ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ସପ୍ତମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ନୃସିଂହଭଗବାନଙ୍କର ପ୍ରାଦୁର୍ଭାବ, ହିରଣ୍ୟକଶିପୁ ବଧ ଏବଂ ବ୍ରହ୍ମାଦି ଦେବତାଙ୍କ ଦ୍ବାରା ଭଗବାନଙ୍କର ସ୍ତୁତି

 

ନାରଦ ଉବାଚ

ଅଥ ଦୈତ୍ୟସୁତାଃ ସର୍ୱେ ଶ୍ରୁତ୍ୱା ତଦନୁବର୍ଣିତମ୍ ।

ଜଗୃହୁର୍ନିରବଦ୍ୟତ୍ୱାନ୍ନୈବ ଗୁର୍ୱନୁଶିକ୍ଷିତମ୍ ॥ ୧॥

ଦେବର୍ଷି ନାରଦ କହିଲେ – ପ୍ରହ୍ଲାଦଙ୍କର ପ୍ରବଚନ ଶୁଣି ଦୈତ୍ୟବାଳକମାନେ, ନିର୍ଦ୍ଦୋଷ ହୋଇଥିବା କାରଣରୁ ତତକ୍ଷଣାତ୍ ତାଙ୍କର ଉପଦେଶ ଗ୍ରହଣ କରିନେଲେ | ଗୁରୁଜୀଙ୍କର ଦୂଷିତ ଶିକ୍ଷା ପ୍ରତି ସେମାନେ ଆଉ ଧ୍ୟାନ ଦେଲେ ନାହିଁ |

ଅଥାଚାର୍ୟସୁତସ୍ତେଷାଂ ବୁଦ୍ଧିମେକାନ୍ତସଂସ୍ଥିତାମ୍ ।

ଆଲକ୍ଷ୍ୟ ଭୀତସ୍ତ୍ୱରିତୋ ରାଜ୍ଞ ଆବେଦୟଦ୍ୟଥା ॥ ୨॥

ଗୁରୁଜୀ ଯେତେବେଳେ ଦେଖିଲେ ସବୁ ବିଦ୍ୟାର୍ଥୀଙ୍କର ବୁଦ୍ଧି ଏକମାତ୍ର ଭଗବାନଙ୍କଠାରେ ସ୍ଥିର ହୋଇଯାଇଛି, ସେତେବେଳେ ସେମାନେ ଅତିଶୟ ଭୟଭୀତ ହୋଇ ହିରଣ୍ୟକଶିପୁଙ୍କ ପାଖକୁ ଯାଇ ନିବେଦନ କଲେ |

ଶ୍ରୁତ୍ୱା ତଦପ୍ରିୟଂ ଦୈତ୍ୟୋ ଦୁଃସହଂ ତନୟାନୟମ୍ ।

କୋପାବେଶଚଲଦ୍ଗାତ୍ରଃ ପୁତ୍ରଂ ହନ୍ତୁଂ ମନୋ ଦଧେ ॥ ୩॥

ନିଜ ପୁତ୍ର ପ୍ରହ୍ଲାଦର ଏହି ଅସହ୍ୟ ଏବଂ ଅପ୍ରିୟ ଅନୀତି ବିଷୟରେ ଜାଣି କ୍ରୋଧରେ ତାର ଶରୀର ଥରି ଉଠିଲା | ଶେଷରେ ସେ ଏହା ନିଶ୍ଚୟ କଲା ଯେ ପ୍ରହ୍ଲାଦକୁ ସେ ଏବେ ନିଜ ହାତରେ ମାରିବ |

କ୍ଷିପ୍ତ୍ୱା ପରୁଷୟା ବାଚା ପ୍ରହ୍ଲାଦମତଦର୍ହଣମ୍ ।

ଆହେକ୍ଷମାଣଃ ପାପେନ ତିରଶ୍ଚୀନେନ ଚକ୍ଷୁଷା ॥ ୪॥

ପ୍ରଶ୍ରୟାବନତଂ ଦାନ୍ତଂ ବଦ୍ଧାଞ୍ଜଲିମବସ୍ଥିତମ୍ ।

ସର୍ପଃ ପଦାହତ ଇବ ଶ୍ୱସନ୍ ପ୍ରକୃତିଦାରୁଣଃ ॥ ୫॥

ମନ ଏବଂ ଇନ୍ଦ୍ରିୟଙ୍କୁ ନିଜ ନିୟନ୍ତ୍ରଣରେ ରଖିଥିବା ପ୍ରହ୍ଲାଦ ଅତ୍ୟନ୍ତ ନମ୍ରତାପୂର୍ବକ ହାତଯୋଡି ଚୁପଚାପ୍ ହିରଣ୍ୟକଶିପୁ ସମ୍ମୁଖରେ ଠିଆ ହୋଇଥିଲେ | କୌଣସି ପ୍ରକାରେ ସେ ତିରସ୍କାରର ଯୋଗ୍ୟ ନ ଥିଲେ, କିନ୍ତୁ ହିରଣ୍ୟକଶିପୁ ସ୍ବଭାବତଃ ହିଁ କ୍ରୂର ଥିଲା | ସେ ପଦଦଳିତ ସର୍ପ ପରି ସଁ ସଁ ଗର୍ଜନ କରିବାରେ ଲାଗିଥିଲା | ପ୍ରହ୍ଲାଦଙ୍କ ପ୍ରତି ପାପପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରି ସେ କଠୋର ବାଣୀରେ ଭର୍ତ୍ସନା କରି ତାଙ୍କୁ କହିଲା -

ହେ ଦୁର୍ୱିନୀତ ମନ୍ଦାତ୍ମନ୍ କୁଲଭେଦକରାଧମ ।

ସ୍ତବ୍ଧଂ ମଚ୍ଛାସନୋଦ୍ଧୂତଂ ନେଷ୍ୟେ ତ୍ୱାଦ୍ୟ ଯମକ୍ଷୟମ୍ ॥ ୬॥

ରେ ମୂର୍ଖ ! ତୁ ବହୁତ ଉଦ୍ଦଣ୍ଡ ହୋଇଯାଇଛୁ | ନିଜେ ତ ତୁ ନୀଚ-ଅଧମ ଅଟୁ, ଏବେ ଅସୁର କୁଳର ଅନ୍ୟ ବାଳକମାନଙ୍କୁ ମଧ୍ୟ ତୁ ଭ୍ରଷ୍ଟ କରିବାରେ ଲାଗିଛୁ | ତୁ ହଠପୂର୍ବକ ମୋର ଆଜ୍ଞା ଉଲଂଘନ କରିଛୁ | ଆଜି ମୁଁ ତୋତେ ଯମରାଜଙ୍କ ଘରକୁ ପଠାଇ ତାର ମଜା ଚଖାଇବି |

କ୍ରୁଦ୍ଧସ୍ୟ ଯସ୍ୟ କମ୍ପନ୍ତେ ତ୍ରୟୋ ଲୋକାଃ ସହେଶ୍ୱରାଃ ।

ତସ୍ୟ ମେଽଭୀତବନ୍ମୂଢ ଶାସନଂ କିଂ ବଲୋଽତ୍ୟଗାଃ ॥ ୭॥

ମୁଁ ସାମାନ୍ୟ କ୍ରୋଧ କଲେ ତିନି ଲୋକ ଏବଂ ସେମାନଙ୍କର ଲୋକପାଳ ଭୟରେ ଥରହର ହୋଇ ଉଠନ୍ତି | ତେଣୁ ହେ ମୂର୍ଖ ! କାହା ବଳରେ ବଳୀୟାନ ହୋଇ ତୁ ନିର୍ଦ୍ବନ୍ଦରେ ମୋ ଆଜ୍ଞାବିରୁଦ୍ଧ କର୍ମ କରୁଛୁ ?

ପ୍ରହ୍ଲାଦ ଉବାଚ

ନ କେବଲଂ ମେ ଭବତଶ୍ଚ ରାଜନ୍

ସ ବୈ ବଲଂ ବଲିନାଂ ଚାପରେଷାମ୍ ।

ପରେଽବରେଽମୀ ସ୍ଥିରଜଙ୍ଗମା ଯେ

ବ୍ରହ୍ମାଦୟୋ ଯେନ ବଶଂ ପ୍ରଣୀତାଃ ॥ ୮॥

ପ୍ରହ୍ଲାଦ କହିଲେ – ହେ ଦୈତ୍ୟରାଜ ! ବ୍ରହ୍ମାଙ୍କଠାରୁ ଆରମ୍ଭ କରି ତୃଣ ପର୍ଯ୍ୟନ୍ତ ଛୋଟ-ବଡ, ଚର-ଅଚର ସମସ୍ତ ଜୀବଙ୍କୁ ଭଗବାନ ନିଜର ଅଧୀନସ୍ତ କରି ରଖିଛନ୍ତି | କେବଳ ମୋର ବା ଆପଣଙ୍କର ନୁହେଁ, ସଂସାରର ସମସ୍ତ ବଳବାନଙ୍କର ବଳ ମଧ୍ୟ ଏକମାତ୍ର ସେ ହିଁ ଅଟନ୍ତି |

ସ ଈଶ୍ୱରଃ କାଲ ଉରୁକ୍ରମୋଽସା-

ବୋଜଃସହଃସତ୍ତ୍ୱବଲେନ୍ଦ୍ରିୟାତ୍ମା ।

ସ ଏବ ବିଶ୍ୱଂ ପରମଃ ସ୍ୱଶକ୍ତିଭିଃ

ସୃଜତ୍ୟବତ୍ୟତ୍ତି ଗୁଣତ୍ରୟେଶଃ ॥ ୯॥

ସେ ହିଁ ମହାପରାକ୍ରମୀ ସର୍ବଶକ୍ତିମାନ ପ୍ରଭୁ କାଳ ଅଟନ୍ତି ତଥା ସମସ୍ତ ପ୍ରାଣୀଙ୍କର ହୃଦୟବଳ, ମନୋବଳ, ଦେହବଳ, ଧୈର୍ଯ୍ୟ ଏବଂ ଇନ୍ଦ୍ରିୟ ମଧ୍ୟ ସେ ହିଁ ଅଟନ୍ତି | ସେହି ପରମେଶ୍ବର ନିଜ ଶକ୍ତି ଦ୍ବାରା ଏହି ବିଶ୍ବର ରଚନା, ରକ୍ଷା ଏବଂ ସଂହାର କରନ୍ତି | ସେ ହିଁ ତିନି ଗୁଣର ସ୍ବାମୀ ଅଟନ୍ତି |

ଜହ୍ୟାସୁରଂ ଭାବମିମଂ ତ୍ୱମାତ୍ମନଃ

ସମଂ ମନୋ ଧତ୍ସ୍ୱ ନ ସନ୍ତି ବିଦ୍ୱିଷଃ ।

ଋତେଽଜିତାଦାତ୍ମନ ଉତ୍ପଥସ୍ଥିତା-

ତ୍ତଦ୍ଧି ହ୍ୟନନ୍ତସ୍ୟ ମହତ୍ସମର୍ହଣମ୍ ॥ ୧୦॥

ଆପଣ ନିଜର ଏହି ଆସୁରୀ ସ୍ବଭାବ ତ୍ୟାଗ କରନ୍ତୁ ଏବଂ ମନରେ ସମସ୍ତଙ୍କ ପ୍ରତି ସମାନ ଭାବ ରଖନ୍ତୁ | ଏହି ସଂସାରରେ ନିଜ ଅକ୍ତିୟାରରେ ରହୁ ନ ଥିବା ମନ ବ୍ୟତିତ ବଡ ଶତ୍ରୁ ଆଉ କେହି ନୁହଁନ୍ତି | ମନରେ ସମସ୍ତଙ୍କ ପ୍ରତି ସମଭାବ ରହିବା ହିଁ ଭଗବାନଙ୍କର ସର୍ବଶ୍ରେଷ୍ଠ ପୂଜା ଅଟେ |

ଦସ୍ୟୂନ୍ ପୁରା ଷଣ୍ ନ ବିଜିତ୍ୟ ଲୁମ୍ପତୋ

ମନ୍ୟନ୍ତ ଏକେ ସ୍ୱଜିତା ଦିଶୋ ଦଶ ।

ଜିତାତ୍ମନୋ ଜ୍ଞସ୍ୟ ସମସ୍ୟ ଦେହିନାଂ

ସାଧୋଃ ସ୍ୱମୋହପ୍ରଭବାଃ କୁତଃ ପରେ ॥ ୧୧॥

ଯେଉଁମାନେ ନିଜର ସର୍ବସ୍ବ ଲୁଣ୍ଠନ କରି ନେଉଥିବା ମନ ସହିତ ଷଡଇନ୍ଦ୍ରିୟଙ୍କୁ ତ ଦମନ କରି ନ ଥାନ୍ତି, ଅଥଚ ଦଶ ଦିଶାକୁ ଜୟ କରି ନିଜକୁ ଦିଗବିଜୟୀ ମନେ କରୁଥାଆନ୍ତି, ସେମାନେ ବାସ୍ତବରେ ମୂର୍ଖ ଅଟନ୍ତି | ଅପର ପକ୍ଷରେ, ଯେଉ ଜ୍ଞାନୀ ଏବଂ ଜିତେନ୍ଦ୍ରିୟ ମହାତ୍ମାମାନେ ସମସ୍ତ ପ୍ରାଣୀ ପ୍ରତି ସମଭାବ ପ୍ରାପ୍ତ କରିନେଇ ଥାଆନ୍ତି, ସେମାନଙ୍କର ଅଜ୍ଞାନଜାତ କାମ-କ୍ରୋଧାଦି ଶତ୍ରୁମାନେ ମଧ୍ୟ ସମାପ୍ତ ହୋଇଯାଇ ଥାଆନ୍ତି | ସେପରି କ୍ଷେତ୍ରରେ ବାହ୍ୟ ଶତ୍ରୁ ଥିଲେ କେତେ ନ ଥିଲେ କେତେ ?

ହିରଣ୍ୟକଶିପୁରୁବାଚ

ବ୍ୟକ୍ତଂ ତ୍ୱଂ ମର୍ତୁକାମୋଽସି ଯୋଽତିମାତ୍ରଂ ବିକତ୍ଥସେ ।

ମୁମୂର୍ଷୂଣାଂ ହି ମନ୍ଦାତ୍ମନ୍ ନନୁ ସ୍ୟୁର୍ୱିପ୍ଲବା ଗିରଃ ॥ ୧୨॥

ହିରଣ୍ୟକଶିପୁ କହିଲା – ରେ ମନ୍ଦବୁଦ୍ଧି ! ତୋର ବାଚାଳତା ଏବେ ସୀମା ଅତିରିକ୍ତ ହୋଇଯାଇଛି | ଯାହା ଜଣା ପଡୁଛି ତୁ ଏବେ ମରିବାକୁ ଇଚ୍ଛା କରୁଛୁ, କାରଣ ଯିଏ ମରିବାକୁ ଇଚ୍ଛା କରନ୍ତି, ସେ ହିଁ ଏପରି ଅର୍ଥହୀନ ପ୍ରଳାପ କରନ୍ତି |

ଯସ୍ତ୍ୱୟା ମନ୍ଦଭାଗ୍ୟୋକ୍ତୋ ମଦନ୍ୟୋ ଜଗଦୀଶ୍ୱରଃ ।

କ୍ୱାସୌ ଯଦି ସ ସର୍ୱତ୍ର କସ୍ମାତ୍ସ୍ତମ୍ଭେ ନ ଦୃଶ୍ୟତେ ॥ ୧୩॥

ରେ ଅଭାଗା ! ମୋ ବ୍ୟତିତ ତୁ ଅନ୍ୟ ଯାହାକୁ ଜଗତର ସ୍ବାମୀ କହୁଛୁ, ସେହି ଜଗଦୀଶ୍ବର କେଉଁଠାରେ ଅଛି, ମୋତେ ଦେଖାଇ ଦେ | ତୋ କହିବା ଅନୁସାରେ ସେ ଯଦି ସର୍ବତ୍ର ଅଛି, ତେବେ ଏହି ସ୍ତମ୍ଭରେ ସେ ଦୃଶ୍ୟ ହେଉନାହିଁ କାହିଁକି ?

ସୋଽହଂ ବିକତ୍ଥମାନସ୍ୟ ଶିରଃ କାୟାଦ୍ଧରାମି ତେ ।

ଗୋପାୟେତ ହରିସ୍ତ୍ୱାଦ୍ୟ ଯସ୍ତେ ଶରଣମୀପ୍ସିତମ୍ ॥ ୧୪॥

ଆଚ୍ଛା, ଏହି ସ୍ତମ୍ଭରେ ମଧ୍ୟ ସେ ତୋତେ ଦେଖାଯାଉଛି ? ଠିକ୍ ଅଛି, ତୁ ଏହି ଯେଉଁ ବୃଥା ଆସ୍ଫାଳନ କରୁଛୁ, ତାର ଉତ୍ତରରେ ମୁଁ ଏହି ମୁହୂର୍ତ୍ତରେ ତୋର ଶରୀରରୁ ମସ୍ତକକୁ ଛିନ୍ନ କରି ଅଲଗା କରିଦେଉଛି | ଦେଖିବା, ତୋର ସର୍ବସ୍ବ ହରି, ଯାହା ଉପରେ ତୋର ଏତେ ଭରସା ରହିଛି, କିପରି ଭାବରେ ତୋର ରକ୍ଷା କରୁଛି |

ଏବଂ ଦୁରୁକ୍ତୈର୍ମୁହୁରର୍ଦୟନ୍ ରୁଷା

ସୁତଂ ମହାଭାଗବତଂ ମହାସୁରଃ ।

ଖଡ୍ଗଂ ପ୍ରଗୃହ୍ୟୋତ୍ପତିତୋ ବରାସନା-

ତ୍ସ୍ତମ୍ଭଂ ତତାଡାତିବଲଃ ସ୍ୱମୁଷ୍ଟିନା ॥ ୧୫॥

ଏହିପରି ଭାବରେ ସେହି ଅତ୍ୟନ୍ତ ବଳବାନ ମହାଦୈତ୍ୟ ଅନେକ ପ୍ରକାରରେ ଭଗବାନଙ୍କର ପରମ ପ୍ରେମୀ-ଭକ୍ତ ପ୍ରହ୍ଲାଦଙ୍କୁ ଭର୍ତ୍ସନା କରି ସଂତପ୍ତ କରିବାରେ ଲାଗିଲା | ତାପରେ ଯେତେବେଳେ ତାର କ୍ରୋଧ ସୀମାତିରିକ୍ତ ହୋଇଗଲା, ସେ ହାତରେ ଖଡ୍ଗ ଧରି ସିଂହାସନରୁ ତଳକୁ ଡେଇଁ ପଡିଲା ଏବଂ ନିକଟରେ ଥିବା ସ୍ତମ୍ଭକୁ ଖୁବ୍ ଜୋରରେ ମୁଷ୍ଟି ପ୍ରହାର କଲା |

ତଦୈବ ତସ୍ମିନ୍ନିନଦୋଽତିଭୀଷଣୋ

ବଭୂବ ଯେନାଣ୍ଡକଟାହମସ୍ଫୁଟତ୍ ।

ଯଂ ବୈ ସ୍ୱଧିଷ୍ଣ୍ୟୋପଗତଂ ତ୍ୱଜାଦୟଃ

ଶ୍ରୁତ୍ୱା ସ୍ୱଧାମାତ୍ୟଯମଙ୍ଗ ମେନିରେ ॥ ୧୬॥

ସେହି ସମୟରେ ସେହି ସ୍ତମ୍ଭରୁ ଏକ ବିକଟ ଭୟଙ୍କର ଶବ୍ଦ ଶୁଣାଗଲା; ମନେ ହେଲା ସତେ ଯେପରି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ହିଁ ଫାଟିଗଲା | ସେହି ଧ୍ବନି ଯେତେବେଳେ ଲୋକପାଳମାନଙ୍କର ଲୋକରେ ପହଞ୍ଚିଲା, ବ୍ରହ୍ମାଦି ଲୋକପାଳ ଭାବିଲେ ସେମାନଙ୍କ ଲୋକର ପ୍ରଳୟ ହେବାକୁ ଯାଉଛି |

ସ ବିକ୍ରମନ୍ ପୁତ୍ରବଧେପ୍ସୁରୋଜସା

ନିଶମ୍ୟ ନିର୍ହ୍ରାଦମପୂର୍ୱମଦ୍ଭୁତମ୍ ।

ଅନ୍ତଃସଭାୟାଂ ନ ଦଦର୍ଶ ତତ୍ପଦଂ

ବିତତ୍ରସୁର୍ୟେନ ସୁରାରିୟୂଥପାଃ ॥ ୧୭॥

ପ୍ରହ୍ଲାଦଙ୍କୁ ମାରିବା ନିମନ୍ତେ ହିରଣ୍ୟକଶିପୁ ଲମ୍ପ ପ୍ରଦାନ କରିଥିଲା, କିନ୍ତୁ ଦୈତ୍ୟସେନାପତିମାନଙ୍କୁ ମଧ୍ୟ ଭୟରେ ଥରହର କରି ଦେଉଥିବା ସେହି ଅଦ୍ଭୁତ ଏବଂ ଅପୂର୍ବ ଶବ୍ଦ ଶୁଣି ସେ ମଧ୍ୟ ବ୍ୟସ୍ତବିବ୍ରତ ହୋଇ ଏଣେତେଣେ ଦେଖିବାରେ ଲାଗିଲା ଯେ କିଏ ଏହି ଶବ୍ଦ କରୁଛି | ସଭା ମଧ୍ୟରେ ସେପରି କେହି ତାକୁ ଦେଖିବାକୁ ମିଳିଲେ ନାହିଁ |

ସତ୍ୟଂ ବିଧାତୁଂ ନିଜଭୃତ୍ୟଭାଷିତଂ

ବ୍ୟାପ୍ତିଂ ଚ ଭୂତେଷ୍ୱଖିଲେଷୁ ଚାତ୍ମନଃ ।

ଅଦୃଶ୍ୟତାତ୍ୟଦ୍ଭୁତରୂପମୁଦ୍ୱହନ୍

ସ୍ତମ୍ଭେ ସଭାୟାଂ ନ ମୃଗଂ ନ ମାନୁଷମ୍ ॥ ୧୮॥

ଏତିକି ବେଳେ ନିଜ ସେବକ ପ୍ରହ୍ଲାଦ ଏବଂ ବ୍ରହ୍ମାଙ୍କର ବାଣୀ ସତ୍ୟ କରିବାକୁ ଯାଇ ଏବଂ ସମସ୍ତ ପଦାର୍ଥରେ ନିଜର ବ୍ୟାପକତା ସିଦ୍ଧ କରିବା ହେତୁ ସଭା ମଧ୍ୟରେ ହିଁ ସେହି ସ୍ତମ୍ଭରୁ ଅତ୍ୟନ୍ତ ବିଚିତ୍ର ରୂପ ଧାରଣ କରି ଭଗବାନ ପ୍ରକଟ ହେଲେ | ସେହି ରୂପ ସମ୍ପୂର୍ଣ୍ଣଭାବରେ ସିଂହର ନ ଥିଲା କି ମନୁଷ୍ୟର ନ ଥିଲା |

ସ ସତ୍ତ୍ୱମେନଂ ପରିତୋଽପି ପଶ୍ୟନ୍

ସ୍ତମ୍ଭସ୍ୟ ମଧ୍ୟାଦନୁ ନିର୍ଜିହାନମ୍ ।

ନାୟଂ ମୃଗୋ ନାପି ନରୋ ବିଚିତ୍ର-

ମହୋ କିମେତନ୍ନୃମୃଗେନ୍ଦ୍ରରୂପମ୍ ॥ ୧୯॥

ଅଦ୍ଭୁତ ଶବ୍ଦ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଏଣେତେଣେ ଖୋଜୁଥିବା ସମୟରେ ହିରଣ୍ୟକଶିପୁ ସ୍ତମ୍ଭ ଭିତରୁ ବାହାରି ଆସୁଥିବା ସେହି ଅଦ୍ଭୁତ ପ୍ରାଣୀକୁ ଦେଖିଲା | ତାଙ୍କୁ ଦେଖି ସେ ବିଚାର କରିବାରେ ଲାଗିଲା – ଇଏ ତ ମନୁଷ୍ୟ ନୁହେଁ କି ପଶୁ ନୁହେଁ; ନୃସିଂହ ରୂପରେ ଏହି ଅଲୌକିକ ଜୀବ କିଏ ?

ମୀମାଂସମାନସ୍ୟ ସମୁତ୍ଥିତୋଽଗ୍ରତୋ

ନୃସିଂହରୂପସ୍ତଦଲଂ ଭୟାନକମ୍ ।

ପ୍ରତପ୍ତଚାମୀକରଚଣ୍ଡଲୋଚନଂ

ସ୍ଫୁରତ୍ସଟାକେସରଜୃମ୍ଭିତାନନମ୍ ॥ ୨୦॥

ହିରଣ୍ୟକଶିପୁ ଏହିପରି ଦ୍ବନ୍ଦ୍ବରେ ପଡିଥିବା ସମୟରେ ନୃସିଂହ ଭଗବାନ ତାର ଠିକ୍ ସମ୍ମୁଖରେ ଆସି ଠିଆ ହୋଇଗଲେ | ତାଙ୍କର ସେହି ରୂପ ଅତ୍ୟନ୍ତ ଭୟାନକ ଥିଲା | ତପ୍ତ କାଂଚନ ସଦୃଶ ତାଙ୍କର ଭୟାନକ ନେତ୍ର ପୀତ ବର୍ଣ୍ଣର ଥିଲା | ହାଇ ମାରିବା ଯୋଗୁଁ ସ୍କନ୍ଧ ଦେଶରେ ତାଙ୍କର ବିକ୍ଷିପ୍ତ କେଶରାଶି ଅସ୍ତବ୍ୟସ୍ତ ହୋଇ ଲହରୀ ଖେଳୁଥିଲା |

କରାଲଦଂଷ୍ଟ୍ରଂ କରବାଲଚଞ୍ଚଲ-

କ୍ଷୁରାନ୍ତଜିହ୍ୱଂ ଭ୍ରୁକୁଟୀମୁଖୋଲ୍ବଣମ୍ ।

ସ୍ତବ୍ଧୋର୍ଧ୍ୱକର୍ଣଂ ଗିରିକନ୍ଦରାଦ୍ଭୁତ-

ବ୍ୟାତ୍ତାସ୍ୟନାସଂ ହନୁଭେଦଭୀଷଣମ୍ ॥ ୨୧॥

ବିକରାଳ ଦନ୍ତ, ମୁଖ ବାହାରକୁ ଝୁଲି ରହିଥିବା ତରବାରୀର ଧାର ସଦୃଶ ତୀକ୍ଷ୍ଣ ଜିହ୍ବା, ଏବଂ ବକ୍ର ଭୃକୁଟି ଦ୍ବାରା ତାଙ୍କର ମୁଖ ଅଧିକ ଦାରୁଣ ଦେଖା ଯାଉଥିଲା | କାନ ନିଶ୍ଚଳ ଏବଂ ଠିଆ ହୋଇ ରହିଥିଲା | ପ୍ରସାରିତ ନାସାରନ୍ଧ୍ର ଏବଂ ମୁଖଗହ୍ବର ପାହାଡର ଗୁମ୍ଫା ପରି ଅଦ୍ଭୁତ ମନେ ହେଉଥିଲା | ତଳ ମାଢିର ଅସ୍ଥି ପ୍ରସାରିତ ହୋଇ ମୁଖର ଭୟଙ୍କରତାକୁ ବୃଦ୍ଧି କରୁଥିଲା |

ଦିବିସ୍ପୃଶତ୍କାୟମଦୀର୍ଘପୀବର-

ଗ୍ରୀବୋରୁବକ୍ଷଃସ୍ଥଲମଲ୍ପମଧ୍ୟମମ୍ ।

ଚନ୍ଦ୍ରାଂଶୁଗୌରୈଶ୍ଛୁରିତଂ ତନୂରୁହୈ-

ର୍ୱିଷ୍ୱଗ୍ଭୁଜାନୀକଶତଂ ନଖାୟୁଧମ୍ ॥ ୨୨॥

ତାଙ୍କର ବିଶାଳ ଶରୀର ସ୍ବର୍ଗକୁ ସ୍ପର୍ଶ କରୁଥିଲା | ଗ୍ରୀବା ସାମାନ୍ୟ ଛୋଟ ଏବଂ ସ୍ଥୂଳ ଥିଲା | ଛାତି ଚଉଡା ଏବଂ କଟି ସୂକ୍ଷ୍ମ ଥିଲା | ଚନ୍ଦ୍ରକିରଣ ପରି ଧବଳ ଲୋମରାଶି ଦ୍ବାରା ତାଙ୍କର ଶରୀର ଚମକି ଉଠୁଥିଲା | ଶହ ଶହ ଭୁଜ ତାଙ୍କ ଶରୀରର ଚତୁର୍ପାର୍ଶ୍ବରେ ଝୁଲି ରହିଥିଲା, ଯାହାର ବଡ-ବଡ ନଖ ଆୟୁଧ ସଦୃଶ ଥିଲା |

ଦୁରାସଦଂ ସର୍ୱନିଜେତରାୟୁଧ-

ପ୍ରବେକବିଦ୍ରାବିତଦୈତ୍ୟଦାନବମ୍ ।

ପ୍ରାୟେଣ ମେଽୟଂ ହରିଣୋରୁମାୟିନା

ବଧଃ ସ୍ମୃତୋଽନେନ ସମୁଦ୍ୟତେନ କିମ୍ ॥ ୨୩॥

କେହି ମଧ୍ୟ ତାଙ୍କ ସମୀପକୁ ଯିବାକୁ ସାହସ କରି ପାରୁ ନ ଥିଲେ | ଚକ୍ର ଆଦି ନିଜ ଆୟୁଧ ଏବଂ ବଜ୍ର ଆଦି ଅନ୍ୟ ଶ୍ରେଷ୍ଠ ଶସ୍ତ୍ର ଦ୍ବାରା ସେ ସମସ୍ତ ଦୈତ୍ୟ-ଦାନବଙ୍କୁ ସେଠାରୁ ବିତାଡିତ କରି ଦେଲେ | ହିରଣ୍ୟକଶିପୁ ମନେ ମନେ ଚିନ୍ତା କରିବାରେ ଲାଗିଲା – ନିଶ୍ଚିତଭାବରେ ମୋତେ ମାରିବା ଉଦ୍ଦେଶ୍ୟରେ ମହାମାୟାବୀ ବିଷ୍ଣୁ ଏପରି ସବୁ ଆୟୋଜନ କରିଛି; କିନ୍ତୁ ଏତେ ସବୁ ଚାଲାକି କରି ସେ କଣ କରିପାରିବ ?

ଏବଂ ବ୍ରୁବଂସ୍ତ୍ୱଭ୍ୟପତଦ୍ଗଦାୟୁଧୋ

ନଦନ୍ ନୃସିଂହଂ ପ୍ରତି ଦୈତ୍ୟକୁଞ୍ଜରଃ ।

ଅଲକ୍ଷିତୋଽଗ୍ନୌ ପତିତଃ ପତଙ୍ଗମୋ

ଯଥା ନୃସିଂହୌଜସି ସୋଽସୁରସ୍ତଦା ॥ ୨୪॥

ମନେ ମନେ ଏପରି ଚିନ୍ତା କରି ଦୈତ୍ୟରାଜ ହିରଣ୍ୟକଶିପୁ ହାତରେ ଗଦା ଧରି ସିଂହନାଦ କରି ନୃସିଂହଭଗବାନଙ୍କ ଉପରକୁ ଲମ୍ପ ଦେଲା | କିନ୍ତୁ ଅଗ୍ନିରେ ପ୍ରବେଶ କରି ପତଙ୍ଗ ଅଦୃଶ୍ୟ ହୋଇଯିବା ପରି ଭଗବାନଙ୍କ ତେଜ ଭିତରକୁ ଯାଇ ସେହି ଦୈତ୍ୟ ନିଖୋଜ ହୋଇଗଲା |

ନ ତଦ୍ୱିଚିତ୍ରଂ ଖଲୁ ସତ୍ତ୍ୱଧାମନି

ସ୍ୱତେଜସା ଯୋ ନୁ ପୁରାପିବତ୍ତମଃ ।

ତତୋଽଭିପଦ୍ୟାଭ୍ୟହନନ୍ମହାସୁରୋ

ରୁଷା ନୃସିଂହଂ ଗଦୟୋରୁବେଗୟା ॥ ୨୫॥

ସମସ୍ତ ଶକ୍ତି ଏବଂ ତେଜର ଆଶ୍ରୟ ଭଗବାନଙ୍କ ସମ୍ବନ୍ଧରେ ଏପରି ଘଟଣା କିଛି ଆଶ୍ଚର୍ଯ୍ୟଜନକ ନ ଥିଲା; କାରଣ ସୃଷ୍ଟିର ପ୍ରାରମ୍ଭରେ ସେ ନିଜ ତେଜରେ ପ୍ରଳୟର ନିମିତ୍ତଭୂତ ତମୋଗୁଣରୂପୀ ଘୋର ଅନ୍ଧକାରକୁ ମଧ୍ୟ ପାନ କରି ନେଇଥିଲେ | ତଦନନ୍ତର ସେହି ଦୈତ୍ୟ କ୍ରୋଧରେ ଅତିଷ୍ଠ ହୋଇ ନିଜ ଗଦା ଘୂରାଇ ଖୁବ୍ ଜୋରରେ ନୃସିଂହଭଗବାନଙ୍କୁ ପ୍ରହାର କଲା |

ତଂ ବିକ୍ରମନ୍ତଂ ସଗଦଂ ଗଦାଧରୋ

ମହୋରଗଂ ତାର୍କ୍ଷ୍ୟସୁତୋ ଯଥାଗ୍ରହୀତ୍ ।

ସ ତସ୍ୟ ହସ୍ତୋତ୍କଲିତସ୍ତଦାସୁରୋ

ବିକ୍ରୀଡତୋ ଯଦ୍ୱଦହିର୍ଗରୁତ୍ମତଃ ॥ ୨୬॥

ସେ ପ୍ରହାର କରିବା ସମୟରେ – ଗରୁଡ ସାପକୁ ଧରିନେବା ପରି ଭଗବାନ ଗଦା ସହିତ ସେହି ଦୈତ୍ୟକୁ ଧରିନେଲେ | ତାକୁ ଧରି ନେଇ ଭଗବାନ ତା ସହିତ ଖେଳିବାରେ ଲାଗିଥିବା ବେଳେ ଗରୁଡ଼-ପଂଝାରୁ ସାପ ଖସିଯିବା ପରି ସେ ତାଙ୍କ ହାତରୁ ଖସିଗଲା |

ଅସାଧ୍ୱମନ୍ୟନ୍ତ ହୃତୌକସୋଽମରା

ଘନଚ୍ଛଦା ଭାରତ ସର୍ୱଧିଷ୍ଣ୍ୟପାଃ ।

ତଂ ମନ୍ୟମାନୋ ନିଜବୀର୍ୟଶଙ୍କିତଂ

ଯଦ୍ଧସ୍ତମୁକ୍ତୋ ନୃହରିଂ ମହାସୁରଃ ।

ପୁନସ୍ତମାସଜ୍ଜତ ଖଡ୍ଗଚର୍ମଣୀ

ପ୍ରଗୃହ୍ୟ ବେଗେନ ଜିତଶ୍ରମୋ ମୃଧେ ॥ ୨୭॥

ହେ ଯୁଧିଷ୍ଠିର ! ବାଦଲ ଉହାଡରେ ଛପି ରହି ସବୁ ଲୋକପାଳ ସେହି ଯୁଦ୍ଧକୁ ଦେଖୁଥିଲେ | ସେମାନଙ୍କର ସ୍ବର୍ଗ ତ ହିରଣ୍ୟକଶିପୁ ପୂର୍ବରୁ ହିଁ ସେମାନଙ୍କ ହାତରୁ ଛଡାଇ ନେଇଥିଲା, ଏବେ ଭଗବାନଙ୍କ ହାତରୁ ସେ ଖସିଯିବା ଦେଖି ସେମାନେ ବହୁତ ଡରି ଗଲେ | ହିରଣ୍ୟକଶିପୁ ଭାବିଲା ତାର ବଳବୀର୍ଯ୍ୟକୁ ଦେଖି ଭୟରେ ନୃସିଂହଭଗବାନ ତାକୁ ହାତରୁ ଛାଡି ଦେଲେ | ଏହି ବିଚାରରେ ସେ ଫୁର୍ତ୍ତିର ସହିତ ପୁନର୍ବାର ଢାଲ-ତରବାରୀ ହାତରେ ଧରି ଯୁଦ୍ଧ କରିବା ପାଇଁ ଧାଇଁ ଆସିଲା |

ତଂ ଶ୍ୟେନବେଗଂ ଶତଚନ୍ଦ୍ରବର୍ତ୍ମଭି-

ଶ୍ଚରନ୍ତମଚ୍ଛିଦ୍ରମୁପର୍ୟଧୋ ହରିଃ ।

କୃତ୍ୱାଟ୍ଟହାସଂ ଖରମୁତ୍ସ୍ୱନୋଲ୍ବଣଂ

ନିମୀଲିତାକ୍ଷଂ ଜଗୃହେ ମହାଜବଃ ॥ ୨୮॥

ବିଷ୍ୱକ୍ସ୍ଫୁରନ୍ତଂ ଗ୍ରହଣାତୁରଂ ହରି-

ର୍ୱ୍ୟାଲୋ ଯଥାଽଽଖୁଂ କୁଲିଶାକ୍ଷତତ୍ୱଚମ୍ ।

ଦ୍ୱାର୍ୟୂର ଆପାତ୍ୟ ଦଦାର ଲୀଲୟା

ନଖୈର୍ୟଥାହିଂ ଗରୁଡୋ ମହାବିଷମ୍ ॥ ୨୯॥

ସେହି ସମୟରେ ସେ ବାଜପକ୍ଷୀ ପରି ପ୍ରବଳ ବେଗରେ ତଳ-ଉପର ଡେଇଁ-କୁଦି ଏପରି ଭାବରେ ଢାଲ-ତରବାରୀ ଚାଳନା କରିବାରେ ଲାଗିଲା ଯେପରି କି ପ୍ରତିଆକ୍ରମଣ କରିବାକୁ କାହାକୁ ଅବସର ମିଳିବ ନାହିଁ | ତାହା ଦେଖି ଭଗବାନ ଅତି ଉଚ୍ଚ ସ୍ବରରେ ପ୍ରଚଣ୍ଡ ଏବଂ ଭୟଙ୍କର ଅଟ୍ଟହାସ କଲେ, ଯଦ୍ବାରା ହିରଣ୍ୟକଶିପୁର ନେତ୍ର ବନ୍ଦ ହୋଇଗଲା | ତତ୍ପଶ୍ଚାତ୍ ସାପ ମୂଷାକୁ ଧରି ନେବା ପରି ଭଗବାନ ଅତି ବେଗରେ ଝପଟା ମାରି ତାକୁ ଧରିନେଲେ | ବଜ୍ରଚୋଟରେ ଯାହାର ଶରୀରରେ ସାମାନ୍ୟ କ୍ଷତ ସୁଦ୍ଧା ହୋଇ ନ ଥିଲା, ସେହି ହିରଣ୍ୟକଶିପୁ ଏବେ ଭଗବାନଙ୍କ ପଂଝାରୁ ମୁକୁଳିବାର ଚେଷ୍ଟାରେ ଛଟପଟ ହେବାରେ ଲାଗିଲା | ସଭାଭବନର ଦ୍ବାରଦେଶକୁ ଘୋଷାରି ନେଇ ଭଗବାନ ତାକୁ ନିଜ ଜଂଘ ଉପରେ ଶୁଆଇ ଦେଲେ ଏବଂ ଖେଳ-ଖେଳରେ ତାକୁ ନିଜ ନଖ ଦ୍ବାରା ଏପରି ଚିରିଦେଲେ ଯେପରି ଗରୁଡ଼ ମହା ବିଷଧର ସର୍ପକୁ ଚିରି ଫାଳ କରିଦେଇ ଥାଏ |

ସଂରମ୍ଭଦୁଷ୍ପ୍ରେକ୍ଷ୍ୟକରାଲଲୋଚନୋ

ବ୍ୟାତ୍ତାନନାନ୍ତଂ ବିଲିହନ୍ ସ୍ୱଜିହ୍ୱୟା ।

ଅସୃଗ୍ଲବାକ୍ତାରୁଣକେସରାନନୋ

ଯଥାନ୍ତ୍ରମାଲୀ ଦ୍ୱିପହତ୍ୟଯା ହରିଃ ॥ ୩୦॥

ସେହି ସମୟରେ କ୍ରୋଧରେ ବିକରାଳ ଦେଖା ଯାଉଥିବା ଭଗବାନଙ୍କର ନେତ୍ରକୁ ଚାହିଁ ହେଉ ନ ଥିଲା | ସେ ନିଜର ଲହଲହ ହେଉଥିବା ଜିଭରେ ପାଟିର ଦୁଇ କୋଣକୁ ଚାଟିବାରେ ଲାଗିଥିଲେ | ରକ୍ତ ଛିଟାରେ ତାଙ୍କର ମୁହଁ ଏବଂ ଗ୍ରୀବା ଉପରକୁ ଝୁଲି ରହିଥିବା କେଶ ରକ୍ତବର୍ଣ୍ଣ ଧାରଣ କରିଥିଲା | ହାତୀକୁ ମାରି ତାର ଅନ୍ତନାଡିକୁ ଗଳାରେ ମାଳା ରୂପେ ଧାରଣ କରିଥିବା ସିଂହ ପରି ସେ ଶୋଭା ପାଉଥିଲେ |

ନଖାଙ୍କୁରୋତ୍ପାଟିତହୃତ୍ସରୋରୁହଂ

ବିସୃଜ୍ୟ ତସ୍ୟାନୁଚରାନୁଦାୟୁଧାନ୍ ।

ଅହନ୍ ସମନ୍ତାନ୍ନଖଶସ୍ତ୍ରପାର୍ଷ୍ଣିଭି-

ର୍ଦୋର୍ଦଣ୍ଡୟୂଥୋଽନୁପଥାନ୍ ସହସ୍ରଶଃ ॥ ୩୧॥

ସେ ନିଜର ତୀକ୍ଷ୍ଣ ନଖ ଦ୍ବାରା ହିରଣ୍ୟକଶିପୁର କଲିଜାକୁ ଚିରି ତାହାକୁ ଭୂମି ଉପରେ ଫିଙ୍ଗିଦେଲେ | ଏହା ପରେ ହଜାର ସଂଖ୍ୟାରେ ଦୈତ୍ୟ-ଦାନବ ହାତରେ ଶସ୍ତ୍ର ଧାରଣ କରି ଭଗବାନଙ୍କୁ ପ୍ରହାର କରିବା ଉଦ୍ଦେଶ୍ୟରେ ତାଙ୍କ ଆଡକୁ ଧାଇଁ ଆସିଲେ | କିନ୍ତୁ ଭଗବାନ ନିଜର ଭୁଜରୂପୀ ସେନା ଏବଂ ନଖରୂପୀ ଶସ୍ତ୍ର ଦ୍ବାରା ସେମାନଙ୍କୁ ଗୋଡାଇ-ଗୋଡାଇ ମାରିଦେଲେ |

ସଟାବଧୂତା ଜଲଦାଃ ପରାପତନ୍

ଗ୍ରହାଶ୍ଚ ତଦ୍ଦୃଷ୍ଟିବିମୁଷ୍ଟରୋଚିଷଃ ।

ଅମ୍ଭୋଧୟଃ ଶ୍ୱାସହତା ବିଚୁକ୍ଷୁଭୁ-

ର୍ନିର୍ହ୍ରାଦଭୀତା ଦିଗିଭା ବିଚୁକ୍ରୁଶୁଃ ॥ ୩୨॥

ହେ ଯୁଧିଷ୍ଠିର ! ସେହି ସମୟରେ ନୃସିଂହ ଭଗବାନଙ୍କର ଗ୍ରୀବାଦେଶର କେଶର ଝଟକାରେ ଆକାଶରେ ବାଦଲମାନେ ଫାଟି ଛିନଛତର ହୋଇଗଲେ | ତାଙ୍କ ନେତ୍ରର ଜ୍ବାଳାରେ ସୂର୍ଯ୍ୟ ଆଦି ଗ୍ରହମାନଙ୍କର ତେଜ ଫିକା ପଡିଗଲା | ତାଙ୍କ ଶ୍ବାସର ଆଘାତରେ ସମୁଦ୍ର କ୍ଷୁବ୍ଧ ହୋଇ ଉଠିଲା | ତାଙ୍କ ସିଂହନାଦରେ ଭୟଭୀତ ହୋଇ ଦିଗପାଳମାନେ ପ୍ରତିଧ୍ବନିତ ହେବାରେ ଲାଗିଲେ |

ଦ୍ୟୌସ୍ତତ୍ସଟୋତ୍କ୍ଷିପ୍ତବିମାନସଙ୍କୁଲା

ପ୍ରୋତ୍ସର୍ପତ କ୍ଷ୍ମା ଚ ପଦାଭିପୀଡିତା ।

ଶୈଲାଃ ସମୁତ୍ପେତୁରମୁଷ୍ୟ ରଂହସା

ତତ୍ତେଜସା ଖଂ କକୁଭୋ ନ ରେଜିରେ ॥ ୩୩॥

ତାଙ୍କ ଗ୍ରୀବାର ରୋମରାଜିରେ ଧକ୍କା ପାଇ ଦେବତାମାନଙ୍କର ବିମାନ ଟଳମଳ ହେବାରେ ଲାଗିଲା, ସ୍ବର୍ଗଲୋକରେ ଦୋଳନ ସୃଷ୍ଟି ହେଲା | ତାଙ୍କ ପଦାଘାତରେ ଭୂକମ୍ପ ଜାତ ହେଲା, ପର୍ବତମାନେ ସତେ ଯେପରି ଉଡିବାରେ ଲାଗିଲେ | ତାଙ୍କ ତେଜର ଆଖିଝଲସା ପ୍ରକାଶରେ ଆକାଶ ତଥା ଦିଗବିଦିଗ ଅଦୃଶ୍ୟ ପ୍ରାୟ ହୋଇଗଲା |

ତତଃ ସଭାୟାମୁପବିଷ୍ଟମୁତ୍ତମେ

ନୃପାସନେ ସମ୍ଭୃତତେଜସଂ ବିଭୁମ୍ ।

ଅଲକ୍ଷିତଦ୍ୱୈରଥମତ୍ୟମର୍ଷଣଂ

ପ୍ରଚଣ୍ଡବକ୍ତ୍ରଂ ନ ବଭାଜ କଶ୍ଚନ ॥ ୩୪॥

ସେହି ସମୟରେ ନୃସିଂହଭଗବାନଙ୍କର ସାମନା କରିବା ପରି କେହି ଜଣେ ମଧ୍ୟ ଦେଖା ଯାଉ ନ ଥିଲେ | ତାଙ୍କର କ୍ରୋଧ ଉତ୍ତରୋତ୍ତର ବୃଦ୍ଧି ଲାଭ କରିବାରେ ଲାଗିଥିଲା | ସେ ହିରଣ୍ୟକଶିପୁର ସୁଉଚ୍ଚ ରାଜ ସିଂହାସନରେ ବିରାଜମାନ କଲେ | ସେତେବେଳେ ତାଙ୍କର ଅତ୍ୟନ୍ତ ତେଜପୂର୍ଣ୍ଣ ଏବଂ କ୍ରୋଧଯୁକ୍ତ ଭୟଙ୍କର ରୂପକୁ ଦେଖି କେହି ମଧ୍ୟ ତାଙ୍କ ସମୀପକୁ ଯାଇ ତାଙ୍କର ସେବା କରିବାକୁ ସାହସ କଲେ ନାହିଁ |

ନିଶାମ୍ୟ ଲୋକତ୍ରୟମସ୍ତକଜ୍ୱରଂ

ତମାଦିଦୈତ୍ୟଂ ହରିଣା ହତଂ ମୃଧେ ।

ପ୍ରହର୍ଷବେଗୋତ୍କଲିତାନନା ମୁହୁଃ

ପ୍ରସୂନବର୍ଷୈର୍ୱବୃଷୁଃ ସୁରସ୍ତ୍ରିୟଃ ॥ ୩୫॥

ଯୁଧିଷ୍ଠିର ! ସ୍ବର୍ଗର ଦେବ-ଦେବୀଙ୍କୁ ଯେତେବେଳେ ଏହି ଶୁଭ ସମାଚାର ମିଳିଲା ଯେ ଯୁଦ୍ଧରେ ଭଗବାନଙ୍କ ଦ୍ବାରା ତ୍ରିଲୋକର ମୂର୍ତ୍ତିମାନ ସିରପୀଡା ହିରଣ୍ୟକଶିପୁର ନିଧନ ହୋଇଛି, ସେତେବେଳେ ଆନନ୍ଦ-ଉଲ୍ଲାସରେ ପ୍ରଫୁଲ୍ଲିତ ହୋଇ ସେମାନେ ଭଗବାନଙ୍କ ଉପରେ ପୁଷ୍ପ ବୃଷ୍ଟି କରିବାରେ ଲାଗିଲେ |

ତଦା ବିମାନାବଲିଭିର୍ନଭସ୍ତଲଂ

ଦିଦୃକ୍ଷତାଂ ସଙ୍କୁଲମାସ ନାକିନାମ୍ ।

ସୁରାନକା ଦୁନ୍ଦୁଭୟୋଽଥ ଜଘ୍ନିରେ

ଗନ୍ଧର୍ୱମୁଖ୍ୟା ନନୃତୁର୍ଜଗୁଃ ସ୍ତ୍ରିୟଃ ॥ ୩୬॥

ଆକାଶରେ ଭଗବାନଙ୍କର ଦର୍ଶନ-ଅଭିଳାଷୀ ଦେବତାମାନଙ୍କର ବିମାନର ଭିଡ ଲାଗିଗଲା | ଦେବତାମାନଙ୍କର ଢୋଲ-ନାଗରା ବାଜି ଉଠିଲା, ଗନ୍ଧର୍ବରାଜ ଗାନ କଲେ, ଅପ୍ସରାମାନେ ନୃତ୍ୟ କରିବାରେ ଲାଗିଲେ |

ତତ୍ରୋପବ୍ରଜ୍ୟ ବିବୁଧା ବ୍ରହ୍ମେନ୍ଦ୍ରଗିରିଶାଦୟଃ ।

ଋଷୟଃ ପିତରଃ ସିଦ୍ଧା ବିଦ୍ୟାଧରମହୋରଗାଃ ॥ ୩୭॥

ମନବଃ ପ୍ରଜାନାଂ ପତୟୋ ଗନ୍ଧର୍ୱାପ୍ସରଚାରଣାଃ ।

ଯକ୍ଷାଃ କିମ୍ପୁରୁଷାସ୍ତାତ ବେତାଲାଃ ସିଦ୍ଧକିନ୍ନରାଃ ॥ ୩୮॥

ତେ ବିଷ୍ଣୁପାର୍ଷଦାଃ ସର୍ୱେ ସୁନନ୍ଦକୁମୁଦାଦୟଃ ।

ମୂର୍ଧ୍ନି ବଦ୍ଧାଞ୍ଜଲିପୁଟା ଆସୀନଂ ତୀବ୍ରତେଜସମ୍ ।

ଈଡିରେ ନରଶାର୍ଦୁଲଂ ନାତିଦୂରଚରାଃ ପୃଥକ୍ ॥ ୩୯॥

ବ୍ରହ୍ମା, ଇନ୍ଦ୍ର, ଶଂକର ଆଦି ଦେବତା, ଋଷି, ପିତର, ସିଦ୍ଧ, ବିଦ୍ୟାଧର, ମହାନାଗ, ମନୁ, ପ୍ରଜାପତି, ଗନ୍ଧର୍ବ, ଅପ୍ସରା, ଚାରଣ, ଯକ୍ଷ, କିମ୍ପୁରୁଷ, ବେତାଳ, କିନ୍ନର ଏବଂ ସୁନନ୍ଦ-କୁମୁଦ ଆଦି ଭଗବାନଙ୍କର ପାର୍ଷଦମାନେ ତାଙ୍କ ପାଖକୁ ଆସିଲେ | ସେମାନେ ସମସ୍ତେ ସିଂହାସନରେ ବିରାଜମାନ ଅତ୍ୟନ୍ତ ତେଜସ୍ବୀ ନୃସିଂହଭଗବାନଙ୍କଠାରୁ ଇଷତ୍ ଦୂରରେ ଠିଆ ହୋଇ ମସ୍ତକରେ ଅଞ୍ଜଳି ବାନ୍ଧି ପୃଥକ୍ ପୃଥକ୍ ତାଙ୍କର ସ୍ତୁତି କରିବାରେ ଲାଗିଲେ |

ବ୍ରହ୍ମୋବାଚ

ନତୋଽସ୍ମ୍ୟନନ୍ତାୟ ଦୁରନ୍ତଶକ୍ତୟେ

ବିଚିତ୍ରବୀର୍ୟାୟ ପବିତ୍ରକର୍ମଣେ ।

ବିଶ୍ୱସ୍ୟ ସର୍ଗସ୍ଥିତିସଂୟମାନ୍ ଗୁଣୈଃ

ସ୍ୱଲୀଲୟା ସନ୍ଦଧତେଽବ୍ୟଯାତ୍ମନେ ॥ ୪୦॥

ବ୍ରହ୍ମା ସ୍ତୁତି କଲେ – ପ୍ରଭୁ ! ଆପଣ ଅନନ୍ତ ଅଟନ୍ତି | କେହି ମଧ୍ୟ ଆପଣଙ୍କ ଶକ୍ତିର କଳନା କରିପାରିବେ ନାହିଁ | ଆପଣଙ୍କର ପରାକ୍ରମ ବିଚିତ୍ର ଏବଂ କର୍ମ ପବିତ୍ର ଅଟେ | ଲୀଳା କରିବାକୁ ଯାଇ ଯଦିଓ ଆପଣ ଗୁଣ ଦ୍ବାରା ସମ୍ପୂର୍ଣ୍ଣ ବିଶ୍ବର ଉତ୍ପତ୍ତି, ପାଳନ ଏବଂ ପ୍ରଳୟ ଯଥୋଚିତ ଢଙ୍ଗରେ କରିଥାଆନ୍ତି, ତଥାପି ଆପଣଙ୍କର ତାହା ସହିତ କୌଣସି ସମ୍ବନ୍ଧ ନ ଥାଏ; ଆପଣ ନିର୍ବିକାର ଅଟନ୍ତି | ମୁଁ ଆପଣଙ୍କୁ ନମସ୍କାର କରୁଛି |

ଶ୍ରୀରୁଦ୍ର ଉବାଚ

କୋପକାଲୋ ଯୁଗାନ୍ତସ୍ତେ ହତୋଽୟମସୁରୋଽଲ୍ପକଃ ।

ତତ୍ସୁତଂ ପାହ୍ୟୁପସୃତଂ ଭକ୍ତଂ ତେ ଭକ୍ତବତ୍ସଲ ॥ ୪୧॥

ରୁଦ୍ର ସ୍ତୁତି କଲେ – ଆପଣଙ୍କ କ୍ରୋଧର ସମୟ ତ କଳ୍ପାନ୍ତରେ ଆସିଥାଏ | ଯଦି ଏହି ତୁଚ୍ଛ ଦୈତ୍ୟର ବିନାଶ ନିମନ୍ତେ ଆପଣ କ୍ରୋଧକୁ ସ୍ବୀକାର କଲେ, ତେବେ ତାର ତ ଏବେ ନିଧନ ହୋଇସାରିଛି | ତାର ପୁତ୍ର ଆପଣଙ୍କର ଶରଣାଗତ ଅଟେ | ଭକ୍ତବତ୍ସଳ ପ୍ରଭୁ ! ଆପଣ ନିଜର ସେହି ଭକ୍ତକୁ ରକ୍ଷା କରନ୍ତୁ |

ଇନ୍ଦ୍ର ଉବାଚ

ପ୍ରତ୍ୟାନୀତାଃ ପରମ ଭବତା ତ୍ରାୟତା ନଃ ସ୍ୱଭାଗା

ଦୈତ୍ୟାକ୍ରାନ୍ତଂ ହୃଦୟକମଲଂ ତ୍ୱଦ୍ଗୃହଂ ପ୍ରତ୍ୟବୋଧି ।

କାଲଗ୍ରସ୍ତଂ କିୟଦିଦମହୋ ନାଥ ଶୁଶ୍ରୂଷତାଂ ତେ

ମୁକ୍ତିସ୍ତେଷାଂ ନ ହି ବହୁମତା ନାରସିଂହାପରୈଃ କିମ୍ ॥ ୪୨॥

ଇନ୍ଦ୍ର ସ୍ତୁତି କଲେ – ହେ ପୁରୁଷୋତ୍ତମ ! ଆପଣ ଆମ୍ଭମାନଙ୍କର ରକ୍ଷା କରିଛନ୍ତି | ଆପଣ ଆମ୍ଭମାନଙ୍କର ଯେଉଁ ଯଜ୍ଞଭାଗ ଫେରାଇ ଆଣିଛନ୍ତି, ତାହା ବାସ୍ତବରେ ଆପଣଙ୍କର ହିଁ ଅଟେ | ଦୈତ୍ୟମାନଙ୍କର ଆତଙ୍କରେ ସଙ୍କୁଚିତ ହୋଇ ଯାଇଥିବା ଆମ୍ଭମାନଙ୍କର ହୃଦୟକମଳକୁ ଆପଣ ପ୍ରଫୁଲ୍ଲିତ କରିଦେଲେ | ତାହା ମଧ୍ୟ ଆପଣଙ୍କର ହିଁ ନିବାସସ୍ଥାନ ଅଟେ | ଏହି ଯେଉଁ ସ୍ବର୍ଗାଦି ରାଜ୍ୟ ଆମ୍ଭମାନଙ୍କୁ ପୁନଃ ପ୍ରାପ୍ତ ହୋଇଛି, ତାହା ତ କାଳର ଗ୍ରାସ ଅଟେ; ଆପଣଙ୍କର ସେବକମାନଙ୍କ ପାଇଁ ତାହାର କିଛି ମହତ୍ତ୍ବ ନାହିଁ | ସ୍ବାମୀ ! ଯେଉଁମାନେ ଆପଣଙ୍କର ସେବା ଇଚ୍ଛା କରନ୍ତି, ସେମାନେ ମୁକ୍ତିର ମଧ୍ୟ ଆଦର କରନ୍ତି ନାହିଁ | ସେପରି କ୍ଷେତ୍ରରେ, ସେମାନଙ୍କ ପାଇଁ ଅନ୍ୟ ଭୋଗବିଳାସର ଆବଶ୍ୟକତା କଣ ?

ଋଷୟ ଊଚୁଃ

ତ୍ୱଂ ନସ୍ତପଃ ପରମମାତ୍ଥ ଯଦାତ୍ମତେଜୋ

ଯେନେଦମାଦିପୁରୁଷାତ୍ମଗତଂ ସସର୍ଜ ।

ତଦ୍ୱିପ୍ରଲୁପ୍ତମମୁନାଦ୍ୟ ଶରଣ୍ୟପାଲ

ରକ୍ଷାଗୃହୀତବପୁଷା ପୁନରନ୍ୱମଂସ୍ଥାଃ ॥ ୪୩॥

ଋଷିମାନେ ସ୍ତୁତି କଲେ – ହେ ପୁରୁଷୋତ୍ତମ ! ତପସ୍ୟା ଦ୍ବାରା ହିଁ ଆପଣ ନିଜ ମଧ୍ୟରେ ଲୀନ ଜଗତର ପୁନଃ ରଚନା କରନ୍ତି ଏବଂ ଆପଣ କୃପା କରି ସେହି ଆତ୍ମତେଜ-ସ୍ବରୂପ ଶ୍ରେଷ୍ଠ ତପସ୍ୟାର ଉପଦେଶ ଆମ୍ଭମାନଙ୍କୁ ପ୍ରଦାନ କରିଛନ୍ତି | ଏହି ଦୈତ୍ୟ ସେହି ତପସ୍ୟାର ଉଚ୍ଛେଦ କରି ଦେଇଥିଲା | ଶରଣାଗତବତ୍ସଳ ପ୍ରଭୁ ! ସେହି ତପସ୍ୟାର ରକ୍ଷା ନିମନ୍ତେ ଅବତାର ଗ୍ରହଣ କରି ଆପଣ ଆମ୍ଭମାନଙ୍କ ପାଇଁ ପୁନର୍ବାର ତାହାର ଅନୁମୋଦନ କରିଛନ୍ତି |

ପିତର ଊଚୁଃ

ଶ୍ରାଦ୍ଧାନି ନୋଽଧିବୁଭୁଜେ ପ୍ରସଭଂ ତନୂଜୈ-

ର୍ଦତ୍ତାନି ତୀର୍ଥସମୟେଽପ୍ୟପିବତ୍ତିଲାମ୍ବୁ ।

ତସ୍ୟୋଦରାନ୍ନଖବିଦୀର୍ଣବପାଦ୍ୟ ଆର୍ଚ୍ଛ-

ତ୍ତସ୍ମୈ ନମୋ ନୃହରୟେଽଖିଲଧର୍ମଗୋପ୍ତ୍ରେ ॥ ୪୪॥

ପିତୃପୁରୁଷମାନେ ସ୍ତୁତି କଲେ – ପ୍ରଭୁ ! ଆମ୍ଭମାନଙ୍କର ପୁତ୍ରମାନେ ଆମ୍ଭମାନଙ୍କ ଉଦ୍ଦେଶ୍ୟରେ ଯେଉଁ ପିଣ୍ଡଦାନ କରୁଥିଲେ, ଏହି ଦୈତ୍ୟ ତାହାକୁ ଜବରଦସ୍ତୀ ଛଡାଇ ଖାଉଥିଲା | ପବିତ୍ର ତୀର୍ଥମାନଙ୍କରେ ବା ସଂକ୍ରାନ୍ତି ଆଦି ଅବସରରେ ଯେତେବେଳେ ସେମାନେ ନୈମିତ୍ତିକ ତର୍ପଣ କରୁଥିଲେ ବା ତିଳାଞ୍ଜଳି ଦେଉଥିଲେ, ସେତେବେଳେ ଇଏ ତାହାକୁ ପିଇ ଯାଉଥିଲା | ଆଜି ଆପଣ ନିଜ ନଖରେ ତାହାର ଉଦର ବିଦାରଣ କରି ଆମ୍ଭମାନଙ୍କୁ ତାହା ସବୁ ଫେରାଇ ଦେଇଛନ୍ତି | ଆପଣ ସମସ୍ତ ଧର୍ମର ଏକମାତ୍ର ରକ୍ଷକ ଅଟନ୍ତି | ହେ ନୃସିଂହଦେବ ! ଆମେ ଆପଣଙ୍କୁ ନମସ୍କାର କରୁଛୁ |

ସିଦ୍ଧା ଊଚୁଃ

ଯୋ ନୋ ଗତିଂ ଯୋଗସିଦ୍ଧାମସାଧୁ-

ରହାର୍ଷୀଦ୍ୟୋଗତପୋବଲେନ ।

ନାନାଦର୍ପଂ ତଂ ନଖୈର୍ନିର୍ଦଦାର

ତସ୍ମୈ ତୁଭ୍ୟଂ ପ୍ରଣତାଃ ସ୍ମୋ ନୃସିଂହ ॥ ୪୫॥

ସିଦ୍ଧଗଣ ସ୍ତୁତି କଲେ – ହେ ନୃସିଂହଦେବ ! ଏହି ଦୁଷ୍ଟ ନିଜ ଯୋଗ ଏବଂ ତପସ୍ୟା ବଳରେ ଆମ୍ଭମାନଙ୍କର ଯୋଗସିଦ୍ଧ ଗତି ହରଣ କରି ନେଇଥିଲା | ଆପଣ ନିଜ ନଖ ଦ୍ବାରା ଏହି ଅହଂକାରୀକୁ ବିଦୀର୍ଣ୍ଣ କଲେ | ଆମେ ଆପଣଙ୍କ ଚରଣରେ ବିନୀତ ଭାବରେ ନମସ୍କାର କରୁଛୁ |

ବିଦ୍ୟାଧରା ଊଚୁଃ

ବିଦ୍ୟାଂ ପୃଥଗ୍ଧାରଣୟାନୁରାଦ୍ଧାଂ

ନ୍ୟଷେଧଦଜ୍ଞୋ ବଲବୀର୍ୟଦୃପ୍ତଃ ।

ସ ଯେନ ସଙ୍ଖ୍ୟେ ପଶୁବଦ୍ଧତସ୍ତଂ

ମାୟାନୃସିଂହଂ ପ୍ରଣତାଃ ସ୍ମ ନିତ୍ୟମ୍ ॥ ୪୬॥

ବିଦ୍ୟାଧରମାନେ ସ୍ତୁତି କଲେ – ଏହି ମୂର୍ଖ ହିରଣ୍ୟକଶିପୁ ନିଜ ବଳ ଏବଂ ବୀରତାର ମଦରେ ଉନ୍ମତ୍ତ ଥିଲା | ଏପରି କି ଆମ୍ଭେମାନେ ବିବିଧ ଧାରଣା ଦ୍ବାରା ଯେଉଁ ବିଦ୍ୟା ପ୍ରାପ୍ତ କରିଥିଲୁ, ସେ ତାହାକୁ ବ୍ୟର୍ଥ କରିଦେଇ ଥିଲା | ଯୁଦ୍ଧରେ ଆପଣ ଯଜ୍ଞପଶୁ ପରି ତାହାର ବଧ କଲେ | ଲୀଳାରେ ନୃସିଂହ ରୂପ ଧାରଣ କରିଥିବା ଆପଣଙ୍କୁ ଆମେ ବାରମ୍ବାର ପ୍ରଣାମ କରୁଛୁ |

ନାଗା ଊଚୁଃ

ଯେନ ପାପେନ ରତ୍ନାନି ସ୍ତ୍ରୀରତ୍ନାନି ହୃତାନି ନଃ ।

ତଦ୍ୱକ୍ଷଃପାଟନେନାସାଂ ଦତ୍ତାନନ୍ଦ ନମୋଽସ୍ତୁ ତେ ॥ ୪୭॥

ନାଗମାନେ ସ୍ତୁତି କଲେ – ଏହି ପାପୀ ଆମ୍ଭମାନଙ୍କର ମଣି ଏବଂ ସୁନ୍ଦରୀ ପତ୍ନୀମାନଙ୍କୁ ହରଣ କରିଥିଲା ଆଜି ତାହାର ବକ୍ଷ ବିଦାରଣ କରି ଆପଣ ଆମର ପତ୍ନୀମାନଙ୍କୁ ଅତିଶୟ ଆନନ୍ଦ ପ୍ରଦାନ କରିଛନ୍ତି | ପ୍ରଭୁ ! ଆମେ ଆପଣଙ୍କୁ ନମସ୍କାର କରୁଛୁ |

ମନବ ଊଚୁଃ

ମନବୋ ବୟଂ ତବ ନିଦେଶକାରିଣୋ

ଦିତିଜେନ ଦେବ ପରିଭୂତସେତବଃ ।

ଭବତା ଖଲଃ ସ ଉପସଂହୃତଃ ପ୍ରଭୋ

କରବାମ ତେ କିମନୁଶାଧି କିଙ୍କରାନ୍ ॥ ୪୮॥

ମନୁମାନେ ସ୍ତୁତି କଲେ – ଦେବାଧିଦେବ ! ଆମ୍ଭେମାନେ ଆପଣଙ୍କର ଆଜ୍ଞାକାରୀ ମନୁ ଅଟୁ | ଏହି ଦୈତ୍ୟ ଆମ୍ଭମାନଙ୍କର ଧର୍ମମର୍ଯ୍ୟାଦା ନଷ୍ଟ କରି ଦେଇଥିଲା | ଏହି ଦୁଷ୍ଟର ସଂହାର କରି ଆପଣ ବହୁତ ବଡ ଉପକାର କରିଛନ୍ତି | ପ୍ରଭୁ ! ଆମେ ଆପଣଙ୍କର ସେବକ ଅଟୁ | ଆଜ୍ଞା ଦିଅନ୍ତୁ, ଆମେ ଆପଣଙ୍କର କି ସେବା କରିବୁ ?

ପ୍ରଜାପତୟ ଊଚୁଃ

ପ୍ରଜେଶା ବୟଂ ତେ ପରେଶାଭିସୃଷ୍ଟା

ନ ଯେନ ପ୍ରଜା ବୈ ସୃଜାମୋ ନିଷିଦ୍ଧାଃ ।

ସ ଏଷ ତ୍ୱୟା ଭିନ୍ନବକ୍ଷା ନୁ ଶେତେ

ଜଗନ୍ମଙ୍ଗଲଂ ସତ୍ତ୍ୱମୂର୍ତେଽବତାରଃ ॥ ୪୯॥

ପ୍ରଜାପତିମାନେ ସ୍ତୁତି କଲେ – ପରମେଶ୍ବର ! ଆପଣ ଆମ୍ଭମାନଙ୍କୁ ପ୍ରଜାପତି କରିଛନ୍ତି | କିନ୍ତୁ ଏହା ଦ୍ବାରା ପ୍ରତିବାଧିତ ହୋଇ ଆମେ ପ୍ରଜାମାନଙ୍କର ସୃଷ୍ଟି କରି ପାରୁ ନ ଥିଲୁ | ଆପଣ ଏହାର ବକ୍ଷ ବିଦାରଣ କରି ସବୁଦିନ ପାଇଁ ଏହାକୁ ଭୂମିରେ ଶୁଆଇ ଦେଲେ | ସତ୍ତ୍ବମୟ ମୂର୍ତ୍ତି ଧାରଣ କରିଥିବା ହେ ପ୍ରଭୁ ! ଆପଣଙ୍କର ଏହି ଅବତାର ସଂସାର-କଲ୍ୟାଣାର୍ଥେ ଅଟେ |

ଗନ୍ଧର୍ୱା ଊଚୁଃ

ବୟଂ ବିଭୋ ତେ ନଟନାଟ୍ୟଗାୟକା

ଯେନାତ୍ମସାଦ୍ୱୀର୍ୟବଲୌଜସା କୃତାଃ ।

ସ ଏଷ ନୀତୋ ଭବତା ଦଶାମିମାଂ

କିମୁତ୍ପଥସ୍ଥଃ କୁଶଲାୟ କଲ୍ପତେ ॥ ୫୦॥

ଗନ୍ଧର୍ବମାନେ ସ୍ତୁତି କଲେ – ପ୍ରଭୁ ! ଆମ୍ଭେମାନେ ଆପଣଙ୍କର ନୃତ୍ୟକାରୀ, ଅଭିନୟକାରୀ, ଏବଂ ସଙ୍ଗୀତ ପରିବେଷଣକାରୀ ସେବକ ଅଟୁ | ଏହି ଦୈତ୍ୟ ନିଜ ବଳ, ବୀର୍ଯ୍ୟ ଏବଂ ପରାକ୍ରମ ଦ୍ବାରା ଆମ୍ଭମାନଙ୍କୁ ନିଜର ଗୁଲାମ କରି ରଖିଥିଲା | ତାର ଆପଣ ଏପରି ଦଶା କଲେ | ସତ କହିବାକୁ ଗଲେ, କୁମାର୍ଗରେ ପରିଚାଳିତ ବ୍ୟକ୍ତିର କଲ୍ୟାଣ ଅବା କିପରି ହୁଅନ୍ତା ?

ଚାରଣା ଊଚୁଃ

ହରେ ତବାଙ୍ଘ୍ରିପଙ୍କଜଂ ଭବାପବର୍ଗମାଶ୍ରିତାଃ ।

ଯଦେଷ ସାଧୁହୃଚ୍ଛୟସ୍ତ୍ୱୟାସୁରଃ ସମାପିତଃ ॥ ୫୧॥

ଚାରଣମାନେ ସ୍ତୁତି କଲେ – ପ୍ରଭୁ ! ସଜ୍ଜନମାନଙ୍କର ହୃଦୟକୁ ପୀଡା ଦେଉଥିବା ଏହି ଦୁଷ୍ଟକୁ ଆପଣ ସମାପ୍ତ କରିଦେଲେ | ସେଥିପାଇଁ ଆମ୍ଭେମାନେ ଆପଣଙ୍କର ସେହି ଚରଣକମଳର ଶରଣ ଗ୍ରହଣ କରୁଛୁ, ଯାହାକୁ ପ୍ରାପ୍ତ କରି ଜନ୍ମ-ମୃତ୍ୟୁରୂପ ସଂସାରଚକ୍ରରୁ ମୁକ୍ତି ମିଳିଯାଏ |

ଯକ୍ଷା ଊଚୁଃ

ବୟମନୁଚରମୁଖ୍ୟାଃ କର୍ମଭିସ୍ତେ ମନୋଜ୍ଞୈ-

ସ୍ତ ଇହ ଦିତିସୁତେନ ପ୍ରାପିତା ବାହକତ୍ୱମ୍ ।

ସ ତୁ ଜନପରିତାପଂ ତତ୍କୃତଂ ଜାନତା ତେ

ନରହର ଉପନୀତଃ ପଞ୍ଚତାଂ ପଞ୍ଚବିଂଶ ॥ ୫୨॥

ଯକ୍ଷମାନେ ସ୍ତୁତି କଲେ – ଭଗବନ୍ ! ନିଜର ଶ୍ରେଷ୍ଠ କର୍ମ ଯୋଗୁଁ ଆମ୍ଭମାନଙ୍କର ଗଣନା ଆପଣଙ୍କର ପ୍ରଧାନ ସେବକ ଭାବରେ କରାଯାଇ ଥାଏ | କିନ୍ତୁ ହିରଣ୍ୟକଶିପୁ ଆମ୍ଭମାନଙ୍କୁ ତାର ପାଲିଙ୍କିବାହକ କହାର କରି ରଖିଥିଲା | ପ୍ରକୃତିର ନିୟାମକ ପରମାତ୍ମା ! ଆପଣଙ୍କ ନିଜଜନଙ୍କୁ କଷ୍ଟ ଦେଉଥିବା କାରଣରୁ ଆପଣ ତାକୁ ମାରି ଦେଲେ |

କିମ୍ପୁରୁଷା ଊଚୁଃ

ବୟଂ କିମ୍ପୁରୁଷାସ୍ତ୍ୱଂ ତୁ ମହାପୁରୁଷ ଈଶ୍ୱରଃ ।

ଅୟଂ କୁପୁରୁଷୋ ନଷ୍ଟୋ ଧିକ୍କୃତଃ ସାଧୁଭିର୍ୟଦା ॥ ୫୩॥

କିମ୍ପୁରୁଷ ସ୍ତୁତି କଲେ – ଆମ୍ଭେମାନେ ଅତ୍ୟନ୍ତ ତୁଚ୍ଛ କିମ୍ପୁରୁଷ ହୋଇଥିବା ବେଳେ ଆପଣ ସର୍ବଶକ୍ତିମାନ

ମହାପୁରୁଷ ଅଟନ୍ତି | ସତ୍-ପୁରୁଷମାନେ ଏହାର ତିରସ୍କାର, ନିନ୍ଦା କରିବା ଯୋଗୁଁ ଆଜି ଆପଣ ଏହି କୁପୁରୁଷ, ଅସୁରାଧମର ବିନାଶ କଲେ |

ବୈତାଲିକା ଊଚୁଃ

ସଭାସୁ ସତ୍ରେଷୁ ତବାମଲଂ ଯଶୋ

ଗୀତ୍ୱା ସପର୍ୟାଂ ମହତୀଂ ଲଭାମହେ ।

ଯସ୍ତାଂ ବ୍ୟନୈଷୀଦ୍ଭୃଶମେଷ ଦୁର୍ଜନୋ

ଦିଷ୍ଟ୍ୟା ହତସ୍ତେ ଭଗବନ୍ ଯଥାଽଽମୟଃ ॥ ୫୪॥

ବେତାଳମାନେ ସ୍ତୁତି କଲେ – ଭଗବନ୍ ! ବଡ-ବଡ ସଭା ଏବଂ ଜ୍ଞାନଯଜ୍ଞମାନଙ୍କରେ ଆପଣଙ୍କ ନିର୍ମଳ ଯଶର ଗାୟନ କରି ଆମ୍ଭେମାନେ ଖୁବ୍ ବେଶୀ ପ୍ରତିଷ୍ଠା-ପୂଜା ପ୍ରାପ୍ତ କରୁଥିଲୁ | ଏହି ଦୁଷ୍ଟ ଆମ୍ଭମାନଙ୍କର ସେହି ଆଜୀବିକା ହିଁ ନଷ୍ଟ କରିଦେଲା | ସୌଭାଗ୍ୟର କଥା ଯେ ମହାରୋଗ ପରି ଆପଣ ଏହି ଦୁଷ୍ଟର ଜଡମୂଳ ଉଚ୍ଛେଦ କରିଦେଲେ |

କିନ୍ନରା ଊଚୁଃ

ବୟମୀଶ କିନ୍ନରଗଣାସ୍ତବାନୁଗା

ଦିତିଜେନ ବିଷ୍ଟିମମୁନାନୁକାରିତାଃ ।

ଭବତା ହରେ ସ ବୃଜିନୋଽବସାଦିତୋ

ନରସିଂହ ନାଥ ବିଭବାୟ ନୋ ଭବ ॥ ୫୫॥

କିନ୍ନରମାନେ ସ୍ତୁତି କଲେ – ଆମେସବୁ କିନ୍ନରଗଣ ଆପଣଙ୍କର ସେବକ ଅଟୁ | ଏହି ଦୈତ୍ୟ କ୍ରୀତଦାସ ଭାବରେ ଆମକୁ ବ୍ୟବହାର କରୁଥିଲା | ଭଗବନ୍ ! ଆପଣ କୃପା କରି ଆଜି ଏହି ପାପୀର ବିନାଶ କଲେ | ପ୍ରଭୁ ! ଏହିପରି ଭାବରେ ଆପଣ ଆମ୍ଭମାନଙ୍କର ଅଭ୍ୟୁଦୟ କରୁଥାଆନ୍ତୁ |

ବିଷ୍ଣୁପାର୍ଷଦା ଊଚୁଃ

ଅଦ୍ୟୈତଦ୍ଧରିନରରୂପମଦ୍ଭୁତଂ ତେ

ଦୃଷ୍ଟଂ ନଃ ଶରଣଦ ସର୍ୱଲୋକଶର୍ମ ।

ସୋଽୟଂ ତେ ବିଧିକର ଈଶ ବିପ୍ରଶପ୍ତ-

ସ୍ତସ୍ୟେଦଂ ନିଧନମନୁଗ୍ରହାୟ ବିଦ୍ମଃ ॥ ୫୬॥

ଭଗବାନଙ୍କର ପାର୍ଷଦମାନେ ସ୍ତୁତି କଲେ – ଶରଣାଗତବତ୍ସଳ ପ୍ରଭୁ ! ସମ୍ପୂର୍ଣ୍ଣ ଲୋକକୁ ଶାନ୍ତି ପ୍ରଦାନ କରୁଥିବା ଆପଣଙ୍କର ଏହି ଅଲୌକିକ ନୃସିଂହରୂପ ଆଜି ହିଁ ଆମ୍ଭେମାନେ ଦେଖିବାକୁ ପାଇଲୁ | ଭଗବନ୍ ! ଏହି ଦୈତ୍ୟ ଆପଣଙ୍କର ହିଁ ଆଜ୍ଞାକାରୀ ସେବକ ଥିଲା, ଯାହାକୁ ସନକାଦି ଋଷିମାନେ ଶାପ ଦେଇଥିଲେ | ଆମେ ଜାଣିଛୁ, ଏହାର ଉଦ୍ଧାର ନିମନ୍ତେ ଆପଣ କୃପା କରି ଏହାକୁ ବଧ କରିଛନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମସ୍କନ୍ଧେ

ପ୍ରହ୍ଲାଦାନୁଚରିତେ ଦୈତ୍ୟରାଜବଧେ ନରସିଂହସ୍ତବୋ ନାମାଷ୍ଟମୋଽଧ୍ୟାୟଃ ॥ ୮॥ 

Comments

Popular posts from this blog