ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ସପ୍ତମ ସ୍କନ୍ଧ ॥
ଚତୁର୍ଦ୍ଦଶ ଅଧ୍ୟାୟ
ଗୃହସ୍ଥସମ୍ବନ୍ଧୀ ସଦାଚାର
ଯୁଧିଷ୍ଠିର ଉବାଚ
ଗୃହସ୍ଥ ଏତାଂ
ପଦବୀଂ ବିଧିନା ଯେନ ଚାଞ୍ଜସା ।
ଯାତି ଦେବଋଷେ
ବ୍ରୂହି ମାଦୃଶୋ ଗୃହମୂଢଧୀଃ ॥ ୧॥
ଯୁଧିଷ୍ଠିର
ପଚାରିଲେ – ହେ ଦେବର୍ଷି ! ମୋ ପରି ଗୃହାସକ୍ତ ଗୃହସ୍ଥ ବିଶେଷ ପରିଶ୍ରମ ବିନା କେଉଁ ସାଧନ
ଦ୍ବାରା ଏହି ପଦକୁ ପ୍ରାପ୍ତ କରିପାରିବେ, ଆପଣ କୃପା କରି
ତାହାର ଉପଦେଶ ମୋତେ ପ୍ରଦାନ କରନ୍ତୁ |
ନାରଦ ଉବାଚ
ଗୃହେଷ୍ୱବସ୍ଥିତୋ
ରାଜନ୍ କ୍ରିୟାଃ କୁର୍ୱନ୍ ଗୃହୋଚିତାଃ ।
ବାସୁଦେବାର୍ପଣଂ
ସାକ୍ଷାଦୁପାସୀତ ମହାମୁନୀନ୍ ॥ ୨॥
ନାରଦ କହୁଛନ୍ତି –
ଯୁଧିଷ୍ଠିର ! ମନୁଷ୍ୟ ଗୃହସ୍ଥାଶ୍ରମରେ ରହି ଗୃହସ୍ଥଧର୍ମ ଅନୁସାରେ ସମସ୍ତ କର୍ମ କରିବେ, କିନ୍ତୁ ତାହାକୁ ଭଗବାନଙ୍କ ପ୍ରତି ସମର୍ପିତ କରିବେ
ଏବଂ ବଡ-ବଡ ସନ୍ଥ ମହାତ୍ମାଙ୍କର ସେବା ମଧ୍ୟ କରିବେ |
ଶୃଣ୍ୱନ୍
ଭଗବତୋଽଭୀକ୍ଷ୍ଣମବତାରକଥାମୃତମ୍ ।
ଶ୍ରଦ୍ଦଧାନୋ
ଯଥାକାଲମୁପଶାନ୍ତଜନାବୃତଃ ॥ ୩॥
ଅବକାଶ ଅନୁସାରେ
ବିରକ୍ତ ପୁରୁଷମାନଙ୍କ ଗହଣରେ ନିବାସ କରିବେ ଏବଂ ବାରମ୍ବାର ଶ୍ରଦ୍ଧାପୂର୍ବକ ଭଗବାନଙ୍କ
ଅବତାରମାନଙ୍କର ଲୀଳା-ସୁଧା ପାନ କରିବେ |
ସତ୍ସଙ୍ଗାଚ୍ଛନକୈଃ
ସଙ୍ଗମାତ୍ମଜାୟାତ୍ମଜାଦିଷୁ ।
ବିମୁଚ୍ୟେନ୍ମୁଚ୍ୟମାନେଷୁ
ସ୍ୱୟଂ ସ୍ୱପ୍ନବଦୁତ୍ଥିତଃ ॥ ୪॥
ସ୍ବପ୍ନ ଭଙ୍ଗ ହେବା
ପରେ ମନୁଷ୍ୟ ଯେପରି ସ୍ବପ୍ନରେ ଅନୁଭବ କରିଥିବା ବିଷୟରେ ଆସକ୍ତ ରହେନାହିଁ, ସେହିପରି ସତସଂଗର ପ୍ରଭାବରେ ବୁଦ୍ଧି କ୍ରମଶଃ ଶୁଦ୍ଧ
ହେବା ସହିତ ମନୁଷ୍ୟ ଶରୀର, ସ୍ତ୍ରୀ, ପୁତ୍ର, ଧନ ଆଦିର ଆସକ୍ତି
ସ୍ବତଃ ତ୍ୟାଗ କରିଦେବ | କାରଣ ଦିନେ-ନା-ଦିନେ ସେହିସବୁ ତ ହାତଛଡା ହୋଇଯିବ |
ଯାବଦର୍ଥମୁପାସୀନୋ
ଦେହେ ଗେହେ ଚ ପଣ୍ଡିତଃ ।
ବିରକ୍ତୋ
ରକ୍ତବତ୍ତତ୍ର ନୃଲୋକେ ନରତାଂ ନ୍ୟସେତ୍ ॥ ୫॥
ବୁଦ୍ଧିମାନ ପୁରୁଷ
ଆବଶ୍ୟକତା ଅନୁସାରେ ହିଁ ଘର ଏବଂ ଶରୀରର ସେବା କରିବା ଉଚିତ୍, ଅଧିକ ନୁହେଁ | ଭିତରେ ବିରକ୍ତ ରହି ବାହାରକୁ ଆସକ୍ତ
ରହିଥିବା ପରି ସଂସାରରେ ସାଧାରଣ ମନୁଷ୍ୟ ପରି ବ୍ୟବହାର କରିବେ |
ଜ୍ଞାତୟଃ ପିତରୌ
ପୁତ୍ରା ଭ୍ରାତରଃ ସୁହୃଦୋଽପରେ ।
ଯଦ୍ୱଦନ୍ତି
ଯଦିଚ୍ଛନ୍ତି ଚାନୁମୋଦେତ ନିର୍ମମଃ ॥ ୬॥
ମାତା-ପିତା, ଭାଈ-ବନ୍ଧୁ, ପୁତ୍ର-ମିତ୍ର, ଜାତିକୁଟୁମ୍ବ ଏବଂ ଅନ୍ୟ ସମ୍ବନ୍ଧୀମାନେ ଯାହାକିଛି କହିବେ
ବା ଇଚ୍ଛା କରିବେ, ଭିତରେ ମମତାଶୂନ୍ୟ ରହି
ତାହାର ଅନୁମୋଦନ କରିବେ |
ଦିବ୍ୟଂ ଭୌମଂ
ଚାନ୍ତରୀକ୍ଷଂ ବିତ୍ତମଚ୍ୟୁତନିର୍ମିତମ୍ ।
ତତ୍ସର୍ୱମୁପୟୁଞ୍ଜାନ
ଏତତ୍କୁର୍ୟାତ୍ସ୍ୱତୋ ବୁଧଃ ॥ ୭॥
ବୁଦ୍ଧିମାନ ପୁରୁଷ
ବର୍ଷା ଆଦି ଦ୍ବାରା ଉତ୍ପନ୍ନ ହେଉଥିବା ଅନ୍ନ ଆଦି, ପୃଥିବୀରୁ
ଉତ୍ପନ୍ନ ହେଉଥିବା ସୁବର୍ଣ୍ଣ ଆଦି, ଅକସ୍ମାତ୍
ପ୍ରାପ୍ତ ହେଉଥିବା ଦ୍ରବ୍ୟ ଆଦି ତଥା ଅନ୍ୟ ଅନେକ ପ୍ରକାରରେ ପ୍ରାପ୍ତ ହେଉଥିବା ଧନ ଆଦି ଭଗବାନଙ୍କର ହିଁ ଦାନ ଅଟେ – ଏହିପରି ମନେକରି ପ୍ରାରବ୍ଧ
ଅନୁସାରେ ତାହାର ଉପଭୋଗ କରିବା ସହିତ ସାଧୁ-ସନ୍ଥଙ୍କର ସେବାରେ ତାହାର ଉପଯୋଗ କରିବେ, ସଞ୍ଚୟ
କରିବେ ନାହିଁ |
ଯାବଦ୍ଭ୍ରିୟେତ
ଜଠରଂ ତାବତ୍ସ୍ୱତ୍ୱଂ ହି ଦେହିନାମ୍ ।
ଅଧିକଂ
ଯୋଽଭିମନ୍ୟେତ ସ ସ୍ତେନୋ ଦଣ୍ଡମର୍ହତି ॥ ୮॥
କେବଳ ସେତିକି ଧନରେ
ମନୁଷ୍ୟର ଅଧିକାର ରହିଛି, ଯେତିକିରେ ତାହାର
କ୍ଷୁଧା-ନିବୃତ୍ତି ହୋଇଯାଏ | ତାହାଠାରୁ ଅଧିକ ସମ୍ପତ୍ତିକୁ ଯିଏ ନିଜର ମନେ କରେ, ସେ ଚୋର ଅଟେ, ଦଣ୍ଡନୀୟ ଅଟେ |
ମୃଗୋଷ୍ଟ୍ରଖରମର୍କାଖୁସରୀସୃପ୍ଖଗମକ୍ଷିକାଃ
।
ଆତ୍ମନଃ
ପୁତ୍ରବତ୍ପଶ୍ୟେତ୍ତୈରେଷାମନ୍ତରଂ କିୟତ୍ ॥ ୯॥
ମୃଗ, ଉଷ୍ଟ୍ର, ଗଧ, ମର୍କଟ, ମୂଷିକ, ସର୍ପ, ପକ୍ଷୀ ଏବଂ
ମଶା-ମାଛି ଆଦି ସମସ୍ତ ପ୍ରାଣୀଙ୍କୁ ପୁତ୍ରବତ୍ ମନେକରିବେ | ନିଜ ପୁତ୍ର ଏବଂ ସେମାନଙ୍କ ମଧ୍ୟରେ
ଅବା ପାର୍ଥକ୍ୟ କ’ଣ ?
ତ୍ରିବର୍ଗଂ
ନାତିକୃଚ୍ଛ୍ରେଣ ଭଜେତ ଗୃହମେଧ୍ୟପି ।
ଯଥାଦେଶଂ ଯଥାକାଲଂ
ଯାବଦ୍ଦୈବୋପପାଦିତମ୍ ॥ ୧୦॥
ଗୃହସ୍ଥ
ମନୁଷ୍ୟମାନେ ମଧ୍ୟ ଧର୍ମ, ଅର୍ଥ, କାମ ଉଦ୍ଦେଶ୍ୟରେ ଅଧିକ କଷ୍ଟ କରିବା ଉଚିତ୍ ନୁହେଁ; ଦେଶ, କାଳ ଏବଂ
ପ୍ରାରବ୍ଧ ଅନୁସାରେ ଯେତିକି ମିଳୁଛି, ସେତିକିରେ
ସନ୍ତୁଷ୍ଟ ରହିବା ଉଚିତ୍ |
ଆଶ୍ୱାଘାନ୍ତେଽବସାୟିଭ୍ୟଃ
କାମାନ୍ ସମ୍ବିଭଜେଦ୍ୟଥା ।
ଅପ୍ୟେକାମାତ୍ମନୋ
ଦାରାଂ ନୃଣାଂ ସ୍ୱତ୍ୱଗ୍ରହୋ ଯତଃ ॥ ୧୧॥
ନିଜର ସମସ୍ତ
ଭୋଗ-ସାମଗ୍ରୀକୁ କୁକୁର, ପତିତ ଏବଂ
ଚଣ୍ଡାଳପର୍ଯ୍ୟନ୍ତ ସବୁ ପ୍ରାଣୀଙ୍କ ମଧ୍ୟରେ ଯଥାଯୋଗ୍ୟ ବିତରଣ କରି ଉପଯୋଗ କରିବା ଆବଶ୍ୟକ |
ଏପରି କି ନିଜ ସ୍ତ୍ରୀ, ଯାହାକୁ ମନୁଷ୍ୟ ପୂର୍ଣ୍ଣତଃ
‘ମୋର’ ମନେ କରିଥାଏ, ତାଙ୍କୁ ମଧ୍ୟ ନିର୍ଦୋଷ
ଅତିଥି ସେବାରେ ନିଯୁକ୍ତ ରଖିବେ |
ଜହ୍ୟାଦ୍ୟଦର୍ଥେ
ସ୍ୱପ୍ରାଣାନ୍ ହନ୍ୟାଦ୍ୱା ପିତରଂ ଗୁରୁମ୍ ।
ତସ୍ୟାଂ ସ୍ୱତ୍ୱଂ
ସ୍ତ୍ରିୟାଂ ଜହ୍ୟାଦ୍ୟସ୍ତେନ ହ୍ୟଜିତୋ ଜିତଃ ॥ ୧୨॥
ଲୋକେ ସ୍ତ୍ରୀ ପାଇଁ
ପ୍ରାଣ ସୁଦ୍ଧା ବିସର୍ଜନ କରିଦିଅନ୍ତି | ଏପରି କି ନିଜ ମା-ବାପା ଏବଂ ଗୁରୁଙ୍କର ମଧ୍ୟ ହତ୍ୟା
କରିଦିଅନ୍ତି | ସେହି ସ୍ତ୍ରୀ ପ୍ରତି ଯିଏ ନିଜର ମମତା ହଟାଇ ନିଅନ୍ତି, ସେ ସ୍ବୟଂ ନିତ୍ୟବିଜୟୀ ଭଗବାନଙ୍କ ଉପରେ ବିଜୟ
ପ୍ରାପ୍ତ କରିନିଅନ୍ତି |
କୃମିବିଡ୍ଭସ୍ମନିଷ୍ଠାନ୍ତଂ
କ୍ୱେଦଂ ତୁଚ୍ଛଂ କଲେବରମ୍ ।
କ୍ୱ
ତଦୀୟରତିର୍ଭାର୍ୟା କ୍ୱାୟମାତ୍ମା ନଭଶ୍ଛଦିଃ ॥ ୧୩॥
ଅନ୍ତତଃ ଏହି ଶରୀର
କୀଟମାନଙ୍କର ବିଷ୍ଠା ବା କୁଢ଼-କୁଢ଼ ଭସ୍ମରେ ପରିଣତ ହୋଇଯିବ | ଏହି ତୁଚ୍ଛ ଶରୀର ଏବଂ ଶରୀର
ନିମନ୍ତେ ଯାହାଠାରେ ଆସକ୍ତି ହୋଇଥାଏ, ସେ ସ୍ତ୍ରୀର ସ୍ଥାନ କେଉଁଠି ଏବଂ କେଉଁଠି ନିଜ ମହିମାରେ
ଆକାଶକୁ ମଧ୍ୟ ଆବୃତ କରି ରଖିଥିବା ଅନନ୍ତ ଆତ୍ମା ?
ସିଦ୍ଧୈର୍ୟଜ୍ଞାବଶିଷ୍ଟାର୍ଥୈଃ
କଲ୍ପୟେଦ୍ୱୃତ୍ତିମାତ୍ମନଃ ।
ଶେଷେ ସ୍ୱତ୍ୱଂ
ତ୍ୟଜନ୍ ପ୍ରାଜ୍ଞଃ ପଦବୀଂ ମହତାମିୟାତ୍ ॥ ୧୪॥
ଗୃହସ୍ଥମାନେ
ପ୍ରାରବ୍ଧବଶତଃ ପ୍ରାପ୍ତ ଏବଂ ପଞ୍ଚଯଜ୍ଞ ଆଦିର ଅବଶେଷ ଅନ୍ନରେ ନିଜର ଜୀବନ-ନିର୍ବାହ କରିବା
ଆବଶ୍ୟକ | ଯେଉଁ ବୁଦ୍ଧିମାନ ପୁରୁଷ ଏହା ବ୍ୟତିତ ଅନ୍ୟ କୌଣସି ବସ୍ତୁରେ ସ୍ବତ୍ବ ରଖନ୍ତି ନାହିଁ, ସେ ସନ୍ଥ-ପଦ ପ୍ରାପ୍ତ ହୁଅନ୍ତି |
ଦେବାନ୍ ଋଷୀନ୍
ନୃଭୂତାନି ପିତୄନାତ୍ମାନମନ୍ୱହମ୍ ।
ସ୍ୱବୃତ୍ତ୍ୟାଗତବିତ୍ତେନ ଯଜେତ ପୁରୁଷଂ ପୃଥକ୍ ॥ ୧୫॥
ନିଜ
ବର୍ଣ୍ଣାଶ୍ରମବିହିତ ବୃତ୍ତିରେ ପ୍ରାପ୍ତ ସାମଗ୍ରୀ ଦ୍ବାରା ପ୍ରତିଦିନ ଦେବତା, ଋଷି, ମନୁଷ୍ୟ, ଭୂତ ଏବଂ ପିତୃଗଣ ତଥା ନିଜ ଆତ୍ମାର ପୂଜନ କରିବା
ଆବଶ୍ୟକ | ଏହା ଭିନ୍ନ ଭିନ୍ନ ରୂପରେ ସେହି ଅଦ୍ବିତୀୟ ପରମେଶ୍ବରଙ୍କର ଆରାଧନା ଅଟେ |
ଯର୍ହ୍ୟାତ୍ମନୋଽଧିକାରାଦ୍ୟାଃ
ସର୍ୱାଃ ସ୍ୟୁର୍ୟଜ୍ଞସମ୍ପଦଃ ।
ବୈତାନିକେନ ବିଧିନା
ଅଗ୍ନିହୋତ୍ରାଦିନା ଯଜେତ୍ ॥ ୧୬॥
ଯଦି ନିଜକୁ ଅଧିକାର
ଆଦି ଯଜ୍ଞ ନିମନ୍ତେ ଆବଶ୍ୟକ ସବୁ ସାମଗ୍ରୀ ପ୍ରାପ୍ତ, ତେବେ ବଡ-ବଡ ଯଜ୍ଞ
ବା ଅଗ୍ନିହୋତ୍ର ଆଦି ଦ୍ବାରା ଭଗବାନଙ୍କର ଆରାଧନା କରିବା ଆବଶ୍ୟକ |
ନ ହ୍ୟଗ୍ନିମୁଖତୋୟଂ
ବୈ ଭଗବାନ୍ ସର୍ୱୟଜ୍ଞଭୁକ୍ ।
ଇଜ୍ୟେତ ହବିଷା
ରାଜନ୍ ଯଥା ବିପ୍ରମୁଖେ ହୁତୈଃ ॥ ୧୭॥
ଯୁଧିଷ୍ଠିର !
ଏମିତି ଦେଖିବାକୁ ଗଲେ ତ ସମସ୍ତ ଯଜ୍ଞର ଭୋକ୍ତା ଭଗବାନ ହିଁ ଅଟନ୍ତି, କିନ୍ତୁ ବ୍ରାହ୍ମଣଙ୍କ ମୁଖରେ ଅର୍ପିତ ହବିଷାନ୍ନ
ଦ୍ବାରା ତାଙ୍କୁ ଯେପରି ତୃପ୍ତି ମିଳିଥାଏ, ସେପରି ତୃପ୍ତି
ଅଗ୍ନି ମୁଖରେ ଆହୂତି ପ୍ରଦାନ ଦ୍ବାରା ମିଳେନାହିଁ |
ତସ୍ମାଦ୍ବ୍ରାହ୍ମଣଦେବେଷୁ
ମର୍ତ୍ୟାଦିଷୁ ଯଥାର୍ହତଃ ।
ତୈସ୍ତୈଃ
କାମୈର୍ୟଜସ୍ୱୈନଂ କ୍ଷେତ୍ରଜ୍ଞଂ ବ୍ରାହ୍ମଣାନନୁ ॥ ୧୮॥
ଅତଏବ ବ୍ରାହ୍ମଣ, ଦେବତା, ମନୁଷ୍ୟ ଆଦି ସବୁ
ପ୍ରାଣୀଙ୍କ ମାଧ୍ୟମରେ ଯଥାଯୋଗ୍ୟ, ସେମାନଙ୍କ ଉପଯୋଗୀ ସାମଗ୍ରୀ ଦ୍ବାରା ସମସ୍ତଙ୍କ ହୃଦୟରେ
ଅନ୍ତର୍ଯ୍ୟାମୀରୂପରେ ବିରାଜମାନ ଭଗବାନଙ୍କର ପୂଜା କରିବା ଉଚିତ୍ | ଏମାନଙ୍କ ମଧ୍ୟରେ ପ୍ରଧାନତା
ବ୍ରାହ୍ମଣଙ୍କର ଅଟେ |
କୁର୍ୟାଦାପରପକ୍ଷୀୟଂ
ମାସି ପ୍ରୌଷ୍ଠପଦେ ଦ୍ୱିଜଃ ।
ଶ୍ରାଦ୍ଧଂ
ପିତ୍ରୋର୍ୟଥାବିତ୍ତଂ ତଦ୍ବନ୍ଧୂନାଂ ଚ ବିତ୍ତବାନ୍ ॥ ୧୯॥
ଧନୀ ଦ୍ବିଜମାନେ
ନିଜ ଧନ ଅନୁସାରେ ଆଶ୍ବିନ ମାସ କୃଷ୍ଣପକ୍ଷରେ ନିଜ ମାତା-ପିତା ତଥା ସେମାନଙ୍କର ବନ୍ଧୁ (ପିତାମହ, ମାତାମହ ଆଦି) ଙ୍କର ମହାଳୟ ଶ୍ରାଦ୍ଧ କରିବା ଉଚିତ୍ |
ଅୟନେ ବିଷୁବେ
କୁର୍ୟାଦ୍ୱ୍ୟତୀପାତେ ଦିନକ୍ଷୟେ ।
ଚନ୍ଦ୍ରାଦିତ୍ୟୋପରାଗେ
ଚ ଦ୍ୱାଦଶୀଶ୍ରବଣେଷୁ ଚ ॥ ୨୦॥
ତୃତୀୟାୟାଂ
ଶୁକ୍ଲପକ୍ଷେ ନବମ୍ୟାମଥ କାର୍ତିକେ ।
ଚତସୃଷ୍ୱପ୍ୟଷ୍ଟକାସୁ
ହେମନ୍ତେ ଶିଶିରେ ତଥା ॥ ୨୧॥
ମାଘେ ଚ
ସିତସପ୍ତମ୍ୟାଂ ମଘାରାକାସମାଗମେ ।
ରାକୟା ଚାନୁମତ୍ୟା
ବା ମାସର୍କ୍ଷାଣି ଯୁତାନ୍ୟପି ॥ ୨୨॥
ଦ୍ୱାଦଶ୍ୟାମନୁରାଧା
ସ୍ୟାଚ୍ଛ୍ରବଣସ୍ତିସ୍ର ଉତ୍ତରାଃ ।
ତିସୃଷ୍ୱେକାଦଶୀ
ବାଽଽସୁ ଜନ୍ମର୍କ୍ଷଶ୍ରୋଣୟୋଗୟୁକ୍ ॥ ୨୩॥
ତ ଏତେ ଶ୍ରେୟସଃ
କାଲା ନୃଣାଂ ଶ୍ରେୟୋବିବର୍ଧନାଃ ।
କୁର୍ୟାତ୍ସର୍ୱାତ୍ମନୈତେଷୁ
ଶ୍ରେୟୋଽମୋଘଂ ତଦାୟୁଷଃ ॥ ୨୪॥
ଏତଦ୍ ବ୍ୟତିତ, ଅୟନ (କର୍କଟ ଏବଂ ମକର ସଂକ୍ରାନ୍ତି), ବିଷୁବ (ତୁଳା
ଏବଂ ମେଷ ସଂକ୍ରାନ୍ତି), ବ୍ୟତୀପାତ, ଦିନକ୍ଷୟ, ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟଗ୍ରହଣ ସମୟ, ଦ୍ବାଦଶୀ ଦିନ,
ଶ୍ରବଣା-ଧନିଷ୍ଠା-ଅନୁରାଧା ନକ୍ଷତ୍ରରେ, ବୈଶାଖ ଶୁକ୍ଲ
ତୃତୀୟା (ଅକ୍ଷୟ ତୃତୀୟା), କାର୍ତ୍ତିକ ଶୁକ୍ଲ ନବମୀ (ଅକ୍ଷୟ ନବମୀ), ଅଗହନ, ପୌଷ, ମାଘ, ଫାଲ୍ଗୁନ – ଏହି ଚାରି ମାସର କୃଷ୍ଣାଷ୍ଟମୀ, ମାଘ ଶୁକ୍ଲ ସପ୍ତମୀ, ମଘା ନକ୍ଷତ୍ରଯୁକ୍ତ ମାଘ ପୂର୍ଣ୍ଣିମା ଏବଂ ପ୍ରତ୍ୟେକ
ମାସର ପୂର୍ଣ୍ଣିମା, ଯଦି ତାହା ନିଜ
ମାସ-ନକ୍ଷତ୍ର, ଚିତ୍ରା, ବିଶାଖା, ଜ୍ୟେଷ୍ଠା ଆଦି ଯୁକ୍ତ ହୋଇଥାଏ – ଚନ୍ଦ୍ର ପୂର୍ଣ୍ଣ
ହୁଅନ୍ତୁ ବା ଅପୂର୍ଣ୍ଣ ହୁଅନ୍ତୁ, ଦ୍ବାଦଶୀ ତିଥିର
ଅନୁରାଧା, ଶ୍ରବଣା, ଉତ୍ତରାଫାଲ୍ଗୁନୀ,
ଉତ୍ତରାଷାଢା ଏବଂ ଉତ୍ତରାଭାଦ୍ରପଦ ସହିତ ଯୋଗ, ଏକାଦଶୀ ତିଥିର
ତିନି ଉତ୍ତରା ନକ୍ଷତ୍ର ସହିତ ଯୋଗ ଅଥବା ଜନ୍ମ-ନକ୍ଷତ୍ର ବା ଶ୍ରବଣା ନକ୍ଷତ୍ର ସହିତ ଯୋଗ – ଏହି
ସବୁ ସମୟ ପିତୃଗଣଙ୍କର ଶ୍ରାଦ୍ଧ ନିମନ୍ତେ ଯୋଗ୍ୟ ଏବଂ ଶ୍ରେଷ୍ଠ ଅଟେ | ଏହି ଯୋଗ କେବଳ ଶ୍ରାଦ୍ଧ
ନିମନ୍ତେ ନୁହେଁ, ସମସ୍ତ ପୁଣ୍ୟକର୍ମ ନିମନ୍ତେ
ଉପଯୋଗୀ ଅଟେ | ଏହା କଲ୍ୟାଣକାରୀ ସାଧନା ନିମନ୍ତେ ଉପଯୁକ୍ତ ଏବଂ ଶୁଭ ବୃଦ୍ଧିକାରୀ ଅଟେ |
ଏହିସବୁ ଅବସରରେ ନିଜର ପୂର୍ଣ୍ଣଶକ୍ତି ବିନିଯୋଗ କରି ଶୁଭକର୍ମ କରିବା ଉଚିତ୍ | ଏଥିରେ ଜୀବନର
ସଫଳତା ନିହିତ |
ଏଷୁ ସ୍ନାନଂ ଜପୋ
ହୋମୋ ବ୍ରତଂ ଦେବଦ୍ୱିଜାର୍ଚନମ୍ ।
ପିତୃଦେବନୃଭୂତେଭ୍ୟୋ
ଯଦ୍ଦତ୍ତଂ ତଦ୍ଧ୍ୟନଶ୍ୱରମ୍ ॥ ୨୫॥
ଏହି ଶୁଭ ସଂଯୋଗରେ
ଯେଉଁ ସ୍ନାନ, ଜପ, ହୋମ, ବ୍ରତ ତଥା ଦେବତା
ଏବଂ ବ୍ରାହ୍ମଣଙ୍କର ପୂଜା କରାଯାଇ ଥାଏ ଅଥବା ଦେବତା, ପିତୃଗଣ, ମନୁଷ୍ୟ ଏବଂ ପ୍ରାଣୀମାନଙ୍କ ଉଦ୍ଦେଶ୍ୟରେ ଯାହା କିଛି
ସମର୍ପିତ କରାଯାଏ, ତା’ର ଫଳ ଅକ୍ଷୟ ହୋଇଥାଏ |
ସଂସ୍କାରକାଲୋ
ଜାୟାୟା ଅପତ୍ୟସ୍ୟାତ୍ମନସ୍ତଥା ।
ପ୍ରେତସଂସ୍ଥା
ମୃତାହଶ୍ଚ କର୍ମଣ୍ୟଭ୍ୟୁଦୟେ ନୃପ ॥ ୨୬॥
ହେ ଯୁଧିଷ୍ଠିର !
ଏହିପରି ଭାବରେ ସ୍ତ୍ରୀର ପୁଂସବନ ଆଦି, ସନ୍ତାନର ଜାତକର୍ମ
ଆଦି ତଥା ନିଜର ଯଜ୍ଞ ଦୀକ୍ଷା ଆଦି ସଂସ୍କାର ସମୟରେ, ଶବ-ଦାହ ବା ବାର୍ଷିକ ଶ୍ରାଦ୍ଧ ଉପଲକ୍ଷରେ
ଅଥବା ଅନ୍ୟ ମାଙ୍ଗଳିକ କର୍ମରେ ଦାନ ଆଦି ଶୁଭ କର୍ମ କରିବା ଉଚିତ୍ |
ଅଥ ଦେଶାନ୍
ପ୍ରବକ୍ଷ୍ୟାମି ଧର୍ମାଦିଶ୍ରେୟ ଆବହନ୍ ।
ସ ବୈ ପୁଣ୍ୟତମୋ
ଦେଶଃ ସତ୍ପାତ୍ରଂ ଯତ୍ର ଲଭ୍ୟତେ ॥ ୨୭॥
ଯୁଧିଷ୍ଠିର ! ଏବେ
ମୁଁ ସେହି ସବୁ ସ୍ଥାନମାନଙ୍କର ବର୍ଣ୍ଣନ କରୁଛି, ଯାହା ଧର୍ମ ଆଦି
ଶ୍ରେୟ ପ୍ରାପ୍ତ କରାଇଥାଏ | ସେହି ଦୃଷ୍ଟିରୁ ସର୍ବାଧିକ ପବିତ୍ର ସ୍ଥାନ ତାହା ଅଟେ, ଯେଉଁଠାରେ ସତ୍-ପାତ୍ର ମିଳିଥାଆନ୍ତି |
ବିମ୍ବଂ ଭଗବତୋ
ଯତ୍ର ସର୍ୱମେତଚ୍ଚରାଚରମ୍ ।
ଯତ୍ର ହ
ବ୍ରାହ୍ମଣକୁଲଂ ତପୋବିଦ୍ୟାଦୟାନ୍ୱିତମ୍ ॥ ୨୮॥
ଯତ୍ର ଯତ୍ର
ହରେରର୍ଚା ସ ଦେଶଃ ଶ୍ରେୟସାଂ ପଦମ୍ ।
ଯତ୍ର ଗଙ୍ଗାଦୟୋ
ନଦ୍ୟଃ ପୁରାଣେଷୁ ଚ ବିଶ୍ରୁତାଃ ॥ ୨୯॥
ଯାହାଠାରେ ଏହି
ସମ୍ପୂର୍ଣ୍ଣ ଚରାଚର ଜଗତ ସ୍ଥିତ, ସେହି ଭଗବାନଙ୍କର
ପ୍ରତିମା ଯେଉଁ ଦେଶରେ ଥାଏ, ଯେଉଁଠାରେ ତପ, ବିଦ୍ୟା ଏବଂ ଦୟା ଆଦି ଗୁଣଯୁକ୍ତ ବ୍ରାହ୍ମଣ ପରିବାର
ନିବାସ କରୁଥାଆନ୍ତି ତଥା ଯେଉଁଠାରେ ଭଗବାନଙ୍କର ପୂଜା-ଅର୍ଚ୍ଚନା କରାଯାଉ ଥାଏ ଏବଂ
ପୁରାଣପ୍ରସିଦ୍ଧ ଗଙ୍ଗା ଆଦି ନଦୀ ଯେଉଁଠାରେ ପ୍ରବାହିତ ହେଉଥାଆନ୍ତି, ସେହି ସବୁ ସ୍ଥାନ ପରମ କଲ୍ୟାଣକାରୀ ଅଟନ୍ତି |
ସରାଂସି
ପୁଷ୍କରାଦୀନି କ୍ଷେତ୍ରାଣ୍ୟର୍ହାଶ୍ରିତାନ୍ୟୁତ ।
କୁରୁକ୍ଷେତ୍ରଂ
ଗୟଶିରଃ ପ୍ରୟାଗଃ ପୁଲହାଶ୍ରମଃ ॥ ୩୦॥
ନୈମିଷଂ ଫାଲ୍ଗୁନଂ
ସେତୁଃ ପ୍ରଭାସୋଽଥ କୁଶସ୍ଥଲୀ ।
ବାରାଣସୀ ମଧୁପୁରୀ
ପମ୍ପା ବିନ୍ଦୁସରସ୍ତଥା ॥ ୩୧॥
ନାରାୟଣାଶ୍ରମୋ
ନନ୍ଦା ସୀତାରାମାଶ୍ରମାଦୟଃ ।
ସର୍ୱେ କୁଲାଚଲା
ରାଜନ୍ ମହେନ୍ଦ୍ରମଲୟାଦୟଃ ॥ ୩୨॥
ଏତେ ପୁଣ୍ୟତମା
ଦେଶା ହରେରର୍ଚାଶ୍ରିତାଶ୍ଚ ଯେ ।
ଏତାନ୍ ଦେଶାନ୍
ନିଷେବେତ ଶ୍ରେୟସ୍କାମୋ ହ୍ୟଭୀକ୍ଷ୍ଣଶଃ ।
ଧର୍ମୋ
ହ୍ୟତ୍ରେହିତଃ ପୁଂସାଂ ସହସ୍ରାଧିଫଲୋଦୟଃ ॥ ୩୩॥
ପୁଷ୍କର ଆଦି ସରୋବର, ସିଦ୍ଧ ପୁରୁଷଙ୍କ ଦ୍ବାରା ସେବିତ କ୍ଷେତ୍ର, କୁରୁକ୍ଷେତ୍ର, ଗୟା, ପ୍ରୟାଗ, ପୁଲହାଶ୍ରମ
(ଶାଳଗ୍ରାମ କ୍ଷେତ୍ର), ନୈମିଷାରଣ୍ୟ, ଫାଲ୍ଗୁନ କ୍ଷେତ୍ର, ସେତୁବନ୍ଧ, ପ୍ରଭାସ, ଦ୍ରାରକା, କାଶୀ, ମଥୁରା, ପମ୍ପାସର, ବିନ୍ଦୁସରୋବର, ବଦରିକାଶ୍ରମ, ଅଳକାନନ୍ଦା,
ଭଗବାନ ସୀତାରାମଙ୍କର ଆଶ୍ରମ ଅଯୋଧ୍ୟା, ଚିତ୍ରକୂଟ ଆଦି, ମହେନ୍ଦ୍ର ଏବଂ ମଳୟ ଆଦି କୁଳପର୍ବତ ଏବଂ ଯେଉଁ ଯେଉଁ
ସ୍ଥାନରେ ଭଗବାନଙ୍କର ଅର୍ଚାବତାର ରହିଛି – ସେହି ସମସ୍ତ ଦେଶ ଅତ୍ୟନ୍ତ ପବିତ୍ର ଅଟେ |
କଲ୍ୟାଣକାମୀ ପୁରୁଷ ବାରମ୍ବାର ଏହି ସବୁ ସ୍ଥାନର ସେବନ କରିବା ଆବଶ୍ୟକ | ଏହି ସ୍ଥାନରେ ଯେଉଁ
ପୁଣ୍ୟକର୍ମ କରାଯାଇ ଥାଏ, ମନୁଷ୍ୟକୁ
ହଜାରଗୁଣରେ ତାହାର ଫଳ ପ୍ରାପ୍ତ ହୋଇଥାଏ |
ପାତ୍ରଂ ତ୍ୱତ୍ର
ନିରୁକ୍ତଂ ବୈ କବିଭିଃ ପାତ୍ରବିତ୍ତମୈଃ ।
ହରିରେବୈକ ଉର୍ୱୀଶ
ଯନ୍ମୟଂ ବୈ ଚରାଚରମ୍ ॥ ୩୪॥
ହେ ଯୁଧିଷ୍ଟିର !
ପାତ୍ର ନିର୍ଣ୍ଣୟ ପ୍ରସଙ୍ଗରେ ପାତ୍ରର ଗୁଣ ସମ୍ବନ୍ଧରେ ଜାଣିଥିବା ବିବେକୀ ପୁରୁଷ ଏକମାତ୍ର
ଭଗବାନଙ୍କୁ ହିଁ ସତ୍-ପାତ୍ର ରୂପେ ଅଭିହିତ କରିଥାଆନ୍ତି | ଏହି ଚରାଚର ଜଗତ ତାଙ୍କର ସ୍ବରୂପ
ଅଟେ |
ଦେବର୍ଷ୍ୟର୍ହତ୍ସୁ
ବୈ ସତ୍ସୁ ତତ୍ର ବ୍ରହ୍ମାତ୍ମଜାଦିଷୁ ।
ରାଜନ୍
ଯଦଗ୍ରପୂଜାୟାଂ ମତଃ ପାତ୍ରତୟାଚ୍ୟୁତଃ ॥ ୩୫॥
ଏବେ ତୁମ ଦ୍ବାରା
ଅନୁଷ୍ଠିତ ଏହି ଯଜ୍ଞକୁ ହିଁ ଦେଖ ! ଏଠାରେ ଦେବତା, ଋଷି, ସିଦ୍ଧ ଏବଂ ସନକାଦିଙ୍କ ପରି ବଡ-ବଡ ମହାତ୍ମା
ରହିଥିଲେ ବି ଭଗବାନ ଶ୍ରୀକୃଷ୍ଣଙ୍କୁ ହିଁ ଅଗ୍ରପୂଜାର ଯୋଗ୍ୟ ପାତ୍ର ମନେ କରାଗଲା |
ଜୀବରାଶିଭିରାକୀର୍ଣ
ଆଣ୍ଡକୋଶାଙ୍ଘ୍ରିପୋ ମହାନ୍ ।
ତନ୍ମୂଲତ୍ୱାଦଚ୍ୟୁତେଜ୍ୟା
ସର୍ୱଜୀବାତ୍ମତର୍ପଣମ୍ ॥ ୩୬॥
ଅସଂଖ୍ୟ
ଜୀବସମୁଦାୟରେ ଭରପୂର ଏହି ବ୍ରହ୍ମାଣ୍ଡରୂପ ମହାବୃକ୍ଷର ଏକମାତ୍ର ମୂଳ ଭଗବାନ ଶ୍ରୀକୃଷ୍ଣ ହିଁ
ଅଟନ୍ତି | ସେଥିପାଇଁ ତାଙ୍କର ପୂଜାରେ ସମସ୍ତ ଜୀବସମୁଦାୟର ଆତ୍ମା ତୃପ୍ତ ହୋଇଯାଏ |
ପୁରାଣ୍ୟନେନ
ସୃଷ୍ଟାନି ନୃତିର୍ୟଗୃଷିଦେବତାଃ ।
ଶେତେ ଜୀବେନ ରୂପେଣ
ପୁରେଷୁ ପୁରୁଷୋ ହ୍ୟସୌ ॥ ୩୭॥
ସେ ମନୁଷ୍ୟ, ପଶୁ-ପକ୍ଷୀ, ଋଷି ଏବଂ ଦେବତା
ଆଦିଙ୍କର ଶରୀରରୂପ ପୁରୀର ରଚୟିତା ଅଟନ୍ତି ତଥା ଜୀବ ରୂପରେ ସେ ସ୍ବୟଂ ସେହି ସବୁ ପୁରୀରେ ଶୟନ
ମଧ୍ୟ କରିଛନ୍ତି | ସେଥିପାଇଁ ତାଙ୍କର ଅନ୍ୟ ଏକ ନାମ ‘ପୁରୁଷ’ ଅଟେ |
ତେଷ୍ୱେଷୁ ଭଗବାନ୍
ରାଜଂସ୍ତାରତମ୍ୟେନ ବର୍ତତେ ।
ତସ୍ମାତ୍ପାତ୍ରଂ ହି
ପୁରୁଷୋ ଯାବାନାତ୍ମା ଯଥେୟତେ ॥ ୩୮॥
ଯୁଧିଷ୍ଠିର ! ଏକରସ
ହୋଇ ମଧ୍ୟ ଭଗବାନ ଏହି ମନୁଷ୍ୟାଦି ଶରୀରରେ ପ୍ରତୀତ ହେଉଥିବା ବିଭିନ୍ନତା କାରଣରୁ
ସେମାନଙ୍କଠାରେ ନ୍ୟୁନାଧିକରୂପରେ ପ୍ରକାଶମାନ ଅଟନ୍ତି | ସେଥିପାଇଁ ପଶୁ-ପକ୍ଷୀ ଆଦି ଶରୀର
ତୁଳନାରେ ମନୁଷ୍ୟ ଶରୀର ଶ୍ରେଷ୍ଠ ପାତ୍ର ଅଟେ | ମନୁଷ୍ୟ ମଧ୍ୟରେ ବି ଯେଉଁମାନଙ୍କଠାରେ
ଭଗବାନଙ୍କର ଅଂଶ – ତପ-ଯୋଗାଦି – ଯେତେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ, ସେମାନେ ସେତେ ଅଧିକ ଶ୍ରେଷ୍ଠ ଅଟନ୍ତି |
ଦୃଷ୍ଟ୍ୱା ତେଷାଂ
ମିଥୋ ନୃଣାମବଜ୍ଞାନାତ୍ମତାଂ ନୃପ ।
ତ୍ରେତାଦିଷୁ
ହରେରର୍ଚା କ୍ରିୟାୟୈ କବିଭିଃ କୃତା ॥ ୩୯॥
ଯୁଧିଷ୍ଠିର !
ତ୍ରେତା ଆଦି ଯୁଗରେ ବିଦ୍ବାନମାନେ ଯେତେବେଳେ ଦେଖିଲେ ଯେ ମନୁଷ୍ୟମାନେ ପରସ୍ପରର ଅପମାନ କରୁଛନ୍ତି, ସେତେବେଳେ ସେମାନେ ଉପାସନାର ସିଦ୍ଧି ନିମନ୍ତେ
ଭଗବାନଙ୍କର ପ୍ରତିମା ପ୍ରତିଷ୍ଠା କଲେ |
ତତୋଽର୍ଚାୟାଂ ହରିଂ
କେଚିତ୍ସଂଶ୍ରଦ୍ଧାୟ ସପର୍ୟଯା ।
ଉପାସତ ଉପାସ୍ତାପି
ନାର୍ଥଦା ପୁରୁଷଦ୍ୱିଷାମ୍ ॥ ୪୦॥
ସେହି ଦିନଠାରୁ
ଲୋକେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ବିଭିନ୍ନ ସାମଗ୍ରୀ ଦ୍ବାରା ପ୍ରତିମାରେ ହିଁ ଭଗବାନଙ୍କର ପୂଜା
କରିବାରେ ଲାଗିଲେ | କିନ୍ତୁ ଯେଉଁମାନେ ଅନ୍ୟ ମନୁଷ୍ୟ ପ୍ରତି ଦ୍ବେଷ କରନ୍ତି, ସେମାନଙ୍କୁ ସେହି ପ୍ରତିମାର ଉପାସନା ଦ୍ବାରା ସିଦ୍ଧି
ମିଳି ନ ଥାଏ |
ପୁରୁଷେଷ୍ୱପି
ରାଜେନ୍ଦ୍ର ସୁପାତ୍ରଂ ବ୍ରାହ୍ମଣଂ ବିଦୁଃ ।
ତପସା ବିଦ୍ୟଯା
ତୁଷ୍ଟ୍ୟା ଧତ୍ତେ ବେଦଂ ହରେସ୍ତନୁମ୍ ॥ ୪୧॥
ଯୁଧିଷ୍ଠିର !
ମନୁଷ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣମାନଙ୍କୁ ବିଶେଷ ସୁପାତ୍ର ମନେ କରାଯାଏ; କାରଣ ସେମାନେ ନିଜର ତପସ୍ୟା, ବିଦ୍ୟା ଏବଂ ସନ୍ତୋଷ ଆଦି ଗୁଣରେ ଭଗବାନଙ୍କର ବେଦରୂପ
ଶରୀରକୁ ଧାରଣ କରିଥାଆନ୍ତି |
ନନ୍ୱସ୍ୟ
ବ୍ରାହ୍ମଣା ରାଜନ୍ କୃଷ୍ଣସ୍ୟ ଜଗଦାତ୍ମନଃ ।
ପୁନନ୍ତଃ ପାଦରଜସା
ତ୍ରିଲୋକୀଂ ଦୈବତଂ ମହତ୍ ॥ ୪୨॥
ମହାରାଜ ! ଆମ-ତୁମ
କଥା କ’ଣ କହିବା, ଏହି ଯେଉଁ
ସର୍ବାତ୍ମା ଭଗବାନ ଶ୍ରୀକୃଷ୍ଣ, ବ୍ରାହ୍ମଣ ତାଙ୍କର
ମଧ୍ୟ ଇଷ୍ଟଦେବ ଅଟନ୍ତି | କାରଣ ସେମାନଙ୍କ ଚରଣ-ଧୂଳିରେ ତ୍ରିଲୋକ ପବିତ୍ର ହୋଇଥାଏ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ସଦାଚାରନିର୍ଣୟୋ ନାମ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

Comments
Post a Comment