ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ଷଷ୍ଠ ଅଧ୍ୟାୟ
ଈକ୍ଷାକୁଙ୍କ ବଂଶର ବର୍ଣ୍ଣନ, ମାନ୍ଧାତା ଏବଂ ସୌଭରି ଋଷିଙ୍କ କଥା
ଶ୍ରୀଶୁକ ଉବାଚ
ବିରୂପଃ କେତୁମାନ୍
ଶମ୍ଭୁରମ୍ବରୀଷସୁତାସ୍ତ୍ରୟଃ ।
ବିରୂପାତ୍ପୃଷଦଶ୍ୱୋଽଭୂତ୍ତତ୍ପୁତ୍ରସ୍ତୁ
ରଥୀତରଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଅମ୍ବରୀଷଙ୍କର ତିନି ପୁତ୍ର ଥିଲେ – ବିରୂପ, କେତୁମାନ୍, ଏବଂ ଶମ୍ଭୁ |
ବିରୂପଙ୍କଠାରୁ ପୃଷଦଶ୍ବ ଏବଂ ତାଙ୍କଠାରୁ ରଥୀତର ହେଲେ |
ରଥୀତରସ୍ୟାପ୍ରଜସ୍ୟ
ଭାର୍ୟାୟାଂ ତନ୍ତବେଽର୍ଥିତଃ ।
ଅଙ୍ଗିରା ଜନୟାମାସ
ବ୍ରହ୍ମବର୍ଚସ୍ୱିନଃ ସୁତାନ୍ ॥ ୨॥
ରଥୀତର ସନ୍ତାନହୀନ
ଥିଲେ | ବଂଶରକ୍ଷା ନିମନ୍ତେ ସେ ଅଙ୍ଗିରା ଋଷିଙ୍କୁ ପ୍ରାର୍ଥନା କରିବାରୁ, ଅଙ୍ଗିରା ତାଙ୍କ ପତ୍ନୀଙ୍କଠାରୁ ବ୍ରହ୍ମତେଜରେ
ସମ୍ପନ୍ନ ଅନେକ ପୁତ୍ର ଉତ୍ପନ୍ନ କଲେ |
ଏତେ କ୍ଷେତ୍ରେ
ପ୍ରସୂତା ବୈ ପୁନସ୍ତ୍ୱାଙ୍ଗିରସାଃ ସ୍ମୃତାଃ ।
ରଥୀତରାଣାଂ
ପ୍ରବରାଃ କ୍ଷତ୍ରୋପେତା ଦ୍ୱିଜାତୟଃ ॥ ୩॥
ଯଦିଓ ସେମାନେ
ସମସ୍ତେ ରଥୀତରଙ୍କ ପତ୍ନୀଙ୍କଠାରୁ ଉତ୍ପନ୍ନ ହୋଇଥିଲେ, ସେଥିପାଇଁ
ସେମାନଙ୍କର ଗୋତ୍ର ରଥୀତରଙ୍କ ଗୋତ୍ର ଅନୁସାରେ ହେବା ସମୀଚିନ ଥିଲା, ତଥାପି ସେମାନେ ଆଙ୍ଗିରସ ହିଁ ବୋଲାଇଲେ | ଏମାନେ ହିଁ
ରଥୀତର କୁଳର ସର୍ବଶ୍ରେଷ୍ଠ ପୁରୁଷ ହେଲେ; କାରଣ ଏମାନେ
କ୍ଷେତ୍ରୋପେତ ବ୍ରାହ୍ମଣ ଥିଲେ – କ୍ଷତ୍ରିୟ ଏବଂ ବ୍ରାହ୍ମଣ ଉଭୟ ଗୋତ୍ର ସହିତ ଏମାନଙ୍କର
ସମ୍ବନ୍ଧ ଥିଲା |
କ୍ଷୁବତସ୍ତୁ
ମନୋର୍ଜଜ୍ଞେ ଇକ୍ଷ୍ୱାକୁର୍ଘ୍ରାଣତଃ ସୁତଃ ।
ତସ୍ୟ
ପୁତ୍ରଶତଜ୍ୟେଷ୍ଠା ବିକୁକ୍ଷିନିମିଦଣ୍ଡକାଃ ॥ ୪॥
ଏକଦା ମନୁଙ୍କର
ଛିଙ୍କରୁ ତାଙ୍କ ନାସିକା ମଧ୍ୟ ଡେଇ ଈକ୍ଷାକୁ ନାମକ ପୁତ୍ର ଉତ୍ପନ୍ନ ହେଲା | ଈକ୍ଷାକୁଙ୍କର ଶହେ
ପୁତ୍ର ଥିଲେ | ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠ ତିନି ପୁତ୍ର ଥିଲେ – ବିକୁକ୍ଷି, ନିମି ଏବଂ ଦଣ୍ଡକ
|
ତେଷାଂ
ପୁରସ୍ତାଦଭବନ୍ନାର୍ୟାବର୍ତେ ନୃପା ନୃପ ।
ପଞ୍ଚବିଂଶତିଃ
ପଶ୍ଚାଚ୍ଚ ତ୍ରୟୋ ମଧ୍ୟେଽପରେଽନ୍ୟତଃ ॥ ୫॥
ପରୀକ୍ଷିତ !
ସେମାନଙ୍କଠାରୁ କନିଷ୍ଠ ପଚିଶ ପୁତ୍ର ଆର୍ଯ୍ୟାବର୍ତ୍ତ ପୂର୍ବଭାଗର, ଅନ୍ୟ ପଚିଶ ପୁତ୍ର
ପଶ୍ଚିମଭାଗର ତଥା ସେହି ତିନିଜଣ ମଧ୍ୟଭାଗର ଅଧିପତି ହେଲେ | ଅବଶିଷ୍ଟ ସତଚାଳିଶ ଦକ୍ଷିଣ ଆଦି
ଅନ୍ୟ ପ୍ରାନ୍ତର ଅଧିପତି ହେଲେ |
ସ
ଏକଦାଷ୍ଟକାଶ୍ରାଦ୍ଧେ ଇକ୍ଷ୍ୱାକୁଃ ସୁତମାଦିଶତ୍ ।
ମାଂସମାନୀୟତାଂ
ମେଧ୍ୟଂ ବିକୁକ୍ଷେ ଗଚ୍ଛ ମା ଚିରମ୍ ॥ ୬॥
ଥରେ ରାଜା ଈକ୍ଷାକୁ
ଅଷ୍ଟକା-ଶ୍ରାଦ୍ଧ କରିବାକୁ ଯାଇ ନିଜ ଜ୍ୟେଷ୍ଠ ପୁତ୍ରଙ୍କୁ ଆଜ୍ଞା ଦେଲେ – ବିକୁକ୍ଷି ! ଅତି
ଶୀଘ୍ର ଯାଇ ଶ୍ରାଦ୍ଧ-ଯୋଗ୍ୟ ପବିତ୍ର ପଶୁ-ମାଂସ ନେଇଆସ |
ତଥେତି ସ ବନଂ
ଗତ୍ୱା ମୃଗାନ୍ ହତ୍ୱା କ୍ରିୟାର୍ହଣାନ୍ ।
ଶ୍ରାନ୍ତୋ
ବୁଭୁକ୍ଷିତୋ ବୀରଃ ଶଶଂ ଚାଦଦପସ୍ମୃତିଃ ॥ ୭॥
‘ଠିକ୍ ଅଛି’ କହି ବିକୁକ୍ଷି ବନକୁ ଯାତ୍ରା କଲେ | ସେଠାରେ ସେ
ଶ୍ରାଦ୍ଧ-ଯୋଗ୍ୟ ଅନେକ ପଶୁ ଶିକାର କଲେ | ଏହି କ୍ରମରେ ସେ ଅତି ବେଶୀ କ୍ଲାନ୍ତ ହୋଇ ଯାଇଥିଲେ, କ୍ଷୁଧା ମଧ୍ୟ ଅନୁଭବ କରୁଥିଲେ; ସେଥିପାଇଁ ତାଙ୍କର ଏହା ସ୍ମରଣ ରହିଲା ନାହିଁ ଯେ
ଶ୍ରାଦ୍ଧ-ଯୋଗ୍ୟ ପଶୁର ମାଂସ ସ୍ବୟଂ ଭକ୍ଷଣ କରିବା ଅନୁଚିତ୍ | ସେ ଗୋଟିଏ ଠେକୁଆର ମାଂସ
ଖାଇଦେଲେ |
ଶେଷଂ ନିବେଦୟାମାସ
ପିତ୍ରେ ତେନ ଚ ତଦ୍ଗୁରୁଃ ।
ଚୋଦିତଃ
ପ୍ରୋକ୍ଷଣାୟାହ ଦୁଷ୍ଟମେତଦକର୍ମକମ୍ ॥ ୮॥
ଅବଶିଷ୍ଟ ମାଂସକୁ
ନେଇ ବିକୁକ୍ଷି ନିଜ ପିତାଙ୍କୁ ଦେଲେ | ଈକ୍ଷାକୁ ଯେତେବେଳେ ତାହାକୁ ପ୍ରୋକ୍ଷଣ କରିବା ପାଇଁ
ନିଜ ଗୁରୁଙ୍କୁ କହିଲେ, ସମର୍ଥ ଗୁରୁଜୀ ସବୁ କଥା ଜାଣିପାରି
କହିଲେ ଯେ ଏହି ମାଂସ ତ ଦୂଷିତ ଏବଂ ଶ୍ରାଦ୍ଧ ନିମନ୍ତେ ଅଯୋଗ୍ୟ ଅଟେ |
ଜ୍ଞାତ୍ୱା
ପୁତ୍ରସ୍ୟ ତତ୍କର୍ମ ଗୁରୁଣାଭିହିତଂ ନୃପଃ ।
ଦେଶାନ୍ନିଃସାରୟାମାସ
ସୁତଂ ତ୍ୟକ୍ତବିଧିଂ ରୁଷା ॥ ୯॥
ପରୀକ୍ଷିତ !
ଗୁରୁଜୀ ଏପରି କହିବା ପରେ ରାଜା ଈକ୍ଷାକୁ ନିଜ ପୁତ୍ରର ଦୁଷ୍କର୍ମ ବିଷୟରେ ଜାଣିନେଲେ |
ଶାସ୍ତ୍ରୀୟ ବିଧି ଉଲ୍ଲଂଘନ କରିଥିବା ଅପରାଧରେ ସେ ନିଜର ସେହି ପୁତ୍ରଙ୍କୁ ଦେଶରୁ ବିତାଡିତ
କରିଦେଲେ |
ସ ତୁ ବିପ୍ରେଣ
ସଂବାଦଂ ଜାପକେନ ସମାଚରନ୍ ।
ତ୍ୟକ୍ତ୍ୱା କଲେବରଂ
ଯୋଗୀ ସ ତେନାବାପ ଯତ୍ପରମ୍ ॥ ୧୦॥
ତଦନନ୍ତର ରାଜା
ଈକ୍ଷାକୁ ନିଜ ଗୁରୁଦେବ ବସିଷ୍ଠ ମୁନିଙ୍କ ସହିତ ଜ୍ଞାନବିଷୟକ ଚର୍ଚ୍ଚା କଲେ | ତାପରେ ଯୋଗ
ଦ୍ବାରା ନିଜ ଶରୀରକୁ ପରିତ୍ୟାଗ କରି ପରମ ପଦ ପ୍ରାପ୍ତ କଲେ |
ପିତର୍ୟୁପରତେଽଭ୍ୟେତ୍ୟ
ବିକୁକ୍ଷିଃ ପୃଥିବୀମିମାମ୍ ।
ଶାସଦୀଜେ ହରିଂ
ଯଜ୍ଞୈଃ ଶଶାଦ ଇତି ବିଶ୍ରୁତଃ ॥ ୧୧॥
ପିତାଙ୍କର ଦେହାନ୍ତ
ପରେ ବିକୁକ୍ଷି ନିଜ ରାଜଧାନୀକୁ ଫେରି ଆସିଲେ ଏବଂ ଏହି ପୃଥିବୀର ଶାସନ କରିବାରେ ଲାଗିଲେ |
ବଡ-ବଡ ଯଜ୍ଞ ଦ୍ବାରା ସେ ଭଗବାନଙ୍କର ଆରାଧନା କଲେ ଏବଂ ସଂସାରରେ ଶଶାଦ ନାମରେ ପ୍ରସିଦ୍ଧ ହେଲେ
|
ପୁରଞ୍ଜୟସ୍ତସ୍ୟ
ସୁତ ଇନ୍ଦ୍ରବାହ ଇତୀରିତଃ ।
କକୁତ୍ସ୍ଥ ଇତି
ଚାପ୍ୟୁକ୍ତଃ ଶୃଣୁ ନାମାନି କର୍ମଭିଃ ॥ ୧୨॥
ବିକୁକ୍ଷିଙ୍କର
ପୁତ୍ରର ନାମ ଥିଲା ପୁରଞ୍ଜୟ | ତାଙ୍କୁ ହିଁ କେହି କେହି ‘ଇନ୍ଦ୍ରବାହ’, ଅନ୍ୟ କେହି କେହି ‘କକୁତ୍ଥ’ କହନ୍ତି | ଯେଉଁ କର୍ମ
ଯୋଗୁଁ ସେ ଏପରି ନାମରେ ପରିଚିତ ଥିଲେ, ତାହା ଶୁଣ |
କୃତାନ୍ତ
ଆସୀତ୍ସମରୋ ଦେବାନାଂ ସହ ଦାନବୈଃ ।
ପାର୍ଷ୍ଣିଗ୍ରାହୋ
ବୃତୋ ବୀରୋ ଦେବୈର୍ଦୈତ୍ୟପରାଜିତୈଃ ॥ ୧୩॥
ସତ୍ୟଯୁଗର ଅନ୍ତରେ
ଦେବତା ଓ ଦାନବଙ୍କ ମଧ୍ୟରେ ଘୋର ସଂଗ୍ରାମ ହୋଇଥିଲା | ସେଥିରେ ସବୁ ଦେବତା ଦୈତ୍ୟମାନଙ୍କଠାରୁ
ହାରି ଗଲେ | ସେତେବେଳେ ସେମାନେ ସହାୟତା ଆଶାରେ ବୀର ପୁରଞ୍ଜୟଙ୍କ ସହିତ ମିତ୍ରତା କଲେ |
ବଚନାଦ୍ଦେବଦେବସ୍ୟ
ବିଷ୍ଣୋର୍ୱିଶ୍ୱାତ୍ମନଃ ପ୍ରଭୋଃ ।
ବାହନତ୍ୱେ
ବୃତସ୍ତସ୍ୟ ବଭୂବେନ୍ଦ୍ରୋ ମହାବୃଷଃ ॥ ୧୪॥
ପୁରଞ୍ଜୟ ସେଥିରେ
ଶର୍ତ୍ତ ରଖିଲେ, ‘ଯଦି ଦେବରାଜ ଇନ୍ଦ୍ର ମୋର
ବାହନ ହେବେ, ତେବେ ମୁଁ ଯୁଦ୍ଧ କରିବି |’
ପ୍ରଥମେ ତ ଇନ୍ଦ୍ର ତାହା ଅସ୍ବୀକାର କରିଦେଲେ, କିନ୍ତୁ ପରେ
ଦେବତାମାନଙ୍କର ଆରାଧ୍ୟଦେବ ସର୍ବଶକ୍ତିମାନ ବିଶ୍ବାତ୍ମା ଭଗବାନଙ୍କର କଥା ମାନି ସେ ଏକ ବହୁତ ବଡ
ବୃଷଭର ରୂପ ନେଲେ |
ସ ସନ୍ନଦ୍ଧୋ
ଧନୁର୍ଦିବ୍ୟମାଦାୟ ବିଶିଖାଞ୍ଛିତାନ୍ ।
ସ୍ତୂୟମାନଃ
ସମାରୁହ୍ୟ ଯୁୟୁତ୍ସୁଃ କକୁଦି ସ୍ଥିତଃ ॥ ୧୫॥
ତେଜସାଽଽପ୍ୟାୟିତୋ
ବିଷ୍ଣୋଃ ପୁରୁଷସ୍ୟ ପରାତ୍ମନଃ ।
ପ୍ରତୀଚ୍ୟାଂ ଦିଶି
ଦୈତ୍ୟାନାଂ ନ୍ୟରୁଣତ୍ତ୍ରିଦଶୈଃ ପୁରମ୍ ॥ ୧୬॥
ସର୍ବାନ୍ତର୍ଯ୍ୟାମୀ
ଭଗବାନ ବିଷ୍ଣୁ ନିଜ ଶକ୍ତିରେ ପୁରଞ୍ଜୟଙ୍କୁ ଶକ୍ତିସମ୍ପନ୍ନ କରି ଦେଇଥିଲେ | ସେ କବଚ ଧାରଣ କରି
ହାତରେ ଦିବ୍ୟ ଧନୁ ଏବଂ ତୀକ୍ଷ୍ଣ ବାଣ ଗ୍ରହଣ କଲେ | ଏହାପରେ ସେ ବୃଷଭ ଉପରେ ଚଢି ତା’ର କକୁଦ ନିକଟରେ ବସିଲେ | ତାଙ୍କୁ ଏହିପରି ଭାବରେ
ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଦେଖି, ଦେବତାମାନେ
ତାଙ୍କର ସ୍ତୁତି କରିବାରେ ଲାଗିଲେ | ଦେବତାମାନଙ୍କୁ ସଙ୍ଗରେ ନେଇ ସେ ପଶ୍ଚିମ ଦିଗରୁ
ଦୈତ୍ୟମାନଙ୍କର ନଗରୀକୁ ଘେରାଉ କରିନେଲେ |
ତୈସ୍ତସ୍ୟ
ଚାଭୂତ୍ପ୍ରଧନଂ ତୁମୁଲଂ ଲୋମହର୍ଷଣମ୍ ।
ଯମାୟ
ଭଲ୍ଲୈରନୟଦ୍ଦୈତ୍ୟାନ୍ ଯେଽଭିୟଯୁର୍ମୃଧେ ॥ ୧୭॥
ବୀର ପୁରଞ୍ଜୟଙ୍କର
ଦୈତ୍ୟମାନଙ୍କ ସହ ଅତ୍ୟନ୍ତ ରୋମାଞ୍ଚକାରୀ ଘୋର ସଂଗ୍ରାମ ହେଲା | ଯୁଦ୍ଧରେ ଯିଏ ବି ଦୈତ୍ୟ
ତାଙ୍କ ସମ୍ମୁଖକୁ ଆସିଲେ, ପୁରଞ୍ଜୟ ତାଙ୍କ
ପ୍ରତି ବାଣ ପ୍ରୟୋଗ କରି ତାଙ୍କୁ ଯମରାଜଙ୍କ ପାଖକୁ ପଠାଇ ଦେଲେ |
ତସ୍ୟେଷୁପାତାଭିମୁଖଂ
ଯୁଗାନ୍ତାଗ୍ନିମିବୋଲ୍ବଣମ୍ ।
ବିସୃଜ୍ୟ
ଦୁଦ୍ରୁବୁର୍ଦୈତ୍ୟା ହନ୍ୟମାନାଃ ସ୍ୱମାଲୟମ୍ ॥ ୧୮॥
ତାଙ୍କ ବାଣର ବର୍ଷା
ପ୍ରଳୟକାଳୀନ ଜ୍ବଳନ୍ତ ଅଗ୍ନିବର୍ଷଣ ସଦୃଶ ଥିଲା | ଯିଏ ବି ତାହା ସମ୍ମୁଖକୁ ଆସୁଥିଲା, ଜଳି ଛିନ୍ନ-ଭିନ୍ନ ହୋଇ ଯାଉଥିଲା | ଦୈତ୍ୟମାନଙ୍କର
ସାହସ ଲୋପ ପାଇବାରେ ଲାଗିଲା | ଭୟରେ ରଣଭୂମି ତ୍ୟାଗ କରି ସେମାନେ ନିଜ ନିଜ ଘର ଭିତରେ ଲୁଚି
ରହିଲେ |
ଜିତ୍ୱା ପୁରଂ ଧନଂ
ସର୍ୱଂ ସଶ୍ରୀକଂ ବଜ୍ରପାଣୟେ ।
ପ୍ରତ୍ୟଯଚ୍ଛତ୍ସ
ରାଜର୍ଷିରିତି ନାମଭିରାହୃତଃ ॥ ୧୯॥
ପୁରଞ୍ଜୟ
ସେମାନଙ୍କର ନଗର, ଧନ ଏବଂ ଐଶ୍ବର୍ଯ୍ୟ ଜୟ କରି
ଇନ୍ଦ୍ରଙ୍କୁ ଦେଇଦେଲେ | ପୁର ଜୟ କରିଥିବା କାରଣରୁ ସେହି ରାଜର୍ଷିଙ୍କର ନାମକରଣ ‘ପୁରଞ୍ଜୟ’ ଭାବରେ କରାଗଲା | ଏତଦ୍ ବ୍ୟତିତ ଇନ୍ଦ୍ରଙ୍କୁ ନିଜର
ବାହନ କରିଥିବାରୁ ତାଙ୍କୁ ‘ଇନ୍ଦ୍ରବାହ’ ଏବଂ ବୃଷଭର କକୁଦ
ଉପରେ ବସି ଯୁଦ୍ଧ କରିଥିବାରୁ ତାଙ୍କୁ ‘କକୁତ୍ସ୍ଥ’ ମଧ୍ୟ କୁହାଯାଏ |
ପୁରଞ୍ଜୟସ୍ୟ
ପୁତ୍ରୋଽଭୂଦନେନାସ୍ତତ୍ସୁତଃ ପୃଥୁଃ ।
ବିଶ୍ୱଗନ୍ଧିସ୍ତତଶ୍ଚନ୍ଦ୍ରୋ
ଯୁବନାଶ୍ୱସ୍ତୁ ତତ୍ସୁତଃ ॥ ୨୦॥
ପୁରଞ୍ଜୟଙ୍କର
ପୁତ୍ର ଥିଲେ ଅନେନା | ତାଙ୍କର ପୁତ୍ର ପୃଥୁ, ପୃଥୁଙ୍କର ପୁତ୍ର
ବିଶ୍ବରନ୍ଧି, ତାଙ୍କର ପୁତ୍ର ଚନ୍ଦ୍ର ଏବଂ ଚନ୍ଦ୍ରଙ୍କର ପୁତ୍ର ଥିଲେ ଯୁବନାଶ୍ବ |
ଶ୍ରାବସ୍ତସ୍ତତ୍ସୁତୋ
ଯେନ ଶ୍ରାବସ୍ତୀ ନିର୍ମମେ ପୁରୀ ।
ବୃହଦଶ୍ୱସ୍ତୁ
ଶ୍ରାବସ୍ତିସ୍ତତଃ କୁବଲୟାଶ୍ୱକଃ ॥ ୨୧॥
ଯୁବନାଶ୍ବଙ୍କର
ପୁତ୍ର ଥିଲେ ଶାବସ୍ତ, ଯିଏ ଶାବସ୍ତୀପୁରୀର
ସ୍ଥାପନା କରିଥିଲେ | ଶାବସ୍ତଙ୍କଠାରୁ ବୃହଦଶ୍ବ ଏବଂ ବୃହଦଶ୍ବଙ୍କଠାରୁ କୁବଳାୟଶ୍ବ ହେଲେ |
ଯଃ
ପ୍ରିୟାର୍ଥମୁତଙ୍କସ୍ୟ ଧୁନ୍ଧୁନାମାସୁରଂ ବଲୀ ।
ସୁତାନାମେକବିଂଶତ୍ୟା
ସହସ୍ରୈରହନଦ୍ୱୃତଃ ॥ ୨୨॥
ସେ ବହୁତ ବଳବାନ
ଥିଲେ | ଉତଙ୍କ ଋଷିଙ୍କୁ ପ୍ରସନ୍ନ କରିବା ପାଇଁ ସେ ନିଜର ଏକୋଇଶ ହଜାର ପୁତ୍ରଙ୍କୁ ସାଙ୍ଗରେ
ନେଇ ଧୁନ୍ଧୁ ନାମକ ଦୈତ୍ୟ ସହିତ ଯୁଦ୍ଧ କରିଥିଲେ ଏବଂ ତାକୁ ବଧ କରିଥିଲେ |
ଧୁନ୍ଧୁମାର ଇତି
ଖ୍ୟାତସ୍ତତ୍ସୁତାସ୍ତେ ଚ ଜଜ୍ୱଲୁଃ ।
ଧୁନ୍ଧୋର୍ମୁଖାଗ୍ନିନା
ସର୍ୱେ ତ୍ରୟ ଏବାବଶେଷିତାଃ ॥ ୨୩॥
ସେହି କାରଣରୁ ସେ
ଧୁନ୍ଧୁମାର ନାମରେ ଖ୍ୟାତ ହେଲେ | ଧୁନ୍ଧୁ ଦୈତ୍ୟର ମୁଖରୁ ନିର୍ଗତ ହେଉଥିବା ଅଗ୍ନିରେ ତାଙ୍କର
କେବଳ ତିନି ପୁତ୍ରଙ୍କ ବ୍ୟତିତ ଅନ୍ୟ ସବୁ ପୁତ୍ର ଜଳି ଭସ୍ମ ହୋଇଗଲେ |
ଦୃଢାଶ୍ୱଃ
କପିଲାଶ୍ୱଶ୍ଚ ଭଦ୍ରାଶ୍ୱ ଇତି ଭାରତ ।
ଦୃଢାଶ୍ୱପୁତ୍ରୋ
ହର୍ୟଶ୍ୱୋ ନିକୁମ୍ଭସ୍ତତ୍ସୁତଃ ସ୍ମୃତଃ ॥ ୨୪॥
ପରୀକ୍ଷିତ ! ଜୀବିତ
ରହିଥିବା ସେହି ତିନିଜଣ ପୁତ୍ର ଥିଲେ – ଦୃଢାଶ୍ବ, କପିଳାଶ୍ବ ଏବଂ
ଭଦ୍ରାଶ୍ବ | ଦୃଢାଶ୍ବଙ୍କର ପୁତ୍ର ଥିଲେ ହର୍ୟଶ୍ବ ଏବଂ ତାଙ୍କର ପୁତ୍ର ଥିଲେ ନିକୁମ୍ଭ |
ବର୍ହଣାଶ୍ୱୋ
ନିକୁମ୍ଭସ୍ୟ କୃଶାଶ୍ୱୋଽଥାସ୍ୟ ସେନଜିତ୍ ।
ଯୁବନାଶ୍ୱୋଽଭବତ୍ତସ୍ୟ
ସୋଽନପତ୍ୟୋ ବନଂ ଗତଃ ॥ ୨୫॥
ଭାର୍ୟାଶତେନ
ନିର୍ୱିଣ୍ଣ ଋଷୟୋଽସ୍ୟ କୃପାଲବଃ ।
ଇଷ୍ଟିଂ ସ୍ମ
ବର୍ତୟାଞ୍ଚକ୍ରୁରୈନ୍ଦ୍ରୀଂ ତେ ସୁସମାହିତାଃ ॥ ୨୬॥
ନିକୁମ୍ଭଙ୍କର
ପୁତ୍ର ଥିଲେ ବର୍ହଣାଶ୍ବ, ତାଙ୍କର ପୁତ୍ର
କୃଶାଶ୍ବ, ତାଙ୍କର ପୁତ୍ର ସେନଜିତ୍ ଏବଂ ତାଙ୍କର ପୁତ୍ର ହେଲେ
ଯୁବନାଶ୍ବ | ଯୁବନାଶ୍ବ ସନ୍ତାନହୀନ ଥିଲେ; ସେଥିପାଇଁ ଅତି
ଦୁଃଖରେ ସେ ନିଜର ଏକ ଶହ ପତ୍ନୀଙ୍କ ସହିତ ବନକୁ ଚାଲିଗଲେ | ସେଠାରେ ଋଷିମାନେ ତାଙ୍କ ପ୍ରତି
କୃପା କରିବାକୁ ଯାଇ ପୁତ୍ରପ୍ରାପ୍ତି ନିମନ୍ତେ ଯୁବନାଶ୍ବଙ୍କ ଦ୍ବାରା ଅତ୍ୟନ୍ତ ଏକାଗ୍ରତା
ପୂର୍ବକ ଇନ୍ଦ୍ରଦେବତାଙ୍କର ଯଜ୍ଞ କରାଇଲେ |
ରାଜା ତଦ୍ୟଜ୍ଞସଦନଂ
ପ୍ରବିଷ୍ଟୋ ନିଶି ତର୍ଷିତଃ ।
ଦୃଷ୍ଟ୍ୱା ଶୟାନାନ୍
ବିପ୍ରାଂସ୍ତାନ୍ ପପୌ ମନ୍ତ୍ରଜଲଂ ସ୍ୱୟମ୍ ॥ ୨୭॥
ଦିନେ ରାତିରେ ରାଜା
ଯୁବନାଶ୍ବ ଅତ୍ୟଧିକ ତୃଷା ଅନୁଭବ କରିବାରୁ ଜଳ ଆଶାରେ ଯଜ୍ଞଶାଳକୁ ଗଲେ | ସେଠାକୁ ଯାଇ ସେ
ଯେତେବେଳେ ଦେଖିଲେ ଯେ ସବୁ ଋଷିମାନେ ଶୋଇ ଯାଇଛନ୍ତି, ସେତେବେଳେ ଜଳ
ପ୍ରାପ୍ତ କରିବାର କୌଣସି ଉପାୟ ନ ଦେଖି ସେ ଯଜ୍ଞର ଅଭିମନ୍ତ୍ରିତ ଜଳକୁ ହିଁ ପାନ କରିନେଲେ |
ଉତ୍ଥିତାସ୍ତେ
ନିଶାମ୍ୟାଥ ବ୍ୟୁଦକଂ କଲଶଂ ପ୍ରଭୋ ।
ପପ୍ରଚ୍ଛୁଃ କସ୍ୟ
କର୍ମେଦଂ ପୀତଂ ପୁଂସବନଂ ଜଲମ୍ ॥ ୨୮॥
ପ୍ରାତଃ କାଳରେ
ଋଷିମାନେ ଜାଗ୍ରତ ହେବା ପରେ ଯଜ୍ଞ କଳସକୁ ଜଳଶୂନ୍ୟ ଦେଖି ପଚାରିଲେ, ‘ଏହା କାହାର କାମ ଅଟେ? ପୁତ୍ର ଉତ୍ପନ୍ନକାରୀ ଜଳ କିଏ ପାନ କଲା ?’
ରାଜ୍ଞା ପୀତଂ
ବିଦିତ୍ୱାଥ ଈଶ୍ୱରପ୍ରହିତେନ ତେ ।
ଈଶ୍ୱରାୟ
ନମଶ୍ଚକ୍ରୁରହୋ ଦୈବବଲଂ ବଲମ୍ ॥ ୨୯॥
ଶେଷରେ ସେମାନେ
ଯେତେବେଳେ ଜାଣିବାକୁ ପାଇଲେ ଯେ ଭଗବାନଙ୍କ ପ୍ରେରଣାରେ ରାଜା ଯୁବନାଶ୍ବ ହିଁ ସେହି ଜଳ ପାନ
କରିଛନ୍ତି, ସେତେବେଳେ ସେମାନେ
ଭଗବାନଙ୍କ ଚରଣରେ ନତମସ୍ତକ ହୋଇ କହିଲେ – ଧନ୍ୟ ଧନ୍ୟ | ଭଗବାନଙ୍କର ବଳ ହିଁ ବାସ୍ତବ ବଳ ଅଟେ |
ତତଃ କାଲ
ଉପାବୃତ୍ତେ କୁକ୍ଷିଂ ନିର୍ଭିଦ୍ୟ ଦକ୍ଷିଣମ୍ ।
ଯୁବନାଶ୍ୱସ୍ୟ
ତନୟଶ୍ଚକ୍ରବର୍ତୀ ଜଜାନ ହ ॥ ୩୦॥
ଏହାପରେ ପ୍ରସବ ସମୟ
ଆଗତ ହୁଅନ୍ତେ, ଯୁବନାଶ୍ବଙ୍କର ଦକ୍ଷିଣ କୋଳକୁ ଚିରି ସେଥିରୁ ଏକ ଚକ୍ରବର୍ତ୍ତୀ ପୁତ୍ର ଉତ୍ପନ୍ନ
ହେଲା |
କଂ ଧାସ୍ୟତି
କୁମାରୋଽୟଂ ସ୍ତନ୍ୟଂ ରୋରୂୟତେ ଭୃଶମ୍ ।
ମାଂ ଧାତା ବତ୍ସ ମା
ରୋଦୀରିତୀନ୍ଦ୍ରୋ ଦେଶିନୀମଦାତ୍ ॥ ୩୧॥
ଜନ୍ମ ହେବା ପରେ ସେ
କାନ୍ଦିବା ଦେଖି ଋଷିମାନେ କହିଲେ – ‘ଏହି ବାଳକ ଦୁଗ୍ଧପାନ କରିବା ନିମନ୍ତେ ବ୍ୟାକୁଳ ହୋଇ
କ୍ରନ୍ଦନ କରୁଛି; ତେଣୁ ଇଏ କାହାର ଦୁଗ୍ଧ ପାନ
କରିବ ?’ ସେତେବେଳେ ଇନ୍ଦ୍ର କହିଲେ, “ମୋର ପିଇବ | (
ମାଂ ଧାତା ) ପୁତ୍ର ! ତୁମେ କ୍ରନ୍ଦନ କରନାହିଁ “ – ଏହିପରି କହି ଇନ୍ଦ୍ର ନିଜର ତର୍ଜନୀ
ଅଙ୍ଗୁଳିକୁ ବାଳକର ମୁଖରେ ଦେଲେ |
ନ ମମାର ପିତା ତସ୍ୟ
ବିପ୍ରଦେବପ୍ରସାଦତଃ ।
ଯୁବନାଶ୍ୱୋଽଥ
ତତ୍ରୈବ ତପସା ସିଦ୍ଧିମନ୍ୱଗାତ୍ ॥ ୩୨॥
ବ୍ରାହ୍ମଣ ଏବଂ
ଦେବତାଙ୍କ ପ୍ରସାଦରୁ ସେହି ବାଳକର ପିତା ଯୁବନାଶ୍ବଙ୍କର ମୃତ୍ୟୁ ହେଲା ନାହିଁ | ସେ ସେହି ବନରେ
ତପସ୍ୟା କରି ମୁକ୍ତ ହୋଇଗଲେ |
ତ୍ରସଦ୍ଦସ୍ୟୁରିତୀନ୍ଦ୍ରୋଽଙ୍ଗ
ବିଦଧେ ନାମ ଯସ୍ୟ ବୈ ।
ଯସ୍ମାତ୍ତ୍ରସନ୍ତି
ହ୍ୟୁଦ୍ୱିଗ୍ନା ଦସ୍ୟବୋ ରାବଣାଦୟଃ ॥ ୩୩॥
ପରୀକ୍ଷିତ !
ଇନ୍ଦ୍ର ସେହି ବାଳକର ନାମ ତ୍ରସଦ୍ୟସ୍ୟୁ ରଖିଲେ, କାରଣ ରାବଣ ଆଦି
ବଡ ବଡ ଦସ୍ୟୁ ତାଙ୍କ ପ୍ରତି ଉଦ୍ବିଗ୍ନ ଏବଂ ଭୟଭୀତ ରହୁଥିଲେ |
ଯୌବନାଶ୍ୱୋଽଥ
ମାନ୍ଧାତା ଚକ୍ରବର୍ତ୍ୟବନୀଂ ପ୍ରଭୁଃ ।
ସପ୍ତଦ୍ୱୀପବତୀମେକଃ
ଶଶାସାଚ୍ୟୁତତେଜସା ॥ ୩୪॥
ଯୁବନାଶ୍ବଙ୍କର
ପୁତ୍ର ମାନ୍ଧାତା (ତ୍ରସଦ୍ୟସ୍ୟୁ) ଚକ୍ରବର୍ତ୍ତୀ ସମ୍ରାଟ ହେଲେ | ଭଗବାନଙ୍କ ତେଜରେ ତେଜସ୍ବୀ
ହୋଇ ସେ ଏକାକୀ ହିଁ ସପ୍ତଦ୍ବୀପବିଶିଷ୍ଟ ପୃଥିବୀର ଶାସନ କଲେ |
ଈଜେ ଚ ଯଜ୍ଞଂ
କ୍ରତୁଭିରାତ୍ମବିଦ୍ଭୂରିଦକ୍ଷିଣୈଃ ।
ସର୍ୱଦେବମୟଂ ଦେବଂ
ସର୍ୱାତ୍ମକମତୀନ୍ଦ୍ରିୟମ୍ ॥ ୩୫॥
ଯଦିଓ ସେ
ଆତ୍ମଜ୍ଞାନୀ ଥିଲେ – ତାଙ୍କ ପାଇଁ କୌଣସି କର୍ମକାଣ୍ଡ କରିବାର ଆବଶ୍ୟକତା ନ ଥିଲା – ତଥାପି ସେ
ବଡ-ବଡ ଦକ୍ଷିଣାଯୁକ୍ତ ଯଜ୍ଞ ଦ୍ବାରା ଭଗବାନ ଯଜ୍ଞପୁରୁଷଙ୍କର ଆରାଧନା କରିଥିଲେ, ଯିଏ ସ୍ବୟଂପ୍ରକାଶ, ସର୍ବଦେବସ୍ବରୂପ, ସର୍ବାତ୍ମା ଏବଂ
ଇନ୍ଦ୍ରିୟାତୀତ ଅଟନ୍ତି |
ଦ୍ରବ୍ୟଂ ମନ୍ତ୍ରୋ
ବିଧିର୍ୟଜ୍ଞୋ ଯଜମାନସ୍ତଥର୍ତ୍ୱିଜଃ ।
ଧର୍ମୋ ଦେଶଶ୍ଚ
କାଲଶ୍ଚ ସର୍ୱମେତଦ୍ୟଦାତ୍ମକମ୍ ॥ ୩୬॥
ଭଗବାନଙ୍କ
ଅତିରିକ୍ତ ଆଉ କ’ଣ ଅବା ଅଛି ? ଯଜ୍ଞର
ସାମଗ୍ରୀ, ମନ୍ତ୍ର, ବିଧି-ବିଧାନ, ଯଜ୍ଞ, ଯଜମାନ, ଋତ୍ବିଜ, ଧର୍ମ, ଦେଶ ଏବଂ କାଳ –
ସବୁକିଛି ଭଗବାନଙ୍କର ସ୍ବରୂପ ହିଁ ତ ଅଟେ |
ଯାବତ୍ସୂର୍ୟ ଉଦେତି
ସ୍ମ ଯାବଚ୍ଚ ପ୍ରତିତିଷ୍ଠତି ।
ସର୍ୱଂ
ତଦ୍ୟୌବନାଶ୍ୱସ୍ୟ ମାନ୍ଧାତୁଃ କ୍ଷେତ୍ରମୁଚ୍ୟତେ ॥ ୩୭॥
ପରୀକ୍ଷିତ !
ସୂର୍ଯ୍ୟ ଯେଉଁଠାରେ ଉଦୟ ହୁଅନ୍ତି ଏବଂ ଯେଉଁଠାରେ ସେ ଅସ୍ତ ଯାଆନ୍ତି, ତନ୍ମଧ୍ୟରେ ପରିବ୍ୟାପ୍ତ ସମ୍ପୂର୍ଣ୍ଣ ଭୂଭାଗ
ଯୁବନାଶ୍ବଙ୍କର ପୁତ୍ର ମାନ୍ଧାତାଙ୍କ ଅଧିକାରରେ ଥିଲା |
ଶଶବିନ୍ଦୋର୍ଦୁହିତରି
ବିନ୍ଦୁମତ୍ୟାମଧାନ୍ନୃପଃ ।
ପୁରୁକୁତ୍ସମମ୍ବରୀଷଂ
ମୁଚୁକୁନ୍ଦଂ ଚ ଯୋଗିନମ୍ ।
ତେଷାଂ ସ୍ୱସାରଃ
ପଞ୍ଚାଶତ୍ସୌଭରିଂ ବବ୍ରିରେ ପତିମ୍ ॥ ୩୮॥
ରାଜା
ମାନ୍ଧାତାଙ୍କର ପତ୍ନୀ ଶଶବିନ୍ଦୁଙ୍କର ପୁତ୍ରୀ ବିନ୍ଦୁମତୀ ଥିଲେ | ତାଙ୍କ ଗର୍ଭରୁ ତିନି ପୁତ୍ର
ଜାତ ହେଲେ – ପୁରୁକୁତ୍ସ, ଅମ୍ବରୀଷ (ଇଏ
ପୂର୍ବ ବର୍ଣ୍ଣିତ ରାଜା ଅମ୍ବରୀଷ ନୁହଁନ୍ତି) ଏବଂ ଯୋଗୀ ମୁଚୁକୁନ୍ଦ | ସେମାନଙ୍କର ପଚାଶ ଜଣ
ଭଗିନୀ ଥିଲେ | ସେହି ପଚାଶ କନ୍ୟା ଜଣେ ସୌଭରି ଋଷିଙ୍କୁ ପତି ରୂପେ ବରଣ କରିଥିଲେ |
ଯମୁନାନ୍ତର୍ଜଲେ
ମଗ୍ନସ୍ତପ୍ୟମାନଃ ପରଂ ତପଃ ।
ନିର୍ୱୃତିଂ
ମୀନରାଜସ୍ୟ ବୀକ୍ଷ୍ୟ ମୈଥୁନଧର୍ମିଣଃ ॥ ୩୯॥
ପରମ ତପସ୍ବୀ ସୌଭରି
ଏକଦା ଯମୁନାଜଳରେ ଅବଗାହନ କରି ତପସ୍ୟା କରୁଥିବା ସମୟରେ ଗୋଟିଏ ମତ୍ସ୍ୟରାଜକୁ ନିଜ
ପତ୍ନୀମାନଙ୍କ ସହିତ ସୁଖପୂର୍ବକ ବିହାର କରୁଥିବା ଦୃଶ୍ୟ ଦେଖିବାକୁ ପାଇଲେ |
ଜାତସ୍ପୃହୋ ନୃପଂ
ବିପ୍ରଃ କନ୍ୟାମେକାମୟାଚତ ।
ସୋଽପ୍ୟାହ
ଗୃହ୍ୟତାଂ ବ୍ରହ୍ମନ୍ କାମଂ କନ୍ୟା ସ୍ୱୟଂବରେ ॥ ୪୦॥
ସେମାନଙ୍କର ସେହି
ସୁଖବିହାର ଦେଖି ବ୍ରାହ୍ମଣ ସୌଭରିଙ୍କ ମନରେ ବିବାହ କରିବାର ଇଚ୍ଛା ଜାଗ୍ରତ ହେଲା ଏବଂ ସେ ରାଜା
ମାନ୍ଧାତାଙ୍କ ପାଖକୁ ଯାଇ ତାଙ୍କର ପଚାଶ କନ୍ୟା ମଧ୍ୟରୁ ଗୋଟିଏ କନ୍ୟା ମାଗିଲେ | ରାଜା କହିଲେ –
‘ବ୍ରହ୍ମନ୍ ! ସ୍ବୟମ୍ବରରେ ଯେଉଁ କନ୍ୟା ଆପଣଙ୍କୁ ବରଣ କରିବେ, ଆପଣ ତାଙ୍କୁ ନେଇଯିବେ |’
ସ
ବିଚିନ୍ତ୍ୟାପ୍ରିୟଂ ସ୍ତ୍ରୀଣାଂ ଜରଠୋଽୟମସନ୍ମତଃ ।
ବଲୀପଲିତ ଏଜତ୍କ
ଇତ୍ୟହଂ ପ୍ରତ୍ୟୁଦାହୃତଃ ॥ ୪୧॥
ରାଜା
ମାନ୍ଧାତାଙ୍କର ଅଭିପ୍ରାୟ ସୌଭରି ଋଷି ବୁଝିପାରିଲେ | ସେ ମନେ ମନେ ଭାବିଲେ – ‘ମୁଁ ଏବେ ବୁଢ଼ା
ହୋଇଯାଇଛି, ମୋର ଶରୀରର ଚର୍ମ ଗଳିତ ହୋଇଯାଇଛି, ବାଳ ପାଚି ଯାଇଛି ଏବଂ ମୁଣ୍ଡ ଥରୁଛି; ସେଥିପାଇଁ
ରାଜା ଏପରି ନିସ୍ପୃହ ଭାବରେ ମୋତେ ଉତ୍ତର ଦେଲେ, କାରଣ ସେ
ଜାଣିଛନ୍ତି କୌଣସି ସ୍ତ୍ରୀ ମୋତେ କେବେ ବି ବରଣ କରିବ ନାହିଁ |
ସାଧୟିଷ୍ୟେ
ତଥାଽଽତ୍ମାନଂ ସୁରସ୍ତ୍ରୀଣାମପୀପ୍ସିତମ୍ ।
କିଂ
ପୁନର୍ମନୁଜେନ୍ଦ୍ରାଣାମିତି ବ୍ୟବସିତଃ ପ୍ରଭୁଃ ॥ ୪୨॥
ଠିକ୍ ଅଛି | ଏବେ
ମୁଁ ନିଜକୁ ଏତେ ସୁନ୍ଦର କରିଦେବି ଯେ ରାଜକନ୍ୟା କ’ଣ, ଦେବାଙ୍ଗନାମାନେ ମଧ୍ୟ ମୋତେ ପ୍ରାପ୍ତ କରିବା ପାଇଁ
ଲାଳାୟିତ ହେବେ |’ – ଏପରି ଚିନ୍ତାକରି ସମର୍ଥ ସୌଭରି ନିଜକୁ ପରମ ସୁନ୍ଦର କରିଦେଲେ |
ମୁନିଃ ପ୍ରବେଶିତଃ
କ୍ଷତ୍ରା କନ୍ୟାନ୍ତଃପୁରମୃଦ୍ଧିମତ୍ ।
ବୃତଃ ସ
ରାଜକନ୍ୟାଭିରେକଃ ପଞ୍ଚାଶତା ବରଃ ॥ ୪୩॥
ଏହାପରେ କ’ଣ ହୁଅନ୍ତା, ଅନ୍ତଃପୁରର ରକ୍ଷକମାନେ ଯେତେବେଳେ ସୌଭରି
ମୁନିଙ୍କୁ କନ୍ୟାମାନଙ୍କର ସୁସଜ୍ଜିତ ମହଲକୁ ନେଇଗଲେ, ସେତେବେଳେ ପଚାଶ
ଜଣଯାକ ରାଜକନ୍ୟା ଜଣେ ସୌଭରିଙ୍କୁ ପତି ରୂପେ ବରଣ କରିନେଲେ |
ତାସାଂ
କଲିରଭୂଦ୍ଭୂୟାଂସ୍ତଦର୍ଥେଽପୋହ୍ୟ ସୌହୃଦମ୍ ।
ମମାନୁରୂପୋ ନାୟଂ ବ
ଇତି ତଦ୍ଗତଚେତସାମ୍ ॥ ୪୪॥
ସେହି
କନ୍ୟାମାନଙ୍କର ମନ ସୌଭରିଙ୍କ ପ୍ରତି ଏତେ ବେଶୀ ଆସକ୍ତ ହୋଇ ଯାଇଥିଲା ଯେ ସେମାନେ ପରସ୍ପର
ମଧ୍ୟରେ ଥିବା ପ୍ରେମଭାବକୁ ତିଳାଞ୍ଜଳି ଡେଇ ପରସ୍ପର କଳହ କରିବାରେ ଲାଗିଲେ – ‘ଇଏ ତୁମର ଯୋଗ୍ୟ
ନୁହନ୍ତି, ମୋର ଯୋଗ୍ୟ ଅଟନ୍ତି |’
ସ
ବହ୍ୱୃଚସ୍ତାଭିରପାରଣୀୟ-
ତପଃଶ୍ରିୟାନର୍ଘ୍ୟପରିଚ୍ଛଦେଷୁ
।
ଗୃହେଷୁ
ନାନୋପବନାମଲାମ୍ଭଃ-
ସରଃସୁ
ସୌଗନ୍ଧିକକାନନେଷୁ ॥ ୪୫॥
ମହାର୍ହଶୟ୍ୟାସନବସ୍ତ୍ରଭୂଷଣ-
ସ୍ନାନାନୁଲେପାଭ୍ୟବହାରମାଲ୍ୟକୈଃ
।
ସ୍ୱଲଙ୍କୃତସ୍ତ୍ରୀପୁରୁଷେଷୁ
ନିତ୍ୟଦା
ରେମେଽନୁଗାୟଦ୍ଦ୍ୱିଜଭୃଙ୍ଗବନ୍ଦିଷୁ
॥ ୪୬॥
ଋକବେଦୀ ସୌଭରି
ସମସ୍ତଙ୍କର ପାଣିଗ୍ରହଣ କଲେ | ନିଜ ଅପାର ତପସ୍ୟାର ପ୍ରଭାବରେ ସେ ବହୁମୂଲ୍ୟ ସାମଗ୍ରୀରେ
ସୁସଜ୍ଜିତ, ଅନେକ ଉପବନ ଏବଂ ନିର୍ମଳ ଜଳ
ପରିପୂର୍ଣ୍ଣ ସରୋବର-ଯୁକ୍ତ ଏବଂ ସୌଗନ୍ଧିକ ପୁଷ୍ପମଣ୍ଡିତ ବଗିଚାରେ ପରିବେଷ୍ଟିତ ମହଲରେ
ବହୁମୂଲ୍ୟ ଶଯ୍ୟା, ଆସନ, ବସ୍ତ୍ର, ଆଭୂଷଣ, ସ୍ନାନ-ଅନୁଲେପନ, ସୁସ୍ବାଦୁ ଭୋଜନ
ଏବଂ ପୁଷ୍ପମାଳା ଦ୍ବାରା ନିଜ ପତ୍ନୀମାନଙ୍କ ସହିତ ବିହାର କରିବାରେ ଲାଗିଲେ | ସୁନ୍ଦର ସୁନ୍ଦର
ବସ୍ତ୍ରାଭୂଷଣ ଧାରଣ କରିଥିବା ସ୍ତ୍ରୀ-ପୁରୁଷ ସର୍ବଦା ତାଙ୍କର ସେବାରେ ନିଯୁକ୍ତ ରହିଥିଲେ |
କେଉଁଠାରେ ପକ୍ଷୀମାନେ କଳରବ କରୁଥିଲେ ତ କେଉଁଠାରେ ଭ୍ରମରମାନେ ଗୁଞ୍ଜରଣ କରୁଥିଲେ ଏବଂ ଅନ୍ୟ
କେଉଁଠାରେ ବନ୍ଦୀଜନ ତାଙ୍କର ବିରଦାବଳୀ ଗାନ କରୁଥିଲେ |
ଯଦ୍ଗାର୍ହସ୍ଥ୍ୟଂ
ତୁ ସଂବୀକ୍ଷ୍ୟ ସପ୍ତଦ୍ୱୀପବତୀପତିଃ ।
ବିସ୍ମିତଃ
ସ୍ତମ୍ଭମଜହାତ୍ସାର୍ୱଭୌମଶ୍ରିୟାନ୍ୱିତମ୍ ॥ ୪୭॥
ସପ୍ତଦ୍ବୀପବତୀ
ପୃଥିବୀର ସ୍ବାମୀ ମାନ୍ଧାତା ସୌଭରି ଋଷିଙ୍କର ଏହି ଗୃହସ୍ଥ ଜୀବନର ସୁଖକୁ ଦେଖି ଆଶ୍ଚର୍ଯ୍ୟଚକିତ
ହୋଇଗଲେ | ‘ମୁଁ ସାର୍ବଭୌମ ସମ୍ପତ୍ତିର ସ୍ବାମୀ ଅଟେ’ – ତାଙ୍କର ଏହି
ଯେଉଁ ଗର୍ବ ଥିଲା, ତାହା ଭାଙ୍ଗିଗଲା |
ଏବଂ ଗୃହେଷ୍ୱଭିରତୋ
ବିଷୟାନ୍ ବିବିଧୈଃ ସୁଖୈଃ ।
ସେବମାନୋ ନ
ଚାତୁଷ୍ୟଦାଜ୍ୟସ୍ତୋକୈରିବାନଲଃ ॥ ୪୮॥
ଏଣେ ସୌଭରି ଋଷି
ନିଜ ଗୃହସ୍ଥ ଜୀବନର ସୁଖରେ ବିଭୋର ରହିଲେ ଏବଂ ନିଜର ସ୍ବସ୍ଥ ଇନ୍ଦ୍ରିୟ ଦ୍ବାରା ଅନେକାନେକ
ବିଷୟର ସେବନ କରିବାରେ ଲାଗିଲେ |
ସ କଦାଚିଦୁପାସୀନ
ଆତ୍ମାପହ୍ନବମାତ୍ମନଃ ।
ଦଦର୍ଶ
ବହ୍ୱୃଚାଚାର୍ୟୋ ମୀନସଙ୍ଗସମୁତ୍ଥିତମ୍ ॥ ୪୯॥
ଦିନେ
ଋଗବେଦାଚାର୍ଯ୍ୟ ସୌଭରି ଋଷି ସ୍ବସ୍ଥ ଚିତ୍ତରେ ଏକାନ୍ତରେ ବସି ବିଚାର କରି ଦେଖିଲେ, କିପରି ଭାବରେ ମତ୍ସ୍ୟରାଜର କ୍ଷଣିକ ସଙ୍ଗର ଫଳସ୍ବରୂପ
ସେ ନିଜର ତପସ୍ୟା ଏବଂ ନିଜର ସଂଯମ ହରାଇ ବସିଲେ |
ଅହୋ ଇମଂ ପଶ୍ୟତ ମେ
ବିନାଶଂ
ତପସ୍ୱିନଃ
ସଚ୍ଚରିତବ୍ରତସ୍ୟ ।
ଅନ୍ତର୍ଜଲେ
ବାରିଚରପ୍ରସଙ୍ଗା-
ତ୍ପ୍ରଚ୍ୟାବିତଂ
ବ୍ରହ୍ମ ଚିରଂ ଧୃତଂ ଯତ୍ ॥ ୫୦॥
ସେ ଭାବିଲେ – ଆରେ
! ମୁଁ ତ ବହୁତ ବଡ ତପସ୍ବୀ ଥିଲି | ନିଷ୍ଠାପୂର୍ବକ ମୁଁ ମୋ ବ୍ରତର ଉତ୍ତମ ଅନୁଷ୍ଠାନ ମଧ୍ୟ
କରିଥିଲି | ଅଥଚ ମୋର ଅଧଃପତନକୁ ଦେଖ ! ଦୀର୍ଘକାଳ ମୁଁ ନିଜର ବ୍ରହ୍ମତେଜ ଅକ୍ଷୁର୍ଣ୍ଣ ରଖିଥିଲି, କିନ୍ତୁ ଜଳ ଗର୍ଭରେ ସାମାନ୍ୟ ଏକ ମତ୍ସ୍ୟର ବିହାରକୁ
ଦେଖି, ସେହି କୁସଙ୍ଗର ପ୍ରଭାବରେ ମୋର ବ୍ରହ୍ମତେଜ ନଷ୍ଟ
ହୋଇଗଲା |
ସଙ୍ଗଂ ତ୍ୟଜେତ
ମିଥୁନବ୍ରତିନାଂ ମୁମୁକ୍ଷୁଃ
ସର୍ୱାତ୍ମନା ନ
ବିସୃଜେଦ୍ବହିରିନ୍ଦ୍ରିୟାଣି ।
ଏକଶ୍ଚରନ୍ ରହସି
ଚିତ୍ତମନନ୍ତ ଈଶେ
ଯୁଞ୍ଜୀତ
ତଦ୍ୱ୍ରତିଷୁ ସାଧୁଷୁ ଚେତ୍ପ୍ରସଙ୍ଗଃ ॥ ୫୧॥
ତେଣୁ ମୋକ୍ଷକାମୀ
ପୁରୁଷ ବିଷୟଭୋଗୀ ପ୍ରାଣୀଙ୍କର ସଙ୍ଗ ସର୍ବତୋ ଭାବରେ ତ୍ୟାଗ କରିବା ଉଚିତ୍ | କ୍ଷଣକ ପାଇଁ ମଧ୍ୟ
ଇନ୍ଦ୍ରିୟମାନଙ୍କୁ ବହିର୍ମୁଖୀ ହେବାକୁ ଛାଡିବା ଅନୁଚିତ୍ | ଏକାକୀ ରହିବେ ଏବଂ ଏକାନ୍ତରେ ନିଜର
ଚିତ୍ତକୁ ସର୍ବଶକ୍ତିମାନ୍ ଭଗବାନଙ୍କଠାରେ ହିଁ ସଂଲଗ୍ନ ରଖିବେ | ଯଦି କେବେ ସଙ୍ଗର ଆବଶ୍ୟକତା
ଅନୁଭବ ହୁଏ, ତେବେ ଭଗବାନଙ୍କର
ଅନନ୍ୟପ୍ରେମୀ ମହାତ୍ମାମାନଙ୍କର ହିଁ ସଙ୍ଗ କରିବେ |
ଏକସ୍ତପସ୍ୱ୍ୟହମଥାମ୍ଭସି
ମତ୍ସ୍ୟସଙ୍ଗା-
ତ୍ପଞ୍ଚାଶଦାସମୁତ
ପଞ୍ଚସହସ୍ରସର୍ଗଃ ।
ନାନ୍ତଂ
ବ୍ରଜାମ୍ୟୁଭୟକୃତ୍ୟମନୋରଥାନାଂ
ମାୟାଗୁଣୈର୍ହୃତମତିର୍ୱିଷୟେଽର୍ଥଭାବଃ
॥ ୫୨॥
ପୂର୍ବରୁ ମୁଁ
ଏକାନ୍ତରେ ଏକାକୀ ହିଁ ତପସ୍ୟାରେ ନିମଗ୍ନ ରହିଥିଲି | ପରେ ଜଳଗର୍ଭରେ ମତ୍ସ୍ୟର ସଂସର୍ଗ ଲାଭ
କରିବାର ପରିଣାମ ସ୍ବରୂପ ବିବାହ ଇଚ୍ଛାରେ ମୁଁ ଏକରୁ ପଚାଶ ହୋଇଗଲି ଏବଂ ତାପରେ ସନ୍ତାନ ରୂପରେ
ପାଞ୍ଚ ହଜାର ହୋଇଗଲି | ବିଷୟରେ ସତ୍ୟବୁଦ୍ଧି ହୋଇଯିବାରୁ ମାୟାର ଗୁଣ ମୋର ବୁଦ୍ଧି ହରଣ
କରିନେଲା | ଏବେ ତ ଲୋକ-ପରଲୋକକୁ ନେଇ ମୋର ମନ ଏତେ ମାତ୍ରାରେ ଲାଳସାଯୁକ୍ତ ହୋଇଯାଇଛି ଯେ ମୁଁ
କୌଣସି ଉପାୟରେ ସେଥିରୁ ମୁକ୍ତ ହୋଇପାରୁ ନାହିଁ |
ଏବଂ ବସନ୍ ଗୃହେ
କାଲଂ ବିରକ୍ତୋ ନ୍ୟାସମାସ୍ଥିତଃ ।
ବନଂ
ଜଗାମାନୁୟଯୁସ୍ତତ୍ପତ୍ନ୍ୟଃ ପତିଦେବତାଃ ॥ ୫୩॥
ଏହିପରି ବିଚାର କରି
ସୌଭରି କିଛି ଦିନପାଇଁ ତ ଗୃହସ୍ଥରେ ରହିଲେ; କିନ୍ତୁ ତାପରେ ବୈରାଗ୍ୟ ଧାରଣ କରି ସନ୍ୟାସ ଗ୍ରହଣ
କଲେ ଏବଂ ବନକୁ ଚାଲିଗଲେ | ପତିଙ୍କୁ ନିଜର ସର୍ବସ୍ବ ମନେ କରୁଥିବା ତାଙ୍କର ପତ୍ନୀମାନେ ମଧ୍ୟ
ତାଙ୍କ ସହିତ ବନକୁ ଯାତ୍ରା କଲେ |
ତତ୍ର ତପ୍ତ୍ୱା
ତପସ୍ତୀକ୍ଷ୍ଣମାତ୍ମଦର୍ଶନମାତ୍ମବାନ୍ ।
ସହୈବାଗ୍ନିଭିରାତ୍ମାନଂ
ଯୁୟୋଜ ପରମାତ୍ମନି ॥ ୫୪॥
ସେଠାକୁ ଯାଇ ପରମ
ସଂଯମୀ ସୌଭରି ଋଷି ଘୋର ତପସ୍ୟାରେ ମଗ୍ନ ରହିଲେ, ଶରୀରକୁ ଶୁଖାଇ ଦେଲେ ତଥା ଆହବନୀୟ ଆଦି ଅଗ୍ନି
ସହିତ ନିଜକୁ ପରମାତ୍ମାଙ୍କଠାରେ ଲୀନ କରିଦେଲେ |
ତାଃ
ସ୍ୱପତ୍ୟୁର୍ମହାରାଜ ନିରୀକ୍ଷ୍ୟାଧ୍ୟାତ୍ମିକୀଂ ଗତିମ୍ ।
ଅନ୍ୱୀୟୁସ୍ତତ୍ପ୍ରଭାବେଣ
ଅଗ୍ନିଂ ଶାନ୍ତମିବାର୍ଚିଷଃ ॥ ୫୫॥
ପରୀକ୍ଷିତ !
ତାଙ୍କର ପତ୍ନୀମାନେ ଯେତେବେଳେ ତାଙ୍କର ଏହି ଆଧ୍ୟାତ୍ମିକ ଗତିକୁ ଦେଖିଲେ, ସେତେବେଳେ ସେମାନେ ମଧ୍ୟ ଶାନ୍ତ ଅଗ୍ନିରେ ଶିଖାମାନେ
ଲୀନ ରହିବା ପରି, ତାଙ୍କ ପ୍ରଭାବରେ ସତୀ ହୋଇ
ତାଙ୍କ ମଧ୍ୟରେ ଲୀନ ହୋଇଗଲେ ଏବଂ ତାଙ୍କର ଗତି ପ୍ରାପ୍ତ କରିନେଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ସୌଭର୍ୟାଖ୍ୟାନେ ଷଷ୍ଠୋଽଧ୍ୟାୟଃ ॥ ୬॥
Comments
Post a Comment