ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଷଷ୍ଠ ଅଧ୍ୟାୟ

ଦେବତା ଦୈତ୍ୟମାନଙ୍କର ସମୁଦ୍ର-ମନ୍ଥନ ନିମନ୍ତେ ମିଳିତ ଉଦ୍ୟୋଗ

 

ଶ୍ରୀଶୁକ ଉବାଚ

ଏବଂ ସ୍ତୁତଃ ସୁରଗଣୈର୍ଭଗବାନ୍ ହରିରୀଶ୍ୱରଃ ।

ତେଷାମାବିରଭୂଦ୍ରାଜନ୍ ସହସ୍ରାର୍କୋଦୟଦ୍ୟୁତିଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦେବତାମାନଙ୍କର ସ୍ତୁତି ଶୁଣି ସର୍ବଶକ୍ତିମାନ ଭଗବାନ ଶ୍ରୀହରି ସେମାନଙ୍କ ଗହଣରେ ତତ୍କାଳ ହିଁ ପ୍ରକଟ ହୋଇଗଲେ | ତାଙ୍କ ଶରୀରର ଆଭା ଏପରି ଥିଲା ସତେ ଯେପରି ସହସ୍ର-ସହସ୍ର ସୂର୍ଯ୍ୟ ଏକସଙ୍ଗେ ଉଦ୍ଭାସିତ ହୋଇଛନ୍ତି |

ତେନୈବ ମହସା ସର୍ୱେ ଦେବାଃ ପ୍ରତିହତେକ୍ଷଣାଃ ।

ନାପଶ୍ୟନ୍ ଖଂ ଦିଶଃ କ୍ଷୋଣୀମାତ୍ମାନଂ ଚ କୁତୋ ବିଭୁମ୍ ॥ ୨॥

ଭଗବାନଙ୍କ ପ୍ରଭାରେ ଦେବତାମାନଙ୍କର ଆଖି ଝଲସି ଉଠିଲା | ସେମାନେ ଭଗବାନଙ୍କୁ ଦେଖିବେ କ, ଆକାଶ, ଦିଶା, ପୃଥିବୀ, ଏପରି କି ନିଜ ଶରୀରକୁ ମଧ୍ୟ ଦେଖି ପାରିଲେ ନାହିଁ |

ବିରିଞ୍ଚୋ ଭଗବାନ୍ ଦୃଷ୍ଟ୍ୱା ସହ ଶର୍ୱେଣ ତାଂ ତନୁମ୍ ।

ସ୍ୱଚ୍ଛାଂ ମରକତଶ୍ୟାମାଂ କଞ୍ଜଗର୍ଭାରୁଣେକ୍ଷଣାମ୍ ॥ ୩॥

ତପ୍ତହେମାବଦାତେନ ଲସତ୍କୌଶେୟବାସସା ।

ପ୍ରସନ୍ନଚାରୁସର୍ୱାଙ୍ଗୀଂ ସୁମୁଖୀଂ ସୁନ୍ଦରଭ୍ରୁବମ୍ ॥ ୪॥

ମହାମଣିକିରୀଟେନ କେୟୂରାଭ୍ୟାଂ ଚ ଭୂଷିତାମ୍ ।

କର୍ଣାଭରଣନିର୍ଭାତକପୋଲଶ୍ରୀମୁଖାମ୍ବୁଜାମ୍ ॥ ୫॥

କାଞ୍ଚୀକଲାପବଲୟହାରନୂପୁରଶୋଭିତାମ୍ ।

କୌସ୍ତୁଭାଭରଣାଂ ଲକ୍ଷ୍ମୀଂ ବିଭ୍ରତୀଂ ବନମାଲିନୀମ୍ ॥ ୬॥

କେବଳ ଭଗବାନ ଶଂକର ଏବଂ ବ୍ରହ୍ମାଜୀ ସେହି ଛବିର ଦର୍ଶନ କଲେ | ଅତ୍ୟନ୍ତ ସୁନ୍ଦର ଦୃଶ୍ୟାବଳୀ ଥିଲା – ମର୍କତମଣି ପରି ସ୍ବଚ୍ଛ ଶ୍ୟାମଳ ଶରୀର, କମଳର ଭିତର ଭାଗ ପରି ଅରୁଣ ରେଖାଙ୍କିତ ସୁକୁମାର ନେତ୍ର ଏବଂ ସୁବର୍ଣ୍ଣ ପରି ଝଟକୁ ଥିବା ରେଶମୀ ପୀତାମ୍ବର | ସର୍ବାଙ୍ଗସୁନ୍ଦର ଶରୀରର ପ୍ରତି ରୋମମୂଳରେ ପ୍ରସନ୍ନତାର ଝଲକ | ଧନୁ ପରି ବକ୍ର ଭୃକୁଟି ଏବଂ ଅତି ସୁନ୍ଦର ମୁଖ | ମସ୍ତକରେ ମହାମଣିମୟ କିରୀଟି ଏବଂ ଭୁଜରେ ବାଜୂବନ୍ଧ | କାନରେ  ଝଲମଲ କୁଣ୍ଡଳର ଆଭାରେ କପୋଳ ଆହୁରି ବି ସୁନ୍ଦର ଦେଖାଯାଉଛି, ଯଦ୍ବାରା ମୁଖକମଳ ପ୍ରସ୍ଫୁଟିତ ହୋଇ ଉଠୁଛି | କଟିରେ କିଙ୍କିଣିର ଝରା, ହସ୍ତରେ କଙ୍କଣ, ଗଳାରେ ହାର ଏବଂ ଚରଣରେ ନୂପୁର ଶୋଭାୟମାନ | ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ଗଳାରେ କୌସ୍ତୁଭମଣି ତଥା ବନମାଳ ସୁଶୋଭିତ |

ସୁଦର୍ଶନାଦିଭିଃ ସ୍ୱାସ୍ତ୍ରୈର୍ମୂର୍ତିମଦ୍ଭିରୁପାସିତାମ୍ ।

ତୁଷ୍ଟାବ ଦେବପ୍ରବରଃ ସଶର୍ୱଃ ପୁରୁଷଂ ପରମ୍ ।

ସର୍ୱାମରଗଣୈଃ ସାକଂ ସର୍ୱାଙ୍ଗୈରବନିଂ ଗତୈଃ ॥ ୭॥

ଭଗବାନଙ୍କର ସୁଦର୍ଶନ ଚକ୍ର ଆଦି ନିଜ ଆୟୁଧ ମୂର୍ତ୍ତିମାନ ହୋଇ ତାଙ୍କ ସେବାରେ ରତ | ସବୁ ଦେବତା ଭୂଇଁରେ ଲୋଟି ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ | ତତ୍ପଶ୍ଚାତ୍ ସବୁ ଦେବତାଙ୍କ ସହ ଭଗବାନ ଶଂକର ଏବଂ ବ୍ରହ୍ମାଜୀ ପରମ ପୁରୁଷ ଭଗବାନଙ୍କର ସ୍ତୁତି କରିବାରେ ଲାଗିଲେ |

ବ୍ରହ୍ମୋବାଚ

ଅଜାତଜନ୍ମସ୍ଥିତିସଂୟମାୟା-

ଗୁଣାୟନିର୍ୱାଣସୁଖାର୍ଣବାୟ ।

ଅଣୋରଣିମ୍ନେଽପରିଗଣ୍ୟଧାମ୍ନେ

ମହାନୁଭାବାୟ ନମୋ ନମସ୍ତେ ॥ ୮॥

ବ୍ରହ୍ମା ସ୍ତୁତି କଲେ – ଯାହାର ଜନ୍ମ, ସ୍ଥିତି ଏବଂ ପ୍ରଳୟ ସହିତ କୌଣସି ସମ୍ବନ୍ଧ ନାହିଁ, ଯିଏ ପ୍ରାକୃତ ଗୁଣରହିତ ଏବଂ ମୋକ୍ଷସ୍ବରୂପ ପରମାନନ୍ଦର ମହାନ୍ ସମୁଦ୍ର ଅଟନ୍ତି, ଯିଏ ସୂକ୍ଷ୍ମରୁ ମଧ୍ୟ ସୂକ୍ଷ୍ମ ଅଟନ୍ତି ଏବଂ ଯାହାର ସ୍ବରୂପ ଅନନ୍ତ ଅଟେ – ସେହି ପରମ ଐଶ୍ବର୍ଯ୍ୟଶାଳୀ ପ୍ରଭୁଙ୍କୁ ଆମ୍ଭେମାନେ ବାରମ୍ବାର ନମସ୍କାର କରୁଛୁ |

ରୂପଂ ତବୈତତ୍ପୁରୁଷର୍ଷଭେଜ୍ୟଂ

ଶ୍ରେୟୋଽର୍ଥିଭିର୍ୱୈଦିକତାନ୍ତ୍ରିକେଣ ।

ଯୋଗେନ ଧାତଃ ସହ ନସ୍ତ୍ରିଲୋକାନ୍

ପଶ୍ୟାମ୍ୟମୁଷ୍ମିନ୍ନୁ ହ ବିଶ୍ୱମୂର୍ତୌ ॥ ୯॥

ପୁରୁଷୋତ୍ତମ ! ନିଜ କଲ୍ୟାଣକାମୀ ସାଧକ ବେଦୋକ୍ତ ଏବଂ ପାଞ୍ଚରାତ୍ରୋକ୍ତ ବିଧିରେ ଆପଣଙ୍କର ଏହି ସ୍ବରୂପର ଉପାସନା କରନ୍ତି | ମୋର ମଧ୍ୟ ରଚୟିତା ହେ ପ୍ରଭୁ ! ଆପଣଙ୍କର ଏହି ବିଶ୍ବମୟ ସ୍ବରୂପରେ ମୋତେ ସମସ୍ତ ଦେବଗଣଙ୍କ ସହିତ ତିନି ଲୋକ ଦୃଶ୍ୟ ହେଉଛି |

ତ୍ୱୟ୍ୟଗ୍ର ଆସୀତ୍ତ୍ୱୟି ମଧ୍ୟ ଆସୀ-

ତ୍ତ୍ୱୟ୍ୟନ୍ତ ଆସୀଦିଦମାତ୍ମତନ୍ତ୍ରେ ।

ତ୍ୱମାଦିରନ୍ତୋ ଜଗତୋଽସ୍ୟ ମଧ୍ୟଂ

ଘଟସ୍ୟ ମୃତ୍ସ୍ନେବ ପରଃ ପରସ୍ମାତ୍ ॥ ୧୦॥

ଏହି ଜଗତ ଆଦ୍ୟରେ ଆପଣଙ୍କଠାରେ ଲୀନ ଥିଲା, ମଧ୍ୟରେ ଏହା ଆପଣଙ୍କଠାରେ ସ୍ଥିତ ରହିଛି ଏବଂ ଅନ୍ତରେ ପୁନଃ ଏହା ଆପଣଙ୍କ ମଧ୍ୟରେ ଲୀନ ହୋଇଯିବ | ଆପଣ ସ୍ବୟଂ କାର୍ଯ୍ୟ-କାରଣର ଉର୍ଦ୍ଧ୍ବରେ ପରମ ସ୍ବତନ୍ତ୍ର ଅଟନ୍ତି | ମାଠିଆର ଆଦି, ମଧ୍ୟ ଏବଂ ଅନ୍ତ ମାଟି ହୋଇଥିବା ପରି ଆପଣ ହିଁ ଏହି ଜଗତର ଆଦି, ଅନ୍ତ ଏବଂ ମଧ୍ୟ ଅଟନ୍ତି |  

ତ୍ୱଂ ମାୟଯାଽଽତ୍ମାଽଽଶ୍ରୟଯା ସ୍ୱୟେଦଂ

ନିର୍ମାୟ ବିଶ୍ୱଂ ତଦନୁପ୍ରବିଷ୍ଟଃ ।

ପଶ୍ୟନ୍ତି ଯୁକ୍ତା ମନସା ମନୀଷିଣୋ

ଗୁଣବ୍ୟବାୟେଽପ୍ୟଗୁଣଂ ବିପଶ୍ଚିତଃ ॥ ୧୧॥

ଆପଣ ନିଜ ଆଶ୍ରୟରେ ରହିଥିବା ନିଜ ମାୟାରେ ଏହି ସଂସାରର ରଚନା କରନ୍ତି ଏବଂ ପୁନଃ ଏଥିରେ ପ୍ରବେଶ କରି ଅନ୍ତର୍ଯ୍ୟାମୀ ରୂପରେ ବିରାଜମାନ ରହନ୍ତି | ସେଥିପାଇଁ ବିବେକୀ ଏବଂ ଶାସ୍ତ୍ରଜ୍ଞ ପୁରୁଷ ଅତ୍ୟନ୍ତ ସାବଧାନପୂର୍ବକ ନିଜ ମନକୁ ଏକାଗ୍ର କରି ଗୁଣର, ବିଷୟର ଏହି ଭିଡ ମଧ୍ୟରେ ଆପଣଙ୍କ ନିର୍ଗୁଣ ସ୍ବରୂପର ସାକ୍ଷାତକାର କରିଥାଆନ୍ତି |

ଯଥାଗ୍ନିମେଧସ୍ୟମୃତଂ ଚ ଗୋଷୁ

ଭୁବ୍ୟନ୍ନମମ୍ବୂଦ୍ୟମନେ ଚ ବୃତ୍ତିମ୍ ।

ଯୋଗୈର୍ମନୁଷ୍ୟା ଅଧିୟନ୍ତି ହି ତ୍ୱାଂ

ଗୁଣେଷୁ ବୁଦ୍ଧ୍ୟା କବୟୋ ବଦନ୍ତି ॥ ୧୨॥

ମନୁଷ୍ୟ ଯେପରି ଯୁକ୍ତି ଦ୍ବାରା କାଷ୍ଠରୁ ଅଗ୍ନି, ଗାଈଠାରୁ ଅମୃତ ତୁଲ୍ୟ ଦୁଗ୍ଧ, ପୃଥିବୀରୁ ଅନ୍ନ ତଥା ଜଳ ଏବଂ ବ୍ୟାପାରରୁ ନିଜର ଆଜୀବିକା ପ୍ରାପ୍ତ କରିଥାଏ – ସେହିପରି ବିବେକୀ ପୁରୁଷ ନିଜ ଶୁଦ୍ଧ ବୁଦ୍ଧିରେ ଭକ୍ତିଯୋଗ, ଜ୍ଞାନଯୋଗ ଆଦି ଦ୍ବାରା ଆପଣଙ୍କୁ ଏହି ସବୁ ବିଷୟରେ ହିଁ ପ୍ରାପ୍ତ କରିଥାଆନ୍ତି ଏବଂ ନିଜ ଅନୁଭୂତି ଅନୁସାରେ ଆପଣଙ୍କର ବର୍ଣ୍ଣନା ବି କରନ୍ତି |

ତଂ ତ୍ୱାଂ ବୟଂ ନାଥ ସମୁଜ୍ଜିହାନଂ

ସରୋଜନାଭାତିଚିରେପ୍ସିତାର୍ଥମ୍ ।

ଦୃଷ୍ଟ୍ୱା ଗତା ନିର୍ୱୃତମଦ୍ୟ ସର୍ୱେ

ଗଜା ଦବାର୍ତା ଇବ ଗାଙ୍ଗମମ୍ଭଃ ॥ ୧୩॥

କମଳନାଭ ! ଦାବାଗ୍ନିରେ ଦଗ୍ଧ ହାତୀ ଗଙ୍ଗାଜଳରେ ବୁଡି ସୁଖ ଏବଂ ଶାନ୍ତି ଅନୁଭବ କରିବା ପରି ଆପଣଙ୍କର ଆବିର୍ଭାବରେ ଆମ୍ଭେମାନେ ପରମ ସୁଖୀ ଏବଂ ଶାନ୍ତ ହୋଇଯାଇଛୁ | ସ୍ବାମୀ ! ବହୁତ ଦିନରୁ ଆମ୍ଭେମାନେ ଆପଣଙ୍କର ଦର୍ଶନ ନିମନ୍ତେ ଲାଳାୟିତ ଥିଲୁ |

ସ ତ୍ୱଂ ବିଧତ୍ସ୍ୱାଖିଲଲୋକପାଲା

ବୟଂ ଯଦର୍ଥାସ୍ତବ ପାଦମୂଲମ୍ ।

ସମାଗତାସ୍ତେ ବହିରନ୍ତରାତ୍ମନ୍

କିଂ ବାନ୍ୟବିଜ୍ଞାପ୍ୟମଶେଷସାକ୍ଷିଣଃ ॥ ୧୪॥

ବାହାରେ-ଭିତରେ ଆପଣ ହିଁ ଆମର ଆତ୍ମା ଅଟନ୍ତି | ଆମେ ସବୁ ଲୋକପାଳ ଯେଉଁ ଉଦ୍ଦେଶ୍ୟରେ ଆପଣଙ୍କ ଚରଣର ଶରଣରେ ଆସିଛୁ, କୃପା କରି ଆପଣ ତାହା ପୂର୍ଣ୍ଣ କରନ୍ତୁ | ଆପଣ ସମସ୍ତଙ୍କର ସାକ୍ଷୀ ଅଟନ୍ତି; ଅତଏବ ଏହି ବିଷୟରେ ଆମ୍ଭେମାନେ ଅଧିକ କଣ ଆପଣଙ୍କଠାରେ ନିବେଦନ କରିବୁ ?

ଅହଂ ଗିରିତ୍ରଶ୍ଚ ସୁରାଦୟୋ ଯେ

ଦକ୍ଷାଦୟୋଽଗ୍ନେରିବ କେତବସ୍ତେ ।

କିଂ ବା ବିଦାମେଶ ପୃଥଗ୍ୱିଭାତା

ବିଧତ୍ସ୍ୱ ଶଂ ନୋ ଦ୍ୱିଜଦେବମନ୍ତ୍ରମ୍ ॥ ୧୫॥

ହେ ପ୍ରଭୁ ! ମୁଁ, ଭଗବାନ ଶଂକର, ଅନ୍ୟ ଦେବତା, ଋଷି ଏବଂ ଦକ୍ଷ ଆଦି ପ୍ରଜାପତି – ସମସ୍ତେ ଅଗ୍ନିଠାରୁ ପୃଥକ୍ ରହିଥିବା ଝୁଲ ସଦୃଶ ଆପଣଙ୍କର ହିଁ ଅଂଶ ଅଟୁ ଏବଂ ନିଜକୁ ଆପଣଙ୍କଠାରୁ ପୃଥକ୍ ମନେ କରିଥାଉ | ଏପରି ସ୍ଥିତିରେ, ହେ ପ୍ରଭୁ ! ଆମ୍ଭେମାନେ କଣ ଅବା ବୁଝି ପାରିବୁ ? ବ୍ରାହ୍ମଣ ଏବଂ ଦେବତାଙ୍କର କଲ୍ୟାଣ ନିମନ୍ତେ ଯାହା କିଛି କରିବା ଆବଶ୍ୟକ, ତାହା କରିବାକୁ ଆପଣ ଆମକୁ ଆଦେଶ ଦିଅନ୍ତୁ ଏବଂ ସ୍ବୟଂ ମଧ୍ୟ ତାହା କରନ୍ତୁ |

ଶ୍ରୀଶୁକ ଉବାଚ

ଏବଂ ବିରିଞ୍ଚାଦିଭିରୀଡିତସ୍ତ-

ଦ୍ୱିଜ୍ଞାୟ ତେଷାଂ ହୃଦୟଂ ଯଥୈବ ।

ଜଗାଦ ଜୀମୂତଗଭୀରୟା ଗିରା

ବଦ୍ଧାଞ୍ଜଲୀନ୍ ସମ୍ବୃତସର୍ୱକାରକାନ୍ ॥ ୧୬॥

ଶ୍ରୀଶୁକଦେବ କହୁଛନ୍ତି – ବ୍ରହ୍ମା ଆଦି ଦେବତାମାନେ ଏହିପରି ସ୍ତୁତି କରି ନିଜର ସମସ୍ତ ଇନ୍ଦ୍ରିୟଙ୍କୁ ସଂଯମିତ କଲେ ଏବଂ ଅତ୍ୟନ୍ତ ସାବଧାନ ସହକାରେ ଯୋଡହସ୍ତପୂର୍ବକ ଦଣ୍ଡାୟମାନ ରହିଲେ | ସେମାନଙ୍କର ସ୍ତୁତି ଶୁଣି ଏବଂ ସେମାନଙ୍କର ହୃଦୟର କଥାକୁ ଜାଣି ଭଗବାନ ମେଘଗମ୍ଭୀର ବାଣୀରେ କହିଲେ |

ଏକ ଏବେଶ୍ୱରସ୍ତସ୍ମିନ୍ ସୁରକାର୍ୟେ ସୁରେଶ୍ୱରଃ ।

ବିହର୍ତୁକାମସ୍ତାନାହ ସମୁଦ୍ରୋନ୍ମଥନାଦିଭିଃ ॥ ୧୭॥

ପରୀକ୍ଷିତ ! ସମସ୍ତ ଦେବତା ତଥା ଜଗତର ଏକମାତ୍ର ସ୍ବାମୀ ଭଗବାନ ଏକାକୀ ହିଁ ସବୁ କାର୍ଯ୍ୟ କରିବାକୁ ସମର୍ଥ, ତଥାପି ସମୁଦ୍ର-ମନ୍ଥନ ଆଦି ଲୀଳା ଦ୍ବାରା ବିହାର କରିବାର ଇଚ୍ଛାରେ ସେ ଦେବତାମାନଙ୍କୁ ସମ୍ବୋଧିତ କରି ଏହିପରି କହିବାରେ ଲାଗିଲେ |

ଶ୍ରୀଭଗବାନୁବାଚ

ହନ୍ତ ବ୍ରହ୍ମନ୍ନହୋ ଶମ୍ଭୋ ହେ ଦେବା ମମ ଭାଷିତମ୍ ।

ଶୃଣୁତାବହିତାଃ ସର୍ୱେ ଶ୍ରେୟୋ ବଃ ସ୍ୟାଦ୍ୟଥା ସୁରାଃ ॥ ୧୮॥

ଶ୍ରୀଭଗବାନ କହିଲେ – ବ୍ରହ୍ମା, ଶଂକର ଏବଂ ଦେବଗଣ ! ତୁମ୍ଭେମାନେ ସାବଧାନ ସହକାରେ ମୋର ପରାମର୍ଶ ଶୁଣ | ତୁମ କଲ୍ୟାଣର ଉପାୟ ଏହା ହିଁ ଅଟେ |

ଯାତ ଦାନବଦୈତେୟୈସ୍ତାବତ୍ସନ୍ଧିର୍ୱିଧୀୟତାମ୍ ।

କାଲେନାନୁଗୃହୀତୈସ୍ତୈର୍ୟାବଦ୍ୱୋ ଭବ ଆତ୍ମନଃ ॥ ୧୯॥

ଦେଖ, ଏହି ସମୟରେ କାଳର କୃପା ଅସୁରମାନଙ୍କ ଉପରେ ରହିଛି | ସେଥିପାଇଁ ତୁମ୍ଭମାନଙ୍କର ଅଭ୍ୟୁଦୟ ଏବଂ ଉନ୍ନତିର ସମୟ ନ ଆସିବା ଯାଏଁ ତୁମ୍ଭେମାନେ ଦୈତ୍ୟ ଏବଂ ଦାନବଙ୍କ ପାଖକୁ ଯାଇ ସେମାନଙ୍କ ସହିତ ସନ୍ଧି ସ୍ଥାପନ କର |

ଅରୟୋଽପି ହି ସନ୍ଧେୟାଃ ସତି କାର୍ୟାର୍ଥଗୌରବେ ।

ଅହିମୂଷିକବଦ୍ଦେବା ହ୍ୟର୍ଥସ୍ୟ ପଦବୀଂ ଗତୈଃ ॥ ୨୦॥

ହେ ଦେବଗଣ ! କୌଣସି ବଡ କାର୍ଯ୍ୟ କରିବାକୁ ଥିଲେ ଆବଶ୍ୟକ ସ୍ଥଳେ ଶତ୍ରୁମାନଙ୍କ ସହିତ ହାତ ମିଳାଇବା ବୁଦ୍ଧିମାନୀ ଅଟେ | କାର୍ଯ୍ୟ ହାସଲ ହୋଇଯିବା ପରେ ସେମାନଙ୍କ ସହିତ ସାପ ଓ ମୂଷା ପରି ବ୍ୟବହାର କରାଯାଇ ପାରେ | (ଜଣେ ସାପୁଆ କେଳାର ପେଡିରେ ପୂର୍ବରୁ ସାପଟିଏ ବନ୍ଦ ହୋଇ ରହିଥିଲା | ଦିନେ ସଂଯୋଗବଶ ସେହି ପେଡି ଭିତରକୁ ଗୋଟିଏ ମୂଷା ପଶିଗଲା | ସାପକୁ ଦେଖି ମୂଷାଟି ଡରି ଯାଇଥିବା ଲକ୍ଷ୍ୟ କରି ଆଦରପୂର୍ଣ୍ଣ କୋମଳ ସ୍ବରରେ ସାପ ତାକୁ କହିଲା, ‘ତୁମେ ଏହି ପେଡିରେ ଛିଦ୍ରଟିଏ କରିଦିଅ, ତାହା ମଧ୍ୟ ଦେଇ ଆମେ ଦୁହେଁ ବାହାରକୁ ଚାଲିଯିବା |’ ପ୍ରଥମେ ତ ସାପର କଥାରେ ମୂଷାର ବିଶ୍ବାସ ହେଲା ନାହିଁ; କିନ୍ତୁ ପରେ ସେ ଛିଦ୍ରଟିଏ କରିଦେଲା | ଏବେ ନିଜର କାର୍ଯ୍ୟ ସିଦ୍ଧ ହୋଇଯିବା ପରେ ସାପ ମୂଷାଟିକୁ ଗିଳି ଆରାମରେ ବାହାରକୁ ଚାଲିଗଲା |)

ଅମୃତୋତ୍ପାଦନେ ଯତ୍ନଃ କ୍ରିୟତାମବିଲମ୍ବିତମ୍ ।

ଯସ୍ୟ ପୀତସ୍ୟ ବୈ ଜନ୍ତୁର୍ମୃତ୍ୟୁଗ୍ରସ୍ତୋଽମରୋ ଭବେତ୍ ॥ ୨୧॥

ବିଳମ୍ବ ନ କରି ତୁମ୍ଭେମାନେ ଏବେ ଅମୃତ ନିଷ୍କାସନ ନିମନ୍ତେ ପ୍ରଯତ୍ନ କର | ତାହାକୁ ପାନ କରି ମରଣଶୀଳ ପ୍ରାଣୀ ଅମର ହୋଇଯାଆନ୍ତି |

କ୍ଷିପ୍ତ୍ୱା କ୍ଷୀରୋଦଧୌ ସର୍ୱା ବୀରୁତ୍ତୃଣଲତୌଷଧୀଃ ।

ମନ୍ଥାନଂ ମନ୍ଦରଂ କୃତ୍ୱା ନେତ୍ରଂ କୃତ୍ୱା ତୁ ବାସୁକିମ୍ ॥ ୨୨॥

ସହାୟେନ ମୟା ଦେବା ନିର୍ମନ୍ଥଧ୍ୱମତନ୍ଦ୍ରିତାଃ ।

କ୍ଲେଶଭାଜୋ ଭବିଷ୍ୟନ୍ତି ଦୈତ୍ୟା ଯୂୟଂ ଫଲଗ୍ରହାଃ ॥ ୨୩॥

ପ୍ରଥମେ ତୁମ୍ଭେମାନେ କ୍ଷୀରସାଗରରେ ସବୁ ପ୍ରକାରର ଘାସ, ତୃଣ, ଲତା ଏବଂ ଔଷଧି ନିକ୍ଷେପ କର | ତାପରେ ମନ୍ଦରାଚଳକୁ ମନ୍ଥନ-ଦଣ୍ଡ, ବାସୁକି ନାଗକୁ ଦଉଡି କରି ମୋ ସହାୟତାରେ ସମୁଦ୍ର-ମନ୍ଥନ କର | ଏହା ଆଳସ୍ୟ ଏବଂ ପ୍ରମାଦର ସମୟ ନୁହେଁ | ହେ ଦେବଗଣ ! ବିଶ୍ବାସ ରଖ | ଏଥିରେ ଦୈତ୍ୟମାନଙ୍କୁ ତ କେବଳ ଶ୍ରମ ଏବଂ କ୍ଲେଶ ମିଳିବ; ଫଳ ମିଳିବ ତୁମକୁ |

ଯୂୟଂ ତଦନୁମୋଦଧ୍ୱଂ ଯଦିଚ୍ଛନ୍ତ୍ୟସୁରାଃ ସୁରାଃ ।

ନ ସଂରମ୍ଭେଣ ସିଧ୍ୟନ୍ତି ସର୍ୱେଽର୍ଥାଃ ସାନ୍ତ୍ୱୟା ଯଥା ॥ ୨୪॥

ଅସୁରମାନଙ୍କର ସବୁ ଇଚ୍ଛା ସ୍ବୀକାର କରି ନିଅ | ଶାନ୍ତିରେ ସବୁ କାମ ହୋଇଯାଏ, କ୍ରୋଧ କରିବା ଦ୍ବାରା କିଛି ହାସଲ ହୋଇ ନ ଥାଏ |

ନ ଭେତବ୍ୟଂ କାଲକୂଟାଦ୍ୱିଷାଜ୍ଜଲଧିସମ୍ଭବାତ୍ ।

ଲୋଭଃ କାର୍ୟୋ ନ ବୋ ଜାତୁ ରୋଷଃ କାମସ୍ତୁ ବସ୍ତୁଷୁ ॥ ୨୫॥

ପ୍ରଥମେ ସମୁଦ୍ରରୁ କାଳକୂଟ ବିଷ ବାହାରିବ, ତଦ୍ବାରା ଭୟଭୀତ ହେବନାହିଁ | ଏତଦ୍ ବ୍ୟତିତ କୌଣସି ବସ୍ତୁରେ ଲୋଭ କରିବ ନାହିଁ | ସର୍ବପ୍ରଥମେ ତ କୌଣସି ବସ୍ତୁର କାମନା ହିଁ କରିବା ଉଚିତ୍ ନୁହେଁ ଏବଂ ଯଦି ଅବା କାମନା ସୃଷ୍ଟି ହେଉଥାଏ, ତେବେ ତାହାର ଅପୂର୍ତ୍ତିରେ କ୍ରୋଧ କରିବା ତ ଆଦୌ ଉଚିତ୍ ନୁହେଁ |

ଶ୍ରୀଶୁକ ଉବାଚ

ଇତି ଦେବାନ୍ ସମାଦିଶ୍ୟ ଭଗବାନ୍ ପୁରୁଷୋତ୍ତମଃ ।

ତେଷାମନ୍ତର୍ଦଧେ ରାଜନ୍ ସ୍ୱଚ୍ଛନ୍ଦଗତିରୀଶ୍ୱରଃ ॥ ୨୬॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦେବତାମାନଙ୍କୁ ଏପରି ଆଦେଶ ଡେଇ ପୁରୁଷୋତ୍ତମ ଭଗବାନ ସେଠାରୁ ଅନ୍ତର୍ହିତ ହୋଇଗଲେ | ସେ ତ ସର୍ବଶକ୍ତିମାନ ଏବଂ ପରମ ସ୍ବତନ୍ତ୍ର ଅଟନ୍ତି; ତାଙ୍କର ଲୀଳା-ରହସ୍ୟକୁ କିଏ ଅବା ବୁଝିବ |

ଅଥ ତସ୍ମୈ ଭଗବତେ ନମସ୍କୃତ୍ୟ ପିତାମହଃ ।

ଭବଶ୍ଚ ଜଗ୍ମତୁଃ ସ୍ୱଂ ସ୍ୱଂ ଧାମୋପେୟୁର୍ବଲିଂ ସୁରାଃ ॥ ୨୭॥

ସେ ସେଠାରୁ ଅନ୍ତର୍ହିତ ହୋଇ ଯିବା ପରେ ବ୍ରହ୍ମା ଏବଂ ଶଂକର ପୁନର୍ବାର ତାଙ୍କ ଉଦ୍ଦେଶ୍ୟରେ ନମସ୍କାର କରି ନିଜ-ନିଜ ଲୋକକୁ ଚାଲିଗଲେ | ତଦନନ୍ତର ଇନ୍ଦ୍ରାଦି ଦେବତା ରାଜା ବଳିଙ୍କ ପାଖକୁ ଗଲେ |

ଦୃଷ୍ଟ୍ୱାରୀନପ୍ୟସଂୟତ୍ତାନ୍ ଜାତକ୍ଷୋଭାନ୍ ସ୍ୱନାୟକାନ୍ ।

ନ୍ୟଷେଧଦ୍ଦୈତ୍ୟରାଟ୍ ଶ୍ଲୋକ୍ୟଃ ସନ୍ଧିବିଗ୍ରହକାଲବିତ୍ ॥ ୨୮॥

ଦେବତାମାନେ ବିନା ଅସ୍ତ୍ର-ଶସ୍ତ୍ରରେ ଉପସ୍ଥିତ ହୋଇଥିବା ଦେଖି ଦୈତ୍ୟସେନାପତିମାନଙ୍କ ମନରେ ଅତ୍ୟନ୍ତ କ୍ଷୋଭ ଜାତ ହେଲା | ସେମାନେ ଦେବତାମାନଙ୍କୁ ଧରି ନେବାକୁ ଅଗ୍ରସର ହେଲେ | କିନ୍ତୁ ସନ୍ଧି ଏବଂ ବିରୋଧର ଅବସର ବିଷୟରେ ଜାଣିଥିବା ଦୈତ୍ୟରାଜ ବଳି ପବିତ୍ର କୀର୍ତ୍ତି ସମ୍ପନ୍ନ ଥିଲେ | ସେ ଦୈତ୍ୟମାନଙ୍କୁ ଇଶାରାରେ ରୋକି ଦେଲେ |

ତେ ବୈରୋଚନିମାସୀନଂ ଗୁପ୍ତଂ ଚାସୁରୟୂଥପୈଃ ।

ଶ୍ରିୟା ପରମୟା ଜୁଷ୍ଟଂ ଜିତାଶେଷମୁପାଗମନ୍ ॥ ୨୯॥

ଏହାପରେ ଦେବତାମାନେ ବଳିଙ୍କ ପାଖରେ ପହଞ୍ଚିଲେ | ବଳି ତ୍ରିଲୋକ ବିଜେତା ଥିଲେ | ସେ ସମସ୍ତ ସମ୍ପତ୍ତି ଦ୍ବାରା ସେବିତ ଏବଂ ଅସୁର-ସେନାପତିମାନଙ୍କ ଦ୍ବାରା ସୁରକ୍ଷିତ ହୋଇ ନିଜ ରାଜସିଂହାସନରେ ଉପବେଶନ କରିଥିଲେ |

ମହେନ୍ଦ୍ରଃ ଶ୍ଲକ୍ଷ୍ଣୟା ବାଚା ସାନ୍ତ୍ୱୟିତ୍ୱା ମହାମତିଃ ।

ଅଭ୍ୟଭାଷତ ତତ୍ସର୍ୱଂ ଶିକ୍ଷିତଂ ପୁରୁଷୋତ୍ତମାତ୍ ॥ ୩୦॥

ସ୍ବୟଂ ଭଗବାନ ତାଙ୍କୁ ଯାହା କହିଥିଲେ, ବୁଦ୍ଧିମାନ ଇନ୍ଦ୍ର ଅତ୍ୟନ୍ତ ମଧୁର ବାଣୀରେ ରାଜା ବଳିଙ୍କୁ ସବୁ କଥା ବୁଝାଇ କହିଲେ |

ତଦରୋଚତ ଦୈତ୍ୟସ୍ୟ ତତ୍ରାନ୍ୟେ ଯେଽସୁରାଧିପାଃ ।

ଶମ୍ବରୋଽରିଷ୍ଟନେମିଶ୍ଚ ଯେ ଚ ତ୍ରିପୁରବାସିନଃ ॥ ୩୧॥

ସେହି କଥା ଦୈତ୍ୟରାଜ ବଳିଙ୍କ ମନକୁ ପାଇଲା | ସେଠାରେ ବସିଥିବା ଶମ୍ବର, ଅରିଷ୍ଟନେମି ଆଦି ସେନାପତି ଏବଂ ତ୍ରିପୁରନିବାସୀ ଅସୁରମାନଙ୍କୁ ମଧ୍ୟ କଥାଟି ବହୁତ ଭଲ ଲାଗିଲା |

ତତୋ ଦେବାସୁରାଃ କୃତ୍ୱା ସମ୍ବିଦଂ କୃତସୌହୃଦାଃ ।

ଉଦ୍ୟମଂ ପରମଂ ଚକ୍ରୁରମୃତାର୍ଥେ ପରନ୍ତପ ॥ ୩୨॥

ତତ୍ପଶ୍ଚାତ୍ ଦେବତା ଏବଂ ଅସୁରମାନେ ପରସ୍ପର ମଧ୍ୟରେ ବୁଝାମଣା ଓ ସନ୍ଧି କରି ମିତ୍ରତା ସ୍ଥାପନ କରିନେଲେ ଏବଂ ସମସ୍ତେ ମିଶି ଅମୃତ ମନ୍ଥନ ନିମନ୍ତେ ପୂର୍ଣ୍ଣ ଉଦ୍ୟୋଗ କରିବାରେ ଲାଗିଲେ |

ତତସ୍ତେ ମନ୍ଦରଗିରିମୋଜସୋତ୍ପାଟ୍ୟ ଦୁର୍ମଦାଃ ।

ନଦନ୍ତ ଉଦଧିଂ ନିନ୍ୟୁଃ ଶକ୍ତାଃ ପରିଘବାହବଃ ॥ ୩୩॥

ନିଜ ଶକ୍ତିରେ ସେମାନେ ମନ୍ଦରାଚଳ ପର୍ବତର ଉତ୍ପାଟନ କରି ଉଚ୍ଚ ଗର୍ଜନରେ ପରସ୍ପରକୁ ଉତ୍ସାହିତ କରି ତାହାକୁ ସମୁଦ୍ରତଟକୁ ବୋହି ଆଣିବାକୁ ଉଦ୍ୟମ କଲେ | ସେମାନଙ୍କର ଭୁଜ ଲୌହବଳୟ ପରି ଥିଲା, ଶରୀରରେ ଅପାର ଶକ୍ତି ଥିଲା; ତାଛଡା ନିଜର ବଳକୁ ନେଇ ସେମାନଙ୍କର ଦମ୍ଭ ତ ପୂର୍ବରୁ ରହିଥିଲା |

ଦୂରଭାରୋଦ୍ୱହଶ୍ରାନ୍ତାଃ ଶକ୍ରବୈରୋଚନାଦୟଃ ।

ଅପାରୟନ୍ତସ୍ତଂ ବୋଢୁଂ ବିବଶା ବିଜହୁଃ ପଥି ॥ ୩୪॥

କିନ୍ତୁ ଏକରେ ତ ସେହି ମନ୍ଦରପର୍ବତ ବହୁତ ଭାରି ଥିଲା ଏବଂ ଦୁଇରେ ସମୁଦ୍ରତଟ ସେଠାରୁ ବହୁତ ଦୂର ଥିଲା | ସେଥିପାଇଁ ଇନ୍ଦ୍ର, ବଳି ଆଦି ସମସ୍ତେ ନିଜର ସବୁ ବଳ ଲଗାଇ ମଧ୍ୟ ହାରିଗଲେ | କୌଣସି ପ୍ରକାରେ ଯେତେବେଳେ ସେମାନେ ମନ୍ଦରାଚଳକୁ ଆଗକୁ ନେଇ ପାରିଲେ ନାହିଁ, ସେତେବେଳେ ସେମାନେ ବିବଶ ହୋଇ ରାସ୍ତାରେ ହିଁ ସେହି ପର୍ବତକୁ କଚାଡି ଦେଲେ |

ନିପତନ୍ ସ ଗିରିସ୍ତତ୍ର ବହୂନମରଦାନବାନ୍ ।

ଚୂର୍ଣୟାମାସ ମହତା ଭାରେଣ କନକାଚଲଃ ॥ ୩୫॥

ସେହି ସୁବର୍ଣ୍ଣ ପର୍ବତ ମନ୍ଦରାଚଳ ଅତ୍ୟନ୍ତ ଭାରି ଥିଲା | ତଳକୁ ଖସିଯିବା ଦ୍ବାରା ତାର ଚାପରେ ଅନେକ ଦେବତା ଏବଂ ଦାନବ ନିଷ୍ପେଶିତ ହୋଇ କ୍ଷତବିକ୍ଷତ ହୋଇଗଲେ |

ସ୍ତଥା ଭଗ୍ନମନସୋ ଭଗ୍ନବାହୂରୁକନ୍ଧରାନ୍ ।

ବିଜ୍ଞାୟ ଭଗବାଂସ୍ତତ୍ର ବଭୂବ ଗରୁଡଧ୍ୱଜଃ ॥ ୩୬॥

ସେହି ଦେବତା ଏବଂ ଅସୁରମାନଙ୍କର ହାତ, ଅଣ୍ଟା ଏବଂ କାନ୍ଧ ତ ଭାଙ୍ଗି ଯାଇଥିଲା, ମନ ମଧ୍ୟ ଭାଙ୍ଗି ଯାଇଥିଲା | ସେମାନଙ୍କର ଉତ୍ସାହ ଭଙ୍ଗ ହୋଇଥିବା ଦେଖି ଗରୁଡ଼ ପୃଷ୍ଠରେ ବସି ଭଗବାନ ସେଠାରେ ସହସା ପ୍ରକଟ ହୋଇଗଲେ |

ଗିରିପାତବିନିଷ୍ପିଷ୍ଟାନ୍ ବିଲୋକ୍ୟାମରଦାନବାନ୍ ।

ଈକ୍ଷୟା ଜୀବୟାମାସ ନିର୍ଜରାନ୍ ନିର୍ୱ୍ରଣାନ୍ ଯଥା ॥ ୩୭॥

ସେ ଦେଖିଲେ ଉଭୟ ଦେବତା ଏବଂ ଅସୁର ପର୍ବତ ତଳେ ଚାପି ହୋଇ କ୍ଷତବିକ୍ଷତ ହୋଇ ଯାଇଛନ୍ତି | ନିଜ ଅମୃତମୟୀ ଦୃଷ୍ଟିରେ ଭଗବାନ ଦେବତାମାନଙ୍କୁ ଏପରି ଭାବରେ ଜୀବିତ କରିଦେଲେ ଯେ ମନେହେଲା ସତେ ଯେପରି ସେମାନଙ୍କ ଶରୀରର କୌଣସି ଅଙ୍ଗ ଆଘାତପ୍ରାପ୍ତ ହୋଇ ନ ଥିଲା |

ଗିରିଂ ଚାରୋପ୍ୟ ଗରୁଡେ ହସ୍ତେନୈକେନ ଲୀଲୟା ।

ଆରୁହ୍ୟ ପ୍ରୟଯାବବ୍ଧିଂ ସୁରାସୁରଗଣୈର୍ୱୃତଃ ॥ ୩୮॥

ଏହାପରେ ସେ ଖେଳଣା ପରି ମନ୍ଦରାଚଳକୁ ଏକ ହାତରେ ଉଠାଇ ନେଇ ଗରୁଡ଼ ଉପରେ ରଖିଦେଲେ ଏବଂ ସ୍ବୟଂ ମଧ୍ୟ ଗରୁଡ ପୃଷ୍ଠରେ ସବାର ହୋଇଗଲେ | ତାପରେ ଦେବତା ଓ ଅସୁରମାନଙ୍କ ସହିତ ସେ ସମୁଦ୍ରତଟକୁ ଯାତ୍ରା କଲେ |

ଅବରୋପ୍ୟ ଗିରିଂ ସ୍କନ୍ଧାତ୍ସୁପର୍ଣଃ ପତତାଂ ବରଃ ।

ଯୟୌ ଜଲାନ୍ତ ଉତ୍ସୃଜ୍ୟ ହରିଣା ସ ବିସର୍ଜିତଃ ॥ ୩୯॥

ପକ୍ଷୀରାଜ ଗରୁଡ ସମୁଦ୍ରତଟରେ ପର୍ବତକୁ ଓହ୍ଲାଇ ଦେଲେ ଏବଂ ତାପରେ ଭଗବାନ ତାଙ୍କୁ ବିଦାୟ ଦେବାରୁ ସେ ସେଠାରୁ ପ୍ରସ୍ଥାନ କରିଗଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଅଷ୍ଟମସ୍କନ୍ଧେ

ଅମୃତମଥନେ ମନ୍ଦରାଚଲାନୟନଂ ନାମ ଷଷ୍ଠୋଽଧ୍ୟାୟଃ ॥ ୬॥

Comments

Popular posts from this blog