ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ସପ୍ତମ ସ୍କନ୍ଧ ॥
॥ ପ୍ରଥମ ଅଧ୍ୟାୟ ॥
ନାରଦ-ଯୁଧିଷ୍ଠିର ସମ୍ବାଦ ଏବଂ ଜୟ-ବିଜୟଙ୍କ କଥା
ରାଜୋବାଚ
ସମଃ ପ୍ରିୟଃ
ସୁହୃଦ୍ବ୍ରହ୍ମନ୍ ଭୂତାନାଂ ଭଗବାନ୍ ସ୍ୱୟମ୍ ।
ଇନ୍ଦ୍ରସ୍ୟାର୍ଥେ
କଥଂ ଦୈତ୍ୟାନବଧୀଦ୍ୱିଷମୋ ଯଥା ॥ ୧॥
ରାଜା ପରୀକ୍ଷିତ
ପଚାରିଲେ – ଭଗବନ୍ ! ଭଗବାନ ତ ସ୍ବଭାବତଃ ଭେଦଭାବ-ରହିତ ଅଟନ୍ତି – ସମ ଅଟନ୍ତି, ସମସ୍ତ ପ୍ରାଣୀଙ୍କର ପ୍ରିୟ ସୁହୃଦ ଅଟନ୍ତି; ତେବେ ସାଧାରଣ ମନୁଷ୍ୟ ଭେଦଭାବ କରି ନିଜ ମିତ୍ରର
ପକ୍ଷ ନେବା ଏବଂ ଶତ୍ରୁର ଅନିଷ୍ଟ କରିବା ପରି ସେ ଇନ୍ଦ୍ରଙ୍କର ପକ୍ଷ ନେଇ ଦୈତ୍ୟମାନଙ୍କର ବଧ
କାହିଁକି କଲେ ?
ନ ହ୍ୟସ୍ୟାର୍ଥଃ
ସୁରଗଣୈଃ ସାକ୍ଷାନ୍ନିଃଶ୍ରେୟସାତ୍ମନଃ ।
ନୈବାସୁରେଭ୍ୟୋ
ବିଦ୍ୱେଷୋ ନୋଦ୍ୱେଗଶ୍ଚାଗୁଣସ୍ୟ ହି ॥ ୨॥
ସେ ସ୍ବୟଂ
ପରିପୂର୍ଣ୍ଣ କଲ୍ୟାଣସ୍ବରୂପ ଅଟନ୍ତି; ଅତଏବ
ଦେବତାମାନଙ୍କଠାରୁ ତାଙ୍କର କିଛି ନେବା-ଦେବାର ଆବଶ୍ୟକତା ନାହିଁ ତଥା ନିର୍ଗୁଣ ହୋଇଥିବା
କାରଣରୁ ଦୈତ୍ୟମାନଙ୍କ ପ୍ରତି ତାଙ୍କର କିଛି ବୈର-ବିରୋଧ ବା ଉଦ୍ବେଗର ମଧ୍ୟ ସମ୍ଭାବନା ନାହିଁ |
ଇତି ନଃ ସୁମହାଭାଗ
ନାରାୟଣଗୁଣାନ୍ ପ୍ରତି ।
ସଂଶୟଃ ସୁମହାନ୍
ଜାତସ୍ତଦ୍ଭବାଂଶ୍ଛେତ୍ତୁମର୍ହତି ॥ ୩॥
ଭଗବତ୍-ପ୍ରେମସମ୍ପନ୍ନ
ହେ ମହାତ୍ମା ! ଭଗବାନଙ୍କର ସମତ୍ବ ଆଦି ଗୁଣ ସମ୍ବନ୍ଧରେ ମୋ ମନରେ ଅତ୍ୟଧିକ ସଂଶୟ ଜାତ ହେଉଛି |
ଆପଣ କୃପା କରି ତାହା ମୋଚନ କରନ୍ତୁ |
ଶ୍ରୀଶୁକ ଉବାଚ
ସାଧୁ ପୃଷ୍ଟଂ
ମହାରାଜ ହରେଶ୍ଚରିତମଦ୍ଭୁତମ୍ ।
ଯଦ୍ଭାଗବତମାହାତ୍ମ୍ୟଂ
ଭଗବଦ୍ଭକ୍ତିବର୍ଧନମ୍ ॥ ୪॥
ଶ୍ରୀଶୁକଦେବ ମୁନି
କହୁଛନ୍ତି – ହେ ରାଜନ୍ ! ଭଗବାନଙ୍କର ଅଦ୍ଭୁତ ଚରିତ୍ର ସମ୍ବନ୍ଧରେ ତୁମର ଏହି ପ୍ରଶ୍ନ ଅତ୍ୟନ୍ତ
ସୁନ୍ଦର ଅଟେ; କାରଣ ଏହି ପ୍ରସଙ୍ଗ
ପ୍ରହ୍ଲାଦ ଆଦି ଭକ୍ତମାନଙ୍କର ମହିମାରେ ପରିପୂର୍ଣ୍ଣ ଅଟେ, ଯାହାର ଶ୍ରବଣରେ
ଭଗବାନଙ୍କର ଭକ୍ତି ବୃଦ୍ଧି ଲାଭ କରିଥାଏ |
ଗୀୟତେ ପରମଂ
ପୁଣ୍ୟମୃଷିଭିର୍ନାରଦାଦିଭିଃ ।
ନତ୍ୱା କୃଷ୍ଣାୟ
ମୁନୟେ କଥୟିଷ୍ୟେ ହରେଃ କଥାମ୍ ॥ ୫॥
ନାରଦାଦି
ମହାତ୍ମାଗଣ ଅତ୍ୟନ୍ତ ପ୍ରେମର ସହିତ ଏହି ପରମ ପୁଣ୍ୟମୟ ପ୍ରସଙ୍ଗର ଗାୟନ କରନ୍ତି | ଏବେ ମୁଁ
ନିଜ ପିତା ଶ୍ରୀକୃଷ୍ଣ ଦ୍ବୈପାୟନ ମୁନିଙ୍କୁ ନମସ୍କାର କରି ଭଗବାନଙ୍କର ସେହି ଲୀଳା-କଥାର
ବର୍ଣ୍ଣନା କରୁଛି |
ନିର୍ଗୁଣୋଽପି
ହ୍ୟଜୋଽବ୍ୟକ୍ତୋ ଭଗବାନ୍ ପ୍ରକୃତେଃ ପରଃ ।
ସ୍ୱମାୟାଗୁଣମାବିଶ୍ୟ
ବାଧ୍ୟବାଧକତାଂ ଗତଃ ॥ ୬॥
ବାସ୍ତବରେ ଭଗବାନ
ନିର୍ଗୁଣ, ଅଜନ୍ମା, ଅବ୍ୟକ୍ତ ଏବଂ ପ୍ରକୃତିରୁ ଅତୀତ ଅଟନ୍ତି |
ତା ସତ୍ତ୍ବେ ବି ସେ ନିଜ ମାୟା ଗୁଣକୁ ସ୍ବୀକାର କରି ବଧ୍ୟବାଧକ ଭାବ ଅର୍ଥାତ୍ ମରିବା-ମାରିବା ଉଭୟ
ପରସ୍ପର ବିରୋଧି ରୂପକୁ ଗ୍ରହଣ କରନ୍ତି |
ସତ୍ତ୍ୱଂ ରଜସ୍ତମ
ଇତି ପ୍ରକୃତେର୍ନାତ୍ମନୋ ଗୁଣାଃ ।
ନ ତେଷାଂ
ଯୁଗପଦ୍ରାଜନ୍ ହ୍ରାସ ଉଲ୍ଲାସ ଏବ ବା ॥ ୭॥
ସତ୍ତ୍ବଗୁଣ, ରଜୋଗୁଣ ଏବଂ ତମୋଗୁଣ – ପ୍ରକୃତିର ଏହି ସବୁ ଗୁଣ
ପରମାତ୍ମାଙ୍କର ନୁହେଁ | ପରୀକ୍ଷିତ ! ଏହି ତ୍ରିଗୁଣର ମଧ୍ୟ ଏକସଙ୍ଗେ ବୃଦ୍ଧି-ହ୍ରାସ ହୋଇ ନ
ଥାଏ |
ଜୟକାଲେ ତୁ
ସତ୍ତ୍ୱସ୍ୟ ଦେବର୍ଷୀନ୍ ରଜସୋଽସୁରାନ୍ ।
ତମସୋ
ଯକ୍ଷରକ୍ଷାଂସି ତତ୍କାଲାନୁଗୁଣୋଽଭଜତ୍ ॥ ୮॥
ଭଗବାନ ସମୟ
ଅନୁସାରେ ଏହି ସବୁ ଗୁଣକୁ ସ୍ବୀକାର କରିଥାଆନ୍ତି | ସତ୍ତ୍ବଗୁଣ ବୃଦ୍ଧି ସମୟରେ ଦେବତା ଏବଂ ଋଷି, ରଜୋଗୁଣର ବୃଦ୍ଧି ସମୟରେ ଦୈତ୍ୟ ଏବଂ ତମୋଗୁଣର
ବୃଦ୍ଧି ସମୟରେ ସେ ଯକ୍ଷ ଏବଂ ରାକ୍ଷସର ରୂପ ଗ୍ରହଣ କରି ସେମାନଙ୍କର ଅଭ୍ୟୁଦୟ କରନ୍ତି |
ଜ୍ୟୋତିରାଦିରିବାଭାତି
ସଙ୍ଘାତାନ୍ନ ବିବିଚ୍ୟତେ ।
ବିଦନ୍ତ୍ୟାତ୍ମାନମାତ୍ମସ୍ଥଂ
ମଥିତ୍ୱା କବୟୋଽନ୍ତତଃ ॥ ୯॥
ବ୍ୟାପକ ଅଗ୍ନି
କାଷ୍ଠ ଆଦି ଭିନ୍ନ-ଭିନ୍ନ ବସ୍ତୁରେ ରହିଥିଲେ ବି ମନ୍ଥନ କରିବା ଦ୍ବାରା ହିଁ ପ୍ରକଟ ହୋଇଥାଏ |
ସେହିପରି ପରମାତ୍ମା ସବୁ ଶରୀରରେ ରହିଥିଲେ ବି ବିଚାରଶୀଳ ପୁରୁଷ ହିଁ ହୃଦୟମନ୍ଥନ ଦ୍ବାରା
ତାଙ୍କ ଅତିରିକ୍ତ ଅନ୍ୟ ସମସ୍ତ ବସ୍ତୁକୁ ପ୍ରତିବନ୍ଧିତ କରି ନିଜ ହୃଦୟରେ ଅନ୍ତର୍ଯ୍ୟାମୀରୂପରେ
ତାଙ୍କୁ ପ୍ରାପ୍ତ କରିନିଅନ୍ତି |
ଯଦା ସିସୃକ୍ଷୁଃ
ପୁର ଆତ୍ମନଃ ପରୋ
ରଜଃ ସୃଜତ୍ୟେଷ
ପୃଥକ୍ ସ୍ୱମାୟଯା ।
ସତ୍ତ୍ୱଂ
ବିଚିତ୍ରାସୁ ରିରଂସୁରୀଶ୍ୱରଃ
ଶୟିଷ୍ୟମାଣସ୍ତମ
ଈରୟତ୍ୟସୌ ॥ ୧୦॥
ପରମେଶ୍ବର
ଯେତେବେଳେ ନିଜ ପାଇଁ ଗୋଟିଏ ଶରୀର ନିର୍ମାଣ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ନିଜ ମାୟାରେ ସେ ରଜୋଗୁଣର ସୃଷ୍ଟି ପୃଥକ୍
ଭାବରେ କରନ୍ତି | ଯେତେବେଳେ ସେ ବିଚିତ୍ର ଯୋନିମାନଙ୍କରେ ରମଣ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ସତ୍ତ୍ବଗୁଣର ସୃଷ୍ଟି କରନ୍ତି ଏବଂ
ଯେତେବେଳେ ଶୟନ କରିବାକୁ ଇଚ୍ଛା କରନ୍ତି, ସେତେବେଳେ
ତମୋଗୁଣର ବୃଦ୍ଧି କରିଦିଅନ୍ତି |
କାଲଂ ଚରନ୍ତଂ
ସୃଜତୀଶ ଆଶ୍ରୟଂ
ପ୍ରଧାନପୁମ୍ଭ୍ୟାଂ
ନରଦେବ ସତ୍ୟକୃତ୍ ।
ଯ ଏଷ ରାଜନ୍ନପି
କାଲ ଈଶିତା
ସତ୍ତ୍ୱଂ
ସୁରାନୀକମିବୈଧୟତ୍ୟତଃ ।
ତତ୍ପ୍ରତ୍ୟନୀକାନସୁରାନ୍
ସୁରପ୍ରିୟୋ
ରଜସ୍ତମସ୍କାନ୍
ପ୍ରମିଣୋତ୍ୟୁରୁଶ୍ରବାଃ ॥ ୧୧॥
ପରୀକ୍ଷିତ ! ଭଗବାନ
ସତ୍ୟସଂକଳ୍ପ ଅଟନ୍ତି | ସେ ହିଁ ଜଗତ ଉତ୍ପତ୍ତିର ନିମିତ୍ତଭୂତ ପ୍ରକୃତି ଏବଂ ପୁରୁଷର ସହକାରୀ
ତଥା ଆଶ୍ରୟ କାଳର ସୃଷ୍ଟି କରନ୍ତି | ସେଥିପାଇଁ ସେ କାଳର ଅଧୀନସ୍ତ ନୁହଁନ୍ତି; ବରଂ କାଳ ତାଙ୍କର ଅଧୀନସ୍ତ ଅଟେ | ରାଜନ୍ ! ସେହି
କାଳସ୍ବରୂପ ଈଶ୍ବର ଯେତେବେଳେ ସତ୍ତ୍ବଗୁଣର ବୃଦ୍ଧି କରି ସତ୍ତ୍ବମୟ ଦେବତାମାନଙ୍କ ବଳର
ଅଭିବୃଦ୍ଧି କରାନ୍ତି ଏବଂ ସେତେବେଳେ ସେହି ପରମଯଶସ୍ବୀ ଦେବପ୍ରିୟ ପରମାତ୍ମା ଦେବବିରୋଧୀ
ରଜୋଗୁଣୀ ଏବଂ ତମୋଗୁଣୀ ଦୈତ୍ୟମାନଙ୍କର ସଂହାର କରନ୍ତି | ବସ୍ତୁତଃ, ସେ ସମଦର୍ଶୀ ହିଁ ଅଟନ୍ତି
|
ଅତ୍ରୈବୋଦାହୃତଃ
ପୂର୍ୱମିତିହାସଃ ସୁରର୍ଷିଣା ।
ପ୍ରୀତ୍ୟା
ମହାକ୍ରତୌ ରାଜନ୍ ପୃଚ୍ଛତେଽଜାତଶତ୍ରବେ ॥ ୧୨॥
ରାଜନ୍ ! ଏହି
ପ୍ରସଙ୍ଗରେ ଦେବର୍ଷି ନାରଦ ଅତି ପ୍ରେମର ସହିତ ଏକ ଇତିହାସ ଉଦ୍ଧାର କରିଥିଲେ | ଏହା ସେହି ସମୟର
କଥା ଯେତେବେଳେ ରାଜସୂୟ ଯଜ୍ଞରେ ତୁମର ପିତାମହ ଯୁଧିଷ୍ଠିର ତାଙ୍କୁ ସେହି ସମ୍ବନ୍ଧରେ ପ୍ରଶ୍ନ
କରିଥିଲେ |
ଦୃଷ୍ଟ୍ୱା
ମହାଦ୍ଭୁତଂ ରାଜା ରାଜସୂୟେ ମହାକ୍ରତୌ ।
ବାସୁଦେବେ ଭଗବତି
ସାୟୁଜ୍ୟଂ ଚେଦିଭୂଭୁଜଃ ॥ ୧୩॥
ସେହି ମହାନ୍
ରାଜସୂୟ ଯଜ୍ଞରେ ରାଜା ଯୁଧିଷ୍ଠିର ନିଜ ଚକ୍ଷୁ ସମ୍ମୁଖରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ
ପାଇଥିଲେ ଯେ ଚେଦିରାଜ ଶିଶୁପାଳ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ ସମାହିତ ହୋଇଗଲେ |
ତତ୍ରାସୀନଂ
ସୁରଋଷିଂ ରାଜା ପାଣ୍ଡୁସୁତଃ କ୍ରତୌ ।
ପପ୍ରଚ୍ଛ
ବିସ୍ମିତମନା ମୁନୀନାଂ ଶୃଣ୍ୱତାମିଦମ୍ ॥ ୧୪॥
ସେଠାରେ ଦେବର୍ଷି
ନାରଦ ମଧ୍ୟ ଉପବେଶନ କରିଥିଲେ | ସେହି ଘଟଣାରେ ଆଶ୍ଚର୍ଯ୍ୟଚକିତ ହୋଇ ରାଜା ଯୁଧିଷ୍ଠିର ବଡ-ବଡ
ମୁନିମାନଙ୍କ ଦ୍ବାରା ମଣ୍ଡିତ ସଭାରେ, ସେହି ଯଜ୍ଞମଣ୍ଡପରେ ହିଁ ନାରଦ ମୁନିଙ୍କୁ ଏହି ପ୍ରଶ୍ନ
କରିଥିଲେ |
ଯୁଧିଷ୍ଠିର ଉବାଚ
ଅହୋ ଅତ୍ୟଦ୍ଭୁତଂ
ହ୍ୟେତଦ୍ଦୁର୍ଲଭୈକାନ୍ତିନାମପି ।
ବାସୁଦେବେ ପରେ
ତତ୍ତ୍ୱେ ପ୍ରାପ୍ତିଶ୍ଚୈଦ୍ୟସ୍ୟ ବିଦ୍ୱିଷଃ ॥ ୧୫॥
ଯୁଧିଷ୍ଠିର
ପଚାରିଲେ – ହାୟ ! ଏହା ଏକ ଅତ୍ୟନ୍ତ ବିଚିତ୍ର କଥା ଅଟେ | ପରମତତ୍ତ୍ବ ଭଗବାନ ଶ୍ରୀକୃଷ୍ଣଙ୍କ
ମଧ୍ୟରେ ସମାହିତ ହୋଇଯିବା ବଡ-ବଡ ଅନନ୍ୟ ଭକ୍ତମାନଙ୍କ ନିମନ୍ତେ ମଧ୍ୟ ଦୁର୍ଲଭ ଅଟେ | ସେପରି
କ୍ଷେତ୍ରରେ ଭଗବାନଙ୍କ ପ୍ରତି ଦ୍ବେଷ ଭାବ ରଖିଥିବା ଶିଶୁପାଳଙ୍କୁ ସେହି ଗତି ପ୍ରାପ୍ତ ହେଲା
କିପରି ?
ଏତଦ୍ୱେଦିତୁମିଚ୍ଛାମଃ
ସର୍ୱ ଏବ ବୟଂ ମୁନେ ।
ଭଗବନ୍ନିନ୍ଦୟା
ବେନୋ ଦ୍ୱିଜୈସ୍ତମସି ପାତିତଃ ॥ ୧୬॥
ହେ ଦେବର୍ଷି !
ଏହାର ରହସ୍ୟ ଆମେ ସମସ୍ତେ ଜାଣିବାକୁ ଇଚ୍ଛା କରୁଛୁ | ପୂର୍ବକାଳରେ ତ ଭଗବାନଙ୍କର ନିନ୍ଦା
କରିଥିବା କାରଣରୁ ଋଷି-ମୁନିମାନେ ରାଜା ବେନଙ୍କୁ ନର୍କରେ ନିକ୍ଷେପ କରିଥିଲେ |
ଦମଘୋଷସୁତଃ ପାପ
ଆରଭ୍ୟ କଲଭାଷଣାତ୍ ।
ସମ୍ପ୍ରତ୍ୟମର୍ଷୀ
ଗୋବିନ୍ଦେ ଦନ୍ତବକ୍ତ୍ରଶ୍ଚ ଦୁର୍ମତିଃ ॥ ୧୭॥
ଏହି ଦମଘୋଷଙ୍କର
ପୁତ୍ର ପାପାତ୍ମା ଶିଶୁପାଳ ଏବଂ ଦୁର୍ବୁଦ୍ଧି ଦନ୍ତବକ୍ତ୍ର – ଉଭୟେ ଖନେଇ-ଖନେଇ କଥା କହିବାକୁ
ଆରମ୍ଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଭଗବାନଙ୍କ ପ୍ରତି ଦ୍ବେଷ କରିବାରେ ଲାଗିଥିଲେ |
ଶପତୋରସକୃଦ୍ୱିଷ୍ଣୁଂ
ଯଦ୍ବ୍ରହ୍ମ ପରମବ୍ୟଯମ୍ ।
ଶ୍ୱିତ୍ରୋ ନ ଜାତୋ
ଜିହ୍ୱାୟାଂ ନାନ୍ଧଂ ବିବିଶତୁସ୍ତମଃ ॥ ୧୮॥
ଅବିନାଶୀ ପରବ୍ରହ୍ମ
ଭଗବାନ ଶ୍ରୀକୃଷ୍ଣଙ୍କୁ ଏମାନେ ପାଣି ପିଇ-ପିଇ ଗାଳି ଦେଉଥିଲେ | କିନ୍ତୁ ତାହାର ଫଳସ୍ବରୂପ
ଏମାନଙ୍କର ଜିହ୍ବା କୀଟାଣୁଗ୍ରସ୍ତ ହେଲାନାହିଁ କି ଏମାନଙ୍କର ଘୋର ଅନ୍ଧକାରମୟ ନର୍କ ପ୍ରାପ୍ତି
ହେଲାନାହିଁ |
କଥଂ ତସ୍ମିନ୍
ଭଗବତି ଦୁରବଗ୍ରାହଧାମନି ।
ପଶ୍ୟତାଂ
ସର୍ୱଲୋକାନାଂ ଲୟମୀୟତୁରଞ୍ଜସା ॥ ୧୯॥
ଅପିତୁ ଯେଉଁ
ଭଗବାନଙ୍କର ପ୍ରାପ୍ତି ଅତ୍ୟନ୍ତ କଠିନ ଅଟେ, ଏ ଦୁହେଁ ସମସ୍ତଙ୍କ
ଆଖି ଆଗରେ ଅନାୟାସ ତାଙ୍କଠାରେ ଲୀନ ହୋଇଗଲେ – ଏହାର କାରଣ କ’ଣ ?
ଏତଦ୍ଭ୍ରାମ୍ୟତି ମେ
ବୁଦ୍ଧିର୍ଦୀପାର୍ଚିରିବ ବାୟୁନା ।
ବ୍ରୂହ୍ୟେତଦଦ୍ଭୁତତମଂ
ଭଗବାଂସ୍ତତ୍ର କାରଣମ୍ ॥ ୨୦॥
ପବନରେ ଦୋହଲିବାରେ
ଲାଗିଥିବା ଦୀପଶିଖା ପରି ମୋର ବୁଦ୍ଧି ଏହି ବିଷୟକୁ ନେଇ ଦ୍ବନ୍ଦ୍ବଯୁକ୍ତ ହୋଇଯାଇଛି | ଆପଣ
ସର୍ବଜ୍ଞ ଅଟନ୍ତି; ଅତଏବ ଏହାର ରହସ୍ୟ ଆପଣ
ମୋତେ ବୁଝାଇ କହନ୍ତୁ |
ଶ୍ରୀଶୁକ ଉବାଚ
ରାଜ୍ଞସ୍ତଦ୍ୱଚ
ଆକର୍ଣ୍ୟ ନାରଦୋ ଭଗବାନୃଷିଃ ।
ତୁଷ୍ଟଃ ପ୍ରାହ
ତମାଭାଷ୍ୟ ଶୃଣ୍ୱତ୍ୟାସ୍ତତ୍ସଦଃ କଥାଃ ॥ ୨୧॥
ଶ୍ରୀଶୁକଦେବ ମୁନି
କହୁଛନ୍ତି – ରାଜାଙ୍କର ଏହି ପ୍ରଶ୍ନ ଶୁଣି ସର୍ବସମର୍ଥ ଦେବର୍ଷି ନାରଦ ବହୁତ ପ୍ରସନ୍ନ ହେଲେ |
ସେ ଯୁଧିଷ୍ଠିରଙ୍କୁ ସମ୍ବୋଧିତ କରି ରାଜସଭାରେ ଉପସ୍ଥିତ ସମସ୍ତେ ଶୁଣିବା ପରି ଏହି କଥା କହିଲେ
|
ନାରଦ ଉବାଚ
ନିନ୍ଦନସ୍ତବସତ୍କାରନ୍ୟକ୍କାରାର୍ଥଂ
କଲେବରମ୍ ।
ପ୍ରଧାନପରୟୋ
ରାଜନ୍ନବିବେକେନ କଲ୍ପିତମ୍ ॥ ୨୨॥
ଦେବର୍ଷି ନାରଦ
କହିଲେ – ହେ ଯୁଧିଷ୍ଠିର ! ନିନ୍ଦା, ସ୍ତୁତି, ସତ୍କାର ଏବଂ ତିରସ୍କାର ଏହି ଶରୀରର ହିଁ କରାଯାଇ ଥାଏ
| ପ୍ରକୃତି ଏବଂ ପୁରୁଷର ସମୁଚିତ ବିବେକ ନ ଥିବା କାରଣରୁ ଶରୀରର କଳ୍ପନା କରାଯାଇ ଥାଏ |
ହିଂସା ତଦଭିମାନେନ
ଦଣ୍ଡପାରୁଷ୍ୟଯୋର୍ୟଥା ।
ବୈଷମ୍ୟମିହ
ଭୂତାନାଂ ମମାହମିତି ପାର୍ଥିବ ॥ ୨୩॥
ଯେତେବେଳେ ଶରୀରକୁ
ହିଁ ନିଜର ଆତ୍ମା ମାନି ନିଆଯାଏ, ସେତେବେଳେ ‘ଇଏ
ମୁଁ ଅଟେ ଏବଂ ଏହା ମୋର ଅଟେ’ ଏପରି ଭାବ ଆସିଥାଏ
| ସମସ୍ତ ଭେଦଭାବର ମୂଳ ଏହା ହିଁ ଅଟେ | ଏହି କାରଣରୁ ଭର୍ତ୍ସନା ଏବଂ ଦୁର୍ବଚନରୁ ପୀଡା ଅନୁଭବ
ହୋଇଥାଏ |
ଯନ୍ନିବଦ୍ଧୋଽଭିମାନୋଽୟଂ
ତଦ୍ୱଧାତ୍ପ୍ରାଣିନାଂ ବଧଃ ।
ତଥା ନ ଯସ୍ୟ
କୈବଲ୍ୟାଦଭିମାନୋଽଖିଲାତ୍ମନଃ ।
ପରସ୍ୟ
ଦମକର୍ତୁର୍ହି ହିଂସା କେନାସ୍ୟ କଲ୍ପ୍ୟତେ ॥ ୨୪॥
‘ଇଏ ମୁଁ ଅଟେ’ – ଏହି ଶରୀର-ଅଭିମାନ ଯୋଗୁଁ ପ୍ରାଣୀ ଶରୀରର ବଧକୁ
ନିଜର ବଧ ମନେ କରିଥାଏ | କିନ୍ତୁ ଜୀବ ସଦୃଶ ଭଗବାନଙ୍କର ତ ସେପରି କୌଣସି ଅଭିମାନ ନ ଥାଏ; ସେ ସର୍ବାତ୍ମା ଏବଂ ଅଦ୍ବିତୀୟ ଅଟନ୍ତି | ସେ ଅନ୍ୟକୁ
ଯେଉଁ ଦଣ୍ଡ ଦିଅନ୍ତି, ତାହା ସେମାନଙ୍କର କଲ୍ୟାଣ
ଉଦ୍ଦେଶ୍ୟରେ ହିଁ ଅଟେ, କ୍ରୋଧବଶ ବା ଦ୍ବେଷବଶ
ନୁହେଁ | ତେଣୁ ଭଗବାନଙ୍କ ସମ୍ବନ୍ଧରେ ହିଂସାର କଳ୍ପନା ଅବା କିପରି କରାଯିବ ?
ତସ୍ମାଦ୍ୱୈରାନୁବନ୍ଧେନ
ନିର୍ୱୈରେଣ ଭୟେନ ବା ।
ସ୍ନେହାତ୍କାମେନ ବା
ଯୁଞ୍ଜ୍ୟାତ୍କଥଞ୍ଚିନ୍ନେକ୍ଷତେ ପୃଥକ୍ ॥ ୨୫॥
ସେଥିପାଇଁ ସୁଦୃଢ
ଶତ୍ରୁତାଭାବରେ ହେଉ ଅଥବା ଶତ୍ରୁତାହୀନ ଭକ୍ତିଭାବରେ, ଭୟରେ, ସ୍ନେହରେ ଅଥବା କାମରେ ହେଉ – କିପରି ଭାବରେ ହେଉ
ଭଗବାନଙ୍କଠାରେ ନିଜର ମନକୁ ପୂର୍ଣ୍ଣ ସଂଲଗ୍ନ ରଖିବା ଆବଶ୍ୟକ | ଭଗବାନଙ୍କ ଦୃଷ୍ଟିରେ ଏହି ସବୁ
ଭାବ ମଧ୍ୟରେ କୌଣସି ଭେଦ ନାହିଁ |
ଯଥା ବୈରାନୁବନ୍ଧେନ
ମର୍ତ୍ୟସ୍ତନ୍ମୟତାମିୟାତ୍ ।
ନ ତଥା ଭକ୍ତିୟୋଗେନ
ଇତି ମେ ନିଶ୍ଚିତା ମତିଃ ॥ ୨୬॥
ହେ ଯୁଧିଷ୍ଠିର !
ମୋର ଏହା ଦୃଢ ବିଶ୍ବାସ ଯେ ମନୁଷ୍ୟ ବୈରଭାବରେ ଭଗବାନଙ୍କଠାରେ ଯେତେ ବେଶୀ ତନ୍ମୟ ହୋଇଥାଏ, ସେତେ ବେଶୀ ଭକ୍ତିଯୋଗରେ ହୋଇ ନ ଥାଏ |
କୀଟଃ ପେଶସ୍କୃତା
ରୁଦ୍ଧଃ କୁଡ୍ୟାୟାଂ ତମନୁସ୍ମରନ୍ ।
ସଂରମ୍ଭଭୟଯୋଗେନ
ବିନ୍ଦତେ ତତ୍ସରୂପତାମ୍ ॥ ୨୭॥
ଭୃଙ୍ଗୀ ଛୋଟ ଛୋଟ କୀଟମାନଙ୍କୁ
ଆଣି କାନ୍ଥରେ ଥିବା ନିଜ ଛିଦ୍ରରେ ବନ୍ଦ କରିଦିଏ | ତା ଭିତରେ ରହି ଭୟ ଏବଂ ଉଦ୍ବେଗରେ ଭୃଙ୍ଗୀର
ଚିନ୍ତନ କରି କରି ସେହି କୀଟମାନେ ତଦ୍ରୂପ ହୋଇଯାଆନ୍ତି |
ଏବଂ କୃଷ୍ଣେ ଭଗବତି
ମାୟାମନୁଜ ଈଶ୍ୱରେ ।
ବୈରେଣ
ପୂତପାପ୍ମାନସ୍ତମାପୁରନୁଚିନ୍ତୟା ॥ ୨୮॥
ଏହି କଥା ଭଗବାନ
ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ମଧ୍ୟ ପ୍ରଯୁଜ୍ୟ ଅଟେ | ଲୀଳାରେ ମନୁଷ୍ୟ ପ୍ରତୀତ ହେଉଥିଲେ ବି ସେ
ସର୍ବଶକ୍ତିମାନ ଭଗବାନ ହିଁ ତ ଅଟନ୍ତି | ତାଙ୍କ ପ୍ରତି ବୈରଭାବ ରଖିଥିବା ଜୀବ ତାଙ୍କର ଚିନ୍ତନ
କରି କରି ପାପରହିତ ହୋଇ ତାଙ୍କୁ ହିଁ ପ୍ରାପ୍ତ ହୋଇଯାଆନ୍ତି |
କାମାଦ୍ଦ୍ୱେଷାଦ୍ଭୟାତ୍ସ୍ନେହାଦ୍ୟଥା
ଭକ୍ତ୍ୟେଶ୍ୱରେ ମନଃ ।
ଆବେଶ୍ୟ ତଦଘଂ
ହିତ୍ୱା ବହବସ୍ତଦ୍ଗତିଂ ଗତାଃ ॥ ୨୯॥
ଜଣେ ନୁହେଁ, ଏହିପରି ଅନେକ ମନୁଷ୍ୟ କାମ, ଦ୍ବେଷ, ଭୟ ଏବଂ ସ୍ନେହରେ
ନିଜ ମନକୁ ଭଗବାନଙ୍କଠାରେ ସଂଲଗ୍ନ କରି, ସମସ୍ତ ପାପରୁ ମୁକ୍ତ ହୋଇ ଭଗବାନଙ୍କୁ ପ୍ରାପ୍ତ
ହୋଇଛନ୍ତି, ଯେପରି ଭକ୍ତମାନେ ଭକ୍ତି
ଦ୍ବାରା ପ୍ରାପ୍ତ ହୋଇଥାଆନ୍ତି |
ଗୋପ୍ୟଃ
କାମାଦ୍ଭୟାତ୍କଂସୋ ଦ୍ୱେଷାଚ୍ଚୈଦ୍ୟାଦୟୋ ନୃପାଃ ।
ସମ୍ବନ୍ଧାଦ୍ୱୃଷ୍ଣୟଃ
ସ୍ନେହାଦ୍ୟୂୟଂ ଭକ୍ତ୍ୟା ବୟଂ ବିଭୋ ॥ ୩୦॥
ମହାରାଜ !
ଗୋପୀମାନେ ଭଗବାନଙ୍କ ସହିତ ମିଳିତ ହେବା ପାଇଁ ତୀବ୍ର କାମଭାବଯୁକ୍ତ ପ୍ରେମରେ, କଂସ ଭୟରେ,
ଶିଶୁପାଳ-ଦନ୍ତବକ୍ତ୍ର ଆଦି ରାଜାମାନେ ଦ୍ବେଷରେ, ଯଦୁବଂଶୀମାନେ
ପାରିବାରିକ ସମ୍ବନ୍ଧର ଆଧାରରେ, ତୁମ୍ଭେମାନେ
ସ୍ନେହରେ ଏବଂ ଆମ୍ଭେମାନେ ଭକ୍ତିରେ ମନକୁ ଭଗବାନଙ୍କ ସହିତ ଲଗାଇ ରଖିଥାଏ |
କତମୋଽପି ନ ବେନଃ ସ୍ୟାତ୍ପଞ୍ଚାନାଂ
ପୁରୁଷଂ ପ୍ରତି ।
ତସ୍ମାତ୍କେନାପ୍ୟୁପାୟେନ
ମନଃ କୃଷ୍ଣେ ନିବେଶୟେତ୍ ॥ ୩୧॥
ଭକ୍ତମାନଙ୍କ
ଅତିରିକ୍ତ ଅନ୍ୟ ଯେଉଁ ପାଞ୍ଚ ଭାବରେ ଲୋକେ ଭଗବାନଙ୍କର ଚିନ୍ତନ କରନ୍ତି, ସେମାନଙ୍କ ମଧ୍ୟରେ ରାଜା ବେନଙ୍କର ଗଣନା କୌଣସି
ଭାବରେ କରାଯିବ ନାହିଁ | ସାରାଂଶ ଏହା ଯେ କୌଣସି ଭାବରେ ହେଉ ମନକୁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ
ତନ୍ମୟ କରିବା ଆବଶ୍ୟକ |
ମାତୃଷ୍ୱସେୟୋ
ବଶ୍ଚୈଦ୍ୟୋ ଦନ୍ତବକ୍ତ୍ରଶ୍ଚ ପାଣ୍ଡବ ।
ପାର୍ଷଦପ୍ରବରୌ
ବିଷ୍ଣୋର୍ୱିପ୍ରଶାପାତ୍ପଦାଚ୍ଚ୍ୟୁତୌ ॥ ୩୨॥
ମହାରାଜ ! ଏତଦ୍
ବ୍ୟତିତ ତୁମର ମାଉସୀ-ପୁଅ ଭାଈ ଶିଶୁପାଳ ଏବଂ ଦନ୍ତବକ୍ତ୍ର ଉଭୟେ ବିଷ୍ଣୁଭଗବାନଙ୍କର ମୁଖ୍ୟ
ପାର୍ଷଦ ଥିଲେ | ବ୍ରାହ୍ମଣମାନଙ୍କ ଅଭିଶାପରୁ ସେମାନଙ୍କୁ ନିଜ ପଦରୁ ଚ୍ୟୁତ ହେବାକୁ ପଡିଥିଲା |
ଯୁଧିଷ୍ଠିର ଉବାଚ
କୀଦୃଶଃ କସ୍ୟ ବା
ଶାପୋ ହରିଦାସାଭିମର୍ଶନଃ ।
ଅଶ୍ରଦ୍ଧେୟ
ଇବାଭାତି ହରେରେକାନ୍ତିନାଂ ଭବଃ ॥ ୩୩॥
ରାଜା ଯୁଧିଷ୍ଠିର
ପଚାରିଲେ – ହେ ଦେବର୍ଷି ! ଭଗବାନଙ୍କର ପାର୍ଷଦମାନଙ୍କୁ ମଧ୍ୟ ପ୍ରଭାବିତ କରି ପାରୁଥିବା ଏହି
ଶାପ କିଏ ଏବଂ କେଉଁ ପରିସ୍ଥିତିରେ ଦେଇଥିଲେ ? ଭଗବାନଙ୍କର ଅନନ୍ୟ ପ୍ରେମୀମାନେ ପୁଣି ଏହି
ଜନ୍ମ-ମୃତ୍ୟୁରୂପ ସଂସାରକୁ ଆସୁଥିବେ, ଏହି ବିଷୟ
କିଂଚିତ୍ ଅବିଶ୍ବସନୀୟ ମନେ ହେଉଛି |
ଦେହେନ୍ଦ୍ରିୟାସୁହୀନାନାଂ
ବୈକୁଣ୍ଠପୁରବାସିନାମ୍ ।
ଦେହସମ୍ବନ୍ଧସମ୍ବଦ୍ଧମେତଦାଖ୍ୟାତୁମର୍ହସି
॥ ୩୪॥
ବୈକୁଣ୍ଠବାସୀ
ଭଗବାନଙ୍କର ପରିକରମାନେ ପ୍ରାକୃତ ଶରୀର, ଇନ୍ଦ୍ରିୟ ଏବଂ
ପ୍ରାଣ ରହିତ ଅଟନ୍ତି | ସେମାନେ ପ୍ରାକୃତ ଶରୀର ସହିତ କିପରି ସମ୍ବନ୍ଧିତ ହେଲେ, ଏହା ଆପଣ ସ୍ପଷ୍ଟ କରି ଶୁଣାନ୍ତୁ |
ନାରଦ ଉବାଚ
ଏକଦା ବ୍ରହ୍ମଣଃ
ପୁତ୍ରା ବିଷ୍ଣୋର୍ଲୋକଂ ଯଦୃଚ୍ଛୟା ।
ସନନ୍ଦନାଦୟୋ
ଜଗ୍ମୁଶ୍ଚରନ୍ତୋ ଭୁବନତ୍ରୟମ୍ ॥ ୩୫॥
ଦେବର୍ଷି ନାରଦ
କହିଲେ – ଦିନେ ବ୍ରହ୍ମାଙ୍କର ମାନସ-ପୁତ୍ର ସନକାଦି ଋଷିମାନେ ତ୍ରିଲୋକରେ ସ୍ବଚ୍ଛନ୍ଦ ବିଚରଣ
କରିବାକୁ ଯାଇ ବୈକୁଣ୍ଠଲୋକରେ ପହଞ୍ଚିଲେ |
ପଞ୍ଚଷଡ୍ଢାୟନାର୍ଭାଭାଃ
ପୂର୍ୱେଷାମପି ପୂର୍ୱଜାଃ ।
ଦିଗ୍ୱାସସଃ ଶିଶୂନ୍
ମତ୍ୱା ଦ୍ୱାଃସ୍ଥୌ ତାନ୍ ପ୍ରତ୍ୟଷେଧତାମ୍ ॥ ୩୬॥
ବାସ୍ତବରେ ତ
ସେମାନେ ସର୍ବ ପୁରାତନ ଅଟନ୍ତି, କିନ୍ତୁ ଦେଖିବାକୁ
ସେମାନେ ପାଞ୍ଚ-ଛଅ ବର୍ଷର ବାଳକ ପରି ପ୍ରତୀତ ହୁଅନ୍ତି | ସେମାନେ ବସ୍ତ୍ର ବି ଧାରଣ କରନ୍ତି
ନାହିଁ | ସେମାନଙ୍କୁ ସାଧାରଣ ବାଳକ ମନେକରି ଦ୍ବାରପାଳମାନେ ଭିତରକୁ ପ୍ରବେଶ କରିବା ପାଇଁ
ସେମାନଙ୍କର ପଥରୋଧ କଲେ |
ଅଶପନ୍ କୁପିତା ଏବଂ
ଯୁବାଂ ବାସଂ ନ ଚାର୍ହଥଃ ।
ରଜସ୍ତମୋଭ୍ୟାଂ
ରହିତେ ପାଦମୂଲେ ମଧୁଦ୍ୱିଷଃ ।
ପାପିଷ୍ଠାମାସୁରୀଂ
ଯୋନିଂ ବାଲିଶୌ ଯାତମାଶ୍ୱତଃ ॥ ୩୭॥
ଏଥିରେ ସେମାନେ
କ୍ରୋଧିତ ହୋଇ ଦ୍ବାରପାଳଙ୍କୁ ଏହି ଶାପ ଦେଲେ – “ମୂର୍ଖ ! ଭଗବାନ ବିଷ୍ଣୁଙ୍କର ଚରଣ ତ ରଜୋଗୁଣ
ଏବଂ ତମୋଗୁଣ ରହିତ ଅଟେ; ତୁମେ ଦୁହେଁ ତାହା ସମୀପରେ
ନିବାସ କରିବାକୁ ଯୋଗ୍ୟ ନୁହେଁ | ସେଥିପାଇଁ ଅତି ଶୀଘ୍ର ତୁମ୍ଭେମାନେ ଏଠାରୁ ପାପମୟୀ
ଅସୁରଯୋନିକୁ ଚାଲିଯାଅ |
ଏବଂ ଶପ୍ତୌ
ସ୍ୱଭବନାତ୍ପତନ୍ତୌ ତୈଃ କୃପାଲୁଭିଃ ।
ପ୍ରୋକ୍ତୌ
ପୁନର୍ଜନ୍ମଭିର୍ୱାଂ ତ୍ରିଭିର୍ଲୋକାୟ କଲ୍ପତାମ୍ ॥ ୩୮॥
ସେମାନଙ୍କର ସେହି
ଅଭିଶାପ ଯୋଗୁଁ ଯେତେବେଳେ ଦ୍ବାରପାଳ ଦୁହିଁଙ୍କର ନିମ୍ନଗତି ହେବାକୁ ଯାଉଥିଲା, ସେତେବେଳେ ସେହି କୃପାଳୁ ମହାତ୍ମାମାନେ କହିଲେ –
“ଠିକ୍ ଅଛି, ତିନି ଜନ୍ମ ଏହି ଶାପ ଭୋଗ
କରି ପୁନର୍ବାର ତୁମ୍ଭେମାନେ ବୈକୁଣ୍ଠଲୋକକୁ ଫେରି ଆସିବ |”
ଜଜ୍ଞାତେ ତୌ ଦିତେଃ
ପୁତ୍ରୌ ଦୈତ୍ୟଦାନବବନ୍ଦିତୌ ।
ହିରଣ୍ୟକଶିପୁର୍ଜ୍ୟେଷ୍ଠୋ
ହିରଣ୍ୟାକ୍ଷୋଽନୁଜସ୍ତତଃ ॥ ୩୯॥
ଯୁଧିଷ୍ଠିର ! ସେହି
ଦୁହେଁ ଦିତିଙ୍କର ଦୁଇ ପୁତ୍ର ଭାବରେ ଜନ୍ମ ଗ୍ରହଣ କଲେ | ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠର ନାମ
ହିରଣ୍ୟକଶିପୁ ଏବଂ କନିଷ୍ଠର ନାମ ହିରଣାକ୍ଷ ଥିଲା | ଦୈତ୍ୟ ଏବଂ ଦାନବ ସମାଜରେ ସେ ଦୁହେଁ
ସର୍ବଶ୍ରେଷ୍ଠ ଥିଲେ |
ହତୋ
ହିରଣ୍ୟକଶିପୁର୍ହରିଣା ସିଂହରୂପିଣା ।
ହିରଣ୍ୟାକ୍ଷୋ
ଧରୋଦ୍ଧାରେ ବିଭ୍ରତା ସୌକରଂ ବପୁଃ ॥ ୪୦॥
ବିଷ୍ଣୁଭଗବାନ
ନୃସିଂହ ରୂପ ଧାରଣ କରି ହିରଣ୍ୟକଶିପୁକୁ ଏବଂ ପୃଥିବୀ ଉଦ୍ଧାର କରିବା ସମୟରେ ବରାହାବତାର ଗ୍ରହଣ
କରି ହିରଣାକ୍ଷକୁ ମାରିଲେ |
ହିରଣ୍ୟକଶିପୁଃ
ପୁତ୍ରଂ ପ୍ରହ୍ଲାଦଂ କେଶବପ୍ରିୟମ୍ ।
ଜିଘାଂସୁରକରୋନ୍ନାନା
ଯାତନା ମୃତ୍ୟୁହେତବେ ॥ ୪୧॥
ନିଜ ପୁତ୍ର
ପ୍ରହ୍ଲାଦ ଭଗବତ୍-ପ୍ରେମୀ ହୋଇଥିବା କାରଣରୁ ହିରଣ୍ୟକଶିପୁ ତାଙ୍କୁ ବଧ କରିବାକୁ ଇଚ୍ଛା
କରିଥିଲା ଏବଂ ସେହି ଉଦ୍ଦେଶ୍ୟରେ ତାଙ୍କୁ ଅନେକ ଯାତନା ଦେଇଥିଲା |
ସର୍ୱଭୂତାତ୍ମଭୂତଂ
ତଂ ପ୍ରଶାନ୍ତଂ ସମଦର୍ଶନମ୍ ।
ଭଗବତ୍ତେଜସା
ସ୍ପୃଷ୍ଟଂ ନାଶକ୍ନୋଦ୍ଧନ୍ତୁମୁଦ୍ୟମୈଃ ॥ ୪୨॥
କିନ୍ତୁ ପ୍ରହ୍ଲାଦ
ସର୍ବାତ୍ମା ଭଗବାନଙ୍କର ପରମ ପ୍ରିୟ ହୋଇ ସାରିଥିଲେ, ସମଦର୍ଶୀ ହୋଇ ଯାଇଥିଲେ | ତାଙ୍କ ହୃଦୟରେ
ଅଟଳ ଶାନ୍ତି ଥିଲା | ଭଗବାନଙ୍କ ପ୍ରଭାବରେ ସେ ସୁରକ୍ଷିତ ଥିଲେ | ସେଥିପାଇଁ ଅନେକ ପ୍ରକାରରେ
ଚେଷ୍ଟା କରି ମଧ୍ୟ ହିରଣ୍ୟକଶିପୁ ତାଙ୍କୁ ମାରିବାକୁ ସମର୍ଥ ହୋଇ ନ ଥିଲା |
ତତସ୍ତୌ ରାକ୍ଷସୌ
ଜାତୌ କେଶିନ୍ୟାଂ ବିଶ୍ରବଃସୁତୌ ।
ରାବଣଃ
କୁମ୍ଭକର୍ଣଶ୍ଚ ସର୍ୱଲୋକୋପତାପନୌ ॥ ୪୩॥
ଯୁଧିଷ୍ଠିର ! ଏହି
ଦୁଇ ଜଣ ହିଁ ବିଶ୍ରବା ମୁନିଙ୍କ ଦ୍ବାରା କେଶିନୀ ଗର୍ଭରୁ ରାକ୍ଷସ ଭାବରେ ଜନ୍ମ ଗ୍ରହଣ କଲେ |
ସେମାନଙ୍କର ନାମ ଥିଲା ରାବଣ ଏବଂ କୁମ୍ଭକର୍ଣ୍ଣ | ସେମାନଙ୍କ ଉତ୍ପାତ୍ତରେ ସମସ୍ତ ଲୋକରେ
ଅଗ୍ନିର ତାଣ୍ଡବ ସୃଷ୍ଟି ହୋଇଥିଲା |
ତତ୍ରାପି ରାଘବୋ
ଭୂତ୍ୱା ନ୍ୟହନଚ୍ଛାପମୁକ୍ତୟେ ।
ରାମବୀର୍ୟଂ
ଶ୍ରୋଷ୍ୟସି ତ୍ୱଂ ମାର୍କଣ୍ଡେୟମୁଖାତ୍ପ୍ରଭୋ ॥ ୪୪॥
ସେହି ସମୟରେ ମଧ୍ୟ
ସେମାନଙ୍କୁ ଶାପ ମୁକ୍ତ କରିବା ପାଇଁ ଭଗବାନ ରାମରୂପରେ ସେମାନଙ୍କର ବଧ କରିଥିଲେ | ଯୁଧିଷ୍ଠିର
! ମାର୍କଣ୍ଡେୟ ମୁନିଙ୍କ ମୁଖରୁ ତୁମେ ଭଗବାନ ଶ୍ରୀରାମଙ୍କର ଚରିତ୍ର ଶ୍ରବଣ କରିବ |
ତାବେବ କ୍ଷତ୍ରିୟୌ
ଜାତୌ ମାତୃଷ୍ୱସ୍ରାତ୍ମଜୌ ତବ ।
ଅଧୁନା
ଶାପନିର୍ମୁକ୍ତୌ କୃଷ୍ଣଚକ୍ରହତାଂହସୌ ॥ ୪୫॥
ସେହି ଜୟ-ବିଜୟ ଏହି
ଜନ୍ମରେ ତୁମର ମାଉସୀ-ପୁଅ ଶିଶୁପାଳ ଏବଂ ଦନ୍ତବକ୍ତ୍ର ରୂପରେ କ୍ଷତ୍ରିୟକୁଳରେ ଉତ୍ପନ୍ନ
ହୋଇଥିଲେ | ଭଗବାନ ଶ୍ରୀକୃଷ୍ଣଙ୍କ ଚକ୍ରର ସ୍ପର୍ଶ ପ୍ରାପ୍ତ କରି ସେମାନଙ୍କର ସବୁ ପାପ ନଷ୍ଟ
ହୋଇଗଲା ଏବଂ ସେମାନେ ସନକାଦିଙ୍କ ଶାପରୁ ମୁକ୍ତ ହୋଇଗଲେ |
ବୈରାନୁବନ୍ଧତୀବ୍ରେଣ
ଧ୍ୟାନେନାଚ୍ୟୁତସାତ୍ମତାମ୍ ।
ନୀତୌ ପୁନର୍ହରେଃ
ପାର୍ଶ୍ୱଂ ଜଗ୍ମତୁର୍ୱିଷ୍ଣୁପାର୍ଷଦୌ ॥ ୪୬॥
ବୈରଭାବରେ ହେଉ
ସେମାନେ ନିରନ୍ତର ଭଗବାନ ଶ୍ରୀକୃଷ୍ଣଙ୍କର ଚିନ୍ତନ କରୁଥିଲେ | ସେହି ତୀବ୍ର ତନ୍ମୟତାର
ଫଳସ୍ବରୂପ ସେମାନେ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ ଏବଂ ପୁନର୍ବାର ତାଙ୍କର ପାର୍ଷଦ ଭାବରେ ତାଙ୍କ
ସମୀପକୁ ଚାଲିଗଲେ |
ଯୁଧିଷ୍ଠିର ଉବାଚ
ବିଦ୍ୱେଷୋ ଦୟିତେ
ପୁତ୍ରେ କଥମାସୀନ୍ମହାତ୍ମନି ।
ବ୍ରୂହି ମେ ଭଗବନ୍
ଯେନ ପ୍ରହ୍ଲାଦସ୍ୟାଚ୍ୟୁତାତ୍ମତା ॥ ୪୭॥
ଯୁଧିଷ୍ଠିର
ପଚାରିଲେ – ଭଗବନ୍ ! ହିରଣ୍ୟକଶିପୁ ନିଜର ସ୍ନେହଭାଜନ ପୁତ୍ର ପ୍ରହ୍ଲାଦଙ୍କ ପ୍ରତି ଏତେ ଦ୍ବେଷ
କାହିଁକି କରୁଥିଲେ ? ପ୍ରହ୍ଲାଦ ତ ଜଣେ ମହାତ୍ମା ଥିଲେ | କେଉଁ ସାଧନ ବଳରେ ସେ ଭଗବନ୍ମୟ ହୋଇ
ପାରିଥିଲେ, କୃପା କରି ଆପଣ ତାହା ମୋତେ
କୁହନ୍ତୁ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ
ପ୍ରହ୍ଲାଦଚରିତୋପକ୍ରମେ ପ୍ରଥମୋଽଧ୍ୟାୟଃ (୧)

Comments
Post a Comment