ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ଅଷ୍ଟମ ଅଧ୍ୟାୟ

ସଗର-ଚରିତ

 

ଶ୍ରୀଶୁକ ଉବାଚ

ହରିତୋ ରୋହିତସୁତଶ୍ଚମ୍ପସ୍ତସ୍ମାଦ୍ୱିନିର୍ମିତା ।

ଚମ୍ପାପୁରୀ ସୁଦେବୋଽତୋ ବିଜୟୋ ଯସ୍ୟ ଚାତ୍ମଜଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରୋହିତଙ୍କର ପୁତ୍ର ଥିଲେ ହରିତ | ହରିତଙ୍କଠାରୁ ଚମ୍ପ ହେଲେ, ଯିଏ ଚମ୍ପାପୁରୀ ସ୍ଥାପନ କରିଥିଲେ | ଚମ୍ପଙ୍କର ପୁତ୍ର ସୁଦେବ ଏବଂ ତାଙ୍କର ପୁତ୍ର ବିଜୟ ହେଲେ |

ଭରୁକସ୍ତତ୍ସୁତସ୍ତସ୍ମାଦ୍ୱୃକସ୍ତସ୍ୟାପି ବାହୁକଃ ।

ସୋଽରିଭିର୍ହୃତଭୂ ରାଜା ସଭାର୍ୟୋ ବନମାବିଶତ୍ ॥ ୨॥

ବିଜୟଙ୍କର ଭରୁକ, ଭରୁକଙ୍କର ବୃକ ଏବଂ ବୃକଙ୍କର ପୁତ୍ର ବାହୁକ ହେଲେ | ଶତ୍ରୁମାନେ ବାହୁକଙ୍କଠାରୁ ରାଜ୍ୟ ଛଡାଇ ନେଲେ; ସେଥିପାଇଁ ସେ ନିଜ ପତ୍ନୀଙ୍କ ସହ ବନକୁ ଚାଲିଗଲେ |

ବୃଦ୍ଧଂ ତଂ ପଞ୍ଚତାଂ ପ୍ରାପ୍ତଂ ମହିଷ୍ୟନୁମରିଷ୍ୟତୀ ।

ଔର୍ୱେଣ ଜାନତାଽଽତ୍ମାନଂ ପ୍ରଜାବନ୍ତଂ ନିବାରିତା ॥ ୩॥

ବଣରେ ଥିବା ସମୟରେ ବାର୍ଦ୍ଧକ୍ୟ ଯୋଗୁଁ ଯେତେବେଳେ ବାହୁକଙ୍କର ମୃତ୍ୟୁ ହେଲା, ସେତେବେଳେ ତାଙ୍କର ପତ୍ନୀ ମଧ୍ୟ ତାଙ୍କ ସହିତ ସତୀ ହେବାକୁ ଉଦ୍ୟତ ହେଲେ | କିନ୍ତୁ ସେ ଗର୍ଭବତୀ ଅଛନ୍ତି – ଏକଥା ମହର୍ଷି ଔର୍ଵଙ୍କୁ ଜଣାଥିଲା; ସେଥିପାଇଁ ସେ ତାଙ୍କୁ ସତୀ ହେବାକୁ ଡେଇ ନ ଥିଲେ |

ଆଜ୍ଞାୟାସ୍ୟୈ ସପତ୍ନୀଭିର୍ଗରୋ ଦତ୍ତୋଽନ୍ଧସା ସହ ।

ସହ ତେନୈବ ସଞ୍ଜାତଃ ସଗରାଖ୍ୟୋ ମହାୟଶାଃ ॥ ୪॥

ଏକଥା ଯେତେବେଳେ ବାହୁକଙ୍କର ଅନ୍ୟ ପତ୍ନୀମାନେ ଜାଣିବାକୁ ପାଇଲେ, ସେତେବେଳେ ସେମାନେ ତାଙ୍କ ଭୋଜନରେ ବିଷ ମିଶାଇ ଦେଲେ | କିନ୍ତୁ ଗର୍ଭସ୍ଥ ଶିଶୁ ଉପରେ ସେହି ବିଷର କୌଣସି ପ୍ରଭାବ ପଡିଲା ନାହିଁ | ସେହି ବିଷ ସହିତ ଏକ ବାଳକର ଜନ୍ମ ହେଲା ଏବଂ ବିଷ (ଗର) ସହିତ ଜନ୍ମ ଲାଭ କରିଥିବା କାରଣରୁ ତାଙ୍କର ନାମ ‘ସଗର ରହିଲା | ସଗର ମହାନ୍ ଯଶସ୍ବୀ ରାଜା ହେଲେ |

ସଗରଶ୍ଚକ୍ରବର୍ତ୍ୟାସୀତ୍ସାଗରୋ ଯତ୍ସୁତୈଃ କୃତଃ ।

ଯସ୍ତାଲଜଙ୍ଘାନ୍ ଯବନାଞ୍ଛକାନ୍ ହୈହୟବର୍ବରାନ୍ ॥ ୫॥

ନାବଧୀଦ୍ଗୁରୁବାକ୍ୟେନ ଚକ୍ରେ ବିକୃତବେଷିଣଃ ।

ମୁଣ୍ଡାନ୍ ଶ୍ମଶ୍ରୁଧରାନ୍ କାଂଶ୍ଚିନ୍ମୁକ୍ତକେଶାର୍ଧମୁଣ୍ଡିତାନ୍ ॥ ୬॥

ସଗର ଚକ୍ରବର୍ତ୍ତୀ ସମ୍ରାଟ୍ ଥିଲେ | ତାଙ୍କର ପୁତ୍ରମାନେ ପୃଥିବୀକୁ ଖୋଦନ କରି ସମୁଦ୍ରରେ ପରିଣତ କରି ଦେଇଥିଲେ | ସଗର ନିଜ ଗୁରୁଦେବ ଔର୍ଵଙ୍କର ଆଜ୍ଞା ଶିରୋଧାର୍ଯ୍ୟ କରି ତାଳଜଂଘ, ଯବନ, ଶକ, ହୈହୟ ଏବଂ ବର୍ବର ଜାତିର ଲୋକଙ୍କୁ ବଧ କରି ନ ଥିଲେ; ବରଂ ସେମାନଙ୍କୁ ବିରୂପ କରି ଦେଇଥିଲେ | କାହାକୁ ପୂରାପୂରି ଲଣ୍ଡା କରିଦେଇ ଥିଲେ ତ କାହାକୁ ଅଧା ଲଣ୍ଡା କରି ଛାଡି ଦେଇଥିଲେ ଏବଂ ଆଉ କାହାକୁ ଦାଢ଼ି-ନିଶ ସହିତ ବାଳ ଖୋଲା କରି ଛାଡି ଦେଇଥିଲେ |

ଅନନ୍ତର୍ୱାସସଃ କାଂଶ୍ଚିଦବହିର୍ୱାସସୋଽପରାନ୍ ।

ସୋଽଶ୍ୱମେଧୈରୟଜତ ସର୍ୱବେଦସୁରାତ୍ମକମ୍ ॥ ୭॥

ଔର୍ୱୋପଦିଷ୍ଟୟୋଗେନ ହରିମାତ୍ମାନମୀଶ୍ୱରମ୍ ।

ତସ୍ୟୋତ୍ସୃଷ୍ଟଂ ପଶୁଂ ଯଜ୍ଞେ ଜହାରାଶ୍ୱଂ ପୁରନ୍ଦରଃ ॥ ୮॥

କାହା-କାହାକୁ ସଗର ବସ୍ତ୍ର ପିନ୍ଧିବାକୁ ନୁହେଁ, କେବଳ ବସ୍ତ୍ରରେ ନିଜ ଶରୀରକୁ ଆବୃତ ରଖିବାକୁ ଆଦେଶ ଦେଇଥିଲେ | ଆଉ କାହାକୁ ଶରୀରକୁ ଆବୃତ ରଖିବାକୁ ମଧ୍ୟ ନୁହେଁ, କେବଳ କୌପୀନ ଧାରଣ କରିବାକୁ ଆଦେଶ ଦେଇଥିଲେ | ଏହାପରେ ରାଜା ସଗର ଔର୍ବ ଋଷିଙ୍କ ଉପଦେଶ ଅନୁସାରେ ଅଶ୍ବମେଧ ଯଜ୍ଞ ଦ୍ବାରା ସମ୍ପୂର୍ଣ୍ଣ ବେଦ ଏବଂ ଦେବତାମୟ, ଆତ୍ମସ୍ବରୂପ, ସର୍ବଶକ୍ତିମାନ ଭଗବାନଙ୍କର ଆରାଧନା କଲେ | ସେହି ଯଜ୍ଞରେ ଯେଉଁ ଅଶ୍ବ ଛଡା ଯାଇଥିଲା, ଇନ୍ଦ୍ର ତାହାକୁ ଚୋରାଇ ନେଲେ |

ସୁମତ୍ୟାସ୍ତନୟା ଦୃପ୍ତାଃ ପିତୁରାଦେଶକାରିଣଃ ।

ହୟମନ୍ୱେଷମାଣାସ୍ତେ ସମନ୍ତାନ୍ନ୍ୟଖନନ୍ ମହୀମ୍ ॥ ୯॥

ସେହି ସମୟରେ ମହାରାଣୀ ସୁମତିଙ୍କ ଗର୍ଭରୁ ଉତ୍ପନ୍ନ ସଗରଙ୍କର ପୁତ୍ରମାନେ ନିଜ ପିତାଙ୍କ ଆଜ୍ଞାନୁସାରେ ଘୋଡାର ଅନ୍ବେଷଣ କରିବାକୁ ଯାଇ ସମ୍ପୂର୍ଣ୍ଣ ପୃଥିବୀ ତନ୍ନତନ୍ନ କରି ଖୋଜି ଆସିଲେ | କେଉଁଠାରେ ଯେତେବେଳେ ସେମାନଙ୍କୁ ଘୋଡା ମିଳିଲା ନାହିଁ, ସେତେବେଳେ ସେମାନେ ଅତି ଉଦ୍ଧତ ଭାବରେ ସବୁ ଦିଗରୁ ପୃଥିବୀକୁ ଖୋଳିବାରେ ଲାଗିଲେ |

ପ୍ରାଗୁଦୀଚ୍ୟାଂ ଦିଶି ହୟଂ ଦଦୃଶୁଃ କପିଲାନ୍ତିକେ ।

ଏଷ ବାଜିହରଶ୍ଚୌର ଆସ୍ତେ ମୀଲିତଲୋଚନଃ ॥ ୧୦॥

ହନ୍ୟତାଂ ହନ୍ୟତାଂ ପାପ ଇତି ଷଷ୍ଟିସହସ୍ରିଣଃ ।

ଉଦାୟୁଧା ଅଭିୟଯୁରୁନ୍ମିମେଷ ତଦା ମୁନିଃ ॥ ୧୧॥

ଖୋଦନ କରୁ କରୁ ପୂର୍ବ ଏବଂ ଉତ୍ତର କୋଣରେ କପିଳମୁନିଙ୍କ ପାଖରେ ସେମାନେ ନିଜ ଘୋଡାକୁ ଦେଖିବାକୁ ପାଇଲେ | ଘୋଡାକୁ ଦେଖି ସେହି ଷାଠିଏ ହଜାର ରାଜକୁମାର ନିଜ-ନିଜର ଶସ୍ତ୍ର ଉଠାଇ ଏହା କହି ମୁନିଙ୍କ ଅଭିମୁଖରେ ଧାଇଁଗଲେ ଯେ – ‘ଆମ ଘୋଡା ଚୋରୀ କରିଥିବା ଚୋର ଇଏ ଅଟେ | ଦେଖ ତ, କିଛି ନ ଜାଣିବା ପରି ଇଏ କିପରି ଆଖି ବୁଜି ବସିଛି ! ଇଏ ପାପୀ ଅଟେ; ଏହାକୁ ମାର, ମାର’ | କପିଳମୁନିଙ୍କର ଆଖିର ପଲକ ଖୋଲିଗଲା |

ସ୍ୱଶରୀରାଗ୍ନିନା ତାବନ୍ମହେନ୍ଦ୍ରହୃତଚେତସଃ ।

ମହଦ୍ୱ୍ୟତିକ୍ରମହତା ଭସ୍ମସାଦଭବନ୍ କ୍ଷଣାତ୍ ॥ ୧୨॥

ଇନ୍ଦ୍ର ସେହି ରାଜକୁମାରମାନଙ୍କର ବୁଦ୍ଧି ହରଣ କରି ନେଇଥିଲେ; ସେଥିପାଇଁ ସେମାନେ କପିଳମୁନିଙ୍କ ପରି ମହାପୁରୁଷଙ୍କର ତିରସ୍କାର କରିଦେଲେ | ସେହି ତିରସ୍କାରର ପରିଣାମ ସ୍ବରୂପ ମୁନିଙ୍କ ଶରୀରରୁ ଯେଉଁ ଅଗ୍ନି ଉଦଗୀରଣ ହେଲା, ସେଥିରେ ଜଳି କ୍ଷଣକରେ ସବୁ ରାଜକୁମାର ଭସ୍ମ ହୋଇଗଲେ |

ନ ସାଧୁବାଦୋ ମୁନିକୋପଭର୍ଜିତା

ନୃପେନ୍ଦ୍ରପୁତ୍ରା ଇତି ସତ୍ତ୍ୱଧାମନି ।

କଥଂ ତମୋ ରୋଷମୟଂ ବିଭାବ୍ୟତେ

ଜଗତ୍ପବିତ୍ରାତ୍ମନି ଖେ ରଜୋ ଭୁବଃ ॥ ୧୩॥

ପରୀକ୍ଷିତ ! ସଗରଙ୍କର ପୁତ୍ରମାନେ କପିଳମୁନିଙ୍କର କ୍ରୋଧାଗ୍ନିରେ ଜଳି ଭସ୍ମ ହୋଇଗଲେ – ଏପରି କହିବା ସମୀଚିନ ହେବ ନାହିଁ | ସେ ତ ଶୁଦ୍ଧ ସତ୍ତ୍ବଗୁଣର ପରମ ଆଶ୍ରୟ ଅଟନ୍ତି | ତାଙ୍କର ଶରୀର ତ ଜଗତକୁ ପବିତ୍ର କରିଥାଏ | ତାଙ୍କଠାରେ ଭଲା କ୍ରୋଧରୂପ ତମୋଗୁଣର ପରିକଳ୍ପନା କିପରି କରାଯିବ ? ପୃଥିବୀର ଧୂଳିର ସମ୍ବନ୍ଧ ଆକାଶ ସହିତ କିପରି ହେବ ?

ଯସ୍ୟେରିତା ସାଙ୍ଖ୍ୟମୟୀ ଦୃଢେହ ନୌ-

ର୍ୟଯା ମୁମୁକ୍ଷୁସ୍ତରତେ ଦୁରତ୍ୟଯମ୍ ।

ଭବାର୍ଣବଂ ମୃତ୍ୟୁପଥଂ ବିପଶ୍ଚିତଃ

ପରାତ୍ମଭୂତସ୍ୟ କଥଂ ପୃଥଙ୍ମତିଃ ॥ ୧୪॥

ଏହି ସଂସାର-ସାଗର ଏକ ମୃତ୍ୟୁମୟ ପଥ ଅଟେ; ଏହାକୁ ପାର କରିବା ଅତ୍ୟନ୍ତ କଠିନ | କିନ୍ତୁ କପିଳମୁନି ଏହି ଜଗତରେ ସାଂଖ୍ୟଶାସ୍ତ୍ରରୂପୀ ଏପରି ଏକ ଦୃଢ ତରଣୀ ନିର୍ମାଣ କରିଛନ୍ତି, ଯାହାର ଆଶ୍ରୟ ଗ୍ରହଣ କରି ମୁକ୍ତିକାମୀ ଯେ କୌଣସି ବ୍ୟକ୍ତି ସେହି ସାଗରକୁ ଅକ୍ଲେଶରେ ଲଂଘନ କରିପାରିବ | ସେ କେବଳ ପରମ ଜ୍ଞାନୀ ନୁହଁନ୍ତି; ବରଂ ସ୍ବୟଂ ପରମାତ୍ମା ଅଟନ୍ତି | ତାଙ୍କଠାରେ ଭଲା ‘ଇଏ ଶତ୍ରୁ ଅଟେ, ଇଏ ମିତ୍ର ଅଟେ – ଏପରି ଭେଦବୁଦ୍ଧି କିପରି ସମ୍ଭବ ?

ଯୋଽସମଞ୍ଜସ ଇତ୍ୟୁକ୍ତଃ ସ କେଶିନ୍ୟା ନୃପାତ୍ମଜଃ ।

ତସ୍ୟ ପୁତ୍ରୋଂଽଶୁମାନ୍ ନାମ ପିତାମହହିତେ ରତଃ ॥ ୧୫॥

ସଗରଙ୍କର ଦ୍ବିତୀୟ ପତ୍ନୀଙ୍କର ନାମ ଥିଲା କେଶିନୀ | ତାଙ୍କ ଗର୍ଭରୁ ଅସମଞ୍ଜସ ନାମକ ଏକ ପୁତ୍ର ତାଙ୍କୁ ପ୍ରାପ୍ତ ହୋଇଥିଲା | ତାଙ୍କର ପୁତ୍ର ଅଂଶୁମାନ୍ ନିଜ ପିତାମହଙ୍କର ଆଜ୍ଞା ପାଳନ କରିବା ସହିତ ସଦା-ସର୍ବଦା ତାଙ୍କ ସେବାରେ ନିୟୋଜିତ ରହୁଥିଲା |

ଅସମଞ୍ଜସ ଆତ୍ମାନଂ ଦର୍ଶୟନ୍ନସମଞ୍ଜସମ୍ ।

ଜାତିସ୍ମରଃ ପୁରା ସଙ୍ଗାଦ୍ୟୋଗୀ ଯୋଗାଦ୍ୱିଚାଲିତଃ ॥ ୧୬॥

ଆଚରନ୍ ଗର୍ହିତଂ ଲୋକେ ଜ୍ଞାତୀନାଂ କର୍ମ ବିପ୍ରିୟମ୍ ।

ସରୟ୍ୱାଂ କ୍ରୀଡତୋ ବାଲାନ୍ ପ୍ରାସ୍ୟଦୁଦ୍ୱେଜୟନ୍ ଜନମ୍ ॥ ୧୭॥

ଅସମଞ୍ଜସ ପୂର୍ବ ଜନ୍ମରେ ଜଣେ ଯୋଗୀ ଥିଲେ | ସଙ୍ଗଦୋଷରୁ ସେ ଯୋଗଭ୍ରଷ୍ଟ ହୋଇ ଯାଇଥିଲେ, କିନ୍ତୁ ଏବେ ମଧ୍ୟ ତାଙ୍କର ପୂର୍ବଜନ୍ମର ସ୍ମୃତି ଉଜ୍ଜୀବିତ ରହିଥିଲା | ସେଥିପାଇଁ ସେ ଏପରି ସବୁ କର୍ମ କରୁଥିଲେ, ଯାହା ଫଳରେ ତାଙ୍କର ଭାଈ-ବନ୍ଧୁ ଆଦି କେହି ମଧ୍ୟ ତାଙ୍କୁ ଭଲ ପାଇବେ ନାହିଁ | ବେଳେ ବେଳେ ତ ସେ ଅତ୍ୟନ୍ତ ନିନ୍ଦିତ କର୍ମ ମଧ୍ୟ କରୁଥିଲେ ଏବଂ ନିଜକୁ ପାଗଳ ରୂପେ ପ୍ରଦର୍ଶିତ କରୁଥିଲେ – ଏପରି କି ବେଳେ ବେଳେ ସେ ଖେଳୁଥିବା ପିଲାମାନଙ୍କୁ ମଧ୍ୟ ସରଯୁ ନଦୀ ଗର୍ଭକୁ ଫିଙ୍ଗି ଦେଉଥିଲେ | ଲୋକେ ତାଙ୍କୁ ନେଇ ବହୁତ ଉଦ୍ବିଗ୍ନ ରହୁଥିଲେ |

ଏବଂବୃତ୍ତଃ ପରିତ୍ୟକ୍ତଃ ପିତ୍ରା ସ୍ନେହମପୋହ୍ୟ ବୈ ।

ଯୋଗୈଶ୍ୱର୍ୟେଣ ବାଲାଂସ୍ତାନ୍ ଦର୍ଶୟିତ୍ୱା ତତୋ ଯୟୌ ॥ ୧୮॥

ଶେଷରେ ତାଙ୍କର ଏପରି କାର୍ଯ୍ୟକଳାପକୁ ଦେଖି ପୁତ୍ର-ସ୍ନେହକୁ ତିଳାଞ୍ଜଳି ଡେଇ ତାଙ୍କର ପିତା ତାଙ୍କୁ ତ୍ୟାଗ କରିଦେଲେ | ତଦନନ୍ତର ଅସମଞ୍ଜସ ନିଜ ଯୋଗବଳରେ ସେହି ସବୁ ମୃତ ବାଳକଙ୍କୁ ଜୀବିତ କରିଦେଲେ ଏବଂ ତାହା ପିତାଙ୍କୁ ଦେଖାଇ ବନକୁ ଚାଲିଗଲେ |

ଅୟୋଧ୍ୟାବାସିନଃ ସର୍ୱେ ବାଲକାନ୍ ପୁନରାଗତାନ୍ ।

ଦୃଷ୍ଟ୍ୱା ବିସିସ୍ମିରେ ରାଜନ୍ ରାଜା ଚାପ୍ୟନ୍ୱତପ୍ୟତ ॥ ୧୯॥

ଅଯୋଧ୍ୟାର ନାଗରିକମାନେ ନିଜ-ନିଜର ମୃତ ପୁତ୍ରଙ୍କୁ ଜୀବିତ ହୋଇ ଫେରି ଆସିବା ଦେଖି ବହୁତ ଆଶ୍ଚର୍ଯ୍ୟ ହେଲେ ଏବଂ ରାଜା ସଗର ମଧ୍ୟ ବହୁତ ପଶ୍ଚାତାପ କଲେ |

ଅଂଶୁମାଂଶ୍ଚୋଦିତୋ ରାଜ୍ଞା ତୁରଙ୍ଗାନ୍ୱେଷଣେ ଯୟୌ ।

ପିତୃବ୍ୟଖାତାନୁପଥଂ ଭସ୍ମାନ୍ତି ଦଦୃଶେ ହୟମ୍ ॥ ୨୦॥

ଏହାପରେ ରାଜା ସଗରଙ୍କର ଆଜ୍ଞାରେ ଅଂଶୁମାନ୍ ଘୋଡା ଅନ୍ବେଷଣରେ ବାହାରିଲେ | ନିଜ କାକାମାନଙ୍କ ଦ୍ବାରା ଖୋଦିତ ସମୁଦ୍ର କୂଳେ-କୂଳେ ଚାଲି ସେ ସେମାନଙ୍କ ଶରୀରର ଭସ୍ମ ନିକଟରେ ଘୋଡାକୁ ଦେଖିବାକୁ ପାଇଲେ |

ତତ୍ରାସୀନଂ ମୁନିଂ ବୀକ୍ଷ୍ୟ କପିଲାଖ୍ୟମଧୋକ୍ଷଜମ୍ ।

ଅସ୍ତୌତ୍ସମାହିତମନାଃ ପ୍ରାଞ୍ଜଲିଃ ପ୍ରଣତୋ ମହାନ୍ ॥ ୨୧॥

ଭଗବାନଙ୍କର ଅବତାର କପିଳମୁନି ସେଠାରେ ହିଁ ବସିଥିଲେ | ତାଙ୍କୁ ଦେଖି ଉଦାରହୃଦୟ ଅଂଶୁମାନ୍ ତାଙ୍କ ଚରଣରେ ପ୍ରଣାମ କରି ହାତ ଯୋଡି ଏକାଗ୍ର ଚିତ୍ତରେ ତାଙ୍କର ସ୍ତୁତି କଲେ |

ଅଂଶୁମାନୁବାଚ

ନ ପଶ୍ୟତି ତ୍ୱାଂ ପରମାତ୍ମନୋଽଜନୋ

ନ ବୁଧ୍ୟତେଽଦ୍ୟାପି ସମାଧିୟୁକ୍ତିଭିଃ ।

କୁତୋଽପରେ ତସ୍ୟ ମନଃଶରୀରଧୀ-

ବିସର୍ଗସୃଷ୍ଟା ବୟମପ୍ରକାଶାଃ ॥ ୨୨॥

ଅଂଶୁମାନ୍ କହିଲେ – ଭଗବାନ୍ ! ଆପଣ ଅଜନ୍ମା ବ୍ରହ୍ମାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି | ସେଥିପାଇଁ ସେ ଆପଣଙ୍କର ପ୍ରତ୍ୟକ୍ଷ ଦର୍ଶନ କରିପାରନ୍ତି ନାହିଁ | ଦେଖିବା ତ ବହୁ ଦୂରର କଥା, ସେ ସମାଧିରେ ରହି, ତର୍କ କରି-କରି ହାରିଗଲେ, କିନ୍ତୁ ଆଜିଯାଏଁ ଆପଣଙ୍କୁ ବୁଝି ମଧ୍ୟ ପାରିଲେ ନାହିଁ | ଆମ୍ଭେମାନେ ତ ତାଙ୍କର ମନ, ଶରୀର ଏବଂ ବୁଦ୍ଧି ଦ୍ବାରା ରଚିତ ସୃଷ୍ଟିର ଅଜ୍ଞାନୀ ଜୀବ ମାତ୍ର ଅଟୁ | ଆମେ ଭଲା ଆପଣଙ୍କୁ କିପରି ବୁଝି ପାରିବୁ ?

ଯେ ଦେହଭାଜସ୍ତ୍ରିଗୁଣପ୍ରଧାନା

ଗୁଣାନ୍ ବିପଶ୍ୟନ୍ତ୍ୟୁତ ବା ତମଶ୍ଚ ।

ଯନ୍ମାୟଯା ମୋହିତଚେତସସ୍ତେ

ବିଦୁଃ ସ୍ୱସଂସ୍ଥଂ ନ ବହିଃପ୍ରକାଶାଃ ॥ ୨୩॥

ସଂସାରର ଶରୀରଧାରୀମାନେ ସତ୍ତ୍ବଗୁଣ, ରଜୋଗୁଣ ଏବଂ ତମୋଗୁଣ-ପ୍ରଧାନ ଅଟନ୍ତି | ଆପଣଙ୍କ ମାୟାରେ ମୋହିତ ହୋଇ ସେମାନେ ଜାଗ୍ରତ ଏବଂ ସ୍ବପ୍ନାବସ୍ଥାରେ ଗୁଣମୟ ପଦାର୍ଥ ରୂପେ କେବଳ ବିଷୟକୁ ଏବଂ ସୁଷୁପ୍ତି ଅବସ୍ଥାରେ କେବଳ ଅଜ୍ଞାନ ହିଁ ଅଜ୍ଞାନ ଦେଖନ୍ତି | ସେମାନେ ବହିର୍ମୁଖ ହୋଇଥିବା କାରଣରୁ ବାହ୍ୟ ବସ୍ତୁକୁ ତ ଦେଖନ୍ତି, କିନ୍ତୁ ନିଜ ହୃଦୟରେ ସ୍ଥିତ ଆପଣଙ୍କୁ ଦେଖିପାରନ୍ତି ନାହିଁ |

ତଂ ତ୍ୱାମହଂ ଜ୍ଞାନଘନଂ ସ୍ୱଭାବ-

ପ୍ରଧ୍ୱସ୍ତମାୟାଗୁଣଭେଦମୋହୈଃ ।

ସନନ୍ଦନାଦ୍ୟୈର୍ମୁନିଭିର୍ୱିଭାବ୍ୟଂ

କଥଂ ହି ମୂଢଃ ପରିଭାବୟାମି ॥ ୨୪॥

ଆପଣ ଏକରସ, ଜ୍ଞାନଘନ ଅଟନ୍ତି | ସନନ୍ଦନ ଆଦି ମୁନି, ଆତ୍ମସ୍ବରୂପର ଅନୁଭବ ଦ୍ବାରା ଯେଉଁମାନଙ୍କର ମାୟା ଗୁଣରୁ ଉତ୍ପନ୍ନ ହେଉଥିବା ଭେଦଭାବ ଏବଂ ଅଜ୍ଞାନ ନଷ୍ଟ ହୋଇ ଯାଇଥାଏ, ସେମାନେ ନିରନ୍ତର ଆପଣଙ୍କର ଚିନ୍ତନ କରୁଥାଆନ୍ତି ! ମାୟାର ଗୁଣରେ ମୋହିତ ମୋ ପରି ଜଣେ ମୂଢ଼ ଜୀବ ଆପଣଙ୍କର ଚିନ୍ତନ କିପରି କରିବ ?

ପ୍ରଶାନ୍ତମାୟାଗୁଣକର୍ମଲିଙ୍ଗ-

ମନାମରୂପଂ ସଦସଦ୍ୱିମୁକ୍ତମ୍ ।

ଜ୍ଞାନୋପଦେଶାୟ ଗୃହୀତଦେହଂ

ନମାମହେ ତ୍ୱାଂ ପୁରୁଷଂ ପୁରାଣମ୍ ॥ ୨୫॥

ମାୟା, ମାୟାର ଗୁଣ ଏବଂ ସେହି ଗୁଣ ଦ୍ବାରା ପ୍ରେରିତ କର୍ମ ଏବଂ କର୍ମ-ସଂସ୍କାରରୁ ଜାତ ଲିଙ୍ଗଶରୀର – ଆପଣଙ୍କଠାରେ ନାହିଁ | ଆପଣଙ୍କର ନାମ ନାହିଁ କି ରୂପ ନାହିଁ | କାର୍ଯ୍ୟ-କାରଣର ଉର୍ଦ୍ଧ୍ବରେ ଆପଣ ସନାତନ ଆତ୍ମା ଅଟନ୍ତି | ଜ୍ଞାନର ଉପଦେଶ ଦେବା ପାଇଁ ହିଁ ଆପଣ ଏହି ଶରୀର ଧାରଣ କରିଛନ୍ତି | ମୁଁ ଆପଣଙ୍କୁ ନମସ୍କାର କରୁଛି |

ତ୍ୱନ୍ମାୟାରଚିତେ ଲୋକେ ବସ୍ତୁବୁଦ୍ଧ୍ୟା ଗୃହାଦିଷୁ ।

ଭ୍ରମନ୍ତି କାମଲୋଭେର୍ଷ୍ୟାମୋହବିଭ୍ରାନ୍ତଚେତସଃ ॥ ୨୬॥

ପ୍ରଭୁ ! ଏହି ସଂସାର ଆପଣଙ୍କ ମାୟାର କରାମତି ଅଟେ | ଏହାକୁ ସତ୍ୟ ମନେକରି ଲୋକେ କାମ, ଲୋଭ, ଈର୍ଷ୍ୟା, ମୋହରେ ଚିତ୍ତ, ଶରୀର ଏବଂ ଘର-ପରିବାର ଆଦିରେ ଭ୍ରମିତ ହେଉଛନ୍ତି | ଏହାର ଚକ୍ରରେ ଲୋକେ ଛନ୍ଦି ହୋଇଯାଆନ୍ତି |

ଅଦ୍ୟ ନଃ ସର୍ୱଭୂତାତ୍ମନ୍ କାମକର୍ମେନ୍ଦ୍ରିୟାଶୟଃ ।

ମୋହପାଶୋ ଦୃଢଶ୍ଛିନ୍ନୋ ଭଗବଂସ୍ତବ ଦର୍ଶନାତ୍ ॥ ୨୭॥

ସମସ୍ତ ପ୍ରାଣୀଙ୍କର ଆତ୍ମା ହେ ପ୍ରଭୁ ! ଆଜି ଆପଣଙ୍କର ଦର୍ଶନ କରି ମୋର ମୋହରୂପ ସେହି ଦୃଢ ଫାଶୀ ଛିନ୍ନ ହୋଇଗଲା, ଯାହା କାମନା, କର୍ମ ଏବଂ ଇନ୍ଦ୍ରିୟମାନଙ୍କୁ ଜୀବନଦାନ ଦେଇଥାଏ |

ଶ୍ରୀଶୁକ ଉବାଚ

ଇତ୍ଥଂ ଗୀତାନୁଭାବସ୍ତଂ ଭଗବାନ୍ କପିଲୋ ମୁନିଃ ।

ଅଂଶୁମନ୍ତମୁବାଚେଦମନୁଗୃହ୍ୟ ଧିୟା ନୃପ ॥ ୨୮॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏହିପରି ଭାବରେ ଅଂଶୁମାନ୍ ଯେତେବେଳେ ଭଗବାନ କପିଳଦେବଙ୍କ ପ୍ରଭାବର ସ୍ତୁତି ଗାନ କଲେ, ସେତେବେଳେ ସେ ମନେ-ମନେ ଅଂଶୁମାନଙ୍କ ପ୍ରତି ବିଶେଷ ଅନୁଗ୍ରହ କରି ତାଙ୍କୁ କହିଲେ -

ଶ୍ରୀଭଗବାନୁବାଚ

ଅଶ୍ୱୋଽୟଂ ନୀୟତାଂ ବତ୍ସ ପିତାମହପଶୁସ୍ତବ ।

ଇମେ ଚ ପିତରୋ ଦଗ୍ଧା ଗଙ୍ଗାମ୍ଭୋଽର୍ହନ୍ତି ନେତରତ୍ ॥ ୨୯॥

ଶ୍ରୀଭଗବାନ କହିଲେ – ପୁତ୍ର ! ଏହି ଘୋଡା ତୁମ ପିତାମହଙ୍କର ଯଜ୍ଞପଶୁ ଅଟେ; ଏହାକୁ ତୁମେ ନେଇଯାଅ | ଭସ୍ମ ହୋଇ ଯାଇଥିବା ତୁମ କାକାମାନଙ୍କର ଉଦ୍ଧାର କେବଳ ଗଙ୍ଗାଜଳ ଦ୍ବାରା ହୋଇପାରିବ, ଅନ୍ୟ କୌଣସି ଉପାୟ ନାହିଁ |

ତଂ ପରିକ୍ରମ୍ୟ ଶିରସା ପ୍ରସାଦ୍ୟ ହୟମାନୟତ୍ ।

ସଗରସ୍ତେନ ପଶୁନା କ୍ରତୁଶେଷଂ ସମାପୟତ୍ ॥ ୩୦॥

ଅଂଶୁମାନ୍ ଅତ୍ୟନ୍ତ ନମ୍ରତାର ସହିତ ଭଗବାନଙ୍କୁ ପ୍ରସନ୍ନ କରାଇ ତାଙ୍କର ପରିକ୍ରମା କଲେ ଏବଂ ଘୋଡାକୁ ନେଇ ଆସିଲେ | ସେହି ଯଜ୍ଞପଶୁ ଦ୍ବାରା ରାଜା ସଗର ଯଜ୍ଞର ଶେଷକ୍ରିୟା ସମ୍ପନ୍ନ କଲେ |

ରାଜ୍ୟମଂଶୁମତେ ନ୍ୟସ୍ୟ ନିଃସ୍ପୃହୋ ମୁକ୍ତବନ୍ଧନଃ ।

ଔର୍ୱୋପଦିଷ୍ଟମାର୍ଗେଣ ଲେଭେ ଗତିମନୁତ୍ତମାମ୍ ॥ ୩୧॥

ତାପରେ ରାଜା ସଗର ଅଂଶୁମାନଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ସ୍ବୟଂ ବିଷୟ ପ୍ରତି ନିଃସ୍ପୃହ ଏବଂ ବନ୍ଧନମୁକ୍ତ ହୋଇଗଲେ | ମହର୍ଷି ଔର୍ଵଙ୍କ ଦ୍ବାରା ନିର୍ଦ୍ଦେଶିତ ମାର୍ଗର ଅବଲମ୍ବନ କରି ସେ ପରମପଦକୁ ପ୍ରାପ୍ତ ହୋଇଗଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ସଗରୋପାଖ୍ୟାନେ ଅଷ୍ଠମୋଽଧ୍ୟାୟଃ ॥ ୮॥ 

Comments

Popular posts from this blog