ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ ॥

ସପ୍ତମ ସ୍କନ୍ଧ

ଦଶମ ଅଧ୍ୟାୟ

ପ୍ରହ୍ଲାଦଙ୍କର ରାଜ୍ୟାଭିଷେକ ଏବଂ ତ୍ରିପୁରଦହନ କଥା

 

ନାରଦ ଉବାଚ

ଭକ୍ତିୟୋଗସ୍ୟ ତତ୍ସର୍ୱମନ୍ତରାୟତୟାର୍ଭକଃ ।

ମନ୍ୟମାନୋ ହୃଷୀକେଶଂ ସ୍ମୟମାନ ଉବାଚ ହ ॥ ୧॥

ଦେବର୍ଷି ନାରଦ କହୁଛନ୍ତି – ବାଳକ ହୋଇଥିଲେ ବି ପ୍ରହ୍ଲାଦ ଏହା ଜାଣିଥିଲେ ଯେ ବରଦାନ ଯାଚନା କରିବା ପ୍ରେମ-ଭକ୍ତିରେ ବିଘ୍ନ ସ୍ବରୂପ ଅଟେ | ତେଣୁ ସେ ଈଷତ ହସି ଭଗବାନଙ୍କୁ କହିଲେ -

ପ୍ରହ୍ଲାଦ ଉବାଚ

ମା ମାଂ ପ୍ରଲୋଭୟୋତ୍ପତ୍ତ୍ୟାଽଽସକ୍ତଙ୍କାମେଷୁ ତୈର୍ୱରୈଃ ।

ତତ୍ସଙ୍ଗଭୀତୋ ନିର୍ୱିଣ୍ଣୋ ମୁମୁକ୍ଷୁସ୍ତ୍ୱାମୁପାଶ୍ରିତଃ ॥ ୨॥

ପ୍ରହ୍ଲାଦ କହିଲେ – ପ୍ରଭୁ ! ମୁଁ ଜନ୍ମରୁ ବିଷୟ-ଭୋଗ ପ୍ରତି ଆସକ୍ତ ଅଟେ; ବରଦାନ ଦ୍ବାରା ଆପଣ ମୋତେ ଆହୁରି ପ୍ରଲୋଭିତ କରନ୍ତୁ ନାହିଁ | ସେହି ସବୁ ଭୋଗ-ଆସକ୍ତିକୁ ଭୟ କରି, ସେମାନଙ୍କ ଦ୍ବାରା ପ୍ରାପ୍ତ ହେଉଥିବା ତୀବ୍ର ବେଦନାକୁ ଅନୁଭବ କରି, ସେଥିରୁ ମୁକ୍ତି ପାଇବାର ଅଭିଳାଷରେ ମୁଁ ଆପଣଙ୍କ ଶରଣକୁ ଆସିଛି |

ଭୃତ୍ୟଲକ୍ଷଣଜିଜ୍ଞାସୁର୍ଭକ୍ତଂ କାମେଷ୍ୱଚୋଦୟତ୍ ।

ଭବାନ୍ ସଂସାରବୀଜେଷୁ ହୃଦୟଗ୍ରନ୍ଥିଷୁ ପ୍ରଭୋ ॥ ୩॥

ଭଗବନ୍ ! ମୋଠାରେ ଭକ୍ତର ଲକ୍ଷଣ ଅଛି କି ନାହିଁ – ତାହା ଜାଣିବା ପାଇଁ ଆପଣ ମୋତେ ବରଦାନ ମାଗିବା ନିମନ୍ତେ ପ୍ରେରିତ କରୁଛନ୍ତି | ଏହି ସବୁ ବିଷୟ-ଭୋଗ ହୃଦୟର ଗ୍ରନ୍ଥିକୁ ଆହୁରି ମଜବୁତ କରିଦିଏ ତଥା ଜୀବକୁ ବାରମ୍ବାର ଜନ୍ମ-ମୃତ୍ୟୁର ଚକ୍ରରେ ଘୂରାଇ ଥାଏ |

ନାନ୍ୟଥା ତେଽଖିଲଗୁରୋ ଘଟେତ କରୁଣାତ୍ମନଃ ।

ଯସ୍ତ ଆଶିଷ ଆଶାସ୍ତେ ନ ସ ଭୃତ୍ୟଃ ସ ବୈ ବଣିକ୍ ॥ ୪॥

ଜଗଦଗୁରୁ ! ପରୀକ୍ଷା କରିବା ଛଡା ଆପଣଙ୍କର ଏପରି କଥନ ପୃଷ୍ଠଦେଶରେ ଅନ୍ୟ କୌଣସି କାରଣ ମୋତେ ଦୃଶ୍ୟ ହେଉନାହିଁ, କାରଣ ଆପଣ ପରମ ଦୟାଳୁ ଅଟନ୍ତି | (ନିଜ ଭକ୍ତକୁ ଭୋଗ ପ୍ରତି ଉନ୍ମୁଖ କରାଉଥିବା ବର ଆପଣ ଅବା କିପରି ଦିଅନ୍ତେ ?) ଯେଉଁ ସେବକ ଆପଣଙ୍କ ଦ୍ବାରା ନିଜର କାମନା ପୂର୍ତ୍ତି କରିବାକୁ ଇଚ୍ଛା କରେ, ସେ ସେବକ ନୁହେଁ; ସେ ତ ଦେଣନେଣ କରୁଥିବା ବ୍ୟାପାରୀ ଅଟେ |

ଆଶାସାନୋ ନ ବୈ ଭୃତ୍ୟଃ ସ୍ୱାମିନ୍ୟାଶିଷ ଆତ୍ମନଃ ।

ନ ସ୍ୱାମୀ ଭୃତ୍ୟତଃ ସ୍ୱାମ୍ୟମିଚ୍ଛନ୍ ଯୋ ରାତି ଚାଶିଷଃ ॥ ୫॥

ଯିଏ ସ୍ବାମୀଙ୍କ ଦ୍ବାରା ନିଜର କାମନା ପୂର୍ତ୍ତି ଇଚ୍ଛା କରେ, ତାକୁ ସେବକ କୁହାଯିବ ନାହିଁ ଏବଂ ଯିଏ ସ୍ବାମୀ ଭାବରେ ସେବକକୁ ସେବାରେ ନିୟୋଜିତ କରିବା ପାଇଁ ତାର କାମନା ପୂର୍ତ୍ତି କରିଥାଆନ୍ତି, ତାଙ୍କୁ ସ୍ବାମୀ କୁହାଯିବ ନାହିଁ |

ଅହଂ ତ୍ୱକାମସ୍ତ୍ୱଦ୍ଭକ୍ତସ୍ତ୍ୱଂ ଚ ସ୍ୱାମ୍ୟନପାଶ୍ରୟଃ ।

ନାନ୍ୟଥେହାବୟୋରର୍ଥୋ ରାଜସେବକୟୋରିବ ॥ ୬॥

ମୁଁ ଆପଣଙ୍କର ନିଷ୍କାମ ସେବକ ଅଟେ ଏବଂ ଆପଣ ମୋର ନିରପେକ୍ଷ ସ୍ବାମୀ ଅଟନ୍ତି | ରାଜା ଏବଂ ତାଙ୍କର ସେବକଙ୍କ ମଧ୍ୟରେ ଯେପରି ପ୍ରୟୋଜନବଶ ସମ୍ବନ୍ଧ ସ୍ଥାପିତ ହୋଇଥାଏ, ଆପଣଙ୍କର-ମୋର ସମ୍ବନ୍ଧ ତ ସେପରି ନୁହେଁ |

ଯଦି ରାସୀଶ ମେ କାମାନ୍ ବରାଂସ୍ତ୍ୱଂ ବରଦର୍ଷଭ ।

କାମାନାଂ ହୃଦ୍ୟସଂରୋହଂ ଭବତସ୍ତୁ ବୃଣେ ବରମ୍ ॥ ୭॥

ହେ ମୋର ବରଦାନଶିରୋମଣି ସ୍ବାମୀ ! ଆପଣ ଯଦି ମୋତେ ମୋର ମନ ମୁତାବକ ବର ଦେବାକୁ ଇଚ୍ଛା କରୁଛନ୍ତି, ତେବେ ମୋତେ ଏହି ବର ଦିଅନ୍ତୁ ଯେ ମୋ ହୃଦୟରେ କେବେ କୌଣସି କାମନାର ବୀଜ ଅଙ୍କୁରିତ ହିଁ ନ ହେଉ |

ଇନ୍ଦ୍ରିୟାଣି ମନଃ ପ୍ରାଣ ଆତ୍ମା ଧର୍ମୋ ଧୃତିର୍ମତିଃ ।

ହ୍ରୀଃ ଶ୍ରୀସ୍ତେଜଃ ସ୍ମୃତିଃ ସତ୍ୟଂ ଯସ୍ୟ ନଶ୍ୟନ୍ତି ଜନ୍ମନା ॥ ୮॥

ହୃଦୟରେ କୌଣସି କାମନା ଉଦୟ ହୁଅନ୍ତେ, ଇନ୍ଦ୍ରିୟ, ମନ, ପ୍ରାଣ, ଦେହ, ଧର୍ମ, ଧୈର୍ଯ୍ୟ, ବୁଦ୍ଧି, ଲଜ୍ଜା, ଶ୍ରୀ, ତେଜ, ସ୍ମୃତି ଏବଂ ସତ୍ୟ – ସବୁକିଛି ନଷ୍ଟ ହୋଇଯାଏ |

ବିମୁଞ୍ଚତି ଯଦା କାମାନ୍ ମାନବୋ ମନସି ସ୍ଥିତାନ୍ ।

ତର୍ହ୍ୟେବ ପୁଣ୍ଡରୀକାକ୍ଷ ଭଗବତ୍ତ୍ୱାୟ କଲ୍ପତେ ॥ ୯॥

କମଳନୟନ ! ମନୁଷ୍ୟ ଯେତେବେଳେ ନିଜ ମନର ସମସ୍ତ କାମନାକୁ ତ୍ୟାଗ କରିଦିଏ, ସେତେବେଳେ ସେ ଭଗବତ୍-ସ୍ବରୂପ ହୋଇଯାଏ |

ଓଂ ନମୋ ଭଗବତେ ତୁଭ୍ୟଂ ପୁରୁଷାୟ ମହାତ୍ମନେ ।

ହରୟେଽଦ୍ଭୁତସିଂହାୟ ବ୍ରହ୍ମଣେ ପରମାତ୍ମନେ ॥ ୧୦॥

ଭଗବନ୍ ! ଆପଣଙ୍କୁ ନମସ୍କାର | ଆପଣ ସମସ୍ତଙ୍କ ହୃଦୟରେ ବିରାଜମାନ, ଉଦାରଶିରୋମଣି ସ୍ବୟଂ ପରବ୍ରହ୍ମ ପରମାତ୍ମା ଅଟନ୍ତି | ଅଦ୍ଭୁତ ନୃସିଂହରୂପଧାରୀ ଶ୍ରୀହରି ! ଆପଣଙ୍କ ଚରଣରେ ମୁଁ ବାରମ୍ବାର ପ୍ରଣାମ କରୁଛି |

ନୃସିଂହ ଉବାଚ

ନୈକାନ୍ତିନୋ ମେ ମୟି ଜାତ୍ୱିହାଶିଷ

ଆଶାସତେଽମୁତ୍ର ଚ ଯେ ଭବଦ୍ୱିଧାଃ ।

ଅଥାପି ମନ୍ୱନ୍ତରମେତଦତ୍ର

ଦୈତ୍ୟେଶ୍ୱରାଣାମନୁଭୁଙ୍କ୍ଷ୍ୱ ଭୋଗାନ୍ ॥ ୧୧॥

ନୃସିଂହଭଗବାନ କହିଲେ – ପ୍ରହ୍ଲାଦ ! ତୁମ ପରି ମୋର ଏକାନ୍ତପ୍ରେମୀମାନେ କେବେ ଇହଲୋକ ଅଥବା ପରଲୋକର କୌଣସି ବସ୍ତୁର କାମନା କରନ୍ତି ନାହିଁ | ତଥାପି, ମୋର ପ୍ରସନ୍ନତା ନିମନ୍ତେ, ଅଧିକ ନୁହେଁ, କେବଳ ଏକ ମନ୍ବନ୍ତର ତୁମେ ଇହଲୋକରେ ଦୈତ୍ୟାଧିପତିମାନଙ୍କର ସମସ୍ତ ଭୋଗ ସ୍ବୀକାର କର |

କଥା ମଦୀୟା ଜୁଷମାଣଃ ପ୍ରିୟାସ୍ତ୍ୱ-

ମାବେଶ୍ୟ ମାମାତ୍ମନି ସନ୍ତମେକମ୍ ।

ସର୍ୱେଷୁ ଭୂତେଷ୍ୱଧିୟଜ୍ଞମୀଶଂ

ଯଜସ୍ୱ ଯୋଗେନ ଚ କର୍ମ ହିନ୍ୱନ୍ ॥ ୧୨॥

ସମସ୍ତ ପ୍ରାଣୀଙ୍କ ହୃଦୟରେ ଯଜ୍ଞର ଭୋକ୍ତା ଈଶ୍ବର ରୂପରେ ମୁଁ ହିଁ ବିରାଜମାନ | ତୁମେ ନିଜ ହୃଦୟରେ ମୋର ଦର୍ଶନ କରି, ତୁମର ଅତି ପ୍ରିୟ ମୋ ଲୀଳାକଥାର ଶ୍ରବଣ କରି, ସମସ୍ତ କର୍ମ ଦ୍ବାରା ମୋର ଆରାଧନା କରି ନିଜ ପ୍ରାରବ୍ଧ କର୍ମକୁ କ୍ଷୟ କରିଦେବ |

ଭୋଗେନ ପୁଣ୍ୟଂ କୁଶଲେନ ପାପଂ

କଲେବରଂ କାଲଜବେନ ହିତ୍ୱା ।

କୀର୍ତିଂ ବିଶୁଦ୍ଧାଂ ସୁରଲୋକଗୀତାଂ

ବିତାୟ ମାମେଷ୍ୟସି ମୁକ୍ତବନ୍ଧଃ ॥ ୧୩॥

ଭୋଗ ଦ୍ବାରା ପୁଣ୍ୟକର୍ମର ଫଳ ଏବଂ ନିଷ୍କାମ ପୁଣ୍ୟକର୍ମ ଦ୍ବାରା ପାପକୁ ନାଶ କରି ତୁମେ ନିର୍ଦ୍ଧାରିତ ସମୟରେ ଶରୀର ତ୍ୟାଗ କରିବ ଏବଂ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ମୋ ପାଖକୁ ଆସିବ | ଦେବଲୋକରେ ମଧ୍ୟ ଲୋକେ ତୁମର ବିଶୁଦ୍ଧ କୀର୍ତ୍ତିର ଗାନ କରିବେ |

ଯ ଏତତ୍କୀର୍ତୟେନ୍ମହ୍ୟଂ ତ୍ୱୟା ଗୀତମିଦଂ ନରଃ ।

ତ୍ୱାଂ ଚ ମାଂ ଚ ସ୍ମରନ୍ କାଲେ କର୍ମବନ୍ଧାତ୍ପ୍ରମୁଚ୍ୟତେ ॥ ୧୪॥

ଯେଉଁ ମନୁଷ୍ୟ ତୁମ ଦ୍ବାରା କରାଯାଇ ଥିବା ମୋର ଏହି ସ୍ତୁତିର କୀର୍ତ୍ତନ କରିବେ ଏବଂ ତା ସହିତ ମୋର ଏବଂ ତୁମର ସ୍ମରଣ କରିବେ, ସେ ସମୟକ୍ରମେ କର୍ମବନ୍ଧନରୁ ମୁକ୍ତ ହୋଇଯିବେ |

ପ୍ରହ୍ଲାଦ ଉବାଚ

ବରଂ ବରୟ ଏତତ୍ତେ ବରଦେଶାନ୍ମହେଶ୍ୱର ।

ଯଦନିନ୍ଦତ୍ପିତା ମେ ତ୍ୱାମବିଦ୍ୱାଂସ୍ତେଜ ଐଶ୍ୱରମ୍ ॥ ୧୫॥

ବିଦ୍ଧାମର୍ଷାଶୟଃ ସାକ୍ଷାତ୍ସର୍ୱଲୋକଗୁରୁଂ ପ୍ରଭୁମ୍ ।

ଭ୍ରାତୃହେତି ମୃଷାଦୃଷ୍ଟିସ୍ତ୍ୱଦ୍ଭକ୍ତେ ମୟି ଚାଘବାନ୍ ॥ ୧୬॥

ପ୍ରହ୍ଲାଦ କହିଲେ – ମହେଶ୍ବର ! ଆପଣ ବରଦାୟକମାନଙ୍କର ସ୍ବାମୀ ଅଟନ୍ତି | ମୁଁ ଆପଣଙ୍କଠାରୁ ଅନ୍ୟ ଏକ ବର ମାଗୁଛି – ମୋର ପିତା ଆପଣଙ୍କର ଈଶ୍ବରୀୟ ତେଜ ଏବଂ ଆପଣଙ୍କୁ ସର୍ବଶକ୍ତିମାନ ଚରାଚରଗୁରୁ ଭାବରେ ଜାଣି ନ ପାରି ଆପଣଙ୍କର ବହୁତ ବେଶୀ ନିନ୍ଦା କରିଛନ୍ତି | ‘ଏହି ବିଷ୍ଣୁ ମୋର ଭାଈକୁ ମାରିଛି – ଏପରି ମିଥ୍ୟାଦୃଷ୍ଟି ରଖିଥିବା କାରଣରୁ ସେ ଆପଣଙ୍କ କ୍ରୋଧର ବେଗ ସହ୍ୟ କରିବାକୁ ଅସମର୍ଥ ହେଲେ | ମୁଁ ଆପଣଙ୍କର ଭକ୍ତ ହୋଇଥିବା କାରଣରୁ ସେ ମୋ ପ୍ରତି ମଧ୍ୟ ଦ୍ରୋହ କଲେ |

ତସ୍ମାତ୍ପିତା ମେ ପୂୟେତ ଦୁରନ୍ତାଦ୍ଦୁସ୍ତରାଦଘାତ୍ ।

ପୂତସ୍ତେଽପାଙ୍ଗସନ୍ଦୃଷ୍ଟସ୍ତଦା କୃପଣବତ୍ସଲ ॥ ୧୭॥

ଦୀନବନ୍ଧୁ ! ଆପଣଙ୍କ ଦୃଷ୍ଟିପାତ ମାତ୍ରେ ଯଦିଓ ସେ ପବିତ୍ର ହୋଇ ଯାଇଥିବେ, ତଥାପି ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, ଶୀଘ୍ର କ୍ଷୟ ହେଉ ନ ଥିବା ସେହି ଦୁସ୍ତର ଦୋଷରୁ ଆପଣ ମୋର ପିତାଙ୍କୁ ଶୁଦ୍ଧ କରନ୍ତୁ |

ଶ୍ରୀଭଗବାନୁବାଚ

ତ୍ରିଃସପ୍ତଭିଃ ପିତା ପୂତଃ ପିତୃଭିଃ ସହ ତେଽନଘ ।

ଯତ୍ସାଧୋଽସ୍ୟ ଗୃହେ ଜାତୋ ଭବାନ୍ ବୈ କୁଲପାବନଃ ॥ ୧୮॥

ଶ୍ରୀ ନୃସିଂହଭଗବାନ କହିଲେ – ନିଷ୍ପାପ ପ୍ରହ୍ଲାଦ ! ତୁମର ପିତା ତ ସ୍ବୟଂ ପବିତ୍ର ହୋଇ ତରି ଯାଇଛନ୍ତି, ତାଛଡା ତାଙ୍କର ଯଦି ଏକୋଇଶ ପିଢି ପିତୃପୁରୁଷ ଥାଆନ୍ତେ, ତେବେ ତୁମ ପରି କୁଳକୁ ଉଦ୍ଧାର କରୁଥିବା ପୁତ୍ର ପ୍ରାପ୍ତ କରି ସେମାନେ ମଧ୍ୟ ତାଙ୍କ ସହିତ ତରି ଯାଇଥାଆନ୍ତେ |

ଯତ୍ର ଯତ୍ର ଚ ମଦ୍ଭକ୍ତାଃ ପ୍ରଶାନ୍ତାଃ ସମଦର୍ଶିନଃ ।

ସାଧବଃ ସମୁଦାଚାରାସ୍ତେ ପୂୟନ୍ତ୍ୟପି କୀକଟାଃ ॥ ୧୯॥

ମୋର ଶାନ୍ତ, ସମଦର୍ଶୀ, ସୁଖପୂର୍ବକ ସଦାଚାର ପାଳନ କରୁଥିବା ପ୍ରେମୀ ଭକ୍ତଜନ ଯେଉଁଠାରେ ନିବାସ କରନ୍ତି, ସେହି ସ୍ଥାନ କୀକଟ ଦେଶ ହୋଇଥାଉ ନା କାହିଁକି, ତାହା ପବିତ୍ର ହୋଇଯାଏ |

ସର୍ୱାତ୍ମନା ନ ହିଂସନ୍ତି ଭୂତଗ୍ରାମେଷୁ କିଞ୍ଚନ ।

ଉଚ୍ଚାବଚେଷୁ ଦୈତ୍ୟେନ୍ଦ୍ର ମଦ୍ଭାବେନ ଗତସ୍ପୃହାଃ ॥ ୨୦॥

ଦୈତ୍ୟରାଜ ! ମୋର ଭକ୍ତିଭାବରେ ଯାହାର କାମନା ନଷ୍ଟ ହୋଇ ଯାଇଥାଏ, ସେ ସର୍ବତ୍ର ଆତ୍ମଭାବ ରଖିଥିବା କାରଣରୁ ଛୋଟ-ବଡ କୌଣସି ପ୍ରାଣୀକୁ କୌଣସି ପ୍ରକାରର କଷ୍ଟ ଦିଅନ୍ତି ନାହିଁ |

ଭବନ୍ତି ପୁରୁଷା ଲୋକେ ମଦ୍ଭକ୍ତାସ୍ତ୍ୱାମନୁବ୍ରତାଃ ।

ଭବାନ୍ ମେ ଖଲୁ ଭକ୍ତାନାଂ ସର୍ୱେଷାଂ ପ୍ରତିରୂପଧୃକ୍ ॥ ୨୧॥

ସଂସାରରେ ଯେଉଁମାନେ ତୁମର ଅନୁଯାୟୀ ହେବେ, ସେମାନେ ମଧ୍ୟ ମୋର ଭକ୍ତ ହୋଇଯିବେ | ପୁତ୍ର ! ତୁମେ ମୋର ସବୁ ଭକ୍ତଙ୍କର ଆଦର୍ଶ ଅଟ |

କୁରୁ ତ୍ୱଂ ପ୍ରେତକୃତ୍ୟାନି ପିତୁଃ ପୂତସ୍ୟ ସର୍ୱଶଃ ।

ମଦଙ୍ଗସ୍ପର୍ଶନେନାଙ୍ଗ ଲୋକାନ୍ ଯାସ୍ୟତି ସୁପ୍ରଜାଃ ॥ ୨୨॥

ମୋର ଅଙ୍ଗସ୍ପର୍ଶ ଲାଭ କରି ଯଦିଓ ତୁମର ପିତା ପୂର୍ଣ୍ଣତୟା ପବିତ୍ର ହୋଇ ଯାଇଛନ୍ତି, ତଥାପି ତୁମେ ତାଙ୍କର ଅନ୍ତ୍ୟେଷ୍ଟି-କ୍ରିୟା କର | ତୁମ ପରି ସନ୍ତାନ ପ୍ରାପ୍ତ କରି ତାଙ୍କୁ ଉତ୍ତମ ଲୋକ ପ୍ରାପ୍ତ ହେବ |

ପିତ୍ର୍ୟଂ ଚ ସ୍ଥାନମାତିଷ୍ଠ ଯଥୋକ୍ତଂ ବ୍ରହ୍ମବାଦିଭିଃ ।

ମୟ୍ୟାବେଶ୍ୟ ମନସ୍ତାତ କୁରୁ କର୍ମାଣି ମତ୍ପରଃ ॥ ୨୩॥

ବତ୍ସ ! ତୁମେ ନିଜ ପିତାଙ୍କର ପଦବୀରେ ସ୍ଥିତ ହୁଅ ଏବଂ ବେଦବାଦୀ ମୁନିମାନଙ୍କର ଆଜ୍ଞା ଅନୁସାରେ ମୋଠାରେ ମନ ଲଗାଇ ଏବଂ ମୋ ଶରଣରେ ରହି ସେବା ଭାବରେ ସମସ୍ତ କାର୍ଯ୍ୟ କର |

ନାରଦ ଉବାଚ

ପ୍ରହ୍ଲାଦୋଽପି ତଥା ଚକ୍ରେ ପିତୁର୍ୟତ୍ସାମ୍ପରାୟିକମ୍ ।

ଯଥାଽଽହ ଭଗବାନ୍ ରାଜନ୍ନଭିଷିକ୍ତୋ ଦ୍ୱିଜୋତ୍ତମୈଃ ॥ ୨୪॥

ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଭଗବାନଙ୍କର ଆଜ୍ଞା ଅନୁସାରେ ପ୍ରହ୍ଲାଦ ନିଜ ପିତାଙ୍କର ଅନ୍ତ୍ୟେଷ୍ଟି-କିୟା ସମ୍ପାଦନ କଲେ | ତାପରେ ଶ୍ରେଷ୍ଠ ବ୍ରାହ୍ମଣମାନେ ତାଙ୍କର ରାଜ୍ୟାଭିଷେକ କଲେ |

ପ୍ରସାଦସୁମୁଖଂ ଦୃଷ୍ଟ୍ୱା ବ୍ରହ୍ମା ନରହରିଂ ହରିମ୍ ।

ସ୍ତୁତ୍ୱା ବାଗ୍ଭିଃ ପବିତ୍ରାଭିଃ ପ୍ରାହ ଦେବାଦିଭିର୍ୱୃତଃ ॥ ୨୫॥

ଇତ୍ୟବସରରେ, ନୃସିଂହଭଗବାନଙ୍କର ପ୍ରସନ୍ନ ବଦନ ଦେଖି, ଦେବତା, ଋଷି ଆଦିଙ୍କ ସହିତ ବ୍ରହ୍ମାଜୀ ଭଗବାନଙ୍କର ସ୍ତୁତି କରିବା ସହିତ ତାଙ୍କୁ ଏହା କହିଲେ -

ବ୍ରହ୍ମୋବାଚ

ଦେବଦେବାଖିଲାଧ୍ୟକ୍ଷ ଭୂତଭାବନ ପୂର୍ୱଜ ।

ଦିଷ୍ଟ୍ୟା ତେ ନିହତଃ ପାପୋ ଲୋକସନ୍ତାପନୋଽସୁରଃ ॥ ୨୬॥

ବ୍ରହ୍ମାଜୀ କହିଲେ – ଦେବତାମାନଙ୍କର ଆରାଧ୍ୟଦେବ ପ୍ରଭୁ ! ଆପଣ ସର୍ବାନ୍ତର୍ୟାମୀ, ଜୀବର ଜୀବନଦାତା ଏବଂ ମୋର ମଧ୍ୟ ପିତା ଅଟନ୍ତି | ଏହି ଦୈତ୍ୟ ଯେପରି ଭାବରେ ଲୋକଙ୍କୁ ଯାତନା ଦେଉଥିଲା, ଆପଣ ତାକୁ ମାରିଦେଲେ – ଏହା ଅତ୍ୟନ୍ତ ସୌଭାଗ୍ୟର ବିଷୟ ଅଟେ |

ଯୋଽସୌ ଲବ୍ଧବରୋ ମତ୍ତୋ ନ ବଧ୍ୟୋ ମମ ସୃଷ୍ଟିଭିଃ ।

ତପୋୟୋଗବଲୋନ୍ନଦ୍ଧଃ ସମସ୍ତନିଗମାନହନ୍ ॥ ୨୭॥

ମୁଁ ଏହାକୁ ବର ଦେଇଥିଲି ଯେ ମୋ ସୃଷ୍ଟିର କୌଣସି ବି ପ୍ରାଣୀ ତୁମର ବଧ କରିପାରିବ ନାହିଁ | ସେଥିରେ ସେ ଉନ୍ମତ୍ତ ହୋଇ ଯାଇଥିଲା | ନିଜ ତପସ୍ୟା, ଯୋଗ ଏବଂ ଶାରୀରିକ ବଳରେ ଉଚ୍ଛୃଂଖଳ ହୋଇ ସେ ବେଦବିଧିର ଉଚ୍ଛେଦ କରି ଦେଇଥିଲା |

ଦିଷ୍ଟ୍ୟାସ୍ୟ ତନୟଃ ସାଧୁର୍ମହାଭାଗବତୋଽର୍ଭକଃ ।

ତ୍ୱୟା ବିମୋଚିତୋ ମୃତ୍ୟୋର୍ଦିଷ୍ଟ୍ୟା ତ୍ୱାଂ ସମିତୋଽଧୁନା ॥ ୨୮॥

ଏହା ମଧ୍ୟ ଅତିଶୟ ସୌଭାଗ୍ୟର ବିଷୟ ଯେ ଆପଣ ଏହାର ପୁତ୍ର ପରମଭାଗବତ ଶୁଦ୍ଧହୃଦୟ ଅବୋଧ ଶିଶୁ ପ୍ରହ୍ଲାଦକୁ ମୃତ୍ୟୁ ମୁଖରୁ ରକ୍ଷା କଲେ ତଥା ଏହା ମଧ୍ୟ ଅତି ଆନନ୍ଦ ଏବଂ ମଙ୍ଗଳର କଥା ଯେ ସେ ଏବେ ଆପଣଙ୍କ ଶରଣରେ ରହିଛି |

ଏତଦ୍ୱପୁସ୍ତେ ଭଗବନ୍ ଧ୍ୟାୟତଃ ପ୍ରୟତାତ୍ମନଃ ।

ସର୍ୱତୋ ଗୋପ୍ତୃ ସନ୍ତ୍ରାସାନ୍ମୃତ୍ୟୋରପି ଜିଘାଂସତଃ ॥ ୨୯॥

ଭଗବନ୍ ! ଆପଣଙ୍କର ଏହି ନୃସିଂହ ରୂପର ଧ୍ୟାନ ଯିଏ ବି ଏକାଗ୍ର ମନରେ କରିବ, ତାହା ତାକୁ ସବୁ ପ୍ରକାରର ଭୟରୁ ରକ୍ଷା କରିବ | ଏପରି କି ଘାତ କରିବାକୁ ଆସୁଥିବା ମୃତ୍ୟୁ ମଧ୍ୟ ତାର କିଛି ବିଗାଡି ପାରିବ ନାହିଁ |

ନୃସିଂହ ଉବାଚ

ମୈବଂ ବରୋଽସୁରାଣାଂ ତେ ପ୍ରଦେୟଃ ପଦ୍ମସମ୍ଭବ ।

ବରଃ କ୍ରୂରନିସର୍ଗାଣାମହୀନାମମୃତଂ ଯଥା ॥ ୩୦॥

ଶ୍ରୀ ନୃସିଂହଭଗବାନ କହିଲେ – ବ୍ରହ୍ମାଜୀ ! ଆପଣ ଦୈତ୍ୟମାନଙ୍କୁ ଏପରି ବର ଆଉ କେବେ ଦିଅନ୍ତୁ ନାହିଁ | ଯେଉଁମାନେ ସ୍ବଭାବତଃ କ୍ରୂର ଅଟନ୍ତି, ସେମାନଙ୍କୁ ବର ଦେବା ସର୍ପକୁ ଦୁଗ୍ଧପାନ କରାଇବା ସଦୃଶ ଅଟେ |

ନାରଦ ଉବାଚ

ଇତ୍ୟୁକ୍ତ୍ୱା ଭଗବାନ୍ ରାଜଂସ୍ତତ୍ରୈବାନ୍ତର୍ଦଧେ ହରିଃ ।

ଅଦୃଶ୍ୟଃ ସର୍ୱଭୂତାନାଂ ପୂଜିତଃ ପରମେଷ୍ଠିନା ॥ ୩୧॥

ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଏତିକି କହି ଏବଂ ବ୍ରହ୍ମାଙ୍କର ପୂଜା ସ୍ବୀକାର କରି ସେହିଠାରେ ହିଁ ନୃସିଂହଭଗବାନ ଅନ୍ତର୍ଧ୍ୟାନ ହୋଇଗଲେ – ପ୍ରାଣୀସମୁଦାୟ ନିମନ୍ତେ ଅଦୃଶ୍ୟ ହୋଇଗଲେ |

ତତଃ ସମ୍ପୂଜ୍ୟ ଶିରସା ବବନ୍ଦେ ପରମେଷ୍ଠିନମ୍ ।

ଭବଂ ପ୍ରଜାପତୀନ୍ ଦେବାନ୍ ପ୍ରହ୍ଲାଦୋ ଭଗବତ୍କଲାଃ ॥ ୩୨॥

ଏହାପରେ ପ୍ରହ୍ଲାଦ ଭଗବତ୍-ସ୍ବରୂପ ବ୍ରହ୍ମା-ଶଂକର ତଥା ପ୍ରଜାପତି ଏବଂ ଦେବତାମାନଙ୍କର ଯଥାଯୋଗ୍ୟ ପୂଜା କରି ମସ୍ତକ ଅବନତ କରି ସେମାନଙ୍କୁ ପ୍ରଣାମ କଲେ |

ତତଃ କାବ୍ୟାଦିଭିଃ ସାର୍ଧଂ ମୁନିଭିଃ କମଲାସନଃ ।

ଦୈତ୍ୟାନାଂ ଦାନବାନାଂ ଚ ପ୍ରହ୍ଲାଦମକରୋତ୍ପତିମ୍ ॥ ୩୩॥

ତାପରେ ଶୁକ୍ରାଚାର୍ଯ୍ୟ ଆଦି ମୁନିମାନଙ୍କ ସହିତ ବ୍ରହ୍ମାଜୀ ପ୍ରହ୍ଲାଦଙ୍କୁ ସମସ୍ତ ଦାନବ ଓ ଦୈତ୍ୟମାନଙ୍କର ଅଧିପତି ରୂପେ ନିଯୁକ୍ତ କଲେ |

ପ୍ରତିନନ୍ଦ୍ୟ ତତୋ ଦେବାଃ ପ୍ରୟୁଜ୍ୟ ପରମାଶିଷଃ ।

ସ୍ୱଧାମାନି ଯୟୂ ରାଜନ୍ ବ୍ରହ୍ମାଦ୍ୟାଃ ପ୍ରତିପୂଜିତାଃ ॥ ୩୪॥

ବ୍ରହ୍ମା ଆଦି ଦେବତାମାନେ ପ୍ରହ୍ଲାଦଙ୍କର ଅଭିନନ୍ଦନ କଲେ ଏବଂ ତାଙ୍କୁ ଶୁଭାଶୀର୍ବାଦ ଦେଲେ | ପ୍ରହ୍ଲାଦ ମଧ୍ୟ ସମସ୍ତଙ୍କର ଯଥାଯୋଗ୍ୟ ସତ୍କାର କଲେ ଏବଂ ସେମାନେ ନିଜ-ନିଜ ଲୋକକୁ ପ୍ରସ୍ଥାନ କଲେ |

ଏବଂ ତୌ ପାର୍ଷଦୌ ବିଷ୍ଣୋଃ ପୁତ୍ରତ୍ୱଂ ପ୍ରାପିତୌ ଦିତେଃ ।

ହୃଦି ସ୍ଥିତେନ ହରିଣା ବୈରଭାବେନ ତୌ ହତୌ ॥ ୩୫॥

ଯୁଧିଷ୍ଠିର ! ଏହିପରି ଭାବରେ ଭଗବାନଙ୍କର ଦୁଇ ପାର୍ଷଦ ଜୟ ଏବଂ ବିଜୟ ଦିତିଙ୍କର ଦୁଇ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ | ସେମାନେ ଭଗବାନଙ୍କ ପ୍ରତି ବୈରଭାବ ରଖିଥିଲେ | ସେମାନଙ୍କର ହୃଦୟରେ ସ୍ଥିତ ଭଗବାନ ସେମାନଙ୍କର ଉଦ୍ଧାର ନିମନ୍ତେ ହିଁ ସେମାନଙ୍କୁ ମାରି ଥିଲେ |

ପୁନଶ୍ଚ ବିପ୍ରଶାପେନ ରାକ୍ଷସୌ ତୌ ବଭୂବତୁଃ ।

କୁମ୍ଭକର୍ଣଦଶଗ୍ରୀବୌ ହତୌ ତୌ ରାମବିକ୍ରମୈଃ ॥ ୩୬॥

ଋଷିମାନଙ୍କ ଦ୍ବାରା ଶାପଗ୍ରସ୍ତ ହୋଇଥିବା କାରଣରୁ ସେମାନଙ୍କର ମୁକ୍ତି ହେଲା ନାହିଁ; ପୁନର୍ବାର ସେ ଦୁହେଁ ରାବଣ ଓ କୁମ୍ଭକର୍ଣ୍ଣ ରୂପରେ ରାକ୍ଷସ ଯୋନିରେ ଜନ୍ମ ଗ୍ରହଣ କଲେ | ସେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ପରାକ୍ରମରେ ସେମାନଙ୍କର ଅନ୍ତ ହେଲା |

ଶୟାନୌ ଯୁଧି ନିର୍ଭିନ୍ନହୃଦୟୌ ରାମସାୟକୈଃ ।

ତଚ୍ଚିତ୍ତୌ ଜହତୁର୍ଦେହଂ ଯଥା ପ୍ରାକ୍ତନଜନ୍ମନି ॥ ୩୭॥

ଯୁଦ୍ଧରେ ଭଗବାନ ରାମଙ୍କର ବାଣ ଦ୍ବାରା ତାଙ୍କର ହୃଦୟ ଫାଟିଗଲା | ପୂର୍ବ ଜନ୍ମ ପରି ସେହିଠାରେ ପଡି ଭଗବାନଙ୍କର ସ୍ମରଣ କରି-କରି ସେମାନେ ନିଜ ଶରୀର ତ୍ୟାଗ କଲେ |

ତାବିହାଥ ପୁନର୍ଜାତୌ ଶିଶୁପାଲକରୂଷଜୌ ।

ହରୌ ବୈରାନୁବନ୍ଧେନ ପଶ୍ୟତସ୍ତେ ସମୀୟତୁଃ ॥ ୩୮॥

ସେମାନେ ହିଁ ଏବେ ଏହି ଯୁଗରେ ଶିଶୁପାଳ ଓ ଦନ୍ତବକ୍ତ୍ର ରୂପରେ ଜନ୍ମ ଗ୍ରହଣ କରିଥିଲେ | ଭଗବାନଙ୍କ ପ୍ରତି ବୈରଭାବ ରଖିଥିବା କାରଣରୁ ତୁମ ସମ୍ମୁଖରେ ସେମାନେ ଭଗବାନଙ୍କ ମଧ୍ୟରେ ଲୀନ ହୋଇଗଲେ |

ଏନଃ ପୂର୍ୱକୃତଂ ଯତ୍ତଦ୍ରାଜାନଃ କୃଷ୍ଣବୈରିଣଃ ।

ଜହୁସ୍ତ୍ୱନ୍ତେ ତଦାତ୍ମାନଃ କୀଟଃ ପେଶସ୍କୃତୋ ଯଥା ॥ ୩୯॥

ଯୁଧିଷ୍ଠିର ! ଭୃଙ୍ଗୀ କରଗତ ହୋଇଥିବା କୀଟ ଭୟରେ ଭୃଙ୍ଗୀର ସ୍ମରଣ କରି କରି ତାର ରୂପ ପ୍ରାପ୍ତ କରିନେବା ପରି ଶ୍ରୀକୃଷ୍ଣଙ୍କ ପ୍ରତି ଶତ୍ରୁତା କରୁଥିବା ସବୁ ରାଜା ଅନ୍ତସମୟରେ ତାଙ୍କର ସ୍ମରଣ କରି କରି ତଦ୍ରୂପ ହୋଇ ନିଜ ପୂର୍ବକୃତ ପାପରୁ ସବୁ ଦିନ ପାଇଁ ମୁକ୍ତ ହୋଇଗଲେ |

ଯଥା ଯଥା ଭଗବତୋ ଭକ୍ତ୍ୟା ପରମୟାଭିଦା ।

ନୃପାଶ୍ଚୈଦ୍ୟାଦୟଃ ସାତ୍ମ୍ୟଂ ହରେସ୍ତଚ୍ଚିନ୍ତୟା ଯୟୁଃ ॥ ୪୦॥

ଭଗବାନଙ୍କର ପ୍ରିୟ ଭକ୍ତମାନେ ନିଜର ଭେଦ-ଭାବରହିତ ଅନନ୍ୟ ଭକ୍ତି ଦ୍ବାରା ଭଗବତ୍-ସ୍ବରୂପ ହୋଇଯିବା ପରି ଶିଶୁପାଳ ଆଦି ନରପତିମାନେ ଭଗବାନଙ୍କର ବୈରଭାବଜନିତ ଅନନ୍ୟ ଚିନ୍ତନ ଦ୍ବାରା ଭଗବାନଙ୍କର ସ୍ବରୂପକୁ ପ୍ରାପ୍ତ ହୋଇଗଲେ |

ଆଖ୍ୟାତଂ ସର୍ୱମେତତ୍ତେ ଯନ୍ମାଂ ତ୍ୱଂ ପରିପୃଷ୍ଟବାନ୍ ।

ଦମଘୋଷସୁତାଦୀନାଂ ହରେଃ ସାତ୍ମ୍ୟମପି ଦ୍ୱିଷାମ୍ ॥ ୪୧॥

ଯୁଧିଷ୍ଠିର ! ତୁମେ ମୋତେ ଏହା ପଚାରି ଥିଲ ଯେ ଭଗବାନଙ୍କ ପ୍ରତି ଦ୍ବେଷଭାବ ରଖିଥିବା ଶିଶୁପାଳ ଆଦିଙ୍କୁ ତାଙ୍କ ସାରୂପ୍ୟର ପ୍ରାପ୍ତି କିପରି ହେଲା, ତାହାର ଉତ୍ତର ମୁଁ ତୁମକୁ ଡେଲି |

ଏଷା ବ୍ରହ୍ମଣ୍ୟଦେବସ୍ୟ କୃଷ୍ଣସ୍ୟ ଚ ମହାତ୍ମନଃ ।

ଅବତାରକଥା ପୁଣ୍ୟା ବଧୋ ଯତ୍ରାଦିଦୈତ୍ୟଯୋଃ ॥ ୪୨॥

ବ୍ରହ୍ମଣ୍ୟଦେବ ପରମାତ୍ମା ଶ୍ରୀକୃଷ୍ଣଙ୍କର ଏହା ପରମ ପବିତ୍ର ଅବତାର-ଚରିତ୍ର ଅଟେ | ଏଥିରେ ହିରଣାକ୍ଷ ଏବଂ ହିରଣ୍ୟକଶିପୁ ଏହି ଦୁଇ ଦୈତ୍ୟଙ୍କର ବଧର ବର୍ଣ୍ଣନା କରାଯାଇଛି |

ପ୍ରହ୍ଲାଦସ୍ୟାନୁଚରିତଂ ମହାଭାଗବତସ୍ୟ ଚ ।

ଭକ୍ତିର୍ଜ୍ଞାନଂ ବିରକ୍ତିଶ୍ଚ ଯାଥାତ୍ମ୍ୟଂ ଚାସ୍ୟ ବୈ ହରେଃ ॥ ୪୩॥

ସର୍ଗସ୍ଥିତ୍ୟପ୍ୟଯେଶସ୍ୟ ଗୁଣକର୍ମାନୁବର୍ଣନମ୍ ।

ପରାବରେଷାଂ ସ୍ଥାନାନାଂ କାଲେନ ବ୍ୟତ୍ୟଯୋ ମହାନ୍ ॥ ୪୪॥

ଏହି ପ୍ରସଙ୍ଗରେ ଭଗବାନଙ୍କର ପରମ ଭକ୍ତ ପ୍ରହ୍ଲାଦଙ୍କର ଚରିତ୍ର, ଭକ୍ତି, ଜ୍ଞାନ, ବୈରାଗ୍ୟ ଏବଂ ସଂସାରର ସୃଷ୍ଟି, ସ୍ଥିତି, ପ୍ରଳୟର ସ୍ବାମୀ ଶ୍ରୀହରିଙ୍କର ଯଥାର୍ଥ ସ୍ବରୂପ ତଥା ତାଙ୍କର ଦିବ୍ୟ ଗୁଣ ଏବଂ ଲୀଳାମାନଙ୍କର ବର୍ଣ୍ଣନା କରାଯାଇଛି | ଏହି ଆଖ୍ୟାନରେ ଦେବତା ଓ ଦୈତ୍ୟମାନଙ୍କର ପଦବୀରେ କାଳକ୍ରମେ ଯେଉଁ ମହାନ୍ ପରିବର୍ତ୍ତନ ଆସିଛି, ତାହାର ମଧ୍ୟ ନିରୂପଣ କରାଯାଇଛି |

ଧର୍ମୋ ଭାଗବତାନାଂ ଚ ଭଗବାନ୍ ଯେନ ଗମ୍ୟତେ ।

ଆଖ୍ୟାନେଽସ୍ମିନ୍ ସମାମ୍ନାତମାଧ୍ୟାତ୍ମିକମଶେଷତଃ ॥ ୪୫॥

ଯାହା ଦ୍ବାରା ଭଗବାନଙ୍କର ପ୍ରାପ୍ତି ହୋଇଥାଏ, ସେହି ଭାଗବତଧର୍ମର ବର୍ଣ୍ଣନା ମଧ୍ୟ ଏଥିରେ କରାଯାଇଛି | ତାଛଡା, ଅଧ୍ୟାତ୍ମ ସମ୍ବନ୍ଧୀୟ ସମସ୍ତ ଜ୍ଞାତବ୍ୟ ବିଷୟ ଏଥିରେ ରହିଛି |

ଯ ଏତତ୍ପୁଣ୍ୟମାଖ୍ୟାନଂ ବିଷ୍ଣୋର୍ୱୀର୍ୟୋପବୃଂହିତମ୍ ।

କୀର୍ତୟେଚ୍ଛ୍ରଦ୍ଧୟା ଶ୍ରୁତ୍ୱା କର୍ମପାଶୈର୍ୱିମୁଚ୍ୟତେ ॥ ୪୬॥

ଭଗବାନଙ୍କ ପରାକ୍ରମରେ ପୂର୍ଣ୍ଣ ଏହି ପବିତ୍ର ଆଖ୍ୟାନ ଯେଉଁ ପୁରୁଷ ଶ୍ରଦ୍ଧାର ସହିତ କୀର୍ତ୍ତନ କରନ୍ତି ଏବଂ ଶ୍ରବଣ କରନ୍ତି, ସେ କର୍ମବନ୍ଧନରୁ ମୁକ୍ତ ହୋଇଯାଆନ୍ତି |

ଏତଦ୍ୟ ଆଦିପୁରୁଷସ୍ୟ ମୃଗେନ୍ଦ୍ରଲୀଲାଂ

ଦୈତ୍ୟେନ୍ଦ୍ରୟୂଥପବଧଂ ପ୍ରୟତଃ ପଠେତ ।

ଦୈତ୍ୟାତ୍ମଜସ୍ୟ ଚ ସତାଂ ପ୍ରବରସ୍ୟ ପୁଣ୍ୟଂ

ଶ୍ରୁତ୍ୱାନୁଭାବମକୁତୋଭୟମେତି ଲୋକମ୍ ॥ ୪୭॥

ଯେଉଁ ମନୁଷ୍ୟ ପରମ ପୁରୁଷ ପରମାତ୍ମାଙ୍କର ଏହି ନୃସିଂହ-ଲୀଳା, ସେନାପତିମାନଙ୍କ ସହିତ ହିରଣ୍ୟକଶିପୁର ବଧ ଏବଂ ସନ୍ଥଶିରୋମଣି ପ୍ରହ୍ଲାଦଙ୍କର ପାବନ ପ୍ରଭାବକୁ ଏକାଗ୍ର ଚିତ୍ତରେ ପଠନ ଏବଂ ଶ୍ରବଣ କରନ୍ତି, ସେ ଭଗବାନଙ୍କର ଅଭୟପଦ ବୈକୁଣ୍ଠକୁ ପ୍ରାପ୍ତ ହୁଅନ୍ତି |

ଯୂୟଂ ନୃଲୋକେ ବତ ଭୂରିଭାଗା

ଲୋକଂ ପୁନାନା ମୁନୟୋଽଭିୟନ୍ତି ।

ଯେଷାଂ ଗୃହାନାବସତୀତି ସାକ୍ଷା-

ଦ୍ଗୂଢଂ ପରଂ ବ୍ରହ୍ମ ମନୁଷ୍ୟଲିଙ୍ଗମ୍ ॥ ୪୮॥

ହେ ଯୁଧିଷ୍ଠିର ! ଏହି ମନୁଷ୍ୟଲୋକରେ ତୁମ୍ଭମାନଙ୍କର ଭାଗ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଅଟେ, କାରଣ ତୁମ ଗୃହରେ ସାକ୍ଷାତ୍ ପରବ୍ରହ୍ମ ପରମାତ୍ମା ମନୁଷ୍ୟ ରୂପ ଧାରଣ କରି ଗୁପ୍ତରୂପରେ ନିବାସ କରନ୍ତି | ସେଥିପାଇଁ ସାରା ସଂସାରକୁ ପବିତ୍ର କରୁଥିବା ଋଷି-ମୁନିମାନେ ବାରମ୍ବାର ତାଙ୍କର ଦର୍ଶନ ଅଭିଳାଷରେ ଚତୁର୍ଦ୍ଦିଗରୁ ତୁମ ପାଖକୁ ଆସିଥାଆନ୍ତି |

ସ ବା ଅୟଂ ବ୍ରହ୍ମ ମହଦ୍ୱିମୃଗ୍ୟ-

କୈବଲ୍ୟନିର୍ୱାଣସୁଖାନୁଭୂତିଃ ।

ପ୍ରିୟଃ ସୁହୃଦ୍ୱଃ ଖଲୁ ମାତୁଲେୟ

ଆତ୍ମାର୍ହଣୀୟୋ ବିଧିକୃଦ୍ଗୁରୁଶ୍ଚ ॥ ୪୯॥

ବଡ-ବଡ ମହାପୁରୁଷ ନିରନ୍ତର ଯାହାର ଅନ୍ବେଷଣ କରୁଥାଆନ୍ତି, ଯିଏ ମାୟାର ସ୍ପର୍ଶରୁ ରହିତ ପରମ ଶାନ୍ତ ପରମାନନ୍ଦ-ଅନୁଭବସ୍ବରୂପ ପରବ୍ରହ୍ମ ପରମାତ୍ମା ଅଟନ୍ତି – ସେ ହିଁ ତୁମର ପ୍ରିୟ, ହିତୈଷୀ, ମାତୁଳ-ପୁତ୍ର, ପୂଜ୍ୟ, ଆଜ୍ଞାକାରୀ, ଗୁରୁ ଏବଂ ସ୍ବୟଂ ଆତ୍ମା ଶ୍ରୀକୃଷ୍ଣ ଅଟନ୍ତି |

ନ ଯସ୍ୟ ସାକ୍ଷାଦ୍ଭବପଦ୍ମଜାଦିଭୀ

ରୂପଂ ଧିୟା ବସ୍ତୁତୟୋପବର୍ଣିତମ୍ ।

ମୌନେନ ଭକ୍ତ୍ୟୋପଶମେନ ପୂଜିତଃ

ପ୍ରସୀଦତାମେଷ ସ ସାତ୍ୱତାଂ ପତିଃ ॥ ୫୦॥

ଶଂକର, ବ୍ରହ୍ମା ଆଦି ମଧ୍ୟ ନିଜର ସମସ୍ତ ବୁଦ୍ଧି ଲଗାଇ ‘ସେ ଇଏ ଅଟନ୍ତି – ଏହି ରୂପରେ ତାଙ୍କର ବର୍ଣ୍ଣନ କରିପାରନ୍ତି ନାହିଁ; ସେଠାରେ ଆମେ ଅବା କିପରି କରିବୁ ? ଆମ୍ଭେମାନେ ତ ମୌନ, ଭକ୍ତି ଏବଂ ସଂଯମ ଦ୍ବାରା ତାଙ୍କର ପୂଜା କରିଥାଉ | ଭକ୍ତବତ୍ସଳ ଭଗବାନ କୃପା କରି ଆମର ଏହି ପୂଜା ସ୍ବୀକାର କରିବା ସହିତ ଆମ ଉପରେ ପ୍ରସନ୍ନ ହୁଅନ୍ତୁ |

ସ ଏଷ ଭଗବାନ୍ ରାଜନ୍ ବ୍ୟତନୋଦ୍ୱିହତଂ ଯଶଃ ।

ପୁରା ରୁଦ୍ରସ୍ୟ ଦେବସ୍ୟ ମୟେନାନନ୍ତମାୟିନା ॥ ୫୧॥

ଯୁଧିଷ୍ଠିର ! ଇଏ ହିଁ ଏକମାତ୍ର ଆରାଧ୍ୟଦେବ ଅଟନ୍ତି | ପ୍ରାଚୀନ କାଳରେ ବହୁତ ବଡ ମାୟାବୀ ମୟାସୁର ଯେତେବେଳେ ରୁଦ୍ରଦେବଙ୍କ କମନୀୟ କୀର୍ତ୍ତିରେ କଳଙ୍କ ଲଗାଇବାକୁ ପ୍ରୟାସ କରିଥିଲା, ସେତେବେଳେ ଏହି ଭଗବାନ ଶ୍ରୀକୃଷ୍ଣ ପୁନର୍ବାର ତାଙ୍କ ଯଶର ରକ୍ଷା ଏବଂ ବିସ୍ତାର କରିଥିଲେ |

ରାଜୋବାଚ

କସ୍ମିନ୍ କର୍ମଣି ଦେବସ୍ୟ ମୟୋଽହନ୍ ଜଗଦୀଶିତୁଃ ।

ଯଥା ଚୋପଚିତା କୀର୍ତିଃ କୃଷ୍ଣେନାନେନ କଥ୍ୟତାମ୍ ॥ ୫୨॥

ରାଜା ଯୁଧିଷ୍ଠିର ପଚାରିଲେ – ହେ ଦେବର୍ଷି ! କେଉଁ କାରଣରୁ ମୟଦାନବ ଜଗଦୀଶ୍ବର ରୁଦ୍ରଦେବଙ୍କର ଯଶ ନଷ୍ଟ କରିବାକୁ ଇଚ୍ଛା କରୁଥିଲା ଏବଂ ଭଗବାନ ଶ୍ରୀକୃଷ୍ଣ କିପରି ଭାବରେ ତାଙ୍କର ଯଶ ରକ୍ଷା କରିଥିଲେ – କୃପା କରି ଆପଣ ତାହାର ବ୍ୟାଖ୍ୟାନ କରନ୍ତୁ |

ନାରଦ ଉବାଚ

ନିର୍ଜିତା ଅସୁରା ଦେବୈର୍ୟୁଧ୍ୟନେନୋପବୃଂହିତୈଃ ।

ମାୟିନାଂ ପରମାଚାର୍ୟଂ ମୟଂ ଶରଣମାୟଯୁଃ ॥ ୫୩॥

ଦେବର୍ଷି ନାରଦ କହୁଛନ୍ତି – ଥରେ ଏହି ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ଶକ୍ତି ପ୍ରାପ୍ତ କରି ଦେବତାମାନେ ଅସୁରମାନଙ୍କୁ ପରାଜିତ କରି ଦେଇଥିଲେ | ସେହି ସମୟରେ ସମସ୍ତ ଅସୁରକୁଳ ମାୟାବୀମାନଙ୍କର ପରମ ଗୁରୁ ମୟଦାନବର ଶରଣ ଗ୍ରହଣ କଲେ |

ସ ନିର୍ମାୟ ପୁରସ୍ତିସ୍ରୋ ହୈମୀରୌପ୍ୟାୟସୀର୍ୱିଭୁଃ ।

ଦୁର୍ଲକ୍ଷ୍ୟାପାୟସଂୟୋଗା ଦୁର୍ୱିତର୍କ୍ୟପରିଚ୍ଛଦାଃ ॥ ୫୪॥

ଶକ୍ତିଶାଳୀ ମୟାସୁର ସୁନା, ରୂପା ଏବଂ ଲୁହାର ତିନୋଟି ବିମାନ ନିର୍ମାଣ କଲା | ସେହି ବିମାନ ସତେ ଯେପରି ତିନୋଟି ପୁର ଥିଲା; ସେଥିରେ ଅପରିମିତ ସାମଗ୍ରୀ ଭରି ରହିଥିଲା | ତାହା ଏପରି ବିଲକ୍ଷଣ ଥିଲା ଯେ ତାହାର ଗତି କାହାକୁ ଦୃଶ୍ୟ ହେଉ ନ ଥିଲା |

ତାଭିସ୍ତେଽସୁରସେନାନ୍ୟୋ ଲୋକାଂସ୍ତ୍ରୀନ୍ ସେଶ୍ୱରାନ୍ନୃପ ।

ସ୍ମରନ୍ତୋ ନାଶୟାଞ୍ଚକ୍ରୁଃ ପୂର୍ୱବୈରମଲକ୍ଷିତାଃ ॥ ୫୫॥

ଯୁଧିଷ୍ଠିର ! ଦୈତ୍ୟସେନାପତିମାନଙ୍କ ମନରେ ତ ତ୍ରିଲୋକ ଏବଂ ତାହାର ଲୋକପତିମାନଙ୍କ ପ୍ରତି ବୈରଭାବ ରହିଥିଲା; ଏବେ ସେହି ମନୋଭାବ ନେଇ ସେମାନେ ସେହି ତିନୋଟି ବିମାନରେ ଲୁଚି ରହି ଶତ୍ରୁର ବିନାଶ କରିବାରେ ଲାଗିଲେ |

ତତସ୍ତେ ସେଶ୍ୱରା ଲୋକା ଉପାସାଦ୍ୟେଶ୍ୱରଂ ବିଭୋ ।

ତ୍ରାହି ନସ୍ତାବକାନ୍ ଦେବ ବିନଷ୍ଟାଂସ୍ତ୍ରିପୁରାଲୟୈଃ ॥ ୫୬॥

ସେଥିରେ ତ୍ରସ୍ତ ହୋଇ ଲୋକପାଳମାନଙ୍କ ସହିତ ସବୁ ପ୍ରଜା ଭଗବାନ ଶଂକରଙ୍କର ଶରଣକୁ ଗଲେ ଏବଂ ତାଙ୍କୁ ପ୍ରାର୍ଥନା କରି କହିଲେ – ପ୍ରଭୁ ! ତ୍ରିପୁରରେ ରହୁଥିବା ଅସୁରମାନେ ଆମର ସର୍ବନାଶ କରିବାରେ ଲାଗିଛନ୍ତି | ଦେବାଧିଦେବ ! ଆମେ ଆପଣଙ୍କର ଅଟୁ; ତେଣୁ ଆପଣ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ |

ଅଥାନୁଗୃହ୍ୟ ଭଗବାନ୍ମା ଭୈଷ୍ଟେତି ସୁରାନ୍ ବିଭୁଃ ।

ଶରଂ ଧନୁଷି ସନ୍ଧାୟ ପୁରେଷ୍ୱସ୍ତ୍ରଂ ବ୍ୟମୁଞ୍ଚତ ॥ ୫୭॥

ସେମାନଙ୍କର ପ୍ରାର୍ଥନା ଶୁଣି ଭଗବାନ ଶଂକର କୃପାପୂର୍ଣ୍ଣ ଶବ୍ଦରେ କହିଲେ – ‘ଡର ନାହିଁ’ | ତାପରେ ସେ ନିଜ ଧନୁରେ ବାଣ ଚଢାଇ ମୟଦାନବର ତିନି ପୁର ଉଦ୍ଦେଶ୍ୟରେ ନିକ୍ଷେପ କଲେ |

ତତୋଽଗ୍ନିବର୍ଣା ଇଷବ ଉତ୍ପେତୁଃ ସୂର୍ୟମଣ୍ଡଲାତ୍ ।

ଯଥା ମୟୂଖସନ୍ଦୋହା ନାଦୃଶ୍ୟନ୍ତ ପୁରୋ ଯତଃ ॥ ୫୮॥

ସୂର୍ଯ୍ୟମଣ୍ଡଳରୁ ବାହାରୁ ଥିବା କିରଣ ପରି ତାଙ୍କର ସେହି ବାଣରୁ ଅନ୍ୟ ଅନେକ ବାଣ ବାହାରି ଚତୁର୍ଦ୍ଦିଗକୁ ଅଗ୍ନିମୟ କରିଦେଲେ | ଅଗ୍ନିର ଲେଲୀହାନ ଶିଖା ସମସ୍ତଙ୍କର ଦୃଷ୍ଟି ଅବରୋଧ କରିଦେଲା |

ତୈଃ ସ୍ପୃଷ୍ଟା ବ୍ୟସବଃ ସର୍ୱେ ନିପେତୁଃ ସ୍ମ ପୁରୌକସଃ ।

ତାନାନୀୟ ମହାୟୋଗୀ ମୟଃ କୂପରସେଽକ୍ଷିପତ୍ ॥ ୫୯॥

ତାହାର ସ୍ପର୍ଶରେ ସବୁ ବିମାନବାସୀ ନିଷ୍ପ୍ରାଣ ହୋଇ ଟଳି ପଡିଲେ | ମହାମାୟାବୀ ମୟକୁ ବହୁତ ଉପାୟ ଜଣାଥିଲା | ସେ ସେହି ଦୈତ୍ୟମାନଙ୍କୁ ଉଠାଇ ଆଣି ନିଜ ନିର୍ମିତ ଅମୃତ-କୂପରେ ପକାଇ ଦେଲା |

ସିଦ୍ଧାମୃତରସସ୍ପୃଷ୍ଟା ବଜ୍ରସାରା ମହୌଜସଃ ।

ଉତ୍ତସ୍ଥୁର୍ମେଘଦଲନା ବୈଦ୍ୟୁତା ଇବ ବହ୍ନୟଃ ॥ ୬୦॥

ସେହି ସିଦ୍ଧ ଅମୃତ-ରସର ସ୍ପର୍ଶ ଲାଭ କରି ଅସୁରମାନଙ୍କର ଶରୀର ଅତ୍ୟନ୍ତ ତେଜସ୍ବୀ ଏବଂ ବଜ୍ର ପରି ସୁଦୃଢ ହୋଇଗଲା | ସେମାନେ ବାଦଲକୁ ବିଦୀର୍ଣ୍ଣ କରି ଜଳି ଉଠୁଥିବା ବିଦ୍ୟୁତର ଅଗ୍ନି ସଦୃଶ ଉଠି ଠିଆ ହୋଇଗଲେ |

ବିଲୋକ୍ୟ ଭଗ୍ନସଙ୍କଲ୍ପଂ ବିମନସ୍କଂ ବୃଷଧ୍ୱଜମ୍ ।

ତଦାୟଂ ଭଗବାନ୍ ବିଷ୍ଣୁସ୍ତତ୍ରୋପାୟମକଲ୍ପୟତ୍ ॥ ୬୧॥

ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଦେଖିଲେ ନିଜର ସଂକଳ୍ପ ପୂର୍ଣ୍ଣ କରିପାରି ନ ଥିବା ଯୋଗୁଁ ମହାଦେବ ଉଦାସ ହୋଇ ଯାଇଛନ୍ତି, ସେତେବେଳେ ଅସୁରମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବା ନିମନ୍ତେ ସେ ଏକ ଯୋଜନା କଲେ |

ବତ୍ସ ଆସୀତ୍ତଦା ବ୍ରହ୍ମା ସ୍ୱୟଂ ବିଷ୍ଣୁରୟଂ ହି ଗୌଃ ।

ପ୍ରବିଶ୍ୟ ତ୍ରିପୁରଂ କାଲେ ରସକୂପାମୃତଂ ପପୌ ॥ ୬୨॥

ଭଗବାନ ବିଷ୍ଣୁ ଗୋ-ରୂପ ଧାରଣ କଲେ ଏବଂ ବ୍ରହ୍ମାଜୀ ତାଙ୍କର ବାଛୁରୀ ହେଲେ | ମଧ୍ୟାହ୍ନ କାଳରେ ସେ ଦୁହେଁ ତ୍ରିପୁରକୁ ଯାଇ ସିଦ୍ଧରସ କୂପର ସମସ୍ତ ଅମୃତ ପାନ କରିନେଲେ |

ତେଽସୁରା ହ୍ୟପି ପଶ୍ୟନ୍ତୋ ନ ନ୍ୟଷେଧନ୍ ବିମୋହିତାଃ ।

ତଦ୍ୱିଜ୍ଞାୟ ମହାୟୋଗୀ ରସପାଲାନିଦଂ ଜଗୌ ॥ ୬୩॥

ସ୍ୱୟଂ ବିଶୋକଃ ଶୋକାର୍ତାନ୍ ସ୍ମରନ୍ ଦୈବଗତିଂ ଚ ତାମ୍ ।

ଦେବୋଽସୁରୋ ନରୋଽନ୍ୟୋ ବା ନେଶ୍ୱରୋଽସ୍ତୀହ କଶ୍ଚନ ॥ ୬୪॥

ଆତ୍ମନୋଽନ୍ୟସ୍ୟ ବା ଦିଷ୍ଟଂ ଦୈବେନାପୋହିତୁଂ ଦ୍ୱୟୋଃ ।

ଅଥାସୌ ଶକ୍ତିଭିଃ ସ୍ୱାଭିଃ ଶମ୍ଭୋଃ ପ୍ରାଧନିକଂ ବ୍ୟଧାତ୍ ॥ ୬୫॥

ସେହି କୂପରକ୍ଷକ ଦୈତ୍ୟମାନେ ଯଦିଓ ସେ ଦୁହିଁଙ୍କୁ ଦେଖି ପାରୁ ଥିଲେ, ତଥାପି ଭଗବାନଙ୍କ ମାୟାରେ ସେମାନେ ଏତେ ବେଶୀ ମୋହିତ ହୋଇ ଯାଇଥିଲେ ଯେ ସେମାନଙ୍କୁ ରୋକି ପାରିଲା ନାହିଁ | ଉପାୟ ଜାଣିଥିବା ଅସୁରମାନଙ୍କ ମଧ୍ୟରେ ଶ୍ରେଷ୍ଠ ମୟଦାନବ ଯେତେବେଳେ ଏହା ଜାଣିବାକୁ ପାଇଲା, ସେତେବେଳେ ଭଗବାନଙ୍କ ଲୀଳାର ସ୍ମରଣ କରି ସେ ଶୋକମୁକ୍ତ ରହିଲା | ଶୋକ କରୁଥିବା ଅମୃତ-ରକ୍ଷକମାନଙ୍କ ଉଦ୍ଦେଶ୍ୟରେ ସେ କହିଲା – ‘ଭାଈ ! ଦେବତା, ଅସୁର, ମନୁଷ୍ୟ ଅଥବା ଅନ୍ୟ କୌଣସି ପ୍ରାଣୀ ନିଜର-ପରର ଅଥବା ଉଭୟଙ୍କର ପ୍ରାରବ୍ଧ ବିଧାନକୁ କାଟି ପାରନ୍ତି ନାହିଁ | ଯାହା ହେବାର ଥିଲା, ହୋଇଗଲା | ଶୋକ କଲେ କଣ ହେବ?’ ତତ୍ପଶ୍ଚାତ୍ ଭଗବାନ ଶ୍ରୀକୃଷ୍ଣ ନିଜ ଶକ୍ତି ଦ୍ବାରା ଭଗବାନ ଶଂକରଙ୍କ ପାଇଁ ସବୁ ପ୍ରକାରର ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ କରିଦେଲେ |

ଧର୍ମଜ୍ଞାନବିରକ୍ତ୍ୟୃଦ୍ଧିତପୋବିଦ୍ୟାକ୍ରିୟାଦିଭିଃ ।

ରଥଂ ସୂତଂ ଧ୍ୱଜଂ ବାହାନ୍ ଧନୁର୍ୱର୍ମଶରାଦି ଯତ୍ ॥ ୬୬॥

ସେ ଧର୍ମରେ ରଥ, ଜ୍ଞାନ ଦ୍ବାରା ସାରଥି, ବୈରାଗ୍ୟରେ ଧ୍ବଜା, ଐଶ୍ବର୍ଯ୍ୟ ଦ୍ବାରା ଘୋଡା, ତପସ୍ୟା ଦ୍ବାରା ଧନୁ, ବିଦ୍ୟାରେ କବଚ, କ୍ରିୟାରେ ବାଣ, ଏବଂ ନିଜର ଅନ୍ୟ ସବୁ ଶକ୍ତି ଦ୍ବାରା ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ନିର୍ମାଣ କଲେ |

ସନ୍ନଦ୍ଧୋ ରଥମାସ୍ଥାୟ ଶରଂ ଧନୁରୁପାଦଦେ ।

ଶରଂ ଧନୁଷି ସନ୍ଧାୟ ମୁହୂର୍ତେଽଭିଜିତୀଶ୍ୱରଃ ॥ ୬୭॥

ଦଦାହ ତେନ ଦୁର୍ଭେଦ୍ୟା ହରୋଽଥ ତ୍ରିପୁରୋ ନୃପ ।

ଦିବି ଦୁନ୍ଦୁଭୟୋ ନେଦୁର୍ୱିମାନଶତସଙ୍କୁଲାଃ ॥ ୬୮॥

ସେହି ସବୁ ସାମଗ୍ରୀରେ ସଜ୍ଜିତ ହୋଇ ଭଗବାନ ଶଂକର ରଥରେ ଆରୂଢ ହେଲେ ଏବଂ ଧନୁଶର ଧାରଣ କଲେ | ଅଭିଜିତ୍ ମୁହୂର୍ତ୍ତରେ ଧନୁରେ ବାଣ ଚଢାଇ ଭଗବାନ ଶଂକର ସେହି ତିନୋଟି ଅଭେଦ୍ୟ ବିମାନକୁ ଭସ୍ମ କରିଦେଲେ | ଯୁଧିଷ୍ଠିର ! ସେହି ସମୟରେ ସ୍ବର୍ଗରେ ଦୁନ୍ଦୁଭି ବାଜି ଉଠିଲା| ଆକାଶରେ ଶହ-ଶହ ବିମାନର ଭିଡ ସୃଷ୍ଟି ହେଲା

ଦେବର୍ଷିପିତୃସିଦ୍ଧେଶା ଜୟେତି କୁସୁମୋତ୍କରୈଃ ।

ଅବାକିରନ୍ ଜଗୁର୍ହୃଷ୍ଟା ନନୃତୁଶ୍ଚାପ୍ସରୋଗଣାଃ ॥ ୬୯॥

ଦେବତା, ଋଷି, ପିତୃପୁରୁଷ ଏବଂ ସିଦ୍ଧେଶ୍ବରମାନେ ଆନନ୍ଦରେ ଜୟ-ଜୟକାର କରି ପୁଷ୍ପ ବୃଷ୍ଟି କରିବାରେ ଲାଗିଲେ | ଅପ୍ସରାମାନେ ଗାନ କରି ନୃତ୍ୟ କରିବାରେ ଲାଗିଲେ |

ଏବଂ ଦଗ୍ଧ୍ୱା ପୁରସ୍ତିସ୍ରୋ ଭଗବାନ୍ ପୁରହା ନୃପ ।

ବ୍ରହ୍ମାଦିଭିଃ ସ୍ତୂୟମାନଃ ସ୍ୱଧାମ ପ୍ରତ୍ୟପଦ୍ୟତ ॥ ୭୦॥

ଯୁଧିଷ୍ଠିର ! ଏହିପରି ଭାବରେ ତ୍ରିପୁର ଦହନ କରି ଭଗବାନ ଶଂକର ‘ପୁରାରି’ ପଦବୀ ପ୍ରାପ୍ତ କଲେ ଏବଂ ବ୍ରହ୍ମାଦିଙ୍କର ସ୍ତୁତି ଶୁଣି ଶୁଣି ନିଜ ଧାମକୁ ପ୍ରତ୍ୟାବର୍ତ୍ତନ କଲେ |

ଏବଂ ବିଧାନ୍ୟସ୍ୟ ହରେଃ ସ୍ୱମାୟଯା

ବିଡମ୍ବମାନସ୍ୟ ନୃଲୋକମାତ୍ମନଃ ।

ବୀର୍ୟାଣି ଗୀତାନ୍ୟୃଷିଭିର୍ଜଗଦ୍ଗୁରୋ-

ର୍ଲୋକାନ୍ ପୁନାନାନ୍ୟପରଂ ବଦାମି କିମ୍ ॥ ୭୧॥

ଆତ୍ମସ୍ବରୂପ ଜଗଦଗୁରୁ ଭଗବାନ ଶ୍ରୀକୃଷ୍ଣ ଏହିପରି ଭାବରେ ନିଜ ମାୟାରେ ଯେଉଁ ସବୁ ମାନବ-ବତ୍ ଲୀଳା କରନ୍ତି, ଋଷି-ମୁନିମାନେ ତାଙ୍କର ସେହି ଲୋକପାବନ ଲୀଳାମାନଙ୍କର ଗାନ କରନ୍ତି | କୁହ, ଏବେ ମୁଁ ତୁମକୁ ଆଉ କଣ ଶୁଣାଇବି ?

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ଯୁଧିଷ୍ଠିରନାରଦସମ୍ବାଦେ ତ୍ରିପୁରବିଜୟୋ ନାମ

ଦଶମୋଽଧ୍ୟାୟଃ ॥ ୧୦॥

Comments

Popular posts from this blog