॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଶ୍ରୀମଦ୍ ଭାଗବତ ମହାପୁରାଣ ॥
ସପ୍ତମ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ପ୍ରହ୍ଲାଦଙ୍କର ଅସୁର-ବାଳକଙ୍କୁ ଉପଦେଶ
ପ୍ରହ୍ଲାଦ ଉବାଚ
କୌମାର
ଆଚରେତ୍ପ୍ରାଜ୍ଞୋ ଧର୍ମାନ୍ ଭାଗବତାନିହ ।
ଦୁର୍ଲଭଂ ମାନୁଷଂ
ଜନ୍ମ ତଦପ୍ୟଧ୍ରୁବମର୍ଥଦମ୍ ॥ ୧॥
ପ୍ରହ୍ଲାଦ କହିଲେ –
ହେ ମିତ୍ର ! ଏହି ସଂସାରରେ ମନୁଷ୍ୟ-ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ | ଏହା ଦ୍ବାରା ଅବିନାଶୀ
ପରମାତ୍ମାଙ୍କର ପ୍ରାପ୍ତି ସମ୍ଭବ | କିନ୍ତୁ କେଜାଣି କେତେବେଳେ ଏହାର ଅନ୍ତ ହୋଇଯିବ, ତାହାର ଠିକଣା ନାହିଁ | ସେଥିପାଇଁ ବୁଦ୍ଧିମାନ ପୁରୁଷ
ବାର୍ଦ୍ଧକ୍ୟ ଅଥବା ଯୌବନ କାଳର ଭରସାରେ ନ ରହି ବାଲ୍ୟାବସ୍ଥାରୁ ହିଁ ଭଗବତ୍-ପ୍ରାପ୍ତିରେ ସହାୟକ
ସାଧନର ଅନୁଷ୍ଠାନ କରିବା ଉଚିତ୍ |
ଯଥା ହି
ପୁରୁଷସ୍ୟେହ ବିଷ୍ଣୋଃ ପାଦୋପସର୍ପଣମ୍ ।
ଯଦେଷ ସର୍ୱଭୂତାନାଂ
ପ୍ରିୟ ଆତ୍ମେଶ୍ୱରଃ ସୁହୃତ୍ ॥ ୨॥
ଏହି
ମନୁଷ୍ୟ-ଜନ୍ମରେ ଶ୍ରୀଭଗବାନଙ୍କ ଚରଣର ଶରଣ ଗ୍ରହଣ କରିବା ହିଁ ଜୀବନର ଏକମାତ୍ର ସଫଳତା ଅଟେ;
କାରଣ ଭଗବାନ ସବୁ ପ୍ରାଣୀଙ୍କର ସ୍ବାମୀ, ସୁହୃଦ, ପ୍ରିୟତମ ଏବଂ ଆତ୍ମା ଅଟନ୍ତି |
ସୁଖମୈନ୍ଦ୍ରିୟକଂ
ଦୈତ୍ୟା ଦେହୟୋଗେନ ଦେହିନାମ୍ ।
ସର୍ୱତ୍ର ଲଭ୍ୟତେ
ଦୈବାଦ୍ୟଥା ଦୁଃଖମୟତ୍ନତଃ ॥ ୩॥
କୌଣସି ପ୍ରକାରର
ପ୍ରଯତ୍ନ ନ କରି, ନିବାରଣ କରିବା ସତ୍ତ୍ବେ ବି
ଦୁଃଖ ଯେପରି ଆପେ ଆପେ ମିଳିଥାଏ, ସେହିପରି ଜୀବ
ଯେଉଁ ଯୋନିକୁ ଯାଉ ନା କାହିଁକି, ଇନ୍ଦ୍ରିୟମାନଙ୍କ
ଦ୍ବାରା ଭୋଗ କରାଯାଉ ଥିବା ସୁଖ, ତାହାକୁ ପ୍ରାରବ୍ଧ
ଅନୁସାରେ ସର୍ବତ୍ର ସେହିପରି ମିଳିଥାଏ |
ତତ୍ପ୍ରୟାସୋ ନ
କର୍ତବ୍ୟୋ ଯତ ଆୟୁର୍ୱ୍ୟଯଃ ପରମ୍ ।
ନ ତଥା ବିନ୍ଦତେ
କ୍ଷେମଂ ମୁକୁନ୍ଦଚରଣାମ୍ବୁଜମ୍ ॥ ୪॥
ସେଥିପାଇଁ
ସାଂସାରିକ ସୁଖ ଉଦ୍ଦେଶ୍ୟରେ ପ୍ରଯତ୍ନ କରିବାର କୌଣସି ଆବଶ୍ୟକତା ନାହିଁ | ସ୍ବତଃ ପ୍ରାପ୍ତ
ହେଉଥିବା ବସ୍ତୁ ନିମନ୍ତେ ପରିଶ୍ରମ କରିବା କେବଳ ଆୟୁ ଏବଂ ଶକ୍ତିର ବୃଥା ଅପଚୟ ଅଟେ |
ଯେଉଁମାନେ ଏଥିରେ ଛନ୍ଦି ହୋଇଯାଆନ୍ତି, ସେମାନଙ୍କୁ
ଭଗବାନଙ୍କର ପରମ କଲ୍ୟାଣ-ସ୍ବରୂପ ଚରଣକମଳ ପ୍ରାପ୍ତ ହୋଇ ନ ଥାଏ |
ତତୋ ଯତେତ କୁଶଲଃ
କ୍ଷେମାୟ ଭୟମାଶ୍ରିତଃ ।
ଶରୀରଂ ପୌରୁଷଂ
ଯାବନ୍ନ ବିପଦ୍ୟେତ ପୁଷ୍କଲମ୍ ॥ ୫॥
ନାନାଦି ପ୍ରକାରର
ଭୟରେ ଆମ୍ଭେମାନେ ତ୍ରସ୍ତ ଅଟେ | ସେଥିପାଇଁ ଭଗବତ୍-ପ୍ରାପ୍ତି ନିମନ୍ତେ ଉଦ୍ଦିଷ୍ଟ ଏହି ଶରୀର
ରୋଗ-ଶୋକଗ୍ରସ୍ତ ହୋଇ ମୃତ୍ୟୁକୁ ପ୍ରାପ୍ତ ହେବା ପୂର୍ବରୁ ବୁଦ୍ଧିମାନ ପୁରୁଷ ନିଜର କଲ୍ୟାଣ
କରିନେବା ଆବଶ୍ୟକ |
ପୁଂସୋ ବର୍ଷଶତଂ
ହ୍ୟାୟୁସ୍ତଦର୍ଧଂ ଚାଜିତାତ୍ମନଃ ।
ନିଷ୍ଫଲଂ ଯଦସୌ
ରାତ୍ର୍ୟାଂ ଶେତେଽନ୍ଧଂ ପ୍ରାପିତସ୍ତମଃ ॥ ୬॥
ମନୁଷ୍ୟର ପୂରା
ଆୟୁକାଳ ଏକ ଶହ ବର୍ଷ ଅଟେ | ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ନିଜ ନିୟନ୍ତ୍ରଣରେ ରଖି
ପାରନ୍ତି ନାହିଁ, ସେମାନଙ୍କର ଅର୍ଦ୍ଧ ଆୟୁକାଳ
ତ ବୃଥାରେ ବ୍ୟତୀତ ହୋଇଯାଏ, କାରଣ ସାରା ରାତି
ସେମାନେ ଘୋର ତମୋଗୁଣରୂପୀ ଅଜ୍ଞାନ ଗ୍ରସ୍ତ ହୋଇ ଶୋଇ ରହନ୍ତି |
ମୁଗ୍ଧସ୍ୟ ବାଲ୍ୟେ
କୌମାରେ କ୍ରୀଡତୋ ଯାତି ବିଂଶତିଃ ।
ଜରୟା
ଗ୍ରସ୍ତଦେହସ୍ୟ ଯାତ୍ୟକଲ୍ପସ୍ୟ ବିଂଶତିଃ ॥ ୭॥
ବାଲ୍ୟାବସ୍ଥାରେ
ସେମାନଙ୍କଠାରେ ହିତ-ଅହିତର ଜ୍ଞାନ ନ ଥାଏ, ଟିକିଏ ବଡ ହେବା
ପରେ କୁମାର ଅବସ୍ଥାରେ ସେମାନେ ଖେଳ-କୁଦରେ ବ୍ୟସ୍ତ ରହନ୍ତି – ଏହିପରି ଭାବରେ ଜୀବନର କୋଡିଏ
ବର୍ଷ ଅତିବାହିତ ହୋଇଯାଏ | ପୁଣି ଯେତେବେଳେ ଶରୀର ବାର୍ଦ୍ଧକ୍ୟଗ୍ରସ୍ତ ହୋଇଯାଏ, ସେତେବେଳେ ଅନ୍ତିମ କୋଡିଏ ବର୍ଷ କିଛି କରିବାକୁ
ଶରୀରରେ ଶକ୍ତି ନ ଥାଏ |
ଦୁରାପୂରେଣ କାମେନ
ମୋହେନ ଚ ବଲୀୟସା ।
ଶେଷଂ ଗୃହେଷୁ
ସକ୍ତସ୍ୟ ପ୍ରମତ୍ତସ୍ୟାପୟାତି ହି ॥ ୮॥
ମଝିରେ ଅଳ୍ପ କିଛି
ଆୟୁ ଅବଶିଷ୍ଟ ରହୁଛି | ସେହି ସମୟରେ କେବେ ପୂର୍ତ୍ତି ହେଉ ନ ଥିବା ବଡ ବଡ କାମନା, ମୋହର ଅତୁଟ ବନ୍ଧନ ଏବଂ ଘର-ଦ୍ବାରର ଆସକ୍ତି
ଇତ୍ୟାଦିରେ ଜୀବ ଏତେ ବେଶୀ ଛନ୍ଦି ହୋଇଯାଏ ଯେ ତା’ର
କର୍ତ୍ତବ୍ୟ-ଅକର୍ତ୍ତବ୍ୟର ଜ୍ଞାନ ହିଁ ରହେନାହିଁ | ଏହିପରି ଭାବରେ ତା’ର ଅବଶିଷ୍ଟ ଆୟୁ ମଧ୍ୟ ହାତଛଡା ହୋଇଯାଏ |
କୋ ଗୃହେଷୁ ପୁମାନ୍
ସକ୍ତମାତ୍ମାନମଜିତେନ୍ଦ୍ରିୟଃ ।
ସ୍ନେହପାଶୈର୍ଦୃଢୈର୍ବଦ୍ଧମୁତ୍ସହେତ
ବିମୋଚିତୁମ୍ ॥ ୯॥
ହେ ଦୈତ୍ୟବାଳକ !
ଇନ୍ଦ୍ରିୟମାନଙ୍କୁ ବଶୀଭୂତ ନ କରି କେଉଁ ପୁରୁଷ ଅବା ନିଜକୁ ଘର-ଗୃହସ୍ଥୀର ଆସକ୍ତି ଏବଂ
ମାୟା-ମମତାର ଦୃଢ ଫାଶରୁ ମୁକ୍ତ କରିବାର ସାହସ କରିପାରିବ ?
କୋ ନ୍ୱର୍ଥତୃଷ୍ଣାଂ
ବିସୃଜେତ୍ପ୍ରାଣେଭ୍ୟୋଽପି ଯ ଈପ୍ସିତଃ ।
ଯଂ
କ୍ରୀଣାତ୍ୟସୁଭିଃ ପ୍ରେଷ୍ଠୈସ୍ତସ୍କରଃ ସେବକୋ ବଣିକ୍ ॥ ୧୦॥
ନିଜର ଅତ୍ୟନ୍ତ
ପ୍ରିୟ ପ୍ରାଣକୁ ବାଜି ଲଗାଇ ଚୋର, ସେବକ ଏବଂ
ବ୍ୟାପାରୀ ଯାହା ସଂଗ୍ରହ କରିବାରେ ରତ ରହିଥାଆନ୍ତି ଏବଂ ଯାହା ସେମାନଙ୍କ ପାଇଁ ପ୍ରାଣଠାରୁ
ମଧ୍ୟ ଅଧିକ ବାଞ୍ଛନୀୟ ଅଟେ, ସେହି ଧନର
ତୃଷ୍ଣାକୁ ଭଲା କିଏ ତ୍ୟାଗ କରିପାରିବ |
କଥଂ ପ୍ରିୟାୟା
ଅନୁକମ୍ପିତାୟାଃ
ସଙ୍ଗଂ ରହସ୍ୟଂ
ରୁଚିରାଂଶ୍ଚ ମନ୍ତ୍ରାନ୍ ।
ସୁହୃତ୍ସୁ
ତତ୍ସ୍ନେହସିତଃ ଶିଶୂନାଂ
କଲାକ୍ଷରାଣାମନୁରକ୍ତଚିତ୍ତଃ
॥ ୧୧॥
ଯିଏ ନିଜ ପ୍ରିୟତମା
ପତ୍ନୀଙ୍କ ସହିତ ଏକାନ୍ତ ସହବାସ, ତାଙ୍କର ପ୍ରେମଭରା
ବାଣୀ ଏବଂ ମିଠା-ମିଠା ଚାଟୁବାକ୍ୟ ଶୁଣି ତାଙ୍କଠାରେ ନିଜକୁ ଉତ୍ସର୍ଗୀକୃତ କରିଦେଇ ଥାଆନ୍ତି; ଭାଈ-ବନ୍ଧୁ ଏବଂ ମିତ୍ରମାନଙ୍କର ସ୍ନେହପାଶରେ ଯିଏ
ନିଜକୁ ବାନ୍ଧି ରଖିଥାଆନ୍ତି ତଥା ବାଳୁତ ଶିଶୁମାନଙ୍କର ମଧୁର ତୋତରି ଭାଷା ଯେଉଁମାନଙ୍କୁ ମୁଗ୍ଧ
କରୁଥାଏ, ସେମାନେ ଭଲା ସେହି ଆକର୍ଷଣକୁ ତ୍ୟାଗ କରିବେ କିପରି ?
ପୁତ୍ରାନ୍
ସ୍ମରଂସ୍ତା ଦୁହିତୄର୍ହୃଦୟ୍ୟା
ଭ୍ରାତୄନ୍
ସ୍ୱସୄର୍ୱା ପିତରୌ ଚ ଦୀନୌ ।
ଗୃହାନ୍
ମନୋଜ୍ଞୋରୁପରିଚ୍ଛଦାଂଶ୍ଚ
ବୃତ୍ତୀଶ୍ଚ
କୁଲ୍ୟାଃ ପଶୁଭୃତ୍ୟବର୍ଗାନ୍ ॥ ୧୨॥
ଯିଏ ଶ୍ବଶୁରାଳୟକୁ
ଚାଲି ଯାଇଥିବା ନିଜର କନ୍ୟା, ନିଜ ପୁତ୍ର, ଭ୍ରାତା-ଭଗିନୀ, ଦୀନ-ଅବସ୍ଥାକୁ
ପ୍ରାପ୍ତ ହୋଇଥିବା ନିଜ ମାତା-ପିତା, ସୁନ୍ଦର-ସୁନ୍ଦର
ବହୁମୂଲ୍ୟ ସାମଗ୍ରୀରେ ସଜ୍ଜିତ ନିଜର ଘର, କୁଳ-ପରମ୍ପରାଗତ
ନିଜର ଜୀବିକା ତଥା ପଶୁ ଏବଂ ସେବକ ଇତ୍ୟାଦିଙ୍କର ନିରନ୍ତର ସ୍ମରଣରେ ବିଭୋର ରହିଥାଏ, ସେ ସେମାନଙ୍କୁ ତ୍ୟାଗ କରିବ କିପରି ?
ତ୍ୟଜେତ କୋଶସ୍କୃଦିବେହମାନଃ
କର୍ମାଣି
ଲୋଭାଦବିତୃପ୍ତକାମଃ ।
ଔପସ୍ଥ୍ୟଜୈହ୍ୱ୍ୟଂ
ବହୁ ମନ୍ୟମାନଃ
କଥଂ ବିରଜ୍ୟେତ
ଦୁରନ୍ତମୋହଃ ॥ ୧୩॥
ଯିଏ ଜନନେନ୍ଦ୍ରିୟ
ଏବଂ ରସନେନ୍ଦ୍ରିୟର ସୁଖକୁ ହିଁ ସର୍ବସ୍ବ ମାନି ନେଇଥାଏ, ଯାହାର ଭୋଗବାସନା
କେବେ ତୃପ୍ତ ହୁଏନାହିଁ, ଲୋଭବଶ ଯିଏ କର୍ମ ପରେ କର୍ମ
କରି ରେଶମ କୀଟ ସଦୃଶ ନିଜକୁ ଶକ୍ତରୁ ବଳି ଶକ୍ତ ବନ୍ଧନରେ ବାନ୍ଧି ରଖିଥାଏ, ଯାହାର ମୋହର କୌଣସି ସୀମା ନାହିଁ, ସେ ଭଲା ସେଥିରୁ ବିରକ୍ତ ହୋଇ ତାହା ତ୍ୟାଗ କରିବ
କିପରି ?
କୁଟୁମ୍ବପୋଷାୟ
ବିୟନ୍ନିଜାୟୁ-
ର୍ନ ବୁଧ୍ୟତେଽର୍ଥଂ
ବିହତଂ ପ୍ରମତ୍ତଃ ।
ସର୍ୱତ୍ର
ତାପତ୍ରୟଦୁଃଖିତାତ୍ମା
ନିର୍ୱିଦ୍ୟତେ ନ
ସ୍ୱକୁଟୁମ୍ବରାମଃ ॥ ୧୪॥
ବିତ୍ତେଷୁ
ନିତ୍ୟାଭିନିବିଷ୍ଟଚେତା
ବିଦ୍ୱାଂଶ୍ଚ ଦୋଷଂ
ପରବିତ୍ତହର୍ତୁଃ ।
ପ୍ରେତ୍ୟେହ
ଚାଥାପ୍ୟଜିତେନ୍ଦ୍ରିୟସ୍ତ-
ଦଶାନ୍ତକାମୋ ହରତେ କୁଟୁମ୍ବୀ ॥ ୧୫॥
ଏହା ମୋର କୁଟୁମ୍ବ
ଅଟେ – ଏହି ଭାବନାରେ ସେ ଏତେ ବିଭୋର ରହିଥାଏ ଯେ ତାହାର ପାଳନ-ପୋଷଣରେ ସେ ନିଜର ଅମୂଲ୍ୟ ଆୟୁକୁ
ହରାଇ ବସେ ଏବଂ ସେ ଏହା ଜାଣିପାରେ ନାହିଁ ଯେ ତା’ ଜୀବନର ବାସ୍ତବିକ
ଉଦ୍ଦେଶ୍ୟ ନଷ୍ଟ ହୋଇଯାଇଛି | ଏହି ପ୍ରମାଦର ଭଲା କିଛି ସୀମା ଅଛି କି ? ସେହି କର୍ମରୁ ଯଦି
ତାକୁ କିଛି ସୁଖ ମିଳୁଥାଆନ୍ତା, ତେବେ ତ ଠିକ୍ ଅଛି; କିନ୍ତୁ ବାସ୍ତବରେ ସର୍ବତ୍ର ତା’ର ହୃଦୟ କେବଳ ଦୈହିକ-ଦୈବିକ-ଭୌତିକ ତାପରେ ଦଗ୍ଧ
ହେଉଥାଏ | ତଥାପି ତାର ବୈରାଗ୍ୟ ଉଦୟ ହୁଏନାହିଁ; ଏହା କିପରି
ବିଡମ୍ବନା ! କୁଟୁମ୍ବର ମୋହପାଶରେ ପଡି ସେ ଏତେ ଅସାବଧାନ ହୋଇଯାଏ ଏବଂ ତା’ର ମନ ଧନର ଚିନ୍ତନରେ ଏତେ ବେଶୀ ତଲ୍ଲୀନ ହୋଇଯାଏ ଯେ
ପରଧନ ଚୋରୀ କରିବାର ଲୌକିକ-ପାରଲୌକିକ ଦୋଷକୁ ଜାଣି ମଧ୍ୟ କାମନାକୁ ବଶୀଭୂତ କରି ନ ପାରି
ଇନ୍ଦ୍ରିୟ ଭୋଗଲାଳସାରେ ସେ ଚୋରୀ କରିବାରେ ପ୍ରବୃତ୍ତ ହୋଇଯାଏ |
ବିଦ୍ୱାନପୀତ୍ଥଂ
ଦନୁଜାଃ କୁଟୁମ୍ବଂ
ପୁଷ୍ଣନ୍ ସ୍ୱଲୋକାୟ
ନ କଲ୍ପତେ ବୈ ।
ଯଃ
ସ୍ୱୀୟପାରକ୍ୟବିଭିନ୍ନଭାବ-
ସ୍ତମଃ ପ୍ରପଦ୍ୟେତ
ଯଥା ବିମୂଢଃ ॥ ୧୬॥
ଭାଈମାନେ ! ଏହିପରି
ଭାବରେ ଯିଏ ନିଜ ପରିବାରର ଉଦରପୋଷଣରେ ସଦା ନିୟୋଜିତ ରହନ୍ତି – କେବେ ଭଗବତ୍-ଭଜନ କରନ୍ତି
ନାହିଁ – ସେ ବିଦ୍ବାନ୍ ହୋଇଥିଲେ ବି ପରମାତ୍ମାଙ୍କୁ ପ୍ରାପ୍ତ କରିପାରନ୍ତି ନାହିଁ |
ତାଙ୍କଠାରେ ଆପଣା-ପରର ଭେଦ-ଭାବ ରହିଥିବା କାରଣରୁ ଅଜ୍ଞାନୀମାନଙ୍କ ପରି ତାଙ୍କୁ ମଧ୍ୟ
ତମଃପ୍ରଧାନ ଗତି ପ୍ରାପ୍ତ ହୋଇଥାଏ |
ଯତୋ ନ କଶ୍ଚିତ୍କ୍ୱ
ଚ କୁତ୍ରଚିଦ୍ୱା
ଦୀନଃ
ସ୍ୱମାତ୍ମାନମଲଂ ସମର୍ଥଃ ।
ବିମୋଚିତୁଂ
କାମଦୃଶାଂ ବିହାର-
କ୍ରୀଡାମୃଗୋ
ଯନ୍ନିଗଡୋ ବିସର୍ଗଃ ॥ ୧୭॥
ଯିଏ
କାମିନୀମାନଙ୍କର ମନୋରଞ୍ଜନର ବିଷୟ ହୋଇଯାଆନ୍ତି – ସେମାନଙ୍କର କ୍ରୀଡାମୃଗ ହୋଇ ରହିଥାଆନ୍ତି
ଏବଂ ନିଜର ପାଦକୁ ଯିଏ ସନ୍ତାନ ମୋହର ଶିକୁଳିରେ ବାନ୍ଧି ରଖିଥାଆନ୍ତି, ସେ ବିଚରା ଗରୀବ – କିଏ ହୋଇଥିଲେ ବି – କୌଣସି
ଉପାୟରେ ନିଜର ଉଦ୍ଧାର କରିପାରନ୍ତି ନାହିଁ |
ତତୋ
ବିଦୂରାତ୍ପରିହୃତ୍ୟ ଦୈତ୍ୟା
ଦୈତ୍ୟେଷୁ ସଙ୍ଗଂ
ବିଷୟାତ୍ମକେଷୁ ।
ଉପେତ
ନାରାୟଣମାଦିଦେବଂ
ସ
ମୁକ୍ତସଙ୍ଗୈରିଷିତୋଽପବର୍ଗଃ ॥ ୧୮॥
ସେଥିପାଇଁ ଭାଈମାନେ
! ତୁମେ ସମସ୍ତେ ବିଷୟାସକ୍ତ ଦୈତ୍ୟମାନଙ୍କର ସଙ୍ଗ ଦୂରରୁ ହିଁ ତ୍ୟାଗ କର ଏବଂ ଆଦିଦେବ ଭଗବାନ
ନାରାୟଣଙ୍କର ଶରଣ ଗ୍ରହଣ କର | କାରଣ ଯେଉଁମାନେ ସଂସାର ଆସକ୍ତି ତ୍ୟାଗ କରିଦେଇ ଥାଆନ୍ତି, ସେହି ସବୁ ମହାତ୍ମାମାନଙ୍କର ସେ ହିଁ ପରମ ପ୍ରିୟତମ
ଏବଂ ପରମ ଗତି ଅଟନ୍ତି |
ନ ହ୍ୟଚ୍ୟୁତଂ
ପ୍ରୀଣୟତୋ ବହ୍ୱାୟାସୋଽସୁରାତ୍ମଜାଃ ।
ଆତ୍ମତ୍ୱାତ୍ସର୍ୱଭୂତାନାଂ
ସିଦ୍ଧତ୍ୱାଦିହ ସର୍ୱତଃ ॥ ୧୯॥
ମିତ୍ର !
ଭଗବାନଙ୍କୁ ପ୍ରସନ୍ନ କରିବା ନିମନ୍ତେ ବେଶୀ କିଛି ପରିଶ୍ରମ ବା ପ୍ରଯତ୍ନ କରିବାକୁ ପଡେନାହିଁ;
କାରଣ ସେ ସମସ୍ତ ପ୍ରାଣୀଙ୍କର ଆତ୍ମା ଅଟନ୍ତି ଏବଂ ସର୍ବତ୍ର ସମସ୍ତଙ୍କର ସତ୍ତା ରୂପରେ
ସ୍ବୟଂସିଦ୍ଧ ବସ୍ତୁ ଅଟନ୍ତି |
ପରାବରେଷୁ ଭୂତେଷୁ
ବ୍ରହ୍ମାନ୍ତସ୍ଥାବରାଦିଷୁ ।
ଭୌତିକେଷୁ
ବିକାରେଷୁ ଭୂତେଷ୍ୱଥ ମହତ୍ସୁ ଚ ॥ ୨୦॥
ଗୁଣେଷୁ ଗୁଣସାମ୍ୟେ
ଚ ଗୁଣବ୍ୟତିକରେ ତଥା ।
ଏକ ଏବ ପରୋ
ହ୍ୟାତ୍ମା ଭଗବାନୀଶ୍ୱରୋଽବ୍ୟଯଃ ॥ ୨୧॥
ବ୍ରହ୍ମାଙ୍କଠାରୁ
ଆରମ୍ଭ କରି ନଗଣ୍ୟ ତୃଣ ପର୍ଯ୍ୟନ୍ତ ଛୋଟ-ବଡ ସମସ୍ତ ପ୍ରାଣୀଙ୍କଠାରେ, ପଞ୍ଚଭୂତ-ନିର୍ମିତ ବସ୍ତୁରେ, ପଞ୍ଚଭୂତରେ, ସୂକ୍ଷ୍ମ ତନ୍ମାତ୍ରାରେ, ମହତ୍ତତ୍ତ୍ବରେ, ତ୍ରିଗୁଣ ଏବଂ
ଗୁଣମାନଙ୍କର ସାମ୍ୟାବସ୍ଥା ପ୍ରକୃତିରେ ଏକ ହିଁ ଅବିନାଶୀ ପରମାତ୍ମା ସର୍ବତ୍ର ବିରାଜମାନ | ସେ
ହିଁ ସମସ୍ତ ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଏବଂ ଐଶ୍ବର୍ଯ୍ୟର ଭଣ୍ଡାର ଅଟନ୍ତି |
ପ୍ରତ୍ୟଗାତ୍ମସ୍ୱରୂପେଣ
ଦୃଶ୍ୟରୂପେଣ ଚ ସ୍ୱୟମ୍ ।
ବ୍ୟାପ୍ୟବ୍ୟାପକନିର୍ଦେଶ୍ୟୋ
ହ୍ୟନିର୍ଦେଶ୍ୟୋଽବିକଲ୍ପିତଃ ॥ ୨୨॥
ସେ ହିଁ
ଅନ୍ତର୍ଯ୍ୟାମୀ ଦ୍ରଷ୍ଟା ରୂପରେ ରହିଛନ୍ତି ଏବଂ ଦୃଶ୍ୟ ଜଗତ ରୂପରେ ମଧ୍ୟ ସେ ହିଁ ରହିଛନ୍ତି |
ସର୍ବତୋ ଭାବରେ ଅନିର୍ବଚନୀୟ ତଥା ବିକଳ୍ପରହିତ ହୋଇଥିଲେ ବି ଦ୍ରଷ୍ଟା ଏବଂ ଦୃଶ୍ୟ, ବ୍ୟାପ୍ୟ ଏବଂ ବ୍ୟାପକ ରୂପରେ ତାଙ୍କର ନିର୍ବଚନ
କରାଯାଇ ଥାଏ | ବସ୍ତୁତଃ ତାଙ୍କଠାରେ କୌଣସି ବିକଳ୍ପ ନାହିଁ |
କେବଲାନୁଭବାନନ୍ଦସ୍ୱରୂପଃ
ପରମେଶ୍ୱରଃ ।
ମାୟଯାନ୍ତର୍ହିତୈଶ୍ୱର୍ୟ
ଈୟତେ ଗୁଣସର୍ଗୟା ॥ ୨୩॥
ସେ କେବଳ
ଅନୁଭବସ୍ବରୂପ, ଆନନ୍ଦସ୍ବରୂପ ଏକମାତ୍ର
ପରମେଶ୍ବର ହିଁ ଅଟନ୍ତି | ଗୁଣମୟୀ ସୃଷ୍ଟିକାରିଣୀ ମାୟା ଦ୍ବାରା ତାଙ୍କର ଐଶ୍ବର୍ଯ୍ୟ ଆଚ୍ଛନ୍ନ
ରହିଥାଏ | ମାୟା ନିବୃତ୍ତି ହୋଇଯିବା କ୍ଷଣି ତାଙ୍କର ଦର୍ଶନ ହୋଇଯାଏ |
ତସ୍ମାତ୍ସର୍ୱେଷୁ
ଭୂତେଷୁ ଦୟାଂ କୁରୁତ ସୌହୃଦମ୍ ।
ଆସୁରଂ
ଭାବମୁନ୍ମୁଚ୍ୟ ଯୟା ତୁଷ୍ୟତ୍ୟଧୋକ୍ଷଜଃ ॥ ୨୪॥
ଅତଏବ ତୁମ୍ଭେମାନେ
ନିଜର ଦୈତ୍ୟସ୍ବଭାବ, ଆସୁରୀ ସମ୍ପତ୍ତି ତ୍ୟାଗ
କରି ପ୍ରାଣୀ ପ୍ରତି ଦୟା କର | ପ୍ରେମର ସହିତ ସମସ୍ତଙ୍କର ଉପକାର କର | ଏହାଦ୍ବାରା ଭଗବାନ
ପ୍ରସନ୍ନ ହୁଅନ୍ତି |
ତୁଷ୍ଟେ ଚ ତତ୍ର
କିମଲଭ୍ୟମନନ୍ତ ଆଦ୍ୟେ
କିଂ
ତୈର୍ଗୁଣବ୍ୟତିକରାଦିହ ଯେ ସ୍ୱସିଦ୍ଧାଃ ।
ଧର୍ମାଦୟଃ
କିମଗୁଣେନ ଚ କାଙ୍କ୍ଷିତେନ
ସାରଞ୍ଜୁଷାଂ
ଚରଣୟୋରୁପଗାୟତାଂ ନଃ ॥ ୨୫॥
ଆଦିନାରାୟଣ ଅନନ୍ତ
ଭଗବାନଙ୍କୁ ପ୍ରସନ୍ନ କରିପାରିଲେ, ଏପରି କେଉଁ ବସ୍ତୁ
ଅଛି ଯାହା ଆମକୁ ପ୍ରାପ୍ତ ହେବନାହିଁ ? ଲୋକ-ପରଲୋକ ନିମନ୍ତେ ଧର୍ମ, ଅର୍ଥ ଆଦି ଯାହାସବୁ ଆବଶ୍ୟକ, ତାହା ତ ଗୁଣର ପରିଣାମରୁ ବିନା ପ୍ରୟାସରେ ସ୍ବତଃ ହିଁ
ମିଳିଥାଏ | ତାଛଡା, ଭଗବାନଙ୍କର ଚରଣାମୃତ ସେବନ
ଏବଂ ତାଙ୍କର ଭଜନ-କୀର୍ତ୍ତନରେ ସଦା ନିୟୋଜିତ ରହିଲେ, ମୋକ୍ଷର ଅବା
ଆବଶ୍ୟକତା କ’ଣ ?
ଧର୍ମାର୍ଥକାମ ଇତି
ଯୋଽଭିହିତସ୍ତ୍ରିବର୍ଗ
ଈକ୍ଷା ତ୍ରୟୀ
ନୟଦମୌ ବିବିଧା ଚ ବାର୍ତା ।
ମନ୍ୟେ ତଦେତଦଖିଲଂ
ନିଗମସ୍ୟ ସତ୍ୟଂ
ସ୍ୱାତ୍ମାର୍ପଣଂ
ସ୍ୱସୁହୃଦଃ ପରମସ୍ୟ ପୁଂସଃ ॥ ୨୬॥
ଶାସ୍ତ୍ରମାନଙ୍କରେ
ଧର୍ମ, ଅର୍ଥ, କାମ – ଏହି ତିନି
ପୁରୁଷାର୍ଥର ବର୍ଣ୍ଣନ କରାଯାଇଛି | ଆତ୍ମବିଦ୍ୟା, କର୍ମକାଣ୍ଡ, ନ୍ୟାୟ (ତର୍କଶାସ୍ତ୍ର), ଦଣ୍ଡନୀତି ଏବଂ ଜୀବିକାର
ବିବିଧ ସାଧନ – ଏସବୁ ବେଦର ପ୍ରତିପାଦ୍ୟ ବିଷୟ ଅଟେ | କିନ୍ତୁ ସେହି ସବୁ ବିଷୟ ଯଦି ଆମର ପରମ
ହିତୈଷୀ, ପରମ ପୁରୁଷ ଭଗବାନ ଶ୍ରୀହରିଙ୍କ ପ୍ରତି
ଆତ୍ମସମର୍ପଣରେ ସହାୟକ ହୋଇଥାଆନ୍ତି, ତେବେ ମୁଁ
ସେମାନଙ୍କୁ ସାର୍ଥକ (ସତ୍ୟ) ମନେ କରିବି; ଅନ୍ୟଥା ତାହା
ନିରର୍ଥକ ଅଟେ |
ଜ୍ଞାନଂ ତଦେତଦମଲଂ
ଦୁରବାପମାହ
ନାରାୟଣୋ ନରସଖଃ
କିଲ ନାରଦାୟ ।
ଏକାନ୍ତିନାଂ
ଭଗବତସ୍ତଦକିଞ୍ଚନାନାଂ
ପାଦାରବିନ୍ଦରଜସାଽଽପ୍ଲୁତଦେହିନାଂ
ସ୍ୟାତ୍ ॥ ୨୭॥
ଏହି ନିର୍ମଳ ଜ୍ଞାନ, ଯାହା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କଲି, ତାହା ଅତ୍ୟନ୍ତ ଦୁର୍ଲଭ ଅଟେ | ଏହାର ଉପଦେଶ ପ୍ରଥମେ
ଭଗବାନ ନର-ନାରାୟଣ ଦେବର୍ଷି ନାରଦଙ୍କୁ ପ୍ରଦାନ କରିଥିଲେ ଏବଂ ଏହି ଜ୍ଞାନ ସେମାନଙ୍କୁ ପ୍ରାପ୍ତ
ହୋଇଥାଏ ଯେଉଁମାନେ ଭଗବାନଙ୍କର ଅନନ୍ୟପ୍ରେମୀ, ଅକିଞ୍ଚନ
ଭକ୍ତମାନଙ୍କର ଚରଣଧୂଳିରେ ନିଜ ଶରୀରକୁ ଧୌତ କରିଥାଆନ୍ତି |
ଶ୍ରୁତମେତନ୍ମୟା
ପୂର୍ୱଂ ଜ୍ଞାନଂ ବିଜ୍ଞାନସଂୟୁତମ୍ ।
ଧର୍ମଂ ଭାଗବତଂ
ଶୁଦ୍ଧଂ ନାରଦାଦ୍ଦେବଦର୍ଶନାତ୍ ॥ ୨୮॥
ବିଜ୍ଞାନଯୁକ୍ତ ଏହି
ଜ୍ଞାନ ବିଶୁଦ୍ଧ ଭାଗବତ ଧର୍ମ ଅଟେ | ଏହା ମୁଁ ଭଗବାନଙ୍କର ଦର୍ଶନ କରାଇବାକୁ ସମର୍ଥ ଦେବର୍ଷି
ନାରଦଙ୍କ ଶ୍ରୀମୁଖରୁ ପୂର୍ବରୁ ଶୁଣିଥିଲି |
ଦୈତ୍ୟପୁତ୍ରା ଊଚୁଃ
ପ୍ରହ୍ଲାଦ ତ୍ୱଂ
ବୟଂ ଚାପି ନର୍ତେନ୍ୟଂ ବିଦ୍ମହେ ଗୁରୁମ୍ ।
ଏତାଭ୍ୟାଂ
ଗୁରୁପୁତ୍ରାଭ୍ୟାଂ ବାଲାନାମପି ହୀଶ୍ୱରୌ ॥ ୨୯॥
ପ୍ରହ୍ଲାଦଙ୍କର
ସହପାଠୀମାନେ ପଚାରିଲେ – ହେ ପ୍ରହ୍ଲାଦ ! ଏହି ଦୁଇ ଗୁରୁପୁତ୍ରଙ୍କ ବ୍ୟତିତ ଅନ୍ୟ କୌଣସି
ଗୁରୁଙ୍କୁ ତୁମେ ଜାଣନାହିଁ କି ଆମ୍ଭେମାନେ ମଧ୍ୟ ଜାଣିନାହୁଁ | ଏମାନେ ହିଁ ଆମ ସବୁ ବାଳକଙ୍କର
ଶାସକ ଅଟନ୍ତି |
ବାଲସ୍ୟାନ୍ତଃପୁରସ୍ଥସ୍ୟ
ମହତ୍ସଙ୍ଗୋ ଦୁରନ୍ୱୟଃ ।
ଛିନ୍ଧି ନଃ ସଂଶୟଂ
ସୌମ୍ୟ ସ୍ୟାଚ୍ଚେଦ୍ୱିଶ୍ରମ୍ଭକାରଣମ୍ ॥ ୩୦॥
ତାଛଡା ଏକରେ ତ
ତୁମର ବୟସ ଏତେ କମ୍ ଅଟେ ଏବଂ ଦୁଇରେ ଜନ୍ମରୁ ତୁମେ ନିଜ ମା’ଙ୍କ ସହିତ ମହଲରେ
ରହିଛ | ତେଣୁ ଦେବର୍ଷି ନାରଦଙ୍କ ସହ ତୁମର ସାକ୍ଷାତକାର ହେବା ବିଷୟ ଆମ୍ଭମାନଙ୍କୁ କିଂଚିତ୍
ଅସଙ୍ଗତ ମନେ ହେଉଛି | ପ୍ରିୟବର ! ଏହି ବିଷୟକୁ ନେଇ ଆମ ମନରେ ବିଶ୍ବାସ ଉତ୍ପନ୍ନ କରିବା ପାଇଁ
ଯଦି ସେପରି କିଛି ଆଖ୍ୟାନ ଅଛି, ତେବେ ତାହାର
ବର୍ଣ୍ଣନା କରି ଆମର ଶଙ୍କା ଦୂର କର |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଷଷ୍ଠୋଽଧ୍ୟାୟଃ ॥ ୬॥

Comments
Post a Comment