏ, ଅନ୍ୟଥା ନୁହେଁ | ଯାହାକୁ ‘ଦ୍ରଷ୍ଟା’ କହନ୍ତି, ତାହା ମଧ୍ୟ
ଆପଣଙ୍କର ହିଁ ଏକ ନାମ ଅଟେ; ଜାଗ୍ରତ ଆଦି ଅବସ୍ଥାରେ ଆପଣ ତାହାକୁ ସ୍ବୀକାର କରିନିଅନ୍ତି |
ବାସ୍ତବରେ ଆପଣଙ୍କଠାରୁ ପୃଥକ୍ କାହାର କୌଣସି ଅସ୍ତିତ୍ବ ନାହିଁ |
ଓଂ ନମୋ ଭଗବତେ ମହାପୁରୁଷାୟ ମହାନୁଭାବାୟ
ମହାବିଭୂତିପତୟେ ସକଲସାତ୍ୱତପରିବୃଢ-
ନିକରକରକମଲକୁଡ୍ମଲୋପଲାଲିତଚରଣା-
ରବିନ୍ଦୟୁଗଲ ପରମ ପରମେଷ୍ଠିନ୍ ନମସ୍ତେ ॥ ୨୫॥
ଔଁକାରସ୍ବରୂପ ମହାପ୍ରଭାବଶାଳୀ ମହାବିଭୂତିପତି ମହାପୁରୁଷ ଭଗବାନଙ୍କୁ
ନମସ୍କାର | ଶ୍ରେଷ୍ଠ ଭକ୍ତସମୁଦାୟ ନିଜ କରକମଳର କଳିକା ଦ୍ବାରା ଆପଣଙ୍କ ଯୁଗଳ ଚରଣକମଳର ସେବାରେ
ସଂଲଗ୍ନ ରହନ୍ତି | ପ୍ରଭୁ ! ଆପଣ ହିଁ ସର୍ବଶ୍ରେଷ୍ଠ ଅଟନ୍ତି; ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି |
ଶ୍ରୀଶୁକ ଉବାଚ
ଭକ୍ତାୟୈତାଂ ପ୍ରପନ୍ନାୟ ବିଦ୍ୟାମାଦିଶ୍ୟ ନାରଦଃ ।
ଯୟାବଙ୍ଗିରସା ସାକଂ ଧାମ ସ୍ୱାୟମ୍ଭୁବଂ ପ୍ରଭୋ ॥ ୨୬॥
ଶ୍ରୀଶୁକଦେବ କହୁଛନ୍ତି – ଦେବର୍ଷି ନାରଦ ନିଜ ଶରଣାଗତ ଭକ୍ତ
ଚିତ୍ରକେତୁଙ୍କୁ ଏହି ବିଦ୍ୟାର ଉପଦେଶ ପ୍ରଦାନ କରି ମହର୍ଷି ଅଙ୍ଗିରାଙ୍କ ସହିତ ବ୍ରହ୍ମଲୋକକୁ
ଚାଲି ଗଲେ |
ଚିତ୍ରକେତୁସ୍ତୁ ବିଦ୍ୟାଂ ତାଂ ଯଥା ନାରଦଭାଷିତାମ୍ ।
ଧାରୟାମାସ ସପ୍ତାହମବ୍ଭକ୍ଷଃ ସୁସମାହିତଃ ॥ ୨୭॥
ରାଜା ଚିତ୍ରକେତୁ ଦେବର୍ଷି ନାରଦଙ୍କ ଆଜ୍ଞାନୁସାରେ ତାଙ୍କ ଦ୍ବାରା
ଉପଦିଷ୍ଟ ବିଦ୍ୟାର ଅନୁଷ୍ଠାନ ସାତ ଦିନ କେବଳ ଜଳ ପାନ କରି ଅତ୍ୟନ୍ତ ନିଷ୍ଠାର ସହିତ କଲେ |
ତତଃ ସ ସପ୍ତରାତ୍ରାନ୍ତେ ବିଦ୍ୟଯା ଧାର୍ୟମାଣୟା ।
ବିଦ୍ୟାଧରାଧିପତ୍ୟଂ ସ ଲେଭେଽପ୍ରତିହତଂ ନୃପ ॥ ୨୮॥
ତଦନନ୍ତର ସେହି ଅନୁଷ୍ଠାନର ସାତ ରାତି ପରେ ରାଜା ଚିତ୍ରକେତୁଙ୍କୁ
ବିଦ୍ୟାଧରମାନଙ୍କର ଅଖଣ୍ଡ ଆଧିପତ୍ୟ ପ୍ରାପ୍ତ ହେଲା |
ତତଃ କତିପୟାହୋଭିର୍ୱିଦ୍ୟଯେଦ୍ଧମନୋଗତିଃ ।
ଜଗାମ ଦେବଦେବସ୍ୟ ଶେଷସ୍ୟ ଚରଣାନ୍ତିକମ୍ ॥ ୨୯॥
ଏହାର ଅଳ୍ପ କିଛି ଦିନ ପରେ ସେହି ବିଦ୍ୟା ପ୍ରଭାବରେ ତାଙ୍କର ମନ
ଆହୁରି ଶୁଦ୍ଧ ହୋଇଗଲା | ଏବେ ସେ ଦେବାଧିଦେବ ଭଗବାନ ଶେଷଦେବଙ୍କର ଚରଣ ସମୀପରେ ପହଞ୍ଚି ଗଲେ |
ମୃଣାଲଗୌରଂ ଶିତିବାସସଂ ସ୍ଫୁର-
ତ୍କିରୀଟକେୟୂରକଟିତ୍ରକଙ୍କଣମ୍ ।
ପ୍ରସନ୍ନବକ୍ତ୍ରାରୁଣଲୋଚନଂ ବୃତଂ
ଦଦର୍ଶ ସିଦ୍ଧେଶ୍ୱରମଣ୍ଡଲୈଃ ପ୍ରଭୁମ୍ ॥ ୩୦॥
ସେ ଦେଖିଲେ ଭଗବାନ ଶେଷଦେବ ସିଦ୍ଧେଶ୍ବରମାନଙ୍କର ମଣ୍ଡଳୀରେ
ବିରାଜମାନ କରିଛନ୍ତି | ତାଙ୍କର ଶରୀର କମଳନାଳ ସଦୃଶ ଗୌରବର୍ଣ୍ଣ ଅଟେ | ତା’ ଉପରେ ନୀଳ ରଙ୍ଗର ବସ୍ତ୍ର ଲହରୀ ଖେଳୁଛି | ମସ୍ତକରେ ମୁକୁଟ, ବାହୁରେ ବାଜୂବନ୍ଦ, କଟିରେ କିଂକିଣୀ
ଏବଂ ହସ୍ତରେ କଂକଣ ଆଦି ଆଭୂଷଣ ଚମକିବାରେ ଲାଗିଛି | ନେତ୍ରରେ ଅରୁଣିମା ଏବଂ ମୁଖରେ ପ୍ରସନ୍ନତା
ଝଲସି ଉଠୁଛି |
ତଦ୍ଦର୍ଶନଧ୍ୱସ୍ତସମସ୍ତକିଲ୍ବିଷଃ
ସ୍ୱସ୍ଥାମଲାନ୍ତଃକରଣୋଽଭ୍ୟଯାନ୍ମୁନିଃ ।
ପ୍ରବୃଦ୍ଧଭକ୍ତ୍ୟା ପ୍ରଣୟାଶ୍ରୁଲୋଚନଃ
ପ୍ରହୃଷ୍ଟରୋମାଽଽନମଦାଦିପୂରୁଷମ୍ ॥ ୩୧॥
ଭଗବାନ ଶେଷଦେବଙ୍କର ଦର୍ଶନ ମାତ୍ରେ ରାଜର୍ଷି ଚିତ୍ରକେତୁଙ୍କର ସମସ୍ତ
ପାପ ନଷ୍ଟ ହୋଇଗଲା | ତାଙ୍କର ଅନ୍ତଃକରଣ ସ୍ବଚ୍ଛ ଏବଂ ନିର୍ମଳ ହୋଇଗଲା | ହୃଦୟରେ ଭକ୍ତିଭାବର
ବନ୍ୟା ସୃଷ୍ଟି ହେଲା | ନେତ୍ରରେ ପ୍ରେମାଶ୍ରୁ ଉଦବେଳିତ ହେଲା | ଶରୀରର ରୋମମୂଳ ଟାଙ୍କୁରି
ଉଠିଲା | ସେହି ସ୍ଥିତିରେ ହିଁ ସେ ଆଦିପୁରୁଷ ଭଗବାନ ଶେଷଦେବଙ୍କୁ ନମସ୍କାର କଲେ |
ସ ଉତ୍ତମଶ୍ଲୋକପଦାବ୍ଜବିଷ୍ଟରଂ
ପ୍ରେମାଶ୍ରୁଲେଶୈରୁପମେହୟନ୍ ମୁହୁଃ ।
ପ୍ରେମୋପରୁଦ୍ଧାଖିଲବର୍ଣନିର୍ଗମୋ
ନୈବାଶକତ୍ତଂ ପ୍ରସମୀଡିତୁଂ ଚିରମ୍ ॥ ୩୨॥
ତାଙ୍କ ନେତ୍ରରୁ ଠପ ଠପ ହୋଇ ପ୍ରେମାଶ୍ରୁ ଝରିବାରେ ଲାଗିଥାଏ, ଯାହା
ଭଗବାନ ଶେଷଙ୍କର ଚରଣ-ଚୌକିକୁ ସିକ୍ତ କରୁଥାଏ | ପ୍ରେମୋଦ୍ରେକ ଯୋଗୁଁ ତାଙ୍କ ମୁଖରୁ ଗୋଟିଏ ବି
ଅକ୍ଷର ନିସୃତ ହେଲା ନାହିଁ; ସେଥିପାଇଁ ବହୁତ
ସମୟ ଯାଏଁ ସେ ଶେଷଭଗବାନଙ୍କର କୌଣସି ସ୍ତୁତି କରିପାରିଲେ ନାହିଁ |
ତତଃ ସମାଧାୟ ମନୋ ମନୀଷୟା
ବଭାଷ ଏତତ୍ପ୍ରତିଲବ୍ଧବାଗସୌ ।
ନିୟମ୍ୟ ସର୍ୱେନ୍ଦ୍ରିୟବାହ୍ୟବର୍ତନଂ
ଜଗଦ୍ଗୁରୁଂ ସାତ୍ୱତଶାସ୍ତ୍ରବିଗ୍ରହମ୍ ॥ ୩୩॥
କିଛି ସମୟ ପରେ ତାଙ୍କୁ କହିବା ପାଇଁ ଅଳ୍ପ ଅଳ୍ପ ଶକ୍ତି ପ୍ରାପ୍ତ
ହେଲା | ସେ ବିବେକବୁଦ୍ଧିରେ ନିଜ ମନକୁ ସମାହିତ କଲେ ଏବଂ ଇନ୍ଦ୍ରିୟମାନଙ୍କର ବାହ୍ୟବୃତ୍ତିକୁ
ସମ୍ପୂର୍ଣ୍ଣ ଭାବରେ ନିରୋଧ କଲେ | ତାପରେ ତାଙ୍କ ସ୍ବରୂପର ବର୍ଣ୍ଣନ ପାଞ୍ଚରାତ୍ର ଆଦି
ଭକ୍ତିଶାସ୍ତ୍ରମାନଙ୍କରେ ଯେପରି ଭାବରେ କରାଯାଇଛି, ଠିକ୍ ସେହିପରି
ଭାବରେ ସେହି ଜଗଦଗୁରୁଙ୍କର ସ୍ତୁତି କଲେ |
ଚିତ୍ରକେତୁରୁବାଚ
ଅଜିତ ଜିତଃ ସମମତିଭିଃ ସାଧୁଭି-
ର୍ଭବାନ୍ ଜିତାତ୍ମଭିର୍ଭବତା ।
ବିଜିତାସ୍ତେଽପି ଚ ଭଜତାମକାମାତ୍ମନାଂ
ଯ ଆତ୍ମଦୋଽତିକରୁଣଃ ॥ ୩୪॥
ଚିତ୍ରକେତୁ କହିଲେ – ହେ ଅଜିତ ! ଜିତେନ୍ଦ୍ରିୟ ଏବଂ ସମଦର୍ଶୀ
ସାଧୁମାନେ ଆପଣଙ୍କୁ ପରାଜିତ କରି ପାରିଛନ୍ତି | ଆପଣ ମଧ୍ୟ ନିଜର ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଏବଂ
କାରୁଣ୍ୟ ଆଦି ଗୁଣରେ ସେମାନଙ୍କୁ ନିଜର ବଶୀଭୂତ କରି ନେଇଛନ୍ତି | ଆପଣ ଧନ୍ୟ ଅଟନ୍ତି | କାରଣ
ଯେଉଁମାନେ ନିଷ୍କାମଭାବରେ ଆପଣଙ୍କର ଭଜନ କରନ୍ତି, ଆପଣ କରୁଣାପରବଶ
ହୋଇ ନିଜକୁ ହିଁ ସେମାନଙ୍କଠାରେ ଅର୍ପଣ କରିଦିଅନ୍ତି |
ତବ ବିଭବଃ ଖଲୁ ଭଗବନ୍
ଜଗଦୁଦୟସ୍ଥିତିଲୟାଦୀନି ।
ବିଶ୍ୱସୃଜସ୍ତେଂଽଶାଂଶାସ୍ତତ୍ର
ମୃଷା ସ୍ପର୍ଧନ୍ତେ ପୃଥଗଭିମତ୍ୟା ॥ ୩୫॥
ଭଗବନ୍ ! ଜଗତର ଉତ୍ପତ୍ତି, ସ୍ଥିତି, ପ୍ରଳୟ ଆପଣଙ୍କର ଲୀଳା-ବିଳାସ ଅଟେ | ବିଶ୍ବନିର୍ମାତା ବ୍ରହ୍ମା ଆଦି
ଆପଣଙ୍କ ଅଂଶର ଅଂଶ ଅଟନ୍ତି | ତଥାପି ସେମାନେ ପୃଥକ୍ ରୂପେ ନିଜକୁ ଜଗତକର୍ତ୍ତା ମନେକରି ମିଛରେ
ପରସ୍ପର ମଧ୍ୟରେ ସ୍ପର୍ଧା କରୁଥାଆନ୍ତି |
ପରମାଣୁପରମମହତୋସ୍ତ୍ୱ-
ମାଦ୍ୟନ୍ତାନ୍ତରବର୍ତୀ ତ୍ରୟବିଧୁରଃ ।
ଆଦାବନ୍ତେଽପି ଚ ସତ୍ତ୍ୱାନାଂ
ଯଦ୍ଧ୍ରୁବଂ ତଦେବାନ୍ତରାଲେଽପି ॥ ୩୬॥
କ୍ଷୁଦ୍ରତମ ପରମାଣୁଠାରୁ ଆରମ୍ଭ କରି ବୃହତ୍ତମ ମହତ୍ତତ୍ତ୍ବ
ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବସ୍ତୁର ଆଦି, ଅନ୍ତ ଏବଂ ମଧ୍ୟରେ
ଆପଣ ହିଁ ବିରାଜମାନ, ଅଥଚ ସ୍ବୟଂ ଆପଣ ଆଦି, ଅନ୍ତ ଓ ମଧ୍ୟ
ରହିତ ଅଟନ୍ତି | କାରଣ କୌଣସି ପଦାର୍ଥର ଆଦି ଏବଂ ଅନ୍ତରେ ଯେଉଁ ବସ୍ତୁ ରହିଥାଏ, ତାହା ମଧ୍ୟରେ ବି ରହିଥାଏ |
କ୍ଷିତ୍ୟାଦିଭିରେଷ କିଲାବୃତଃ
ସପ୍ତଭିର୍ଦଶଗୁଣୋତ୍ତରୈରଣ୍ଡକୋଶଃ ।
ଯତ୍ର ପତତ୍ୟଣୁକଲ୍ପଃ
ସହାଣ୍ଡକୋଟିକୋଟିଭିସ୍ତଦନନ୍ତଃ ॥ ୩୭॥
ଏହି ବ୍ରହ୍ମାଣ୍ଡକୋଷ, ଯାହା ପୃଥିବୀ ଆଦି ଏକରୁ ଏକ ଦଶଗୁଣ ବଡ ସପ୍ତ
ଆପରଣରେ ପରିବେଷ୍ଟିତ ଅଟେ, ନିଜ ପରି କୋଟି
କୋଟି ବ୍ରହ୍ମାଣ୍ଡ ସହିତ ଆପଣଙ୍କ ମଧ୍ୟରେ ଏକ ପରମାଣୁ ତୁଲ୍ୟ ଘୂରି ବୁଲୁଥାଆନ୍ତି; ତଥାପି
ସେମାନେ ଆପଣଙ୍କର ସୀମାକୁ ଜାଣିପାରନ୍ତି ନାହିଁ | ଆପଣ ଅନନ୍ତ ଅଟନ୍ତି |
ବିଷୟତୃଷୋ ନରପଶବୋ
ଯ ଉପାସତେ ବିଭୂତୀର୍ନ ପରଂ ତ୍ୱାମ୍ ।
ତେଷାମାଶିଷ ଈଶ ତଦନୁ
ବିନଶ୍ୟନ୍ତି ଯଥା ରାଜକୁଲମ୍ ॥ ୩୮॥
ଯେଉଁ ନରପଶୁ କେବଳ ବିଷୟଭୋଗ ହିଁ ଇଚ୍ଛା କରନ୍ତି, ସେମାନେ ଆପଣଙ୍କର ଭଜନ ନ କରି ଆପଣଙ୍କର ବିଭୂତିସ୍ବରୂପ ଇନ୍ଦ୍ରାଦି
ଦେବତାମାନଙ୍କର ଉପାସନା କରନ୍ତି | ପ୍ରଭୁ ! ରାଜକୁଳ ନାଶ ହେବା ସହିତ ତାଙ୍କର ଅନୁଯାୟୀମାନଙ୍କର
ଜୀବିକା ଚାଲିଯିବା ପରି, କ୍ଷୁଦ୍ର ଉପାସ୍ୟଦେବଙ୍କର ବିନାଶରେ ସେମାନଙ୍କ ଦ୍ବାରା ପ୍ରଦତ୍ତ ଭୋଗ
ମଧ୍ୟ ନଷ୍ଟ ହୋଇ ଯାଇଥାଏ |
କାମଧିୟସ୍ତ୍ୱୟି ରଚିତା
ନ ପରମ ରୋହନ୍ତି ଯଥା କରମ୍ଭବୀଜାନି ।
ଜ୍ଞାନାତ୍ମନ୍ୟଗୁଣମୟେ
ଗୁଣଗଣତୋଽସ୍ୟ ଦ୍ୱନ୍ଦ୍ୱଜାଲାନି ॥ ୩୯॥
ପରମାତ୍ମନ୍ ! ଆପଣ ଜ୍ଞାନସ୍ବରୂପ ଏବଂ ନିର୍ଗୁଣ ଅଟନ୍ତି | ସେଥିପାଇଁ
ଆପଣଙ୍କ ପ୍ରତି ଉଦ୍ଦିଷ୍ଟ ସକାମ ଭାବନା ମଧ୍ୟ ଅନ୍ୟାନ୍ୟ କର୍ମ ପରି ଜନ୍ମ-ମୃତ୍ୟୁରୂପ ଫଳ
ପ୍ରଦାନ କରେନାହିଁ, ଯେପରି ଭଜା ବୀଜ ଅଙ୍କୁରିତ ହୁଏ ନାହିଁ | କାରଣ ଜୀବକୁ ଯେଉଁ ସୁଖ-ଦୁଃଖାଦି
ଦ୍ବନ୍ଦ୍ବ ପ୍ରାପ୍ତ ହୋଇଥାଏ, ତାହା ସତ୍ତ୍ଵାଦି
ଗୁଣରୁ ହୋଇଥାଏ, ନିର୍ଗୁଣରୁ ନୁହେଁ |
ଜିତମଜିତ ତଦା ଭବତା
ଯଦାହ ଭାଗବତଂ ଧର୍ମମନବଦ୍ୟମ୍ ।
ନିଷ୍କିଞ୍ଚନା ଯେ ମୁନୟ ଆତ୍ମାରାମା
ଯମୁପାସତେଽପବର୍ଗାୟ ॥ ୪୦॥
ହେ ଅଜିତ ! ବିଶୁଦ୍ଧ ଭାଗବତଧର୍ମର ଉପଦେଶ ଦେଇ ଆପଣ ସମସ୍ତଙ୍କୁ ଜିତି
ନେଲେ | କାରଣ ନିଜ ପାଖରେ ସଂଗ୍ରହ-ପରିଗ୍ରହ ଭାବରେ କିଛି ରଖି ନ ଥିବା, କୌଣସି ବସ୍ତୁରେ ଅହଂତା-ମମତା କରୁ ନ ଥିବା ଆତ୍ମାରାମ ସନକାଦି
ପରମର୍ଷି ମଧ୍ୟ ପରମ ସାମ୍ୟ ଏବଂ ମୋକ୍ଷ ପ୍ରାପ୍ତି ନିମନ୍ତେ ସେହି ଭାଗବତଧର୍ମର ଆଶ୍ରୟ ଗ୍ରହଣ
କରନ୍ତି |
ବିଷମମତିର୍ନ ଯତ୍ର ନୃଣାଂ
ତ୍ୱମହମିତି ମମ ତବେତି ଚ ଯଦନ୍ୟତ୍ର ।
ବିଷମଧିୟା ରଚିତୋ ଯଃ
ସ ହ୍ୟବିଶୁଦ୍ଧଃ କ୍ଷୟିଷ୍ଣୁରଧର୍ମବହୁଲଃ ॥ ୪୧॥
ଏହି ଭାଗବତଧର୍ମ ଏତେ ଶୁଦ୍ଧ ଯେ ସକାମ ଧର୍ମ ପରି ଏଥିରେ ‘ଏହା ମୁଁ
ଅଟେ, ଏହା ମୋର ଅଟେ; ତାହା ତୁ ଅଟୁ, ତାହା ତୋର ଅଟେ’ – ମନୁଷ୍ୟର ଏହି
ବିଷମବୁଦ୍ଧି ରହେନାହିଁ | ଯେଉଁ ଧର୍ମର ମୂଳରେ ହିଁ ବିଷମତାର ବୀଜ ବପନ କରାଯାଇ ଥାଏ, ତାହା ଅଶୁଦ୍ଧ, ନାଶବାନ୍ ଏବଂ
ଅଧର୍ମବହୁଳ ହୋଇଥାଏ |
କଃ କ୍ଷେମୋ ନିଜପରୟୋଃ
କିୟାନର୍ଥଃ ସ୍ୱପରଦ୍ରୁହା ଧର୍ମେଣ ।
ସ୍ୱଦ୍ରୋହାତ୍ତବ କୋପଃ
ପରସମ୍ପୀଡୟା ଚ ତଥାଧର୍ମଃ ॥ ୪୨॥
ସକାମ ଧର୍ମ ନିଜର ଏବଂ ଅନ୍ୟର ଅହିତକାରକ ଅଟେ | ନିଜର ହେଉ ବା ଅନ୍ୟର
ହେଉ, ଏହାଦ୍ବାରା କାହାର ବି ପ୍ରୟୋଜନ ଏବଂ ହିତ ସିଦ୍ଧ ହୋଇ
ନ ଥାଏ | ଅଧିକନ୍ତୁ ସକାମ ଧର୍ମର ଅନୁଷ୍ଠାନ କରିବା ଦ୍ବାରା ଯେତେବେଳେ ଆପଣଙ୍କର ଚିତ୍ତ ଦୁଃଖିତ
ହୋଇଥାଏ, ସେତେବେଳେ ଆପଣ ରୁଷ୍ଟ ହୁଅନ୍ତି ଏବଂ ଯେତେବେଳେ ତଦ୍ବାରା
ଅନ୍ୟର ଚିତ୍ତ ଦୁଃଖିତ ହୋଇଥାଏ, ସେତେବେଳେ ଧର୍ମ ନ
ହୋଇ ତାହା ଅଧର୍ମ ହୋଇଯାଏ |
ନ ବ୍ୟଭିଚରତି ତବେକ୍ଷା ଯୟା
ହ୍ୟଭିହିତୋ ଭାଗବତୋ ଧର୍ମଃ ।
ସ୍ଥିରଚରସତ୍ତ୍ୱକଦମ୍ବେଷ୍ୱପୃଥଗ୍ଧିୟୋ
ଯମୁପାସତେ ତ୍ୱାର୍ୟାଃ ॥ ୪୩॥
ଭଗବନ୍ ! ଆପଣ ଯେଉଁ ଦୃଷ୍ଟି ରଖି ଭାଗବତଧର୍ମର ନିରୂପଣ କରିଛନ୍ତି, ତାହା ପରମାର୍ଥକୁ ନେଇ କେବେ ବିଚଳିତ ହୁଏ ନାହିଁ | ସେଥିପାଇଁ ଯେଉଁ
ସନ୍ତଃଜନ ଚର-ଅଚର ସମସ୍ତ ପ୍ରାଣୀଙ୍କ ପ୍ରତି ସମଦୃଷ୍ଟି ରଖନ୍ତି, କେବଳ ସେମାନେ ହିଁ ଏହାର ସେବନ କରନ୍ତି |
ନ ହି ଭଗବନ୍ନଘଟିତମିଦଂ
ତ୍ୱଦ୍ଦର୍ଶନାନ୍ନୃଣାମଖିଲପାପକ୍ଷୟଃ ।
ଯନ୍ନାମ ସକୃଚ୍ଛ୍ରବଣାତ୍ପୁଲ୍କସକୋଽପି
ବିମୁଚ୍ୟତେ ସଂସାରାତ୍ ॥ ୪୪॥
ଭଗବନ୍ ! ଆପଣଙ୍କର ଦର୍ଶନ ମାତ୍ରେ ମନୁଷ୍ୟର ସମସ୍ତ ପାପ କ୍ଷୀଣ
ହୋଇଯାଏ, ଏହା କିଛି ଅସମ୍ଭବ କଥା ନୁହେଁ; କାରଣ ଆପଣଙ୍କର ନାମ ଥରେମାତ୍ର ଶ୍ରବଣ କରିବା ଦ୍ବାରା ନୀଚ ଚଣ୍ଡାଳ ମଧ୍ୟ ସଂସାରରୁ ମୁକ୍ତ ହୋଇଯାଏ |
ଅଥ ଭଗବନ୍ ବୟମଧୁନା
ତ୍ୱଦବଲୋକପରିମୃଷ୍ଟାଶୟମଲାଃ ।
ସୁରଋଷିଣା ଯଦୁଦିତଂ ତାବକେନ
କଥମନ୍ୟଥା ଭବତି ॥ ୪୫॥
ଭଗବନ୍ ! ଅଧୁନା ଆପଣଙ୍କର ଦର୍ଶନମାତ୍ରେ ମୋ ଅନ୍ତଃକରଣର ସମସ୍ତ
ମଳୀନତା ଧୌତ ହୋଇଯାଇଛି, ଏହା ସତ୍ୟ ଅଟେ |
କାରଣ ଆପଣଙ୍କର ଅନନ୍ୟପ୍ରେମୀ ଭକ୍ତ ଦେବର୍ଷି ନାରଦଙ୍କର କଥନ ମିଥ୍ୟା କିପରି ହେବ ?
ବିଦିତମନନ୍ତ ସମସ୍ତଂ ତବ
ଜଗଦାତ୍ମନୋ ଜନୈରିହାଚରିତମ୍ ।
ବିଜ୍ଞାପ୍ୟଂ ପରମଗୁରୋଃ କିୟଦିବ
ସବିତୁରିବ ଖଦ୍ୟୋତୈଃ ॥ ୪୬॥
ହେ ଅନନ୍ତ ! ଆପଣ ସମ୍ପୂର୍ଣ୍ଣ ଜଗତର ଆତ୍ମା ଅଟନ୍ତି | ଅତଏବ
ସଂସାରରେ ପ୍ରାଣୀମାନେ ଯାହା କିଛି କରନ୍ତି, ତାହା ସବୁ
ଆପଣଙ୍କୁ ଗୋଚର ଅଟେ | ତେଣୁ ଖଦ୍ୟୋତ ସୂର୍ଯ୍ୟଙ୍କୁ ପ୍ରକାଶିତ କରି ନ ପାରିବା ପରି ମୁଁ ଅବା
ଆପଣଙ୍କୁ କ’ଣ ନିବେଦନ କରିବି ?
ନମସ୍ତୁଭ୍ୟଂ ଭଗବତେ ସକଲଜଗ-
ତ୍ସ୍ଥିତିଲୟୋଦୟେଶାୟ ।
ଦୁରବସିତାତ୍ମଗତୟେ
କୁୟୋଗିନାଂ ଭିଦା ପରମହଂସାୟ ॥ ୪୭॥
ଭଗବନ୍ ! ଆପଣଙ୍କ ଅଧ୍ୟକ୍ଷତାରେ ହିଁ ଏହି ସମ୍ପୂର୍ଣ୍ଣ ଜଗତର
ଉତ୍ପତ୍ତି, ସ୍ଥିତି ଏବଂ ପ୍ରଳୟ ହୋଇଥାଏ | କୁଯୋଗୀଜନ ଭେଦଦୃଷ୍ଟି
କାରଣରୁ ଆପଣଙ୍କର ବାସ୍ତବିକ ସ୍ବରୂପକୁ ଜାଣିପାରନ୍ତି ନାହିଁ | ଆପଣଙ୍କର ସ୍ବରୂପ ବାସ୍ତବରେ
ଅତ୍ୟନ୍ତ ଶୁଦ୍ଧ ଅଟେ | ମୁଁ ଆପଣଙ୍କୁ ନମସ୍କାର କରୁଛି |
ଯଂ ବୈ ଶ୍ୱସନ୍ତମନୁ ବିଶ୍ୱସୃଜଃ ଶ୍ୱସନ୍ତି
ଯଂ ଚେକିତାନମନୁ ଚିତ୍ତୟ ଉଚ୍ଚକନ୍ତି ।
ଭୂମଣ୍ଡଲଂ ସର୍ଷପାୟତି ଯସ୍ୟ ମୂର୍ଧ୍ନି
ତସ୍ମୈ ନମୋ ଭଗବତେଽସ୍ତୁ ସହସ୍ରମୂର୍ଧ୍ନେ ॥ ୪୮॥
ଆପଣଙ୍କଠାରୁ ଶକ୍ତି ପ୍ରାପ୍ତ କରି ହିଁ ବ୍ରହ୍ମା ଆଦି ଲୋକପାଳଗଣ ନିଜ
ପ୍ରୟାସରେ ସମର୍ଥ ହୋଇଥାଆନ୍ତି | ଆପଣଙ୍କ ଦୃଷ୍ଟିରେ ଜୀବିତ ହୋଇ ହିଁ ଜ୍ଞାନେନ୍ଦ୍ରିୟମାନେ
ନିଜ-ନିଜର ବିଷୟକୁ ଗ୍ରହଣ କରିବାରେ ସମର୍ଥ ହୋଇଥାଆନ୍ତି | ଏହି ଭୂମଣ୍ଡଳ ଆପଣଙ୍କ ମସ୍ତକ ଉପରେ
ଏକ ସୋରିଷ ଦାନା ପରି ସ୍ଥିତ ଅଟେ | ଆପଣଙ୍କ ସଦୃଶ ସହସ୍ରଶୀର୍ଷ ଭଗବାନଙ୍କୁ ମୁଁ ବାରମ୍ବାର
ନମସ୍କାର କରୁଛି |
ଶ୍ରୀଶୁକ ଉବାଚ
ସଂସ୍ତୁତୋ ଭଗବାନେବମନନ୍ତସ୍ତମଭାଷତ ।
ବିଦ୍ୟାଧରପତିଂ ପ୍ରୀତଶ୍ଚିତ୍ରକେତୁଂ କୁରୂଦ୍ୱହ ॥ ୪୯॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ବିଦ୍ୟାଧରଙ୍କର ଅଧିପତି
ଚିତ୍ରକେତୁ ଯେତେବେଳେ ଏହିପରି ଭାବରେ ଅନନ୍ତଭଗବାନଙ୍କର ସ୍ତୁତି କଲେ, ସେତେବେଳେ ସେ ଅତିଶୟ ପ୍ରସନ୍ନ ହୋଇ ଏହା କହିଲେ -
ଶ୍ରୀଭଗବାନୁବାଚ
ଯନ୍ନାରଦାଙ୍ଗିରୋଭ୍ୟାଂ ତେ ବ୍ୟାହୃତଂ ମେଽନୁଶାସନମ୍ ।
ସଂସିଦ୍ଧୋଽସି ତୟା ରାଜନ୍ ବିଦ୍ୟଯା ଦର୍ଶନାଚ୍ଚ ମେ ॥ ୫୦॥
ଶ୍ରୀଭଗବାନ କହିଲେ – ହେ ଚିତ୍ରକେତୁ ! ଦେବର୍ଷି ନାରଦ ଏବଂ ମହର୍ଷି
ଅଙ୍ଗିରା ତୁମକୁ ଯେଉଁ ବିଦ୍ୟାର ଉପଦେଶ ଦେଲେ, ତଦ୍ବାରା ଏବଂ ମୋର ଦର୍ଶନ ଲାଭ କରି ତୁମେ
ପୂର୍ଣ୍ଣତଃ ସିଦ୍ଧ ହୋଇଯାଇଛ |
ଅହଂ ବୈ ସର୍ୱଭୂତାନି ଭୂତାତ୍ମା ଭୂତଭାବନଃ ।
ଶବ୍ଦବ୍ରହ୍ମ ପରଂ ବ୍ରହ୍ମ ମମୋଭେ ଶାଶ୍ୱତୀ ତନୂ ॥ ୫୧॥
ସମସ୍ତ ପ୍ରାଣୀ ରୂପରେ ମୁଁ ହିଁ ରହିଛି, ମୁଁ ହିଁ ସେମାନଙ୍କର ଆତ୍ମା, ସେମାନଙ୍କର ପାଳନକର୍ତ୍ତା ମଧ୍ୟ ମୁଁ ହିଁ ଅଟେ | ଶବ୍ଦବ୍ରହ୍ମ
(ବେଦ) ଏବଂ ପରବ୍ରହ୍ମ ଉଭୟ ମୋର ହିଁ ସନାତନ ରୂପ ଅଟନ୍ତି |
ଲୋକେ ବିତତମାତ୍ମାନଂ ଲୋକଂ ଚାତ୍ମନି ସନ୍ତତମ୍ ।
ଉଭୟଂ ଚ ମୟା ବ୍ୟାପ୍ତଂ ମୟି ଚୈବୋଭୟଂ କୃତମ୍ ॥ ୫୨॥
ଆତ୍ମା କାର୍ଯ୍ୟ-କାରଣାତ୍ମକ ଜଗତରେ ବ୍ୟାପ୍ତ ଅଟେ ଏବଂ
କାର୍ଯ୍ୟ-କାରଣାତ୍ମକ ଜଗତ ଆତ୍ମାରେ ସ୍ଥିତ ଅଟେ ତଥା ଏହି ଦୁହିଁଙ୍କରେ ଅଧିଷ୍ଠାନରୂପରେ ମୁଁ
ବ୍ୟାପ୍ତ ଅଟେ ଏବଂ ଏ ଦୁହେଁ ମୋଠାରେ କଳ୍ପିତ ଅଟନ୍ତି |
ଯଥା ସୁଷୁପ୍ତଃ ପୁରୁଷୋ ବିଶ୍ୱଂ ପଶ୍ୟତି ଚାତ୍ମନି ।
ଆତ୍ମାନମେକଦେଶସ୍ଥଂ ମନ୍ୟତେ ସ୍ୱପ୍ନ ଉତ୍ଥିତଃ ॥ ୫୩॥
ଏବଂ ଜାଗରଣାଦୀନି ଜୀବସ୍ଥାନାନି ଚାତ୍ମନଃ ।
ମାୟାମାତ୍ରାଣି ବିଜ୍ଞାୟ ତଦ୍ଦ୍ରଷ୍ଟାରଂ ପରଂ ସ୍ମରେତ୍ ॥ ୫୪॥
ସ୍ବପ୍ନାବସ୍ଥାରେ ପୁରୁଷ ଯେପରି ସମ୍ପୂର୍ଣ୍ଣ ଜଗତକୁ ନିଜଠାରେ
ଦେଖିଥାଏ ଏବଂ ସ୍ବପ୍ନ ଭାଙ୍ଗିଯିବା ପରେ ସେହି ସ୍ବପ୍ନରେ ହିଁ ଜାଗ୍ରତ ହୋଇ ନିଜକୁ ସଂସାରର
ଗୋଟିଏ କୋଣରେ ସ୍ଥିତ ଦେଖିଥାଏ, କିନ୍ତୁ ତାହା ମଧ୍ୟ ସ୍ବପ୍ନ ହିଁ ଅଟେ, ସେହିପରି ଜୀବର ଜାଗ୍ରତ ଆଦି ସମସ୍ତ ଅବସ୍ଥା ପରମେଶ୍ବରଙ୍କର ହିଁ
ମାୟା ଅଟେ – ଏହା ହୃଦୟଙ୍ଗମ କରି ସମସ୍ତଙ୍କର ସାକ୍ଷୀ ସେହି ମାୟାତୀତ ପରମାତ୍ମାଙ୍କର ହିଁ
ସ୍ମରଣ କରିବା ଆବଶ୍ୟକ |
ଯେନ ପ୍ରସୁପ୍ତଃ ପୁରୁଷଃ ସ୍ୱାପଂ ବେଦାତ୍ମନସ୍ତଦା ।
ସୁଖଂ ଚ ନିର୍ଗୁଣଂ ବ୍ରହ୍ମ ତମାତ୍ମାନମବେହି ମାମ୍ ॥ ୫୫॥
ଶୋଇଥିବା ପୁରୁଷ ଯାହା ସହାୟତାରେ ନିଦ୍ରା ଏବଂ ସେଥିରୁ ମିଳୁଥିବା
ଅତୀନ୍ଦ୍ରିୟ ସୁଖର ଅନୁଭବ କରିଥାଏ, ସେହି ବ୍ରହ୍ମ ମୁଁ
ହିଁ ଅଟେ; ତାହାକୁ ତୁମେ ନିଜର ଆତ୍ମା ମନେକର |
ଉଭୟଂ ସ୍ମରତଃ ପୁଂସଃ ପ୍ରସ୍ୱାପପ୍ରତିବୋଧୟୋଃ ।
ଅନ୍ୱେତି ବ୍ୟତିରିଚ୍ୟେତ ତଜ୍ଜ୍ଞାନଂ ବ୍ରହ୍ମ ତତ୍ପରମ୍ ॥ ୫୬॥
ନିଦ୍ରା ଏବଂ ଜାଗୃତି – ଉଭୟ ଅବସ୍ଥାର ଅନୁଭବକର୍ତ୍ତା ପୁରୁଷ ଅଟେ |
ସେହି ସବୁ ଅବସ୍ଥାର ଅନୁଗତ ହୋଇ ମଧ୍ୟ ପୁରୁଷ ସେମାନଙ୍କଠାରୁ ପୃଥକ୍ ଅଟେ | ସେହି ସବୁ
ଅବସ୍ଥାରେ ରହିଥିବା ଅଖଣ୍ଡ ଏକରସ ଜ୍ଞାନ ହିଁ ବ୍ରହ୍ମ ଅଟେ, ସେ ହିଁ ପରବ୍ରହ୍ମ
ଅଟେ |
ଯଦେତଦ୍ୱିସ୍ମୃତଂ ପୁଂସୋ ମଦ୍ଭାବଂ ଭିନ୍ନମାତ୍ମନଃ ।
ତତଃ ସଂସାର ଏତସ୍ୟ ଦେହାଦ୍ଦେହୋ ମୃତେର୍ମୃତିଃ ॥ ୫୭॥
ଜୀବ ଯେତେବେଳେ ମୋର ସ୍ଵରୂପକୁ ଭୂଲିଯାଏ, ସେତେବେଳେ ସେ ନିଜକୁ ମୋଠାରୁ ପୃଥକ୍ ମାନି ବସେ; ଯଦ୍ବାରା ସଂସାର ଚକ୍ରରେ ପଡି ତାକୁ ଜନ୍ମ-ପରେ-ଜନ୍ମ ଏବଂ
ମୃତ୍ୟୁ-ପରେ-ମୃତ୍ୟୁ ପ୍ରାପ୍ତ ହୋଇଥାଏ |
ଲବ୍ଧ୍ୱେହ ମାନୁଷୀଂ ଯୋନିଂ ଜ୍ଞାନବିଜ୍ଞାନସମ୍ଭବାମ୍ ।
ଆତ୍ମାନଂ ଯୋ ନ ବୁଦ୍ଧ୍ୟେତ ନ କ୍ୱଚିତ୍କ୍ଷେମମାପ୍ନୁୟାତ୍ ॥ ୫୮॥
ଏହି ମନୁଷ୍ୟଯୋନି ଜ୍ଞାନ ଏବଂ ବିଜ୍ଞାନର ମୂଳ ସ୍ରୋତ ଅଟେ | ଏହାକୁ
ପ୍ରାପ୍ତ କରି ଯିଏ ନିଜର ଆତ୍ମସ୍ବରୂପ ପରମାତ୍ମାଙ୍କୁ ଜାଣି ନ ପାରେ, ତାହାକୁ ଅନ୍ୟ କୌଣସି ଯୋନିରେ କେବେ ବି ଶାନ୍ତି ମିଳି ନ ଥାଏ |
ସ୍ମୃତ୍ୱେହାୟାଂ ପରିକ୍ଲେଶଂ ତତଃ ଫଲବିପର୍ୟଯମ୍ ।
ଅଭୟଂ ଚାପ୍ୟନୀହାୟାଂ ସଙ୍କଲ୍ପାଦ୍ୱିରମେତ୍କବିଃ ॥ ୫୯॥
ରାଜନ୍ ! ସାଂସାରିକ ସୁଖ ପ୍ରାପ୍ତି ନିମନ୍ତେ ଯେଉଁ ପ୍ରୟାସ କରାଯାଏ, ସେଥିରେ ଶ୍ରମ ରହିଛି, କ୍ଲେଶ ରହିଛି ଏବଂ
ଯେଉଁ ପରମ ସୁଖ ଉଦ୍ଦେଶ୍ୟରେ ତାହା କରାଯାଇ ଥାଏ, ତାହାର ବିପରୀତ
ତାହା ପରମ ଦୁଃଖ ଦେଇଥାଏ; ଅଥଚ କର୍ମରୁ ନିବୃତ୍ତ ହୋଇଗଲେ କୌଣସି ପ୍ରକାରର ଭୟ ଏବଂ ଦୁଃଖ
ରହେନାହିଁ – ଏପରି ବିଚାର କରି ବୁଦ୍ଧିମାନ ପୁରୁଷ କୌଣସି ପ୍ରକାରର କର୍ମ ଅଥବା ତା’ର ଫଳର ସଂକଳ୍ପ କରିବା ଉଚିତ୍ ନୁହେଁ |
ସୁଖାୟ ଦୁଃଖମୋକ୍ଷାୟ କୁର୍ୱାତେ ଦମ୍ପତୀ କ୍ରିୟାଃ ।
ତତୋଽନିବୃତ୍ତିରପ୍ରାପ୍ତିର୍ଦୁଃଖସ୍ୟ ଚ ସୁଖସ୍ୟ ଚ ॥ ୬୦॥
ସଂସାରର ସବୁ ସ୍ତ୍ରୀ-ପୁରୁଷ ଏଥିପାଇଁ କର୍ମ କରନ୍ତି ଯେ ତଦ୍ବାରା
ସେମାନଙ୍କୁ ସୁଖ ମିଳିବ ଏବଂ ଦୁଃଖରୁ ସେମାନଙ୍କୁ ମୁକ୍ତି ମିଳିଯିବ; କିନ୍ତୁ ସେହି ସବୁ କର୍ମ
ଦ୍ବାରା ସେମାନଙ୍କର ଦୁଃଖ ଦୂର ହୋଇ ନ ଥାଏ କି ସେମାନଙ୍କୁ ସୁଖର ପ୍ରାପ୍ତି ହୋଇ ନ ଥାଏ |
ଏବଂ ବିପର୍ୟଯଂ ବୁଦ୍ଧ୍ୱା ନୃଣାଂ ବିଜ୍ଞାଭିମାନିନାମ୍ ।
ଆତ୍ମନଶ୍ଚ ଗତିଂ ସୂକ୍ଷ୍ମାଂ ସ୍ଥାନତ୍ରୟବିଲକ୍ଷଣାମ୍ ॥ ୬୧॥
ଯେଉଁ ମନୁଷ୍ୟ ନିଜକୁ ବହୁତ ବୁଦ୍ଧିମାନ ମନେକରି କର୍ମ ପ୍ରପଞ୍ଚରେ
ପଡିଥାଆନ୍ତି, ସେମାନଙ୍କୁ ବିପରୀତ ଫଳ ମିଳିଥାଏ – ଏହା ଜାଣିନେବା
ଉଚିତ୍; ତା’ ସହିତ ଏହା ମଧ୍ୟ
ଜାଣିବା ଆବଶ୍ୟକ ଯେ ଆତ୍ମାର ସ୍ବରୂପ ଅତ୍ୟନ୍ତ ସୂକ୍ଷ୍ମ ଅଟେ ଏବଂ ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି – ଏହି
ତିନି ଅବସ୍ଥା ତଥା ଏମାନଙ୍କର ଅଭିମାନୀମାନଙ୍କଠାରୁ ଏହା ବିଲକ୍ଷଣ ଅଟେ |
ଦୃଷ୍ଟଶ୍ରୁତାଭିର୍ମାତ୍ରାଭିର୍ନିର୍ମୁକ୍ତଃ ସ୍ୱେନ ତେଜସା ।
ଜ୍ଞାନବିଜ୍ଞାନସନ୍ତୁଷ୍ଟୋ ମଦ୍ଭକ୍ତଃ ପୁରୁଷୋ ଭବେତ୍ ॥ ୬୨॥
ଏହା ଜାଣି ଇହଲୋକରେ ଦେଖୁଥିବା ଏବଂ ପରଲୋକରେ ଶୁଣିବାକୁ ମିଳୁଥିବା
ବିଷୟ-ଭୋଗରୁ ବିବେକବୁଦ୍ଧି ଦ୍ବାରା ନିଜକୁ
ମୁକ୍ତ ରଖ ଏବଂ ଜ୍ଞାନ ତଥା ବିଜ୍ଞାନରେ ହିଁ ସନ୍ତୁଷ୍ଟ ରହି ମୋର ଭକ୍ତ ହୋଇଯାଅ |
ଏତାବାନେବ ମନୁଜୈର୍ୟୋଗନୈପୁଣ୍ୟବୁଦ୍ଧିଭିଃ ।
ସ୍ୱାର୍ଥଃ ସର୍ୱାତ୍ମନା ଜ୍ଞେୟୋ ଯତ୍ପରାତ୍ମୈକଦର୍ଶନମ୍ ॥ ୬୩॥
ଯେଉଁମାନେ ଯୋଗମାର୍ଗର ତତ୍ତ୍ବ ବୁଝିବାରେ ନିପୁଣ ଅଟନ୍ତି, ସେମାନେ ଏହା ଭଲଭାବରେ ଜାଣିନେବା ଆବଶ୍ୟକ ଯେ ଜୀବର ସର୍ବୋଚ୍ଚ
ସ୍ବାର୍ଥ ଏବଂ ପରମାର୍ଥ କେବଳ ଏତିକି ଯେ ସେ ବ୍ରହ୍ମ ଏବଂ ଆତ୍ମାର ଏକତାକୁ ଅନୁଭବ କରିପାରିବ |
ତ୍ୱମେତଚ୍ଛ୍ରଦ୍ଧୟା ରାଜନ୍ନପ୍ରମତ୍ତୋ ବଚୋ ମମ ।
ଜ୍ଞାନବିଜ୍ଞାନସମ୍ପନ୍ନୋ ଧାରୟନ୍ନାଶୁ ସିଧ୍ୟସି ॥ ୬୪॥
ରାଜନ୍ ! ତୁମେ ଯଦି ମୋର ଏହି ଉପଦେଶକୁ ସାବଧାନପୂର୍ବକ
ଶ୍ରଦ୍ଧାଭାବରେ ଧାରଣ କରିବ, ତେବେ ଜ୍ଞାନ-ବିଜ୍ଞାନ ସମ୍ପନ୍ନ ହୋଇ ତୁମେ ଶୀଘ୍ର ହିଁ ସିଦ୍ଧ
ହୋଇଯିବ |
ଶ୍ରୀଶୁକ ଉବାଚ
ଆଶ୍ୱାସ୍ୟ ଭଗବାନିତ୍ଥଂ ଚିତ୍ରକେତୁଂ ଜଗଦ୍ଗୁରୁଃ ।
ପଶ୍ୟତସ୍ତସ୍ୟ ବିଶ୍ୱାତ୍ମା ତତଶ୍ଚାନ୍ତର୍ଦଧେ ହରିଃ ॥ ୬୫॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଜଗଦଗୁରୁ ବିଶ୍ବାତ୍ମା ଭଗବାନ
ଶ୍ରୀହରି ଏହିପରି ଭାବରେ ଚିତ୍ରକେତୁଙ୍କୁ ବୁଝାଇ-ସୁଝାଇ ତାଙ୍କ ସମ୍ମୁଖରେ ହିଁ ସେଠାରୁ
ଅନ୍ତର୍ଧ୍ୟାନ ହୋଇଗଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୋଃ ପରମାତ୍ମଦର୍ଶନଂ
ନାମ ଷୋଡଶୋଽଧ୍ୟାୟଃ ॥ ୧୬॥

Comments
Post a Comment