ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ସପ୍ତମ ସ୍କନ୍ଧ ॥

ଏକାଦଶ ଅଧ୍ୟାୟ

ମାନବଧର୍ମ, ବର୍ଣ୍ଣଧର୍ମ ସ୍ତ୍ରୀଧର୍ମର ନିରୂପଣ

 

ଶ୍ରୀଶୁକ ଉବାଚ

ଶ୍ରୁତ୍ୱେହିତଂ ସାଧୁସଭାସଭାଜିତଂ

ମହତ୍ତମାଗ୍ରଣ୍ୟ ଉରୁକ୍ରମାତ୍ମନଃ ।

ଯୁଧିଷ୍ଠିରୋ ଦୈତ୍ୟପତେର୍ମୁଦା ଯୁତଃ

ପପ୍ରଚ୍ଛ ଭୂୟସ୍ତନୟଂ ସ୍ୱୟମ୍ଭୁବଃ ॥ ୧॥

ଶ୍ରୀ ଶୁକଦେବ ମୁନି କହୁଛନ୍ତି – ଭଗବନ୍ମୟ ପ୍ରହ୍ଲାଦ ମହାରାଜଙ୍କର ସାଧୁସମାଜରେ ସମ୍ମାନିତ ପବିତ୍ର ଚରିତ ଶୁଣି ସଂତଶିରୋମଣି ଯୁଧିଷ୍ଠିର ଅତ୍ୟନ୍ତ ଆନନ୍ଦିତ ହେଲେ | ତାପରେ ସେ ଦେବର୍ଷି ନାରଦଙ୍କୁ ପୁନଃ ପ୍ରଶ୍ନ କଲେ -

ଯୁଧିଷ୍ଠିର ଉବାଚ

ଭଗବନ୍ ଶ୍ରୋତୁମିଚ୍ଛାମି ନୃଣାଂ ଧର୍ମଂ ସନାତନମ୍ ।

ବର୍ଣାଶ୍ରମାଚାରୟୁତଂ ଯତ୍ପୁମାନ୍ ବିନ୍ଦତେ ପରମ୍ ॥ ୨॥

ଯୁଧିଷ୍ଠିର କହିଲେ – ଭଗବନ୍ ! ଏବେ ମୁଁ ବର୍ଣ୍ଣ ଏବଂ ଆଶ୍ରମର ସଦାଚାର ସହିତ ମନୁଷ୍ୟର ସନାତନ ଧର୍ମ ବିଷୟରେ ଶୁଣିବାକୁ ଇଚ୍ଛା କରୁଛି; କାରଣ ଧର୍ମ ଦ୍ବାରା ହିଁ ମନୁଷ୍ୟକୁ ଜ୍ଞାନ, ଭଗବତ୍-ପ୍ରେମ ଏବଂ ସାକ୍ଷାତ୍ ପରମ ପୁରୁଷ ଭଗବାନଙ୍କର ପ୍ରାପ୍ତି ହୋଇଥାଏ |

ଭବାନ୍ ପ୍ରଜାପତେଃ ସାକ୍ଷାଦାତ୍ମଜଃ ପରମେଷ୍ଠିନଃ ।

ସୁତାନାଂ ସମ୍ମତୋ ବ୍ରହ୍ମଂସ୍ତପୋୟୋଗସମାଧିଭିଃ ॥ ୩॥

ଆପଣ ସ୍ବୟଂ ପ୍ରଜାପତି ବ୍ରହ୍ମାଙ୍କର ପୁତ୍ର ଅଟନ୍ତି ଏବଂ ଆପଣଙ୍କର ତପସ୍ୟା, ଯୋଗ ଓ ସମାଧିର ଉଚ୍ଚ ସ୍ଥିତି ଯୋଗୁଁ ତାଙ୍କର ଅନ୍ୟ ପୁତ୍ରମାନଙ୍କ ତୁଳନାରେ ସେ ଆପଣଙ୍କର ଅଧିକ ସମ୍ମାନ କରନ୍ତି |

ନାରାୟଣପରା ବିପ୍ରା ଧର୍ମ ଗୁହ୍ୟଂ ପରଂ ବିଦୁଃ ।

କରୁଣାଃ ସାଧବଃ ଶାନ୍ତାସ୍ତ୍ୱଦ୍ୱିଧା ନ ତଥାପରେ ॥ ୪॥

ଆପଣଙ୍କ ପରି ନାରାୟଣ-ପରାୟଣ, ଦୟାଳୁ, ସଦାଚାରୀ ଏବଂ ଶାନ୍ତ ବ୍ରାହ୍ମଣ ଧର୍ମର ଗୂଢ଼ଠାରୁ ମଧ୍ୟ ଅତି ଗୂଢ଼ ରହସ୍ୟକୁ ଯେପରି ଯଥାର୍ଥରୂପରେ ଜାଣନ୍ତି, ଅନ୍ୟ କେହି ସେପରି ଜାଣନ୍ତି ନାହିଁ |

ନାରଦ ଉବାଚ

ନତ୍ୱା ଭଗବତେଽଜାୟ ଲୋକାନାଂ ଧର୍ମହେତବେ ।

ବକ୍ଷ୍ୟେ ସନାତନଂ ଧର୍ମଂ ନାରାୟଣମୁଖାଚ୍ଛ୍ରୁତମ୍ ॥ ୫॥

ଯୋଽବତୀର୍ୟାତ୍ମନୋଂଽଶେନ ଦାକ୍ଷାୟଣ୍ୟାଂ ତୁ ଧର୍ମତଃ ।

ଲୋକାନାଂ ସ୍ୱସ୍ତୟେଽଧ୍ୟାସ୍ତେ ତପୋ ବଦରିକାଶ୍ରମେ ॥ ୬॥

ଦେବର୍ଷି ନାରଦ କହିଲେ – ଯୁଧିଷ୍ଠିର ! ଅଜନ୍ମା ଭଗବାନ ହିଁ ସମସ୍ତ ଧର୍ମର ମୂଳ କାରଣ ଅଟନ୍ତି | ସେହି ପ୍ରଭୁ ଚରାଚର ଜଗତର କଲ୍ୟାଣ ନିମନ୍ତେ ଧର୍ମ ଏବଂ ଦକ୍ଷପୁତ୍ରୀ ମୂର୍ତ୍ତିଙ୍କ ଔରସରେ ନିଜ ଅଂଶରେ ଅବତୀର୍ଣ୍ଣ ହୋଇ ବଦରିକାଶ୍ରମରେ ତପସ୍ୟା କରୁଛନ୍ତି | ସେହି ନାରାୟଣ ଭଗବାନଙ୍କୁ ନମସ୍କାର କରି ମୁଁ ତାଙ୍କ ମୁଖରୁ ଶ୍ରବଣ କରିଥିବା ଏହି ସନାତନଧର୍ମର ବର୍ଣ୍ଣନ କରୁଛି |

ଧର୍ମମୂଲଂ ହି ଭଗବାନ୍ ସର୍ୱବେଦମୟୋ ହରିଃ ।

ସ୍ମୃତଂ ଚ ତଦ୍ୱିଦାଂ ରାଜନ୍ ଯେନ ଚାତ୍ମା ପ୍ରସୀଦତି ॥ ୭॥

ଯୁଧିଷ୍ଠିର ! ସର୍ବବେଦସ୍ବରୂପ ଭଗବାନ ଶ୍ରୀହରି, ତାଙ୍କର ତତ୍ତ୍ବ ଜାଣିଥିବା ମହର୍ଷିମାନଙ୍କର ସ୍ମୃତି ଏବଂ ଯାହା ଦ୍ବାରା ଆତ୍ମଗ୍ଲାନି ନ ହୋଇ ଆତ୍ମପ୍ରସାଦର ଉପଲବଧି ହୋଇଥାଏ, ସେହି କର୍ମ ହିଁ ଧର୍ମର ମୂଳ ଅଟେ |

ସତ୍ୟଂ ଦୟା ତପଃ ଶୌଚଂ ତିତିକ୍ଷେକ୍ଷା ଶମୋ ଦମଃ ।

ଅହିଂସା ବ୍ରହ୍ମଚର୍ୟଂ ଚ ତ୍ୟାଗଃ ସ୍ୱାଧ୍ୟାୟ ଆର୍ଜବମ୍ ॥ ୮॥

ସନ୍ତୋଷଃ ସମଦୃକ୍ସେବା ଗ୍ରାମ୍ୟେହୋପରମଃ ଶନୈଃ ।

ନୃଣାଂ ବିପର୍ୟଯେହେକ୍ଷା ମୌନମାତ୍ମବିମର୍ଶନମ୍ ॥ ୯॥

ଅନ୍ନାଦ୍ୟାଦେଃ ସମ୍ବିଭାଗୋ ଭୂତେଭ୍ୟଶ୍ଚ ଯଥାର୍ହତଃ ।

ତେଷ୍ୱାତ୍ମଦେବତାବୁଦ୍ଧିଃ ସୁତରାଂ ନୃଷୁ ପାଣ୍ଡବ ॥ ୧୦॥

ଶ୍ରବଣଂ କୀର୍ତନଂ ଚାସ୍ୟ ସ୍ମରଣଂ ମହତାଂ ଗତେଃ ।

ସେବେଜ୍ୟାବନତିର୍ଦାସ୍ୟଂ ସଖ୍ୟମାତ୍ମସମର୍ପଣମ୍ ॥ ୧୧॥

ନୃଣାମୟଂ ପରୋ ଧର୍ମଃ ସର୍ୱେଷାଂ ସମୁଦାହୃତଃ ।

ତ୍ରିଂଶଲ୍ଲକ୍ଷଣବାନ୍ ରାଜନ୍ ସର୍ୱାତ୍ମା ଯେନ ତୁଷ୍ୟତି ॥ ୧୨॥

ଯୁଧିଷ୍ଠିର ! ଶାସ୍ତ୍ରମାନଙ୍କରେ ଧର୍ମର ଏହି ତିରିଶଟି ଲକ୍ଷଣ ବିଷୟରେ କୁହାଯାଇ ଥାଏ – ସତ୍ୟ, ଦୟା, ତପସ୍ୟା, ଶୌଚ, ତିତିକ୍ଷା, ଉଚିତ-ଅନୁଚିତ ବିଚାର, ମନର ସଂଯମ, ଇନ୍ଦ୍ରିୟ ସଂଯମ, ଅହିଂସା, ବ୍ରହ୍ମଚର୍ଯ୍ୟ, ତ୍ୟାଗ, ସ୍ବାଧ୍ୟାୟ, ସରଳତା, ସନ୍ତୋଷ, ସମଦର୍ଶୀ ମହାତ୍ମାମାନଙ୍କର ସେବା, ଧୀରେ-ଧୀରେ ସାଂସାରିକ ଭୋଗ ଉଦ୍ଦେଶ୍ୟରେ କରାଯାଉ ଥିବା ପ୍ରୟାସର ନିବୃତ୍ତି, ମନୁଷ୍ୟର ଅଭିମାନଯୁକ୍ତ ପ୍ରୟାସର ଫଳ ବିପରୀତ ହୋଇଥାଏ – ଏପରି ବିଚାର, ମୌନ, ଆତ୍ମଚିନ୍ତନ, ପ୍ରାଣୀମାନଙ୍କ ମଧ୍ୟରେ ଅନ୍ନ ଆଦିର ଯଥାଯୋଗ୍ୟ ବିଭାଜନ, ସେମାନଙ୍କଠାରେ ଏବଂ ବିଶେଷ କରି ଅନ୍ୟ ମନୁଷ୍ୟଙ୍କଠାରେ ଆତ୍ମଭାବ ତଥା ଇଷ୍ଟଦେବଙ୍କର ଭାବ, ସନ୍ଥମାନଙ୍କର ପରମ ଆଶ୍ରୟ ଭଗବାନ ଶ୍ରୀକୃଷ୍ଣଙ୍କର ନାମ-ଗୁଣ-ଲୀଳା ଆଦିର ଶ୍ରବଣ, କୀର୍ତ୍ତନ, ସ୍ମରଣ, ତାଙ୍କର ସେବା, ପୂଜା ଏବଂ ସମ୍ମାନ, ତାଙ୍କ ପ୍ରତି ଦାସ୍ୟଭାବ, ସଖ୍ୟଭାବ ଏବଂ ଆତ୍ମ-ସମର୍ପଣ – ଏହି ତିରିଶ ପ୍ରକାରର ଆଚରଣ ସବୁ ମନୁଷ୍ୟଙ୍କର ପରମ ଧର୍ମ ଅଟେ | ଏହାର ଆଚରଣ ଦ୍ବାରା ସର୍ବାତ୍ମା ଭଗବାନ ପ୍ରସନ୍ନ ହୋଇଥାଆନ୍ତି |

ସଂସ୍କାରା ଯଦବିଚ୍ଛିନ୍ନାଃ ସ ଦ୍ୱିଜୋଽଜୋ ଜଗାଦ ଯମ୍ ।

ଇଜ୍ୟାଧ୍ୟଯନଦାନାନି ବିହିତାନି ଦ୍ୱିଜନ୍ମନାମ୍ ।

ଜନ୍ମକର୍ମାବଦାତାନାଂ କ୍ରିୟାଶ୍ଚାଶ୍ରମଚୋଦିତାଃ ॥ ୧୩॥

ଧର୍ମରାଜ ! ଯେଉଁମାନଙ୍କର ବଂଶରେ ଅଖଣ୍ଡରୂପରେ ସଂସ୍କାର ହେଉଥାଏ ଏବଂ ବ୍ରହ୍ମାଜୀ ଯେଉଁମାନଙ୍କୁ ସଂସ୍କାର-ଯୋଗ୍ୟ ସ୍ବୀକାର କରନ୍ତି, ସେମାନଙ୍କୁ ଦ୍ବିଜ କହନ୍ତି | ଜନ୍ମ ଏବଂ କର୍ମବଶତଃ ଶୁଦ୍ଧ ଦ୍ବିଜମାନଙ୍କ ପାଇଁ ଯଜ୍ଞ, ଅଧ୍ୟୟନ, ଦାନ ଏବଂ ବ୍ରହ୍ମଚର୍ଯ୍ୟ ଆଦି ଆଶ୍ରମୋଚିତ ବିଶେଷ କର୍ମର ବିଧାନ ରହିଛି |

ବିପ୍ରସ୍ୟାଧ୍ୟଯନାଦୀନି ଷଡନ୍ୟସ୍ୟାପ୍ରତିଗ୍ରହଃ ।

ରାଜ୍ଞୋ ବୃତ୍ତିଃ ପ୍ରଜାଗୋପ୍ତୁରବିପ୍ରାଦ୍ୱା କରାଦିଭିଃ ॥ ୧୪॥

ଅଧ୍ୟୟନ, ଅଧ୍ୟାପନ, ଦାନ ଗ୍ରହଣ କରିବା, ଦାନ ଦେବା, ଯଜ୍ଞ କରିବା ଏବଂ ଯଜ୍ଞ କରାଇବା – ଏହି ଛଅ କର୍ମ ବ୍ରାହ୍ମଣମାନଙ୍କର ଅଟେ | କ୍ଷତ୍ରିୟମାନେ ଦାନ ନେବା ଅନୁଚିତ୍ | ପ୍ରଜାରକ୍ଷାକାରୀ କ୍ଷତ୍ରିୟର ଜୀବନ-ନିର୍ବାହ ବ୍ରାହ୍ମଣମାନଙ୍କର ସେବା ଏବଂ ସମସ୍ତଙ୍କଠାରୁ ଯଥାଯୋଗ୍ୟ କର ଏବଂ ଜୋରିମାନା ଆଦି ଦ୍ବାରା ହୋଇଥାଏ |

ବୈଶ୍ୟସ୍ତୁ ବାର୍ତାବୃତ୍ତିଶ୍ଚ ନିତ୍ୟଂ ବ୍ରହ୍ମକୁଲାନୁଗଃ ।

ଶୂଦ୍ରସ୍ୟ ଦ୍ୱିଜଶୁଶ୍ରୂଷା ବୃତ୍ତିଶ୍ଚ ସ୍ୱାମିନୋ ଭବେତ୍ ॥ ୧୫॥

ବୈଶ୍ୟମାନେ ସର୍ବଦା ବ୍ରାହ୍ମଣବଂଶର ଅନୁଗତ ରହି ଗୋରକ୍ଷା, କୃଷି ଏବଂ ବ୍ୟାପାର ଦ୍ବାରା ନିଜର ଜୀବିକା ଉପାର୍ଜନ କରିବା ଉଚିତ୍ | ଶୂଦ୍ରର ଧର୍ମ ଦ୍ବିଜାତିମାନଙ୍କର ସେବା ଅଟେ | ସେମାନଙ୍କ ଜୀବିକାର ନିର୍ବାହ ସେମାନଙ୍କର ସ୍ବାମୀ କରନ୍ତି |

ବାର୍ତା ବିଚିତ୍ରା ଶାଲୀନୟାୟାବରଶିଲୋଞ୍ଛନମ୍ ।

ବିପ୍ରବୃତ୍ତିଶ୍ଚତୁର୍ଧେୟଂ ଶ୍ରେୟସୀ ଚୋତ୍ତରୋତ୍ତରା ॥ ୧୬॥

ବ୍ରାହ୍ମଣମାନଙ୍କର ଜୀବିକା-ନିର୍ବାହର ସାଧନ ଚାରି ପ୍ରକାରର ଅଟେ – ବାର୍ତ୍ତା (ଯଜ୍ଞ, ଅଧ୍ୟାପନା କରାଇ ଧନ ପ୍ରାପ୍ତ କରିବା), ଶାଳୀନ (ଦାନ ଗ୍ରହଣ), ଯାଯାବର (ଭିକ୍ଷାବୃତ୍ତି), ଶିଳୋଞ୍ଛନ (ଶିଳ ଏବଂ ଉଞ୍ଛ ସଂଗ୍ରହ | କ୍ଷେତରୁ ଅନ୍ନ ଘରକୁ ବୋହି ନେଉଥିବା ବେଳେ ଯେଉଁ ଅନ୍ନ ତଳେ ଖସି ପଡିଥାଏ, ତାହାକୁ ଶିଳ କହନ୍ତି ଏବଂ ବଜାରକୁ ବିକ୍ରୀ ଉଦ୍ଦେଶ୍ୟରେ ନେଇ ଯାଉଥିବା ବେଳେ ଯାହା ତଳେ ପଡିଯାଏ, ସେହି ଅନ୍ନକୁ ଉଞ୍ଛ କହନ୍ତି) | ଏଥି ମଧ୍ୟରୁ ଶେଷ ଦୁଇ ବୃତ୍ତି ଅପେକ୍ଷାକୃତ ଶ୍ରେଷ୍ଠ ଅଟେ |

ଜଘନ୍ୟୋ ନୋତ୍ତମାଂ ବୃତ୍ତିମନାପଦି ଭଜେନ୍ନରଃ ।

ଋତେ ରାଜନ୍ୟମାପତ୍ସୁ ସର୍ୱେଷାମପି ସର୍ୱଶଃ ॥ ୧୭॥

ଆପତ୍ତିକାଳ ହୋଇ ନ ଥିଲେ ନିମ୍ନ ବର୍ଣ୍ଣର ପୁରୁଷ ଉତ୍ତମ ବର୍ଣ୍ଣର ବୃତ୍ତିର ଅବଲମ୍ବନ ଗ୍ରହଣ କରିବା ଉଚିତ୍ ନୁହେଁ | କ୍ଷତ୍ରିୟମାନେ ଦାନ ଗ୍ରହଣ କରିବା ବ୍ୟତିତ ବ୍ରାହ୍ମଣମାନଙ୍କର ଅନ୍ୟ ବୃତ୍ତିର ଅବଲମ୍ବନ ନେଇ ପାରିବେ | ଆପତ୍ତିକାଳରେ ସମସ୍ତେ ସବୁ ବୃତ୍ତି ସ୍ବୀକାର କରି ପାରିବେ |

ଋତାମୃତାଭ୍ୟାଂ ଜୀବେତ ମୃତେନ ପ୍ରମୃତେନ ବା ।

ସତ୍ୟାନୃତାଭ୍ୟାଂ ଜୀବେତ ନ ଶ୍ୱବୃତ୍ତ୍ୟା କଥଞ୍ଚନ ॥ ୧୮॥

ଋତ, ଅମୃତ, ମୃତ, ପ୍ରମୃତ ଏବଂ ସତ୍ୟାନୃତ – ଏମାନଙ୍କ ମଧ୍ୟରୁ ଯେ କୌଣସି ବୃତ୍ତିର ଆଶ୍ରୟ ଗ୍ରହଣ କରିପାରିବେ, କିନ୍ତୁ ଶ୍ବାନବୃତ୍ତିର ଅବଲମ୍ବନ କେବେ ବି ଗ୍ରହଣୀୟ ନୁହେଁ |

ଋତମୁଞ୍ଛଶିଲଂ ପ୍ରୋକ୍ତମମୃତଂ ଯଦୟାଚିତମ୍ ।

ମୃତଂ ତୁ ନିତ୍ୟଯାଚ୍ଞା ସ୍ୟାତ୍ପ୍ରମୃତଂ କର୍ଷଣଂ ସ୍ମୃତମ୍ ॥ ୧୯॥

ବଜାରରେ ପଡିଥିବା ଅନ୍ନ (ଉଞ୍ଛ) ତଥା କ୍ଷେତରେ ପଡିଥିବା ଅନ୍ନ (ଶିଳ) ସଂଗ୍ରହ କରି ଶିଳୋଞ୍ଛ ବୃତ୍ତିରେ ଜୀବିକା-ନିର୍ବାହ କରିବା ‘ଋତ ଅଟେ | ଅଯାଚିତ (ଶାଳୀନ) ବୃତ୍ତି ଦ୍ବାରା ଜୀବନ-ନିର୍ବାହ କରିବା ‘ଅମୃତ ଅଟେ | ପ୍ରତିଦିନ ଭିକ୍ଷା କରି ଅର୍ଥାତ୍ ଯାଯାବର ବୃତ୍ତି ଦ୍ବାରା ଜୀବନ-ଯାପନ କରିବା ‘ମୃତ ଅଟେ | କୃଷି ଆଦି ଦ୍ବାରା ବାର୍ତ୍ତା ବୃତ୍ତିରେ ଜୀବନ-ନିର୍ବାହ କରିବା ‘ପ୍ରମୃତ ଅଟେ |

ସତ୍ୟାନୃତଂ ଚ ବାଣିଜ୍ୟଂ ଶ୍ୱବୃତ୍ତିର୍ନୀଚସେବନମ୍ ।

ବର୍ଜୟେତ୍ତାଂ ସଦା ବିପ୍ରୋ ରାଜନ୍ୟଶ୍ଚ ଜୁଗୁପ୍ସିତାମ୍ ।

ସର୍ୱବେଦମୟୋ ବିପ୍ରଃ ସର୍ୱଦେବମୟୋ ନୃପଃ ॥ ୨୦॥

ବାଣିଜ୍ୟ ‘ସତ୍ୟାନୃତ ଅଟେ ଏବଂ ନିମ୍ନବର୍ଣ୍ଣର ସେବା କରିବା ‘ଶ୍ବାନବୃତ୍ତି’ ଅଟେ | ବ୍ରାହ୍ମଣ ଏବଂ କ୍ଷତ୍ରିୟମାନେ ଏହି ନିନ୍ଦିତ ଅନ୍ତିମ ବୃତ୍ତିର ଆଶ୍ରୟ କେବେ ବି ଗ୍ରହଣ କରିବା ଅନୁଚିତ୍; କାରଣ ବ୍ରାହ୍ମଣ ସର୍ବବେଦମୟ ଏବଂ କ୍ଷତ୍ରିୟ (ରାଜା) ସର୍ବଦେବମୟ ଅଟନ୍ତି |

ଶମୋ ଦମସ୍ତପଃ ଶୌଚଂ ସନ୍ତୋଷଃ କ୍ଷାନ୍ତିରାର୍ଜବମ୍ ।

ଜ୍ଞାନଂ ଦୟାଚ୍ୟୁତାତ୍ମତ୍ୱଂ ସତ୍ୟଂ ଚ ବ୍ରହ୍ମଲକ୍ଷଣମ୍ ॥ ୨୧॥

ଶମ, ଦମ, ତପ, ଶୌଚ, ସନ୍ତୋଷ, କ୍ଷମା, ସରଳତା, ଜ୍ଞାନ, ଦୟା, ଭଗବତ୍-ପରାୟଣତା ଏବଂ ସତ୍ୟ – ଏହା ବ୍ରାହ୍ମଣମାନଙ୍କର ଲକ୍ଷଣ ଅଟେ |

ଶୌର୍ୟଂ ବୀର୍ୟଂ ଧୃତିସ୍ତେଜସ୍ତ୍ୟାଗ ଆତ୍ମଜୟଃ କ୍ଷମା ।

ବ୍ରହ୍ମଣ୍ୟତା ପ୍ରସାଦଶ୍ଚ ରକ୍ଷା ଚ କ୍ଷତ୍ରଲକ୍ଷଣମ୍ ॥ ୨୨॥

ଯୁଦ୍ଧରେ ଉତ୍ସାହ, ବୀରତା, ଧୀରତା, ତେଜସ୍ବିତା, ତ୍ୟାଗ, ମନୋଜୟ, କ୍ଷମା, ବ୍ରାହ୍ମଣ-ଭକ୍ତି, ଅନୁଗ୍ରହ ଏବଂ ପ୍ରଜାମାନଙ୍କର ରକ୍ଷା କରିବା – ଏହା କ୍ଷତ୍ରିୟମାନଙ୍କର ଲକ୍ଷଣ ଅଟେ |

ଦେବଗୁର୍ୱଚ୍ୟୁତେ ଭକ୍ତିସ୍ତ୍ରିବର୍ଗପରିପୋଷଣମ୍ ।

ଆସ୍ତିକ୍ୟମୁଦ୍ୟମୋ ନିତ୍ୟଂ ନୈପୁଣ୍ୟଂ ବୈଶ୍ୟଲକ୍ଷଣମ୍ ॥ ୨୩॥

ଦେବତା, ଗୁରୁ ଏବଂ ଭଗବାନଙ୍କ ପ୍ରତି ଭକ୍ତି, ଅର୍ଥ, ଧର୍ମ ଓ କାମ – ଏହି ତିନି ପୁରୁଷାର୍ଥର ରକ୍ଷା, ଆସ୍ତିକତା, ଉଦ୍ୟୋଗଶୀଳତା ଏବଂ ବ୍ୟବହାରିକ ନିପୁଣତା – ଏହା ବୈଶ୍ୟମାନଙ୍କର ଲକ୍ଷଣ ଅଟେ |

ଶୂଦ୍ରସ୍ୟ ସନ୍ନତିଃ ଶୌଚଂ ସେବା ସ୍ୱାମିନ୍ୟମାୟଯା ।

ଅମନ୍ତ୍ରୟଜ୍ଞୋ ହ୍ୟସ୍ତେୟଂ ସତ୍ୟଂ ଗୋବିପ୍ରରକ୍ଷଣମ୍ ॥ ୨୪॥

ଉଚ୍ଚ ବର୍ଣ୍ଣ ସମ୍ମୁଖରେ ବିନମ୍ର ରହିବା, ପବିତ୍ରତା, ସ୍ବାମୀଙ୍କର ନିଷ୍କପଟ ସେବା, ବୈଦିକ ମନ୍ତ୍ରରହିତ ଯଜ୍ଞର ଅନୁଷ୍ଠାନ, ଅଚୌର୍ଯ୍ୟ, ସତ୍ୟ ତଥା ଗୋ-ବ୍ରାହ୍ମଣ ରକ୍ଷା – ଏହା ଶୂଦ୍ରର ଲକ୍ଷଣ ଅଟେ |

ସ୍ତ୍ରୀଣାଂ ଚ ପତିଦେବାନାଂ ତଚ୍ଛୁଶ୍ରୂଷାନୁକୂଲତା ।

ତଦ୍ବନ୍ଧୁଷ୍ୱନୁବୃତ୍ତିଶ୍ଚ ନିତ୍ୟଂ ତଦ୍ୱ୍ରତଧାରଣମ୍ ॥ ୨୫॥

ପତି-ସେବା କରିବା, ତାଙ୍କର ଅନୁକୂଳ ରହିବା, ପତିଙ୍କର ସମ୍ବନ୍ଧୀମାନଙ୍କୁ ପ୍ରସନ୍ନ ରଖିବା ଏବଂ ସର୍ବଦା ପତିଙ୍କର ନିୟମ ରକ୍ଷା କରିବା – ଏହା ପତିଙ୍କୁ ଈଶ୍ବର ଜ୍ଞାନ କରୁଥିବା ପତିବ୍ରତା ସ୍ତ୍ରୀର ଧର୍ମ ଅଟେ |

ସମ୍ମାର୍ଜନୋପଲେପାଭ୍ୟାଂ ଗୃହମଣ୍ଡଲବର୍ତନୈଃ ।

ସ୍ୱୟଂ ଚ ମଣ୍ଡିତା ନିତ୍ୟଂ ପରିମୃଷ୍ଟପରିଚ୍ଛଦା ॥ ୨୬॥

ସାଧ୍ବୀ ସ୍ତ୍ରୀ ଝାଡୁ-ପୋଛା, ଲେପନ ତଥା ଝୋଟି ଆଦି ଦ୍ବାରା ଘରକୁ ଏବଂ ମନୋହର ବସ୍ତ୍ର-ଆଭୂଷଣ ଆଦି ଦ୍ବାରା ନିଜ ଶରୀରକୁ ଅଳଂକୃତ ରଖିବେ | ଗୃହର ସମସ୍ତ ସାମଗ୍ରୀକୁ ସଫା-ସୁତୁରା ରଖିବେ |

କାମୈରୁଚ୍ଚାବଚୈଃ ସାଧ୍ୱୀ ପ୍ରଶ୍ରୟେଣ ଦମେନ ଚ ।

ବାକ୍ୟୈଃ ସତ୍ୟୈଃ ପ୍ରିୟୈଃ ପ୍ରେମ୍ଣା କାଲେ କାଲେ ଭଜେତ୍ପତିମ୍ ॥ ୨୭॥

ସମୟାନୁଯାୟୀ ନିଜ ପତିଦେବଙ୍କର ଛୋଟ-ବଡ ସମସ୍ତ ଇଚ୍ଛା ପୂର୍ଣ୍ଣ କରିବେ | ବିନୟ, ଇନ୍ଦ୍ରିୟ-ସଂଯମ, ସତ୍ୟ ଏବଂ ପ୍ରିୟ ବଚନରେ ପ୍ରେମପୂର୍ବକ ନିଜ ପତିଦେବଙ୍କର ସେବା କରିବେ |

ସନ୍ତୁଷ୍ଟାଲୋଲୁପା ଦକ୍ଷା ଧର୍ମଜ୍ଞା ପ୍ରିୟସତ୍ୟବାକ୍ ।

ଅପ୍ରମତ୍ତା ଶୁଚିଃ ସ୍ନିଗ୍ଧା ପତିଂ ତ୍ୱପତିତଂ ଭଜେତ୍ ॥ ୨୮॥

ଯାହାକିଛି ମିଳୁଛି, ସେଥିରେ ସନ୍ତୁଷ୍ଟ ରହିବେ; କୌଣସି ବସ୍ତୁ ପ୍ରତି ଲାଳାୟିତ ହେବେ ନାହିଁ | ସବୁ କାର୍ଯ୍ୟରେ ଚତୁର ଏବଂ ଧର୍ମଜ୍ଞ ରହିବେ | ସତ୍ୟ ଏବଂ ପ୍ରିୟ ବଚନ କହିବେ | ନିଜ କର୍ତ୍ତବ୍ୟ ପ୍ରତି ସାବଧାନ ରହିବେ | ପବିତ୍ରତା ଏବଂ ପ୍ରେମରେ ପରିପୂର୍ଣ୍ଣ ହୋଇ, ପତି ଯଦି ପତିତ ହୋଇ ନ ଥିବେ, ତାଙ୍କ ସହିତ ସହବାସ କରିବେ |

ଯା ପତିଂ ହରିଭାବେନ ଭଜେଚ୍ଛ୍ରୀରିବ ତତ୍ପରା ।

ହର୍ୟାତ୍ମନା ହରେର୍ଲୋକେ ପତ୍ୟା ଶ୍ରୀରିବ ମୋଦତେ ॥ ୨୯॥

ଯେଉଁ ସ୍ତ୍ରୀ ଲକ୍ଷ୍ମୀଙ୍କ ପରି ପତିପରାୟଣା ରହି ନିଜ ପତିଙ୍କୁ ସାକ୍ଷାତ୍ ଭଗବାନଙ୍କର ସ୍ବରୂପ ମନେକରି ତାଙ୍କର ସେବା କରନ୍ତି, ତାଙ୍କର ପତି ବୈକୁଣ୍ଠଲୋକରେ ଭଗବତ୍-ସାରୂପ୍ୟ ପ୍ରାପ୍ତ ହୁଅନ୍ତି ଏବଂ ସେ ତାଙ୍କ ସହିତ ଲକ୍ଷ୍ମୀଦେବୀଙ୍କ ପରି ଆନନ୍ଦିତ ରହନ୍ତି |

ବୃତ୍ତିଃ ସଙ୍କରଜାତୀନାଂ ତତ୍ତତ୍କୁଲକୃତା ଭବେତ୍ ।

ଅଚୌରାଣାମପାପାନାମନ୍ତ୍ୟଜାନ୍ତେବସାୟିନାମ୍ ॥ ୩୦॥

ଯୁଧିଷ୍ଠିର ! ଯେଉଁମାନେ ଚୋରୀ ତଥା ଅନ୍ୟାନ୍ୟ ପାପ-କର୍ମ କରନ୍ତି ନାହିଁ – ସେହି ଅନ୍ତ୍ୟଜ ତଥା ଚଣ୍ଡାଳ ଆଦି ଅନ୍ତେବସାୟୀ ବର୍ଣ୍ଣଶଂକର ଜାତିମାନଙ୍କର ବୃତ୍ତି ସେମାନଙ୍କର କୁଳପରମ୍ପରା ଅନୁଯାୟୀ ପ୍ରଚଳିତ ରହିଥାଏ |

ପ୍ରାୟଃ ସ୍ୱଭାବବିହିତୋ ନୃଣାଂ ଧର୍ମୋ ଯୁଗେ ଯୁଗେ ।

ବେଦଦୃଗ୍ଭିଃ ସ୍ମୃତୋ ରାଜନ୍ ପ୍ରେତ୍ୟ ଚେହ ଚ ଶର୍ମକୃତ୍ ॥ ୩୧॥

ବେଦଦର୍ଶୀ ଋଷି-ମୁନିମାନେ ଯୁଗେ ଯୁଗେ ପ୍ରାୟତଃ ମନୁଷ୍ୟର ସ୍ବଭାବ ଅନୁଯାୟୀ ସେମାନଙ୍କ ପାଇଁ ଧର୍ମର ବ୍ୟବସ୍ଥା କରିଛନ୍ତି | ସେହି ଧର୍ମ ସେମାନଙ୍କ ନିମନ୍ତେ ଇହଲୋକ ଏବଂ ପରଲୋକରେ କଲ୍ୟାଣକାରୀ ହୋଇଥାଏ |

ବୃତ୍ତ୍ୟା ସ୍ୱଭାବକୃତୟା ବର୍ତମାନଃ ସ୍ୱକର୍ମକୃତ୍ ।

ହିତ୍ୱା ସ୍ୱଭାବଜଂ କର୍ମ ଶନୈର୍ନିର୍ଗୁଣତାମିୟାତ୍ ॥ ୩୨॥

ଯେଉଁମାନେ ନିଜ ସ୍ବାଭାବିକ ବୃତ୍ତିର ଆଶ୍ରୟ ଗ୍ରହଣ କରି ସ୍ବଧର୍ମ ପାଳନ କରନ୍ତି, ସେମାନେ ଧୀରେ ଧୀରେ ସେହି ସ୍ବାଭାବିକ କର୍ମରୁ ଉପରକୁ ଉଠି ଗୁଣାତୀତ ହୋଇଯାଆନ୍ତି |

ଉପ୍ୟମାନଂ ମୁହୁଃ କ୍ଷେତ୍ରଂ ସ୍ୱୟଂ ନିର୍ୱୀର୍ୟତାମିୟାତ୍ ।

ନ କଲ୍ପତେ ପୁନଃ ସୂତ୍ୟୈ ଉପ୍ତଂ ବୀଜଂ ଚ ନଶ୍ୟତି ॥ ୩୩॥

ଏବଂ କାମାଶୟଂ ଚିତ୍ତଂ କାମାନାମତିସେବୟା ।

ବିରଜ୍ୟେତ ଯଥା ରାଜନ୍ନାଗ୍ନିବତ୍କାମବିନ୍ଦୁଭିଃ ॥ ୩୪॥

ମହାରାଜ ! ଯେପରି ବାରମ୍ବାର ଚାଷ କରିବା ଫଳରେ କ୍ଷେତ ସ୍ବୟଂ ହିଁ ଶକ୍ତିହୀନ ହୋଇଯାଏ ଏବଂ ସେଥିରେ ଅଙ୍କୁର ଉତ୍ପନ୍ନ ହେବା ବନ୍ଦ ହୋଇଯାଏ, ଏପରି କି ସେଥିରେ ବୁଣା ଯାଇଥିବା ବୀଜ ମଧ୍ୟ ନଷ୍ଟ ହୋଇଯାଏ – ସେହିପରି ବାସନାର ଭଣ୍ଡାର ଏହି ଚିତ୍ତ, ବିଷୟର ଅତ୍ୟଧିକ ସେବନ କରିବା ଦ୍ବାରା ସ୍ବୟଂ ହିଁ  ଅତିଷ୍ଠ ହୋଇଯାଏ | କିନ୍ତୁ ସ୍ବଳ୍ପ ଭୋଗ କରିବାର ଫଳ ସ୍ବରୂପ ସେପରି ହୋଇ ନ ଥାଏ | ଅଗ୍ନିରେ ଗୋଟିଏ ଗୋଟିଏ ବିନ୍ଦୁ ଘିଅ ଢାଳିଲେ, ଅଗ୍ନି ନିର୍ବାପିତ ହୁଏନାହିଁ | କିନ୍ତୁ ଏକସଙ୍ଗେ ଅଧିକ ଘିଅ ଢାଳିଦେଲେ ଅଗ୍ନି ତତ୍-କ୍ଷଣାତ୍ ନିର୍ବାପିତ ହୋଇଯାଏ |

ଯସ୍ୟ ଯଲ୍ଲକ୍ଷଣଂ ପ୍ରୋକ୍ତଂ ପୁଂସୋ ବର୍ଣାଭିବ୍ୟଞ୍ଜକମ୍ ।

ଯଦନ୍ୟତ୍ରାପି ଦୃଶ୍ୟେତ ତତ୍ତେନୈବ ବିନିର୍ଦିଶେତ୍ ॥ ୩୫॥

ଜଣେ ପୁରୁଷର ବର୍ଣ୍ଣକୁ ସୂଚାଉଥିବା ଯେଉଁ ଲକ୍ଷଣ ବିଷୟରେ କୁହାଗଲା, ଅନ୍ୟ ବର୍ଣ୍ଣର ପୁରୁଷଙ୍କଠାରେ ଯଦି ସେହିସବୁ ଲକ୍ଷଣ ପରିଲକ୍ଷିତ ହୁଏ, ତେବେ ଜାଣିବାକୁ ହେବ ଯେ ସେ ସେହି ପୂର୍ବ ବର୍ଣ୍ଣର ଅଟନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ  ସପ୍ତମସ୍କନ୍ଧେ

ଯୁଧିଷ୍ଠିରନାରଦସମ୍ବାଦେ ସଦାଚାରନିର୍ଣୟୋ ନାମୈକାଦଶୋଽଧ୍ୟାୟଃ ॥ ୧୧॥


Comments

Popular posts from this blog