ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ସପ୍ତମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ହିରଣ୍ୟକଶିପୁ ଦ୍ବାରା ପ୍ରହ୍ଲାଦ-ବଧ ନିମନ୍ତେ ପ୍ରଯତ୍ନ

 

ନାରଦ ଉବାଚ

ପୌରୋହିତ୍ୟାୟ ଭଗବାନ୍ ବୃତଃ କାବ୍ୟଃ କିଲାସୁରୈଃ ।

ଷଣ୍ଡାମର୍କୌ ସୁତୌ ତସ୍ୟ ଦୈତ୍ୟରାଜଗୃହାନ୍ତିକେ ॥ ୧॥

ତୌ ରାଜ୍ଞା ପ୍ରାପିତଂ ବାଲଂ ପ୍ରହ୍ଲାଦଂ ନୟକୋବିଦମ୍ ।

ପାଠୟାମାସତୁଃ ପାଠ୍ୟାନନ୍ୟାଂଶ୍ଚାସୁରବାଲକାନ୍ ॥ ୨॥

ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଦୈତ୍ୟମାନେ ଭଗବାନ ଶ୍ରୀଶୁକ୍ରାଚାର୍ଯ୍ୟଙ୍କୁ ନିଜର ପୁରୋହିତ ନିଯୁକ୍ତ କରିଥିଲେ | ତାଙ୍କର ଦୁଇ ପୁତ୍ର ଶଣ୍ଡ ଏବଂ ଅମର୍କ ରାଜମହଲ ପାଖରେ ରହି ହିରଣ୍ୟକଶିପୁଙ୍କର ନୀତିନିପୁଣ ପୁତ୍ର ପ୍ରହ୍ଲାଦ ତଥା ଅନ୍ୟ ପଠନଯୋଗ୍ୟ ଦୈତ୍ୟ-ବାଳକଙ୍କୁ ରାଜନୀତି, ଅର୍ଥନୀତି ଆଦିର ଶିକ୍ଷା ପ୍ରଦାନ କରୁଥିଲେ |

ଯତ୍ତତ୍ର ଗୁରୁଣା ପ୍ରୋକ୍ତଂ ଶୁଶ୍ରୁବେଽନୁପପାଠ ଚ ।

ନ ସାଧୁ ମନସା ମେନେ ସ୍ୱପରାସଦ୍ଗ୍ରହାଶ୍ରୟମ୍ ॥ ୩॥

ଗୁରୁଜୀଙ୍କ ଦ୍ବାରା ପ୍ରଦତ୍ତ ବିଦ୍ୟାକୁ ପ୍ରହ୍ଲାଦ ଶୁଣୁଥିଲେ, ମନେ ରଖୁଥିଲେ ଏବଂ ସଠିକ୍ ଭାବରେ ତାହା ଗୁରୁଜୀଙ୍କୁ ମଧ୍ୟ ଶୁଣାଇ ଦେଉଥିଲେ | କିନ୍ତୁ ତାହା ତାଙ୍କୁ ଭଲ ଲାଗୁ ନ ଥିଲା; କାରଣ ସେହି ପାଠର ମୂଳ ଆଧାର ଥିଲା ଆପଣା-ପରର ମିଥ୍ୟା ଆଗ୍ରହ |

ଏକଦାସୁରରାଟ୍ ପୁତ୍ରମଙ୍କମାରୋପ୍ୟ ପାଣ୍ଡବ ।

ପପ୍ରଚ୍ଛ କଥ୍ୟତାଂ ବତ୍ସ ମନ୍ୟତେ ସାଧୁ ଯଦ୍ଭବାନ୍ ॥ ୪॥

ଯୁଧିଷ୍ଠିର ! ଦିନେ ହିରଣ୍ୟକଶିପୁ ନିଜ ପୁତ୍ର ପ୍ରହ୍ଲାଦଙ୍କୁ ଅତି ସ୍ନେହରେ କୋଳରେ ବସାଇ ପଚାରିଲା – ପୁତ୍ର ! କୁହ ତ, କେଉଁ ବିଷୟ ତୁମକୁ ବେଶୀ ଭଲ ଲାଗୁଛି ?

ପ୍ରହ୍ଲାଦ ଉବାଚ

ତତ୍ସାଧୁ ମନ୍ୟେଽସୁରବର୍ୟ ଦେହିନାଂ

ସଦା ସମୁଦ୍ୱିଗ୍ନଧିୟାମସଦ୍ଗ୍ରହାତ୍ ।

ହିତ୍ୱାଽଽତ୍ମପାତଂ ଗୃହମନ୍ଧକୂପଂ

ବନଂ ଗତୋ ଯଦ୍ଧରିମାଶ୍ରୟେତ ॥ ୫॥

ପ୍ରହ୍ଲାଦ କହିଲେ – ପିତାଜୀ ! ସଂସାରରେ ପ୍ରାଣୀମାନେ ‘ମୁଁ ଏବଂ ‘ମୋର – ଏହି ମିଥ୍ୟା ମାନ୍ୟତାକୁ ନେଇ ଅତ୍ୟନ୍ତ ଉଦ୍ବିଗ୍ନ ରହୁଛନ୍ତି | ଏପରି ପ୍ରାଣୀମାନଙ୍କ ନିମନ୍ତେ ମୁଁ ଏହା ଉଚିତ୍ ମନେ କରେ ଯେ ସେମାନେ ନିଜ ଅଧଃପତନର ମୂଳ କାରଣ, ଘାସ ଦ୍ବାରା ଆଚ୍ଛନ୍ନ କୂପ ସଦୃଶ ଘର-ପରିବାରକୁ ଛାଡି ବଣକୁ ଚାଲିଯିବା ଉଚିତ୍ ଏବଂ ଭଗବାନ ଶ୍ରୀହରିଙ୍କର ଶରଣ ଗ୍ରହଣ କରିବା ଉଚିତ୍ |

ନାରଦ ଉବାଚ

ଶ୍ରୁତ୍ୱା ପୁତ୍ରଗିରୋ ଦୈତ୍ୟଃ ପରପକ୍ଷସମାହିତାଃ ।

ଜହାସ ବୁଦ୍ଧିର୍ବାଲାନାଂ ଭିଦ୍ୟତେ ପରବୁଦ୍ଧିଭିଃ ॥ ୬॥

ଦେବର୍ଷି ନାରଦ କହୁଛନ୍ତି – ପ୍ରହ୍ଲାଦଙ୍କ ମୁହଁରୁ ଶତ୍ରୁପକ୍ଷର ପ୍ରଶଂସା ଶୁଣି ହିରଣ୍ୟକଶିପୁ ବ୍ୟଙ୍ଗପୂର୍ଣ୍ଣ ଅଟ୍ଟହାସ କରି କହିଲା – ଅନ୍ୟର ପ୍ରରୋଚନାରେ ପଡି ବାଳକମାନଙ୍କର ବୁଦ୍ଧି ଏପରି ବିକୃତ ହୋଇଯାଏ |

ସମ୍ୟଗ୍ୱିଧାର୍ୟତାଂ ବାଲୋ ଗୁରୁଗେହେ ଦ୍ୱିଜାତିଭିଃ ।

ବିଷ୍ଣୁପକ୍ଷୈଃ ପ୍ରତିଚ୍ଛନ୍ନୈର୍ନ ଭିଦ୍ୟେତାସ୍ୟ ଧୀର୍ୟଥା ॥ ୭॥

ଯାହା ଜଣା ପଡୁଛି ଗୁରୁଜୀଙ୍କ ଘରେ ବିଷ୍ଣୁ-ପକ୍ଷପାତୀ କିଛି ବ୍ରାହ୍ମଣ ଛଦ୍ମ ରୂପରେ ରହୁଛନ୍ତି | ବାଳକର ଦେଖା-ଚାହାଁ ଉତ୍ତମ ରୂପେ କରାଯିବା ଉଚିତ୍, ଯଦ୍ବାରା କି ତାର ବୁଦ୍ଧି ଭ୍ରଷ୍ଟ ହେବନାହିଁ |

ଗୃହମାନୀତମାହୂୟ ପ୍ରହ୍ଲାଦଂ ଦୈତ୍ୟଯାଜକାଃ ।

ପ୍ରଶସ୍ୟ ଶ୍ଲକ୍ଷ୍ଣୟା ବାଚା ସମପୃଚ୍ଛନ୍ତ ସାମଭିଃ ॥ ୮॥

ଦୈତ୍ୟମାନେ ଯେତେବେଳେ ପ୍ରହ୍ଲାଦଙ୍କୁ ନେଇ ଗୁରୁଜୀଙ୍କ ଘରେ ଛାଡି ଦେଲେ, ସେତେବେଳେ ଗୁରୁଜୀ ଅତି ସ୍ନେହରେ ଭୁଲାଇ-ଭଣ୍ଡାଇ ମଧୁର ବାଣୀରେ ତାଙ୍କୁ ପଚାରିଲେ -

ବତ୍ସ ପ୍ରହ୍ଲାଦ ଭଦ୍ରଂ ତେ ସତ୍ୟଂ କଥୟ ମା ମୃଷା ।

ବାଲାନତି କୁତସ୍ତୁଭ୍ୟମେଷ ବୁଦ୍ଧିବିପର୍ୟଯଃ ॥ ୯॥

ପୁତ୍ର ପ୍ରହ୍ଲାଦ ! ତୁମର କଲ୍ୟାଣ ହେଉ | ଦେଖ, ସତ କହିବ, ମିଛ କହିବ ନାହିଁ | ତୁମର ବୁଦ୍ଧି ଏପରି ବିପରୀତଗାମୀ ହୋଇଗଲା କିପରି ? ଅନ୍ୟ କୌଣସି ବାଳକଙ୍କର ବୁଦ୍ଧି ତ ସେପରି ହୋଇନାହିଁ |

ବୁଦ୍ଧିଭେଦଃ ପରକୃତ ଉତାହୋ ତେ ସ୍ୱତୋଽଭବତ୍ ।

ଭଣ୍ୟତାଂ ଶ୍ରୋତୁକାମାନାଂ ଗୁରୂଣାଂ କୁଲନନ୍ଦନ ॥ ୧୦॥

କୁଳନନ୍ଦନ ପ୍ରହ୍ଲାଦ ! ଆମେ ତୁମର ଗୁରୁଜନମାନେ ଏହା ଜାଣିବାକୁ ଇଚ୍ଛା କରୁଛୁ, ତୁମର ବୁଦ୍ଧି ସ୍ବୟଂ ଏପରି ହୋଇଗଲା ନା କିଏ ତୁମକୁ ପ୍ରରୋଚିତ କରିଛି |

ପ୍ରହ୍ଲାଦ ଉବାଚ

ସ୍ୱଃ ପରଶ୍ଚେତ୍ୟସଦ୍ଗ୍ରାହଃ ପୁଂସାଂ ଯନ୍ମାୟଯା କୃତଃ ।

ବିମୋହିତଧିୟାଂ ଦୃଷ୍ଟସ୍ତସ୍ମୈ ଭଗବତେ ନମଃ ॥ ୧୧॥

ପ୍ରହ୍ଲାଦ କହିଲେ – ଯେଉଁ ମନୁଷ୍ୟର ବୁଦ୍ଧି ମୋହଗ୍ରସ୍ତ ଅଟେ, ଭଗବାନଙ୍କ ମାୟାରୁ ସେମାନଙ୍କଠାରେ ଏହି ମିଥ୍ୟା ଦୁରାଗ୍ରହ ଉତ୍ପନ୍ନ ହେଉଥିବା ଦେଖାଯାଇ ଥାଏ ଯେ ଏହା ମୋର ଅଟେ ଏବଂ ଏହା ପର ଅଟେ | ସେହି ମାୟାପତି ଭଗବାନଙ୍କୁ ମୁଁ ନମସ୍କାର କରୁଛି |

ସ ଯଦାନୁବ୍ରତଃ ପୁଂସାଂ ପଶୁବୁଦ୍ଧିର୍ୱିଭିଦ୍ୟତେ ।

ଅନ୍ୟ ଏଷ ତଥାନ୍ୟୋଽହମିତି ଭେଦଗତାସତୀ ॥ ୧୨॥

ସେହି ଭଗବାନଙ୍କ କୃପାରୁ ହିଁ ମନୁଷ୍ୟର ପାଶବିକ ବୁଦ୍ଧି ନଷ୍ଟ ହୋଇଥାଏ | ଏହି ପଶୁବୁଦ୍ଧି କାରଣରୁ ହିଁ ତ ‘ଏହା ମୁଁ ଅଟେ ଏବଂ ଏହା ମୋଠାରୁ ଭିନ୍ନ ଅଟେ – ଏହି ପ୍ରକାରର ମିଥ୍ୟା ଭେଦଭାବ ଉତ୍ପନ୍ନ ହୋଇଥାଏ |

ସ ଏଷ ଆତ୍ମା ସ୍ୱପରେତ୍ୟବୁଦ୍ଧିଭି-

ର୍ଦୁରତ୍ୟଯାନୁକ୍ରମଣୋ ନିରୂପ୍ୟତେ ।

ମୁହ୍ୟନ୍ତି ଯଦ୍ୱର୍ତ୍ମନି ବେଦବାଦିନୋ

ବ୍ରହ୍ମାଦୟୋ ହ୍ୟେଷ ଭିନତ୍ତି ମେ ମତିମ୍ ॥ ୧୩॥

ସେହି ପରମାତ୍ମା ଏହି ଆତ୍ମା ଅଟନ୍ତି | ଅଜ୍ଞାନୀ ମନୁଷ୍ୟ ଆପଣା-ପର ଭେଦ କରି ତାହାର ବର୍ଣ୍ଣନା କରନ୍ତି | ସେମାନଙ୍କର ଅଜ୍ଞାନ ମଧ୍ୟ ସ୍ବାଭାବିକ ଅଟେ; କାରଣ ସେହି ତତ୍ତ୍ବକୁ ଜାଣିବା ଅତ୍ୟନ୍ତ କଠିନ ଏବଂ ବ୍ରହ୍ମା ଆଦି ବଡ-ବଡ ବେଦଜ୍ଞ ମଧ୍ୟ ସେହି ତତ୍ତ୍ବକୁ ନେଇ ମୋହିତ ହୋଇଯାଆନ୍ତି | ଆପଣମାନଙ୍କ ଶବ୍ଦରେ ସେହି ପରମାତ୍ମା ମୋର ବୁଦ୍ଧିକୁ ବିଗାଡି ଦେଇଛନ୍ତି |

ଯଥା ଭ୍ରାମ୍ୟତ୍ୟଯୋ ବ୍ରହ୍ମନ୍ ସ୍ୱୟମାକର୍ଷସନ୍ନିଧୌ ।

ତଥା ମେ ଭିଦ୍ୟତେ ଚେତଶ୍ଚକ୍ରପାଣେର୍ୟଦୃଚ୍ଛୟା ॥ ୧୪॥

ଗୁରୁଜୀ ! ଚୁମ୍ବକ ନିକଟକୁ ଲୁହା ସ୍ବତଃ ଟାଣି ହୋଇଯିବା ପରି, ସେହି ଚକ୍ରପାଣିଭଗବାନଙ୍କର ସ୍ବଚ୍ଛନ୍ଦ ଇଚ୍ଛାଶକ୍ତିରୁ ମୋର ଚିତ୍ତ ସଂସାରରୁ ପୃଥକ ହୋଇ ତାଙ୍କ ପ୍ରତି ସ୍ବତଃ ଆକର୍ଷିତ ହୋଇଯାଉଛି |

ନାରଦ ଉବାଚ

ଏତାବଦ୍ବ୍ରାହ୍ମଣାୟୋକ୍ତ୍ୱା ବିରରାମ ମହାମତିଃ ।

ତଂ ନିର୍ଭର୍ତ୍ସ୍ୟାଥ କୁପିତଃ ସୁଦୀନୋ ରାଜସେବକଃ ॥ ୧୫॥

ଦେବର୍ଷି ନାରଦ କହୁଛନ୍ତି – ନିଜ ଗୁରୁଜୀଙ୍କୁ ଏହିପରି କହି ପରମଜ୍ଞାନୀ ପ୍ରହ୍ଲାଦ ନୀରବ ରହିଲେ | ବିଚରା ପୁରୋହିତମାନେ ରାଜାଙ୍କର ସେବକ ଏବଂ ପରାଧୀନ ଥିଲେ; ସେମାନେ ଡରି ଗଲେ | କ୍ରୋଧରେ ଅତିଷ୍ଠ ହୋଇ ସେମାନେ ପ୍ରହ୍ଲାଦଙ୍କ ଉଦ୍ଦେଶ୍ୟରେ କହିଲେ -

ଆନୀୟତାମରେ ବେତ୍ରମସ୍ମାକମୟଶସ୍କରଃ ।

କୁଲାଙ୍ଗାରସ୍ୟ ଦୁର୍ବୁଦ୍ଧେଶ୍ଚତୁର୍ଥୋଽସ୍ୟୋଦିତୋ ଦମଃ ॥ ୧୬॥

‘ଆରେ, କେହି ଜଣେ ମୋର ବେତଟା ଆଣିଦେଲ | ଇଏ ଆମ କୀର୍ତ୍ତିରେ କଳଙ୍କ ଲଗାଉଛି | ଏହି ଦୁର୍ବୁଦ୍ଧି କୁଳାଙ୍ଗାରକୁ ଠିକ୍ କରିବା ପାଇଁ ଚତୁର୍ଥ ଉପାୟ ଦଣ୍ଡ ହିଁ ଉପଯୁକ୍ତ ଅଟେ |

ଦୈତେୟଚନ୍ଦନବନେ ଜାତୋଽୟଂ କଣ୍ଟକଦ୍ରୁମଃ ।

ଯନ୍ମୂଲୋନ୍ମୂଲପରଶୋର୍ୱିଷ୍ଣୋର୍ନାଲାୟିତୋଽର୍ଭକଃ ॥ ୧୭॥

ଦୈତ୍ୟବଂଶର ଚନ୍ଦନବନରେ ଏହି କଣ୍ଟକଯୁକ୍ତ ବବୂଲ୍ ଗଛ କିପରି ଉତ୍ପନ୍ନ ହେଲା ? ଯେଉଁ ବିଷ୍ଣୁ ଏହି ବନର ଜଡ କାଟିବାକୁ କୁରାଢି ସଦୃଶ ଅଟନ୍ତି, ଏହି ମୂର୍ଖ ବାଳକ ତାଙ୍କର ସହାୟକ ହେଉଛି |

ଇତି ତଂ ବିବିଧୋପାୟୈର୍ଭୀଷୟଂସ୍ତର୍ଜନାଦିଭିଃ ।

ପ୍ରହ୍ଲାଦଂ ଗ୍ରାହୟାମାସ ତ୍ରିବର୍ଗସ୍ୟୋପପାଦନମ୍ ॥ ୧୮॥

ଏହିରୂପେ ଅନେକ ପ୍ରକାରରେ ଭର୍ତ୍ସନା କରି ଧମକ ଦେବା ପରେ ଗୁରୁଜୀ ପ୍ରହ୍ଲାଦଙ୍କୁ ଅର୍ଥ, ଧର୍ମ ଏବଂ କାମସମ୍ବନ୍ଧୀୟ ଶିକ୍ଷା ଦେଲେ |

ତତ ଏନଂ ଗୁରୁର୍ଜ୍ଞାତ୍ୱା ଜ୍ଞାତଜ୍ଞେୟଚତୁଷ୍ଟୟମ୍ ।

ଦୈତ୍ୟେନ୍ଦ୍ରଂ ଦର୍ଶୟାମାସ ମାତୃମୃଷ୍ଟମଲଙ୍କୃତମ୍ ॥ ୧୯॥

କିଛି ସମୟ ପରେ ଗୁରୁଜୀ ଯେତେବେଳେ ଦେଖିଲେ ଯେ ସାମ, ଦାମ, ଭେଦ ଏବଂ ଦଣ୍ଡ ସମ୍ବନ୍ଧୀୟ ସବୁ ବିଷୟ ପ୍ରହ୍ଲାଦ ଜାଣି ନେଇଛନ୍ତି, ସେତେବେଳେ ସେ ତାଙ୍କୁ ତାଙ୍କ ମାଙ୍କ ପାଖକୁ ନେଇଗଲେ | ମା ଅତି ସ୍ନେହରେ ତାଙ୍କର ସ୍ନାନ ଆଦି କରାଇ ତାଙ୍କୁ ଉତ୍ତମ ବସ୍ତ୍ର-ଆଭୂଷଣରେ ସଜ୍ଜିତ କରିଦେଲେ | ତାପରେ ପ୍ରହ୍ଲାଦଙ୍କୁ ପିତା ହିରଣ୍ୟକଶିପୁଙ୍କ ପାଖକୁ ନିଆଗଲା |

ପାଦୟୋଃ ପତିତଂ ବାଲଂ ପ୍ରତିନନ୍ଦ୍ୟାଶିଷାସୁରଃ ।

ପରିଷ୍ୱଜ୍ୟ ଚିରଂ ଦୋର୍ଭ୍ୟାଂ ପରମାମାପ ନିର୍ୱୃତିମ୍ ॥ ୨୦॥

ପ୍ରହ୍ଲାଦ ନିଜ ପିତାଙ୍କ ଚରଣରେ ଭୂମିଷ୍ଠ ହେଲେ | ହିରଣ୍ୟକଶିପୁ ତାଙ୍କୁ ଆଶୀର୍ବାଦ ଦେବା ସହିତ ତାଙ୍କୁ ଦୁଇ ହାତରେ ଉଠାଇ ବହୁତ ସମୟ ଯାଏଁ ତାଙ୍କୁ ହୃଦୟଲଗ୍ନ କରି ରଖିଲା | ସେହି ସମୟରେ ଦୈତ୍ୟରାଜଙ୍କର ହୃଦୟ ଆନନ୍ଦରେ ଭରି ଉଠୁଥିଲା |

ଆରୋପ୍ୟାଙ୍କମବଘ୍ରାୟ ମୂର୍ଧନ୍ୟଶ୍ରୁକଲାମ୍ବୁଭିଃ ।

ଆସିଞ୍ଚନ୍ ବିକସଦ୍ୱକ୍ତ୍ରମିଦମାହ ଯୁଧିଷ୍ଠିର ॥ ୨୧॥

ଯୁଧିଷ୍ଠିର ! ପ୍ରସନ୍ନବଦନ ପ୍ରହ୍ଲାଦଙ୍କୁ ନିଜ କୋଳରେ ଧାରଣ କରି ହିରଣ୍ୟକଶିପୁ ତାଙ୍କର ମସ୍ତକ ଚୁମ୍ବନ କଲା | ତାର ନେତ୍ରରୁ ପ୍ରେମାଶ୍ରୁ ପ୍ରବାହିତ ହୋଇ ପ୍ରହ୍ଲାଦଙ୍କ ଶରୀରକୁ ସିକ୍ତ କରୁଥିଲା | ସେ ନିଜ ପୁତ୍ରକୁ କହିଲା -

ହିରଣ୍ୟକଶିପୁରୁବାଚ

ପ୍ରହ୍ଲାଦାନୂଚ୍ୟତାଂ ତାତ ସ୍ୱଧୀତଂ କିଞ୍ଚିଦୁତ୍ତମମ୍ ।

କାଲେନୈତାବତାଽଽୟୁଷ୍ମନ୍ ଯଦଶିକ୍ଷଦ୍ଗୁରୋର୍ଭବାନ୍ ॥ ୨୨॥

ହିରଣ୍ୟକଶିପୁ କହିଲା – ଚିରଞ୍ଜିବୀ ପୁତ୍ର ପ୍ରହ୍ଲାଦ ! ଏତେଦିନ ଧରି ତୁମେ ଗୁରୁଜୀଙ୍କଠାରୁ ଯେଉଁ ଶିକ୍ଷା ପ୍ରାପ୍ତ କଲ, ସେଥିରୁ କିଛି ଭଲ କଥା ମୋତେ ଶୁଣାଅ |

ପ୍ରହ୍ଲାଦ ଉବାଚ

ଶ୍ରବଣଂ କୀର୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ।

ଅର୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମନିବେଦନମ୍ ॥ ୨୩॥

ଇତି ପୁଂସାର୍ପିତା ବିଷ୍ଣୌ ଭକ୍ତିଶ୍ଚେନ୍ନବଲକ୍ଷଣା ।

କ୍ରିୟେତ ଭଗବତ୍ୟଦ୍ଧା ତନ୍ମନ୍ୟେଽଧୀତମୁତ୍ତମମ୍ ॥ ୨୪॥

ପ୍ରହ୍ଲାଦ କହିଲେ – ପିତାଜୀ ! ବିଷ୍ଣୁଭଗବାନଙ୍କ ଭକ୍ତିର ନଅଟି ଭେଦ ରହିଛି – ଭଗବାନଙ୍କର ଗୁଣ-ଲୀଳା-ନାମ ଆଦିର ଶ୍ରବଣ, ତାହାର କୀର୍ତ୍ତନ, ତାଙ୍କର ରୂପ-ନାମ ଆଦିର ସ୍ମରଣ, ତାଙ୍କର ଚରଣ-ସେବା, ପୂଜା-ଅର୍ଚ୍ଚନା, ବନ୍ଦନା, ଦାସ୍ୟ, ସଖ୍ୟ ଏବଂ ଆତ୍ମନିବେଦନ | ଭଗବାନଙ୍କ ପ୍ରତି ସମର୍ପଣ ଭାବ ରଖି ଏହି ନବଧା ଭକ୍ତି କରିବା – ଏହାକୁ ହିଁ ମୁଁ ଉତ୍ତମ ଅଧ୍ୟୟନ ମନେକରେ |

ନିଶମ୍ୟୈତତ୍ସୁତବଚୋ ହିରଣ୍ୟକଶିପୁସ୍ତଦା ।

ଗୁରୁପୁତ୍ରମୁବାଚେଦଂ ରୁଷା ପ୍ରସ୍ଫୁରିତାଧରଃ ॥ ୨୫॥

ପ୍ରହ୍ଲାଦଙ୍କ ମୁଖରୁ ଏହି କଥା ଶୁଣିବା କ୍ଷଣି ଅତିଶୟ କ୍ରୋଧରେ ହିରଣ୍ୟକଶିପୁର ଓଠ ଥରିବାରେ ଲାଗିଲା | ସେ ଗୁରୁପୁତ୍ର ଦ୍ବୟଙ୍କୁ କହିଲା -

ବ୍ରହ୍ମବନ୍ଧୋ କିମେତତ୍ତେ ବିପକ୍ଷଂ ଶ୍ରୟତାସତା ।

ଅସାରଂ ଗ୍ରାହିତୋ ବାଲୋ ମାମନାଦୃତ୍ୟ ଦୁର୍ମତେ ॥ ୨୬॥

ରେ ନୀଚ ବ୍ରାହ୍ମଣ ! ରେ ଦୁର୍ବୁଦ୍ଧି ! ଏପରି ଦୁଷ୍କର୍ମ ତୁ କାହିଁକି କଲୁ ? ମୋତେ ଖାତିର ନ କରି ଏହି ବାଳକକୁ ତୁ ଏପରି ଅସାର ଶିକ୍ଷା ଦେଲୁ | ନିଶ୍ଚିତ ଭାବରେ ତୁ ମୋର ଶତ୍ରୁପକ୍ଷର ଆଶ୍ରିତ ଅଟୁ |

ସନ୍ତି ହ୍ୟସାଧବୋ ଲୋକେ ଦୁର୍ମୈତ୍ରାଶ୍ଛଦ୍ମବେଷିଣଃ ।

ତେଷାମୁଦେତ୍ୟଘଂ କାଲେ ରୋଗଃ ପାତକିନାମିବ ॥ ୨୭॥

ସଂସାରରେ ଏପରି ଦୁଷ୍ଟମାନଙ୍କର ଅଭାବ ନାହିଁ, ଯେଉଁମାନେ ମିତ୍ରର ବାନା ଧରି ଲୁଚିଛପି ଶତ୍ରୁର କାମ କରନ୍ତି | କିନ୍ତୁ ସେମାନଙ୍କର ଭେଦ ଠିକ୍ ସେହିପରି ଖୋଲି ଯାଇଥାଏ ଯେପରି କି ଗୁପ୍ତରେ ପାପକର୍ମ କରୁଥିବା ଲୋକର ପାପ ଉଚିତ୍ ସମୟରେ ରୋଗ ରୂପରେ ପ୍ରକଟ ହୋଇ ତାଙ୍କର ଭେଦ ଖୋଲିଦିଏ |

ଗୁରୁପୁତ୍ର ଉବାଚ

ନ ମତ୍ପ୍ରଣୀତଂ ନ ପରପ୍ରଣୀତଂ

ସୁତୋ ବଦତ୍ୟେଷ ତବେନ୍ଦ୍ରଶତ୍ରୋ ।

ନୈସର୍ଗିକୀୟଂ ମତିରସ୍ୟ ରାଜନ୍

ନିୟଚ୍ଛ ମନ୍ୟୁଂ କଦଦାଃ ସ୍ମ ମା ନଃ ॥ ୨୮॥

ଗୁରୁପୁତ୍ର କହିଲେ – ହେ ଇନ୍ଦ୍ରଶତ୍ରୁ ! ଆପଣଙ୍କର ପୁତ୍ର ଯାହା ସବୁ କହୁଛି, ତାହା କାହା ଦ୍ବାରା ପ୍ରେରିତ ହୋଇ କହୁନାହିଁ | ହେ ରାଜନ୍ ! ଏହା ତାହାର ସ୍ବାଭାବିକ ଜନ୍ମଜାତ ବୁଦ୍ଧି ଅଟେ | ଆପଣ କ୍ରୋଧରୁ ନିବୃତ୍ତ ହୁଅନ୍ତୁ, ବୃଥାରେ ଆମକୁ ଦୋଷ ଦିଅନ୍ତୁ ନାହିଁ |

ନାରଦ ଉବାଚ

ଗୁରୁଣୈବଂ ପ୍ରତିପ୍ରୋକ୍ତୋ ଭୂୟ ଆହାସୁରଃ ସୁତମ୍ ।

ନ ଚେଦ୍ଗୁରୁମୁଖୀୟଂ ତେ କୁତୋଽଭଦ୍ରାସତୀ ମତିଃ ॥ ୨୯॥

ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଗୁରୁଜୀଙ୍କର ଏପରି ଉତ୍ତର ଶୁଣି ହିରଣ୍ୟକଶିପୁ ପୁନର୍ବାର ପ୍ରହ୍ଲାଦଙ୍କୁ ପଚାରିଲା – କଣ ରେ ! ଏପରି ଅହିତକର ମନ୍ଦ ବୁଦ୍ଧି ଯଦି ତୋତେ ଗୁରୁମୁଖରୁ ପ୍ରାପ୍ତ ହୋଇନାହିଁ, ତେବେ କହ, କେଉଁଠାରୁ ତୋତେ ଏହା ପ୍ରାପ୍ତ ହୋଇଛି |

ପ୍ରହ୍ଲାଦ ଉବାଚ

ମତିର୍ନ କୃଷ୍ଣେ ପରତଃ ସ୍ୱତୋ ବା

ମିଥୋଽଭିପଦ୍ୟେତ ଗୃହବ୍ରତାନାମ୍ ।

ଅଦାନ୍ତଗୋଭିର୍ୱିଶତାଂ ତମିସ୍ରଂ

ପୁନଃ ପୁନଶ୍ଚର୍ୱିତଚର୍ୱଣାନାମ୍ ॥ ୩୦॥

ପ୍ରହ୍ଲାଦ କହିଲେ – ପିତାଜୀ ! ସାଂସାରିକ ମନୁଷ୍ୟ ତ ପେଷଣ ହୋଇଥିବା ଦ୍ରବ୍ୟକୁ ପେଷୁଛନ୍ତି, ଚର୍ବଣ ହୋଇଥିବା ବିଷୟକୁ ଚର୍ବଣ କରୁଛନ୍ତି | ସେମାନଙ୍କର ଇନ୍ଦ୍ରିୟ ନିଜ ନିୟନ୍ତ୍ରଣରେ ନ ଥିବା କାରଣରୁ ସେମାନେ ଭୋଗ କରିଥିବା ବିଷୟକୁ ପୁନଃ ପୁନଃ ଭୋଗ କରିବା ଉଦ୍ଦେଶ୍ୟରେ ସଂସାରରୂପୀ ଘୋର ନର୍କ  ଅଭିମୁଖରେ ଧାଇଁବାରେ ଲାଗିଛନ୍ତି | ଏପରି ଗୃହାସକ୍ତ ପୁରୁଷର ବୁଦ୍ଧି କାହାର ପ୍ରରୋଚନାରେ ଅଥବା ନିଜ ପରି ଲୋକମାନଙ୍କର ସଙ୍ଗ କରି ଭଗବାନ ଶ୍ରୀକୃଷ୍ଣଙ୍କଠାରେ ଲାଗି ନ ଥାଏ |

ନ ତେ ବିଦୁଃ ସ୍ୱାର୍ଥଗତିଂ ହି ବିଷ୍ଣୁଂ

ଦୁରାଶୟା ଯେ ବହିରର୍ଥମାନିନଃ ।

ଅନ୍ଧା ଯଥାନ୍ଧୈରୁପନୀୟମାନା

ବାଚୀଶତନ୍ତ୍ୟାମୁରୁଦାମ୍ନି ବଦ୍ଧାଃ ॥ ୩୧॥

ଯେଉଁମାନେ ଇନ୍ଦ୍ରିୟ ଦ୍ବାରା ଦୃଶ୍ୟ ହେଉଥିବା ବାହ୍ୟ ବିଷୟକୁ ପରମ ଇଷ୍ଟ ମନେକରି, ମୂର୍ଖତାବଶ ଅନ୍ଧମାନେ ଅନ୍ଧର ଅନୁଗମନ କରିବା ପରି ଗର୍ତ୍ତରେ ପଡିବା ନିମନ୍ତେ ଚାଲିଛନ୍ତି ଏବଂ ବେଦବାଣୀରୂପ ରଜ୍ଜୁରେ – କାମ୍ୟକର୍ମର ଦୀର୍ଘ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି, ସେମାନଙ୍କୁ ଏହା ଜଣାନାହିଁ ଯେ ଆମର ସ୍ବାର୍ଥ ଏବଂ ପରମାର୍ଥ ଭଗବାନ ବିଷ୍ଣୁ ହିଁ ଅଟନ୍ତି – ତାଙ୍କର ପ୍ରାପ୍ତିରେ ଆମର ସମସ୍ତ ପୁରୁଷାର୍ଥ ପ୍ରାପ୍ତ ହୋଇଥାଏ |

ନୈଷାଂ ମତିସ୍ତାବଦୁରୁକ୍ରମାଙ୍ଘ୍ରିଂ

ସ୍ପୃଶତ୍ୟନର୍ଥାପଗମୋ ଯଦର୍ଥଃ ।

ମହୀୟସାଂ ପାଦରଜୋଽଭିଷେକଂ

ନିଷ୍କିଞ୍ଚନାନାଂ ନ ବୃଣୀତ ଯାବତ୍ ॥ ୩୨॥

ଯାହାର ବୁଦ୍ଧି ଭଗବାନଙ୍କ ଚରଣକମଳ ସ୍ପର୍ଶ କରିଥାଏ, ତାର ଜନ୍ମମୃତ୍ୟୁ-ରୂପ ଅନର୍ଥ ସର୍ବତୋ ଭାବରେ ନଷ୍ଟ ହୋଇଯାଏ | ଅଥଚ ଯେଉଁମାନେ ଅକିଞ୍ଚନ ଭଗବତ୍-ପ୍ରେମୀ ମହାତ୍ମାମାନଙ୍କର ଚରଣ ଧୂଳିରେ ସ୍ନାନ କରି ନ ଥାନ୍ତି, ସେମାନଙ୍କର ବୁଦ୍ଧି କାମ୍ୟକର୍ମର ପୂର୍ଣ୍ଣ ସେବନ କରିବା ପରେ ବି ଭଗବତ୍-ଚରଣର ସ୍ପର୍ଶ କରିପାରେ ନାହିଁ |

ଇତ୍ୟୁକ୍ତ୍ୱୋପରତଂ ପୁତ୍ରଂ ହିରଣ୍ୟକଶିପୂ ରୁଷା ।

ଅନ୍ଧୀକୃତାତ୍ମା ସ୍ୱୋତ୍ସଙ୍ଗାନ୍ନିରସ୍ୟତ ମହୀତଲେ ॥ ୩୩॥

ଏତିକି କହି ପ୍ରହ୍ଲାଦ ଚୁପ୍ ହୋଇଗଲେ | କ୍ରୋଧରେ ଅନ୍ଧ ହୋଇ ହିରଣ୍ୟକଶିପୁ ତାଙ୍କୁ ନିଜ କୋଳରୁ ଉଠାଇ ଭୂମିରେ କଚାଡି ଦେଲା |

ଆହାମର୍ଷରୁଷାଽଽବିଷ୍ଟଃ କଷାୟୀଭୂତଲୋଚନଃ ।

ବଧ୍ୟତାମାଶ୍ୱୟଂ ବଧ୍ୟୋ ନିଃସାରୟତ ନୈରୃତାଃ ॥ ୩୪॥

ପ୍ରହ୍ଲାଦଙ୍କର ବାକ୍ୟ ସେ ସହ୍ୟ କରିପାରିଲା ନାହିଁ | ରୋଷରେ ତାର ନେତ୍ର ରକ୍ତବର୍ଣ୍ଣ ଧାରଣ କଲା | ଚିତ୍କାର କରି ସେ କହିଲା – ଦୈତ୍ୟଗଣ ! ଏହାକୁ ତୁରନ୍ତ ଏଠାରୁ ବାହାରକୁ ନେଇଯାଅ ଏବଂ ମାରି ଦିଅ | ଇଏ ବଧ-ଯୋଗ୍ୟ ଅଟେ |

ଅୟଂ ମେ ଭ୍ରାତୃହା ସୋଽୟଂ ହିତ୍ୱା ସ୍ୱାନ୍ ସୁହୃଦୋଽଧମଃ ।

ପିତୃବ୍ୟହନ୍ତୁର୍ୟଃ ପାଦୌ ବିଷ୍ଣୋର୍ଦାସବଦର୍ଚତି ॥ ୩୫॥

ଦେଖ ତ, ଯିଏ ଏହାର କାକାର ନିଧନ କଲା, ନିଜ ସୁହୃଦ-ସ୍ବଜନଙ୍କୁ ଛାଡି ଏହି ନୀଚ ଦାସ ପରି ସେହି ବିଷ୍ଣୁର ଚରଣ ପୂଜନ କରୁଛି | ମୋର ତ ମନେହେଉଛି, ଏହାର ରୂପରେ ମୋ ଭାଈକୁ ମାରିଥିବା ବିଷ୍ଣୁ ହିଁ ମୋ ଘରକୁ ଆସିଛି |

ବିଷ୍ଣୋର୍ୱା ସାଧ୍ୱସୌ କିଂ ନୁ କରିଷ୍ୟତ୍ୟସମଞ୍ଜସଃ ।

ସୌହୃଦଂ ଦୁସ୍ତ୍ୟଜଂ ପିତ୍ରୋରହାଦ୍ୟଃ ପଞ୍ଚହାୟନଃ ॥ ୩୬॥

ଏବେ ଇଏ ବିଶ୍ବାସର ଯୋଗ୍ୟ ନୁହେଁ | ପାଞ୍ଚ ବର୍ଷର ବାଳୁତ ବୟସରେ ଯିଏ ନିଜ ମାତା-ପିତାଙ୍କର ଦୁସ୍ତ୍ୟଜ ବାତ୍ସଲ୍ୟସ୍ନେହକୁ ଭୁଲିଗଲା, ସେହି କୃତଘ୍ନ ଭଲା ବିଷ୍ଣୁର କି ଉପକାର କରିବ |

ପରୋଽପ୍ୟପତ୍ୟଂ ହିତକୃଦ୍ୟଥୌଷଧଂ

ସ୍ୱଦେହଜୋଽପ୍ୟାମୟବତ୍ସୁତୋଽହିତଃ ।

ଛିନ୍ଦ୍ୟାତ୍ତଦଙ୍ଗଂ ଯଦୁତାତ୍ମନୋଽହିତଂ

ଶେଷଂ ସୁଖଂ ଜୀବତି ଯଦ୍ୱିବର୍ଜନାତ୍ ॥ ୩୭॥

ଔଷଧ ପରି ଅନ୍ୟ କିଏ ଯଦି କିଛି ଉପକାର କରୁଥାଏ, ତେବେ ସେ ପ୍ରକାରାନ୍ତରେ ପୁତ୍ର ହିଁ ଅଟେ | ଅଥଚ ନିଜ ପୁତ୍ର ଯଦି ଅହିତ କରୁଥାଏ, ତେବେ ସେ ରୋଗ ପରି ଶତ୍ରୁ ଅଟେ | ନିଜ ଶରୀରର କୌଣସି ଏକ ଅଙ୍ଗ ଯୋଗୁଁ ଯଦି ସମ୍ପୂର୍ଣ୍ଣ ଶରୀରର ହାନି ହେଉଥାଏ, ତେବେ ତାହାକୁ କାଟି ଦେବା ଉଚିତ୍ | କାରଣ ତାହାକୁ କାଟି ଦେବା ଦ୍ବାରା ଅବଶିଷ୍ଟ ଶରୀର ସୁଖପୂର୍ବକ ଜୀବିତ ରହିପାରିବ |

ସର୍ୱୈରୁପାୟୈର୍ହନ୍ତବ୍ୟଃ ସମ୍ଭୋଜଶୟନାସନୈଃ ।

ସୁହୃଲ୍ଲିଙ୍ଗଧରଃ ଶତ୍ରୁର୍ମୁନେର୍ଦୁଷ୍ଟମିବେନ୍ଦ୍ରିୟମ୍ ॥ ୩୮॥

ଇଏ ସ୍ବଜନ ରୂପରେ ମୋର କିଏ ଶତ୍ରୁ ହିଁ ଆସିଛି | ଯୋଗୀର ଭୋଗଲୋଲୁପ ଇନ୍ଦ୍ରିୟ ତାର ଅନିଷ୍ଟ କରିବା ପରି,  ଇଏ ମୋର ଅହିତ ହିଁ କରିବ | ତେଣୁ ଖାଇବା, ପିଇବା, ବସିବା ଆଦି ସମୟରେ ଯେ କୌଣସି ଉପାୟରେ ହେଉ ଏହାକୁ ମାରିଦିଅ |

ନୈରୃତାସ୍ତେ ସମାଦିଷ୍ଟା ଭର୍ତ୍ରା ବୈ ଶୂଲପାଣୟଃ ।

ତିଗ୍ମଦଂଷ୍ଟ୍ରକରାଲାସ୍ୟାସ୍ତାମ୍ରଶ୍ମଶ୍ରୁଶିରୋରୁହାଃ ॥ ୩୯॥

ନଦନ୍ତୋ ଭୈରବାନ୍ନାଦାନ୍ ଛିନ୍ଧି ଭିନ୍ଧୀତି ବାଦିନଃ ।

ଆସୀନଂ ଚାହନନ୍ ଶୂଲୈଃ ପ୍ରହ୍ଲାଦଂ ସର୍ୱମର୍ମସୁ ॥ ୪୦॥

ହିରଣ୍ୟକଶିପୁଠାରୁ ଏପରି ଆଜ୍ଞା ପାଇ ତୀକ୍ଷ୍ଣ ଦନ୍ତ, ବିକରାଳ ବଦନ, ଲାଲ-ଲାଲ ଦାଢୀ, ନିଶ ଏବଂ କେଶଯୁକ୍ତ ଦୈତ୍ୟମାନେ ହାତରେ ତ୍ରିଶୂଳ ଧରି, ଉଚ୍ଚ ସ୍ବରରେ ‘ମାର-କାଟ ଚିତ୍କାର କରିବାରେ ଲାଗିଲେ | ପ୍ରହ୍ଲାଦ ଶାନ୍ତ ଭାବରେ ବସି ରହିଥିଲେ ଏବଂ ଦୈତ୍ୟମାନେ ତାଙ୍କ ଶରୀରର ସବୁ ମର୍ମସ୍ଥାନରେ ଶୂଳ ବିଦ୍ଧ କରିବାରେ ଲାଗିଥିଲେ |

ପରେ ବ୍ରହ୍ମଣ୍ୟନିର୍ଦେଶ୍ୟେ ଭଗବତ୍ୟଖିଲାତ୍ମନି ।

ଯୁକ୍ତାତ୍ମନ୍ୟଫଲା ଆସନ୍ନପୁଣ୍ୟସ୍ୟେବ ସତ୍କ୍ରିୟାଃ ॥ ୪୧॥

ସେହି ସମୟରେ ପ୍ରହ୍ଲାଦଙ୍କର ଚିତ୍ତ ସେହି ପରମାତ୍ମାଙ୍କଠାରେ ସଂଲଗ୍ନ ରହିଥିଲା, ଯିଏ ମନ-ବାଣୀର ଅଗୋଚର ଅଟନ୍ତି, ସର୍ବାତ୍ମା, ସମସ୍ତ ଶକ୍ତିର ଆଧାର ଏବଂ ପରବ୍ରହ୍ମ ଅଟନ୍ତି | ତେଣୁ ଭାଗ୍ୟହୀନ ବ୍ୟକ୍ତିର ବଡ-ବଡ ଉଦ୍ୟୋଗ ବ୍ୟର୍ଥ ହୋଇଯିବା ପରି, ପ୍ରହ୍ଲାଦଙ୍କ ଉପରେ ଦୈତ୍ୟମାନଙ୍କର ସମସ୍ତ ପ୍ରହାର ନିଷ୍ଫଳ ହେଲା |

ପ୍ରୟାସେଽପହତେ ତସ୍ମିନ୍ ଦୈତ୍ୟେନ୍ଦ୍ରଃ ପରିଶଙ୍କିତଃ ।

ଚକାର ତଦ୍ୱଧୋପାୟାନ୍ ନିର୍ବନ୍ଧେନ ଯୁଧିଷ୍ଠିର ॥ ୪୨॥

ଯୁଧିଷ୍ଠିର ! ଶୂଳ ପ୍ରହାରରେ ଯେତେବେଳେ ପ୍ରହ୍ଲାଦଙ୍କ ଶରୀରରେ କୌଣସି ହାନି ହେଲାନାହିଁ, ସେତେବେଳେ ହିରଣ୍ୟକଶିପୁର ଆଶଙ୍କା ବୃଦ୍ଧି ପାଇଲା | ଏବେ ସେ ପ୍ରହ୍ଲାଦଙ୍କୁ ମାରିବା ଜିଦରେ ନାନା ଉପାୟ ଚିନ୍ତା କରିବାରେ ଲାଗିଲା |

ଦିଗ୍ଗଜୈର୍ଦନ୍ଦଶୂକୈଶ୍ଚ ଅଭିଚାରାବପାତନୈଃ ।

ମାୟାଭିଃ ସନ୍ନିରୋଧୈଶ୍ଚ ଗରଦାନୈରଭୋଜନୈଃ ॥ ୪୩॥

ସେ ତାଙ୍କୁ ମତୁଆଲା ହାତୀମାନଙ୍କ ପାଦରେ ଦଳିବାକୁ ଚେଷ୍ଟା କଲା, ବିଷଧର ସର୍ପମାନଙ୍କ ଦ୍ବାରା ଦଂଶନ କରାଇଲା, ପୁରୋହିତମାନଙ୍କ ଦ୍ବାରା କୃତ୍ୟା ରାକ୍ଷସୀ ଉତ୍ପନ୍ନ କରାଇଲା, ପାହାଡର ଶିଖରରୁ ତାଙ୍କୁ ତଳକୁ ଫିଙ୍ଗିଲା, ଶମ୍ବରାସୁର ଦ୍ବାରା ଅନେକ ପ୍ରକାରର ମାୟା ପ୍ରୟୋଗ କଲା, ଅନ୍ଧାର କୋଠରୀରେ ବନ୍ଦ କରି ରଖିଲା, ବିଷ ପାନ କରାଇଲା ଏବଂ ଭୋଜନ ବନ୍ଦ କରିଦେଲା |

ହିମବାୟ୍ୱଗ୍ନିସଲିଲୈଃ ପର୍ୱତାକ୍ରମଣୈରପି ।

ନ ଶଶାକ ଯଦା ହନ୍ତୁମପାପମସୁରଃ ସୁତମ୍ ।

ଚିନ୍ତାଂ ଦୀର୍ଘତମାଂ ପ୍ରାପ୍ତସ୍ତତ୍କର୍ତୁଂ ନାଭ୍ୟପଦ୍ୟତ ॥ ୪୪॥

ଥରକୁ ଥର ବରଫାଚ୍ଛାଦିତ ଭୂମିରେ, ପ୍ରଜ୍ବଳିତ ଅଗ୍ନିରେ ଏବଂ ସମୁଦ୍ରରେ ତାଙ୍କୁ ନିକ୍ଷେପ କରାଗଲା, ତୋଫାନ-ବାତ୍ୟାରେ ତାଙ୍କୁ ଛାଡି ଦିଆଗଲା ତଥା ପର୍ବତରେ ତାଙ୍କୁ ଚାପି ଦିଆଗଲା | କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ଉପାୟରେ ବି ସେ ନିଜ ପୁତ୍ର ପ୍ରହ୍ଲାଦର ବାଳ ସୁଦ୍ଧା ବଙ୍କା କରିପାରିଲା ନାହିଁ | ନିଜର ବିବଶତାକୁ ନେଇ ହିରଣ୍ୟକଶିପୁର ଚିନ୍ତା ବଢିଗଲା; ପ୍ରହ୍ଲାଦଙ୍କୁ ମାରିବାର କୌଣସି ଉପାୟ ଆଉ ତାକୁ ଦେଖାଗଲା ନାହିଁ |

ଏଷ ମେ ବହ୍ୱସାଧୂକ୍ତୋ ବଧୋପାୟାଶ୍ଚ ନିର୍ମିତାଃ ।

ତୈସ୍ତୈର୍ଦ୍ରୋହୈରସଦ୍ଧର୍ମୈର୍ମୁକ୍ତଃ ସ୍ୱେନୈବ ତେଜସା ॥ ୪୫॥

ସେ ବିଚାର କରିବାରେ ଲାଗିଲା – ‘ଏହାକୁ ମୁଁ କେତେ ଗାଳି-ଗୁଲଜ କଲି, ମାରିବା ପାଇଁ କେତେ ଉପାୟ କଲି | କିନ୍ତୁ ମୋର ଦ୍ରୋହ ଏବଂ ଦୁର୍ବ୍ୟବହାର ସତ୍ତ୍ବେ କାହାର ସହାୟତା ବିନା ନିଜ ପ୍ରଭାବରେ ହିଁ ସେ ରକ୍ଷା ପାଇଗଲା |

ବର୍ତମାନୋଽବିଦୂରେ ବୈ ବାଲୋଽପ୍ୟଜଡଧୀରୟମ୍ ।

ନ ବିସ୍ମରତି ମେଽନାର୍ୟଂ ଶୁନଃଶେପ ଇବ ପ୍ରଭୁଃ ॥ ୪୬॥

ବାଳକ ହୋଇଥିଲେ ବି ଇଏ ବୁଦ୍ଧିମାନ ଅଟେ | ଏବେ ମୋ ପାଖରେ ମଧ୍ୟ ଇଏ ନିଃଶଙ୍କ ଭାବରେ ରହୁଛି | କିଛି ନ ହେଲେ ବି ଏହାର କିଛି ସାମର୍ଥ୍ୟ ନିଶ୍ଚିତ ଭାବରେ ରହିଛି | ଶୁନଃଶେପ ଯେପରି ନିଜ ପିତାଙ୍କର କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ତାଙ୍କର ବିରୋଧୀ ହୋଇ ଯାଇଥିଲା, ସେହିପରି ଇଏ ମଧ୍ୟ ମୋର ଦୁର୍ବ୍ୟବହାରକୁ ଭୁଲିବ ନାହିଁ |

ଅପ୍ରମେୟାନୁଭାବୋଽୟମକୁତଶ୍ଚିଦ୍ଭୟୋଽମରଃ ।

ନୂନମେତଦ୍ୱିରୋଧେନ ମୃତ୍ୟୁର୍ମେ ଭବିତା ନ ବା ॥ ୪୭॥

ଏହାର କାହାକୁ ଭୟ ନାହିଁ କି ଇଏ କୌଣସି ଉପାୟରେ ମରୁ ମଧ୍ୟ ନାହିଁ | ଏହାର ଶକ୍ତି ଅକଳନ ଅଟେ | ଏହାର ବିରୋଧ କରି ସମ୍ଭବତଃ ମୋର ମୃତ୍ୟୁ ହୋଇ ଯାଇପାରେ; ହୋଇ ବି ନ ପାରେ |

ଇତି ତଚ୍ଚିନ୍ତୟା କିଞ୍ଚିନ୍ମ୍ଲାନଶ୍ରିୟମଧୋମୁଖମ୍ ।

ଶଣ୍ଡାମର୍କାବୌଶନସୌ ବିବିକ୍ତ ଇତି ହୋଚତୁଃ ॥ ୪୮॥

ଏହିପରି ଭାବି ଭାବି ହିରଣ୍ୟକଶିପୁର ମୁହଁ ଶୁଖିଗଲା | ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର ଶଣ୍ଡ ଏବଂ ଅମର୍କ ଯେତେବେଳେ ତାଙ୍କୁ ଏପରି ଭାବରେ ମୁହଁ ଶୁଖାଇ ବସି ରହିଥିବା ଅବସ୍ଥାରେ ଦେଖିଲେ, ସେତେବେଳେ ସେମାନେ ତାଙ୍କୁ ଏକାନ୍ତରେ ଏପରି କହିଲେ -

ଜିତଂ ତ୍ୱୟୈକେନ ଜଗତ୍ତ୍ରୟଂ ଭ୍ରୁବୋ-

ର୍ୱିଜୃମ୍ଭଣତ୍ରସ୍ତସମସ୍ତଧିଷ୍ଣ୍ୟପମ୍ ।

ନ ତସ୍ୟ ଚିନ୍ତ୍ୟଂ ତବ ନାଥ ଚକ୍ଷ୍ମହେ

ନ ବୈ ଶିଶୂନାଂ ଗୁଣଦୋଷୟୋଃ ପଦମ୍ ॥ ୪୯॥

ସ୍ବାମୀ ! ଆପଣ ଏକାକୀ ତ୍ରିଲୋକ ଉପରେ ବିଜୟ ପ୍ରାପ୍ତ କରିନେଲେ | ଆପଣଙ୍କର ବକ୍ର ଭୃକୁଟି ସବୁ ଲୋକପାଳଙ୍କୁ ଭୟରେ ଥରହର କରିଦେବା ପାଇଁ ଯଥେଷ୍ଟ ଅଟେ | ଭଲା, ପିଲାମାନଙ୍କର ଖେଳ-କୁଦକୁ ନେଇ ଭଲ-ମନ୍ଦ ବିଷୟରେ ଚିନ୍ତିତ ହେବା କଣ ଆବଶ୍ୟକ ?

ଇମଂ ତୁ ପାଶୈର୍ୱରୁଣସ୍ୟ ବଦ୍ଧ୍ୱା

ନିଧେହି ଭୀତୋ ନ ପଲାୟତେ ଯଥା ।

ବୁଦ୍ଧିଶ୍ଚ ପୁଂସୋ ବୟସାଽଽର୍ୟସେବୟା

ଯାବଦ୍ଗୁରୁର୍ଭାର୍ଗବ ଆଗମିଷ୍ୟତି ॥ ୫୦॥

ଆମ୍ଭମାନଙ୍କର ପିତା ଶୁକ୍ରାଚାର୍ଯ୍ୟ ଫେରି ଆସିବା ପୂର୍ବରୁ ଇଏ ଯେପରି ଭୟ କରି କେଉଁଠିକୁ ଚାଲି ନ ଯିବ, ସେଥିପାଇଁ ଏହାକୁ ବରୁଣ-ଫାଶରେ ବାନ୍ଧି ରଖନ୍ତୁ | ପ୍ରାୟ ଏପରି ଦେଖାଯାଏ ଯେ ଅବସ୍ଥାକ୍ରମେ ଗୁରୁଜନମାନଙ୍କର ସେବା କରି ବୁଦ୍ଧିରେ ସୁଧାର ଆସିଯାଏ |

ତଥେତି ଗୁରୁପୁତ୍ରୋକ୍ତମନୁଜ୍ଞାୟେଦମବ୍ରବୀତ୍ ।

ଧର୍ମା ହ୍ୟସ୍ୟୋପଦେଷ୍ଟବ୍ୟା ରାଜ୍ଞାଂ ଯୋ ଗୃହମେଧିନାମ୍ ॥ ୫୧॥

ହିରଣ୍ୟକଶିପୁ ‘ଠିକ୍ ଅଛି କହି ଗୁରୁପୁତ୍ରମାନଙ୍କର ପରାମର୍ଶ ମାନି ନେଲା ଏବଂ ସେମାନଙ୍କୁ କହିଲା, ‘ଏହାକୁ ସେହି ଧର୍ମ-ଉପଦେଶ ପ୍ରଦାନ କର, ଯାହା ଗୃହସ୍ଥ ନରପତିମାନେ ପାଳନ କରନ୍ତି |

ଧର୍ମମର୍ଥଂ ଚ କାମଂ ଚ ନିତରାଂ ଚାନୁପୂର୍ୱଶଃ ।

ପ୍ରହ୍ଲାଦାୟୋଚତୂ ରାଜନ୍ ପ୍ରଶ୍ରିତାବନତାୟ ଚ ॥ ୫୨॥

ଯୁଧିଷ୍ଠିର ! ଏହା ପରେ ପୁରୋହିତମାନେ ପ୍ରହ୍ଲାଦଙ୍କୁ ସାଙ୍ଗରେ ନେଇ ପାଠଶାଳା ଗଲେ ଏବଂ ସେଠାରେ ତାଙ୍କୁ ଧର୍ମ, ଅର୍ଥ, କାମ – ଏହି ତିନି ପୁରୁଷାର୍ଥ ବିଷୟରେ ଶିକ୍ଷା ପ୍ରଦାନ କରିବାରେ ଲାଗିଲେ | ପ୍ରହ୍ଲାଦ ସେଠାରେ ଅତ୍ୟନ୍ତ ନମ୍ର ସେବକ ଭାବରେ ରହୁଥିଲେ |

ଯଥା ତ୍ରିବର୍ଗଂ ଗୁରୁଭିରାତ୍ମନେ ଉପଶିକ୍ଷିତମ୍ ।

ନ ସାଧୁ ମେନେ ତଚ୍ଛିକ୍ଷାଂ ଦ୍ୱନ୍ଦ୍ୱାରାମୋପବର୍ଣିତାମ୍ ॥ ୫୩॥

କିନ୍ତୁ ଗୁରୁମାନଙ୍କର ସେହି ଶିକ୍ଷା ପ୍ରହ୍ଲାଦଙ୍କୁ ଭଲ ଲାଗୁ ନ ଥିଲା, କାରଣ ଗୁରୁଜୀ ତାଙ୍କୁ କେବଳ ଅର୍ଥ, ଧର୍ମ ଏବଂ କାମ ବିଷୟକ ଶିକ୍ଷା ଦେଉଥିଲେ | ଏହି ଶିକ୍ଷା କେବଳ ସେମାନଙ୍କ ପାଇଁ ଅଟେ, ଯେଉଁମାନେ ରାଗ-ଦ୍ବେଷ ଆଦି ଦ୍ବନ୍ଦ୍ବ ଏବଂ ବିଷୟ-ଭୋଗରୁ ରସ ନିଅନ୍ତି |

ଯଦାଽଽଚାର୍ୟଃ ପରାବୃତ୍ତୋ ଗୃହମେଧୀୟକର୍ମସୁ ।

ବୟସ୍ୟୈର୍ବାଲକୈସ୍ତତ୍ର ସୋପହୂତଃ କୃତକ୍ଷଣୈଃ ॥ ୫୪॥

ଦିନେ ଗୁରୁଜୀ ଗୃହସ୍ଥକାମରେ ବାହାରକୁ ଯାଇଥିବା ବେଳେ ସମବୟସ୍କ ବାଳକମାନେ ପ୍ରହ୍ଲାଦଙ୍କୁ ଖେଳିବାକୁ ଡାକିଲେ |

ଅଥ ତାନ୍ ଶ୍ଲକ୍ଷ୍ଣୟା ବାଚା ପ୍ରତ୍ୟାହୂୟ ମହାବୁଧଃ ।

ଉବାଚ ବିଦ୍ୱାଂସ୍ତନ୍ନିଷ୍ଠାଂ କୃପୟା ପ୍ରହସନ୍ନିବ ॥ ୫୫॥

ପ୍ରହ୍ଲାଦ ପରମ ଜ୍ଞାନୀ ଥିଲେ | ସେମାନଙ୍କର ପ୍ରେମ ଦେଖି ସେ ସେହି ବାଳକମାନଙ୍କୁ ଅତି ମଧୁର ବାଣୀରେ ନିଜ ପାଖକୁ ଡାକି ନେଲେ | ସେମାନଙ୍କର ଜନ୍ମ-ମରଣର ଗତି ପ୍ରହ୍ଲାଦଙ୍କ ନିକଟରେ ଅଛପା ନ ଥିଲା | ସେମାନଙ୍କ ପ୍ରତି କୃପା କରି ପ୍ରହ୍ଲାଦ ହସି ହସି ସେମାନଙ୍କୁ ଉପଦେଶ ଦେବାରେ ଲାଗିଲେ |

ତେ ତୁ ତଦ୍ଗୌରବାତ୍ସର୍ୱେ ତ୍ୟକ୍ତକ୍ରୀଡାପରିଚ୍ଛଦାଃ ।

ବାଲା ନ ଦୂଷିତଧିୟୋ ଦ୍ୱନ୍ଦ୍ୱାରାମେରିତେହିତୈଃ ॥ ୫୬॥

ପର୍ୟୁପାସତ ରାଜେନ୍ଦ୍ର ତନ୍ନ୍ୟସ୍ତହୃଦୟେକ୍ଷଣାଃ ।

ତାନାହ କରୁଣୋ ମୈତ୍ରୋ ମହାଭାଗବତୋଽସୁରଃ ॥ ୫୭॥

ଯୁଧିଷ୍ଠିର ! ସେମାନେ ସମସ୍ତେ ସେତେବେଳେ ବାଳକ ହିଁ ଥିଲେ, ସେଥିପାଇଁ ରାଗ-ଦ୍ବେଷପରାୟଣ ବିଷୟଭୋଗୀ ପୁରୁଷମାନଙ୍କର ଉପଦେଶ ବା ବ୍ୟବହାର ଦ୍ବାରା ସେମାନଙ୍କର ବୁଦ୍ଧି ଦୂଷିତ ହୋଇ ନ ଥିଲା | ଏହି କାରଣରୁ ଏବଂ ପ୍ରହ୍ଲାଦଙ୍କ ପ୍ରତି ସେମାନଙ୍କର ଆଦର-ବୁଦ୍ଧି ଯୋଗୁଁ ସେମାନେ ଖେଳ-କୁଦ ଛାଡି ତାଙ୍କ ପାଖକୁ ଯାଇ ତାଙ୍କ ଚତୁର୍ପାର୍ଶ୍ବରେ ଘେରି ବସିଗଲେ ଏବଂ ନିର୍ନିମେଷ ନୟନରେ ତାଙ୍କୁ ଚାହିଁ ମନ-ଧ୍ୟାନ ଦେଇ ତାଙ୍କର ଉପଦେଶ ଶ୍ରବଣ କରିବାରେ ଲାଗିଲେ | ଭଗବାନଙ୍କର ପରମ ପ୍ରେମୀ ଭକ୍ତ ପ୍ରହ୍ଲାଦଙ୍କର ହୃଦୟ ସେମାନଙ୍କ ପ୍ରତି କରୁଣା ଏବଂ ମୈତ୍ରୀରେ ଭରିଗଲା | ସେ ସେମାନଙ୍କୁ କହିବାରେ ଲାଗିଲେ -

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ପଞ୍ଚମୋଽଧ୍ୟାୟଃ ॥ ୫॥

Comments

Popular posts from this blog