ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଦ୍ବିତୀୟ ଅଧ୍ୟାୟ

ଗ୍ରାହ - କବଳିତ ଗଜେନ୍ଦ୍ର

 

ଶ୍ରୀଶୁକ ଉବାଚ

ଆସୀଦ୍ଗିରିବରୋ ରାଜଂସ୍ତ୍ରିକୂଟ ଇତି ବିଶ୍ରୁତଃ ।

କ୍ଷୀରୋଦେନାବୃତଃ ଶ୍ରୀମାନ୍ ଯୋଜନାୟୁତମୁଚ୍ଛ୍ରିତଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! କ୍ଷୀରସାଗରରେ ତ୍ରିକୂଟ ନାମକ ଏକ ପ୍ରସିଦ୍ଧ, ସୁନ୍ଦର ଏବଂ ଶ୍ରେଷ୍ଠ ପର୍ବତ ଥିଲା | ତାହାର ଉଚ୍ଚତା ଦଶ ହଜାର ଯୋଜନ ଥିଲା |

ତାବତା ବିସ୍ତୃତଃ ପର୍ୟକ୍ ତ୍ରିଭିଃ ଶୃଙ୍ଗୈଃ ପୟୋନିଧିମ୍ ।

ଦିଶଃ ଖଂ ରୋଚୟନ୍ନାସ୍ତେ ରୌପ୍ୟାୟସହିରଣ୍ମୟୈଃ ॥ ୨॥

ଦୈର୍ଘ୍ୟ ଏବଂ ପ୍ରସ୍ଥରେ ମଧ୍ୟ ତାହା ସମ ପରିମାଣ ବିଶିଷ୍ଟ ଥିଲା | ତାହାର ରୌପ୍ୟ, ଲୌହ ଏବଂ ସୁବର୍ଣ୍ଣ – ଏହି ତିନି ଶିଖରର ଆଭାରେ ସମୁଦ୍ର, ଦିଶା ଏବଂ ଆକାଶ ଜଗମଗ ହେଉଥିଲା |

ଅନ୍ୟୈଶ୍ଚ କକୁଭଃ ସର୍ୱା ରତ୍ନଧାତୁବିଚିତ୍ରିତୈଃ ।

ନାନାଦ୍ରୁମଲତାଗୁଲ୍ମୈର୍ନିର୍ଘୋଷୈର୍ନିର୍ଝରାମ୍ଭସାମ୍ ॥ ୩॥

ଏତଦବ୍ୟତିତ ତାହାର ଏପରି ଅନେକ ଶିଖର ଥିଲା, ଯାହା ରତ୍ନ ଏବଂ ଧାତୁମାନଙ୍କର ରଙ୍ଗ-ବେରଙ୍ଗ ଆଭା ବିକିରଣ କରି ଚତୁର୍ଦ୍ଦିଗକୁ ପ୍ରକାଶିତ କରୁଥିଲା | ତହିଁରେ ବିବିଧ ଜାତିର ବୃକ୍ଷ, ଲତା ଏବଂ କୁଂଜ ରହିଥିଲା | ଝରଣାମାନଙ୍କର ଝର-ଝର ଶବ୍ଦରେ ତାହା ଗୁଂଜାୟମାନ ଥିଲା |

ସ ଚାବନିଜ୍ୟମାନାଙ୍ଘ୍ରିଃ ସମନ୍ତାତ୍ପୟଊର୍ମିଭିଃ ।

କରୋତି ଶ୍ୟାମଲାଂ ଭୂମିଂ ହରିଣ୍ମରକତାଶ୍ମଭିଃ ॥ ୪॥

ସବୁ ଦିଗରୁ ସମୁଦ୍ରର ଲହରୀମାଳା ସେହି ପର୍ବତର ପାଦଦେଶରେ ପିଟି ହେଉଥିଲା, ମନେ ହେଉଥିଲା ସତେ ଯେପରି ସେମାନେ ପର୍ବତରାଜର ପଦପ୍ରକ୍ଷାଳନ କରୁଛନ୍ତି | ସେହି ପର୍ବତର ସବୁଜ ପନ୍ନା ପଥର ତାହାର ଭୂମିକୁ ଈଷତ୍ ଶ୍ୟାମଳ କରି ଦେଉଥିଲା, ମନେ ହେଉଥିଲା ସତେ ଯେପରି ତାହା ସବୁଜ ଦୁବ-ଘାସରେ ଭରିଯାଇଛି |

ସିଦ୍ଧଚାରଣଗନ୍ଧର୍ୱବିଦ୍ୟାଧରମହୋରଗୈଃ ।

କିନ୍ନରୈରପ୍ସରୋଭିଶ୍ଚ କ୍ରୀଡଦ୍ଭିର୍ଜୁଷ୍ଟକନ୍ଦରଃ ॥ ୫॥

ତାହାର କନ୍ଦରାମାନଙ୍କରେ ସିଦ୍ଧ, ଚାରଣ, ଗନ୍ଧର୍ବ, ବିଦ୍ୟାଧର, ନାଗ, କିନ୍ନର ଏବଂ ଅପ୍ସରା ଆଦି ପ୍ରାୟତଃ ବିହାର କରୁଥାଆନ୍ତି |

ଯତ୍ର ସଙ୍ଗୀତସନ୍ନାଦୈର୍ନଦଦ୍ଗୁହମମର୍ଷୟା ।

ଅଭିଗର୍ଜନ୍ତି ହରୟଃ ଶ୍ଲାଘିନଃ ପରଶଙ୍କୟା ॥ ୬॥

ସେମାନଙ୍କର ସଙ୍ଗୀତର ଧ୍ବନି ଚଟାଣରେ ଆଘାତ ପାଇ ଯେତେବେଳେ ପର୍ବତ ଗୁମ୍ଫାମାନଙ୍କରେ ପ୍ରତିଧ୍ବନିତ ହୋଇଥାଏ, ସେତେବେଳେ ଗର୍ବୋଦ୍ଧତ ସିଂହମାନେ ତାହାକୁ ଅନ୍ୟ ସିଂହର ଗର୍ଜନ ମନେକରି ଅସହିଷ୍ଣୁ ହୋଇ ଉଠନ୍ତି ଏବଂ ତାକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଆହୁରି ଜୋରରେ ଗର୍ଜନ କରିବାରେ ଲାଗନ୍ତି |

ନାନାରଣ୍ୟପଶୁବ୍ରାତସଙ୍କୁଲଦ୍ରୋଣ୍ୟଲଙ୍କୃତଃ ।

ଚିତ୍ରଦ୍ରୁମସୁରୋଦ୍ୟାନକଲକଣ୍ଠବିହଙ୍ଗମଃ ॥ ୭॥

ସେହି ପର୍ବତର ଉପତ୍ୟକା ନାନାବିଧ ବଣ୍ୟପଶୁଙ୍କର ଦଳରେ ସୁଶୋଭିତ ରହୁଥିଲା | ଅନେକ ପ୍ରକାରର ବୃକ୍ଷରାଜିରେ ଭରା ଦେବତାମାନଙ୍କର ସେହି ଉଦ୍ୟାନରେ ପକ୍ଷୀମାନେ ମଧୁର କଣ୍ଠରେ କଳରବ କରି ଡେଇଁ ବୁଲୁଥିଲେ |

ସରିତ୍ସରୋଭିରଚ୍ଛୋଦୈଃ ପୁଲିନୈର୍ମଣିବାଲୁକୈଃ ।

ଦେବସ୍ତ୍ରୀମଜ୍ଜନାମୋଦସୌରଭାମ୍ବ୍ୱନିଲୈର୍ୟୁତଃ ॥ ୮॥

ସେହି ପର୍ବତରେ ଅତ୍ୟନ୍ତ ନିର୍ମଳ ଜଳଯୁକ୍ତ ବହୁତ ନଦୀ ଏବଂ ସରୋବର ଥିଲା ଯାହାର ତଟଦେଶରେ ଥିବା ବାଲୁକା ମଣିଯୁକ୍ତ ହୋଇ ଚମକିବାରେ ଲାଗିଥିଲା | ସେହି ଜଳରେ ଦେବାଙ୍ଗନାମାନେ ସ୍ନାନ କରୁଥିବା ଯୋଗୁଁ ତାହା ସୁଗନ୍ଧିତ ରହୁଥିଲା ଏବଂ ତାହା ଚତୁର୍ପାର୍ଶ୍ବର ବାୟୁକୁ ମଧ୍ୟ ସୁରଭୀତ କରି ଦେଉଥିଲା |

ତସ୍ୟ ଦ୍ରୋଣ୍ୟାଂ ଭଗବତୋ ବରୁଣସ୍ୟ ମହାତ୍ମନଃ ।

ଉଦ୍ୟାନମୃତୁମନ୍ନାମ ଆକ୍ରୀଡଂ ସୁରୟୋଷିତାମ୍ ॥ ୯॥

ପର୍ବତରାଜ ତ୍ରିକୂଟର ପାଦଦେଶରେ ଭଗବତ୍-ପ୍ରେମୀ ମହାତ୍ମା ଭଗବାନ ବରୁଣଙ୍କର ଏକ ଉଦ୍ୟାନ ଥିଲା | ତାହାର ନାମ ଥିଲା ଋତୁମାନ୍ | ଦେବାଙ୍ଗନାମାନେ ସେଠାରେ କ୍ରୀଡା କରୁଥିଲେ |

ସର୍ୱତୋଽଲଙ୍କୃତଂ ଦିବ୍ୟୈର୍ନିତ୍ୟଂ ପୁଷ୍ପଫଲଦ୍ରୁମୈଃ ।

ମନ୍ଦାରୈଃ ପାରିଜାତୈଶ୍ଚ ପାଟଲାଶୋକଚମ୍ପକୈଃ ॥ ୧୦॥

ଚୂତୈଃ ପ୍ରିୟାଲୈଃ ପନସୈରାମ୍ରୈରାମ୍ରାତକୈରପି ।

କ୍ରମୁକୈର୍ନାଲିକେରୈଶ୍ଚ ଖର୍ଜୂରୈର୍ବୀଜପୂରକୈଃ ॥ ୧୧॥

ମଧୂକୈଃ ଶାଲତାଲୈଶ୍ଚ ତମାଲୈରସନାର୍ଜୁନୈଃ ।

ଅରିଷ୍ଟୋଦୁମ୍ବରପ୍ଲକ୍ଷୈର୍ୱଟୈଃ କିଂଶୁକଚନ୍ଦନୈଃ ॥ ୧୨॥

ପିଚୁମନ୍ଦୈଃ କୋବିଦାରୈଃ ସରଲୈଃ ସୁରଦାରୁଭିଃ ।

ଦ୍ରାକ୍ଷେକ୍ଷୁରମ୍ଭାଜମ୍ବୂଭିର୍ବଦର୍ୟକ୍ଷାଭୟାମଲୈଃ ॥ ୧୩॥

ବିଲ୍ୱୈଃ କପିତ୍ଥୈର୍ଜମ୍ବୀରୈର୍ୱୃତୋ ଭଲ୍ଲାତକାଦିଭିଃ ।

ତସ୍ମିନ୍ ସରଃ ସୁବିପୁଲଂ ଲସତ୍କାଞ୍ଚନପଙ୍କଜମ୍ ॥ ୧୪॥

ସେଠାରେ ସର୍ବତ୍ର ଏପରି ସବୁ ଦିବ୍ୟ ବୃକ୍ଷ ଶୋଭାୟମାନ ଥିଲେ, ଯାହା ସର୍ବଦା ଫଳ ଏବଂ ଫୁଲରେ ଭରା ରହୁଥିଲା | ସେହି ଉଦ୍ୟାନରେ ମନ୍ଦାର, ପାରିଜାତ, ଗୋଲାପ, ଅଶୋକ, ଚମ୍ପା, ଅନେକ ପ୍ରକାରର ଆମ୍ବ, ପଣସ, ଆମ୍ବଡା, ଗୁଆ, ନଡିଆ, ଖଜୁରୀ, କମଳା ଲେମ୍ବୁ, ତାଳ, ତମାଳ, ଅର୍ଜୁନ, ରୀଠା, ଡିମ୍ବିରି, ବର, ଅଶ୍ବତ୍ଥ, ପଲାସ, ଚନ୍ଦନ, ନିମ, କଚନାର, ସାଳ, ଦେବଦାରୁ, ଆଖୁ, କଦଳୀ, ଜାମୁ, ବରକୋଳି, ରୁଦ୍ରାକ୍ଷ, ଅଁଳା, ବେଲ, କଇଥ, ଲେମ୍ବୁ ଏବଂ ଭାଲିଆ ଆଦି ବୃକ୍ଷ ଲହରୀ ଖେଳୁଥିଲେ | ସେହି ଉଦ୍ୟାନରେ ଏକ ବହୁତ ବଡ ସରୋବର ଥିଲା, ଯହିଁରେ ସୁବର୍ଣ୍ଣ ରଙ୍ଗର କମଳ ପ୍ରସ୍ଫୁଟିତ ଥିଲା |

କୁମୁଦୋତ୍ପଲକହ୍ଲାରଶତପତ୍ରଶ୍ରିୟୋର୍ଜିତମ୍ ।

ମତ୍ତଷଟ୍ପଦନିର୍ଘୁଷ୍ଟଂ ଶକୁନ୍ତୈଶ୍ଚ କଲସ୍ୱନୈଃ ॥ ୧୫॥

ହଂସକାରଣ୍ଡବାକୀର୍ଣଂ ଚକ୍ରାହ୍ୱୈଃ ସାରସୈରପି ।

ଜଲକୁକ୍କୁଟକୋୟଷ୍ଟିଦାତ୍ୟୂହକୁଲକୂଜିତମ୍ ॥ ୧୬॥

ମତ୍ସ୍ୟକଚ୍ଛପସଞ୍ଚାରଚଲତ୍ପଦ୍ମରଜଃପୟଃ ।

କଦମ୍ବବେତସନଲନୀପବଞ୍ଜୁଲକୈର୍ୱୃତମ୍ ॥ ୧୭॥

ଏତଦବ୍ୟତିତ ବିବିଧ ଜାତିର କୁମୁଦ, ଉତ୍ପଳ, କହ୍ଲାର, ଶତଦଳ ଆଦି କମଳର ଅପୂର୍ବ ଶୋଭାରେ ତାହା ପରିପୂର୍ଣ୍ଣ ଥିଲା | ମତୁଆଲା ଭ୍ରମରମାନେ ଗୁଂଜାର କରୁଥିଲେ | ମନୋହର ପକ୍ଷୀମାନେ କଳରବ ସୃଷ୍ଟି କରୁଥିଲେ | ହଂସ, କାରଣ୍ଡବ, ଚକ୍ରବାକ ଏବଂ ସାରସ ଦଳ ଦଳ ହୋଇ ଘୂରି ବୁଲୁଥିଲେ | ପନଡୁବ୍ବୀ, ବତକ ଏବଂ ଚାତକ ପକ୍ଷୀମାନେ କୂଜନ କରୁଥିଲେ | ମାଛ ଏବଂ କଇଁଚମାନେ ଘୂରି ବୁଲିବା ଫଳରେ କମଳ ପୁଷ୍ପରେ ଦୋଳନ ସୃଷ୍ଟି ହେଉଥିଲା, ଯଦ୍ବାରା ସେମାନଙ୍କର ପରାଗ ଝଡି ଜଳକୁ ସୁନ୍ଦର ଏବଂ ସୁଗନ୍ଧିତ କରି ଦେଉଥିଲା | ସରୋବରଟି କଦମ୍ବ, ବେତ, ନରକୋଳି, ବେନ ଆଦି ବୃକ୍ଷରେ ପରିବେଷ୍ଟିତ ଥିଲା |

କୁନ୍ଦୈଃ କୁରବକାଶୋକୈଃ ଶିରୀଷୈଃ କୁଟଜେଙ୍ଗୁଦୈଃ ।

କୁବ୍ଜକୈଃ ସ୍ୱର୍ଣୟୂଥୀଭିର୍ନାଗପୁନ୍ନାଗଜାତିଭିଃ ॥ ୧୮॥

ମଲ୍ଲିକାଶତପତ୍ରୈଶ୍ଚ ମାଧବୀଜାଲକାଦିଭିଃ ।

ଶୋଭିତଂ ତୀରଜୈଶ୍ଚାନ୍ୟୈର୍ନିତ୍ୟର୍ତୁଭିରଲଂ ଦ୍ରୁମୈଃ ॥ ୧୯॥

କୁନ୍ଦ, କୁରବକ, ଅଶୋକ, ସିରସ, ବନମଲ୍ଲୀ, ହରସିଂଗାର, ଜୂହୀ, ନାଗ, ପୁନ୍ନାଗ, ମଲ୍ଲିକା, ଶତପତ୍ର, ମାଧବୀ ଏବଂ ମୋଗରା ଆଦି ସୁନ୍ଦର-ସୁନ୍ଦର ପୁଷ୍ପବୃକ୍ଷ, ଯାହା ସବୁ ଋତୁରେ ପୁଷ୍ପମଣ୍ଡିତ ରହୁଥିଲା, ସେହି ସରୋବର ଶୋଭାୟମାନ ଥିଲା |

ତତ୍ରୈକଦା ତଦ୍ଗିରିକାନନାଶ୍ରୟଃ

କରେଣୁଭିର୍ୱାରଣୟୂଥପଶ୍ଚରନ୍ ।

ସକଣ୍ଟକାନ୍ କୀଚକବେଣୁବେତ୍ରବ-

ଦ୍ୱିଶାଲଗୁଲ୍ମଂ ପ୍ରରୁଜନ୍ ବନସ୍ପତୀନ୍ ॥ ୨୦॥

ସେହି ପର୍ବତର ଘୋର ଜଙ୍ଗଲରେ ଅନେକ ହସ୍ତିନୀଙ୍କ ସହିତ ଜଣେ ଗଜେନ୍ଦ୍ର ନିବାସ କରୁଥିଲା | ବଡ-ବଡ ଶକ୍ତିଶାଳୀ ହାତୀମାନଙ୍କର ସେ ସର୍ଦ୍ଦାର ଥିଲା | ଦିନେ ସେ ସେହି ପର୍ବତରେ ନିଜ ହସ୍ତିନୀମାନଙ୍କ ଗହଣରେ କଣ୍ଟକଯୁକ୍ତ କୀଚକ, ବାଉଁଶ, ବେତ ଆଦିର ବଡ-ବଡ ବୁଦା ଏବଂ ଗଛକୁ ଦଳି-ଚକଟି ଘୂରି ବୁଲୁଥିଲା |

ଯଦ୍ଗନ୍ଧମାତ୍ରାଦ୍ଧରୟୋ ଗଜେନ୍ଦ୍ରା

ବ୍ୟାଘ୍ରାଦୟୋ ବ୍ୟାଲମୃଗାଃ ସଖଡ୍ଗାଃ ।

ମହୋରଗାଶ୍ଚାପି ଭୟାଦ୍ଦ୍ରବନ୍ତି

ସଗୌରକୃଷ୍ଣାଃ ଶରଭାଶ୍ଚମର୍ୟଃ ॥ ୨୧॥

ତାର ଗନ୍ଧ ବାରି ସିଂହ, ହାତୀ, ବାଘ, ଗଣ୍ଡା ଆଦି ହିଂସ୍ର ଜନ୍ତୁ ତଥା ନାଗ, ଶ୍ବେତ-କୃଷ୍ଣ ଶରଭ ଏବଂ ଚମରୀ ଗାଈ ଆଦି ଭୟରେ ଧାଇଁ ପଳାଉଥିଲେ |

ବୃକା ବରାହା ମହିଷର୍କ୍ଷଶଲ୍ୟା

ଗୋପୁଚ୍ଛସାଲାବୃକମର୍କଟାଶ୍ଚ ।

ଅନ୍ୟତ୍ର କ୍ଷୁଦ୍ରା ହରିଣାଃ ଶଶାଦୟ-

ଶ୍ଚରନ୍ତ୍ୟଭୀତା ଯଦନୁଗ୍ରହେଣ ॥ ୨୨॥

ତାର କୃପାରୁ ଗଧିଆ, ଶୂକର, ମଇଁଷି, ଭାଲୁ, ନେଉଳ, ମାଙ୍କଡ, କୁକୁର, ହରିଣ ଏବଂ ଠେକୁଆ ଆଦି କ୍ଷୁଦ୍ର ଜୀବ ସେହି ଜଙ୍ଗଲରେ ନିର୍ଭୟରେ ବିଚରଣ କରୁଥିଲେ |

ସ ଘର୍ମତପ୍ତଃ କରିଭିଃ କରେଣୁଭି-

ର୍ୱୃତୋ ମଦଚ୍ୟୁତ୍କରଭୈରନୁଦ୍ରୁତଃ ।

ଗିରିଂ ଗରିମ୍ଣା ପରିତଃ ପ୍ରକମ୍ପୟନ୍

ନିଷେବ୍ୟମାଣୋଽଲିକୁଲୈର୍ମଦାଶନୈଃ ॥ ୨୩॥

ସରୋଽନିଲଂ ପଙ୍କଜରେଣୁରୂଷିତଂ

ଜିଘ୍ରନ୍ ବିଦୂରାନ୍ମଦବିହ୍ୱଲେକ୍ଷଣଃ ।

ବୃତଃ ସ୍ୱୟୂଥେନ ତୃଷାର୍ଦିତେନ ତତ୍

ସରୋବରାଭ୍ୟାଶମଥାଗମଦ୍ଦ୍ରୁତମ୍ ॥ ୨୪॥

ଛୋଟ-ଛୋଟ ହାତୀ-ଛୁଆମାନେ ତାର ପଛେ-ପଛେ ଚାଲିଥିଲେ ଏବଂ ବଡ-ବଡ ହସ୍ତୀ ଓ ହସ୍ତିନୀ ତାକୁ ଘେରି ଚାଲିଥିଲେ | ତାର ପଦପାତରେ ପୂରା ପାହାଡ କମ୍ପି ଉଠୁଥିଲା | ତାର ଗଣ୍ଡସ୍ଥଳରୁ ଝରୁଥିବା ମଦ ପାନ କରିବା ପାଇଁ ଭ୍ରମରମାନେ ତାର ମୁଖ ଚତୁର୍ପାର୍ଶ୍ବରେ ଉଡି ବୁଲୁଥିଲେ | ମଦନିଶାରେ ତାର ନେତ୍ର ବିହ୍ବଳ ଥିଲା | ବାହାରେ ରୌଦ୍ରତାପ ପ୍ରବଳ ଥିଲା | ସେଥିରେ ବ୍ୟାକୁଳ ହୋଇ ସେ ଏବଂ ତାର ସାଥୀମାନେ ତୃଷାରେ ଅତିଷ୍ଠ ହୋଇ ଉଠିଲେ | ସେହି ସମୟରେ ଦୂରରୁ କମଳ-ପରାଗରେ ସୁବାସିତ ବାୟୁର ଆଘ୍ରାଣ କରି ସେମାନେ ସେହି ସରୋବର ଅଭିମୁଖରେ ଚାଲିଲେ, ଯାହାର ଶୀତଳତା ଏବଂ ସୁଗନ୍ଧ ବହନ କରି ବାୟୁ ପ୍ରବାହିତ ହେଉଥିଲା | କ୍ଷିପ୍ର ପଦଚାଳନ କରି ସେ ଖୁବ୍ ଶୀଘ୍ର ସେହି ସରୋବର ତଟରେ ପହଞ୍ଚି ଗଲା |

ବିଗାହ୍ୟ ତସ୍ମିନ୍ନମୃତାମ୍ବୁ ନିର୍ମଲଂ

ହେମାରବିନ୍ଦୋତ୍ପଲରେଣୁବାସିତମ୍ ।

ପପୌ ନିକାମଂ ନିଜପୁଷ୍କରୋଦ୍ଧୃତ-

ମାତ୍ମାନମଦ୍ଭିଃ ସ୍ନପୟନ୍ ଗତକ୍ଲମଃ ॥ ୨୫॥

ସେହି ସରୋବରର ଜଳ ଅତ୍ୟନ୍ତ ନିର୍ମଳ ଏବଂ ଅମୃତ ତୁଲ୍ୟ ମଧୁର ଥିଲା | ସୁନେଲୀ ଏବଂ ରକ୍ତ କମଳର କେଶରରେ ତାହା ମହକି ଉଠୁଥିଲା | ପ୍ରଥମେ ତ ଗଜେନ୍ଦ୍ର ତହିଁରେ ପ୍ରବେଶ କରି ନିଜ ଶୁଣ୍ଢରେ ଉଠାଇ ମନଭରି ଜଳ ପାନ କଲା, ତାପରେ ସେହି ଜଳରେ ସ୍ନାନ କରି ସେ ନିଜର କ୍ଲାନ୍ତି ଦୂର କଲା |

ସ୍ୱପୁଷ୍କରେଣୋଦ୍ଧୃତଶୀକରାମ୍ବୁଭି-

ର୍ନିପାୟଯନ୍ ସଂସ୍ନପୟନ୍ ଯଥା ଗୃହୀ ।

ଘୃଣୀ କରେଣୁଃ କଲଭାଂଶ୍ଚ ଦୁର୍ମଦୋ

ନାଚଷ୍ଟ କୃଚ୍ଛ୍ରଂ କୃପଣୋଽଜମାୟଯା ॥ ୨୬॥

ଗୃହସ୍ଥ ପୁରୁଷମାନଙ୍କ ପରି ମୋହଗ୍ରସ୍ତ ହୋଇ ଗଜେନ୍ଦ୍ର ନିଜ ଶୁଣ୍ଢରେ ଜଳ ବର୍ଷଣ କରି ସାଥୀ ହସ୍ତିନୀ ତଥା ଶିଶୁମାନଙ୍କୁ ସ୍ନାନ କରାଇବାରେ ଲାଗିଲା ଏବଂ ସେମାନଙ୍କ ମୁହଁରେ ଶୁଣ୍ଢ ଭର୍ତ୍ତି କରି ସେମାନଙ୍କୁ ଜଳ ପାନ କରାଇଲା | ଭଗବାନଙ୍କ ମାୟାରେ ମୋହିତ ହୋଇ ଗଜେନ୍ଦ୍ର ଉନ୍ମତ୍ତ ହୋଇ ଉଠିଥିଲା | ତା ମୁଣ୍ଡ ଉପରେ ଯେ ବହୁତ ବଡ ବିପତ୍ତି ଘୂରି ବୁଲୁଛି, ସେହି ବିଷୟରେ ସେ ବିଚରାର କୌଣସି ଧାରଣ ନ ଥିଲା |

ତଂ ତତ୍ର କଶ୍ଚିନ୍ନୃପ ଦୈବଚୋଦିତୋ

ଗ୍ରାହୋ ବଲୀୟାଂଶ୍ଚରଣେ ରୁଷାଗ୍ରହୀତ୍ ।

ଯଦୃଚ୍ଛୟୈବଂ ବ୍ୟସନଂ ଗତୋ ଗଜୋ

ଯଥାବଲଂ ସୋଽତିବଲୋ ବିଚକ୍ରମେ ॥ ୨୭॥

ପରୀକ୍ଷିତ ! ସେହି ଗଜେନ୍ଦ୍ର ଏପରି ଉନ୍ମତ୍ତ ହେଉଥିବା ବେଳେ ପ୍ରାରବ୍ଧର ପ୍ରେରଣରେ ଏକ ବଳବାନ କୁମ୍ଭୀର ଖୁବ୍ ଜୋରରେ ତାର ପାଦକୁ ଧରିନେଲା | ଅକସ୍ମାତ୍ ଏପରି ବିପତ୍ତିରେ ପଡିବାରୁ ବଳବାନ ଗଜେନ୍ଦ୍ର ନିଜ ଶକ୍ତି ବିନିଯୋଗ କରି ପାଦକୁ ଗ୍ରାହ ମୁହଁରୁ ଛଡାଇବାକୁ ଚେଷ୍ଟା କଲା, କିନ୍ତୁ ଛଡାଇ ପାରିଲା ନାହିଁ | 

ତଥାଽଽତୁରଂ ଯୂଥପତିଂ କରେଣବୋ

ବିକୃଷ୍ୟମାଣଂ ତରସା ବଲୀୟସା ।

ବିଚୁକ୍ରୁଶୁର୍ଦୀନଧିୟୋଽପରେ ଗଜାଃ

ପାର୍ଷ୍ଣିଗ୍ରହାସ୍ତାରୟିତୁଂ ନ ଚାଶକନ୍ ॥ ୨୮॥

ଅନ୍ୟ ହସ୍ତୀ, ହସ୍ତିନୀ ଏବଂ ସେମାନଙ୍କର ଶିଶୁମାନେ ଦେଖିଲେ, ବଳବାନ ଗ୍ରାହ ତାଙ୍କ ସ୍ବାମୀଙ୍କୁ ପ୍ରବଳ ବେଗରେ ଟାଣିବାରେ ଲାଗିଛି | ସେମାନେ ଦୁଃଖରେ ବ୍ୟତିବ୍ୟସ୍ତ ହୋଇ ଉଠିଲେ ଏବଂ ବ୍ୟାକୁଳ ହୋଇ ସେମାନେ ନିଜର ଶୁଣ୍ଢ ଉଠାଇ ଗର୍ଜନ କରିବାରେ ଲାଗିଲେ | ସେମାନଙ୍କ ମଧ୍ୟରୁ ବହୁତ ଜଣ ଗଜେନ୍ଦ୍ରକୁ ଟାଣି ବାହାର କରିବାକୁ ଚେଷ୍ଟା କଲେ, କିନ୍ତି କେହି ମଧ୍ୟ ସମର୍ଥ ହେଲେନାହିଁ |

ନିୟୁଧ୍ୟତୋରେବମିଭେନ୍ଦ୍ରନକ୍ରୟୋ-

ର୍ୱିକର୍ଷତୋରନ୍ତରତୋ ବହିର୍ମିଥଃ ।

ସମାଃ ସହସ୍ରଂ ବ୍ୟଗମନ୍ ମହୀପତେ

ସପ୍ରାଣୟୋଶ୍ଚିତ୍ରମମଂସତାମରାଃ ॥ ୨୯॥

ଉଭୟ ଗଜେନ୍ଦ୍ର ଏବଂ ଗ୍ରାହ ନିଜ-ନିଜର ପୂର୍ଣ୍ଣ ଶକ୍ତି ବିନିଯୋଗ କରି ସଂଘର୍ଷ କରିବାରେ ଲାଗିଥାଆନ୍ତି | କେତେବେଳେ ଗଜେନ୍ଦ୍ର ଗ୍ରାହକୁ ବାହାରକୁ ଟାଣି ଆଣୁଥାଏ ତ କେତେବେଳେ ଗ୍ରାହ ଗଜେନ୍ଦ୍ରକୁ ଭିତରକୁ ଟାଣି ନେଉଥାଏ | ଏହିପରି ଲଢାଇ କରି କରି ଏକ ହଜାର ବର୍ଷ ବିତିଗଲା; ସେଥିରେ ଉଭୟ ପକ୍ଷ ବିଜୟୀ ରହିଥାଆନ୍ତି | ସେହି ଘଟଣାର ଅବଲୋକନ କରି ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଗଲେ |

ତତୋ ଗଜେନ୍ଦ୍ରସ୍ୟ ମନୋବଲୌଜସାଂ

କାଲେନ ଦୀର୍ଘେଣ ମହାନଭୂଦ୍ୱ୍ୟଯଃ ।

ବିକୃଷ୍ୟମାଣସ୍ୟ ଜଲେଽବସୀଦତୋ

ବିପର୍ୟଯୋଽଭୂତ୍ସକଲଂ ଜଲୌକସଃ ॥ ୩୦॥

ଶେଷରେ ବାରମ୍ବାର ଜଳ ମଧ୍ୟରେ ଟଣାଓଟରା ସହି ଗଜେନ୍ଦ୍ରର ଶରୀର ଶିଥିଳ ହୋଇଗଲା | ତାର ଶରୀରରେ ବଳ ରହିଲା ନାହିଁ କି ମନରେ ଉତ୍ସାହ ରହିଲା ନାହିଁ | ଶକ୍ତି କ୍ରମଶଃ କ୍ଷୀଣ ହେବାରେ ଲାଗିଲା | ଗ୍ରାହ ତ ଜଳଚର ଥିଲା, ସେଥିପାଇଁ ତାର ଶକ୍ତି କ୍ଷୀଣ ହେବା ପରିବର୍ତ୍ତେ ବୃଦ୍ଧି ଲାଭ କରିଥିଲା | ସେ ପ୍ରବଳ ଉତ୍ସାହରେ ଅଧିକ ବଳ ବିନିଯୋଗ କରି ଗଜେନ୍ଦ୍ରକୁ ଟାଣିବାରେ ଲାଗିଥାଏ |

ଇତ୍ଥଂ ଗଜେନ୍ଦ୍ରଃ ସ ଯଦାଽଽପ ସଙ୍କଟଂ

ପ୍ରାଣସ୍ୟ ଦେହୀ ବିବଶୋ ଯଦୃଚ୍ଛୟା ।

ଅପାରୟନ୍ନାତ୍ମବିମୋକ୍ଷଣେ ଚିରଂ

ଦଧ୍ୟାବିମାଂ ବୁଦ୍ଧିମଥାଭ୍ୟପଦ୍ୟତ ॥ ୩୧॥

ଏହିପରି ଭାବରେ ଦେହାଭିମାନୀ ଗଜେନ୍ଦ୍ର ଅକସ୍ମାତ୍ ପ୍ରାଣସଂକଟରେ ପଡିଗଲା ଏବଂ ନିଜକୁ ରକ୍ଷା କରିବାକୁ ସର୍ବତୋ ଭାବରେ ଅସମର୍ଥ ହୋଇଗଲା | ବହୁତ ସମୟ ଯାଏଁ ସେ ନିଜକୁ ମୁକ୍ତ କରିବାର ଭିନ୍ନ ଭିନ୍ନ ଉପାୟ ବିଷୟରେ ଚିନ୍ତା କଲା ଏବଂ ଶେଷରେ ଏହି ନିଶ୍ଚୟରେ ଉପନୀତ ହେଲା -

ନ ମାମିମେ ଜ୍ଞାତୟ ଆତୁରଂ ଗଜାଃ

କୁତଃ କରିଣ୍ୟଃ ପ୍ରଭବନ୍ତି ମୋଚିତୁମ୍ ।

ଗ୍ରାହେଣ ପାଶେନ ବିଧାତୁରାବୃତୋ-

ଽପ୍ୟହଂ ଚ ତଂ ଯାମି ପରଂ ପରାୟଣମ୍ ॥ ୩୨॥

‘ଏହି ଗ୍ରାହ ବିଧାତାର ଫାଶୀ ହିଁ ଅଟେ | ଏଥିରେ ବାନ୍ଧି ହୋଇ ମୁଁ ଆତୁର ହେଉଛି | ମୋ ସମକକ୍ଷ ହାତୀମାନେ ଯେଉଁଠି ମୋତେ ଏହି ବିପତ୍ତିରୁ ଉଦ୍ଧାର କରିପାରିଲେ ନାହିଁ, ସେଇଠି ଏହି ବିଚାରୀ ହସ୍ତିନୀମାନେ ମୋତେ ରକ୍ଷା କରିବେ କିପରି ? ତେଣୁ ଏବେ ମୁଁ ସମ୍ପୂର୍ଣ୍ଣ ବିଶ୍ବର ଏକମାତ୍ର ଆଶ୍ରୟ ଭଗବାନଙ୍କର ହିଁ ଶରଣ ଗ୍ରହଣ କରୁଛି |

ଯଃ କଶ୍ଚନେଶୋ ବଲିନୋଽନ୍ତକୋରଗା-

ତ୍ପ୍ରଚଣ୍ଡବେଗାଦଭିଧାବତୋ ଭୃଶମ୍ ।

ଭୀତଂ ପ୍ରପନ୍ନଂ ପରିପାତି ଯଦ୍ଭୟା-

ନ୍ମୃତ୍ୟୁଃ ପ୍ରଧାବତ୍ୟରଣଂ ତମୀମହି ॥ ୩୩॥

କାଳ ଅତ୍ୟନ୍ତ ବଳବାନ ଅଟେ | ସର୍ପ ସଦୃଶ ଏହା ପ୍ରବଳ ବେଗରେ ସମସ୍ତଙ୍କୁ ଗ୍ରାସ କରିବାକୁ ଧାବମାନ | ଏହା ଦ୍ବାର ଭୟଭୀତ ହୋଇ ଯିଏ ବି ଭଗବାନଙ୍କର ଶରଣ ଗ୍ରହଣ କରେ, ସେହି ପ୍ରଭୁ ତାକୁ ନିଶ୍ଚିତଭାବରେ ରକ୍ଷା କରିଥାଆନ୍ତି | ତାଙ୍କ ଭୟରେ ଭୟଭୀତ ହୋଇ ମୃତ୍ୟୁ ମଧ୍ୟ ଯଥାଯଥ ନିଜ କାମ କରିଥାଏ | ସେହି ପ୍ରଭୁ ସମସ୍ତଙ୍କର ଆଶ୍ରୟ ଅଟନ୍ତି; ମୁଁ ତାଙ୍କର ଶରଣ ଗ୍ରହଣ କରୁଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଅଷ୍ଟମସ୍କନ୍ଧେ

ମନ୍ୱନ୍ତରାନୁବର୍ଣନେ ଗଜେନ୍ଦ୍ରୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ॥ ୨॥

Comments

Popular posts from this blog