ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ପଞ୍ଚମ ଅଧ୍ୟାୟ

ଦେବତାମାନଙ୍କର ବ୍ରହ୍ମାଙ୍କ ପାଖକୁ ଗମନ ଏବଂ ବ୍ରହ୍ମାକୃତ ଭଗବାନଙ୍କର ସ୍ତୁତି

 

ଶ୍ରୀଶୁକ ଉବାଚ

ରାଜନ୍ନୁଦିତମେତତ୍ତେ ହରେଃ କର୍ମାଘନାଶନମ୍ ।

ଗଜେନ୍ଦ୍ରମୋକ୍ଷଣଂ ପୁଣ୍ୟଂ ରୈବତଂ ତ୍ୱନ୍ତରଂ ଶୃଣୁ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ଏହି ପବିତ୍ର ଗଜେନ୍ଦ୍ରମୋକ୍ଷ ଲୀଳା ସର୍ବପାପ ନାଶକାରୀ ଅଟେ | ତାହା ମୁଁ ତୁମକୁ ଶୁଣାଇଲି | ଏବେ ରୈବତ ମନ୍ବନ୍ତର କଥା ଶୁଣ |

ପଞ୍ଚମୋ ରୈବତୋ ନାମ ମନୁସ୍ତାମସସୋଦରଃ ।

ବଲିବିନ୍ଧ୍ୟାଦୟସ୍ତସ୍ୟ ସୁତା ଅର୍ଜୁନପୂର୍ୱକାଃ ॥ ୨॥

ପଞ୍ଚମ ମନୁଙ୍କର ନାମ ଥିଲା ରୈବତ | ସେ ଚତୁର୍ଥ ମନୁ ତାମସଙ୍କର ନିଜ ଭାଈ ଥିଲେ | ତାଙ୍କର ଅର୍ଜୁନ, ବଳି, ବିନ୍ଧ୍ୟ ଆଦି ଅନେକ ପୁତ୍ର ଥିଲେ |

ବିଭୁରିନ୍ଦ୍ରଃ ସୁରଗଣା ରାଜନ୍ ଭୂତରୟାଦୟଃ ।

ହିରଣ୍ୟରୋମା ବେଦଶିରା ଊର୍ଧ୍ୱବାହ୍ୱାଦୟୋ ଦ୍ୱିଜାଃ ॥ ୩॥

ସେହି ମନ୍ବନ୍ତରରେ ଇନ୍ଦ୍ରଙ୍କର ନାମ ଥିଲା ବିଭୁ ଏବଂ ଭୂତରଥ ଆଦି ଦେବତା ପ୍ରଧାନ ଗଣ ଥିଲେ | ପରୀକ୍ଷିତ ! ସେହି ସମୟରେ ହିରଣ୍ୟରୋମା, ବେଦଶିରା, ଉର୍ଦ୍ଧ୍ବବାହୁ ଆଦି ସପ୍ତର୍ଷି ଥିଲେ |

ପତ୍ନୀ ବିକୁଣ୍ଠା ଶୁଭ୍ରସ୍ୟ ବୈକୁଣ୍ଠୈଃ ସୁରସତ୍ତମୈଃ ।

ତୟୋଃ ସ୍ୱକଲୟା ଜଜ୍ଞେ ବୈକୁଣ୍ଠୋ ଭଗବାନ୍ ସ୍ୱୟମ୍ ॥ ୪॥

ସେମାନଙ୍କ ମଧ୍ୟରୁ ଶୁଭ୍ର ଋଷିଙ୍କ ପତ୍ନୀଙ୍କର ନାମ ଥିଲା ବିକୁଣ୍ଠା | ତାଙ୍କ ଗର୍ଭରୁ ବୈକୁଣ୍ଠ ନାମକ ଶ୍ରେଷ୍ଠ ଦେବତାଙ୍କ ସହିତ ନିଜ ଅଂଶରୁ ସ୍ବୟଂ ଭଗବାନ ବୈକୁଣ୍ଠ ନାମରେ ଅବତାର ଧାରଣ କରିଥିଲେ |

ବୈକୁଣ୍ଠଃ କଲ୍ପିତୋ ଯେନ ଲୋକୋ ଲୋକନମସ୍କୃତଃ ।

ରମୟା ପ୍ରାର୍ଥ୍ୟମାନେନ ଦେବ୍ୟା ତତ୍ପ୍ରିୟକାମ୍ୟଯା ॥ ୫॥

ଲକ୍ଷ୍ମୀଦେବୀଙ୍କର ପ୍ରାର୍ଥନା କ୍ରମେ ତାଙ୍କୁ ପ୍ରସନ୍ନ କରିବା ପାଇଁ ସେ ବୈକୁଣ୍ଠଲୋକର ରଚନା କରିଥିଲେ | ସେହି ଲୋକ ସମସ୍ତ ଲୋକ ମଧ୍ୟରେ ଶ୍ରେଷ୍ଠ ଥିଲା |

ତସ୍ୟାନୁଭାବଃ କଥିତୋ ଗୁଣାଶ୍ଚ ପରମୋଦୟାଃ ।

ଭୌମାନ୍ ରେଣୂନ୍ ସ ବିମମେ ଯୋ ବିଷ୍ଣୋର୍ୱର୍ଣୟେଦ୍ଗୁଣାନ୍ ॥ ୬॥

ବୈକୁଣ୍ଠନାଥଙ୍କର କଲ୍ୟାଣମୟ ଗୁଣ ଓ ପ୍ରଭାବର ବର୍ଣ୍ଣନା ମୁଁ ପୂର୍ବରୁ (ତୃତୀୟ ସ୍କନ୍ଧରେ) ସଂକ୍ଷେପତଃ କରିଛି | ଭଗବାନ ବିଷ୍ଣୁଙ୍କର ସମ୍ପୂର୍ଣ୍ଣ ଗୁଣର ବର୍ଣ୍ଣନା ତ କେବଳ ସେ ହିଁ କରିପାରିବେ ଯିଏ ପୃଥିବୀର ପରମାଣୁର ଗଣନା କରି ପାରିଥିବେ |

ଷଷ୍ଠଶ୍ଚ ଚକ୍ଷୁଷଃ ପୁତ୍ରଶ୍ଚାକ୍ଷୁଷୋ ନାମ ବୈ ମନୁଃ ।

ପୂରୁପୂରୁଷସୁଦ୍ୟୁମ୍ନପ୍ରମୁଖାଶ୍ଚାକ୍ଷୁଷାତ୍ମଜାଃ ॥ ୭॥

ଷଷ୍ଠ ମନୁ ଚକ୍ଷୁଙ୍କର ପୁତ୍ର ଚାକ୍ଷୁଷ ଥିଲେ | ତାଙ୍କର ପୁରୁ, ପୁରୁଷ, ସୁଦ୍ୟୁମ୍ନ ଆଦି ଅନେକ ପୁତ୍ର ଥିଲେ |

ଇନ୍ଦ୍ରୋ ମନ୍ତ୍ରଦ୍ରୁମସ୍ତତ୍ର ଦେବା ଆପ୍ୟାଦୟୋ ଗଣାଃ ।

ମୁନୟସ୍ତତ୍ର ବୈ ରାଜନ୍ ହବିଷ୍ମଦ୍ୱୀରକାଦୟଃ ॥ ୮॥

ଇନ୍ଦ୍ରଙ୍କର ନାମ ଥିଲା ମନ୍ତ୍ରଦ୍ରୁମ ଏବଂ ଆପ୍ୟ ଆଦି ପ୍ରଧାନ ଦେବଗଣ ଥିଲେ | ସେହି ମନ୍ବନ୍ତରରେ ହବିଷ୍ୟମାନ ଏବଂ ବୀରକ ଆଦି ସପ୍ତର୍ଷି ଥିଲେ |

ତତ୍ରାପି ଦେବଃ ସମ୍ଭୂତ୍ୟାଂ ବୈରାଜସ୍ୟାଭବତ୍ସୁତଃ ।

ଅଜିତୋ ନାମ ଭଗବାନଂଶେନ ଜଗତଃ ପତିଃ ॥ ୯॥

ଜଗତ୍ପତି ଭଗବାନ ସେହି ସମୟରେ ମଧ୍ୟ ବୈରାଜଙ୍କର ପତ୍ନୀ ସମ୍ଭୂତିଙ୍କ ଗର୍ଭରୁ ଅଜିତ ନାମରେ ଅଂଶାବତାର ଗ୍ରହଣ କରିଥିଲେ |

ପୟୋଧିଂ ଯେନ ନିର୍ମଥ୍ୟ ସୁରାଣାଂ ସାଧିତା ସୁଧା ।

ଭ୍ରମମାଣୋଽମ୍ଭସି ଧୃତଃ କୂର୍ମରୂପେଣ ମନ୍ଦରଃ ॥ ୧୦॥

ସେ ହିଁ ସମୁଦ୍ର-ମନ୍ଥନ କରି ଦେବତାମାନଙ୍କୁ ଅମୃତ ପାନ କରାଇ ଥିଲେ ତଥା ସେ ହିଁ କଚ୍ଛପ ରୂପରେ ମନ୍ଥନ-ଦଣ୍ଡରୂପୀ ମନ୍ଦରାଚଳର ଆଧାର ହୋଇଥିଲେ |

ରାଜୋବାଚ

ଯଥା ଭଗବତା ବ୍ରହ୍ମନ୍ ମଥିତଃ କ୍ଷୀରସାଗରଃ ।

ଯଦର୍ଥଂ ବା ଯତଶ୍ଚାଦ୍ରିଂ ଦଧାରାମ୍ବୁଚରାତ୍ମନା ॥ ୧୧॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! କିପରି ଭାବରେ ଭଗବାନ କ୍ଷୀରସାଗରର ମନ୍ଥନ କରିଥିଲେ ? କେଉଁ କାରଣରୁ ଏବଂ କେଉଁ ଉଦ୍ଦେଶ୍ୟରେ ସେ କଚ୍ଛପ ରୂପ ଧାରଣ କରି ମନ୍ଦରାଚଳକୁ ନିଜ ପୃଷ୍ଠଦେଶରେ ଧାରଣ କରିଥିଲେ ?

ଯଥାମୃତଂ ସୁରୈଃ ପ୍ରାପ୍ତଂ କିଂ ଚାନ୍ୟଦଭବତ୍ତତଃ ।

ଏତଦ୍ଭଗବତଃ କର୍ମ ବଦସ୍ୱ ପରମାଦ୍ଭୁତମ୍ ॥ ୧୨॥

ଦେବତାମାନଙ୍କୁ ଅମୃତ କିପରି ମିଳିଲା ? ସମୁଦ୍ରରୁ ସେହି ସମୟରେ ଆଉ କେଉଁ କେଉଁ ବସ୍ତୁ ମିଳିଥିଲା? ଭଗବାନଙ୍କର ଏହି ଲୀଳା ଅତି ଅଦ୍ଭୁତ ଅଟେ, ଆପଣ କୃପା କରି ତାହା ଶୁଣାନ୍ତୁ |

ତ୍ୱୟା ସଙ୍କଥ୍ୟମାନେନ ମହିମ୍ନା ସାତ୍ୱତାଂ ପତେଃ ।

ନାତିତୃପ୍ୟତି ମେ ଚିତ୍ତଂ ସୁଚିରଂ ତାପତାପିତମ୍ ॥ ୧୩॥

ଆପଣ ଭକ୍ତବତ୍ସଳ ଭଗବାନଙ୍କ ମହିମାର ବର୍ଣ୍ଣନା ଯେତେ ବେଶୀ କରୁଛନ୍ତି, ମୋର ହୃଦୟ ତାହାର ଶ୍ରବଣ ନିମନ୍ତେ ସେତେ ବେଶୀ ଉତ୍ସୁକ ହୋଇ ଉଠୁଛି; ତୃପ୍ତ ହିଁ ହେଉନାହିଁ | କିପରି ଅବା ହେବ, ବହୁତ ଦିନରୁ ତ ଏହି ଚିତ୍ତ ସଂସାର-ଜ୍ବାଳାରେ ଦଗ୍ଧ ହେବାରେ ଲାଗିଛି |

ସୂତ ଉବାଚ

ସମ୍ପୃଷ୍ଟୋ ଭଗବାନେବଂ ଦ୍ୱୈପାୟନସୁତୋ ଦ୍ୱିଜାଃ ।

ଅଭିନନ୍ଦ୍ୟ ହରେର୍ୱୀର୍ୟମଭ୍ୟାଚଷ୍ଟୁଂ ପ୍ରଚକ୍ରମେ ॥ ୧୪॥

ସୂତ ମୁନି କହୁଛନ୍ତି – ହେ ଶୌନକାଦି ଋଷିଗଣ ! ରାଜା ପରୀକ୍ଷିତଙ୍କର ପ୍ରଶ୍ନର ଅଭିବାଦନ କରି ଶ୍ରୀଶୁକଦେବ ଭଗବାନଙ୍କର ସମୁଦ୍ର-ମନ୍ଥନ-ଲୀଳାର ବର୍ଣ୍ଣନା ଆରମ୍ଭ କଲେ |

ଶ୍ରୀଶୁକ ଉବାଚ

ଯଦା ଯୁଦ୍ଧେଽସୁରୈର୍ଦେବା ବାଧ୍ୟମାନାଃ ଶିତାୟୁଧୈଃ ।

ଗତାସବୋ ନିପତିତା ନୋତ୍ତିଷ୍ଠେରନ୍ ସ୍ମ ଭୂୟଶଃ ॥ ୧୫॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏହା ସେହି ସମୟର କଥା ଅଟେ, ଯେତେବେଳେ ଅସୁରମାନେ ନିଜର ତୀକ୍ଷ୍ଣ ଶସ୍ତ୍ର ଦ୍ବାରା ଦେବତାମାନଙ୍କୁ ପରାଜିତ କରିଥିଲେ | ସେହି ଯୁଦ୍ଧ ବହୁତ ଜଣଙ୍କ ପାଇଁ ପ୍ରାଣଘାତୀ ଥିଲା, କେହି କେହି ତ ରଣଭୂମିରେ ପଡି ଆଉ ଉଠି ପାରି ନ ଥିଲେ |

ଯଦା ଦୁର୍ୱାସସଃ ଶାପାତ୍ସେନ୍ଦ୍ରା ଲୋକାସ୍ତ୍ରୟୋ ନୃପ ।

ନିଃଶ୍ରୀକାଶ୍ଚାଭବଂସ୍ତତ୍ର ନେଶୁରିଜ୍ୟାଦୟଃ କ୍ରିୟାଃ ॥ ୧୬॥

ଦୁର୍ବାସାଙ୍କ ଶାପରୁ ତ୍ରିଲୋକ ସହିତ ସ୍ବୟଂ ଇନ୍ଦ୍ର ମଧ୍ୟ ଶ୍ରୀହୀନ ହୋଇ ଯାଇଥିଲେ | (ଏହି ପ୍ରସଙ୍ଗ ବିଷ୍ଣୁପୁରାଣରେ ଏପରି ଭାବରେ ବର୍ଣ୍ଣିତ | ଥରେ ଦୁର୍ବାସା ମୁନି ବୈକୁଣ୍ଠଲୋକରୁ ଫେରୁଥିବା ସମୟରେ ମାର୍ଗରେ ଐରାବତ ପୃଷ୍ଠରେ ଆରୋହଣ କରି ଆସୁଥିବା ଇନ୍ଦ୍ରଙ୍କ ସହିତ ତାଙ୍କର ସାକ୍ଷାତକାର ହୋଇଗଲା | ତାଙ୍କୁ ତ୍ରିଲୋକାଧିପତି ଜାଣି ଦୁର୍ବାସା ମୁନି ଭଗବାନଙ୍କର ପ୍ରସାଦୀ ମାଳା ତାଙ୍କୁ ଦେଇଥିଲେ | କିନ୍ତୁ ଐଶ୍ବର୍ଯ୍ୟ ମଦରେ ଇନ୍ଦ୍ର ତାହାର ସମ୍ମାନ ନ କରି ମାଳାକୁ ଐରାବତର ମସ୍ତକରେ ପକାଇ ଦେଲେ ଏବଂ ଐରାବତ ତାହାକୁ ନିଜ ଶୁଣ୍ଢରେ ଟାଣି ପାଦରେ ଦଳିଦେଲା | ଏଥିରେ ଦୁର୍ବାସା ମୁନି କ୍ରୋଧିତ ହୋଇ ଇନ୍ଦ୍ରଙ୍କୁ ଶାପ ଦେଲେ ଯେ ତୁମେ ତ୍ରିଲୋକ ସହିତ ଶୀଘ୍ର ହିଁ ଶ୍ରୀହୀନ ହୋଇଯିବ |) ଯଜ୍ଞ-ଯାଗାଦି ଧର୍ମ-କର୍ମ ମଧ୍ୟ ଲୋପ ପାଇ ଯାଇଥିଲା |

ନିଶାମ୍ୟୈତତ୍ସୁରଗଣା ମହେନ୍ଦ୍ରବରୁଣାଦୟଃ ।

ନାଧ୍ୟଗଚ୍ଛନ୍ ସ୍ୱୟଂ ମନ୍ତ୍ରୈର୍ମନ୍ତ୍ରୟନ୍ତୋ ବିନିଶ୍ଚୟମ୍ ॥ ୧୭॥

ଏହି ସବୁ ଦୁର୍ଦଶା ଦେଖି ଇନ୍ଦ୍ର, ବରୁଣ ଆଦି ଦେବଗଣ ପରସ୍ପର ମଧ୍ୟରେ ବିଚାର-ବିମର୍ଷ କରିବାରେ ଲାଗିଲେ; କିନ୍ତୁ ଶେଷ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ଉପନୀତ ହୋଇ ପାରିଲେ ନାହିଁ |

ତତୋ ବ୍ରହ୍ମସଭାଂ ଜଗ୍ମୁର୍ମେରୋର୍ମୂର୍ଧନି ସର୍ୱଶଃ ।

ସର୍ୱଂ ବିଜ୍ଞାପୟାଞ୍ଚକ୍ରୁଃ ପ୍ରଣତାଃ ପରମେଷ୍ଠିନେ ॥ ୧୮॥

ସମସ୍ତେ ମିଶି ସୁମେରୁ ଶିଖରରେ ସ୍ଥିତ ବ୍ରହ୍ମାଙ୍କ ସଭାକୁ ଗଲେ ଏବଂ ଅତ୍ୟନ୍ତ ନମ୍ରତାର ସହିତ ବ୍ରହ୍ମାଙ୍କ ସମ୍ମୁଖରେ ନିଜ ପରିସ୍ଥିତିର ବିସ୍ତୃତ ବିବରଣ ଉପସ୍ଥାପିତ କଲେ |

ସ ବିଲୋକ୍ୟେନ୍ଦ୍ରବାୟ୍ୱାଦୀନ୍ ନିଃସତ୍ତ୍ୱାନ୍ ବିଗତପ୍ରଭାନ୍ ।

ଲୋକାନମଙ୍ଗଲପ୍ରାୟାନସୁରାନୟଥା ବିଭୁଃ ॥ ୧୯॥

ବ୍ରହ୍ମାଜୀ ସ୍ବୟଂ ମଧ୍ୟ ଦେଖିବାକୁ ପାଇଲେ ଯେ ଇନ୍ଦ୍ର,ବାୟୁ ଆଦି ଦେବଗଣ ଶ୍ରୀହୀନ ଓ ଶକ୍ତିହୀନ ହୋଇ ଯାଇଛନ୍ତି | ଲୋକଙ୍କର ପରିସ୍ଥିତି ଅତିଶୟ ବିକଟ ଏବଂ ସଙ୍କଟଗ୍ରସ୍ତ ହୋଇଯାଇଛି; ଅପର ପକ୍ଷେ ଅସୁରମାନେ ସମୃଦ୍ଧ ହୋଇ ଉଠିଛନ୍ତି |

ସମାହିତେନ ମନସା ସଂସ୍ମରନ୍ ପୁରୁଷଂ ପରମ୍ ।

ଉବାଚୋତ୍ଫୁଲ୍ଲବଦନୋ ଦେବାନ୍ ସ ଭଗବାନ୍ ପରଃ ॥ ୨୦॥

ସମର୍ଥ ବ୍ରହ୍ମାଜୀ ନିଜର ମନକୁ ଏକାଗ୍ର କରି ପରମ ପୁରୁଷ ଭଗବାନଙ୍କର ସ୍ମରଣ କଲେ ଏବଂ କିଛି ସମୟ ପରେ ପ୍ରଫୁଲ୍ଲିତ ମୁଖରେ ଦେବତାମାନଙ୍କୁ ସମ୍ବୋଧିତ କରି କହିଲେ |

ଅହଂ ଭବୋ ଯୂୟମଥୋଽସୁରାଦୟୋ

ମନୁଷ୍ୟତିର୍ୟଗ୍ଦ୍ରୁମଘର୍ମଜାତୟଃ ।

ଯସ୍ୟାବତାରାଂଶକଲାବିସର୍ଜିତା

ବ୍ରଜାମ ସର୍ୱେ ଶରଣଂ ତମବ୍ୟଯମ୍ ॥ ୨୧॥

ହେ ଦେବଗଣ ! ମୁଁ, ଶଂକର ଭଗବାନ, ତୁମ୍ଭେମାନେ, ତଥା ଅସୁର, ଦୈତ୍ୟ, ମନୁଷ୍ୟ, ପଶୁ-ପକ୍ଷୀ, ବୃକ୍ଷ ଏବଂ ସ୍ବେଦଜ ଆଦି ସମସ୍ତ ପ୍ରାଣୀ ଯାହାର ବିରାଟ ସ୍ବରୂପର ଏକ ଅତ୍ୟନ୍ତ ସ୍ବଲ୍ପାତି-ସ୍ବଳ୍ପ ଅଂଶରୁ ରଚିତ, ଆମେ ସମସ୍ତେ ସେହି ଅବିନାଶୀ ପ୍ରଭୁଙ୍କର ଶରଣ ଗ୍ରହଣ କରିବା |

ନ ଯସ୍ୟ ବଧ୍ୟୋ ନ ଚ ରକ୍ଷଣୀୟୋ

ନୋପେକ୍ଷଣୀୟାଦରଣୀୟପକ୍ଷଃ ।

ଅଥାପି ସର୍ଗସ୍ଥିତିସଂୟମାର୍ଥଂ

ଧତ୍ତେ ରଜଃସତ୍ତ୍ୱତମାଂସି କାଲେ ॥ ୨୨॥

ତାଙ୍କ ଦୃଷ୍ଟିରେ ଯଦିଓ କେହି ବଧର ପାତ୍ର ନୁହଁନ୍ତି କି ରକ୍ଷାର ପାତ୍ର ନୁହଁନ୍ତି; କେହି ଉପେକ୍ଷଣୀୟ ନୁହଁନ୍ତି କି ଆଦରର ପାତ୍ର ନୁହଁନ୍ତି, ତଥାପି ସୃଷ୍ଟି, ସ୍ଥିତି ଏବଂ ପ୍ରଳୟ ସମ୍ପାଦନ ନିମନ୍ତେ ସମୟ-ସମୟରେ ସେ ରଜୋଗୁଣ, ସତ୍ତ୍ବଗୁଣ ଏବଂ ତମୋଗୁଣ ସ୍ବୀକାର କରନ୍ତି |

ଅୟଂ ଚ ତସ୍ୟ ସ୍ଥିତିପାଲନକ୍ଷଣଃ

ସତ୍ତ୍ୱଂ ଜୁଷାଣସ୍ୟ ଭବାୟ ଦେହିନାମ୍ ।

ତସ୍ମାଦ୍ୱ୍ରଜାମଃ ଶରଣଂ ଜଗଦ୍ଗୁରୁଂ

ସ୍ୱାନାଂ ସ ନୋ ଧାସ୍ୟତି ଶଂ ସୁରପ୍ରିୟଃ ॥ ୨୩॥

ପ୍ରାଣୀମାନଙ୍କର କଲ୍ୟାଣାର୍ଥେ ଏହି ସମୟରେ ସେ ସତ୍ତ୍ବଗୁଣକୁ ସ୍ବୀକାର କରିଛନ୍ତି | ଅତଏବ ଏହା ଜଗତର ସ୍ଥିତି ଏବଂ ରକ୍ଷାର ଅବସର ଅଟେ | ତେଣୁ ଆମେ ସବୁ ସେହି ଜଗଦଗୁରୁ ପରମାତ୍ମାଙ୍କର ଶରଣ ଗ୍ରହଣ କରିବା | ସେ ଦେବତାମାନଙ୍କର ପ୍ରିୟ ଏବଂ ଦେବତା ତାଙ୍କର ପ୍ରିୟ ଅଟନ୍ତି | ଆମ୍ଭମାନଙ୍କ ପରି ନିଜଜନମାନଙ୍କର ସେ ନିଶ୍ଚିତଭାବରେ କଲ୍ୟାଣ କରିବେ |

ଶ୍ରୀଶୁକ ଉବାଚ

ଇତ୍ୟାଭାଷ୍ୟ ସୁରାନ୍ ବେଧାଃ ସହ ଦେବୈରରିନ୍ଦମ ।

ଅଜିତସ୍ୟ ପଦଂ ସାକ୍ଷାଜ୍ଜଗାମ ତମସଃ ପରମ୍ ॥ ୨୪॥

ଶ୍ରୀଶୁକଦେବ କହୁଛନ୍ତି – ଦେବତାମାନଙ୍କୁ ଏପରି ପ୍ରବୋଧନା ଡେଇ ବ୍ରହ୍ମାଜୀ ସେମାନଙ୍କ ସହିତ ଭଗବାନ ଅଜିତଙ୍କର ନିଜଧାମ ବୈକୁଣ୍ଠକୁ ଗଲେ | ସେହି ଧାମ ତମୋମୟୀ ପ୍ରକୃତିର ଉର୍ଦ୍ଧ୍ବରେ ସ୍ଥିତ |

ତତ୍ରାଦୃଷ୍ଟସ୍ୱରୂପାୟ ଶ୍ରୁତପୂର୍ୱାୟ ବୈ ବିଭୋ ।

ସ୍ତୁତିମବ୍ରୂତ ଦୈବୀଭିର୍ଗୀର୍ଭିସ୍ତ୍ୱବହିତେନ୍ଦ୍ରିୟଃ ॥ ୨୫॥

ଏମାନେ ଭଗବାନଙ୍କର ସ୍ବରୂପ ଏବଂ ତାଙ୍କ ଧାମର ଦିବ୍ୟତା ବିଷୟରେ ବହୁତ କିଛି ଶୁଣିଥିଲେ, କିନ୍ତୁ ସେଠାକୁ ଯାଇ ସେମାନଙ୍କୁ କିଛି ଦେଖାଗଲା ନାହିଁ | ସେଥିପାଇଁ ବ୍ରହ୍ମାଜୀ ଏକାଗ୍ର ମନରେ ବେଦବାଣୀ ଦ୍ବାରା ଭଗବାନଙ୍କର ସ୍ତୁତି କରିବାରେ ଲାଗିଲେ |

ବ୍ରହ୍ମୋବାଚ

ଅବିକ୍ରିୟଂ ସତ୍ୟମନନ୍ତମାଦ୍ୟଂ

ଗୁହାଶୟଂ ନିଷ୍କଲମପ୍ରତର୍କ୍ୟମ୍ ।

ମନୋଽଗ୍ରୟାନଂ ବଚସାନିରୁକ୍ତଂ

ନମାମହେ ଦେବବରଂ ବରେଣ୍ୟମ୍ ॥ ୨୬॥

ବ୍ରହ୍ମାଜୀ କହିଲେ – ଭଗବନ୍ ! ଆପଣ ନିର୍ବିକାର, ସତ୍ୟ, ଅନନ୍ତ, ଆଦିପୁରୁଷ, ସମସ୍ତଙ୍କ ହୃଦୟରେ ଅନ୍ତର୍ଯ୍ୟାମୀରୂପରେ ବିରାଜମାନ, ଅଖଣ୍ଡ ଏବଂ ଅତର୍କ୍ୟ ଅଟନ୍ତି | ମନ ଯେଉଁଠି-ଯେଉଁଠିକୁ ଯାଏ, ଆପଣ ସେଠାରେ ପୂର୍ବରୁ ହିଁ ବିଦ୍ୟମାନ ଥାଆନ୍ତି | ବାଣୀ ଆପଣଙ୍କର ନିରୂପଣ କରି ପାରେନାହିଁ | ଆପଣ ସମସ୍ତ ଦେବତାଙ୍କର ଆରାଧନୀୟ ଏବଂ ସ୍ବୟଂପ୍ରକାଶ ଅଟନ୍ତି | ଆମେସବୁ ଆପଣଙ୍କ ଚରଣରେ ନମସ୍କାର କରୁଛୁ |

ବିପଶ୍ଚିତଂ ପ୍ରାଣମନୋଧିୟାତ୍ମନା-

ମର୍ଥେନ୍ଦ୍ରିୟାଭାସମନିଦ୍ରମବ୍ରଣମ୍ ।

ଛାୟାତପୌ ଯତ୍ର ନ ଗୃଧ୍ରପକ୍ଷୌ

ତମକ୍ଷରଂ ଖଂ ତ୍ରିୟୁଗଂ ବ୍ରଜାମହେ ॥ ୨୭॥

ଆପଣ ପ୍ରାଣ, ମନ, ବୁଦ୍ଧି ଏବଂ ଅହଂକାରର ଜ୍ଞାତା ଅଟନ୍ତି | ଇନ୍ଦ୍ରିୟ ଓ ସେମାନଙ୍କର ବିଷୟ ଉଭୟ ହିଁ ଆପଣଙ୍କ ଦ୍ବାରା ପ୍ରକାଶିତ | ଅଜ୍ଞାନ ଆପଣଙ୍କୁ ସ୍ପର୍ଶ କରିପାରେ ନାହିଁ | ପ୍ରକୃତିର ବିକାର ଜନ୍ମ-ମୃତ୍ୟୁରୂପ ଶରୀରରୁ ମଧ୍ୟ ଆପଣ ରହିତ ଅଟନ୍ତି | ଜୀବର ଅବିଦ୍ୟା ଏବଂ ବିଦ୍ୟା ଉଭୟ ପକ୍ଷ ଆପଣଙ୍କଠାରେ ଆଦୌ ନାହିଁ | ଆପଣ ଅବିନାଶୀ ଏବଂ ସୁଖସ୍ବରୂପ ଅଟନ୍ତି | ସତ୍ୟ, ତ୍ରେତା ଏବଂ ଦ୍ବାପର ଯୁଗରେ ଆପଣ ପ୍ରକଟ ରୂପରେ ବିରାଜମାନ ରହନ୍ତି | ଆମ୍ଭେମାନେ ଆପଣଙ୍କର ଶରଣ ଗ୍ରହଣ କରୁଛୁ |

ଅଜସ୍ୟ ଚକ୍ରଂ ତ୍ୱଜୟେର୍ୟମାଣଂ

ମନୋମୟଂ ପଞ୍ଚଦଶାରମାଶୁ ।

ତ୍ରିନାଭି ବିଦ୍ୟୁଚ୍ଚଲମଷ୍ଟନେମି

ଯଦକ୍ଷମାହୁସ୍ତମୃତଂ ପ୍ରପଦ୍ୟେ ॥ ୨୮॥

ଏହି ଶରୀର ଜୀବର ଏକ ମନୋମୟ ଚକ୍ର (ରଥଚକ) ଅଟେ | ଦଶ ଇନ୍ଦ୍ରିୟ ଏବଂ ପଞ୍ଚପ୍ରାଣ – ଏହାର ପନ୍ଦରଟି ଅର ଅଟନ୍ତି | ସତ୍ତ୍ବ, ରଜ ଏବଂ ତମ – ଏହି ତ୍ରିଗୁଣ ଏହାର ନାଭି ଅଟନ୍ତି | ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର – ଏହି ଆଠ ତତ୍ତ୍ବ ଏହାର ନେମି (ଚକର ଘେର) ଅଟନ୍ତି | ସ୍ବୟଂ ମାୟା ଏହାର ସଞ୍ଚାଳନକାରୀ ଅଟେ ଏବଂ ଏହା ବିଜୁଳିଠାରୁ ମଧ୍ୟ ଅଧିକ ଦ୍ରୁତଗାମୀ ଅଟେ | ଏହି ଚକ୍ରର ଧୁରୀ ସ୍ବୟଂ ପରମାତ୍ମା ଅଟନ୍ତି | ସେ ହିଁ ଏକମାତ୍ର ସତ୍ୟ ଅଟନ୍ତି | ଆମ୍ଭେମାନେ ତାଙ୍କର ଶରଣାଗତ ଅଟୁ |

ଯ ଏକବର୍ଣଂ ତମସଃ ପରଂ ତ-

ଦଲୋକମବ୍ୟକ୍ତମନନ୍ତପାରମ୍ ।

ଆସାଂ ଚକାରୋପସୁପର୍ଣମେନ-

ମୁପାସତେ ଯୋଗରଥେନ ଧୀରାଃ ॥ ୨୯॥

ଯିଏ ଏକମାତ୍ର ଜ୍ଞାନସ୍ବରୂପ, ପ୍ରକୃତିର ଉର୍ଦ୍ଧ୍ବରେ ଏବଂ ଅଦୃଶ୍ୟ ଅଟନ୍ତି; ଯିଏ ସମସ୍ତ ବସ୍ତୁର ମୂଳରେ ସ୍ଥିତ ଅବ୍ୟକ୍ତ ଅଟନ୍ତି ଏବଂ ଦେଶ, କାଳ ଅଥବା ବସ୍ତୁ ଦ୍ବାରା ଯିଏ ଗ୍ରାହ୍ୟ ନୁହଁନ୍ତି – ସେହି ପ୍ରଭୁ ସମସ୍ତ ଜୀବଙ୍କ ହୃଦୟରେ ଅନ୍ତର୍ଯ୍ୟାମୀରୂପରେ ବିରାଜମାନ | ବିଚାରଶୀଳ ମନୁଷ୍ୟ ଭକ୍ତିଯୋଗ ଦ୍ବାରା ତାଙ୍କର ହିଁ ଆରାଧନା କରନ୍ତି |

ନ ଯସ୍ୟ କଶ୍ଚାତିତିତର୍ତି ମାୟାଂ

ଯୟା ଜନୋ ମୁହ୍ୟତି ବେଦ ନାର୍ଥମ୍ ।

ତଂ ନିର୍ଜିତାତ୍ମାଽଽତ୍ମଗୁଣଂ ପରେଶଂ

ନମାମ ଭୂତେଷୁ ସମଂ ଚରନ୍ତମ୍ ॥ ୩୦॥

ଯାହାର ମାୟାରେ ମୋହିତ ହୋଇ ଜୀବ ନିଜର ବାସ୍ତବିକ ଲକ୍ଷ୍ୟ ବା ସ୍ବରୂପକୁ ଭୁଲିଯାଇଛି, ତାହା ତାଙ୍କର ହିଁ ଶକ୍ତି ଅଟେ ଏବଂ କେହି ମଧ୍ୟ ତାହାକୁ ଅତିକ୍ରମ କରିପାରନ୍ତି ନାହିଁ | କିନ୍ତୁ ସର୍ବଶକ୍ତିମାନ ପ୍ରଭୁ ନିଜର ସେହି ମାୟା ତଥା ତାହାର ଗୁଣକୁ ନିଜ ବଶରେ ରଖି ସମସ୍ତ ପ୍ରାଣୀଙ୍କ ହୃଦୟରେ ସମଭାବରେ ବିଚରଣ କରୁଥାଆନ୍ତି | ଜୀବ ନିଜ ପୁରୁଷାର୍ଥ ବଳରେ ନୁହେଁ, ତାଙ୍କ କୃପାରୁ ହିଁ ତାଙ୍କୁ ପ୍ରାପ୍ତ କରିପାରେ | ଆମେ ତାଙ୍କ ଚରଣରେ ନମସ୍କାର କରୁଛୁ |

ଇମେ ବୟଂ ଯତ୍ପ୍ରିୟଯୈବ ତନ୍ୱା

ସତ୍ତ୍ୱେନ ସୃଷ୍ଟା ବହିରନ୍ତରାବିଃ ।

ଗତିଂ ନ ସୂକ୍ଷ୍ମାମୃଷୟଶ୍ଚ ବିଦ୍ମହେ

କୁତୋଽସୁରାଦ୍ୟା ଇତରପ୍ରଧାନାଃ ॥ ୩୧॥

ଏମିତି ଦେଖିବାକୁ ଗଲେ ତ ଆମେ ସବୁ ଦେବତା ଏବଂ ଋଷିଗଣ ତାଙ୍କର ପରମ ପ୍ରିୟ ସତ୍ତ୍ବମୟ ଶରୀରରୁ ହିଁ ଉତ୍ପନ୍ନ ଅଟୁ, ତଥାପି ବାହାରେ-ଭିତରେ ଏକରସ ପ୍ରକଟ ତାଙ୍କର ବାସ୍ତବିକ ସ୍ବରୂପକୁ ଆମେ ଜାଣିବାକୁ ସମର୍ଥ ନୁହେଁ | ସେ କ୍ଷେତ୍ରରେ ରଜୋଗୁଣ ଏବଂ ତମୋଗୁଣପ୍ରଧାନ ଅସୁର ଆଦି ତାଙ୍କୁ କିପରି ଜାଣିପାରିବେ ? ସେହି ପ୍ରଭୁଙ୍କ ଚରଣରେ ଆମ୍ଭେମାନେ ନମସ୍କାର କରୁଛୁ |

ପାଦୌ ମହୀୟଂ ସ୍ୱକୃତୈବ ଯସ୍ୟ

ଚତୁର୍ୱିଧୋ ଯତ୍ର ହି ଭୂତସର୍ଗଃ ।

ସ ବୈ ମହାପୂରୁଷ ଆତ୍ମତନ୍ତ୍ରଃ

ପ୍ରସୀଦତାଂ ବ୍ରହ୍ମ ମହାବିଭୂତିଃ ॥ ୩୨॥

ତାଙ୍କ ଦ୍ବାରା ରଚିତ ଏହି ପୃଥିବୀ ତାଙ୍କର ଚରଣ ଅଟେ | ଏହି ପୃଥିବୀରେ ଜରାୟୁଜ, ଅଣ୍ଡଜ, ସ୍ବେଦଜ ଏବଂ ଉଦ୍ଭିଜ୍ଜ – ଏହି ଚାରି ପ୍ରକାରର ପ୍ରାଣୀ ରହିଛନ୍ତି | ସେହି ପରମ ସ୍ବତନ୍ତ୍ର, ପରମ ଐଶ୍ବର୍ଯ୍ୟଶାଳୀ ପୁରୁଶୋତ୍ତମ ପରବ୍ରହ୍ମ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ଅମ୍ଭସ୍ତୁ ଯଦ୍ରେତ ଉଦାରବୀର୍ୟଂ

ସିଧ୍ୟନ୍ତି ଜୀବନ୍ତ୍ୟୁତ ବର୍ଧମାନାଃ ।

ଲୋକାସ୍ତ୍ରୟୋଽଥାଖିଲଲୋକପାଲାଃ

ପ୍ରସୀଦତାଂ ବ୍ରହ୍ମ ମହାବିଭୂତିଃ ॥ ୩୩॥

ଏହି ପରମ ଶକ୍ତିଶାଳୀ ଜଳ ତାଙ୍କର ବୀର୍ଯ୍ୟ ଅଟେ | ଏଥିରୁ ତିନି ଲୋକ ଏବଂ ସମସ୍ତ ଲୋକର ଲୋକପାଳ ଉତ୍ପନ୍ନ ହୁଅନ୍ତି, ବୃଦ୍ଧି ଲାଭ କରନ୍ତି ଏବଂ ଜୀବିତ ରହନ୍ତି | ସେହି ପରମ ଐଶ୍ବର୍ଯ୍ୟଶାଳୀ ପରବ୍ରହ୍ମ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ସୋମଂ ମନୋ ଯସ୍ୟ ସମାମନନ୍ତି

ଦିବୌକସାଂ ବୈ ବଲମନ୍ଧ ଆୟୁଃ ।

ଈଶୋ ନଗାନାଂ ପ୍ରଜନଃ ପ୍ରଜାନାଂ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୩୪॥

ଶ୍ରୁତିମାନେ କହିବା ଅନୁଯାୟୀ ଚନ୍ଦ୍ରମା ସେହି ପ୍ରଭୁଙ୍କର ମନ ଅଟେ | ଏହି ଚନ୍ଦ୍ରମା ସମସ୍ତ ଦେବତାଙ୍କର ଅନ୍ନ, ବଳ ଏବଂ ଆୟୁ ଅଟନ୍ତି | ସେ ହିଁ ବୃକ୍ଷମାନଙ୍କର ସମ୍ରାଟ ଏବଂ ପ୍ରଜା ବୃଦ୍ଧିକାରୀ ଅଟନ୍ତି | ଏପରି ମନକୁ ସ୍ବୀକାର କରିଥିବା ସେହି ପରମ ଐଶ୍ବର୍ଯ୍ୟଶାଳୀ ପ୍ରଭୁ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ଅଗ୍ନିର୍ମୁଖଂ ଯସ୍ୟ ତୁ ଜାତବେଦା

ଜାତଃ କ୍ରିୟାକାଣ୍ଡନିମିତ୍ତଜନ୍ମା ।

ଅନ୍ତଃସମୁଦ୍ରେଽନୁପଚନ୍ ସ୍ୱଧାତୂନ୍

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୩୫॥

ଅଗ୍ନି ପ୍ରଭୁଙ୍କର ମୁଖ ଅଟେ | ବୈଦିକ ଯଜ୍ଞ-ଯାଗାଦି କର୍ମକାଣ୍ଡର ଯଥାଯଥ ସମ୍ପାଦନ ଉଦ୍ଦେଶ୍ୟରେ ହିଁ ଏହାର ଉତ୍ପତ୍ତି ହୋଇଛି | ଏହି ଅଗ୍ନି ଶରୀର ଭିତରେ ଜଠରାଗ୍ନିରୂପରେ ଏବଂ ସମୁଦ୍ର ଭିତରେ ବଡବାନଳରୂପରେ ରହି ସେଥିରେ ଥିବା ଅନ୍ନ, ଜଳ ଆଦି ଧାତୁମାନଙ୍କର ପାଚନ କରିଥାଏ ଏବଂ ସମସ୍ତ ଦ୍ରବ୍ୟର ଉତ୍ପତ୍ତି ମଧ୍ୟ ତହିଁରୁ ହୋଇଥାଏ | ଏପରି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ଯଚ୍ଚକ୍ଷୁରାସୀତ୍ତରଣିର୍ଦେବୟାନଂ

ତ୍ରୟୀମୟୋ ବ୍ରହ୍ମଣ ଏଷ ଧିଷ୍ଣ୍ୟମ୍ ।

ଦ୍ୱାରଂ ଚ ମୁକ୍ତେରମୃତଂ ଚ ମୃତ୍ୟୁଃ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୩୬॥

ଯାହା ଦ୍ବାରା ଜୀବ ଦେବଯାନ ମାର୍ଗରେ ବ୍ରହ୍ମଲୋକକୁ ପ୍ରାପ୍ତ ହୋଇଥାଏ, ଯିଏ ବେଦର ସାକ୍ଷାତ୍ ମୂର୍ତ୍ତି ଏବଂ ଭଗବାନଙ୍କର ଧ୍ୟାନ କରିବା ଯୋଗ୍ୟ ଧାମ ଅଟନ୍ତି, ଯିଏ ପୁଣ୍ୟଲୋକସ୍ବରୂପ ହୋଇଥିବା କାରଣରୁ ମୁକ୍ତିର ଦ୍ବାର ଏବଂ ଅମୃତମୟ ଅଟନ୍ତି ଏବଂ କାଳସ୍ବରୂପ ହୋଇଥିବା କାରଣରୁ ମୃତ୍ୟୁ ବି ଅଟନ୍ତି – ଏପରି ସୂର୍ଯ୍ୟ ଯାହାର ନେତ୍ର ଅଟନ୍ତି, ସେହି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ପ୍ରାଣାଦଭୂଦ୍ୟସ୍ୟ ଚରାଚରାଣାଂ

ପ୍ରାଣଃ ସହୋ ବଲମୋଜଶ୍ଚ ବାୟୁଃ ।

ଅନ୍ୱାସ୍ମ ସମ୍ରାଜମିବାନୁଗା ବୟଂ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୩୭॥

ପ୍ରଭୁଙ୍କ ପ୍ରାଣରୁ ହିଁ ଚରାଚରର ପ୍ରାଣ ତଥା ତାହାକୁ ମାନସିକ, ଶାରୀରିକ ଏବଂ ଇନ୍ଦ୍ରିୟ ସମ୍ବନ୍ଧୀ ବଳ ପ୍ରଦାନ କରୁଥିବା ବାୟୁ ପ୍ରକଟ ହୋଇଛି | ସେ ଚକ୍ରବର୍ତ୍ତୀ ସମ୍ରାଟ ଅଟନ୍ତି ତ ଇନ୍ଦ୍ରିୟ ଅଧିଷ୍ଠାତୃ-ଦେବତା ଆମେ ସବୁ ତାଙ୍କର ଅନୁଚର ଅଟୁ | ଏପରି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ଶ୍ରୋତ୍ରାଦ୍ଦିଶୋ ଯସ୍ୟ ହୃଦଶ୍ଚ ଖାନି

ପ୍ରଜଜ୍ଞିରେ ଖଂ ପୁରୁଷସ୍ୟ ନାଭ୍ୟାଃ ।

ପ୍ରାଣେନ୍ଦ୍ରିୟାତ୍ମାସୁଶରୀରକେତଂ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୩୮॥

ଯାହାର କର୍ଣ୍ଣରୁ ଦିଶା, ହୃଦୟରୁ ଇନ୍ଦ୍ରିୟଗୋଲକ ଏବଂ ନାଭିରୁ ସେହି ଆକାଶ ଉତ୍ପନ୍ନ ହୋଇଛି, ଯିଏ ପଞ୍ଚ ପ୍ରାଣ (ପ୍ରାଣ, ଅପାନ, ଉଦାନ, ସମାନ ଏବଂ ବ୍ୟାନ), ଦଶ ଇନ୍ଦ୍ରିୟ, ମନ, ପଞ୍ଚ ଅସୁ (ନାଗ, କୂର୍ମ, କୃକଳ, ଦେବଦତ୍ତ ଏବଂ ଧନଞ୍ଜୟ) ଏବଂ ଶରୀରର ଆଶ୍ରୟ ଅଟେ – ସେହି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ବଲାନ୍ମହେନ୍ଦ୍ରସ୍ତ୍ରିଦଶାଃ ପ୍ରସାଦା-

ନ୍ମନ୍ୟୋର୍ଗିରୀଶୋ ଧିଷଣାଦ୍ୱିରିଞ୍ଚଃ ।

ଖେଭ୍ୟଶ୍ଚ ଛନ୍ଦାଂସ୍ୟୃଷୟୋ ମେଢ୍ରତଃ କଃ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୩୯॥

ଯାହାର ବଳରୁ ଇନ୍ଦ୍ର, ପ୍ରସନ୍ନତାରୁ ସମସ୍ତ ଦେବଗଣ, କ୍ରୋଧରୁ ଶଂକର, ବୁଦ୍ଧିରୁ ବ୍ରହ୍ମା, ଇନ୍ଦ୍ରିୟରୁ ବେଦ ଏବଂ ଋଷି ତଥା ଲିଙ୍ଗରୁ ପ୍ରଜାପତି ଉତ୍ପନ୍ନ ହୋଇଛନ୍ତି – ସେହି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ଶ୍ରୀର୍ୱକ୍ଷସଃ ପିତରଶ୍ଛାୟଯାଽଽସନ୍

ଧର୍ମଃ ସ୍ତନାଦିତରଃ ପୃଷ୍ଠତୋଽଭୂତ୍ ।

ଦ୍ୟୌର୍ୟସ୍ୟ ଶୀର୍ଷ୍ଣୋଽପ୍ସରସୋ ବିହାରା-

ତ୍ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୪୦॥

ଯାହାର ବକ୍ଷ-ସ୍ଥଳରୁ ଲକ୍ଷ୍ମୀ, ଛାୟାରୁ ପିତୃଗଣ, ସ୍ତନରୁ ଧର୍ମ, ପିଠିରୁ ଅଧର୍ମ, ମସ୍ତକରୁ ଆକାଶ ଏବଂ ବିହାରରୁ ଅପ୍ସରାମାନେ ପ୍ରକଟ ହୋଇଛନ୍ତି, ସେହି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ବିପ୍ରୋ ମୁଖଂ ବ୍ରହ୍ମ ଚ ଯସ୍ୟ ଗୁହ୍ୟଂ

ରାଜନ୍ୟ ଆସୀଦ୍ଭୁଜୟୋର୍ବଲଂ ଚ ।

ଊର୍ୱୋର୍ୱିଡୋଽଜୋଽଙ୍ଘ୍ରିରବେଦଶୂଦ୍ରୌ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୪୧॥

ଯାହାର ମୁଖରୁ ବ୍ରାହ୍ମଣ ଏବଂ ଅତ୍ୟନ୍ତ ରହସ୍ୟମୟ ବେଦ, ଭୁଜରୁ କ୍ଷତ୍ରିୟ ଏବଂ ବଳ, ଜଂଘରୁ ବୈଶ୍ୟ ଏବଂ ସେମାନଙ୍କର ବ୍ୟାପାରକୁଶଳତା ଆଦି ବୃତ୍ତି ତଥା ଚରଣରୁ ଶୂଦ୍ର ଏବଂ ସେମାନଙ୍କର ସେବା ଆଦି ବୃତ୍ତି ପ୍ରକଟ ହୋଇଛି, ସେହି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ଲୋଭୋଽଧରାତ୍ପ୍ରୀତିରୁପର୍ୟଭୂଦ୍ଦ୍ୟୁତି-

ର୍ନସ୍ତଃ ପଶବ୍ୟଃ ସ୍ପର୍ଶେନ କାମଃ ।

ଭ୍ରୁବୋର୍ୟମଃ ପକ୍ଷ୍ମଭବସ୍ତୁ କାଲଃ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୪୨॥

ଯାହାର ଅଧରରୁ ଲୋଭ ଏବଂ ଓଷ୍ଠରୁ ପ୍ରୀତି, ନାସିକାରୁ କାନ୍ତି, ସ୍ପର୍ଶରୁ ପଶୁମାନଙ୍କର ପ୍ରିୟ କାମପ୍ରବୃତ୍ତି, ଭୃକୁଟିରୁ ଯମ ଏବଂ ଆଖିବାଳରୁ କାଳର ଉତ୍ପତ୍ତି ହୋଇଛି, ସେହି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ଦ୍ରବ୍ୟଂ ବୟଃ କର୍ମ ଗୁଣାନ୍ ବିଶେଷଂ

ଯଦ୍ୟୋଗମାୟାବିହିତାନ୍ ବଦନ୍ତି ।

ଯଦ୍ଦୁର୍ୱିଭାବ୍ୟଂ ପ୍ରବୁଧାପବାଧଂ

ପ୍ରସୀଦତାଂ ନଃ ସ ମହାବିଭୂତିଃ ॥ ୪୩॥

ପଞ୍ଚଭୂତ, କାଳ, କର୍ମ, ସତ୍ତ୍ଵାଦି ଗୁଣ ଏବଂ ବିବେକୀ ପୁରୁଷଙ୍କ ଦ୍ବାରା ବାଧିତ କରାଯିବା ଯୋଗ୍ୟ ଯାହା କିଛି ନିର୍ବଚନୀୟ ବା ଅନିର୍ବଚନୀୟ ବିଶେଷ ପଦାର୍ଥ ରହିଛି, ସେସବୁ ଭଗବାନଙ୍କ ଯୋଗମାୟାରେ ନିର୍ମିତ – ଏହା ଶାସ୍ତ୍ରବଚନ ଅଟେ | ସେହି ପରମ ଐଶ୍ବର୍ଯ୍ୟଶାଳୀ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |

ନମୋଽସ୍ତୁ ତସ୍ମା ଉପଶାନ୍ତଶକ୍ତୟେ

ସ୍ୱାରାଜ୍ୟଲାଭପ୍ରତିପୂରିତାତ୍ମନେ ।

ଗୁଣେଷୁ ମାୟାରଚିତେଷୁ ବୃତ୍ତିଭି-

ର୍ନସଜ୍ଜମାନାୟ ନଭସ୍ୱଦୂତୟେ ॥ ୪୪॥

ଯିଏ ମାୟାନିର୍ମିତ ଗୁଣ ଦର୍ଶନ ଆଦି ବୃତ୍ତି ଦ୍ବାରା ଆସକ୍ତ ହୁଅନ୍ତି ନାହିଁ, ଯିଏ ବାୟୁ ପରି ସଦା-ସର୍ବଦା ଅସଙ୍ଗ ରହନ୍ତି, ଯାହାଠାରେ ସମସ୍ତ ଶକ୍ତି ଶାନ୍ତ ରହିଥାଏ – ସେହି ନିଜ ଆତ୍ମାନନ୍ଦ ଲାଭରେ ପରିପୂର୍ଣ୍ଣ ଆତ୍ମସ୍ବରୂପ ଭଗବାନଙ୍କୁ ଆମ୍ଭମାନଙ୍କର ନମସ୍କାର |

ସ ତ୍ୱଂ ନୋ ଦର୍ଶୟାତ୍ମାନମସ୍ମତ୍କରଣଗୋଚରମ୍ ।

ପ୍ରପନ୍ନାନାଂ ଦିଦୃକ୍ଷୂଣାଂ ସସ୍ମିତଂ ତେ ମୁଖାମ୍ବୁଜମ୍ ॥ ୪୫॥

ପ୍ରଭୁ ! ଆମ୍ଭେମାନେ ଆପଣଙ୍କର ଶରଣାଗତ ଅଟୁ ଏବଂ ଆମେ ନିଜ ନେତ୍ରରେ ଆପଣଙ୍କର ମୃଦୁମନ୍ଦ ହାସ୍ୟଯୁକ୍ତ ମୁଖକମଳ ଦର୍ଶନ କରିବାକୁ ଇଚ୍ଛା କରୁଛୁ | ଆପଣ କୃପା କରି ଆମ୍ଭମାନଙ୍କୁ ତାହାର ଦର୍ଶନ କରାନ୍ତୁ |

ତୈସ୍ତୈଃ ସ୍ୱେଚ୍ଛାଧୃତୈ ରୂପୈଃ କାଲେ କାଲେ ସ୍ୱୟଂ ବିଭୋ ।

କର୍ମ ଦୁର୍ୱିଷହଂ ଯନ୍ନୋ ଭଗବାଂସ୍ତତ୍କରୋତି ହି ॥ ୪୬॥

ପ୍ରଭୁ ! ସମୟ-ସମୟରେ ଆପଣ ସ୍ବୟଂ ହିଁ ନିଜ ଇଚ୍ଛାରେ ଅନେକ ରୂପ ଧାରଣ କରନ୍ତି ଏବଂ ଯେଉଁ କାମ ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ କଠିନ, ଆପଣ ତାହାକୁ ସହଜରେ ହିଁ ସମ୍ପାଦନ କରିଦିଅନ୍ତି | ଆପଣ ସର୍ବଶକ୍ତିମାନ ଅଟନ୍ତି, କେଉଁ କାମ ଅବା ଆପଣଙ୍କ ପାଇଁ କଠିନ ?

କ୍ଲେଶଭୂର୍ୟଲ୍ପସାରାଣି କର୍ମାଣି ବିଫଲାନି ବା ।

ଦେହିନାଂ ବିଷୟାର୍ତାନାଂ ନ ତଥୈବାର୍ପିତଂ ତ୍ୱୟି ॥ ୪୭॥

ବିଷୟ ଲୋଭରେ ପଡି ଯେଉଁ ଦେହାଭିମାନୀ ଦୁଃଖ ଭୋଗ କରୁଥାଆନ୍ତି, ସେମାନଙ୍କୁ କର୍ମ କରିବାରେ ତ ପରିଶ୍ରମ ଏବଂ କ୍ଲେଶ ଅଧିକ ସହ୍ୟ କରିବାକୁ ପଡିଥାଏ, କିନ୍ତୁ ଫଳ ବହୁତ କମ୍ ମିଳିଥାଏ | ଅଧିକାଂଶତଃ ସେମାନଙ୍କୁ ବିଫଳତା ହିଁ ମିଳିଥାଏ | ଅଥଚ ଯେଉଁ କର୍ମ ଆପଣଙ୍କୁ ସମର୍ପିତ କରାଯାଇ ଥାଏ, ସେହି କର୍ମ କରାଯିବା ସମୟରେ ହିଁ ପରମ ସୁଖର ଅନୁଭୂତି ହୋଇଥାଏ; ତାହା ସ୍ବୟଂ ଫଳରୂପ ଅଟେ |

ନାବମଃ କର୍ମକଲ୍ପୋଽପି ବିଫଲାୟେଶ୍ୱରାର୍ପିତଃ ।

କଲ୍ପତେ ପୁରୁଷସ୍ୟୈଷ ସ ହ୍ୟାତ୍ମା ଦୟିତୋ ହିତଃ ॥ ୪୮॥

ଭଗବାନଙ୍କୁ ସମର୍ପିତ ଛୋଟରୁ ଛୋଟ କର୍ମାଭାସ ମଧ୍ୟ କେବେ ବିଫଳ ହୁଏନାହିଁ | କାରଣ ଭଗବାନ ଜୀବର ପରମ ହିତୈଷୀ, ପରମ ପ୍ରିୟତମ ଏବଂ ଆତ୍ମା ହିଁ ଅଟନ୍ତି |

ଯଥା ହି ସ୍କନ୍ଧଶାଖାନାଂ ତରୋର୍ମୂଲାବସେଚନମ୍ ।

ଏବମାରାଧନଂ ବିଷ୍ଣୋଃ ସର୍ୱେଷାମାତ୍ମନଶ୍ଚ ହି ॥ ୪୯॥

ଯେପରି ବୃକ୍ଷର ମୂଳରେ ଜଳ ସିଞ୍ଚନ କରିବା ଅର୍ଥ ତାହାର ବଡ-ଛୋଟ ଶାଖା-ପ୍ରଶାଖାକୁ ଜଳ ସିଞ୍ଚନ କରିବା ଅଟେ, ସେହିପରି ସର୍ବାତ୍ମା ଭଗବାନଙ୍କର ଆରାଧନା ସମ୍ପୂର୍ଣ୍ଣ ପ୍ରାଣୀ ସହିତ ନିଜର ମଧ୍ୟ ଆରାଧନା ଅଟେ |

ନମସ୍ତୁଭ୍ୟମନନ୍ତାୟ ଦୁର୍ୱିତର୍କ୍ୟାତ୍ମକର୍ମଣେ ।

ନିର୍ଗୁଣାୟ ଗୁଣେଶାୟ ସତ୍ତ୍ୱସ୍ଥାୟ ଚ ସାମ୍ପ୍ରତମ୍ ॥ ୫୦॥

ଯିଏ ତ୍ରିକାଳ ଏବଂ ତାର ଉର୍ଦ୍ଧ୍ବରେ ଏକରସ ସ୍ଥିତ ଅଟନ୍ତି, ଯାହାର ଲୀଳା-ରହସ୍ୟ ତର୍କ-ବିତର୍କର ଉର୍ଦ୍ଧ୍ବରେ, ଯିଏ ସ୍ବୟଂ ଗୁଣାତୀତ ହୋଇ ମଧ୍ୟ ସମସ୍ତ ଗୁଣର ସ୍ବାମୀ ଅଟନ୍ତି ତଥା ଏହି ସମୟରେ ସତ୍ତ୍ବଗୁଣରେ ସ୍ଥିତ ଅଟନ୍ତି – ଏପରି ଆପଣଙ୍କୁ ଆମ୍ଭେମାନେ ବାରମ୍ବାର ନମସ୍କାର କରୁଛୁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଅମୃତମଥନେ ପଞ୍ଚମୋଽଧ୍ୟାୟଃ ॥ ୫॥

Comments

Popular posts from this blog