ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ସପ୍ତମ ସ୍କନ୍ଧ ॥

ଦ୍ବିତୀୟ ଅଧ୍ୟାୟ

ହିରଣାକ୍ଷ ବଧ ପରେ ମାତା ଏବଂ ପରିବାରବର୍ଗଙ୍କୁ ହିରଣ୍ୟକଶିପୁଙ୍କର ପ୍ରବୋଧନା

 

ନାରଦ ଉବାଚ

ଭ୍ରାତର୍ୟେବଂ ବିନିହତେ ହରିଣା କ୍ରୋଡମୂର୍ତିନା ।

ହିରଣ୍ୟକଶିପୂ ରାଜନ୍ ପର୍ୟତପ୍ୟଦ୍ରୁଷା ଶୁଚା ॥ ୧॥

ଦେବର୍ଷି ନାରଦ କହିଲେ – ଯୁଧିଷ୍ଠିର ! ବରାହାବତାର ଧାରଣ କରି ଭଗବାନ ଯେତେବେଳେ ହିରଣାକ୍ଷର ବଧ କଲେ, ସେତେବେଳେ ଭାଈର ଏପରି ମୃତ୍ୟୁରେ ହିରଣ୍ୟକଶିପୁ ରୋଷରେ ଜଳିବାରେ ଲାଗିଲା ଏବଂ ଶୋକ ସଂତପ୍ତ ହୋଇ ଉଠିଲା |

ଆହ ଚେଦଂ ରୁଷା ଘୂର୍ଣଃ ସନ୍ଦଷ୍ଟଦଶନଚ୍ଛଦଃ ।

କୋପୋଜ୍ଜ୍ୱଲଦ୍ଭ୍ୟାଂ ଚକ୍ଷୁର୍ଭ୍ୟାଂ ନିରୀକ୍ଷନ୍ ଧୂମ୍ରମମ୍ବରମ୍ ॥ ୨॥

କ୍ରୋଧାବେଶରେ ସେ ବାରମ୍ବାର ନିଜ ଦାନ୍ତରେ ଓଠକୁ କାମୁଡିବାରେ ଲାଗିଲା | କ୍ରୋଧଜର୍ଜରିତ ନେତ୍ରରେ ସେ ଅଗ୍ନିରୁ ଉଠୁଥିବା ଧୂଆଁରେ ଧୂମିଳ ଦେଖା ଯାଉଥିବା ଆକାଶ ଅଭିମୁଖରେ ଦୃଷ୍ଟିପାତ କରିବାରେ ଲାଗିଲା |

କରାଲଦଂଷ୍ଟ୍ରୋଗ୍ରଦୃଷ୍ଟ୍ୟା ଦୁଷ୍ପ୍ରେକ୍ଷ୍ୟଭ୍ରୁକୁଟୀମୁଖଃ ।

ଶୂଲମୁଦ୍ୟମ୍ୟ ସଦସି ଦାନବାନିଦମବ୍ରବୀତ୍ ॥ ୩॥

ଭୋ ଭୋ ଦାନବଦୈତେୟା ଦ୍ୱିମୂର୍ଧଂସ୍ତ୍ର୍ୟକ୍ଷ ଶମ୍ବର ।

ଶତବାହୋ ହୟଗ୍ରୀବ ନମୁଚେ ପାକ ଇଲ୍ୱଲ ॥ ୪॥

ବିପ୍ରଚିତ୍ତେ ମମ ବଚଃ ପୁଲୋମନ୍ ଶକୁନାଦୟଃ ।

ଶୃଣୁତାନନ୍ତରଂ ସର୍ୱେ କ୍ରିୟତାମାଶୁ ମା ଚିରମ୍ ॥ ୫॥

ସେହି ସମୟରେ ତାର ବିକରାଳ ମୁଖ, ଅଗ୍ନିବର୍ଷଣ କରୁଥିବା ଉଗ୍ର ଦୃଷ୍ଟି ଏବଂ ଉତ୍କ୍ଷିପ୍ତ ଭ୍ରୁରେ ଭୟାନକ ଦେଖା ଯାଉଥିବା ମୁଖମଣ୍ଡଳକୁ ଚାହିଁ ହେଉ ନ ଥିଲା | ଭରପୂର ସଭାରେ ତ୍ରିଶୂଳ ଉଠାଇ ସେ ଦ୍ବିମୂର୍ଧା, ତ୍ର୍ୟକ୍ଷ, ଶମ୍ବର, ଶତବାହୁ, ହୟଗ୍ରୀବ, ନମୁଚି, ପାକ, ଇଲ୍ବଳ, ବିପ୍ରଚିତି, ପୁଲୋମା ଏବଂ ଶକୁନ ଆଦିଙ୍କୁ ସମ୍ବୋଧିତ କରି କହିଲା – ହେ ଦୈତ୍ୟ ଏବଂ ଦାନବ ! ତୁମେ ସମସ୍ତେ ମୋ କଥା ଶୁଣ ଏବଂ ମୁଁ ଯେପରି କହୁଛି, ସେପରି କର |

ସପତ୍ନୈର୍ଘାତିତଃ କ୍ଷୁଦ୍ରୈର୍ଭ୍ରାତା ମେ ଦୟିତଃ ସୁହୃତ୍ ।

ପାର୍ଷ୍ଣିଗ୍ରାହେଣ ହରିଣା ସମେନାପ୍ୟୁପଧାବନୈଃ ॥ ୬॥

ତୁମ୍ଭେମାନେ ଏହା ଜାଣିଛ ଯେ ମୋର ନିମ୍ନ କକ୍ଷର ଶତ୍ରୁମାନେ ବିଷ୍ଣୁଙ୍କ ଦ୍ବାରା ମୋର ପରମ ପ୍ରିୟ ଏବଂ ହିତୈଷୀ ଭାଈକୁ ମାରିଦେଲେ | ସେ ଯଦିଓ ଦେବତା ଏବଂ ଦୈତ୍ୟ ଉଭୟଙ୍କ ପ୍ରତି ସମଭାବ ଅଟନ୍ତି, ତଥାପି ଦେବତାମାନେ ଧାଇଁ-ଦଉଡି ଏବଂ ଅନୁନୟ-ବିନୟ କରି ତାଙ୍କୁ ନିଜ ପକ୍ଷୀୟ କରିନେଲେ |

ତସ୍ୟ ତ୍ୟକ୍ତସ୍ୱଭାବସ୍ୟ ଘୃଣେର୍ମାୟାବନୌକସଃ ।

ଭଜନ୍ତଂ ଭଜମାନସ୍ୟ ବାଲସ୍ୟେବାସ୍ଥିରାତ୍ମନଃ ॥ ୭॥

ଏହି ବିଷ୍ଣୁ ପୂର୍ବରୁ ତ ଅତ୍ୟନ୍ତ ଶୁଦ୍ଧ ଏବଂ ନିଷ୍ପକ୍ଷ ଥିଲା | କିନ୍ତୁ ଏବେ ମାୟାରେ ବରାହ ଆଦି ରୂପ ଧାରଣ କରିବାରେ ଲାଗିଛି ଏବଂ ନିଜ ସ୍ବଭାବରୁ ଚ୍ୟୁତ ହୋଇଯାଇଛି | ଶିଶୁମାନଙ୍କ ପରି ଯିଏ ତାର ସେବା କଲା, ତା ପଟକୁ ଢଳି ଯାଉଛି | ତାର ଚିତ୍ତ ସ୍ଥିର ରହୁନାହିଁ |

ମଚ୍ଛୂଲଭିନ୍ନଗ୍ରୀବସ୍ୟ ଭୂରିଣା ରୁଧିରେଣ ବୈ ।

ରୁଧିରପ୍ରିୟଂ ତର୍ପୟିଷ୍ୟେ ଭ୍ରାତରଂ ମେ ଗତବ୍ୟଥଃ ॥ ୮॥

ଏବେ ମୁଁ ନିଜର ଏହି ଶୂଳ ଦ୍ବାରା ତାହାର ଗଳା କର୍ତ୍ତନ କରିବି ଏବଂ ତାର ରକ୍ତର ଧାରାରେ ନିଜ ରୁଧିରପ୍ରେମୀ ଭାଈର ତର୍ପଣ କରିବି | ତେବେ ଯାଇଁ ମୋ ହୃଦୟର ପୀଡା ଶାନ୍ତ ହେବ |

ତସ୍ମିନ୍ କୂଟେଽହିତେ ନଷ୍ଟେ କୃତ୍ତମୂଲେ ବନସ୍ପତୌ ।

ବିଟପା ଇବ ଶୁଷ୍ୟନ୍ତି ବିଷ୍ଣୁପ୍ରାଣା ଦିବୌକସଃ ॥ ୯॥

ସେହି ମାୟାବୀ ଶତ୍ରୁର ବିନାଶ ପରେ, ବୃକ୍ଷର ମୂଳ କଟିଯିବା ପରେ ଡାଳମାନଙ୍କର ଅବସ୍ଥା ପରି, ଦେବତାମାନେ ଆପେ-ଆପେ ଶୁଖିଯିବେ; କାରଣ ସେମାନଙ୍କର ଜୀବନ ତ ବିଷ୍ଣୁ ହିଁ ଅଟେ |

ତାବଦ୍ୟାତ ଭୁବଂ ଯୂୟଂ ବିପ୍ରକ୍ଷତ୍ରସମେଧିତାମ୍ ।

ସୂଦୟଧ୍ୱଂ ତପୋୟଜ୍ଞସ୍ୱାଧ୍ୟାୟବ୍ରତଦାନିନଃ ॥ ୧୦॥

ସେଥିପାଇଁ ତୁମ୍ଭେମାନେ ଏବେ ପୃଥିବୀକୁ ଯାଅ | ଆଜିକାଲି ସେଠାରେ ବ୍ରାହ୍ମଣ ଏବଂ କ୍ଷତ୍ରିୟମାନଙ୍କର ପ୍ରତାପ ବୃଦ୍ଧି ଲାଭ କରିଛି | ସେଠାରେ ଯେଉଁମାନେ ତପସ୍ୟା, ଯଜ୍ଞ, ସ୍ବାଧ୍ୟାୟ, ବ୍ରତ ଏବଂ ଦାନ ଆଦି ଶୁଭ କର୍ମ କରୁଥିବେ, ସମସ୍ତଙ୍କୁ ମାରି ଦିଅ |

ବିଷ୍ଣୁର୍ଦ୍ୱିଜକ୍ରିୟାମୂଲୋ ଯଜ୍ଞୋ ଧର୍ମମୟଃ ପୁମାନ୍ ।

ଦେବର୍ଷିପିତୃଭୂତାନାଂ ଧର୍ମସ୍ୟ ଚ ପରାୟଣମ୍ ॥ ୧୧॥

ବିଷ୍ଣୁର ଜଡ ଦ୍ବିଜାତିମାନଙ୍କର ଧର୍ମ-କର୍ମ ଅଟେ; କାରଣ ଯଜ୍ଞ ଏବଂ ଧର୍ମ ହିଁ ତାର ସ୍ବରୂପ ଅଟେ | ଦେବତା, ଋଷି, ପିତୃପୁରୁଷ, ସମସ୍ତ ପ୍ରାଣୀ ଏବଂ ଧର୍ମର ସେ ହିଁ ପରମ ଆଶ୍ରୟ ଅଟେ |

ଯତ୍ର ଯତ୍ର ଦ୍ୱିଜା ଗାବୋ ବେଦା ବର୍ଣାଶ୍ରମାଃ କ୍ରିୟାଃ ।

ତଂ ତଂ ଜନପଦଂ ଯାତ ସନ୍ଦୀପୟତ ବୃଶ୍ଚତ ॥ ୧୨॥

ଯେଉଁ ଯେଉଁ ସ୍ଥାନରେ ବ୍ରାହ୍ମଣ, ଗୋମାତା ଏବଂ ବେଦ ପୂଜନୀୟ ଅଟେ ତଥା ବର୍ଣ୍ଣାଶ୍ରମ ଏବଂ ଧର୍ମ-କର୍ମର ଅନୁଷ୍ଠାନ କରାଯାଏ, ତୁମ୍ଭେମାନେ ସେହି-ସେହି ଦେଶକୁ ଯାଇ ତାହାକୁ ଜାଳି ଦିଅ, ନଷ୍ଟ କରିଦିଅ |

ଇତି ତେ ଭର୍ତୃନିର୍ଦେଶମାଦାୟ ଶିରସାଽଽଦୃତାଃ ।

ତଥା ପ୍ରଜାନାଂ କଦନଂ ବିଦଧୁଃ କଦନପ୍ରିୟାଃ ॥ ୧୩॥

ଦୈତ୍ୟମାନେ ତ ସ୍ବଭାବତଃ ଲୋକଙ୍କୁ କଷ୍ଟ ଦେଇ ସୁଖୀ ହୁଅନ୍ତି; ଦୈତ୍ୟରାଜ ହିରଣ୍ୟକଶିପୁଙ୍କର ଆଜ୍ଞାକୁ ଅତ୍ୟନ୍ତ ଆଦରପୂର୍ବକ ଶିରୋଧାର୍ଯ୍ୟ କରି ସେମାନେ ଜନତାର ବିନାଶ କରିବାରେ ଲାଗିଗଲେ |

ପୁରଗ୍ରାମବ୍ରଜୋଦ୍ୟାନକ୍ଷେତ୍ରାରାମାଶ୍ରମାକରାନ୍ ।

ଖେଟଖର୍ୱଟଘୋଷାଂଶ୍ଚ ଦଦହୁଃ ପତ୍ତନାନି ଚ ॥ ୧୪॥

ସେମାନେ ନଗର, ଗ୍ରାମ, ଗୋଶାଳା, ବଗିଚା, କ୍ଷେତ, ପ୍ରାନ୍ତର, ଋଷିମାନଙ୍କର ଆଶ୍ରମ, ରତ୍ନ ଆଦିର ଖଣି, କୃଷକ-ବସ୍ତୀ, ଅହୀର-ବସ୍ତୀ ଏବଂ ବଡ-ବଡ ବ୍ୟାପାର କେନ୍ଦ୍ରକୁ ଜାଳିଦେଲେ |

କେଚିତ୍ଖନିତ୍ରୈର୍ବିଭିଦୁଃ ସେତୁପ୍ରାକାରଗୋପୁରାନ୍ ।

ଆଜୀବ୍ୟାଂଶ୍ଚିଚ୍ଛିଦୁର୍ୱୃକ୍ଷାନ୍ କେଚିତ୍ପରଶୁପାଣୟଃ ।

ପ୍ରାଦହନ୍ ଶରଣାନ୍ୟେକେ ପ୍ରଜାନାଂ ଜ୍ୱଲିତୋଲ୍ମୁକୈଃ ॥ ୧୫॥

କେହି କେହି ଦୈତ୍ୟ ଖନନ କରିବାର ଶସ୍ତ୍ରରେ ବଡ-ବଡ ପୋଲ, ତୋରଣ ଏବଂ ନଗର-ଫାଟକ ଆଦି ଭାଙ୍ଗିରୁଜି ନଷ୍ଟ କରିଦେଲେ; ଆଉ କିଏ କୁରାଢି ଧରି ଫଳ-ପୁଷ୍ପଭରା ବୃକ୍ଷରାଜି କାଟି ସଫା କରିଦେଲେ; ପୁଣି କିଏ ଜଳନ୍ତା କାଠ ଧରି ଲୋକଙ୍କର ଘରଦ୍ବାର ଜାଳି ଭସ୍ମ କରିଦେଲେ |

ଏବଂ ବିପ୍ରକୃତେ ଲୋକେ ଦୈତ୍ୟେନ୍ଦ୍ରାନୁଚରୈର୍ମୁହୁଃ ।

ଦିବଂ ଦେବାଃ ପରିତ୍ୟଜ୍ୟ ଭୁବି ଚେରୁରଲକ୍ଷିତାଃ ॥ ୧୬॥

ଏହିପରି ଭାବରେ ଦୈତ୍ୟମାନେ ନିରୀହ ପ୍ରଜାମାନଙ୍କର ଉତ୍ପୀଡନ କରିବାରେ ଲାଗିଲେ | ଦେବତାମାନେ ସେହି ସମୟରେ ସ୍ବର୍ଗ ଛାଡି ଛଦ୍ମରୂପରେ ପୃଥିବୀରେ ବିଚରଣ କରୁଥିଲେ |

ହିରଣ୍ୟକଶିପୁର୍ଭ୍ରାତୁଃ ସମ୍ପରେତସ୍ୟ ଦୁଃଖିତଃ ।

କୃତ୍ୱା କଟୋଦକାଦୀନି ଭ୍ରାତୃପୁତ୍ରାନସାନ୍ତ୍ୱୟତ୍ ॥ ୧୭॥

ଶକୁନିଂ ଶମ୍ବରଂ ଧୃଷ୍ଟଂ ଭୂତସନ୍ତାପନଂ ବୃକମ୍ ।

କାଲନାଭଂ ମହାନାଭଂ ହରିଶ୍ମଶ୍ରୁମଥୋତ୍କଚମ୍ ॥ ୧୮॥

ହେ ଯୁଧିଷ୍ଠିର ! ଭାଈର ମୃତ୍ୟୁରେ ହିରଣ୍ୟକଶିପୁ ମନରେ ଅତୀବ ଦୁଃଖ ଜାତ ହୋଇଥିଲା | ତଥାପି ତାର ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହେବା ପରେ ସେ ଶକୁନି, ଶମ୍ବର, ଧୃଷ୍ଟ, ଭୂତସନ୍ତାପନ, ବୃକ, କାଳନାଭ, ମହାନାଭ, ହରିଶ୍ମଶ୍ରୁ ଏବଂ ଉତ୍କଚ ଆଦି ନିଜ ପୁତୁରାମାନଙ୍କୁ ସାନ୍ତ୍ବନା ଦେଲା |

ତନ୍ମାତରଂ ରୁଷାଭାନୁଂ ଦିତିଂ ଚ ଜନନୀଂ ଗିରା ।

ଶ୍ଲକ୍ଷ୍ଣୟା ଦେଶକାଲଜ୍ଞ ଇଦମାହ ଜନେଶ୍ୱର ॥ ୧୯॥

ସେମାନଙ୍କର ମାତା ରିଷାଭାନୁ ଏବଂ ନିଜ ମାତା ଦିତିଙ୍କୁ ଦେଶ-କାଳ ଅନୁଯାୟୀ ମଧୁର ବାଣୀରେ ବୁଝାଇ କହିଲା |

ହିରଣ୍ୟକଶିପୁରୁବାଚ

ଅମ୍ବାମ୍ବ ହେ ବଧୂଃ ପୁତ୍ରା ବୀରଂ ମାର୍ହଥ ଶୋଚିତୁମ୍ ।

ରିପୋରଭିମୁଖେ ଶ୍ଲାଘ୍ୟଃ ଶୂରାଣାଂ ବଧ ଈପ୍ସିତଃ ॥ ୨୦॥

ହିରଣ୍ୟକଶିପୁ କହିଲା – ହେ ମୋର ପ୍ରିୟ ମାତା, ବୋହୂ ଏବଂ ପୁତ୍ରଗଣ ! ବୀର ହିରଣାକ୍ଷ ନିମନ୍ତେ ତୁମ୍ଭେମାନେ କୌଣସି ପ୍ରକାରରେ ଶୋକ କରିବା ଉଚିତ୍ ନୁହେଁ | ସମର ପ୍ରାଙ୍ଗଣରେ ନିଜ ଶତ୍ରୁ ସହିତ ପୂର୍ଣ୍ଣ ପରାକ୍ରମରେ ଯୁଦ୍ଧ କରି ପ୍ରାଣ ତ୍ୟାଗ କରିବା – ଏପରି ମୃତ୍ୟୁ ବୀର ପୁରୁଷ ନିମନ୍ତେ ଶ୍ଲାଘନୀୟ ଅଟେ |

ଭୂତାନାମିହ ସମ୍ବାସଃ ପ୍ରପାୟାମିବ ସୁବ୍ରତେ ।

ଦୈବେନୈକତ୍ର ନୀତାନାମୁନ୍ନୀତାନାଂ ସ୍ୱକର୍ମଭିଃ ॥ ୨୧॥

ହେ ଦେବି ! ମେଳାରେ ଯେପରି ବହୁତ ଲୋକ ଏକତ୍ରିତ ହୋଇଯାଆନ୍ତି, କିନ୍ତୁ ସେମାନଙ୍କର ମେଳ-ମିଳାପ ଖୁବ୍ କମ୍ ସମୟ ପାଇଁ ହୋଇଥାଏ, ସେହିପରି ନିଜ ନିଜ କର୍ମାନୁସାରେ ଦୈବବଶ ଜୀବର ପରସ୍ପର ମିଳନ ଏବଂ ବିଚ୍ଛେଦ ହୋଇଥାଏ |

ନିତ୍ୟ ଆତ୍ମାବ୍ୟଯଃ ଶୁଦ୍ଧଃ ସର୍ୱଗଃ ସର୍ୱବିତ୍ପରଃ ।

ଧତ୍ତେଽସାବାତ୍ମନୋ ଲିଙ୍ଗଂ ମାୟଯା ବିସୃଜନ୍ ଗୁଣାନ୍ ॥ ୨୨॥

ବାସ୍ତବରେ ଆତ୍ମା ନିତ୍ୟ, ଅବିନାଶୀ, ଶୁଦ୍ଧ, ସର୍ବଗତ, ସର୍ବଜ୍ଞ ଏବଂ ଦେହ-ଇନ୍ଦ୍ରିୟଠାରୁ ପୃଥକ୍ ଅଟେ | ନିଜ ଅବିଦ୍ୟାରୁ ହିଁ ସେ ଦେହ ଆଦି ସୃଷ୍ଟି କରି ଭୋଗର ସାଧନ ସୂକ୍ଷ୍ମଶରୀରକୁ ସ୍ବୀକାର କରିଥାଏ |

ଯଥାମ୍ଭସା ପ୍ରଚଲତା ତରବୋଽପି ଚଲା ଇବ ।

ଚକ୍ଷୁଷା ଭ୍ରାମ୍ୟମାଣେନ ଦୃଶ୍ୟତେ ଚଲତୀବ ଭୂଃ ॥ ୨୩॥

ଏବଂ ଗୁଣୈର୍ଭ୍ରାମ୍ୟମାଣେ ମନସ୍ୟବିକଲଃ ପୁମାନ୍ ।

ଯାତି ତତ୍ସାମ୍ୟତାଂ ଭଦ୍ରେ ହ୍ୟଲିଙ୍ଗୋ ଲିଙ୍ଗବାନିବ ॥ ୨୪॥

ଅସ୍ଥିର ଜଳରେ ସେଥିରେ ପ୍ରତିବିମ୍ବିତ ବୃକ୍ଷ ଯେପରି ଦୋହଲିବା ପରି ମନେହୁଅନ୍ତି, ଆଖିର ଘୂର୍ଣ୍ଣନ ଯୋଗୁଁ ପୃଥିବୀ ଯେପରି ଘୂରିବା ପରି ମନେହୁଏ, ସେହିପରି ବିଷୟ ପ୍ରଭାବରେ ମନ ଭ୍ରମିତ ହେବାରେ ଲାଗେ ଏବଂ ବାସ୍ତବରେ ନିର୍ବିକାର ହୋଇଥିଲେ ବି ଆତ୍ମା ମଧ୍ୟ ତାହା ସଦୃଶ ଭ୍ରମିତ ହେବା ପରି ମନେହୁଏ | ସ୍ଥୂଳ ଏବଂ ସୂକ୍ଷ୍ମ ଶରୀର ସହିତ ତାହାର କୌଣସି ସମ୍ବନ୍ଧ ନ ଥିଲେ ମଧ୍ୟ ସେ ସମ୍ବନ୍ଧିତ ମନେ ହୋଇଥାଏ |

ଏଷ ଆତ୍ମବିପର୍ୟାସୋ ହ୍ୟଲିଙ୍ଗେ ଲିଙ୍ଗଭାବନା ।

ଏଷ ପ୍ରିୟାପ୍ରିୟୈର୍ୟୋଗୋ ବିୟୋଗଃ କର୍ମସଂସୃତିଃ ॥ ୨୫॥

ଶରୀରରହିତ ଆତ୍ମାକୁ ଶରୀର ମନେକରିବା ହିଁ ଅଜ୍ଞାନ ଅଟେ | ଏହି ଅଜ୍ଞାନ କାରଣରୁ ପ୍ରିୟ ଅଥବା ଅପ୍ରିୟ ବସ୍ତୁର ମିଳନ ଏବଂ ବିଚ୍ଛେଦ ହୋଇଥାଏ | କର୍ମ ସହିତ ସମ୍ବନ୍ଧିତ ହୋଇ ସଂସାରରେ ଭ୍ରମିତ ହେବାକୁ ପଡିଥାଏ |

ସମ୍ଭବଶ୍ଚ ବିନାଶଶ୍ଚ ଶୋକଶ୍ଚ ବିବିଧଃ ସ୍ମୃତଃ ।

ଅବିବେକଶ୍ଚ ଚିନ୍ତା ଚ ବିବେକାସ୍ମୃତିରେବ ଚ ॥ ୨୬॥

ଜନ୍ମ, ମୃତ୍ୟୁ, ଅନେକ ପ୍ରକାରର ଶୋକ, ଅବିବେକ, ଚିନ୍ତା ଏବଂ ବିବେକର ବିସ୍ମୃତି – ସବୁର କାରଣ ଏହି ଅଜ୍ଞାନ ଅଟେ |

ଅତ୍ରାପ୍ୟୁଦାହରନ୍ତୀମମିତିହାସଂ ପୁରାତନମ୍ ।

ଯମସ୍ୟ ପ୍ରେତବନ୍ଧୂନାଂ ସମ୍ବାଦଂ ତଂ ନିବୋଧତ ॥ ୨୭॥

ଏହି ବିଷୟରେ ମହାତ୍ମାମାନେ ଗୋଟିଏ ପ୍ରାଚୀନ ଇତିହାସର ବର୍ଣ୍ଣନା କରିଥାଆନ୍ତି | ଏହା ମୃତ ବ୍ୟକ୍ତିର ସମ୍ବନ୍ଧୀମାନଙ୍କ ସହିତ ଯମରାଜଙ୍କର କଥୋପକଥନ ଅଟେ | ତୁମ୍ଭେମାନେ ଧ୍ୟାନ ଦେଇ ତାହା ଶୁଣ |

ଉଶୀନରେଷ୍ୱଭୂଦ୍ରାଜା ସୁୟଜ୍ଞ ଇତି ବିଶ୍ରୁତଃ ।

ସପତ୍ନୈର୍ନିହତୋ ଯୁଦ୍ଧେ ଜ୍ଞାତୟସ୍ତମୁପାସତ ॥ ୨୮॥

ଉଶୀନର ଦେଶରେ ଜଣେ ଅତ୍ୟନ୍ତ ଯଶସ୍ବୀ ରାଜା ଥିଲେ | ତାଙ୍କର ନାମ ଥିଲା ସୁଯଜ୍ଞ | ଯୁଦ୍ଧରେ ଶତ୍ରୁମାନେ ତାଙ୍କର ନିଧନ କଲେ | ତାପରେ ତାଙ୍କ ଚତୁର୍ପାର୍ଶ୍ବରେ ତାଙ୍କ ଭାଈ-ବନ୍ଧୁ ଘେରି ବସିଗଲେ |

ବିଶୀର୍ଣରତ୍ନକବଚଂ ବିଭ୍ରଷ୍ଟାଭରଣସ୍ରଜମ୍ ।

ଶରନିର୍ଭିନ୍ନହୃଦୟଂ ଶୟାନମସୃଗାବିଲମ୍ ॥ ୨୯॥

 ପ୍ରକୀର୍ଣକେଶଂ ଧ୍ୱସ୍ତାକ୍ଷଂ ରଭସା ଦଷ୍ଟଦଚ୍ଛଦମ୍ ।

ରଜଃକୁଣ୍ଠମୁଖାମ୍ଭୋଜଂ ଛିନ୍ନାୟୁଧଭୁଜଂ ମୃଧେ ॥ ୩୦॥

ତାଙ୍କ ବକ୍ଷକବଚ ଛିନ୍ନ-ଭିନ୍ନ ହୋଇ ଯାଇଥିଲା, ଗହଣା ଏବଂ ମାଳା ଅସ୍ତବ୍ୟସ୍ତ ହୋଇ ଯାଇଥିଲା | ଶସ୍ତ୍ରାଘାତରେ କଲିଜା ଫାଟି ଯାଇଥିଲା | ଶରୀର ରକ୍ତ ଜୁଡୁବୁଡୁ ହୋଇ ଯାଇଥିଲା | କେଶ ଅସ୍ତବ୍ୟସ୍ତ ଥିଲା, ଆଖି ଢ଼ିମା ହୋଇ ଯାଇଥିଲା ଏବଂ କ୍ରୋଧରେ ତାଙ୍କର ଦାନ୍ତ ଓଠକୁ କାମୁଡି ଧରିଥିଲା | କମଳ ସଦୃଶ ତାଙ୍କର ମୁଖ ଧୂଳିରେ ଆବୃତ ହୋଇ ଯାଇଥିଲା | ଯୁଦ୍ଧରେ ଶସ୍ତ୍ର ସହିତ ତାଙ୍କର ବାହୁ କଟି ଯାଇଥିଲା |

ଉଶୀନରେନ୍ଦ୍ରଂ ବିଧିନା ତଥା କୃତଂ

ପତିଂ ମହିଷ୍ୟଃ ପ୍ରସମୀକ୍ଷ୍ୟ ଦୁଃଖିତାଃ ।

ହତାଃ ସ୍ମ ନାଥେତି କରୈରୁରୋ ଭୃଶଂ

ଘ୍ନନ୍ତ୍ୟୋ ମୁହୁସ୍ତତ୍ପଦୟୋରୁପାପତନ୍ ॥ ୩୧॥

ନିଜ ପତିଦେବ ଉଶୀନର ନରେଶ ଦୈବବଶ ଏପରି ଦଶା ପ୍ରାପ୍ତ ହୋଇଥିବା ଦେଖି ରାଣୀମାନେ ଅତିଶୟ ଦୁଃଖିତ ହେଲେ | ‘ହା ନାଥ ! ଆମେ ସବୁ ଅଭାଗିନୀ ବଞ୍ଚି ଥାଉ ଥାଉ ମରିଗଲୁ – ଏପରି କହି ବାରମ୍ବାର ସେମାନେ ନିଜର ଛାତିକୁ ପିଟିବାରେ ଲାଗିଥାଆନ୍ତି ଏବଂ କାନ୍ଦି କାନ୍ଦି ନିଜ ସ୍ବାମୀଙ୍କ ଚରଣରେ ଲୋଟି ଯାଉଥାଆନ୍ତି |

ରୁଦତ୍ୟ ଉଚ୍ଚୈର୍ଦୟିତାଙ୍ଘ୍ରିପଙ୍କଜଂ

ସିଞ୍ଚନ୍ତ୍ୟ ଅସ୍ରୈଃ କୁଚକୁଙ୍କୁମାରୁଣୈଃ ।

ବିସ୍ରସ୍ତକେଶାଭରଣାଃ ଶୁଚଂ ନୃଣାଂ

ସୃଜନ୍ତ୍ୟ ଆକ୍ରନ୍ଦନୟା ବିଲେପିରେ ॥ ୩୨॥

ଖୁବ୍ ଜୋରରେ ଚିତ୍କାର କରି ସେମାନେ କ୍ରନ୍ଦନ କରୁଥାଆନ୍ତି ଏବଂ କୁଚ-କୁଙ୍କୁମ ମିଶ୍ରିତ ସେମାନଙ୍କର ଲାଲ-ଲାଲ ଅଶ୍ରୁଧାର ନିଜ ପ୍ରିୟତମଙ୍କର ପାଦପଦ୍ମକୁ ପ୍ରକ୍ଷାଳନ କରୁଥାଏ | ସେମାନଙ୍କର କେଶ ଏବଂ ଗହଣା ଅସ୍ତବ୍ୟସ୍ତ ହୋଇ ଯାଇଥାଏ | କରୁଣ କ୍ରନ୍ଦନ କରି ସେମାନେ ଏପରି ବିଳାପ କରୁଥିଲେ ଯେ ତାହାକୁ ଶୁଣି ମନୁଷ୍ୟର ହୃଦୟରେ ଶୋକର ସଞ୍ଚାର ହେଉଥାଏ |

ଅହୋ ବିଧାତ୍ରାକରୁଣେନ ନଃ ପ୍ରଭୋ

ଭବାନ୍ ପ୍ରଣୀତୋ ଦୃଗଗୋଚରାଂ ଦଶାମ୍ ।

ଉଶୀନରାଣାମସି ବୃତ୍ତିଦଃ ପୁରା

କୃତୋଽଧୁନା ଯେନ ଶୁଚାଂ ବିବର୍ଧନଃ ॥ ୩୩॥

‘ହାୟ ! ଏହି ବିଧାତା ଅତ୍ୟନ୍ତ ନିଷ୍ଠୁର ଅଟେ | ସ୍ବାମୀ ! ଆଜି ସେ ଆପଣଙ୍କୁ ଆମ ଆଖିରୁ ଅନ୍ତର୍ହିତ କରିଦେଲା | ଆପଣ ତ ସମସ୍ତ ଦେଶବାସୀଙ୍କର ଜୀବନଦାତା ଥିଲେ; ଆଜି ସେ ଆପଣଙ୍କର ଏପରି ଦଶା କଲା ଯେ ଆପଣ ଆମ ସମସ୍ତଙ୍କର ଶୋକ ବୃଦ୍ଧି କରୁଛନ୍ତି |

ତ୍ୱୟା କୃତଜ୍ଞେନ ବୟଂ ମହୀପତେ

କଥଂ ବିନା ସ୍ୟାମ ସୁହୃତ୍ତମେନ ତେ ।

ତତ୍ରାନୁୟାନଂ ତବ ବୀର ପାଦୟୋଃ

ଶୁଶ୍ରୂଷତୀନାଂ ଦିଶ ଯତ୍ର ଯାସ୍ୟସି ॥ ୩୪॥

ପତିଦେବ ! ଆପଣ ଆମ୍ଭମାନଙ୍କୁ ବହୁତ ପ୍ରେମ କରୁଥିଲେ, ଆମର ଛୋଟ ଛୋଟ ସେବାକୁ ବହୁତ ବଡ ମନେ କରୁଥିଲେ | ହାୟ ! ଏବେ ଆପଣଙ୍କ ବିନା ଆମେ ରହିବୁ କିପରି ? ଆମେ ଆପଣଙ୍କ ଚରଣର ଦାସୀ ଅଟୁ | ବୀରବର ! ଆପଣ ଯେଉଁଠିକୁ ଯାଉଛନ୍ତି, ସେଠାକୁ ଯିବାକୁ ଆମ୍ଭମାନଙ୍କୁ ମଧ୍ୟ ଅନୁମତି ପ୍ରଦାନ କରନ୍ତୁ |

ଏବଂ ବିଲପତୀନାଂ ବୈ ପରିଗୃହ୍ୟ ମୃତଂ ପତିମ୍ ।

ଅନିଚ୍ଛତୀନାଂ ନିର୍ହାରମର୍କୋଽସ୍ତଂ ସନ୍ନ୍ୟବର୍ତତ ॥ ୩୫॥

ନିଜ ପତିଙ୍କର ମୃତ ଶରୀରକୁ ଧରି ସେମାନେ ଏହିପରି ବିଳାପ କରୁଥିଲେ | ଦାହସଂସ୍କାର ପାଇଁ ଶବକୁ ଛାଡିବାକୁ ସେମାନେ ଇଚ୍ଛା କରୁ ନ ଥିଲେ | ଏତିକିବେଳେ ସୂର୍ଯ୍ୟାସ୍ତ ହୋଇଗଲା |

ତତ୍ର ହ ପ୍ରେତବନ୍ଧୂନାମାଶ୍ରୁତ୍ୟ ପରିଦେବିତମ୍ ।

ଆହ ତାନ୍ ବାଲକୋ ଭୂତ୍ୱା ଯମଃ ସ୍ୱୟମୁପାଗତଃ ॥ ୩୬॥

ଉଶୀନରରାଜାଙ୍କ ସମ୍ବନ୍ଧୀମାନେ ଯେପରି ଭାବରେ ବିଳାପ କରୁଥିଲେ, ତାହା ଶୁଣି ସ୍ବୟଂ ଯମରାଜ ଗୋଟିଏ ବାଳକ ବେଶରେ ସେଠାକୁ ଆସିଲେ ଏବଂ ସେ ସେମାନଙ୍କୁ କହିଲେ -

ଯମ ଉବାଚ

ଅହୋ ଅମୀଷାଂ ବୟସାଧିକାନାଂ

ବିପଶ୍ୟତାଂ ଲୋକବିଧିଂ ବିମୋହଃ ।

ଯତ୍ରାଗତସ୍ତତ୍ର ଗତଂ ମନୁଷ୍ୟଂ

ସ୍ୱୟଂ ସଧର୍ମା ଅପି ଶୋଚନ୍ତ୍ୟପାର୍ଥମ୍ ॥ ୩୭॥

ଯମ କହିଲେ – ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଯେ ଏମାନେ ସମସ୍ତେ ମୋଠାରୁ ଅଧିକ ଚାଲାକ ଅଟନ୍ତି; ଅଥଚ ସର୍ବଦା ଲୋକଙ୍କର ଜନ୍ମ-ମରଣ ଦେଖି ମଧ୍ୟ ମୂଢମାନଙ୍କ ପରି ବ୍ୟବହାର କରୁଛନ୍ତି | ଆରେ ! ଏହି ମଣିଷ ଯେଉଁଠାରୁ ଆସିଥିଲା, ସେଠାକୁ ଚାଲିଗଲା | ଏମାନେ ମଧ୍ୟ ଦିନେ ନା ଦିନେ ସେଠାକୁ ଯିବେ | ତେଣୁ ମିଛଟାରେ ଏମାନେ ଏପରି ଶୋକ କାହିଁକି କରୁଛନ୍ତି ?

ଅହୋ ବୟଂ ଧନ୍ୟତମା ଯଦତ୍ର

ତ୍ୟକ୍ତାଃ ପିତୃଭ୍ୟାଂ ନ ବିଚିନ୍ତୟାମଃ ।

ଅଭକ୍ଷ୍ୟମାଣା ଅବଲା ବୃକାଦିଭିଃ

ସ ରକ୍ଷିତା ରକ୍ଷତି ଯୋ ହି ଗର୍ଭେ ॥ ୩୮॥

ଆମେ ତ ତୁମଠାରୁ ଲକ୍ଷେ ଗୁଣରେ ଭଲ, ଧନ୍ୟ ଅଟୁ, କାରଣ ଆମର ମା-ବାପା ଆମକୁ ଛାଡି ଦେଇଛନ୍ତି | ଆମ ଶରୀରରେ ପର୍ଯ୍ୟାପ୍ତ ବଳ ମଧ୍ୟ ନାହିଁ, ତଥାପି ଆମର ଚିନ୍ତା ନାହିଁ | ଗଧିଆ ଆଦି ହିଂସ୍ରକ ଜନ୍ତୁ ଆମର ବାଳ ସୁଦ୍ଧା ବଙ୍କା କରିପାରନ୍ତି ନାହିଁ | ଯିଏ ଗର୍ଭରେ ରକ୍ଷା କରିଥିଲା, ସେ ଏହି ଜୀବନରେ ମଧ୍ୟ ଆମର ରକ୍ଷା କରୁଛି |

ଯ ଇଚ୍ଛୟେଶଃ ସୃଜତୀଦମବ୍ୟଯୋ

ଯ ଏବ ରକ୍ଷତ୍ୟବଲୁମ୍ପତେ ଚ ଯଃ ।

ତସ୍ୟାବଲାଃ କ୍ରୀଡନମାହୁରୀଶିତୁ-

ଶ୍ଚରାଚରଂ ନିଗ୍ରହସଙ୍ଗ୍ରହେ ପ୍ରଭୁଃ ॥ ୩୯॥

ହେ ଦେବିଗଣ ! ଯେଉଁ ଅବିନାଶୀ ଈଶ୍ବର ଖେଳ-ଖେଳରେ ଏହି ଜଗତକୁ ଗଢିଛନ୍ତି, ରକ୍ଷା କରୁଛନ୍ତି ଏବଂ ବିଗାଡି ଦିଅନ୍ତି – ସେହି ପ୍ରଭୁଙ୍କର ଏହା ଏକ ଖେଳଣାମାତ୍ର ଅଟେ | ସେ ଏହି ଚରାଚର ଜଗତକୁ ଦଣ୍ଡ ଅଥବା ପୁରଷ୍କାର ଦେବାକୁ ସମର୍ଥ |

ପଥି ଚ୍ୟୁତଂ ତିଷ୍ଠତି ଦିଷ୍ଟରକ୍ଷିତଂ

ଗୃହେ ସ୍ଥିତଂ ତଦ୍ୱିହତଂ ବିନଶ୍ୟତି ।

ଜୀବତ୍ୟନାଥୋଽପି ତଦୀକ୍ଷିତୋ ବନେ

ଗୃହେଽଭିଗୁପ୍ତୋଽସ୍ୟ ହତୋ ନ ଜୀବତି ॥ ୪୦॥

ଭାଗ୍ୟ ଅନୁକୂଳ ଥିଲେ ରାସ୍ତାରେ ପଡିଥିବା ବସ୍ତୁ ମଧ୍ୟ ଯେମିତି-ସେମିତି ପଡି ରହିଥାଏ | କିନ୍ତୁ ଭାଗ୍ୟ ପ୍ରତିକୂଳ ହେଲେ ଘର ଭିତରେ ସିନ୍ଦୁକରେ ରହିଥିବା ବସ୍ତୁ ମଧ୍ୟ ହଜିଯାଏ | ସେହିପରି କୌଣସି ସହାରା ବିନା ଜୀବ ଜଙ୍ଗଲରେ ମଧ୍ୟ ଦୈବର ଦୟାଦୃଷ୍ଟିରୁ ବହୁତ ଦିନ ଧରି ଜୀବିତ ରହିପାରେ; ଅଥଚ ଦୈବ ବିପରୀତ ହେଲେ ଘର ଭିତରେ ସୁରକ୍ଷିତ ରହି ମଧ୍ୟ ମରିଯାଏ |

ଭୂତାନି ତୈସ୍ତୈର୍ନିଜୟୋନିକର୍ମଭି-

ର୍ଭବନ୍ତି କାଲେ ନ ଭବନ୍ତି ସର୍ୱଶଃ ।

ନ ତତ୍ର ହାତ୍ମା ପ୍ରକୃତାବପି ସ୍ଥିତ-

ସ୍ତସ୍ୟା ଗୁଣୈରନ୍ୟତମୋ ନିବଧ୍ୟତେ ॥ ୪୧॥

ହେ ମହିଷିଗଣ ! ସବୁ ପ୍ରାଣୀଙ୍କର ମୃତ୍ୟୁ ନିଜ ପୂର୍ବଜନ୍ମର କର୍ମବାସନା ଅନୁସାରେ ନିର୍ଦ୍ଧାରିତ ସମୟରେ ହୋଇଥାଏ ଏବଂ ତଦନୁଯାୟୀ ତାର ପରବର୍ତ୍ତୀ ଜନ୍ମ ମଧ୍ୟ ହୋଇଥାଏ | କିନ୍ତୁ ଆତ୍ମା ଶରୀରଠାରୁ ପୃଥକ୍ ଅଟେ, ସେଥିପାଇଁ ଶରୀରରେ ରହି ମଧ୍ୟ ସେ ତାର ଜନ୍ମ-ମୃତ୍ୟୁ ଆଦି ଧର୍ମରୁ ଅସ୍ପୃଶ୍ୟ ହିଁ ରହେ |

ଇଦଂ ଶରୀରଂ ପୁରୁଷସ୍ୟ ମୋହଜଂ

ଯଥା ପୃଥଗ୍ଭୌତିକମୀୟତେ ଗୃହମ୍ ।

ଯଥୌଦକୈଃ ପାର୍ଥିବତୈଜସୈର୍ଜନଃ

କାଲେନ ଜାତୋ ବିକୃତୋ ବିନଶ୍ୟତି ॥ ୪୨॥

ମନୁଷ୍ୟ ଯେପରି ନିଜର ବାସଭବନକୁ ନିଜଠାରୁ ପୃଥକ୍ ମାଟିର ମନେ କରିଥାଏ, ସେହିପରି ଏହି ଶରୀର ମଧ୍ୟ ତାଠାରୁ ପୃଥକ୍ ମାଟିର ହିଁ ଅଟେ; ମୋହବଶ ସେ ତାହାକୁ ‘ମୁଁ ମନେ କରିଥାଏ | ପାଣିଫୋଟକା ଆଦି ପାଣିର ବିକାର, ମାଠିଆ ଆଦି ମାଟିର ବିକାର ଏବଂ ଗହଣା ଆଦି ସ୍ବର୍ଣ୍ଣର ବିକାର ଯେପରି ସମୟକ୍ରମେ ସୃଷ୍ଟି ହୁଏ, ରୂପାନ୍ତରିତ ହୁଏ ତଥା ନଷ୍ଟ ହୋଇଯାଏ, ସେହିପରି ଏହି ତିନୋଟିର ବିକାରରୁ ଉଦ୍ଭବ ଶରୀର ମଧ୍ୟ ସମୟକ୍ରମେ ନଷ୍ଟ ହୋଇଯାଏ |.

ଯଥାନଲୋ ଦାରୁଷୁ ଭିନ୍ନ ଈୟତେ

ଯଥାନିଲୋ ଦେହଗତଃ ପୃଥକ୍ ସ୍ଥିତଃ ।

ଯଥା ନଭଃ ସର୍ୱଗତଂ ନ ସଜ୍ଜତେ

ତଥା ପୁମାନ୍ ସର୍ୱଗୁଣାଶ୍ରୟଃ ପରଃ ॥ ୪୩॥

କାଷ୍ଠରେ ବ୍ୟାପକ ରୂପରେ ରହିଥିବା ଅଗ୍ନି ଯେପରି କାଷ୍ଠଠାରୁ ଭିନ୍ନ ଅଟେ, ଦେହରେ ରହି ମଧ୍ୟ ବାୟୁର ଯେପରି ଦେହ ସହିତ କୌଣସି ସମ୍ବନ୍ଧ ନ ଥାଏ, ଆକାଶ ଯେପରି ସର୍ବତ୍ର ଏକରସ ରହି ମହି ମଧ୍ୟ କାହାର ଦୋଷ-ଗୁଣରେ ଲିପ୍ତ ରହୁଏନାହିଁ – ସେହିପରି ସମସ୍ତ ଦେହ-ଇନ୍ଦ୍ରିୟରେ ବ୍ୟାପକ, ସେମାନଙ୍କର ଆଶ୍ରୟ ଆତ୍ମା ମଧ୍ୟ ସେମାନଙ୍କଠାରୁ ପୃଥକ୍ ଏବଂ ନିର୍ଲିପ୍ତ ଅଟେ |

ସୁୟଜ୍ଞୋ ନନ୍ୱୟଂ ଶେତେ ମୂଢା ଯମନୁଶୋଚଥ ।

ଯଃ ଶ୍ରୋତା ଯୋଽନୁବକ୍ତେହ ସ ନ ଦୃଶ୍ୟେତ କର୍ହିଚିତ୍ ॥ ୪୪॥

ହେ ମୂର୍ଖ ! ଯାହା ପାଇଁ ତୁମ୍ଭେମାନେ ଶୋକ କରୁଛ, ସେହି ସୁଯଜ୍ଞ ନାମକ ଶରୀର ତ ତୁମ ସମ୍ମୁଖରେ ପଡିଛି | ତୁମ୍ଭେମାନେ ଏହାକୁ ଦେଖୁଛ | ଏଥିରେ ଯିଏ ଶୁଣୁଥିଲା ଏବଂ କଥା କହୁଥିଲା, ସେ ତ କେବେ କାହାକୁ ଦେଖାଯାଉ ନ ଥିଲା; ତେଣୁ ଆଜି ସେ ଦେଖାଯାଉ ନାହିଁ ବୋଲି ତୁମ୍ଭେମାନେ ଶୋକ କାହିଁକି କରୁଛ ?

ନ ଶ୍ରୋତା ନାନୁବକ୍ତାୟଂ ମୁଖ୍ୟୋଽପ୍ୟତ୍ର ମହାନସୁଃ ।

ଯସ୍ତ୍ୱିହେନ୍ଦ୍ରିୟବାନାତ୍ମା ସ ଚାନ୍ୟଃ ପ୍ରାଣଦେହୟୋଃ ॥ ୪୫॥

ଶରୀରରେ ସମସ୍ତ ଇନ୍ଦ୍ରିୟକ୍ରିୟାର ହେତୁଭୂତ ଯେଉଁ ମହାପ୍ରାଣ ରହିଛି, ତାହା ପ୍ରଧାନ ହୋଇଥିଲେ ବି ଜଡ ହିଁ ଅଟେ | ଦେହ ଓ ଇନ୍ଦ୍ରିୟ ଦ୍ବାରା ସମସ୍ତ ପଦାର୍ଥର ବାସ୍ତବିକ ଦ୍ରଷ୍ଟା ଆତ୍ମା, ଉଭୟ ଶରୀର ଏବଂ ପ୍ରାଣଠାରୁ ପୃଥକ୍ ଅଟେ |

ଭୂତେନ୍ଦ୍ରିୟମନୋଲିଙ୍ଗାନ୍ ଦେହାନୁଚ୍ଚାବଚାନ୍ ବିଭୁଃ ।

ଭଜତ୍ୟୁତ୍ସୃଜତି ହ୍ୟନ୍ୟସ୍ତଚ୍ଚାପି ସ୍ୱେନ ତେଜସା ॥ ୪୬॥

ଯଦିଓ ସେ ପରିଚ୍ଛିନ୍ନ ନୁହେଁ, ବ୍ୟାପକ ଅଟେ – ତଥାପି ସେ ପଞ୍ଚଭୂତ, ଇନ୍ଦ୍ରିୟ ଏବଂ ମନ ଯୁକ୍ତ ନୀଚ-ଉଚ୍ଚ (ଦେବତା, ମନୁଷ୍ୟ, ପଶୁ-ପକ୍ଷୀ ଆଦି) ସବୁ ପ୍ରକାରର ଶରୀର ଗ୍ରହଣ କରିଥାଏ ଏବଂ ନିଜ ବିବେକବଳରେ ସେମାନଙ୍କଠାରୁ ମୁକ୍ତ ମଧ୍ୟ ରହିଥାଏ | ବାସ୍ତବରେ ସେ ସମସ୍ତଙ୍କଠାରୁ ଭିନ୍ନ ଅଟେ |

ଯାବଲ୍ଲିଙ୍ଗାନ୍ୱିତୋ ହ୍ୟାତ୍ମା ତାବତ୍କର୍ମ ନିବନ୍ଧନମ୍ ।

ତତୋ ବିପର୍ୟଯଃ କ୍ଲେଶୋ ମାୟାୟୋଗୋଽନୁବର୍ତତେ ॥ ୪୭॥

ଯେତେଦିନ ଯାଏଁ ସେ ପଞ୍ଚପ୍ରାଣ, ପଞ୍ଚ କର୍ମେନ୍ଦ୍ରିୟ,ପଞ୍ଚ ଜ୍ଞାନେନ୍ଦ୍ରିୟ, ବୁଦ୍ଧି ଏବଂ ମନ – ଏହି ସତର ତତ୍ତ୍ବରେ ଗଢା ଲିଙ୍ଗଶରୀରରେ ଯୁକ୍ତ ରହିଥାଏ, ସେତେଦିନ ସେ କର୍ମବନ୍ଧନରେ ଆବଦ୍ଧ ରହିଥାଏ ଏବଂ ସେହି ବନ୍ଧନ କାରଣରୁ ହିଁ ମାୟାର ଉପଜ ମୋହ ଏବଂ କ୍ଲେଶ ତାହାର ପଶ୍ଚାତଧାବନ କରୁଥାଆନ୍ତି |

ବିତଥାଭିନିବେଶୋଽୟଂ ଯଦ୍ଗୁଣେଷ୍ୱର୍ଥଦୃଗ୍ୱଚଃ ।

ଯଥା ମନୋରଥଃ ସ୍ୱପ୍ନଃ ସର୍ୱମୈନ୍ଦ୍ରିୟକଂ ମୃଷା ॥ ୪୮॥

ପ୍ରକୃତିର ଗୁଣ ଏବଂ ସେମାନଙ୍କ ଦ୍ବାରା ସୃଷ୍ଟ ପଦାର୍ଥକୁ ସତ୍ୟ ମନେକରିବା, ମିଥ୍ୟା ଦୁରାଗ୍ରହ ହିଁ ଅଟେ | ମନୋରଥ ସମୟରେ କଳ୍ପିତ ଏବଂ ସ୍ବପ୍ନରେ ଦୃଶ୍ୟ ହେଉଥିବା ବସ୍ତୁ ପରି ଇନ୍ଦ୍ରିୟ ଦ୍ବାରା ଯାହାକିଛି ଗ୍ରହଣ କରାଯାଏ, ତାହା ସବୁ ମିଥ୍ୟା ଅଟେ |

ଅଥ ନିତ୍ୟମନିତ୍ୟଂ ବା ନେହ ଶୋଚନ୍ତି ତଦ୍ୱିଦଃ ।

ନାନ୍ୟଥା ଶକ୍ୟତେ କର୍ତୁଂ ସ୍ୱଭାବଃ ଶୋଚତାମିତି ॥ ୪୯॥

ସେଥିପାଇଁ ଶରୀର ଏବଂ ଆତ୍ମା ବିଷୟକ ତତ୍ତ୍ବକୁ ଜାଣିଥିବା ବିବେକୀ ପୁରୁଷ ଅନିତ୍ୟ ଶରୀର ପାଇଁ ନୁହେଁ କିମ୍ବା ନିତ୍ୟ ଆତ୍ମା ପାଇଁ ନୁହେଁ, କାହା ପାଇଁ ଶୋକ କରନ୍ତି ନାହିଁ |

ଲୁବ୍ଧକୋ ବିପିନେ କଶ୍ଚିତ୍ପକ୍ଷିଣାଂ ନିର୍ମିତୋଽନ୍ତକଃ ।

ବିତତ୍ୟ ଜାଲଂ ବିଦଧେ ତତ୍ର ତତ୍ର ପ୍ରଲୋଭୟନ୍ ॥ ୫୦॥

କୌଣସି ଏକ ଜଙ୍ଗଲରେ ଜଣେ ଶିକାରୀ ରହୁଥିଲା | ଶିକାରୀ ତ ନୁହେଁ, ବିଧାତା ସତେ ଯେପରି ପକ୍ଷୀମାନଙ୍କର କାଳରୂପରେ ତାହାକୁ ଗଢିଥିଲା | ଯେଉଁଠି-ସେଇଠି ଜାଲ ବିଛାଇ ସେ ପକ୍ଷୀମାନଙ୍କୁ ପ୍ରଲୋଭିତ କରାଇ ଧରି ନେଉଥିଲା |

କୁଲିଙ୍ଗମିଥୁନଂ ତତ୍ର ବିଚରତ୍ସମଦୃଶ୍ୟତ ।

ତୟୋଃ କୁଲିଙ୍ଗୀ ସହସା ଲୁବ୍ଧକେନ ପ୍ରଲୋଭିତା ॥ ୫୧॥

ଦିନେ ସେ କୁଳିଙ୍ଗ ପକ୍ଷୀର ଏକ ଯୋଡାକୁ ଦାନା ଖୁଣ୍ଟୁଥିବା ଅବସ୍ଥାରେ ଦେଖିଲା | ସେ ଅତି ଶୀଘ୍ର ଜାଲ ବିଛାଇ ସେମାନଙ୍କ ମଧ୍ୟରୁ ମାଈ ପକ୍ଷୀଟିକୁ ଧରି ନେଲା |

ସାସଜ୍ଜତ ସିଚସ୍ତନ୍ତ୍ର୍ୟାଂ ମହିଷୀ କାଲୟନ୍ତ୍ରିତା ।

କୁଲିଙ୍ଗସ୍ତାଂ ତଥାଽଽପନ୍ନାଂ ନିରୀକ୍ଷ୍ୟ ଭୃଶଦୁଃଖିତଃ ।

ସ୍ନେହାଦକଲ୍ପଃ କୃପଣଃ କୃପଣାଂ ପର୍ୟଦେବୟତ୍ ॥ ୫୨॥

କାଳଚକ୍ରର ପ୍ରଭାବରେ ମାଈ ପକ୍ଷୀଟି ଜାଲରେ ଛନ୍ଦି ହୋଇ ଛଟପଟ ହେଉଥାଏ | ସ୍ତ୍ରୀର ଏପରି ବିପତ୍ତି ଦେଖି ନର ପକ୍ଷୀଟି ଅତିଶୟ ଦୁଃଖିତ ହେଲା | ସେ ବିଚରା ନିଜ ସ୍ତ୍ରୀକୁ ଫାଶରୁ ମୁକ୍ତ କରି ନ ପାରି ସ୍ନେହାଧିକ୍ୟରେ ବିଳାପ କରିବାରେ ଲାଗିଲା |

ଅହୋ ଅକରୁଣୋ ଦେବଃ ସ୍ତ୍ରିୟାକରୁଣୟା ବିଭୁଃ ।

କୃପଣଂ ମାନୁଶୋଚନ୍ତ୍ୟା ଦୀନୟା କିଂ କରିଷ୍ୟତି ॥ ୫୩॥

ସେ କହିଲା – ଏହି ବିଧାତା ତ ସବୁକିଛି କରିବାକୁ ସକ୍ଷମ, କିନ୍ତୁ ଇଏ ବଡ ନିର୍ଦ୍ଦୟୀ ଅଟେ | ମୋର ଏହି ସହଚରୀ ଏକରେ ତ ସ୍ତ୍ରୀ-ଜାତିର ଅଟେ, ଦୁଇରେ ମୋ ପରି ଅଭାଗା ନିମନ୍ତେ ଶୋକ କରି ସେ ଦୀନଭାବରେ ଛଟପଟ ହେଉଛି; ତାକୁ ଧରି ନେଇ ଏହି ବିଧାତା କଣ ଅବା କରିବ ?

କାମଂ ନୟତୁ ମାଂ ଦେବଃ କିମର୍ଧେନାତ୍ମନୋ ହି ମେ ।

ଦୀନେନ ଜୀବତା ଦୁଃଖମନେନ ବିଧୁରାୟୁଷା ॥ ୫୪॥

ଇଚ୍ଛା କଲେ ସେ ମୋତେ ନେଇଯାଉ | ସ୍ତ୍ରୀ ବିନା ମୁଁ ନିଜର ଏହି ଦୁଃଖଭରା ଅସମ୍ପୂର୍ଣ୍ଣ ବିଧୂର ଜୀବନ କିପରି ବ୍ୟତୀତ କରିବି ?

କଥଂ ତ୍ୱଜାତପକ୍ଷାଂସ୍ତାନ୍ ମାତୃହୀନାନ୍ ବିଭର୍ମ୍ୟହମ୍ ।

ମନ୍ଦଭାଗ୍ୟାଃ ପ୍ରତୀକ୍ଷନ୍ତେ ନୀଡେ ମେ ମାତରଂ ପ୍ରଜାଃ ॥ ୫୫॥

ମୋର ଅଭାଗା ଶିଶୁ ଶାବକମାନଙ୍କର ଏବେ ପର ମଧ୍ୟ ଉଠିନାହିଁ, ସେହି ମାତୃହୀନ ଶିଶୁମାନଙ୍କର ପାଳନ-ପୋଷଣ ମୁଁ କିପରି କରିବି ? ହାୟ ! ବସାରେ ଏବେ ସେମାନେ ନିଜ ମାର ବାଟ ଚାହିଁ ବସିଥିବେ |

ଏବଂ କୁଲିଙ୍ଗଂ ବିଲପନ୍ତମାରା-

ତ୍ପ୍ରିୟାବିୟୋଗାତୁରମଶ୍ରୁକଣ୍ଠମ୍ ।

ସ ଏବ ତଂ ଶାକୁନିକଃ ଶରେଣ

ବିବ୍ୟାଧ କାଲପ୍ରହିତୋ ବିଲୀନଃ ॥ ୫୬॥

ଏହିପରି ଭାବରେ ସେହି ନର ପକ୍ଷୀଟି ନିଜ ସହଚରୀ ବିୟୋଗରେ ଆତୁର ହୋଇ ବିଳାପ କରିବାରେ ଲାଗିଥାଏ | କୋହରେ ତାର କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥାଏ | ଏତିକିବେଳେ କାଳର ପ୍ରେରଣାରେ ପାଖରେ ଛୁପି ରହିଥିବା ଶିକାରୀଟି ତା ଉପରକୁ ଏକ ବାଣ ନିକ୍ଷେପ କଲା, ଯାହା ଫଳରେ ସେ ସେହିଠାରେ ହିଁ ଟଳି ପଡିଲା |

ଏବଂ ଯୂୟମପଶ୍ୟନ୍ତ୍ୟ ଆତ୍ମାପାୟମବୁଦ୍ଧୟଃ ।

ନୈନଂ ପ୍ରାପ୍ସ୍ୟଥ ଶୋଚନ୍ତ୍ୟଃ ପତିଂ ବର୍ଷଶତୈରପି ॥ ୫୭॥

ହେ ମୂର୍ଖ ମହିଷିଗଣ ! ତୁମ୍ଭମାନଙ୍କର ଦଶା ମଧ୍ୟ ଏହିପରି ହେବ | ତୁମେ ନିଜ ମୃତ୍ୟୁକୁ ଦେଖି ନ ପାରି ଏହା ପାଇଁ କନ୍ଦା-କଟା କରୁଛ | ଶହ-ଶହ ବର୍ଷ ଏହିପରି ଭାବରେ ଶୋକରେ ଛାତି ପିଟିବାରେ ଲାଗିଲେ ବି ଏବେ ତୁମେ ଆଉ ଏହାକୁ ଫେରି ପାଇବ ନାହିଁ |

ହିରଣ୍ୟକଶିପୁରୁବାଚ

ବାଲ ଏବଂ ପ୍ରବଦତି ସର୍ୱେ ବିସ୍ମିତଚେତସଃ ।

ଜ୍ଞାତୟୋ ମେନିରେ ସର୍ୱମନିତ୍ୟମୟଥୋତ୍ଥିତମ୍ ॥ ୫୮॥

ହିରଣ୍ୟକଶିପୁ କହିଲା – ସେହି ଛୋଟ ବାଳକଟିର ମୁହଁରୁ ଏପରି ଜ୍ଞାନପୂର୍ଣ୍ଣ କଥା ଶୁଣି ସମସ୍ତେ ସ୍ତବ୍ଧ ହୋଇଗଲେ | ଉଶୀନର-ନରେଶଙ୍କର ଭାଈ-ବନ୍ଧୁ ଏବଂ ସ୍ତ୍ରୀମାନଙ୍କର ଏହା ହୃଦବୋଧ ହୋଇଗଲା ଯେ ସମସ୍ତ ସଂସାର ଏବଂ ତାହାର ସୁଖ-ଦୁଃଖ ଅନିତ୍ୟ ଏବଂ ମିଥ୍ୟା ଅଟେ |

ଯମ ଏତଦୁପାଖ୍ୟାୟ ତତ୍ରୈବାନ୍ତରଧୀୟତ ।

ଜ୍ଞାତୟୋଽପି ସୁୟଜ୍ଞସ୍ୟ ଚକ୍ରୁର୍ୟତ୍ସାମ୍ପରାୟିକମ୍ ॥ ୫୯॥

ଯମରାଜ ଏହି ଉପାଖ୍ୟାନ ଶୁଣାଇ ସେହିଠାରେ ହିଁ ଅନ୍ତର୍ଧ୍ୟାନ ହୋଇଗଲେ | ଭାଈ-ବନ୍ଧୁମାନେ ସୁଯଜ୍ଞର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କଲେ |

ତତଃ ଶୋଚତ ମା ଯୂୟଂ ପରଂ ଚାତ୍ମାନମେବ ଚ ।

କ ଆତ୍ମା କଃ ପରୋ ବାତ୍ର ସ୍ୱୀୟଃ ପାରକ୍ୟ ଏବ ବା ।

ସ୍ୱପରାଭିନିବେଶେନ ବିନାଜ୍ଞାନେନ ଦେହିନାମ୍ ॥ ୬୦॥

ତେଣୁ ତୁମ୍ଭେମାନେ ମଧ୍ୟ ନିଜ ପାଇଁ ବା ଅନ୍ୟ କାହା ପାଇଁ ଶୋକ କରନାହିଁ | ଏହି ସଂସାରରେ କିଏ ଆତ୍ମା ଅଟେ ଏବଂ କିଏ ଆତ୍ମାଠାରୁ ଭିନ୍ନ ଅଟେ ? କିଏ ଆପଣାର, କିଏ ପର ? ଅଜ୍ଞାନ କାରଣରୁ ହିଁ ପ୍ରାଣୀର ଏହି ଆପଣା-ପରର ଦୁରାଗ୍ରହ ହୋଇଥାଏ, ଏହି ଭେଦ-ବୁଦ୍ଧିର ଅନ୍ୟ କୌଣସି କାରଣ ନାହିଁ |

ଶ୍ରୀନାରଦ ଉବାଚ

ଇତି ଦୈତ୍ୟପତେର୍ୱାକ୍ୟଂ ଦିତିରାକର୍ଣ୍ୟ ସସ୍ନୁଷା ।

ପୁତ୍ରଶୋକଂ କ୍ଷଣାତ୍ତ୍ୟକ୍ତ୍ୱା ତତ୍ତ୍ୱେ ଚିତ୍ତମଧାରୟତ୍ ॥ ୬୧॥

ଦେବର୍ଷି ନାରଦ କହୁଛନ୍ତି – ହିରଣ୍ୟକଶିପୁର କଥା ଶୁଣିବା କ୍ଷଣି ଦିତି ନିଜ ପୁତ୍ରବଧୂଙ୍କ ସହିତ ପୁତ୍ରଶୋକ ତ୍ୟାଗ କଲେ ଏବଂ ନିଜର ଚିତ୍ତକୁ ପରମତତ୍ତ୍ବସ୍ବରୂପ ପରମାତ୍ମାଙ୍କଠାରେ ସନ୍ନିବେଶ କରିଦେଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ଦିତିଶୋକାପନୟନଂ ନାମ ଦ୍ୱିତୀୟୋଽଧ୍ୟାୟଃ ॥ ୨॥

Comments

Popular posts from this blog