ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ସପ୍ତମ ସ୍କନ୍ଧ ॥

ନବମ ଅଧ୍ୟାୟ

ପ୍ରହ୍ଲାଦ-କୃତ ନୃସିଂହଭଗବାନଙ୍କର ସ୍ତୁତି

ନାରଦ ଉବାଚ

ଏବଂ ସୁରାଦୟଃ ସର୍ୱେ ବ୍ରହ୍ମରୁଦ୍ରପୁରଃସରାଃ ।

ନୋପୈତୁମଶକନ୍ ମନ୍ୟୁସଂରମ୍ଭଂ ସୁଦୁରାସଦମ୍ ॥ ୧॥

ଦେବର୍ଷି ନାରଦ କହୁଛନ୍ତି – ବ୍ରହ୍ମା, ଶଂକରଙ୍କ ସମେତ ସବୁ ଦେବଗଣ ଏହିପରି ଭାବରେ ସ୍ତୁତି କରି ମଧ୍ୟ ନୃସିଂହଭଗବାନଙ୍କର କ୍ରୋଧାବେଶକୁ ଶାନ୍ତ କରିପାରିଲେ ନାହିଁ କି ତାଙ୍କ ସମୀପକୁ ଯାଇପାରିଲେ ନାହିଁ | ତାଙ୍କ ରୂପର ପରିବ୍ୟାପ୍ତି କାହାକୁ ଦୃଶ୍ୟ ହେଉ ନ ଥିଲା |

ସାକ୍ଷାଚ୍ଛ୍ରୀଃ ପ୍ରେଷିତା ଦେବୈର୍ଦୃଷ୍ଟ୍ୱା ତନ୍ମହଦଦ୍ଭୁତମ୍ ।

ଅଦୃଷ୍ଟାଶ୍ରୁତପୂର୍ୱତ୍ୱାତ୍ସା ନୋପେୟାୟ ଶଙ୍କିତା ॥ ୨॥

ତାଙ୍କୁ ଶାନ୍ତ କରିବାକୁ ଦେବତାମାନେ ସ୍ବୟଂ ଲକ୍ଷ୍ମୀଦେବୀଙ୍କୁ ପଠାଇଲେ | କିନ୍ତୁ ନୃସିଂହଭଗବାନଙ୍କର ସେହି ମହାନ୍ ଅଦ୍ଭୁତ ରୂପ ଦେଖି ଭୟବଶ ସେ ମଧ୍ୟ ତାଙ୍କ ପାଖକୁ ଯାଇପାରିଲେ ନାହିଁ | ଏପରି ଅପୂର୍ବ ରୂପ ସେ କେବେ ଦେଖି ନ ଥିଲେ କି ତା ବିଷୟରେ ଶୁଣି ନ ଥିଲେ |

ପ୍ରହ୍ଲାଦଂ ପ୍ରେଷୟାମାସ ବ୍ରହ୍ମାବସ୍ଥିତମନ୍ତିକେ ।

ତାତ ପ୍ରଶମୟୋପେହି ସ୍ୱପିତ୍ରେ କୁପିତଂ ପ୍ରଭୁମ୍ ॥ ୩॥

ସେତେବେଳେ ବ୍ରହ୍ମା ନିଜ ପାର୍ଶ୍ବରେ ଠିଆ ହୋଇଥିବା ପ୍ରହ୍ଲାଦଙ୍କୁ ଏପରି କହି ତାଙ୍କ ପାଖକୁ ପଠାଇଲେ ଯେ ପୁତ୍ର ! ତୁମ ପିତାଙ୍କ ପ୍ରତି କୁପିତ ହୋଇ ତ ଭଗବାନ ଏହି ରୂପ ଧାରଣ କରିଛନ୍ତି; ଏବେ ତୁମେ ତାଙ୍କ ପାଖକୁ ଯାଇ ତାଙ୍କର କ୍ରୋଧ ଶାନ୍ତ କର |

ତଥେତି ଶନକୈ ରାଜନ୍ ମହାଭାଗବତୋଽର୍ଭକଃ ।

ଉପେତ୍ୟ ଭୁବି କାୟେନ ନନାମ ବିଧୃତାଞ୍ଜଲିଃ ॥ ୪॥

ଭଗବାନଙ୍କର ପରମ ପ୍ରେମୀ-ଭକ୍ତ ପ୍ରହ୍ଲାଦ ‘ଯଥା ଆଜ୍ଞା କହି ଧୀରେ ଧୀରେ ଭଗବାନଙ୍କ ପାଖକୁ ଗଲେ ଏବଂ ଯୋଡହସ୍ତପୂର୍ବକ ଭୂଇଁରେ ଲୋଟି ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ |

ସ୍ୱପାଦମୂଲେ ପତିତଂ ତମର୍ଭକଂ

ବିଲୋକ୍ୟ ଦେବଃ କୃପୟା ପରିପ୍ଲୁତଃ ।

ଉତ୍ଥାପ୍ୟ ତଚ୍ଛୀର୍ଷ୍ଣ୍ୟଦଧାତ୍କରାମ୍ବୁଜଂ

କାଲାହିବିତ୍ରସ୍ତଧିୟାଂ କୃତାଭୟମ୍ ॥ ୫॥

ଅବୋଧ ବାଳକ ପ୍ରହ୍ଲାଦଙ୍କୁ ନିଜ ଚରଣରେ ଲୋଟୁଥିବା ଦେଖି ନୃସିଂହ ଭଗବାନଙ୍କର ହୃଦୟ ଦୟାରେ ଭରିଗଲା | ସେ ପ୍ରହ୍ଲାଦଙ୍କୁ ଉଠାଇ କାଳସର୍ପର ଭୟରେ ଭୟଭୀତ ପୁରୁଷକୁ ଅଭୟଦାନ କରୁଥିବା ନିଜ କର-କମଳକୁ ତାଙ୍କ ମସ୍ତକ ଉପରେ ରଖିଲେ |

ସ ତତ୍କରସ୍ପର୍ଶଧୁତାଖିଲାଶୁଭଃ

ସପଦ୍ୟଭିବ୍ୟକ୍ତପରାତ୍ମଦର୍ଶନଃ ।

ତତ୍ପାଦପଦ୍ମଂ ହୃଦି ନିର୍ୱୃତୋ ଦଧୌ

ହୃଷ୍ୟତ୍ତନୁଃ କ୍ଲିନ୍ନହୃଦଶ୍ରୁଲୋଚନଃ ॥ ୬॥

ଭଗବାନଙ୍କ କର-କମଳର ସ୍ପର୍ଶ ଲାଭ କରି ପ୍ରହ୍ଲାଦଙ୍କର ଅବଶିଷ୍ଟ ସବୁ ଅଶୁଭ ସଂସ୍କାର ଝଡି ସମାପ୍ତ ହୋଇଗଲା | ତତ୍କାଳ ତାଙ୍କୁ ପରମାତ୍ମାଙ୍କର ସାକ୍ଷାତକାର ହୋଇଗଲା | ଅତିଶୟ ପ୍ରେମ ଓ ଆନନ୍ଦରେ ମଗ୍ନ ହୋଇ ସେ ଭଗବାନଙ୍କର ଚରଣକମଳକୁ ନିଜ ହୃଦୟରେ ଧାରଣ କରିନେଲେ | ତାଙ୍କର ସାରା ଶରୀର ପୁଲକିତ ହୋଇ ଉଠିଲା, ହୃଦୟରେ ପ୍ରେମର ଧାରା ପ୍ରବାହିତ ହେବାରେ ଲାଗିଲା ଏବଂ ନେତ୍ରରୁ ଆନନ୍ଦାଶ୍ରୁ ଝରିବାରେ ଲାଗିଲା |

ଅସ୍ତୌଷୀଦ୍ଧରିମେକାଗ୍ରମନସା ସୁସମାହିତଃ ।

ପ୍ରେମଗଦ୍ଗଦୟା ବାଚା ତନ୍ନ୍ୟସ୍ତହୃଦୟେକ୍ଷଣଃ ॥ ୭॥

ଭାବପୂର୍ଣ୍ଣ ହୃଦୟ ଏବଂ ନିର୍ନିମେଷ ନୟନରେ ସେ ଭଗବାନଙ୍କୁ ଚାହିଁ ରହିଥିଲେ | ଭାବସମାଧିରେ ସ୍ବତଃ ଏକାଗ୍ର ହୋଇଥିବା ମନରେ ଭଗବାନଙ୍କ ଗୁଣର ଚିନ୍ତନ କରି ପ୍ରେମଗଦଗଦ ବାଣୀରେ ସେ ସ୍ତୁତି କଲେ -

ପ୍ରହ୍ଲାଦ ଉବାଚ

ବ୍ରହ୍ମାଦୟଃ ସୁରଗଣା ମୁନୟୋଽଥ ସିଦ୍ଧାଃ

ସତ୍ତ୍ୱୈକତାନମତୟୋ ବଚସାଂ ପ୍ରବାହୈଃ ।

ନାରାଧିତୁଂ ପୁରୁଗୁଣୈରଧୁନାପି ପିପ୍ରୁଃ

କିଂ ତୋଷ୍ଟୁମର୍ହତି ସ ମେ ହରିରୁଗ୍ରଜାତେଃ ॥ ୮॥

ପ୍ରହ୍ଲାଦ ସ୍ତୁତି କଲେ – ବ୍ରହ୍ମା ଆଦି ଦେବତା, ଋଷି-ମୁନି ଏବଂ ସିଦ୍ଧ ପୁରୁଷଙ୍କର ବୁଦ୍ଧି ନିରନ୍ତର ସତ୍ତ୍ବଗୁଣରେ ସ୍ଥିତ ରହିଥାଏ | ତଥାପି ସେମାନେ ନିଜ ସ୍ତୁତିର ଧାରା-ପ୍ରବାହ ଏବଂ ନିଜର ବିବିଧ ଗୁଣ ଦ୍ବାରା ଆପଣଙ୍କୁ ଏପର୍ଯ୍ୟନ୍ତ ସନ୍ତୁଷ୍ଟ କରିପାରିଲେ ନାହିଁ | ମୁଁ ତ ଘୋର ଅସୁର ଜାତିରେ ଉତ୍ପନ୍ନ ହୋଇଛି; ମୋ ଦ୍ବାରା ଆପଣ କଣ ସନ୍ତୁଷ୍ଟ ହେବେ ?

ମନ୍ୟେ ଧନାଭିଜନରୂପତପଃଶ୍ରୁତୌଜଃ

ତେଜଃପ୍ରଭାବବଲପୌରୁଷବୁଦ୍ଧିୟୋଗାଃ ।

ନାରାଧନାୟ ହି ଭବନ୍ତି ପରସ୍ୟ ପୁଂସୋ

ଭକ୍ତ୍ୟା ତୁତୋଷ ଭଗବାନ୍ ଗଜୟୂଥପାୟ ॥ ୯॥

ମୁଁ ଯାହା ଜାଣିଛି, ଧନ, କୁଳୀନତା, ରୂପ, ତପ, ବିଦ୍ୟା, ଓଜ, ତେଜ, ପ୍ରଭାବ, ବଳ, ପୌରୁଷ, ବୁଦ୍ଧି ଏବଂ ଯୋଗ – ଏହି ସବୁ ସାଧନ ପରମପୁରୁଷ ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ସମର୍ଥ ନୁହଁନ୍ତି | କିନ୍ତୁ ଭକ୍ତିରେ ତ ଭଗବାନ ଗଜେନ୍ଦ୍ର ପ୍ରତି ମଧ୍ୟ ସନ୍ତୁଷ୍ଟ ହୋଇ ଯାଇଥିଲେ |

ବିପ୍ରାଦ୍ଦ୍ୱିଷଡ୍ଗୁଣୟୁତାଦରବିନ୍ଦନାଭ-

ପାଦାରବିନ୍ଦବିମୁଖାଚ୍ଛ୍ୱପଚଂ ବରିଷ୍ଠମ୍ ।

ମନ୍ୟେ ତଦର୍ପିତମନୋବଚନେହିତାର୍ଥ-

ପ୍ରାଣଂ ପୁନାତି ସ କୁଲଂ ନ ତୁ ଭୂରିମାନଃ ॥ ୧୦॥

ମୋ ବିଚାରରେ ଏହି ଦ୍ବାଦଶ ଗୁଣରେ ଯୁକ୍ତ ବ୍ରାହ୍ମଣ ବି ଯଦି ଭଗବାନ କମଳନାଭଙ୍କ ଚରଣକମଳ ପ୍ରତି ବିମୁଖ ହୋଇଥାଆନ୍ତି, ତେବେ ତାଙ୍କଠାରୁ ସେହି ଚଣ୍ଡାଳ ଶ୍ରେଷ୍ଠ ଅଟନ୍ତି, ଯିଏ ନିଜର ମନ, ବଚନ, କର୍ମ, ଧନ ଏବଂ ପ୍ରାଣ ଭଗବାନଙ୍କ ଚରଣରେ ସମର୍ପିତ କରିଦେଇ ଥାଆନ୍ତି | ସେହି ଚଣ୍ଡାଳ ତ ନିଜ ସହିତ ନିଜ କୁଳକୁ ମଧ୍ୟ ପବିତ୍ର କରିଦିଅନ୍ତି, ଅଥଚ ଆତ୍ମବଡିମା-ଅଭିମାନୀ ସେହି ବ୍ରାହ୍ମଣ ନିଜକୁ ହିଁ ପବିତ୍ର କରିପାରନ୍ତି ନାହିଁ |

ନୈବାତ୍ମନଃ ପ୍ରଭୁରୟଂ ନିଜଲାଭପୂର୍ଣୋ

ମାନଂ ଜନାଦବିଦୁଷଃ କରୁଣୋ ବୃଣୀତେ ।

ଯଦ୍ୟଜ୍ଜନୋ ଭଗବତେ ବିଦଧୀତ ମାନଂ

ତଚ୍ଚାତ୍ମନେ ପ୍ରତିମୁଖସ୍ୟ ଯଥା ମୁଖଶ୍ରୀଃ ॥ ୧୧॥

ସର୍ବଶକ୍ତିମାନ ପ୍ରଭୁ ନିଜ ସ୍ବରୂପର ସାକ୍ଷାତକାରରେ ହିଁ ପରିପୂର୍ଣ୍ଣ ଅଟନ୍ତି | ସେଥିପାଇଁ କୌଣସି ନଗଣ୍ୟ ପୁରୁଷର ପୂଜା ଗ୍ରହଣ କରିବାର ଆବଶ୍ୟକତା ତାଙ୍କର ନ ଥାଏ | ନିଜ ଅବୋଧ ଭକ୍ତର ହିତସାଧନ ଉଦ୍ଦେଶ୍ୟରେ ହିଁ ସେ କରୁଣାବଶ ତାର ପୂଜା ସ୍ବୀକାର କରିନିଅନ୍ତି | ନିଜ ମୁଖର ସୌନ୍ଦର୍ଯ୍ୟ ଯେପରି ଦର୍ପଣରେ ଦୃଶ୍ୟ ପ୍ରତିବିମ୍ବକୁ ମଧ୍ୟ ସୁନ୍ଦର କରିଦିଏ, ସେହିପରି ଭକ୍ତ ଭଗବାନଙ୍କ ପ୍ରତି ଯେଉଁ ସମ୍ମାନ ପ୍ରକଟ କରିଥାଏ, ତାହା ତାକୁ ହିଁ ପ୍ରାପ୍ତ ହୋଇଥାଏ |

ତସ୍ମାଦହଂ ବିଗତବିକ୍ଲବ ଈଶ୍ୱରସ୍ୟ

ସର୍ୱାତ୍ମନା ମହି ଗୃଣାମି ଯଥା ମନୀଷମ୍ ।

ନୀଚୋଽଜୟା ଗୁଣବିସର୍ଗମନୁପ୍ରବିଷ୍ଟଃ

ପୂୟେତ ଯେନ ହି ପୁମାନନୁବର୍ଣିତେନ ॥ ୧୨॥

ସେଥିପାଇଁ ସବୁ ଦୃଷ୍ଟିରୁ ଅଯୋଗ୍ୟ ଏବଂ ଅନଧିକାରୀ ହୋଇଥିଲେ ବି ମୁଁ ନିଃଶଙ୍କ ଚିତ୍ତରେ ନିଜ ବୁଦ୍ଧି ଅନୁସାରେ ଭଗବାନଙ୍କର ମହିମା ଗାନ କରିବାକୁ ଯାଉଛି | ଏହି ମହିମା ଗାନର ପ୍ରଭାବ ହିଁ ଏପରି ଅଟେ ଯେ ଏହା ଦ୍ବାରା ଅବିଦ୍ୟାବଶ ସଂସାରଚକ୍ରରେ ପଡି ରହିଥିବା ଜୀବ ତତ୍କାଳ ପବିତ୍ର ହୋଇଯାଏ |

ସର୍ୱେ ହ୍ୟମୀ ବିଧିକରାସ୍ତବ ସତ୍ତ୍ୱଧାମ୍ନୋ

ବ୍ରହ୍ମାଦୟୋ ବୟମିବେଶ ନ ଚୋଦ୍ୱିଜନ୍ତଃ ।

କ୍ଷେମାୟ ଭୂତୟ ଉତାତ୍ମସୁଖାୟ ଚାସ୍ୟ

ବିକ୍ରୀଡିତଂ ଭଗବତୋ ରୁଚିରାବତାରୈଃ ॥ ୧୩॥

ଭଗବନ୍ ! ଆପଣ ସତ୍ତ୍ବଗୁଣର ଆଶ୍ରୟ ଅଟନ୍ତି | ଏହି ବ୍ରହ୍ମା ଆଦି ସମସ୍ତ ଦେବତା ଆପଣଙ୍କର ଆଜ୍ଞାକାରୀ ଭକ୍ତ ଅଟନ୍ତି | ଆମେସବୁ ଦୈତ୍ୟମାନଙ୍କ ପରି ଏମାନେ ଆପଣଙ୍କ ପ୍ରତି ଦ୍ବେଷଭାବ ରଖନ୍ତି ନାହିଁ | ନିଜ ମାୟାରେ ସୁନ୍ଦର-ସୁନ୍ଦର ଅବତାର ଗ୍ରହଣ କରି ଆପଣ ଜଗତର କଲ୍ୟାଣ ଏବଂ ଅଭ୍ୟୁଦୟ ନିମନ୍ତେ ତଥା ଜୀବର ଆତ୍ମାନନ୍ଦ-ପ୍ରାପ୍ତି ନିମନ୍ତେ ଅନେକ ଲୀଳା କରିଛନ୍ତି |

ତଦ୍ୟଚ୍ଛ ମନ୍ୟୁମସୁରଶ୍ଚ ହତସ୍ତ୍ୱୟାଦ୍ୟ

ମୋଦେତ ସାଧୁରପି ବୃଶ୍ଚିକସର୍ପହତ୍ୟା ।

ଲୋକାଶ୍ଚ ନିର୍ୱୃତିମିତାଃ ପ୍ରତିୟନ୍ତି ସର୍ୱେ

ରୂପଂ ନୃସିଂହ ବିଭୟାୟ ଜନାଃ ସ୍ମରନ୍ତି ॥ ୧୪॥

ଯେଉଁ ଅସୁରକୁ ମାରିବା ପାଇଁ ଆପଣ କ୍ରୋଧକୁ ସ୍ବୀକାର କରିଥିଲେ, ଏବେ ତାର ନିଧନ ହୋଇସାରିଛି | ତେଣୁ ଏବେ ଆପଣ ନିଜର କ୍ରୋଧକୁ ଶାନ୍ତ କରନ୍ତୁ | ବିଛା ଏବଂ ସାପର ମୃତ୍ୟୁ ସଜ୍ଜନମାନଙ୍କ ପାଇଁ ମଧ୍ୟ ସୁଖକର ହୋଇଥାଏ; ସେହିପରି ଏହି ଦୈତ୍ୟର ସଂହାରରେ ସମସ୍ତେ ଅତ୍ୟନ୍ତ ସୁଖୀ ହୋଇଛନ୍ତି | ଏବେ ସମସ୍ତେ ଆପଣଙ୍କ ଶାନ୍ତ ସ୍ବରୂପର ଦର୍ଶନ ନିମନ୍ତେ ଉତ୍ସୁକ ରହିଛନ୍ତି | ହେ ନୃସିଂହଦେବ ! ଭୟରୁ ମୁକ୍ତ ହେବା ପାଇଁ ଭକ୍ତଜନ ଆପଣଙ୍କର ଏହି ସ୍ବରୂପର ସ୍ମରଣ କରିବେ |

ନାହଂ ବିଭେମ୍ୟଜିତ ତେଽତିଭୟାନକାସ୍ୟ-ଆପଣ

ଜିହ୍ୱାର୍କନେତ୍ରଭ୍ରୁକୁଟୀରଭସୋଗ୍ରଦଂଷ୍ଟ୍ରାତ୍ ।

ଆନ୍ତ୍ରସ୍ରଜଃକ୍ଷତଜକେସରଶଙ୍କୁକର୍ଣା-

ନ୍ନିର୍ହ୍ରାଦଭୀତଦିଗିଭାଦରିଭିନ୍ନଖାଗ୍ରାତ୍ ॥ ୧୫॥

ପରମାତ୍ମନ୍ ! ଆପଣଙ୍କର ମୁଖ ଅତ୍ୟନ୍ତ ଭୟାନକ ଅଟେ | ଆପଣଙ୍କର ଆଗକୁ ଝୁଲି ଲହଲହ ହେଉଥିବା ଜିହ୍ବା, ସୂର୍ଯ୍ୟ ପରି ଆଖି, ତୀର୍ଯ୍ୟକ୍ ଭୃକୁଟି, ତୀକ୍ଷ୍ଣ ଦନ୍ତ, ଗଳାରେ ପରିହିତ ଅନ୍ତନାଡିର ମାଳା, ରକ୍ତ ଜୁଡୁବୁଡୁ ଗ୍ରୀବାକେଶ, ବାଛୁରୀର କାନ ପରି ଠିଆ ହୋଇ ରହିଥିବା କାନ, ଦିଗପାଳମାନଙ୍କୁ ମଧ୍ୟ ଭୟଭୀତ କରୁଥିବା ସିଂହନାଦ ଏବଂ ଶତ୍ରୁକୁ ଚିରି ଫାଳ କରି ଦେଉଥିବା ନଖକୁ ଦେଖି ମୁଁ କିଂଚିତ୍ ବି ଭୟଭୀତ ହୋଇନାହିଁ |

ତ୍ରସ୍ତୋଽସ୍ମ୍ୟହଂ କୃପଣବତ୍ସଲ ଦୁଃସହୋଗ୍ର-

ସଂସାରଚକ୍ରକଦନାଦ୍ଗ୍ରସତାଂ ପ୍ରଣୀତଃ ।

ବଦ୍ଧଃ ସ୍ୱକର୍ମଭିରୁଶତ୍ତମ ତେଽଙ୍ଘ୍ରିମୂଲଂ

ପ୍ରୀତୋପବର୍ଗଶରଣଂ ହ୍ୱୟସେ କଦା ନୁ ॥ ୧୬॥

ଦୀନବନ୍ଧୁ ! ମୁଁ ତ କେବଳ ଏହି ଅସହ୍ୟ ଏବଂ ଉଗ୍ର ସଂସାର-ଚକ୍ରର ପେଷଣକୁ ନେଇ ଭୟଭୀତ ଅଟେ | ନିଜ କର୍ମପାଶରେ ବାନ୍ଧି ହୋଇ ମୁଁ ଏହି ଭୟଙ୍କର ଜନ୍ତୁମାନଙ୍କ ମଧ୍ୟରେ ପଡି ରହିଛି | ସ୍ବାମୀ ! ମୋ ପ୍ରତି ପ୍ରସନ୍ନ ହୋଇ କେବେ ଆପଣ ମୋତେ ନିଜର ସେହି ଅଭୟ ଚରଣକମଳ ସମୀପକୁ ଡାକିବେ, ଯାହା ସମସ୍ତ ଜୀବଙ୍କର ଏକମାତ୍ର ଶରଣ୍ୟ ଏବଂ ମୋକ୍ଷସ୍ବରୂପ ଅଟେ |

ଯସ୍ମାତ୍ପ୍ରିୟାପ୍ରିୟବିୟୋଗସୟୋଗଜନ୍ମ-

ଶୋକାଗ୍ନିନା ସକଲୟୋନିଷୁ ଦହ୍ୟମାନଃ ।

ଦୁଃଖୌଷଧଂ ତଦପି ଦୁଃଖମତଦ୍ଧିୟାହଂ

ଭୂମନ୍ ଭ୍ରମାମି ବଦ ମେ ତବ ଦାସ୍ୟଯୋଗମ୍ ॥ ୧୭॥

ହେ ଅନନ୍ତ ! ମୁଁ ଯେଉଁ ଯେଉଁ ଯୋନିରେ ଜନ୍ମ ଗ୍ରହଣ କରିଛି, ସେହି ସବୁ ଯୋନିରେ କେବଳ ପ୍ରିୟବିୟୋଗ ଏବଂ ଅପ୍ରିୟ ସଂଯୋଗଜନିତ ଶୋକାଗ୍ନିରେ ଦଗ୍ଧ ହୋଇଛି | ସେହି ସବୁ ଦୁଃଖ ଦୂର କରିବାର ଔଷଧି ମଧ୍ୟ ସ୍ବୟଂ ଦୁଃଖରୂପ ଅଟେ | କେଜାଣି କେବେଠାରୁ ମୁଁ ନିଜଠାରୁ ପୃଥକ୍ ବସ୍ତୁକୁ ଆତ୍ମା ମନେ କରି ଏଣେତେଣେ ଭ୍ରମିତ ହେବାରେ ଲାଗିଛି | ଏବେ ମୋତେ ଆପଣ ଏପରି ସାଧନର ଉପଦେଶ ଦିଅନ୍ତୁ ଯଦ୍ବାରା ମୁଁ ଆପଣଙ୍କର ସେବା-ଭକ୍ତି ପ୍ରାପ୍ତ କରିପାରିବି |

ସୋଽହଂ ପ୍ରିୟସ୍ୟ ସୁହୃଦଃ ପରଦେବତାୟା

ଲୀଲାକଥାସ୍ତବ ନୃସିଂହ ବିରିଞ୍ଚଗୀତାଃ ।

ଅଞ୍ଜସ୍ତିତର୍ମ୍ୟନୁଗୃଣନ୍ ଗୁଣବିପ୍ରମୁକ୍ତୋ

ଦୁର୍ଗାଣି ତେ ପଦୟୁଗାଲୟହଂସସଙ୍ଗଃ ॥ ୧୮॥

ହେ ପ୍ରଭୁ ! ଆପଣ ଆମର ପ୍ରିୟ ଅଟନ୍ତି, ଅହୈତୁକ ହିତୈଷୀ ସୁହୃଦ ଅଟନ୍ତି | ବାସ୍ତବରେ ଆପଣ ହିଁ ସମସ୍ତଙ୍କର ପରମାରାଧ୍ୟ ଅଟନ୍ତି | ମୁଁ ବ୍ରହ୍ମାଙ୍କ ଦ୍ବାରା ଗାନ କରାଯାଇ ଥିବା ଆପଣଙ୍କ ଲୀଳା-କଥାର ଗାନ କରି ଅତି ସୁଗମତାରେ ରାଗାଦି ସମସ୍ତ ପ୍ରାକୃତ ଗୁଣରୁ ମୁକ୍ତ ହୋଇଯିବି ଏବଂ ଏହି ସଂସାରର ସମସ୍ତ କଠିନତାକୁ ଅକ୍ଲେଶରେ ପାର କରିନେବି; କାରଣ ତଦ୍ବାରା ଆପଣଙ୍କ ଚରଣଯୁଗଳ-ଆଶ୍ରିତ ଭକ୍ତ ପରମହଂସମାନଙ୍କର ସାନ୍ନିଧ୍ୟ ମୋତେ ସଦା-ସର୍ବଦା ମିଳିବାରେ ଲାଗିବ |

ବାଲସ୍ୟ ନେହ ଶରଣଂ ପିତରୌ ନୃସିଂହ

ନାର୍ତସ୍ୟ ଚାଗଦମୁଦନ୍ୱତି ମଜ୍ଜତୋ ନୌଃ ।

ତପ୍ତସ୍ୟ ତତ୍ପ୍ରତିବିଧିର୍ୟ ଇହାଞ୍ଜସେଷ୍ଟ-

ସ୍ତାବଦ୍ୱିଭୋ ତନୁଭୃତାଂ ତ୍ୱଦୁପେକ୍ଷିତାନାମ୍ ॥ ୧୯॥

ହେ ନୃସିଂହଦେବ ! ଏହି ସଂସାରରେ ଦୁଃଖୀ ଜୀବର ଦୁଃଖ ଦୂର କରିବାର ଉପାୟ ଭାବରେ ଯାହା ମାନ୍ୟତାପ୍ରାପ୍ତ, ଆପଣଙ୍କର ଉପେକ୍ଷା କରିବା ଦ୍ବାରା ତାହାର ଫଳ କ୍ଷୀଣ ହୋଇଯାଏ | ପିତା-ମାତା ନିଜ ସନ୍ତାନର ରକ୍ଷା କରିପାରନ୍ତି ନାହିଁ, ଔଷଧ ଦ୍ବାରା ରୋଗ ଉପଶମ ହୁଏନାହିଁ, ସମୁଦ୍ରରେ ବୁଡି ଯାଉଥିବା ବ୍ୟକ୍ତିକୁ ନୌକା ଉଦ୍ଧାର କରିପାରେ ନାହିଁ |

ଯସ୍ମିନ୍ ଯତୋ ଯର୍ହି ଯେନ ଚ ଯସ୍ୟ ଯସ୍ମା-

ଦ୍ୟସ୍ମୈ ଯଥା ଯଦୁତ ଯସ୍ତ୍ୱପରଃ ପରୋ ବା ।

ଭାବଃ କରୋତି ବିକରୋତି ପୃଥକ୍ସ୍ୱଭାବଃ

ସଞ୍ଚୋଦିତସ୍ତଦଖିଲଂ ଭବତଃ ସ୍ୱରୂପମ୍ ॥ ୨୦॥

ସତ୍ତ୍ଵାଦି ଗୁଣଯୁକ୍ତ ଭିନ୍ନ ଭିନ୍ନ ସ୍ବଭାବର ଯେତେସବୁ ବ୍ରହ୍ମାଦି ଶ୍ରେଷ୍ଠ ଏବଂ କାଳାଦି କନିଷ୍ଠ କର୍ତ୍ତା ଅଛନ୍ତି, ସେମାନଙ୍କର ପ୍ରେରକ ଆପଣ ହିଁ ଅଟନ୍ତି | ଆପଣଙ୍କ ପ୍ରେରଣାରେ ଯେଉଁ ଆଧାରରେ ସ୍ଥିତ ରହି ଯେଉଁ ନିମିତ୍ତ ଦ୍ବାରା ଯେଉଁ ମୃତ୍ତିକା ଆଦି ଉପକରଣରେ ସେମାନେ ଯେଉଁ ସମୟରେ ଯେଉଁ ସାଧନ ବଳରେ ଯେଉଁ ଅଦୃଷ୍ଟ ଆଦିର ସହାୟତାରେ ଯେଉଁ ଉଦ୍ଦେଶ୍ୟରେ ଯେଉଁ ବିଧିରେ ଯାହାସବୁ ଉତ୍ପନ୍ନ କରନ୍ତି ଅଥବା ରୂପାନ୍ତରିତ କରନ୍ତି, ତାହା ସବୁ ଆପଣଙ୍କର ହିଁ ସ୍ବରୂପ ଅଟେ |

ମାୟା ମନଃ ସୃଜତି କର୍ମମୟଂ ବଲୀୟଃ

କାଲେନ ଚୋଦିତଗୁଣାନୁମତେନ ପୁଂସଃ ।

ଛନ୍ଦୋମୟଂ ଯଦଜୟାର୍ପିତଷୋଡଶାରଂ

ସଂସାରଚକ୍ରମଜ କୋଽତିତରେତ୍ତ୍ୱଦନ୍ୟଃ ॥ ୨୧॥

ପୁରୁଷଙ୍କ ଅନୁମତିରେ କାଳ ଦ୍ବାରା ଗୁଣରେ କ୍ଷୋଭ ଉତ୍ପନ୍ନ ହୋଇ ମାୟା ମନଃପ୍ରଧାନ ଲିଙ୍ଗଶରୀରର ନିର୍ମାଣ କରିଥାଏ | ଏହି ଲିଙ୍ଗଶରୀର ବଳବାନ୍, କର୍ମମୟ ଏବଂ ଅନେକ ନାମ-ରୂପରେ ଆସକ୍ତ – ଛନ୍ଦମୟ ଅଟେ | ଏହା ହିଁ ଅବିଦ୍ୟା-କଳ୍ପିତ ମନ, ଦଶ ଇନ୍ଦ୍ରିୟ ଏବଂ ପଞ୍ଚ ତନ୍ମାତ୍ରା – ଏହି ଷୋଳ ବିକାରରୂପ ଅରୀରେ ଯୁକ୍ତ ସଂସାର-ଚକ୍ର ଅଟେ | ଅଜନ୍ମା ପ୍ରଭୁ ! ଆପଣଙ୍କ ପ୍ରତି ବିମୁଖ ଏପରି କେଉଁ ପୁରୁଷ ଅବା ଏହି ମନରୂପ ସଂସାର-ଚକ୍ରକୁ ପାର କରିପାରିବେ ?

ସ ତ୍ୱଂ ହି ନିତ୍ୟବିଜିତାତ୍ମଗୁଣଃ ସ୍ୱଧାମ୍ନା

କାଲୋ ବଶୀକୃତବିସୃଜ୍ୟବିସର୍ଗଶକ୍ତିଃ ।

ଚକ୍ରେ ବିସୃଷ୍ଟମଜୟେଶ୍ୱର ଷୋଡଶାରେ

ନିଷ୍ପୀଡ୍ୟମାନମୁପକର୍ଷ ବିଭୋ ପ୍ରପନ୍ନମ୍ ॥ ୨୨॥

ସର୍ବଶକ୍ତିମାନ ପ୍ରଭୁ ! ଏହି ଷୋଳ ଅରୀଯୁକ୍ତ ସଂସାର-ଚକ୍ରରେ ପକାଇ ମାୟା ଆଖୁ ପରି ମୋତେ ପେଷିବାରେ ଲାଗିଛି | ଆପଣ ନିଜ ଚୈତନ୍ୟଶକ୍ତିରେ ବୁଦ୍ଧିର ସମସ୍ତ ଗୁଣକୁ ପରାଜିତ ରଖନ୍ତି ଏବଂ କାଳରୂପରେ ସମ୍ପୂର୍ଣ୍ଣ ସାଧ୍ୟ ଏବଂ ସାଧନକୁ ନିଜ ଅଧୀନରେ ରଖନ୍ତି | ମୁଁ ଆପଣଙ୍କ ଶରଣରେ ଆସିଛି, ଆପଣ ମୋତେ ଏଥିରୁ ଉଦ୍ଧାର କରି ନିଜ ସନ୍ନିଧିକୁ ଟାଣି ନିଅନ୍ତୁ |

ଦୃଷ୍ଟା ମୟା ଦିବି ବିଭୋଽଖିଲଧିଷ୍ଣ୍ୟପାନା-

ମାୟୁଃ ଶ୍ରିୟୋ ବିଭବ ଇଚ୍ଛତି ଯାନ୍ ଜନୋଽୟମ୍ ।

ଯେଽସ୍ମତ୍ପିତୁଃ କୁପିତହାସବିଜୃମ୍ଭିତଭ୍ରୂ-

ବିସ୍ଫୂର୍ଜିତେନ ଲୁଲିତାଃ ସ ତୁ ତେ ନିରସ୍ତଃ ॥ ୨୩॥

ଭଗବନ୍ ! ସଂସାରୀ ଲୋକ ଯାହା ପାଇଁ ଅତିଶୟ ଲାଳାୟିତ ରହନ୍ତି, ସ୍ବର୍ଗରେ ସମସ୍ତ ଲୋକପାଳଙ୍କୁ ପ୍ରାପ୍ତ ହେଉଥିବା ସେହି ଆୟୁ, ଲକ୍ଷ୍ମୀ ଏବଂ ଐଶ୍ବର୍ଯ୍ୟର ଅନୁଭବ ମୁଁ ବହୁତ ବେଶୀ କରିଛି | ମୋର ପିତା ଯେତେବେଳେ ସାମାନ୍ୟ କ୍ରୋଧ କରୁଥିଲେ ଏବଂ ସେହି କାରଣରୁ ତାଙ୍କର ଭୃକୁଟି ଈଷତ୍ ବକ୍ର ହୋଇ ଯାଉଥିଲା, ସେତେବେଳେ ସ୍ବର୍ଗର ସେହି ସମ୍ପତ୍ତିମାନଙ୍କର କିଛି ଠିକଣା ରହୁ ନ ଥିଲା | ତଥାପି ଆପଣଙ୍କ ହାତରେ ତାଙ୍କର ମୃତ୍ୟୁ ହେଲା |

ତସ୍ମାଦମୂସ୍ତନୁଭୃତାମହମାଶିଷୋ ଜ୍ଞ

ଆୟୁଃ ଶ୍ରିୟଂ ବିଭବମୈନ୍ଦ୍ରିୟମାବିରିଞ୍ଚ୍ୟାତ୍ ।

ନେଚ୍ଛାମି ତେ ବିଲୁଲିତାନୁରୁବିକ୍ରମେଣ

କାଲାତ୍ମନୋପନୟ ମାଂ ନିଜଭୃତ୍ୟପାର୍ଶ୍ୱମ୍ ॥ ୨୪॥

ସେଥିପାଇଁ ମୁଁ ବ୍ରହ୍ମଲୋକର ଆୟୁ, ଲକ୍ଷ୍ମୀ, ଐଶ୍ବର୍ଯ୍ୟ ଏବଂ ଇନ୍ଦ୍ରିୟଭୋଗ ଇଚ୍ଛା କରେନାହିଁ, ଯାହାର ଅଭିଳାଷ ସଂସାରର ସମସ୍ତ ପ୍ରାଣୀଙ୍କର ରହିଥାଏ, କାରଣ ଅତ୍ୟନ୍ତ ଶକ୍ତିଶାଳୀ କାଳରୂପରେ ଆପଣ ସେସବୁକୁ ଗ୍ରାସ କରିନିଅନ୍ତି | ତେଣୁ ଆପଣ ମୋତେ ନିଜ ଦାସମାନଙ୍କର ସନ୍ନିଧିକୁ ନେଇ ଚାଲନ୍ତୁ |

କୁତ୍ରାଶିଷଃ ଶ୍ରୁତିସୁଖା ମୃଗତୃଷ୍ଣିରୂପାଃ

କ୍ୱେଦଂ କଲେବରମଶେଷରୁଜାଂ ବିରୋହଃ ।

ନିର୍ୱିଦ୍ୟତେ ନ ତୁ ଜନୋ ଯଦପୀତି ବିଦ୍ୱାନ୍

କାମାନଲଂ ମଧୁଲବୈଃ ଶମୟନ୍ ଦୁରାପୈଃ ॥ ୨୫॥

ବିଷୟଭୋଗର କଥା କେବଳ ଶୁଣିବାକୁ ଭଲ ଲାଗେ, କିନ୍ତୁ ବାସ୍ତବରେ ତାହା ମୃଗତୃଷ୍ଣାର ଜଳ ପରି ନିତାନ୍ତ ଅସତ୍ୟ ଅଟେ ଏବଂ ଏହି ଶରୀର, ଯାହା ଦ୍ବାରା ସେହି ଭୋଗକୁ ଭୋଗାଯାଇ ଥାଏ, ଅଗଣିତ ରୋଗର ଉଦଗମ ସ୍ଥାନ ଅଟେ | ସେହି ମିଥ୍ୟା ବିଷୟଭୋଗ ଏବଂ ଏହି ରୋଗଯୁକ୍ତ ଶରୀର – ଉଭୟର କ୍ଷଣଭଙ୍ଗୁରତା ଏବଂ ଅସାରତା ବିଷୟରେ ଜାଣୁଥିଲେ ବି ମନୁଷ୍ୟ ତହିଁରୁ ବିରକ୍ତ ହୁଏନାହିଁ | ବହୁ କଷ୍ଟରେ ପ୍ରାପ୍ତ ହେଉଥିବା ଭୋଗର ଛୋଟ-ଛୋଟ ମଧୁବିନ୍ଦୁ ଦ୍ବାରା ନିଜ କାମନାର ଜ୍ବାଳାକୁ ଶାନ୍ତ କରିବାକୁ ଚେଷ୍ଟା କରୁଥାଏ |

କ୍ୱାହଂ ରଜଃପ୍ରଭବ ଈଶ ତମୋଽଧିକେଽସ୍ମିନ୍

ଜାତଃ ସୁରେତରକୁଲେ କ୍ୱ ତବାନୁକମ୍ପା ।

ନ ବ୍ରହ୍ମଣୋ ନ ତୁ ଭବସ୍ୟ ନ ବୈ ରମାୟା

ଯନ୍ମେଽର୍ପିତଃ ଶିରସି ପଦ୍ମକରଃ ପ୍ରସାଦଃ ॥ ୨୬॥

ପ୍ରଭୁ ! ତମୋଗୁଣୀ ଅସୁରବଂଶରେ ରଜୋଗୁଣରୁ ଉତ୍ପନ୍ନ ହୋଇଥିବା ମୁଁ କେଉଁଠି, ଏବଂ କେଉଁଠି ଆପଣଙ୍କର ଅନନ୍ତ କୃପା ! ଆପଣ ଧନ୍ୟ ଅଟନ୍ତି | ନିଜର ପରମ ପ୍ରସାଦସ୍ବରୂପ ସକଳସନ୍ତାପହାରୀ କରକମଳ ଆପଣ ମୋର ମସ୍ତକରେ ରଖିଛନ୍ତି, ଯାହା ଆପଣ ବ୍ରହ୍ମା, ଶଂକର ଏବଂ ଲକ୍ଷ୍ମୀଙ୍କ ପରି ଭଗବତ୍-ବିଭୂତିମାନଙ୍କର ମସ୍ତକରେ ମଧ୍ୟ କେବେ ରଖିନାହାଁନ୍ତି |

ନୈଷା ପରାବରମତିର୍ଭବତୋ ନନୁ ସ୍ୟା-

ଜ୍ଜନ୍ତୋର୍ୟଥାଽଽତ୍ମସୁହୃଦୋ ଜଗତସ୍ତଥାପି ।

ସଂସେବୟା ସୁରତରୋରିବ ତେ ପ୍ରସାଦଃ

ସେବାନୁରୂପମୁଦୟୋ ନ ପରାବରତ୍ୱମ୍ ॥ ୨୭॥

ସଂସାରୀ ଜୀବମାନଙ୍କ ପରି ଆପଣଙ୍କଠାରେ ଛୋଟ-ବଡର ଭେଦଭାବ ନାହିଁ; କାରଣ ଆପଣ ସମସ୍ତଙ୍କର ଆତ୍ମା ଅକାରଣ ପ୍ରେମୀ ଅଟନ୍ତି | ତଥାପି କଳ୍ପବୃକ୍ଷ ସଦୃଶ ଆପଣଙ୍କର କୃପାପ୍ରସାଦ ସେବନ-ଭଜନ ଦ୍ବାରା ହିଁ ପ୍ରାପ୍ତ ହୋଇଥାଏ | ସେବା ଅନୁସାରେ ହିଁ ଜୀବ ଉପରେ ଆପଣଙ୍କର କୃପା ହୋଇଥାଏ; ଜାତିଗତ ଉଚ୍ଚତା ବା ନ୍ୟୁନତା ଅନୁସାରେ ନୁହେଁ |

ଏବଂ ଜନଂ ନିପତିତଂ ପ୍ରଭବାହିକୂପେ

କାମାଭିକାମମନୁ ଯଃ ପ୍ରପତନ୍ ପ୍ରସଙ୍ଗାତ୍ ।

କୃତ୍ୱାଽଽତ୍ମସାତ୍ସୁରର୍ଷିଣା ଭଗବନ୍ ଗୃହୀତଃ

ସୋଽହଂ କଥଂ ନୁ ବିସୃଜେ ତବ ଭୃତ୍ୟସେବାମ୍ ॥ ୨୮॥

ଭଗବନ୍ ! ଏହି ସଂସାର ଏପରି ଏକ ଅନ୍ଧକୂପ ଅଟେ, ଯାହା ମଧ୍ୟରେ ଦଂଶନ କରିବା ପାଇଁ କାଳସର୍ପ ସଦା ସର୍ବଦା ପ୍ରସ୍ତୁତ ରହିଥାଏ | ବିଷୟଭୋଗ ଇଚ୍ଛାକାମୀ ପୁରୁଷ ସେହି କୂପକୁ ଖସି ପଡିଛନ୍ତି | ସେମାନଙ୍କ ଦେଖାଦେଖି ମୁଁ ମଧ୍ୟ ସେଥିରେ ପଡିବାକୁ ଯାଉଥିଲି, କିନ୍ତୁ ଭଗବନ୍ ! ଦେବର୍ଷି ନାରଦ ମୋତେ ଆପଣାଇ ସେହି ପତନରୁ ରକ୍ଷା କରିଦେଲେ | ତାପରେ ମୁଁ ଭଲା ଆପଣଙ୍କ ଭକ୍ତଜନଙ୍କର ସେବା କିପରି ତ୍ୟାଗ କରି  ପାରିବି ?

ମତ୍ପ୍ରାଣରକ୍ଷଣମନନ୍ତ ପିତୁର୍ୱଧଶ୍ଚ

ମନ୍ୟେ ସ୍ୱଭୃତ୍ୟଋଷିବାକ୍ୟମୃତଂ ବିଧାତୁମ୍ ।

ଖଡ୍ଗଂ ପ୍ରଗୃହ୍ୟ ଯଦବୋଚଦସଦ୍ୱିଧିତ୍ସୁ-

ସ୍ତ୍ୱାମୀଶ୍ୱରୋ ମଦପରୋଽବତୁ କଂ ହରାମି ॥ ୨୯॥

ଅନନ୍ତ ! ଅନ୍ୟାୟ କରିବା ପାଇଁ ଅଣ୍ଟା ଭିଡି ମୋର ପିତା ଯେତେବେଳେ ହାତରେ ଅସି ଧରି ଏପରି କହିଲେ, “ମୋ ଛଡା ଯଦି ଆଉ କିଏ ଈଶ୍ବର ଅଛନ୍ତି, ସେ ତୋତେ ରକ୍ଷା କରନ୍ତୁ; ମୁଁ ତୋର ମସ୍ତକ ଛେଦନ କରୁଛି”, ସେତେବେଳେ ଆପଣ ମୋତେ ରକ୍ଷା କରିବାକୁ ଯାଇ ମୋ ପିତାଙ୍କୁ ବଧ କଲେ | ମୋର ତ ମନେ ହେଉଛି, ଆପଣ ନିଜର ପ୍ରେମୀ ଭକ୍ତ ସନକାଦି ଋଷିଙ୍କର ବଚନ ରକ୍ଷା କରିବା ପାଇଁ ହିଁ ତାହା କରିଥିଲେ |

ଏକସ୍ତ୍ୱମେବ ଜଗଦେତମମୁଷ୍ୟ ଯତ୍ତ୍ୱ-

ମାଦ୍ୟନ୍ତୟୋଃ ପୃଥଗବସ୍ୟସି ମଧ୍ୟତଶ୍ଚ ।

ସୃଷ୍ଟ୍ୱା ଗୁଣବ୍ୟତିକରଂ ନିଜମାୟଯେଦଂ

ନାନେବ ତୈରବସିତସ୍ତଦନୁପ୍ରବିଷ୍ଟଃ ॥ ୩୦॥

ଭଗବନ୍ ! ଏହି ସମ୍ପୂର୍ଣ୍ଣ ଜଗତ ଏକମାତ୍ର ଆପଣ ହିଁ ଅଟନ୍ତି | କାରଣ ଏହାର ଆଦିରେ କାରଣରୂପରେ ଆପଣ ହିଁ ଥିଲେ, ଅନ୍ତରେ ଅବଧିରୂପରେ ଆପଣ ହିଁ ରହିବେ ଏବଂ ମଧ୍ୟରେ ଏହାର ପ୍ରତୀତି ରୂପରେ କେବଳ ଆପଣ ହିଁ ରହିଛନ୍ତି | ଆପଣ ନିଜ ମାୟା ବଳରେ ଗୁଣର ପରିଣାମ-ସ୍ବରୂପ ଏହି ଜଗତର ସୃଷ୍ଟି କରି ଏଥିରେ ପୂର୍ବରୁ ବିଦ୍ୟମାନ ରହିଥିଲେ ବି ପ୍ରବେଶ କରିବାର ଲୀଳା କରନ୍ତି ଏବଂ ଗୁଣରେ ଯୁକ୍ତ ହୋଇ ଅନେକ ପ୍ରତୀତ ହୁଅନ୍ତି |

ତ୍ୱଂ ବା ଇଦଂ ସଦସଦୀଶ ଭବାଂସ୍ତତୋଽନ୍ୟୋ

ମାୟା ଯଦାତ୍ମପରବୁଦ୍ଧିରିୟଂ ହ୍ୟପାର୍ଥା ।

ଯଦ୍ୟସ୍ୟ ଜନ୍ମ ନିଧନଂ ସ୍ଥିତିରୀକ୍ଷଣଂ ଚ

ତଦ୍ୱୈ ତଦେବ ବସୁକାଲବଦଷ୍ଟିତର୍ୱୋଃ ॥ ୩୧॥

ଭଗବନ୍ ! ଏହି ଜଗତରେ କାର୍ଯ୍ୟ-କାରଣ ରୂପରେ ଯାହାକିଛି ପ୍ରତୀତ ହେଉଛି, ତାହା ସବୁ ଆପଣ ହିଁ ଅଟନ୍ତି ଏବଂ ଆପଣ ଏହାଠାରୁ ଭିନ୍ନ ମଧ୍ୟ ଅଟନ୍ତି | ଆପଣା-ପରର ଭେଦଭାବ ତ ଅର୍ଥହୀନ ଶବ୍ଦର ମାୟା ଅଟେ; କାରଣ ଯହିଁରେ ଯାହାର ଜନ୍ମ, ସ୍ଥିତି, ଲୟ ଏବଂ ପ୍ରକାଶ ହୋଇଥାଏ – ଯେପରି କି ବୀଜ ଏବଂ ବୃକ୍ଷ କାରଣ ଏବଂ କାର୍ଯ୍ୟ ଦୃଷ୍ଟିରୁ ଭିନ୍ନ-ଭିନ୍ନ ଅଟନ୍ତି, ତଥାପି ଗନ୍ଧ-ତନ୍ମାତ୍ରା ଦୃଷ୍ଟିରୁ ସେମାନେ ଏକ ହିଁ ଅଟନ୍ତି |

ନ୍ୟସ୍ୟେଦମାତ୍ମନି ଜଗଦ୍ୱିଲୟାମ୍ବୁମଧ୍ୟେ

ଶେଷେଽଽତ୍ମନା ନିଜସୁଖାନୁଭବୋ ନିରୀହଃ ।

ଯୋଗେନ ମୀଲିତଦୃଗାତ୍ମନିପୀତନିଦ୍ର-

ସ୍ତୁର୍ୟେ ସ୍ଥିତୋ ନ ତୁ ତମୋ ନ ଗୁଣାଂଶ୍ଚ ଯୁଙ୍କ୍ଷେ ॥ ୩୨॥

ଭଗବନ୍ ! ଆପଣ ନିଜେ ହିଁ ସମ୍ପୂର୍ଣ୍ଣ ବିଶ୍ବକୁ ନିଜ ମଧ୍ୟରେ ଲୀନ କରି ଆତ୍ମସୁଖର ଅନୁଭବ କି ନିଷ୍କ୍ରିୟ ଭାବରେ ପ୍ରଳୟକାଳୀନ ଜଳରେ ଶୟନ କରନ୍ତି | ସେହି ସମୟରେ ନିଜ ସ୍ବୟଂସିଦ୍ଧ ଯୋଗ ଦ୍ବାରା ବାହ୍ୟ ଦୃଷ୍ଟିକୁ ବନ୍ଦ କରି ଆପଣ ନିଜ ସ୍ବରୂପର ପ୍ରକାଶରେ ନିଦ୍ରାକୁ ବିଲୀନ କରି ତୁରୀୟ ବ୍ରହ୍ମପଦରେ ସ୍ଥିତ ରହନ୍ତି | ସେତେବେଳେ ଆପଣ ତମୋଗୁଣରେ ଯୁକ୍ତ ରହନ୍ତି ନାହିଁ କି ବିଷୟକୁ ମଧ୍ୟ ସ୍ବୀକାର କରନ୍ତି ନାହିଁ |

ତସ୍ୟୈବ ତେ ବପୁରିଦଂ ନିଜକାଲଶକ୍ତ୍ୟା

ସଞ୍ଚୋଦିତପ୍ରକୃତିଧର୍ମଣ ଆତ୍ମଗୂଢମ୍ ।

ଅମ୍ଭସ୍ୟନନ୍ତଶୟନାଦ୍ୱିରମତ୍ସମାଧେ-

ର୍ନାଭେରଭୂତ୍ସ୍ୱକଣିକାବଟବନ୍ମହାବ୍ଜମ୍ ॥ ୩୩॥

ଆପଣ ନିଜ କାଳଶକ୍ତି ଦ୍ବାରା ପ୍ରକୃତିର ଗୁଣକୁ ପ୍ରେରିତ କରନ୍ତି, ସେଥିପାଇଁ ଏହି ବ୍ରହ୍ମାଣ୍ଡ ଆପଣଙ୍କର ଶରୀର ହିଁ ଅଟେ | ପ୍ରଥମେ ଏହା ଆପଣଙ୍କ ମଧ୍ୟରେ ଲୀନ ଥାଏ | ତାପରେ ଯେତେବେଳେ ପ୍ରଳୟକାଳୀନ ଜଳରେ ଶେଷଶଯ୍ୟା ଉପରେ ଶୟନ କରିଥିବା ଆପଣ ନିଜର ଯୋଗନିଦ୍ରାର ସମାଧି ତ୍ୟାଗ କରନ୍ତି, ସେତେବେଳେ ବଟବୃକ୍ଷର ବୀଜରୁ ବିଶାଳ ବୃକ୍ଷ ବାହାରିବା ପରି ଆପଣଙ୍କ ନାଭିଦେଶରୁ ବ୍ରହ୍ମାଣ୍ଡ କମଳ ଉତ୍ପନ୍ନ ହେଲା |

ତତ୍ସମ୍ଭବଃ କବିରତୋଽନ୍ୟଦପଶ୍ୟମାନ-

ସ୍ତ୍ୱାଂ ବୀଜମାତ୍ମନି ତତଂ ସ୍ୱବହିର୍ୱିଚିନ୍ତ୍ୟ ।

ନାବିନ୍ଦଦବ୍ଦଶତମପ୍ସୁ ନିମଜ୍ଜମାନୋ

ଜାତେଽଙ୍କୁରେ କଥମୁ ହୋପଲଭେତ ବୀଜମ୍ ॥ ୩୪॥

ତାହା ଉପରେ ସୂକ୍ଷ୍ମଦର୍ଶୀ ବ୍ରହ୍ମାଜୀ ପ୍ରକଟ ହେଲେ | ସେହି କମଳ ବ୍ୟତିତ ତାଙ୍କୁ ଯେତେବେଳେ ଅନ୍ୟ କିଛି ଦୃଶ୍ୟ ହେଲାନାହିଁ, ସେତେବେଳେ ନିଜ ଭିତରେ ବୀଜରୂପରେ ବ୍ୟାପ୍ତ ଆପଣଙ୍କୁ ଜାଣି ନ ପାରି ସେ ବାହାରେ ଜଳ ମଧ୍ୟରେ ପ୍ରବେଶ କରି ଶହ-ଶହ ବର୍ଷ ଆପଣଙ୍କର ଅନ୍ବେଷଣ କରି ଚାଲିଲେ | କିନ୍ତୁ ସେଠାରେ ମଧ୍ୟ ତାଙ୍କୁ କିଛି ମିଳିଲା ନାହିଁ | ଏହା ସ୍ବାଭାବିକ ଯେ ବୃକ୍ଷର ଅଙ୍କୁରୋଦଗମ ହୋଇଯିବା ପରେ ସେଥିରେ ବ୍ୟାପ୍ତ ବୀଜକୁ କିଏ କିପରି ଅବା ଦେଖିପାରିବ !

ସ ତ୍ୱାତ୍ମୟୋନିରତିବିସ୍ମିତ ଆଶ୍ରିତୋଽବ୍ଜଂ

କାଲେନ ତୀବ୍ରତପସା ପରିଶୁଦ୍ଧଭାବଃ ।

ତ୍ୱାମାତ୍ମନୀଶ ଭୁବି ଗନ୍ଧମିବାତିସୂକ୍ଷ୍ମଂ

ଭୂତେନ୍ଦ୍ରିୟାଶୟମୟେ ବିତତଂ ଦଦର୍ଶ ॥ ୩୫॥

ବ୍ରହ୍ମା ଆଶ୍ଚର୍ଯ୍ୟ ହେଲେ; ହାରି ଯାଇ ସେ ସେହି କମଳ ଉପରେ ବସି ରହିଲେ | ବହୁତ ସମୟ ଅତିବାହିତ ହୋଇଯିବା ପରେ ତୀବ୍ର ତପସ୍ୟା ଦ୍ବାରା ଯେତେବେଳେ ତାଙ୍କର ହୃଦୟ ଶୁଦ୍ଧ ହୋଇଗଲା, ସେତେବେଳେ ସେ ଭୂତ, ଇନ୍ଦ୍ରିୟ ଏବଂ ଅନ୍ତଃକରଣ ରୂପ ନିଜ ଶରୀରରେ ହିଁ ଓତଃପ୍ରୋତ ରୂପରେ ସ୍ଥିତ ଆପଣଙ୍କର ସୂକ୍ଷ୍ମ ରୂପର ସାକ୍ଷାତକାର କଲେ – ଠିକ୍ ସେହିପରି ଯେପରି କି ପୃଥିବୀରେ ବ୍ୟାପ୍ତ ତାହାର ଅତି ସୂକ୍ଷ୍ମ ଗନ୍ଧ ତନ୍ମାତ୍ରାର ଅନୁଭବ ହୋଇଥାଏ |

ଏବଂ ସହସ୍ରବଦନାଙ୍ଘ୍ରିଶିରଃକରୋରୁ-

ନାସାସ୍ୟକର୍ଣନୟନାଭରଣାୟୁଧାଢ୍ୟଂ

ମାୟାମୟଂ ସଦୁପଲକ୍ଷିତସନ୍ନିବେଶଂ

ଦୃଷ୍ଟ୍ୱା ମହାପୁରୁଷମାପ ମୁଦଂ ବିରିଞ୍ଚଃ ॥ ୩୬॥

ବିରାଟ ପୁରୁଷ ସହସ୍ର ମୁଖ, ଚରଣ, ସିର, ହସ୍ତ, ଜଘନ, ନାସିକା, କର୍ଣ୍ଣ, ନେତ୍ର, ଆଭୂଷଣ ଏବଂ ଆୟୁଧରେ ସମ୍ପନ୍ନ ଥିଲେ | ଚଉଦ ଭୁବନ ତାଙ୍କର ବିଭିନ୍ନ ଅଙ୍ଗ ରୂପରେ ଶୋଭାୟମାନ ଥିଲେ | ତାହା ଭଗବାନଙ୍କର ଏକ ଲୀଳାମୟୀ ମୂର୍ତ୍ତି ଥିଲା | ତାହାର ଦର୍ଶନ କରି ବ୍ରହ୍ମାଜୀ ଅତିଶୟ ଆନନ୍ଦିତ ହେଲେ |

ତସ୍ମୈ ଭବାନ୍ ହୟଶିରସ୍ତନୁବଂ ହି ବିଭ୍ରଦ୍-

ବେଦଦ୍ରୁହାବତିବଲୌ ମଧୁକୈଟଭାଖ୍ୟୌ ।

ହତ୍ୱାଽଽନୟଚ୍ଛ୍ରୁତିଗଣାଂସ୍ତୁ ରଜସ୍ତମଶ୍ଚ

ସତ୍ତ୍ୱଂ ତବ ପ୍ରିୟତମାଂ ତନୁମାମନନ୍ତି ॥ ୩୭॥

ରଜୋଗୁଣ ଏବଂ ତମୋଗୁଣରୂପ ମଧୁ ଏବଂ କୈଟଭ ନାମରେ ଦୁଇଜଣ ଅତ୍ୟନ୍ତ ବଲବାନ୍ ଦୈତ୍ୟ ଥିଲେ | ସେମାନେ ଯେତେବେଳେ ବେଦକୁ ଚୋରାଇ ନେଇଗଲେ, ସେତେବେଳେ ଆପଣ ହୟଗ୍ରୀବ ଅବତାର ଗ୍ରହଣ କରି ସେହି ଦୁଇ ଦୈତ୍ୟଙ୍କୁ ମାରି ସତ୍ତ୍ବଗୁଣରୂପ ଶ୍ରୁତିକୁ ବ୍ରହ୍ମାଜୀଙ୍କୁ ଫେରାଇ ଦେଇଥିଲେ | ମହାତ୍ମାମାନେ ବର୍ଣ୍ଣନା କରିବା ପ୍ରକାରେ ସେହି ସତ୍ତ୍ବଗୁଣ ହିଁ ଆପଣଙ୍କର ଅତ୍ୟନ୍ତ ପ୍ରିୟ ଶରୀର ଅଟେ |

ଇତ୍ଥଂ ନୃତିର୍ୟଗୃଷିଦେବଝଷାବତାରୈ-

ର୍ଲୋକାନ୍ ବିଭାବୟସି ହଂସି ଜଗତ୍ପ୍ରତୀପାନ୍ ।

ଧର୍ମଂ ମହାପୁରୁଷ ପାସି ଯୁଗାନୁବୃତ୍ତଂ

ଛନ୍ନଃ କଲୌ ଯଦଭବସ୍ତ୍ରିୟୁଗୋଽଥ ସ ତ୍ୱମ୍ ॥ ୩୮॥

ହେ ପୁରୁଷୋତ୍ତମ ! ଏହିପରି ଭାବରେ ଆପଣ ମନୁଷ୍ୟ, ପଶୁ-ପକ୍ଷୀ, ଋଷି, ଦେବତା ଏବଂ ମତ୍ସ୍ୟ ଆଦି ରୂପରେ ଅବତାର ଗ୍ରହଣ କରି ସଂସାରର ପାଳନ କରିବା ସହିତ ଦୁଷ୍ଟମାନଙ୍କର ସଂହାର କରିଥାଆନ୍ତି | ଏହି ସବୁ ଅବତାର ଗ୍ରହଣ କରି ଆପଣ ପ୍ରତ୍ୟେକ ଯୁଗରେ ସେହି ଯୁଗର ଧର୍ମ ରକ୍ଷା କରିଥାଆନ୍ତି | କଳିଯୁଗରେ ଆପଣ ଗୁପ୍ତ ରୂପରେ ରହନ୍ତି, ସେଥିପାଇଁ ଆପଣଙ୍କର ଅନ୍ୟ ଏକ ନାମ ‘ତ୍ରିଯୁଗ ଅଟେ |

ନୈତନ୍ମନସ୍ତବ କଥାସୁ ବିକୁଣ୍ଠନାଥ

ସମ୍ପ୍ରୀୟତେ ଦୁରିତଦୁଷ୍ଟମସାଧୁ ତୀବ୍ରମ୍ ।

କାମାତୁରଂ ହର୍ଷଶୋକଭୟୈଷଣାର୍ତଂ

ତସ୍ମିନ୍ କଥଂ ତବ ଗତିଂ ବିମୃଶାମି ଦୀନଃ ॥ ୩୯॥

ହେ ବୈକୁଣ୍ଠନାଥ ! ମୋ ମନର ଦୁର୍ଦ୍ଦଶା ଅତୀବ ଭୀଷଣ ଅଟେ | ସହଜରେ ତ ଏହା ପାପବାସନାରେ କଳୁଷିତ ଅଟେ, ତାଛଡା ଇଏ ସ୍ବୟଂ ମଧ୍ୟ ବହୁତ ଦୁଷ୍ଟ ଅଟେ | ପ୍ରାୟତଃ କାମନାମାନଙ୍କୁ ନେଇ ଏହା ଆତୁର ରହିଥାଏ ଏବଂ ହର୍ଷ-ଶୋକ-ଭୟ ତଥା ଲୋକ-ପରଲୋକ, ଧନ, ପତ୍ନୀ, ପୁତ୍ର ଆଦିଙ୍କ ଚିନ୍ତାରେ ଏହା ବ୍ୟାକୁଳ ରହୁଥାଏ | ଆପଣଙ୍କ ଲୀଳା-କଥାରୁ ଏହାକୁ ରସ ମିଳେନାହିଁ | ଏହା ଯୋଗୁଁ ମୋର ଅବସ୍ଥା ଦୟନୀୟ ହୋଇଯାଇଛି | ଏହି ମନ ଦ୍ବାରା ମୁଁ ଆପଣଙ୍କ ସ୍ବରୂପର ଚିନ୍ତନ କିପରି କରିବି ?

ଜିହ୍ୱୈକତୋଽଚ୍ୟୁତ ବିକର୍ଷତି ମାବିତୃପ୍ତା

ଶିଶ୍ନୋଽନ୍ୟତସ୍ତ୍ୱଗୁଦରଂ ଶ୍ରବଣଂ କୁତଶ୍ଚିତ୍ ।

ଘ୍ରାଣୋଽନ୍ୟତଶ୍ଚପଲଦୃକ୍ କ୍ୱ ଚ କର୍ମଶକ୍ତି-

ର୍ବହ୍ୱ୍ୟଃ ସପତ୍ନ୍ୟ ଇବ ଗେହପତିଂ ଲୁନନ୍ତି ॥ ୪୦॥

ହେ ଅଚ୍ୟୁତ ! କେବେ ତୃପ୍ତ ହେଉ ନ ଥିବା ମୋର ଏହି ଜିହ୍ବା ମୋତେ ସ୍ବାଦିଷ୍ଟ ରସ ଅଭିମୁଖରେ ଟାଣିବାରେ ଲାଗିଛି | ଜନନେନ୍ଦ୍ରିୟ ସୁନ୍ଦରୀ ସ୍ତ୍ରୀ ଅଭିମୁଖରେ, ତ୍ବଚା ସୁକୋମଳ ସ୍ପର୍ଶ ଅଭିମୁଖରେ, ଉଦର ଭୋଜନ ଅଭିମୁଖରେ, କାନ ମଧୁର ସଙ୍ଗୀତ ଅଭିମୁଖରେ, ନାସିକା ମିଠା-ମିଠା ସୁଗନ୍ଧ ଅଭିମୁଖରେ ଏବଂ ଦୁଇ ଚଞ୍ଚଳ ନେତ୍ର ସୌନ୍ଦର୍ଯ୍ୟ ଅଭିମୁଖରେ ମୋତେ ଆକର୍ଷିତ କରିବାରେ ଲାଗିଛନ୍ତି | ଏତଦ୍ ବ୍ୟତିତ କର୍ମେନ୍ଦ୍ରିୟମାନେ ମଧ୍ୟ ନିଜ ନିଜର ବିଷୟ ଅଭିମୁଖରେ ମୋତେ ଟାଣିବାରେ ଲାଗିଛନ୍ତି | ମୋର ଦଶା ତ ଏପରି ହୋଇଯାଇଛି ଯେପରି କି ଜଣେ ପୁରୁଷକୁ ବହୁତ ଜଣ ସ୍ତ୍ରୀ ଏକସଙ୍ଗେ ନିଜ ନିଜ ଶୟନକକ୍ଷକୁ ଘୋଷାଡି ନେବାକୁ ଚେଷ୍ଟା କରୁଛନ୍ତି |

ଏବଂ ସ୍ୱକର୍ମପତିତଂ ଭବବୈତରଣ୍ୟା-

ମନ୍ୟୋନ୍ୟଜନ୍ମମରଣାଶନଭୀତଭୀତମ୍ ।

ପଶ୍ୟନ୍ ଜନଂ ସ୍ୱପରବିଗ୍ରହବୈରମୈତ୍ରଂ

ହନ୍ତେତି ପାରଚର ପୀପୃହି ମୂଢମଦ୍ୟ ॥ ୪୧॥

ଏହିପରି ଭାବରେ ଜୀବ ନିଜ କର୍ମବନ୍ଧନରେ ଛନ୍ଦି ହୋଇ ଏହି ସଂସାରରୂପ ବୈତରଣୀ ନଦୀରେ ପଡି ରହିଛି | ଜନ୍ମରୁ ମୃତ୍ୟୁ, ମୃତ୍ୟୁରୁ ଜନ୍ମ – ଏହି ଅବଧି ମଧ୍ୟରେ କର୍ମଭୋଗ କରି କରି ସେ ଭୟଭୀତ ରହିଛି | ‘ଏହା ମୋର ଅଟେ, ଏହା ପରର ଅଟେ – ଏହିପରି ଭେଦଭାବ ଯୁକ୍ତ ହୋଇ କାହା ସହିତ ମିତ୍ରତା କରୁଛି ତ କାହା ସହିତ ଶତ୍ରୁତା | ହେ କରୁଣାକର ! ଏହି ମୂଢ ଜୀବ-ଜାତିର ଏପରି ଦୁର୍ଦ୍ଦଶା ଦେଖି ଆପଣ ଦ୍ରବିତ ହୁଅନ୍ତି | ଭବ-ନଦୀର ସର୍ବଦା ଅପର ପାର୍ଶ୍ବରେ ରହୁଥିବା ହେ ଭଗବାନ ! ଆପଣ ଏବେ ଏହି ପ୍ରାଣୀମାନଙ୍କୁ ମଧ୍ୟ ପାର କରିଦିଅନ୍ତୁ |

କୋ ନ୍ୱତ୍ର ତେଽଖିଲଗୁରୋ ଭଗବନ୍ ପ୍ରୟାସ

ଉତ୍ତାରଣେଽସ୍ୟ ଭବସମ୍ଭବଲୋପହେତୋଃ ।

ମୂଢେଷୁ ବୈ ମହଦନୁଗ୍ରହ ଆର୍ତବନ୍ଧୋ

କିଂ ତେନ ତେ ପ୍ରିୟଜନାନନୁସେବତାଂ ନଃ ॥ ୪୨॥

ଜଗଦଗୁରୁ ! ଆପଣ ଏହି ସୃଷ୍ଟିର ଉତ୍ପତ୍ତି, ସ୍ଥିତି ତଥା ପାଳନକର୍ତ୍ତା ଅଟନ୍ତି | ତେଣୁ ଜୀବକୁ ଏହି ଭବନଦୀ ପାର କରାଇବା ପାଇଁ ଆପଣଙ୍କୁ ଅବା କି ପ୍ରୟାସ କରିବାକୁ ପଡିବ ? ପ୍ରଭୁ ! ଆପଣ ଦୀନଜନଙ୍କର ପରମ ହିତୈଷୀ ଅଟନ୍ତି | ପଥଭ୍ରଷ୍ଟ ମୂଢାତ୍ମାମାନେ ହିଁ ମହାନ୍ ପୁରୁଷଙ୍କର ବିଶେଷ ଅନୁଗ୍ରହ-ପାତ୍ର ଅଟନ୍ତି | ଆମ୍ଭମାନଙ୍କ ପାଇଁ ତାହାର କୌଣସି ଆବଶ୍ୟକତା ନାହିଁ | କାରଣ ଆମ୍ଭେମାନେ ତ ଆପଣଙ୍କ ପ୍ରିୟଜନମାନଙ୍କର ସେବାରେ ନିଯୁକ୍ତ ରହିଛୁ, ତେଣୁ ଭବାଟବୀରୁ ଉଦ୍ଧାର ହେବାର ଚିନ୍ତା ଆମର ନାହିଁ |

ନୈବୋଦ୍ୱିଜେ ପର ଦୁରତ୍ୟଯବୈତରଣ୍ୟା-

ସ୍ତ୍ୱଦ୍ୱୀର୍ୟଗାୟନମହାମୃତମଗ୍ନଚିତ୍ତଃ ।

ଶୋଚେ ତତୋ ବିମୁଖଚେତସ ଇନ୍ଦ୍ରିୟାର୍ଥ-

ମାୟାସୁଖାୟ ଭରମୁଦ୍ୱହତୋ ବିମୂଢାନ୍ ॥ ୪୩॥

ପରମାତ୍ମନ୍ ! ଏହି ଭବ-ବୈତରଣୀରୁ ପାର ପାଇବା ଅନ୍ୟମାନଙ୍କ ପାଇଁ ନିଶ୍ଚିତଭାବରେ କଠିନ ଅଟେ; କିନ୍ତୁ ମୋର ତାହାକୁ ନେଇ କିଂଚିତ୍ ବି ଭୟ ନାହିଁ | କାରଣ ମୋର ଚିତ୍ତ ଏହି ବୈତରଣୀରେ ନୁହେଁ, ଆପଣଙ୍କ ଲୀଳାଗାନରେ ମଗ୍ନ ରହିଥାଏ, ଯାହା ସ୍ବର୍ଗୀୟ ଅମୃତକୁ ମଧ୍ୟ ତିରସ୍କୃତ କରୁଥିବା ପରମାମୃତସ୍ବରୂପ ଅଟେ | ମୁଁ ସେହି ମୂଢ ପ୍ରାଣୀମାନଙ୍କ ନିମନ୍ତେ ଶୋକ କରୁଛି, ଯେଉଁମାନେ ଆପଣଙ୍କ ଗୁଣଗାନ ପ୍ରତି ବିମୁଖ ରହି ଇନ୍ଦ୍ରିୟ-ବିଷୟର ମାୟାମୟ ଅଳିକ ସୁଖ ପ୍ରାପ୍ତ କରିବା ପାଇଁ ମୁଣ୍ଡରେ ସାରା ସଂସାରର ବୋଝ ବୋହି ଚାଲିଛନ୍ତି |

ପ୍ରାୟେଣ ଦେବ ମୁନୟଃ ସ୍ୱବିମୁକ୍ତିକାମାଃ

ମୌନଂ ଚରନ୍ତି ବିଜନେ ନ ପରାର୍ଥନିଷ୍ଠାଃ ।

ନୈତାନ୍ୱିହାୟ କୃପଣାନ୍ୱିମୁମୁକ୍ଷ ଏକୋ

ନାନ୍ୟଂ ତ୍ୱଦସ୍ୟ ଶରଣଂ ଭ୍ରମତୋଽନୁପଶ୍ୟେ ॥ ୪୪॥

ହେ ମୋର ସ୍ବାମୀ ! ବଡ-ବଡ ଋଷି-ମୁନିମାନେ ତ ପ୍ରାୟତଃ ନିଜ ମୁକ୍ତି କାମନାରେ ନିର୍ଜନ ବନକୁ ଯାଇ ମୌନବ୍ରତ ଧାରଣ କରିନିଅନ୍ତି | ଅନ୍ୟର କଲ୍ୟାଣ ନିମନ୍ତେ ସେମାନେ ବିଶେଷ ପ୍ରଯତ୍ନ କରନ୍ତି ନାହିଁ | କିନ୍ତୁ ମୋର ଦଶା ଭିନ୍ନ ଅଟେ | ମୁଁ ଏହି ବାଟବଣା ଅସହାୟ ଗରୀବମାନଙ୍କୁ ଛାଡି ଏକାକୀ ମୁକ୍ତ ହେବାକୁ ଇଚ୍ଛା କରୁନାହିଁ | ଏହି ପଥଭ୍ରଷ୍ଟ ପ୍ରାଣୀଙ୍କର ସହାରା ଭାବରେ ଆପଣଙ୍କ ବ୍ୟତିତ ମୁଁ ଆଉ କାହାକୁ ଦେଖି ପାରୁନାହିଁ |

ଯନ୍ମୈଥୁନାଦିଗୃହମେଧିସୁଖଂ ହି ତୁଚ୍ଛଂ

କଣ୍ଡୂୟନେନ କରୟୋରିବ ଦୁଃଖଦୁଃଖମ୍ ।

ତୃପ୍ୟନ୍ତି ନେହ କୃପଣା ବହୁଦୁଃଖଭାଜଃ

କଣ୍ଡୂତିବନ୍ମନସିଜଂ ବିଷହେତ ଧୀରଃ ॥ ୪୫॥

ଘର-ପରିବାରରେ ବାନ୍ଧି ହୋଇ ରହିଥିବା ଲୋକଙ୍କୁ ମୈଥୁନ ଆଦି ଯେଉଁ ସୁଖ ମିଳିଥାଏ, ତାହା ଅତ୍ୟନ୍ତ ତୁଚ୍ଛ ଏବଂ ଦୁଃଖରୂପ ହିଁ ଅଟେ | ଦୁଇ ହାତରେ ଜାଦୁକୁ କୁଣ୍ଡାଇବାରେ ଯେଉଁ କ୍ଷଣିକ ସୁଖ ମିଳିଥାଏ, ତାହା ପରବର୍ତ୍ତୀ ସମୟରେ ଦୁଃଖ ହିଁ ଦୁଃଖ ଦେଇଥାଏ | ତଥାପି ଏହି ବିମୁଖ ଅଜ୍ଞାନୀ ପୁରୁଷ ବହୁ ଦୁଃଖ ଭୋଗ କରିବା ସତ୍ତ୍ବେ ବି ବିଷୟବାସନାରୁ କ୍ଷାନ୍ତ ହୁଅନ୍ତି ନାହିଁ | ଅପର ପକ୍ଷରେ, ଧୀର ପୁରୁଷମାନେ କୁଣ୍ଡିଆକୁ ସହ୍ୟ କରିନେବା ପରି କାମାଦି ଆବେଗକୁ ମଧ୍ୟ ସହ୍ୟ କରିନିଅନ୍ତି | ସହ୍ୟ କରିବା ଦ୍ବାରା ହିଁ ସେମାନଙ୍କର ନାଶ ହୋଇଥାଏ |

ମୌନବ୍ରତଶ୍ରୁତତପୋଽଧ୍ୟଯନସ୍ୱଧର୍ମ-

ବ୍ୟାଖ୍ୟାରହୋଜପସମାଧୟ ଆପବର୍ଗ୍ୟାଃ ।

ପ୍ରାୟଃ ପରଂ ପୁରୁଷ ତେ ତ୍ୱଜିତେନ୍ଦ୍ରିୟାଣାଂ

ବାର୍ତା ଭବନ୍ତ୍ୟୁତ ନ ବାତ୍ର ତୁ ଦାମ୍ଭିକାନାମ୍ ॥ ୪୬॥

ପୁରୁଷୋତ୍ତମ ! ମୋକ୍ଷ ପ୍ରାପ୍ତି ନିମନ୍ତେ ଦଶଟି ସାଧନ ପ୍ରସିଦ୍ଧ ଅଟେ – ମୌନ, ବ୍ରହ୍ମଚର୍ଯ୍ୟ, ଶାସ୍ତ୍ର-ଶ୍ରବଣ, ତପସ୍ୟା, ସ୍ବାଧ୍ୟାୟ, ସ୍ବଧର୍ମପାଳନ, ଯୁକ୍ତି ଦ୍ବାରା ଶାସ୍ତ୍ରର ବ୍ୟାଖ୍ୟା, ଏକାନ୍ତସେବନ, ଜପ ଏବଂ ସମାଧି | କିନ୍ତୁ ଇନ୍ଦ୍ରିୟ ଯେଉଁମାନଙ୍କର ବଶରେ ନ ଥାଏ, ସେମାନଙ୍କ ପାଇଁ ଏହି ସବୁ ସାଧନ କେବଳ ବାହ୍ୟ ଆଡମ୍ବର ହୋଇ ରହିଯାଏ | ତାଛଡା, ଦମ୍ଭୀମାନଙ୍କ ପାଇଁ ତ, ଯେତେବେଳଯାଏଁ ସେମାନଙ୍କର ପ୍ରକୃତ ସ୍ବରୂପର ଅନାବରଣ ନ ହୋଇଛି, ସେତେବେଳଯାଏଁ ଏହା ସେମାନଙ୍କର ଜୀବନନିର୍ବାହର ସାଧନ ହୋଇଥାଏ |

ରୂପେ ଇମେ ସଦସତୀ ତବ ବେଦସୃଷ୍ଟେ

ବୀଜାଙ୍କୁରାବିବ ନ ଚାନ୍ୟଦରୂପକସ୍ୟ ।

ଯୁକ୍ତାଃ ସମକ୍ଷମୁଭୟତ୍ର ବିଚିନ୍ୱତେ ତ୍ୱାଂ

ଯୋଗେନ ବହ୍ନିମିବ ଦାରୁଷୁ ନାନ୍ୟତଃ ସ୍ୟାତ୍ ॥ ୪୭॥

ବେଦ ଅନୁଯାୟୀ ବୀଜ ଏବଂ ଅଙ୍କୁର ସଦୃଶ ଆପଣଙ୍କର ଦୁଇଟି ରୂପ ରହିଛି – କାର୍ଯ୍ୟ ଏବଂ କାରଣ | ବାସ୍ତବରେ ତ ଆପଣ ପ୍ରାକୃତ ରୂପରହିତ ଅଟନ୍ତି | କିନ୍ତୁ ଏହି କାର୍ଯ୍ୟ-କାରଣରୂପ ବ୍ୟତିତ ଆପଣଙ୍କ ଜ୍ଞାନର ଅନ୍ୟ କୌଣସି ସାଧନ ନାହିଁ | କାଷ୍ଠମନ୍ଥନ ଦ୍ବାରା ଅଗ୍ନି ପ୍ରକଟ କରାଯିବା ପରି ଯୋଗୀଜନ ଭକ୍ତିଯୋଗ ସାଧନା ଦ୍ବାରା ଆପଣଙ୍କୁ କାର୍ଯ୍ୟ-କାରଣ ଉଭୟରେ ଠାବ କରିନିଅନ୍ତି |

ତ୍ୱଂ ବାୟୁରଗ୍ନିରବନିର୍ୱିୟଦମ୍ବୁମାତ୍ରାଃ

ପ୍ରାଣେନ୍ଦ୍ରିୟାଣି ହୃଦୟଂ ଚିଦନୁଗ୍ରହଶ୍ଚ ।

ସର୍ୱଂ ତ୍ୱମେବ ସଗୁଣୋ ବିଗୁଣଶ୍ଚ ଭୂମନ୍

ନାନ୍ୟତ୍ତ୍ୱଦସ୍ତ୍ୟପି ମନୋବଚସା ନିରୁକ୍ତମ୍ ॥ ୪୮॥

ଅନନ୍ତ ପ୍ରଭୁ ! ବାୟୁ, ଅଗ୍ନି, ପୃଥିବୀ, ଆକାଶ, ଜଳ, ପଞ୍ଚତନ୍ମାତ୍ରା, ପ୍ରାଣ, ଇନ୍ଦ୍ରିୟ, ମନ, ଚିତ୍ତ, ଅହଂକାର, ସମ୍ପୂର୍ଣ୍ଣ ଜଗତ ଏବଂ ସଗୁଣ-ନିର୍ଗୁଣ – ସବୁ କିଛି କେବଳ ଆପଣ ହିଁ ଅଟନ୍ତି | ଆଉ କଣ କହିବା, ମନ ଓ ବାଣୀରେ ଯାହା କିଛି ନିରୂପଣ କରାଯାଇ ଥାଏ, ତାହା ଆପଣଙ୍କଠାରୁ ପୃଥକ୍ ନୁହେଁ |

ନୈତେ ଗୁଣା ନ ଗୁଣିନୋ ମହଦାଦୟୋ ଯେ

ସର୍ୱେ ମନଃ ପ୍ରଭୃତୟଃ ସହଦେବମର୍ତ୍ୟାଃ ।

ଆଦ୍ୟନ୍ତବନ୍ତ ଉରୁଗାୟ ବିଦନ୍ତି ହି ତ୍ୱା-

ମେବଂ ବିମୃଶ୍ୟ ସୁଧିୟୋ ବିରମନ୍ତି ଶବ୍ଦାତ୍ ॥ ୪୯॥

ସମଗ୍ର କୀର୍ତ୍ତିର ଆଶ୍ରୟ ଭଗବନ୍ ! ଏହି ସବୁ ସତ୍ତ୍ଵାଦି ଗୁଣ ଏବଂ ଏମାନଙ୍କର ପରିଣାମ ମହତ୍ତତ୍ତ୍ବାଦି, ଦେବତା, ମନୁଷ୍ୟ ଏବଂ ମନ ଆଦି କେହି ମଧ୍ୟ ଆପଣଙ୍କର ସ୍ବରୂପ ଜାଣିବାକୁ ସମର୍ଥ ନୁହଁନ୍ତି, କାରଣ ଏମାନେ ସମସ୍ତେ ଆଦି-ଅନ୍ତବିଶିଷ୍ଟ ଅଟନ୍ତି ଏବଂ ଆପଣ ଅନାଦି-ଅନନ୍ତ ଅଟନ୍ତି | ଏପରି ବିଚାର କରି ଜ୍ଞାନୀଜନ ଶବ୍ଦର ମାୟାରୁ ଉପରତ ହୋଇଯାଆନ୍ତି |

ତତ୍ତେର୍ହତ୍ତମ ନମଃ ସ୍ତୁତିକର୍ମପୂଜାଃ

କର୍ମ ସ୍ମୃତିଶ୍ଚରଣୟୋଃ ଶ୍ରବଣଂ କଥାୟାମ୍ ।

ସଂସେବୟା ତ୍ୱୟି ବିନେତି ଷଡଙ୍ଗୟା କିଂ

ଭକ୍ତିଂ ଜନଃ ପରମହଂସଗତୌ ଲଭେତ ॥ ୫୦॥

ହେ ପରମ ପୂଜ୍ୟ ! ଆପଣଙ୍କ ସେବାର ଛଅଟି ଅଙ୍ଗ ରହିଛି – ନମସ୍କାର, ସ୍ତୁତି, ସମସ୍ତ କର୍ମ ସମର୍ପଣ, ସେବା-ପୂଜା, ଚରଣକମଳର ଚିନ୍ତନ ଏବଂ ଲୀଳାକଥା ଶ୍ରବଣ | ଏହି ଷଡଙ୍ଗ-ସେବା ବିନା ଆପଣଙ୍କ ଚରଣକମଳର ଭକ୍ତି ଭଲା କିପରି ପ୍ରାପ୍ତ ହେବ ଏବଂ ଆପଣଙ୍କ ଭକ୍ତି ବିନା ଆପଣଙ୍କର ପ୍ରାପ୍ତି କିପରି ହେବ ? ପ୍ରଭୁ ! ଆପଣ ତ ନିଜର ପରମ ପ୍ରିୟ ଭକ୍ତଜନ ଏବଂ ପରମହଂସମାନଙ୍କର ସର୍ବସ୍ବ ଅଟନ୍ତି |

ନାରଦ ଉବାଚ

ଏତାବଦ୍ୱର୍ଣିତଗୁଣୋ ଭକ୍ତ୍ୟା ଭକ୍ତେନ ନିର୍ଗୁଣଃ ।

ପ୍ରହ୍ଲାଦଂ ପ୍ରଣତଂ ପ୍ରୀତୋ ଯତମନ୍ୟୁରଭାଷତ ॥ ୫୧॥

ଦେବର୍ଷି ନାରଦ କହୁଛନ୍ତି – ଏହିପରି ଭାବରେ ଭକ୍ତ ପ୍ରହ୍ଲାଦ ଅତ୍ୟନ୍ତ ପ୍ରେମରେ ପ୍ରକୃତି ଏବଂ ପ୍ରାକୃତ-ଗୁଣ ରହିତ ଭଗବାନଙ୍କର ସ୍ବରୂପଭୂତ ଗୁଣମାନଙ୍କର ବର୍ଣ୍ଣନା କଲେ | ଏହା ପରେ ସେ ଭଗବାନଙ୍କ ଚରଣରେ ମସ୍ତକ ଅବନତ କରି ଚୁପ୍ ହୋଇଗଲେ | ନୃସିଂହଭଗବାନଙ୍କର କ୍ରୋଧ ଶାନ୍ତ ହୋଇଗଲା ଏବଂ ସେ ଅତିଶୟ ପ୍ରେମ ଓ ପ୍ରସନ୍ନତାର ସହିତ କହିବାକୁ ଆରମ୍ଭ କଲେ -

ଶ୍ରୀଭଗବାନୁବାଚ

ପ୍ରହ୍ଲାଦ ଭଦ୍ର ଭଦ୍ରଂ ତେ ପ୍ରୀତୋଽହଂ ତେଽସୁରୋତ୍ତମ ।

ବରଂ ବୃଣୀଷ୍ୱାଭିମତଂ କାମପୂରୋଽସ୍ମ୍ୟହଂ ନୃଣାମ୍ ॥ ୫୨॥

ନୃସିଂହଭଗବାନ କହିଲେ – ପରମ କଲ୍ୟାଣସ୍ବରୂପ ପ୍ରହ୍ଲାଦ ! ତୁମର କଲ୍ୟାଣ ହେଉ | ଦୈତ୍ୟଶ୍ରେଷ୍ଠ ! ମୁଁ ତୁମ ପ୍ରତି ଅତ୍ୟନ୍ତ ପ୍ରସନ୍ନ | ତୁମର ଯାହା ଅଭିଳାଷ, ତାହା ମୋଠାରୁ ମାଗି ନିଅ | ମୁଁ ଜୀବର ଇଚ୍ଛା ପୂର୍ଣ୍ଣ କରିଥାଏ |

ମାମପ୍ରୀଣତ ଆୟୁଷ୍ମନ୍ ଦର୍ଶନଂ ଦୁର୍ଲଭଂ ହି ମେ ।

ଦୃଷ୍ଟ୍ୱା ମାଂ ନ ପୁନର୍ଜନ୍ତୁରାତ୍ମାନଂ ତପ୍ତୁମର୍ହତି ॥ ୫୩॥

ଆୟୁଷ୍ମାନ୍ ! ଯିଏ ମୋତେ ପ୍ରସନ୍ନ କରେନାହିଁ, ତାକୁ ମୋର ଦର୍ଶନ ମିଳିବା ଅତି କଠିନ | କିନ୍ତୁ ଯେତେବେଳେ ମୋର ଦର୍ଶନ ହୋଇଯାଏ, ସେତେବେଳେ ପ୍ରାଣୀର ହୃଦୟରେ କୌଣସି ପ୍ରକାରର ଜ୍ବାଳା ରହେନାହିଁ |

ପ୍ରୀଣନ୍ତି ହ୍ୟଥ ମାଂ ଧୀରାଃ ସର୍ୱଭାବେନ ସାଧବଃ ।

ଶ୍ରେୟସ୍କାମା ମହାଭାଗ ସର୍ୱାସାମାଶିଷାଂ ପତିମ୍ ॥ ୫୪॥

ମୁଁ ସମସ୍ତଙ୍କର ସବୁ ପ୍ରକାରର ମନୋରଥ ପୂର୍ଣ୍ଣ କରିଥାଏ | ସେଥିପାଇଁ ସବୁ କଲ୍ୟାଣକାମୀ ପରମ ଭାଗ୍ୟବାନ ସାଧୁଜନ ଜିତେନ୍ଦ୍ରିୟ ହୋଇ ନିଜର ସମସ୍ତ ବୃତ୍ତି ଦ୍ବାରା ମୋତେ ପ୍ରସନ୍ନ କରିବାକୁ ପ୍ରଯତ୍ନ କରିଥାଆନ୍ତି |

ଏବଂ ପ୍ରଲୋଭ୍ୟମାନୋଽପି ବରୈର୍ଲୋକପ୍ରଲୋଭନୈଃ ।

ଏକାନ୍ତିତ୍ୱାଦ୍ଭଗବତି ନୈଚ୍ଛତ୍ତାନସୁରୋତ୍ତମଃ ॥ ୫୫॥

ଅସୁରକୁଳଭୂଷଣ ପ୍ରହ୍ଲାଦ ଭଗବାନଙ୍କର ଅନନ୍ୟ ପ୍ରେମୀ ଥିଲେ | ସେଥିପାଇଁ ବଡ-ବଡ ଲୋକଙ୍କୁ ପ୍ରଲୋଭିତ କରୁଥିବା ବର ଦ୍ବାରା ପ୍ରଲୋଭିତ କରାଇବା ସତ୍ତ୍ବେ ବି ସେ ତାହାର ଇଚ୍ଛା କରି ନ ଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଭଗବତ୍ସ୍ତବୋ ନାମ ନବମୋଽଧ୍ୟାୟଃ ॥ ୯॥


Comments

Popular posts from this blog