ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ତ୍ରୟୋଦଶ ଅଧ୍ୟାୟ
ଇନ୍ଦ୍ରଙ୍କ ଉପରେ ବ୍ରହ୍ମହତ୍ୟାର ଆକ୍ରମଣ
ଶ୍ରୀଶୁକ ଉବାଚ
ବୃତ୍ରେ ହତେ ତ୍ରୟୋ ଲୋକା ବିନା ଶକ୍ରେଣ ଭୂରିଦ ।
ସପାଲା ହ୍ୟଭବନ୍ ସଦ୍ୟୋ ବିଜ୍ୱରା ନିର୍ୱୃତେନ୍ଦ୍ରିୟାଃ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ମହାଦାନୀ ପରୀକ୍ଷିତ | ବୃତ୍ରାସୁରର
ମୃତ୍ୟୁରେ ଇନ୍ଦ୍ରଙ୍କ ଅତିରିକ୍ତ ତିନି ଲୋକ ଏବଂ ଲୋକପାଳ ତଟକ୍ଷଣାତ୍ ପରମ ପ୍ରସନ୍ନ ହେଲେ |
ସେମାନଙ୍କର ଭୟ ଏବଂ ଚିନ୍ତା ଦୂର ହୋଇଗଲା |
ଦେବର୍ଷିପିତୃଭୂତାନି ଦୈତ୍ୟା ଦେବାନୁଗାଃ ସ୍ୱୟମ୍ ।
ପ୍ରତିଜଗ୍ମୁଃ ସ୍ୱଧିଷ୍ଣ୍ୟାନି ବ୍ରହ୍ମେଶେନ୍ଦ୍ରାଦୟସ୍ତତଃ ॥ ୨॥
ଯୁଦ୍ଧ ସମାପ୍ତ ହେବାରୁ ଦେବତା, ଋଷି, ପିତୃଗଣ, ଭୂତ, ଦୈତ୍ୟ ଏବଂ ଦେବତାମାନଙ୍କର ଅନୁଚର ଗନ୍ଧର୍ବ ଆଦି ଇନ୍ଦ୍ରଙ୍କର
ଅନୁମତି ଭିକ୍ଷା ନ କରି ନିଜ ନିଜ ଲୋକକୁ ଫେରିଗଲେ | ତାପରେ ବ୍ରହ୍ମା, ଶଂକର ଏବଂ ଇନ୍ଦ୍ର ଆଦି ମଧ୍ୟ ଚାଲିଗଲେ |
ରାଜୋବାଚ
ଇନ୍ଦ୍ରସ୍ୟାନିର୍ୱୃତେର୍ହେତୁଂ ଶ୍ରୋତୁମିଚ୍ଛାମି ଭୋ ମୁନେ ।
ଯେନାସନ୍ ସୁଖିନୋ ଦେବା ହରେର୍ଦୁଃଖଂ କୁତୋଽଭବତ୍ ॥ ୩॥
ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ମୁଁ ଦେବରାଜ ଇନ୍ଦ୍ରଙ୍କର
ଅପ୍ରସନ୍ନତାର କାରଣ ଜାଣିବାକୁ ଇଚ୍ଛା କରୁଛି | ବୃତ୍ରାସୁରର ବଧରେ ଯେଉଁଠି ସବୁ ଦେବତା ସୁଖୀ
ହେଲେ, ସେଇଠି ଇନ୍ଦ୍ର ଦୁଃଖିତ ହେବାର କାରଣ କ’ଣ ଥିଲା ?
ଶ୍ରୀଶୁକ ଉବାଚ
ବୃତ୍ରବିକ୍ରମସମ୍ବିଗ୍ନାଃ ସର୍ୱେ ଦେବାଃ ସହର୍ଷିଭିଃ ।
ତଦ୍ୱଧାୟାର୍ଥୟନ୍ନିନ୍ଦ୍ରଂ ନୈଚ୍ଛଦ୍ଭୀତୋ ବୃହଦ୍ୱଧାତ୍ ॥ ୪॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ବୃତ୍ରାସୁରର ପରାକ୍ରମକୁ
ଦେଖି ଯେତେବେଳେ ସବୁ ଦେବତା ଏବଂ ଋଷି-ମହର୍ଷି ଅତ୍ୟନ୍ତ ଭୟଭୀତ ହୋଇଗଲେ, ସେତେବେଳେ ସେମାନେ ସମସ୍ତେ ତାହାର ବଧ କରିବା ପାଇଁ ଇନ୍ଦ୍ରଙ୍କୁ
ପ୍ରାର୍ଥନା କଲେ; କିନ୍ତୁ ବ୍ରହ୍ମହତ୍ୟା ଭୟରେ ଇନ୍ଦ୍ର ତାକୁ ମାରିବାକୁ
ଇଚ୍ଛା କରୁ ନ ଥିଲେ |
ଇନ୍ଦ୍ର ଉବାଚ
ସ୍ତ୍ରୀଭୂଜଲଦ୍ରୁମୈରେନୋ ବିଶ୍ୱରୂପବଧୋଦ୍ଭବମ୍ ।
ବିଭକ୍ତମନୁଗୃହ୍ଣଦ୍ଭିର୍ୱୃତ୍ରହତ୍ୟାଂ କ୍ୱ ମାର୍ଜ୍ମ୍ୟହମ୍ ॥ ୫॥
ଦେବରାଜ ଇନ୍ଦ୍ର କହିଲେ – ହେ ଦେବତା ଏବଂ ଋଷିଗଣ ! ବିଶ୍ବରୂପଙ୍କର
ବଧ କରି ଯେଉଁ ବ୍ରହ୍ମହତ୍ୟା ଦୋଷ ମୋତେ ଲାଗିଥିଲା, ତାହାକୁ ତ ସ୍ତ୍ରୀ, ପୃଥିବୀ, ଜଳ ଏବଂ ବୃକ୍ଷ
କୃପା କରି ପରସ୍ପର ବାଣ୍ଟିନେଲେ | ଏବେ ଯଦି ମୁଁ ବୃତ୍ରର ବଧ କରିବି, ସେହି ହତ୍ୟା ଦୋଷରୁ ମୋତେ କିପରି ମୁକ୍ତି ମିଳିବ ?
ଶ୍ରୀଶୁକ ଉବାଚ
ଋଷୟସ୍ତଦୁପାକର୍ଣ୍ୟ ମହେନ୍ଦ୍ରମିଦମବ୍ରୁବନ୍ ।
ଯାଜୟିଷ୍ୟାମ ଭଦ୍ରଂ ତେ ହୟମେଧେନ ମା ସ୍ମ ଭୈଃ ॥ ୬॥
ଶ୍ରୀଶୁକଦେବ କହୁଛନ୍ତି – ଦେବରାଜ ଇନ୍ଦ୍ରଙ୍କର କଥା ଶୁଣି ଋଷିମାନେ
କହିଲେ – ହେ ଦେବରାଜ ! ତୁମର କଲ୍ୟାଣ ହେଉ | ତୁମେ ଆଦୌ ଭୟ କରନାହିଁ | ଆମ୍ଭେମାନେ ଅଶ୍ବମେଧ
ଯଜ୍ଞ କରାଇ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବୁ |
ହୟମେଧେନ ପୁରୁଷଂ ପରମାତ୍ମାନମୀଶ୍ୱରମ୍ ।
ଇଷ୍ଟ୍ୱା ନାରାୟଣଂ ଦେବଂ ମୋକ୍ଷ୍ୟସେଽପି ଜଗଦ୍ୱଧାତ୍ ॥ ୭॥
ଅଶ୍ବମେଧ ଯଜ୍ଞ ଦ୍ବାରା ସମସ୍ତଙ୍କର ଅନ୍ତର୍ଯ୍ୟାମୀ ସର୍ବଶକ୍ତିମାନ
ପରମାତ୍ମା ନାରାୟଣଦେବଙ୍କର ଆରାଧନା କରି ତୁମେ ସମ୍ପୂର୍ଣ୍ଣ ଜଗତ ବଧ କରିବାର ପାପରୁ ମଧ୍ୟ
ମୁକ୍ତ ହୋଇପାରିବ; ସେ କ୍ଷେତ୍ରରେ ବୃତ୍ରାସୁରକୁ ବଧ କରିବାର ଭୟ
କାହିଁକି ?
ବ୍ରହ୍ମହା ପିତୃହା ଗୋଘ୍ନୋ ମାତୃହାଽଽଚାର୍ୟହାଘବାନ୍ ।
ଶ୍ୱାଦଃ ପୁଲ୍କସକୋ ବାପି ଶୁଦ୍ଧ୍ୟେରନ୍ ଯସ୍ୟ କୀର୍ତନାତ୍ ॥ ୮॥
ଦେବରାଜ ! ଭଗବାନଙ୍କର କେବଳ ନାମ-କୀର୍ତ୍ତନ କରିବା ଦ୍ବାରା ହିଁ
ବ୍ରାହ୍ମଣ, ପିତା, ଗୋ-ସମ୍ପଦ, ମାତା, ଆଚାର୍ଯ୍ୟ ଆଦିଙ୍କର ହତ୍ୟାକାରୀ ମହାପାପୀ, କୁକୁର-ମାଂସଭକ୍ଷୀ ଚଣ୍ଡାଳ ଏବଂ ଘାତକ ମଧ୍ୟ ଶୁଦ୍ଧ ହୋଇଯାଆନ୍ତି |
ତମଶ୍ୱମେଧେନ ମହାମଖେନ
ଶ୍ରଦ୍ଧାନ୍ୱିତୋଽସ୍ମାଭିରନୁଷ୍ଠିତେନ ।
ହତ୍ୱାପି ସବ୍ରହ୍ମଚରାଚରଂ ତ୍ୱଂ
ନ ଲିପ୍ୟସେ କିଂ ଖଲନିଗ୍ରହେଣ ॥ ୯॥
ଆମ୍ଭେମାନେ ଅଶ୍ବମେଧ ନାମକ ମହାଯଜ୍ଞର ଅନୁଷ୍ଠାନ କରିବୁ | ତଦ୍ବାରା
ଶ୍ରଦ୍ଧାପୂର୍ବକ ଭଗବାନଙ୍କର ଆରାଧନା କରି ତୁମେ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ସମସ୍ତ ଚରାଚର ଜଗତର
ହତ୍ୟାର ପାପରେ ଲିପ୍ତ ହେବନାହିଁ | ତେଣୁ ଏହି ଦୁଷ୍ଟକୁ ଦଣ୍ଡ ଦେବାର ପାପରୁ ତୁମେ ମୁକ୍ତ
ହେବନାହିଁ କାହିଁକି ?
ଶ୍ରୀଶୁକ ଉବାଚ
ଏବଂ ସଞ୍ଚୋଦିତୋ ବିପ୍ରୈର୍ମରୁତ୍ୱାନହନଦ୍ରିପୁମ୍ ।
ବ୍ରହ୍ମହତ୍ୟା ହତେ ତସ୍ମିନ୍ନାସସାଦ ବୃଷାକପିମ୍ ॥ ୧୦॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏହିପରି ଭାବରେ
ବ୍ରାହ୍ମଣମାନଙ୍କଠାରୁ ପ୍ରେରଣା ପ୍ରାପ୍ତ କରି ଦେବରାଜ ଇନ୍ଦ୍ର ବୃତ୍ରାସୁରର ବଧ କଲେ | ଏବେ ତା’ର ମୃତ୍ୟୁ ପରେ ବ୍ରହ୍ମହତ୍ୟା ଇନ୍ଦ୍ରଙ୍କ ପାଖକୁ ଆସିଲା |
ତୟେନ୍ଦ୍ରଃ ସ୍ମାସହତ୍ତାପଂ ନିର୍ୱୃତିର୍ନାମୁମାବିଶତ୍ ।
ହ୍ରୀମନ୍ତଂ ବାଚ୍ୟତାଂ ପ୍ରାପ୍ତଂ ସୁଖୟନ୍ତ୍ୟପି ନୋ ଗୁଣାଃ ॥ ୧୧॥
ସେହି କାରଣରୁ ଇନ୍ଦ୍ରଙ୍କୁ ବହୁତ କ୍ଲେଶ ଏବଂ ଜ୍ବାଳା ସହ୍ୟ କରିବାକୁ
ପଡିଲା | କ୍ଷଣକ ପାଇଁ ମଧ୍ୟ ତାଙ୍କୁ ଶାନ୍ତି ମିଳିଲା ନାହିଁ | ଏକଥା ସତ ଯେ କୌଣସି ସଂକୋଚଶୀଳ
ସଜ୍ଜନଙ୍କ ଚରିତ୍ରରେ ଯେତେବେଳେ କିଛି କଳଙ୍କ ଲାଗିଯାଏ, ସେତେବେଳେ ତାଙ୍କର
ଧୈର୍ଯ୍ୟ ଆଦି ଗୁଣ ମଧ୍ୟ ତାଙ୍କୁ ସୁଖୀ କରିପାରନ୍ତି ନାହିଁ |
ତାଂ ଦଦର୍ଶାନୁଧାବନ୍ତୀଂ ଚାଣ୍ଡାଲୀମିବ ରୂପିଣୀମ୍ ।
ଜରୟା ବେପମାନାଙ୍ଗୀଂ ଯକ୍ଷ୍ମଗ୍ରସ୍ତାମସୃକ୍ପଟାମ୍ ॥ ୧୨॥
ଦେବରାଜ ଇନ୍ଦ୍ର ଦେଖିଲେ ସାକ୍ଷାତ୍ ବ୍ରହ୍ମହତ୍ୟା ଚଣ୍ଡାଳ ରୂପରେ
ତାଙ୍କର ପଶ୍ଚାତଧାବନ କରୁଛି | ବାର୍ଦ୍ଧକ୍ୟର ପ୍ରଭାବରେ କ୍ଷୟରୋଗଗ୍ରସ୍ତ ହୋଇ ତୀବ୍ର
ଯନ୍ତ୍ରଣାରେ ତା’ର ସମ୍ପୂର୍ଣ୍ଣ ଶରୀର ଥରିବାରେ ଲାଗିଛି | ତା’ର ବସ୍ତ୍ର ରକ୍ତ ଜୁଡୁବୁଡୁ ହୋଇଯାଇଛି |
ବିକୀର୍ୟ ପଲିତାନ୍ କେଶାଂସ୍ତିଷ୍ଠ ତିଷ୍ଠେତି ଭାଷିଣୀମ୍ ।
ମୀନଗନ୍ଧ୍ୟସୁଗନ୍ଧେନ କୁର୍ୱତୀଂ ମାର୍ଗଦୂଷଣମ୍ ॥ ୧୩॥
ବିକ୍ଷିପ୍ତ ଶ୍ବେତକେଶରେ ‘ରହି ଯାଅ, ରହି ଯାଅ’ ଚିତ୍କାର କରି ସେ
ଧାଇଁ ଆସୁଛି | ତା’ର ଶ୍ବାସରୁ ମାଛର
ଦୁର୍ଗନ୍ଧ ନିର୍ଗତ ହେଉଛି, ଯାହା ସମ୍ପୂର୍ଣ୍ଣ ପରିବେଶକୁ ଦୂଷିତ କରୁଛି |
ନଭୋ ଗତୋ ଦିଶଃ ସର୍ୱାଃ ସହସ୍ରାକ୍ଷୋ ବିଶାମ୍ପତେ ।
ପ୍ରାଗୁଦୀଚୀଂ ଦିଶଂ ତୂର୍ଣଂ ପ୍ରବିଷ୍ଟୋ ନୃପ ମାନସମ୍ ॥ ୧୪॥
ରାଜନ୍ ! ତା’ ଭୟରେ ଦେବରାଜ
ଇନ୍ଦ୍ର ଆକାଶର ସବୁ ଦିଗରେ ଧାଇଁବାରେ ଲାଗିଲେ | ଶେଷରେ କେଉଁଠାରେ ଶରଣ ନ ପାଇ ସେ ପୂର୍ବ ଏବଂ
ଉତ୍ତର କୋଣରେ ସ୍ଥିତ ମାନସରୋବରରେ ଅତିଶୀଘ୍ର ପ୍ରବେଶ କଲେ |
ସ ଆବସତ୍ପୁଷ୍କରନାଲତନ୍ତୂ-
ନଲବ୍ଧଭୋଗୋ ଯଦିହାଗ୍ନିଦୂତଃ ।
ବର୍ଷାଣି ସାହସ୍ରମଲକ୍ଷିତୋଽନ୍ତଃ
ସ ଚିନ୍ତୟନ୍ ବ୍ରହ୍ମବଧାଦ୍ୱିମୋକ୍ଷମ୍ ॥ ୧୫॥
ମାନସରୋବରରେ କମଳନାଳର ତନ୍ତୁ ମଧ୍ୟରେ ଦେବରାଜ ଇନ୍ଦ୍ର ଏକ ହଜାର
ବର୍ଷ ଗୋପନରେ ନିବାସ କଲେ ଏବଂ କେବେ ତାଙ୍କୁ ବ୍ରହ୍ମହତ୍ୟାରୁ ମୁକ୍ତି ମିଳିବ ସେହି ଚିନ୍ତାରେ
ବ୍ୟଥିତ ରହିଲେ | ସେତେ ଦିନ ତାଙ୍କୁ କୌଣସି ଭୋଜନସାମଗ୍ରୀ ମିଳିଲା ନାହିଁ, କାରଣ ସେ ତ ଅଗ୍ନିଦେବତାଙ୍କ ମୁଖରୁ ଭୋଜନ ଗ୍ରହଣ କରନ୍ତି ଏବଂ
ଅଗ୍ନିଦେବତା ଜଳ ଭିତରେ ସ୍ଥିତ କମଳତନ୍ତୁ ମଧ୍ୟକୁ ଆସିପାରିବେ ନାହିଁ |
ତାବତ୍ତ୍ରିଣାକଂ ନହୁଷଃ ଶଶାସ
ବିଦ୍ୟାତପୋୟୋଗବଲାନୁଭାବଃ ।
ସ ସମ୍ପଦୈଶ୍ୱର୍ୟମଦାନ୍ଧବୁଦ୍ଧି-
ର୍ନୀତସ୍ତିରଶ୍ଚାଂ ଗତିମିନ୍ଦ୍ରପତ୍ନ୍ୟା ॥ ୧୬॥
ଦେବରାଜ ଇନ୍ଦ୍ର ଯେତେଦିନ କମଳତନ୍ତୁ ଭିତରେ ଲୁଚି ରହିଲେ, ସେତେଦିନ ଯାଏଁ ନିଜର ବିଦ୍ୟା, ତପସ୍ୟା ଏବଂ
ଯୋଗବଳ ପ୍ରଭାବରେ ରାଜା ନହୁଷ ସ୍ବର୍ଗରେ ଶାସନ କଲେ | କିନ୍ତୁ ଯେତେବେଳେ ସେ ସମ୍ପତ୍ତି ଏବଂ
ଐଶ୍ବର୍ଯ୍ୟ ମଦରେ ଅନ୍ଧ ହୋଇ ଇନ୍ଦ୍ରପତ୍ନୀ ଶଚୀଙ୍କ ସହିତ ଅନାଚାର କରିବାକୁ ଇଚ୍ଛା କଲେ, ସେତେବେଳେ ଶଚୀ ତାଙ୍କ ଦ୍ବାରା ଋଷିମାନଙ୍କ ପ୍ରତି ଅପରାଧ କରାଇ
ତାଙ୍କୁ ଶାପିତ କଲେ, ଯାହା ଫଳରେ ସେ
ସାପ ହୋଇଗଲେ |
ତତୋ ଗତୋ ବ୍ରହ୍ମଗିରୋପହୂତ
ଋତମ୍ଭରଧ୍ୟାନନିବାରିତାଘଃ ।
ପାପସ୍ତୁ ଦିଗ୍ଦେବତୟା ହତୌଜା-
ସ୍ତଂ ନାଭ୍ୟଭୂଦବିତଂ ବିଷ୍ଣୁପତ୍ନ୍ୟା ॥ ୧୭॥
ତଦନନ୍ତର ସତ୍ୟର ପୋଷକ ଭଗବାନଙ୍କର ଧ୍ୟାନ କରି ଯେତେବେଳେ ଇନ୍ଦ୍ରଙ୍କର
ପାପ ନଷ୍ଟପ୍ରାୟ ହୋଇଗଲା, ସେତେବେଳେ
ବ୍ରାହ୍ମଣମାନଙ୍କର ଆବାହନରେ ସେ ପୁନର୍ବାର ସ୍ବର୍ଗଲୋକକୁ ଚାଲି ଆସିଲେ | କମଳବନବିହାରିଣୀ
ବିଷ୍ଣୁପତ୍ନୀ ଦେବୀ ଲକ୍ଷ୍ମୀ ଇନ୍ଦ୍ରଙ୍କର ରକ୍ଷା କରୁଥିଲେ ଏବଂ ପୂର୍ବୋତ୍ତର ଦିଶାର ଅଧିପତି
ରୁଦ୍ର ପୂର୍ବରୁ ହିଁ ପାପକୁ ନିସ୍ତେଜ କରି ଦେଇଥିଲେ, ଯଦ୍ବାରା ସେ
ପୁନର୍ବାର ଇନ୍ଦ୍ରଙ୍କ ଉପରେ ଆକ୍ରମଣ କରି ପାରିଲା ନାହିଁ |
ତଂ ଚ ବ୍ରହ୍ମର୍ଷୟୋଽଭ୍ୟେତ୍ୟ ହୟମେଧେନ ଭାରତ ।
ଯଥାବଦ୍ଦୀକ୍ଷୟାଞ୍ଚକ୍ରୁଃ ପୁରୁଷାରାଧନେନ ହ ॥ ୧୮॥
ପରୀକ୍ଷିତ ! ଇନ୍ଦ୍ର ସ୍ବର୍ଗକୁ ଫେରି ଆସିବା ପରେ ବ୍ରହ୍ମର୍ଷିମାନେ
ସେଠାକୁ ଆସି ଭଗବାନଙ୍କର ଆରାଧନା ନିମନ୍ତେ ଇନ୍ଦ୍ରଙ୍କୁ ଅଶ୍ବମେଧ ଯଜ୍ଞରେ ଦୀକ୍ଷିତ କରାଇ
ତାଙ୍କ ଦ୍ବାରା ଯଜ୍ଞ କରାଇଲେ |
ଅଥେଜ୍ୟମାନେ ପୁରୁଷେ ସର୍ୱଦେବମୟାତ୍ମନି ।
ଅଶ୍ୱମେଧେ ମହେନ୍ଦ୍ରେଣ ବିତତେ ବ୍ରହ୍ମବାଦିଭିଃ ॥ ୧୯॥
ସ ବୈ ତ୍ୱାଷ୍ଟ୍ରବଧୋ ଭୂୟାନପି ପାପଚୟୋ ନୃପ ।
ନୀତସ୍ତେନୈବ ଶୂନ୍ୟାୟ ନୀହାର ଇବ ଭାନୁନା ॥ ୨୦॥
ବେଦବାଦୀ ଋଷିମାନେ ଯେତେବେଳେ ତାଙ୍କ ଦ୍ବାରା ଅଶ୍ବମେଧ ଯଜ୍ଞ କରାଇଲେ
ତଥା ସେହି ଯଜ୍ଞ ଦ୍ବାରା ଦେବରାଜ ଇନ୍ଦ୍ର ସର୍ବଦେବସ୍ବରୂପ ପୁରୁଷୋତ୍ତମ ଭଗବାନଙ୍କର ଆରାଧନା
କଲେ, ସେତେବେଳେ ସୂର୍ଯ୍ୟୋଦୟ ଯୋଗୁଁ କୁହୁଡି ନାଶ ହୋଇଯିବା
ପରି ସେହି ଆରାଧନା ପ୍ରଭାବରେ ବୃତ୍ରାସୁର ବଧର ସେହି ଅମିତ ପାପରାଶି ଭସ୍ମ ହୋଇଗଲା |
ସ ବାଜିମେଧେନ ଯଥୋଦିତେନ
ବିତାୟମାନେନ ମରୀଚିମିଶ୍ରୈଃ ।
ଇଷ୍ଟ୍ୱାଧିୟଜ୍ଞଂ ପୁରୁଷଂ ପୁରାଣ-
ମିନ୍ଦ୍ରୋ ମହାନାସ ବିଧୂତପାପଃ ॥ ୨୧॥
ମରୀଚି ଆଦି ମୁନୀଶ୍ବର ଯେତେବେଳେ ବିଧିପୂର୍ବକ ତାଙ୍କ ଦ୍ବାରା
ଅଶ୍ବମେଧ ଯଜ୍ଞ କରାଇଲେ, ସେତେବେଳେ ସନାତନ
ପୁରୁଷ ଯଜ୍ଞପତି ଭଗବାନଙ୍କର ଆରାଧନା କରି ଇନ୍ଦ୍ର ସମସ୍ତ ପାପରୁ ମୁକ୍ତ ହୋଇଗଲେ ଏବଂ ପୂର୍ବବତ୍
ପୁଣି ସମସ୍ତଙ୍କର ପୂଜନୀୟ ହୋଇଗଲେ |
ଇଦଂ ମହାଖ୍ୟାନମଶେଷପାପ୍ମନାଂ
ପ୍ରକ୍ଷାଲନଂ ତୀର୍ଥପଦାନୁକୀର୍ତନମ୍ ।
ଭକ୍ତ୍ୟୁଚ୍ଛ୍ରୟଂ ଭକ୍ତଜନାନୁବର୍ଣନଂ
ମହେନ୍ଦ୍ରମୋକ୍ଷଂ ବିଜୟଂ ମରୁତ୍ୱତଃ ॥ ୨୨॥
ପରୀକ୍ଷିତ ! ଏହି ଶ୍ରେଷ୍ଠ ଆଖ୍ୟାନରେ ଇନ୍ଦ୍ରଙ୍କର ବିଜୟ, ତାଙ୍କର ପାପରୁ ମୁକ୍ତି ଏବଂ ଭଗବାନଙ୍କର ପ୍ରିୟ ଭକ୍ତ ବୃତ୍ରାସୁର
ସମ୍ପର୍କରେ ବର୍ଣ୍ଣନା କରାଯାଇଛି | ଏଥିରେ ତୀର୍ଥକୁ ମଧ୍ୟ ତୀର୍ଥ କରୁଥିବା ଭଗବାନଙ୍କର
ଅନୁଗ୍ରହ ଆଦି ପାବନ ଗୁଣମାନଙ୍କର ସଂକୀର୍ତ୍ତନ ରହିଛି | ଏହା ସମସ୍ତ ପାପକୁ ଧୌତ କରିବା ସହିତ
ଭକ୍ତି ବୃଦ୍ଧି କରିଥାଏ |
ପଠେୟୁରାଖ୍ୟାନମିଦଂ ସଦା ବୁଧାଃ
ଶୃଣ୍ୱନ୍ତ୍ୟଥୋ ପର୍ୱଣି ପର୍ୱଣୀନ୍ଦ୍ରିୟମ୍ ।
ଧନ୍ୟଂ ଯଶସ୍ୟଂ ନିଖିଲାଘମୋଚନଂ
ରିପୁଞ୍ଜୟଂ ସ୍ୱସ୍ତ୍ୟଯନଂ ତଥାୟୁଷମ୍ ॥ ୨୩॥
ବୁଦ୍ଧିମାନ ପୁରୁଷ ଏହି ଇନ୍ଦ୍ରସମ୍ବନ୍ଧୀ ଆଖ୍ୟାନକୁ ସର୍ବଦା ପାଠ
କରିବା ଏବଂ ଶୁଣିବା ଆବଶ୍ୟକ | ବିଶେଷତଃ କୌଣସି ପର୍ବ ପାଳନ ଅବସରରେ ତ ଏହାର ସେବନ କରାଯିବା
ଅତ୍ୟନ୍ତ ଆବଶ୍ୟକ ଅଟେ | ଏହା ଧନ ଏବଂ ଯଶ ବୃଦ୍ଧି କରାଇ ଥାଏ, ପାପ ନଷ୍ଟ କରିଥାଏ, ଶତ୍ରୁ ଉପରେ ବିଜୟ
ପ୍ରାପ୍ତ କରାଇ ଥାଏ ତଥା ଆୟୁ ଏବଂ ମଙ୍ଗଳର ଅଭିବୃଦ୍ଧି କରାଇ ଥାଏ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ଇନ୍ଦ୍ରବିଜୟେ ତ୍ରୟୋଦଶୋଽଧ୍ୟାୟଃ ॥ ୧୩॥

Comments
Post a Comment