ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଏକାଦଶ ଅଧ୍ୟାୟ

ଦେବାସୁର-ସଂଗ୍ରାମର ସମାପ୍ତି

 

ଶ୍ରୀଶୁକ ଉବାଚ

ଅଥୋ ସୁରାଃ ପ୍ରତ୍ୟୁପଲବ୍ଧଚେତସଃ

ପରସ୍ୟ ପୁଂସଃ ପରୟାନୁକମ୍ପୟା ।

ଜଘ୍ନୁର୍ଭୃଶଂ ଶକ୍ରସମୀରଣାଦୟ-

ସ୍ତାଂସ୍ତାନ୍ ରଣେ ଯୈରଭିସଂହତାଃ ପୁରା ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ପରମ ପୁରୁଷ ଭଗବାନଙ୍କର ଅହୈତୁକୀ କୃପାରୁ ଦେବତାମାନଙ୍କର ସବୁ ଚିନ୍ତା ଦୂର ହୋଇ ସେମାନଙ୍କଠାରେ ନବୀନ ଉତ୍ସାହର ସଞ୍ଚାର ହେଲା | ପୂର୍ବରୁ ରଣଭୂମିରେ ଇନ୍ଦ୍ର, ବାୟୁ ଆଦି ଦେବଗଣ ଯେଉଁ ଯେଉଁ ଦୈତ୍ୟମାନଙ୍କ ଦ୍ବାରା ଆହତ ହୋଇଥିଲେ, ଏବେ ପୂର୍ଣ୍ଣ ଶକ୍ତି ଲଗାଇ ସେମାନେ ସେହି ଦୈତ୍ୟମାନଙ୍କ ଉପରେ ପ୍ରହାର କଲେ |

ବୈରୋଚନାୟ ସଂରବ୍ଧୋ ଭଗବାନ୍ ପାକଶାସନଃ ।

ଉଦୟଚ୍ଛଦ୍ୟଦା ବଜ୍ରଂ ପ୍ରଜା ହା ହେତି ଚୁକ୍ରୁଶୁଃ ॥ ୨॥

ପରମ ଐଶ୍ବର୍ଯ୍ୟଶାଳୀ ଇନ୍ଦ୍ର ଯେତେବେଳେ ବଳିଙ୍କ ସହିତ ଲଢାଇ କରି କ୍ରୋଧରେ ତାଙ୍କ ଉପରକୁ ବଜ୍ର ଉଠାଇଲେ, ସେତେବେଳେ ପ୍ରଜାମାନଙ୍କ ମଧ୍ୟରେ ହାହାକାର ଖେଳିଗଲା |

ବଜ୍ରପାଣିସ୍ତମାହେଦଂ ତିରସ୍କୃତ୍ୟ ପୁରଃସ୍ଥିତମ୍ ।

ମନସ୍ୱିନଂ ସୁସମ୍ପନ୍ନଂ ବିଚରନ୍ତଂ ମହାମୃଧେ ॥ ୩॥

ବଳି ଅସ୍ତ୍ର-ଶସ୍ତ୍ରରେ ସୁସଜ୍ଜିତ ହୋଇ ଅତ୍ୟନ୍ତ ଉତ୍ସାହରେ ନିର୍ଭୟତାପୂର୍ବକ ଯୁଦ୍ଧଭୂମିରେ ଛାତି ଫୁଲାଇ ବିଚରଣ କରୁଥିଲେ | ତାହାକୁ ନିଜ ସମ୍ମୁଖରେ ଦେଖି ଇନ୍ଦ୍ର, ହାତରେ ବଜ୍ର ଉଠାଇ, ତିରସ୍କାର କରି ତାଙ୍କୁ କହିଲେ -

ନଟବନ୍ମୂଢ ମାୟାଭିର୍ମାୟେଶାନ୍ ନୋ ଜିଗୀଷସି ।

ଜିତ୍ୱା ବାଲାନ୍ ନିବଦ୍ଧାକ୍ଷାନ୍ ନଟୋ ହରତି ତଦ୍ଧନମ୍ ॥ ୪॥

ରେ ମୂର୍ଖ ! ନଟ ଯେପରି ଯାଦୁ ବଳରେ ବାଳକମାନଙ୍କର ଚକ୍ଷୁବନ୍ଧନ କରି ସେମାନଙ୍କଠାରୁ ଧନ ଲୁଟି ନେଇଥାଏ, ସେହିପରି ତୁ ମାୟାର ଖେଳ ଖେଳି ଆମ ଉପରେ ବିଜୟ ପ୍ରାପ୍ତ କରିବାକୁ ଇଚ୍ଛା କରୁଥିଲୁ | ତୁ ଜାଣୁନାହିଁ ଯେ ଆମ୍ଭେମାନେ ମାୟାର ସ୍ବାମୀ ଅଟୁ, ସେ ଆମର କିଛି ବିଗାଡି ପାରିବ ନାହିଁ |

ଆରୁରୁକ୍ଷନ୍ତି ମାୟାଭିରୁତ୍ସିସୃପ୍ସନ୍ତି ଯେ ଦିବମ୍ ।

ତାନ୍ ଦସ୍ୟୂନ୍ ବିଧୁନୋମ୍ୟଜ୍ଞାନ୍ ପୂର୍ୱସ୍ମାଚ୍ଚ ପଦାଦଧଃ ॥ ୫॥

ମାୟା ବଳରେ ଯେଉଁ ମୂର୍ଖ ସ୍ବର୍ଗ ଉପରେ ଅଧିକାର ପ୍ରାପ୍ତ କରିବାକୁ ଇଚ୍ଛା କରୁଛି ଏବଂ ତାଠାରୁ ଉର୍ଦ୍ଧ୍ବଲୋକର ଅଧିକାର ମଧ୍ୟ ଆଶା କରୁଛି – ସେହି ଲୁଣ୍ଠନକାରୀ ମୂର୍ଖକୁ ମୁଁ ତାହାର ନିଜ ସ୍ଥାନରୁ ମଧ୍ୟ ତଳକୁ କଚାଡି ଦେବି |

ସୋଽହଂ ଦୁର୍ମାୟିନସ୍ତେଽଦ୍ୟ ବଜ୍ରେଣ ଶତପର୍ୱଣା ।

ଶିରୋ ହରିଷ୍ୟେ ମନ୍ଦାତ୍ମନ୍ଘଟସ୍ୱ ଜ୍ଞାତିଭିଃ ସହ ॥ ୬॥

ନିର୍ବୋଧ ! ତୁ ମାୟାର ବହୁତ ବଡ-ବଡ ଖେଳ ଖେଳିଛୁ | ଦେଖ, ଏବେ ମୁଁ ନିଜର ଶତଧାରଯୁକ୍ତ ବଜ୍ର ଦ୍ବାରା ତୋ ଶରୀରରୁ ମସ୍ତକକୁ ଛିନ୍ନ କରିଦେଉଛି | ତୁ ନିଜର ବନ୍ଧୁ-ବାନ୍ଧବଙ୍କ ଦ୍ବାରା ଯାହା କିଛି କରିପାରିବୁ, କରି ଦେଖି ନେ |

ବଲିରୁବାଚ

ସଙ୍ଗ୍ରାମେ ବର୍ତମାନାନାଂ କାଲଚୋଦିତକର୍ମଣାମ୍ ।

କୀର୍ତିର୍ଜୟୋଽଜୟୋ ମୃତ୍ୟୁଃ ସର୍ୱେଷାଂ ସ୍ୟୁରନୁକ୍ରମାତ୍ ॥ ୭॥

ବଳି କହିଲେ – ହେ ଇନ୍ଦ୍ର ! ଯେଉଁମାନେ କାଳଶକ୍ତିର ପ୍ରେରଣାରେ ନିଜ କର୍ମବଶତଃ ଯୁଦ୍ଧ କରନ୍ତି, ସେମାନଙ୍କୁ ଜୟ ବା ପରାଜୟ, ଯଶ ବା ଅପଯଶ ଅଥବା ମୃତ୍ୟୁ ହିଁ ପ୍ରାପ୍ତ ହୋଇଥାଏ |

ତଦିଦଂ କାଲରଶନଂ ଜନାଃ ପଶ୍ୟନ୍ତି ସୂରୟଃ ।

ନ ହୃଷ୍ୟନ୍ତି ନ ଶୋଚନ୍ତି ତତ୍ର ଯୂୟମପଣ୍ଡିତାଃ ॥ ୮॥

ସେଥିପାଇଁ ଜ୍ଞାନୀଜନ ଏହି ଜଗତକୁ କାଳର ଅଧୀନସ୍ତ ଜାଣି ବିଜୟରେ ହର୍ଷିତ ହୋଇ ଫୁଲି ଉଠନ୍ତି ନାହିଁ କି ଅପକୀର୍ତ୍ତି, ପରାଜୟ ଅଥବା ମୃତ୍ୟୁରେ ଶୋକରେ ବଶୀଭୂତ ହୁଅନ୍ତି ନାହିଁ | ତୁମ୍ଭେମାନେ ଏହି ତତ୍ତ୍ବରେ ଅନଭିଜ୍ଞ ଅଟ |

ନ ବୟଂ ମନ୍ୟମାନାନାମାତ୍ମାନଂ ତତ୍ର ସାଧନମ୍ ।

ଗିରୋ ବଃ ସାଧୁଶୋଚ୍ୟାନାଂ ଗୃହ୍ଣୀମୋ ମର୍ମତାଡନାଃ ॥ ୯॥

ତୁମ୍ଭେମାନେ ନିଜକୁ ଜୟ-ପରାଜୟ ଆଦିର କାରଣ – କର୍ତ୍ତା ମନେ କରିଥାଅ, ସେଥିପାଇଁ ମହାତ୍ମାମାନଙ୍କ ଦୃଷ୍ଟିରେ ତୁମ୍ଭେମାନେ ଶୋଚନୀୟ ଅଟ | ମୁଁ ତୁମର ମର୍ମସ୍ପର୍ଶୀ ବଚନକୁ ସ୍ବୀକାର ହିଁ କରୁନାହିଁ, ତେଣୁ ମୋତେ ଦୁଃଖ କାହିଁକି ଲାଗିବ ?

ଶ୍ରୀଶୁକ ଉବାଚ

ଇତ୍ୟାକ୍ଷିପ୍ୟ ବିଭୁଂ ବୀରୋ ନାରାଚୈର୍ୱୀରମର୍ଦନଃ ।

ଆକର୍ଣପୂର୍ଣୈରହନଦାକ୍ଷେପୈରାହତଂ ପୁନଃ ॥ ୧୦॥

ଶ୍ରୀଶୁକଦେବ କହୁଛନ୍ତି – ବୀର ବଳି ଏହିପରି ଭାବରେ ଇନ୍ଦ୍ରଙ୍କର ବହୁତ ଭର୍ତ୍ସନା କଲେ | ତାଙ୍କର ସେହି ଭର୍ତ୍ସନା ଶୁଣି ଇନ୍ଦ୍ର ଟିକିଏ ଅପ୍ରସ୍ତୁତ ହୋଇଗଲେ | ସେତେବେଳକୁ ବୀରମାନଙ୍କର ମାନମର୍ଦ୍ଦନ କରୁଥିବା ବଳି ନିଜର ଧନୁକୁ କାନ ପର୍ଯ୍ୟନ୍ତ ଟାଣି ଅନେକ ଗୁଡିଏ ବାଣ ମାରି ସାରିଥିଲେ |

ଏବଂ ନିରାକୃତୋ ଦେବୋ ବୈରିଣା ତଥ୍ୟବାଦିନା ।

ନାମୃଷ୍ୟତ୍ତଦଧିକ୍ଷେପଂ ତୋତ୍ରାହତ ଇବ ଦ୍ୱିପଃ ॥ ୧୧॥

ସତ୍ୟବାଦୀ ଦେବଶତ୍ରୁ ବଳିଙ୍କର ତିରସ୍କାର ଶୁଣି ଇନ୍ଦ୍ର ଅଙ୍କୁଶବିଦ୍ଧ ହାତୀ ପରି ଛଟପଟ ହେବାରେ ଲାଗିଲେ | ବଳିଙ୍କର ଆକ୍ଷେପ ସେ ସହ୍ୟ କରିପାରିଲେ ନାହିଁ |

ପ୍ରାହରତ୍କୁଲିଶଂ ତସ୍ମା ଅମୋଘଂ ପରମର୍ଦନଃ ।

ସୟାନୋ ନ୍ୟପତଦ୍ଭୂମୌ ଛିନ୍ନପକ୍ଷ ଇବାଚଲଃ ॥ ୧୨॥

ଶତ୍ରୁଘାତୀ ଇନ୍ଦ୍ର ବଳିଙ୍କୁ ନିଜର ଅମୋଘ ଅସ୍ତ୍ର ବଜ୍ରରେ ପ୍ରହାର କଲେ | ତାହାର ଆଘାତରେ ବଳି ପକ୍ଷଛିନ୍ନ ପର୍ବତ ସଦୃଶ ନିଜ ବିମାନ ସହିତ ପୃଥିବୀକୁ ଖସି ପଡିଲେ |

ସଖାୟଂ ପତିତଂ ଦୃଷ୍ଟ୍ୱା ଜମ୍ଭୋ ବଲିସଖଃ ସୁହୃତ୍ ।

ଅଭ୍ୟଯାତ୍ସୌହୃଦଂ ସଖ୍ୟୁର୍ହତସ୍ୟାପି ସମାଚରନ୍ ॥ ୧୩॥

ଜମ୍ଭାସୁର ନାମରେ ବଳିଙ୍କର ଜଣେ ଅତ୍ୟନ୍ତ ହିତୈଷୀ ଏବଂ ଘନିଷ୍ଠ ମିତ୍ର ଥିଲା | ବଳିଙ୍କୁ ଖସି ପଡିଥିବା ଦେଖି ସେ ପ୍ରତିଶୋଧ ନେବା ଅଭିପ୍ରାୟରେ ଇନ୍ଦ୍ରଙ୍କର ସମ୍ମୁଖୀନ ହେଲା |

ସ ସିଂହବାହ ଆସାଦ୍ୟ ଗଦାମୁଦ୍ୟମ୍ୟ ରଂହସା ।

ଜତ୍ରାବତାଡୟଚ୍ଛକ୍ରଂ ଗଜଂ ଚ ସୁମହାବଲଃ ॥ ୧୪॥

ସିଂହ ଉପରେ ବସି ସେ ଇନ୍ଦ୍ରଙ୍କ ସମୀପକୁ ଆସିଲା ଏବଂ ପ୍ରବଳ ବେଗରେ ନିଜର ଗଦା ଉଠାଇ ଇନ୍ଦ୍ରଙ୍କ ଗଳାର ଗୋଲାକାର ହାଡ ଉପରେ ପ୍ରହାର କଲା | ତା ସହିତ ସେ ଗଦାରେ ମହାବଳୀ ଐରାବତ ଉପରେ ମଧ୍ୟ ପ୍ରହାର କଲା |

ଗଦାପ୍ରହାରବ୍ୟଥିତୋ ଭୃଶଂ ବିହ୍ୱଲିତୋ ଗଜଃ ।

ଜାନୁଭ୍ୟାଂ ଧରଣୀଂ ସ୍ପୃଷ୍ଟ୍ୱା କଶ୍ମଲଂ ପରମଂ ଯୟୌ ॥ ୧୫॥

ଗଦାର ଆଘାତରେ ଐରାବତକୁ ଅସହ୍ୟ ପୀଡା ଅନୁଭୂତ ହେଲା | ଅତ୍ୟନ୍ତ ବ୍ୟାକୁଳତାରେ ସେ ମୂର୍ଚ୍ଛିତ ହୋଇ ଟଳି ପଡିଲା |

ତତୋ ରଥୋ ମାତଲିନା ହରିଭିର୍ଦଶଶତୈର୍ୱୃତଃ ।

ଆନୀତୋ ଦ୍ୱିପମୁତ୍ସୃଜ୍ୟ ରଥମାରୁରୁହେ ବିଭୁଃ ॥ ୧୬॥

ସେହି ସମୟରେ ଇନ୍ଦ୍ରଙ୍କର ସାରଥୀ ମାତଳି ସହସ୍ର ଅଶ୍ବଯୁକ୍ତ ରଥ ନେଇ ଆସିଲେ ଏବଂ ଶକ୍ତିଶାଳୀ ଇନ୍ଦ୍ର ଐରାବତକୁ ଛାଡି ଅତି ଶୀଘ୍ର ସେହି ରଥ ଆରୋହଣ କଲେ |

ତସ୍ୟ ତତ୍ପୂଜୟନ୍ କର୍ମ ଯନ୍ତୁର୍ଦାନବସତ୍ତମଃ ।

ଶୂଲେନ ଜ୍ୱଲତା ତଂ ତୁ ସ୍ମୟମାନୋଽହନନ୍ମୃଧେ ॥ ୧୭॥

ଦାନବଶ୍ରେଷ୍ଠ ଜମ୍ଭ  ରଣଭୂମିରେ ମାତଳିଙ୍କର ସେହି କାର୍ଯ୍ୟର ଉଚ୍ଚ ପ୍ରଶଂସା କଲେ ଏବଂ ହସି ହସି ତାଙ୍କ ଉପରକୁ ନିଜର ଶାଣିତ ତ୍ରିଶୂଳ ପ୍ରୟୋଗ କଲେ |

ସେହେ ରୁଜଂ ସୁଦୁର୍ମର୍ଷାଂ ସତ୍ତ୍ୱମାଲମ୍ବ୍ୟ ମାତଲିଃ ।

ଇନ୍ଦ୍ରୋ ଜମ୍ଭସ୍ୟ ସଙ୍କ୍ରୁଦ୍ଧୋ ବଜ୍ରେଣାପାହରଚ୍ଛିରଃ ॥ ୧୮॥

ଧୈର୍ଯ୍ୟର ସହିତ ମାତଳି ସେହି ଅସହ୍ୟ ପୀଡାକୁ ସହ୍ୟ କରିନେଲେ | ସେତେବେଳେ କ୍ରୋଧିତ ହୋଇ ଇନ୍ଦ୍ର ନିଜ ବଜ୍ରରେ ଜମ୍ଭର ମୁଣ୍ଡକୁ କାଟି ଦେଲେ |

ଜମ୍ଭଂ ଶ୍ରୁତ୍ୱା ହତଂ ତସ୍ୟ ଜ୍ଞାତୟୋ ନାରଦାଦୃଷେଃ ।

ନମୁଚିଶ୍ଚ ବଲଃ ପାକସ୍ତତ୍ରାପେତୁସ୍ତ୍ୱରାନ୍ୱିତାଃ ॥ ୧୯॥

ଦେବର୍ଷି ନାରଦଙ୍କଠାରୁ ଜମ୍ଭାସୁରର ମୃତ୍ୟୁ ସମାଚାର ଶୁଣି ତାର ଭାଈ-ବନ୍ଧୁ ନମୁଚି, ବଳ ଏବଂ ପାକ ଅତିଶୀଘ୍ର ଆସି ରଣଭୂମିରେ ଉପସ୍ଥିତ ହୋଇଗଲେ |

ବଚୋଭିଃ ପରୁଷୈରିନ୍ଦ୍ରମର୍ଦୟନ୍ତୋଽସ୍ୟ ମର୍ମସୁ ।

ଶରୈରବାକିରନ୍ ମେଘା ଧାରାଭିରିବ ପର୍ୱତମ୍ ॥ ୨୦॥

ସେମାନେ ନିଜର କଠୋର ଏବଂ ମର୍ମସ୍ପର୍ଶୀ ବାଣୀରେ ଇନ୍ଦ୍ରଙ୍କର ବହୁତ ବେଶୀ ତିରସ୍କାର କଲେ ଏବଂ ପାହାଡ ଉପରେ ବାଦଲ ମୂଷଳଧାର ବର୍ଷା କରିବା ପରି ତାଙ୍କ ଉପରକୁ ବାଣର ଝଡି ଲଗାଇ ଦେଲେ |

ହରୀନ୍ ଦଶଶତାନ୍ୟାଜୌ ହର୍ୟଶ୍ୱସ୍ୟ ବଲଃ ଶରୈଃ ।

ତାବଦ୍ଭିରର୍ଦୟାମାସ ଯୁଗପଲ୍ଲଘୁହସ୍ତବାନ୍ ॥ ୨୧॥

ହସ୍ତଲାଘବ କରି ବଳ ଏକସଙ୍ଗେ ଏକ ହଜାର ବାଣ ପ୍ରୟୋଗ କରି ଇନ୍ଦ୍ରଙ୍କର ଏକ ହଜାର ଘୋଡାଙ୍କୁ ଆହତ କରିଦେଲା |

ଶତାଭ୍ୟାଂ ମାତଲିଂ ପାକୋ ରଥଂ ସାବୟବଂ ପୃଥକ୍ ।

ସକୃତ୍ସନ୍ଧାନମୋକ୍ଷେଣ ତଦଦ୍ଭୁତମଭୂଦ୍ରଣେ ॥ ୨୨॥

ପାକ ଶହେ ବାଣ ଦ୍ବାରା ମାତଳିଙ୍କୁ ଏବଂ ଶହେ ବାଣ ଦ୍ବାରା ରଥର ପ୍ରତ୍ୟେକ ଅଙ୍ଗ ଛେଦନ କରିଦେଲା | ଯୁଦ୍ଧଭୂମିରେ ଏକ ସମୟରେ ଏତେ ସଂଖ୍ୟାରେ ବାଣ ପ୍ରୟୋଗ କରାଯିବା – ଏହା ଏକ ଅଦ୍ଭୁତ ଘଟଣା ଥିଲା |

ନମୁଚିଃ ପଞ୍ଚଦଶଭିଃ ସ୍ୱର୍ଣପୁଙ୍ଖୈର୍ମହେଷୁଭିଃ ।

ଆହତ୍ୟ ବ୍ୟନଦତ୍ସଙ୍ଖ୍ୟେ ସତୋୟ ଇବ ତୋୟଦଃ ॥ ୨୩॥

ନମୁଚି ସୁବର୍ଣ୍ଣ ପକ୍ଷଯୁକ୍ତ ବଡ-ବଡ ପନ୍ଦରଟି ବାଣ ଇନ୍ଦ୍ରଙ୍କ ପ୍ରତି ପ୍ରୟୋଗ କଲା ଏବଂ ଯୁଦ୍ଧଭୂମିରେ ଜଳପୂର୍ଣ୍ଣ ବାଦଲ ପରି ଗର୍ଜନ କରିବାରେ ଲାଗିଲା |

ସର୍ୱତଃ ଶରକୂଟେନ ଶକ୍ରଂ ସରଥସାରଥିମ୍ ।

ଛାଦୟାମାସୁରସୁରାଃ ପ୍ରାବୃଟ୍ସୂର୍ୟମିବାମ୍ବୁଦାଃ ॥ ୨୪॥

ବର୍ଷାଋତୁରେ ବାଦଲ ସୂର୍ଯ୍ୟଙ୍କୁ ଢାଙ୍କି ଦେବା ପରି ଅସୁରମାନଙ୍କର ବାଣର ବର୍ଷାରେ ଇନ୍ଦ୍ର ଏବଂ ତାଙ୍କର ରଥ ତଥା ସାରଥି ଚତୁର୍ଦ୍ଦିଗରୁ ଆବୃତ ହୋଇଗଲେ |

ଅଲକ୍ଷୟନ୍ତସ୍ତମତୀବ ବିହ୍ୱଲା

ବିଚୁକ୍ରୁଶୁର୍ଦେବଗଣାଃ ସହାନୁଗାଃ ।

ଅନାୟକାଃ ଶତ୍ରୁବଲେନ ନିର୍ଜିତା

ବଣିକ୍ପଥା ଭିନ୍ନନବୋ ଯଥାର୍ଣବେ ॥ ୨୫॥

ଇନ୍ଦ୍ରଙ୍କୁ ନ ଦେଖି ଦେବତା ଏବଂ ତାଙ୍କର ଅନୁଚରମାନେ ଅତ୍ୟନ୍ତ ବ୍ୟାକୁଳ ହୋଇ କାନ୍ଦ-ବୋବା କରିବାରେ ଲାଗିଲେ | ଏକରେ ତ ଶତ୍ରୁମାନେ ସେମାନଙ୍କୁ ପରାଜିତ କରିଥିଲେ, ଦୁଇରେ ଏବେ ସେମାନଙ୍କର କେହି ସେନାପତି ମଧ୍ୟ ନ ଥିଲେ | ସେତେବେଳେ ଦେବତାମାନଙ୍କର ଅବସ୍ଥା ମଝି ସମୁଦ୍ରରେ ନୌକା ଅଚଳ ହୋଇଗଲେ ବ୍ୟାପାରୀମାନଙ୍କର ଅବସ୍ଥା ଯେପରି ହୋଇଥାଏ, ସେହିପରି ହୋଇଗଲା |

ତତସ୍ତୁରାଷାଡିଷୁବଦ୍ଧପଞ୍ଜରା-

ଦ୍ୱିନିର୍ଗତଃ ସାଶ୍ୱରଥଧ୍ୱଜାଗ୍ରଣୀଃ ।

ବଭୌ ଦିଶଃ ଖଂ ପୃଥିବୀଂ ଚ ରୋଚୟନ୍

ସ୍ୱତେଜସା ସୂର୍ୟ ଇବ କ୍ଷପାତ୍ୟଯେ ॥ ୨୬॥

କିନ୍ତୁ ଅଳ୍ପ କିଛି ସମୟ ଉପରାନ୍ତେ ଇନ୍ଦ୍ର, ନିଜର ଅଶ୍ବ, ରଥ, ଧ୍ବଜା ଏବଂ ସାରଥି ସହିତ ଶତ୍ରୁମାନଙ୍କ ବାଣରେ ନିର୍ମିତ ପିଞ୍ଜରା ମଧ୍ୟରୁ ବାହାରି ଆସିଲେ | ପ୍ରାତଃକାଳୀନ ସୂର୍ଯ୍ୟ ନିଜ କିରଣରେ ଦିଗ-ବିଦିଗ, ଆକାଶ ଏବଂ ପୃଥିବୀକୁ ଉଦ୍ଭାସିତ କରିବା ପରି ଇନ୍ଦ୍ରଙ୍କ ତେଜରେ ଚତୁର୍ଦ୍ଦିଗ ଝଲସି ଉଠିଲା |

ନିରୀକ୍ଷ୍ୟ ପୃତନାଂ ଦେବଃ ପରୈରଭ୍ୟର୍ଦିତାଂ ରଣେ ।

ଉଦୟଚ୍ଛଦ୍ରିପୁଂ ହନ୍ତୁଂ ବଜ୍ରଂ ବଜ୍ରଧରୋ ରୁଷା ॥ ୨୭॥

ବଜ୍ରଧାରୀ ଇନ୍ଦ୍ର ଯେତେବେଳେ ଦେଖିଲେ ଶତ୍ରୁମାନେ ରଣଭୂମିରେ ଦେବସେନାମାନଙ୍କୁ ଧ୍ବସ୍ତ-ବିଧ୍ବସ୍ତ କରି ଦେଇଛନ୍ତି, ସେତେବେଳେ ଶତ୍ରୁକୁ ମାରିବା ଉଦ୍ଦେଶ୍ୟରେ ସେ ଅତ୍ୟନ୍ତ କ୍ରୋଧରେ ସେମାନଙ୍କୁ ବଜ୍ରରେ ଆକ୍ରମଣ କଲେ |

ସ ତେନୈବାଷ୍ଟଧାରେଣ ଶିରସୀ ବଲପାକୟୋଃ ।

ଜ୍ଞାତୀନାଂ ପଶ୍ୟତାଂ ରାଜନ୍ ଜହାର ଜନୟନ୍ ଭୟମ୍ ॥ ୨୮॥

ପରୀକ୍ଷିତ ! ଇନ୍ଦ୍ରଙ୍କର ଅଷ୍ଟଧାରବିଶିଷ୍ଟ ତୀକ୍ଷ୍ଣ ବଜ୍ର ସେହି ଦୈତ୍ୟର ଭାଈ-ବନ୍ଧୁମାନଙ୍କୁ ଭୟଭୀତ କରି ବଳ ଏବଂ ପାକର ସିରଚ୍ଛେଦନ କଲା |

ନମୁଚିସ୍ତଦ୍ୱଧଂ ଦୃଷ୍ଟ୍ୱା ଶୋକାମର୍ଷରୁଷାନ୍ୱିତଃ ।

ଜିଘାଂସୁରିନ୍ଦ୍ରଂ ନୃପତେ ଚକାର ପରମୋଦ୍ୟମମ୍ ॥ ୨୯॥

ନିଜ ଭାଈମାନଙ୍କର ନିଧନ ଦେଖି ନମୁଚିଙ୍କ ମନ ଶୋକଗ୍ରସ୍ତ ହୋଇଗଲା | କ୍ରୋଧରେ ଇନ୍ଦ୍ରଙ୍କୁ ମାରିବା ପାଇଁ ସେ ଭରପୂର ପ୍ରୟାସ କଲେ |

ଅଶ୍ମସାରମୟଂ ଶୂଲଂ ଘଣ୍ଟାବଦ୍ଧେମଭୂଷଣମ୍ ।

ପ୍ରଗୃହ୍ୟାଭ୍ୟଦ୍ରବତ୍କ୍ରୁଦ୍ଧୋ ହତୋଽସୀତି ବିତର୍ଜୟନ୍ ।

ପ୍ରାହିଣୋଦ୍ଦେବରାଜାୟ ନିନଦନ୍ ମୃଗରାଡିବ ॥ ୩୦॥

‘ଇନ୍ଦ୍ର ! ଏବେ ତୋର ରକ୍ଷା ନାହିଁ’ – ଏହିପରି ଡାକ ଦେଇ ସେ ତ୍ରିଶୂଳ ଉଠାଇ ଇନ୍ଦ୍ରଙ୍କ ଆଡକୁ ଧାଇଁଗଲା | ସେହି ତ୍ରିଶୂଳ ଗରମ ଲୁହାରେ ଗଢା ହୋଇଥିଲା, ସ୍ବର୍ଣ୍ଣ ଆଭୂଷଣରେ ବିଭୂଷିତ ଥିଲା ଏବଂ ସେଥିରେ ଘଣ୍ଟି ଲାଗିଥିଲା | କ୍ରୋଧାବେଶରେ ସିଂହ ପରି ଗର୍ଜନ କରି ନମୁଚି ସେହି ତ୍ରିଶୂଳକୁ ଇନ୍ଦ୍ରଙ୍କ ପ୍ରତି ନିକ୍ଷେପ କଲା |

ତଦାପତଦ୍ଗଗନତଲେ ମହାଜବଂ

ବିଚିଚ୍ଛିଦେ ହରିରିଷୁଭିଃ ସହସ୍ରଧା ।

ତମାହନନ୍ନୃପ କୁଲିଶେନ କନ୍ଧରେ

ରୁଷାନ୍ୱିତସ୍ତ୍ରିଦଶପତିଃ ଶିରୋ ହରନ୍ ॥ ୩୧॥

ପରୀକ୍ଷିତ ! ଇନ୍ଦ୍ର ଯେତେବେଳେ ଦେଖିଲେ ତ୍ରିଶୂଳଟି ଅତ୍ୟନ୍ତ ବେଗରେ ତାଙ୍କ ଅଭିମୁଖରେ ଆସୁଛି, ସେତେବେଳେ ସେ ବାଣ ପ୍ରୟୋଗ କରି ଆକାଶରେ ହିଁ ତାହାକୁ ହଜାର ଖଣ୍ଡ କରିଦେଲେ | ଏହାପରେ ଦେବରାଜ ଇନ୍ଦ୍ର ନମୁଚିର ସିରଚ୍ଛେଦନ କରିବା ଅଭିପ୍ରାୟରେ ତାର ବେକମୂଳରେ ବଜ୍ରାଘାତ କଲେ |

ନ ତସ୍ୟ ହି ତ୍ୱଚମପି ବଜ୍ର ଊର୍ଜିତୋ

ବିଭେଦ ଯଃ ସୁରପତିନୌଜସେରିତଃ ।

ତଦଦ୍ଭୁତଂ ପରମତିବୀର୍ୟବୃତ୍ରଭି-

ତ୍ତିରସ୍କୃତୋ ନମୁଚିଶିରୋଧରତ୍ୱଚା ॥ ୩୨॥

ଯଦିଓ ଇନ୍ଦ୍ର ପ୍ରବଳ ବେଗରେ ବଜ୍ର ପ୍ରୟୋଗ କରିଥିଲେ, ତଥାପି ସେହି ଯଶସ୍ବୀ ବଜ୍ର ନମୁଚି ଗଳାର ଚର୍ମକୁ ସୁଦ୍ଧା ବିଦାରଣ କରିପାରିଲା ନାହିଁ | ଏହା ଏକ ଅତିଶୟ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ଯେ ସେହି ବଜ୍ର ଯାହା ମହାବଳୀ ବୃତ୍ରାସୁରର ଶରୀରକୁ କାଟି ଖଣ୍ଡ-ଖଣ୍ଡ କରି ଦେଇଥିଲା, ଆଜି ନମୁଚିର ଚର୍ମ ସୁଦ୍ଧା ତାହାର ତିରସ୍କାର କରିଦେଲା |

ତସ୍ମାଦିନ୍ଦ୍ରୋଽବିଭେଚ୍ଛତ୍ରୋର୍ୱଜ୍ରଃ ପ୍ରତିହତୋ ଯତଃ ।

କିମିଦଂ ଦୈବୟୋଗେନ ଭୂତଂ ଲୋକବିମୋହନମ୍ ॥ ୩୩॥

ବଜ୍ର ଦ୍ବାରା ମଧ୍ୟ ନମୁଚିର କିଛି କ୍ଷତି ହେଲାନାହିଁ – ଏହା ଦେଖି ଇନ୍ଦ୍ର କିଞ୍ଚିତ୍ ଭୟଭୀତ ହୋଇ ଉଠିଲେ | ସେ ଚିନ୍ତା କରିବାରେ ଲାଗିଲେ, ‘ଦୈବଯୋଗରୁ ସମସ୍ତଙ୍କ ମନରେ ସଂଶୟ ଉତ୍ପନ୍ନ କରିବା ପରି ଏହା କିପରି ଅଘଟଣ ଘଟିଗଲା !’

ଯେନ ମେ ପୂର୍ୱମଦ୍ରୀଣାଂ ପକ୍ଷଚ୍ଛେଦଃ ପ୍ରଜାତ୍ୟଯେ ।

କୃତୋ ନିବିଶତାଂ ଭାରୈଃ ପତତ୍ତ୍ରୈଃ ପତତାଂ ଭୁବି ॥ ୩୪॥

ପୂର୍ବକାଳରେ ପର୍ବତମାନଙ୍କର ପକ୍ଷ ରହିଥିଲା ଏବଂ ସେହି ପକ୍ଷ ସାହାଯ୍ୟରେ ସେମାନେ ଆକାଶରେ ଉଡି ପାରୁଥିଲେ | ଏଣେତେଣେ ଘୂରି-ବୁଲି ଯେତେବେଳେ ସେମାନେ ନିଜ ଭାର ଯୋଗୁଁ ପୃଥିବୀରେ ଖସି ପଡୁଥିଲେ, ସେତେବେଳେ ବହୁଳ ଭାବରେ ପ୍ରଜାମାନଙ୍କର ବିନାଶ ହେଉଥିବା ଦେଖି, ଏହି ବଜ୍ର ଦ୍ବାରା ମୁଁ ପାହାଡମାନଙ୍କର ସେହି ପକ୍ଷକୁ କାଟି ଦେଇଥିଲି |

ତପଃସାରମୟଂ ତ୍ୱାଷ୍ଟ୍ରଂ ବୃତ୍ରୋ ଯେନ ବିପାଟିତଃ ।

ଅନ୍ୟେ ଚାପି ବଲୋପେତାଃ ସର୍ୱାସ୍ତ୍ରୈରକ୍ଷତତ୍ୱଚଃ ॥ ୩୫॥

ତ୍ବଷ୍ଟାଙ୍କର ତପସ୍ୟାର ସାର ହିଁ ବୃତ୍ରାସୁର ରୂପରେ ପ୍ରକଟ ହୋଇଥିଲା, ଯାହାକୁ ମୁଁ ବଜ୍ର ଦ୍ବାରା ମାରି ଥିଲି | ଆହୁରି ଅନେକ ବଳବାନ ଦୈତ୍ୟ, ଯେଉଁମାନଙ୍କୁ କୌଣସି ଅସ୍ତ୍ର-ଶସ୍ତ୍ର ସ୍ପର୍ଶ ସୁଦ୍ଧା କରିପାରୁ ନ ଥିଲା, ସେମାନଙ୍କର ନିଧନ ମୁଁ ଏହି ବଜ୍ର ଦ୍ବାରା କରିଛି |

ସୋଽୟଂ ପ୍ରତିହତୋ ବଜ୍ରୋ ମୟା ମୁକ୍ତୋଽସୁରେଽଲ୍ପକେ ।

ନାହଂ ତଦାଦଦେ ଦଣ୍ଡଂ ବ୍ରହ୍ମତେଜୋଽପ୍ୟକାରଣମ୍ ॥ ୩୬॥

ମୋର ସେହି ବଜ୍ର ଏବେ ଏହି ତୁଚ୍ଛ ଅସୁରକୁ ମାରି ପାରିଲା ନାହିଁ; ଅତଏବ ଏବେ ମୁଁ ଏହାକୁ ସ୍ବୀକାର କରିବି ନାହିଁ | ଏହା ବ୍ରହ୍ମତେଜରେ ନିର୍ମିତ ହୋଇଥିଲେ ବି ଏବେ ତ ଏହା ଅକାମୀ ହୋଇଯାଇଛି |

ଇତି ଶକ୍ରଂ ବିଷୀଦନ୍ତମାହ ବାଗଶରୀରିଣୀ ।

ନାୟଂ ଶୁଷ୍କୈରଥୋ ନାର୍ଦ୍ରୈର୍ୱଧମର୍ହତି ଦାନବଃ ॥ ୩୭॥

ଇନ୍ଦ୍ର ଏହିପରି ବିଷାଦ କରୁଥିବା ସମୟରେ ଆକାଶବାଣୀ ହେଲା – ‘ଏହି ଦାନବର ମୃତ୍ୟୁ କୌଣସି ଶୁଷ୍କ ବସ୍ତୁ ବା ଆର୍ଦ୍ର ବସ୍ତୁ ଦ୍ବାରା ହେବନାହିଁ |’

ମୟାସ୍ମୈ ଯଦ୍ୱରୋ ଦତ୍ତୋ ମୃତ୍ୟୁର୍ନୈବାର୍ଦ୍ରଶୁଷ୍କୟୋଃ ।

ଅତୋଽନ୍ୟଶ୍ଚିନ୍ତନୀୟସ୍ତେ ଉପାୟୋ ମଘବନ୍ ରିପୋଃ ॥ ୩୮॥

‘ମୁଁ ଏହାକୁ ବରଦାନ ଦେଇଛି, - “କୌଣସି ଶୁଷ୍କ କିମ୍ବା ଆର୍ଦ୍ର ବସ୍ତୁ ଦ୍ବାରା ତୁମର ମୃତ୍ୟୁ ହେବନାହିଁ |” ଅତଏବ, ହେ ଇନ୍ଦ୍ର ! ଏହି ଶତ୍ରୁକୁ ମାରିବା ପାଇଁ ତୁମେ କୌଣସି ଅନ୍ୟ ଉପାୟ ଚିନ୍ତା କର |’

ତାଂ ଦୈବୀଂ ଗିରମାକର୍ଣ୍ୟ ମଘବାନ୍ ସୁସମାହିତଃ ।

ଧ୍ୟାୟନ୍ ଫେନମଥାପଶ୍ୟଦୁପାୟମୁଭୟାତ୍ମକମ୍ ॥ ୩୯॥

ସେହି ଆକାଶବାଣୀ ଶୁଣି ଦେବରାଜ ଇନ୍ଦ୍ର ଅତ୍ୟନ୍ତ ଏକାଗ୍ରତା ପୂର୍ବକ ବିଚାର କରିବାରେ ଲାଗିଲେ | ବିଚାର କରୁ କରୁ ହଠାତ୍ ତାଙ୍କ ମନକୁ ଆସିଲା ଯେ ସମୁଦ୍ରର ଫେଣ ଶୁଷ୍କ ବି ଅଟେ ଏବଂ ଆର୍ଦ୍ର ବି ଅଟେ |

ନ ଶୁଷ୍କେଣ ନ ଚାର୍ଦ୍ରେଣ ଜହାର ନମୁଚେଃ ଶିରଃ ।

ତଂ ତୁଷ୍ଟୁବୁର୍ମୁନିଗଣା ମାଲ୍ୟୈଶ୍ଚାବାକିରନ୍ ବିଭୁମ୍ ॥ ୪୦॥

ସେଥିପାଇଁ ତାକୁ ପୂରାପୂରି ଶୁଷ୍କ କୁହାଯିବ ନାହିଁ କି ଆର୍ଦ୍ର ବି କୁହାଯିବ ନାହିଁ | ଏବେ ଇନ୍ଦ୍ର ସେହି ସମୁଦ୍ର-ଫେଣ ଦ୍ବାରା ନମୁଚିର ସିରଚ୍ଛେଦନ କଲେ | ତାହା ଦେଖି ବଡ-ବଡ ଋଷି-ମୁନି ଆନନ୍ଦରେ ପୁଷ୍ପ ବୃଷ୍ଟି କରି ଇନ୍ଦ୍ରଙ୍କର ସ୍ତୁତି କରିବାରେ ଲାଗିଲେ |

ଗନ୍ଧର୍ୱମୁଖ୍ୟୌ ଜଗତୁର୍ୱିଶ୍ୱାବସୁପରାବସୂ ।

ଦେବଦୁନ୍ଦୁଭୟୋ ନେଦୁର୍ନର୍ତକ୍ୟୋ ନନୃତୁର୍ମୁଦା ॥ ୪୧॥

ଗନ୍ଧର୍ବଶିରୋମଣି ବିଶ୍ବାବସୁ ତଥା ପରାବସୁ ସଙ୍ଗୀତ ଗାନ କଲେ, ଦେବତାମାନେ ଦୁନ୍ଦୁଭି ବଜାଇଲେ ଏବଂ ନର୍ତ୍ତକୀମାନେ ଆନନ୍ଦରେ ନୃତ୍ୟ କରିବାରେ ଲାଗିଲେ |

ଅନ୍ୟେଽପ୍ୟେବଂ ପ୍ରତିଦ୍ୱନ୍ଦ୍ୱାନ୍ ବାୟ୍ୱଗ୍ନିବରୁଣାଦୟଃ ।

ସୂଦୟାମାସୁରସ୍ତ୍ରୌଘୈର୍ମୃଗାନ୍ କେସରିଣୋ ଯଥା ॥ ୪୨॥

ଏହାପରେ ସିଂହ ହରିଣୀକୁ ମାରିବା ପରି ବାୟୁ, ଅଗ୍ନି, ବରୁଣ ଆଦି ଅନ୍ୟ ଦେବତାମାନେ ନିଜ-ନିଜର ଅସ୍ତ୍ର-ଶସ୍ତ୍ର ଦ୍ବାରା ବିପକ୍ଷର ସେନାକୁ ହତ୍ୟା କଲେ |

ବ୍ରହ୍ମଣା ପ୍ରେଷିତୋ ଦେବାନ୍ ଦେବର୍ଷିର୍ନାରଦୋ ନୃପ ।

ବାରୟାମାସ ବିବୁଧାନ୍ ଦୃଷ୍ଟ୍ୱା ଦାନବସଙ୍କ୍ଷୟମ୍ ॥ ୪୩॥

ପରୀକ୍ଷିତ ! ଏଣେ ବ୍ରହ୍ମା ଯେତେବେଳେ ଦେଖିବାକୁ ପାଇଲେ ଯେ ଦାନବମାନଙ୍କର ପୂର୍ଣ୍ଣ ନାଶ ହେବାକୁ ଯାଉଛି, ସେତେବେଳେ ସେ ଦେବର୍ଷି ନାରଦଙ୍କୁ ଦେବତାମାନଙ୍କ ପାଖକୁ ପଠାଇଲେ ଏବଂ ନାରଦ ସେଠାକୁ ଯାଇ ଦେବତାମାନଙ୍କୁ ଯୁଦ୍ଧ କରିବାରୁ କ୍ଷାନ୍ତ କଲେ |

ନାରଦ ଉବାଚ

ଭବଦ୍ଭିରମୃତଂ ପ୍ରାପ୍ତଂ ନାରାୟଣଭୁଜାଶ୍ରୟୈଃ ।

ଶ୍ରିୟା ସମେଧିତାଃ ସର୍ୱ ଉପାରମତ ବିଗ୍ରହାତ୍ ॥ ୪୪॥

ନାରଦ କହିଲେ – ହେ ଦେବଗଣ ! ଭଗବାନଙ୍କ ଭୁଜର ଛତ୍ରଛାୟାରେ ରହି ଆପଣମାନେ ଅମୃତ ପ୍ରାପ୍ତ କରିଛନ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କର କୃପାକଣିକାରେ ଆପଣମାନଙ୍କର ଅଭିବୃଦ୍ଧି ହୋଇଛି | ଅତଏବ ଏବେ ଆପଣମାନେ ଯୁଦ୍ଧ କରିବାରୁ କ୍ଷାନ୍ତ ହୁଅନ୍ତୁ |

ଶ୍ରୀଶୁକ ଉବାଚ

ସଂୟମ୍ୟ ମନ୍ୟୁସଂରମ୍ଭଂ ମାନୟନ୍ତୋ ମୁନେର୍ୱଚଃ ।

ଉପଗୀୟମାନାନୁଚରୈର୍ୟଯୁଃ ସର୍ୱେ ତ୍ରିବିଷ୍ଟପମ୍ ॥ ୪୫॥

ଶ୍ରୀଶୁକଦେବ କହୁଛନ୍ତି – ଦେବର୍ଷି ନାରଦଙ୍କର କଥା ମାନି ଦେବତାମାନେ ନିଜ କ୍ରୋଧର ବେଗକୁ ଶାନ୍ତ କଲେ ଏବଂ ସମସ୍ତେ ଏକସଙ୍ଗେ ନିଜ ଲୋକ ସ୍ବର୍ଗକୁ ଯାତ୍ରା କଲେ | ସେହି ସମୟରେ ଦେବତାମାନଙ୍କର ଅନୁଚରମାନେ ସେମାନଙ୍କର ଯଶଗାନ କରୁଥାଆନ୍ତି |

ଯେଽବଶିଷ୍ଟା ରଣେ ତସ୍ମିନ୍ ନାରଦାନୁମତେନ ତେ ।

ବଲିଂ ବିପନ୍ନମାଦାୟ ଅସ୍ତଂ ଗିରିମୁପାଗମନ୍ ॥ ୪୬॥

ଯୁଦ୍ଧରେ ଜୀବିତ ରହିଥିବା ଦୈତ୍ୟମାନେ ଦେବର୍ଷି ନାରଦଙ୍କର ସମ୍ମତିରେ ବଜ୍ରାଘାତରେ ମୃତ୍ୟୁକୁ ପ୍ରାପ୍ତ ହୋଇଥିବା ବଳିଙ୍କୁ ନେଇ ଅସ୍ତାଚଳକୁ ଯାତ୍ରା କଲେ |

ତତ୍ରାବିନଷ୍ଟାବୟବାନ୍ ବିଦ୍ୟମାନଶିରୋଧରାନ୍ ।

ଉଶନା ଜୀବୟାମାସ ସଞ୍ଜୀବିନ୍ୟା ସ୍ୱବିଦ୍ୟଯା ॥ ୪୭॥

ସେଠାରେ ଶୁକ୍ରାଚାର୍ଯ୍ୟ ନିଜ ସଞ୍ଜୀବନୀ ବିଦ୍ୟା ଦ୍ବାରା ସେହି ସବୁ ଅସୁରମାନଙ୍କୁ ଜୀବିତ କରିଦେଲେ, ଯେଉଁମାନଙ୍କର ଗଳା ଆଦି ଅଙ୍ଗ କଟି ନ ଥିଲା |

ବଲିଶ୍ଚୋଶନସା ସ୍ପୃଷ୍ଟଃ ପ୍ରତ୍ୟାପନ୍ନେନ୍ଦ୍ରିୟସ୍ମୃତିଃ ।

ପରାଜିତୋଽପି ନାଖିଦ୍ୟଲ୍ଲୋକତତ୍ତ୍ୱବିଚକ୍ଷଣଃ ॥ ୪୮॥

ଶୁକ୍ରାଚାର୍ଯ୍ୟଙ୍କର ସ୍ପର୍ଶରେ ବଳିଙ୍କର ଇନ୍ଦ୍ରିୟମାନଙ୍କରେ ଚେତନା ଏବଂ ମନରେ ସ୍ମରଣ ଶକ୍ତି ଆସିଗଲା | ବଳି ଏହା ଜାଣିଥିଲେ ଯେ ସଂସାରରେ ଜୀବନ-ମୃତ୍ୟୁ, ଜୟ-ପରାଜୟ ଆଦି ଦ୍ବନ୍ଦ୍ବ ସ୍ବାଭାବିକ ଭାବରେ ଆସିଥାଏ | ସେଥିପାଇଁ ପରାଜିତ ହୋଇଥିଲେ ବି ତାଙ୍କ ମନରେ କୌଣସି ଗ୍ଲାନି ଜାତ ହେଲାନାହିଁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା-

ମଷ୍ଟମସ୍କନ୍ଧେ ଦେବାସୁରସଙ୍ଗ୍ରାମେ ଏକାଦଶୋଽଧ୍ୟାୟଃ ॥ ୧୧॥

Comments

Popular posts from this blog