ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ଷଷ୍ଠ ଅଧ୍ୟାୟ

ଈକ୍ଷାକୁଙ୍କ ବଂଶର ବର୍ଣ୍ଣନ, ମାନ୍ଧାତା ଏବଂ ସୌଭରି ଋଷିଙ୍କ କଥା

 

ଶ୍ରୀଶୁକ ଉବାଚ

ବିରୂପଃ କେତୁମାନ୍ ଶମ୍ଭୁରମ୍ବରୀଷସୁତାସ୍ତ୍ରୟଃ ।

ବିରୂପାତ୍ପୃଷଦଶ୍ୱୋଽଭୂତ୍ତତ୍ପୁତ୍ରସ୍ତୁ ରଥୀତରଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଅମ୍ବରୀଷଙ୍କର ତିନି ପୁତ୍ର ଥିଲେ – ବିରୂପ, କେତୁମାନ୍, ଏବଂ ଶମ୍ଭୁ | ବିରୂପଙ୍କଠାରୁ ପୃଷଦଶ୍ବ ଏବଂ ତାଙ୍କଠାରୁ ରଥୀତର ହେଲେ |

ରଥୀତରସ୍ୟାପ୍ରଜସ୍ୟ ଭାର୍ୟାୟାଂ ତନ୍ତବେଽର୍ଥିତଃ ।

ଅଙ୍ଗିରା ଜନୟାମାସ ବ୍ରହ୍ମବର୍ଚସ୍ୱିନଃ ସୁତାନ୍ ॥ ୨॥

ରଥୀତର ସନ୍ତାନହୀନ ଥିଲେ | ବଂଶରକ୍ଷା ନିମନ୍ତେ ସେ ଅଙ୍ଗିରା ଋଷିଙ୍କୁ ପ୍ରାର୍ଥନା କରିବାରୁ, ଅଙ୍ଗିରା ତାଙ୍କ ପତ୍ନୀଙ୍କଠାରୁ ବ୍ରହ୍ମତେଜରେ ସମ୍ପନ୍ନ ଅନେକ ପୁତ୍ର ଉତ୍ପନ୍ନ କଲେ |

ଏତେ କ୍ଷେତ୍ରେ ପ୍ରସୂତା ବୈ ପୁନସ୍ତ୍ୱାଙ୍ଗିରସାଃ ସ୍ମୃତାଃ ।

ରଥୀତରାଣାଂ ପ୍ରବରାଃ କ୍ଷତ୍ରୋପେତା ଦ୍ୱିଜାତୟଃ ॥ ୩॥

ଯଦିଓ ସେମାନେ ସମସ୍ତେ ରଥୀତରଙ୍କ ପତ୍ନୀଙ୍କଠାରୁ ଉତ୍ପନ୍ନ ହୋଇଥିଲେ, ସେଥିପାଇଁ ସେମାନଙ୍କର ଗୋତ୍ର ରଥୀତରଙ୍କ ଗୋତ୍ର ଅନୁସାରେ ହେବା ସମୀଚିନ ଥିଲା, ତଥାପି ସେମାନେ ଆଙ୍ଗିରସ ହିଁ ବୋଲାଇଲେ | ଏମାନେ ହିଁ ରଥୀତର କୁଳର ସର୍ବଶ୍ରେଷ୍ଠ ପୁରୁଷ ହେଲେ; କାରଣ ଏମାନେ କ୍ଷେତ୍ରୋପେତ ବ୍ରାହ୍ମଣ ଥିଲେ – କ୍ଷତ୍ରିୟ ଏବଂ ବ୍ରାହ୍ମଣ ଉଭୟ ଗୋତ୍ର ସହିତ ଏମାନଙ୍କର ସମ୍ବନ୍ଧ ଥିଲା |

କ୍ଷୁବତସ୍ତୁ ମନୋର୍ଜଜ୍ଞେ ଇକ୍ଷ୍ୱାକୁର୍ଘ୍ରାଣତଃ ସୁତଃ ।

ତସ୍ୟ ପୁତ୍ରଶତଜ୍ୟେଷ୍ଠା ବିକୁକ୍ଷିନିମିଦଣ୍ଡକାଃ ॥ ୪॥

ଏକଦା ମନୁଙ୍କର ଛିଙ୍କରୁ ତାଙ୍କ ନାସିକା ମଧ୍ୟ ଡେଇ ଈକ୍ଷାକୁ ନାମକ ପୁତ୍ର ଉତ୍ପନ୍ନ ହେଲା | ଈକ୍ଷାକୁଙ୍କର ଶହେ ପୁତ୍ର ଥିଲେ | ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠ ତିନି ପୁତ୍ର ଥିଲେ – ବିକୁକ୍ଷି, ନିମି ଏବଂ ଦଣ୍ଡକ |

ତେଷାଂ ପୁରସ୍ତାଦଭବନ୍ନାର୍ୟାବର୍ତେ ନୃପା ନୃପ ।

ପଞ୍ଚବିଂଶତିଃ ପଶ୍ଚାଚ୍ଚ ତ୍ରୟୋ ମଧ୍ୟେଽପରେଽନ୍ୟତଃ ॥ ୫॥

ପରୀକ୍ଷିତ ! ସେମାନଙ୍କଠାରୁ କନିଷ୍ଠ ପଚିଶ ପୁତ୍ର ଆର୍ଯ୍ୟାବର୍ତ୍ତ ପୂର୍ବଭାଗର, ଅନ୍ୟ ପଚିଶ ପୁତ୍ର ପଶ୍ଚିମଭାଗର ତଥା ସେହି ତିନିଜଣ ମଧ୍ୟଭାଗର ଅଧିପତି ହେଲେ | ଅବଶିଷ୍ଟ ସତଚାଳିଶ ଦକ୍ଷିଣ ଆଦି ଅନ୍ୟ ପ୍ରାନ୍ତର ଅଧିପତି ହେଲେ |

ସ ଏକଦାଷ୍ଟକାଶ୍ରାଦ୍ଧେ ଇକ୍ଷ୍ୱାକୁଃ ସୁତମାଦିଶତ୍ ।

ମାଂସମାନୀୟତାଂ ମେଧ୍ୟଂ ବିକୁକ୍ଷେ ଗଚ୍ଛ ମା ଚିରମ୍ ॥ ୬॥

ଥରେ ରାଜା ଈକ୍ଷାକୁ ଅଷ୍ଟକା-ଶ୍ରାଦ୍ଧ କରିବାକୁ ଯାଇ ନିଜ ଜ୍ୟେଷ୍ଠ ପୁତ୍ରଙ୍କୁ ଆଜ୍ଞା ଦେଲେ – ବିକୁକ୍ଷି ! ଅତି ଶୀଘ୍ର ଯାଇ ଶ୍ରାଦ୍ଧ-ଯୋଗ୍ୟ ପବିତ୍ର ପଶୁ-ମାଂସ ନେଇଆସ |

ତଥେତି ସ ବନଂ ଗତ୍ୱା ମୃଗାନ୍ ହତ୍ୱା କ୍ରିୟାର୍ହଣାନ୍ ।

ଶ୍ରାନ୍ତୋ ବୁଭୁକ୍ଷିତୋ ବୀରଃ ଶଶଂ ଚାଦଦପସ୍ମୃତିଃ ॥ ୭॥

‘ଠିକ୍ ଅଛି କହି ବିକୁକ୍ଷି ବନକୁ ଯାତ୍ରା କଲେ | ସେଠାରେ ସେ ଶ୍ରାଦ୍ଧ-ଯୋଗ୍ୟ ଅନେକ ପଶୁ ଶିକାର କଲେ | ଏହି କ୍ରମରେ ସେ ଅତି ବେଶୀ କ୍ଲାନ୍ତ ହୋଇ ଯାଇଥିଲେ, କ୍ଷୁଧା ମଧ୍ୟ ଅନୁଭବ କରୁଥିଲେ; ସେଥିପାଇଁ ତାଙ୍କର ଏହା ସ୍ମରଣ ରହିଲା ନାହିଁ ଯେ ଶ୍ରାଦ୍ଧ-ଯୋଗ୍ୟ ପଶୁର ମାଂସ ସ୍ବୟଂ ଭକ୍ଷଣ କରିବା ଅନୁଚିତ୍ | ସେ ଗୋଟିଏ ଠେକୁଆର ମାଂସ ଖାଇଦେଲେ |

ଶେଷଂ ନିବେଦୟାମାସ ପିତ୍ରେ ତେନ ଚ ତଦ୍ଗୁରୁଃ ।

ଚୋଦିତଃ ପ୍ରୋକ୍ଷଣାୟାହ ଦୁଷ୍ଟମେତଦକର୍ମକମ୍ ॥ ୮॥

ଅବଶିଷ୍ଟ ମାଂସକୁ ନେଇ ବିକୁକ୍ଷି ନିଜ ପିତାଙ୍କୁ ଦେଲେ | ଈକ୍ଷାକୁ ଯେତେବେଳେ ତାହାକୁ ପ୍ରୋକ୍ଷଣ କରିବା ପାଇଁ ନିଜ ଗୁରୁଙ୍କୁ କହିଲେ, ସମର୍ଥ ଗୁରୁଜୀ ସବୁ କଥା ଜାଣିପାରି କହିଲେ ଯେ ଏହି ମାଂସ ତ ଦୂଷିତ ଏବଂ ଶ୍ରାଦ୍ଧ ନିମନ୍ତେ ଅଯୋଗ୍ୟ ଅଟେ |

ଜ୍ଞାତ୍ୱା ପୁତ୍ରସ୍ୟ ତତ୍କର୍ମ ଗୁରୁଣାଭିହିତଂ ନୃପଃ ।

ଦେଶାନ୍ନିଃସାରୟାମାସ ସୁତଂ ତ୍ୟକ୍ତବିଧିଂ ରୁଷା ॥ ୯॥

ପରୀକ୍ଷିତ ! ଗୁରୁଜୀ ଏପରି କହିବା ପରେ ରାଜା ଈକ୍ଷାକୁ ନିଜ ପୁତ୍ରର ଦୁଷ୍କର୍ମ ବିଷୟରେ ଜାଣିନେଲେ | ଶାସ୍ତ୍ରୀୟ ବିଧି ଉଲ୍ଲଂଘନ କରିଥିବା ଅପରାଧରେ ସେ ନିଜର ସେହି ପୁତ୍ରଙ୍କୁ ଦେଶରୁ ବିତାଡିତ କରିଦେଲେ |

ସ ତୁ ବିପ୍ରେଣ ସଂବାଦଂ ଜାପକେନ ସମାଚରନ୍ ।

ତ୍ୟକ୍ତ୍ୱା କଲେବରଂ ଯୋଗୀ ସ ତେନାବାପ ଯତ୍ପରମ୍ ॥ ୧୦॥

ତଦନନ୍ତର ରାଜା ଈକ୍ଷାକୁ ନିଜ ଗୁରୁଦେବ ବସିଷ୍ଠ ମୁନିଙ୍କ ସହିତ ଜ୍ଞାନବିଷୟକ ଚର୍ଚ୍ଚା କଲେ | ତାପରେ ଯୋଗ ଦ୍ବାରା ନିଜ ଶରୀରକୁ ପରିତ୍ୟାଗ କରି ପରମ ପଦ ପ୍ରାପ୍ତ କଲେ |

ପିତର୍ୟୁପରତେଽଭ୍ୟେତ୍ୟ ବିକୁକ୍ଷିଃ ପୃଥିବୀମିମାମ୍ ।

ଶାସଦୀଜେ ହରିଂ ଯଜ୍ଞୈଃ ଶଶାଦ ଇତି ବିଶ୍ରୁତଃ ॥ ୧୧॥

ପିତାଙ୍କର ଦେହାନ୍ତ ପରେ ବିକୁକ୍ଷି ନିଜ ରାଜଧାନୀକୁ ଫେରି ଆସିଲେ ଏବଂ ଏହି ପୃଥିବୀର ଶାସନ କରିବାରେ ଲାଗିଲେ | ବଡ-ବଡ ଯଜ୍ଞ ଦ୍ବାରା ସେ ଭଗବାନଙ୍କର ଆରାଧନା କଲେ ଏବଂ ସଂସାରରେ ଶଶାଦ ନାମରେ ପ୍ରସିଦ୍ଧ ହେଲେ |

ପୁରଞ୍ଜୟସ୍ତସ୍ୟ ସୁତ ଇନ୍ଦ୍ରବାହ ଇତୀରିତଃ ।

କକୁତ୍ସ୍ଥ ଇତି ଚାପ୍ୟୁକ୍ତଃ ଶୃଣୁ ନାମାନି କର୍ମଭିଃ ॥ ୧୨॥

ବିକୁକ୍ଷିଙ୍କର ପୁତ୍ରର ନାମ ଥିଲା ପୁରଞ୍ଜୟ | ତାଙ୍କୁ ହିଁ କେହି କେହି ‘ଇନ୍ଦ୍ରବାହ, ଅନ୍ୟ କେହି କେହି ‘କକୁତ୍ଥ’ କହନ୍ତି | ଯେଉଁ କର୍ମ ଯୋଗୁଁ ସେ ଏପରି ନାମରେ ପରିଚିତ ଥିଲେ, ତାହା ଶୁଣ |

କୃତାନ୍ତ ଆସୀତ୍ସମରୋ ଦେବାନାଂ ସହ ଦାନବୈଃ ।

ପାର୍ଷ୍ଣିଗ୍ରାହୋ ବୃତୋ ବୀରୋ ଦେବୈର୍ଦୈତ୍ୟପରାଜିତୈଃ ॥ ୧୩॥

ସତ୍ୟଯୁଗର ଅନ୍ତରେ ଦେବତା ଓ ଦାନବଙ୍କ ମଧ୍ୟରେ ଘୋର ସଂଗ୍ରାମ ହୋଇଥିଲା | ସେଥିରେ ସବୁ ଦେବତା ଦୈତ୍ୟମାନଙ୍କଠାରୁ ହାରି ଗଲେ | ସେତେବେଳେ ସେମାନେ ସହାୟତା ଆଶାରେ ବୀର ପୁରଞ୍ଜୟଙ୍କ ସହିତ ମିତ୍ରତା କଲେ |

ବଚନାଦ୍ଦେବଦେବସ୍ୟ ବିଷ୍ଣୋର୍ୱିଶ୍ୱାତ୍ମନଃ ପ୍ରଭୋଃ ।

ବାହନତ୍ୱେ ବୃତସ୍ତସ୍ୟ ବଭୂବେନ୍ଦ୍ରୋ ମହାବୃଷଃ ॥ ୧୪॥

ପୁରଞ୍ଜୟ ସେଥିରେ ଶର୍ତ୍ତ ରଖିଲେ, ‘ଯଦି ଦେବରାଜ ଇନ୍ଦ୍ର ମୋର ବାହନ ହେବେ, ତେବେ ମୁଁ ଯୁଦ୍ଧ କରିବି |’ ପ୍ରଥମେ ତ ଇନ୍ଦ୍ର ତାହା ଅସ୍ବୀକାର କରିଦେଲେ, କିନ୍ତୁ ପରେ ଦେବତାମାନଙ୍କର ଆରାଧ୍ୟଦେବ ସର୍ବଶକ୍ତିମାନ ବିଶ୍ବାତ୍ମା ଭଗବାନଙ୍କର କଥା ମାନି ସେ ଏକ ବହୁତ ବଡ ବୃଷଭର ରୂପ ନେଲେ |

ସ ସନ୍ନଦ୍ଧୋ ଧନୁର୍ଦିବ୍ୟମାଦାୟ ବିଶିଖାଞ୍ଛିତାନ୍ ।

ସ୍ତୂୟମାନଃ ସମାରୁହ୍ୟ ଯୁୟୁତ୍ସୁଃ କକୁଦି ସ୍ଥିତଃ ॥ ୧୫॥

ତେଜସାଽଽପ୍ୟାୟିତୋ ବିଷ୍ଣୋଃ ପୁରୁଷସ୍ୟ ପରାତ୍ମନଃ ।

ପ୍ରତୀଚ୍ୟାଂ ଦିଶି ଦୈତ୍ୟାନାଂ ନ୍ୟରୁଣତ୍ତ୍ରିଦଶୈଃ ପୁରମ୍ ॥ ୧୬॥

ସର୍ବାନ୍ତର୍ଯ୍ୟାମୀ ଭଗବାନ ବିଷ୍ଣୁ ନିଜ ଶକ୍ତିରେ ପୁରଞ୍ଜୟଙ୍କୁ ଶକ୍ତିସମ୍ପନ୍ନ କରି ଦେଇଥିଲେ | ସେ କବଚ ଧାରଣ କରି ହାତରେ ଦିବ୍ୟ ଧନୁ ଏବଂ ତୀକ୍ଷ୍ଣ ବାଣ ଗ୍ରହଣ କଲେ | ଏହାପରେ ସେ ବୃଷଭ ଉପରେ ଚଢି ତାର କକୁଦ ନିକଟରେ ବସିଲେ | ତାଙ୍କୁ ଏହିପରି ଭାବରେ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଦେଖି, ଦେବତାମାନେ ତାଙ୍କର ସ୍ତୁତି କରିବାରେ ଲାଗିଲେ | ଦେବତାମାନଙ୍କୁ ସଙ୍ଗରେ ନେଇ ସେ ପଶ୍ଚିମ ଦିଗରୁ ଦୈତ୍ୟମାନଙ୍କର ନଗରୀକୁ ଘେରାଉ କରିନେଲେ |

ତୈସ୍ତସ୍ୟ ଚାଭୂତ୍ପ୍ରଧନଂ ତୁମୁଲଂ ଲୋମହର୍ଷଣମ୍ ।

ଯମାୟ ଭଲ୍ଲୈରନୟଦ୍ଦୈତ୍ୟାନ୍ ଯେଽଭିୟଯୁର୍ମୃଧେ ॥ ୧୭॥

ବୀର ପୁରଞ୍ଜୟଙ୍କର ଦୈତ୍ୟମାନଙ୍କ ସହ ଅତ୍ୟନ୍ତ ରୋମାଞ୍ଚକାରୀ ଘୋର ସଂଗ୍ରାମ ହେଲା | ଯୁଦ୍ଧରେ ଯିଏ ବି ଦୈତ୍ୟ ତାଙ୍କ ସମ୍ମୁଖକୁ ଆସିଲେ, ପୁରଞ୍ଜୟ ତାଙ୍କ ପ୍ରତି ବାଣ ପ୍ରୟୋଗ କରି ତାଙ୍କୁ ଯମରାଜଙ୍କ ପାଖକୁ ପଠାଇ ଦେଲେ |

ତସ୍ୟେଷୁପାତାଭିମୁଖଂ ଯୁଗାନ୍ତାଗ୍ନିମିବୋଲ୍ବଣମ୍ ।

ବିସୃଜ୍ୟ ଦୁଦ୍ରୁବୁର୍ଦୈତ୍ୟା ହନ୍ୟମାନାଃ ସ୍ୱମାଲୟମ୍ ॥ ୧୮॥

ତାଙ୍କ ବାଣର ବର୍ଷା ପ୍ରଳୟକାଳୀନ ଜ୍ବଳନ୍ତ ଅଗ୍ନିବର୍ଷଣ ସଦୃଶ ଥିଲା | ଯିଏ ବି ତାହା ସମ୍ମୁଖକୁ ଆସୁଥିଲା, ଜଳି ଛିନ୍ନ-ଭିନ୍ନ ହୋଇ ଯାଉଥିଲା | ଦୈତ୍ୟମାନଙ୍କର ସାହସ ଲୋପ ପାଇବାରେ ଲାଗିଲା | ଭୟରେ ରଣଭୂମି ତ୍ୟାଗ କରି ସେମାନେ ନିଜ ନିଜ ଘର ଭିତରେ ଲୁଚି ରହିଲେ |

ଜିତ୍ୱା ପୁରଂ ଧନଂ ସର୍ୱଂ ସଶ୍ରୀକଂ ବଜ୍ରପାଣୟେ ।

ପ୍ରତ୍ୟଯଚ୍ଛତ୍ସ ରାଜର୍ଷିରିତି ନାମଭିରାହୃତଃ ॥ ୧୯॥

ପୁରଞ୍ଜୟ ସେମାନଙ୍କର ନଗର, ଧନ ଏବଂ ଐଶ୍ବର୍ଯ୍ୟ ଜୟ କରି ଇନ୍ଦ୍ରଙ୍କୁ ଦେଇଦେଲେ | ପୁର ଜୟ କରିଥିବା କାରଣରୁ ସେହି ରାଜର୍ଷିଙ୍କର ନାମକରଣ ‘ପୁରଞ୍ଜୟ ଭାବରେ କରାଗଲା | ଏତଦ୍ ବ୍ୟତିତ ଇନ୍ଦ୍ରଙ୍କୁ ନିଜର ବାହନ କରିଥିବାରୁ ତାଙ୍କୁ ‘ଇନ୍ଦ୍ରବାହ ଏବଂ ବୃଷଭର କକୁଦ ଉପରେ ବସି ଯୁଦ୍ଧ କରିଥିବାରୁ ତାଙ୍କୁ ‘କକୁତ୍ସ୍ଥ ମଧ୍ୟ କୁହାଯାଏ |

ପୁରଞ୍ଜୟସ୍ୟ ପୁତ୍ରୋଽଭୂଦନେନାସ୍ତତ୍ସୁତଃ ପୃଥୁଃ ।

ବିଶ୍ୱଗନ୍ଧିସ୍ତତଶ୍ଚନ୍ଦ୍ରୋ ଯୁବନାଶ୍ୱସ୍ତୁ ତତ୍ସୁତଃ ॥ ୨୦॥

ପୁରଞ୍ଜୟଙ୍କର ପୁତ୍ର ଥିଲେ ଅନେନା | ତାଙ୍କର ପୁତ୍ର ପୃଥୁ, ପୃଥୁଙ୍କର ପୁତ୍ର ବିଶ୍ବରନ୍ଧି, ତାଙ୍କର ପୁତ୍ର ଚନ୍ଦ୍ର ଏବଂ ଚନ୍ଦ୍ରଙ୍କର ପୁତ୍ର ଥିଲେ ଯୁବନାଶ୍ବ |

ଶ୍ରାବସ୍ତସ୍ତତ୍ସୁତୋ ଯେନ ଶ୍ରାବସ୍ତୀ ନିର୍ମମେ ପୁରୀ ।

ବୃହଦଶ୍ୱସ୍ତୁ ଶ୍ରାବସ୍ତିସ୍ତତଃ କୁବଲୟାଶ୍ୱକଃ ॥ ୨୧॥

ଯୁବନାଶ୍ବଙ୍କର ପୁତ୍ର ଥିଲେ ଶାବସ୍ତ, ଯିଏ ଶାବସ୍ତୀପୁରୀର ସ୍ଥାପନା କରିଥିଲେ | ଶାବସ୍ତଙ୍କଠାରୁ ବୃହଦଶ୍ବ ଏବଂ ବୃହଦଶ୍ବଙ୍କଠାରୁ କୁବଳାୟଶ୍ବ ହେଲେ |

ଯଃ ପ୍ରିୟାର୍ଥମୁତଙ୍କସ୍ୟ ଧୁନ୍ଧୁନାମାସୁରଂ ବଲୀ ।

ସୁତାନାମେକବିଂଶତ୍ୟା ସହସ୍ରୈରହନଦ୍ୱୃତଃ ॥ ୨୨॥

ସେ ବହୁତ ବଳବାନ ଥିଲେ | ଉତଙ୍କ ଋଷିଙ୍କୁ ପ୍ରସନ୍ନ କରିବା ପାଇଁ ସେ ନିଜର ଏକୋଇଶ ହଜାର ପୁତ୍ରଙ୍କୁ ସାଙ୍ଗରେ ନେଇ ଧୁନ୍ଧୁ ନାମକ ଦୈତ୍ୟ ସହିତ ଯୁଦ୍ଧ କରିଥିଲେ ଏବଂ ତାକୁ ବଧ କରିଥିଲେ |

ଧୁନ୍ଧୁମାର ଇତି ଖ୍ୟାତସ୍ତତ୍ସୁତାସ୍ତେ ଚ ଜଜ୍ୱଲୁଃ ।

ଧୁନ୍ଧୋର୍ମୁଖାଗ୍ନିନା ସର୍ୱେ ତ୍ରୟ ଏବାବଶେଷିତାଃ ॥ ୨୩॥

ସେହି କାରଣରୁ ସେ ଧୁନ୍ଧୁମାର ନାମରେ ଖ୍ୟାତ ହେଲେ | ଧୁନ୍ଧୁ ଦୈତ୍ୟର ମୁଖରୁ ନିର୍ଗତ ହେଉଥିବା ଅଗ୍ନିରେ ତାଙ୍କର କେବଳ ତିନି ପୁତ୍ରଙ୍କ ବ୍ୟତିତ ଅନ୍ୟ ସବୁ ପୁତ୍ର ଜଳି ଭସ୍ମ ହୋଇଗଲେ |

ଦୃଢାଶ୍ୱଃ କପିଲାଶ୍ୱଶ୍ଚ ଭଦ୍ରାଶ୍ୱ ଇତି ଭାରତ ।

ଦୃଢାଶ୍ୱପୁତ୍ରୋ ହର୍ୟଶ୍ୱୋ ନିକୁମ୍ଭସ୍ତତ୍ସୁତଃ ସ୍ମୃତଃ ॥ ୨୪॥

ପରୀକ୍ଷିତ ! ଜୀବିତ ରହିଥିବା ସେହି ତିନିଜଣ ପୁତ୍ର ଥିଲେ – ଦୃଢାଶ୍ବ, କପିଳାଶ୍ବ ଏବଂ ଭଦ୍ରାଶ୍ବ | ଦୃଢାଶ୍ବଙ୍କର ପୁତ୍ର ଥିଲେ ହର୍ୟଶ୍ବ ଏବଂ ତାଙ୍କର ପୁତ୍ର ଥିଲେ ନିକୁମ୍ଭ |

ବର୍ହଣାଶ୍ୱୋ ନିକୁମ୍ଭସ୍ୟ କୃଶାଶ୍ୱୋଽଥାସ୍ୟ ସେନଜିତ୍ ।

ଯୁବନାଶ୍ୱୋଽଭବତ୍ତସ୍ୟ ସୋଽନପତ୍ୟୋ ବନଂ ଗତଃ ॥ ୨୫॥

ଭାର୍ୟାଶତେନ ନିର୍ୱିଣ୍ଣ ଋଷୟୋଽସ୍ୟ କୃପାଲବଃ ।

ଇଷ୍ଟିଂ ସ୍ମ ବର୍ତୟାଞ୍ଚକ୍ରୁରୈନ୍ଦ୍ରୀଂ ତେ ସୁସମାହିତାଃ ॥ ୨୬॥

ନିକୁମ୍ଭଙ୍କର ପୁତ୍ର ଥିଲେ ବର୍ହଣାଶ୍ବ, ତାଙ୍କର ପୁତ୍ର କୃଶାଶ୍ବ, ତାଙ୍କର ପୁତ୍ର ସେନଜିତ୍ ଏବଂ ତାଙ୍କର ପୁତ୍ର ହେଲେ ଯୁବନାଶ୍ବ | ଯୁବନାଶ୍ବ ସନ୍ତାନହୀନ ଥିଲେ; ସେଥିପାଇଁ ଅତି ଦୁଃଖରେ ସେ ନିଜର ଏକ ଶହ ପତ୍ନୀଙ୍କ ସହିତ ବନକୁ ଚାଲିଗଲେ | ସେଠାରେ ଋଷିମାନେ ତାଙ୍କ ପ୍ରତି କୃପା କରିବାକୁ ଯାଇ ପୁତ୍ରପ୍ରାପ୍ତି ନିମନ୍ତେ ଯୁବନାଶ୍ବଙ୍କ ଦ୍ବାରା ଅତ୍ୟନ୍ତ ଏକାଗ୍ରତା ପୂର୍ବକ ଇନ୍ଦ୍ରଦେବତାଙ୍କର ଯଜ୍ଞ କରାଇଲେ |

ରାଜା ତଦ୍ୟଜ୍ଞସଦନଂ ପ୍ରବିଷ୍ଟୋ ନିଶି ତର୍ଷିତଃ ।

ଦୃଷ୍ଟ୍ୱା ଶୟାନାନ୍ ବିପ୍ରାଂସ୍ତାନ୍ ପପୌ ମନ୍ତ୍ରଜଲଂ ସ୍ୱୟମ୍ ॥ ୨୭॥

ଦିନେ ରାତିରେ ରାଜା ଯୁବନାଶ୍ବ ଅତ୍ୟଧିକ ତୃଷା ଅନୁଭବ କରିବାରୁ ଜଳ ଆଶାରେ ଯଜ୍ଞଶାଳକୁ ଗଲେ | ସେଠାକୁ ଯାଇ ସେ ଯେତେବେଳେ ଦେଖିଲେ ଯେ ସବୁ ଋଷିମାନେ ଶୋଇ ଯାଇଛନ୍ତି, ସେତେବେଳେ ଜଳ ପ୍ରାପ୍ତ କରିବାର କୌଣସି ଉପାୟ ନ ଦେଖି ସେ ଯଜ୍ଞର ଅଭିମନ୍ତ୍ରିତ ଜଳକୁ ହିଁ ପାନ କରିନେଲେ |

ଉତ୍ଥିତାସ୍ତେ ନିଶାମ୍ୟାଥ ବ୍ୟୁଦକଂ କଲଶଂ ପ୍ରଭୋ ।

ପପ୍ରଚ୍ଛୁଃ କସ୍ୟ କର୍ମେଦଂ ପୀତଂ ପୁଂସବନଂ ଜଲମ୍ ॥ ୨୮॥

ପ୍ରାତଃ କାଳରେ ଋଷିମାନେ ଜାଗ୍ରତ ହେବା ପରେ ଯଜ୍ଞ କଳସକୁ ଜଳଶୂନ୍ୟ ଦେଖି ପଚାରିଲେ, ‘ଏହା କାହାର କାମ ଅଟେ? ପୁତ୍ର ଉତ୍ପନ୍ନକାରୀ ଜଳ କିଏ ପାନ କଲା ?’

ରାଜ୍ଞା ପୀତଂ ବିଦିତ୍ୱାଥ ଈଶ୍ୱରପ୍ରହିତେନ ତେ ।

ଈଶ୍ୱରାୟ ନମଶ୍ଚକ୍ରୁରହୋ ଦୈବବଲଂ ବଲମ୍ ॥ ୨୯॥

ଶେଷରେ ସେମାନେ ଯେତେବେଳେ ଜାଣିବାକୁ ପାଇଲେ ଯେ ଭଗବାନଙ୍କ ପ୍ରେରଣାରେ ରାଜା ଯୁବନାଶ୍ବ ହିଁ ସେହି ଜଳ ପାନ କରିଛନ୍ତି, ସେତେବେଳେ ସେମାନେ ଭଗବାନଙ୍କ ଚରଣରେ ନତମସ୍ତକ ହୋଇ କହିଲେ – ଧନ୍ୟ ଧନ୍ୟ | ଭଗବାନଙ୍କର ବଳ ହିଁ ବାସ୍ତବ ବଳ ଅଟେ |

ତତଃ କାଲ ଉପାବୃତ୍ତେ କୁକ୍ଷିଂ ନିର୍ଭିଦ୍ୟ ଦକ୍ଷିଣମ୍ ।

ଯୁବନାଶ୍ୱସ୍ୟ ତନୟଶ୍ଚକ୍ରବର୍ତୀ ଜଜାନ ହ ॥ ୩୦॥

ଏହାପରେ ପ୍ରସବ ସମୟ ଆଗତ ହୁଅନ୍ତେ, ଯୁବନାଶ୍ବଙ୍କର ଦକ୍ଷିଣ କୋଳକୁ ଚିରି ସେଥିରୁ ଏକ ଚକ୍ରବର୍ତ୍ତୀ ପୁତ୍ର ଉତ୍ପନ୍ନ ହେଲା |

କଂ ଧାସ୍ୟତି କୁମାରୋଽୟଂ ସ୍ତନ୍ୟଂ ରୋରୂୟତେ ଭୃଶମ୍ ।

ମାଂ ଧାତା ବତ୍ସ ମା ରୋଦୀରିତୀନ୍ଦ୍ରୋ ଦେଶିନୀମଦାତ୍ ॥ ୩୧॥

ଜନ୍ମ ହେବା ପରେ ସେ କାନ୍ଦିବା ଦେଖି ଋଷିମାନେ କହିଲେ – ‘ଏହି ବାଳକ ଦୁଗ୍ଧପାନ କରିବା ନିମନ୍ତେ ବ୍ୟାକୁଳ ହୋଇ କ୍ରନ୍ଦନ କରୁଛି; ତେଣୁ ଇଏ କାହାର ଦୁଗ୍ଧ ପାନ କରିବ ?’ ସେତେବେଳେ ଇନ୍ଦ୍ର କହିଲେ, “ମୋର ପିଇବ | ( ମାଂ ଧାତା ) ପୁତ୍ର ! ତୁମେ କ୍ରନ୍ଦନ କରନାହିଁ “ – ଏହିପରି କହି ଇନ୍ଦ୍ର ନିଜର ତର୍ଜନୀ ଅଙ୍ଗୁଳିକୁ ବାଳକର ମୁଖରେ ଦେଲେ |

ନ ମମାର ପିତା ତସ୍ୟ ବିପ୍ରଦେବପ୍ରସାଦତଃ ।

ଯୁବନାଶ୍ୱୋଽଥ ତତ୍ରୈବ ତପସା ସିଦ୍ଧିମନ୍ୱଗାତ୍ ॥ ୩୨॥

ବ୍ରାହ୍ମଣ ଏବଂ ଦେବତାଙ୍କ ପ୍ରସାଦରୁ ସେହି ବାଳକର ପିତା ଯୁବନାଶ୍ବଙ୍କର ମୃତ୍ୟୁ ହେଲା ନାହିଁ | ସେ ସେହି ବନରେ ତପସ୍ୟା କରି ମୁକ୍ତ ହୋଇଗଲେ |

ତ୍ରସଦ୍ଦସ୍ୟୁରିତୀନ୍ଦ୍ରୋଽଙ୍ଗ ବିଦଧେ ନାମ ଯସ୍ୟ ବୈ ।

ଯସ୍ମାତ୍ତ୍ରସନ୍ତି ହ୍ୟୁଦ୍ୱିଗ୍ନା ଦସ୍ୟବୋ ରାବଣାଦୟଃ ॥ ୩୩॥

ପରୀକ୍ଷିତ ! ଇନ୍ଦ୍ର ସେହି ବାଳକର ନାମ ତ୍ରସଦ୍ୟସ୍ୟୁ ରଖିଲେ, କାରଣ ରାବଣ ଆଦି ବଡ ବଡ ଦସ୍ୟୁ ତାଙ୍କ ପ୍ରତି ଉଦ୍ବିଗ୍ନ ଏବଂ ଭୟଭୀତ ରହୁଥିଲେ |

ଯୌବନାଶ୍ୱୋଽଥ ମାନ୍ଧାତା ଚକ୍ରବର୍ତ୍ୟବନୀଂ ପ୍ରଭୁଃ ।

ସପ୍ତଦ୍ୱୀପବତୀମେକଃ ଶଶାସାଚ୍ୟୁତତେଜସା ॥ ୩୪॥

ଯୁବନାଶ୍ବଙ୍କର ପୁତ୍ର ମାନ୍ଧାତା (ତ୍ରସଦ୍ୟସ୍ୟୁ) ଚକ୍ରବର୍ତ୍ତୀ ସମ୍ରାଟ ହେଲେ | ଭଗବାନଙ୍କ ତେଜରେ ତେଜସ୍ବୀ ହୋଇ ସେ ଏକାକୀ ହିଁ ସପ୍ତଦ୍ବୀପବିଶିଷ୍ଟ ପୃଥିବୀର ଶାସନ କଲେ |

ଈଜେ ଚ ଯଜ୍ଞଂ କ୍ରତୁଭିରାତ୍ମବିଦ୍ଭୂରିଦକ୍ଷିଣୈଃ ।

ସର୍ୱଦେବମୟଂ ଦେବଂ ସର୍ୱାତ୍ମକମତୀନ୍ଦ୍ରିୟମ୍ ॥ ୩୫॥

ଯଦିଓ ସେ ଆତ୍ମଜ୍ଞାନୀ ଥିଲେ – ତାଙ୍କ ପାଇଁ କୌଣସି କର୍ମକାଣ୍ଡ କରିବାର ଆବଶ୍ୟକତା ନ ଥିଲା – ତଥାପି ସେ ବଡ-ବଡ ଦକ୍ଷିଣାଯୁକ୍ତ ଯଜ୍ଞ ଦ୍ବାରା ଭଗବାନ ଯଜ୍ଞପୁରୁଷଙ୍କର ଆରାଧନା କରିଥିଲେ, ଯିଏ ସ୍ବୟଂପ୍ରକାଶ, ସର୍ବଦେବସ୍ବରୂପ, ସର୍ବାତ୍ମା ଏବଂ ଇନ୍ଦ୍ରିୟାତୀତ ଅଟନ୍ତି |

ଦ୍ରବ୍ୟଂ ମନ୍ତ୍ରୋ ବିଧିର୍ୟଜ୍ଞୋ ଯଜମାନସ୍ତଥର୍ତ୍ୱିଜଃ ।

ଧର୍ମୋ ଦେଶଶ୍ଚ କାଲଶ୍ଚ ସର୍ୱମେତଦ୍ୟଦାତ୍ମକମ୍ ॥ ୩୬॥

ଭଗବାନଙ୍କ ଅତିରିକ୍ତ ଆଉ କଣ ଅବା ଅଛି ? ଯଜ୍ଞର ସାମଗ୍ରୀ, ମନ୍ତ୍ର, ବିଧି-ବିଧାନ, ଯଜ୍ଞ, ଯଜମାନ, ଋତ୍ବିଜ, ଧର୍ମ, ଦେଶ ଏବଂ କାଳ – ସବୁକିଛି ଭଗବାନଙ୍କର ସ୍ବରୂପ ହିଁ ତ ଅଟେ |

ଯାବତ୍ସୂର୍ୟ ଉଦେତି ସ୍ମ ଯାବଚ୍ଚ ପ୍ରତିତିଷ୍ଠତି ।

ସର୍ୱଂ ତଦ୍ୟୌବନାଶ୍ୱସ୍ୟ ମାନ୍ଧାତୁଃ କ୍ଷେତ୍ରମୁଚ୍ୟତେ ॥ ୩୭॥

ପରୀକ୍ଷିତ ! ସୂର୍ଯ୍ୟ ଯେଉଁଠାରେ ଉଦୟ ହୁଅନ୍ତି ଏବଂ ଯେଉଁଠାରେ ସେ ଅସ୍ତ ଯାଆନ୍ତି, ତନ୍ମଧ୍ୟରେ ପରିବ୍ୟାପ୍ତ ସମ୍ପୂର୍ଣ୍ଣ ଭୂଭାଗ ଯୁବନାଶ୍ବଙ୍କର ପୁତ୍ର ମାନ୍ଧାତାଙ୍କ ଅଧିକାରରେ ଥିଲା |

ଶଶବିନ୍ଦୋର୍ଦୁହିତରି ବିନ୍ଦୁମତ୍ୟାମଧାନ୍ନୃପଃ ।

ପୁରୁକୁତ୍ସମମ୍ବରୀଷଂ ମୁଚୁକୁନ୍ଦଂ ଚ ଯୋଗିନମ୍ ।

ତେଷାଂ ସ୍ୱସାରଃ ପଞ୍ଚାଶତ୍ସୌଭରିଂ ବବ୍ରିରେ ପତିମ୍ ॥ ୩୮॥

ରାଜା ମାନ୍ଧାତାଙ୍କର ପତ୍ନୀ ଶଶବିନ୍ଦୁଙ୍କର ପୁତ୍ରୀ ବିନ୍ଦୁମତୀ ଥିଲେ | ତାଙ୍କ ଗର୍ଭରୁ ତିନି ପୁତ୍ର ଜାତ ହେଲେ – ପୁରୁକୁତ୍ସ, ଅମ୍ବରୀଷ (ଇଏ ପୂର୍ବ ବର୍ଣ୍ଣିତ ରାଜା ଅମ୍ବରୀଷ ନୁହଁନ୍ତି) ଏବଂ ଯୋଗୀ ମୁଚୁକୁନ୍ଦ | ସେମାନଙ୍କର ପଚାଶ ଜଣ ଭଗିନୀ ଥିଲେ | ସେହି ପଚାଶ କନ୍ୟା ଜଣେ ସୌଭରି ଋଷିଙ୍କୁ ପତି ରୂପେ ବରଣ କରିଥିଲେ |

ଯମୁନାନ୍ତର୍ଜଲେ ମଗ୍ନସ୍ତପ୍ୟମାନଃ ପରଂ ତପଃ ।

ନିର୍ୱୃତିଂ ମୀନରାଜସ୍ୟ ବୀକ୍ଷ୍ୟ ମୈଥୁନଧର୍ମିଣଃ ॥ ୩୯॥

ପରମ ତପସ୍ବୀ ସୌଭରି ଏକଦା ଯମୁନାଜଳରେ ଅବଗାହନ କରି ତପସ୍ୟା କରୁଥିବା ସମୟରେ ଗୋଟିଏ ମତ୍ସ୍ୟରାଜକୁ ନିଜ ପତ୍ନୀମାନଙ୍କ ସହିତ ସୁଖପୂର୍ବକ ବିହାର କରୁଥିବା ଦୃଶ୍ୟ ଦେଖିବାକୁ ପାଇଲେ |

ଜାତସ୍ପୃହୋ ନୃପଂ ବିପ୍ରଃ କନ୍ୟାମେକାମୟାଚତ ।

ସୋଽପ୍ୟାହ ଗୃହ୍ୟତାଂ ବ୍ରହ୍ମନ୍ କାମଂ କନ୍ୟା ସ୍ୱୟଂବରେ ॥ ୪୦॥

ସେମାନଙ୍କର ସେହି ସୁଖବିହାର ଦେଖି ବ୍ରାହ୍ମଣ ସୌଭରିଙ୍କ ମନରେ ବିବାହ କରିବାର ଇଚ୍ଛା ଜାଗ୍ରତ ହେଲା ଏବଂ ସେ ରାଜା ମାନ୍ଧାତାଙ୍କ ପାଖକୁ ଯାଇ ତାଙ୍କର ପଚାଶ କନ୍ୟା ମଧ୍ୟରୁ ଗୋଟିଏ କନ୍ୟା ମାଗିଲେ | ରାଜା କହିଲେ – ‘ବ୍ରହ୍ମନ୍ ! ସ୍ବୟମ୍ବରରେ ଯେଉଁ କନ୍ୟା ଆପଣଙ୍କୁ ବରଣ କରିବେ, ଆପଣ ତାଙ୍କୁ ନେଇଯିବେ |’

ସ ବିଚିନ୍ତ୍ୟାପ୍ରିୟଂ ସ୍ତ୍ରୀଣାଂ ଜରଠୋଽୟମସନ୍ମତଃ ।

ବଲୀପଲିତ ଏଜତ୍କ ଇତ୍ୟହଂ ପ୍ରତ୍ୟୁଦାହୃତଃ ॥ ୪୧॥

ରାଜା ମାନ୍ଧାତାଙ୍କର ଅଭିପ୍ରାୟ ସୌଭରି ଋଷି ବୁଝିପାରିଲେ | ସେ ମନେ ମନେ ଭାବିଲେ – ‘ମୁଁ ଏବେ ବୁଢ଼ା ହୋଇଯାଇଛି, ମୋର ଶରୀରର ଚର୍ମ ଗଳିତ ହୋଇଯାଇଛି, ବାଳ ପାଚି ଯାଇଛି ଏବଂ ମୁଣ୍ଡ ଥରୁଛି; ସେଥିପାଇଁ ରାଜା ଏପରି ନିସ୍ପୃହ ଭାବରେ ମୋତେ ଉତ୍ତର ଦେଲେ, କାରଣ ସେ ଜାଣିଛନ୍ତି କୌଣସି ସ୍ତ୍ରୀ ମୋତେ କେବେ ବି ବରଣ କରିବ ନାହିଁ |

ସାଧୟିଷ୍ୟେ ତଥାଽଽତ୍ମାନଂ ସୁରସ୍ତ୍ରୀଣାମପୀପ୍ସିତମ୍ ।

କିଂ ପୁନର୍ମନୁଜେନ୍ଦ୍ରାଣାମିତି ବ୍ୟବସିତଃ ପ୍ରଭୁଃ ॥ ୪୨॥

ଠିକ୍ ଅଛି | ଏବେ ମୁଁ ନିଜକୁ ଏତେ ସୁନ୍ଦର କରିଦେବି ଯେ ରାଜକନ୍ୟା କ, ଦେବାଙ୍ଗନାମାନେ ମଧ୍ୟ ମୋତେ ପ୍ରାପ୍ତ କରିବା ପାଇଁ ଲାଳାୟିତ ହେବେ |’ – ଏପରି ଚିନ୍ତାକରି ସମର୍ଥ ସୌଭରି ନିଜକୁ ପରମ ସୁନ୍ଦର କରିଦେଲେ |

ମୁନିଃ ପ୍ରବେଶିତଃ କ୍ଷତ୍ରା କନ୍ୟାନ୍ତଃପୁରମୃଦ୍ଧିମତ୍ ।

ବୃତଃ ସ ରାଜକନ୍ୟାଭିରେକଃ ପଞ୍ଚାଶତା ବରଃ ॥ ୪୩॥

ଏହାପରେ କଣ ହୁଅନ୍ତା, ଅନ୍ତଃପୁରର ରକ୍ଷକମାନେ ଯେତେବେଳେ ସୌଭରି ମୁନିଙ୍କୁ କନ୍ୟାମାନଙ୍କର ସୁସଜ୍ଜିତ ମହଲକୁ ନେଇଗଲେ, ସେତେବେଳେ ପଚାଶ ଜଣଯାକ ରାଜକନ୍ୟା ଜଣେ ସୌଭରିଙ୍କୁ ପତି ରୂପେ ବରଣ କରିନେଲେ |

ତାସାଂ କଲିରଭୂଦ୍ଭୂୟାଂସ୍ତଦର୍ଥେଽପୋହ୍ୟ ସୌହୃଦମ୍ ।

ମମାନୁରୂପୋ ନାୟଂ ବ ଇତି ତଦ୍ଗତଚେତସାମ୍ ॥ ୪୪॥

ସେହି କନ୍ୟାମାନଙ୍କର ମନ ସୌଭରିଙ୍କ ପ୍ରତି ଏତେ ବେଶୀ ଆସକ୍ତ ହୋଇ ଯାଇଥିଲା ଯେ ସେମାନେ ପରସ୍ପର ମଧ୍ୟରେ ଥିବା ପ୍ରେମଭାବକୁ ତିଳାଞ୍ଜଳି ଡେଇ ପରସ୍ପର କଳହ କରିବାରେ ଲାଗିଲେ – ‘ଇଏ ତୁମର ଯୋଗ୍ୟ ନୁହନ୍ତି, ମୋର ଯୋଗ୍ୟ ଅଟନ୍ତି |’

ସ ବହ୍ୱୃଚସ୍ତାଭିରପାରଣୀୟ-

ତପଃଶ୍ରିୟାନର୍ଘ୍ୟପରିଚ୍ଛଦେଷୁ ।

ଗୃହେଷୁ ନାନୋପବନାମଲାମ୍ଭଃ-

ସରଃସୁ ସୌଗନ୍ଧିକକାନନେଷୁ ॥ ୪୫॥

ମହାର୍ହଶୟ୍ୟାସନବସ୍ତ୍ରଭୂଷଣ-

ସ୍ନାନାନୁଲେପାଭ୍ୟବହାରମାଲ୍ୟକୈଃ ।

ସ୍ୱଲଙ୍କୃତସ୍ତ୍ରୀପୁରୁଷେଷୁ ନିତ୍ୟଦା

ରେମେଽନୁଗାୟଦ୍ଦ୍ୱିଜଭୃଙ୍ଗବନ୍ଦିଷୁ ॥ ୪୬॥

ଋକବେଦୀ ସୌଭରି ସମସ୍ତଙ୍କର ପାଣିଗ୍ରହଣ କଲେ | ନିଜ ଅପାର ତପସ୍ୟାର ପ୍ରଭାବରେ ସେ ବହୁମୂଲ୍ୟ ସାମଗ୍ରୀରେ ସୁସଜ୍ଜିତ, ଅନେକ ଉପବନ ଏବଂ ନିର୍ମଳ ଜଳ ପରିପୂର୍ଣ୍ଣ ସରୋବର-ଯୁକ୍ତ ଏବଂ ସୌଗନ୍ଧିକ ପୁଷ୍ପମଣ୍ଡିତ ବଗିଚାରେ ପରିବେଷ୍ଟିତ ମହଲରେ ବହୁମୂଲ୍ୟ ଶଯ୍ୟା, ଆସନ, ବସ୍ତ୍ର, ଆଭୂଷଣ, ସ୍ନାନ-ଅନୁଲେପନ, ସୁସ୍ବାଦୁ ଭୋଜନ ଏବଂ ପୁଷ୍ପମାଳା ଦ୍ବାରା ନିଜ ପତ୍ନୀମାନଙ୍କ ସହିତ ବିହାର କରିବାରେ ଲାଗିଲେ | ସୁନ୍ଦର ସୁନ୍ଦର ବସ୍ତ୍ରାଭୂଷଣ ଧାରଣ କରିଥିବା ସ୍ତ୍ରୀ-ପୁରୁଷ ସର୍ବଦା ତାଙ୍କର ସେବାରେ ନିଯୁକ୍ତ ରହିଥିଲେ | କେଉଁଠାରେ ପକ୍ଷୀମାନେ କଳରବ କରୁଥିଲେ ତ କେଉଁଠାରେ ଭ୍ରମରମାନେ ଗୁଞ୍ଜରଣ କରୁଥିଲେ ଏବଂ ଅନ୍ୟ କେଉଁଠାରେ ବନ୍ଦୀଜନ ତାଙ୍କର ବିରଦାବଳୀ ଗାନ କରୁଥିଲେ |

ଯଦ୍ଗାର୍ହସ୍ଥ୍ୟଂ ତୁ ସଂବୀକ୍ଷ୍ୟ ସପ୍ତଦ୍ୱୀପବତୀପତିଃ ।

ବିସ୍ମିତଃ ସ୍ତମ୍ଭମଜହାତ୍ସାର୍ୱଭୌମଶ୍ରିୟାନ୍ୱିତମ୍ ॥ ୪୭॥

ସପ୍ତଦ୍ବୀପବତୀ ପୃଥିବୀର ସ୍ବାମୀ ମାନ୍ଧାତା ସୌଭରି ଋଷିଙ୍କର ଏହି ଗୃହସ୍ଥ ଜୀବନର ସୁଖକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଗଲେ | ‘ମୁଁ ସାର୍ବଭୌମ ସମ୍ପତ୍ତିର ସ୍ବାମୀ ଅଟେ – ତାଙ୍କର ଏହି ଯେଉଁ ଗର୍ବ ଥିଲା, ତାହା ଭାଙ୍ଗିଗଲା |

ଏବଂ ଗୃହେଷ୍ୱଭିରତୋ ବିଷୟାନ୍ ବିବିଧୈଃ ସୁଖୈଃ ।

ସେବମାନୋ ନ ଚାତୁଷ୍ୟଦାଜ୍ୟସ୍ତୋକୈରିବାନଲଃ ॥ ୪୮॥

ଏଣେ ସୌଭରି ଋଷି ନିଜ ଗୃହସ୍ଥ ଜୀବନର ସୁଖରେ ବିଭୋର ରହିଲେ ଏବଂ ନିଜର ସ୍ବସ୍ଥ ଇନ୍ଦ୍ରିୟ ଦ୍ବାରା ଅନେକାନେକ ବିଷୟର ସେବନ କରିବାରେ ଲାଗିଲେ |

ସ କଦାଚିଦୁପାସୀନ ଆତ୍ମାପହ୍ନବମାତ୍ମନଃ ।

ଦଦର୍ଶ ବହ୍ୱୃଚାଚାର୍ୟୋ ମୀନସଙ୍ଗସମୁତ୍ଥିତମ୍ ॥ ୪୯॥

ଦିନେ ଋଗବେଦାଚାର୍ଯ୍ୟ ସୌଭରି ଋଷି ସ୍ବସ୍ଥ ଚିତ୍ତରେ ଏକାନ୍ତରେ ବସି ବିଚାର କରି ଦେଖିଲେ, କିପରି ଭାବରେ ମତ୍ସ୍ୟରାଜର କ୍ଷଣିକ ସଙ୍ଗର ଫଳସ୍ବରୂପ ସେ ନିଜର ତପସ୍ୟା ଏବଂ ନିଜର ସଂଯମ ହରାଇ ବସିଲେ |

ଅହୋ ଇମଂ ପଶ୍ୟତ ମେ ବିନାଶଂ

ତପସ୍ୱିନଃ ସଚ୍ଚରିତବ୍ରତସ୍ୟ ।

ଅନ୍ତର୍ଜଲେ ବାରିଚରପ୍ରସଙ୍ଗା-

ତ୍ପ୍ରଚ୍ୟାବିତଂ ବ୍ରହ୍ମ ଚିରଂ ଧୃତଂ ଯତ୍ ॥ ୫୦॥

ସେ ଭାବିଲେ – ଆରେ ! ମୁଁ ତ ବହୁତ ବଡ ତପସ୍ବୀ ଥିଲି | ନିଷ୍ଠାପୂର୍ବକ ମୁଁ ମୋ ବ୍ରତର ଉତ୍ତମ ଅନୁଷ୍ଠାନ ମଧ୍ୟ କରିଥିଲି | ଅଥଚ ମୋର ଅଧଃପତନକୁ ଦେଖ ! ଦୀର୍ଘକାଳ ମୁଁ ନିଜର ବ୍ରହ୍ମତେଜ ଅକ୍ଷୁର୍ଣ୍ଣ ରଖିଥିଲି, କିନ୍ତୁ ଜଳ ଗର୍ଭରେ ସାମାନ୍ୟ ଏକ ମତ୍ସ୍ୟର ବିହାରକୁ ଦେଖି, ସେହି କୁସଙ୍ଗର ପ୍ରଭାବରେ ମୋର ବ୍ରହ୍ମତେଜ ନଷ୍ଟ ହୋଇଗଲା |

ସଙ୍ଗଂ ତ୍ୟଜେତ ମିଥୁନବ୍ରତିନାଂ ମୁମୁକ୍ଷୁଃ

ସର୍ୱାତ୍ମନା ନ ବିସୃଜେଦ୍ବହିରିନ୍ଦ୍ରିୟାଣି ।

ଏକଶ୍ଚରନ୍ ରହସି ଚିତ୍ତମନନ୍ତ ଈଶେ

ଯୁଞ୍ଜୀତ ତଦ୍ୱ୍ରତିଷୁ ସାଧୁଷୁ ଚେତ୍ପ୍ରସଙ୍ଗଃ ॥ ୫୧॥

ତେଣୁ ମୋକ୍ଷକାମୀ ପୁରୁଷ ବିଷୟଭୋଗୀ ପ୍ରାଣୀଙ୍କର ସଙ୍ଗ ସର୍ବତୋ ଭାବରେ ତ୍ୟାଗ କରିବା ଉଚିତ୍ | କ୍ଷଣକ ପାଇଁ ମଧ୍ୟ ଇନ୍ଦ୍ରିୟମାନଙ୍କୁ ବହିର୍ମୁଖୀ ହେବାକୁ ଛାଡିବା ଅନୁଚିତ୍ | ଏକାକୀ ରହିବେ ଏବଂ ଏକାନ୍ତରେ ନିଜର ଚିତ୍ତକୁ ସର୍ବଶକ୍ତିମାନ୍ ଭଗବାନଙ୍କଠାରେ ହିଁ ସଂଲଗ୍ନ ରଖିବେ | ଯଦି କେବେ ସଙ୍ଗର ଆବଶ୍ୟକତା ଅନୁଭବ ହୁଏ, ତେବେ ଭଗବାନଙ୍କର ଅନନ୍ୟପ୍ରେମୀ ମହାତ୍ମାମାନଙ୍କର ହିଁ ସଙ୍ଗ କରିବେ |

ଏକସ୍ତପସ୍ୱ୍ୟହମଥାମ୍ଭସି ମତ୍ସ୍ୟସଙ୍ଗା-

ତ୍ପଞ୍ଚାଶଦାସମୁତ ପଞ୍ଚସହସ୍ରସର୍ଗଃ ।

ନାନ୍ତଂ ବ୍ରଜାମ୍ୟୁଭୟକୃତ୍ୟମନୋରଥାନାଂ

ମାୟାଗୁଣୈର୍ହୃତମତିର୍ୱିଷୟେଽର୍ଥଭାବଃ ॥ ୫୨॥

ପୂର୍ବରୁ ମୁଁ ଏକାନ୍ତରେ ଏକାକୀ ହିଁ ତପସ୍ୟାରେ ନିମଗ୍ନ ରହିଥିଲି | ପରେ ଜଳଗର୍ଭରେ ମତ୍ସ୍ୟର ସଂସର୍ଗ ଲାଭ କରିବାର ପରିଣାମ ସ୍ବରୂପ ବିବାହ ଇଚ୍ଛାରେ ମୁଁ ଏକରୁ ପଚାଶ ହୋଇଗଲି ଏବଂ ତାପରେ ସନ୍ତାନ ରୂପରେ ପାଞ୍ଚ ହଜାର ହୋଇଗଲି | ବିଷୟରେ ସତ୍ୟବୁଦ୍ଧି ହୋଇଯିବାରୁ ମାୟାର ଗୁଣ ମୋର ବୁଦ୍ଧି ହରଣ କରିନେଲା | ଏବେ ତ ଲୋକ-ପରଲୋକକୁ ନେଇ ମୋର ମନ ଏତେ ମାତ୍ରାରେ ଲାଳସାଯୁକ୍ତ ହୋଇଯାଇଛି ଯେ ମୁଁ କୌଣସି ଉପାୟରେ ସେଥିରୁ ମୁକ୍ତ ହୋଇପାରୁ ନାହିଁ |

ଏବଂ ବସନ୍ ଗୃହେ କାଲଂ ବିରକ୍ତୋ ନ୍ୟାସମାସ୍ଥିତଃ ।

ବନଂ ଜଗାମାନୁୟଯୁସ୍ତତ୍ପତ୍ନ୍ୟଃ ପତିଦେବତାଃ ॥ ୫୩॥

ଏହିପରି ବିଚାର କରି ସୌଭରି କିଛି ଦିନପାଇଁ ତ ଗୃହସ୍ଥରେ ରହିଲେ; କିନ୍ତୁ ତାପରେ ବୈରାଗ୍ୟ ଧାରଣ କରି ସନ୍ୟାସ ଗ୍ରହଣ କଲେ ଏବଂ ବନକୁ ଚାଲିଗଲେ | ପତିଙ୍କୁ ନିଜର ସର୍ବସ୍ବ ମନେ କରୁଥିବା ତାଙ୍କର ପତ୍ନୀମାନେ ମଧ୍ୟ ତାଙ୍କ ସହିତ ବନକୁ ଯାତ୍ରା କଲେ |

ତତ୍ର ତପ୍ତ୍ୱା ତପସ୍ତୀକ୍ଷ୍ଣମାତ୍ମଦର୍ଶନମାତ୍ମବାନ୍ ।

ସହୈବାଗ୍ନିଭିରାତ୍ମାନଂ ଯୁୟୋଜ ପରମାତ୍ମନି ॥ ୫୪॥

ସେଠାକୁ ଯାଇ ପରମ ସଂଯମୀ ସୌଭରି ଋଷି ଘୋର ତପସ୍ୟାରେ ମଗ୍ନ ରହିଲେ, ଶରୀରକୁ ଶୁଖାଇ ଦେଲେ ତଥା ଆହବନୀୟ ଆଦି ଅଗ୍ନି ସହିତ ନିଜକୁ ପରମାତ୍ମାଙ୍କଠାରେ ଲୀନ କରିଦେଲେ |

ତାଃ ସ୍ୱପତ୍ୟୁର୍ମହାରାଜ ନିରୀକ୍ଷ୍ୟାଧ୍ୟାତ୍ମିକୀଂ ଗତିମ୍ ।

ଅନ୍ୱୀୟୁସ୍ତତ୍ପ୍ରଭାବେଣ ଅଗ୍ନିଂ ଶାନ୍ତମିବାର୍ଚିଷଃ ॥ ୫୫॥

ପରୀକ୍ଷିତ ! ତାଙ୍କର ପତ୍ନୀମାନେ ଯେତେବେଳେ ତାଙ୍କର ଏହି ଆଧ୍ୟାତ୍ମିକ ଗତିକୁ ଦେଖିଲେ, ସେତେବେଳେ ସେମାନେ ମଧ୍ୟ ଶାନ୍ତ ଅଗ୍ନିରେ ଶିଖାମାନେ ଲୀନ ରହିବା ପରି, ତାଙ୍କ ପ୍ରଭାବରେ ସତୀ ହୋଇ ତାଙ୍କ ମଧ୍ୟରେ ଲୀନ ହୋଇଗଲେ ଏବଂ ତାଙ୍କର ଗତି ପ୍ରାପ୍ତ କରିନେଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ସୌଭର୍ୟାଖ୍ୟାନେ ଷଷ୍ଠୋଽଧ୍ୟାୟଃ ॥ ୬॥

 

Comments

Popular posts from this blog