ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ସପ୍ତମ ଅଧ୍ୟାୟ

ରାଜା ତ୍ରିଶଙ୍କୁ ଏବଂ ହରିଶ୍ଚନ୍ଦ୍ରଙ୍କ କଥା

 

ଶ୍ରୀଶୁକ ଉବାଚ

ମାନ୍ଧାତୁଃ ପୁତ୍ରପ୍ରବରୋ ଯୋଽମ୍ବରୀଷଃ ପ୍ରକୀର୍ତିତଃ ।

ପିତାମହେନ ପ୍ରବୃତୋ ଯୌବନାଶ୍ୱଶ୍ଚ ତତ୍ସୁତଃ ।

ହାରୀତସ୍ତସ୍ୟ ପୁତ୍ରୋଽଭୂନ୍ମାନ୍ଧାତୃପ୍ରବରା ଇମେ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମୁଁ ପୂର୍ବରୁ ଏହା ବର୍ଣ୍ଣନା କରିଛି ଯେ ମାନ୍ଧାତାଙ୍କର ପୁତ୍ରମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଥିଲେ ଅମ୍ବରୀଷ | ତାଙ୍କର ପିତାମହ ଯୁବନାଶ୍ବ ତାଙ୍କୁ ପୁତ୍ର ରୂପରେ ସ୍ବୀକାର କରି ନେଇଥିଲେ | ତାଙ୍କର ପୁତ୍ର ହେଲେ ଯୌବନାଶ୍ବ ଏବଂ ଯୌବନାଶ୍ବଙ୍କର ପୁତ୍ର ଥିଲେ ହାରୀତ | ମାନ୍ଧାତା ବଂଶରେ ଏମାନେ ତିନୋଟି ଅବାନ୍ତର ଗୋତ୍ରର ପ୍ରବର୍ତ୍ତକ ଥିଲେ |

ନର୍ମଦା ଭ୍ରାତୃଭିର୍ଦତ୍ତା ପୁରୁକୁତ୍ସାୟ ଯୋରଗୈଃ ।

ତୟା ରସାତଲଂ ନୀତୋ ଭୁଜଗେନ୍ଦ୍ରପ୍ରୟୁକ୍ତୟା ॥ ୨॥

ନାଗମାନେ ନିଜ ଭଗିନୀ ନର୍ମଦାଙ୍କର ବିବାହ ପୁରୁକୁତ୍ସଙ୍କ ସହ କରିଦେଲେ | ନାଗରାଜ ବାସୁକିଙ୍କ ଆଜ୍ଞାରେ ନର୍ମଦା ନିଜ ପତିଙ୍କୁ ରସାତଳକୁ ଘେନିଗଲେ |

ଗନ୍ଧର୍ୱାନବଧୀତ୍ତତ୍ର ବଧ୍ୟାନ୍ ବୈ ବିଷ୍ଣୁଶକ୍ତିଧୃକ୍ ।

ନାଗାଲ୍ଲବ୍ଧବରଃ ସର୍ପାଦଭୟଂ ସ୍ମରତାମିଦମ୍ ॥ ୩॥

ଭଗବାନଙ୍କ ଶକ୍ତିରେ ସମ୍ପନ୍ନ ହୋଇ ପୁରୁକୁତ୍ସ ସେଠାରେ ବଧଯୋଗ୍ୟ ଗନ୍ଧର୍ବମାନଙ୍କୁ ମାରିଦେଲେ | ଏଥିରେ ପ୍ରସନ୍ନ ହୋଇ ନାଗରାଜ ତାଙ୍କୁ ଏହି ବର ପ୍ରଦାନ କରିଥିଲେ ଯେ ଯିଏ ଏହି ପ୍ରସଙ୍ଗର ସ୍ମରଣ କରିବ, ସେ ସର୍ପମାନଙ୍କ ଭୟରୁ ମୁକ୍ତ ହୋଇଯିବ |

ତ୍ରସଦ୍ଦସ୍ୟୁଃ ପୌରୁକୁତ୍ସୋ ଯୋଽନରଣ୍ୟସ୍ୟ ଦେହକୃତ୍ ।

ହର୍ୟଶ୍ୱସ୍ତତ୍ସୁତସ୍ତସ୍ମାଦରୁଣୋଽଥ ତ୍ରିବନ୍ଧନଃ ॥ ୪॥

ରାଜା ପୁରୁକୁତ୍ସଙ୍କର ପୁତ୍ର ତ୍ରସଦ୍ୟସ୍ୟୁ ଥିଲେ | ତାଙ୍କର ପୁତ୍ର ଅନରଣ୍ୟ, ଅନରଣ୍ୟଙ୍କର ପୁତ୍ର ହର୍ୟଶ୍ବ, ତାଙ୍କର ପୁତ୍ର ଅରୁଣ ଏବଂ ଅରୁଣଙ୍କର ପୁତ୍ର ତ୍ରିବନ୍ଧନ ଥିଲେ |

ତସ୍ୟ ସତ୍ୟବ୍ରତଃ ପୁତ୍ରସ୍ତ୍ରିଶଙ୍କୁରିତି ବିଶ୍ରୁତଃ ।

ପ୍ରାପ୍ତଶ୍ଚାଣ୍ଡାଲତାଂ ଶାପାଦ୍ଗୁରୋଃ କୌଶିକତେଜସା ॥ ୫॥

ସଶରୀରୋ ଗତଃ ସ୍ୱର୍ଗମଦ୍ୟାପି ଦିବି ଦୃଶ୍ୟତେ ।

ପାତିତୋଽବାକ୍ଶିରା ଦେବୈସ୍ତେନୈବ ସ୍ତମ୍ଭିତୋ ବଲାତ୍ ॥ ୬॥

ତ୍ରିବନ୍ଧନଙ୍କର ପୁତ୍ର ଥିଲେ ସତ୍ୟବ୍ରତ, ଯିଏ ପରେ ତ୍ରିଶଙ୍କୁ ନାମରେ ବିଖ୍ୟାତ ହେଲେ | ତ୍ରିଶଙ୍କୁ ଯଦିଓ ନିଜ ପିତା ଏବଂ ଗୁରୁଙ୍କ ଅଭିଶାପରୁ ଚଣ୍ଡାଳ ହୋଇ ଯାଇଥିଲେ, ତଥାପି ବିଶ୍ବାମିତ୍ର ମୁନିଙ୍କ ପ୍ରଭାବରେ ସେ ସଶରୀରେ ସ୍ବର୍ଗକୁ ଯାଇଥିଲେ | ଦେବତାମାନେ ତାଙ୍କୁ ସେଠାରୁ ଠେଲି ଦେବାରୁ ସେ ନିମ୍ନମୁଖ ହୋଇ ତଳକୁ ଖସିବାରେ ଲାଗିଲେ, କିନ୍ତୁ ବିଶ୍ବାମିତ୍ର ତାଙ୍କୁ ନିଜ ତପୋବଳ ପ୍ରଭାବରେ ଆକାଶରେ ସ୍ଥିର କରିଦେଲେ | ଏବେ ବି ସେ ନିମ୍ନମୁଖ ହୋଇ ଆକାଶରେ ଝୁଲି ରହିଥିବା ଦେଖାଯାଏ |

ତ୍ରୈଶଙ୍କବୋ ହରିଶ୍ଚନ୍ଦ୍ରୋ ବିଶ୍ୱାମିତ୍ରବସିଷ୍ଠୟୋଃ ।

ଯନ୍ନିମିତ୍ତମଭୂଦ୍ୟୁଦ୍ଧଂ ପକ୍ଷିଣୋର୍ବହୁବାର୍ଷିକମ୍ ॥ ୭॥

ତ୍ରିଶଙ୍କୁଙ୍କର ପୁତ୍ର ଥିଲେ ହରିଶ୍ଚନ୍ଦ୍ର | ତାଙ୍କ ପାଇଁ ବିଶ୍ବାମିତ୍ର ଏବଂ ବସିଷ୍ଠ ପରସ୍ପରକୁ ଶାପ ଡେଇ ବହୁତ ବର୍ଷ ପକ୍ଷୀ ରୂପରେ କଳହରତ ରହିଲେ |

ସୋଽନପତ୍ୟୋ ବିଷଣ୍ଣାତ୍ମା ନାରଦସ୍ୟୋପଦେଶତଃ ।

ବରୁଣଂ ଶରଣଂ ଯାତଃ ପୁତ୍ରୋ ମେ ଜାୟତାଂ ପ୍ରଭୋ ॥ ୮॥

ହରିଶ୍ଚନ୍ଦ୍ରଙ୍କର କୌଣସି ସନ୍ତାନ ନ ଥିଲା ଏବଂ ସେହି କାରଣରୁ ସେ ବହୁତ ଉଦାସ ରହୁଥିଲେ | ଦେବର୍ଷି ନାରଦଙ୍କର ଉପଦେଶ କ୍ରମେ ସେ ବରୁଣଦେବଙ୍କର ଶରଣରେ ଗଲେ ଏବଂ ତାଙ୍କୁ ପ୍ରାର୍ଥନା କଲେ – ‘ପ୍ରଭୁ ! ମୋର ପୁତ୍ର ପ୍ରାପ୍ତି ହେଉ |

ଯଦି ବୀରୋ ମହାରାଜ ତେନୈବ ତ୍ୱାଂ ଯଜେ ଇତି ।

ତଥେତି ବରୁଣେନାସ୍ୟ ପୁତ୍ରୋ ଜାତସ୍ତୁ ରୋହିତଃ ॥ ୯॥

ପୁତ୍ର ପ୍ରାପ୍ତ ହେଲେ ସେହି ବୀର ପୁତ୍ର ଦ୍ବାରା ମୁଁ ଆପଣଙ୍କର ଯଜନ କରିବି’ | ବରୁଣ କହିଲେ – ‘ଠିକ୍ ଅଛି | ତତ୍ପଶ୍ଚାତ୍ ବରୁଣଙ୍କ କୃପାରୁ ତାଙ୍କୁ ରୋହିତ ନାମକ ପୁତ୍ର ପ୍ରାପ୍ତ ହେଲା |

ଜାତଃସୁତୋ ହ୍ୟନେନାଙ୍ଗ ମାଂ ଯଜସ୍ୱେତି ସୋଽବ୍ରବୀତ୍ ।

ଯଦା ପଶୁର୍ନିର୍ଦଶଃ ସ୍ୟାଦଥ ମେଧ୍ୟୋ ଭବେଦିତି ॥ ୧୦॥

ପୁତ୍ର ଜନ୍ମ ହେବା ପରେ ବରୁଣଦେବ ତାଙ୍କ ପାଖକୁ ଆସି କହିଲେ – ‘ହରିଶ୍ଚନ୍ଦ୍ର ! ତୁମକୁ ତ ପୁତ୍ର ପ୍ରାପ୍ତ ହେଲା | ଏବେ ଏହା ଦ୍ବାରା ମୋର ଯଜ୍ଞ କର |’ ହରିଶ୍ଚନ୍ଦ୍ର କହିଲେ – ‘ଆପଣଙ୍କର ଏହି ଯଜ୍ଞପଶୁ (ରୋହିତ) ଦଶ ଦିନରୁ ବଡ ହୋଇଯିବା ପରେ ଯଜ୍ଞର ଯୋଗ୍ୟ ହେବ |’

ନିର୍ଦଶେ ଚ ସ ଆଗତ୍ୟ ଯଜସ୍ୱେତ୍ୟାହ ସୋଽବ୍ରବୀତ୍ ।

ଦନ୍ତାଃ ପଶୋର୍ୟଜ୍ଜାୟେରନ୍ନଥ ମେଧ୍ୟୋ ଭବେଦିତି ॥ ୧୧॥

ଦଶ ଦିନ ବିତିଯିବା ପରେ ବରୁଣ ପୁଣି ଆସି କହିଲେ – ‘ଏବେ ମୋର ଯଜ୍ଞ କର |’ ହରିଶ୍ଚନ୍ଦ୍ର କହିଲେ – ‘ଯେତେବେଳେ ଆପଣଙ୍କ ଯଜ୍ଞପଶୁର ମୁହଁରେ ଦାନ୍ତ ଉଠିବ, ସେତେବେଳେ ସେ ଯଜ୍ଞର ଯୋଗ୍ୟ ହେବ |’

ଜାତା ଦନ୍ତା ଯଜସ୍ୱେତି ସ ପ୍ରତ୍ୟାହାଥ ସୋଽବ୍ରବୀତ୍ ।

ଯଦା ପତନ୍ତ୍ୟସ୍ୟ ଦନ୍ତା ଅଥ ମେଧ୍ୟୋ ଭବେଦିତି ॥ ୧୨॥

ଦାନ୍ତ ଉଠିବା ପରେ ବରୁଣ ଆସି କହିଲେ – ‘ଏବେ ତ ଏହାର ଦାନ୍ତ ଉଠିଲାଣି, ଏବେ ଯଜ୍ଞ କର’ | ହରିଶ୍ଚନ୍ଦ୍ର କହିଲେ, ‘ନା, ଏହାର ଦୁଧ ଦାନ୍ତ ଖସିବା ପରେ ଇଏ ଯଜ୍ଞ ନିମନ୍ତେ ଯୋଗ୍ୟ ହେବ’ |

ପଶୋର୍ନିପତିତା ଦନ୍ତା ଯଜସ୍ୱେତ୍ୟାହ ସୋଽବ୍ରବୀତ୍ ।

ଯଦା ପଶୋଃ ପୁନର୍ଦନ୍ତା ଜାୟନ୍ତେଽଥ ପଶୁଃ ଶୁଚିଃ ॥ ୧୩॥

ଦୁଧ ଦାନ୍ତ ଖସିବା ପରେ ପୁଣି ବରୁଣ ଆସି କହିଲେ, ‘ଏବେ ତ ଏହାର ଦୁଧ ଦାନ୍ତ ଖସିଗଲା, ମୋର ଯଜ୍ଞ କର | ହରିଶ୍ଚନ୍ଦ୍ର କହିଲେ, ‘ପୁନର୍ବାର ଏହାର ଦାନ୍ତ ଉଠିବା ପରେ ଇଏ ଯଜ୍ଞ ନିମନ୍ତେ ଯୋଗ୍ୟ ହେବ’ |

ପୁନର୍ଜାତା ଯଜସ୍ୱେତି ସ ପ୍ରତ୍ୟାହାଥ ସୋଽବ୍ରବୀତ୍ ।

ସାନ୍ନାହିକୋ ଯଦା ରାଜନ୍ ରାଜନ୍ୟୋଽଥ ପଶୁଃ ଶୁଚିଃ ॥ ୧୪॥

ପୁନର୍ବାର ଦାନ୍ତ ଉଠିବା ପରେ ବରୁଣ କହିଲେ, ‘ଏବେ ଯଜ୍ଞ କର | ହରିଶ୍ଚନ୍ଦ୍ର କହିଲେ, ‘ହେ ବରୁଣଦେବ ! କ୍ଷତ୍ରିୟ ସନ୍ତାନ କବଚ ଧାରଣ କରିବା ପରେ ହିଁ ଯଜ୍ଞପଶୁ ଭାବରେ ଯୋଗ୍ୟ ବିବେଚିତ ହୋଇଥାଏ’ |

ଇତି ପୁତ୍ରାନୁରାଗେଣ ସ୍ନେହୟନ୍ତ୍ରିତଚେତସା ।

କାଲଂ ବଞ୍ଚୟତା ତଂ ତମୁକ୍ତୋ ଦେବସ୍ତମୈକ୍ଷତ ॥ ୧୫॥

ପରୀକ୍ଷିତ ! ପୁତ୍ର ପ୍ରତି ତାଙ୍କର ପ୍ରେମ ଯୋଗୁଁ ରାଜା ହରିଶ୍ଚନ୍ଦ୍ର ଏହିପରି ଭାବରେ ଅନେକ ପ୍ରକାରର ବାହାନା ଦେଖାଇ ସମୟ ଟାଳିବାରେ ଲାଗିଲେ | ପୁତ୍ର-ସ୍ନେହର ରଜ୍ଜୁରେ ତାଙ୍କର ଚିତ୍ତ ବାନ୍ଧି ହୋଇ ଯାଇଥିଲା | ସେ ଯେଉଁ ଯେଉଁ ସମୟ ନିର୍ଦ୍ଦିଷ୍ଟ କରୁଥାଆନ୍ତି, ବରୁଣ ତାହାର ପ୍ରତୀକ୍ଷା କରୁଥାଆନ୍ତି |

ରୋହିତସ୍ତଦଭିଜ୍ଞାୟ ପିତୁଃ କର୍ମ ଚିକୀର୍ଷିତମ୍ ।

ପ୍ରାଣପ୍ରେପ୍ସୁର୍ଧନୁଷ୍ପାଣିରରଣ୍ୟଂ ପ୍ରତ୍ୟପଦ୍ୟତ ॥ ୧୬॥

ଇତିମଧ୍ୟରେ ରୋହିତ ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ତାଙ୍କର ପିତା ତାଙ୍କର ବଳିଦାନ କରିବାକୁ ସଂକଳ୍ପବଦ୍ଧ, ସେତେବେଳେ ନିଜର ପ୍ରାଣ ରକ୍ଷା କରିବାକୁ ସେ ହାତରେ ଧନୁ ଧରି ବନକୁ ଚାଲିଗଲେ |

ପିତରଂ ବରୁଣଗ୍ରସ୍ତଂ ଶ୍ରୁତ୍ୱା ଜାତମହୋଦରମ୍ ।

ରୋହିତୋ ଗ୍ରାମମେୟାୟ ତମିନ୍ଦ୍ରଃ ପ୍ରତ୍ୟଷେଧତ ॥ ୧୭॥

କିଛି ଦିନ ପରେ ସେ ଜାଣିବାକୁ ପାଇଲେ ଯେ ବରୁଣଦେବ ରୁଷ୍ଟ ହୋଇ ତାଙ୍କ ପିତାଙ୍କ ଉପରେ ଆକ୍ରମଣ କରିଛନ୍ତି ଏବଂ ସେହି କାରଣରୁ ତାଙ୍କର ପିତା ଏବେ ମହୋଦର ରୋଗରେ ପୀଡିତ | ରୋହିତ ବଣରୁ ନଗରକୁ ଫେରି ଆସିବାକୁ ମନସ୍ତ କଲେ | କିନ୍ତୁ ଇନ୍ଦ୍ର ତାଙ୍କୁ ସେପରି କରିବାକୁ ବାରଣ କଲେ |

ଭୂମେଃ ପର୍ୟଟନଂ ପୁଣ୍ୟଂ ତୀର୍ଥକ୍ଷେତ୍ରନିଷେବଣୈଃ ।

ରୋହିତାୟାଦିଶଚ୍ଛକ୍ରଃ ସୋଽପ୍ୟରଣ୍ୟେଽବସତ୍ସମାମ୍ ॥ ୧୮॥

ଇନ୍ଦ୍ର କହିଲେ – ‘ପୁତ୍ର ରୋହିତ ! ଯଜ୍ଞପଶୁ ଭାବରେ ମୃତ୍ୟୁବରଣ କରିବା ଅପେକ୍ଷା ପବିତ୍ର ତୀର୍ଥ ଏବଂ କ୍ଷେତ୍ରର ସେବନ କରି ପୃଥିବୀରେ ବିଚରଣ କରିବା ଶ୍ରେୟସ୍କର ଅଟେ’ | ଇନ୍ଦ୍ରଙ୍କର କଥା ମାନି ରୋହିତ ଆହୁରି ଏକ ବର୍ଷ ବଣରେ ରହିଲେ |

ଏବଂ ଦ୍ୱିତୀୟେ ତୃତୀୟେ ଚତୁର୍ଥେ ପଞ୍ଚମେ ତଥା ।

ଅଭ୍ୟେତ୍ୟାଭ୍ୟେତ୍ୟ ସ୍ଥବିରୋ ବିପ୍ରୋ ଭୂତ୍ୱାଽଽହ ବୃତ୍ରହା ॥ ୧୯॥

ଏହିପରି ଭାବରେ ଦ୍ବିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଷରେ ଯେତେବେଳେ ବି ରୋହିତ ତାଙ୍କ ପିତାଙ୍କ ପାଖକୁ ଫେରି ଯିବାକୁ ବିଚାର କଲେ, ବୁଢା ବ୍ରାହ୍ମଣର ବେଶ ଧାରଣ କରି ଇନ୍ଦ୍ର ପ୍ରତ୍ୟେକ ଥର ତାଙ୍କର ପଥରୋଧ କଲେ |

ଷଷ୍ଠଂ ସଂବତ୍ସରଂ ତତ୍ର ଚରିତ୍ୱା ରୋହିତଃ ପୁରୀମ୍ ।

ଉପବ୍ରଜନ୍ନଜୀଗର୍ତାଦକ୍ରୀଣାନ୍ମଧ୍ୟମଂ ସୁତମ୍ ॥ ୨୦॥

ଶୁନଃଶେଫଂ ପଶୁଂ ପିତ୍ରେ ପ୍ରଦାୟ ସମବନ୍ଦତ ।

ତତଃ ପୁରୁଷମେଧେନ ହରିଶ୍ଚନ୍ଦ୍ରୋ ମହାୟଶାଃ ॥ ୨୧॥

ମୁକ୍ତୋଦରୋଽୟଜଦ୍ଦେବାନ୍ ବରୁଣାଦୀନ୍ ମହତ୍କଥଃ ।

ବିଶ୍ୱାମିତ୍ରୋଽଭବତ୍ତସ୍ମିନ୍ ହୋତା ଚାଧ୍ୱର୍ୟୁରାତ୍ମବାନ୍ ॥ ୨୨॥

ଜମଦଗ୍ନିରଭୂଦ୍ବ୍ରହ୍ମା ବସିଷ୍ଠୋଽୟାସ୍ୟସାମଗଃ ।

ତସ୍ମୈ ତୁଷ୍ଟୋ ଦଦାବିନ୍ଦ୍ରଃ ଶାତକୌମ୍ଭମୟଂ ରଥମ୍ ॥ ୨୩॥

ଏହିପରି ଭାବରେ ଛଅ ବର୍ଷଯାଏଁ ରୋହିତ ବଣରେ ହିଁ ରହିଲେ | ସପ୍ତମ ବର୍ଷରେ ସେ ଯେତେବେଳେ ନଗରକୁ ଫେରିଲେ, ସେତେବେଳେ ସେ ଅଜୀଗର୍ତଙ୍କଠାରୁ ତାଙ୍କର ମଧ୍ୟମ ପୁତ୍ର ଶୁନଃଶେପକୁ କ୍ରୟ କରିନେଲେ ଏବଂ ତାକୁ ଯଜ୍ଞପଶୁ କରିବାକୁ ନିଜ ପିତାଙ୍କ ହସ୍ତରେ ଅର୍ପଣ କରି ପିତାଙ୍କ ଚରଣରେ ନମସ୍କାର କଲେ | ଏହାପରେ ପରମ ଯଶସ୍ବୀ ଏବଂ ଶ୍ରେଷ୍ଠ ଚରିତ୍ର ବିଭୂଷିତ ରାଜା ହରିଶ୍ଚନ୍ଦ୍ର ମହୋଦର ରୋଗରୁ ମୁକ୍ତ ହୋଇ ପୁରୁଷମେଧ ଯଜ୍ଞ ଦ୍ବାରା ବରୁଣ ଆଦି ଦେବତାଙ୍କର ଯଜନ କଲେ | ସେହି ଯଜ୍ଞରେ ବିଶ୍ବାମିତ୍ର ମୁନି ହୋତା ହେଲେ | ପରମ ସଂଯମୀ ଜମଦଗ୍ନି ଅଧ୍ବର୍ୟୁର କାମ କଲେ | ବସିଷ୍ଠ ବ୍ରହ୍ମା ହେଲେ ଏବଂ ଅୟାସ୍ୟ ମୁନି ସାମଗାନକାରୀ ଉଦଗାତା ହେଲେ | ସେହି ସମୟରେ ଇନ୍ଦ୍ର ପ୍ରସନ୍ନ ହୋଇ ହରିଶ୍ଚନ୍ଦ୍ରଙ୍କୁ ଏକ ସୁବର୍ଣ୍ଣ ରଥ ପ୍ରଦାନ କରିଥିଲେ |

ଶୁନଃଶେଫସ୍ୟ ମାହାତ୍ମ୍ୟମୁପରିଷ୍ଟାତ୍ପ୍ରଚକ୍ଷ୍ୟତେ ।

ସତ୍ୟସାରାଂ ଧୃତିଂ ଦୃଷ୍ଟ୍ୱା ସଭାର୍ୟସ୍ୟ ଚ ଭୂପତେଃ ॥ ୨୪॥

ବିଶ୍ୱାମିତ୍ରୋ ଭୃଶଂ ପ୍ରୀତୋ ଦଦାବବିହତାଂ ଗତିମ୍ ।

ମନଃ ପୃଥିବ୍ୟାଂ ତାମଦ୍ଭିସ୍ତେଜସାପୋଽନିଲେନ ତତ୍ ॥ ୨୫॥

ଖେ ବାୟୁଂ ଧାରୟଂସ୍ତଚ୍ଚ ଭୂତାଦୌ ତଂ ମହାତ୍ମନି ।

ତସ୍ମିନ୍ ଜ୍ଞାନକଲାଂ ଧ୍ୟାତ୍ୱା ତୟାଜ୍ଞାନଂ ବିନିର୍ଦହନ୍ ॥ ୨୬॥

ପରୀକ୍ଷିତ ! ଶୁନଃଶେପଙ୍କର ମାହାତ୍ମ୍ୟ ବିଷୟରେ ମୁଁ ଆଗକୁ ବର୍ଣ୍ଣନା କରିବି | ହରିଶ୍ଚନ୍ଦ୍ର ଏବଂ ତାଙ୍କ ପତ୍ନୀଙ୍କର ଦୃଢ ସତ୍ୟନିଷ୍ଠା ଦେଖି ବିଶ୍ବାମିତ୍ର ମୁନି ଅତ୍ୟନ୍ତ ପ୍ରସନ୍ନ ହେଲେ | ସେ ତାଙ୍କୁ ସେହି ଜ୍ଞାନର ଉପଦେଶ ଦେଇଥିଲେ, ଯାହା ଅବିନାଶୀ ଅଟେ | ତଦନୁଯାୟୀ ହରିଶ୍ଚନ୍ଦ୍ର ନିଜର ମନକୁ ପୃଥିବୀ ତତ୍ତ୍ବରେ, ପୃଥିବୀକୁ ଜଳରେ, ଜଳକୁ ତେଜରେ, ତେଜକୁ ବାୟୁରେ ଏବଂ ବାୟୁକୁ ଆକାଶରେ ସ୍ଥିର କଲେ | ଆକାଶକୁ ଅହଂକାରରେ ଲୀନ କରିବା ପରେ ଅହଂକାରକୁ ମହତ୍ତତ୍ତ୍ବରେ ଲୀନ କରି ତହିଁରେ ଜ୍ଞାନ-କଳାର ଧ୍ୟାନ କଲେ ଏବଂ ତଦ୍ବାରା ଅଜ୍ଞାନକୁ ଭସ୍ମ କରିଦେଲେ |

ହିତ୍ୱା ତାଂ ସ୍ୱେନ ଭାବେନ ନିର୍ୱାଣସୁଖସଂବିଦା ।

ଅନିର୍ଦେଶ୍ୟାପ୍ରତର୍କ୍ୟେଣ ତସ୍ଥୌ ବିଧ୍ୱସ୍ତବନ୍ଧନଃ ॥ ୨୭॥

ତଦନନ୍ତର ନିର୍ବାଣ-ସୁଖର ଅନୁଭୂତିରେ ସେହି ଜ୍ଞାନ-କଳାକୁ ମଧ୍ୟ ପରିତ୍ୟାଗ କରିଦେଲେ ଏବଂ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ସେ ନିଜର ସେହି ସ୍ବରୂପରେ ସ୍ଥିତ ହୋଇଗଲେ, ଯାହା ଅନିର୍ବଚନୀୟ ଅଟେ ଏବଂ ଯାହା ସମ୍ବନ୍ଧରେ କୌଣସି ପ୍ରକାରର ଅନୁମାନ ମଧ୍ୟ କରାଯାଇ ପାରେନାହିଁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ହରିଶ୍ଚନ୍ଦ୍ରୋପାଖ୍ୟାନଂ ନାମ ସପ୍ତମୋଽଧ୍ୟାୟଃ ॥ ୭॥

Comments

Popular posts from this blog