ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଦ୍ବାଦଶ ଅଧ୍ୟାୟ

ମୋହିନୀରୂପକୁ ଦେଖି ମହାଦେବଙ୍କର ମୋହ

 

ଶ୍ରୀବାଦରାୟଣିରୁବାଚ

ବୃଷଧ୍ୱଜୋ ନିଶମ୍ୟେଦଂ ଯୋଷିଦ୍ରୂପେଣ ଦାନବାନ୍ ।

ମୋହୟିତ୍ୱା ସୁରଗଣାନ୍ ହରିଃ ସୋମମପାୟଯତ୍ ॥ ୧॥

ବୃଷମାରୁହ୍ୟ ଗିରିଶଃ ସର୍ୱଭୂତଗଣୈର୍ୱୃତଃ ।

ସହ ଦେବ୍ୟା ଯୟୌ ଦ୍ରଷ୍ଟୁଂ ଯତ୍ରାସ୍ତେ ମଧୁସୂଦନଃ ॥ ୨॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନ ଶଂକର ଯେତେବେଳେ ଏହା ଶୁଣିଲେ ଯେ ସ୍ତ୍ରୀ-ରୂପ ଧାରଣ କରି ଶ୍ରୀହରି ଅସୁରମାନଙ୍କୁ ମୋହିତ କରିଦେଲେ ଏବଂ ଦେବତାମାନଙ୍କୁ ଅମୃତ ପାନ କରାଇଲେ, ସେତେବେଳେ ସେ ସତୀଙ୍କୁ ସାଙ୍ଗରେ ଧରି ବୃଷଭ ଉପରେ ଚଢି ସମସ୍ତ ଭୂତଗଣଙ୍କ ସହିତ ଭଗବାନ ଶ୍ରୀମଧୁସୂଦନଙ୍କର ନିବାସସ୍ଥାନକୁ ଗଲେ |

ସଭାଜିତୋ ଭଗବତା ସାଦରଂ ସୋମୟା ଭବଃ ।

ସୂପବିଷ୍ଟ ଉବାଚେଦଂ ପ୍ରତିପୂଜ୍ୟ ସ୍ମୟନ୍ ହରିମ୍ ॥ ୩॥

ଭଗବାନ ଶ୍ରୀହରି ଅତିଶୟ ପ୍ରେମର ସହିତ ଗୌରୀ-ଶଂକରଙ୍କର ସ୍ବାଗତ-ସତ୍କାର କଲେ | ସେ ମଧ୍ୟ ସୁଖାସନରେ ବସି ଭଗବାନଙ୍କର ସମ୍ମାନ କରିବା ସହିତ ହସି-ହସି କହିଲେ -

ଶ୍ରୀମହାଦେବ ଉବାଚ

ଦେବଦେବ ଜଗଦ୍ୱ୍ୟାପିନ୍ ଜଗଦୀଶ ଜଗନ୍ମୟ ।

ସର୍ୱେଷାମପି ଭାବାନାଂ ତ୍ୱମାତ୍ମା ହେତୁରୀଶ୍ୱରଃ ॥ ୪॥

ଶ୍ରୀମହାଦେବ କହିଲେ – ହେ ସମସ୍ତ ଦେବଙ୍କର ଆରାଧ୍ୟଦେବ ! ଆପଣ ବିଶ୍ବବ୍ୟାପୀ, ଜଗଦୀଶ୍ବର ଏବଂ ଜଗତ୍ସ୍ବରୂପ ଅଟନ୍ତି | ସମସ୍ତ ଚରାଚର ପଦାର୍ଥର ମୂଳ କାରଣ, ଈଶ୍ବର ଏବଂ ଆତ୍ମା ମଧ୍ୟ ଆପଣ ହିଁ ଅଟନ୍ତି |

ଆଦ୍ୟନ୍ତାବସ୍ୟ ଯନ୍ମଧ୍ୟମିଦମନ୍ୟଦହଂ ବହିଃ ।

ଯତୋଽବ୍ୟଯସ୍ୟ ନୈତାନି ତତ୍ସତ୍ୟଂ ବ୍ରହ୍ମ ଚିଦ୍ଭବାନ୍ ॥ ୫॥

ଏହି ଜଗତର ଆଦି, ଅନ୍ତ ଏବଂ ମଧ୍ୟ ଆପଣଙ୍କଠାରୁ ହୋଇଥାଏ; କିନ୍ତୁ ଆପଣ ସ୍ବୟଂ ଆଦି-ମଧ୍ୟ-ଅନ୍ତ ରହିତ ଅଟନ୍ତି | ଆପଣଙ୍କ ଅବିନାଶୀ ସ୍ବରୂପରେ ଦ୍ରଷ୍ଟା-ଦୃଶ୍ୟ, ଭୋକ୍ତା-ଭୋଗ୍ୟର ଭେଦଭାବ ନାହିଁ | ବାସ୍ତବରେ ଆପଣ ସତ୍ୟ, ଚିନ୍ମାତ୍ର ବ୍ରହ୍ମ ହିଁ ଅଟନ୍ତି |

ତବୈବ ଚରଣାମ୍ଭୋଜଂ ଶ୍ରେୟସ୍କାମା ନିରାଶିଷଃ ।

ବିସୃଜ୍ୟୋଭୟତଃ ସଙ୍ଗଂ ମୁନୟଃ ସମୁପାସତେ ॥ ୬॥

କଲ୍ୟାଣକାମୀ ମହାତ୍ମାମାନେ ଇହଲୋକ ଏବଂ ପରଲୋକ ଉଭୟର ଆସକ୍ତି ତ୍ୟାଗ କରି ଏବଂ ସମସ୍ତ କାମନା ପରିତ୍ୟାଗ କରି ଆପଣଙ୍କ ଚରଣକମଳର ହିଁ ଆରାଧନା କରନ୍ତି |

ତ୍ୱଂ ବ୍ରହ୍ମ ପୂର୍ଣମମୃତଂ ବିଗୁଣଂ ବିଶୋକ-

ମାନନ୍ଦମାତ୍ରମବିକାରମନନ୍ୟଦନ୍ୟତ୍ ।

ବିଶ୍ୱସ୍ୟ ହେତୁରୁଦୟସ୍ଥିତିସଂୟମାନା-

ମାତ୍ମେଶ୍ୱରଶ୍ଚ ତଦପେକ୍ଷତୟାନପେକ୍ଷଃ ॥ ୭॥

ଆପଣ ଅମୃତସ୍ବରୂପ, ସମସ୍ତ ପ୍ରାକୃତ ଗୁଣରହିତ, ଶୋକର ଛାୟାରୁ ମଧ୍ୟ ଦୂର, ସ୍ବୟଂ ପରିପୂର୍ଣ୍ଣ ବ୍ରହ୍ମ ଅଟନ୍ତି | ଆପଣ କେବଳ ଆନନ୍ଦସ୍ବରୂପ ଅଟନ୍ତି | ଆପଣ ନିର୍ବିକାର ଅଟନ୍ତି | ଆପଣଙ୍କଠାରୁ ଭିନ୍ନ କିଛି ନୁହେଁ, କିନ୍ତୁ ଆପଣ ସମସ୍ତଙ୍କଠାରୁ ଭିନ୍ନ ଅଟନ୍ତି | ବିଶ୍ବର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟର ପରମ କାରଣ ଆପଣ ଅଟନ୍ତି | ସମସ୍ତ ଜୀବଙ୍କର ଶୁଭାଶୁଭ କର୍ମର ଫଳଦାୟକ ସ୍ବାମୀ ଆପଣ ଅଟନ୍ତି | କୁହାଯାଏ, ଏହା ଜୀବର କର୍ମ ଅପେକ୍ଷିତ ଅଟେ; କିନ୍ତୁ ବାସ୍ତବରେ ଆପଣ କାହାର ଅପେକ୍ଷା କରନ୍ତି ନାହିଁ, ଆପଣ ନିରପେକ୍ଷ ଅଟନ୍ତି |

ଏକସ୍ତ୍ୱମେବ ସଦସଦ୍ଦ୍ୱୟମଦ୍ୱୟଂ ଚ

ସ୍ୱର୍ଣଂ କୃତାକୃତମିବେହ ନ ବସ୍ତୁଭେଦଃ ।

ଅଜ୍ଞାନତସ୍ତ୍ୱୟି ଜନୈର୍ୱିହିତୋ ବିକଲ୍ପୋ

ଯସ୍ମାଦ୍ଗୁଣବ୍ୟତିକରୋ ନିରୁପାଧିକସ୍ୟ ॥ ୮॥

ସ୍ବାମୀ ! ଆଭୂଷଣ ରୂପରେ ସ୍ଥିତ ସୁବର୍ଣ୍ଣ ଏବଂ ମୂଳ ସୁବର୍ଣ୍ଣ ମଧ୍ୟରେ ଯେପରି କୌଣସି ଅନ୍ତର ନ ଥାଏ – ଉଭୟେ ଏକ ହିଁ ଅଟନ୍ତି, ସେହିପରି କାର୍ଯ୍ୟ ଏବଂ କାରଣ, ଦ୍ବୈତ ଏବଂ ଅଦ୍ବୈତ ଆଦି ଯାହା କିଛି ରହିଛି, ସେହି ସବୁ ଏକମାତ୍ର ଆପଣ ହିଁ ଅଟନ୍ତି | ଆପଣଙ୍କର ବାସ୍ତବିକ ସ୍ବରୂପକୁ ଜାଣି ନ ଥିବା କାରଣରୁ ଲୋକେ ଆପଣଙ୍କଠାରେ ନାନା ପ୍ରକାରର ଭେଦଭାବ ଓ ବିକଳ୍ପର ଆରୋପଣ କରିଥାଆନ୍ତି | ସେହି କାରଣରୁ ଆପଣ ଉପାଧିରହିତ ହୋଇଥିଲେ ବି ଗୁଣମାନଙ୍କୁ ନେଇ ଆପଣଙ୍କଠାରେ ଭେଦର ପ୍ରତୀତି ହୋଇଥାଏ |

ତ୍ୱାଂ ବ୍ରହ୍ମ କେଚିଦବୟନ୍ତ୍ୟୁତ ଧର୍ମମେକେ

ଏକେ ପରଂ ସଦସତୋଃ ପୁରୁଷଂ ପରେଶମ୍ ।

ଅନ୍ୟେଽବୟନ୍ତି ନବଶକ୍ତିୟୁତଂ ପରଂ ତ୍ୱାଂ

କେଚିନ୍ମହାପୁରୁଷମବ୍ୟଯମାତ୍ମତନ୍ତ୍ରମ୍ ॥ ୯॥

ପ୍ରଭୁ ! କେହି କେହି ଆପଣଙ୍କୁ ବ୍ରହ୍ମ ମନେକରନ୍ତି ତ ଅନ୍ୟ କେହି ଧର୍ମ ଭାବରେ ଆପଣଙ୍କର ବର୍ଣ୍ଣନ କରନ୍ତି | ସେହିପରି କିଏ ଆପଣଙ୍କୁ ପ୍ରକୃତି ଏବଂ ପୁରୁଷର ଉର୍ଦ୍ଧ୍ବରେ ପରମେଶ୍ବର ମନେକରନ୍ତି ତ କିଏ ବିମଳା, ଉତ୍କର୍ଷିଣୀ, ଜ୍ଞାନା, କ୍ରିୟା, ଯୋଗା, ପ୍ରହ୍ବୀ, ସତ୍ୟା, ଈଶାନା ଓ ଅନୁଗ୍ରହା – ଏହି ନବ-ଶକ୍ତିଯୁକ୍ତ ପରମ ପୁରୁଷ ତଥା ଅନ୍ୟ କିଏ କ୍ଲେଶ-କର୍ମ ଆଦି ବନ୍ଧନ ରହିତ, ପୂର୍ବଜମାନଙ୍କର ମଧ୍ୟ ପୂର୍ବଜ, ଅବିନାଶୀ ପୁରୁଷବିଶେଷ ରୂପରେ ମାନନ୍ତି |

ନାହଂ ପରାୟୁରୃଷୟୋ ନ ମରୀଚିମୁଖ୍ୟା

ଜାନନ୍ତି ଯଦ୍ୱିରଚିତଂ ଖଲୁ ସତ୍ତ୍ୱସର୍ଗାଃ ।

ଯନ୍ମାୟଯା ମୁଷିତଚେତସ ଈଶ ଦୈତ୍ୟ-

ମର୍ତ୍ୟାଦୟଃ କିମୁତ ଶଶ୍ୱଦଭଦ୍ରବୃତ୍ତାଃ ॥ ୧୦॥

ପ୍ରଭୁ ! ମୁଁ, ବ୍ରହ୍ମା ଏବଂ ମରୀଚି ଆଦି ଋଷି – ଯେଉଁମାନେ ସତ୍ତ୍ବଗୁଣ ସୃଷ୍ଟିର ଅନ୍ତର୍ଗତ ଅଟନ୍ତି – ଯେତେବେଳେ ଆପଣଙ୍କ ଦ୍ବାରା ନିର୍ମିତ ସୃଷ୍ଟିର ରହସ୍ୟକୁ ଜାଣିପାରନ୍ତି ନାହିଁ, ସେଠାରେ ଭଲା ଆପଣଙ୍କୁ ଅନ୍ୟମାନେ ଜାଣିବେ କିପରି | ପୁଣି ଯେଉଁମାନଙ୍କର ଚିତ୍ତକୁ ମାୟା ନିଜର କବଳିତ କରିନେଇଛି ଏବଂ ଯେଉଁମାନେ ସର୍ବଦା ରଜୋଗୁଣୀ ଏବଂ ତମୋଗୁଣୀ କର୍ମରେ ନିୟୋଜିତ ରହିଥାଆନ୍ତି, ସେହି ଅସୁର ଏବଂ ମନୁଷ୍ୟ ଆଦି ଆପଣଙ୍କୁ କିପରି ଜାଣିବେ ?

ସ ତ୍ୱଂ ସମୀହିତମଦଃ ସ୍ଥିତିଜନ୍ମନାଶଂ

ଭୂତେହିତଂ ଚ ଜଗତୋ ଭବବନ୍ଧମୋକ୍ଷୌ ।

ବାୟୁର୍ୟଥା ବିଶତି ଖଂ ଚ ଚରାଚରାଖ୍ୟଂ

ସର୍ୱଂ ତଦାତ୍ମକତୟାବଗମୋଽବରୁନ୍ତ୍ସେ ॥ ୧୧॥

ପ୍ରଭୁ ! ଆପଣ ସର୍ବାତ୍ମକ ଏବଂ ଜ୍ଞାନସ୍ବରୂପ ଅଟନ୍ତି | ଅତଏବ ବାୟୁ ପରି ଆକାଶରେ ଅଦୃଶ୍ୟ ରହି ମଧ୍ୟ ଆପଣ ସମ୍ପୂର୍ଣ୍ଣ ଚରାଚର ଜଗତରେ ସଦା-ସର୍ବଦା ବିଦ୍ୟମାନ ରହନ୍ତି ତଥା ସେମାନଙ୍କର ଚେଷ୍ଟା, ସ୍ଥିତି, ଜନ୍ମ, ନାଶ, ପ୍ରାଣୀମାନଙ୍କର କର୍ମ ଏବଂ ସଂସାର-ବନ୍ଧନ, ମୋକ୍ଷ – ସବୁକିଛି ଜାଣନ୍ତି |

ଅବତାରା ମୟା ଦୃଷ୍ଟା ରମମାଣସ୍ୟ ତେ ଗୁଣୈଃ ।

ସୋଽହଂ ତଦ୍ଦ୍ରଷ୍ଟୁମିଚ୍ଛାମି ଯତ୍ତେ ଯୋଷିଦ୍ୱପୁର୍ଧୃତମ୍ ॥ ୧୨॥

ପ୍ରଭୁ ! ଗୁଣକୁ ସ୍ବୀକାର କରି ଆପଣ ଯେତେବେଳେ ଲୀଳା କରିବା ଅଭିପ୍ରାୟରେ ନାନାଦି ଅବତାର ଗ୍ରହଣ କରନ୍ତି, ସେତେବେଳେ ମୁଁ ଆପଣଙ୍କର ଦର୍ଶନ କରିଥାଏ | ଏବେ ମୁଁ ଆପଣଙ୍କର ସେହି ଅବତାରର ଦର୍ଶନ କରିବାକୁ ଇଚ୍ଛା କରୁଛି, ଯାହା ଆପଣ ସ୍ତ୍ରୀ-ରୂପରେ ଗ୍ରହଣ କରିଥିଲେ |

ଯେନ ସମ୍ମୋହିତା ଦୈତ୍ୟାଃ ପାୟିତାଶ୍ଚାମୃତଂ ସୁରାଃ ।

ତଦ୍ଦିଦୃକ୍ଷବ ଆୟାତାଃ ପରଂ କୌତୂହଲଂ ହି ନଃ ॥ ୧୩॥

ଯେଉଁ ରୂପରେ ଆପଣ ଦୈତ୍ୟମାନଙ୍କୁ ମୋହିତ କରି ଦେବତାମାନଙ୍କୁ ଅମୃତ ପାନ କରାଇ ଥିଲେ, ସ୍ବାମୀ ! ସେହି ରୂପର ଦର୍ଶନ ଅଭିଳାଷରେ ଆମେ ସବୁ ଏଠାକୁ ଆସିଛୁ | ତାହାର ଦର୍ଶନ ନିମନ୍ତେ ଆମ ମନରେ ଅତିଶୟ କୌତୁହଳ ଜାତ ହୋଇଛି |

ଶ୍ରୀଶୁକ ଉବାଚ

ଏବମଭ୍ୟର୍ଥିତୋ ବିଷ୍ଣୁର୍ଭଗବାନ୍ ଶୂଲପାଣିନା ।

ପ୍ରହସ୍ୟ ଭାବଗମ୍ଭୀରଂ ଗିରିଶଂ ପ୍ରତ୍ୟଭାଷତ ॥ ୧୪॥

ଶ୍ରୀଶୁକଦେବ କହୁଛନ୍ତି – ଭଗବାନ ଶଂକର ଯେତେବେଳେ ବିଷ୍ଣୁଭଗବାନଙ୍କୁ ଏପରି ପ୍ରାର୍ଥନା କଲେ, ସେତେବେଳେ ସେ ଗମ୍ଭୀର ମୁଦ୍ରାରେ ହସି କରି ଶଂକରଙ୍କୁ କହିଲେ -

ଶ୍ରୀଭଗବାନୁବାଚ

କୌତୂହଲାୟ ଦୈତ୍ୟାନାଂ ଯୋଷିଦ୍ୱେଷୋ ମୟା କୃତଃ ।

ପଶ୍ୟତା ସୁରକାର୍ୟାଣି ଗତେ ପୀୟୂଷଭାଜନେ ॥ ୧୫॥

ଶ୍ରୀବିଷ୍ଣୁଭଗବାନ କହିଲେ – ହେ ଶଂକର ! ସେହି ସମୟରେ ଅମୃତ କଳସ ଦୈତ୍ୟମାନଙ୍କ ହାତକୁ ଚାଲି ଯାଇଥିଲା | ଅତଏବ ଦେବତାମାନଙ୍କର କାର୍ଯ୍ୟ ସାଧିତ କରିବା ପାଇଁ ଏବଂ ଦୈତ୍ୟମାନଙ୍କର ମନକୁ ଏକ ନୂତନ କୌତୁହଳ ଅଭିମୁଖରେ ଆକର୍ଷିତ କରିବା ପାଇଁ ମୁଁ ସେହି ସ୍ତ୍ରୀ-ରୂପ ଧାରଣ କରିଥିଲି |

ତତ୍ତେଽହଂ ଦର୍ଶୟିଷ୍ୟାମି ଦିଦୃକ୍ଷୋଃ ସୁରସତ୍ତମ ।

କାମିନାଂ ବହୁ ମନ୍ତବ୍ୟଂ ସଙ୍କଲ୍ପପ୍ରଭବୋଦୟମ୍ ॥ ୧୬॥

ଦେବଶିରୋମଣି ! ଆପଣ ତାହାର ଦର୍ଶନ କରିବାକୁ ଇଚ୍ଛା କରୁଛନ୍ତି, ତେଣୁ ମୁଁ ଆପଣଙ୍କୁ ସେହି ରୂପର ଦର୍ଶନ କରାଇବି | କିନ୍ତୁ ସେହି ରୂପ ତ କାମୀ ପୁରୁଷମାନଙ୍କର ହିଁ ଆଦରଣୀୟ ଅଟେ, କାରଣ ତାହା କାମଭାବକୁ ଉତ୍ତେଜିତ କରିଥାଏ |

ଶ୍ରୀଶୁକ ଉବାଚ

ଇତି ବ୍ରୁବାଣୋ ଭଗବାଂସ୍ତତ୍ରୈବାନ୍ତରଧୀୟତ ।

ସର୍ୱତଶ୍ଚାରୟଂଶ୍ଚକ୍ଷୁର୍ଭବ ଆସ୍ତେ ସହୋମୟା ॥ ୧୭॥

ଶ୍ରୀଶୁକଦେବ କହୁଛନ୍ତି – ଏପରି କହି ବିଷ୍ଣୁଭଗବାନ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ ଦେବୀ ସତୀଙ୍କ ସହିତ ଭଗବାନ ଶଂକର ଚତୁର୍ଦ୍ଦିଗକୁ ଦୃଷ୍ଟି ଘୂରାଇ ସେଠାରେ ବସି ରହିଲେ |

ତତୋ ଦଦର୍ଶୋପବନେ ବରସ୍ତ୍ରିୟଂ

ବିଚିତ୍ରପୁଷ୍ପାରୁଣପଲ୍ଲବଦ୍ରୁମେ ।

ବିକ୍ରୀଡତୀଂ କନ୍ଦୁକଲୀଲୟା ଲସ-

ଦ୍ଦୁକୂଲପର୍ୟସ୍ତନିତମ୍ବମେଖଲାମ୍ ॥ ୧୮॥

ଏତିକି ବେଳେ ସମ୍ମୁଖରେ ସେମାନେ ଏକ ସୁନ୍ଦର ଉପବନ ଦେଖିବାକୁ ପାଇଲେ | ସେଥିରେ ନାନା ପ୍ରକାରର ବୃକ୍ଷ ଲାଗିଥିଲା, ଯାହା ରଙ୍ଗ-ବେରଙ୍ଗ ପୁଷ୍ପ ଏବଂ ଲାଲ-ଲାଲ ପଲ୍ଲବରେ ପରିପୂର୍ଣ୍ଣ ଥିଲା | ସେମାନେ ଏହା ମଧ୍ୟ ଦେଖିଲେ ଯେ ସେହି ଉପବନରେ ଏକ ସୁନ୍ଦରୀ ସ୍ତ୍ରୀ ପେଣ୍ଡୁ ଧରି ଖେଳୁଛି | ସେ ଏକ ସୁନ୍ଦର ଶାଢୀ ପରିଧାନ କରିଥିଲା ଏବଂ ତାର କଟିଦେଶରେ ଅଣ୍ଟାସୂତାର ଝରା ଶୋଭା ପାଉଥିଲା |

ଆବର୍ତନୋଦ୍ୱର୍ତନକମ୍ପିତସ୍ତନ-

ପ୍ରକୃଷ୍ଟହାରୋରୁଭରୈଃ ପଦେ ପଦେ ।

ପ୍ରଭଜ୍ୟମାନାମିବ ମଧ୍ୟତଶ୍ଚଲ-

ତ୍ପଦପ୍ରବାଲଂ ନୟତୀଂ ତତସ୍ତତଃ ॥ ୧୯॥

ପେଣ୍ଡୁକୁ ଉପରକୁ ଫିଙ୍ଗି ଏବଂ ତାହାକୁ ଡେଇଁ କରି ଧରିବା କ୍ରମରେ ତାହାର ସ୍ତନ ଏବଂ ତାହା ଉପରେ ଥିବା ହାର ଦୋହଲିବାରେ ଲାଗିଥିଲା | ମନେ ହେଉଥିଲା ସତେ ଯେପରି ସେହି ସ୍ତନ ଭାରରେ ତାର ସୂକ୍ଷ୍ମ କଟି କେତେବେଳେ ଭାଙ୍ଗିଯିବ | ନିଜର ଲାଲ-ଲାଲ ପଲ୍ଲବ ସଦୃଶ ସୁକୁମାର ଚରଣରେ ସେ ଅତି କଳାପୂର୍ଣ୍ଣ ଭାବରେ ଠୁମୁକି-ଠୁମୁକି ଚାଲୁଥିଲା |

ଦିକ୍ଷୁ ଭ୍ରମତ୍କନ୍ଦୁକଚାପଲୈର୍ଭୃଶଂ

ପ୍ରୋଦ୍ୱିଗ୍ନତାରାୟତଲୋଲଲୋଚନାମ୍ ।

ସ୍ୱକର୍ଣବିଭ୍ରାଜିତକୁଣ୍ଡଲୋଲ୍ଲସ-

ତ୍କପୋଲନୀଲାଲକମଣ୍ଡିତାନନାମ୍ ॥ ୨୦॥

ପେଣ୍ଡୁଟି ଡେଇଁ-ଡେଇଁ ଏଣେତେଣେ ଚାଲିଯିବା ଏବଂ ସେ ତାହାକୁ ଧରିବାକୁ ଚେଷ୍ଟା କରିବା କ୍ରମରେ ତାର ବଡ-ବଡ ଚଞ୍ଚଳ ଆଖି ସାମାନ୍ୟ ଉଦ୍ବିଗ୍ନ ଦେଖା ଯାଉଥିଲା | କର୍ଣ୍ଣକୁଣ୍ଡଳର ଆଭାରେ ତାହାର କପୋଳ ଝଲସି ଉଠୁଥିଲା ଏବଂ ତାହା ଉପରକୁ ତାର କୃଷ୍ଣ-କୁଞ୍ଚିତ ଅଳକାବଳୀ ଝୁଲି ରହିଥିବା କାରଣରୁ ମୁଖମଣ୍ଡଳ ଅଧିକ ଉଲ୍ଲସିତ ହୋଇ ଉଠୁଥିଲା |

ଶ୍ଲଥଦ୍ଦୁକୂଲଂ କବରୀଂ ଚ ବିଚ୍ୟୁତାଂ

ସନ୍ନହ୍ୟତୀଂ ବାମକରେଣ ବଲ୍ଗୁନା ।

ବିନିଘ୍ନତୀମନ୍ୟକରେଣ କନ୍ଦୁକଂ

ବିମୋହୟନ୍ତୀଂ ଜଗଦାତ୍ମମାୟଯା ॥ ୨୧॥

କେତେବେଳେ ଯଦି ଦେହରୁ ତାର ଶାଢୀ ଖସି ଯାଉଥାଏ ବା ବେଣୀ ଖୋଲି ଯାଉଥାଏ, ସେ ତାହାର ସୁକୁମାର ବାମ କରରେ ତାହାକୁ ସମ୍ଭାଳି-ସଜାଡି ନେଉଥାଏ | ସେହି ସମୟରେ ମଧ୍ୟ ସେ ନିଜର ଦକ୍ଷିଣ ହସ୍ତରେ ପେଣ୍ଡୁକୁ ଡିଆଁଇ ନିଜ ମାୟାରେ ସମ୍ପୂର୍ଣ୍ଣ ଜଗତକୁ ମୋହିତ କରୁଥାଏ |

ତାଂ ବୀକ୍ଷ୍ୟ ଦେବ ଇତି କନ୍ଦୁକଲୀଲୟେଷ-

ଦ୍ୱ୍ରୀଡାସ୍ଫୁଟସ୍ମିତବିସୃଷ୍ଟକଟାକ୍ଷମୁଷ୍ଟଃ ।

ସ୍ତ୍ରୀପ୍ରେକ୍ଷଣପ୍ରତିସମୀକ୍ଷଣବିହ୍ୱଲାତ୍ମା

ନାତ୍ମାନମନ୍ତିକ ଉମାଂ ସ୍ୱଗଣାଂଶ୍ଚ ବେଦ ॥ ୨୨॥

ପେଣ୍ଡୁ ଧରି ଖେଳୁଥିବା ସମୟରେ ସେ ଈଷତ୍ ସଲ୍ଲଜଭାବରେ ହସି ବାଙ୍କ ଚାହାଣୀରେ ଭଗବାନ ଶଂକରଙ୍କ ଆଡକୁ ଚାହିଁଲା | ବାସ୍, ସେତିକିରେ ତାଙ୍କର ମନ ବିଚଳିତ ହୋଇ ଉଠିଲା | ମୋହିନୀକୁ ଚାହିଁ, ତାହାର ନେତ୍ରକଟାକ୍ଷର ରସରେ ସେ ଏତେ ବେଶୀ ବିହ୍ବଳ ହୋଇଗଲେ ଯେ ସେ ନିଜକୁ ମଧ୍ୟ ଭୁଲିଗଲେ | ସେପରି ସ୍ଥଳେ ନିଜ ପାଖରେ ବସିଥିବା ସତୀ ଏବଂ ଭୂତଗଣଙ୍କର ସ୍ମରଣ ଅବା ସେ କିପରି କରନ୍ତେ ?

ତସ୍ୟାଃ କରାଗ୍ରାତ୍ସ ତୁ କନ୍ଦୁକୋ ଯଦା

ଗତୋ ବିଦୂରଂ ତମନୁବ୍ରଜତ୍ସ୍ତ୍ରିୟାଃ ।

ବାସଃ ସସୂତ୍ରଂ ଲଘୁ ମାରୁତୋଽହର-

ଦ୍ଭବସ୍ୟ ଦେବସ୍ୟ କିଲାନୁପଶ୍ୟତଃ ॥ ୨୩॥

ଏକଦା ମୋହିନୀ ହାତରୁ ଖସି ପେଣ୍ଡୁଟି କିଛି ଦୂରକୁ ଚାଲିଗଲା ଏବଂ ତାହାକୁ ଧରିବା ପାଇଁ ସେ ମଧ୍ୟ ତା ପଛରେ ଧାଇଁବାରେ ଲାଗିଲା | ସେହି ସମୟରେ ଶଂକର ଭଗବାନଙ୍କ ଆଖି ଆଗରେ ବାୟୁ କଟିବନ୍ଧ ସହିତ ତାହାର ଝୀନବସନକୁ ଉଡାଇ ନେଲା |

ଏବଂ ତାଂ ରୁଚିରାପାଙ୍ଗୀଂ ଦର୍ଶନୀୟାଂ ମନୋରମାମ୍ ।

ଦୃଷ୍ଟ୍ୱା ତସ୍ୟାଂ ମନଶ୍ଚକ୍ରେ ବିଷଜ୍ଜନ୍ତ୍ୟାଂ ଭବଃ କିଲ ॥ ୨୪॥

ମୋହିନୀର ପ୍ରତ୍ୟେକ ଅଙ୍ଗ ଅତ୍ୟନ୍ତ ରୁଚିକର ଏବଂ ମନୋରମ ଥିଲା | ଯେଉଁଠାରେ ଆଖି ପଡେ, ସେଠାରେ ଲାଖି ରହିଯାଏ | କେବଳ ସେତିକି ନୁହେଁ, ମନ ମଧ୍ୟ ରମଣ କରିବାରେ ଲାଗିଯାଏ | ତାହାକୁ ଏପରି ଅବସ୍ଥାରେ ଦେଖି ଭଗବାନ ଶଂକର ତାହା ପ୍ରତି ଆକୃଷ୍ଟ ହୋଇଗଲେ | ତାଙ୍କର ମନେହେଲା, ମୋହିନୀ ମଧ୍ୟ ତାଙ୍କ ପ୍ରତି ଆସକ୍ତ ଅଟେ |

ତୟାପହୃତବିଜ୍ଞାନସ୍ତତ୍କୃତସ୍ମରବିହ୍ୱଲଃ ।

ଭବାନ୍ୟା ଅପି ପଶ୍ୟନ୍ତ୍ୟା ଗତହ୍ରୀସ୍ତତ୍ପଦଂ ଯୟୌ ॥ ୨୫॥

ସେ ଶଂକର ଭଗବାନଙ୍କର ବିବେକ-ବୁଦ୍ଧି ନଷ୍ଟ କରି ଦେଇଥିଲା | ତାର ହାବଭାବରେ ସେ କାମାତୁର ହୋଇ ଉଠିଲେ ଏବଂ ଭବାନୀଙ୍କ ଆଖି ଆଗରେ ହିଁ ଲଜ୍ଜା ତ୍ୟାଗ କରି ତାର ଅନୁଗମନ କରିବାରେ ଲାଗିଲେ |

ସା ତମାୟାନ୍ତମାଲୋକ୍ୟ ବିବସ୍ତ୍ରା ବ୍ରୀଡିତା ଭୃଶମ୍ ।

ନିଲୀୟମାନା ବୃକ୍ଷେଷୁ ହସନ୍ତୀ ନାନ୍ୱତିଷ୍ଠତ ॥ ୨୬॥

ପୂର୍ବରୁ ତ ସେ ବସ୍ତ୍ରହୀନ ହୋଇ ଯାଇଥିଲା, ଏବେ ଶଂକର ଭଗବାନ ତା ଆଡକୁ ଆସୁଥିବା ଦେଖି ସେ ବହୁତ ଲଜ୍ଜିତ ହୋଇଗଲା | ସେ ଗୋଟିଏ ବୃକ୍ଷରୁ ଅନ୍ୟ ବୃକ୍ଷ ଉହାଡକୁ ଯାଇ ଲୁଚି ଯାଉଥିଲା ଏବଂ ହସିବାରେ ଲାଗିଥିଲା | କେଉଁଠାରେ ବି ସେ ସ୍ଥିର ରହୁ ନ ଥିଲା |

ତାମନ୍ୱଗଚ୍ଛଦ୍ଭଗବାନ୍ ଭବଃ ପ୍ରମୁଷିତେନ୍ଦ୍ରିୟଃ ।

କାମସ୍ୟ ଚ ବଶଂ ନୀତଃ କରେଣୁମିବ ଯୂଥପଃ ॥ ୨୭॥

ଭଗବାନ ଶଂକରଙ୍କର ଇନ୍ଦ୍ରିୟମାନେ ତାଙ୍କ ବଶରେ ନ ଥିଲେ, ସେ କାମାତୁର ହୋଇ ଉଠିଥିଲେ; ତେଣୁ ହସ୍ତୀ ହସ୍ତିନୀର ପଶ୍ଚାତଧାବନ କରିବା ପରି ସେ ତା ପଛେ-ପଛେ ଧାଇଁବାରେ ଲାଗିଲେ |

ସୋଽନୁବ୍ରଜ୍ୟାତିବେଗେନ ଗୃହୀତ୍ୱାନିଚ୍ଛତୀଂ ସ୍ତ୍ରିୟମ୍ ।

କେଶବନ୍ଧ ଉପାନୀୟ ବାହୁଭ୍ୟାଂ ପରିଷସ୍ୱଜେ ॥ ୨୮॥

ସେ ଅତ୍ୟନ୍ତ ବେଗରେ ତାହାର ପଶ୍ଚାତଧାବନ କରି ପଛରୁ ବେଣୀକୁ ଧରିନେଲେ ଏବଂ ତାର ଇଚ୍ଛା ନ ଥିଲେ ବି ତାକୁ ଦୁଇ ଭୁଜରେ ଭରି ହୃଦୟଲଗ୍ନ କରିନେଲେ |

ସୋପଗୂଢା ଭଗବତା କରିଣା କରିଣୀ ଯଥା ।

ଇତସ୍ତତଃ ପ୍ରସର୍ପନ୍ତୀ ବିପ୍ରକୀର୍ଣଶିରୋରୁହା ॥ ୨୯॥

ହସ୍ତୀ ହସ୍ତିନୀକୁ ଆଲିଙ୍ଗନ କରିବା ପରି ଭଗବାନ ଶଂକର ତାକୁ ଆଲିଙ୍ଗନ କରିନେଲେ | ସେ ଇତସ୍ତତଃ ହୋଇ ତାଙ୍କ ବାହୁପାଶରୁ ମୁକୁଳିବାକୁ ଚେଷ୍ଟା କରୁଥାଏ ଏବଂ ସେହି ଚେଷ୍ଟାରେ ତାର କେଶ ଉନ୍ମୁକ୍ତ ହୋଇଗଲା |

ଆତ୍ମାନଂ ମୋଚୟିତ୍ୱାଙ୍ଗ ସୁରର୍ଷଭଭୁଜାନ୍ତରାତ୍ ।

ପ୍ରାଦ୍ରବତ୍ସା ପୃଥୁଶ୍ରୋଣୀ ମାୟା ଦେବବିନିର୍ମିତା ॥ ୩୦॥

ବାସ୍ତବରେ ସେହି ସୁନ୍ଦରୀ ତ ଭଗବାନଙ୍କ ଦ୍ବାରା ରଚିତ ମାୟା ହିଁ ଥିଲା; ତେଣୁ କୌଣସି ପ୍ରକାରେ ଶଂକର ଭଗବାନଙ୍କର ଭୁଜପାଶରୁ ସେ ନିଜକୁ ମୁକ୍ତ କରିନେଲା ଏବଂ ଦ୍ରୁତ ବେଗରେ ସେଠାରୁ ଧାଇଁ ପଳାଇଲା |

ତସ୍ୟାସୌ ପଦବୀଂ ରୁଦ୍ରୋ ବିଷ୍ଣୋରଦ୍ଭୁତକର୍ମଣଃ ।

ପ୍ରତ୍ୟପଦ୍ୟତ କାମେନ ବୈରିଣେବ ବିନିର୍ଜିତଃ ॥ ୩୧॥

ଭଗବାନ ଶଂକର ମଧ୍ୟ ସେହି ମୋହିନୀବେଶଧାରୀ ଅଦ୍ଭୁତକର୍ମା ବିଷ୍ଣୁ ଭଗବାନଙ୍କ ପଛରେ ଧାଇଁବାରେ ଲାଗିଲେ | ସେତେବେଳେ ମନେ ହେଉଥିଲା ତାଙ୍କର ଶତ୍ରୁ କାମଦେବ ଏବେ ତାଙ୍କ ଉପରେ ବିଜୟ ପ୍ରାପ୍ତ କରିନେଇଛି |

ତସ୍ୟାନୁଧାବତୋ ରେତଶ୍ଚସ୍କନ୍ଦାମୋଘରେତସଃ ।

ଶୁଷ୍ମିଣୋ ଯୂଥପସ୍ୟେବ ବାସିତାମନୁଧାବତଃ ॥ ୩୨॥

କାମୁକ ହସ୍ତିନୀ ପଛରେ ଧାଉଁଥିବା ମଦୋନ୍ମତ୍ତ ହସ୍ତୀ ସଦୃଶ ସେ ମୋହିନୀର ପଛେ ପଛେ ଧାଇଁବାରେ ଲାଗିଥିଲେ | ଭଗବାନ ଶଂକରଙ୍କର ବୀର୍ଯ୍ୟ ଯଦିଓ ଅମୋଘ ଥିଲା, ତଥାପି ମୋହିନୀଙ୍କ ମାୟାରେ ତାହା ସ୍ଖଳିତ ହୋଇଗଲା |

ଯତ୍ର ଯତ୍ରାପତନ୍ମହ୍ୟାଂ ରେତସ୍ତସ୍ୟ ମହାତ୍ମନଃ ।

ତାନି ରୂପ୍ୟସ୍ୟ ହେମ୍ନଶ୍ଚ କ୍ଷେତ୍ରାଣ୍ୟାସନ୍ ମହୀପତେ ॥ ୩୩॥

ପୃଥିବୀ ପୃଷ୍ଠରେ ଯେଉଁ ଯେଉଁ ସ୍ଥାନରେ ଭଗବାନ ଶଂକରଙ୍କର ବୀର୍ଯ୍ୟପାତ ହେଲା, ସେଠାରେ ସୁନା-ରୂପାର କୁଢ଼ ସୃଷ୍ଟି ହେଲା |

ସରିତ୍ସରଃସୁ ଶୈଲେଷୁ ବନେଷୂପବନେଷୁ ଚ ।

ଯତ୍ର କ୍ୱ ଚାସନ୍ନୃଷୟସ୍ତତ୍ର ସନ୍ନିହିତୋ ହରଃ ॥ ୩୪॥

ପରୀକ୍ଷିତ ! ମୋହିନୀର ପଶ୍ଚାତଗମନ କରି ଭଗବାନ ଶଂକର ନଦୀ, ସରୋବର, ପର୍ବତ, ବନ-ଉପବନ ଏବଂ ଯେଉଁ-ଯେଉଁ ସ୍ଥାନରେ ଋଷି-ମୁନିମାନେ ନିବାସ କରନ୍ତି, ସେହି ସବୁ ସ୍ଥାନକୁ ଯାଇଥିଲେ |

ସ୍କନ୍ନେ ରେତସି ସୋଽପଶ୍ୟଦାତ୍ମାନଂ ଦେବମାୟଯା ।

ଜଡୀକୃତଂ ନୃପଶ୍ରେଷ୍ଠ ସନ୍ନ୍ୟବର୍ତତ କଶ୍ମଲାତ୍ ॥ ୩୫॥

ବୀର୍ଯ୍ୟପାତ ହୋଇଯିବା ପରେ ସେ ନିଜର ସ୍ମୃତି ଫେରି ପାଇଲେ | ସେ ଦେଖିଲେ, ‘ଆରେ, ଭଗବାନଙ୍କର ଏହି ମାୟା ତ ମୋତେ ବହୁତ ବେଶୀ ମୋହିତ କରିଛି !’ ଅତିଶୀଘ୍ର ନିଜକୁ ସେ ସେହି ପ୍ରସଙ୍ଗରୁ ପୃଥକ୍ କରିନେଲେ |

ଅଥାବଗତମାହାତ୍ମ୍ୟ ଆତ୍ମନୋ ଜଗଦାତ୍ମନଃ ।

ଅପରିଜ୍ଞେୟବୀର୍ୟସ୍ୟ ନ ମେନେ ତଦୁ ହାଦ୍ଭୁତମ୍ ॥ ୩୬॥

ଏହାକୁ ଆତ୍ମସ୍ବରୂପ ସର୍ବାତ୍ମା ଭଗବାନଙ୍କର ମହିମା ଜାଣି, ସେ ଆଶ୍ଚର୍ଯ୍ୟ ହେଲେ ନାହିଁ | ସେ ଜାଣିଥିଲେ, ଭଗବାନଙ୍କର ଶକ୍ତିରୁ ଭଲା କିଏ ପାର ପାଇ ପାରିବ |

ତମବିକ୍ଲବମବ୍ରୀଡମାଲକ୍ଷ୍ୟ ମଧୁସୂଦନଃ ।

ଉବାଚ ପରମପ୍ରୀତୋ ବିଭ୍ରତ୍ସ୍ୱାଂ ପୌରୁଷୀଂ ତନୁମ୍ ॥ ୩୭॥

ଭଗବାନ ଦେଖିଲେ ଯେ ଶଂକର ଭଗବାନ ଏହି ସବୁ ପ୍ରସଙ୍ଗକୁ ନେଇ କୌଣସି ପ୍ରକାର ବିଷାଦ ବା ଲଜ୍ଜା ଅନୁଭବ କରୁନାହାଁନ୍ତି | ତାପରେ ସେ ପୁରୁଷ ଶରୀର ଧାରଣ କରି ପ୍ରକଟ ହେଲେ ଏବଂ ଅତି ପ୍ରସନ୍ନ ହୋଇ ତାଙ୍କୁ ଏପରି କହିଲେ -

ଶ୍ରୀଭଗବାନୁବାଚ

ଦିଷ୍ଟ୍ୟା ତ୍ୱଂ ବିବୁଧଶ୍ରେଷ୍ଠ ସ୍ୱାଂ ନିଷ୍ଠାମାତ୍ମନା ସ୍ଥିତଃ ।

ଯନ୍ମେ ସ୍ତ୍ରୀରୂପୟା ସ୍ୱୈରଂ ମୋହିତୋଽପ୍ୟଙ୍ଗ ମାୟଯା ॥ ୩୮॥

ଶ୍ରୀଭଗବାନ କହିଲେ – ଦେବଶିରୋମଣି ! ମୋର ସ୍ତ୍ରୀ-ରୂପିଣୀ ମାୟାରେ ମୋହିତ ହୋଇ ମଧ୍ୟ ଆପଣ ସ୍ବୟଂ ହିଁ ନିଜ ନିଷ୍ଠାରେ ସ୍ଥିତ ହୋଇଗଲେ | ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଅଟେ |

କୋ ନୁ ମେଽତିତରେନ୍ମାୟାଂ ବିଷକ୍ତସ୍ତ୍ୱଦୃତେ ପୁମାନ୍ ।

ତାଂସ୍ତାନ୍ ବିସୃଜତୀଂ ଭାବାନ୍ ଦୁସ୍ତରାମକୃତାତ୍ମଭିଃ ॥ ୩୯॥

ମୋର ମାୟା ଅପାର ଅଟେ | ତାହା ଏପରି ସବୁ ହାବଭାବରର ରଚନା କରିଥାଏ ଯେ ଅଜିତେନ୍ଦ୍ରିୟ ପୁରୁଷ ତ କଦାପି ତା କବଳରୁ ମୁକ୍ତି ପାଇ ନ ଥାନ୍ତି, ଜିତେନ୍ଦ୍ରିୟ ପୁରୁଷମାନଙ୍କ ମଧ୍ୟରେ ବି ଆପଣଙ୍କ ଅତିରିକ୍ତ ଏପରି କେଉଁ ପୁରୁଷ ଥିବ, ଯିଏ ମୋ ମାୟାପାଶରେ ପଡିବା ପରେ ସ୍ବୟଂ ହିଁ ସେହି ପାଶରୁ ମୁକୁଳି ଆସି ପାରିବ |

ସେୟଂ ଗୁଣମୟୀ ମାୟା ନ ତ୍ୱାମଭିଭବିଷ୍ୟତି ।

ମୟା ସମେତା କାଲେନ କାଲରୂପେଣ ଭାଗଶଃ ॥ ୪୦॥

ମୋର ଏହି ଗୁଣମୟୀ ମାୟା ଯଦିଓ ବଡ-ବଡ ବିଭୂତିଙ୍କୁ ମୋହିତ କରି ଦେଇଥାଏ, ତଥାପି ଏହାପରେ ସେ କେବେ ବି ଆପଣଙ୍କୁ ମୋହିତ କରିବ ନାହିଁ | କାରଣ ସୃଷ୍ଟି ଆଦି ନିମନ୍ତେ ସମୟ-ସମୟରେ ଏହାକୁ କ୍ଷୋଭିତ କରୁଥିବା କାଳ ମୁଁ ହିଁ ଅଟେ, ଅତଏବ ମୋ ଇଚ୍ଛା ବିପରୀତ ସେ ରଜୋଗୁଣ ଆଦିର ସୃଷ୍ଟି କରିପାରିବ ନାହିଁ |

ଶ୍ରୀଶୁକ ଉବାଚ

ଏବଂ ଭଗବତା ରାଜନ୍ ଶ୍ରୀବତ୍ସାଙ୍କେନ ସତ୍କୃତଃ ।

ଆମନ୍ତ୍ର୍ୟ ତଂ ପରିକ୍ରମ୍ୟ ସଗଣଃ ସ୍ୱାଲୟଂ ଯୟୌ ॥ ୪୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ବିଷ୍ଣୁ ଭଗବାନ ଏହିପରି ଭାବରେ ଭଗବାନ ଶଂକରଙ୍କର ସତ୍କାର କଲେ | ତତ୍ପଶ୍ଚାତ୍ ତାଙ୍କଠାରୁ ବିଦାୟ ନେଇ ଏବଂ ତାଙ୍କର ପରିକ୍ରମା କରି ଭଗବାନ ଶଂକର ନିଜ ଗଣମାନଙ୍କ ସହିତ କୈଳାସକୁ ପ୍ରସ୍ଥାନ କଲେ |

ଆତ୍ମାଂଶଭୂତାଂ ତାଂ ମାୟାଂ ଭବାନୀଂ ଭଗବାନ୍ ଭବଃ ।

ଶଂସତାମୃଷିମୁଖ୍ୟାନାଂ ପ୍ରୀତ୍ୟାଽଽଚଷ୍ଟାଥ ଭାରତ ॥ ୪୨॥

ହେ ଭରତବଂଶଶିରୋମଣି ! ବଡ-ବଡ ଋଷି-ମୁନିମାନଙ୍କ ସଭାରେ ବସି ଭଗବାନ ଶଂକର ଅତି ପ୍ରେମରେ ବିଷ୍ଣୁରୂପର ଅଂଶଭୂତା ମାୟାମୟୀ ମୋହିନୀଙ୍କର ବର୍ଣ୍ଣନା ଏହିପରି ଭାବରେ ନିଜ ଅର୍ଦ୍ଧାଙ୍ଗିନୀ ଦେବୀ ସତୀଙ୍କ ଆଗରେ କରିଥିଲେ |

ଅପି ବ୍ୟପଶ୍ୟସ୍ତ୍ୱମଜସ୍ୟ ମାୟାଂ

ପରସ୍ୟ ପୁଂସଃ ପରଦେବତାୟାଃ ।

ଅହଂ କଲାନାମୃଷଭୋ ବିମୁହ୍ୟେ

ଯୟାବଶୋଽନ୍ୟେ କିମୁତାସ୍ୱତନ୍ତ୍ରାଃ ॥ ୪୩॥

‘ଦେବି ! ତୁମେ ପରମ ପୁରୁଷ ପରମେଶ୍ବର ଭଗବାନ ବିଷ୍ଣୁଙ୍କର ମାୟାକୁ ଦେଖିଛ ? ଦେଖ, ଏମିତି ତ ମୁଁ ସମସ୍ତ କଳା-କୌଶଳ, ବିଦ୍ୟା ଆଦିର ସ୍ବାମୀ ଏବଂ ସ୍ବତନ୍ତ୍ର ଅଟେ, ତଥାପି ମୁଁ ବିବଶ ହୋଇ ସେହି ମାୟାରେ ମୋହିତ ହୋଇଯାଏ | ସେପରି ସ୍ଥଳେ, ଅନ୍ୟ ପରତନ୍ତ୍ର ଜୀବ ତଦ୍ବାରା ମୋହିତ ହୋଇଯାଆନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ |

ଯଂ ମାମପୃଚ୍ଛସ୍ତ୍ୱମୁପେତ୍ୟ ଯୋଗାତ୍

ସମାସହସ୍ରାନ୍ତ ଉପାରତଂ ବୈ ।

ସ ଏଷ ସାକ୍ଷାତ୍ପୁରୁଷଃ ପୁରାଣୋ

ନ ଯତ୍ର କାଲୋ ବିଶତେ ନ ବେଦଃ ॥ ୪୪॥

ଏକ ହଜାର ବର୍ଷ ପରେ ମୁଁ ଯେତେବେଳେ ସମାଧିରୁ ଉଠିଥିଲି, ସେତେବେଳେ ତୁମେ ମୋତେ ପଚାରି ଥିଲ ଯେ ମୁଁ କାହାର ଉପାସନା କରେ | ସେ ଏହି ସାକ୍ଷାତ୍ ସନାତନ ପୁରୁଷ ଅଟନ୍ତି | କାଳ ତାଙ୍କୁ ନିଜ ସୀମାରେ ଆବଦ୍ଧ କରିପାରେ ନାହିଁ କି ବେଦ ତାଙ୍କର ବର୍ଣ୍ଣନା କରିପାରେ ନାହିଁ | ତାଙ୍କର ବାସ୍ତବିକ ସ୍ବରୂପ ଅନନ୍ତ ଏବଂ ଅନିର୍ବଚନୀୟ ଅଟେ |’

ଶ୍ରୀଶୁକ ଉବାଚ

ଇତି ତେଽଭିହିତସ୍ତାତ ବିକ୍ରମଃ ଶାର୍ଙ୍ଗଧନ୍ୱନଃ ।

ସିନ୍ଧୋର୍ନିର୍ମଥନେ ଯେନ ଧୃତଃ ପୃଷ୍ଠେ ମହାଚଲଃ ॥ ୪୫॥

ଶ୍ରୀଶୁକଦେବ ପୁଣି କହୁଛନ୍ତି – ପରୀକ୍ଷିତ ! ମୁଁ ବିଷ୍ଣୁଭଗବାନଙ୍କର ଏହି ଐଶ୍ବର୍ଯ୍ୟପୂର୍ଣ୍ଣ ଲୀଳାକଥା ତୁମକୁ ଶୁଣାଇଲି, ଯାହା ଅନ୍ତର୍ଗତ ସମୁଦ୍ର-ମନ୍ଥନ କାଳରେ ନିଜ ପିଠିରେ ମନ୍ଦରାଚଳକୁ ଧାରଣ କରିଥିବା ଭଗବାନଙ୍କର ବର୍ଣ୍ଣନ ରହିଛି |

ଏତନ୍ମୁହୁଃ କୀର୍ତୟତୋଽନୁଶୃଣ୍ୱତୋ

ନ ରିଷ୍ୟତେ ଜାତୁ ସମୁଦ୍ୟମଃ କ୍ୱଚିତ୍ ।

ଯଦୁତ୍ତମଶ୍ଲୋକଗୁଣାନୁବର୍ଣନଂ

ସମସ୍ତସଂସାରପରିଶ୍ରମାପହମ୍ ॥ ୪୬॥

ଯେଉଁ ପୁରୁଷ ବାରମ୍ବାର ଏହାର ଶ୍ରବଣ-କୀର୍ତ୍ତନ କରନ୍ତି, ତାଙ୍କର କୌଣସି ଉଦ୍ୟୋଗ କେବେ ବି ନିଷ୍ଫଳ ହୁଏନାହିଁ | କାରଣ ପବିତ୍ରକୀର୍ତ୍ତି ଭଗବାନଙ୍କର ଗୁଣ-ଲୀଳା ଗାନ ସାଂସାରିକ ସମସ୍ତ କ୍ଲେଶ ଏବଂ ପରିଶ୍ରମକୁ ହରଣ କରିଥାଏ |

ଅସଦବିଷୟମଙ୍ଘ୍ରିଂ ଭାବଗମ୍ୟଂ ପ୍ରପନ୍ନା-

ନମୃତମମରବର୍ୟାନାଶୟତ୍ସିନ୍ଧୁମଥ୍ୟମ୍ ।

କପଟୟୁବତିବେଷୋ ମୋହୟନ୍ ଯଃ ସୁରାରୀନ୍

ତମହମୁପସୃତାନାଂ କାମପୂରଂ ନତୋଽସ୍ମି ॥ ୪୭॥

ଦୁଷ୍ଟ ବ୍ୟକ୍ତିଙ୍କୁ ଭଗବାନଙ୍କ ଚରଣକମଳର ପ୍ରାପ୍ତି କେବେ ବି ହୋଇ ନ ଥାଏ | ତାହା ତ ଭକ୍ତିଭାବଯୁକ୍ତ ପୁରୁଷଙ୍କୁ ହିଁ ପ୍ରାପ୍ତ ଅଟେ | ସେଥିପାଇଁ ଭଗବାନ ସ୍ତ୍ରୀର ମାୟାମୟ ରୂପ ଧାରଣ କରି ଦୈତ୍ୟମାନଙ୍କୁ ମୋହିତ କଲେ ଏବଂ ନିଜ ଚରଣକମଳର ଶରଣାଗତ ଦେବତାମାନଙ୍କୁ ସମୁଦ୍ର-ମନ୍ଥନରୁ ନିଷ୍କାସିତ ଅମୃତ ପାନ କରାଇଲେ | କେବଳ ସେମାନେ ନୁହଁନ୍ତି, ଯିଏ କେହି ବି ତାଙ୍କ ଚରଣର ଶରଣ ଗ୍ରହଣ କରନ୍ତି, ପ୍ରଭୁ ତାଙ୍କର ସମସ୍ତ କାମନା ପୂର୍ଣ୍ଣ କରନ୍ତି | ମୁଁ ସେହି ପ୍ରଭୁଙ୍କ ଚରଣରେ ନମସ୍କାର କରୁଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା-

ମଷ୍ଟମସ୍କନ୍ଧେ ଶଙ୍କରମୋହନଂ ନାମ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥

 

Comments

Popular posts from this blog