ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ ॥

ସପ୍ତମ ସ୍କନ୍ଧ

ସପ୍ତମ ଅଧ୍ୟାୟ

ପ୍ରହ୍ଲାଦଙ୍କୁ ମାତୃଗର୍ଭରେ ପ୍ରାପ୍ତ ନାରଦଙ୍କର ଉପଦେଶ

 

ନାରଦ ଉବାଚ

ଏବଂ ଦୈତ୍ୟସୁତୈଃ ପୃଷ୍ଟୋ ମହାଭାଗବତୋଽସୁରଃ ।

ଉବାଚ ସ୍ମୟମାନସ୍ତାନ୍ ସ୍ମରନ୍ ମଦନୁଭାଷିତମ୍ ॥ ୧॥

ହେ ଯୁଧିଷ୍ଠିର ! ଦୈତ୍ୟବାଳକମାନେ ଏପରି ପ୍ରଶ୍ନ କରିବାରୁ ଭଗବାନଙ୍କର ପରମ ପ୍ରେମୀ ଭକ୍ତ ପ୍ରହ୍ଲାଦ ମୋ ବିଷୟରେ ସ୍ମରଣ କରିବାରେ ଲାଗିଲେ | ସ୍ମିତହାସ୍ୟଯୁକ୍ତ ହୋଇ ସେ ସେମାନଙ୍କୁ କହିଲେ -

ପ୍ରହ୍ଲାଦ ଉବାଚ

ପିତରି ପ୍ରସ୍ଥିତେଽସ୍ମାକଂ ତପସେ ମନ୍ଦରାଚଲମ୍ ।

ଯୁଦ୍ଧୋଦ୍ୟମଂ ପରଂ ଚକ୍ରୁର୍ୱିବୁଧା ଦାନବାନ୍ ପ୍ରତି ॥ ୨॥

ପ୍ରହ୍ଲାଦ କହିଲେ – ମୋର ପିତା ତପସ୍ୟା କରିବାକୁ ମନ୍ଦରାଚଳକୁ ଚାଲି ଯାଇଥିବା ସମୟରେ ଇନ୍ଦ୍ରାଦି ଦେବତାଗଣ ଦାନବମାନଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ବହୁତ ବଡ ଉଦ୍ୟୋଗ କଲେ |

ପିପୀଲିକୈରହିରିବ ଦିଷ୍ଟ୍ୟା ଲୋକୋପତାପନଃ ।

ପାପେନ ପାପୋଽଭକ୍ଷୀତି ବାଦିନୋ ବାସବାଦୟଃ ॥ ୩॥

ସେମାନେ ଏପରି କହିବାରେ ଲାଗିଲେ, ଜନ୍ଦା-ପିମ୍ପୂଡି ସର୍ପକୁ ଚାଟି ନିଃଶେଷ କରିଦେବା ପରି ଲୋକଙ୍କୁ ଯାତନା ଦେଉଥିବା ପାପୀ ହିରଣ୍ୟକଶିପୁର ପାପ ହିଁ ତାକୁ ଖାଇଗଲା |

ତେଷାମତିବଲୋଦ୍ୟୋଗଂ ନିଶମ୍ୟାସୁରୟୂଥପାଃ ।

ବଧ୍ୟମାନାଃ ସୁରୈର୍ଭୀତା ଦୁଦ୍ରୁବୁଃ ସର୍ୱତୋ ଦିଶମ୍ ॥ ୪॥

କଲତ୍ରପୁତ୍ରମିତ୍ରାପ୍ତାନ୍ ଗୃହାନ୍ ପଶୁପରିଚ୍ଛଦାନ୍ ।

ନାବେକ୍ଷ୍ୟମାଣାସ୍ତ୍ୱରିତାଃ ସର୍ୱେ ପ୍ରାଣପରୀପ୍ସବଃ ॥ ୫॥

ଦୈତ୍ୟ ସେନାପତିମାନେ ଯେତେବେଳେ ଦେବତାମାନଙ୍କର ବ୍ୟାପକ ପ୍ରସ୍ତୁତି ବିଷୟରେ ଜାଣିବାକୁ ପାଇଲେ, ସେମାନଙ୍କର ସାହସ ହଜିଗଲା | ସେମାନେ ତାଙ୍କର ମୁକାବଲା କରିପାରିଲେ ନାହିଁ | ମାଡ ଖାଇ ନିଜ ସ୍ତ୍ରୀ, ପୁତ୍ର, ମିତ୍ର, ଗୁରୁଜନ, ମହଲ, ପଶୁସମ୍ପଦ ଏବଂ ଅନ୍ୟ ସାଜବାଜ ଦ୍ରବ୍ୟର ଚିନ୍ତା ଛାଡି ସେମାନେ ପ୍ରାଣରକ୍ଷା ନିମନ୍ତେ ଏଣେତେଣେ ଧାଇଁ ପଳାଇଲେ |

ବ୍ୟଲୁମ୍ପନ୍ ରାଜଶିବିରମମରା ଜୟକାଙ୍କ୍ଷିଣଃ ।

ଇନ୍ଦ୍ରସ୍ତୁ ରାଜମହିଷୀଂ ମାତରଂ ମମ ଚାଗ୍ରହୀତ୍ ॥ ୬॥

ବିଜୟ ଅଭିଳାଷୀ ଦେବତାମାନେ ରାଜମହଲରେ ପ୍ରବେଶ କରି ଲୁଟପାଟ କରିବାରେ ଲାଗିଲେ | ଏପରି କି ମୋର ମାତା ରାଜରାଣୀ କୟାଧୂଙ୍କୁ ମଧ୍ୟ ଇନ୍ଦ୍ର ବନ୍ଦୀ କରିନେଲେ |

ନୀୟମାନାଂ ଭୟୋଦ୍ୱିଗ୍ନାଂ ରୁଦତୀଂ କୁରରୀମିବ ।

ଯଦୃଚ୍ଛୟାଽଽଗତସ୍ତତ୍ର ଦେବର୍ଷିର୍ଦଦୃଶେ ପଥି ॥ ୭॥

ଭୟତ୍ରସ୍ତ କୁରରୀ ପକ୍ଷୀ ପରି ମୋର ମା କ୍ରନ୍ଦନ କରୁଥାଆନ୍ତି ଏବଂ ଇନ୍ଦ୍ର ତାଙ୍କୁ ଜବରଦସ୍ତୀ ନେଇ ଯାଉଥାଆନ୍ତି | ସେହି ସମୟରେ ଦୈବବଶ ଦେବର୍ଷି ନାରଦ ଅନ୍ୟ ଦିଗରୁ ଆସୁଥିଲେ ଏବଂ ମାର୍ଗରେ ସେ ମୋ ମାଙ୍କୁ ଦେଖିନେଲେ |

ପ୍ରାହ ମୈନାଂ ସୁରପତେ ନେତୁମର୍ହସ୍ୟନାଗସମ୍ ।

ମୁଞ୍ଚ ମୁଞ୍ଚ ମହାଭାଗ ସତୀଂ ପରପରିଗ୍ରହମ୍ ॥ ୮॥

ସେ କହିଲେ – ଦେବରାଜ ! ଇଏ ନିରପରାଧ ଅଟେ; ଏହାକୁ ନେଇଯିବା ଉଚିତ୍ ନୁହେଁ | ହେ ମହାଭାଗ ! ଏହି ସତୀ-ସାଧ୍ବୀ ପରନାରୀର ତିରସ୍କାର କରନାହିଁ | ଏହାକୁ ଛାଡିଦିଅ, ତୁରନ୍ତ ଛାଡିଦିଅ |

ଇନ୍ଦ୍ର ଉବାଚ

ଆସ୍ତେଽସ୍ୟା ଜଠରେ ବୀର୍ୟମବିଷହ୍ୟଂ ସୁରଦ୍ୱିଷଃ ।

ଆସ୍ୟତାଂ ଯାବତ୍ପ୍ରସବଂ ମୋକ୍ଷ୍ୟେଽର୍ଥପଦବୀଂ ଗତଃ ॥ ୯॥

ଇନ୍ଦ୍ର କହିଲେ – ଏହାର ଗର୍ଭରେ ଦେବଦ୍ରୋହୀ ହିରଣ୍ୟକଶିପୁର ଅତ୍ୟନ୍ତ ପ୍ରଭାବଶାଳୀ ବୀର୍ଯ୍ୟ ରହିଛି | ପ୍ରସବ ପର୍ଯ୍ୟନ୍ତ ଇଏ ମୋ ପାଖରେ ରହିବ, ବାଳକ ଜନ୍ମ ହେବା ପରେ ମୁଁ ତାହାକୁ ମାରି ଏହାକୁ ଛାଡିଦେବି |

ନାରଦ ଉବାଚ

ଅୟଂ ନିଷ୍କିଲ୍ବିଷଃ ସାକ୍ଷାନ୍ମହାଭାଗବତୋ ମହାନ୍ ।

ତ୍ୱୟା ନ ପ୍ରାପ୍ସ୍ୟତେ ସଂସ୍ଥାମନନ୍ତାନୁଚରୋ ବଲୀ ॥ ୧୦॥

ଦେବର୍ଷି ନାରଦ କହିଲେ – ଏହାର ଗର୍ଭରେ ଭଗବାନଙ୍କର ସାକ୍ଷାତ୍ ପରମ ପ୍ରେମୀ ଭକ୍ତ ଏବଂ ସେବକ, ଅତ୍ୟନ୍ତ ବଳଶାଳୀ ଏବଂ ନିଷ୍ପାପ ମହାତ୍ମା ଅଛନ୍ତି, ଯାହାକୁ ମାରିବାର ଶକ୍ତି ତୁମଠାରେ ନାହିଁ |

ଇତ୍ୟୁକ୍ତସ୍ତାଂ ବିହାୟେନ୍ଦ୍ରୋ ଦେବର୍ଷେର୍ମାନୟନ୍ ବଚଃ ।

ଅନନ୍ତପ୍ରିୟଭକ୍ତ୍ୟୈନାଂ ପରିକ୍ରମ୍ୟ ଦିବଂ ଯୟୌ ॥ ୧୧॥

ଦେବର୍ଷି ନାରଦଙ୍କ ମୁହଁରୁ ଏପରି କଥା ଶୁଣି ତାଙ୍କର ସମ୍ମାନାର୍ଥେ ଇନ୍ଦ୍ର ମୋ ମାଙ୍କୁ ଛାଡିଦେଲେ | ତାପରେ ‘ଏହାର ଗର୍ଭରେ ଜଣେ ଭଗବଦ୍-ଭକ୍ତ ଅଛନ୍ତି – ଏହି ଭାବନାରେ ସେ ମୋ ମାଙ୍କର ପ୍ରଦକ୍ଷିଣା କଲେ ତଥା ନିଜ ଲୋକକୁ ଚାଲିଗଲେ |

ତତୋ ନୋ ମାତରମୃଷିଃ ସମାନୀୟ ନିଜାଶ୍ରମମ୍ ।

ଆଶ୍ୱାସ୍ୟେହୋଷ୍ୟତାଂ ବତ୍ସେ ଯାବତ୍ତେ ଭର୍ତୁରାଗମଃ ॥ ୧୨॥

ଦେବର୍ଷି ନାରଦ ମୋର ମାତାଙ୍କୁ ନିଜ ଆଶ୍ରମକୁ ନେଇଗଲେ ଏବଂ ତାଙ୍କୁ ବୁଝାଇ-ସୁଝାଇ କହିଲେ – ପୁତ୍ରୀ ! ତୁମର ପତି ତପସ୍ୟା କରି ଫେରି ଆସିବା ପର୍ଯ୍ୟନ୍ତ ତୁମେ ଏଠାରେ ରୁହ |

ତଥେତ୍ୟବାତ୍ସୀଦ୍ଦେବର୍ଷେରନ୍ତି ସାପ୍ୟକୁତୋଭୟା ।

ଯାବଦ୍ଦୈତ୍ୟପତିର୍ଘୋରାତ୍ତପସୋ ନ ନ୍ୟବର୍ତତ ॥ ୧୩॥

‘ଆଜ୍ଞା କହି ମୋର ମାତା ନିର୍ଭୟତାପୂର୍ବକ ଦେବର୍ଷି ନାରଦଙ୍କ ଆଶ୍ରମରେ ରହିଲେ ଏବଂ ମୋର ପିତା ଘୋର ତପସ୍ୟାରୁ ନିବୃତ୍ତ ହୋଇ ଫେରି ନ ଆସିବା ଯାଏଁ ସେଠାରେ ରହିଲେ |

ଋଷିଂ ପର୍ୟଚରତ୍ତତ୍ର ଭକ୍ତ୍ୟା ପରମୟା ସତୀ ।

ଅନ୍ତର୍ୱର୍ତ୍ନୀ ସ୍ୱଗର୍ଭସ୍ୟ କ୍ଷେମାୟେଚ୍ଛାପ୍ରସୂତୟେ ॥ ୧୪॥

ଗର୍ଭସ୍ଥ ଶିଶୁର ମଙ୍ଗଳକାମନାରେ ଏବଂ କାଂକ୍ଷିତ ସମୟରେ (ଅର୍ଥାତ୍ ମୋର ପିତା ଫେରି ଆସିବା ପରେ) ସନ୍ତାନ ପ୍ରସବ କରିବାର କାମନାରେ ମୋର ଗର୍ଭବତୀ ମାତା ପ୍ରେମ ଓ ଭକ୍ତିରେ ଦେବର୍ଷିଙ୍କର ସେବା-ଶୁଶ୍ରୂଷା କରୁଥାଆନ୍ତି |

ଋଷିଃ କାରୁଣିକସ୍ତସ୍ୟାଃ ପ୍ରାଦାଦୁଭୟମୀଶ୍ୱରଃ ।

ଧର୍ମସ୍ୟ ତତ୍ତ୍ୱଂ ଜ୍ଞାନଂ ଚ ମାମପ୍ୟୁଦ୍ଦିଶ୍ୟ ନିର୍ମଲମ୍ ॥ ୧୫॥

ଦେବର୍ଷି ନାରଦ ଅତ୍ୟନ୍ତ ଦୟାଳୁ ଏବଂ ସର୍ବସମର୍ଥ ଅଟନ୍ତି | ସେ ମୋ ମାଙ୍କୁ ଉଭୟ ଭାଗବତଧର୍ମର ରହସ୍ୟ ଏବଂ ବିଶୁଦ୍ଧ ଜ୍ଞାନ ସମ୍ବନ୍ଧୀୟ ଉପଦେଶ ପ୍ରଦାନ କଲେ | ଉପଦେଶ ଦେଉଥିବା ବେଳେ ତାଙ୍କର ଦୃଷ୍ଟି ମୋ ଉପରେ ମଧ୍ୟ ଥିଲା |

ତତ୍ତୁ କାଲସ୍ୟ ଦୀର୍ଘତ୍ୱାତ୍ସ୍ତ୍ରୀତ୍ୱାନ୍ମାତୁସ୍ତିରୋଦଧେ ।

ଋଷିଣାନୁଗୃହୀତଂ ମାଂ ନାଧୁନାପ୍ୟଜହାତ୍ସ୍ମୃତିଃ ॥ ୧୬॥

ବହୁତ ସମୟ ଅତିବାହିତ ହୋଇ ଯାଇଥିବା କାରଣରୁ ଏବଂ ସ୍ତ୍ରୀ ହୋଇଥିବା କାରଣରୁ ମୋ ମାଙ୍କର ସେହି ସ୍ମୃତି ଅବ୍ୟାହତ ରହିଲା ନାହିଁ; କିନ୍ତୁ ଦେବର୍ଷିଙ୍କର ବିଶେଷ କୃପା ଲାଭ କରି ମୋର ସ୍ମୃତି ଅତୁଟ ରହିଲା |

ଭବତାମପି ଭୂୟାନ୍ମେ ଯଦି ଶ୍ରଦ୍ଦଧତେ ବଚଃ ।

ବୈଶାରଦୀ ଧୀଃ ଶ୍ରଦ୍ଧାତଃ ସ୍ତ୍ରୀବାଲାନାଂ ଚ ମେ ଯଥା ॥ ୧୭॥

ତୁମ୍ଭେମାନେ ଯଦି ମୋ କଥା ବିଶ୍ବାସ କରିବ, ତେବେ ଏହି ଜ୍ଞାନ ତୁମ୍ଭେମାନେ ମଧ୍ୟ ପ୍ରାପ୍ତ କରିପାରିବ | ଶ୍ରଦ୍ଧା ବଳରେ ମୋ ପରି ସ୍ତ୍ରୀ ଏବଂ ବାଳକମାନଙ୍କର ବୁଦ୍ଧି ମଧ୍ୟ ଶୁଦ୍ଧ ହୋଇ ଯାଇପାରେ |

ଜନ୍ମାଦ୍ୟାଃ ଷଡିମେ ଭାବା ଦୃଷ୍ଟା ଦେହସ୍ୟ ନାତ୍ମନଃ ।

ଫଲାନାମିବ ବୃକ୍ଷସ୍ୟ କାଲେନେଶ୍ୱରମୂର୍ତିନା ॥ ୧୮॥

ଈଶ୍ବରମୂର୍ତ୍ତି କାଳର ପ୍ରେରଣାରେ ଯେପରି ବୃକ୍ଷରେ ଫଳ ଧରିଥାଏ, ରହିଥାଏ, ବଡ ହୋଇଥାଏ, ପକ୍ବ ହୋଇଥାଏ, କ୍ଷୀଣ ହୋଇଥାଏ ଏବଂ ନଷ୍ଟ ହୋଇଯାଏ, ସେହିପରି ଜନ୍ମ, ଅସ୍ତିତ୍ବର ଅନୁଭୂତି, ବୃଦ୍ଧି, ପରିଣାମ, କ୍ଷୟ ଓ ବିନାଶ – ଏହି ଛଅଟି ଭାବ-ବିକାର ଶରୀରରେ ହିଁ ଦେଖିବାକୁ ମିଳିଥାଏ; ଆତ୍ମା ସହିତ ଏହାର କୌଣସି ସମ୍ବନ୍ଧ ନାହିଁ |

ଆତ୍ମା ନିତ୍ୟୋଽବ୍ୟଯଃ ଶୁଦ୍ଧ ଏକଃ କ୍ଷେତ୍ରଜ୍ଞ ଆଶ୍ରୟଃ ।

ଅବିକ୍ରିୟଃ ସ୍ୱଦୃଗ୍ ହେତୁର୍ୱ୍ୟାପକୋଽସଙ୍ଗ୍ୟନାବୃତଃ ॥ ୧୯॥

ଆତ୍ମା ନିତ୍ୟ, ଅବିନାଶୀ, ଶୁଦ୍ଧ, ଏକ, କ୍ଷେତ୍ରଜ୍ଞ, ଆଶ୍ରୟ, ନିର୍ବିକାର, ସ୍ବୟଂପ୍ରକାଶ, ସର୍ବକାରଣ, ବ୍ୟାପକ, ଅସଙ୍ଗ ତଥା ଆବରଣରହିତ ଅଟେ |

ଏତୈର୍ଦ୍ୱାଦଶଭିର୍ୱିଦ୍ୱାନାତ୍ମନୋ ଲକ୍ଷଣୈଃ ପରୈଃ ।

ଅହଂ ମମେତ୍ୟସଦ୍ଭାବଂ ଦେହାଦୌ ମୋହଜଂ ତ୍ୟଜେତ୍ ॥ ୨୦॥

ଏହି ବାରଟି ଆତ୍ମାର ଉତ୍କୃଷ୍ଟ ଲକ୍ଷଣ ଅଟେ | ଆତ୍ମତତ୍ତ୍ବକୁ ଏହିପରି ଭାବରେ ଜାଣିଥିବା ପୁରୁଷ ଅଜ୍ଞାନ କାରଣରୁ ଶରୀର ଆଦିରେ ଉତ୍ପନ୍ନ ହେଉଥିବା ‘ମୁଁ ଏବଂ ‘ମୋର ମିଥ୍ୟା ଭାବକୁ ତ୍ୟାଗ କରିବା ଉଚିତ୍ |

ସ୍ୱର୍ଣଂ ଯଥା ଗ୍ରାବସୁ ହେମକାରଃ

କ୍ଷେତ୍ରେଷୁ ଯୋଗୈସ୍ତଦଭିଜ୍ଞ ଆପ୍ନୁୟାତ୍ ।

କ୍ଷେତ୍ରେଷୁ ଦେହେଷୁ ତଥାତ୍ମୟୋଗୈ-

ରଧ୍ୟାତ୍ମବିଦ୍ବ୍ରହ୍ମଗତିଂ ଲଭେତ ॥ ୨୧॥

ସୁବର୍ଣ୍ଣ ଖଣିରେ ଅନ୍ୟ ପ୍ରସ୍ତରମିଶ୍ରିତ ସୁବର୍ଣ୍ଣରୁ କେବଳ ସୁବର୍ଣ୍ଣକୁ ପୃଥକ୍ କରିବାର ବିଧି ଜାଣିଥିବା ସ୍ବର୍ଣ୍ଣକାର ହିଁ ପୃଥକ୍ କରିପାରେ | ସେହିପରି ଅଧ୍ୟାତ୍ମତତ୍ତ୍ବର ଜ୍ଞା଼ତା ପୁରୁଷ ଆତ୍ମପ୍ରାପ୍ତିର ଉପାୟ ବଳରେ ନିଜ ଶରୀରରୂପ କ୍ଷେତ୍ରରେ ହିଁ ବ୍ରହ୍ମପଦର ସାକ୍ଷାତକାର କରିନିଅନ୍ତି |

ଅଷ୍ଟୌ ପ୍ରକୃତୟଃ ପ୍ରୋକ୍ତାସ୍ତ୍ରୟ ଏବ ହି ତଦ୍ଗୁଣାଃ ।

ବିକାରାଃ ଷୋଡଶାଚାର୍ୟୈଃ ପୁମାନେକଃ ସମନ୍ୱୟାତ୍ ॥ ୨୨॥

ଆଚାର୍ଯ୍ୟମାନେ ମୂଳ ପ୍ରକୃତି, ମହତ୍ତତ୍ତ୍ବ, ଅହଂକାର ଏବଂ ପଞ୍ଚତନ୍ମାତ୍ରା – ଏହି ଆଠ ତତ୍ତ୍ବକୁ ପ୍ରକୃତି କହନ୍ତି | ଏହାର ତିନୋଟି ଗୁଣ – ସତ୍ତ୍ବ, ରଜ ଏବଂ ତମ ତଥା ଦଶ ଇନ୍ଦ୍ରିୟ, ଏକ ମନ ଏବଂ ପଞ୍ଚମହାଭୂତ – ଏହିପରି ଷୋଳ ବିକାର ରହିଛି | ଏହି ସବୁର ଅନୁଗତ ଏକ ପୁରୁଷତତ୍ତ୍ବ ଅଟେ |

ଦେହସ୍ତୁ ସର୍ୱସଙ୍ଘାତୋ ଜଗତ୍ତସ୍ଥୁରିତି ଦ୍ୱିଧା ।

ଅତ୍ରୈବ ମୃଗ୍ୟଃ ପୁରୁଷୋ ନେତି ନେତୀତ୍ୟତତ୍ତ୍ୟଜନ୍ ॥ ୨୩॥

ଏହି ସବୁର ସମୁଦାୟ ହିଁ ଦେହ ଅଟେ | ଏହା ଦୁଇ ପ୍ରକାରର – ସ୍ଥାବର ଓ ଜଙ୍ଗମ | ଏଥିରେ ଅନ୍ତଃକରଣ, ଇନ୍ଦ୍ରିୟ ଆଦି ଅନାତ୍ମ ବସ୍ତୁକୁ ‘ଏହା ଆତ୍ମା ନୁହେଁ – ଏହିପରି ଚିହ୍ନଟ କରି କରି ଆତ୍ମାର ଅନ୍ବେଷଣ କରିବା ଆବଶ୍ୟକ |

ଅନ୍ୱୟବ୍ୟତିରେକେଣ ବିବେକେନୋଶତାତ୍ମନା ।

ସର୍ଗସ୍ଥାନସମାମ୍ନାୟୈର୍ୱିମୃଶଦ୍ଭିରସତ୍ୱରୈଃ ॥ ୨୪॥

ଆତ୍ମା ସବୁକିଛିର ଅନୁଗତ ଅଟେ, କିନ୍ତୁ ସମସ୍ତଙ୍କଠାରୁ ପୃଥକ୍ ଅଟେ | ଏହିପରି ଶୁଦ୍ଧ ବୁଦ୍ଧିରେ ଧୀରେ ଧୀରେ ସ୍ଥିର ଚିତ୍ତରେ ସଂସାରର ଉତ୍ପତ୍ତି, ସ୍ଥିତି ଏବଂ ତାହାର ପ୍ରଳୟ ବିଷୟରେ ବିଚାର କରିବା ଆବଶ୍ୟକ |

ବୁଦ୍ଧେର୍ଜାଗରଣଂ ସ୍ୱପ୍ନଃ ସୁଷୁପ୍ତିରିତି ବୃତ୍ତୟଃ ।

ତା ଯେନୈବାନୁଭୂୟନ୍ତେ ସୋଽଧ୍ୟକ୍ଷଃ ପୁରୁଷଃ ପରଃ ॥ ୨୫॥

ଜାଗ୍ରତ, ସ୍ବପ୍ନ ଏବଂ ସୁଷୁପ୍ତି – ଏହି ତିନୋଟି ବୁଦ୍ଧିର ଅବସ୍ଥା ଅଟେ | ଏହି ତିନୋଟି ଅବସ୍ଥାରେ ଯାହାର ଅନୁଭବ ହୋଇଥାଏ, ସେ ହିଁ ସର୍ବାତୀତ, ସର୍ବସାକ୍ଷୀ ପରମାତ୍ମା ଅଟନ୍ତି |

ଏଭିସ୍ତ୍ରିବର୍ଣୈଃ ପର୍ୟସ୍ତୈର୍ବୁଦ୍ଧିଭେଦୈଃ କ୍ରିୟୋଦ୍ଭବୈଃ ।

ସ୍ୱରୂପମାତ୍ମନୋ ବୁଧ୍ୟେଦ୍ଗନ୍ଧୈର୍ୱାୟୁମିବାନ୍ୱୟାତ୍ ॥ ୨୬॥

ଗନ୍ଧରୁ ଯେପରି ତାହାର ଆଶ୍ରୟ ବାୟୁର ଜ୍ଞାନ ହୋଇଥାଏ, ସେହିପରି ବୁଦ୍ଧିର କର୍ମଜନ୍ୟ ଏବଂ ପରିବର୍ତ୍ତନଶୀଳ ଏହି ତିନୋଟି ଅବସ୍ଥାରୁ ଏଥିରେ ସାକ୍ଷୀରୂପରେ ଅନୁଗତ ଆତ୍ମାକୁ ଜାଣ |

ଏତଦ୍ଦ୍ୱାରୋ ହି ସଂସାରୋ ଗୁଣକର୍ମନିବନ୍ଧନଃ ।

ଅଜ୍ଞାନମୂଲୋଽପାର୍ଥୋଽପି ପୁଂସଃ ସ୍ୱପ୍ନ ଇବେଷ୍ୟତେ ॥ ୨୭॥

ଗୁଣ ଏବଂ କର୍ମ ଯୋଗୁଁ ହେଉଥିବା ଜନ୍ମ-ମୃତ୍ୟୁ ଚକ୍ର ଆତ୍ମାକୁ ଶରୀର ଏବଂ ପ୍ରକୃତିଠାରୁ ପୃଥକ୍ ମନେ କରୁ ନ ଥିବା କାରଣରୁ ହିଁ ଅନୁଭବରେ ଆସିଥାଏ | ଏହା ଅଜ୍ଞାନମୂଳକ ଏବଂ ମିଥ୍ୟା ଅଟେ | ତଥାପି ସ୍ବପ୍ନ ସଦୃଶ ଜୀବକୁ ଏହାର ପ୍ରତୀତି ହୋଇଥାଏ |

ତସ୍ମାଦ୍ଭବଦ୍ଭିଃ କର୍ତବ୍ୟଂ କର୍ମଣାଂ ତ୍ରିଗୁଣାତ୍ମନାମ୍ ।

ବୀଜନିର୍ହରଣଂ ଯୋଗଃ ପ୍ରବାହୋପରମୋ ଧିୟଃ ॥ ୨୮॥

ସେଥିପାଇଁ ସର୍ବପ୍ରଥମେ ତୁମ୍ଭେମାନେ ଗୁଣ ଅନୁସାରେ ହେଉଥିବା କର୍ମର ବୀଜକୁ ହିଁ ନଷ୍ଟ କରିଦେବା ଆବଶ୍ୟକ | ଏହା ଦ୍ବାରା ବୁଦ୍ଧି-ବୃତ୍ତିର ପ୍ରବାହ ନିବୃତ୍ତ ହୋଇଯାଏ | ଏହାକୁ ଅନ୍ୟ ଶବ୍ଦରେ ଯୋଗ ବା ପରମାତ୍ମାଙ୍କ ସହିତ ମିଳନ କହନ୍ତି |

ତତ୍ରୋପାୟସହସ୍ରାଣାମୟଂ ଭଗବତୋଦିତଃ ।

ଯଦୀଶ୍ୱରେ ଭଗବତି ଯଥା ଯୈରଞ୍ଜସା ରତିଃ ॥ ୨୯॥

ଏମିତି ଦେଖିବାକୁ ଗଲେ ତ ତ୍ରିଗୁଣାତ୍ମକ କର୍ମର ମୂଳୋତ୍ପାଟନ ଅଥବା ବୁଦ୍ଧି-ବୃତ୍ତିର ପ୍ରବାହ ବନ୍ଦ କରିବାର ସହସ୍ର ସାଧନ ରହିଛି; କିନ୍ତୁ ଯେଉଁ ଉପାୟରେ ସର୍ବଶକ୍ତିମାନ ଭଗବାନଙ୍କ ପ୍ରତି ସ୍ବାଭାବିକ ନିଷ୍କାମ ପ୍ରେମ ଉତ୍ପନ୍ନ ହୋଇଥାଏ, ସେହି ଉପାୟ ସର୍ବଶ୍ରେଷ୍ଠ ଅଟେ | ଏହା ସ୍ବୟଂ ଭଗବାନ କହିଛନ୍ତି |

ଗୁରୁଶୁଶ୍ରୂଷୟା ଭକ୍ତ୍ୟା ସର୍ୱଲବ୍ଧାର୍ପଣେନ ଚ ।

ସଙ୍ଗେନ ସାଧୁଭକ୍ତାନାମୀଶ୍ୱରାରାଧନେନ ଚ ॥ ୩୦॥

ଶ୍ରଦ୍ଧୟା ତତ୍କଥାୟାଂ ଚ କୀର୍ତନୈର୍ଗୁଣକର୍ମଣାମ୍ ।

ତତ୍ପାଦାମ୍ବୁରୁହଧ୍ୟାନାତ୍ତଲ୍ଲିଙ୍ଗେକ୍ଷାର୍ହଣାଦିଭିଃ ॥ ୩୧॥

ପ୍ରେମପୂର୍ବକ ଗୁରୁଙ୍କର ସେବା କରିବା, ନିଜକୁ ଯାହାକିଛି ମିଳୁଛି ତାହା ସବୁ ଭଗବାନଙ୍କୁ ସମର୍ପିତ କରିବା, ଭଗବତ୍-ପ୍ରେମୀ ମହାତ୍ମାଙ୍କର ସତସଂଗ, ଭଗବାନଙ୍କର ଆରାଧନା, ତାଙ୍କ କଥା ଶ୍ରବଣରେ ଶ୍ରଦ୍ଧା, ତାଙ୍କ ଗୁଣ-ଲୀଳାଦିର କୀର୍ତ୍ତନ, ତାଙ୍କ ଚରଣକମଳର ଧ୍ୟାନ ଏବଂ ମନ୍ଦିରମୂର୍ତ୍ତିରେ ତାଙ୍କର ଦର୍ଶନ-ପୂଜନ ଆଦି ସାଧନ ଦ୍ବାରା ଭଗବାନଙ୍କଠାରେ ସ୍ବାଭାବିକ ପ୍ରେମ ଉତ୍ପନ୍ନ ହୋଇଯାଏ |

ହରିଃ ସର୍ୱେଷୁ ଭୂତେଷୁ ଭଗବାନାସ୍ତ ଈଶ୍ୱରଃ ।

ଇତି ଭୂତାନି ମନସା କାମୈସ୍ତୈଃ ସାଧୁ ମାନୟେତ୍ ॥ ୩୨॥

ସର୍ବଶକ୍ତିମାନ ଭଗବାନ ଶ୍ରୀହରି ସମସ୍ତ ପ୍ରାଣୀଙ୍କ ହୃଦୟରେ ବିରାଜମାନ – ଏହି ଭାବନାରେ ଯଥାଶକ୍ତି ସମସ୍ତଙ୍କର ଇଚ୍ଛା ପୂର୍ଣ୍ଣ କରିବା ଏବଂ ସମସ୍ତଙ୍କର ସମ୍ମାନ କରିବା ଆବଶ୍ୟକ |

ଏବଂ ନିର୍ଜିତଷଡ୍ୱର୍ଗୈଃ କ୍ରିୟତେ ଭକ୍ତିରୀଶ୍ୱରେ ।

ବାସୁଦେବେ ଭଗବତି ଯୟା ସଂଲଭତେ ରତିମ୍ ॥ ୩୩॥

କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ – ଏହି ଷଡରିପୁଙ୍କ ଉପରେ ବିଜୟ ପ୍ରାପ୍ତ କରି ଯେଉଁମାନେ ଏହିପରି ଭାବରେ ଭଗବାନଙ୍କ ସାଧନ-ଭକ୍ତିର ଅନୁଷ୍ଠାନ କରନ୍ତି, ସେହି ଭକ୍ତି ଦ୍ବାରା ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ଅନନ୍ୟ ପ୍ରେମ ପ୍ରାପ୍ତ ହୋଇଯାଏ |

ନିଶମ୍ୟ କର୍ମାଣି ଗୁଣାନତୁଲ୍ୟାନ୍

ବୀର୍ୟାଣି ଲୀଲାତନୁଭିଃ କୃତାନି ।

ଯଦାତିହର୍ଷୋତ୍ପୁଲକାଶ୍ରୁଗଦ୍ଗଦଂ

ପ୍ରୋତ୍କଣ୍ଠ ଉଦ୍ଗାୟତି ରୌତି ନୃତ୍ୟତି ॥ ୩୪॥

ଯେତେବେଳେ ଭଗବାନଙ୍କ ଲୀଳାଶରୀର-କୃତ ଅଦ୍ଭୁତ ପରାକ୍ରମ, ତାଙ୍କର ଅନୁପମ ଗୁଣ ଏବଂ ଚରିତ୍ର ଶ୍ରବଣ କରି ଆନନ୍ଦଉଦ୍ରେକରେ ଭକ୍ତର ଶରୀର ରୋମାଞ୍ଚରେ ପୁଲକିତ ହୋଇ ଉଠେ, ଅଶ୍ରୁ ଉଦବେଳନ ଫଳରେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ, ସଂକୋଚ ତ୍ୟାଗ କରି ସେ ଉଚ୍ଚ ସ୍ବରରେ ଗାଇବା ସହିତ ନୃତ୍ୟ କରିବାରେ ଲାଗେ;

ଯଦା ଗ୍ରହଗ୍ରସ୍ତ ଇବ କ୍ୱଚିଦ୍ଧସ-

ତ୍ୟାକ୍ରନ୍ଦତେ ଧ୍ୟାୟତି ବନ୍ଦତେ ଜନମ୍ ।

ମୁହୁଃ ଶ୍ୱସନ୍ ବକ୍ତି ହରେ ଜଗତ୍ପତେ

ନାରାୟଣେତ୍ୟାତ୍ମମତିର୍ଗତତ୍ରପଃ ॥ ୩୫॥

କେବେ ଗ୍ରହଗ୍ରସ୍ତ ପାଗଳ ପରି ସେ ହସିବାରେ ଲାଗେ ତ କେତେବେଳେ କରୁଣ କ୍ରନ୍ଦନ କରିବାରେ ଲାଗେ, କେବେ ଧ୍ୟାନ କରିବାରେ ଲାଗେ ତ କେବେ ଭଗବତ୍-ଭାବରେ ଲୋକଙ୍କର ବନ୍ଦନ କରିବାରେ ଲାଗେ | ଏହିପରି ଭାବରେ ସେ ଯେତେବେଳେ ଭଗବାନଙ୍କ ସହିତ ତନ୍ମୟ ହୋଇ ବାରମ୍ବାର ଦୀର୍ଘଶ୍ବାସ ନିଅନ୍ତି ଏବଂ ସଂକୋଚ ତ୍ୟାଗ କରି ‘ହରେ ! ଜଗତ୍ପତି ! ନାରାୟଣ !” କହି ଭଗବାନଙ୍କୁ ଡାକିବାରେ ଲାଗନ୍ତି,

ତଦା ପୁମାନ୍ ମୁକ୍ତସମସ୍ତବନ୍ଧନ-

ସ୍ତଦ୍ଭାବଭାବାନୁକୃତାଶୟାକୃତିଃ ।

ନିର୍ଦଗ୍ଧବୀଜାନୁଶୟୋ ମହୀୟସା

ଭକ୍ତିପ୍ରୟୋଗେଣ ସମେତ୍ୟଧୋକ୍ଷଜମ୍ ॥ ୩୬॥

ସେତେବେଳେ ଭକ୍ତିଯୋଗର ମହାନ୍ ପ୍ରଭାବରେ ତାଙ୍କର ସବୁ ବନ୍ଧନ ଛିନ୍ନ ହୋଇଯାଏ ଏବଂ ଭଗବଦ୍ଭାବର ଭାବନା କରି କରି ତାଙ୍କର ହୃଦୟ ଭଗବନ୍ମୟ ହୋଇଯାଏ | ସେହି ମୁହୂର୍ତ୍ତରେ ତାଙ୍କର ଜନ୍ମ-ମୃତ୍ୟୁର ବୀଜର ଭଣ୍ଡାର ଜଳି ଭସ୍ମ ହୋଇଯାଏ ଏବଂ ସେ ଭଗବାନଙ୍କୁ ପ୍ରାପ୍ତ କରିନିଅନ୍ତି |

ଅଧୋକ୍ଷଜାଲମ୍ଭମିହାଶୁଭାତ୍ମନଃ

ଶରୀରିଣଃ ସଂସୃତିଚକ୍ରଶାତନମ୍ ।

ତଦ୍ବ୍ରହ୍ମନିର୍ୱାଣସୁଖଂ ବିଦୁର୍ବୁଧା-

ସ୍ତତୋ ଭଜଧ୍ୱଂ ହୃଦୟେ ହୃଦୀଶ୍ୱରମ୍ ॥ ୩୭॥

ଏହି ଅଶୁଭ ସଂସାରର କର୍ଦ୍ଦମରେ ଘାଣ୍ଟି ହୋଇ ଅଶୁଭମୟ ହୋଇ ଯାଇଥିବା ଜୀବ ପାଇଁ ଭଗବାନଙ୍କର ଏହି ପ୍ରାପ୍ତି ସଂସାର-ଚକ୍ରର ଘୂର୍ଣ୍ଣନକୁ ସମାପ୍ତ କରିଦେଇ ଥାଏ | ଏହି ବସ୍ତୁକୁ କେହି କେହି ବିଦ୍ବାନ ବ୍ରହ୍ମ ଏବଂ ଅନ୍ୟ କେହି କେହି ନିର୍ବାଣ-ସୁଖ ରୂପରେ ଜାଣନ୍ତି | ସେଥିପାଇଁ ହେ ମିତ୍ର ! ତୁମ୍ଭେମାନେ ନିଜ ହୃଦୟରେ ହୃଦୟେଶ୍ବର ଭଗବାନଙ୍କର ଭଜନ କର |

କୋଽତିପ୍ରୟାସୋଽସୁରବାଲକା ହରେ-

ରୁପାସନେ ସ୍ୱେ ହୃଦି ଛିଦ୍ରବତ୍ସତଃ ।

ସ୍ୱସ୍ୟାତ୍ମନଃ ସଖ୍ୟୁରଶେଷଦେହିନାଂ

ସାମାନ୍ୟତଃ କିଂ ବିଷୟୋପପାଦନୈଃ ॥ ୩୮॥

ହେ ଅସୁରକୁମାର ! ନିଜ ହୃଦୟ-ଆକାଶରେ ନିତ୍ୟ ବିରାଜମାନ ଭଗବାନଙ୍କର ଭଜନ କରିବାରେ ଅବା କି ପରିଶ୍ରମ? ସେ ତ ସମାନରୂପରେ ସମସ୍ତ ପ୍ରାଣୀଙ୍କର ଅତ୍ୟନ୍ତ ପ୍ରେମୀ ମିତ୍ର ଅଟନ୍ତି; ଅଧିକ କଣ କହିବା, ସେ ଆମର ଆତ୍ମା ହିଁ ଅଟନ୍ତି | ତାଙ୍କ ପ୍ରତି ବିମୁଖ ହୋଇ ଭୋଗସାମଗ୍ରୀ ଏକତ୍ରିତ କରିବା ଲକ୍ଷ୍ୟରେ ଭ୍ରମିତ ହେବା – କିପରି ମୂର୍ଖତା ଅଟେ !

ରାୟଃ କଲତ୍ରଂ ପଶବଃ ସୁତାଦୟୋ

ଗୃହା ମହୀ କୁଞ୍ଜରକୋଶଭୂତୟଃ ।

ସର୍ୱେଽର୍ଥକାମାଃ କ୍ଷଣଭଙ୍ଗୁରାୟୁଷଃ

କୁର୍ୱନ୍ତି ମର୍ତ୍ୟସ୍ୟ କିୟତ୍ପ୍ରିୟଂ ଚଲାଃ ॥ ୩୯॥

ଆରେ ଭାଈ ! ଧନ, ସ୍ତ୍ରୀ, ପଶୁସମ୍ପଦ, ପୁତ୍ର, ପୁତ୍ରୀ, ମହଲ, ଜମି, ହାତୀ, ଭଣ୍ଡାର ଏବଂ ନାନାଦି ପ୍ରକାରର ପ୍ରାପ୍ତି ଆଦି ସଂସାରର ସମସ୍ତ ଧନ ଓ ଭୋଗସାମଗ୍ରୀ ଏହି କ୍ଷଣଭଙ୍ଗୁର ମନୁଷ୍ୟ ଶରୀରକୁ ଅବା କି ସୁଖ ଦେଇପାରିବେ ? ଏମାନେ ସ୍ବୟଂ ତ ନଶ୍ବର ଅଟନ୍ତି |

ଏବଂ ହି ଲୋକାଃ କ୍ରତୁଭିଃ କୃତା ଅମୀ

କ୍ଷୟିଷ୍ଣବଃ ସାତିଶୟା ନ ନିର୍ମଲାଃ ।

ତସ୍ମାଦଦୃଷ୍ଟଶ୍ରୁତଦୂଷଣଂ ପରଂ

ଭକ୍ତ୍ୟୈକୟେଶଂ ଭଜତାତ୍ମଲବ୍ଧୟେ ॥ ୪୦॥

ଇହଲୋକର ସମ୍ପତ୍ତି ଯେପରି ପ୍ରତ୍ୟକ୍ଷ ହିଁ ନାଶବାନ ଅଟନ୍ତି, ସେହିପରି ଯଜ୍ଞାଦି ଦ୍ବାରା ପ୍ରାପ୍ତ ହେଉଥିବା ସ୍ବର୍ଗାଦି ଲୋକ ମଧ୍ୟ ନାଶବାନ ଏବଂ ଆପେକ୍ଷିକ ଅଟନ୍ତି – ପରସ୍ପରଠାରୁ ଛୋଟ-ବଡ ଏବଂ ଉଚ୍ଚ-ନୀଚ ଅଟନ୍ତି | ଅତଏବ ସେସବୁ ମଧ୍ୟ ନିର୍ଦ୍ଦୋଷ ନୁହଁନ୍ତି | ନିର୍ଦ୍ଦୋଷ କେବଳ ପରମାତ୍ମା ଅଟନ୍ତି | କେହି ତାଙ୍କଠାରେ ଦୋଷ ଦେଖିନାହାଁନ୍ତି କି ଶୁଣିନାହାଁନ୍ତି; ତେଣୁ ପରମାତ୍ମାଙ୍କର ପ୍ରାପ୍ତି ନିମନ୍ତେ ଅନନ୍ୟ ଭକ୍ତିରେ ସେହି ପରମେଶ୍ବରଙ୍କର ଭଜନ କରିବା ଉଚିତ୍ |

ଯଦଧ୍ୟର୍ଥ୍ୟେହ କର୍ମାଣି ବିଦ୍ୱନ୍ମାନ୍ୟସକୃନ୍ନରଃ ।

କରୋତ୍ୟତୋ ବିପର୍ୟାସମମୋଘଂ ବିନ୍ଦତେ ଫଲମ୍ ॥ ୪୧॥

ଅପର ପକ୍ଷରେ ନିଜକୁ ବହୁତ ବଡ ବିଦ୍ବାନ ମନେ କରୁଥିବା ପୁରୁଷ ଇହଲୋକରେ ନିଜ ଉଦ୍ଦେଶ୍ୟ ପାପ୍ତି ନିମନ୍ତେ ଯେତେ ଯାହା କର୍ମ କରନ୍ତି, ସେମାନଙ୍କୁ, ଉଦ୍ଦେଶ୍ୟ ପୂର୍ତ୍ତି ତ ଦୂରର କଥା, ତାହାର ବିପରୀତ ଫଳ ମିଳିଥାଏ ଏବଂ ନିଃସନ୍ଦେହ ଭାବରେ ମିଳିଥାଏ |

ସୁଖାୟ ଦୁଃଖମୋକ୍ଷାୟ ସଙ୍କଲ୍ପ ଇହ କର୍ମିଣଃ ।

ସଦାଽଽପ୍ନୋତୀହୟା ଦୁଃଖମନୀହାୟାଃ ସୁଖାବୃତଃ ॥ ୪୨॥

କର୍ମରେ ପ୍ରବୃତ୍ତ ହେବା ପଛରେ ଦୁଇଟି ଉଦ୍ଦେଶ୍ୟ ରହିଥାଏ – ସୁଖ ପ୍ରାପ୍ତି ଏବଂ ଦୁଃଖ ନିବୃତ୍ତି | କିନ୍ତୁ କାମନା ନ ଥିବା କାରଣରୁ ଯିଏ ପୂର୍ବରୁ ସୁଖରେ ନିମଗ୍ନ ରହିଥିଲା, କାମନାଟିଏ ଉତ୍ପନ୍ନ ହୋଇ ଏବେ ସଦା-ସର୍ବଦା ତାକୁ ଦୁଃଖ ଭୋଗିବାକୁ ପଡିଥାଏ |

କାମାନ୍ କାମୟତେ କାମ୍ୟୈର୍ୟଦର୍ଥମିହ ପୂରୁଷଃ ।

ସ ବୈ ଦେହସ୍ତୁ ପାରକ୍ୟୋ ଭଙ୍ଗୁରୋ ଯାତ୍ୟୁପୈତି ଚ ॥ ୪୩॥

ମନୁଷ୍ୟ ଇହଲୋକରେ ସକାମ କର୍ମ ଦ୍ବାରା ଯେଉଁ ଶରୀର ନିମନ୍ତେ ଭୋଗ ପ୍ରାପ୍ତ କରିବାକୁ ଇଚ୍ଛା କରିଥାଏ, ସେହି ଶରୀର ହିଁ ତାର ନୁହେଁ – ଶ୍ବାନ-ଶୃଗାଳଙ୍କର ଭୋଜନ ଏବଂ ନାଶବାନ ଅଟେ | କେବେ ତାହା ମିଳିଥାଏ ତ କେବେ ହାତଛଡା ହୋଇଯାଏ |

କିମୁ ବ୍ୟବହିତାପତ୍ୟଦାରାଗାରଧନାଦୟଃ ।

ରାଜ୍ୟଂ କୋଶଗଜାମାତ୍ୟଭୃତ୍ୟାପ୍ତା ମମତାସ୍ପଦାଃ ॥ ୪୪॥

ଶରୀରର ଦଶା ଯେତେବେଳେ ଏପରି, ସେତେବେଳେ ତାଠାରୁ ଭିନ୍ନ ପୁତ୍ର, ସ୍ତ୍ରୀ, ମହଲ, ଧନସମ୍ପତ୍ତି, ରାଜ୍ୟ, ଭଣ୍ଡାର, ହାତୀ-ଘୋଡା, ମନ୍ତ୍ରୀ, ଚାକର-ବାକର, ଗୁରୁଜନ ଏବଂ ଆପଣାର ବୋଲାଉ ଥିବା ଅନ୍ୟମାନଙ୍କର କଥା କଣ କହିବା |

କିମେତୈରାତ୍ମନସ୍ତୁଚ୍ଛୈଃ ସହ ଦେହେନ ନଶ୍ୱରୈଃ ।

ଅନର୍ଥୈରର୍ଥସଙ୍କାଶୈର୍ନିତ୍ୟାନନ୍ଦମହୋଦଧେଃ ॥ ୪୫॥

ଏହି ସବୁ ତୁଚ୍ଛ ବିଷୟ ଶରୀର ସହିତ ହିଁ ନଷ୍ଟ ହୋଇଯାଆନ୍ତି | ଦେଖିବାକୁ ଏସବୁ ପୁରୁଷାର୍ଥ ପରି ମନେ ହୁଅନ୍ତି, କିନ୍ତୁ ବାସ୍ତବରେ ଏହା ଅନର୍ଥରୂପ ଅଟେ | ଆତ୍ମା ତ ସ୍ବୟଂ ଅନନ୍ତ ଆନନ୍ଦର ସିନ୍ଧୁ ଅଟେ, ତାହା ନିମନ୍ତେ ଏସବୁ ବସ୍ତୁର ଆବଶ୍ୟକତା କଣ ?

ନିରୂପ୍ୟତାମିହ ସ୍ୱାର୍ଥଃ କିୟାନ୍ ଦେହଭୃତୋଽସୁରାଃ ।

ନିଷେକାଦିଷ୍ୱବସ୍ଥାସୁ କ୍ଲିଶ୍ୟମାନସ୍ୟ କର୍ମଭିଃ ॥ ୪୬॥

ଭାଈମାନେ ! ଟିକିଏ ବିଚାର କର | ଯେଉଁ ଜୀବ ଗର୍ଭାଧାନଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅବସ୍ଥାରେ ନିଜ କର୍ମର ଅଧୀନସ୍ତ ହୋଇ କ୍ଲେଶ ହିଁ କ୍ଲେଶ ଭୋଗ କରିଥାଏ, ତାର ଏହି ସଂସାରରେ କି ସ୍ବାର୍ଥ ରହିଛି |

କର୍ମାଣ୍ୟାରଭତେ ଦେହୀ ଦେହେନାତ୍ମାନୁବର୍ତିନା ।

କର୍ମଭିସ୍ତନୁତେ ଦେହମୁଭୟଂ ତ୍ୱବିବେକତଃ ॥ ୪୭॥

ସୂକ୍ଷ୍ମଶରୀରକୁ ହିଁ ନିଜର ଆତ୍ମା ମନେ କରି ଏହି ଜୀବ ତଦ୍ବାରା ଅନେକ ପ୍ରକାରର କର୍ମ କରିଥାଏ ଏବଂ ସେହି କର୍ମର ଫଳସ୍ବରୂପ ପୁନର୍ବାର ଶରୀର ଗ୍ରହଣ କରିଥାଏ | ଏହିପରି ଭାବରେ କର୍ମରୁ ଶରୀର ଏବଂ ଶରୀରରେ କର୍ମର ପରମ୍ପରା ଅବ୍ୟାହତ ରହିଥାଏ, ଯାହାର କାରଣ ଅବିବେକତା ଅଟେ |

ତସ୍ମାଦର୍ଥାଶ୍ଚ କାମାଶ୍ଚ ଧର୍ମାଶ୍ଚ ଯଦପାଶ୍ରୟାଃ ।

ଭଜତାନୀହୟାଽଽତ୍ମାନମନୀହଂ ହରିମୀଶ୍ୱରମ୍ ॥ ୪୮॥

ଅତଏବ ନିଷ୍କାମ ଭାବ ରଖି ନିଷ୍କ୍ରିୟ ଆତ୍ମସ୍ବରୂପ ଭଗବାନ ଶ୍ରୀହରିଙ୍କର ଭଜନ କରିବା ଉଚିତ୍ | ଅର୍ଥ, ଧର୍ମ, କାମ – ସବୁକିଛି ତାଙ୍କର ଆଶ୍ରିତ ଅଟେ; ତାଙ୍କ ଇଚ୍ଛା ବିନା ତାହା ମଧ୍ୟ ମିଳି ନ ଥାଏ |

ସର୍ୱେଷାମପି ଭୂତାନାଂ ହରିରାତ୍ମେଶ୍ୱରଃ ପ୍ରିୟଃ ।

ଭୂତୈର୍ମହଦ୍ଭିଃ ସ୍ୱକୃତୈଃ କୃତାନାଂ ଜୀବସଞ୍ଜ୍ଞିତଃ ॥ ୪୯॥

ଭଗବାନ ଶ୍ରୀହରି ସବୁ ପ୍ରାଣୀଙ୍କର ଈଶ୍ବର, ଆତ୍ମା ଏବଂ ପରମ ପ୍ରିୟତମ ଅଟନ୍ତି | ନିଜ ନିର୍ମିତ ପଞ୍ଚଭୂତ ଏବଂ ସୂକ୍ଷ୍ମଭୂତ ଆଦିରେ ଗଢା ଶରୀରରେ ସେ ଜୀବ ସଜ୍ଞକ ଅଟନ୍ତି |

ଦେବୋଽସୁରୋ ମନୁଷ୍ୟୋ ବା ଯକ୍ଷୋ ଗନ୍ଧର୍ୱ ଏବ ଚ ।

ଭଜନ୍ ମୁକୁନ୍ଦଚରଣଂ ସ୍ୱସ୍ତିମାନ୍ ସ୍ୟାଦ୍ୟଥା ବୟମ୍ ॥ ୫୦॥

ଦେବତା, ଦୈତ୍ୟ, ମନୁଷ୍ୟ, ଯକ୍ଷ ଅଥବା ଗନ୍ଧର୍ବ, ଯିଏ ବି ଭଗବାନଙ୍କ ଚରଣକମଳର ସେବନ କରନ୍ତି, ସେମାନେ ଆମ୍ଭମାନଙ୍କ ପରି କଲ୍ୟାଣଭାଜନ ହୋଇଥାଆନ୍ତି |

ନାଲଂ ଦ୍ୱିଜତ୍ୱଂ ଦେବତ୍ୱମୃଷିତ୍ୱଂ ବାସୁରାତ୍ମଜାଃ ।

ପ୍ରୀଣନାୟ ମୁକୁନ୍ଦସ୍ୟ ନ ବୃତ୍ତଂ ନ ବହୁଜ୍ଞତା ॥ ୫୧॥

ନ ଦାନଂ ନ ତପୋ ନେଜ୍ୟା ନ ଶୌଚଂ ନ ବ୍ରତାନି ଚ ।

ପ୍ରୀୟତେଽମଲୟା ଭକ୍ତ୍ୟା ହରିରନ୍ୟଦ୍ୱିଡମ୍ବନମ୍ ॥ ୫୨॥

ହେ ଦୈତ୍ୟବାଳକ ! ଭଗବାନଙ୍କୁ ପ୍ରସନ୍ନ କରିବା ନିମନ୍ତେ ବ୍ରାହ୍ମଣ, ଦେବତା ବା ଋଷି ହେବା, ସଦାଚାର ଏବଂ ବିବିଧ ଜ୍ଞାନରେ ସମ୍ପନ୍ନ ହେବା ତଥା ଦାନ, ତପ, ଯଜ୍ଞ, ଶାରୀରିକ ଏବଂ ମାନସିକ ଶୌଚ ଏବଂ ବଡ-ବଡ ବ୍ରତର ଅନୁଷ୍ଠାନ କରିବାର ଆବଶ୍ୟକତା ନାହିଁ | କେବଳ ନିଷ୍କାମ ପ୍ରେମ-ଭକ୍ତିରେ ହିଁ ଭଗବାନ ପ୍ରସନ୍ନ ହୋଇଯାଆନ୍ତି; ବାକି ସବୁ ତ ବିଡମ୍ବନାମାତ୍ର ଅଟେ |

ତତୋ ହରୌ ଭଗବତି ଭକ୍ତିଂ କୁରୁତ ଦାନବାଃ ।

ଆତ୍ମୌପମ୍ୟେନ ସର୍ୱତ୍ର ସର୍ୱଭୂତାତ୍ମନୀଶ୍ୱରେ ॥ ୫୩॥

ସେଥିପାଇଁ ହେ ଦାନବ-ବନ୍ଧୁଗଣ ! ସମସ୍ତ ପ୍ରାଣୀଙ୍କୁ ନିଜ ସହିତ ସମାନ ମନେକରି ସର୍ବତ୍ର ବିରାଜମାନ, ସର୍ବାତ୍ମା, ସର୍ବଶକ୍ତିମାନ ଭଗବାନଙ୍କର ଭକ୍ତି କର |

ଦୈତେୟା ଯକ୍ଷରକ୍ଷାଂସି ସ୍ତ୍ରିୟଃ ଶୂଦ୍ରା ବ୍ରଜୌକସଃ ।

ଖଗା ମୃଗାଃ ପାପଜୀବାଃ ସନ୍ତି ହ୍ୟଚ୍ୟୁତତାଂ ଗତାଃ ॥ ୫୪॥

ଭଗବାନଙ୍କ ଭକ୍ତିର ପ୍ରଭାବରେ ଦୈତ୍ୟ, ଯକ୍ଷ, ରାକ୍ଷସ, ସ୍ତ୍ରୀ, ଶୂଦ୍ର, ଗୋପାଳକ, ଅହୀର, ପକ୍ଷୀ, ମୃଗ ଏବଂ ଅନେକାନେକ ପାପୀ ଜୀବ ଭଗବଦ୍ଭାବ ପ୍ରାପ୍ତ ହୋଇ ପାରିଛନ୍ତି |

ଏତାବାନେବ ଲୋକେଽସ୍ମିନ୍ ପୁଂସଃ ସ୍ୱାର୍ଥଃ ପରଃ ସ୍ମୃତଃ ।

ଏକାନ୍ତଭକ୍ତିର୍ଗୋବିନ୍ଦେ ଯତ୍ସର୍ୱତ୍ର ତଦୀକ୍ଷଣମ୍ ॥ ୫୫॥

ଏହି ସଂସାରରେ ଅଥବା ମାନବ ଶରୀରରେ ଜୀବର ସବୁଠାରୁ ବଡ ସ୍ବାର୍ଥ ଅର୍ଥାତ୍ ଏକମାତ୍ର ପରମାର୍ଥ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଅନନ୍ୟ ଭକ୍ତି ପ୍ରାପ୍ତ କରିବା | ସେହି ଭକ୍ତିର ସ୍ବରୂପ ହେଉଛି ସର୍ବଦା, ସର୍ବତ୍ର ଏବଂ ସବୁ ବସ୍ତୁରେ ଭଗବାନଙ୍କର ଦର୍ଶନ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମସ୍କନ୍ଧେ

ପ୍ରହ୍ଲାଦାନୁଚରିତେ ଦୈତ୍ୟପୁତ୍ରାନୁଶାସନଂ ନାମ ସପ୍ତମୋଽଧ୍ୟାୟଃ ॥ ୭॥

Comments

Popular posts from this blog