ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ସପ୍ତମ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ହିରଣ୍ୟକଶିପୁର ଅତ୍ୟାଚାର ଏବଂ ପ୍ରହ୍ଲାଦଙ୍କ ଗୁଣର ବର୍ଣ୍ଣନ

 

ନାରଦ ଉବାଚ

ଏବଂ ବୃତଃ ଶତଧୃତିର୍ହିରଣ୍ୟକଶିପୋରଥ ।

ପ୍ରାଦାତ୍ତତ୍ତପସା ପ୍ରୀତୋ ବରାଂସ୍ତସ୍ୟ ସୁଦୁର୍ଲଭାନ୍ ॥ ୧॥

ଦେବର୍ଷି ନାରଦ କହୁଛନ୍ତି – ହେ ଯୁଧିଷ୍ଠିର ! ହିରଣ୍ୟକଶିପୁ ଯେତେବେଳେ ବ୍ରହ୍ମାଜୀଙ୍କଠାରୁ ଏପରି ଅତ୍ୟନ୍ତ ଦୁର୍ଲଭ ବରଯାଚନା କଲା, ସେତେବେଳେ ବ୍ରହ୍ମାଜୀ ତାର ତପସ୍ୟାରେ ପ୍ରସନ୍ନ ହୋଇଥିବା କାରଣରୁ ତାକୁ ସେହି ବର ପ୍ରଦାନ କଲେ |

ବ୍ରହ୍ମୋବାଚ

ତାତେମେ ଦୁର୍ଲଭାଃ ପୁଂସାଂ ଯାନ୍ ବୃଣୀଷେ ବରାନ୍ ମମ ।

ତଥାପି ବିତରାମ୍ୟଙ୍ଗ ବରାନ୍ ଯଦପି ଦୁର୍ଲଭାନ୍ ॥ ୨॥

ବ୍ରହ୍ମାଜୀ କହିଲେ – ପୁତ୍ର ! ତୁମେ ମୋଠାରୁ ଯେଉଁ ବରଯାଚନା କଲ, ତାହା ଜୀବ ପାଇଁ ଅତ୍ୟନ୍ତ ଦୁର୍ଲଭ ହୋଇଥିଲେ ବି ମୁଁ ତୁମକୁ ତାହା ପ୍ରଦାନ କରୁଛି |

ତତୋ ଜଗାମ ଭଗବାନମୋଘାନୁଗ୍ରହୋ ବିଭୁଃ ।

ପୂଜିତୋଽସୁରବର୍ୟେଣ ସ୍ତୂୟମାନଃ ପ୍ରଜେଶ୍ୱରୈଃ ॥ ୩॥

(ଦେବର୍ଷି ନାରଦ କହୁଛନ୍ତି) ବ୍ରହ୍ମାଜୀଙ୍କର ବରଦାନ କେବେ ଅସତ୍ୟ ହୁଏ ନାହିଁ | ସେ ସମର୍ଥ ଏବଂ ଭଗବଦ୍ରୂପ ହିଁ ଅଟନ୍ତି | ବରଦାନ ମିଳିଯିବା ପରେ ହିରଣ୍ୟକଶିପୁ ତାଙ୍କର ପୂଜା କଲା ଏବଂ ବ୍ରହ୍ମାଜୀ ନିଜର ସ୍ତୁତି ଶୁଣି ଶୁଣି ପ୍ରଜାପତିମାନଙ୍କ ସହିତ ସେଠାରୁ ନିଜ ଲୋକକୁ ପ୍ରସ୍ଥାନ କଲେ |

ଏବଂ ଲବ୍ଧବରୋ ଦୈତ୍ୟୋ ବିଭ୍ରଦ୍ଧେମମୟଂ ବପୁଃ ।

ଭଗବତ୍ୟକରୋଦ୍ଦ୍ୱେଷଂ ଭ୍ରାତୁର୍ୱଧମନୁସ୍ମରନ୍ ॥ ୪॥

ବ୍ରହ୍ମାଜୀଙ୍କଠାରୁ ବର ପ୍ରାପ୍ତ କରି ହିରଣ୍ୟକଶିପୁର ଶରୀର ସୁବର୍ଣ୍ଣ ପରି କାନ୍ତିମାନ୍ ଏବଂ ହୃଷ୍ଟ-ପୁଷ୍ଟ ହୋଇଗଲା | ନିଜ ଭାଈର ମୃତ୍ୟୁ ସ୍ମରଣ କରି ସେ ଭଗବାନଙ୍କ ପ୍ରତି ଦ୍ବେଷ କରିବାରେ ଲାଗିଲା |

ସ ବିଜିତ୍ୟ ଦିଶଃ ସର୍ୱା ଲୋକାଂଶ୍ଚ ତ୍ରୀନ୍ ମହାସୁରଃ ।

ଦେବାସୁରମନୁଷ୍ୟେନ୍ଦ୍ରାନ୍ ଗନ୍ଧର୍ୱଗରୁଡୋରଗାନ୍ ॥ ୫॥

ସିଦ୍ଧଚାରଣବିଦ୍ୟାଧ୍ରାନୃଷୀନ୍ ପିତୃପତୀନ୍ ମନୂନ୍ ।

ଯକ୍ଷରକ୍ଷଃପିଶାଚେଶାନ୍ ପ୍ରେତଭୂତପତୀନଥ ॥ ୬॥

ସର୍ୱସତ୍ତ୍ୱପତୀନ୍ ଜିତ୍ୱା ବଶମାନୀୟ ବିଶ୍ୱଜିତ୍ ।

ଜହାର ଲୋକପାଲାନାଂ ସ୍ଥାନାନି ସହ ତେଜସା ॥ ୭॥

ସେହି ମହାଦୈତ୍ୟ ସମସ୍ତ ଦିଶା, ତ୍ରିଲୋକ ତଥା ଦେବତା, ଅସୁର, ନରପତି, ଗନ୍ଧର୍ବ, ଗରୁଡ଼, ସର୍ପ, ସିଦ୍ଧ, ଚାରଣ, ବିଦ୍ୟାଧର, ଋଷି, ପିତୃଲୋକ ଅଧିପତି, ମନୁ, ଯକ୍ଷ, ରାକ୍ଷସ, ପିଶାଚରାଜ, ପ୍ରେତ, ଭୂତପତି ଏବଂ ସମସ୍ତ ପ୍ରାଣୀଙ୍କର ରାଜାମାନଙ୍କୁ ଜୟ କରି ନିଜର ଅଧୀନସ୍ତ କରିନେଲା | ଏପରି କି ସେହି ବିଶ୍ବ-ବିଜୟୀ ଦୈତ୍ୟ ଲୋକପାଳମାନଙ୍କର ଶକ୍ତି ଏବଂ ସ୍ଥାନ ମଧ୍ୟ ଛଡାଇ ନେଲା |

ଦେବୋଦ୍ୟାନଶ୍ରିୟା ଜୁଷ୍ଟମଧ୍ୟାସ୍ତେ ସ୍ମ ତ୍ରିବିଷ୍ଟପମ୍ ।

ମହେନ୍ଦ୍ରଭବନଂ ସାକ୍ଷାନ୍ନିର୍ମିତଂ ବିଶ୍ୱକର୍ମଣା ।

ତ୍ରୈଲୋକ୍ୟଲକ୍ଷ୍ମ୍ୟାୟତନମଧ୍ୟୁବାସାଖିଲର୍ଦ୍ଧିମତ୍ ॥ ୮॥

ଏବେ ସେ ନନ୍ଦନବନ ଆଦି ଦିବ୍ୟ ଉଦ୍ୟାନମାନଙ୍କର ସୌନ୍ଦର୍ଯ୍ୟରେ ଯୁକ୍ତ ସ୍ବର୍ଗଲୋକରେ ହିଁ ରହିବାରେ ଲାଗିଲା | ସ୍ବୟଂ ବିଶ୍ବକର୍ମାଙ୍କ ଦ୍ବାରା ନିର୍ମିତ ଇନ୍ଦ୍ରଭବନ ତାର ନିବାସସ୍ଥାନ ଥିଲା | ସେହି ଭବନରେ ତ୍ରିଲୋକର ସୌନ୍ଦର୍ଯ୍ୟ ମୂର୍ତ୍ତିମାନ ହୋଇ ନିବାସ କରୁଥିଲା | ତାହା ସମସ୍ତ ପ୍ରକାର ସମ୍ପତ୍ତିରେ ସମ୍ପନ୍ନ ଥିଲା |

ଯତ୍ର ବିଦ୍ରୁମସୋପାନା ମହାମାରକତା ଭୁବଃ ।

ଯତ୍ର ସ୍ଫାଟିକକୁଡ୍ୟାନି ବୈଦୂର୍ୟସ୍ତମ୍ଭପଙ୍କ୍ତୟଃ ॥ ୯॥

ଯତ୍ର ଚିତ୍ରବିତାନାନି ପଦ୍ମରାଗାସନାନି ଚ ।

ପୟଃଫେନନିଭାଃ ଶୟ୍ୟା ମୁକ୍ତାଦାମପରିଚ୍ଛଦାଃ ॥ ୧୦॥

ସେହି ମହଲରେ ପ୍ରବାଳର ସିଢି, ତହିଁରେ ପନ୍ନାର ଲେପ, ସ୍ଫଟିକମଣିର କାନ୍ଥ, ବୈଦୂର୍ଯ୍ୟମଣିର ସ୍ତମ୍ଭ ଏବଂ ମାଣିକର ଆସନ ଥିଲା | ରଙ୍ଗ-ବେରଙ୍ଗ ରୂପାର ଝାଲର ଏବଂ ମୋତିଝରାଯୁକ୍ତ ଦୁଗ୍ଧଫେଣ ସଦୃଶ କୋମଳ-ଧବଳ ଶଯ୍ୟାସନରେ ତାହା ଶୋଭାୟମାନ ଥିଲା |

କୂଜଦ୍ଭିର୍ନୂପୁରୈର୍ଦେବ୍ୟଃ ଶବ୍ଦୟନ୍ତ୍ୟ ଇତସ୍ତତଃ ।

ରତ୍ନସ୍ଥଲୀଷୁ ପଶ୍ୟନ୍ତି ସୁଦତୀଃ ସୁନ୍ଦରଂ ମୁଖମ୍ ॥ ୧୧॥

ସର୍ବାଙ୍ଗସୁନ୍ଦରୀ ଅପ୍ସରାମାନେ ନିଜ ନୂପୁରରେ ରୁଣୁଝୁଣୁ ଧ୍ବନି କରି ସେହି ରତ୍ନମୟ ଚଟାଣ ଉପରେ ଘୂରି ବୁଲୁଥିଲେ ଏବଂ ବେଳେ ବେଳେ ସେହି ଭୂମିରେ ନିଜର ସୁନ୍ଦର ମୁଖମଣ୍ଡଳକୁ ମଧ୍ୟ ଦେଖୁଥିଲେ |

ତସ୍ମିନ୍ ମହେନ୍ଦ୍ରଭବନେ ମହାବଲୋ

ମହାମନା ନିର୍ଜିତଲୋକ ଏକରାଟ୍ ।

ରେମେଽଭିବନ୍ଦ୍ୟାଙ୍ଘ୍ରିୟୁଗଃ ସୁରାଦିଭିଃ

ପ୍ରତାପିତୈରୂର୍ଜିତଚଣ୍ଡଶାସନଃ ॥ ୧୨॥

ସେହି ମହଲରେ ମହାବଳୀ ଏବଂ ମହାମନସ୍ବୀ ହିରଣ୍ୟକଶିପୁ ସବୁ ଲୋକକୁ ଜୟ କରି ସମସ୍ତଙ୍କର ଏକଛତ୍ର ସମ୍ରାଟ ଭାବରେ ସ୍ବତନ୍ତ୍ରତାରେ ବିହାର କରିବାରେ ଲାଗିଲା | ତାର ଶାସନ ଏତେ କଠୋର ଥିଲା ଯେ ସେଥିରେ ଭୟଭୀତ ହୋଇ ଦେବ-ଦାନବ ତାର ଚରଣର ବନ୍ଦନା କରିବାରେ ଲାଗିଥିଲେ |

ତମଙ୍ଗ ମତ୍ତଂ ମଧୁନୋରୁଗନ୍ଧିନା

ବିବୃତ୍ତତାମ୍ରାକ୍ଷମଶେଷଧିଷ୍ଣ୍ୟପାଃ ।

ଉପାସତୋପାୟନପାଣିଭିର୍ୱିନା

ତ୍ରିଭିସ୍ତପୋୟୋଗବଲୌଜସାଂ ପଦମ୍ ॥ ୧୩॥

ଯୁଧିଷ୍ଠିର ! ଉତ୍କଟ ଗନ୍ଧଯୁକ୍ତ ମଦିରା ପାନ କରି ସେ ଉନ୍ମତ୍ତ ରହୁଥିଲା | ତାର ଆଖି ଲାଲ-ଲାଲ ଏବଂ କଟମଟ ଦେଖା ଯାଉଥିଲା | ସେହି ସମୟରେ ତପସ୍ୟା, ଯୋଗ, ଶାରୀରିକ ଏବଂ ମାନସିକ ବଳର ସେ ଭଣ୍ଡାର ଥିଲା | ବ୍ରହ୍ମା, ବିଷ୍ଣୁ ଏବଂ ମହାଦେବଙ୍କ ବ୍ୟତିତ ଅନ୍ୟ ସବୁ ଦେବତା ନିଜ ହାତରେ ଭେଟି ଧରି ତାର ସେବାରେ ନିଯୁକ୍ତ ଥିଲେ |

ଜଗୁର୍ମହେନ୍ଦ୍ରାସନମୋଜସା ସ୍ଥିତଂ

ବିଶ୍ୱାବସୁସ୍ତୁମ୍ବୁରୁରସ୍ମଦାଦୟଃ ।

ଗନ୍ଧର୍ୱସିଦ୍ଧା ଋଷୟୋଽସ୍ତୁବନ୍ ମୁହୁ-

ର୍ୱିଦ୍ୟାଧରାଶ୍ଚାପ୍ସରସଶ୍ଚ ପାଣ୍ଡବ ॥ ୧୪॥

ନିଜ ପୁରୁଷାର୍ଥ ବଳରେ ସେ ଯେତେବେଳେ ଇନ୍ଦ୍ରାସନରେ ଉପବେଶନ କଲା, ସେତେବେଳେ ହେ ଯୁଧିଷ୍ଠିର ! ବିଶ୍ବାବସୁ, ତୁମ୍ବୁରୁଙ୍କ ସହିତ ଆମେ ସବୁ ମଧ୍ୟ ତା ସମ୍ମୁଖରେ ଗାୟନ କରିବାରେ ଲାଗିଲୁ | ଗନ୍ଧର୍ବ, ସିଦ୍ଧ, ଋଷିଗଣ, ବିଦ୍ୟାଧର ଏବଂ ଅପ୍ସରାମାନେ ବାରମ୍ବାର ତାର ସ୍ତୁତି କରୁଥିଲେ |

ସ ଏବ ବର୍ଣାଶ୍ରମିଭିଃ କ୍ରତୁଭିର୍ଭୂରିଦକ୍ଷିଣୈଃ ।

ଇଜ୍ୟମାନୋ ହବିର୍ଭାଗାନଗ୍ରହୀତ୍ସ୍ୱେନ ତେଜସା ॥ ୧୫॥

ଯୁଧିଷ୍ଠିର ! ସେ ଏତେ ବେଶୀ ତେଜସ୍ବୀ ଥିଲା ଯେ ବର୍ଣ୍ଣାଶ୍ରମଧର୍ମ ପାଳନ କରୁଥିବା ପୁରୁଷ, ଯେଉଁମାନେ ବଡ-ବଡ ଦକ୍ଷିଣାପ୍ରଦାନକାରୀ ଯଜ୍ଞ କରୁଥିଲେ, ସେହି ଯଜ୍ଞର ଆହୂତି ସେ ସ୍ବୟଂ ଛଡାଇ ନେଉଥିଲା |

ଅକୃଷ୍ଟପଚ୍ୟା ତସ୍ୟାସୀତ୍ସପ୍ତଦ୍ୱୀପବତୀ ମହୀ ।

ତଥା କାମଦୁଘା ଦ୍ୟୌସ୍ତୁ ନାନାଶ୍ଚର୍ୟପଦଂ ନଭଃ ॥ ୧୬॥

ପୃଥିବୀର ସପ୍ତ ଦ୍ବୀପ ତାର ଅଖଣ୍ଡ ରାଜ୍ୟ ଥିଲା | ଧରଣୀରେ ସର୍ବତ୍ର ବିନା ବୁଣା-କଟାରେ ଅନ୍ନ ଉତ୍ପନ୍ନ ହେଉଥିଲା | ସେ ଯାହା ଇଚ୍ଛା କରୁଥିଲା, ଅନ୍ତରୀକ୍ଷରୁ ତାକୁ ସବୁ କିଛି ମିଳି ଯାଉଥିଲା | ଆକାଶ ନାନା ପ୍ରକାରର ଆଶ୍ଚର୍ଯ୍ୟଜନକ ବସ୍ତୁ ଦେଖାଇ ତାର ମନୋରଞ୍ଜନ କରୁଥିଲା |

ରତ୍ନାକରାଶ୍ଚ ରତ୍ନୌଘାଂସ୍ତତ୍ପତ୍ନ୍ୟଶ୍ଚୋହୁରୂର୍ମିଭିଃ ।

କ୍ଷାରସୀଧୁଘୃତକ୍ଷୌଦ୍ରଦଧିକ୍ଷୀରାମୃତୋଦକାଃ ॥ ୧୭॥

ସେହିପରି ଖାରି ପାଣି, ସୁରା, ଘୃତ, ଇକ୍ଷୁରସ, ଦଧି, ଦୁଗ୍ଧ ଏବଂ ମିଠା ପାଣିର ସମୁଦ୍ର ମଧ୍ୟ ନିଜ ପତ୍ନୀ ନଦୀମାନଙ୍କ ସହିତ ମିଶି ତରଙ୍ଗ ଲହରୀ ମାଧ୍ୟମରେ ତା ପାଖରେ ଅନେକ ପ୍ରକାରର ରତ୍ନରାଶି ପହଞ୍ଚାଇ ଦେଉଥିଲେ |

ଶୈଲା ଦ୍ରୋଣୀଭିରାକ୍ରୀଡଂ ସର୍ୱର୍ତୁଷୁ ଗୁଣାନ୍ ଦ୍ରୁମାଃ ।

ଦଧାର ଲୋକପାଲାନାମେକ ଏବ ପୃଥଗ୍ଗୁଣାନ୍ ॥ ୧୮॥

ପର୍ବତମାନେ ସେମାନଙ୍କର ଘାଟିମାନଙ୍କ ରୂପରେ ତା ପାଇଁ କ୍ରୀଡା-ଭୂମି ଯୋଗାଇ ଦେଉଥିଲେ ଏବଂ ବୃକ୍ଷମାନେ ସବୁ ଋତୁରେ ଫୁଲ-ଫଳ ଧାରଣ କରୁଥିଲେ | ସେ ଏକାକୀ ସମସ୍ତ ଲୋକପାଳଙ୍କର ଗୁଣରେ ଶୋଭିତ ଥିଲା |

ସ ଇତ୍ଥଂ ନିର୍ଜିତକକୁବେକରାଡ୍ ବିଷୟାନ୍ ପ୍ରିୟାନ୍ ।

ଯଥୋପଜୋଷଂ ଭୁଞ୍ଜାନୋ ନାତୃପ୍ୟଦଜିତେନ୍ଦ୍ରିୟଃ ॥ ୧୯॥

ଏହିପରି ଦିଗବିଜୟୀ ଏବଂ ଏକଛତ୍ର ସମ୍ରାଟ ଭାବରେ ସେ ନିଜକୁ ପ୍ରିୟ ମନେ ହେଉଥିବା ସମସ୍ତ ବିଷୟର ସ୍ବଚ୍ଛନ୍ଦ ଉପଭୋଗ କରୁଥିଲା | କିନ୍ତୁ ଏତେ ସବୁ ବିଷୟଭୋଗରେ ମଧ୍ୟ ତାର ତୃପ୍ତି ହେଉ ନ ଥିଲା; କାରଣ ଅନ୍ତତଃ ସେ ଇନ୍ଦ୍ରିୟମାନଙ୍କର ଦାସ ହିଁ ତ ଥିଲା |

ଏବମୈଶ୍ୱର୍ୟମତ୍ତସ୍ୟ ଦୃପ୍ତସ୍ୟୋଚ୍ଛାସ୍ତ୍ରବର୍ତିନଃ ।

କାଲୋ ମହାନ୍ ବ୍ୟତୀୟାୟ ବ୍ରହ୍ମଶାପମୁପେୟୁଷଃ ॥ ୨୦॥

ହେ ଯୁଧିଷ୍ଠିର ! ଏହି ରୂପରେ ମଧ୍ୟ ସେ ଭଗବାନଙ୍କର ସେହି ପାର୍ଷଦ ଥିଲା ଯାହାକୁ ସନକାଦି ମହର୍ଷିମାନେ ଅଭିଶାପ ଦେଇଥିଲେ | ଏବେ ସେ ଐଶ୍ବର୍ଯ୍ୟ ମଦରେ ଉନ୍ମତ୍ତ ଥିଲା ଏବଂ ଦମ୍ଭ-ଦର୍ପରେ ଅଭିଭୂତ ହୋଇ ଶାସ୍ତ୍ର ମର୍ଯ୍ୟାଦାର ଉଲ୍ଲଂଘନ କରୁଥିଲା | ଚାହୁଁ ଚାହୁଁ ତା ଜୀବନର ବହୁ ସମୟ ବିତିଗଲା |

ତସ୍ୟୋଗ୍ରଦଣ୍ଡସମ୍ବିଗ୍ନାଃ ସର୍ୱେ ଲୋକାଃ ସପାଲକାଃ ।

ଅନ୍ୟତ୍ରାଲବ୍ଧଶରଣାଃ ଶରଣଂ ଯୟୁରଚ୍ୟୁତମ୍ ॥ ୨୧॥

ତାର କଠୋର ଶାସନରେ ସବୁ ଲୋକ ଏବଂ ଲୋକପାଳ ବ୍ୟତିବ୍ୟସ୍ତ ହୋଇ ଉଠିଲେ | ସେମାନଙ୍କୁ ଯେତେବେଳେ ଅନ୍ୟ କେଉଁଠି ଆଶ୍ରୟ ମିଳିଲା ନାହିଁ, ସେତେବେଳେ ସେମାନେ ଭଗବାନଙ୍କର ଶରଣ ଗ୍ରହଣ କଲେ |

ତସ୍ୟୈ ନମୋଽସ୍ତୁ କାଷ୍ଠାୟୈ ଯତ୍ରାତ୍ମା ହରିରୀଶ୍ୱରଃ ।

ଯଦ୍ଗତ୍ୱା ନ ନିବର୍ତନ୍ତେ ଶାନ୍ତାଃ ସନ୍ନ୍ୟାସିନୋଽମଲାଃ ॥ ୨୨॥

(ମନେ ମନେ ସେମାନେ କହିଲେ) ଯେଉଁଠାରେ ସର୍ବାତ୍ମା ଜଗଦୀଶ୍ବର ଶ୍ରୀହରି ନିବାସ କରନ୍ତି ଏବଂ ଯାହାକୁ ପ୍ରାପ୍ତ କରି ଶାନ୍ତ ଏବଂ ନିର୍ମଳ ସନ୍ୟାସୀ ମହାତ୍ମାମାନଙ୍କର ଆବାହଗମନ ହୁଏ ନାହିଁ, ଭଗବାନଙ୍କର ସେହି ପରମ ଧାମକୁ ଆମ୍ଭେମାନେ ନମସ୍କାର କରୁଛୁ |

ଇତି ତେ ସଂୟତାତ୍ମାନଃ ସମାହିତଧିୟୋଽମଲାଃ ।

ଉପତସ୍ଥୁର୍ହୃଷୀକେଶଂ ବିନିଦ୍ରା ବାୟୁଭୋଜନାଃ ॥ ୨୩॥

ଏହି ଭାବରେ ନିଜ ଇନ୍ଦ୍ରିୟମାନଙ୍କୁ ସଂଯମିତ କରି ଏବଂ ମନକୁ ସମାହିତ କରି ସେମାନେ ଭୋଜନ-ପାନ ଏବଂ ଶୟନ ତ୍ୟାଗ କଲେ ତଥା ନିର୍ମଳ ହୃଦୟରେ ଭଗବାନଙ୍କର ଆରାଧନା କଲେ |

ତେଷାମାବିରଭୂଦ୍ୱାଣୀ ଅରୂପା ମେଘନିଃସ୍ୱନା ।

ସନ୍ନାଦୟନ୍ତୀ କକୁଭଃ ସାଧୂନାମଭୟଙ୍କରୀ ॥ ୨୪॥

ଦିନେ ସେମାନଙ୍କୁ ମେଘ-ଗମ୍ଭୀର ଆକାଶବାଣୀ ଶୁଣିବାକୁ ମିଳିଲା | ସେହି ଧ୍ବନିରେ ସମ୍ପୂର୍ଣ୍ଣ ଦିଶା ଗୁଞ୍ଜରିତ ହୋଇ ଉଠିଲା | ସାଧୁମାନଙ୍କୁ ଅଭୟ ଦାନ କରୁଥିବା ସେହି ବାଣୀ ଏପରି ଥିଲା -

ମା ଭୈଷ୍ଟ ବିବୁଧଶ୍ରେଷ୍ଠାଃ ସର୍ୱେଷାଂ ଭଦ୍ରମସ୍ତୁ ବଃ ।

ମଦ୍ଦର୍ଶନଂ ହି ଭୂତାନାଂ ସର୍ୱଶ୍ରେୟୋପପତ୍ତୟେ ॥ ୨୫॥

ହେ ଶ୍ରେଷ୍ଠ ଦେବଗଣ ! ଡର ନାହିଁ | ମୋର ଦର୍ଶନରେ ପ୍ରାଣୀମାନଙ୍କୁ ପରମ କଲ୍ୟାଣର ପ୍ରାପ୍ତି ହୋଇଥାଏ | ତୁମ ସମସ୍ତଙ୍କର କଲ୍ୟାଣ ହେଉ |

ଜ୍ଞାତମେତସ୍ୟ ଦୌରାତ୍ମ୍ୟଂ ଦୈତେୟାପସଦସ୍ୟ ଚ ।

ତସ୍ୟ ଶାନ୍ତିଂ କରିଷ୍ୟାମି କାଲଂ ତାବତ୍ପ୍ରତୀକ୍ଷତ ॥ ୨୬॥

ଏହି ନୀଚ ଦୈତ୍ୟର ଦୁଷ୍ଟତା ବିଷୟ ମୋତେ ପୂର୍ବରୁ ହିଁ ଜ୍ଞାତ ଥିଲା | ମୁଁ ଏହାକୁ ଶୀଘ୍ର ହିଁ ସମାପ୍ତ କରିବି | ଏବେ କିଛି ଦିନ ତୁମ୍ଭେମାନେ ଉଚିତ୍ ସମୟର ପ୍ରତୀକ୍ଷା କର |

ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ।

ଧର୍ମେ ମୟି ଚ ବିଦ୍ୱେଷଃ ସ ବା ଆଶୁ ବିନଶ୍ୟତି ॥ ୨୭॥

କୌଣସି ପ୍ରାଣୀ ଯେତେବେଳେ ଦେବତା, ବେଦ, ଗୌ, ବ୍ରାହ୍ମଣ, ସାଧୁ, ଧର୍ମ ଏବଂ ମୋ ପ୍ରତି ଦ୍ବେଷ କରେ, ସେତେବେଳେ ତାର ଅତି ଶୀଘ୍ର ବିନାଶ ହୋଇଯାଏ |

ନିର୍ୱୈରାୟ ପ୍ରଶାନ୍ତାୟ ସ୍ୱସୁତାୟ ମହାତ୍ମନେ ।

ପ୍ରହ୍ଲାଦାୟ ଯଦା ଦ୍ରୁହ୍ୟେଦ୍ଧନିଷ୍ୟେଽପି ବରୋର୍ଜିତମ୍ ॥ ୨୮॥

ସେ ଯେତେବେଳେ ନିଜର ବୈରହୀନ, ଶାନ୍ତ ଏବଂ ମହାତ୍ମା ପୁତ୍ର ପ୍ରହ୍ଲାଦ ପ୍ରତି ଦ୍ରୋହ କରିବ, ତାର ଅନିଷ୍ଟ କରିବାକୁ ଇଚ୍ଛା କରିବ, ସେତେବେଳେ ସେ ବର ପ୍ରାପ୍ତ କରି ଶକ୍ତିସମ୍ପନ୍ନ ହୋଇଥିଲେ ମଧ୍ୟ ମୁଁ ନିଶ୍ଚିତ ଭାବରେ ତା’ର ନିଧନ କରିବି |

ନାରଦ ଉବାଚ

ଇତ୍ୟୁକ୍ତା ଲୋକଗୁରୁଣା ତଂ ପ୍ରଣମ୍ୟ ଦିବୌକସଃ ।

ନ୍ୟବର୍ତନ୍ତ ଗତୋଦ୍ୱେଗା ମେନିରେ ଚାସୁରଂ ହତମ୍ ॥ ୨୯॥

ଦେବର୍ଷି ନାରଦ କହୁଛନ୍ତି – ସମସ୍ତଙ୍କ ହୃଦୟରେ ଜ୍ଞାନ ସଞ୍ଚାର କରୁଥିବା ଭଗବାନ ଯେତେବେଳେ ଦେବତାମାନଙ୍କୁ ଏପରି ଆଶ୍ବାସନା ଦେଲେ, ସେତେବେଳେ ସେମାନେ ତାଙ୍କୁ ପ୍ରଣାମ କରି ସେଠାରୁ ଫେରି ଆସିଲେ | ସେମାନଙ୍କର ସବୁ ଉଦ୍ବେଗ ସମାପ୍ତ ହୋଇଗଲା ଏବଂ ସେମାନଙ୍କୁ ଏପରି ପ୍ରତୀତି ହେବାରେ ଲାଗିଲା ସତେ ଯେପରି ହିରଣ୍ୟକଶିପୁ ମରିଯାଇଛି |

ତସ୍ୟ ଦୈତ୍ୟପତେଃ ପୁତ୍ରାଶ୍ଚତ୍ୱାରଃ ପରମାଦ୍ଭୁତାଃ ।

ପ୍ରହ୍ଲାଦୋଽଭୂନ୍ମହାଂସ୍ତେଷାଂ ଗୁଣୈର୍ମହଦୁପାସକଃ ॥ ୩୦॥

ଯୁଧିଷ୍ଠିର ! ଦୈତ୍ୟରାଜ ହିରଣ୍ୟକଶିପୁର ଅତ୍ୟନ୍ତ ବିଲକ୍ଷଣ ଚାରି ପୁତ୍ର ଥିଲେ | ସେମାନଙ୍କ ମଧ୍ୟରୁ ପ୍ରହ୍ଲାଦ ସର୍ବ କନିଷ୍ଠ ଥିଲେ, କିନ୍ତୁ ଗୁଣରେ ସେ ସମସ୍ତଙ୍କଠାରୁ ବଡ ଥିଲେ | ସେ ବହୁତ ବଡ ସନ୍ଥସେବୀ ଥିଲେ |

ବ୍ରହ୍ମଣ୍ୟଃ ଶୀଲସମ୍ପନ୍ନଃ ସତ୍ୟସନ୍ଧୋ ଜିତେନ୍ଦ୍ରିୟଃ ।

ଆତ୍ମବତ୍ସର୍ୱଭୂତାନାମେକଃ ପ୍ରିୟସୁହୃତ୍ତମଃ ॥ ୩୧॥

ସେ ବ୍ରାହ୍ମଣଭକ୍ତ, ସୌମ୍ୟସ୍ବଭାବ, ସତ୍ୟପ୍ରତିଜ୍ଞ ଏବଂ ଜିତେନ୍ଦ୍ରିୟ ଥିଲେ ତଥା ସବୁ ପ୍ରାଣୀଙ୍କ ସହିତ ସମତାପୂର୍ଣ୍ଣ ବ୍ୟବହାର କରୁଥିଲେ | ସମସ୍ତଙ୍କର ପ୍ରିୟ ଏବଂ ସଚ୍ଚା ହିତୈଷୀ ଥିଲେ |

ଦାସବତ୍ସନ୍ନତାର୍ୟାଙ୍ଘ୍ରିଃ ପିତୃବଦ୍ଦୀନବତ୍ସଲଃ ।

ଭ୍ରାତୃବତ୍ସଦୃଶେ ସ୍ନିଗ୍ଧୋ ଗୁରୁଷ୍ୱୀଶ୍ୱରଭାବନଃ ।

ବିଦ୍ୟାର୍ଥରୂପଜନ୍ମାଢ୍ୟୋ ମାନସ୍ତମ୍ଭବିବର୍ଜିତଃ ॥ ୩୨॥

ନିଜଠାରୁ ବଡମାନଙ୍କ ଚରଣରେ ସେବକ ତୁଲ୍ୟ ଅବନତ ରହୁଥିଲେ | ଗରୀବମାନଙ୍କୁ ପିତା ତୁଲ୍ୟ ସ୍ନେହ କରୁଥିଲେ | ସମବୟସ୍କମାନଙ୍କୁ ଭାଈ ପରି ପ୍ରେମ କରୁଥିଲେ ଏବଂ ଗୁରୁଜନମାନଙ୍କ ପ୍ରତି ଭଗବଦ୍ଭାବ ରଖୁଥିଲେ | ବିଦ୍ୟା, ଧନ, ସୌନ୍ଦର୍ଯ୍ୟ ଏବଂ କୁଳୀନତାରେ ସମ୍ପନ୍ନ ହୋଇଥିଲେ ବି ଗର୍ବ ଏବଂ ଦମ୍ଭ ତାଙ୍କୁ ସ୍ପର୍ଶ ସୁଦ୍ଧା କରୁ ନ ଥିଲା |

ନୋଦ୍ୱିଗ୍ନଚିତ୍ତୋ ବ୍ୟସନେଷୁ ନିଃସ୍ପୃହଃ

ଶ୍ରୁତେଷୁ ଦୃଷ୍ଟେଷୁ ଗୁଣେଷ୍ୱବସ୍ତୁଦୃକ୍ ।

ଦାନ୍ତେନ୍ଦ୍ରିୟପ୍ରାଣଶରୀରଧୀଃ ସଦା

ପ୍ରଶାନ୍ତକାମୋ ରହିତାସୁରୋଽସୁରଃ ॥ ୩୩॥

ବଡ-ବଡ ଦୁଃଖ ତାଙ୍କୁ କିଞ୍ଚିତ୍ ବି ବିଚଳିତ କରୁ ନ ଥିଲା | ଲୋକ-ପରଲୋକ ବିଷୟରେ ସେ ବହୁତ କଥା ଶୁଣୁଥିଲେ, କିନ୍ତୁ ସେ ତାହାକୁ ନିଃସାର ଏବଂ ଅସତ୍ୟ ମନେ କରୁଥିଲେ | ତାଙ୍କ ମନରେ କୌଣସି ବସ୍ତୁର ଲାଳସା ନ ଥିଲା | ଇନ୍ଦ୍ରିୟ, ମନ, ପ୍ରାଣ ଏବଂ ଶରୀରକୁ ସେ ନିଜ ବଶରେ ରଖିଥିଲେ; ସେଥିପାଇଁ ତାଙ୍କ ଚିତ୍ତରେ କେବେ କୌଣସି କାମନା ଉତ୍ପନ୍ନ ହେଉ ନ ଥିଲା | ଜନ୍ମରେ ଅସୁର ହୋଇ ମଧ୍ୟ ଆସୁରୀ ସମ୍ପତ୍ତିର ଲେଶ ବି ତାଙ୍କଠାରେ ନ ଥିଲା |

ଯସ୍ମିନ୍ ମହଦ୍ଗୁଣା ରାଜନ୍ ଗୃହ୍ୟନ୍ତେ କବିଭିର୍ମୁହୁଃ ।

ନ ତେଽଧୁନାପିଧୀୟନ୍ତେ ଯଥା ଭଗବତୀଶ୍ୱରେ ॥ ୩୪॥

ଭଗବାନଙ୍କର ଗୁଣ ଯେପରି ଅନନ୍ତ, ସେହିପରି ପ୍ରହ୍ଲାଦଙ୍କର ଶ୍ରେଷ୍ଠ ଗୁଣର କୌଣସି ସୀମା ନ ଥିଲା | ମହାତ୍ମାମାନେ ସଦା ସର୍ବଦା ତାଙ୍କର ଆଦର କରନ୍ତି ଏବଂ ତାଙ୍କ ସୁଚରିତର ବର୍ଣ୍ଣନା କରନ୍ତି | ଆଜି ବି ତାଙ୍କର ମହିମା ଯଥାତଥା ରହିଛି |

ଯଂ ସାଧୁଗାଥାସଦସି ରିପବୋଽପି ସୁରା ନୃପ ।

ପ୍ରତିମାନଂ ପ୍ରକୁର୍ୱନ୍ତି କିମୁତାନ୍ୟେ ଭବାଦୃଶାଃ ॥ ୩୫॥

ଯୁଧିଷ୍ଠିର ! ଦେବତାମାନେ ତ ଅସୁରମାନଙ୍କର ଶତ୍ରୁ ଅଟନ୍ତି; କିନ୍ତୁ ସେମାନଙ୍କ ସଭାରେ ଯେତେବେଳେ ଭକ୍ତ ଚରିତ୍ରର ଆଲୋଚନା କରାଯାଏ, ସେତେବେଳେ ଅନ୍ୟ ସବୁ ଭକ୍ତମାନଙ୍କ ସହିତ ପ୍ରହ୍ଲାଦଙ୍କର ମଧ୍ୟ ସମ୍ମାନ କରାଯାଏ | ତେଣୁ ଆପଣଙ୍କ ପରି ଅଜାତଶତ୍ରୁ ଭଗବଦ୍-ଭକ୍ତ ନିଶ୍ଚିତ ଭାବରେ ତାଙ୍କର ଆଦର କରିବେ – ଏଥିରେ କୌଣସି ସନ୍ଦେହ ନାହିଁ |

ଗୁଣୈରଲମସଙ୍ଖ୍ୟେୟୈର୍ମାହାତ୍ମ୍ୟଂ ତସ୍ୟ ସୂଚ୍ୟତେ ।

ବାସୁଦେବେ ଭଗବତି ଯସ୍ୟ ନୈସର୍ଗିକୀ ରତିଃ ॥ ୩୬॥

ତାଙ୍କର ମହିମା ବର୍ଣ୍ଣନା କରିବା ନିମନ୍ତେ ତାଙ୍କର ଅଗଣିତ ଗୁଣ ବିଷୟରେ କହିବା-ଶୁଣିବାର ଆବଶ୍ୟକତା ନାହିଁ | କେବଳ ଗୋଟିଏ ଗୁଣ – ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ତାଙ୍କର ସ୍ବାଭାବିକ, ଜନ୍ମଜାତ ପ୍ରେମ ତାଙ୍କ ମହିମାକୁ ପ୍ରକଟ କରିବା ପାଇଁ ପର୍ଯ୍ୟାପ୍ତ ଅଟେ |

ନ୍ୟସ୍ତକ୍ରୀଡନକୋ ବାଲୋ ଜଡବତ୍ତନ୍ମନସ୍ତୟା ।

କୃଷ୍ଣଗ୍ରହଗୃହୀତାତ୍ମା ନ ବେଦ ଜଗଦୀଦୃଶମ୍ ॥ ୩୭॥

ଯୁଧିଷ୍ଠିର ! ବାଲ୍ୟକାଳରୁ ହିଁ ପ୍ରହ୍ଲାଦ ଖେଳ-କୁଦ ଛାଡି ଭଗବାନଙ୍କ ଧ୍ୟାନରେ ଜଡବତ୍ ତନ୍ମୟ ରହୁଥିଲେ | ଶ୍ରୀକୃଷ୍ଣ-ଅନୁଗ୍ରହରୂପ ଗ୍ରହ ତାଙ୍କ ହୃଦୟକୁ ଏପରି ଭାବରେ ଟାଣି ଧରିଥିଲା ଯେ ବାହ୍ୟ ଜଗତର କୌଣସି ଜ୍ଞାନ ତାଙ୍କର ରହୁ ନ ଥିଲା |

ଆସୀନଃ ପର୍ୟଟନ୍ନଶ୍ନନ୍ ଶୟାନଃ ପ୍ରପିବନ୍ ବ୍ରୁବନ୍ ।

ନାନୁସନ୍ଧତ୍ତ ଏତାନି ଗୋବିନ୍ଦପରିରମ୍ଭିତଃ ॥ ୩୮॥

ସଦା ସର୍ବଦା ତାଙ୍କୁ ଏପରି ବୋଧ ହେଉଥିଲା ଯେ ଭଗବାନ ତାଙ୍କୁ ନିଜ କୋଳରେ ଧରି ଆଲିଙ୍ଗନ କରୁଛନ୍ତି | ସେଥିପାଇଁ ଶୋଇବା-ବସିବା, ଖାଇବା-ପିଇବା, ଚାଲିବା-ବୁଲିବା ଏବଂ କଥାବାର୍ତ୍ତା କରିବା ଆଦି ବିଷୟରେ ତାଙ୍କର ଧ୍ୟାନ ରହୁ ନ ଥିଲା |

କ୍ୱଚିଦ୍ରୁଦତି ବୈକୁଣ୍ଠଚିନ୍ତାଶବଲଚେତନଃ ।

କ୍ୱଚିଦ୍ଧସତି ତଚ୍ଚିନ୍ତାହ୍ଲାଦ ଉଦ୍ଗାୟତି କ୍ୱଚିତ୍ ॥ ୩୯॥

କେବେ-କେବେ ଭଗବାନ ମୋତେ ଛାଡି ଚାଲିଗଲେ – ଏହି ଭାବନାରେ ତାଙ୍କର ହୃଦୟ ଏପରି ଦ୍ରବୀଭୂତ ହୋଇ ଯାଉଥିଲା ଯେ ସେ ଚିତ୍କାର କରି କ୍ରନ୍ଦନ କରିବାରେ ଲାଗୁଥିଲେ | ପୁଣି କେବେ କେବେ ଭଗବାନଙ୍କୁ ନିକଟରେ ପାଇ ଆନନ୍ଦୋଦ୍ରେକ ଯୋଗୁଁ ଉଚ୍ଚ ଅଟ୍ଟହାସ କରିବାରେ ଲାଗୁଥିଲେ | କେବେ ତାଙ୍କ ଧ୍ୟାନରେ ମଧୁର ଆନନ୍ଦ ଅନୁଭବ କରି ଉଚ୍ଚ ସ୍ବରରେ ଗୀତ ଗାଇବାରେ ଲାଗୁଥିଲେ |

ନଦତି କ୍ୱଚିଦୁତ୍କଣ୍ଠୋ ବିଲଜ୍ଜୋ ନୃତ୍ୟତି କ୍ୱଚିତ୍ ।

କ୍ୱଚିତ୍ତଦ୍ଭାବନାୟୁକ୍ତସ୍ତନ୍ମୟୋଽନୁଚକାର ହ ॥ ୪୦॥

ଉତ୍ସୁକତାରେ ସେ କେବେ ବେସୁରା ଗାଇବାରେ ଲାଗୁଥିଲେ ତ କେବେ ଲୋକ-ଲଜ୍ଜା ତ୍ୟାଗ କରି ପ୍ରେମରେ ନୃତ୍ୟ କରିବାରେ ଲାଗୁଥିଲେ | କେବେ କେବେ ତାଙ୍କ ଲୀଳାର ଚିନ୍ତନରେ ସେ ଏପରି ତଲ୍ଲୀନ ରହୁଥିଲେ ଯେ ନିଜକୁ ଭୂଲି ଯାଇ ସେ ତାଙ୍କର ଅନୁକରଣ କରିବାରେ ଲାଗୁଥିଲେ |

କ୍ୱଚିଦୁତ୍ପୁଲକସ୍ତୂଷ୍ଣୀମାସ୍ତେ ସଂସ୍ପର୍ଶନିର୍ୱୃତଃ ।

ଅସ୍ପନ୍ଦପ୍ରଣୟାନନ୍ଦସଲିଲାମୀଲିତେକ୍ଷଣଃ ॥ ୪୧॥

କେବେ ନିଜ ଭିତରେ ଭଗବାନଙ୍କର କୋମଳ ସ୍ପର୍ଶ ଅନୁଭବ କରି ସେ ଆନନ୍ଦରେ ମଗ୍ନ ହୋଇ ନୀରବରେ ଶାନ୍ତ ଭାବରେ ବସି ରହୁଥିଲେ | ସେହି ସମୟରେ ତାଙ୍କ ଶରୀରର ରୋମମୂଳ ପୁଲକିତ ହୋଇ ଉଠୁଥିଲା | ଅର୍ଦ୍ଧନିମୀଳିତ ନେତ୍ର ଅବିଚଳ ପ୍ରେମ ଏବଂ ଆନନ୍ଦର ଅଶ୍ରୁରେ ଭରି ଯାଉଥିଲା |

ସ ଉତ୍ତମଶ୍ଲୋକପଦାରବିନ୍ଦୟୋ-

ର୍ନିଷେବୟାକିଞ୍ଚନସଙ୍ଗଲବ୍ଧୟା ।

ତନ୍ୱନ୍ ପରାଂ ନିର୍ୱୃତିମାତ୍ମନୋ ମୁହୁ-

ର୍ଦୁଃସଙ୍ଗଦୀନାନ୍ୟମନଃଶମଂ ବ୍ୟଧାତ୍ ॥ ୪୨॥

ଭଗବାନ ଶ୍ରୀକୃଷ୍ଣଙ୍କ ଚରଣକମଳରେ ଏହିପରି ଭକ୍ତି ଅକିଞ୍ଚନ ଭଗବତ୍-ପ୍ରେମୀ ମହାତ୍ମାମାନଙ୍କର ସଙ୍ଗରୁ ହିଁ ପ୍ରାପ୍ତ ହୋଇଥାଏ | ତଦ୍ବାରା ସେ ସ୍ବୟଂ ତ ପରମାନନ୍ଦରେ ମଗ୍ନ ରହନ୍ତି, ଯେଉଁ ବିଚରାଙ୍କର ମନ କୁସଙ୍ଗ କାରଣରୁ ଅତ୍ୟନ୍ତ ଦୀନ-ହୀନ ହୋଇ ଯାଇଥାଏ, ସେମାନଙ୍କୁ ମଧ୍ୟ ସେ ଶାନ୍ତି ପ୍ରଦାନ କରନ୍ତି |

ତସ୍ମିନ୍ ମହାଭାଗବତେ ମହାଭାଗେ ମହାତ୍ମନି ।

ହିରଣ୍ୟକଶିପୂ ରାଜନ୍ନକରୋଦଘମାତ୍ମଜେ ॥ ୪୩॥

ହେ ଯୁଧିଷ୍ଠିର ! ପ୍ରହ୍ଲାଦ ଭଗବାନଙ୍କର ପରମ ପ୍ରେମୀ ଭକ୍ତ, ପରମ ଭାଗ୍ୟବାନ ଏବଂ ଉଚ୍ଚ କୋଟିର ମହାତ୍ମା ଥିଲେ | ଏପରି ସାଧୁ ପୁତ୍ରକୁ ମଧ୍ୟ ହିରଣ୍ୟକଶିପୁ ଅପରାଧୀ ଘୋଷଣା କରି ତାଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କରିବାରେ ଲାଗିଲା |

ଯୁଧିଷ୍ଠିର ଉବାଚ

ଦେବର୍ଷ ଏତଦିଚ୍ଛାମୋ ବେଦିତୁଂ ତବ ସୁବ୍ରତ ।

ଯଦାତ୍ମଜାୟ ଶୁଦ୍ଧାୟ ପିତାଦାତ୍ସାଧବେ ହ୍ୟଘମ୍ ॥ ୪୪॥

ଯୁଧିଷ୍ଠିର ପଚାରିଲେ – ହେ ଦେବର୍ଷି ! ଆପଣଙ୍କର ବ୍ରତ ଅଖଣ୍ଡ ଅଟେ | ମୁଁ ଆପଣଙ୍କଠାରୁ ଏହା ଜାଣିବାକୁ ଇଚ୍ଛା କରୁଛି ଯେ ହିରଣ୍ୟକଶିପୁ ପିତା ହୋଇ ମଧ୍ୟ ନିଜର ଶୁଦ୍ଧହୃଦୟ ମହାତ୍ମା ପୁତ୍ର ପ୍ରହ୍ଲାଦଙ୍କ ପ୍ରତି ଦ୍ରୋହ କାହିଁକି କରିଥିଲା |

ପୁତ୍ରାନ୍ ବିପ୍ରତିକୂଲାନ୍ ସ୍ୱାନ୍ ପିତରଃ ପୁତ୍ରବତ୍ସଲାଃ ।

ଉପାଲଭନ୍ତେ ଶିକ୍ଷାର୍ଥଂ ନୈବାଘମପରୋ ଯଥା ॥ ୪୫॥

ପିତା ତ ସ୍ବଭାବତଃ ନିଜ ପୁତ୍ରକୁ ପ୍ରେମ କରନ୍ତି | ପୁତ୍ର ଯଦି କିଛି ଓଲଟା କାମ କରୁଥାଏ, ତେବେ ସେ ତାକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ହିଁ ଭର୍ତ୍ସନା କରିଥାଆନ୍ତି; ତା ସହିତ ଶତ୍ରୁବତ୍ ବୈର-ବିରୋଧ କରନ୍ତି ନାହିଁ |

କିମୁତାନୁବଶାନ୍ ସାଧୂଂସ୍ତାଦୃଶାନ୍ ଗୁରୁଦେବତାନ୍ ।

ଏତତ୍କୌତୂହଲଂ ବ୍ରହ୍ମନ୍ନସ୍ମାକଂ ବିଧମ ପ୍ରଭୋ ।

ପିତୁଃ ପୁତ୍ରାୟ ଯଦ୍ଦ୍ୱେଷୋ ମରଣାୟ ପ୍ରୟୋଜିତଃ ॥ ୪୬॥

ପୁଣି ପ୍ରହ୍ଲାଦଙ୍କ ପରି ଅନୁକୂଳ, ଶୁଦ୍ଧହୃଦୟ ଏବଂ ଗୁରୁଜନଙ୍କଠାରେ ଭଗବଦ୍ଭାବ ରଖୁଥିବା ପୁତ୍ର ପ୍ରତି ଭଲା କିଏ କାହିଁକି ଦ୍ବେଷ କରିବ | ହେ ନାରଦଜୀ ! ଆପଣ ସବୁ କଥା ଜାଣନ୍ତି | କେଉଁ କାରଣରୁ ପୁତ୍ର ପ୍ରତି ଦ୍ବେଷ କରି ପିତା ତାକୁ ମାରିଦେବାକୁ ଇଚ୍ଛା କରିଥିଲେ, ତାହା ଜାଣିବା ପାଇଁ ମୋ ମନରେ କୌତୁହଳ ଜାତ ହୋଇଛି; କୃପା କରି ଆପଣ ତାହା ଶାନ୍ତ କରନ୍ତୁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଚତୁର୍ଥୋଽଧ୍ୟାୟଃ ॥ ୪॥

Comments

Popular posts from this blog