ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ ॥

ଚତୁର୍ଦ୍ଦଶ ଅଧ୍ୟାୟ

ବୃତ୍ରାସୁରର ପୂର୍ବଚରିତ୍ର

 

ପରୀକ୍ଷିଦୁବାଚ

ରଜସ୍ତମଃସ୍ୱଭାବସ୍ୟ ବ୍ରହ୍ମନ୍ ବୃତ୍ରସ୍ୟ ପାପ୍ମନଃ ।

ନାରାୟଣେ ଭଗବତି କଥମାସୀଦ୍ଦୃଢା ମତିଃ ॥ ୧॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ବୃତ୍ରାସୁରର ସ୍ବଭାବ ତ ଅତ୍ୟନ୍ତ ରଜୋଗୁଣୀ-ତମୋଗୁଣୀ ଥିଲା | ସେ ଦେବତାମାନଙ୍କୁ କଷ୍ଟ ଦେଇ ପାପ ମଧ୍ୟ କରୁଥିଲା | ଏପରି ସ୍ଥିତିରେ ତାର ଭଗବାନ ନାରାୟଣଙ୍କ ଚରଣରେ ସୁଦୃଢ ଭକ୍ତି କିପରି ହେଲା ?

ଦେବାନାଂ ଶୁଦ୍ଧସତ୍ତ୍ୱାନାମୃଷୀଣାଂ ଚାମଲାତ୍ମନାମ୍ ।

ଭକ୍ତିର୍ମୁକୁନ୍ଦଚରଣେ ନ ପ୍ରାୟେଣୋପଜାୟତେ ॥ ୨॥

ଆମ୍ଭେମାନେ ଦେଖିବାକୁ ପାଇଥାଏ ଯେ ପ୍ରାୟ ଶୁଦ୍ଧ ସତ୍ତ୍ବମୟ ଦେବତା ଏବଂ ପବିତ୍ରହୃଦୟ ଋଷିମାନେ ମଧ୍ୟ ଭଗବାନଙ୍କର ପରମ ପ୍ରେମମୟୀ ଅନନ୍ୟ ଭକ୍ତିରୁ ବଞ୍ଚିତ ରହିଯାଆନ୍ତି | ଭଗବାନଙ୍କର ଭକ୍ତି ବାସ୍ତବରେ ଅତ୍ୟନ୍ତ ଦୁର୍ଲଭ ଅଟେ |

ରଜୋଭିଃ ସମସଙ୍ଖ୍ୟାତାଃ ପାର୍ଥିବୈରିହ ଜନ୍ତବଃ ।

ତେଷାଂ ଯେ କେଚନେହନ୍ତେ ଶ୍ରେୟୋ ବୈ ମନୁଜାଦୟଃ ॥ ୩॥

ଭଗବନ୍ ! ପୃଥିବୀର ଧୂଳିକଣା ସଦୃଶ ଏହି ଜଗତର ପ୍ରାଣୀମାନଙ୍କର ସଂଖ୍ୟା ଅସଂଖ୍ୟ ଅଟେ | ସେମାନଙ୍କ ମଧ୍ୟରୁ ମନୁଷ୍ୟ ଆଦି କେତେଜଣ ଶ୍ରେଷ୍ଠ ଜୀବ ନିଜ କଲ୍ୟାଣ ନିମନ୍ତେ ଚେଷ୍ଟା କରନ୍ତି |

ପ୍ରାୟୋ ମୁମୁକ୍ଷବସ୍ତେଷାଂ କେଚନୈବ ଦ୍ୱିଜୋତ୍ତମ ।

ମୁମୁକ୍ଷୂଣାଂ ସହସ୍ରେଷୁ କଶ୍ଚିନ୍ମୁଚ୍ୟେତ ସିଧ୍ୟତି ॥ ୪॥

ବ୍ରହ୍ମନ୍ ! ସେମାନଙ୍କ ମଧ୍ୟରୁ ବି ସଂସାରରୁ ମୁକ୍ତି ଇଚ୍ଛା କରୁଥିବା ମନୁଷ୍ୟ ବିରଳ ଅଟନ୍ତି ଏବଂ ସେହି ମୋକ୍ଷକାମୀ ମନୁଷ୍ୟଙ୍କ ମଧ୍ୟରୁ କ୍ବଚିତ୍ ମୁକ୍ତି ବା ସିଦ୍ଧି ଲାଭ କରିପାରନ୍ତି |

ମୁକ୍ତାନାମପି ସିଦ୍ଧାନାଂ ନାରାୟଣପରାୟଣଃ ।

ସୁଦୁର୍ଲଭଃ ପ୍ରଶାନ୍ତାତ୍ମା କୋଟିଷ୍ୱପି ମହାମୁନେ ॥ ୫॥

ହେ ମହାମୁନି ! କୋଟି କୋଟି ମୁକ୍ତ ଏବଂ ସିଦ୍ଧ ପୁରୁଷଙ୍କ ମଧ୍ୟରୁ ବି ସେପରି ଜଣେ ଶାନ୍ତଚିତ୍ତ ମହାପୁରୁଷ ମିଳିବା ବହୁତ କଠିନ, ଯିଏ ଏକମାତ୍ର ଭଗବାନଙ୍କର ପରାୟଣ ହୋଇଥିବେ |

ବୃତ୍ରସ୍ତୁ ସ କଥଂ ପାପଃ ସର୍ୱଲୋକୋପତାପନଃ ।

ଇତ୍ଥଂ ଦୃଢମତିଃ କୃଷ୍ଣ ଆସୀତ୍ସଙ୍ଗ୍ରାମ ଉଲ୍ବଣେ ॥ ୬॥

ଏପରି ଅବସ୍ଥାରେ ସେହି ବୃତ୍ରାସୁର, ଯିଏ ସମସ୍ତଙ୍କୁ ସଂତପ୍ତ କରୁଥିଲା ଏବଂ ବହୁତ ବଡ ପାପୀ ଥିଲା, ଭୟଙ୍କର ଯୁଦ୍ଧକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କଠାରେ ନିଜର ଚିତ୍ତବୃତ୍ତିକୁ ଏପରି ଦୃଢ଼ତାର ସହ ସଂଲଗ୍ନ ରଖିପାରିଲା – ଏହା କିପରି ସମ୍ଭବ ?

ଅତ୍ର ନଃ ସଂଶୟୋ ଭୂୟାଞ୍ଛ୍ରୋତୁଂ କୌତୂହଲଂ ପ୍ରଭୋ ।

ଯଃ ପୌରୁଷେଣ ସମରେ ସହସ୍ରାକ୍ଷମତୋଷୟତ୍ ॥ ୭॥

ପ୍ରଭୁ ! ଏହି ବିଷୟରେ ମୋ ମନରେ ବହୁତ ବେଶୀ ସନ୍ଦେହ ରହୁଛି ଏବଂ ତାହା ଶୁଣିବାକୁ ମଧ୍ୟ କୌତୁହଳ ଜାତ ହେଉଛି | ବୃତ୍ରାସୁରର ବଳ-ପୌରୁଷ ଏତେ ମହାନ୍ ଥିଲା ଯେ ସେ ରଣଭୂମିରେ ଦେବରାଜ ଇନ୍ଦ୍ରଙ୍କୁ ମଧ୍ୟ ସନ୍ତୁଷ୍ଟ କରିଦେଲା !

ସୂତ ଉବାଚ

ପରୀକ୍ଷିତୋଽଥ ସମ୍ପ୍ରଶ୍ନଂ ଭଗବାନ୍ ବାଦରାୟଣିଃ ।

ନିଶମ୍ୟ ଶ୍ରଦ୍ଦଧାନସ୍ୟ ପ୍ରତିନନ୍ଦ୍ୟ ବଚୋଽବ୍ରବୀତ୍ ॥ ୮॥

ସୂତ ମହାଶୟ କହୁଛନ୍ତି – ଶୌନକାଦି ଋଷିଗଣ ! ପରମ ଶ୍ରଦ୍ଧାଳୁ ରାଜର୍ଷି ପରୀକ୍ଷିତଙ୍କର ଏହି ଶ୍ରେଷ୍ଠ ପ୍ରଶ୍ନ ଶୁଣି ଭଗବାନ ଶୁକଦେବ ତାଙ୍କର ଅଭିନନ୍ଦନ କରି ଏହା କହିଲେ -

ଶ୍ରୀଶୁକ ଉବାଚ

ଶୃଣୁଷ୍ୱାବହିତୋ ରାଜନ୍ନିତିହାସମିମଂ ଯଥା ।

ଶ୍ରୁତଂ ଦ୍ୱୈପାୟନମୁଖାନ୍ନାରଦାଦ୍ଦେବଲାଦପି ॥ ୯॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ତୁମେ ସାବଧାନ ହୋଇ ଏହି ଇତିହାସ ଶୁଣ | ମୁଁ ଏହା ମୋର ପିତା ବେଦବ୍ୟାସ, ଦେବର୍ଷି ନାରଦ ଏବଂ ମହର୍ଷି ଦେବଳଙ୍କ ମୁଖରୁ ମଧ୍ୟ ବିଧିପୂର୍ବକ ଶ୍ରବଣ କରିଥିଲି |

ଆସୀଦ୍ରାଜା ସାର୍ୱଭୌମଃ ଶୂରସେନେଷୁ ବୈ ନୃପ ।

ଚିତ୍ରକେତୁରିତି ଖ୍ୟାତୋ ଯସ୍ୟାସୀତ୍କାମଧୁଙ୍ମହୀ ॥ ୧୦॥

ପ୍ରାଚୀନ କାଳର କଥା | ଶୂରସେନ ଦେଶରେ ଚକ୍ରବର୍ତ୍ତୀ ସମ୍ରାଟ ମହାରାଜ ଚିତ୍ରକେତୁ ରାଜତ୍ବ କରୁଥିଲେ | ତାଙ୍କ ରାଜ୍ୟରେ ପ୍ରଜାମାନଙ୍କର ଇଚ୍ଛାନୁସାରେ ସ୍ବୟଂ ପୃଥିବୀ ହିଁ ଅନ୍ନ-ରସ ପ୍ରଦାନ କରୁଥିଲା |

ତସ୍ୟ ଭାର୍ୟାସହସ୍ରାଣାଂ ସହସ୍ରାଣି ଦଶାଭବନ୍ ।

ସାନ୍ତାନିକଶ୍ଚାପି ନୃପୋ ନ ଲେଭେ ତାସୁ ସନ୍ତତିମ୍ ॥ ୧୧॥

ତାଙ୍କର ଏକ କୋଟି ରାଣୀ ଥିଲେ ଏବଂ ସେ ସ୍ବୟଂ ମଧ୍ୟ ସନ୍ତାନ ଉତ୍ପନ୍ନ କରିବାକୁ ସମର୍ଥ ଥିଲେ | କିନ୍ତୁ କୌଣସି ରାଣୀଙ୍କ ଗର୍ଭରୁ ବି ତାଙ୍କର କେହି ସନ୍ତାନ ଉତ୍ପନ୍ନ ହେଲେନାହିଁ |

ରୂପୌଦାର୍ୟବୟୋଜନ୍ମବିଦ୍ୟୈଶ୍ୱର୍ୟଶ୍ରିୟାଦିଭିଃ ।

ସମ୍ପନ୍ନସ୍ୟ ଗୁଣୈଃ ସର୍ୱୈଶ୍ଚିନ୍ତା ବନ୍ଧ୍ୟାପତେରଭୂତ୍ ॥ ୧୨॥

ଏମିତି ତ ମହାରାଜ ଚିତ୍ରକେତୁ କୌଣସି ଦୃଷ୍ଟିରୁ କମ୍ ନ ଥିଲେ | ସୁନ୍ଦରତା, ଉଦାରତା, ଯୁବାବସ୍ଥା, କୁଳୀନତା, ବିଦ୍ୟା, ଐଶ୍ବର୍ଯ୍ୟ ଏବଂ ସମ୍ପତ୍ତି ଆଦି ସବୁ ଶ୍ରେଷ୍ଠ ଗୁଣରେ ସେ ସମ୍ପନ୍ନ ଥିଲେ | ତଥାପି ତାଙ୍କର ରାଣୀମାନେ ବନ୍ଧ୍ୟା ଥିଲେ, ସେହି କାରଣରୁ ସେ ବହୁତ ବେଶୀ ଚିନ୍ତିତ ଥିଲେ |

ନ ତସ୍ୟ ସମ୍ପଦଃ ସର୍ୱା ମହିଷ୍ୟୋ ବାମଲୋଚନାଃ ।

ସାର୍ୱଭୌମସ୍ୟ ଭୂଶ୍ଚେୟମଭବନ୍ ପ୍ରୀତିହେତବଃ ॥ ୧୩॥

ସମ୍ପୂର୍ଣ୍ଣ ପୃଥିବୀର ସେ ଏକଛତ୍ର ସମ୍ରାଟ ଥିଲେ, ତାଙ୍କର ଅନେକ ସୁନ୍ଦରୀ ରାଣୀ ଥିଲେ ଏବଂ ସମଗ୍ର ପୃଥିବୀ ତାଙ୍କ ନିୟନ୍ତ୍ରଣରେ ଥିଲା | ସବୁ ପ୍ରକାରର ସମ୍ପତ୍ତି ତାଙ୍କ ସେବାରେ ଉପସ୍ଥିତ ଥିଲା, କିନ୍ତୁ ସେହି ସବୁ ବସ୍ତୁ ତାଙ୍କୁ ସୁଖୀ କରି ପାରୁ ନ ଥିଲା |

ତସ୍ୟୈକଦା ତୁ ଭବନମଙ୍ଗିରା ଭଗବାନ୍ ଋଷିଃ ।

ଲୋକାନନୁଚରନ୍ନେତାନୁପାଗଚ୍ଛଦ୍ୟଦୃଚ୍ଛୟା ॥ ୧୪॥

ଦିନେ ଶାପ ଏବଂ ବରଦାନ ଦେବାରେ ସମର୍ଥ ଅଙ୍ଗିରା ଋଷି ବିଭିନ୍ନ ଲୋକରେ ସ୍ବଚ୍ଛନ୍ଦ ବିଚରଣ କରି କରି ରାଜା ଚିତ୍ରକେତୁଙ୍କ ମହଲରେ ପହଞ୍ଚିଲେ |

ତଂ ପୂଜୟିତ୍ୱା ବିଧିବତ୍ପ୍ରତ୍ୟୁତ୍ଥାନାର୍ହଣାଦିଭିଃ ।

କୃତାତିଥ୍ୟମୁପାସୀଦତ୍ସୁଖାସୀନଂ ସମାହିତଃ ॥ ୧୫॥

ରାଜା ପ୍ରତ୍ୟୁଥାନ ଏବଂ ଅର୍ଘ୍ୟ ଆଦି ଦ୍ବାରା ତାଙ୍କର ବିଧିପୂର୍ବକ ପୂଜା କଲେ | ଅତିଥି ସତ୍କାର ପରେ ଅଙ୍ଗିରା ଋଷି ଯେତେବେଳେ ସୁଖପୂର୍ବକ ଆସନରେ ବିରାଜମାନ କଲେ, ସେତେବେଳେ ରାଜା ଚିତ୍ରକେତୁ ମଧ୍ୟ ଶାନ୍ତଭାବରେ ତାଙ୍କ ସମୀପରେ ବସିଲେ |

ମହର୍ଷିସ୍ତମୁପାସୀନଂ ପ୍ରଶ୍ରୟାବନତଂ କ୍ଷିତୌ ।

ପ୍ରତିପୂଜ୍ୟ ମହାରାଜ ସମାଭାଷ୍ୟେଦମବ୍ରବୀତ୍ ॥ ୧୬॥

ମହାରାଜ ! ମହର୍ଷି ଅଙ୍ଗିରା ଦେଖିଲେ ଏହି ରାଜା ଅତ୍ୟନ୍ତ ବିନୟୀ ଅଟନ୍ତି ଏବଂ ମୋ ସମୀପରେ ଭୂମିରେ ଉପବେଶନ କରି ମୋର ଭକ୍ତି କରୁଛନ୍ତି | ସେତେବେଳେ ସେ ଚିତ୍ରକେତୁଙ୍କୁ ସମ୍ବୋଧିତ କରି ସ୍ନେହରେ ଏହିପରି କହିଲେ -

ଅଙ୍ଗିରା ଉବାଚ

ଅପି ତେଽନାମୟଂ ସ୍ୱସ୍ତି ପ୍ରକୃତୀନାଂ ତଥାଽଽତ୍ମନଃ ।

ଯଥା ପ୍ରକୃତିଭିର୍ଗୁପ୍ତଃ ପୁମାନ୍ ରାଜାପି ସପ୍ତଭିଃ ॥ ୧୭॥

ଅଙ୍ଗିରା ଋଷି କହିଲେ – ରାଜନ୍ ! ତୁମେ ନିଜର ପ୍ରକୃତି – ଗୁରୁ, ମନ୍ତ୍ରୀ, ରାଷ୍ଟ୍ର, ଦୁର୍ଗ, କୋଷ, ସେନା ଏବଂ ମିତ୍ରଙ୍କ ସହିତ ସକୁଶଳ ରହିଛ ତ ? ଜୀବ ଯେପରି ମହତ୍ତତ୍ତ୍ବ ଆଦି ସପ୍ତ ଆବରଣରେ ଆବୃତ ରହିଥାଏ, ସେହିପରି ରାଜା ଏହି ସପ୍ତ ପ୍ରକୃତିରେ ଆବୃତ ରହିଥାଆନ୍ତି | ସେମାନଙ୍କର କୁଶଳତାରେ ହିଁ ରାଜାଙ୍କର କୁଶଳତା ନିହିତ |

ଆତ୍ମାନଂ ପ୍ରକୃତିଷ୍ୱଦ୍ଧା ନିଧାୟ ଶ୍ରେୟ ଆପ୍ନୁୟାତ୍ ।

ରାଜ୍ଞା ତଥା ପ୍ରକୃତୟୋ ନରଦେବାହିତାଧୟଃ ॥ ୧୮॥

ନରେନ୍ଦ୍ର ! ରାଜା ଯେପରି ନିଜର ଉପରୋକ୍ତ ପ୍ରକୃତିମାନଙ୍କର ଅନୁକୂଳ ରହିବା ଦ୍ବାରା ହିଁ ରାଜ୍ୟସୁଖ ଭୋଗ କରିଥାଏ, ସେହିପରି ପ୍ରକୃତିମାନେ ମଧ୍ୟ ନିଜ ରକ୍ଷା ଭାର ରାଜା ଉପରେ ନ୍ୟସ୍ତ କରି ସୁଖ ଓ ସମୃଦ୍ଧି ଲାଭ କରିଥାଆନ୍ତି |

ଅପି ଦାରାଃ ପ୍ରଜାମାତ୍ୟା ଭୃତ୍ୟାଃ ଶ୍ରେଣ୍ୟୋଽଥ ମନ୍ତ୍ରିଣଃ ।

ପୌରା ଜାନପଦା ଭୂପା ଆତ୍ମଜା ବଶବର୍ତିନଃ ॥ ୧୯॥

ରାଜନ୍ ! ତୁମର ରାଣୀମାନେ, ପ୍ରଜା, ମନ୍ତ୍ରୀ, ସେବକ, ବ୍ୟାପାରୀ, ଅମାତ୍ୟ, ନାଗରିକ, ଦେଶବାସୀ, ମଣ୍ଡଳେଶ୍ବର ରାଜା ଏବଂ ପୁତ୍ର ତୁମର ଅଧୀନସ୍ତ ରହିଛନ୍ତି ତ ?

ଯସ୍ୟାତ୍ମାନୁବଶଶ୍ଚେତ୍ସ୍ୟାତ୍ସର୍ୱେ ତଦ୍ୱଶଗା ଇମେ ।

ଲୋକାଃ ସପାଲା ଯଚ୍ଛନ୍ତି ସର୍ୱେ ବଲିମତନ୍ଦ୍ରିତାଃ ॥ ୨୦॥

ବାସ୍ତବ ସତ୍ୟ ତ ଏହା ଅଟେ ଯେ ଯାହାର ମନ ନିଜ ନିୟନ୍ତ୍ରଣରେ ରହିଥାଏ, ଏମାନେ ସମସ୍ତେ ମଧ୍ୟ ତାର ନିୟନ୍ତ୍ରଣରେ ରହିଥାଆନ୍ତି | କେବଳ ସେତିକି ନୁହେଁ, ସବୁ ଲୋକ ଏବଂ ଲୋକପାଳ ମଧ୍ୟ ଅତ୍ୟନ୍ତ ସାବଧାନପୂର୍ବକ ତାଙ୍କୁ ଭେଟି ଅର୍ପଣ କରି ତାଙ୍କର ପ୍ରସନ୍ନତା ଇଚ୍ଛା କରିଥାଆନ୍ତି |

ଆତ୍ମନଃ ପ୍ରୀୟତେ ନାତ୍ମା ପରତଃ ସ୍ୱତ ଏବ ବା ।

ଲକ୍ଷୟେଽଲବ୍ଧକାମଂ ତ୍ୱାଂ ଚିନ୍ତୟା ଶବଲଂ ମୁଖମ୍ ॥ ୨୧॥

କିନ୍ତୁ ମୁଁ ଯାହା ଦେଖୁଛି ତୁମେ ସ୍ବୟଂ ସନ୍ତୁଷ୍ଟ ନୁହେଁ | ତୁମର କୌଣସି କାମନା ଅପୂର୍ଣ୍ଣ ରହିଛି | ତୁମ ମୁହଁରେ କିଛି ଆନ୍ତରିକ ଚିନ୍ତାର ଝଲକ ଦେଖାଯାଉଛି | ତୁମର ଏହି ଅସନ୍ତୋଷର କାରଣ ସ୍ବୟଂ ତୁମେ ଅଟ କି ଅନ୍ୟ କେହି ଅଟନ୍ତି ?

ଏବଂ ବିକଲ୍ପିତୋ ରାଜନ୍ ବିଦୁଷା ମୁନିନାପି ସଃ ।

ପ୍ରଶ୍ରୟାବନତୋଽଭ୍ୟାହ ପ୍ରଜାକାମସ୍ତତୋ ମୁନିମ୍ ॥ ୨୨॥

ପରୀକ୍ଷିତ ! ରାଜାଙ୍କ ମନ କେଉଁ କାରଣରୁ ଚିନ୍ତିତ ରହୁଛି, ତାହା ମହର୍ଷି ଅଙ୍ଗିରା ଜାଣି ପାରୁଥିଲେ | ତଥାପି ସେ ରାଜାଙ୍କୁ ସେହି ଚିନ୍ତା ସମ୍ବନ୍ଧରେ ପ୍ରଶ୍ନ କଲେ | ଚିତ୍ରକେତୁଙ୍କର ସନ୍ତାନ କାମନା ଥିଲା | ମହର୍ଷି ପଚାରିବାରୁ ସେ ବିନୟର ସହ ଅବନତ ହୋଇ ନିବେଦନ କଲେ |

ଚିତ୍ରକେତୁରୁବାଚ

ଭଗବନ୍ କିଂ ନ ବିଦିତଂ ତପୋଜ୍ଞାନସମାଧିଭିଃ ।

ଯୋଗିନାଂ ଧ୍ୱସ୍ତପାପାନାଂ ବହିରନ୍ତଃ ଶରୀରିଷୁ ॥ ୨୩॥

ସମ୍ରାଟ ଚିତ୍ରକେତୁ କହିଲେ – ଭଗବନ୍ ! ଯେଉଁ ଯୋଗୀମାନଙ୍କର ତପସ୍ୟା, ଜ୍ଞାନ, ଧାରଣା, ଧ୍ୟାନ ଏବଂ ସମାଧି ଦ୍ବାରା ସବୁ ପାପ ନଷ୍ଟ ହୋଇ ଯାଇଥାଏ, ସେମାନଙ୍କ ପକ୍ଷରେ ପ୍ରାଣୀର ବାହାର ଏବଂ ଭିତର ସ୍ଥିତିକୁ ଜାଣିବା କଠିନ କିପରି ହେବ ?

ତଥାପି ପୃଚ୍ଛତୋ ବ୍ରୂୟାଂ ବ୍ରହ୍ମନ୍ନାତ୍ମନି ଚିନ୍ତିତମ୍ ।

ଭବତୋ ବିଦୁଷଶ୍ଚାପି ଚୋଦିତସ୍ତ୍ୱଦନୁଜ୍ଞୟା ॥ ୨୪॥

ଏପରି ଅବସ୍ଥାରେ ବି ଆପଣ ଯଦି ମୋଠାରୁ ମୋର ଚିନ୍ତା ବିଷୟରେ ଶୁଣିବାକୁ ଇଚ୍ଛା କରୁଛନ୍ତି, ଆପଣଙ୍କ ଆଜ୍ଞା ଏବଂ ପ୍ରେରଣାରେ ମୁଁ ନିଜର ଚିନ୍ତା ଆପଣଙ୍କ ଚରଣରେ ନିବେଦନ କରୁଛି |

ଲୋକପାଲୈରପି ପ୍ରାର୍ଥ୍ୟାଃ ସାମ୍ରାଜ୍ୟୈଶ୍ୱର୍ୟସମ୍ପଦଃ ।

ନ ନନ୍ଦୟନ୍ତ୍ୟପ୍ରଜଂ ମାଂ କ୍ଷୁତ୍ତୃଟ୍କାମମିବାପରେ ॥ ୨୫॥

ପୃଥିବୀର ସାମ୍ରାଜ୍ୟ, ଐଶ୍ବର୍ଯ୍ୟ ଏବଂ ସମ୍ପତ୍ତି, ଯାହା ପାଇଁ ଲୋକପାଳମାନେ ମଧ୍ୟ ଲାଳାୟିତ ରହନ୍ତି, ସେସବୁ ମୋତେ ପ୍ରାପ୍ତ ଅଟେ | କିନ୍ତୁ ସନ୍ତାନ ଉତ୍ପନ୍ନ ନ ହେବା କାରଣରୁ ମୋତେ ସେହି ସବୁ ସୁଖଭୋଗରୁ କାଣିଚାଏ ବି ଶାନ୍ତି ମିଳୁନାହିଁ, ଯେପରି ଭୋକିଲା-ତୃଷାର୍ତ୍ତ ପ୍ରାଣୀକୁ ଅନ୍ନ-ଜଳ ଅତିରିକ୍ତ ଅନ୍ୟ କୌଣସି ଭୋଗରୁ ତୃପ୍ତି ମିଳି ନ ଥାଏ |

ତତଃ ପାହି ମହାଭାଗ ପୂର୍ୱୈଃ ସହ ଗତଂ ତମଃ ।

ଯଥା ତରେମ ଦୁସ୍ତାରଂ ପ୍ରଜୟା ତଦ୍ୱିଧେହି ନଃ ॥ ୨୬॥

ମହାଭାଗ୍ୟବାନ ମହର୍ଷି ! ମୁଁ ସ୍ବୟଂ ତ ଦୁଃଖୀ ଅଟେ; ପିଣ୍ଡଦାନ ମିଳିବ ନାହିଁ, ଏହି ଆଶଙ୍କାରେ ମୋର ପିତୃପୁରୁଷମାନେ ମଧ୍ୟ ଦୁଃଖୀ ହେଉଛନ୍ତି | ଏବେ ଆପଣ ମୋତେ ସନ୍ତାନ ଦାନ କରି ପରଲୋକରେ ପ୍ରାପ୍ତ ହେବାକୁ ଥିବା ଘୋର ନର୍କରୁ ଉଦ୍ଧାର କରନ୍ତୁ ଏବଂ ଏପରି ବ୍ୟବସ୍ଥା କରନ୍ତୁ ଯେ ମୁଁ ଲୋକ-ପରଲୋକର ସମସ୍ତ ଦୁଃଖରୁ ମୁକ୍ତ ହୋଇଯିବି |

ଶ୍ରୀଶୁକ ଉବାଚ

ଇତ୍ୟର୍ଥିତଃ ସ ଭଗବାନ୍ କୃପାଲୁର୍ବ୍ରହ୍ମଣଃ ସୁତଃ ।

ଶ୍ରପୟିତ୍ୱା ଚରୁଂ ତ୍ୱାଷ୍ଟ୍ରଂ ତ୍ୱଷ୍ଟାରମୟଜଦ୍ୱିଭୁଃ ॥ ୨୭॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ରାଜା ଚିତ୍ରକେତୁଙ୍କର ଏପରି ପ୍ରାର୍ଥନା ଶୁଣି ସବସମର୍ଥ, ପରମ କୃପାଳୁ ବ୍ରହ୍ମାପୁତ୍ର ଅଙ୍ଗିରା ତ୍ବଷ୍ଟା ଦେବତାଙ୍କ ଯୋଗ୍ୟ ଚରୁ ପ୍ରସ୍ତୁତ କରି ସେଥିରେ ତାଙ୍କର ଯଜନ କଲେ |

ଜ୍ୟେଷ୍ଠା ଶ୍ରେଷ୍ଠା ଚ ଯା ରାଜ୍ଞୋ ମହିଷୀଣାଂ ଚ ଭାରତ ।

ନାମ୍ନା କୃତଦ୍ୟୁତିସ୍ତସ୍ୟୈ ଯଜ୍ଞୋଚ୍ଛିଷ୍ଟମଦାଦ୍ଦ୍ୱିଜଃ ॥ ୨୮॥

ପରୀକ୍ଷିତ ! ରାଜା ଚିତ୍ରକେତୁଙ୍କର ରାଣୀମାନଙ୍କ ମଧ୍ୟରେ ସବୁଠାରୁ ବଡ ସଦଗୁଣବତୀ ମହାରାଣୀ କୃତଦ୍ୟୁତି ଥିଲେ | ମହର୍ଷି ଅଙ୍ଗିରା ତାଙ୍କୁ ହିଁ ଯଜ୍ଞର ଅବଶେଷ ପ୍ରଦାନ କଲେ |

ଅଥାହ ନୃପତିଂ ରାଜନ୍ ଭବିତୈକସ୍ତବାତ୍ମଜଃ ।

ହର୍ଷଶୋକପ୍ରଦସ୍ତୁଭ୍ୟମିତି ବ୍ରହ୍ମସୁତୋ ଯୟୌ ॥ ୨୯॥

ରାଜା ଚିତ୍ରକେତୁଙ୍କୁ ସେ କହିଲ – ରାଜନ୍ ! ତୁମ ପତ୍ନୀଙ୍କ ଗର୍ଭରୁ ଏକ ପୁତ୍ର ଜାତ ହେବ ଯିଏ ତୁମକୁ ହର୍ଷ-ଶୋକ ଉଭୟ ପ୍ରଦାନ କରିବ | ଏତିକି କହି ଅଙ୍ଗିରା ଋଷି ସେଠାରୁ ପ୍ରସ୍ଥାନ କଲେ |

ସାପି ତତ୍ପ୍ରାଶନାଦେବ ଚିତ୍ରକେତୋରଧାରୟତ୍ ।

ଗର୍ଭଂ କୃତଦ୍ୟୁତିର୍ଦେବୀ କୃତ୍ତିକାଗ୍ନେରିବାତ୍ମଜମ୍ ॥ ୩୦॥

ସେହି ଯଜ୍ଞାବଶେଷକୁ ପ୍ରସାଦ ରୂପେ ଗ୍ରହଣ କରିବା ପରେ, କୃତିକା ନିଜ ଗର୍ଭରେ ଅଗ୍ନିକୁମାରଙ୍କୁ ଧାରଣ କରିବା ପରି, ମହାରାଜ ଚିତ୍ରକେତୁଙ୍କ ଦ୍ବାରା ମହାରାଣୀ କୃତଦ୍ୟୁତି ଗର୍ଭ ଧାରଣ କଲେ |

ତସ୍ୟା ଅନୁଦିନଂ ଗର୍ଭଃ ଶୁକ୍ଲପକ୍ଷ ଇବୋଡୁପଃ ।

ବବୃଧେ ଶୂରସେନେଶତେଜସା ଶନକୈର୍ନୃପ ॥ ୩୧॥

ରାଜନ୍ ! ଶୂରସେନ ଦେଶର ରାଜା ଚିତ୍ରକେତୁଙ୍କର ତେଜରେ କୃତଦ୍ୟୁତିଙ୍କର ଗର୍ଭ ଶୁକ୍ଲପକ୍ଷର ଚନ୍ଦ୍ରମା ପରି ଦିନକୁ ଦିନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଲା |

ଅଥ କାଲ ଉପାବୃତ୍ତେ କୁମାରଃ ସମଜାୟତ ।

ଜନୟନ୍ ଶୂରସେନାନାଂ ଶୃଣ୍ୱତାଂ ପରମାଂ ମୁଦମ୍ ॥ ୩୨॥

ତଦନନ୍ତର ନିର୍ଦ୍ଧାରିତ ସମୟରେ ମହାରାଣୀ କୃତଦ୍ୟୁତିଙ୍କ ଗର୍ଭରୁ ଏକ ସୁନ୍ଦର ପୁତ୍ର ଜନ୍ମ ଲାଭ କଲା | ସେହି ଜନ୍ମ ସମାଚାର ଶୁଣି ଶୂରସେନ ଦେଶର ପ୍ରଜାମାନେ ବହୁତ ଆନନ୍ଦିତ ହେଲେ |

ହୃଷ୍ଟୋ ରାଜା କୁମାରସ୍ୟ ସ୍ନାତଃ ଶୁଚିରଲଙ୍କୃତଃ ।

ବାଚୟିତ୍ୱାଽଽଶିଷୋ ବିପ୍ରୈଃ କାରୟାମାସ ଜାତକମ୍ ॥ ୩୩॥

ସମ୍ରାଟ ଚିତ୍ରକେତୁଙ୍କର ଆନନ୍ଦକୁ ତ ଭାଷାରେ ପ୍ରକାଶ କରିହେବ ନାହିଁ | ସେ ସ୍ନାନ କରି ପବିତ୍ର ହେଲେ | ତତପଶ୍ଚାତ୍ ବସ୍ତ୍ରଭୂଷଣରେ ସୁସଜ୍ଜିତ ହୋଇ, ବ୍ରାହ୍ମଣମାନଙ୍କ ଦ୍ବାରା ସ୍ବସ୍ତିବାଚନ କରାଇ ଏବଂ ସେମାନଙ୍କର ଆଶୀର୍ବାଦ ନେଇ ପୁତ୍ରର ଜାତକର୍ମ-ସଂସ୍କାର କରାଇଲେ |

ତେଭ୍ୟୋ ହିରଣ୍ୟଂ ରଜତଂ ବାସାଂସ୍ୟାଭରଣାନି ଚ ।

ଗ୍ରାମାନ୍ ହୟାନ୍ ଗଜାନ୍ ପ୍ରାଦାଦ୍ଧେନୂନାମର୍ବୁଦାନି ଷଟ୍ ॥ ୩୪॥

ସେହି ବ୍ରାହ୍ମଣମାନଙ୍କୁ ଦାନସ୍ବରୂପ ସେ ସୁନା, ରୂପା, ବସ୍ତ୍ର, ଆଭୂଷଣ, ଗ୍ରାମ, ଘୋଡା, ହାତୀ ଏବଂ ଛ ଅର୍ବୁଦ ଗାଈ ପ୍ରଦାନ କଲେ |

ବବର୍ଷ କାମମନ୍ୟେଷାଂ ପର୍ଜନ୍ୟ ଇବ ଦେହିନାମ୍ ।

ଧନ୍ୟଂ ଯଶସ୍ୟମାୟୁଷ୍ୟଂ କୁମାରସ୍ୟ ମହାମନାଃ ॥ ୩୫॥

ଉଦାରଶିରୋମଣି ରାଜା ଚିତ୍ରକେତୁ ପୁତ୍ରର ଧନ, ଯଶ ଏବଂ ଆୟୁ ବୃଦ୍ଧି ନିମନ୍ତେ ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କର ଇପ୍ସିତ ବସ୍ତୁ ପ୍ରଦାନ କଲେ – ଠିକ୍ ସେହିପରି, ଯେପରି ମେଘ ସମସ୍ତଙ୍କର ମନୋରଥ ପୂର୍ଣ୍ଣ କରିଥାଏ |

କୃଚ୍ଛ୍ରଲବ୍ଧେଽଥ ରାଜର୍ଷେସ୍ତନୟେଽନୁଦିନଂ ପିତୁଃ ।

ଯଥା ନିଃସ୍ୱସ୍ୟ କୃଚ୍ଛ୍ରାପ୍ତେ ଧନେ ସ୍ନେହୋଽନ୍ୱବର୍ଧତ ॥ ୩୬॥

ପରୀକ୍ଷିତ ! କୌଣସି କାଙ୍ଗାଳକୁ ବହୁ କଷ୍ଟରେ କିଛି ଧନ ମିଳିଗଲେ, ତା’ର ଯେପରି ସେଥିରେ ଆସକ୍ତି ହୋଇଯାଏ, ଠିକ୍ ସେହିପରି କଠିନତାରେ ପ୍ରାପ୍ତ ହୋଇଥିବା ପୁତ୍ରଠାରେ ରାଜର୍ଷି ଚିତ୍ରକେତୁଙ୍କର ସ୍ନେହବନ୍ଧନ ଦିନକୁ ଦିନ ଦୃଢ ହେବାରେ ଲାଗିଲା |

ମାତୁସ୍ତ୍ୱତିତରାଂ ପୁତ୍ରେ ସ୍ନେହୋ ମୋହସମୁଦ୍ଭବଃ ।

କୃତଦ୍ୟୁତେଃ ସପତ୍ନୀନାଂ ପ୍ରଜାକାମଜ୍ୱରୋଽଭବତ୍ ॥ ୩୭॥

ମାତା କୃତଦ୍ୟୁତିଙ୍କର ମଧ୍ୟ ନିଜ ପୁତ୍ର ପ୍ରତି ମୋହ କାରଣରୁ ଅତ୍ୟଧିକ ସ୍ନେହ ଥିଲା | କିନ୍ତୁ ଅନ୍ୟ ରାଣୀମାନେ ପୁତ୍ର କାମନାରେ ତାଙ୍କ ପ୍ରତି ଈର୍ଷ୍ୟାରେ ଜଳିବାରେ ଲାଗିଲେ |

ଚିତ୍ରକେତୋରତିପ୍ରୀତିର୍ୟଥା ଦାରେ ପ୍ରଜାବତି ।

ନ ତଥାନ୍ୟେଷୁ ସଞ୍ଜଜ୍ଞେ ବାଲଂ ଲାଲୟତୋଽନ୍ୱହମ୍ ॥ ୩୮॥

ପ୍ରତିଦିନ ପୁତ୍ରର ଲାଳନ-ପାଳନ କରୁଥିବା କାରଣରୁ ସମ୍ରାଟ ଚିତ୍ରକେତୁଙ୍କର ଯେତିକି ପ୍ରେମ ପୁତ୍ରର ମାତା କୃତଦ୍ୟୁତିଙ୍କ ପ୍ରତି ଥିଲା, ସେତିକି ଅନ୍ୟ ରାଣୀମାନଙ୍କ ପ୍ରତି ରହିଲା ନାହିଁ |

ତାଃ ପର୍ୟତପ୍ୟନ୍ନାତ୍ମାନଂ ଗର୍ହୟନ୍ତ୍ୟୋଽଭ୍ୟସୂୟଯା ।

ଆନପତ୍ୟେନ ଦୁଃଖେନ ରାଜ୍ଞୋଽନାଦରେଣ ଚ ॥ ୩୯॥

ଏହିପରି ଭାବରେ ଅନ୍ୟ ରାଣୀମାନେ ତ ସନ୍ତାନ ନ ହେବା କାରଣରୁ ଦୁଃଖୀ ଥିଲେ, ପୁନଶ୍ଚ ସେମାନଙ୍କୁ ରାଜା ଚିତ୍ରକେତୁଙ୍କର ଉପେକ୍ଷା ସହ୍ୟ କରିବାକୁ ପଡିଲା | ତେଣୁ ଦ୍ବେଷରେ ସେମାନେ ନିଜକୁ ଧିକ୍କାର କରିବା ସହିତ ଜଳିବାରେ ଲାଗିଲେ |

ଧିଗପ୍ରଜାଂ ସ୍ତ୍ରିୟଂ ପାପାଂ ପତ୍ୟୁଶ୍ଚାଗୃହସମ୍ମତାମ୍ ।

ସୁପ୍ରଜାଭିଃ ସପତ୍ନୀଭିର୍ଦାସୀମିବ ତିରସ୍କୃତାମ୍ ॥ ୪୦॥

ପରସ୍ପରରେ ସେମାନେ ଚର୍ଚ୍ଚା କରିବାରେ ଲାଗିଲେ – ଭଉଣୀ ! ପୁତ୍ରହୀନ ସ୍ତ୍ରୀ ସତରେ ଅତ୍ୟନ୍ତ ଅଭାଗିନୀ ଅଟେ | ଏକରେ ତ ପୁତ୍ରବତୀ ସପତ୍ନୀ ଦାସୀ ପରି ତାହାର ତିରସ୍କାର କରିଥାଏ, ଦୁଇରେ ସ୍ବୟଂ ପତିଦେବ ମଧ୍ୟ ତାହାକୁ ପତ୍ନୀ ମନେକରନ୍ତି ନାହିଁ | ବାସ୍ତବରେ ପୁତ୍ରହୀନ ସ୍ତ୍ରୀ ଧିକ୍କାର-ଯୋଗ୍ୟ ଅଟେ |

ଦାସୀନାଂ କୋ ନୁ ସନ୍ତାପଃ ସ୍ୱାମିନଃ ପରିଚର୍ୟଯା ।

ଅଭୀକ୍ଷ୍ଣଂ ଲବ୍ଧମାନାନାଂ ଦାସ୍ୟା ଦାସୀବ ଦୁର୍ଭଗାଃ ॥ ୪୧॥

ଭଲା, ଦାସୀମାନଙ୍କର ଦୁଃଖ କଣ ? ସେମାନେ ତ ନିଜ ସ୍ବାମୀଙ୍କର ସେବା କରି ଯଥୋଚିତ ସମ୍ମାନ ପ୍ରାପ୍ତ କରିଥାଆନ୍ତି | କିନ୍ତୁ ଆମ ପରି ଅଭାଗିନୀମାନଙ୍କର ଦଶା ସେମାନଙ୍କଠାରୁ ମଧ୍ୟ ହୀନ ଅଟେ | ଦାସୀମାନଙ୍କର ଦାସୀ ପରି ଆମେ ନିରନ୍ତର ତିରସ୍କୃତ ହୋଇଥାଏ |

ଏବଂ ସନ୍ଦହ୍ୟମାନାନାଂ ସପତ୍ନ୍ୟାଃ ପୁତ୍ରସମ୍ପଦା ।

ରାଜ୍ଞୋଽସମ୍ମତବୃତ୍ତୀନାଂ ବିଦ୍ୱେଷୋ ବଲବାନଭୂତ୍ ॥ ୪୨॥

ପରୀକ୍ଷିତ ! ଏହିପରି ଭାବରେ ସେହି ରାଣୀମାନେ ନିଜ ସପତ୍ନୀଙ୍କୁ ସନ୍ତାନବତୀ ଦେଖି ଜଳିବାରେ ଲାଗିଥାଆନ୍ତି ଏବଂ ରାଜା ମଧ୍ୟ ସେମାନଙ୍କ ପ୍ରତି ଉଦାସୀନ ରହିଥାଆନ୍ତି | ଫଳତଃ, ସେମାନଙ୍କ ମନରେ କୃତଦ୍ୟୁତିଙ୍କ ପ୍ରତି ବହୁତ ଅଧିକ ଦ୍ବେଷ ଜାତ ହେଲା |

ବିଦ୍ୱେଷନଷ୍ଟମତୟଃ ସ୍ତ୍ରିୟୋ ଦାରୁଣଚେତସଃ ।

ଗରଂ ଦଦୁଃ କୁମାରାୟ ଦୁର୍ମର୍ଷା ନୃପତିଂ ପ୍ରତି ॥ ୪୩॥

ଅତିଶୟ ଦ୍ବେଷରେ ରାଣୀମାନଙ୍କର ବୁଦ୍ଧି ଲୋପ ପାଇଗଲା | ସେମାନଙ୍କର ଚିତ୍ତ କ୍ରୂରତାରେ ଭରିଗଲା | ନିଜ ପତି ଚିତ୍ରକେତୁଙ୍କର ପୁତ୍ର-ସ୍ନେହକୁ ସେମାନେ ସହ୍ୟ କରିପାରିଲେ ନାହିଁ | ସେଥିପାଇଁ ରୁଷ୍ଟ ହୋଇ ସେମାନେ ସେହି ଶିଶୁ ରାଜକୁମାରକୁ ବିଷ ଦେଇଦେଲେ |

କୃତଦ୍ୟୁତିରଜାନନ୍ତୀ ସପତ୍ନୀନାମଘଂ ମହତ୍ ।

ସୁପ୍ତ ଏବେତି ସଞ୍ଚିନ୍ତ୍ୟ ନିରୀକ୍ଷ୍ୟ ବ୍ୟଚରଦ୍ଗୃହେ ॥ ୪୪॥

ମହାରାଣୀ କୃତଦ୍ୟୁତି ନିଜ ସପତ୍ନୀମାନଙ୍କର ଏହି ଘୋର ପାପମୟୀ କାର୍ଯ୍ୟକଳାପ ବିଷୟରେ କିଛି ଜାଣି ନ ଥିଲେ | ଦୂରରୁ ଦେଖି ସେ ଭାବିଲେ ପୁଅ ଶୋଇଛି | ସେଥିପାଇଁ ସେ ମହଲ ଭିତରେ ଏଣେତେଣେ ଆନନ୍ଦରେ ଘୂରି ବୁଲୁଥାଆନ୍ତି |

ଶୟାନଂ ସୁଚିରଂ ବାଲମୁପଧାର୍ୟ ମନୀଷିଣୀ ।

ପୁତ୍ରମାନୟ ମେ ଭଦ୍ରେ ଇତି ଧାତ୍ରୀମଚୋଦୟତ୍ ॥ ୪୫॥

ବହୁତ ସମୟ ଯାଏଁ ପୁଅକୁ ଶୋଇଥିବା ଦେଖି ବୁଦ୍ଧିମତୀ ରାଣୀ ଦାସୀମାନଙ୍କୁ କହିଲେ – ପୁଅକୁ ମୋ ପାଖକୁ ନେଇ ଆସ |

ସା ଶୟାନମୁପବ୍ରଜ୍ୟ ଦୃଷ୍ଟ୍ୱା ଚୋତ୍ତାରଲୋଚନମ୍ ।

ପ୍ରାଣେନ୍ଦ୍ରିୟାତ୍ମଭିସ୍ତ୍ୟକ୍ତଂ ହତାସ୍ମୀତ୍ୟପତଦ୍ଭୁବି ॥ ୪୬॥

ଦାସୀ ଶୋଇଥିବା ବାଳକ ପାଖକୁ ଯାଇ ଦେଖିଲା ତାର ଆଖିଡୋଳା ଓଲଟି ଯାଇଛି | ପ୍ରାଣ, ଇନ୍ଦ୍ରିୟ ଏବଂ ଜୀବାତ୍ମା ତାର ଶରୀର ଛାଡି ଚାଲି ଯାଇଛନ୍ତି | ଏହା ଦେଖି ସେ ‘ହାୟ ! ମୁଁ ମରିଗଲି’ କହି ଭୂଇଁରେ ଟଳି ପଡିଲା |

ତସ୍ୟାସ୍ତଦାକର୍ଣ୍ୟ ଭୃଶାତୁରଂ ସ୍ୱରଂ

ଘ୍ନନ୍ତ୍ୟାଃ କରାଭ୍ୟାମୁର ଉଚ୍ଚକୈରପି ।

ପ୍ରବିଶ୍ୟ ରାଜ୍ଞୀ ତ୍ୱରୟାଽଽତ୍ମଜାନ୍ତିକଂ

ଦଦର୍ଶ ବାଲଂ ସହସା ମୃତଂ ସୁତମ୍ ॥ ୪୭॥

ଦାସୀ ନିଜର ଦୁଇ ହାତରେ ଛାତି ପିଟି-ପିଟି ଅତ୍ୟନ୍ତ ଆର୍ତ୍ତ ସ୍ବରରେ ଉଚ୍ଚ କ୍ରନ୍ଦନ କରିବାରେ ଲାଗିଲା | ତାର କ୍ରନ୍ଦନ ଶୁଣି ମହାରାଣୀ କୃତଦ୍ୟୁତି ଅତି ଶୀଘ୍ର ନିଜ ପୁତ୍ରର ଶୟନକକ୍ଷରେ ପହଞ୍ଚିଲେ ଏବଂ ସେ ଦେଖିଲେ ଯେ ତାଙ୍କର ଶିଶୁ ପୁତ୍ରଟି ଅକସ୍ମାତ୍ ମୃତ୍ୟୁବରଣ କରିଛି |

ପପାତ ଭୂମୌ ପରିବୃଦ୍ଧୟା ଶୁଚା

ମୁମୋହ ବିଭ୍ରଷ୍ଟଶିରୋରୁହାମ୍ବରା ॥ ୪୮॥

ଅତ୍ୟନ୍ତ ଶୋକରେ ସେ ମୂର୍ଚ୍ଛିତ ହୋଇ ଭୂମିରେ ଟଳି ପଡିଲେ | ତାଙ୍କର କେଶରାଶି ବିକ୍ଷିପ୍ତ ହୋଇ ଯାଇଥିଲା ଏବଂ ଶରୀରର ବସ୍ତ୍ର ଅସ୍ତ-ବ୍ୟସ୍ତ ହୋଇ ଯାଇଥିଲା |

ତତୋ ନୃପାନ୍ତଃପୁରବର୍ତିନୋ ଜନା

ନରାଶ୍ଚ ନାର୍ୟଶ୍ଚ ନିଶମ୍ୟ ରୋଦନମ୍ ।

ଆଗତ୍ୟ ତୁଲ୍ୟବ୍ୟସନାଃ ସୁଦୁଃଖିତା-

ସ୍ତାଶ୍ଚ ବ୍ୟଲୀକଂ ରୁରୁଦୁଃ କୃତାଗସଃ ॥ ୪୯॥

ମହାରାଣୀଙ୍କର ରୋଦନ ଶୁଣି ରାଣୀନିବାସର ସବୁ ସ୍ତ୍ରୀ-ପୁରୁଷ ସେଠାକୁ ଧାଇଁ ଆସିଲେ ଏବଂ ସହାନୁଭୂତିବଶ ଅତ୍ୟନ୍ତ ଦୁଃଖୀ ହୋଇ କ୍ରନ୍ଦନ କରିବାରେ ଲାଗିଲେ | ସେହି ହତ୍ୟାରିଣୀ ରାଣୀମାନେ ମଧ୍ୟ ସେଠାକୁ ଆସି କ୍ରନ୍ଦନର ମିଥ୍ୟା ପ୍ରହସନ କରିବାରେ ଲାଗିଲେ |

ଶ୍ରୁତ୍ୱା ମୃତଂ ପୁତ୍ରମଲକ୍ଷିତାନ୍ତକଂ

ବିନଷ୍ଟଦୃଷ୍ଟିଃ ପ୍ରପତନ୍ ସ୍ଖଲନ୍ ପଥି ।

ସ୍ନେହାନୁବନ୍ଧୈଧିତୟା ଶୁଚା ଭୃଶଂ

ବିମୂର୍ଚ୍ଛିତୋଽନୁପ୍ରକୃତିର୍ଦ୍ୱିଜୈର୍ୱୃତଃ ॥ ୫୦॥

ପପାତ ବାଲସ୍ୟ ସ ପାଦମୂଲେ

ମୃତସ୍ୟ ବିସ୍ରସ୍ତଶିରୋରୁହାମ୍ବରଃ ।

ଦୀର୍ଘଂ ଶ୍ୱସନ୍ ବାଷ୍ପକଲୋପରୋଧତୋ

ନିରୁଦ୍ଧକଣ୍ଠୋ ନ ଶଶାକ ଭାଷିତୁମ୍ ॥ ୫୧॥

ରାଜା ଚିତ୍ରକେତୁ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ପୁତ୍ରର ଅକାରଣ ମୃତ୍ୟୁ ଘଟିଛି, ସେତେବେଳେ ଅତିଶୟ ସ୍ନେହ କାରଣରୁ ଶୋକର ଆବେଗରେ ତାଙ୍କ ଆଖି ଆଗରେ ଅନ୍ଧାର ଘୋଟିଗଲା | ନିଜ ମନ୍ତ୍ରୀ ଏବଂ ବ୍ରାହ୍ମଣମାନଙ୍କ ସହାୟତାରେ ଧୀରେ ଧୀରେ ସେ ମାର୍ଗରେ ପଡି-ଉଠି ମୃତ ବାଳକ ପାଖରେ ପହଞ୍ଚିଲେ ଏବଂ ମୂର୍ଚ୍ଛିତ ହୋଇ ତା ପାଦ ପାଖରେ ପଡିଗଲେ | ତାଙ୍କର କେଶରାଶି ଏବଂ ବସ୍ତ୍ର ବିକ୍ଷିପ୍ତ ଥିଲା | ସେ ଦୀର୍ଘଶ୍ବାସ ନେବାରେ ଲାଗିଲେ | ଅଶ୍ରୁର ଆଧିକ୍ୟରେ ତାଙ୍କର ଗଳା ରୁଦ୍ଧ ହୋଇ ଯାଇଥିଲା ଏବଂ ସେ କିଛି କହିପାରିଲେ ନାହିଁ |

ପତିଂ ନିରୀକ୍ଷ୍ୟୋରୁଶୁଚାର୍ପିତଂ ତଦା

ମୃତଂ ଚ ବାଲଂ ସୁତମେକସନ୍ତତିମ୍ ।

ଜନସ୍ୟ ରାଜ୍ଞୀ ପ୍ରକୃତେଶ୍ଚ ହୃଦ୍ରୁଜଂ

ସତୀ ଦଧାନା ବିଲଲାପ ଚିତ୍ରଧା ॥ ୫୨॥

ପତିପ୍ରାଣା ରାଣୀ କୃତଦ୍ୟୁତି ନିଜ ପତି ଚିତ୍ରକେତୁଙ୍କୁ ଅତ୍ୟନ୍ତ ଶୋକାକୁଳ ଏବଂ ନିଜର ଏକମାତ୍ର ଶିଶୁ-ପୁତ୍ରକୁ ମୃତ ଦେଖି ଅନେକ ପ୍ରକାରରେ ବିଳାପ କରିବାରେ ଲାଗିଲେ | ତାଙ୍କର ସେହି ଦୁଃଖ ଦେଖି ମନ୍ତ୍ରୀ ଆଦି ଉପସ୍ଥିତ ସବୁ ମନୁଷ୍ୟ ଶୋକଗ୍ରସ୍ତ ହୋଇଗଲେ |

ସ୍ତନଦ୍ୱୟଂ କୁଙ୍କୁମଗନ୍ଧମଣ୍ଡିତଂ

ନିଷିଞ୍ଚତୀ ସାଞ୍ଜନବାଷ୍ପବିନ୍ଦୁଭିଃ ।

ବିକୀର୍ୟ କେଶାନ୍ ବିଗଲତ୍ସ୍ରଜଃ ସୁତଂ

ଶୁଶୋଚ ଚିତ୍ରଂ କୁରରୀବ ସୁସ୍ୱରମ୍ ॥ ୫୩॥

ମହାରାଣୀଙ୍କ ନେତ୍ରରୁ ଏତେ ମାତ୍ରାରେ ଅଶ୍ରୁ ପ୍ରବାହିତ ହେଉଥିଲା ଯେ ତାହା ତାଙ୍କ ଆଖିର ଅଞ୍ଜନକୁ ନେଇ କେଶର ଏବଂ ଚନ୍ଦନ ଲେପିତ ତାଙ୍କର ବକ୍ଷସ୍ଥଳକୁ ସିକ୍ତ କରୁଥିଲା | ତାଙ୍କର ବିକ୍ଷିପ୍ତ କେଶରୁ ସେଥିରେ ଗୁନ୍ଥା ହୋଇଥିବା ଫୁଲ ତଳକୁ ଖସିବାରେ ଲାଗିଥିଲା | ଏହିପରି ଭାବରେ କୁରରୀ ପକ୍ଷୀ ସଦୃଶ ସେ ନିଜ ପୁତ୍ର ଉଦ୍ଦେଶ୍ୟରେ ଉଚ୍ଚ ସ୍ବରରେ ବିଳାପ କରୁଥିଲେ |

ଅହୋ ବିଧାତସ୍ତ୍ୱମତୀବ ବାଲିଶୋ

ଯସ୍ତ୍ୱାତ୍ମସୃଷ୍ଟ୍ୟପ୍ରତିରୂପମୀହସେ ।

ପରେ ନୁ ଜୀବତ୍ୟପରସ୍ୟ ଯା ମୃତି-

ର୍ୱିପର୍ୟଯଶ୍ଚେତ୍ତ୍ୱମସି ଧ୍ରୁବଃ ପରଃ ॥ ୫୪॥

ସେ କହିବାରେ ଲାଗିଲେ – ରେ ବିଧାତା ! ତୁ ଏତେ ବଡ ମୂର୍ଖ ଅଟୁ ଯେ ନିଜ ସୃଷ୍ଟି ପ୍ରତିକୂଳରେ ଚିନ୍ତା କରୁଛୁ | ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ ବୃଦ୍ଧମାନେ ଜୀବିତ ରହିଥିବା ବେଳେ ବାଳକମାନେ ମରି ଯାଉଛନ୍ତି | ତୋର ସ୍ବଭାବରେ ଯଦି ସତରେ ଏପରି ବିପରୀତତା ରହିଥାଏ, ତେବେ ତ ତୁ ଜୀବର ଅମର ଶତ୍ରୁ ଅଟୁ |

ନ ହି କ୍ରମଶ୍ଚେଦିହ ମୃତ୍ୟୁଜନ୍ମନୋଃ

ଶରୀରିଣାମସ୍ତୁ ତଦାତ୍ମକର୍ମଭିଃ ।

ଯଃ ସ୍ନେହପାଶୋ ନିଜସର୍ଗବୃଦ୍ଧୟେ

ସ୍ୱୟଂ କୃତସ୍ତେ ତମିମଂ ବିବୃଶ୍ଚସି ॥ ୫୫॥

ସଂସାରରେ ପ୍ରାଣୀମାନଙ୍କର ଯଦି ଜୀବନ-ମରଣର କୌଣସି କ୍ରମ ନ ରହିବ, ତେବେ ତ ସେମାନେ ପ୍ରାରବ୍ଧ ଅନୁସାରେ ଜନ୍ମ ହେବେ ଏବଂ ମରିବେ | ତୋର ଆଉ ଆବଶ୍ୟକତା କଣ ? ତୁ ସମ୍ବନ୍ଧୀମାନଙ୍କ ମଧ୍ୟରେ ସ୍ନେହ-ବନ୍ଧନ ଏଥିପାଇଁ ରଖିଛୁ ଯେ ସେମାନେ ତୋର ସୃଷ୍ଟି ବୃଦ୍ଧି କରିବେ | ଅଥଚ ତୁ ଏପରି ଭାବରେ ଶିଶୁମାନଙ୍କୁ ମାରି ନିଜ ହାତରେ ହିଁ ନିଜର କାମ ବିଗାଡିବାରେ ଲାଗିଛୁ |

ତ୍ୱଂ ତାତ ନାର୍ହସି ଚ ମାଂ କୃପଣାମନାଥାଂ

ତ୍ୟକ୍ତୁଂ ବିଚକ୍ଷ୍ୱ ପିତରଂ ତବ ଶୋକତପ୍ତମ୍ ।

ଅଞ୍ଜସ୍ତରେମ ଭବତାପ୍ରଜଦୁସ୍ତରଂ ଯଦ୍-

ଧ୍ୱାନ୍ତଂ ନ ଯାହ୍ୟକରୁଣେନ ଯମେନ ଦୂରମ୍ ॥ ୫୬॥

ପୁନଶ୍ଚ ସେ ନିଜ ମୃତ ପୁତ୍ରକୁ ଚାହିଁ କହିବାରେ ଲାଗିଲେ – ପୁତ୍ର ! ତୋ ବିନା ମୁଁ ଦୀନ ଏବଂ ଅନାଥ ହୋଇଯାଇଛି | ମୋତେ ଏହିପରି ଭାବରେ ଛାଡି ଚାଲିଯିବା ତୋ ପାଇଁ ଉଚିତ୍ କର୍ମ ହେଲାନାହିଁ | ଟିକିଏ ଆଖି ଖୋଲି ଦେଖ, ତୋ ବିୟୋଗରେ ତୋର ପିତା କିପରି ଶୋକ-ସଂତପ୍ତ ରହିଛନ୍ତି | ପୁତ୍ର ! ନିଃସନ୍ତାନ ପୁରୁଷ ଯେଉଁ ଘୋର ନର୍କକୁ ଅତି କଷ୍ଟରେ ପାର କରିଥାଆନ୍ତି, ତୋର ସହାରା ନେଇ ଆମେ ତାହାକୁ ଅକ୍ଲେଶରେ ପାର କରିଯାଇ ଥାଆନ୍ତୁ | ପୁତ୍ର ! ଏହି ଯମରାଜଙ୍କ ସହିତ ତୁ ବେଶୀ ଦୂରକୁ ଯାଅ ନାହିଁ | ଇଏ ଅତ୍ୟନ୍ତ ନିର୍ଦ୍ଦୟୀ ଅଟେ |

ଉତ୍ତିଷ୍ଠ ତାତ ତ ଇମେ ଶିଶବୋ ବୟସ୍ୟା-

ସ୍ତ୍ୱାମାହ୍ୱୟନ୍ତି ନୃପନନ୍ଦନ ସମ୍ବିହର୍ତୁମ୍ ।

ସୁପ୍ତଶ୍ଚିରଂ ହ୍ୟଶନୟା ଚ ଭବାନ୍ ପରୀତୋ

ଭୁଙ୍କ୍ଷ୍ୱ ସ୍ତନଂ ପିବ ଶୁଚୋ ହର ନଃ ସ୍ୱକାନାମ୍ ॥ ୫୭॥

ମୋର ପ୍ରିୟ ପୁତ୍ର ! ହେ ରାଜକୁମାର ! ଉଠ ! ଦେଖ, ତୁମର ସାଥୀ ବାଳକମାନେ ତୁମକୁ ଖେଳିବାକୁ ଡାକୁଛନ୍ତି | ବହୁତ ସମୟ ଧରି ତୁମେ ଶୋଇ ରହିଛ, ତୁମକୁ ଭୋକ ଲାଗୁଥିବ | ଉଠ ! କିଛି ଖାଇ ନିଅ | ଆଉ କିଛି ନ ଖାଇଲେ ନାହିଁ, ମୋର ସ୍ତନ୍ୟପାନ କରିନିଅ ଏବଂ ନିଜର ସ୍ବଜନ-ସମ୍ବନ୍ଧୀ ଆମ୍ଭମାନଙ୍କର ଶୋକ ଦୂର କର |

ନାହଂ ତନୂଜ ଦଦୃଶେ ହତମଙ୍ଗଲା ତେ

ମୁଗ୍ଧସ୍ମିତଂ ମୁଦିତବୀକ୍ଷଣମାନନାବ୍ଜମ୍ ।

କିଂ ବା ଗତୋଽସ୍ୟପୁନରନ୍ୱୟମନ୍ୟଲୋକଂ

ନୀତୋଽଘୃଣେନ ନ ଶୃଣୋମି କଲା ଗିରସ୍ତେ ॥ ୫୮॥

ପ୍ରିୟ ପୁତ୍ର ! ତୁମର ମୁଖାରବିନ୍ଦରେ ଆଜି ମୁଁ ସେହି ସରଳ ସ୍ମିତହାସ୍ୟ ଏବଂ ଆନନ୍ଦଭରା ଚାହାଣୀ ଦେଖିବାକୁ ପାଉନାହିଁ | ମୁଁ ବଡ ଅଭାଗିନୀ ଅଟେ | ହାୟ-ହାୟ ! ଏବେ ମୋତେ ତୁମର ସେହି ସୁମଧୁର ଖନେଇ-ଖନେଇ କଥା ଶୁଣାଯାଉ ନାହିଁ | ସତରେ କଣ ନିଷ୍ଠୁର ଯମରାଜ ତୁମକୁ ସେହି ପରଲୋକକୁ ନେଇଯାଇଛି, ଯେଉଁଠିକୁ ଯାଇ କେହି କେବେ ଫେରନ୍ତି ନାହିଁ ?

ଶ୍ରୀଶୁକ ଉବାଚ

ବିଲପନ୍ତ୍ୟା ମୃତଂ ପୁତ୍ରମିତି ଚିତ୍ରବିଲାପନୈଃ ।

ଚିତ୍ରକେତୁର୍ଭୃଶଂ ତପ୍ତୋ ମୁକ୍ତକଣ୍ଠୋ ରୁରୋଦ ହ ॥ ୫୯॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ନିଜ ରାଣୀଙ୍କୁ ପୁତ୍ର ବିୟୋଗରେ ଏପରି ବିଳାପ କରୁଥିବା ଦେଖି ସମ୍ରାଟ ଚିତ୍ରକେତୁ ଅତ୍ୟନ୍ତ ଶୋକସଂତପ୍ତ ହୋଇ ଉଚ୍ଚ ସ୍ବରରେ କ୍ରନ୍ଦନ କରିବାରେ ଲାଗିଲେ |

ତୟୋର୍ୱିଲପତୋଃ ସର୍ୱେ ଦମ୍ପତ୍ୟୋସ୍ତଦନୁବ୍ରତାଃ ।

ରୁରୁଦୁଃ ସ୍ମ ନରା ନାର୍ୟଃ ସର୍ୱମାସୀଦଚେତନମ୍ ॥ ୬୦॥

ରାଜା-ରାଣୀଙ୍କୁ ଏହିପରି ବିଳାପ କରୁଥିବା ଦେଖି ତାଙ୍କର ଅନୁଗାମୀ ସ୍ତ୍ରୀ-ପୁରୁଷ ମଧ୍ୟ ଦୁଃଖିତ ହୋଇ କ୍ରନ୍ଦନ କରିବାରେ ଲାଗିଲେ | ଏହିପରି ଭାବରେ ସମ୍ପୂର୍ଣ୍ଣ ନଗର ହିଁ ଶୋକରେ ଅଚେତ-ପ୍ରାୟ ହୋଇଗଲା |

ଏବଂ କଶ୍ମଲମାପନ୍ନଂ ନଷ୍ଟସଞ୍ଜ୍ଞମନାୟକମ୍ ।

ଜ୍ଞାତ୍ୱାଙ୍ଗିରା ନାମ ମୁନିରାଜଗାମ ସନାରଦଃ ॥ ୬୧॥

ରାଜନ୍ ! ମହର୍ଷି ଅଙ୍ଗିରା ଏବଂ ଦେବର୍ଷି ନାରଦ ଦେଖିଲେ ପୁତ୍ରଶୋକରେ ରାଜା ଚିତ୍ରକେତୁ ଚେତନାହୀନ ହୋଇ ଯାଇଛନ୍ତି; ତାଙ୍କୁ ବୋଧ କରାଇବାକୁ ମଧ୍ୟ କେହି ନାହାଁନ୍ତି | ସେତେବେଳେ ସେ ଦୁହେଁ ସେଠାକୁ ଆସିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ଚିତ୍ରକେତୁବିଲାପୋ ନାମ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

 

Comments

Popular posts from this blog