ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ଦ୍ବିତୀୟ ଅଧ୍ୟାୟ

ପୃଷଘ୍ନ ଆଦି ମନୁଙ୍କ ପଞ୍ଚପୁତ୍ରଙ୍କର ବଂଶ

 

ଶ୍ରୀଶୁକ ଉବାଚ

ଏବଂ ଗତେଽଥ ସୁଦ୍ୟୁମ୍ନେ ମନୁର୍ୱୈବସ୍ୱତଃ ସୁତେ ।

ପୁତ୍ରକାମସ୍ତପସ୍ତେପେ ଯମୁନାୟାଂ ଶତଂ ସମାଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ସୁଦ୍ୟୁମ୍ଣ ତପସ୍ୟା କରିବା ନିମନ୍ତେ ବନକୁ ଚାଲିଯିବା ପରେ ବୈବସ୍ବତ ମନୁ ସନ୍ତାନ ପ୍ରାପ୍ତି କାମନାରେ ଯମୁନାର ତଟଦେଶରେ ଶହେ ବର୍ଷ ତପସ୍ୟା କଲେ |

ତତୋଽୟଜନ୍ମନୁର୍ଦେବମପତ୍ୟାର୍ଥଂ ହରିଂ ପ୍ରଭୁମ୍ ।

ଇକ୍ଷ୍ୱାକୁପୂର୍ୱଜାନ୍ ପୁତ୍ରାନ୍ ଲେଭେ ସ୍ୱସଦୃଶାନ୍ ଦଶ ॥ ୨॥

ତଦନନ୍ତର ସେ ସର୍ବଶକ୍ତିମାନ ଭଗବାନ ଶ୍ରୀହରିଙ୍କର ଆରାଧନା କଲେ ଏବଂ ତାଙ୍କଠାରୁ ତାଙ୍କ ସଦୃଶ ଦଶଟି ପୁତ୍ରସନ୍ତାନ ପ୍ରାପ୍ତ କଲେ | ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ ଈକ୍ଷାକୁ |

ପୃଷଧ୍ରସ୍ତୁ ମନୋଃ ପୁତ୍ରୋ ଗୋପାଲୋ ଗୁରୁଣା କୃତଃ ।

ପାଲୟାମାସ ଗା ଯତ୍ତୋ ରାତ୍ର୍ୟାଂ ବୀରାସନବ୍ରତଃ ॥ ୩॥

ସେହି ମନୁପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କର ନାମ ଥିଲା ପୃଷଘ୍ନ | ଗୁରୁ ବସିଷ୍ଠ ତାଙ୍କୁ ଗୋ-ରକ୍ଷା ଦାୟିତ୍ବରେ ନିଯୁକ୍ତ କରିଥିଲେ | ସେଥିପାଇଁ ରାତ୍ରୀକାଳରେ ସେ ଅତି ସାବଧାନ ସହକାରେ ବୀରାସନରେ ବସି ଗାଈମାନଙ୍କର ରକ୍ଷା କରୁଥିଲେ |

ଏକଦା ପ୍ରାବିଶଦ୍ଗୋଷ୍ଠଂ ଶାର୍ଦୂଲୋ ନିଶି ବର୍ଷତି ।

ଶୟାନା ଗାବ ଉତ୍ଥାୟ ଭୀତାସ୍ତା ବଭ୍ରମୁର୍ୱ୍ରଜେ ॥ ୪॥

ଦିନେ ରାତିରେ ବର୍ଷା ହେଉଥିଲା | ସେହି ସମୟରେ ଗାଈ ଗୋଠ ଭିତରକୁ ଗୋଟିଏ ବାଘ ପଶି ଆସିଲା | ତାର ଭୟରେ ଶୋଇଥିବା ଗାଈମାନେ ଉଠି ଠିଆ ହୋଇଗଲେ ଏବଂ ଗୋଶାଳା ଭିତରେ ଇତସ୍ତତଃ ଧାଇଁବାରେ ଲାଗିଲେ |

ଏକାଂ ଜଗ୍ରାହ ବଲବାନ୍ ସା ଚୁକ୍ରୋଶ ଭୟାତୁରା ।

ତସ୍ୟାସ୍ତତ୍କ୍ରନ୍ଦିତଂ ଶ୍ରୁତ୍ୱା ପୃଷଧ୍ରୋଽଭିସସାର ହ ॥ ୫॥

ବଳବାନ ବାଘଟି ଗୋଟିଏ ଗାଈକୁ ଧରିନେଲା | ସେ ଅତ୍ୟନ୍ତ ଭୟଭୀତ ହୋଇ ରଡିବାରେ ଲାଗିଲା | ଗାଈର କରୁଣ ଚିତ୍କାର ଶୁଣି ପୃଷଘ୍ନ ଗୋଶାଳା ଭିତରକୁ ଧାଇଁ ଆସିଲେ |

ଖଡ୍ଗମାଦାୟ ତରସା ପ୍ରଲୀନୋଡୁଗଣେ ନିଶି ।

ଅଜାନନ୍ନହନଦ୍ବଭ୍ରୋଃ ଶିରଃ ଶାର୍ଦୂଲଶଙ୍କୟା ॥ ୬॥

ଏକରେ ତ ରାତ୍ରୀକାଳ ଥିଲା ଏବଂ ଦୁଇରେ ଘନଘୋର ଅନ୍ଧକାର ଥିଲା; ବାଦଲ ଆଚ୍ଛାଦିତ ଆକାଶରେ ତାରାଗଣ ମଧ୍ୟ ଦୃଶ୍ୟ ହେଉ ନ ଥିଲେ | ଅତଏବ ଭ୍ରମବଶ ଗାଈକୁ ବାଘ ମନେକରି ପୃଷଘ୍ନ ନିଜ ତରବାରୀ ଉଠାଇ ଗାଈର ସିରଛେଦନ କରିଦେଲେ |

ବ୍ୟାଘ୍ରୋଽପି ବୃକ୍ଣଶ୍ରବଣୋ ନିସ୍ତ୍ରିଂଶାଗ୍ରାହତସ୍ତତଃ ।

ନିଶ୍ଚକ୍ରାମ ଭୃଶଂ ଭୀତୋ ରକ୍ତଂ ପଥି ସମୁତ୍ସୃଜନ୍ ॥ ୭॥

ତରବାରୀର ଅଗ୍ରଭାଗ ଦ୍ବାରା ବାଘର କାନ ମଧ୍ୟ କଟିଗଲା, ତେଣୁ ସେ ଅତ୍ୟନ୍ତ ଭୟଭୀତ ହୋଇ ରାସ୍ତା ସାରା ରକ୍ତର ଛାପ ଛାଡି ସେଠାରୁ ଧାଇଁ ପଳାଇଲା |

ମନ୍ୟମାନୋ ହତଂ ବ୍ୟାଘ୍ରଂ ପୃଷଧ୍ରଃ ପରବୀରହା ।

ଅଦ୍ରାକ୍ଷୀତ୍ସ୍ୱହତାଂ ବଭ୍ରୁଂ ବ୍ୟୁଷ୍ଟାୟାଂ ନିଶି ଦୁଃଖିତଃ ॥ ୮॥

ଶତ୍ରୁଦମନ ପୃଷଘ୍ନ ଭାବିଥିଲେ ଯେ ବାଘ ମରିଗଲା | କିନ୍ତୁ ରାତି ପାହିବାରୁ ସେ ଯେତେବେଳେ ଦେଖିଲେ ଯେ ବାଘ ମନେକରି ସେ ଯାହାକୁ ମାରିଛନ୍ତି, ସେ ଗୋଟିଏ ଗାଈ ଅଟେ, ସେତେବେଳେ ତାଙ୍କ ମନରେ ଅତିଶୟ ଦୁଃଖ ଜାତ ହେଲା |

ତଂ ଶଶାପ କୁଲାଚାର୍ୟଃ କୃତାଗସମକାମତଃ ।

ନ କ୍ଷତ୍ରବନ୍ଧୁଃ ଶୂଦ୍ରସ୍ତ୍ୱଂ କର୍ମଣା ଭବିତାମୁନା ॥ ୯॥

ପୃଷଘ୍ନ ଯଦିଓ ଜାଣିଶୁଣି ସେହି ଅପରାଧ କରି ନ ଥିଲେ, ତଥାପି କୁଳପୁରୋହିତ ବସିଷ୍ଠ ତାଙ୍କୁ ଅଭିଶାପ ଦେଲେ, ‘ତୁମର ଏହି କର୍ମ ଯୋଗୁଁ ତୁମେ କ୍ଷତ୍ରିୟ ହୋଇ ରହିବ ନାହିଁ; ଯାଅ, ଶୂଦ୍ର ହୋଇଯାଅ |’

ଏବଂ ଶପ୍ତସ୍ତୁ ଗୁରୁଣା ପ୍ରତ୍ୟଗୃହ୍ଣାତ୍କୃତାଞ୍ଜଲିଃ ।

ଅଧାରୟଦ୍ୱ୍ରତଂ ବୀର ଊର୍ଧ୍ୱରେତା ମୁନିପ୍ରିୟମ୍ ॥ ୧୦॥

ନିଜ ଗୁରୁଦେବଙ୍କର ସେହି ଶାପକୁ ପୃଷଘ୍ନ ଅଞ୍ଜଳି ବାନ୍ଧି ସ୍ବୀକାର କରିନେଲେ ଏବଂ ତାପରେ ସବୁଦିନ ପାଇଁ ମୁନିମାନଙ୍କର ପ୍ରିୟ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ-ବ୍ରତ ଧାରଣ କରିନେଲେ |

ବାସୁଦେବେ ଭଗବତି ସର୍ୱାତ୍ମନି ପରେଽମଲେ ।

ଏକାନ୍ତିତ୍ୱଂ ଗତୋ ଭକ୍ତ୍ୟା ସର୍ୱଭୂତସୁହୃତ୍ସମଃ ॥ ୧୧॥

ସେ ସମସ୍ତ ପ୍ରାଣୀଙ୍କର ଅହୈତୁକ ହିତୈଷୀ ଏବଂ ସମସ୍ତଙ୍କ ପ୍ରତି ସମଭାବଯୁକ୍ତ ହୋଇ ଭକ୍ତି ଦ୍ବାରା ପରମ ବିଶୁଦ୍ଧ ସର୍ବାତ୍ମା ଭଗବାନ ବାସୁଦେବଙ୍କର ଅନନ୍ୟ ପ୍ରେମୀ ହୋଇଗଲେ |

ବିମୁକ୍ତସଙ୍ଗଃ ଶାନ୍ତାତ୍ମା ସଂୟତାକ୍ଷୋଽପରିଗ୍ରହଃ ।

ଯଦୃଚ୍ଛୟୋପପନ୍ନେନ କଲ୍ପୟନ୍ ବୃତ୍ତିମାତ୍ମନଃ ॥ ୧୨॥

ତାଙ୍କର ସମସ୍ତ ଆସକ୍ତି ସମାପ୍ତ ହୋଇଗଲା, ବୃତ୍ତିମାନେ ଶାନ୍ତ ହୋଇଗଲେ ଏବଂ ଇନ୍ଦ୍ରିୟମାନେ ବଶୀଭୂତ ରହିଲେ | କୌଣସି ପ୍ରକାରର ସଂଗ୍ରହ-ପରିଗ୍ରହରେ ସେ ନିୟତ ହେଲେ ନାହିଁ; ଦୈବବଶ ଯାହା କିଛି ପ୍ରାପ୍ତ ହେଉଥିଲା, ସେଥିରେ ସେ ନିଜର ଜୀବନ-ନିର୍ବାହ କରି ନେଉଥିଲେ |

ଆତ୍ମନ୍ୟାତ୍ମାନମାଧାୟ ଜ୍ଞାନତୃପ୍ତଃ ସମାହିତଃ ।

ବିଚଚାର ମହୀମେତାଂ ଜଡାନ୍ଧବଧିରାକୃତିଃ ॥ ୧୩॥

ଆତ୍ମଜ୍ଞାନରେ ସନ୍ତୁଷ୍ଟ ରହି ଏବଂ ଚିତ୍ତକୁ ପରମାତ୍ମାଙ୍କଠାରେ ସ୍ଥିତ କରି ସେ ପ୍ରାୟତଃ ସମାଧିସ୍ଥ ରହୁଥିଲେ | କେବେ କେବେ ସେ ଜଡ, ଅନ୍ଧ ଏବଂ ବଧିରଙ୍କ ପରି ପୃଥିବୀରେ ବିଚରଣ କରୁଥିଲେ |

ଏବଂବୃତ୍ତୋ ବନଂ ଗତ୍ୱା ଦୃଷ୍ଟ୍ୱା ଦାବାଗ୍ନିମୁତ୍ଥିତମ୍ ।

ତେନୋପୟୁକ୍ତକରଣୋ ବ୍ରହ୍ମ ପ୍ରାପ ପରଂ ମୁନିଃ ॥ ୧୪॥

ଏହିପରି ଭାବରେ ଜୀବନ ବ୍ୟତୀତ କରି ଦିନେ ସେ ବନକୁ ଯାଇ ସେଠାରେ ପ୍ରଜ୍ବଳିତ ଦାବାନଳ ଦେଖିବାକୁ ପାଇଲେ | ମନନଶୀଳ ପୃଷଘ୍ନ ସେହି ଅଗ୍ନିରେ ନିଜର ଶରୀରେନ୍ଦ୍ରିୟକୁ ଭସ୍ମୀଭୂତ କରି ପରବ୍ରହ୍ମ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଗଲେ |

କବିଃ କନୀୟାନ୍ ବିଷୟେଷୁ ନିଃସ୍ପୃହୋ

ବିସୃଜ୍ୟ ରାଜ୍ୟଂ ସହ ବନ୍ଧୁଭିର୍ୱନମ୍ ।

ନିବେଶ୍ୟ ଚିତ୍ତେ ପୁରୁଷଂ ସ୍ୱରୋଚିଷଂ

ବିବେଶ କୈଶୋରବୟାଃ ପରଂ ଗତଃ ॥ ୧୫॥

ମନୁଙ୍କର ପୁତ୍ରମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଥିଲେ କବି | ବିଷୟ ପ୍ରତି ସେ ଅତ୍ୟନ୍ତ ନିଃସ୍ପୃହ ଥିଲେ | ସେ ରାଜ୍ୟ ଛାଡି ନିଜ ବନ୍ଧୁମାନଙ୍କ ସହିତ ବଣକୁ ଚାଲିଗଲେ ଏବଂ ନିଜ ହୃଦୟରେ ସ୍ବୟଂପ୍ରକାଶ ପରମାତ୍ମାଙ୍କୁ ଉପଲବଧି କରି କିଶୋର ଅବସ୍ଥାରେ ହିଁ ପରମ ପଦକୁ ପ୍ରାପ୍ତ ହୋଇଗଲେ |

କରୂଷାନ୍ମାନବାଦାସନ୍ କାରୂଷାଃ କ୍ଷତ୍ରଜାତୟଃ ।

ଉତ୍ତରାପଥଗୋପ୍ତାରୋ ବ୍ରହ୍ମଣ୍ୟା ଧର୍ମବତ୍ସଲାଃ ॥ ୧୬॥

ମନୁପୁତ୍ର କରୂଷଙ୍କଠାରୁ କାରୂଷ ନାମକ କ୍ଷତ୍ରିୟ ଉତ୍ପନ୍ନ ହେଲେ | ସେ ବହୁତ ବଡ ବ୍ରାହ୍ମଣଭକ୍ତ, ଧର୍ମପ୍ରେମୀ ଏବଂ ଉତ୍ତରାପଥର ରକ୍ଷକ ଥିଲେ |

ଧୃଷ୍ଟାଦ୍ଧାର୍ଷ୍ଟମଭୂତ୍କ୍ଷତ୍ରଂ ବ୍ରହ୍ମଭୂୟଂ ଗତଂ କ୍ଷିତୌ ।

ନୃଗସ୍ୟ ବଂଶଃ ସୁମତିର୍ଭୂତଜ୍ୟୋତିସ୍ତତୋ ବସୁଃ ॥ ୧୭॥

ଧୃଷ୍ଟଙ୍କଠାରୁ ଧାର୍ଷ୍ଟ ନାମକ କ୍ଷତ୍ରିୟ ଉତ୍ପନ୍ନ ହେଲେ | ଶେଷଜୀବନକାଳରେ ସେ ସେହି ଶରୀରରେ ହିଁ ବ୍ରାହ୍ମଣ ହୋଇଗଲେ | ନୃଗଙ୍କର ପୁତ୍ର ଥିଲେ ସୁମତି, ତାଙ୍କର ପୁତ୍ର ଭୂତଜ୍ୟୋତି ଏବଂ ଭୂତଜ୍ୟୋତିଙ୍କର ପୁତ୍ର ଥିଲେ ବସୁ |

ବସୋଃ ପ୍ରତୀକସ୍ତତ୍ପୁତ୍ର ଓଘବାନୋଘବତ୍ପିତା ।

କନ୍ୟା ଚୌଘବତୀ ନାମ ସୁଦର୍ଶନ ଉବାହ ତାମ୍ ॥ ୧୮॥

ବସୁଙ୍କର ପୁତ୍ର ପ୍ରତୀକ ଏବଂ ପ୍ରତୀକଙ୍କର ପୁତ୍ର ଓଘବାନ୍ | ଓଘବାନଙ୍କର ପୁତ୍ରର ନାମ ମଧ୍ୟ ଓଘବାନ ହିଁ ଥିଲା | ତାଙ୍କର ଓଘବତୀ ନାମରେ ଗୋଟିଏ କନ୍ୟା ମଧ୍ୟ ଥିଲା, ଯାହାର ବିବାହ ସୁଦର୍ଶନଙ୍କ ସହିତ ହୋଇଥିଲା |

ଚିତ୍ରସେନୋ ନରିଷ୍ୟନ୍ତାଦ୍ଦକ୍ଷସ୍ତସ୍ୟ ସୁତୋଽଭବତ୍ ।

ତସ୍ୟ ମୀଢ୍ୱାଂସ୍ତତଃ କୂର୍ଚ ଇନ୍ଦ୍ରସେନସ୍ତୁ ତତ୍ସୁତଃ ॥ ୧୯॥

ମନୁପୁତ୍ର ନରିଷ୍ୟନ୍ତଙ୍କଠାରୁ ଚିତ୍ରସେନ, ତାଙ୍କଠାରୁ ଋକ୍ଷ, ଋକ୍ଷଙ୍କଠାରୁ ମୀଢ଼ବାନ୍, ମୀଢ଼ବାନଙ୍କଠାରୁ କୂର୍ଚ ଏବଂ ତାଙ୍କଠାରୁ ଇନ୍ଦ୍ରସେନଙ୍କର ଉତ୍ପତ୍ତି ହେଲା |

ବୀତିହୋତ୍ରସ୍ତ୍ୱିନ୍ଦ୍ରସେନାତ୍ତସ୍ୟ ସତ୍ୟଶ୍ରବା ଅଭୂତ୍ ।

ଉରୁଶ୍ରବାଃ ସୁତସ୍ତସ୍ୟ ଦେବଦତ୍ତସ୍ତତୋଽଭବତ୍ ॥ ୨୦॥

ଇନ୍ଦ୍ରସେନଙ୍କଠାରୁ ବୀତିହୋତ୍ର, ତାଙ୍କଠାରୁ ସତ୍ୟଶ୍ରବା, ସତ୍ୟଶ୍ରବାଙ୍କଠାରୁ ଉରୁଶ୍ରବା ଏବଂ ତାଙ୍କଠାରୁ ଦେବଦତ୍ତଙ୍କର ଉତ୍ପତ୍ତି ହେଲା |

ତତୋଽଗ୍ନିବେଶ୍ୟୋ ଭଗବାନଗ୍ନିଃ ସ୍ୱୟମଭୂତ୍ସୁତଃ ।

କାନୀନ ଇତି ବିଖ୍ୟାତୋ ଜାତୂକର୍ଣ୍ୟୋ ମହାନ୍ ଋଷିଃ ॥ ୨୧॥

ଦେବଦତ୍ତଙ୍କର ପୁତ୍ର ଥିଲେ ଅଗ୍ନିବେଶ୍ୟ, ଯିଏ ସ୍ବୟଂ ଅଗ୍ନିଦେବ ହିଁ ଥିଲେ | ଆଗକୁ ଯାଇ ସେ ହିଁ କାନୀନ ଏବଂ ମହର୍ଷି ଜାତୂକର୍ଣ୍ୟ ନାମରେ ବିଖ୍ୟାତ ହେଲେ |

ତତୋ ବ୍ରହ୍ମକୁଲଂ ଜାତମାଗ୍ନିବେଶ୍ୟାୟନଂ ନୃପ ।

ନରିଷ୍ୟନ୍ତାନ୍ୱୟଃ ପ୍ରୋକ୍ତୋ ଦିଷ୍ଟବଂଶମତଃ ଶୃଣୁ ॥ ୨୨॥

ପରୀକ୍ଷିତ ! ବ୍ରାହ୍ମଣମାନଙ୍କର ‘ଅଗ୍ନିବେଶ୍ୟାୟନ ଗୋତ୍ର ତାଙ୍କଠାରୁ ପ୍ରଚଳିତ | ଏହିପରି ଭାବରେ ମୁଁ ନରିଷ୍ୟନ୍ତଙ୍କ ବଂଶର ବର୍ଣ୍ଣନା କରି ଶୁଣାଇଲି | ଏବେ ଦିଷ୍ଟଙ୍କ ବଂଶ ବିଷୟରେ ଶୁଣ |

ନାଭାଗୋ ଦିଷ୍ଟପୁତ୍ରୋଽନ୍ୟଃ କର୍ମଣା ବୈଶ୍ୟତାଂ ଗତଃ ।

ଭଲନ୍ଦନଃ ସୁତସ୍ତସ୍ୟ ବତ୍ସପ୍ରୀତିର୍ଭଲନ୍ଦନାତ୍ ॥ ୨୩॥

ଦିଷ୍ଟଙ୍କର ପୁତ୍ର ଥିଲେ ନାଭାଗ| ଇଏ ସେହି ନାଭାଗ ନୁହଁନ୍ତି, ଯାହାଙ୍କ ବିଷୟରେ ମୁଁ ଆଗକୁ ବର୍ଣ୍ଣନା କରିବି | ନିଜ କର୍ମରୁ ହିଁ ସେ କ୍ଷତ୍ରିୟ ନ ରହି ବୈଶ୍ୟ ହୋଇଗଲେ | ତାଙ୍କର ପୁତ୍ର ହେଲେ ଭଲନ୍ଦନ ଏବଂ ତାଙ୍କର ବତ୍ସପ୍ରୀତି |

ବତ୍ସପ୍ରୀତେଃ ସୁତଃ ପ୍ରାଂଶୁସ୍ତତ୍ସୁତଂ ପ୍ରମତିଂ ବିଦୁଃ ।

ଖନିତ୍ରଃ ପ୍ରମତେସ୍ତସ୍ମାଚ୍ଚାକ୍ଷୁଷୋଽଥ ବିବିଂଶତିଃ ॥ ୨୪॥

ବତ୍ସପ୍ରୀତିଙ୍କର ପ୍ରାଂଶୁ ଏବଂ ପ୍ରାଂଶୁଙ୍କର ପୁତ୍ର ଥିଲେ ପ୍ରମତି | ପ୍ରମତିଙ୍କର ଖନିତ୍ର, ଖନିତ୍ରଙ୍କର ଚାକ୍ଷୁଷ ଏବଂ ତାଙ୍କର ପୁତ୍ର ହେଲେ ବିମ୍ବିଶତି |

ବିବିଂଶତିସୁତୋ ରମ୍ଭଃ ଖନିନେତ୍ରୋଽସ୍ୟ ଧାର୍ମିକଃ ।

କରନ୍ଧମୋ ମହାରାଜ ତସ୍ୟାସୀଦାତ୍ମଜୋ ନୃପ ॥ ୨୫॥

ତସ୍ୟାବୀକ୍ଷିତ୍ସୁତୋ ଯସ୍ୟ ମରୁତ୍ତଶ୍ଚକ୍ରବର୍ତ୍ୟଭୂତ୍ ।

ସଂବର୍ତୋଽୟାଜୟଦ୍ୟଂ ବୈ ମହାୟୋଗ୍ୟଙ୍ଗିରଃସୁତଃ ॥ ୨୬॥

ବିମ୍ବିଶତିଙ୍କର ପୁତ୍ର ରମ୍ଭ ଏବଂ ରମ୍ଭଙ୍କର ପୁତ୍ର ଖନିନେତ୍ର – ସେ ଦୁହେଁ ପରମ ଧାର୍ମିକ ଥିଲେ | ତାଙ୍କର ପୁତ୍ର କରନ୍ଧମ ଏବଂ କରନ୍ଧମଙ୍କର ପୁତ୍ର ଥିଲେ ଅବିକ୍ଷିତ | ମହାରାଜ ପରୀକ୍ଷିତ ! ଅବିକ୍ଷିତଙ୍କର ପୁତ୍ର ମରୁତ୍ତ ଚକ୍ରବର୍ତ୍ତୀ ସମ୍ରାଟ ଥିଲେ | ଅଙ୍ଗିରା-ପୁତ୍ର ମହାଯୋଗୀ ସଂବର୍ତ୍ତ ଋଷି ତାଙ୍କ ଦ୍ବାରା ଯଜ୍ଞ କରାଇ ଥିଲେ |

ମରୁତ୍ତସ୍ୟ ଯଥା ଯଜ୍ଞୋ ନ ତଥାନ୍ନ୍ୟସ୍ୟ କଶ୍ଚନ ।

ସର୍ୱଂ ହିରଣ୍ମୟଂ ତ୍ୱାସୀଦ୍ୟତ୍କିଞ୍ଚିଚ୍ଚାସ୍ୟ ଶୋଭନମ୍ ॥ ୨୭॥

ମରୁତ୍ତଙ୍କର ଯଜ୍ଞ ପରି କେହି କେବେ ଯଜ୍ଞ କରି ନ ଥିଲେ | ସେହି ଯଜ୍ଞରେ ବ୍ୟବହୃତ ସମସ୍ତ ଛୋଟ-ବଡ ପାତ୍ର ଅତି ସୁନ୍ଦର ଏବଂ ସୁବର୍ଣ୍ଣ-ନିର୍ମିତ ଥିଲା |

ଅମାଦ୍ୟଦିନ୍ଦ୍ରଃ ସୋମେନ ଦକ୍ଷିଣାଭିର୍ଦ୍ୱିଜାତୟଃ ।

ମରୁତଃ ପରିବେଷ୍ଟାରୋ ବିଶ୍ୱେଦେବାଃ ସଭାସଦଃ ॥ ୨୮॥

ସେହି ଯଜ୍ଞରେ ଇନ୍ଦ୍ର ସୋମପାନ କରି ମତୁଆଲା ହୋଇ ଯାଇଥିଲେ | ଦକ୍ଷିଣା ପାଇ ବ୍ରାହ୍ମଣମାନେ ତୃପ୍ତ ହୋଇଥିଲେ | ସେଥିରେ ପରସିବା କାମ ମରୁଦଗଣ କରୁଥିଲେ ଏବଂ ବିଶ୍ବେଦେବ ସେଥିରେ ସଭାସଦ୍ ଥିଲେ |

ମରୁତ୍ତସ୍ୟ ଦମଃ ପୁତ୍ରସ୍ତସ୍ୟାସୀଦ୍ରାଜ୍ୟବର୍ଧନଃ ।

ସୁଧୃତିସ୍ତତ୍ସୁତୋ ଜଜ୍ଞେ ସୌଧୃତେୟୋ ନରଃ ସୁତଃ ॥ ୨୯॥

ମରୁତ୍ତଙ୍କର ପୁତ୍ରର ନାମ ଥିଲା ଦମ | ଦମଙ୍କଠାରୁ ରାଜ୍ୟବର୍ଦ୍ଧନ, ତାଙ୍କଠାରୁ ସୁଧୃତି ଏବଂ ସୁଧୃତିଙ୍କଠାରୁ ନର ନାମକ ପୁତ୍ରର ଉତ୍ପତ୍ତି ହେଲା |

ତତ୍ସୁତଃ କେବଲସ୍ତସ୍ମାଦ୍ବନ୍ଧୁମାନ୍ ବେଗବାଂସ୍ତତଃ ।

ବନ୍ଧୁସ୍ତସ୍ୟାଭବଦ୍ୟସ୍ୟ ତୃଣବିନ୍ଦୁର୍ମହୀପତିଃ ॥ ୩୦॥

ନରଙ୍କଠାରୁ କେବଳ, କେବଳଙ୍କଠାରୁ ବନ୍ଧୁମାନ, ବନ୍ଧୁମାନଙ୍କଠାରୁ ବେଗବାନ, ବେଗବାନଙ୍କଠାରୁ ବନ୍ଧୁ ଏବଂ ବନ୍ଧୁଙ୍କଠାରୁ ରାଜା ତୃଣବିନ୍ଦୁଙ୍କର ଜନ୍ମ ହେଲା |

ତଂ ଭେଜେଽଲମ୍ବୁଷା ଦେବୀ ଭଜନୀୟଗୁଣାଲୟମ୍ ।

ବରାପ୍ସରା ଯତଃ ପୁତ୍ରାଃ କନ୍ୟା ଚେଡବିଡାଭବତ୍ ॥ ୩୧॥

ତୃଣବିନ୍ଦୁ ଆଦର୍ଶ ଗୁଣମାନଙ୍କର ଭଣ୍ଡାର ଥିଲେ | ଅପସରାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଳମ୍ବୁଷା ଦେବୀ ତାଙ୍କୁ ବରଣ କରିଥିଲେ, ଯାହାଠାରୁ ତାଙ୍କର ଅନେକ ପୁତ୍ର ଏବଂ ଇଡବିଡା ନାମ୍ନୀ କନ୍ୟା ଉତ୍ପନ୍ନ ହୋଇଥିଲା |

ତସ୍ୟାମୁତ୍ପାଦୟାମାସ ବିଶ୍ରବା ଧନଦଂ ସୁତମ୍ ।

ପ୍ରାଦାୟ ବିଦ୍ୟାଂ ପରମାମୃଷିର୍ୟୋଗେଶ୍ୱରାତ୍ପିତୁଃ ॥ ୩୨॥

ମୁନିବର ବିଶ୍ରବା ନିଜ ଯୋଗେଶ୍ବର ପିତା ପୁଲସ୍ତ୍ୟଙ୍କଠାରୁ ଉତ୍ତମ ବିଦ୍ୟା ପ୍ରାପ୍ତ କରି ଇଡବିଡାଙ୍କ ଗର୍ଭରୁ ଲୋକପାଳ କୁବେରଙ୍କୁ ପୁତ୍ରରୂପରେ ଉତ୍ପନ୍ନ କଲେ |

ବିଶାଲଃ ଶୂନ୍ୟବନ୍ଧୁଶ୍ଚ ଧୂମ୍ରକେତୁଶ୍ଚ ତତ୍ସୁତାଃ ।

ବିଶାଲୋ ବଂଶକୃଦ୍ରାଜା ବୈଶାଲୀଂ ନିର୍ମମେ ପୁରୀମ୍ ॥ ୩୩॥

ମହାରାଜ ତୃଣବିନ୍ଦୁଙ୍କର ନିଜ ଧର୍ମପତ୍ନୀଙ୍କଠାରୁ ତିନୋଟି ପୁତ୍ର ହେଲେ – ବିଶାଳ, ଶୂନ୍ୟବନ୍ଧୁ ଏବଂ ଧୂମ୍ରକେତୁ | ସେମାନଙ୍କ ମଧ୍ୟରୁ ବଂଶଧର ଭାବରେ ବିଶାଳ ବୈଶାଳୀ ନାମକ ନଗରୀ ସ୍ଥାପନ କରିଥିଲେ |

ହେମଚନ୍ଦ୍ରଃ ସୁତସ୍ତସ୍ୟ ଧୂମ୍ରାକ୍ଷସ୍ତସ୍ୟ ଚାତ୍ମଜଃ ।

ତତ୍ପୁତ୍ରାତ୍ସଂୟମାଦାସୀତ୍କୃଶାଶ୍ୱଃ ସହଦେବଜଃ ॥ ୩୪॥

ବିଶାଳଙ୍କଠାରୁ ହେମଚନ୍ଦ୍ର, ହେମଚନ୍ଦ୍ରଙ୍କଠାରୁ ଧୂମ୍ରାକ୍ଷ, ଧୂମ୍ରାକ୍ଷଙ୍କଠାରୁ ସଂଯମ ଏବଂ ସଂଯମଙ୍କଠାରୁ ଦୁଇଟି ପୁତ୍ର ଉତ୍ପନ୍ନ ହେଲେ – କୃଶାଶ୍ବ ଏବଂ ଦେବଜ |

କୃଶାଶ୍ୱାତ୍ସୋମଦତ୍ତୋଽଭୂଦ୍ୟୋଽଶ୍ୱମେଧୈରିଡସ୍ପତିମ୍ ।

ଇଷ୍ଟ୍ୱା ପୁରୁଷମାପାଗ୍ର୍ୟାଂ ଗତିଂ ଯୋଗେଶ୍ୱରାଶ୍ରିତଃ ॥ ୩୫॥

କୃଶାଶ୍ବଙ୍କ ପୁତ୍ରର ନାମ ଥିଲା ସୋମଦତ୍ତ | ସେ ଅଶ୍ବମେଧ ଯଜ୍ଞ ଦ୍ବାରା ଯଜ୍ଞପତି ଭଗବାନଙ୍କର ଆରାଧନା କଲେ ଏବଂ ଯୋଗେଶ୍ବର ସନ୍ଥମାନଙ୍କର ଆଶ୍ରୟ ଗ୍ରହଣ କରି ଉତ୍ତମ ଗତି ପ୍ରାପ୍ତ କରିନେଲେ |

ସୌମଦତ୍ତିସ୍ତୁ ସୁମତିସ୍ତତ୍ସୁତୋ ଜନମେଜୟଃ ।

ଏତେ ବୈଶାଲଭୂପାଲାସ୍ତୃଣବିନ୍ଦୋର୍ୟଶୋଧରାଃ ॥ ୩୬॥

ସୋମଦତ୍ତଙ୍କର ପୁତ୍ର ଥିଲେ ସୁମତି ଏବଂ ସୁମତିଙ୍କର ଜନମେଜୟ | ଏମାନେ ସମସ୍ତେ ତୃଣବିନ୍ଦୁଙ୍କର କୀର୍ତ୍ତିବୃଦ୍ଧିକାରୀ ବିଶାଳବଂଶୀ ରାଜା ଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ନବମସ୍କନ୍ଧେ ଦ୍ୱିତୀୟୋଽଧ୍ୟାୟଃ ॥ ୨॥ 

Comments

Popular posts from this blog