ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ତୃତୀୟ ଅଧ୍ୟାୟ

ମହର୍ଷି ଚ୍ୟବନ ଏବଂ ସୁକନ୍ୟାଙ୍କ ଚରିତ, ରାଜା ଶର୍ୟାତିଙ୍କର ବଂଶ

 

ଶ୍ରୀଶୁକ ଉବାଚ

ଶର୍ୟାତିର୍ମାନବୋ ରାଜା ବ୍ରହ୍ମିଷ୍ଠଃ ସ ବଭୂବ ହ ।

ଯୋ ବା ଅଙ୍ଗିରସାଂ ସତ୍ରେ ଦ୍ୱିତୀୟମହ ଊଚିବାନ୍ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମନୁପୁତ୍ର ରାଜା ଶର୍ୟାତି ବେଦର ନିଷ୍ଠାବାନ୍ ବିଦ୍ବାନ ଥିଲେ | ଅଙ୍ଗିରା-ଗୋତ୍ରୀୟ ଋଷିମାନଙ୍କ ଯଜ୍ଞର ଦ୍ବିତୀୟ ଦିନର କର୍ମ ସେ ନିର୍ଦ୍ଦେଶ କରିଥିଲେ |

ସୁକନ୍ୟା ନାମ ତସ୍ୟାସୀତ୍କନ୍ୟା କମଲଲୋଚନା ।

ତୟା ସାର୍ଧଂ ବନଗତୋ ହ୍ୟଗମଚ୍ଚ୍ୟବନାଶ୍ରମମ୍ ॥ ୨॥

ତାଙ୍କର କମଳଲୋଚନା ଏକ କନ୍ୟା ଥିଲା, ଯାହାର ନାମ ଥିଲା ସୁକନ୍ୟା | ଦିନେ ରାଜା ଶର୍ୟାତି ନିଜ କନ୍ୟା ସହିତ ବନକୁ ଭ୍ରମଣ କରିବାକୁ ଯାଇ ଚ୍ୟବନ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ |

ସା ସଖୀଭିଃ ପରିବୃତା ବିଚିନ୍ୱନ୍ତ୍ୟଙ୍ଘ୍ରିପାନ୍ ବନେ ।

ବଲ୍ମୀକରନ୍ଧ୍ରେ ଦଦୃଶେ ଖଦ୍ୟୋତେ ଇବ ଜ୍ୟୋତିଷୀ ॥ ୩॥

ସୁକନ୍ୟା ନିଜ ସଖୀମାନଙ୍କ ସହିତ ବଣରେ ବୁଲି ବୁଲି ବୃକ୍ଷମାନଙ୍କର ଶୋଭା ଦର୍ଶନ କରୁଥିଲେ | ଗୋଟିଏ ସ୍ଥାନରେ ସେ ଦେଖିବାକୁ ପାଇଲେ ଯେ ଏକ ଊଈହୁଙ୍କାର ଛିଦ୍ର ମଧ୍ୟ ଡେଇ ଜୁଳୁଜୁଳିଆ ପୋକର ଆଲୋକ ପରି ଦୁଇଟି ଜ୍ୟୋତି ଦେଖା ଯାଉଛି |

ତେ ଦୈବଚୋଦିତା ବାଲା ଜ୍ୟୋତିଷୀ କଣ୍ଟକେନ ବୈ ।

ଅବିଧ୍ୟନ୍ମୁଗ୍ଧଭାବେନ ସୁସ୍ରାବାସୃକ୍ ତତୋ ବହୁ ॥ ୪॥

ଦୈବ ପ୍ରେରଣାରେ ସୁକନ୍ୟା ନିଜ ବାଳସୁଲଭ ଚପଳତାବଶତଃ ଗୋଟିଏ କଣ୍ଟାରେ ସେହି ଜ୍ୟୋତିଦ୍ବୟକୁ ବିଦ୍ଧ କରିଥିଲେ | ସେଥିରୁ ଅପର୍ଯ୍ୟାପ୍ତ ରକ୍ତସ୍ରାବ ହେବାରେ ଲାଗିଲା |

ଶକୃନ୍ମୂତ୍ରନିରୋଧୋଽଭୂତ୍ସୈନିକାନାଂ ଚ ତତ୍କ୍ଷଣାତ୍ ।

ରାଜର୍ଷିସ୍ତମୁପାଲକ୍ଷ୍ୟ ପୁରୁଷାନ୍ ବିସ୍ମିତୋଽବ୍ରବୀତ୍ ॥ ୫॥

ସେହି ସମୟରେ ରାଜା ଶର୍ୟାତିଙ୍କର ସୈନିକମାନେ ମଳ-ମୂତ୍ର ରୋକି ହୋଇଯିବା ପରି ଅନୁଭବ କଲେ | ଏହା ଦେଖି ରାଜା ଶର୍ୟାତି ଆଶ୍ଚର୍ଯ୍ୟ ହୋଇ ନିଜ ସୈନିକମାନଙ୍କୁ ପଚାରିଲେ -

ଅପ୍ୟଭଦ୍ରଂ ନ ଯୁଷ୍ମାଭିର୍ଭାର୍ଗବସ୍ୟ ବିଚେଷ୍ଟିତମ୍ ।

ବ୍ୟକ୍ତଂ କେନାପି ନସ୍ତସ୍ୟ କୃତମାଶ୍ରମଦୂଷଣମ୍ ॥ ୬॥

‘ତୁମ୍ଭେମାନେ ମହର୍ଷି ଚ୍ୟବନଙ୍କ ପ୍ରତି କୌଣସି ଅନୁଚିତ ବ୍ୟବହାର କରିନାହଁ ତ ? ମୋତେ ତ ଏହା ସ୍ପଷ୍ଟ ପ୍ରତୀତ ହେଉଛି ଯେ ଆମ୍ଭମାନଙ୍କ ମଧ୍ୟରୁ କେହି ନା କେହି ତାଙ୍କ ଆଶ୍ରମରେ କିଛି ଅନର୍ଥ କରିଛି |

ସୁକନ୍ୟା ପ୍ରାହ ପିତରଂ ଭୀତା କିଞ୍ଚିତ୍କୃତଂ ମୟା ।

ଦ୍ୱେ ଜ୍ୟୋତିଷୀ ଅଜାନନ୍ତ୍ୟା ନିର୍ଭିନ୍ନେ କଣ୍ଟକେନ ବୈ ॥ ୭॥

ସେତେବେଳେ ସୁକନ୍ୟା ଡରି-ଡରି ନିଜ ପିତାଙ୍କୁ କହିଲେ – ପିତାଜୀ ! ମୋ ଦ୍ବାରା କିଛି ଅପରାଧ ହୋଇଯାଇଛି | ଅଜାଣତରେ ମୁଁ ଦୁଇଟି ଜ୍ୟୋତିକୁ କଣ୍ଟକରେ ବିଦ୍ଧ କରିଛି |

ଦୁହିତୁସ୍ତଦ୍ୱଚଃ ଶ୍ରୁତ୍ୱା ଶର୍ୟାତିର୍ଜାତସାଧ୍ୱସଃ ।

ମୁନିଂ ପ୍ରସାଦୟାମାସ ବଲ୍ମୀକାନ୍ତର୍ହିତଂ ଶନୈଃ ॥ ୮॥

ନିଜ କନ୍ୟା ମୁଖରୁ ଏହି କଥା ଶୁଣି ଶର୍ୟାତି ବିଚଳିତ ହୋଇ ଉଠିଲେ | ସେ ଧୀରେ ଧୀରେ ସ୍ତୁତି କରି ଊଈହୁଙ୍କା ଭିତରେ ଥିବା ଚ୍ୟବନ ମୁନିଙ୍କୁ ପ୍ରସନ୍ନ କଲେ |

ତଦଭିପ୍ରାୟମାଜ୍ଞାୟ ପ୍ରାଦାଦ୍ଦୁହିତରଂ ମୁନେଃ ।

କୃଚ୍ଛ୍ରାନ୍ମୁକ୍ତସ୍ତମାମନ୍ତ୍ର୍ୟ ପୁରଂ ପ୍ରାୟାତ୍ସମାହିତଃ ॥ ୯॥

ତଦନନ୍ତର ଚ୍ୟବନ ମୁନିଙ୍କର ଅଭିପ୍ରାୟ ଜାଣି ସେ ନିଜ କନ୍ୟା ତାଙ୍କୁ ସମର୍ପିତ କଲେ ଏବଂ ସଂକଟରୁ ମୁକ୍ତ ହୋଇ ଅତି ସାବଧାନ ସହକାରେ ମୁନିଙ୍କର ଅନୁମତି ନେଇ ନିଜ ରାଜଧାନୀକୁ ପ୍ରସ୍ଥାନ କଲେ |

ସୁକନ୍ୟା ଚ୍ୟବନଂ ପ୍ରାପ୍ୟ ପତିଂ ପରମକୋପନମ୍ ।

ପ୍ରୀଣୟାମାସ ଚିତ୍ତଜ୍ଞା ଅପ୍ରମତ୍ତାନୁବୃତ୍ତିଭିଃ ॥ ୧୦॥

ଏଣେ ପରମ କ୍ରୋଧୀ ଚ୍ୟବନ ମୁନିଙ୍କୁ ପତି ରୂପରେ ବରଣ କରି ସୁକନ୍ୟା ଅତି ସାବଧାନପୂର୍ବକ ତାଙ୍କର ସେବା କରି ତାଙ୍କୁ ପ୍ରସନ୍ନ କରିବାରେ ତତ୍ପର ରହିଲେ | ତାଙ୍କର ମନୋବୃତ୍ତିକୁ ଜାଣି ତଦନୁସାରେ ସେ ତାଙ୍କ ସହିତ ବ୍ୟବହାର କରୁଥାଆନ୍ତି |

କସ୍ୟଚିତ୍ତ୍ୱଥ କାଲସ୍ୟ ନାସତ୍ୟାବାଶ୍ରମାଗତୌ ।

ତୌ ପୂଜୟିତ୍ୱା ପ୍ରୋବାଚ ବୟୋ ମେ ଦତ୍ତମୀଶ୍ୱରୌ ॥ ୧୧॥

ଗ୍ରହଂ ଗ୍ରହୀଷ୍ୟେ ସୋମସ୍ୟ ଯଜ୍ଞେ ବାମପ୍ୟସୋମପୋଃ ।

କ୍ରିୟତାଂ ମେ ବୟୋରୂପଂ ପ୍ରମଦାନାଂ ଯଦୀପ୍ସିତମ୍ ॥ ୧୨॥

କିଛି ସମୟ ବିତିଯିବା ପରେ ଦିନେ ଅଶ୍ବିନୀକୁମାର ଦ୍ବୟ ତାଙ୍କ ଆଶ୍ରମକୁ ଆଗମନ କଲେ | ଚ୍ୟବନ ମୁନି ତାଙ୍କର ଯଥୋଚିତ ସତ୍କାର କରିବା ପରେ ତାଙ୍କୁ କହିଲେ, ‘ଆପଣମାନେ ସମର୍ଥ ଅଟନ୍ତି; ତେଣୁ ଆପଣ ମୋତେ ଯୁବାବସ୍ଥା ପ୍ରଦାନ କରନ୍ତୁ | ଯୁବତୀମାନେ ଇଚ୍ଛା କରୁଥିବା ରୂପ ଏବଂ ଅବସ୍ଥା ମୋତେ ପ୍ରାପ୍ତ ହେଉ | ମୁଁ ଜାଣିଛି, ଆପଣ ଦୁହେଁ ସୋମପାନର ଅଧିକାରୀ ନୁହଁନ୍ତି; ତଥାପି ଯଜ୍ଞରେ ମୁଁ ଆପଣଙ୍କୁ ସୋମରସର ଭାଗ ଦେବି |

ବାଢମିତ୍ୟୂଚତୁର୍ୱିପ୍ରମଭିନନ୍ଦ୍ୟ ଭିଷକ୍ତମୌ ।

ନିମଜ୍ଜତାଂ ଭବାନସ୍ମିନ୍ ହ୍ରଦେ ସିଦ୍ଧବିନିର୍ମିତେ ॥ ୧୩॥

ମହର୍ଷି ଚ୍ୟବନଙ୍କର ଅଭିନନ୍ଦନ କରି ବୈଦ୍ୟଶିରୋମଣି ଅଶ୍ବିନୀକୁମାର ତାଙ୍କୁ କହିଲେ, ‘ଠିକ୍ ଅଛି | ଏବେ ଆପଣ ସିଦ୍ଧମାନଙ୍କ ଦ୍ବାରା ନିର୍ମିତ ଏହି କୁଣ୍ଡରେ ସ୍ନାନ କରନ୍ତୁ |’

ଇତ୍ୟୁକ୍ତ୍ୱା ଜରୟା ଗ୍ରସ୍ତଦେହୋ ଧମନିସନ୍ତତଃ ।

ହ୍ରଦଂ ପ୍ରବେଶିତୋଽଶ୍ୱିଭ୍ୟାଂ ବଲୀପଲିତବିପ୍ରିୟଃ ॥ ୧୪॥

ଚ୍ୟବନ ମୁନିଙ୍କର ଶରୀରକୁ ବାର୍ଦ୍ଧକ୍ୟ ନିଜର କବଳିତ କରି ରଖିଥିଲା | ତାଙ୍କର ଶିରା-ପ୍ରଶିରା ଉପରକୁ ଉଠି ରହିଥିଲା, ଚର୍ମ ଧୁଡୁଧୁଡୁ ହୋଇ ବାଳ ପାଚି ଯାଇଥିବା କାରଣରୁ ସେ ବହୁତ ଅସନା ଦେଖା ଯାଉଥିଲେ | ଅଶ୍ବିନୀକୁମାରଦ୍ବୟ ତାଙ୍କୁ ନିଜ ସହିତ ନେଇ କୁଣ୍ଡରେ ପ୍ରବେଶ କଲେ |

ପୁରୁଷାସ୍ତ୍ରୟ ଉତ୍ତସ୍ଥୁରପୀଚ୍ୟା ବନିତାପ୍ରିୟାଃ ।

ପଦ୍ମସ୍ରଜଃ କୁଣ୍ଡଲିନସ୍ତୁଲ୍ୟରୂପାଃ ସୁବାସସଃ ॥ ୧୫॥

କୁଣ୍ଡ ମଧ୍ୟରୁ ତିନିଜଣ ପୁରୁଷ ବାହାରକୁ ଆସିଲେ | ସେମାନେ ତିନିହେଁ କମଳ-ମାଳା, କୁଣ୍ଡଳ ଏବଂ ସୁନ୍ଦର ବସ୍ତ୍ର ପରିଧାନ କରି ଏକାପରି ଦେଖା ଯାଉଥିଲେ | ସମସ୍ତେ ଅତି ସୁନ୍ଦର ଏବଂ ସ୍ତ୍ରୀମାନଙ୍କର ପ୍ରିୟଭାଜନ ଥିଲେ |

ତାନ୍ନିରୀକ୍ଷ୍ୟ ବରାରୋହା ସରୂପାନ୍ ସୂର୍ୟବର୍ଚସଃ ।

ଅଜାନତୀ ପତିଂ ସାଧ୍ୱୀ ଅଶ୍ୱିନୌ ଶରଣଂ ଯୟୌ ॥ ୧୬॥

ପରମ ସାଧ୍ବୀ ସୁନ୍ଦରୀ ସୁକନ୍ୟା ଏକ ଆକୃତିବିଶିଷ୍ଟ ତଥା ସୂଯ୍ୟଙ୍କ ସଦୃଶ ତେଜସ୍ବୀ ତିନିଜଣ ପୁରୁଷଙ୍କୁ ଦେଖି ସେମାନଙ୍କ ମଧ୍ୟରୁ ନିଜ ପତିଙ୍କୁ ଚିହ୍ନି ପାରିଲେ ନାହିଁ ଏବଂ ଅଶ୍ବିନୀକୁମାରଙ୍କର ଶରଣାପନ୍ନ ହେଲେ |

ଦର୍ଶୟିତ୍ୱା ପତିଂ ତସ୍ୟୈ ପାତିବ୍ରତ୍ୟେନ ତୋଷିତୌ ।

ଋଷିମାମନ୍ତ୍ର୍ୟ ଯୟତୁର୍ୱିମାନେନ ତ୍ରିବିଷ୍ଟପମ୍ ॥ ୧୭॥

ତାଙ୍କ ପାତିବ୍ରତ୍ୟରେ ସନ୍ତୁଷ୍ଟ ହୋଇ ଅଶ୍ବିନୀକୁମାରଦ୍ବୟ ନିର୍ଦ୍ଦେଶରେ ତାଙ୍କର ପତିଙ୍କୁ ଚିହ୍ନାଇ ଦେଲେ | ତାପରେ ଚ୍ୟବନ ମୁନିଙ୍କଠାରୁ ଅନୁମତି ନେଇ ସେମାନେ ବିମାନରେ ଚଢି ସ୍ବର୍ଗକୁ ଚାଲିଗଲେ |

ଯକ୍ଷ୍ୟମାଣୋଽଥ ଶର୍ୟାତିଶ୍ଚ୍ୟବନସ୍ୟାଶ୍ରମଂ ଗତଃ ।

ଦଦର୍ଶ ଦୁହିତୁଃ ପାର୍ଶ୍ୱେ ପୁରୁଷଂ ସୂର୍ୟବର୍ଚସମ୍ ॥ ୧୮॥

କିଛି ଦିନ ପରେ ଯଜ୍ଞ କରିବାର ଇଚ୍ଛା ନେଇ ରାଜା ଶର୍ୟାତି ଚ୍ୟବନ ମୁନିଙ୍କ ଆଶ୍ରମକୁ ଆସିଲେ | ସେଠାରେ ସେ ଦେଖିଲେ ତାଙ୍କ ସୁକନ୍ୟାଙ୍କ ପାଖରେ ସୂର୍ଯ୍ୟ ପରି ଜଣେ ତେଜସ୍ବୀ ପୁରୁଷ ବସିଛନ୍ତି |

ରାଜା ଦୁହିତରଂ ପ୍ରାହ କୃତପାଦାଭିବନ୍ଦନାମ୍ ।

ଆଶିଷଶ୍ଚାପ୍ରୟୁଞ୍ଜାନୋ ନାତିପ୍ରୀତମନା ଇବ ॥ ୧୯॥

ସୁକନ୍ୟା ପିତାଙ୍କର ଚରଣ ବନ୍ଦନା କଲେ | କିନ୍ତୁ ଶର୍ୟାତି ଆଶୀର୍ବାଦ ଦେବା ପରିବର୍ତ୍ତେ ଅପ୍ରସନ୍ନ ହୋଇ ତାଙ୍କୁ କହିଲେ -

ଚିକୀର୍ଷିତଂ ତେ କିମିଦଂ ପତିସ୍ତ୍ୱୟା

ପ୍ରଲମ୍ଭିତୋ ଲୋକନମସ୍କୃତୋ ମୁନିଃ ।

ଯତ୍ତ୍ୱଂ ଜରାଗ୍ରସ୍ତମସତ୍ୟସମ୍ମତଂ

ବିହାୟ ଜାରଂ ଭଜସେଽମୁମଧ୍ୱଗମ୍ ॥ ୨୦॥

‘ରେ ଦୁଷ୍ଟା ! ଏହା ତୁ କଣ କଲୁ ? ସମସ୍ତଙ୍କର ବନ୍ଦନୀୟ ଚ୍ୟବନ ମୁନିଙ୍କୁ ତୁ ଧୋଖା ଦେଲୁ ? ନିଶ୍ଚିତ ଭାବରେ ତାଙ୍କୁ ବୃଦ୍ଧ ଏବଂ ଅକର୍ମଣ୍ୟ ମନେକରି ତୁ ତାଙ୍କୁ ତ୍ୟାଗ କରିଦେଇଛୁ ଏବଂ ରାସ୍ତାରେ ବୁଲୁଥିବା ଏହି ଜାର ପୁରୁଷର ସେବା କରୁଛୁ |

କଥଂ ମତିସ୍ତେଽବଗତାନ୍ୟଥା ସତାଂ

କୁଲପ୍ରସୂତେ କୁଲଦୂଷଣଂ ତ୍ୱିଦମ୍ ।

ବିଭର୍ଷି ଜାରଂ ଯଦପତ୍ରପା କୁଲଂ

ପିତୁଶ୍ଚ ଭର୍ତୁଶ୍ଚ ନୟସ୍ୟଧସ୍ତମଃ ॥ ୨୧॥

ତୋର ଜନ୍ମ ତ ଏତେ ଉଚ୍ଚ କୁଳରେ ହୋଇଥିଲା, ଏପରି ବିପରୀତ ବୁଦ୍ଧି ତୋତେ କେଉଁଠାରୁ ପ୍ରାପ୍ତ ହେଲା ? ତୋର ଏହି ବ୍ୟବହାର କୁଳରେ କଳଙ୍କ ଲଗାଇବ | ରାମ-ରାମ ! ନିର୍ଲ୍ଲଜ ଭାବରେ ଜାର ପୁରୁଷର ସେବା କରି ତୁ ନିଜ ପିତା ଏବଂ ପତି ଉଭୟଙ୍କର ବଂଶକୁ ଘୋର ନର୍କକୁ ନେଇଯାଉଛୁ |’

ଏବଂ ବ୍ରୁବାଣଂ ପିତରଂ ସ୍ମୟମାନା ଶୁଚିସ୍ମିତା ।

ଉବାଚ ତାତ ଜାମାତା ତବୈଷ ଭୃଗୁନନ୍ଦନଃ ॥ ୨୨॥

ରାଜା ଶର୍ୟାତିଙ୍କର ଏପରି ଆକ୍ଷେପ ଶୁଣି ପବିତ୍ର ଆତ୍ମା ସୁକନ୍ୟା ହସି ହସି ତାଙ୍କୁ କହିଲେ – ପିତାଜୀ ! ଇଏ ଆପଣଙ୍କର ଜାମାତା ସ୍ବୟଂ ଭୃଗୁନନ୍ଦନ ଚ୍ୟବନ ହିଁ ଅଟନ୍ତି |

ଶଶଂସ ପିତ୍ରେ ତତ୍ସର୍ୱଂ ବୟୋରୂପାଭିଲମ୍ଭନମ୍ ।

ବିସ୍ମିତଃ ପରମପ୍ରୀତସ୍ତନୟାଂ ପରିଷସ୍ୱଜେ ॥ ୨୩॥

ଏହାପରେ ସେ ନିଜ ପିତାଙ୍କୁ ମହର୍ଷି ଚ୍ୟବନଙ୍କର ଯୌବନ ଓ ସୌନ୍ଦର୍ଯ୍ୟ ପ୍ରାପ୍ତିର ସମସ୍ତ ବୃତ୍ତାନ୍ତ ଶୁଣାଇଲେ | ସବୁ କଥା ଶୁଣି ରାଜା ଶର୍ୟାତି ଅତ୍ୟନ୍ତ ବିସ୍ମିତ ହେଲେ ଏବଂ ପ୍ରଗାଢ଼ ପ୍ରେମରେ ସେ ନିଜ ପୁତ୍ରୀକୁ ହୃଦୟଲଗ୍ନ କରିନେଲେ |

ସୋମେନ ଯାଜୟନ୍ ବୀରଂ ଗ୍ରହଂ ସୋମସ୍ୟ ଚାଗ୍ରହୀତ୍ ।

ଅସୋମପୋରପ୍ୟଶ୍ୱିନୋଶ୍ଚ୍ୟବନଃ ସ୍ୱେନ ତେଜସା ॥ ୨୪॥

ବୀର ଶର୍ୟାତିଙ୍କ ଦ୍ବାରା ମହର୍ଷି ଚ୍ୟବନ ସୋମଯଜ୍ଞର ଅନୁଷ୍ଠାନ କରାଇଲେ ଏବଂ ସୋମପାନର ଅଧିକାରୀ ହୋଇ ନ ଥିଲେ ବି ନିଜ ପ୍ରଭାବରେ ସେ ସେହି ଯଜ୍ଞରେ ଅଶ୍ବିନୀକୁମାରଙ୍କୁ ସୋମପାନ କରାଇଲେ |

ହନ୍ତୁଂ ତମାଦଦେ ବଜ୍ରଂ ସଦ୍ୟୋମନ୍ୟୁରମର୍ଷିତଃ ।

ସବଜ୍ରଂ ସ୍ତମ୍ଭୟାମାସ ଭୁଜମିନ୍ଦ୍ରସ୍ୟ ଭାର୍ଗବଃ ॥ ୨୫॥

ଇନ୍ଦ୍ର ବହୁତ ଶୀଘ୍ର କ୍ରୋଧ କରି ବସନ୍ତି | ସେ ତାହା ସହ୍ୟ କରିପାରିଲେ ନାହିଁ | କ୍ରୋଧାବେଶରେ ଶର୍ୟାତିଙ୍କୁ ମାରିବା ପାଇଁ ସେ ବଜ୍ର ଉଠାଇଲେ | କିନ୍ତୁ ମହର୍ଷି ଚ୍ୟବନ ବଜ୍ର ସହିତ ତାଙ୍କର ହାତକୁ ସେହିଠାରେ ସ୍ତମ୍ଭିତ କରିଦେଲେ |

ଅନ୍ୱଜାନଂସ୍ତତଃ ସର୍ୱେ ଗ୍ରହଂ ସୋମସ୍ୟ ଚାଶ୍ୱିନୋଃ ।

ଭିଷଜାବିତି ଯତ୍ପୂର୍ୱଂ ସୋମାହୁତ୍ୟା ବହିଷ୍କୃତୌ ॥ ୨୬॥

ତାହା ଦେଖି ସବୁ ଦେବତା ଅଶ୍ବିନୀକୁମାରଙ୍କୁ ସୋମଭାଗ ଦେବାକୁ ରାଜି ହୋଇଗଲେ | ବୈଦ୍ୟ ହୋଇଥିବା କାରଣରୁ ସେମାନେ ଅଶ୍ବିନୀକୁମାରଙ୍କୁ ସୋମପାନରୁ ଦୂରରେ ରଖିଥିଲେ |

ଉତ୍ତାନବର୍ହିରାନର୍ତୋ ଭୂରିଷେଣ ଇତି ତ୍ରୟଃ ।

ଶର୍ୟାତେରଭବନ୍ ପୁତ୍ରା ଆନର୍ତାଦ୍ରେବତୋଭବତ୍ ॥ ୨୭॥

ପରୀକ୍ଷିତ ! ଶର୍ୟାତିଙ୍କର ତିନିପୁତ୍ର ଥିଲେ – ଉତ୍ତାନବର୍ହି, ଆନର୍ତ ଏବଂ ଭୂରିଷେଣ | ଆନର୍ତଙ୍କଠାରୁ ରେବତ ହେଲେ |

ସୋଽନ୍ତଃସମୁଦ୍ରେ ନଗରୀଂ ବିନିର୍ମାୟ କୁଶସ୍ଥଲୀମ୍ ।

ଆସ୍ଥିତୋଽଭୁଙ୍କ୍ତ ବିଷୟାନାନର୍ତାଦୀନରିନ୍ଦମ ॥ ୨୮॥

ମହାରାଜ ! ରେବତ ସମୁଦ୍ର ଭିତରେ କୁଶସ୍ଥଳୀ ନାମକ ଏକ ନଗରୀ ସ୍ଥାପନ କରିଥିଲେ | ସେଠାରେ ରହି ସେ ଆନର୍ତ ଆଦି ରାଜ୍ୟର ଶାସନ କରୁଥିଲେ |

ତସ୍ୟ ପୁତ୍ରଶତଂ ଜଜ୍ଞେ କକୁଦ୍ମିଜ୍ୟେଷ୍ଠମୁତ୍ତମମ୍ ।

କକୁଦ୍ମୀ ରେବତୀଂ କନ୍ୟାଂ ସ୍ୱାମାଦାୟ ବିଭୁଂ ଗତଃ ॥ ୨୯॥

କନ୍ୟାବରଂ ପରିପ୍ରଷ୍ଟୁଂ ବ୍ରହ୍ମଲୋକମପାବୃତମ୍ ।

ଆବର୍ତମାନେ ଗାନ୍ଧର୍ୱେ ସ୍ଥିତୋଽଲବ୍ଧକ୍ଷଣଃ କ୍ଷଣମ୍ ॥ ୩୦॥

ତାଙ୍କର ଏକ ଶତ ଶ୍ରେଷ୍ଠ ପୁତ୍ର ଥିଲେ, ଯେଉଁମାନଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ କକୁଦ୍ଦ୍ମୀ | କକୁଦ୍ଦ୍ମୀ ନିଜ କନ୍ୟା ରେବତୀଙ୍କୁ ସାଙ୍ଗରେ ଧରି ତାଙ୍କ ପାଇଁ ବର ନିଶ୍ଚିତ କରିବା ଉଦ୍ଦେଶ୍ୟରେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ | ସେହି ସମୟରେ ବ୍ରହ୍ମଲୋକର ରାସ୍ତା ଏପରି ଉଚ୍ଚ କୋଟୀର ପୁରୁଷଙ୍କ ପାଇଁ ଅବାଧ ଥିଲା | ସେ ଯେତେବେଳେ ସେଠାରେ ପହଞ୍ଚିଲେ, ସେତେବେଳେ ବ୍ରହ୍ମଲୋକ ଗାନ-ବାଦନରେ ମୁଖରିତ ଥିଲା | ବାର୍ତ୍ତାଳାପର ଅବସର ନ ମିଳିବାରୁ ତାଙ୍କୁ କିଛି ସମୟ ସେଠାରେ ଅପେକ୍ଷା କରିବାକୁ ପଡିଲା |

ତଦନ୍ତ ଆଦ୍ୟମାନମ୍ୟ ସ୍ୱାଭିପ୍ରାୟଂ ନ୍ୟବେଦୟତ୍ ।

ତଚ୍ଛ୍ରୁତ୍ୱା ଭଗବାନ୍ ବ୍ରହ୍ମା ପ୍ରହସ୍ୟ ତମୁବାଚ ହ ॥ ୩୧॥

ଉତ୍ସବ ଶେଷ ହେବା ପରେ ସେ ବ୍ରହ୍ମାଜୀଙ୍କୁ ନମସ୍କାର କରି ନିଜର ଅଭିପ୍ରାୟ ନିବେଦନ କଲେ | ତାହା ଶୁଣି ବ୍ରହ୍ମାଜୀ ହସି ହସି ତାଙ୍କୁ କହିଲେ -

ଅହୋ ରାଜନ୍ ନିରୁଦ୍ଧାସ୍ତେ କାଲେନ ହୃଦି ଯେ କୃତାଃ ।

ତତ୍ପୁତ୍ରପୌତ୍ରନପ୍ତୄଣାଂ ଗୋତ୍ରାଣି ଚ ନ ଶୃଣ୍ମହେ ॥ ୩୨॥

‘ମହାରାଜ ! ତୁମେ ନିଜ ମନରେ ଯେଉଁମାନଙ୍କ ବିଷୟରେ ଭାବି ଏଠାକୁ ଆସିଥିଲ, ସେମାନେ ସମସ୍ତେ ଏବେ କାଳର ଗର୍ଭକୁ ଚାଲିଗଲେଣି | ଏବେ ସେମାନଙ୍କର ପୁତ୍ର, ପୌତ୍ର, ନାତିମାନଙ୍କ କଥା କଣ କହିବା, ସେମାନଙ୍କ ଗୋତ୍ରର ନାମ ମଧ୍ୟ ଶୁଣିବାକୁ ମିଳୁନାହିଁ |

କାଲୋଽଭିୟାତସ୍ତ୍ରିଣବଚତୁର୍ୟୁଗବିକଲ୍ପିତଃ ।

ତଦ୍ଗଚ୍ଛ ଦେବଦେବାଂଶୋ ବଲଦେବୋ ମହାବଲଃ ॥ ୩୩॥

ଇତିମଧ୍ୟରେ ସତାଇଶ ଚତୁର୍ଯୁଗ ଅତିକ୍ରାନ୍ତ ହୋଇଯାଇଛି | ସେଥିପାଇଁ ତୁମ ଯାଅ | ଏହି ସମୟରେ ଭଗବାନ ନାରାୟଣଙ୍କର ଅଂଶାବତାର ମହାବଳୀ ବଳଦେବ ଭୂଲୋକରେ ବିଦ୍ୟମାନ ଅଛନ୍ତି |

କନ୍ୟାରତ୍ନମିଦଂ ରାଜନ୍ ନରରତ୍ନାୟ ଦେହି ଭୋଃ ।

ଭୁବୋ ଭାରାବତାରାୟ ଭଗବାନ୍ ଭୂତଭାବନଃ ॥ ୩୪॥

ଅବତୀର୍ଣୋ ନିଜାଂଶେନ ପୁଣ୍ୟଶ୍ରବଣକୀର୍ତନଃ ।

ଇତ୍ୟାଦିଷ୍ଟୋଽଭିବନ୍ଦ୍ୟାଜଂ ନୃପଃ ସ୍ୱପୁରମାଗତଃ ।

ତ୍ୟକ୍ତଂ ପୁଣ୍ୟଜନତ୍ରାସାଦ୍ଭ୍ରାତୃଭିର୍ଦିକ୍ଷ୍ୱବସ୍ଥିତୈଃ ॥ ୩୫॥

ରାଜନ୍ ! ନିଜ କନ୍ୟାରତ୍ନକୁ ତୁମେ ସେହି ନରରତ୍ନଙ୍କ ହସ୍ତରେ ସମର୍ପିତ କର | ଯାହାର ନାମ, ଲୀଳା ଆଦିର ଶ୍ରବଣ-କୀର୍ତ୍ତନ ଅତିଶୟ ପବିତ୍ର ଅଟେ – ପ୍ରାଣୀମାନଙ୍କର ଜୀବନସର୍ବସ୍ବ ସେହି ଭଗବାନ ପୃଥିବୀର ଭାରହରଣ କରିବା ଉଦ୍ଦେଶ୍ୟରେ ଏବେ ନିଜ ଅଂଶରେ ଅବତୀର୍ଣ୍ଣ ହୋଇଛନ୍ତି |’ ବ୍ରହ୍ମାଜୀଙ୍କର ଆଦେଶ ପ୍ରାପ୍ତ କରି ରାଜା କକୁଦ୍ଦ୍ମୀ ତାଙ୍କର ଚରଣ ବନ୍ଦନା କଲେ ଏବଂ ନିଜ ନଗରୀକୁ ଫେରି ଆସିଲେ | ଯକ୍ଷମାନଙ୍କ ଭୟରେ ସେତେବେଳକୁ ତାଙ୍କର ବଂଶଜମାନେ ସେହି ନଗରୀ ଛାଡି କିଏ କେଉଁଠି ଏଣେତେଣେ ବାସ କରୁଥିଲେ |

ସୁତାଂ ଦତ୍ତ୍ୱାନବଦ୍ୟାଙ୍ଗୀଂ ବଲାୟ ବଲଶାଲିନେ ।

ବଦର୍ୟାଖ୍ୟଂ ଗତୋ ରାଜା ତପ୍ତୁଂ ନାରାୟଣାଶ୍ରମମ୍ ॥ ୩୬॥

ରାଜା କକୁଦ୍ଦ୍ମୀ ନିଜର ସର୍ବାଙ୍ଗସୁନ୍ଦରୀ କନ୍ୟାକୁ ପରମ ବଳଶାଳୀ ବଳରାମଙ୍କ ହସ୍ତରେ ଅର୍ପଣ କଲେ  ଏବଂ ସ୍ବୟଂ ତପସ୍ୟା କରିବା ଉଦ୍ଦେଶରେ ନର-ନାରାୟଣଙ୍କର ଆଶ୍ରମ ବଦ୍ରୀବନ ଅଭିମୁଖରେ ଯାତ୍ରା କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ନବମସ୍କନ୍ଧେ ତୃତୀୟୋଽଧ୍ୟାୟଃ ॥ ୩॥

Comments

Popular posts from this blog