ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ  

ସପ୍ତଦଶ ଅଧ୍ୟାୟ

ଚିତ୍ରକେତୁଙ୍କୁ ଦେବୀ ପାର୍ବତୀଙ୍କର ଶାପ

 

ଶ୍ରୀଶୁକ ଉବାଚ

ଯତଶ୍ଚାନ୍ତର୍ହିତୋଽନନ୍ତସ୍ତସ୍ୟୈ କୃତ୍ୱା ଦିଶେ ନମଃ ।

ବିଦ୍ୟାଧରଶ୍ଚିତ୍ରକେତୁଶ୍ଚଚାର ଗଗନେଚରଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଯେଉଁ ଦିଶାରେ ଭଗବାନ ସଂକର୍ଷଣ ଅନ୍ତର୍ଧ୍ୟାନ ହୋଇଥିଲେ, ବିଦ୍ୟାଧର ଚିତ୍ରକେତୁ ସେହି ଦିଶାରେ ନମସ୍କାର କରି ଆକାଶମାର୍ଗରେ ସ୍ବଚ୍ଛନ୍ଦ ବିଚରଣ କରିବାରେ ଲାଗିଲେ |

ସ ଲକ୍ଷଂ ବର୍ଷଲକ୍ଷାଣାମବ୍ୟାହତବଲେନ୍ଦ୍ରିୟଃ ।

ସ୍ତୂୟମାନୋ ମହାୟୋଗୀ ମୁନିଭିଃ ସିଦ୍ଧଚାରଣୈଃ ॥ ୨॥

କୁଲାଚଲେନ୍ଦ୍ରଦ୍ରୋଣୀଷୁ ନାନାସଙ୍କଲ୍ପସିଦ୍ଧିଷୁ ।

ରେମେ ବିଦ୍ୟାଧରସ୍ତ୍ରୀଭିର୍ଗାପୟନ୍ ହରିମୀଶ୍ୱରମ୍ ॥ ୩॥

ମହାଯୋଗୀ ଚିତ୍ରକେତୁ କୋଟି କୋଟି ବର୍ଷ ସବୁ ପ୍ରକାରର ସଂକଳ୍ପ ପୂର୍ଣ୍ଣ କରୁଥିବା ସୁମେରୁ ପର୍ବତର ଘାଟିମାନଙ୍କରେ ବିହାର କରୁଥିଲେ | ତାଙ୍କ ଶରୀରର ବଳ ଏବଂ ଇନ୍ଦ୍ରିୟମାନଙ୍କର ଶକ୍ତି ଅକ୍ଷୁର୍ଣ୍ଣ ରହିଥିଲା | ବଡ ବଡ ମୁନି, ସିଦ୍ଧ, ଚାରଣ ତାଙ୍କର ସ୍ତୁତି କରୁଥିଲେ | ତାଙ୍କ ପ୍ରେରଣାରେ ବିଦ୍ୟାଧରଙ୍କର ପତ୍ନୀମାନେ ତାଙ୍କ ନିକଟରେ ସର୍ବଶକ୍ତିମାନ ଭଗବାନଙ୍କର ଗୁଣ ଏବଂ ଲୀଳା ଗାନ କରୁଥିଲେ |

ଏକଦା ସ ବିମାନେନ ବିଷ୍ଣୁଦତ୍ତେନ ଭାସ୍ୱତା ।

ଗିରିଶଂ ଦଦୃଶେ ଗଚ୍ଛନ୍ ପରୀତଂ ସିଦ୍ଧଚାରଣୈଃ ॥ ୪॥

ଆଲିଙ୍ଗ୍ୟାଙ୍କୀକୃତାଂ ଦେବୀଂ ବାହୁନା ମୁନିସଂସଦି ।

ଉବାଚ ଦେବ୍ୟାଃ ଶୃଣ୍ୱତ୍ୟା ଜହାସୋଚ୍ଚୈସ୍ତଦନ୍ତିକେ ॥ ୫॥

ଦିନେ ଭଗବାନଙ୍କ ଦ୍ବାରା ପ୍ରଦତ୍ତ ବିମାନ ଚଢି କେଉଁଠିକୁ ଯାଉଥିବା ସମୟରେ ଚିତ୍ରକେତୁ ଦେଖିଲେ, ବଡ ବଡ ମୁନିମାନଙ୍କର ସଭାରେ ସିଦ୍ଧ-ଚାରଣଙ୍କ ଗହଣରେ ଭଗବାନ ଶଂକର, ନିଜ କୋଳରେ ଭଗବତୀ ପାର୍ବତୀଙ୍କୁ ଧାରଣ କରି ଏବଂ ଏକ ହସ୍ତରେ ତାଙ୍କର ଆଲିଙ୍ଗନ କରି, ବସିଛନ୍ତି | ଏହା ଦେଖି ଚିତ୍ରକେତୁ ସେହି ବିମାନରେ ବସି ତାଙ୍କ ପାଖକୁ ଚାଲିଗଲେ ଏବଂ ଭଗବତୀ ପାର୍ବତୀଙ୍କୁ ଶୁଣାଇ ଶୁଣାଇ ଉଚ୍ଚ ସ୍ବରରେ ହସି ହସି କହିବାରେ ଲାଗିଲେ -

ଚିତ୍ରକେତୁରୁବାଚ

ଏଷ ଲୋକଗୁରୁଃ ସାକ୍ଷାଦ୍ଧର୍ମଂ ବକ୍ତା ଶରୀରିଣାମ୍ ।

ଆସ୍ତେ ମୁଖ୍ୟଃ ସଭାୟାଂ ବୈ ମିଥୁନୀଭୂୟ ଭାର୍ୟଯା ॥ ୬॥

ଚିତ୍ରକେତୁ କହିଲେ – ହାୟ ! ଇଏ ସମ୍ପୂର୍ଣ୍ଣ ଜଗତର ଧର୍ମଶିକ୍ଷକ ଏବଂ ଗୁରୁଦେବ ଅଟନ୍ତି | ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଇଏ ଶ୍ରେଷ୍ଠ ଅଟନ୍ତି ! ଅଥଚ ଏହାଙ୍କର ଏପରି ଅବସ୍ଥା ଯେ ସଭା ମଧ୍ୟରେ ଇଏ ନିଜ ପତ୍ନୀଙ୍କୁ ଶରୀର-ଲଗ୍ନ କରି ବସିଛନ୍ତି |

ଜଟାଧରସ୍ତୀବ୍ରତପା ବ୍ରହ୍ମବାଦିସଭାପତିଃ ।

ଅଙ୍କୀକୃତ୍ୟ ସ୍ତ୍ରିୟଂ ଚାସ୍ତେ ଗତହ୍ରୀଃ ପ୍ରାକୃତୋ ଯଥା ॥ ୭॥

ଏହି ଜଟାଧାରୀ, ବହୁତ ବଡ ତପସ୍ବୀ ଏବଂ ବ୍ରହ୍ମବାଦୀମାନଙ୍କର ସଭାପତି ହୋଇ ମଧ୍ୟ ସାଧାରଣ ପୁରୁଷ ପରି ଅତ୍ୟନ୍ତ ନିର୍ଲଜ୍ଜ ଭାବରେ ସ୍ତ୍ରୀକୁ କୋଳରେ ଧାରଣ କରି ବସିଛନ୍ତି |

ପ୍ରାୟଶଃ ପ୍ରାକୃତାଶ୍ଚାପି ସ୍ତ୍ରିୟଂ ରହସି ବିଭ୍ରତି ।

ଅୟଂ ମହାବ୍ରତଧରୋ ବିଭର୍ତି ସଦସି ସ୍ତ୍ରିୟମ୍ ॥ ୮॥

ସାଧାରଣ ପୁରୁଷ ମଧ୍ୟ ନିଜ ସ୍ତ୍ରୀ ସହିତ ଏକାନ୍ତରେ ବସା-ଉଠା କରନ୍ତି, ଅଥଚ ଇଏ ଏତେ ବଡ ବ୍ରତଧାରୀ ହୋଇ ମଧ୍ୟ ଭରା ସଭାରେ ତାଙ୍କୁ କୋଳରେ ଧାରଣ କରି ବସିଛନ୍ତି |

ଶ୍ରୀଶୁକ ଉବାଚ

ଭଗବାନପି ତଚ୍ଛ୍ରୁତ୍ୱା ପ୍ରହସ୍ୟାଗାଧଧୀର୍ନୃପ ।

ତୂଷ୍ଣୀଂ ବଭୂବ ସଦସି ସଭ୍ୟାଶ୍ଚ ତଦନୁବ୍ରତାଃ ॥ ୯॥

ଇତ୍ୟତଦ୍ୱୀର୍ୟବିଦୁଷି ବ୍ରୁବାଣେ ବହ୍ୱଶୋଭନମ୍ ।

ରୁଷାଽଽହ ଦେବୀ ଧୃଷ୍ଟାୟ ନିର୍ଜିତାତ୍ମାଭିମାନିନେ ॥ ୧୦॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନ ଶଂକରଙ୍କର ବୁଦ୍ଧି ଅଗାଧ ଅଟେ | ଚିତ୍ରକେତୁଙ୍କର ଏହି କଟାକ୍ଷ ଶୁଣି ସେ କିଛି ନ କହି ଟିକିଏ ହସିଦେଲେ | ସେହି ସଭାରେ ଉପସ୍ଥିତ ତାଙ୍କର ଅନୁଯାୟୀ ସଦସ୍ୟମାନେ ମଧ୍ୟ ଚୁପ୍ ରହିଲେ | ଭଗବାନ ଶଂକରଙ୍କର ପ୍ରଭାବ ବିଷୟରେ ଚିତ୍ରକେତୁଙ୍କୁ କିଛି ଜଣା ନ ଥିଲା | ସେଥିପାଇଁ ସେ ତାଙ୍କୁ ଆକ୍ଷେପ କରି ବହୁତ କିଛି କହିଥିଲେ | ‘ମୁଁ ଜିତେନ୍ଦ୍ରିୟ ଅଟେ – ଏହି ଭାବନାରେ ତାଙ୍କର ଘମଣ୍ଡ ବହୁତ ବେଶୀ ବଢି ଯାଇଥିଲା | କିନ୍ତୁ ତାଙ୍କର ଏହି ଧୃଷ୍ଟତାକୁ ଦେଖି ଦେବୀ ପାର୍ବତୀ କ୍ରୋଧରେ କହିଲେ -

ପାର୍ୱତ୍ୟୁବାଚ

ଅୟଂ କିମଧୁନା ଲୋକେ ଶାସ୍ତା ଦଣ୍ଡଧରଃ ପ୍ରଭୁଃ ।

ଅସ୍ମଦ୍ୱିଧାନାଂ ଦୁଷ୍ଟାନାଂ ନିର୍ଲଜ୍ଜାନାଂ ଚ ବିପ୍ରକୃତ୍ ॥ ୧୧॥

ଦେବୀ ପାର୍ବତୀ କହିଲେ – ହାୟ ! ଏହି ସଂସାରରେ ଆମ୍ଭମାନଙ୍କ ପରି ଦୁଷ୍ଟ ଏବଂ ନିର୍ଲଜ୍ଜମାନଙ୍କୁ ଦଣ୍ଡ ବଳରେ ଶାସନ ଏବଂ ତିରସ୍କାର କରୁଥିବା ପ୍ରଭୁ କଣ ଇଏ ଅଟନ୍ତି କି ?

ନ ବେଦ ଧର୍ମଂ କିଲ ପଦ୍ମୟୋନି-

ର୍ନ ବ୍ରହ୍ମପୁତ୍ରା ଭୃଗୁନାରଦାଦ୍ୟାଃ ।

ନ ବୈ କୁମାରଃ କପିଲୋ ମନୁଶ୍ଚ

ଯେ ନୋ ନିଷେଧନ୍ତ୍ୟତିବର୍ତିନଂ ହରମ୍ ॥ ୧୨॥

ଯାହା ଜଣାପଡୁଛି, ବ୍ରହ୍ମାଜୀ, ଭୃଗୁ, ନାରଦ ଆଦି ତାଙ୍କର ପୁତ୍ର, ସନକାଦି ପରମର୍ଷି, କପିଳଦେବ ଏବଂ ମନୁ ଆଦି ବଡ ବଡ ମହାପୁରୁଷ ଧର୍ମର ରହସ୍ୟକୁ ଜାଣନ୍ତି ନାହିଁ | ସେଥିପାଇଁ ତ ସେମାନେ ଧର୍ମମର୍ଯ୍ୟାଦା ଉଲ୍ଲଂଘନ କରୁଥିବା ଭଗବାନ ଶିବଙ୍କର ଏହି କର୍ମର ପ୍ରତିରୋଧ କରନ୍ତି ନାହିଁ |

ଏଷାମନୁଧ୍ୟେୟପଦାବ୍ଜୟୁଗ୍ମଂ

ଜଗଦ୍ଗୁରୁଂ ମଙ୍ଗଲମଙ୍ଗଲଂ ସ୍ୱୟମ୍ ।

ଯଃ କ୍ଷତ୍ରବନ୍ଧୁଃ ପରିଭୂୟ ସୂରୀନ୍

ପ୍ରଶାସ୍ତି ଧୃଷ୍ଟସ୍ତଦୟଂ ହି ଦଣ୍ଡ୍ୟଃ ॥ ୧୩॥

ବ୍ରହ୍ମା ଆଦି ସମସ୍ତ ମହାପୁରୁଷ ଯାହାର ଚରଣକମଳର ଧ୍ୟାନ କରୁଥାଆନ୍ତି, ସେହି ମଙ୍ଗଳକୁ ମଧ୍ୟ ମଙ୍ଗଳ କରୁଥିବା ସାକ୍ଷାତ୍ ଜଗଦଗୁରୁ ଭଗବାନଙ୍କର ଏବଂ ତାଙ୍କର ଅନୁଯାୟୀ ମହାତ୍ମାମାନଙ୍କର ଏହି ଅଧମ କ୍ଷତ୍ରିୟ ତିରସ୍କାର କରିଛି ଏବଂ ତାଙ୍କୁ ଶାସନ କରିବାକୁ ଚେଷ୍ଟା କରିଛି | ସେଥିପାଇଁ ଏହି ଦମ୍ଭୀ ସର୍ବତୋ ଭାବରେ ଦଣ୍ଡର ପାତ୍ର ଅଟେ |

ନାୟମର୍ହତି ବୈକୁଣ୍ଠପାଦମୂଲୋପସର୍ପଣମ୍ ।

ସମ୍ଭାବିତମତିଃ ସ୍ତବ୍ଧଃ ସାଧୁଭିଃ ପର୍ୟୁପାସିତମ୍ ॥ ୧୪॥

ନିଜ ବଡପଣକୁ ନେଇ ଏହାର ପ୍ରବଳ ଅହଂକାର ରହିଛି | ଭଗବାନ ଶ୍ରୀହରି, ଯାହାର ଉପାସନା ବଡ ବଡ ସତ୍-ପୁରୁଷମାନେ କରନ୍ତି, ଏହି ମୂର୍ଖ ତାଙ୍କ ଚରଣକମଳରେ ରହିବାର ଯୋଗ୍ୟ ନୁହେଁ |

ଅତଃ ପାପୀୟସୀଂ ଯୋନିମାସୁରୀଂ ଯାହି ଦୁର୍ମତେ ।

ଯଥେହ ଭୂୟୋ ମହତାଂ ନ କର୍ତା ପୁତ୍ର କିଲ୍ବିଷମ୍ ॥ ୧୫॥

(ଚିତ୍ରକେତୁଙ୍କୁ ସମ୍ବୋଧନ କରି) ରେ ଦୁର୍ମତି ! ତୁମେ ପାପମୟ ଅସୁରଯୋନିକୁ ଯାଅ | ତାହାହେଲେ ପୁତ୍ର ! ତୁମେ ପୁଣି କେବେ କୌଣସି ମହାପୁରୁଷଙ୍କ ପ୍ରତି ଅପରାଧ କରିବ ନାହିଁ |

ଶ୍ରୀଶୁକ ଉବାଚ

ଏବଂ ଶପ୍ତଶ୍ଚିତ୍ରକେତୁର୍ୱିମାନାଦବରୁହ୍ୟ ସଃ ।

ପ୍ରସାଦୟାମାସ ସତୀଂ ମୂର୍ଧ୍ନା ନମ୍ରେଣ ଭାରତ ॥ ୧୬॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦେବୀ ପାର୍ବତୀ ଯେତେବେଳେ ଚିତ୍ରକେତୁଙ୍କୁ ଏପରି ଶାପ ଦେଲେ, ସେ ବିମାନରୁ ତଳକୁ ଓହ୍ଲାଇ ତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କଲେ |

ଚିତ୍ରକେତୁରୁବାଚ

ପ୍ରତିଗୃହ୍ଣାମି ତେ ଶାପମାତ୍ମନୋଽଞ୍ଜଲିନାମ୍ବିକେ ।

ଦେବୈର୍ମର୍ତ୍ୟାୟ ଯତ୍ପ୍ରୋକ୍ତଂ ପୂର୍ୱଦିଷ୍ଟଂ ହି ତସ୍ୟ ତତ୍ ॥ ୧୭॥

ଚିତ୍ରକେତୁ କହିଲେ – ମାତା ପାର୍ବତୀ ! ମୁଁ ଅତ୍ୟନ୍ତ ପ୍ରସନ୍ନତାରେ ଦୁଇ ହାତ ଯୋଡି ଆପଣଙ୍କର ଶାପକୁ ସ୍ବୀକାର କରୁଛି | କାରଣ ଦେବତାମାନେ ମନୁଷ୍ୟ ଉଦ୍ଦେଶ୍ୟରେ ଯାହା କିଛି କହିଦିଅନ୍ତି, ତାହା ସେମାନଙ୍କର ପ୍ରାରବ୍ଧ ଅନୁସାରେ ମିଳିବାକୁ ଥିବା ଫଳର ପୂର୍ବ ସୂଚନାମାତ୍ର ଅଟେ |

ସଂସାରଚକ୍ର ଏତସ୍ମିଞ୍ଜନ୍ତୁରଜ୍ଞାନମୋହିତଃ ।

ଭ୍ରାମ୍ୟନ୍ ସୁଖଂ ଚ ଦୁଃଖଂ ଚ ଭୁଙ୍କ୍ତେ ସର୍ୱତ୍ର ସର୍ୱଦା ॥ ୧୮॥

ହେ ଦେବୀ ! ଏହି ଜୀବ ଅଜ୍ଞାନରେ ମୋହିତ ହୋଇ ସଂସାର-ଚକ୍ରରେ ଘୂରି ବୁଲୁଥାଏ ତଥା ସଦା-ସର୍ବଦା ସର୍ବତ୍ର ସୁଖ ଏବଂ ଦୁଃଖ ଭୋଗ କରୁଥାଏ |

ନୈବାତ୍ମା ନ ପରଶ୍ଚାପି କର୍ତା ସ୍ୟାତ୍ସୁଖଦୁଃଖୟୋଃ ।

କର୍ତାରଂ ମନ୍ୟତେଽତ୍ରାଜ୍ଞ ଆତ୍ମାନଂ ପରମେବ ଚ ॥ ୧୯॥

ହେ ମାତା ! ସେହି ସୁଖ-ଦୁଃଖର ପ୍ରଦାତା ତାର ନିଜର ଆତ୍ମା ନୁହେଁ ବା ଅନ୍ୟ କେହି ନୁହଁନ୍ତି | ଯେଉଁମାନେ ଅଜ୍ଞାନୀ ଅଟନ୍ତି, ସେମାନେ ହିଁ ନିଜକୁ ଅଥବା ଅନ୍ୟ କାହାକୁ ସୁଖ-ଦୁଃଖର କର୍ତ୍ତା ମନେକରନ୍ତି |

ଗୁଣପ୍ରବାହ ଏତସ୍ମିନ୍ କଃ ଶାପଃ କୋ ନ୍ୱନୁଗ୍ରହଃ ।

କଃ ସ୍ୱର୍ଗୋ ନରକଃ କୋ ବା କିଂ ସୁଖଂ ଦୁଃଖମେବ ବା ॥ ୨୦॥

ଏହି ଜଗତ ସତ୍ତ୍ବ, ରଜ ଆଦି ଗୁଣମାନଙ୍କର ସ୍ବାଭାବିକ ପ୍ରବାହ ଅଟେ | ଏଥିରେ ଶାପ କ, ଅନୁଗ୍ରହ କ; ସ୍ବର୍ଗ କ, ନର୍କ କଣ ଏବଂ ସୁଖ କ, ଦୁଃଖ କଣ ?

ଏକଃ ସୃଜତି ଭୂତାନି ଭଗବାନାତ୍ମମାୟଯା ।

ଏଷାଂ ବନ୍ଧଂ ଚ ମୋକ୍ଷଂ ଚ ସୁଖଂ ଦୁଃଖଂ ଚ ନିଷ୍କଲଃ ॥ ୨୧॥

ଏକମାତ୍ର ପରିପୂର୍ଣ୍ଣତମ ଭଗବାନ ହିଁ ଅନ୍ୟ କାହାର ସହାୟତା ବିନା ନିଜ ଆତ୍ମସ୍ବରୂପିଣୀ ମାୟା ଦ୍ବାରା ସମସ୍ତ ପ୍ରାଣୀଙ୍କର ତଥା ସେମାନଙ୍କର ବନ୍ଧନ, ମୋକ୍ଷ ଏବଂ ସୁଖ-ଦୁଃଖର ରଚନା କରିଥାଆନ୍ତି |

ନ ତସ୍ୟ କଶ୍ଚିଦ୍ଦୟିତଃ ପ୍ରତୀପୋ

ନ ଜ୍ଞାତିବନ୍ଧୁର୍ନ ପରୋ ନ ଚ ସ୍ୱଃ ।

ସମସ୍ୟ ସର୍ୱତ୍ର ନିରଞ୍ଜନସ୍ୟ

ସୁଖେ ନ ରାଗଃ କୁତ ଏବ ରୋଷଃ ॥ ୨୨॥

ହେ ମାତା ! ଭଗବାନ ଶ୍ରୀହରି ସମସ୍ତଙ୍କ ପ୍ରତି ସମଭାବ ଏବଂ ମାୟା-ମଳ ରହିତ ଅଟନ୍ତି | ତାଙ୍କର କେହି ପ୍ରିୟ-ଅପ୍ରିୟ, ଜାତି-ବନ୍ଧୁ, ପର-ଆପଣାର ନୁହଁନ୍ତି | ତାଙ୍କର ଯେହେତୁ ସୁଖରେ ଆସକ୍ତି ନାହିଁ, ଆସକ୍ତିଜନ୍ୟ କ୍ରୋଧ ତାଙ୍କଠାରେ ଆସିବ କିପରି ?

ତଥାପି ତଚ୍ଛକ୍ତିବିସର୍ଗ ଏଷାଂ

ସୁଖାୟ ଦୁଃଖାୟ ହିତାହିତାୟ ।

ବନ୍ଧାୟ ମୋକ୍ଷାୟ ଚ ମୃତ୍ୟୁଜନ୍ମନୋଃ

ଶରୀରିଣାଂ ସଂସୃତୟେବ କଲ୍ପତେ ॥ ୨୩॥

ତଥାପି ତାଙ୍କ ମାୟାଶକ୍ତିର କାର୍ଯ୍ୟ ପାପ ଏବଂ ପୁଣ୍ୟ ହିଁ ପ୍ରାଣୀମାନଙ୍କର ସୁଖ-ଦୁଃଖ, ହିତ-ଅହିତ, ବନ୍ଧ-ମୋକ୍ଷ, ଜନ୍ମ-ମୃତ୍ୟୁ ଏବଂ ଆବାହଗମନର କାରଣ ହୋଇଥାଏ |

ଅଥ ପ୍ରସାଦୟେ ନ ତ୍ୱାଂ ଶାପମୋକ୍ଷାୟ ଭାମିନି ।

ଯନ୍ମନ୍ୟସେ ଅସାଧୂକ୍ତଂ ମମ ତତ୍କ୍ଷମ୍ୟତାଂ ସତି ॥ ୨୪॥

ପତିପ୍ରାଣା ଦେବୀ ! ମୁଁ ଶାପରୁ ମୁକ୍ତ ହେବା ପାଇଁ ଆପଣଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରୁନାହିଁ | ମୁଁ କେବଳ ଏତିକି ଇଚ୍ଛା କରୁଛି ମୋର ଯେଉଁ ବାକ୍ୟ ଆପଣଙ୍କୁ ଅନୁଚିତ ପ୍ରତୀତ ହୋଇଛି, ଆପଣ ସେଥିପାଇଁ ମୋତେ କ୍ଷମା କରନ୍ତୁ |

ଶ୍ରୀଶୁକ ଉବାଚ

ଇତି ପ୍ରସାଦ୍ୟ ଗିରିଶୌ ଚିତ୍ରକେତୁରରିନ୍ଦମ ।

ଜଗାମ ସ୍ୱବିମାନେନ ପଶ୍ୟତୋଃ ସ୍ମୟତୋସ୍ତୟୋଃ ॥ ୨୫॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ବିଦ୍ୟାଧର ଚିତ୍ରକେତୁ ଏହିପରି ଭାବରେ ଭଗବାନ ଶଂକର ଏବଂ ଦେବୀ ପାର୍ବତୀଙ୍କୁ ପ୍ରସନ୍ନ କରାଇ ସେମାନଙ୍କ ସମ୍ମୁଖରେ ହିଁ ବିମାନରେ ଚଢି ସେଠାରୁ ଚାଲିଗଲେ | ଏହା ଦେଖି ସମସ୍ତେ ଅତ୍ୟନ୍ତ ବିସ୍ମିତ ହେଲେ |

ତତସ୍ତୁ ଭଗବାନ୍ ରୁଦ୍ରୋ ରୁଦ୍ରାଣୀମିଦମବ୍ରବୀତ୍ ।

ଦେବର୍ଷିଦୈତ୍ୟସିଦ୍ଧାନାଂ ପାର୍ଷଦାନାଂ ଚ ଶୃଣ୍ୱତାମ୍ ॥ ୨୬॥

ସେତେବେଳେ ଦେବତା, ଋଷି, ଦୈତ୍ୟ, ସିଦ୍ଧ ଏବଂ ପାର୍ଷଦଙ୍କ ସମ୍ମୁଖରେ ହିଁ ଭଗବାନ ଶଂକର ଦେବୀ ପାର୍ବତୀଙ୍କୁ ଏହା କହିଲେ -

ଶ୍ରୀରୁଦ୍ର ଉବାଚ

ଦୃଷ୍ଟବତ୍ୟସି ସୁଶ୍ରୋଣି ହରେରଦ୍ଭୁତକର୍ମଣଃ ।

ମାହାତ୍ମ୍ୟଂ ଭୃତ୍ୟଭୃତ୍ୟାନାଂ ନିଃସ୍ପୃହାଣାଂ ମହାତ୍ମନାମ୍ ॥ ୨୭॥

ଭଗବାନ ଶଂକର କହିଲେ – ସୁନ୍ଦରୀ ! ଦିବ୍ୟଲୀଳାବିହାରୀ ଭଗବାନଙ୍କର ନିଃସ୍ପୃହ ଏବଂ ଉଦାରହୃଦୟ ଦାସାନୁଦାସଙ୍କର ମହିମା ତୁମେ ନିଜ ଆଖିରେ ଦେଖିଲ |

ନାରାୟଣପରାଃ ସର୍ୱେ ନ କୁତଶ୍ଚନ ବିଭ୍ୟତି ।

ସ୍ୱର୍ଗାପବର୍ଗନରକେଷ୍ୱପି ତୁଲ୍ୟାର୍ଥଦର୍ଶିନଃ ॥ ୨୮॥

ଯେଉଁମାନେ ଭଗବାନଙ୍କର ଶରଣାଗତ ଅଟନ୍ତି, ସେମାନେ କାହାକୁ ବି ଡରନ୍ତି ନାହିଁ | କାରଣ ସେମାନଙ୍କୁ ସ୍ବର୍ଗ, ମୋକ୍ଷ ଏବଂ ନର୍କରେ ମଧ୍ୟ ସମାନ ଭାବରେ କେବଳ ଗୋଟିଏ ବସ୍ତୁ ଭଗବାନଙ୍କର ହିଁ ଦର୍ଶନ ହୋଇଥାଏ |

ଦେହିନାଂ ଦେହସଂୟୋଗାଦ୍ଦ୍ୱନ୍ଦ୍ୱାନୀଶ୍ୱରଲୀଲୟା ।

ସୁଖଂ ଦୁଃଖଂ ମୃତିର୍ଜନ୍ମ ଶାପୋଽନୁଗ୍ରହ ଏବ ଚ ॥ ୨୯॥

ଭଗବାନଙ୍କ ଲୀଳା ଅନ୍ତର୍ଗତ ହିଁ ଜୀବକୁ ଦେହର ସଂଯୋଗରେ ସୁଖ-ଦୁଃଖ, ଜନ୍ମ-ମରଣ ଏବଂ ଶାପ-ଅନୁଗ୍ରହ ଆଦି ଦ୍ବନ୍ଦ୍ବ ପ୍ରାପ୍ତ ହୋଇଥାଏ |

ଅବିବେକକୃତଃ ପୁଂସୋ ହ୍ୟର୍ଥଭେଦ ଇବାତ୍ମନି ।

ଗୁଣଦୋଷବିକଲ୍ପଶ୍ଚ ଭିଦେବ ସ୍ରଜିବତ୍କୃତଃ ॥ ୩୦॥

ସ୍ବପ୍ନରେ ଯେପରି ଭେଦ-ଭ୍ରମରେ ସୁଖ-ଦୁଃଖ ଆଦିର ପ୍ରତୀତି ହୋଇଥାଏ ଏବଂ ଜାଗ୍ରତ ଅବସ୍ଥାରେ ଭ୍ରମବଶ ମାଳାରେ ସର୍ପବୁଦ୍ଧି ହୋଇଯାଏ, ସେହିପରି ମନୁଷ୍ୟ ଅଜ୍ଞାନବଶ ଆତ୍ମାରେ ଦେବତା, ମନୁଷ୍ୟ ଆଦିର ଭେଦ ତଥା ଗୁଣ-ଦୋଷ ଆଦିର କଳ୍ପନା କରି ବସେ |

ବାସୁଦେବେ ଭଗବତି ଭକ୍ତିମୁଦ୍ୱହତାଂ ନୃଣାମ୍ ।

ଜ୍ଞାନବୈରାଗ୍ୟବୀର୍ୟାଣାଂ ନେହ କଶ୍ଚିଦ୍ୱ୍ୟପାଶ୍ରୟଃ ॥ ୩୧॥

ଯେଉଁମାନଙ୍କ ପାଖରେ ଜ୍ଞାନ ଓ ବୈରାଗ୍ୟର ବଳ ରହିଛି ଏବଂ ଯେଉଁମାନେ ଭଗବାନ ବାସୁଦେବଙ୍କ ଚରଣରେ ଭକ୍ତିଭାବ ରଖିଥାଆନ୍ତି, ସେମାନଙ୍କ ପାଇଁ ଜଗତରେ ଏପରି କୌଣସି ବସ୍ତୁ ନାହିଁ ଯାହାକୁ ସେମାନେ ହେୟ ବା ଉପାଦେୟ ମନେକରି ତାହା ପ୍ରତି ରାଗ ବା ଦ୍ବେଷ ଭାବ ରଖିବେ |

ନାହଂ ବିରିଞ୍ଚୋ ନ କୁମାରନାରଦୌ

ନ ବ୍ରହ୍ମପୁତ୍ରା ମୁନୟଃ ସୁରେଶାଃ ।

ବିଦାମ ଯସ୍ୟେହିତମଂଶକାଂଶକା

ନ ତତ୍ସ୍ୱରୂପଂ ପୃଥଗୀଶମାନିନଃ ॥ ୩୨॥

ମୁଁ, ବ୍ରହ୍ମାଜୀ, ସନକାଦି, ନାରଦ, ବ୍ରହ୍ମାଜୀଙ୍କର ପୁତ୍ର ଭୃଗୁ ଆଦି ମୁନି ଏବଂ ବଡ ବଡ ଦେବତା – କେହି ମଧ୍ୟ ଭଗବାନଙ୍କ ଲୀଳାର ରହସ୍ୟ ଜାଣି ପାରନ୍ତି ନାହିଁ | ସେପରି କ୍ଷେତ୍ରରେ ତାଙ୍କର ଯେଉଁମାନେ ଛୋଟ ଛୋଟ ଅଂଶ ଅଟନ୍ତି ଏବଂ ଯେଉଁମାନେ ତାଙ୍କଠାରୁ ପୃଥକ୍ ଜ୍ଞାନ କରି ନିଜକୁ ସ୍ବତନ୍ତ୍ର ଈଶ୍ବର ମାନି ବସିଥାଆନ୍ତି, ସେମାନେ ଭଲା ତାଙ୍କର ସ୍ଵରୂପକୁ କିପରି ଜାଣିପାରିବେ ?

ନ ହ୍ୟସ୍ୟାସ୍ତି ପ୍ରିୟଃ କଶ୍ଚିନ୍ନାପ୍ରିୟଃ ସ୍ୱଃ ପରୋଽପି ବା ।

ଆତ୍ମତ୍ୱାତ୍ସର୍ୱଭୂତାନାଂ ସର୍ୱଭୂତପ୍ରିୟୋ ହରିଃ ॥ ୩୩॥

ଭଗବାନଙ୍କର କେହି ପ୍ରିୟ ନୁହଁନ୍ତି କି କେହି ଅପ୍ରିୟ ନୁହଁନ୍ତି, କିଏ ଆପଣାର ନୁହଁନ୍ତି କି କିଏ ପର ନୁହଁନ୍ତି | ସବୁ ପ୍ରାଣୀଙ୍କର ସେ ଆତ୍ମା ଅଟନ୍ତି, ସେଥିପାଇଁ ସେ ସମସ୍ତଙ୍କର ପ୍ରିୟତମ ଅଟନ୍ତି |

ତସ୍ୟ ଚାୟଂ ମହାଭାଗଶ୍ଚିତ୍ରକେତୁଃ ପ୍ରିୟୋଽନୁଗଃ ।

ସର୍ୱତ୍ର ସମଦୃକ୍ ଶାନ୍ତୋ ହ୍ୟହଂ ଚୈବାଚ୍ୟୁତପ୍ରିୟଃ ॥ ୩୪॥

ପ୍ରିୟେ ! ଏହି ପରମ ଭାଗ୍ୟବାନ ଚିତ୍ରକେତୁ ତାଙ୍କର ପ୍ରିୟ ଅନୁଚର, ଶାନ୍ତ ଏବଂ ସମଦର୍ଶୀ ଅଟନ୍ତି ଏବଂ ମୁଁ ମଧ୍ୟ ଭଗବାନ ଶ୍ରୀହରିଙ୍କର ପ୍ରିୟ ଅଟେ |

ତସ୍ମାନ୍ନ ବିସ୍ମୟଃ କାର୍ୟଃ ପୁରୁଷେଷୁ ମହାତ୍ମସୁ ।

ମହାପୁରୁଷଭକ୍ତେଷୁ ଶାନ୍ତେଷୁ ସମଦର୍ଶିଷୁ ॥ ୩୫॥

ସେଥିପାଇଁ ତୁମେ ଭଗବାନଙ୍କର ପ୍ରିୟ ଭକ୍ତ, ଶାନ୍ତ, ସମଦର୍ଶୀ, ମହାତ୍ମା ପୁରୁଷଙ୍କ ସମ୍ବନ୍ଧରେ କୌଣସି ପ୍ରକାରର ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ଉଚିତ୍ ନୁହେଁ |

ଶ୍ରୀଶୁକ ଉବାଚ

ଇତି ଶ୍ରୁତ୍ୱା ଭଗବତଃ ଶିବସ୍ୟୋମାଭିଭାଷିତମ୍ ।

ବଭୂବ ଶାନ୍ତଧୀ ରାଜନ୍ ଦେବୀ ବିଗତବିସ୍ମୟା ॥ ୩୬॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନ ଶଂକରଙ୍କର ଏହି ଭାଷଣ ଶୁଣି ଦେବୀ ପାର୍ବତୀଙ୍କର ଚିତ୍ତବୃତ୍ତି ଶାନ୍ତ ହୋଇଗଲା ଏବଂ ତାଙ୍କର ବିସ୍ମୟ ମଧ୍ୟ ଦୂର ହୋଇଗଲା |

ଇତି ଭାଗବତୋ ଦେବ୍ୟାଃ ପ୍ରତିଶପ୍ତୁମଲନ୍ତମଃ ।

ମୂର୍ଧ୍ନା ସଞ୍ଜଗୃହେ ଶାପମେତାବତ୍ସାଧୁଲକ୍ଷଣମ୍ ॥ ୩୭॥

ଇଚ୍ଛା କରିଥିଲେ ଭଗବାନଙ୍କର ପରମପ୍ରେମୀ ଭକ୍ତ ଚିତ୍ରକେତୁ ମଧ୍ୟ ଦେବୀ ପାର୍ବତୀଙ୍କୁ ଶାପ ଦେଇ ପାରିଥାଆନ୍ତେ | କିନ୍ତୁ ସେ ତାହା ନ କରି ପାର୍ବତୀଙ୍କର ଶାପକୁ ମୁଣ୍ଡପାତି ସ୍ବୀକାର କରିନେଲେ | ଏହା ସାଧୁ ପୁରୁଷଙ୍କର ଲକ୍ଷଣ ଅଟେ |

ଜଜ୍ଞେ ତ୍ୱଷ୍ଟୁର୍ଦକ୍ଷିଣାଗ୍ନୌ ଦାନବୀଂ ଯୋନିମାଶ୍ରିତଃ ।

ବୃତ୍ର ଇତ୍ୟଭିବିଖ୍ୟାତୋ ଜ୍ଞାନବିଜ୍ଞାନସଂୟୁତଃ ॥ ୩୮॥

ଏହି ବିଦ୍ୟଧର ଚିତ୍ରକେତୁ ଦାନବଯୋନିର ଆଶ୍ରୟ ଗ୍ରହଣ କରି ତ୍ବଷ୍ଟାଙ୍କ ଦକ୍ଷିଣୀଗ୍ନିରୁ ଉତ୍ପନ୍ନ ହେଲେ | ସେତେବେଳେ ତାଙ୍କର ନାମ ବୃତ୍ରାସୁର ହେଲା ଏବଂ ସେତେବେଳେ ମଧ୍ୟ ସେ ଭଗବତ୍-ସ୍ବରୂପଙ୍କର ଜ୍ଞାନ ଓ ଭକ୍ତିରେ ହିଁ ପରିପୂର୍ଣ୍ଣ ରହିଲେ |

ଏତତ୍ତେ ସର୍ୱମାଖ୍ୟାତଂ ଯନ୍ମାଂ ତ୍ୱଂ ପରିପୃଚ୍ଛସି ।

ବୃତ୍ରସ୍ୟାସୁରଜାତେଶ୍ଚ କାରଣଂ ଭଗବନ୍ମତେଃ ॥ ୩୯॥

ତୁମେ ମୋତେ ପଚାରି ଥିଲ ବୃତ୍ରାସୁର ଦୈତ୍ୟଯୋନିରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ଭଗବାନଙ୍କର ଏପରି ଭକ୍ତି ପ୍ରାପ୍ତ ହେଲା କିପରି, ତାହାର ପୂରା ବିବରଣ ମୁଁ ତୁମକୁ ଶୁଣାଇଲି |

ଇତିହାସମିମଂ ପୁଣ୍ୟଂ ଚିତ୍ରକେତୋର୍ମହାତ୍ମନଃ ।

ମାହାତ୍ମ୍ୟଂ ବିଷ୍ଣୁଭକ୍ତାନାଂ ଶ୍ରୁତ୍ୱା ବନ୍ଧାଦ୍ୱିମୁଚ୍ୟତେ ॥ ୪୦॥

ମହାତ୍ମା ଚିତ୍ରକେତୁଙ୍କର ଏହି ପବିତ୍ର ଇତିହାସ କେବଳ ତାଙ୍କର ନୁହେଁ, ସମସ୍ତ ବିଷ୍ଣୁଭକ୍ତଙ୍କର ମାହାତ୍ମ୍ୟ ଅଟେ | ଏହାକୁ ଶ୍ରବଣ କରିବା ଦ୍ବାରା ବ୍ୟକ୍ତି ସମସ୍ତ ବନ୍ଧନରୁ ମୁକ୍ତ ହୋଇଯାଏ |

ଯ ଏତତ୍ପ୍ରାତରୁତ୍ଥାୟ ଶ୍ରଦ୍ଧୟା ବାଗ୍ୟତଃ ପଠେତ୍ ।

ଇତିହାସଂ ହରିଂ ସ୍ମୃତ୍ୱା ସ ଯାତି ପରମାଂ ଗତିମ୍ ॥ ୪୧॥

ପ୍ରାତଃକାଳରେ ମୌନ ରହି ଯେଉଁ ପୁରୁଷ ଶ୍ରଦ୍ଧାର ସହିତ ଭଗବାନଙ୍କର ସ୍ମରଣ କରି ଏହି ଇତିହାସ ପାଠ କରନ୍ତି, ତାଙ୍କୁ ପରମଗତି ପ୍ରାପ୍ତ ହୋଇଥାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ଚିତ୍ରକେତୁଶାପୋ ନାମ ସପ୍ତଦଶୋଽଧ୍ୟାୟଃ ॥ ୧୭॥

 

Comments

Popular posts from this blog