ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ନବମ ଅଧ୍ୟାୟ
ମୋହିନୀରୂପଧାରୀ ଭଗବାନଙ୍କ ଦ୍ବାରା ଅମୃତ ବଣ୍ଟନ
ଶ୍ରୀଶୁକ ଉବାଚ
ତେଽନ୍ୟୋନ୍ୟତୋଽସୁରାଃ
ପାତ୍ରଂ ହରନ୍ତସ୍ତ୍ୟକ୍ତସୌହୃଦାଃ ।
କ୍ଷିପନ୍ତୋ
ଦସ୍ୟୁଧର୍ମାଣ ଆୟାନ୍ତୀଂ ଦଦୃଶୁଃ ସ୍ତ୍ରିୟମ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି - ପରୀକ୍ଷିତ ! ଅସୁରମାନେ ପରସ୍ପର ମଧ୍ୟରେ ସଦ୍ଭାବନା ଓ ପ୍ରେମଭାବକୁ ତ୍ୟାଗ କରି
ପରସ୍ପରର ନିନ୍ଦା କରୁଥିଲେ ଏବଂ ଡାକୁମାନଙ୍କ ପରି ଜଣେ ଜଣଙ୍କ ହାତରୁ ଅମୃତ କଳସ ଛଡାଇବାକୁ
ଚେଷ୍ଟା କରୁଥିଲେ | ଇତ୍ୟବସରରେ ସେମାନେ ଦେଖିବାକୁ ପାଇଲେ ଜଣେ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ
ସେମାନଙ୍କ ଅଭିମୁଖରେ ଚାଲି ଆସୁଛନ୍ତି |
ଅହୋ ରୂପମହୋ ଧାମ
ଅହୋ ଅସ୍ୟା ନବଂ ବୟଃ ।
ଇତି ତେ
ତାମଭିଦ୍ରୁତ୍ୟ ପପ୍ରଚ୍ଛୁର୍ଜାତହୃଚ୍ଛୟାଃ ॥ ୨॥
ସେମାନେ ଚିନ୍ତା
କରିବାରେ ଲାଗିଲେ – ‘କିପରି ଅନୁପମ ସୌନ୍ଦର୍ଯ୍ୟ ! ଶରୀରରୁ କିପରି ଅଦ୍ଭୁତ ଆଭା ବିକିରଣ ହେଉଛି
! ଟିକିଏ ତାଙ୍କର ନବ ଯୌବନକୁ ତ ଦେଖ !’ – ବାସ୍, ଏବେ ସେମାନେ
ପରସ୍ପର ମଧ୍ୟରେ ଉପୁଜି ଥିବା କଳହ କଥା ଭୁଲି ତାଙ୍କ ପାଖକୁ ଧାଇଁ ଗଲେ ଏବଂ କାମବିମୋହିତ ହୋଇ
ତାଙ୍କୁ ପ୍ରଶ୍ନ କରିବାରେ ଲାଗିଲେ |
କା ତ୍ୱଂ
କଞ୍ଜପଲାଶାକ୍ଷି କୁତୋ ବା କିଂ ଚିକୀର୍ଷସି ।
କସ୍ୟାସି ବଦ
ବାମୋରୁ ମଥ୍ନନ୍ତୀବ ମନାଂସି ନଃ ॥ ୩॥
‘କମଳନୟନୀ ! ତୁମେ
କିଏ ? କେଉଁଠାରୁ କେଉଁ ଅଭିପ୍ରାୟରେ ଆସିଛ ? ହେ ସୁନ୍ଦରୀ ! ତୁମେ କାହାର କନ୍ୟା ଅଟ ? ତୁମକୁ
ଦେଖି ଆମ୍ଭମାନଙ୍କର ମନ ଅସ୍ଥିର ହୋଇ ଉଠୁଛି |
ନ ବୟଂ
ତ୍ୱାମରୈର୍ଦୈତ୍ୟୈଃ ସିଦ୍ଧଗନ୍ଧର୍ୱଚାରଣୈଃ ।
ନାସ୍ପୃଷ୍ଟପୂର୍ୱାଂ
ଜାନୀମୋ ଲୋକେଶୈଶ୍ଚ କୁତୋ ନୃଭିଃ ॥ ୪॥
ଆମେ ଭାବୁଛୁ
ଏପର୍ଯ୍ୟନ୍ତ କୌଣସି ଦେବତା, ଦୈତ୍ୟ, ସିଦ୍ଧ, ଗନ୍ଧର୍ବ, ଚାରଣ ଏବଂ ଲୋକପାଳ ତୁମକୁ ସ୍ପର୍ଶ କରିନାହାଁନ୍ତି |
ସେପରି କ୍ଷେତ୍ରରେ କୌଣସି ମନୁଷ୍ୟ ତୁମକୁ ସ୍ପର୍ଶ କରିବ କିପରି ?
ନୂନଂ ତ୍ୱଂ ବିଧିନା
ସୁଭ୍ରୂଃ ପ୍ରେଷିତାସି ଶରୀରିଣାମ୍ ।
ସର୍ୱେନ୍ଦ୍ରିୟମନଃପ୍ରୀତିଂ
ବିଧାତୁଂ ସଘୃଣେନ କିମ୍ ॥ ୫॥
ସୁନ୍ଦରୀ !
ନିଶ୍ଚିତଭାବରେ ବିଧାତା ଦୟାକରି ଶରୀରଧାରୀମାନଙ୍କର ସମ୍ପୂର୍ଣ୍ଣ ଇନ୍ଦ୍ରିୟ ଓ ମନକୁ ତୃପ୍ତ
କରାଇବା ନିମନ୍ତେ ତୁମକୁ ଏଠାକୁ ପ୍ରେରଣ କରିଛନ୍ତି |
ସା ତ୍ୱଂ ନଃ
ସ୍ପର୍ଧମାନାନାମେକବସ୍ତୁନି ମାନିନି ।
ଜ୍ଞାତୀନାଂ
ବଦ୍ଧବୈରାଣାଂ ଶଂ ବିଧତ୍ସ୍ୱ ସୁମଧ୍ୟମେ ॥ ୬॥
ମାନିନୀ ! ଆମେ ସବୁ
ଗୋଟିଏ ଜାତିର ଅଟୁ | କିନ୍ତୁ ଆମେ ସମସ୍ତେ ଗୋଟିଏ ବସ୍ତୁ ପ୍ରାପ୍ତ କରିବାକୁ ଇଚ୍ଛା କରୁଛୁ, ସେଥିପାଇଁ ଆମ୍ଭମାନଙ୍କ ମଧ୍ୟରେ ବିବାଦ ଏବଂ ବୈରଭାବ
ଉତ୍ପନ୍ନ ହୋଇଛି | ସୁନ୍ଦରୀ ! ତୁମେ ଆମ ଝଗଡାର ସମାଧାନ କର |
ବୟଂ କଶ୍ୟପଦାୟାଦା
ଭ୍ରାତରଃ କୃତପୌରୁଷାଃ ।
ବିଭଜସ୍ୱ
ଯଥାନ୍ୟାୟଂ ନୈବ ଭେଦୋ ଯଥା ଭବେତ୍ ॥ ୭॥
ଆମେ ସମସ୍ତେ
କଶ୍ୟପ-ପୁତ୍ର ହୋଇଥିବା ଦୃଷ୍ଟିରୁ ଭାଈ-ଭାଈ ଅଟୁ | ଅମୃତ ପ୍ରାପ୍ତ କରିବା ପାଇଁ ଆମେ ସମସ୍ତେ
ବହୁତ ବେଶୀ ପୁରୁଷାର୍ଥ କରିଛୁ | ତୁମେ ନ୍ୟାୟ ଅନୁସାରେ ନିଷ୍ପକ୍ଷଭାବରେ ଏହାର ବଣ୍ଟନ କରିଦିଅ, ଯାହା ଫଳରେ କି ଆମ୍ଭମାନଙ୍କ ମଧ୍ୟରେ କୌଣସି ପ୍ରକାରର
କଳହ ସୃଷ୍ଟି ହେବନାହିଁ |
ଇତ୍ୟୁପାମନ୍ତ୍ରିତୋ
ଦୈତ୍ୟୈର୍ମାୟାୟୋଷିଦ୍ୱପୁର୍ହରିଃ ।
ପ୍ରହସ୍ୟ
ରୁଚିରାପାଙ୍ଗୈର୍ନିରୀକ୍ଷନ୍ନିଦମବ୍ରବୀତ୍ ॥ ୮॥
ଅସୁରମାନଙ୍କର ଏପରି
ପ୍ରାର୍ଥନା ଶୁଣି ଲୀଳାରେ ସ୍ତ୍ରୀ-ରୂପ ଧାରଣ କରିଥିବା ଭଗବାନ ଈଶତ୍ ହସି, ବାଙ୍କ ଚାହାଣୀରେ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି
ଏପରି କହିଲେ |
ଶ୍ରୀଭଗବାନୁବାଚ
କଥଂ କଶ୍ୟପଦାୟାଦାଃ
ପୁଂଶ୍ଚଲ୍ୟାଂ ମୟି ସଙ୍ଗତାଃ ।
ବିଶ୍ୱାସଂ ପଣ୍ଡିତୋ
ଜାତୁ କାମିନୀଷୁ ନ ଯାତି ହି ॥ ୯॥
ଶ୍ରୀଭଗବାନ କହିଲେ –
ଆପଣମାନେ ମହର୍ଷି କଶ୍ୟପଙ୍କର ପୁତ୍ର ଅଟନ୍ତି, ଅଥଚ ମୁଁ ଜଣେ
କୁଳ଼ଟା ସ୍ତ୍ରୀ ଅଟେ | ନ୍ୟାୟ କରିବାର ଭାର ଆପଣମାନେ ମୋ ହସ୍ତରେ କାହିଁକି ନ୍ୟସ୍ତ କରୁଛନ୍ତି
? ବିବେକୀ ପୁରୁଷ କୌଣସି ସ୍ବେଚ୍ଛାଚାରିଣୀ ସ୍ତ୍ରୀକୁ କଦାପି ବିଶ୍ବାସ କରନ୍ତି ନାହିଁ |
ସାଲାବୃକାଣାଂ
ସ୍ତ୍ରୀଣାଂ ଚ ସ୍ୱୈରିଣୀନାଂ ସୁରଦ୍ୱିଷଃ ।
ସଖ୍ୟାନ୍ୟାହୁରନିତ୍ୟାନି
ନୂତ୍ନଂ ନୂତ୍ନଂ ବିଚିନ୍ୱତାମ୍ ॥ ୧୦॥
ହେ ଦୈତ୍ୟଗଣ !
କୁକୁର ଓ ବ୍ୟଭିଚାରିଣୀ ସ୍ତ୍ରୀଙ୍କ ସହିତ ମିତ୍ରତା କେବେ ସ୍ଥାୟୀ ହୋଇ ନ ଥାଏ; କାରଣ ସେ ଦୁହେଁ ସଦା-ସର୍ବଦା ନୂଆ-ନୂଆ ଶିକାରର
ଅନ୍ବେଷଣ କରୁଥାଆନ୍ତି |
ଶ୍ରୀଶୁକ ଉବାଚ
ଇତି ତେ
କ୍ଷ୍ୱେଲିତୈସ୍ତସ୍ୟା ଆଶ୍ୱସ୍ତମନସୋଽସୁରାଃ ।
ଜହସୁର୍ଭାବଗମ୍ଭୀରଂ
ଦଦୁଶ୍ଚାମୃତଭାଜନମ୍ ॥ ୧୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ମୋହିନୀଙ୍କର ଏପରି ପରିହାସପୂର୍ଣ୍ଣ ଉକ୍ତି ଶୁଣି ଦୈତ୍ୟମାନଙ୍କର
ତାଙ୍କ ପ୍ରତି ବିଶ୍ବାସ ଆହୁରି ଦୃଢ ହୋଇଗଲା | ସେମାନେ ରହସ୍ୟପୂର୍ଣ୍ଣ ଭାବରେ ହସି ହସି ଅମୃତ
କଳସକୁ ମୋହିନୀଙ୍କ ହାତରେ ଅର୍ପଣ କରିଦେଲେ |
ତତୋ
ଗୃହୀତ୍ୱାମୃତଭାଜନଂ ହରି-
ର୍ବଭାଷ
ଈଷତ୍ସ୍ମିତଶୋଭୟା ଗିରା ।
ଯଦ୍ୟଭ୍ୟୁପେତଂ କ୍ୱ
ଚ ସାଧ୍ୱସାଧୁ ବା
କୃତଂ ମୟା ବୋ
ବିଭଜେ ସୁଧାମିମାମ୍ ॥ ୧୨॥
ଅମୃତ କଳସକୁ ହାତରେ
ଧରି ଭଗବାନ ଈଷତ୍ ହସି ସୁମଧୁର ବାଣୀରେ କହିଲେ – ‘ମୁଁ ଉଚିତ୍-ଅନୁଚିତ୍ ଯାହା ବି କରିବି, ଯଦି ତାହା ତୁମ୍ଭମାନଙ୍କୁ ସ୍ବୀକାର ହେବ, ତେବେ ମୁଁ ଏହି ଅମୃତର ବଣ୍ଟନ କରିବି |’
ଇତ୍ୟଭିବ୍ୟାହୃତଂ
ତସ୍ୟା ଆକର୍ଣ୍ୟାସୁରପୁଙ୍ଗବାଃ ।
ଅପ୍ରମାଣବିଦସ୍ତସ୍ୟାସ୍ତତ୍ତଥେତ୍ୟନ୍ୱମଂସତ
॥ ୧୩॥
ବଡ-ବଡ ଦୈତ୍ୟମାନେ
ମଧ୍ୟ ମୋହିନୀଙ୍କ ମଧୁର ବଚନ ପଛରେ ଲୁଚି ରହିଥିବା ରହସ୍ୟକୁ ବୁଝି ପାରିଲେ ନାହିଁ; ସେମାନେ ସମସ୍ତେ ଏକ ସ୍ବରରେ ‘ସ୍ବୀକାର’ କହିଲେ | ଏହାର କାରଣ ଏହା ମଧ୍ୟ ଥିଲା ଯେ ସେମାନେ
ମୋହିନୀଙ୍କର ବାସ୍ତବିକ ସ୍ଵରୂପକୁ ଜାଣି ନ ଥିଲେ |
ଅଥୋପୋଷ୍ୟ
କୃତସ୍ନାନା ହୁତ୍ୱା ଚ ହବିଷାନଲମ୍ ।
ଦତ୍ତ୍ୱା
ଗୋବିପ୍ରଭୂତେଭ୍ୟଃ କୃତସ୍ୱସ୍ତ୍ୟଯନା ଦ୍ୱିଜୈଃ ॥ ୧୪॥
ଏହାପରେ ଗୋଟିଏ ଦିନ
ଉପବାସ କରି ସେମାନେ ସ୍ନାନ କଲେ | ହବିଷ୍ୟ ଦ୍ବାରା ଅଗ୍ନିରେ ଆହୂତି ଦେଲେ | ଗୋ, ବ୍ରାହ୍ମଣ ଏବଂ ସବୁ ପ୍ରାଣୀଙ୍କୁ ଘାସ-ଚାରା,
ଅନ୍ନ-ଧନାଦି ଯଥାଯୋଗ୍ୟ ଦାନ ଦେଲେ ତଥା ବ୍ରାହ୍ମଣମାନଙ୍କ ଦ୍ବାରା ସ୍ବସ୍ତ୍ୟୟନ କରାଇଲେ |
ଯଥୋପଜୋଷଂ ବାସାଂସି
ପରିଧାୟାହତାନି ତେ ।
କୁଶେଷୁ ପ୍ରାବିଶନ୍
ସର୍ୱେ ପ୍ରାଗଗ୍ରେଷ୍ୱଭିଭୂଷିତାଃ ॥ ୧୫॥
ନିଜ-ନିଜ ରୁଚି
ଅନୁସାରେ ସମସ୍ତେ ନୂତନ ବସ୍ତ୍ର ଧାରଣ କଲେ ଏବଂ ସୁନ୍ଦର-ସୁନ୍ଦର ଆଭୂଷଣରେ ବିଭୂଷିତ ହୋଇ
କୁଶାସନରେ ଉପବେଶନ କଲେ, ଯାହାର ମୁଖ ପୂର୍ବ ଦିଗକୁ
ଥିଲା |
ପ୍ରାଙ୍ମୁଖେଷୂପବିଷ୍ଟେଷୁ
ସୁରେଷୁ ଦିତିଜେଷୁ ଚ ।
ଧୂପାମୋଦିତଶାଲାୟାଂ
ଜୁଷ୍ଟାୟାଂ ମାଲ୍ୟଦୀପକୈଃ ॥ ୧୬॥
ତସ୍ୟାଂ ନରେନ୍ଦ୍ର
କରଭୋରୁରୁଶଦ୍ଦୁକୂଲ-
ଶ୍ରୋଣୀତଟାଲସଗତିର୍ମଦବିହ୍ୱଲାକ୍ଷୀ
।
ସା କୂଜତୀ
କନକନୂପୁରଶିଞ୍ଜିତେନ
କୁମ୍ଭସ୍ତନୀ
କଲଶପାଣିରଥାବିବେଶ ॥ ୧୭॥
ଉଭୟ ଦେବତା ଓ
ଦୈତ୍ୟମାନେ ଧୂପରେ ସୁଗନ୍ଧିତ, ମାଳା ଏବଂ ଦୀପରେ
ସଜ୍ଜିତ ଭବ୍ୟ ଭବନରେ ପୂର୍ବକୁ ମୁହଁ କରି ବସିଯିବା ପରେ, ହାତରେ ଅମୃତ କଳସ
ଧରି ମୋହିନୀ ସଭାମଣ୍ଡପକୁ ଆସିଲେ | ସେ ଏକ ଅତି ସୁନ୍ଦର ଶାଢୀ ପରିଧାନ କରିଥିଲେ | ନିତମ୍ବର
ଭାର ଯୋଗୁଁ ସେ ଧୀରେ-ଧୀରେ ଚାଲୁଥିଲେ | ତାଙ୍କର ଆଖି ମଦରେ ବିହ୍ବଳ ଥିଲା | କଳସ ସଦୃଶ ସ୍ତନ
ଏବଂ ଗଜଶାବକର ଶୁଣ୍ଢ ପରି ତାଙ୍କର ଜଘନ ଥିଲା | ତାଙ୍କ ସ୍ବର୍ଣ୍ଣନୂପୁରର ଝଙ୍କାରରେ ସଭାଭବନ
ମୁଖରିତ ହେଉଥିଲା |
ତାଂ ଶ୍ରୀସଖୀଂ
କନକକୁଣ୍ଡଲଚାରୁକର୍ଣ-
ନାସାକପୋଲବଦନାଂ
ପରଦେବତାଖ୍ୟାମ୍ ।
ସମ୍ବୀକ୍ଷ୍ୟ
ସମ୍ମୁମୁହୁରୁତ୍ସ୍ମିତବୀକ୍ଷଣେନ
ଦେବାସୁରା
ବିଗଲିତସ୍ତନପଟ୍ଟିକାନ୍ତାମ୍ ॥ ୧୮॥
ସୁନ୍ଦର କାନରେ
ସୁବର୍ଣ୍ଣ କୁଣ୍ଡଳ ଶୋଭା ପାଉଥିଲା ଏବଂ ତାଙ୍କର ନାସିକା, କପୋଳ ତଥା ମୁଖ
ଅତିଶୟ ସୁନ୍ଦର ଥିଲା | ମୋହିନୀ ରୂପରେ ସ୍ବୟଂ ପରଦେବତା ଭଗବାନ ଏପରି ମନେ ହେଉଥିଲେ ସତେ ଯେପରି
ଦେବୀ ଲକ୍ଷ୍ମୀଙ୍କର କୌଣସି ଶ୍ରେଷ୍ଠ ସଖୀ ଆଗମନ କରିଛନ୍ତି | ନିଜର ସ୍ମିତହାସ୍ୟଯୁକ୍ତ
ଚାହାଣୀରେ ସେ ଦେବତା ଓ ଦୈତ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରନ୍ତେ ସେମାନେ ସମସ୍ତେ ମୋହିତ
ହୋଇଗଲେ | ସେତେବେଳେ ତାଙ୍କ ସ୍ତନ ଉପରୁ କାନିପଣତ କିଂଚିତ୍ ଖସି ଯାଇଥିଲା |
ଅସୁରାଣାଂ
ସୁଧାଦାନଂ ସର୍ପାଣାମିବ ଦୁର୍ନୟମ୍ ।
ମତ୍ୱା
ଜାତିନୃଶଂସାନାଂ ନ ତାଂ ବ୍ୟଭଜଦଚ୍ୟୁତଃ ॥ ୧୯॥
ମୋହିନୀରୂପଧାରୀ
ଭଗବାନ ବିଚାର କଲେ, ଅସୁରମାନେ ତ ସ୍ବଭାବତଃ
କ୍ରୂର ଅଟନ୍ତି; ସେମାନଙ୍କୁ ଅମୃତ ପାନ
କରାଇବା ସର୍ପକୁ ଦୁଗ୍ଧପାନ କରାଇବା ପରି ଅତ୍ୟନ୍ତ ଅନ୍ୟାୟ ହେବ | ସେଥିପାଇଁ ସେ ଅସୁରମାନଙ୍କୁ
ଅମୃତରୁ ଭାଗ ଦେଲେନାହିଁ |
କଲ୍ପୟିତ୍ୱା ପୃଥକ୍
ପଙ୍କ୍ତୀରୁଭୟେଷାଂ ଜଗତ୍ପତିଃ ।
ତାଂଶ୍ଚୋପବେଶୟାମାସ
ସ୍ୱେଷୁ ସ୍ୱେଷୁ ଚ ପଙ୍କ୍ତିଷୁ ॥ ୨୦॥
ଭଗବାନ ଦେବତା ଓ
ଦୈତ୍ୟମାନଙ୍କୁ ପୃଥକ୍-ପୃଥକ୍ ଦଳରେ ବିଭକ୍ତ କରି ଦେଇଥିଲେ | ଏବେ ସେ ସେମାନଙ୍କୁ ଧାଡି ବାନ୍ଧି
ନିଜ-ନିଜ ଦଳରେ ବସାଇ ଦେଲେ |
ଦୈତ୍ୟାନ୍
ଗୃହୀତକଲଶୋ ବଞ୍ଚୟନ୍ନୁପସଞ୍ଚରୈଃ ।
ଦୂରସ୍ଥାନ୍
ପାୟଯାମାସ ଜରାମୃତ୍ୟୁହରାଂ ସୁଧାମ୍ ॥ ୨୧॥
ଏହାପରେ ଅମୃତ
କଳସକୁ ହାତରେ ଧରି ଭଗବାନ ଦୈତ୍ୟମାନଙ୍କ ପାଖକୁ ଚାଲିଗଲେ | ନିଜର ହାବଭାବ ଏବଂ କଟାକ୍ଷରେ
ସେମାନଙ୍କୁ ମୋହିତ କରି ଦୂରରେ ବସିଥିବା ଦେବତାମାନଙ୍କ ପାଖକୁ ଚାଲି ଆସିଲେ ତଥା ସେମାନଙ୍କୁ
ଅମୃତ ପାନ କରାଇବାରେ ଲାଗିଲେ, ଯାହାକୁ ପାନ କରି
ବାର୍ଦ୍ଧକ୍ୟ ଏବଂ ମୃତ୍ୟୁରୁ ଅବ୍ୟାହତି ମିଳିଯାଏ |
ତେ ପାଲୟନ୍ତଃ
ସମୟମସୁରାଃ ସ୍ୱକୃତଂ ନୃପ ।
ତୂଷ୍ଣୀମାସନ୍
କୃତସ୍ନେହାଃ ସ୍ତ୍ରୀବିବାଦଜୁଗୁପ୍ସୟା ॥ ୨୨॥
ପରୀକ୍ଷିତ !
ଅସୁରମାନେ ନିଜେ କରିଥିବା ପ୍ରତିଜ୍ଞା ପାଳନ କରୁଥିଲେ | ମନରେ ସେମାନଙ୍କର ସ୍ନେହ ତ ହୋଇ
ଯାଇଥିଲା, ତାଛଡା ସ୍ତ୍ରୀ ସହିତ ଝଗଡା କରିବା କାର୍ଯ୍ୟକୁ ନିନ୍ଦନୀୟ ମନେ କରି ସେମାନେ ଚୁପଚାପ୍
ବସି ରହିଲେ |
ତସ୍ୟାଂ କୃତାତିପ୍ରଣୟାଃ
ପ୍ରଣୟାପାୟକାତରାଃ ।
ବହୁମାନେନ ଚାବଦ୍ଧା
ନୋଚୁଃ କିଞ୍ଚନ ବିପ୍ରିୟମ୍ ॥ ୨୩॥
ମୋହିନୀଙ୍କ ପ୍ରତି
ସେମାନଙ୍କର ଅତ୍ୟଧିକ ପ୍ରେମ ହୋଇ ଯାଇଥିଲା | ସେମାନେ ଭୟ କରୁଥିଲେ କାଳେ ସେମାନଙ୍କର
ପ୍ରେମ-ସମ୍ବନ୍ଧ ଛିନ୍ନ ହୋଇଯିବ | ମୋହିନୀ ମଧ୍ୟ ସର୍ବପ୍ରଥମେ ସେମାନଙ୍କର ବହୁତ ବେଶୀ ସମ୍ମାନ
କରିଥିଲେ, ଯାହା ଫଳରେ ସେମାନେ ଅଧିକ ବାନ୍ଧି ହୋଇ ଯାଇଥିଲେ |
ସେହି କାରଣରୁ ସେମାନେ ମୋହିନୀଙ୍କୁ କୌଣସି ଅପ୍ରିୟ କଥା କହିଲେ ନାହିଁ |
ଦେବଲିଙ୍ଗପ୍ରତିଚ୍ଛନ୍ନଃ
ସ୍ୱର୍ଭାନୁର୍ଦେବସଂସଦି ।
ପ୍ରବିଷ୍ଟଃ
ସୋମମପିବଚ୍ଚନ୍ଦ୍ରାର୍କାଭ୍ୟାଂ ଚ ସୂଚିତଃ ॥ ୨୪॥
ଭଗବାନ
ଦେବତାମାନଙ୍କୁ ଅମୃତ ପାନ କରାଉଥିବା ବେଳେ ରାହୁ ନାମକ ଦୈତ୍ୟ ଦେବତା ବେଶ ଧାରଣ କରି ସେମାନଙ୍କ
ଧାଡିରେ ବସିଗଲା ଏବଂ ଦେବତାମାନଙ୍କ ସହିତ ସେ ମଧ୍ୟ ଅମୃତ ପାନ କରିନେଲା | କିନ୍ତୁ ଚନ୍ଦ୍ରମା
ଏବଂ ସୂର୍ଯ୍ୟ ତତକ୍ଷଣାତ୍ ତା’ର ଭେଦ ଖୋଲିଦେଲେ |
ଚକ୍ରେଣ
କ୍ଷୁରଧାରେଣ ଜହାର ପିବତଃ ଶିରଃ ।
ହରିସ୍ତସ୍ୟ
କବନ୍ଧସ୍ତୁ ସୁଧୟାଽଽପ୍ଲାବିତୋଽପତତ୍ ॥ ୨୫॥
ଅମୃତ ପାନ
କରାଉଥିବା ସମୟରେ ହିଁ ଭଗବାନ ଅତିଶୀଘ୍ର ନିଜର ତୀକ୍ଷ୍ଣ ଧାରଯୁକ୍ତ ଚକ୍ରରେ ତା’ର ମସ୍ତକରୁ ଦେହକୁ କାଟି ଛିନ୍ନ କରିଦେଲେ, ଯାହା ଫଳରେ ଅମୃତ ତା’ର ମୁଖରୁ ତଳକୁ ଯାଇ ପାରିଲା ନାହିଁ |
ଶିରସ୍ତ୍ୱମରତାଂ
ନୀତମଜୋ ଗ୍ରହମଚୀକୢପତ୍ ।
ଯସ୍ତୁ ପର୍ୱଣି
ଚନ୍ଦ୍ରାର୍କାବଭିଧାବତି ବୈରଧୀଃ ॥ ୨୬॥
ତା’ର ମସ୍ତକ ଅମର ହୋଇଗଲା ଏବଂ ବ୍ରହ୍ମାଜୀ ତାହାକୁ ଏକ
ଗ୍ରହ କରିଦେଲେ | ସେହି ରାହୁ ପୂର୍ଣ୍ଣମୀ ଏବଂ ଅମାବାସ୍ୟା ତିଥିରେ ବୈରଭାବରେ ପ୍ରତିଶୋଧ ନେବା
ପାଇଁ ଚନ୍ଦ୍ରମା ତଥା ସୂର୍ଯ୍ୟଙ୍କ ଉପରେ ଆକ୍ରମଣ କରିଥାଏ |
ପୀତପ୍ରାୟେଽମୃତେ
ଦେବୈର୍ଭଗବାନ୍ ଲୋକଭାବନଃ ।
ପଶ୍ୟତାମସୁରେନ୍ଦ୍ରାଣାଂ
ସ୍ୱଂ ରୂପଂ ଜଗୃହେ ହରିଃ ॥ ୨୭॥
ଦେବତାମାନେ ଅମୃତ
ପାନ କରିନେବା ପରେ, ସମସ୍ତ ଲୋକକୁ ଜୀବନଦାନ
କରୁଥିବା ଭଗବାନ ବଡ-ବଡ ଦୈତ୍ୟମାନଙ୍କ ସମ୍ମୁଖରେ ହିଁ ମୋହିନୀ ରୂପ ତ୍ୟାଗ କରି ନିଜର ବାସ୍ତବିକ
ରୂପ ଧାରଣ କରିନେଲେ |
ଏବଂ ସୁରାସୁରଗଣାଃ
ସମଦେଶକାଲ-
ହେତ୍ୱର୍ଥକର୍ମମତୟୋଽପି
ଫଲେ ବିକଲ୍ପାଃ ।
ତତ୍ରାମୃତଂ
ସୁରଗଣାଃ ଫଲମଞ୍ଜସାଽଽପୁ-
ର୍ୟତ୍ପାଦପଙ୍କଜରଜଃଶ୍ରୟଣାନ୍ନ
ଦୈତ୍ୟାଃ ॥ ୨୮॥
ପରୀକ୍ଷିତ ! ଦେଖ! ଦେବତା
ଓ ଦୈତ୍ୟ ଉଭୟେ ଏକ ସମୟରେ, ଏକ ସ୍ଥାନରେ, ଏକ ହିଁ ପ୍ରୟୋଜନ
ତଥା ବସ୍ତୁ ନିମନ୍ତେ ଗୋଟିଏ ହିଁ ବିଚାର ନେଇ ଏକ ପ୍ରକାରର କର୍ମ କରିଥିଲେ – କିନ୍ତୁ ଫଳରେ
କେତେ ବେଶୀ ଅନ୍ତର ଆସିଗଲା ! ଦେବତାମାନେ ଅତ୍ୟନ୍ତ ସୁଗମତାପୂର୍ବକ ନିଜ ପରିଶ୍ରମର ଫଳ ଭାବରେ
ଅମୃତ ପ୍ରାପ୍ତ କରିନେଲେ; କାରଣ ସେମାନେ
ଭଗବାନଙ୍କ ଚରଣ-ରଜର ଆଶ୍ରିତ ଥିଲେ | ଅଥଚ ତାହା ପ୍ରତି ବିମୁଖ ରହିଥିବା କାରଣରୁ ଅସୁରମାନେ
ପରିଶ୍ରମ କରି ମଧ୍ୟ ଅମୃତରୁ ବଞ୍ଚିତ ରହିଗଲେ |
ଯଦ୍ୟୁଜ୍ୟତେଽସୁବସୁକର୍ମମନୋବଚୋଭି-
ର୍ଦେହାତ୍ମଜାଦିଷୁ
ନୃଭିସ୍ତଦସତ୍ପୃଥକ୍ତ୍ୱାତ୍ ।
ତୈରେବ ସଦ୍ଭବତି
ଯତ୍କ୍ରିୟତେଽପୃଥକ୍ତ୍ୱାତ୍
ସର୍ୱସ୍ୟ ତଦ୍ଭବତି
ମୂଲନିଷେଚନଂ ଯତ୍ ॥ ୨୯॥
ମନୁଷ୍ୟ ନିଜ ପ୍ରାଣ, ଧନ, କର୍ମ, ମନ ଏବଂ ବାଣୀ ଆଦିରେ ଶରୀର ଏବଂ ପୁତ୍ର ଆଦିଙ୍କ
ନିମନ୍ତେ ଯାହାକିଛି କରିଥାଏ, ସେସବୁ ବ୍ୟର୍ଥ
ହିଁ ଅଟେ; କାରଣ ତାହାର ମୂଳରେ ଭେଦବୁଦ୍ଧି ରହିଥାଏ | ଅଥଚ ସେହି
ପ୍ରାଣ ଆଦି ବସ୍ତୁମାନଙ୍କ ଦ୍ବାରା ଭଗବାନଙ୍କ ନିମନ୍ତେ ଯାହାକିଛି କରାଯାଏ, ତାହା ଭେଦଭାବରହିତ ହୋଇଥିବା କାରଣରୁ ନିଜ ଶରୀର, ପୁତ୍ର ଏବଂ ସମସ୍ତ ସଂସାର ନିମନ୍ତେ ହିତକର ହୋଇଥାଏ |
ବୃକ୍ଷର ମୂଳରେ ପାଣି ଦେଲେ ତାହା ଯେପରି ସ୍ବତଃ ବୃକ୍ଷର ଶାଖା-ପ୍ରଶାଖା, ପତ୍ର ଇତ୍ୟାଦିକୁ
ସଞ୍ଚରିତ ହୋଇଯାଏ, ସେହିପରି ଭଗବାନଙ୍କ ପ୍ରତି
କରାଯାଉ ଥିବା କର୍ମ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ହୋଇଯାଏ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ
ଅମୃତମଥନେ ନବମୋଽଧ୍ୟାୟଃ ॥ ୯॥

Comments
Post a Comment