ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ଦ୍ବାଦଶ ଅଧ୍ୟାୟ
ବୃତ୍ରାସୁର ବଧ
ଋଷିରୁବାଚ
ଏବଂ ଜିହାସୁର୍ନୃପ ଦେହମାଜୌ
ମୃତ୍ୟୁଂ ବରଂ ବିଜୟାନ୍ମନ୍ୟମାନଃ ।
ଶୂଲଂ ପ୍ରଗୃହ୍ୟାଭ୍ୟପତତ୍ସୁରେନ୍ଦ୍ରଂ
ଯଥା ମହାପୁରୁଷଂ କୈଟଭୋଽପ୍ସୁ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ବୃତ୍ରାସୁର ରଣଭୂମିରେ ନିଜର
ଶରୀର ତ୍ୟାଗ କରିବାକୁ ଇଚ୍ଛା କରୁଥିଲା, କାରଣ ତା’ ବିଚାରରେ
ଇନ୍ଦ୍ରଙ୍କ ଉପରେ ବିଜୟ ଲାଭ କରି ସ୍ବର୍ଗ ପ୍ରାପ୍ତ କରିବା ଅପେକ୍ଷା ମୃତ୍ୟୁବରଣ କରି
ଭଗବାନଙ୍କୁ ପ୍ରାପ୍ତ କରିବା ଶ୍ରେଷ୍ଠ ଅଟେ | ସେଥିପାଇଁ ପ୍ରଳୟକାଳୀନ ଜଳରେ କୈଟଭାସୁର ଭଗବାନ
ବିଷ୍ଣୁଙ୍କୁ ଆଘାତ କରିବା ପାଇଁ ଦୌଡିବା ପରି ସେ ତ୍ରିଶୂଳ ଉଠାଇ ଇନ୍ଦ୍ରଙ୍କ ଆଡକୁ ମାଡି ଆସିଲା
|
ତତୋ ଯୁଗାନ୍ତାଗ୍ନିକଠୋରଜିହ୍ୱ-
ମାବିଧ୍ୟ ଶୂଲଂ ତରସାସୁରେନ୍ଦ୍ରଃ ।
କ୍ଷିପ୍ତ୍ୱା ମହେନ୍ଦ୍ରାୟ ବିନଦ୍ୟ ବୀରୋ
ହତୋଽସି ପାପେତି ରୁଷା ଜଗାଦ ॥ ୨॥
ବୀର ବୃତ୍ରାସୁର ପ୍ରଳୟକାଳୀନ ଅଗ୍ନିଶିଖା ପରି ତୀକ୍ଷ୍ଣ
ଜିହ୍ବାବିଶିଷ୍ଟ ତ୍ରିଶୂଳକୁ ଘୂରାଇ ତୀବ୍ର ବେଗରେ ଇନ୍ଦ୍ରଙ୍କୁ ଆଘାତ କଲା ଏବଂ ଅତ୍ୟନ୍ତ
କ୍ରୋଧରେ ସିଂହନାଦ କରି କହିଲା – ରେ ପାପୀ ଇନ୍ଦ୍ର ! ଏବେ ତୋର ରକ୍ଷା ନାହିଁ |
ଖ ଆପତତ୍ତଦ୍ୱିଚଲଦ୍ଗ୍ରହୋଲ୍କବ-
ନ୍ନିରୀକ୍ଷ୍ୟ ଦୁଷ୍ପ୍ରେକ୍ଷ୍ୟମଜାତବିକ୍ଲବଃ ।
ବଜ୍ରେଣ ବଜ୍ରୀ ଶତପର୍ୱଣାଚ୍ଛିନ-
ଦ୍ଭୁଜଂ ଚ ତସ୍ୟୋରଗରାଜଭୋଗମ୍ ॥ ୩॥
ଇନ୍ଦ୍ର ଯେତେବେଳେ ଦେଖିଲେ, ସେହି ଭୟଙ୍କର
ତ୍ରିଶୂଳ ଗ୍ରହ ଏବଂ ଉଲ୍କା ପରି ଆକାଶରେ ଘୂରି-ଘୂରି ତାଙ୍କ ଅଭିମୁଖରେ ଆସୁଛି, ତାଙ୍କଠାରେ କିଂଚିତ୍ ବି ଅଧୀରତା ପ୍ରକଟ ହେଲା ନାହିଁ ଏବଂ ସେ ନିଜର
ଶତ ପବବିଶିଷ୍ଟ ବଜ୍ରରେ ସେହି ତ୍ରିଶୂଳ ସହିତ ବୃତ୍ରାସୁରର ବାସୁକି ନାଗ ପରି ବିଶାଳ ଭୁଜକୁ
ମଧ୍ୟ କାଟି ଦେଲେ |
ଛିନ୍ନୈକବାହୁଃ ପରିଘେଣ ବୃତ୍ରଃ
ସଂରବ୍ଧ ଆସାଦ୍ୟ ଗୃହୀତବଜ୍ରମ୍ ।
ହନୌ ତତାଡେନ୍ଦ୍ରମଥାମରେଭଂ
ବଜ୍ରଂ ଚ ହସ୍ତାନ୍ନ୍ୟପତନ୍ମଘୋନଃ ॥ ୪॥
ଗୋଟିଏ ବାହୁ କଟିଯିଵାରୁ ବୃତ୍ରାସୁରର କ୍ରୋଧ ବୃଦ୍ଧି ଲାଭ କଲା | ସେ
ବଜ୍ରଧାରୀ ଇନ୍ଦ୍ରଙ୍କ ପାଖକୁ ଯାଇ ତାଙ୍କର ଥୋମଣି ଏବଂ ଗଜରାଜ ଐରାବତର ପେଟକୁ ଏତେ ଜୋରରେ
ପ୍ରହାର କଲା ଯେ ଇନ୍ଦ୍ରଙ୍କ ହାତରୁ ବଜ୍ର ଖସିପଡିଲା |
ବୃତ୍ରସ୍ୟ କର୍ମାତିମହାଦ୍ଭୁତଂ ତତ୍
ସୁରାସୁରାଶ୍ଚାରଣସିଦ୍ଧସଙ୍ଘାଃ ।
ଅପୂଜୟଂସ୍ତତ୍ପୁରୁହୂତସଙ୍କଟଂ
ନିରୀକ୍ଷ୍ୟ ହା ହେତି ବିଚୁକ୍ରୁଶୁର୍ଭୃଶମ୍ ॥ ୫॥
ବୃତ୍ରାସୁରର ଏହି ଅତ୍ୟନ୍ତ ଅଲୌକିକ କାର୍ଯ୍ୟକୁ ଦେଖି ଦେବତା, ଅସୁର, ଚାରଣ, ସିଦ୍ଧଗଣ ଆଦି ସମସ୍ତେ ତା’ର ପ୍ରଶଂସା କଲେ |
କିନ୍ତୁ ଇନ୍ଦ୍ରଙ୍କର ସଂକଟ ଦେଖି ସେମାନେ ମଧ୍ୟ ବାରମ୍ବାର ‘ହାୟ-ହାୟ’ କହି ଚିତ୍କାର କରିବାରେ ଲାଗିଲେ |
ଇନ୍ଦ୍ରୋ ନ ବଜ୍ରଂ ଜଗୃହେ ବିଲଜ୍ଜିତ-
ଶ୍ଚ୍ୟୁତଂ ସ୍ୱହସ୍ତାଦରିସନ୍ନିଧୌ ପୁନଃ ।
ତମାହ ବୃତ୍ରୋ ହର ଆତ୍ତବଜ୍ରୋ
ଜହି ସ୍ୱଶତ୍ରୁଂ ନ ବିଷାଦକାଲଃ ॥ ୬॥
ଇନ୍ଦ୍ରଙ୍କ ହାତରୁ ଖସି ବଜ୍ର ବୃତ୍ରାସୁର ନିକଟରେ ପଡିଥିଲା,
ସେଥିପାଇଁ ଲଜ୍ଜାବୋଧ କରି ଇନ୍ଦ୍ର ତାହାକୁ ସେଠାରୁ ଉଠାଇ ପାରୁ ନ ଥିଲେ | ତାହା ଦେଖି
ବୃତ୍ରାସୁର କହିଲା – ଇନ୍ଦ୍ର ! ତୁମେ ବଜ୍ର ଉଠାଇ ନେଇ ନିଜ ଶତ୍ରୁକୁ ମାରିଦିଅ | ଏହା
ଲଜ୍ଜା-ବିଷାଦର ସମୟ ନୁହେଁ |
ଯୁୟୁତ୍ସତାଂ କୁତ୍ରଚିଦାତତାୟିନାଂ
ଜୟଃ ସଦୈକତ୍ର ନ ବୈ ପରାତ୍ମନାମ୍ ।
ବିନୈକମୁତ୍ପତ୍ତିଲୟସ୍ଥିତୀଶ୍ୱରଂ
ସର୍ୱଜ୍ଞମାଦ୍ୟଂ ପୁରୁଷଂ ସନାତନମ୍ ॥ ୭॥
ଦେଖ, ସର୍ବଜ୍ଞ, ସନାତନ, ଆଦିପୁରୁଷ ଭଗବାନ
ହିଁ ଜଗତର ଉତ୍ପତ୍ତି, ସ୍ଥିତି ଏବଂ
ପ୍ରଳୟ କରିବାରେ ସମର୍ଥ ଅଟନ୍ତି | ତାଙ୍କ ଅତିରିକ୍ତ କୌଣସି ଦେହାଭିମାନୀ ଏବଂ ଯୁଦ୍ଧ କରିବା
ନିମନ୍ତେ ଉତ୍ସୁକ ଆତତାୟୀକୁ ସର୍ବଦା ଜୟ ମିଳି ନ ଥାଏ | ସେମାନେ କେତେବେଳେ ଜିତନ୍ତି ତ
କେତେବେଳେ ହାରନ୍ତି |
ଲୋକାଃ ସପାଲା ଯସ୍ୟେମେ ଶ୍ୱସନ୍ତି ବିବଶା ବଶେ ।
ଦ୍ୱିଜା ଇବ ଶିଚା ବଦ୍ଧାଃ ସ କାଲ ଇହ କାରଣମ୍ ॥ ୮॥
ଏହି ସବୁ ଲୋକ ଏବଂ ଲୋକପାଳ ଜାଲରେ ଛନ୍ଦି ହୋଇ ଯାଇଥିବା ପକ୍ଷୀଙ୍କ
ପରି ଯାହାର ଅଧୀନତାରେ ବିବଶ ହୋଇ ଚେଷ୍ଟା କରୁଥାଆନ୍ତି, ସେହି କାଳ ହିଁ
ସମସ୍ତଙ୍କ ଜୟ-ପରାଜୟର କାରଣ ଅଟେ |
ଓଜଃ ସହୋ ବଲଂ ପ୍ରାଣମମୃତଂ ମୃତ୍ୟୁମେବ ଚ ।
ତମଜ୍ଞାୟ ଜନୋ ହେତୁମାତ୍ମାନଂ ମନ୍ୟତେ ଜଡମ୍ ॥ ୯॥
ସେହି କାଳ ହିଁ ମନୁଷ୍ୟର ମନୋବଳ, ଇନ୍ଦ୍ରିୟବଳ, ଶରୀର ବଳ, ପ୍ରାଣ, ଜୀବନ ଏବଂ
ମୃତ୍ୟୁ ରୂପରେ ସ୍ଥିତ ଅଟେ | ମନୁଷ୍ୟ ଏହା ନ ଜାଣି ଜଡ ଶରୀରକୁ ହିଁ ଜୟ-ପରାଜୟ ଆଦିର କାରଣ ମନେ
କରିଥାଏ |
ଯଥା ଦାରୁମୟୀ ନାରୀ ଯଥା ଯନ୍ତ୍ରମୟୋ ମୃଗଃ ।
ଏବଂ ଭୂତାନି ମଘବନ୍ନୀଶତନ୍ତ୍ରାଣି ବିଦ୍ଧି ଭୋଃ ॥ ୧୦॥
ହେ ଇନ୍ଦ୍ର ! କାଠକଣ୍ଢେଇ ଏବଂ ଯନ୍ତ୍ର ହରିଣର ସୂତ୍ର ନଟ ହାତରେ
ରହିଥିବା ପରି ସମସ୍ତ ପ୍ରାଣୀଙ୍କୁ ତୁମେ ଭଗବାନଙ୍କ ଅଧୀନସ୍ତ ଭାବରେ ଜାଣ |
ପୁରୁଷଃ ପ୍ରକୃତିର୍ୱ୍ୟକ୍ତମାତ୍ମା ଭୂତେନ୍ଦ୍ରିୟାଶୟାଃ ।
ଶକ୍ନୁବନ୍ତ୍ୟସ୍ୟ ସର୍ଗାଦୌ ନ ବିନା ଯଦନୁଗ୍ରହାତ୍ ॥ ୧୧॥
ଭଗବାନଙ୍କର କୃପା-ପ୍ରସାଦ ବିନା ପୁରୁଷ, ପ୍ରକୃତି, ମହତ୍ତତ୍ତ୍ବ,
ଅହଂକାର, ପଞ୍ଚଭୂତ, ଇନ୍ଦ୍ରିୟ ଏବଂ
ଅନ୍ତଃକରଣଚତୁଷ୍ଟୟ – ଏମାନେ କେହି ମଧ୍ୟ ବିଶ୍ବର ଉତ୍ପତ୍ତି ଆଦି କରିବାକୁ ସମର୍ଥ ହୋଇପାରିବେ
ନାହିଁ |
ଅବିଦ୍ୱାନେବମାତ୍ମାନଂ ମନ୍ୟତେଽନୀଶମୀଶ୍ୱରମ୍ ।
ଭୂତୈଃ ସୃଜତି ଭୂତାନି ଗ୍ରସତେ ତାନି ତୈଃ ସ୍ୱୟମ୍ ॥ ୧୨॥
ଯିଏ ଏକଥା ଜାଣନ୍ତି ନାହିଁ ଯେ ଭଗବାନ ହିଁ ସବୁକିଛି ନିୟନ୍ତ୍ରଣ
କରନ୍ତି, ସେ ଏହି ପରତନ୍ତ୍ର ଜୀବକୁ ସ୍ବତନ୍ତ୍ର
କର୍ତ୍ତା-ଭୋକ୍ତା ମନେକରନ୍ତି | ବସ୍ତୁତଃ ସ୍ବୟଂ ଭଗବାନ ହିଁ ପ୍ରାଣୀ ଦ୍ବାରା ପ୍ରାଣୀର ରଚନା
ଏବଂ ସେମାନଙ୍କ ଦ୍ବାରା ସେମାନଙ୍କର ସଂହାର କରନ୍ତି |
ଆୟୁଃ ଶ୍ରୀଃ କୀର୍ତିରୈଶ୍ୱର୍ୟମାଶିଷଃ ପୁରୁଷସ୍ୟ ଯାଃ ।
ଭବନ୍ତ୍ୟେବ ହି ତତ୍କାଲେ ଯଥାନିଚ୍ଛୋର୍ୱିପର୍ୟଯାଃ ॥ ୧୩॥
ଯେପରି ଇଚ୍ଛା ନ କଲେ ବି ସମୟ ପ୍ରତିକୂଳ ହେଲେ ମନୁଷ୍ୟକୁ ମୃତ୍ୟୁ
ଏବଂ ଅପଯଶ ଆଦି ସ୍ବତଃ ପ୍ରାପ୍ତ ହୋଇଥାଏ, ଠିକ୍ ସେହିପରି ଇଚ୍ଛା ନ କଲେ ମଧ୍ୟ ସମୟର
ଅନୁକୂଳତାରେ ତାକୁ ଆୟୁ, ଲକ୍ଷ୍ମୀ, ଯଶ ଏବଂ ଐଶ୍ବର୍ଯ୍ୟ ଆଦି ଭୋଗ ସ୍ବତଃ ମିଳିଥାଏ |
ତସ୍ମାଦକୀର୍ତିୟଶସୋର୍ଜୟାପଜୟଯୋରପି ।
ସମଃ ସ୍ୟାତ୍ସୁଖଦୁଃଖାଭ୍ୟାଂ ମୃତ୍ୟୁଜୀବିତୟୋସ୍ତଥା ॥ ୧୪॥
ସେଥିପାଇଁ ଯଶ-ଅପଯଶ, ଜୟ-ପରାଜୟ, ସୁଖ-ଦୁଃଖ, ଜୀବନ-ମରଣ –
ଏମାନଙ୍କ ମଧ୍ୟରୁ କହାର ବି ଇଚ୍ଛା-ଅନିଚ୍ଛା ନ ରଖି ସବୁ ପରିସ୍ଥିତିରେ ସମଭାବ ରହିବା ଉଚିତ୍ –
ହର୍ଷ-ଶୋକର ବଶୀଭୂତ ହେବା ଉଚିତ୍ ନୁହେଁ |
ସତ୍ତ୍ୱଂ ରଜସ୍ତମ ଇତି ପ୍ରକୃତେର୍ନାତ୍ମନୋ ଗୁଣାଃ ।
ତତ୍ର ସାକ୍ଷିଣମାତ୍ମାନଂ ଯୋ ବେଦ ନ ସ ବଧ୍ୟତେ ॥ ୧୫॥
ସତ୍ତ୍ବ, ରଜ ଏବଂ ତମ – ଏହି
ତିନି ଗୁଣ ପ୍ରକୃତିର ଅଟେ, ଆତ୍ମାର ନୁହେଁ;
ଅତଏବ ଯେଉଁ ପୁରୁଷ ଆତ୍ମାକୁ ସେମାନଙ୍କର ସାକ୍ଷୀ ରୂପରେ ଜାଣନ୍ତି, ସେ ସେମାନଙ୍କର ଗୁଣ-ଦୋଷରେ ଲିପ୍ତ ହୁଅନ୍ତି ନାହିଁ |
ପଶ୍ୟ ମାଂ ନିର୍ଜିତଂ ଶକ୍ର ବୃକ୍ଣାୟୁଧଭୁଜଂ ମୃଧେ ।
ଘଟମାନଂ ଯଥାଶକ୍ତି ତବ ପ୍ରାଣଜିହୀର୍ଷୟା ॥ ୧୬॥
ଦେବରାଜ ଇନ୍ଦ୍ର ! ମୋତେ ଦେଖ; ତୁମେ ମୋର ହାତ ଏବଂ ମୋର ଶସ୍ତ୍ର
ଛେଦନ କରି ଏକ ପ୍ରକାରରେ ମୋତେ ପରାସ୍ତ କରିଦେଇଛ, ତଥାପି ମୁଁ ତୁମର ପ୍ରାଣ ନେବା ପାଇଁ
ଯଥାଶକ୍ତି ଚେଷ୍ଟା କରୁଛି |
ପ୍ରାଣଗ୍ଲହୋଽୟଂ ସମର ଇଷ୍ୱକ୍ଷୋ ବାହନାସନଃ ।
ଅତ୍ର ନ ଜ୍ଞାୟତେଽମୁଷ୍ୟ ଜୟୋଽମୁଷ୍ୟ ପରାଜୟଃ ॥ ୧୭॥
ଏହି ଯୁଦ୍ଧ ଗୋଟିଏ ଜୂଆ ଖେଳ ଛଡା ଆଉ କିଛି ନୁହେଁ | ଏଥିରେ ପ୍ରାଣର
ବାଜି ଲଗା ଯାଇଥାଏ, ବାଣର ଗୋଟି ଫିଙ୍ଗାଯାଏ ଏବଂ ବାହନ ଏହାର ପଶାପାଲି ଅଟେ | ଏଥିରେ କିଏ
ଜିତିବ, କିଏ ହାରିବ – ତାହା ପୂର୍ବରୁ ଜଣା ନ ଥାଏ |
ଶ୍ରୀଶୁକ ଉବାଚ
ଇନ୍ଦ୍ରୋ ବୃତ୍ରବଚଃ ଶ୍ରୁତ୍ୱା ଗତାଲୀକମପୂଜୟତ୍ ।
ଗୃହୀତବଜ୍ରଃ ପ୍ରହସଂସ୍ତମାହ ଗତବିସ୍ମୟଃ ॥ ୧୮॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ବୃତ୍ରାସୁରର ଏହି ସତ୍ୟ ଏବଂ
ନିଷ୍କପଟ ବଚନ ଶୁଣି ଇନ୍ଦ୍ର ତା’ର ବହୁତ ଆଦର କଲେ
ଏବଂ ନିଜ ବଜ୍ର ଉଠାଇ ନେଲେ | ଏହାପରେ ଆଦୌ ଆଶ୍ଚର୍ଯ୍ୟ ନ ହୋଇ ସେ ହସି ହସି କହିବାରେ ଲାଗିଲେ -
ଇନ୍ଦ୍ର ଉବାଚ
ଅହୋ ଦାନବ ସିଦ୍ଧୋଽସି ଯସ୍ୟ ତେ ମତିରୀଦୃଶୀ ।
ଭକ୍ତଃ ସର୍ୱାତ୍ମନାଽଽତ୍ମାନଂ ସୁହୃଦଂ ଜଗଦୀଶ୍ୱରମ୍ ॥ ୧୯॥
ଦେବରାଜ ଇନ୍ଦ୍ର କହିଲେ – ହେ ଦାନବରାଜ ! ତୁମେ ବାସ୍ତବରେ ଜଣେ
ସିଦ୍ଧ ପୁରୁଷ ଅଟ | ସେଥିପାଇଁ ତ ତୁମର ଧୈର୍ଯ୍ୟ, ନିଶ୍ଚୟ ଏବଂ
ଭଗବଦ୍ଭାବ ଏତେ ବିଲକ୍ଷଣ ଅଟେ | ତୁମେ ଅନନ୍ୟ ଭାବ ରଖି ସମସ୍ତ ପ୍ରାଣୀଙ୍କର ସୁହୃଦ୍
ଆତ୍ମସ୍ବରୂପ ଜଗଦୀଶ୍ବରଙ୍କର ଭକ୍ତି କରିଛ |
ଭବାନତାର୍ଷୀନ୍ମାୟାଂ ବୈ ବୈଷ୍ଣବୀଂ ଜନମୋହିନୀମ୍ ।
ଯଦ୍ୱିହାୟାସୁରଂ ଭାବଂ ମହାପୁରୁଷତାଂ ଗତଃ ॥ ୨୦॥
ଅବଶ୍ୟ ହିଁ ତୁମେ ଲୋକଙ୍କୁ ମୋହିତ କରୁଥିବା ଭଗବାନଙ୍କର ମାୟାକୁ ପାର
କରିଯାଇଛ | ସେଥିପାଇଁ ତ ତୁମେ ଅସୁରୋଚିତ ଭାବ ଛାଡି ମହାପୁରୁଷ ହୋଇଯାଇଛ |
ଖଲ୍ୱିଦଂ ମହଦାଶ୍ଚର୍ୟଂ ଯଦ୍ରଜଃପ୍ରକୃତେସ୍ତବ ।
ବାସୁଦେବେ ଭଗବତି ସତ୍ତ୍ୱାତ୍ମନି ଦୃଢା ମତିଃ ॥ ୨୧॥
ଏହା ନିଶ୍ଚିତଭାବରେ ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଯେ ତୁମେ ରଜୋଗୁଣୀ
ସ୍ବଭାବର ହୋଇ ମଧ୍ୟ ତୁମର ବୁଦ୍ଧି ଦୃଢ ଭାବରେ ବିଶୁଦ୍ଧ ସତ୍ତ୍ବସ୍ବରୂପ ଭଗବାନ
ବାସୁଦେବଙ୍କଠାରେ ସଂଯୁକ୍ତ ରହିଛି |
ଯସ୍ୟ ଭକ୍ତିର୍ଭଗବତି ହରୌ ନିଃଶ୍ରେୟସେଶ୍ୱରେ ।
ବିକ୍ରୀଡତୋଽମୃତାମ୍ଭୋଧୌ କିଂ କ୍ଷୁଦ୍ରୈଃ ଖାତକୋଦକୈଃ ॥ ୨୨॥
ପରମ କଲ୍ୟାଣର ସ୍ବାମୀ ଭଗବାନ ଶ୍ରୀହରିଙ୍କ ଚରଣରେ ଯିଏ ପ୍ରେମମୟ
ଭକ୍ତିଭାବ ରଖିଥାଆନ୍ତି, ତାଙ୍କ ପାଇଁ
ଜାଗତିକ ଭୋଗର ଆବଶ୍ୟକତା କ’ଣ ? ଯିଏ
ଅମୃତସାଗରରେ ବିହାର କରୁଛନ୍ତି, ତାଙ୍କର କ୍ଷୁଦ୍ର
ଗର୍ତ୍ତ-ଜଳରେ କି ପ୍ରୟୋଜନ ?
ଶ୍ରୀଶୁକ ଉବାଚ
ଇତି ବ୍ରୁବାଣାବନ୍ୟୋନ୍ୟଂ ଧର୍ମଜିଜ୍ଞାସୟା ନୃପ ।
ଯୁୟୁଧାତେ ମହାବୀର୍ୟାବିନ୍ଦ୍ରବୃତ୍ରୌ ଯୁଧାମ୍ପତୀ ॥ ୨୩॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏହିପରି ଭାବରେ
ଯୋଦ୍ଧାମାନଙ୍କ ମଧ୍ୟରେ ଶ୍ରେଷ୍ଠ ମହାପରାକ୍ରମୀ ଦେବରାଜ ଇନ୍ଦ୍ର ଏବଂ ବୃତ୍ରାସୁର ଧର୍ମତତ୍ତ୍ବ
ଜାଣିବା ଅଭିଳାଷରେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରି ପରସ୍ପର ସହିତ ଯୁଦ୍ଧ କରିବାରେ ଲାଗିଲେ
|
ଆବିଧ୍ୟ ପରିଘଂ ବୃତ୍ରଃ କାର୍ଷ୍ଣାୟସମରିନ୍ଦମଃ ।
ଇନ୍ଦ୍ରାୟ ପ୍ରାହିଣୋଦ୍ଘୋରଂ ବାମହସ୍ତେନ ମାରିଷ ॥ ୨୪॥
ରାଜନ୍ ! ଏତିକି ବେଳେ ଶତ୍ରୁସୂଦନ ବୃତ୍ରାସୁର ହାତରେ ଏକ ବିଶାଳ
ଲୌହ-ନିର୍ମିତ ଚକ୍ର ଧରି ଆକାଶରେ ଘୂରାଇବାରେ ଲାଗିଲା ଏବଂ ତହିଁରେ ଇନ୍ଦ୍ରଙ୍କୁ ପ୍ରହାର କଲା |
ସ ତୁ ବୃତ୍ରସ୍ୟ ପରିଘଂ କରଂ ଚ କରଭୋପମମ୍ ।
ଚିଚ୍ଛେଦ ଯୁଗପଦ୍ଦେବୋ ବଜ୍ରେଣ ଶତପର୍ୱଣା ॥ ୨୫॥
କିନ୍ତୁ ଦେବରାଜ ଇନ୍ଦ୍ର ନିଜ ଶତ ପବଯୁକ୍ତ ବଜ୍ରରେ ବୃତ୍ରାସୁରର
ସେହି ଚକ୍ର ତଥା ହାତୀଶୁଣ୍ଢ ପରି ତା’ର ଦୀର୍ଘ ବିଶାଳ
ଭୁଜକୁ ଏକସଙ୍ଗେ ହିଁ କାଟିଦେଲେ |
ଦୋର୍ଭ୍ୟାମୁତ୍କୃତ୍ତମୂଲାଭ୍ୟାଂ ବଭୌ ରକ୍ତସ୍ରବୋଽସୁରଃ ।
ଛିନ୍ନପକ୍ଷୋ ଯଥା ଗୋତ୍ରଃ ଖାଦ୍ଭ୍ରଷ୍ଟୋ ବଜ୍ରିଣା ହତଃ ॥ ୨୬॥
ମୂଳରୁ ଉଭୟ ଭୁଜ କଟିଯିବାରୁ ବୃତ୍ରାସୁରର ବାମ ଏବଂ ଦକ୍ଷିଣ ଉଭୟ
ସ୍କନ୍ଧରୁ ରକ୍ତର ଧାରା ପ୍ରବାହିତ ହେବାରେ ଲାଗିଲା | ସେତେବେଳେ ଏପରି ମନେହେଲା, ସତେ ଯେପରି
ଇନ୍ଦ୍ରଙ୍କର ବଜ୍ରାଘାତରେ ପକ୍ଷହୀନ ହୋଇ କୌଣସି ପର୍ବତ ଆକାଶରୁ ତଳକୁ ଖସି ଆସୁଛି |
କୃତ୍ୱାଧରାଂ ହନୁଂ ଭୂମୌ ଦୈତ୍ୟୋ ଦିବ୍ୟୁତ୍ତରାଂ ହନୁମ୍ ।
ନଭୋଗମ୍ଭୀରବକ୍ତ୍ରେଣ ଲେଲିହୋଲ୍ବଣଜିହ୍ୱୟା ॥ ୨୭॥
ଦଂଷ୍ଟ୍ରାଭିଃ କାଲକଲ୍ପାଭିର୍ଗ୍ରସନ୍ନିବ ଜଗତ୍ତ୍ରୟମ୍ ।
ଅତିମାତ୍ରମହାକାୟ ଆକ୍ଷିପଂସ୍ତରସା ଗିରୀନ୍ ॥ ୨୮॥
ଗିରିରାଟ୍ ପାଦଚାରୀବ ପଦ୍ଭ୍ୟାଂ ନିର୍ଜରୟନ୍ ମହୀମ୍ ।
ଜଗ୍ରାସ ସ ସମାସାଦ୍ୟ ବଜ୍ରିଣଂ ସହବାହନମ୍ ॥ ୨୯॥
ମହାପ୍ରାଣୋ ମହାବୀର୍ୟୋ ମହାସର୍ପ ଇବ ଦ୍ୱିପମ୍ ।
ବୃତ୍ରଗ୍ରସ୍ତଂ ତମାଲକ୍ଷ୍ୟ ସପ୍ରଜାପତୟଃ ସୁରାଃ ।
ହା କଷ୍ଟମିତି ନିର୍ୱିଣ୍ଣାଶ୍ଚୁକ୍ରୁଶୁଃ ସମହର୍ଷୟଃ ॥ ୩୦॥
ଏବେ ପଦାଚାରୀ ପର୍ବତରାଜ ସଦୃଶ ଅତ୍ୟନ୍ତ ଦୀର୍ଘକାୟ ବୃତ୍ରାସୁର ନିଜର
ଥୋମଣିକୁ ଭୂମିରେ ଏବଂ ଉପର ଓଠକୁ ସ୍ବର୍ଗରେ ଲଗାଇଲା ତଥା ଆକାଶ ପରି ଗଭୀର ମୁଖ, ସର୍ପ ପରି ଭୟାବନୀ ଜିହ୍ବା ଏବଂ ମୃତ୍ୟୁ ପରି କରାଳ ଦନ୍ତରେ ସତେ
ଯେପରି ତ୍ରିଲୋକୀକୁ ଗିଳିଯିବ, ପଦାଘାତରେ
ପୃଥିବୀକୁ ଦଳି-ଚକଟି ଏବଂ ପର୍ବତମାନଙ୍କୁ ପ୍ରବଳ ବେଗରେ ଧରାଶାୟୀ କରି ଇନ୍ଦ୍ରଙ୍କ ପାଖକୁ
ଆସିଲା ଏବଂ ତାଙ୍କୁ ତାଙ୍କର ବାହନ ଐରାବତ ହାତୀ ସହିତ ଏପରି ଗ୍ରାସ କରିଗଲା ଯେପରି କି କୌଣସି
ପରମ ପରାକ୍ରମୀ ଏବଂ ଅତ୍ୟନ୍ତ ବଳବାନ ଅଜଗର ହାତୀକୁ ଉଦରସ୍ଥ କରିନିଏ | ବୃତ୍ରାସୁର ଇନ୍ଦ୍ରଙ୍କୁ
ଗିଳିଦେବା ଦେଖି ପ୍ରଜାପତି ଏବଂ ମହର୍ଷିମାନଙ୍କ ସହିତ ଦେବତାମାନେ ଅତ୍ୟନ୍ତ ଦୁଃଖରେ ‘ହାୟ-ହାୟ
! ଅନର୍ଥ ହୋଇଗଲା’ – ଏପରି କହି ବିଳାପ କରିବାରେ ଲାଗିଲେ |
ନିଗୀର୍ଣୋଽପ୍ୟସୁରେନ୍ଦ୍ରେଣ ନ ମମାରୋଦରଂ ଗତଃ ।
ମହାପୁରୁଷସନ୍ନଦ୍ଧୋ ଯୋଗମାୟାବଲେନ ଚ ॥ ୩୧॥
ବଳ ଦୈତ୍ୟର ସଂହାରକ ଦେବରାଜ ଇନ୍ଦ୍ର ମହାପୁରୁଷ-ବିଦ୍ୟା
(ନାରାୟଣକବଚ) ଦ୍ବାରା ନିଜକୁ ସୁରକ୍ଷିତ ରଖିଥିଲେ ଏବଂ ତାଙ୍କ ପାଖରେ ଯୋଗମାୟା ବଳ ତ ଥିଲା |
ସେଥିପାଇଁ ବୃତ୍ରାସୁର ତାଙ୍କୁ ଗିଳିଦେବା ପରେ ମଧ୍ୟ ତା’ର ଉଦରକୁ ଯାଇ ସେ
ମରି ନ ଥିଲେ |
ଭିତ୍ତ୍ୱା ବଜ୍ରେଣ ତତ୍କୁକ୍ଷିଂ ନିଷ୍କ୍ରମ୍ୟ ବଲଭିଦ୍ୱିଭୁଃ ।
ଉଚ୍ଚକର୍ତ ଶିରଃ ଶତ୍ରୋର୍ଗିରିଶୃଙ୍ଗମିବୌଜସା ॥ ୩୨॥
ନିଜ ବଜ୍ର ସାହାଯ୍ୟରେ ସେ ତା’ର ଉଦରକୁ ଚିରିଦେଲେ
ଏବଂ ସେଠାରୁ ବାହାରି ଆସି ତା’ର ପର୍ବତ ଶିଖର ପରି
ଉଚ୍ଚ ମସ୍ତକକୁ ଛେଦନ କଲେ |
ବଜ୍ରସ୍ତୁ ତତ୍କନ୍ଧରମାଶୁବେଗଃ
କୃନ୍ତନ୍ ସମନ୍ତାତ୍ପରିବର୍ତମାନଃ ।
ନ୍ୟପାତୟତ୍ତାବଦହର୍ଗଣେନ
ଯୋ ଜ୍ୟୋତିଷାମୟନେ ବାର୍ତ୍ରହତ୍ୟେ ॥ ୩୩॥
ସୂର୍ଯ୍ୟାଦି ଗ୍ରହମାନଙ୍କର ଉତ୍ତରାୟଣ-ଦକ୍ଷିଣୀୟନରୂପ ଗତିରେ ଯେତିକି
ସମୟ ଲାଗେ, ସେତିକି ଦିନରେ ଅର୍ଥାତ୍ ଏକ ବର୍ଷରେ ବୃତ୍ରବଧ ଯୋଗ
ଉପସ୍ଥିତ ହୁଅନ୍ତେ ଘୂରି ଘୂରି ସେହି ତୀବ୍ର ବେଗଶାଳୀ ବଜ୍ର ତା’ର ଗଳାକୁ ସବୁ ଦିଗରୁ କାଟି ଭୂମିରେ ନିକ୍ଷେପ କଲା |
ତଦା ଚ ଖେ ଦୁନ୍ଦୁଭୟୋ ବିନେଦୁ-
ର୍ଗନ୍ଧର୍ୱସିଦ୍ଧାଃ ସମହର୍ଷିସଙ୍ଘାଃ ।
ବାର୍ତ୍ରଘ୍ନଲିଙ୍ଗୈସ୍ତମଭିଷ୍ଟୁବାନା
ମନ୍ତ୍ରୈର୍ମୁଦା କୁସୁମୈରଭ୍ୟବର୍ଷନ୍ ॥ ୩୪॥
ସେହି ସମୟରେ ଆକାଶରେ ଦୁନ୍ଦୁଭି ବାଜିବାରେ ଲାଗିଲା | ମହର୍ଷିମାନଙ୍କ
ସହିତ ଗନ୍ଧର୍ବ, ସିଦ୍ଧ ଆଦି ବୃତ୍ରଘାତୀ ଇନ୍ଦ୍ରଙ୍କର ପରାକ୍ରମ ସୂଚିତ
କରୁଥିବା ମନ୍ତ୍ର ଦ୍ବାରା ତାଙ୍କର ସ୍ତୁତି କରି ଅତି ଆନନ୍ଦରେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି
କରିବାରେ ଲାଗିଲେ |
ବୃତ୍ରସ୍ୟ ଦେହାନ୍ନିଷ୍କ୍ରାନ୍ତମାତ୍ମଜ୍ୟୋତିରରିନ୍ଦମ ।
ପଶ୍ୟତାଂ ସର୍ୱଲୋକାନାମଲୋକଂ ସମପଦ୍ୟତ ॥ ୩୫॥
ଶତ୍ରୁଦମନ ପରୀକ୍ଷିତ ! ସେହି ସମୟରେ ବୃତ୍ରାସୁରର ଶରୀରରୁ ତା’ର ଆତ୍ମଜ୍ୟୋତି ବାହାରକୁ ଆସିଲା ଏବଂ ଚାହୁଁ ଚାହୁଁ ଇନ୍ଦ୍ର ଆଦି
ସମସ୍ତଙ୍କ ଆଖି ଆଗରେ ସର୍ବଲୋକାତୀତ ଭଗବାନଙ୍କ ସ୍ବରୂପରେ ଲୀନ ହୋଇଗଲା |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ବୃତ୍ରବଧୋ ନାମ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥

Comments
Post a Comment