ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମସ୍କନ୍ଧ ॥
ପ୍ରଥମ ଅଧ୍ୟାୟ
ବୈବସ୍ବତ ମନୁ-ପୁତ୍ର ରାଜା ସୁଦ୍ୟୁମ୍ଣଙ୍କର କଥା
ରାଜୋବାଚ
ମନ୍ୱନ୍ତରାଣି
ସର୍ୱାଣି ତ୍ୱୟୋକ୍ତାନି ଶ୍ରୁତାନି ମେ ।
ବୀର୍ୟାଣ୍ୟନନ୍ତବୀର୍ୟସ୍ୟ
ହରେସ୍ତତ୍ର କୃତାନି ଚ ॥ ୧॥
ରାଜା ପରୀକ୍ଷିତ
କହିଲେ – ଭଗବନ୍ ! ଆପଣ ସମସ୍ତ ମନ୍ବନ୍ତର ଏବଂ ସେଥିରେ ଅନନ୍ତ ଶକ୍ତିଶାଳୀ ଭଗବାନଙ୍କର
ଐଶ୍ବର୍ଯ୍ୟପୂର୍ଣ୍ଣ ଚରିତ୍ର ବିଷୟରେ ବର୍ଣ୍ଣନା କଲେ ଏବଂ ମୁଁ ମଧ୍ୟ ତାହାର ଶ୍ରବଣ କରିବାର
ସୌଭାଗ୍ୟ ପ୍ରାପ୍ତ କଲି |
ଯୋଽସୌ ସତ୍ୟବ୍ରତୋ
ନାମ ରାଜର୍ଷିର୍ଦ୍ରବିଡେଶ୍ୱରଃ ।
ଜ୍ଞାନଂ
ଯୋଽତୀତକଲ୍ପାନ୍ତେ ଲେଭେ ପୁରୁଷସେବୟା ॥ ୨॥
ସ ବୈ ବିବସ୍ୱତଃ
ପୁତ୍ରୋ ମନୁରାସୀଦିତି ଶ୍ରୁତମ୍ ।
ତ୍ୱତ୍ତସ୍ତସ୍ୟ
ସୁତାଶ୍ଚୋକ୍ତା ଇକ୍ଷ୍ୱାକୁପ୍ରମୁଖା ନୃପାଃ ॥ ୩॥
ଆପଣ କହିଲେ ଯେ
ପୂର୍ବ କଳ୍ପର ଅନ୍ତରେ ଦ୍ରବିଡ ଦେଶର ସ୍ବାମୀ ରାଜର୍ଷି ସତ୍ୟବ୍ରତ ଭଗବାନଙ୍କର ସେବା କରି ଜ୍ଞାନ
ପ୍ରାପ୍ତ କରିଥିଲେ ଏବଂ ସେ ହିଁ ଏହି କଳ୍ପରେ ବୈବସ୍ବତ ମନୁ ହୋଇଛନ୍ତି | ତାଙ୍କର ଈକ୍ଷାକୁ ଆଦି
ନରପତି ପୁତ୍ରମାନଙ୍କ ବିଷୟରେ ଆପଣ ପୂର୍ବରୁ ବର୍ଣ୍ଣନା କରିଛନ୍ତି |
ତେଷାଂ ବଂଶଂ
ପୃଥଗ୍ବ୍ରହ୍ମନ୍ ବଂଶ୍ୟାନୁଚରିତାନି ଚ ।
କୀର୍ତୟସ୍ୱ ମହାଭାଗ
ନିତ୍ୟଂ ଶୁଶ୍ରୂଷତାଂ ହି ନଃ ॥ ୪॥
ବ୍ରହ୍ମନ୍ ! ଏବେ
ଆପଣ କୃପା କରି ତାଙ୍କର ବଂଶ ଏବଂ ବଂଶଜାତ ଭିନ୍ନ-ଭିନ୍ନ ଚରିତ୍ରର ବର୍ଣ୍ଣନା କରନ୍ତୁ | ମହାଭାଗ
! ସେହି ସବୁ କଥା ଶ୍ରବଣ କରିବାର ଉତ୍ସୁକତା ମୋ ହୃଦୟରେ ସଦା ସର୍ବଦା ଉଜ୍ଜୀବିତ ରହୁଛି |
ଯେ ଭୂତା ଯେ
ଭବିଷ୍ୟାଶ୍ଚ ଭବନ୍ତ୍ୟଦ୍ୟତନାଶ୍ଚ ଯେ ।
ତେଷାଂ ନଃ
ପୁଣ୍ୟକୀର୍ତୀନାଂ ସର୍ୱେଷାଂ ବଦ ବିକ୍ରମାନ୍ ॥ ୫॥
ବୈବସ୍ବତ ମନୁଙ୍କ
ବଂଶରେ ଯାହା ସବୁ ହୋଇସାରିଛି, ବର୍ତ୍ତମାନ ହେଉଛି
ଏବଂ ଆଗକୁ ହେବାକୁ ଅଛି – ଆପଣ ସେହି ସବୁ ପବିତ୍ରକୀର୍ତ୍ତି ପୁରୁଷଙ୍କ ପରାକ୍ରମର ବର୍ଣ୍ଣନା
କରନ୍ତୁ |
ସୂତ ଉବାଚ
ଏବଂ ପରୀକ୍ଷିତା
ରାଜ୍ଞା ସଦସି ବ୍ରହ୍ମବାଦିନାମ୍ ।
ପୃଷ୍ଟଃ ପ୍ରୋବାଚ
ଭଗବାଞ୍ଛୁକଃ ପରମଧର୍ମବିତ୍ ॥ ୬॥
ଶ୍ରୀ ସୂତମୁନି
କହୁଛନ୍ତି – ଶୌନକାଦି ଋଷିଗଣ ! ବ୍ରହ୍ମବାଦୀ ଋଷିମାନଙ୍କର ସଭାରେ ରାଜା ପରୀକ୍ଷିତ ଯେତେବେଳେ
ଏପରି ପ୍ରଶ୍ନ କଲେ, ତାହାର ଉତ୍ତରରେ ଧର୍ମର ପରମ
ମର୍ମଜ୍ଞ ଭଗବାନ ଶ୍ରୀଶୁକଦେବ କହିଲେ -
ଶ୍ରୀଶୁକ ଉବାଚ
ଶ୍ରୂୟତାଂ ମାନବୋ
ବଂଶଃ ପ୍ରାଚୁର୍ୟେଣ ପରନ୍ତପ ।
ନ ଶକ୍ୟତେ
ବିସ୍ତରତୋ ବକ୍ତୁଂ ବର୍ଷଶତୈରପି ॥ ୭॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ମନୁବଂଶର ବର୍ଣ୍ଣନ ତୁମେ ସଂକ୍ଷେପତଃ ଶ୍ରବଣ କର | ବିସ୍ତାରପୂର୍ବକ
ତାହାର ବର୍ଣ୍ଣନା ତ ଶହ-ଶହ ବର୍ଷରେ ମଧ୍ୟ କରିହେବ ନାହିଁ |
ପରାବରେଷାଂ
ଭୂତାନାମାତ୍ମା ଯଃ ପୁରୁଷଃ ପରଃ ।
ସ ଏବାସୀଦିଦଂ
ବିଶ୍ୱଂ କଲ୍ପାନ୍ତେଽନ୍ୟନ୍ନ କିଞ୍ଚନ ॥ ୮॥
ଯେଉଁ ପରମ ପୁରୁଷ
ପରମାତ୍ମା ଛୋଟ-ବଡ ସମସ୍ତ ପ୍ରାଣୀଙ୍କର ଆତ୍ମା ଅଟନ୍ତି, ପ୍ରଳୟ ଉପରାନ୍ତେ
କେବଳ ସେ ହିଁ ଥିଲେ; ଏହି ବିଶ୍ବ ତଥା ଅନ୍ୟ କିଛି
ନ ଥିଲା |
ତସ୍ୟ ନାଭେଃ
ସମଭବତ୍ପଦ୍ମକୋଶୋ ହିରଣ୍ମୟଃ ।
ତସ୍ମିନ୍ ଜଜ୍ଞେ
ମହାରାଜ ସ୍ୱୟମ୍ଭୂଶ୍ଚତୁରାନନଃ ॥ ୯॥
ମହାରାଜ ! ତାଙ୍କ
ନାଭିରୁ ଏକ ସୁବର୍ଣ୍ଣମୟ କମଳକୋଷ ପ୍ରକଟ ହେଲା | ତହିଁରେ ଚତୁର୍ମୁଖ ବ୍ରହ୍ମାଜୀଙ୍କର ଆବିର୍ଭାବ
ହେଲା |
ମରୀଚିର୍ମନସସ୍ତସ୍ୟ
ଜଜ୍ଞେ ତସ୍ୟାପି କଶ୍ୟପଃ ।
ଦାକ୍ଷାୟଣ୍ୟାଂ
ତତୋଽଦିତ୍ୟାଂ ବିବସ୍ୱାନଭବତ୍ସୁତଃ ॥ ୧୦॥
ବ୍ରହ୍ମାଜୀଙ୍କ
ମନରୁ ମରୀଚି ଏବଂ ମରୀଚି-ପୁତ୍ର କଶ୍ୟପ ଜାତ ହେଲେ | କଶ୍ୟପଙ୍କର ଧର୍ମପତ୍ନୀ ଦକ୍ଷନନ୍ଦିନୀ
ଅଦିତିଙ୍କଠାରୁ ବିବସ୍ବାନ୍ (ସୂର୍ଯ୍ୟ) ଙ୍କର ଜନ୍ମ ହେଲା |
ତତୋ ମନୁଃ
ଶ୍ରାଦ୍ଧଦେବଃ ସଞ୍ଜ୍ଞାୟାମାସ ଭାରତ ।
ଶ୍ରଦ୍ଧାୟାଂ
ଜନୟାମାସ ଦଶ ପୁତ୍ରାନ୍ ସ ଆତ୍ମବାନ୍ ॥ ୧୧॥
ଇକ୍ଷ୍ୱାକୁନୃଗଶର୍ୟାତିଦିଷ୍ଟଧୃଷ୍ଟକରୂଷକାନ୍
।
ନରିଷ୍ୟନ୍ତଂ
ପୃଷଧ୍ରଂ ଚ ନଭଗଂ ଚ କବିଂ ବିଭୁଃ ॥ ୧୨॥
ବିବସ୍ବାନଙ୍କର
ପତ୍ନୀ ସଂଜ୍ଞାଙ୍କଠାରୁ ଶ୍ରାଦ୍ଧଦେବ ମନୁ ଜନ୍ମ ଗ୍ରହଣ କଲେ | ପରୀକ୍ଷିତ ! ପରମ ମନସ୍ବୀ ରାଜା
ଶ୍ରାଦ୍ଧଦେବ ନିଜ ପତ୍ନୀ ଶ୍ରଦ୍ଧାଙ୍କ ଗର୍ଭରୁ ଦଶ ପୁତ୍ର ଉତ୍ପନ୍ନ କଲେ | ସେମାନଙ୍କର ନାମ
ଥିଲା – ଈକ୍ଷାକୁ, ନୃଗ, ଶର୍ୟାତି, ଦିଷ୍ଟ, ଧୃଷ୍ଟ, କରୂଷ, ନରିଷ୍ୟନ୍ତ, ପୃଷଘ୍ନ, ନଭଗ ଏବଂ କବି |
ଅପ୍ରଜସ୍ୟ ମନୋଃ
ପୂର୍ୱଂ ବସିଷ୍ଠୋ ଭଗବାନ୍ କିଲ ।
ମିତ୍ରାବରୁଣୟୋରିଷ୍ଟିଂ
ପ୍ରଜାର୍ଥମକରୋତ୍ପ୍ରଭୁଃ ॥ ୧୩॥
ବୈବସ୍ବତ ମନୁ
ପ୍ରଥମେ ସନ୍ତାନହୀନ ଥିଲେ | ସେହି ସମୟରେ ସର୍ବସମର୍ଥ ଭଗବାନ ବସିଷ୍ଠ ମୁନି ସନ୍ତାନ-ପ୍ରାପ୍ତି
ଉଦ୍ଦେଶ୍ୟରେ ତାଙ୍କ ଦ୍ବାରା ମିତ୍ରାବରୁଣ ଯଜ୍ଞର ଅନୁଷ୍ଠାନ କରାଇ ଥିଲେ |
ତତ୍ର ଶ୍ରଦ୍ଧା
ମନୋଃ ପତ୍ନୀ ହୋତାରଂ ସମୟାଚତ ।
ଦୁହିତ୍ରର୍ଥମୁପାଗମ୍ୟ
ପ୍ରଣିପତ୍ୟ ପୟୋବ୍ରତା ॥ ୧୪॥
ଯଜ୍ଞର ପ୍ରାରମ୍ଭରେ
କେବଳ ଦୁଗ୍ଧ ପାନ କରି ରହିବାକୁ ଥିବା ବୈବସ୍ବତ ମନୁଙ୍କର ଧର୍ମପତ୍ନୀ ଶ୍ରଦ୍ଧା ନିଜ ହୋତାଙ୍କ
ପାଖକୁ ଯାଇ ପ୍ରଣାମପୂର୍ବକ ତାଙ୍କଠାରୁ କନ୍ୟା-ସନ୍ତାନ ଯାଚନା କରିଥିଲେ |
ପ୍ରେଷିତୋଽଧ୍ୱର୍ୟୁଣା
ହୋତା ଧ୍ୟାୟଂସ୍ତତ୍ସୁସମାହିତଃ ।
ହବିଷି ବ୍ୟଚରତ୍ତେନ
ବଷଟ୍କାରଂ ଗୃଣନ୍ ଦ୍ୱିଜଃ ॥ ୧୫॥
ଅଧ୍ବର୍ୟୁଙ୍କ
ପ୍ରେରଣାରେ ହୋତା ଭାବରେ ନିଯୁକ୍ତ ବ୍ରାହ୍ମଣ, ଶ୍ରଦ୍ଧାଙ୍କ କଥନ ସ୍ମରଣ କରି, ଏକାଗ୍ର ଚିତ୍ତରେ
ବଷଟ୍-କାର ଉଚ୍ଚାରଣ କରି ଯଜ୍ଞକୁଣ୍ଡରେ ଆହୁତି ଦେଲେ |
ହୋତୁସ୍ତଦ୍ୱ୍ୟଭିଚାରେଣ
କନ୍ୟେଲା ନାମ ସାଭବତ୍ ।
ତାଂ ବିଲୋକ୍ୟ ମନୁଃ
ପ୍ରାହ ନାତିହୃଷ୍ଟମନା ଗୁରୁମ୍ ॥ ୧୬॥
ହୋତା ଏହିପରି
ବିପରୀତ କର୍ମ କରିବାରୁ, ଯଜ୍ଞର ଫଳସ୍ବରୂପ ପୁତ୍ର
ପରିବର୍ତ୍ତେ ଇଲା ନାମ୍ନୀ କନ୍ୟା ଉତ୍ପନ୍ନ ହେଲା | ତାହା ଦେଖି ଶ୍ରାଦ୍ଧଦେବ ମନୁଙ୍କର ମନ
ବିଶେଷ ପ୍ରସନ୍ନ ହେଲା ନାହିଁ | ସେ ନିଜ ଗୁରୁ ବସିଷ୍ଠଙ୍କୁ କହିଲେ -
ଭଗବନ୍ କିମିଦଂ
ଜାତଂ କର୍ମ ବୋ ବ୍ରହ୍ମବାଦିନାମ୍ ।
ବିପର୍ୟଯମହୋ କଷ୍ଟଂ
ମୈବଂ ସ୍ୟାଦ୍ବ୍ରହ୍ମବିକ୍ରିୟା ॥ ୧୭॥
‘ଭଗବନ୍ ! ଆପଣମାନେ
ତ ବ୍ରହ୍ମବାଦୀ ଅଟନ୍ତି; ଆପଣଙ୍କର କର୍ମ ଏପରି
ବିପରୀତ ଫଳଦାୟକ କିପରି ହେଲା ? ଏହା ଅତି ଦୁଃଖର କଥା | ବୈଦିକ କର୍ମର ଫଳ ଏପରି ବିପରୀତ ହେବା
କଦାପି ଉଚିତ୍ ନୁହେଁ |
ଯୂୟଂ ମନ୍ତ୍ରବିଦୋ
ଯୁକ୍ତାସ୍ତପସା ଦଗ୍ଧକିଲ୍ବିଷାଃ ।
କୁତଃ
ସଙ୍କଲ୍ପବୈଷମ୍ୟମନୃତଂ ବିବୁଧେଷ୍ୱିବ ॥ ୧୮॥
ଆପଣମାନଙ୍କର
ମନ୍ତ୍ରଜ୍ଞାନ ପରିପୂର୍ଣ୍ଣ ଅଟେ; ଏତଦ୍ ବ୍ୟତିତ
ଆପଣମାନେ ଜିତେନ୍ଦ୍ରିୟ ମଧ୍ୟ ଅଟନ୍ତି ତଥା ତପସ୍ୟାର ପ୍ରଭାବରେ ଆପଣମାନେ ନିଷ୍ପାପ ମଧ୍ୟ ହୋଇ
ଯାଇଛନ୍ତି | ତେଣୁ ଦେବତାମାନଙ୍କଠାରେ ଅସତ୍ୟର ପ୍ରାପ୍ତି ପରି ଆପଣମାନଙ୍କର ସଂକଳ୍ପର ଫଳ ଓଲଟା
କିପରି ହୋଇଗଲା ?’
ତନ୍ନିଶମ୍ୟ
ବଚସ୍ତସ୍ୟ ଭଗବାନ୍ ପ୍ରପିତାମହଃ ।
ହୋତୁର୍ୱ୍ୟତିକ୍ରମଂ
ଜ୍ଞାତ୍ୱା ବଭାଷେ ରବିନନ୍ଦନମ୍ ॥ ୧୯॥
ପରୀକ୍ଷିତ ! ଶ୍ରାଦ୍ଧଦେବ
ମନୁଙ୍କର ଏହି ଅଭିଯୋଗ ଶୁଣି ମୋର ବୃଦ୍ଧପ୍ରପିତାମହ ବସିଷ୍ଠ ଜାଣିନେଲେ ଯେ ଯଜ୍ଞରେ ଆହୁତି
ଦେବାକୁ ଯାଇ ହୋତା ବିପରୀତ ସଂକଳ୍ପ କରିଛନ୍ତି | ସେ ବୈବସ୍ବତ ମନୁଙ୍କୁ କହିଲେ -
ଏତତ୍ସଙ୍କଲ୍ପବୈଷମ୍ୟଂ
ହୋତୁସ୍ତେ ବ୍ୟଭିଚାରତଃ ।
ତଥାପି ସାଧୟିଷ୍ୟେ
ତେ ସୁପ୍ରଜାସ୍ତ୍ୱଂ ସ୍ୱତେଜସା ॥ ୨୦॥
ରାଜନ୍ ! ତୁମ
ହୋତାଙ୍କର ବିପରୀତ ସଂକଳ୍ପ ଯୋଗୁଁ ଆମ୍ଭମାନଙ୍କ ସଂକଳ୍ପର ସମୁଚିତ ଫଳ ମିଳିଲା ନାହିଁ | ତଥାପି
ମୁଁ ନିଜ ତପ ପ୍ରଭାବରେ ତୁମକୁ ଶ୍ରେଷ୍ଠ ପୁତ୍ର ପ୍ରଦାନ କରିବି |
ଏବଂ ବ୍ୟବସିତୋ
ରାଜନ୍ ଭଗବାନ୍ ସ ମହାୟଶାଃ ।
ଅସ୍ତୌଷୀଦାଦିପୁରୁଷମିଲାୟାଃ
ପୁଂସ୍ତ୍ୱକାମ୍ୟଯା ॥ ୨୧॥
ପରୀକ୍ଷିତ ! ପରମ
ଯଶସ୍ବୀ ଭଗବାନ ବସିଷ୍ଠ ଇଲା ନାମ୍ନୀ ସେହି କନ୍ୟାକୁ ପୁରୁଷରେ ରୂପାନ୍ତରିତ କରିବାର ନିଶ୍ଚୟ
କରି ପୁରୁଷୋତ୍ତମ ଭଗବାନ ନାରାୟଣଙ୍କର ସ୍ତୁତି କଲେ |
ତସ୍ମୈ କାମବରଂ
ତୁଷ୍ଟୋ ଭଗବାନ୍ ହରିରୀଶ୍ୱରଃ ।
ଦଦାବିଲାଭବତ୍ତେନ
ସୁଦ୍ୟୁମ୍ନଃ ପୁରୁଷର୍ଷଭଃ ॥ ୨୨॥
ସର୍ବଶକ୍ତିମାନ
ଭଗବାନ ଶ୍ରୀହରି ସନ୍ତୁଷ୍ଟ ହୋଇ ତାଙ୍କୁ ତାଙ୍କର ଇପ୍ସିତ ବର ପ୍ରଦାନ କଲେ, ଯାହାର ପ୍ରଭାବରେ ସେହି କନ୍ୟା ହିଁ ସୁଦ୍ୟୁମ୍ଣ ନାମକ
ଶ୍ରେଷ୍ଠ ପୁତ୍ର ହୋଇଗଲା |
ସ ଏକଦା ମହାରାଜ
ବିଚରନ୍ ମୃଗୟାଂ ବନେ ।
ବୃତଃ
କତିପୟାମାତ୍ୟୈରଶ୍ୱମାରୁହ୍ୟ ସୈନ୍ଧବମ୍ ॥ ୨୩॥
ମହାରାଜ ! ଦିନେ
ରାଜା ସୁଦ୍ୟୁମ୍ଣ ଶିକାର କରିବା ଉଦ୍ଦେଶ୍ୟରେ ଘୋଡାରେ ଚଢି ମନ୍ତ୍ରୀମାନଙ୍କ ସହିତ ସିନ୍ଧୁଦେଶର
ଏକ ବନରେ ପ୍ରବେଶ କଲେ |
ପ୍ରଗୃହ୍ୟ ରୁଚିରଂ
ଚାପଂ ଶରାଂଶ୍ଚ ପରମାଦ୍ଭୁତାନ୍ ।
ଦଂଶିତୋଽନୁମୃଗଂ
ବୀରୋ ଜଗାମ ଦିଶମୁତ୍ତରାମ୍ ॥ ୨୪॥
ବୀର ସୁଦ୍ୟୁମ୍ଣ
କବଚ ଧାରଣ କରି, ହାତରେ ସୁନ୍ଦର ଧନୁ ଏବଂ
ଅତ୍ୟନ୍ତ ଅଦ୍ଭୁତ ବାଣ ଧରି ହରିଣୀମାନଙ୍କର ପଶ୍ଚାତ୍-ଧାବନ କରୁ କରୁ ଉତ୍ତର ଦିଶାରେ ବହୁତ
ଦୂରକୁ ଚାଲିଗଲେ |
ସ କୁମାରୋ ବନଂ
ମେରୋରଧସ୍ତାତ୍ପ୍ରବିବେଶ ହ ।
ଯତ୍ରାସ୍ତେ ଭଗବାନ୍
ଶର୍ୱୋ ରମମାଣଃ ସହୋମୟା ॥ ୨୫॥
ଶେଷରେ ସୁଦ୍ୟୁମ୍ଣ
ମେରୁପର୍ବତର ପାଦ ଦେଶରେ ଥିବା ଏକ ବନରେ ପ୍ରବେଶ କଲେ ଯେଉଁଠାରେ ଭଗବାନ ଶଂକର ଦେବୀ
ପାର୍ବତୀଙ୍କ ସହିତ ବିହାର କରନ୍ତି |
ତସ୍ମିନ୍ ପ୍ରବିଷ୍ଟ
ଏବାସୌ ସୁଦ୍ୟୁମ୍ନଃ ପରବୀରହା ।
ଅପଶ୍ୟତ୍ସ୍ତ୍ରିୟମାତ୍ମାନମଶ୍ୱଂ
ଚ ବଡବାଂ ନୃପ ॥ ୨୬॥
ସେହି ବନରେ ପ୍ରବେଶ
କରି ସୁଦ୍ୟୁମ୍ଣ ଦେଖିଲେ ଯେ ସେ ସ୍ତ୍ରୀ ହୋଇ ଯାଇଛନ୍ତି ଏବଂ ତାଙ୍କର ଘୋଡା ଘୋଡୀରେ
ରୂପାନ୍ତରିତ ହୋଇଯାଇଛି |
ତଥା ତଦନୁଗାଃ
ସର୍ୱେ ଆତ୍ମଲିଙ୍ଗବିପର୍ୟଯମ୍ ।
ଦୃଷ୍ଟ୍ୱା
ବିମନସୋଽଭୂବନ୍ ବୀକ୍ଷମାଣାଃ ପରସ୍ପରମ୍ ॥ ୨୭॥
ତା’ ସହିତ ନିଜର ସବୁ ଅନୁଚରଙ୍କୁ ମଧ୍ୟ ସେ ସ୍ତ୍ରୀରୂପରେ
ଦେଖିବାକୁ ପାଇଲେ | ହତବାକ୍ ହୋଇ ସେମାନେ ପରସ୍ପରକୁ ଦେଖିବାରେ ଲାଗିଲେ; ସେମାନଙ୍କର ଚିତ୍ତ ଅତିଶୟ ଉଦାସ ହୋଇଗଲା |
ରାଜୋବାଚ
କଥମେବଙ୍ଗୁଣୋ ଦେଶଃ
କେନ ବା ଭଗବନ୍ କୃତଃ ।
ପ୍ରଶ୍ନମେନଂ
ସମାଚକ୍ଷ୍ୱ ପରଂ କୌତୂହଲଂ ହି ନଃ ॥ ୨୮॥
ରାଜା ପରୀକ୍ଷିତ
ପଚାରିଲେ – ଭଗବନ୍ ! ସେହି ଭୂଖଣ୍ଡରେ ଏପରି ବିଚିତ୍ର ଗୁଣ କିପରି ଆସିଲା ? କିଏ ସେହି ଭୂମିକୁ
ଏପରି କରି ଦେଇଥିଲା ? ଏହାର ଉତ୍ତର ଜାଣିବାକୁ ମୋ ମନରେ ପ୍ରବଳ କୌତୁହଳ ଜାତ ହୋଇଛି, କୃପା କରି ଆପଣ ତାହାର ନିବାରଣ କରନ୍ତୁ |
ଶ୍ରୀଶୁକ ଉବାଚ
ଏକଦା ଗିରିଶଂ
ଦ୍ରଷ୍ଟୁମୃଷୟସ୍ତତ୍ର ସୁବ୍ରତାଃ ।
ଦିଶୋ
ବିତିମିରାଭାସାଃ କୁର୍ୱନ୍ତଃ ସମୁପାଗମନ୍ ॥ ୨୯॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଥରେ ଭଗବାନ ଶଂକରଙ୍କର ଦର୍ଶନ ଉଦ୍ଦେଶ୍ୟରେ ବଡ-ବଡ ତେଜସ୍ବୀ ଋଷିମାନେ
ନିଜ ତେଜରେ ଅନ୍ଧକାରକୁ ଦୂରୀଭୂତ କରାଇ ସେହି ବନକୁ ଯାଇଥିଲେ |
ତାନ୍
ବିଲୋକ୍ୟାମ୍ବିକା ଦେବୀ ବିବାସା ବ୍ରୀଡିତା ଭୃଶମ୍ ।
ଭର୍ତୁରଙ୍କାତ୍ସମୁତ୍ଥାୟ
ନୀବୀମାଶ୍ୱଥ ପର୍ୟଧାତ୍ ॥ ୩୦॥
ସେହି ସମୟରେ ଦେବୀ
ଅମ୍ବିକା ବସ୍ତ୍ରହୀନ ଅବସ୍ଥାରେ ଥିଲେ | ଋଷିମାନେ ସେଠାରେ ସହସା ଆଗମନ କରିଥିବା ଦେଖି ସେ
ଅତ୍ୟନ୍ତ ଲଜ୍ଜିତ ହେଲେ ଏବଂ ଅତିଶୀଘ୍ର ଭଗବାନ ଶଂକରଙ୍କର କୋଳରୁ ଉଠି ବସ୍ତ୍ର ଧାରଣ କରିନେଲେ |
ଋଷୟୋଽପି
ତୟୋର୍ୱୀକ୍ଷ୍ୟ ପ୍ରସଙ୍ଗଂ ରମମାଣୟୋଃ ।
ନିବୃତ୍ତାଃ
ପ୍ରୟଯୁସ୍ତସ୍ମାନ୍ନରନାରାୟଣାଶ୍ରମମ୍ ॥ ୩୧॥
ଋଷିମାନେ ଯେତେବେଳେ
ଦେଖିଲେ ଯେ ଏହି ସମୟରେ ଭଗବାନ ଗୌରୀ-ଶଂକର ବିହାର କରୁଛନ୍ତି, ସେମାନେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ଭଗବାନ
ନର-ନାରାୟଣଙ୍କର ଆଶ୍ରମକୁ ଚାଲିଗଲେ |
ତଦିଦଂ ଭଗବାନାହ
ପ୍ରିୟାୟାଃ ପ୍ରିୟକାମ୍ୟଯା ।
ସ୍ଥାନଂ ଯଃ
ପ୍ରବିଶେଦେତତ୍ସ ବୈ ଯୋଷିଦ୍ଭବେଦିତି ॥ ୩୨॥
ସେହି ସମୟରେ ନିଜ
ପ୍ରିୟା ଭଗବତୀ ଅମ୍ବିକାଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ଭଗବାନ ଶଂକର କହିଥିଲେ, “ମୋ ବ୍ୟତିତ ଯେଉଁ ପୁରୁଷ ଏହି ସ୍ଥାନରେ ପ୍ରବେଶ
କରିବେ, ସେ ସ୍ତ୍ରୀରୂପ ହୋଇଯିବେ |”
ତତ ଊର୍ଧ୍ୱଂ ବନଂ
ତଦ୍ୱୈ ପୁରୁଷା ବର୍ଜୟନ୍ତି ହି ।
ସା
ଚାନୁଚରସଂୟୁକ୍ତା ବିଚଚାର ବନାଦ୍ୱନମ୍ ॥ ୩୩॥
ପରୀକ୍ଷିତ ! ସେହି
ଦିନଠାରୁ ପୁରୁଷମାନେ ସେଠାରେ ପ୍ରବେଶ କରନ୍ତି ନାହିଁ | ଏବେ ସେଠାରେ ପ୍ରବେଶ କରି ସୁଦ୍ୟୁମ୍ଣ
ଯେତେବେଳେ ସ୍ତ୍ରୀ ହୋଇଗଲେ, ସେ ନିଜର
ସ୍ତ୍ରୀରୂପ ହୋଇ ଯାଇଥିବା ଅନୁଚରମାନଙ୍କ ସହିତ ବନରେ-ବନରେ ବିଚରଣ କରିବାରେ ଲାଗିଲେ |
ଅଥ
ତାମାଶ୍ରମାଭ୍ୟାଶେ ଚରନ୍ତୀଂ ପ୍ରମଦୋତ୍ତମାମ୍ ।
ସ୍ତ୍ରୀଭିଃ
ପରିବୃତାଂ ବୀକ୍ଷ୍ୟ ଚକମେ ଭଗବାନ୍ ବୁଧଃ ॥ ୩୪॥
ଏହି ସମୟରେ
ଶକ୍ତିଶାଳୀ ବୁଧ ଦେଖିବାକୁ ପାଇଲେ ଯେ ତାଙ୍କ ଆଶ୍ରମ ନିକଟରେ ବହୁତ ଜଣ ସ୍ତ୍ରୀଙ୍କ ଦ୍ବାରା
ପରିବେଷ୍ଟିତ ହୋଇ ଏକ ସୁନ୍ଦରୀ ସ୍ତ୍ରୀ ବିଚରଣ କରୁଛି | ସେ ତାହାକୁ ପ୍ରାପ୍ତ କରିବାକୁ ଇଚ୍ଛା
କଲେ |
ସାପି ତଂ ଚକମେ
ସୁଭ୍ରୂଃ ସୋମରାଜସୁତଂ ପତିମ୍ ।
ସ ତସ୍ୟାଂ ଜନୟାମାସ
ପୁରୂରବସମାତ୍ମଜମ୍ ॥ ୩୫॥
ସେହି ସୁନ୍ଦରୀ
ସ୍ତ୍ରୀ ମଧ୍ୟ ଚନ୍ଦ୍ରକୁମାର ବୁଧଙ୍କୁ ନିଜ ପତି ରୂପରେ ପ୍ରାପ୍ତ କରିବାକୁ ଇଚ୍ଛା ପୋଷଣ କଲେ |
ସେହି ଇଚ୍ଛା ପୂରଣ କରିବାକୁ ଯାଇ ବୁଧ ତାଙ୍କ ଗର୍ଭରୁ ପୁରୂରବା ନାମକ ପୁତ୍ର ଉତ୍ପନ୍ନ କଲେ |
ଏବଂ
ସ୍ତ୍ରୀତ୍ୱମନୁପ୍ରାପ୍ତଃ ସୁଦ୍ୟୁମ୍ନୋ ମାନବୋ ନୃପଃ ।
ସସ୍ମାର
ସ୍ୱକୁଲାଚାର୍ୟଂ ବସିଷ୍ଠମିତି ଶୁଶ୍ରୁମ ॥ ୩୬॥
ଏହିପରି ଭାବରେ
ମନୁପୁତ୍ର ସୁଦ୍ୟୁମ୍ଣ ସ୍ତ୍ରୀରେ ପରିଣତ ହୋଇଗଲେ | ଏପରି ଶୁଣିବାକୁ ମିଳିଥାଏ ଯେ ସେହି
ଅବସ୍ଥାରେ ସେ ନିଜ କୁଳପୁରୋହିତ ବସିଷ୍ଠଙ୍କର ସ୍ମରଣ କରିଥିଲେ |
ସ ତସ୍ୟ ତାଂ ଦଶାଂ
ଦୃଷ୍ଟ୍ୱା କୃପୟା ଭୃଶପୀଡିତଃ ।
ସୁଦ୍ୟୁମ୍ନସ୍ୟାଶୟନ୍
ପୁଂସ୍ତ୍ୱମୁପାଧାବତ ଶଙ୍କରମ୍ ॥ ୩୭॥
ସୁଦ୍ୟୁମ୍ଣଙ୍କର
ଏତାଦୃଶ ଦଶା ଦେଖି ବସିଷ୍ଠଙ୍କ ହୃଦୟରେ କୃପାବଶ ଅତିଶୟ ପୀଡା ଉତ୍ପନ୍ନ ହେଲା | ସେ ପୁନର୍ବାର
ତାଙ୍କୁ ପୁରୁଷ ରୂପରେ ଆଣିବା ପାଇଁ ଭଗବାନ ଶଂକରଙ୍କର ଆରାଧନା କଲେ |
ତୁଷ୍ଟସ୍ତସ୍ମୈ ସ
ଭଗବାନ୍ ଋଷୟେ ପ୍ରିୟମାବହନ୍ ।
ସ୍ୱାଂ ଚ ବାଚମୃତାଂ
କୁର୍ୱନ୍ନିଦମାହ ବିଶାମ୍ପତେ ॥ ୩୮॥
ଭଗବାନ ଶଂକର
ପ୍ରସନ୍ନ ହେଲେ | ପରୀକ୍ଷିତ ! ବସିଷ୍ଠଙ୍କର ଅଭିଳାଷ ପୂର୍ଣ୍ଣ କରିବାକୁ ଯାଇ ସେ ନିଜ ବାଣୀର
ସତ୍ୟତା ରକ୍ଷା କରି ଏପରି କହିଲେ -
ମାସଂ ପୁମାନ୍ ସ
ଭବିତା ମାସଂ ସ୍ତ୍ରୀ ତବ ଗୋତ୍ରଜଃ ।
ଇତ୍ଥଂ ବ୍ୟବସ୍ଥୟା
କାମଂ ସୁଦ୍ୟୁମ୍ନୋଽବତୁ ମେଦିନୀମ୍ ॥ ୩୯॥
‘ବସିଷ୍ଠ ! ତୁମର
ଏହି ଯଜମାନ ଏକ ମାସ ପୁରୁଷ ରୂପରେ ଏବଂ ଏକ ମାସ ସ୍ତ୍ରୀ ରୂପରେ ରହିବେ | ଏହି ବ୍ୟବସ୍ଥାରେ
ସୁଦ୍ୟୁମ୍ଣ ନିଜ ଇଚ୍ଛା ମୁତାବକ ପୃଥିବୀର ପାଳନ କରନ୍ତୁ |’
ଆଚାର୍ୟାନୁଗ୍ରହାତ୍କାମଂ
ଲବ୍ଧ୍ୱା ପୁଂସ୍ତ୍ୱଂ ବ୍ୟବସ୍ଥୟା ।
ପାଲୟାମାସ ଜଗତୀଂ
ନାଭ୍ୟନନ୍ଦନ୍ ସ୍ମ ତଂ ପ୍ରଜାଃ ॥ ୪୦॥
ଏହିପରି ଭାବରେ
ବସିଷ୍ଠଙ୍କ ଅନୁଗ୍ରହରୁ ବ୍ୟବସ୍ଥାପୂର୍ବକ ଅଭୀଷ୍ଟ ପୁରୁଷତ୍ବ ଲାଭ କରି ସୁଦ୍ୟୁମ୍ଣ ପୃଥିବୀର
ପାଳନ କରିବାରେ ଲାଗିଲେ | କିନ୍ତୁ ପ୍ରଜାମାନେ ତାଙ୍କର ଯଥେଷ୍ଟ ଅଭିନନ୍ଦନ କରୁ ନ ଥିଲେ |
ତସ୍ୟୋତ୍କଲୋ ଗୟୋ
ରାଜନ୍ ବିମଲଶ୍ଚ ସୁତାସ୍ତ୍ରୟଃ ।
ଦକ୍ଷିଣାପଥରାଜାନୋ
ବଭୂବୁର୍ଧର୍ମବତ୍ସଲାଃ ॥ ୪୧॥
ତାଙ୍କର ତିନୋଟି
ପୁତ୍ର ହେଲେ – ଉତ୍କଳ, ଗୟ ଏବଂ ବିମଳ | ପରୀକ୍ଷିତ
! ସେମାନେ ସମସ୍ତେ ଦକ୍ଷିଣାଞ୍ଚଳର ରାଜା ହେଲେ |
ତତଃ ପରିଣତେ କାଲେ
ପ୍ରତିଷ୍ଠାନପତିଃ ପ୍ରଭୁଃ ।
ପୁରୂରବସ ଉତ୍ସୃଜ୍ୟ
ଗାଂ ପୁତ୍ରାୟ ଗତୋ ବନମ୍ ॥ ୪୨॥
ବହୁଦିନ ପରେ
ବୃଦ୍ଧାବସ୍ଥା ଆଗତ ହେବାରୁ ପ୍ରତିଷ୍ଠାନ ନଗରୀର ଅଧିପତି ରାଜା ସୁଦ୍ୟୁମ୍ଣ ନିଜ ପୁତ୍ର
ପୁରୂରବାଙ୍କ ହାତରେ ରାଜ୍ୟଭାର ଅର୍ପଣ କରି ତପସ୍ୟା କରିବା ନିମନ୍ତେ ବନକୁ ଗମନ କଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ଇଲୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ ॥ ୧॥

Comments
Post a Comment