ଓଁ ନମୋ ଭଗବତେ ବାସୁଦେବାୟ ॥

ସପ୍ତମ ସ୍କନ୍ଧ ॥

ତ୍ରୟୋଦଶ ଅଧ୍ୟାୟ

ଯତିଧର୍ମର ନିରୂପଣ ଏବଂ ଅବଧୂତ-ପ୍ରହ୍ଲାଦ ସମ୍ବାଦ

 

ନାରଦ ଉବାଚ

କଲ୍ପସ୍ତ୍ୱେବଂ ପରିବ୍ରଜ୍ୟ ଦେହମାତ୍ରାବଶେଷିତଃ ।

ଗ୍ରାମୈକରାତ୍ରବିଧିନା ନିରପେକ୍ଷଶ୍ଚରେନ୍ମହୀମ୍ ॥ ୧॥

ଦେବର୍ଷି ନାରଦ କହୁଛନ୍ତି – ହେ ଧର୍ମରାଜ ! ବାନପ୍ରସ୍ଥରେ ଯଦି ବ୍ରହ୍ମବିଚାରର ସାମର୍ଥ୍ୟ ସ୍ଥିର ରହିଥାଏ, ତେବେ ସେ ଶରୀର ବ୍ୟତିତ ଅନ୍ୟ ସବୁ କିଛି ତ୍ୟାଗ କରି ସନ୍ୟାସ ଗ୍ରହଣ କରିବେ ତଥା କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଏବଂ ସମୟର ଅପେକ୍ଷା ନ କରି ଗୋଟିଏ ଗ୍ରାମରେ ଗୋଟିଏ ରାତି ଅତିବାହିତ କରିବାର ନିୟମ ରଖି ପୃଥିବୀ ପୃଷ୍ଠରେ ବିଚରଣ କରିବେ |

ବିଭୃୟାଦ୍ୟଦ୍ୟସୌ ବାସଃ କୌପୀନାଚ୍ଛାଦନଂ ପରମ୍ ।

ତ୍ୟକ୍ତଂ ନ ଦଣ୍ଡଲିଙ୍ଗାଦେରନ୍ୟତ୍କିଞ୍ଚିଦନାପଦି ॥ ୨॥

ବସ୍ତ୍ର ରୂପେ ଶରୀରରେ ସେ କେବଳ ନିଜର ଗୁପ୍ତ ଅଙ୍ଗକୁ ଆବୃତ ରଖିବା ପାଇଁ କୌପିନ ଧାରଣ କରିବେ | କୌଣସି ଆପତ୍ତି ନ ଆସିବା ଯାଏଁ ସେ ନିଜର ଦଣ୍ଡ ତଥା ନିଜ ଆଶ୍ରମ ଅନୁରୂପ ଚିହ୍ନ ବ୍ୟତିତ ନିଜେ ତ୍ୟାଗ କରିଥିବା କୌଣସି ବସ୍ତୁକୁ ଗ୍ରହଣ କରିବେ ନାହିଁ |

ଏକ ଏବ ଚରେଦ୍ଭିକ୍ଷୁରାତ୍ମାରାମୋଽନପାଶ୍ରୟଃ ।

ସର୍ୱଭୂତସୁହୃଚ୍ଛାନ୍ତୋ ନାରାୟଣପରାୟଣଃ ॥ ୩॥

ସନ୍ୟାସୀ ସମସ୍ତ ପ୍ରାଣୀଙ୍କର ହିତୈଷୀ, ଶାନ୍ତ, ଭଗବତ୍-ପରାୟଣ ହୋଇଥିବା ଉଚିତ୍ | ଅନ୍ୟ କାହାର ଆଶ୍ରୟ ଗ୍ରହଣ ନ କରି ସେ ନିଜଠାରେ ନିଜେ ରମଣ କରି ଏକାକୀ ବିଚରଣ କରିବା ଉଚିତ୍ |

ପଶ୍ୟେଦାତ୍ମନ୍ୟଦୋ ବିଶ୍ୱଂ ପରେ ସଦସତୋଽବ୍ୟଯେ ।

ଆତ୍ମାନଂ ଚ ପରଂ ବ୍ରହ୍ମ ସର୍ୱତ୍ର ସଦସନ୍ମୟେ ॥ ୪॥

ସମ୍ପୂର୍ଣ୍ଣ ବିଶ୍ବକୁ ସେ କାର୍ଯ୍ୟ-କାରଣର ଅତୀତ ପରମାତ୍ମାଙ୍କଠାରେ ଅଧ୍ୟସ୍ତ ମନେ କରିବେ ଏବଂ କାର୍ଯ୍ୟ-କାରଣରୂପ ଜଗତରେ ବ୍ରହ୍ମସ୍ବରୂପ ନିଜ ଆତ୍ମାକୁ ପରିପୂର୍ଣ୍ଣ ଭାବରେ ଦେଖିବେ |

ସୁପ୍ତିପ୍ରବୋଧୟୋଃ ସନ୍ଧାବାତ୍ମନୋ ଗତିମାତ୍ମଦୃକ୍ ।

ପଶ୍ୟନ୍ ବନ୍ଧଂ ଚ ମୋକ୍ଷଂ ଚ ମାୟାମାତ୍ରଂ ନ ବସ୍ତୁତଃ ॥ ୫॥

ଆତ୍ମଦର୍ଶୀ ସନ୍ୟାସୀ ସୁଷୁପ୍ତି ଓ ଜାଗରଣର ସନ୍ଧିରେ ନିଜ ସ୍ଵରୂପକୁ ଅନୁଭବ କରିବେ ଏବଂ ବନ୍ଧନ ତଥା ମୋକ୍ଷ ଉଭୟ କେବଳ ମାୟା ଅଟେ, ବସ୍ତୁତଃ କିଛି ନୁହେଁ – ଏପରି ଜ୍ଞାନ କରିବେ |

ନାଭିନନ୍ଦେଦ୍ଧ୍ରୁବଂ ମୃତ୍ୟୁମଧ୍ରୁବଂ ବାସ୍ୟ ଜୀବିତମ୍ ।

କାଲଂ ପରଂ ପ୍ରତୀକ୍ଷେତ ଭୂତାନାଂ ପ୍ରଭବାପ୍ୟଯମ୍ ॥ ୬॥

ଶରୀରର ଅବଶ୍ୟମ୍ଭାବୀ ମୃତ୍ୟୁର କିମ୍ବା ଅନିଶ୍ଚିତ ଜୀବନର ଅଭିନନ୍ଦନ କରିବେ ନାହିଁ | କେବଳ ପ୍ରାଣୀସମୁଦାୟର ଉତ୍ପତ୍ତି ଏବଂ ବିନାଶର କାରଣ କାଳର ପ୍ରତୀକ୍ଷା କରିବେ |

ନାସଚ୍ଛାସ୍ତ୍ରେଷୁ ସଜ୍ଜେତ ନୋପଜୀବେତ ଜୀବିକାମ୍ ।

ବାଦବାଦାଂସ୍ତ୍ୟଜେତ୍ତର୍କାନ୍ ପକ୍ଷଂ କଂ ଚ ନ ସଂଶ୍ରୟେତ୍ ॥ ୭॥

ଅସତ୍ୟ-ଅନାତ୍ମ ବସ୍ତୁର ପ୍ରତିପାଦନ କରୁଥିବା ଶାସ୍ତ୍ରରେ ପ୍ରୀତି ରଖିବେ ନାହିଁ | ନିଜ ଜୀବନ-ନିର୍ବାହ ନିମନ୍ତେ କୌଣସି ଜୀବିକା ଗ୍ରହଣ କରିବେ ନାହିଁ, କେବଳ ବାଦ-ବିବାଦ ଅର୍ଥରେ କୌଣସି ତର୍କ କରିବେ ନାହିଁ ଏବଂ ସଂସାରରେ କାହାର ପକ୍ଷ ଗ୍ରହଣ କରିବେ ନାହିଁ |

ନ ଶିଷ୍ୟାନନୁବଧ୍ନୀତ ଗ୍ରନ୍ଥାନ୍ ନୈବାଭ୍ୟସେଦ୍ବହୂନ୍ ।

ନ ବ୍ୟାଖ୍ୟାମୁପୟୁଞ୍ଜୀତ ନାରମ୍ଭାନାରଭେତ୍କ୍ୱଚିତ୍ ॥ ୮॥

ଶିଷ୍ୟ-ମଣ୍ଡଳୀ ଠୁଳ କରିବେ ନାହିଁ, ଅନେକାନେକ ଗ୍ରନ୍ଥ ଅଧ୍ୟୟନ କରିବେ ନାହିଁ, ବ୍ୟାଖ୍ୟାନ କରିବେ ନାହିଁ ଏବଂ କୌଣସି ବୃହତ୍ ଯୋଜନା ଆରମ୍ଭ କରିବେ ନାହିଁ |

ନ ଯତେରାଶ୍ରମଃ ପ୍ରାୟୋ ଧର୍ମହେତୁର୍ମହାତ୍ମନଃ ।

ଶାନ୍ତସ୍ୟ ସମଚିତ୍ତସ୍ୟ ବିଭୃୟାଦୁତ ବା ତ୍ୟଜେତ୍ ॥ ୯॥

ଶାନ୍ତ, ସମଦର୍ଶୀ ସନ୍ୟାସୀ ମହାତ୍ମାଙ୍କ ନିମନ୍ତେ କୌଣସି ଆଶ୍ରମର ଚିହ୍ନ ଧର୍ମର କାରଣ ନୁହେଁ | ଇଚ୍ଛା କଲେ ସେ ସେହିସବୁ ଚିହ୍ନ ଧାରଣ କରିପାରନ୍ତି, କିମ୍ବା ତ୍ୟାଗ ମଧ୍ୟ କରିଦେଇ ପାରନ୍ତି |

ଅବ୍ୟକ୍ତଲିଙ୍ଗୋ ବ୍ୟକ୍ତାର୍ଥୋ ମନୀଷ୍ୟୁନ୍ମତ୍ତବାଲବତ୍ ।

କବିର୍ମୂକବଦାତ୍ମାନଂ ସ ଦୃଷ୍ଟ୍ୟା ଦର୍ଶୟେନ୍ନୃଣାମ୍ ॥ ୧୦॥

ଆଶ୍ରମର କୌଣସି ଚିହ୍ନ ତାଙ୍କ ପାଖରେ ଥାଉ ନ ଥାଉ ସେ ଆତ୍ମାନୁସନ୍ଧାନରେ ମଗ୍ନ ରହିବା ଆବଶ୍ୟକ | ଅତ୍ୟନ୍ତ ବିଚାରଶୀଳ ହୋଇ ମଧ୍ୟ ବାହାରକୁ ସେ ପାଗଳ ଏବଂ ବାଳକ ପରି ମନେହୁଅନ୍ତି | ଅତ୍ୟନ୍ତ ପ୍ରତିଭାଶାଳୀ ହୋଇଥିଲେ ବି ସାଧାରଣ ମନୁଷ୍ୟ ଦୃଷ୍ଟିରେ ସେ ମୁକ-ବାଚାଳ ପ୍ରତୀତ ହୁଅନ୍ତି |

ଅତ୍ରାପ୍ୟୁଦାହରନ୍ତୀମମିତିହାସଂ ପୁରାତନମ୍ ।

ପ୍ରହ୍ଲାଦସ୍ୟ ଚ ସମ୍ବାଦଂ ମୁନେରାଜଗରସ୍ୟ ଚ ॥ ୧୧॥

ଯୁଧିଷ୍ଠିର ! ଏହି ପରିପ୍ରେକ୍ଷୀରେ ମହାତ୍ମାମାନେ ଏକ ପ୍ରାଚୀନ ଇତିହାସର ବର୍ଣ୍ଣନା କରନ୍ତି | ତାହା ଦତ୍ତାତ୍ରେୟ ମୁନି ଏବଂ ଭକ୍ତରାଜ ପ୍ରହ୍ଲାଦ ସମ୍ବାଦ ରୂପେ ସୁବିଖ୍ୟାତ ଅଟେ |

ତଂ ଶୟାନଂ ଧରୋପସ୍ଥେ କାବେର୍ୟାଂ ସହ୍ୟସାନୁନି ।

ରଜସ୍ୱଲୈସ୍ତନୂଦେଶୈର୍ନିଗୂଢାମଲତେଜସମ୍ ॥ ୧୨॥

ଦଦର୍ଶ ଲୋକାନ୍ ବିଚରନ୍ ଲୋକତତ୍ତ୍ୱବିବିତ୍ସୟା ।

ବୃତୋଽମାତ୍ୟୈଃ କତିପୟୈଃ ପ୍ରହ୍ଲାଦୋ ଭଗବତ୍ପ୍ରିୟଃ ॥ ୧୩॥

ଏକଦା ଭଗବାନଙ୍କର ପରମ-ପ୍ରେମୀ ପ୍ରହ୍ଲାଦ ମହାରାଜ କେତେଜଣ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଲୋକଙ୍କ ମନ କଥା ଜାଣିବାର ଇଚ୍ଛାରେ ରାଜ୍ୟରେ ବିଚରଣ କରୁଥିଲେ | ସେହି ସମୟରେ ସହ୍ୟ ପର୍ବତର ଉପତ୍ୟକାରେ କାବେରୀ ନଦୀର ତଟଦେଶରେ ସେ ଜଣେ ମୁନିଙ୍କୁ ଧରାଶାୟୀ ଅବସ୍ଥାରେ ଦେଖିବାକୁ ପାଇଲେ | ତାଙ୍କ ଶରୀରର ନିର୍ମଳ ଜ୍ୟୋତି ତାଙ୍କର ଅଙ୍ଗ ଧୂଳି-ଧୁସରିତ ହୋଇ ଯାଇଥିବା କାରଣରୁ ଅଦୃଶ୍ୟ ରହିଥିଲା |

କର୍ମଣାଽଽକୃତିଭିର୍ୱାଚା ଲିଙ୍ଗୈର୍ୱର୍ଣାଶ୍ରମାଦିଭିଃ ।

ନ ବିଦନ୍ତି ଜନା ଯଂ ବୈ ସୋଽସାବିତି ନ ବେତି ଚ ॥ ୧୪॥

ତାଙ୍କର କର୍ମ, ଆଚାର, ବାଣୀ ଏବଂ ବର୍ଣ୍ଣ-ଆଶ୍ରମ ଆଦି ଚିହ୍ନରୁ ସେ କୌଣସି ସିଦ୍ଧ ପୁରୁଷ ଅଟନ୍ତି କି ନାହିଁ – ତାହା ଲୋକେ ଜାଣି ପାରୁ ନ ଥିଲେ |

ତଂ ନତ୍ୱାଭ୍ୟର୍ଚ୍ୟ ବିଧିବତ୍ପାଦୟୋଃ ଶିରସା ସ୍ପୃଶନ୍ ।

ବିବିତ୍ସୁରିଦମପ୍ରାକ୍ଷୀନ୍ମହାଭାଗବତୋଽସୁରଃ ॥ ୧୫॥

ଭଗବାନଙ୍କର ପରମ-ପ୍ରେମୀ ଭକ୍ତ ପ୍ରହ୍ଲାଦ ନିଜ ମସ୍ତକରେ ତାଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କଲେ ଏବଂ ବିଧିପୂର୍ବକ ତାଙ୍କର ପୂଜା କରି ଜିଜ୍ଞାସୁ ଭାବରେ ତାଙ୍କୁ ପ୍ରଶ୍ନ କଲେ |

ବିଭର୍ଷି କାୟଂ ପୀବାନଂ ସୋଦ୍ୟମୋ ଭୋଗବାନ୍ ଯଥା ।

ବିତ୍ତଂ ଚୈବୋଦ୍ୟମବତାଂ ଭୋଗୋ ବିତ୍ତବତାମିହ ।

ଭୋଗିନାଂ ଖଲୁ ଦେହୋଽୟଂ ପୀବା ଭବତି ନାନ୍ୟଥା ॥ ୧୬॥

ଭଗବନ୍ ! ଆପଣଙ୍କର ଶରୀର ଉଦ୍ୟୋଗୀ ଏବଂ ଭୋଗୀ ପୁରୁଷମାନଙ୍କର ଶରୀର ପରି ହୃଷ୍ଟପୁଷ୍ଟ ଅଟେ | ସଂସାରର ନିୟମ ଅନୁସାରେ ଉଦ୍ୟୋଗୀ ପୁରୁଷଙ୍କୁ ଧନ ମିଳିଥାଏ, ଧନୀବ୍ୟକ୍ତିଙ୍କୁ ଭୋଗ ପ୍ରାପ୍ତ ହୋଇଥାଏ ଏବଂ ଭୋଗୀମାନଙ୍କର ଶରୀର ହିଁ ହୃଷ୍ଟପୁଷ୍ଟ ହୋଇଥାଏ | ଏହାର ଅନ୍ୟ କୌଣସି କାରଣ ତ ନାହିଁ |

ନ ତେ ଶୟାନସ୍ୟ ନିରୁଦ୍ୟମସ୍ୟ

ବ୍ରହ୍ମନ୍ ନୁ ହାର୍ଥୋ ଯତ ଏବ ଭୋଗଃ ।

ଅଭୋଗିନୋଽୟଂ ତବ ବିପ୍ର ଦେହଃ

ପୀବା ଯତସ୍ତଦ୍ୱଦ ନଃ କ୍ଷମଂ ଚେତ୍ ॥ ୧୭॥

ଭଗବନ୍ ! ଆପଣ ତ କୌଣସି ଉଦ୍ୟୋଗ କରୁନାହାଁନ୍ତି, ଏହିଠାରେ ଏମିତି ପଡି ରହିଛନ୍ତି | ତେଣୁ ଆପଣଙ୍କ ପାଖରେ ଧନ ନ ଥିବ; ଆପଣଙ୍କୁ ଭୋଗ ପ୍ରାପ୍ତ ହେବ କିପରି ? ତଥାପି ହେ ବ୍ରାହ୍ମଣଦେବତା ! ବିନା ଭୋଗରେ ଆପଣଙ୍କ ଶରୀର ଏପରି ହୃଷ୍ଟପୁଷ୍ଟ ରହିଛି କିପରି ? ଯଦି ତାହା ମୋର ଶ୍ରବଣଯୋଗ୍ୟ ହୋଇଥାଏ, ତେବେ ଅବଶ୍ୟ କହନ୍ତୁ |

କବିଃ କଲ୍ପୋ ନିପୁଣଦୃକ୍ ଚିତ୍ରପ୍ରିୟକଥଃ ସମଃ ।

ଲୋକସ୍ୟ କୁର୍ୱତଃ କର୍ମ ଶେଷେ ତଦ୍ୱୀକ୍ଷିତାପି ବା ॥ ୧୮॥

ଆପଣ ବିଦ୍ବାନ୍, ସମର୍ଥ ଏବଂ ଚତୁର ଅଟନ୍ତି | ଆପଣଙ୍କର ବଚନ ଅତି ଅଦ୍ଭୁତ ଏବଂ ପ୍ରିୟ ଅଟେ | ସେପରି ସ୍ଥଳେ ସାରା ସଂସାରକୁ କର୍ମ କରୁଥିବା ଦେଖି ମଧ୍ୟ ଆପଣ ସମଭାବରେ ଏଠାରେ ପଡି ରହିଛନ୍ତି, ଏହାର କାରଣ କଣ ?

ନାରଦ ଉବାଚ

ସ ଇତ୍ଥଂ ଦୈତ୍ୟପତିନା ପରିପୃଷ୍ଟୋ ମହାମୁନିଃ ।

ସ୍ମୟମାନସ୍ତମଭ୍ୟାହ ତଦ୍ୱାଗମୃତୟନ୍ତ୍ରିତଃ ॥ ୧୯॥

ଦେବର୍ଷି ନାରଦ କହୁଛନ୍ତି – ଧର୍ମରାଜ ! ପ୍ରହ୍ଲାଦ ଯେତେବେଳେ ମହାମୁନି ଦତ୍ତାତ୍ରେୟଙ୍କୁ ଏପରି ପ୍ରଶ୍ନ କଲେ, ସେତେବେଳେ ତାଙ୍କର ଅମୃତମୟୀ ବାଣୀରେ ବଶୀଭୂତ ହୋଇ ଦତ୍ତାତ୍ରେୟ ସ୍ମିତହାସ୍ୟଯୁକ୍ତ ହୋଇ ଏହା କହିଲେ |

ବ୍ରାହ୍ମଣ ଉବାଚ

ବେଦେଦମସୁରଶ୍ରେଷ୍ଠ ଭବାନ୍ ନନ୍ୱାର୍ୟସମ୍ମତଃ ।

ଈହୋପରମୟୋର୍ନୄଣାଂ ପଦାନ୍ୟଧ୍ୟାତ୍ମଚକ୍ଷୁଷା ॥ ୨୦॥

ଦତ୍ତାତ୍ରେୟ କହିଲେ – ହେ ଦୈତ୍ୟରାଜ ! ସବୁ ଶ୍ରେଷ୍ଠ ପୁରୁଷ ତୁମର ସମ୍ମାନ କରନ୍ତି | ମନୁଷ୍ୟକୁ କର୍ମର ପ୍ରବୃତ୍ତି ଏବଂ ନିବୃତ୍ତିର ଫଳସ୍ବରୂପ କଣ ପ୍ରାପ୍ତ ହୋଇଥାଏ, ତାହା ତୁମେ ନିଜ ଜ୍ଞାନଦୃଷ୍ଟିରେ ଭଲ ଭାବରେ ଜାଣ |

ଯସ୍ୟ ନାରାୟଣୋ ଦେବୋ ଭଗବାନ୍ ହୃଦ୍ଗତଃ ସଦା ।

ଭକ୍ତ୍ୟା କେବଲୟାଜ୍ଞାନଂ ଧୁନୋତି ଧ୍ୱାନ୍ତମର୍କବତ୍ ॥ ୨୧॥

ତୁମର ଅନନ୍ୟ ଭକ୍ତି ଯୋଗୁଁ ଦେବାଧିଦେବ ଭଗବାନ ନାରାୟଣ ସଦା-ସର୍ବଦା ତୁମ ହୃଦୟରେ ବିରାଜମାନ କରି, ସୂର୍ଯ୍ୟ ଅନ୍ଧକାରକୁ ନଷ୍ଟ କରିବା ପରି, ତୁମର ଅଜ୍ଞାନକୁ ନଷ୍ଟ କରୁଥାଆନ୍ତି |

ଅଥାପି ବ୍ରୂମହେ ପ୍ରଶ୍ନାଂସ୍ତବ ରାଜନ୍ ଯଥାଶ୍ରୁତମ୍ ।

ସମ୍ଭାବନୀୟୋ ହି ଭବାନାତ୍ମନଃ ଶୁଦ୍ଧିମିଚ୍ଛତାମ୍ ॥ ୨୨॥

ତଥାପି ହେ ପ୍ରହ୍ଲାଦ ! ମୁଁ ଯେତିକି ଜାଣିଛି, ସେହି ଅନୁସାରେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେଉଛି | ଆତ୍ମଶୁଦ୍ଧିର ଅଭିଳାଷୀ ପୁରୁଷ ନିଶ୍ଚିତଭାବରେ ତୁମର ସମ୍ମାନ କରିବା ଉଚିତ୍ |

ତୃଷ୍ଣୟା ଭବବାହିନ୍ୟା ଯୋଗ୍ୟୈଃ କାମୈରପୂରୟା ।

କର୍ମାଣି କାର୍ୟମାଣୋଽହଂ ନାନାୟୋନିଷୁ ଯୋଜିତଃ ॥ ୨୩॥

ହେ ପ୍ରହ୍ଲାଦ ! ତୃଷ୍ଣା ଏପରି ଏକ ବସ୍ତୁ ଅଟେ, ଯାହାର ପୂର୍ତ୍ତି ଇଚ୍ଛାନୁସାରେ ଭୋଗ ପ୍ରାପ୍ତ ହେବା ସତ୍ତ୍ବେ ବି ହୋଇ ନ ଥାଏ | ସେହି କାରଣରୁ ଜୀବକୁ ଜନ୍ମ-ମୃତ୍ୟୁର ଚକ୍ରରେ ଭ୍ରମିତ ହେବାକୁ ପଡିଥାଏ | ସେହି ତୃଷ୍ଣା ମୋତେ କେଜାଣି କେତେ କର୍ମ କରାଇଛିଏବଂ କେତେ ଯୋନିରେ ଘୂରାଇଛି !

ଯଦୃଚ୍ଛୟା ଲୋକମିମଂ ପ୍ରାପିତଃ କର୍ମଭିର୍ଭ୍ରମନ୍ ।

ସ୍ୱର୍ଗାପବର୍ଗୟୋର୍ଦ୍ୱାରଂ ତିରଶ୍ଚାଂ ପୁନରସ୍ୟ ଚ ॥ ୨୪॥

କର୍ମବଶ ନାନାଦି ଯୋନିରେ ଘୂରି-ବୁଲି ଦୈବବଶ ମୋତେ ଏହି ମନୁଷ୍ୟଯୋନି ମିଳିଛି, ଯାହା ସ୍ବର୍ଗ, ମୋକ୍ଷ, ତୀର୍ଯ୍ୟକ-ଯୋନି ତଥା ଏହି ମାନବଦେହ ପ୍ରାପ୍ତିର ଦ୍ବାର ଅଟେ – ଏଥିରେ ପୁଣ୍ୟ କଲେ ସ୍ବର୍ଗ, ପାପ କଲେ ପଶୁ-ପକ୍ଷୀ ଆଦି ଯୋନି, ନିବୃତ୍ତ ହୋଇଗଲେ ମୋକ୍ଷ ଏବଂ ଉଭୟ ପ୍ରକାର କର୍ମ କଲେ ପୁନର୍ବାର ମାନବଯୋନିର ପ୍ରାପ୍ତି ହୋଇପାରେ |

ଅତ୍ରାପି ଦମ୍ପତୀନାଂ ଚ ସୁଖାୟାନ୍ୟାପନୁତ୍ତୟେ ।

କର୍ମାଣି କୁର୍ୱତାଂ ଦୃଷ୍ଟ୍ୱା ନିବୃତ୍ତୋଽସ୍ମି ବିପର୍ୟଯମ୍ ॥ ୨୫॥

କିନ୍ତୁ ମୁଁ ଯାହା ଦେଖୁଛି ସଂସାରରେ ସ୍ତ୍ରୀ-ପୁରୁଷ ସୁଖପ୍ରାପ୍ତି ଏବଂ ଦୁଃଖନିବୃତ୍ତି ଉଦ୍ଦେଶ୍ୟରେ ତ କର୍ମ କରନ୍ତି, ଅଥଚ ତାର ଫଳ ଓଲଟା ହିଁ ହୋଇଥାଏ – ସେମାନେ ଅଧିକରୁ ଅଧିକ ଦୁଃଖ ଭୋଗ କରନ୍ତି | ସେଥିପାଇଁ ମୁଁ କର୍ମରୁ ଉପରତ ହୋଇଯାଇଛି |

ସୁଖମସ୍ୟାତ୍ମନୋ ରୂପଂ ସର୍ୱେହୋପରତିସ୍ତନୁଃ ।

ମନଃସଂସ୍ପର୍ଶଜାନ୍ ଦୃଷ୍ଟ୍ୱା ଭୋଗାନ୍ ସ୍ୱପ୍ସ୍ୟାମି ସମ୍ବିଶନ୍ ॥ ୨୬॥

ସୁଖ ହିଁ ଆତ୍ମାର ସ୍ବରୂପ ଅଟେ | ସମସ୍ତ କ୍ରିୟାର ନିବୃତ୍ତି ହିଁ ତାର ଶରୀର – ତାହାର ପ୍ରକାଶିତ ହେବାର ସ୍ଥାନ ଅଟେ | ସେଥିପାଇଁ ସମସ୍ତ ଭୋଗକୁ ମନୋରାଜ୍ୟମାତ୍ର ଜ୍ଞାନ କରି ମୁଁ ନିଜ ପ୍ରାରବ୍ଧ ଭୋଗ କରି ଏଠାରେ ପଡି ରହିଛି |

ଇତ୍ୟେତଦାତ୍ମନଃ ସ୍ୱାର୍ଥଂ ସନ୍ତଂ ବିସ୍ମୃତ୍ୟ ବୈ ପୁମାନ୍ ।

ବିଚିତ୍ରାମସତି ଦ୍ୱୈତେ ଘୋରାମାପ୍ନୋତି ସଂସୃତିମ୍ ॥ ୨୭॥

ମନୁଷ୍ୟ ନିଜର ପ୍ରକୃତ ସ୍ବାର୍ଥ ଅର୍ଥାତ୍ ବାସ୍ତବିକ ସୁଖ, ଯାହା ତାର ସ୍ବରୂପ ହିଁ ଅଟେ, ତାହାକୁ ଭୂଲି ଏହି ମିଥ୍ୟା ଦ୍ବୈତକୁ ସତ୍ୟ ମନେକରି ଅତ୍ୟନ୍ତ ଭୟଙ୍କର ଏବଂ ବିଚିତ୍ର ଜନ୍ମ-ମୃତ୍ୟୁର ଚକ୍ରରେ ଘୂରିବାରେ ଲାଗିଛି |

ଜଲଂ ତଦୁଦ୍ଭବୈଶ୍ଛନ୍ନଂ ହିତ୍ୱାଜ୍ଞୋ ଜଲକାମ୍ୟଯା ।

ମୃଗତୃଷ୍ଣାମୁପାଧାବେଦ୍ୟଥାନ୍ୟତ୍ରାର୍ଥଦୃକ୍ ସ୍ୱତଃ ॥ ୨୮॥

ଅଜ୍ଞାନୀ ମନୁଷ୍ୟ ଯେପରି ଜଳରୁ ହିଁ ଉତ୍ପନ୍ନ ହୋଇଥିବା ତୃଣ-ଲତା ଦ୍ବାରା ଆବୃତ ଜଳକୁ ଜଳ ମନେ ନ କରି ଜଳପ୍ରାପ୍ତି ଆଶାରେ ମୃଗତୃଷ୍ଣା ଅଭିମୁଖରେ ଧାଇଁବାରେ ଲାଗିଥାଏ, ସେହିପରି ନିଜ ଆତ୍ମାଠାରୁ ଭିନ୍ନ ବସ୍ତୁରେ ସୁଖ ଆରୋପ କରୁଥିବା ପୁରୁଷ ଆତ୍ମାକୁ ଛାଡି ବିଷୟ ଅଭିମୁଖରେ ଧାଇଁଥାଏ |

ଦେହାଦିଭିର୍ଦୈବତନ୍ତ୍ରୈରାତ୍ମନଃ ସୁଖମୀହତଃ ।

ଦୁଃଖାତ୍ୟଯଂ ଚାନୀଶସ୍ୟ କ୍ରିୟା ମୋଘାଃ କୃତାଃ କୃତାଃ ॥ ୨୯॥

ପ୍ରହ୍ଲାଦ ! ଶରୀର ଆଦି ତ ପ୍ରାରବ୍ଧର ଅଧୀନସ୍ତ ଅଟନ୍ତି | ସେମାନଙ୍କ ଦ୍ବାରା ଯେଉଁମାନେ ସୁଖପ୍ରାପ୍ତି ଏବଂ ଦୁଃଖନିବୃତ୍ତି ଇଚ୍ଛା କରନ୍ତି, ସେମାନେ କେବେ ବି ନିଜ କାର୍ଯ୍ୟରେ ସଫଳ ହୁଅନ୍ତି ନାହିଁ | ସେମାନଙ୍କ ଦ୍ବାରା ବାରମ୍ବାର କରାଯାଉ ଥିବା କର୍ମ ବ୍ୟର୍ଥ ହିଁ ହୋଇଥାଏ |

ଆଧ୍ୟାତ୍ମିକାଦିଭିର୍ଦୁଃଖୈରବିମୁକ୍ତସ୍ୟ କର୍ହିଚିତ୍ ।

ମର୍ତ୍ୟସ୍ୟ କୃଚ୍ଛ୍ରୋପନତୈରର୍ଥୈଃ କାମୈଃ କ୍ରିୟେତ କିମ୍ ॥ ୩୦॥

ମନୁଷ୍ୟ ସର୍ବଦା ଶାରୀରିକ, ମାନସିକ ଆଦି ଦୁଃଖରେ ଆକ୍ରାନ୍ତ ରହିଥାଏ | ଏମିତି ଦେଖିବାକୁ ଗଲେ ତ ସେ ମରଣଶୀଳ ହିଁ ଅଟେ; ବହୁ ଶ୍ରମ ଏବଂ କଷ୍ଟ କରି ଯଦି ଅବା ସେ କିଛି ଧନ ଏବଂ ଭୋଗ ପ୍ରାପ୍ତ କରିନେବ, ତାହାହେଲେ କି ଲାଭ ?

ପଶ୍ୟାମି ଧନିନାଂ କ୍ଲେଶଂ ଲୁବ୍ଧାନାମଜିତାତ୍ମନାମ୍ ।

ଭୟାଦଲବ୍ଧନିଦ୍ରାଣାଂ ସର୍ୱତୋଽଭିବିଶଙ୍କିନାମ୍ ॥ ୩୧॥

ଲୋଭୀ ଏବଂ ଇନ୍ଦ୍ରିୟମାନଙ୍କର ଅଧୀନସ୍ତ ହୋଇ ରହୁଥିବା ଧନୀମାନଙ୍କର ଦୁଃଖ ତ ମୁଁ ଦେଖୁଛି; ଭୟରେ ସେମାନଙ୍କୁ ନିଦ ହେଉନାହିଁ ଏବଂ ସେମାନଙ୍କ ମନରେ ସର୍ବଦା ଅନ୍ୟମାନଙ୍କ ପ୍ରତି ସନ୍ଦେହ ରହୁଛି |

ରାଜତଶ୍ଚୌରତଃ ଶତ୍ରୋଃ ସ୍ୱଜନାତ୍ପଶୁପକ୍ଷିତଃ ।

ଅର୍ଥିଭ୍ୟଃ କାଲତଃ ସ୍ୱସ୍ମାନ୍ନିତ୍ୟଂ ପ୍ରାଣାର୍ଥବଦ୍ଭୟମ୍ ॥ ୩୨॥

ଯେଉଁମାନେ ଜୀବନ ଏବଂ ଧନର ଲୋଭୀ, ସେମାନେ ରାଜା, ଚୋର, ଶତ୍ରୁ, ସ୍ବଜନ, ପଶୁ-ପକ୍ଷୀ, ଯାଚକ ଏବଂ କାଳ, ଏପରି କି ‘କାଳେ ମୁଁ ଭୁଲ୍ କରିଦେବି, ଅଧିକ ଖର୍ଚ୍ଚ କରିଦେବି – ଏହି ଆଶଙ୍କାରେ ସ୍ବୟଂ ସଦା ଭୟଭୀତ ରହନ୍ତି |

ଶୋକମୋହଭୟକ୍ରୋଧରାଗକ୍ଲୈବ୍ୟଶ୍ରମାଦୟଃ ।

ଯନ୍ମୂଲାଃ ସ୍ୟୁର୍ନୃଣାଂ ଜହ୍ୟାତ୍ସ୍ପୃହାଂ ପ୍ରାଣାର୍ଥୟୋର୍ବୁଧଃ ॥ ୩୩॥

ସେଥିପାଇଁ ଯେଉଁ କାରଣରୁ ଶୋକ, ମୋହ, ଭୟ, କ୍ରୋଧ, ରାଗ, କାୟରତା ଏବଂ ଶ୍ରମ ଆଦିର ଶିକାର ହେବାକୁ ପଡିଥାଏ, ବୁଦ୍ଧିମାନ ପୁରୁଷ ସେହି ଧନ ଏବଂ ଜୀବନର ସ୍ପୃହା ତ୍ୟାଗ କରିବା ଉଚିତ୍ |

ମଧୁକାରମହାସର୍ପୌ ଲୋକେଽସ୍ମିନ୍ ନୋ ଗୁରୂତ୍ତମୌ ।

ବୈରାଗ୍ୟଂ ପରିତୋଷଂ ଚ ପ୍ରାପ୍ତା ଯଚ୍ଛିକ୍ଷୟା ବୟମ୍ ॥ ୩୪॥

ଏହି ସଂସାରରେ ମୋର ସବୁଠାରୁ ବଡ ଗୁରୁ ଅଜଗର ଏବଂ ମଧୁମକ୍ଷୀ ଅଟନ୍ତି | ସେମାନଙ୍କଠାରୁ ଶିକ୍ଷା ଲାଭ କରି ମୋତେ ବୈରାଗ୍ୟ ଏବଂ ସନ୍ତୋଷ ପ୍ରାପ୍ତ ହୋଇଛି |

ବିରାଗଃ ସର୍ୱକାମେଭ୍ୟଃ ଶିକ୍ଷିତୋ ମେ ମଧୁବ୍ରତାତ୍ ।

କୃଚ୍ଛ୍ରାପ୍ତଂ ମଧୁବଦ୍ୱିତ୍ତଂ ହତ୍ୱାପ୍ୟନ୍ୟୋ ହରେତ୍ପତିମ୍ ॥ ୩୫॥

ମଧୁମକ୍ଷୀ ମଧୁ ଏକତ୍ରିତ କରିବା ପରି ଲୋକେ ବହୁ କଷ୍ଟରେ ଧନ ସଞ୍ଚୟ କରନ୍ତି | କିନ୍ତୁ ଅନ୍ୟ ଜଣେ ନିଜକୁ ସେହି ଧନ-ରାଶିର ସ୍ବାମୀ ମନେକରି ତାହାକୁ ଛଡାଇ ନିଅନ୍ତି | ଏଥିରୁ ମୁଁ ଏହି ଶିକ୍ଷା ଲାଭ କଲି ଯେ ବିଷୟ-ଭୋଗ ପ୍ରତି ବିରକ୍ତ ହିଁ ରହିବା ଉଚିତ୍ |

ଅନୀହଃ ପରିତୁଷ୍ଟାତ୍ମା ଯଦୃଚ୍ଛୋପନତାଦହମ୍ ।

ନୋ ଚେଚ୍ଛୟେ ବହ୍ୱହାନି ମହାହିରିବ ସତ୍ତ୍ୱବାନ୍ ॥ ୩୬॥

ଅଜଗର ପରି ମୁଁ ନିଶ୍ଚେଷ୍ଟ ପଡି ରହିଥାଏ ଏବଂ ଦୈବବଶ ଯାହା କିଛି ମିଳିଥାଏ ସେଥିରେ ସନ୍ତୁଷ୍ଟ ରହେ | ଯଦି କିଛି ନ ମିଳିଲା, ତେବେ ବହୁତ ଦିନ ଯାଏଁ ଧୈର୍ଯ୍ୟ ଧାରଣ କରି ସେହିପରି ହିଁ ପଡି ରହେ |

କ୍ୱଚିଦଲ୍ପଂ କ୍ୱଚିଦ୍ଭୂରି ଭୁଞ୍ଜେଽନ୍ନଂ ସ୍ୱାଦ୍ୱସ୍ୱାଦୁ ବା ।

କ୍ୱଚିଦ୍ଭୂରି ଗୁଣୋପେତଂ ଗୁଣହୀନମୁତ କ୍ୱଚିତ୍ ॥ ୩୭॥

କେବେ ଅଳ୍ପ କିଛି ଅନ୍ନ ଭକ୍ଷଣ କରିଥାଏ ତ କେବେ ବହୁତ ବେଶୀ; କେବେ ସ୍ବାଦିଷ୍ଟ ତ ନୀରସ-ଅସ୍ବାଦ; କେବେ ଉତ୍ତମ ଗୁଣଯୁକ୍ତ ତ କେବେ ଗୁଣହୀନ |

ଶ୍ରଦ୍ଧୟୋପହୃତଂ କ୍ୱାପି କଦାଚିନ୍ମାନବର୍ଜିତମ୍ ।

ଭୁଞ୍ଜେ ଭୁକ୍ତ୍ୱାଥ କସ୍ମିଂଶ୍ଚିଦ୍ଦିବା ନକ୍ତଂ ଯଦୃଚ୍ଛୟା ॥ ୩୮॥

କେବେ ଶ୍ରଦ୍ଧାର ସହିତ ଦାନ କରାଯାଇ ଥିବା ଅନ୍ନ ଭକ୍ଷଣ କରିଥାଏ ତ କେବେ ଅଶ୍ରଦ୍ଧାରେ ଅପମାନଜନକ ଭାବରେ ଫିଙ୍ଗି ଦେଇଥିବା ଅନ୍ନ | କେବେ-କେବେ ଯଦି ତାହା ସ୍ବତଃ ପ୍ରାପ୍ତ ହୋଇଯାଏ, ତେବେ ଦିନରେ, ରାତିରେ କିମ୍ବା ଥରେ ଖାଇବା ପରେ ଆଉ ଥରେ ଖାଇନିଏ |

କ୍ଷୌମଂ ଦୁକୂଲମଜିନଂ ଚୀରଂ ବଲ୍କଲମେବ ବା ।

ବସେଽନ୍ୟଦପି ସମ୍ପ୍ରାପ୍ତଂ ଦିଷ୍ଟଭୁକ୍ ତୁଷ୍ଟଧୀରହମ୍ ॥ ୩୯॥

ନିଜ ପ୍ରାରବ୍ଧ-ଭୋଗରେ ହିଁ ମୁଁ ସନ୍ତୁଷ୍ଟ ରହେ | ସେଥିପାଇଁ ବସ୍ତ୍ର ଭାବରେ ରେଶମ ବା ସୂତାବସ୍ତ୍ର, ମୃଗଚର୍ମ ବା ବଲ୍କଳ – ଯାହା ମିଳିଥାଏ ମୁଁ ତାହା ପରିଧାନ କରେ |

କ୍ୱଚିଚ୍ଛୟେ ଧରୋପସ୍ଥେ ତୃଣପର୍ଣାଶ୍ମଭସ୍ମସୁ ।

କ୍ୱଚିତ୍ପ୍ରାସାଦପର୍ୟଙ୍କେ କଶିପୌ ବା ପରେଚ୍ଛୟା ॥ ୪୦॥

କେବେ ମୁଁ ଭୂମି, ଘାସ, ପତ୍ର, ପଥର ବା ଭସ୍ମ ଉପରେ ପଡି ରହିଥାଏ ତ କେବେ ଅନ୍ୟମାନଙ୍କ ଆଗ୍ରହରେ ମହଲରେ ଗଦ୍ଦି ଉପରେ ଶୟନ କରେ |

କ୍ୱଚିତ୍ସ୍ନାତୋଽନୁଲିପ୍ତାଙ୍ଗଃ ସୁବାସାଃ ସ୍ରଗ୍ୱ୍ୟଲଙ୍କୃତଃ ।

ରଥେଭାଶ୍ୱୈଶ୍ଚରେ କ୍ୱାପି ଦିଗ୍ୱାସା ଗ୍ରହବଦ୍ୱିଭୋ ॥ ୪୧॥

ହେ ଦୈତ୍ୟରାଜ ! କେତେବେଳେ ମୁଁ ଗାଧୋଇ-ପାଧୋଇ, ଶରୀରରେ ଚନ୍ଦନ ଲଗାଇ, ସୁନ୍ଦର ବସ୍ତ୍ର-ଆଭୂଷଣ, ପୁଷ୍ପମାଲ୍ୟ ଆଦିରେ ସଜ୍ଜିତ ହୋଇ ରଥ, ହାତୀ ଏବଂ ଘୋଡା ଚଢି ଭ୍ରମଣ କରୁଥାଏ ତ କେତେବେଳେ ପିଶାଚମାନଙ୍କ ପରି ସମ୍ପୂର୍ଣ୍ଣ ନଗ୍ନ ଶରୀରରେ ବିଚରଣ କରୁଥାଏ |

ନାହଂ ନିନ୍ଦେ ନ ଚ ସ୍ତୌମି ସ୍ୱଭାବବିଷମଂ ଜନମ୍ ।

ଏତେଷାଂ ଶ୍ରେୟ ଆଶାସେ ଉତୈକାତ୍ମ୍ୟଂ ମହାତ୍ମନି ॥ ୪୨॥

ମନୁଷ୍ୟର ସ୍ବଭାବ ଭିନ୍ନ-ଭିନ୍ନ ଅଟେ | ତେଣୁ ମୁଁ କାହାର ନିନ୍ଦା କରେନାହିଁ କି କାହାର ସ୍ତୁତି କରେନାହିଁ | ମୁଁ କେବଳ ସମସ୍ତଙ୍କର ପରମ କଲ୍ୟାଣ ଏବଂ ପରମାତ୍ମାଙ୍କ ସହିତ ସେମାନଙ୍କର ଏକତ୍ବ ଇଚ୍ଛା କରିଥାଏ |

ବିକଲ୍ପଂ ଜୁହୁୟାଚ୍ଚିତ୍ତୌ ତାଂ ମନସ୍ୟର୍ଥବିଭ୍ରମେ ।

ମନୋ ବୈକାରିକେ ହୁତ୍ୱା ତନ୍ମାୟାୟାଂ ଜୁହୋତ୍ୟନୁ ॥ ୪୩॥

ଆତ୍ମାନୁଭୂତୌ ତାଂ ମାୟାଂ ଜୁହୁୟାତ୍ସତ୍ୟଦୃଙ୍ମୁନିଃ ।

ତତୋ ନିରୀହୋ ବିରମେତ୍ସ୍ୱାନୁଭୂତ୍ୟାଽଽତ୍ମନି ସ୍ଥିତଃ ॥ ୪୪॥

ନାନା ପ୍ରକାରର ଜାଗତିକ ପଦାର୍ଥ ଏବଂ ସେମାନଙ୍କ ମଧ୍ୟରେ ଯେଉଁ ଭେଦ-ବିଭେଦ ପ୍ରତୀତ ହୋଇଥାଏ, ସତ୍ୟର ଅନୁସନ୍ଧାନକାରୀ ମନୁଷ୍ୟ ସେହି ଚିତ୍ତବୃତ୍ତିକୁ ସମ୍ପୂର୍ଣ୍ଣ ଭାବରେ ଆହୂତି ଦେଇ ଦେବା ଆବଶ୍ୟକ | ଏହିସବୁ ପଦାର୍ଥ ସମ୍ବନ୍ଧରେ ବିବିଧ ଭ୍ରମ ଉତ୍ପନ୍ନ କରୁଥିବା ଚିତ୍ତବୃତ୍ତିକୁ ମନରେ, ମନକୁ ସାତ୍ତ୍ବିକ ଅହଂକାରରେ ଏବଂ ସାତ୍ତ୍ବିକ ଅହଂକାରକୁ ମହତ୍ତତ୍ତ୍ବ ଦ୍ବାରା ମାୟାରେ ଆହୂତି ଦେବେ | ଏହିପରି ଭାବରେ ସମସ୍ତ ଭେଦ-ବିଭେଦର କାରଣ ମାୟା ହିଁ ଅଟେ, ଏପରି ନିଶ୍ଚୟ କରି ସେହି ମାୟାକୁ ଆତ୍ମାନୁଭୂତିରେ ସ୍ବାହା କରିଦେବେ | ଏହି ପ୍ରକାରେ ଆତ୍ମସାକ୍ଷାତକାର ଦ୍ବାରା ଆତ୍ମସ୍ବରୂପରେ ସ୍ଥିତ ହୋଇ ନିଷ୍କ୍ରିୟ ଏବଂ ଉପରତ ହୋଇଯିବେ |

ସ୍ୱାତ୍ମବୃତ୍ତଂ ମୟେତ୍ଥଂ ତେ ସୁଗୁପ୍ତମପି ବର୍ଣିତମ୍ ।

ବ୍ୟପେତଂ ଲୋକଶାସ୍ତ୍ରାଭ୍ୟାଂ ଭବାନ୍ ହି ଭଗବତ୍ପରଃ ॥ ୪୫॥

ହେ ପ୍ରହ୍ଲାଦ ! ମୋର ଏହି ଆତ୍ମକଥା ଅତ୍ୟନ୍ତ ଗୁପ୍ତ ଏବଂ ଲୋକ ଓ ଶାସ୍ତ୍ରର ଅତୀତ ଅଟେ | ତୁମେ ଭଗବାନଙ୍କର ଅତ୍ୟନ୍ତ ପ୍ରେମୀ ଅଟ, ସେଥିପାଇଁ ତୁମ ଆଗରେ ମୁଁ ଏହାର ବର୍ଣ୍ଣନ କଲି |

ନାରଦ ଉବାଚ

ଧର୍ମଂ ପାରମହଂସ୍ୟଂ ବୈ ମୁନେଃ ଶ୍ରୁତ୍ୱାସୁରେଶ୍ୱରଃ ।

ପୂଜୟିତ୍ୱା ତତଃ ପ୍ରୀତ ଆମନ୍ତ୍ର୍ୟ ପ୍ରୟଯୌ ଗୃହମ୍ ॥ ୪୬॥

ଦେବର୍ଷି ନାରଦ କହୁଛନ୍ତି – ମହାରାଜ ! ଦତ୍ତାତ୍ରେୟ ମୁନିଙ୍କଠାରୁ ପରମହଂସଙ୍କର ଏହି ଧର୍ମ ବିଷୟରେ ଶ୍ରବଣ କରି ପ୍ରହ୍ଲାଦ ତାଙ୍କର ପୂଜା କଲେ ଏବଂ ଅତିଶୟ ପ୍ରସନ୍ନ ହୋଇ ନିଜ ରାଜଧାନୀ ଅଭିମୁଖରେ ପ୍ରସ୍ଥାନ କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମସ୍କନ୍ଧେ

ଯୁଧିଷ୍ଠିରନାରଦସମ୍ବାଦେ ଯତିଧର୍ମଂ ନାମ ତ୍ରୟୋଦଶାଧ୍ୟାୟଃ ॥ ୧୩॥


Comments

Popular posts from this blog